Unknown

 

 

 

 

 

 

 

 

 

 

 

ବ୍ରହ୍ମ ତାତିଲାଣି ପରା

ଚିତ୍ତରଞ୍ଜନ ଦାସ

 

ପ୍ରକାଶକୀୟ

 

ଓଡ଼ିଶାର ଧର୍ମ, ସଂସ୍କୃତି, ଶିକ୍ଷା, ସାହିତ୍ୟ ଓ ରାଜନୀତି ସମ୍ପର୍କରେ ଆଲୋଚନାକୁ ନୂତନ ଦୃଷ୍ଟିକୋଣ ଓ ଚେତନା ମାଧ୍ୟମରେ ଶ୍ରୀ ଚିତ୍ତରଞ୍ଜନ ଦାସ ବହୁ ବର୍ଷ ଧରି ପରିପୁଷ୍ଟ କରି ଆସୁଛନ୍ତି । ଆଜକୁ ଅର୍ଦ୍ଧଶତାବ୍ଦୀ ତଳେ “ଓଡ଼ିଶାର ମହିମାଧର୍ମ “ “ଅଚ୍ୟୁତାନନ୍ଦ ଓ ପଞ୍ଚସଖା’’, ‘‘ମଧ୍ୟଯୁଗୀୟ ଓଡ଼ିଶାର ଧର୍ମ ଓ ସାହିତ୍ୟ’’, ବଳରାମ ଦାସଙ୍କ “ଭାଗବ‌‌ତ୍‌‌‌ଗୀତା”ର ଶୁଦ୍ଧ-ସମ୍ପାଦନ ଆଦି ପୁସ୍ତକ ଲେଖି ସେ ଓଡ଼ିଆ ଧର୍ମୀୟ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲେ । ଅନେକ ବର୍ଷତଳେ ତାଙ୍କ ଲିଖିତ “ସନ୍ଥସାହିତ୍ୟ” ଓ ନିକଟରେ ପ୍ରକାଶିତ “ଦେଖୁଁ ଦେଖୁଁ କେବା ସହୁ” ପୁସ୍ତକ ମାନବବାଦର ଚିନ୍ତାଜଗତକୁ ଦୁଇଟି ମୂଲ୍ୟବାନ୍ ଅବଦାନ ।

 

ଚିତ୍ତଭାଇ ଆମ ସମୟର ଜଣେ ବିଶିଷ୍ଟ ଦାର୍ଶନିକ ଓ ଚିନ୍ତାନାୟକ । ପ୍ରବନ୍ଧ, ରମ୍ୟରଚନା, ସମାଲୋଚନା, ଶିକ୍ଷା, ଧର୍ମ, ଦର୍ଶନର ବିଭିନ୍ନ ଦିଗ ଉପରେ ସେ ବହୁ ଲେଖା ଲେଖିଛନ୍ତି । ଓଡ଼ିଆ ଅନୁବାଦ ସାହିତ୍ୟକୁ ତାଙ୍କର ଅବଦାନ ସର୍ବସ୍ଵୀକୃତ । ସାଂପ୍ରତିକ ସାହିତ୍ୟ ଓ ସାମାଜିକ ଆଲୋଚନାକୁ କିପରି ବଳିଷ୍ଠ କରାଯାଇପାରିବ ସେଥିପାଇଁ ସବୁବେଳେ ତର୍କ ବିତର୍କର ଆବଶ୍ୟକତା ରହିଛି । ଯେତେ ପ୍ରକାରର ଚିନ୍ତାଧାରା ଆମ ସମସ୍ତଙ୍କୁ ପ୍ରଭାବିତ କରୁଛି, ତାହାର ଏକ ବିକଳ୍ପ ଧାରା ମଧ୍ୟ ପ୍ରବାହିତ ହେଉଛି । କିନ୍ତୁ ଏହି ଧାରାଟି ଅନେକ ସମୟରେ ଲୁକ୍କାୟିତ ହୋଇ ରହିଯାଉଛି । ଚିତ୍ତଭାଇଙ୍କ ଭଳି ଅତି ଅଳ୍ପ ସଂଖ୍ୟକ ବୁଦ୍ଧିଜୀବୀ ଓ ସମ୍ବେଦନଶୀଳ ବ୍ୟକ୍ତି ଏହି ତର୍କ ବିତର୍କକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅବାରିତ ଉଦ୍ୟମ କରି ଆସୁଛନ୍ତି ।

 

ଏକଥା ସତ, ଚିତ୍ତଭାଇଙ୍କ ଲେଖାଗୁଡ଼ିକ ଅନେକ ପଢ଼ନ୍ତି ଗୁରୁତ୍ଵ ଓ ଗମ୍ଭୀରତାର ସହ, କିନ୍ତୁ ସେମାନଙ୍କଠାରୁ ଯେଉଁଭଳି ପ୍ରତିକ୍ରିୟା ମିଳିବାର କଥା ସେଭଳି ପ୍ରତିକ୍ରିୟା ପ୍ରାୟ ମିଳିନଥାଏ । ଏହି କଥାକୁ ଲକ୍ଷ୍ୟ କରି ଚିତ୍ତଭାଇ ମଧ୍ୟ ତାଙ୍କରି ଲେଖନୀକୁ ଚଳାଇବାରୁ ବିରତ ହୋଇନାହାନ୍ତି ।

 

ଚିତ୍ତଭାଇଙ୍କ ଲିଖିତ ଦୈନିକ ପ୍ରଗତିବାଦୀରେ ଯେଉଁ ସବୁ ଲେଖାଗୁଡ଼ିକ ପ୍ରକାଶିତ ହୋଇଛି ଓ ତାହା ପୁସ୍ତକ ଆକାରରେ ଏଯାବତ୍ ଆତ୍ମପ୍ରକାଶ କରି ନାହିଁ, ସେ ସବୁ ପର୍ଯ୍ୟାୟ କ୍ରମେ ପ୍ରକାଶିତ ହେବ ବୋଲି ଏକ ଯୋଜନା କରାଯାଇଛି । ସେହି ଯୋଜନାକୁ ସଫଳ ରୂପ ଦେବା ଦିଗରେ ଏହି ପ୍ରକାଶନଟି ଏକ ପଦକ୍ଷେପ । ଆଶାକରୁ, ଏସବୁ ଜୀବନ-ଉତପ୍ରେରକ ଲେଖାଗୁଡ଼ିକ ପଢ଼ି ପାଠକମାନେ ଚିନ୍ତା ଓ ଚେତନା ସ୍ତରରେ ନିଜନିଜର ପ୍ରତିକ୍ରିୟା ପ୍ରକାଶ କରିବେ । ଏହି ପ୍ରତିକ୍ରିୟା ଚିତ୍ତଭାଇଙ୍କ ଲେଖନୀର ଉଦ୍ଦେଶ୍ୟକୁ ସଫଳ କରିବା ସହିତ ଏକ ସୂଚକ ଭାବରେ ମଧ୍ୟ କାର୍ଯ୍ୟ କରିବ ।

 

ମହାଶିବରାତ୍ରି,

ଅଚ୍ୟୁତ ଦାସ

୧୮.୦୨.୨୦୦୪

ନିର୍ଦ୍ଦେଶକ, ଅଗ୍ରଗାମୀ

Image

 

—ବ୍ରହ୍ମ ଯେ ତାତିପାରେ ଓ ତାତେ, ପୃଥିବୀର ବ୍ରହ୍ମବାଦୀମାନେ ସେକଥା ସମ୍ଭବତଃ ଆଦୌ ସ୍ଵୀକାର କରିବେ ନାହିଁ । ବ୍ରହ୍ମ ତାତେ ବୋଲି ବ୍ରହ୍ମକୁ ବଞ୍ଚୁଥିବା ମଣିଷମାନେ ତଥାପି କହି ଆସିଛନ୍ତି । କେବଳ ନିଜ ପାଇଁ ବ୍ରହ୍ମୋପାସନା କରୁଥିବା ବ୍ୟକ୍ତି ଏବଂ ସମୂହମାନେ ସଚରାଚର ବ୍ରହ୍ମକୁ ଶୀତଳ କରି ରଖିବାକୁ ଓ ଶୀତଳ ବୋଲି ଦେଖାଇବାକୁ ଚେଷ୍ଟା କରିଛନ୍ତି । ଅସଲ ସତ୍ୟଟି ହେଉଛି ବ୍ରହ୍ମ ଯେତେବେଳେ ତାତେ, ସମଗ୍ର ପୃଥିବୀ ପାଇଁ ତାତେ ।

 

—ବ୍ରହ୍ମ ତାତେ, ଅର୍ଥାତ ବ୍ରହ୍ମ ସଚଳ ହୁଏ । ଭିତର ଓ ବାହାର ଉଭୟକୁ ସଚଳ କରେ । କାଳ କଡ଼ ଲେଉଟାଇବାର ବେଳ ଆସି ପହଞ୍ଚିଯାଇଥାଏ । ଯେଉଁମାନେ ନିମିତ୍ତ ହୋଇ ତିଆରି ହୋଇଥାଆନ୍ତି, ସେମାନେ ଜଳ ଜଳ କରି ଦେଖିପାରନ୍ତି । ସାମିଲ ହୋଇ ଯାଆନ୍ତି ।

 

ଲେଖାଗୁଡ଼ିକ ଏକଦା ଦୈନିକ ‘ପ୍ରଗତିବାଦୀ’ରେ ପ୍ରକାଶ ପାଇଥିଲା । ‘ପ୍ରଗତିବାଦୀ’ ପରିବାରକୁ ମୋ’ର ଗଭୀର କୃତଜ୍ଞତା ଜଣାଉଛି ।

Image

 

ବିଷୟସୂଚୀ

 

୧.

ଜଡ଼ ଓ ଚେତନର ସମର

୨.

ଅଭିନବ ଚିକିତ୍ସା-ପଦ୍ଧତି

୩.

ଖାଲି ସଭାପତିଟିଏ ଲୋଡ଼ା

୪.

ପିଲାଖିଆ ଶିକ୍ଷାର ଇତିକଥା

୫.

ଜ୍ଞାତେ ତତ୍ତ୍ୱେ କଃ ସଂସାରଃ ?

୬.

ପିଣ୍ଟୁର ପୃଥିବୀଚିନ୍ତା

୭.

ପ୍ରବନ୍ଧକୁ ପୁରସ୍କାର

୮.

ତୁଚ୍ଛା ଶୋଭା ପାଇବାକୁ

୯.

ଅବଳା, ସବଳା, ସ୍ଵୟଂବଳା

୧୦.

ଜଗତିକରଣର ପ୍ରସ୍ତୁତି

୧୧.

ନଦେଲେ ଉତ୍ତର କେହି

୧୨.

ସଂସ୍କୃତି ଓ ସ୍ଵାଭିମାନ

୧୩.

ଆଉ ଯୁଦ୍ଧ ଲାଗିବନାହିଁ

୧୪.

ବସ୍ତୁବାଦୀମାନେ ହିଁ କହୁଛନ୍ତି

୧୫.

ଠିକଣା ଜବାବ ମିଳିଲା

୧୬.

ଜୟ ବିଜ୍ଞାନ

୧୭.

ଓଡ଼ିଆର ପରିଚିତି

୧୮.

ବହୁତଙ୍କୁ ବଞ୍ଚିତ କରି

୧୯.

ଆମକୁ ଅଣହିନ୍ଦୁ କରନାହିଁ

୨୦.

ବିବେକମାନେ ତଳକୁ ଆସ

୨୧.

ନେତାମାନେ ଟିଉସନ ହୁଅନ୍ତୁ

୨୨.

ବ୍ରହ୍ମ ତାତିଲାଣି ପରା !

୨୩.

ଦେଖିଲେ ଦୁଃଖ ଲାଗେ

୨୪.

କୃଷ୍ଟିରୁ ସଂସ୍କୃତି

୨୫.

ପ୍ରତୀକର ବନ୍ଦନା

୨୬.

ଖାଲି ସାହିତ୍ୟର ଅସାହିତ୍ୟ

୨୭.

ରାଜସତ୍ତା ଓ ଲୋକଶକ୍ତି

୨୮.

କୋଉ ଭାରତର ରତ୍ନ ?

୨୯.

ବିଳମ୍ବରେ ହେଲେ ମଧ୍ୟ

୩୦.

ଗୋଟିଏରୁ କୋଟିଏ

୩୧.

ଧର୍ମର ଅନ୍ତରୀକରଣ

୩୨.

ଏମିତି ନଲେଖି ସେମିତି ଲେଖ

୩୩.

ପଳକର ଶାନ୍ତି ପଲଙ୍କର ଶାନ୍ତି

୩୪.

ମନୋହରପୁରର ସାହିତ୍ୟ

୩୫.

ଆଗାମୀ ହଜାରବର୍ଷ ପଥେ

୩୬.

ସଂଗ୍ରାମ ବ୍ୟର୍ଥ ହୋଇନାହିଁ

୩୭.

ଭଲ ମଣିଷ ହୁଅ

୩୮.

ସାହିତ୍ୟର ମନୋହରପୁର

୩୯.

ମୁଁ ଓଡ଼ିଆରେ ବି କହିପାରିବି

୪୦.

ଯେଉଁ ଶତାବ୍ଦୀ ଆସୁଛି

Image

 

ଜଡ଼ ଓ ଚେତନର ସମର

 

ସେତେବେଳେ ବ୍ରିଟିଶ ଶାସନ ସହିତ ଭାରତବାସୀଙ୍କର ଯୁଦ୍ଧ ଲାଗିଥିଲା ଏବଂ ତାହାକୁ ସ୍ୱାଧିନତାର ସଂଗ୍ରାମ ବୋଲି କୁହାଯାଉଥିଲା । ଆପଣାଦ୍ୱାରା ରଚିତ ଗୋଟିଏ ଗୀତରେ ଆମ ଜାତୀୟ କବି ଶ୍ରୀ ବୀର କିଶୋର ଦାସ ସେହି ଯୁଦ୍ଧକୁ ଜଡ଼ ଓ ଚେତନ ମଧ୍ୟରେ ଲାଗିଥିବା ଏକ ଯୁଦ୍ଧ ବୋଲି ବର୍ଣ୍ଣନା କରିଥିଲେ । ଏହି ବାକ୍ୟାଂଶଟିକୁ ସେତେବେଳେ ଆମେ ତରୁଣମାନେ କେଡ଼େ ଉତ୍ସାହର ସହିତ ଗାନ କରୁଥିଲୁ । ସମ୍ଭବତଃ ଏହାର ସମ୍ପୂର୍ଣ୍ଣ ଅର୍ଥଟିକୁ କଦାପି ବୁଝିନଥିଲୁ । ସଂଗ୍ରାମର କବି ଯାହାକିଛି ଗୀତରେ ଲେଖେ, ତାହାର ସମ୍ପୂର୍ଣ୍ଣ ଅର୍ଥକୁ ବୁଝିବା ପାଇଁ ସଂଗ୍ରାମୀର ଆଦୌ ତର ସହେ ନାହିଁ । କବି ବୀରକିଶୋର ଅରି ଫେରିନାହିଁ ଏବଂ ତେଣୁ ଯୁଦ୍ଧ ସରିନାହିଁ ବୋଲି ସେହି ଗୀତଟିରେ ଉଦବୋଧନ ଦେଇଥିଲେ । ସଂଗ୍ରାମର ପରିଣତି ରୂପେ ଏହି ଭାରତବର୍ଷକୁ ଯେତେବେଳେ ରାଜନୀତିକ ସ୍ଵାଧୀନତା ଆସିଲା ଅର୍ଥାତ ବ୍ରିଟିଶ ଶାସନ ଭାରତବର୍ଷ ଛାଡ଼ି ଚାଲିଗଲା, ସେତେବେଳେ ଯୁଦ୍ଧଟା ସତକୁ ସତ ସରିଗଲା କି ?

 

ସେହି ଯୁଦ୍ଧକୁ ବୀରକିଶୋର ଜଡ଼ ଓ ଚେତନ ମଧ୍ୟରେ ଲାଗିଥିବା ଗୋଟିଏ ଯୁଦ୍ଧ ବୋଲି କାହିଁକି ଘୋଷଣା କରିଥିଲେ କେଜାଣି ? ଭାବପ୍ରବଣତାର ଆତିଶଯ୍ୟରେ ସେତେବେଳେ ସମ୍ଭବତଃ ଅନେକ ଲୋକ ଜଡ଼ କହିଲେ ବ୍ରିଟିଶ ଶାସନକୁ ବୁଝିଥିବେ ଓ ଚେତନ କହିଲେ ଭାରତବର୍ଷ ନାମକ ଆମ ଏପଟଟାକୁ ବୁଝିଥିବେ । ଏପରି ବୁଝି କେଡ଼େ ଉତ୍ସାହ ପାଇଥିବେ । ସମ୍ଭବତଃ ସେହି ଲୋକମାନେ ହିଁ ଭାରତ ସ୍ଵାଧୀନ ହୋଇଯିବା ପରେ ଜଡ଼ ହୋଇଗଲେ, ଭାରତବର୍ଷକୁ ମାଡ଼ିବସିଲେ । ସେହିମାନେ ଅର୍ଥାତ୍ ସେହିମାନଙ୍କର ଶିବିରଟା ଆଜି ମଧ୍ୟ ଦେଶଟାକୁ ଅର୍ଥାତ ଭାରତବାସୀଙ୍କୁ ନିଜ ମନମୁଖୀ ଶାସନ କରୁଛି : କେବଳ ନିଜକୁ ହିଁ ଏକମାତ୍ର ଚେତନ ବୋଲି ବିଚାରୁଛି । ଏଠାରେ ବାସକରୁଥିବା କୋଟି କୋଟି ମଣିଷଙ୍କୁ ସତେ ଅବା ଜଡ଼ ବୋଲି ଧରିନେଉଛି । ଅର୍ଥାତ୍, ତୁମେ ସେମାନଙ୍କୁ ଇଚ୍ଛା କରିବ ଅବଶ୍ୟ ଶାସନ କରିପାରିବ; ତୁମେ ସେମାନଙ୍କୁ ଚମତ୍କାର ପ୍ରକାରେ ବଶ କରି ରଖିପାରିବ । ସେମାନଙ୍କ ନାମରେ ଯୋଜନା ଗଢ଼ିବ, ସେଇମାନଙ୍କର ଦ୍ଵାହି ଦେଇ ବିଦେଶରୁ ସହସ୍ର ସହସ୍ର କୋଟି ଟଙ୍କା କରଜ କରି ଆଣିବ ଏବଂ ଏତେ ଉପରେ ଥାଇ ସେମାନଙ୍କୁ ଶାସନ କରୁଥିବ ଯେ ସେମାନେ କେଉଁ ପାଣି ପ୍ରକୃତରେ କେଉଁଆଡ଼େ ଯାଉଛି, ତାହାର କୌଣସି ସମ୍ବାଦ ମଧ୍ୟ ପାଇ ପାରିବେ ନାହିଁ । ଧନୀ ଅଧିକ ଧନୀ ହେଉଥିବେ, ଗରିବ ଅଧିକ ଗରିବ ଏବଂ ଅସହାୟ ହେବାରେ ଲାଗିଥିବ । ଦେଶର ପ୍ରାୟ ଦଶଭାଗ ମଣିଷ ବାକି ନବେଭାଗଙ୍କ ପିଠି ଉପରେ ବସିଥିବେ । ସେହିଭଳି ଅନ୍ଧାରଗୁଡ଼ାକୁ ସ୍ଥାୟୀ କରି ରଖିବା ନିମନ୍ତେ ଶିକ୍ଷା, ଶାସନ, ବଜାର ଏବଂ କଚେରୀସବୁ ଚାଲିଥିବ । ମଣିଷମାନଙ୍କୁ ତୁଚ୍ଛା ଗୋଡ଼ି ମାଟି ଜ୍ଞାନରେ ଦେଖା ହେଉଥିବ । ପନ୍ଦର ପ୍ରକାରର ତାରତମ୍ୟ ରଖି ପାଠ ପଢ଼ା ଯାଉଥିବ-। ଅର୍ଥାତ୍ ଆହୁରି ପଚାଶବର୍ଷ ଅଥବା ତା’ଠାରୁ ଅଧିକ କାଳ ସକାଶେ ଯେପରି ଦେଶର ସ୍ଵାର୍ଥଗୁଡ଼ିକ ପନ୍ଦରଭାଗ ହୋଇ ରହିବ ଏବଂ ବଡ଼ ମାଛମାନେ ପରମ ଦର୍ପରେ ସାନ ମାଛମାନଙ୍କୁ ଗିଳି ପକାଇବାକୁ ହିଁ ଯେପରି ସଫଳତା ବୋଲି ବିଚାର କରୁଥିବେ, ସେହିଭଳି ମିଛ ବ୍ୟବସ୍ଥାଗୁଡ଼ିକୁ ଜାକଜମକ ସହିତ ଜାରି କରି ରଖା ଯାଇଥିବ । ନ୍ୟାୟ ମିଳିବ ବୋଲି ରାଜମହଲ ଭଳି କୋଠମାନେ ଛିଡ଼ା ହୋଇ କି ସୁନ୍ଦର ଦେଖା ଯାଉଥିବେ, ମାତ୍ର ନ୍ୟାୟ କେଉଁଠାରେ ହେଲେ ନଥିବ-

 

ସବୁକିଛି ପଇସାଦ୍ୱାରା ଚଳୁଥିବ; ପଣ୍ୟପରି କିଣା ହୋଇ ଏବଂ ବିକାହୋଇ ପାରୁଥିବ । ଆମ ନେତାମାନେ ଆମ ଜୀବନରୂପକ ଜଙ୍ଗଲରେ ଦିବ୍ୟ ଅୟସ ସହିତ ପାରିଧି କରି ବୁଲୁଥିବେ । ଏହିପରି ପାରିଧି କରିବାକୁ ହିଁ ସାଧୁମାନଙ୍କର ସମ୍ମତି ସହିତ ରାଜନୀତି ବୋଲି କୁହା ଯାଉଥିବ । ଉଆସର ଶିଷ୍ଟ ଓ ଉଚ୍ଚମାନେ ଦେଶଟାକୁ ଏକ ମହାନ୍ ଦେଶ ବୋଲି କହି ରଡ଼ି କରିବାରେ ଲାଗିଥିବେ । ସେତେବେଳେ ସାହିତ୍ୟ ମଧ୍ୟ ଆଦୌ କମ୍ ହେଉନଥିବ । ସ୍ଵୟଂ ରଜା ନିଜକୁ ସବାବଡ଼ ସାହିତ୍ୟାରୋହୀ ବୋଲି ଘୋଷଣା କରି ପାରୁଥିବେ ଓ ତାହାକୁ ହିଁ ଯୁଗାନୁକୂଳ ଏକମାତ୍ର ରୁଚି ବୋଲି କହି ତାଳି ମାରିବାକୁ ଥୋକେ ତୋଷାମବକାରୀ ବି ଚଉପାଶେ ବେଢ଼ି ରହିଥିବେ । ଏହିପରି ବେଢ଼ି ରହି କୃପାସ୍ପର୍ଶ ଲାଭ କରୁଥିବେ । ଏପରି ଏକ ଅବସ୍ଥାକୁ ଆପଣ ଜଡ଼ ବୋଲି କହିବେ ନା ଚେତନ ବୋଲି କହିବେ ? ଯଦି ଦେଶ କହିଲେ ଆପଣ ଦେଶର ସବୁ ଅଧିବାସୀଙ୍କୁ ବୁଝୁଥିବେ ଦେଶର ପିଲା କହିଲେ ପ୍ରକୃତରେ ସବୁ ପିଲାଙ୍କୁ ବୁଝୁଥିବେ, ଜାତୀୟ ପତାକାକୁ ସମସ୍ତଙ୍କର ପତାକା ବୋଲି ଅନୁଭବ କରୁଥିବେ, ତେବେ ଏହି ଗୋଲାମମାନଙ୍କର କଥାରେ ଆପଣ କଦାପି ରାଜି ହୋଇ ପାରିବେ ନାହିଁ । ଗୋଲାମମାନେ ଏତେ ହଜାର ଟଙ୍କା କମାଉଥିଲେ ଅଥବା ଏତେ ବଡ଼ ପଗଡ଼ିଟାଏ ପିନ୍ଧିଥିଲେ ମଧ୍ୟ ତଥାପି ଆପଣ କଦାପି ବାଉଳା ହୋଇ ଯିବେ ନାହିଁ । ଏମାନଙ୍କୁ ଆପଣ କେବଳ ଜଡ଼ ବୋଲି ହିଁ କହିପାରିବେ । ଏବଂ ଚେତନ ପକ୍ଷଟିକୁ ଖୋଜି ବାହାରିବେ । ଚେତନାଶୀଳ ସାଥିମାନଙ୍କର ସନ୍ଧାନ କରି ବାହାରିବେ । ସାମୂହିକ ଜୀବନର ଯେଉଁ କ୍ଷେତ୍ରରେ ଥାଆନ୍ତୁ ପଛେକ, ଆପଣ ତାହା ହିଁ କରିବେ । କବି ବୀର କିଶୋରଙ୍କ ସହିତ ଅପଣ ମଧ୍ୟ ଯୁଦ୍ଧ ସରି ନାହିଁ ବୋଲି ଅଲବତ କହିବେ । ପଚାଶବର୍ଷ ତଳେ ଯେତେବେଳେ ଭାରତୀୟ ନେତାମାନେ କ୍ଷମତାର ହସ୍ତାନ୍ତର ହେଲା ବୋଲି ବ୍ରିଟିଶ ସରକାରଙ୍କ ଠାରୁ କାଗଜ ଉପରେ ଦସ୍ତଖତ କରାଇ ଆଣୁଥିଲେ, ମହାତ୍ମା ଗାନ୍ଧୀ ମଧ୍ୟ ସେତେବେଳେ ଭାରତବର୍ଷରେ ଯୁଦ୍ଧ ସରିନାହିଁ ବୋଲି ଆମକୁ ଚେତାଇ ଦେଇଥିଲେ । ଏବେ ପଚାଶବର୍ଷ ପରେ ନିଜର ଚତୁର୍ଦ୍ଦିଗକୁ ଅନାଇ ଜଳ ଜଳ ହୋଇ ଦିଶିଯାଉଛି ଯେ, ଯୁଦ୍ଧ କେବେହେଲେ ସରିନାହିଁ । ଥୋକେ ମଣିଷଙ୍କ ଉପରେ ଆଉ ଥୋକେ ସବାର ହୋଇ ବସିଥିବା ପର୍ଯ୍ୟନ୍ତ ଯୁଦ୍ଧ କେବେହେଲେ ସରେନାହିଁ ।

 

ଦେଶରେ ଲାଗିଥିବା ଏହିସବୁ ଯାବତୀୟ ଉତ୍ସବ ଓ ମହୋତ୍ସବ, —ଏସବୁ କେବଳ ଜଡ଼ର ଜୁଲମକୁ ଜାରି କରି ରଖିବା ନିମନ୍ତେ ଚାଲିଥିବା ଏକ ବ୍ୟବସ୍ଥାର ଷଡ଼ଯନ୍ତ୍ର । ଦେଶଟାକୁ ଥାକ ଥାକ ଅଲଗା କରି ରଖିବାର ଷଡ଼ଯନ୍ତ୍ର । ରାଜନୀତିକ ସ୍ଵାଧୀନତା ପରେ ଆମ ଦେଶରେ ଏହି ଜଡ଼ ପକ୍ଷଟା ହିଁ ଅତ୍ୟନ୍ତ ପ୍ରବଳ ହୋଇ ଆମକୁ ଆଗକୁ ଯିବାରୁ ଅଟକାଉ ରଖିଛି । କଳ ଗୁଡ଼ାକ ଚାଲିଛନ୍ତି ବୋଲି ଏକ ଭ୍ରମ ଅବଶ୍ୟ ସୃଷ୍ଟି କରାଯାଉଛି, ମାତ୍ର ସବୁ ମଣିଷ ସତକୁ ସତ ଭାଗ ନେଇ ପାରିବା ଭଳି ବସ୍ଥୁତଃ କିଛି ହେଲେ ଚାଲୁନାହିଁ । ଅଧିକାଂଶ ମଣିଷଙ୍କର ଭାଷା ଉଆସ ଭିତରକୁ ପ୍ରବେଶ କରି ପାରୁନାହିଁ । ସଂସ୍କୃତି କହିଲେ କେତେଟା ନାଟ ଆଉ ତାମସାକୁ ବୁଝାଉଛି । ସବୁ ମଣିଷଙ୍କ ମଧ୍ୟରେ ଦୈନନ୍ଦିନ ସକଳ କ୍ଷେତ୍ରରେ ସ୍ଥାପିତ ହୋଇ ପାରିଥିବା ସମ୍ବନ୍ଧଗୁଡ଼ିକ ଯେ ଅସଲ ସଂସ୍କୃତିର ପରିଚାୟକ, ସେହି କଥାଟିକୁ ବହୁ କୌଶଳରେ ଉଢ଼ୁଆଳ କରି ରଖାଯାଇଛି । ଯିଏ ଜଡ଼, ସିଏ ମୋଟେ କିଛି ହେଲେ ଅନୁଭବ କରି ପାରେନାହିଁ । ତାକୁ ଆଦୌ କୌଣସି କଥାରେ ଲାଜ ବି ଲାଗେ ନାହିଁ । ଯଥାସମ୍ଭବ ଅଧିକରୁ ଅଧିକ ଭାଗ୍ୟକୁ ନିଜ ନିମନ୍ତେ ସୁନିଶ୍ଚିତ କରି ରଖିବା ଏବଂ ସେହି ପ୍ରକ୍ରିୟାରେ ଅନେକ ମଣିଷଙ୍କୁ ବଞ୍ଚିତ କରି ରଖିବା, —ଆମ ଭିତରେ ତୁଚ୍ଛା ଜଡ଼ଟା ହିଁ ଶାସନ କରୁଥିବା ପର୍ଯ୍ୟନ୍ତ ଆମେ ମୁଖ୍ୟତଃ ସେଇଥିରେ ମାତି ରହିଥାଉ । ସେତେବେଳେ ଆମର ସାହିତ୍ୟ ମଧ୍ୟ ମୁଖ୍ୟତଃ ଜଡ଼ର ପ୍ରତିନିଧିତ୍ଵ କରୁଥାଏ । ଭବିଷ୍ୟତକୁ ଭୟ କରୁଥାଏ ବୋଲି ଅତୀତଟାକୁ ଭାବପ୍ରବଣତା ସହିତ ଯାବୁଡ଼ି ରହିଥାଏ । ଏବଂ ନିଜକୁ ସମସ୍ତଙ୍କ ଠାରୁ ଅଧିକ ଚାଲାଖ ବୋଲି ଅନୁଭବ କରିବାରେ ଲାଗିଥାଏ । ଆମ ଦେଶରେ ଜଡ଼ପକ୍ଷଟା ହାତରେ ହିଁ ଅଧିକ ପଇସା, ଅଧିକ କ୍ଷମତା, ଅଧିକ ପାଠ ଏବଂ ଅଧିକ ସୁଯୋଗ । ଜଡ଼ମାନଙ୍କ ଭିତରେ ହୁଏତ ଅଧିକ ଏକତା । ସେଇମାନଙ୍କ ହାତରେ ଖବରକାଗଜ, କୁହାଳିଆ ମନୁଷ୍ୟଙ୍କୁ ମଧ୍ୟ ସେଇମାନଙ୍କ ପାଟିରେ ନେଇ ଖଞ୍ଜି ଦିଆଯାଇଛି । ଦେଶ କ୍ରମେ ତଳକୁ ତଳକୁ ଚାଲି ଯାଉଛି ବୋଲି ହୁଏତ ସେଇମାନେ ହିଁ ଜାଣିଚତୁରିଆ ହୋଇ ହୁରି କରିବାରେ ଲାଗିଛନ୍ତି । ଆମ ପାଖରେ ଆସି ଭୋଟ ମାଗୁଛନ୍ତି । ଚେତନାର ଅସଲ ଦୁଆରଗୁଡ଼ିକୁ ଅତ୍ୟନ୍ତ ରମଣୀୟ ଭାବରେ ବନ୍ଦ କରି ରଖିଛନ୍ତି ।

 

ଇଏ ବି ଯିବ ଦେଶ ବଦଳିବ । ଏଠି ମଣିଷମାନେ ସବା ଆଗକୁ ଆସିବେ ଏବଂ ବାଟଗୁଡ଼ିକ ଚାଲିବେ । ଶାସକମାନେ ସେମାନଙ୍କୁ ସେହି ଚାଲିବାରେ ହିଁ ସାହାଯ୍ୟ କରିବେ । ସୁଯୋଗ ଗୁଡ଼ିକ ଯେପରି ସାର୍ବଜନୀନ ହୋଇ ପାରିବ ସେଇଥିଲାଗି ସବୁ କାର୍ଯ୍ୟ କରାଯାଇ ପାରୁଥିବ । ଦେଶର ପଇସା ପ୍ରଧାନତଃ ସେହି ଉଦ୍ଦେଶ୍ୟରେ ଖର୍ଚ୍ଚ ହେଉଥିବ । ପାଠସବୁ ଏପରି ଭାବରେ ପଢ଼ାଯିବ ଯେ, ପାଠୁଆମାନେ ଆଜି ପରି ସେଗୁଡ଼ିକୁ ଗିଳି ପକାଇ ବର୍ବର ହେବେନାହିଁ । ପୃଥିବୀରେ ଯେଉଁସବୁ ଦେଶ ନିଜର ସମାଜକୁ ସମସ୍ତଙ୍କର ସମ୍ପଦରୂପେ ଗଢ଼ି ପାରୁଛନ୍ତି ବା ପାରିଛନ୍ତି, ଭାରତବର୍ଷ ସେମାନଙ୍କ ଠାରୁ ଖୁସି ହୋଇ ଶିଖିବାକୁ ରାଜି ହୋଇଯିବ । ଏହି ଗ୍ରହଣଶୀଳତାରେ ଆଦୌ କୌଣସି କାର୍ପଣ୍ୟ କରାଯିବ ନାହିଁ । ଗୋଟିଏ ଦୃଷ୍ଟିରୁ ବିଚାର କଲେ ସମ୍ଭବତଃ ଏହାହିଁ ଭାରତବର୍ଷର ଲୋକକ୍ଷେତ୍ରରେ ସର୍ବପ୍ରଧାନ ଉଦ୍ୟମ ହୋଇ ରହିବ । ଏକ ଅନ୍ୟ ନେତୃତ୍ଵ ଆଗାମୀ ପଚାଶବର୍ଷର ଅବଧି ମଧ୍ୟରେ ନିଜ ହାତରେ ଲଗାମ୍ ଧରିପାରିଲେ ଯାଇ ସେହି ଆଡ଼େ ରାସ୍ତାଟିଏ ଫିଟିଯାଇ ପାରିବ । ଜଡ଼ମାନେ ଆମକୁ ଏବେ ଅତିରିକ୍ତ ପରିମାଣରେ ପଛାମୁହାଁ କରି ରଖିଛନ୍ତି । ଅନ୍ୟମାନଙ୍କୁ କଦାପି ଆଗକୁ ଯିବାକୁ ଦେବେନାହିଁ ବୋଲି ସତେଅବା ପଣ କରିଛନ୍ତି । ଏଣିକି ସେହି ଆଣ୍ଟଟା ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଯିବ । ସମଗ୍ର ପୃଥିବୀରେ ସତେଅବା ସେହି ନୂଆ ନେତୃତ୍ଵର ଗୁଞ୍ଜରଣ ଶୁଣିବାକୁ ମିଳିଲାଣି । ଏକ ଚେତନାବଦଳର ଯୁଗ ପୃଥିବୀକୁ ଆସୁଛି ବୋଲି ବୈଜ୍ଞାନିକମାନେ ମଧ୍ୟ ଘ୍ରାଣ କରି ପାରିଲେଣି । ସେହି ଚେତନାର ବନ୍ୟା ଭାରତବର୍ଷକୁ ଅବଶ୍ୟ ସ୍ପର୍ଶ କରିବ ଏବଂ ଏକ ନୂତନ ଉଦବେଳନର ସୂତ୍ରପାତ ହେବ । ନେତୃତ୍ଵ ଏହି ଭାରତବର୍ଷର ମଂଜ ଭିତରୁ ଅଙ୍କୁରୋଦ୍‍ଗମ ହୋଇ ବାହାରିବ । ଜଡ଼କୁ ଜଡ଼ ବୋଲି ଏଡ଼େ ବଡ଼ ପାଟିରେ ଘୋଷଣା କରିବ । ମୋଟେ ଭୟ କରିବ ନାହିଁ । ପୃଥିବୀର ଗ୍ଳାନି ପ୍ରବଳ ହେଲେ କୋଉ ଠାକୁର ଯେ ଚକ୍ର ହାତରେ ଏଠାରେ ଆବିର୍ଭୂତ ହୁଅନ୍ତି ଏବଂ ଆରିମାନଙ୍କୁ ସଂହାର କରନ୍ତି, ଭାରତବର୍ଷର ଏହି ଅନୁମାନଟା କ’ଣ ପ୍ରକୃତରେ ଯୁଗେ ଯୁଗେ ସମ୍ପୃକ୍ତ ସମସ୍ତଙ୍କୁ ଜଡ଼କୁ ସହ୍ୟ କରିନେବାର କୁପ୍ରରୋଚନା ଦେଇ ଆସିଛି କି ? ଆମ ସଜ୍ଜନମାନେ ଏବେ ମଧ୍ୟ ମୁଖ୍ୟତଃ ସେହି ସାଧୁବାଣୀ ଶୁଣାଇ ଅସଲ ମୂହୁର୍ତ୍ତଗୁଡ଼ିକ ଗଡ଼ି ଗଡ଼ି ଯିବାରେ ସମ୍ଭବତଃ ଭାରି ସାହାଯ୍ୟ କରୁଛନ୍ତି । ଜଡ଼କୁ ସହିଯିବା ଲାଗି କୁମନ୍ତ୍ରଣା ଦେଉଛନ୍ତି । ହୁଏତ ସେମାନେ ମଧ୍ୟ ଜଡ଼ ପଟେ ରହିଛନ୍ତି ନିଜ ଚେତନାକୁ ଭୁଲାଇବାରେ ଲାଗିଛନ୍ତି

 

ଆଗାମୀ ସଂଗ୍ରାମୀଟି ମୋଟେ ଖାଲି ରାଜନୀତି-ସ୍ତରର ଏକ ଯୁଦ୍ଧ ନୁହେଁ । ବିଗତ ଦଶବର୍ଷ ଭିତରେ ରୁଷିଆ ସମେତ ସମୁଦାୟ ପୂର୍ବ ଇଉରୋପରେ କଳେବର ବଦଳାଇ ଯେଉଁ ଘଟଣାମାନ ଘଟିଗଲା, ସେଥିରେ କୌଣସି ରାଜନୀତିକ ଦଳ ଆଦୌ ନେତୃତ୍ଵ ନେଇ ନଥିଲେ । ପୃଥିବୀରେ ରାଜନୀତି କ୍ରମେ ଫିକା ପଡ଼ି ଆସିଲାଣି । ଆଗାମୀ ପୃଥିବୀରେ ମଧ୍ୟ ରାଜନୀତି ରହିବ, ମାତ୍ର ଆଗାମୀ ଚେତନାର ବୃହତ୍ତର ମଣ୍ଡଳଟି ଭିତରେ ରାଜନୀତି କେବଳ ଗୋଟିଏ କ୍ଷେତ୍ର ହୋଇ ରହିବ । ବୃହତ୍ତର ମଣ୍ଡଳଟି ହିଁ ଯାବତୀୟ ରାଜନୀତିକୁ ଚଳାଇବ । ଏହି ନୂତନ ଆଗାମୀଟିକୁ ଆବିଷ୍କାର କରିବା ସଙ୍ଗେ ସଙ୍ଗେ ଭାରତବର୍ଷ ନିଜର ଅତୀତକୁ ମଧ୍ୟ ଏକ ନୂଆ ଆଖିରେ ଦେଖି ଶିଖିବ । ଅତୀତକୁ ସିଏ ନାନା ନୂତନ ତାତ୍ପର୍ଯ୍ୟ ଦେଇ ଦେଖିବ । ଜଡ଼ତା ଭାଙ୍ଗିଦେବାର ଏକ ସହାୟକ ସାଧନରୂପେ ଦେଖିବାକୁ ଆରମ୍ଭ କରିବ । ଅନେକ ସମୟରେ ମନେ ହୋଇଥାଏ ଯେ, ଭାରତବର୍ଷର ଅତୀତ ଭାରତବାସୀଙ୍କ ପିଠିରେ ସତେଅବା ଗୋଟାଏ ମୁଣ୍ଡା ପଥର ପରି ଲଦା ହୋଇରହିଛି । ଭାରତବର୍ଷକୁ ଆଗକୁ ଯିବାଲାଗି ପ୍ରେରଣା ଦେବା ପରିବର୍ତ୍ତେ ତାହାକୁ ଅଟକାଇ ରଖିଛି । ବହୁ ବିକୃତିର କାରଣ ବି ହୋଇ ରହିଛି । ଏଠି ଆଗରୁ ସବୁକିଛି ରହିଥିଲା । ଏହି ଦେଶରେ ସ୍ଵୟଂ ଦେବତାମାନେ ବିଚରଣ କରୁଥିଲେ ଏବଂ ଏହି ଜାତି ପ୍ରତି ଏକ ସ୍ଵତନ୍ତ୍ର ଅନୁକମ୍ପା ସର୍ବଦା ପ୍ରଦର୍ଶନ କରୁଥିଲେ ବୋଲି ଆମ ବିଦ୍ୟାବିଶାରଦମାନେ ଯେତେବେଳେ କେଡ଼େ ଉଲ୍ଲାସର ସହିତ କହନ୍ତି, ସେମାନେ ଭାରତବର୍ଷର ବର୍ତ୍ତମାନ ବିଷୟରେ ଆମ ଆଖିଗୁଡ଼ିକୁ ମୋହାଚ୍ଛନ୍ନ କରି ରଖିବାଲାଗି ସତେଅବା ନିରନ୍ତର ଏକ ଅଭିସନ୍ଧି ପୋଷଣ କରୁଥାଆନ୍ତି । ବର୍ତ୍ତମାନ ସ୍ଥିତିରେ ଯେଉଁମାନେ ଭଲରେ ଅଛନ୍ତି, ସ୍ଥାନାଧିପତି ହୋଇ ରହିଛନ୍ତି, ପ୍ରଧାନତଃ ସେଇମାନେ ହିଁ ଭାରତୀୟ ଅତୀତ ପ୍ରେରଣାକୁ ସେପରି ଭାବରେ ମଙ୍ଗ ମୋଡ଼ି ରଖିବାର ମତଲବରେ ଯାଇ ପଶିଥାନ୍ତି କି ? ଭାରତବର୍ଷ ଯେ କାଳେ କାଳେ ଅଧେ ମଣିଷଙ୍କୁ ଯାବତୀୟ ଉତ୍ତରାଧିକାର ତଥା ଜୀବନାଧିକାରରୁ ବଞ୍ଚିତ କରି ରାଖି ଆସିଛି, ଆମ ପଣ୍ଡିତମାନେ ସେହି କଥାଟି ବିଷୟରେ କାହିଁକି ଚୁପ୍ ରହନ୍ତି ?

 

ମୋହାଚ୍ଛନ୍ନ ହୋଇ ରହିବା ଅର୍ଥାତ୍ ଜଡ଼ର ପକ୍ଷକୁ ସମର୍ଥନ କରିବା । ଏହି ମୋହାଚ୍ଛନ୍ନ ହୋଇ ରହିବା ଫଳରେ ଭାରତବର୍ଷର ଜାତୀୟତାବାଦୀ ଜାଗରଣଟି ଦ୍ଵାରା ହୁଏତ ବିଶେଷ କିଛି ଫଳ ଫଳି ପାରିଲା ନାହିଁ । ଦେଶର ସବୁ ମଣିଷଙ୍କ ନିମନ୍ତେ ଅତ୍ୟାବଶ୍ୟକ ସର୍ବନିମ୍ନ ଅର୍ଥାତ୍ ସର୍ବପ୍ରଥମ ମୂଳଦୁଆଟି ଦମ୍ଭ ହୋଇ ତିଆରି ହୋଇ ପାରିଲାନାହିଁ । ଜାତିଭେଦ ରହିଲା—ବ୍ରହ୍ମବାଦୀ ଭାରତବର୍ଷଟା ପ୍ରକୃତରେ କେଉଁ ନିର୍ବୋଧତାର ବଶବର୍ତ୍ତୀ ହୋଇ ତଥାପି ଯାବତୀୟ ସାମୂହିକ ପରିମଳର କ୍ଷେତ୍ରରେ କାହିଁକି ଥାକ ଥାକ ଓ ଭଗ ଭାଗ ହୋଇ ରହିଲା, ସେ ବିଷୟରେ ପ୍ରାୟ କୌଣସି ଗମ୍ଭୀର ଆଲୋଚନା କରାଗଲା ନାହିଁ । ବ୍ରହ୍ମବାଦୀ କିପରି କର୍ମବାଦୀ ହେବ, ସର୍ବଘଟରେ ନାରାୟଣଙ୍କୁ ଦେଖୁଥିବା ଜଣେ ମନୁଷ୍ୟ କିପରି ଅନ୍ୟମାନଙ୍କୁ ଘୃଣା କରିବ, ସିଦ୍ଧିର ଅନୁପଯୁକ୍ତ ମନେ କରି ସଂସାର ଛାଡ଼ିଚାଲିଯିବ, ବାବାଜୀ ହେବ ? —ବାବାଜୀମାନେ ଥରେ ବି ଖୋଲା ହୋଇ ମୁହଁ ଖୋଲି ତାହାର ଜବାବ ଦେଲେ ନାହିଁ । ସେମାନେ ବି ଜଡ଼ ହୋଇ ରହିଗଲେ । ସେହି ଜଡ଼ର ବିରୋଧରେ ଚେତନର ସମର, —ତାହାହିଁ ମନୁଷ୍ୟର ଆଗାମୀ ସମର ।

 

ଭାରତବର୍ଷର ସମର ଓ ସମଗ୍ର ପୃଥିବୀର ସମର । ଏହି ସମର ନିମନ୍ତେ ପୃଥିବୀସାରା କ୍ରମେ ସମୁଚିତ ମୂଳଦୁଆଟିଏ ପଡ଼ି ପଡ଼ି ଆସୁଛି । ସବୁକିଛି ଗଠନ ଯେ କେବଳ ରାଜନୀତି ଭିତରେ କିମ୍ବା ରାଜନୀତିକ ଲୋକମାନଙ୍କ ଦ୍ଵାରା ହେଉଛି, ସେକଥା ଆଦୌ ନୁହେଁ । ରାଷ୍ଟ୍ରମାନଙ୍କ ହାତରେ ଏବେ ମଧ୍ୟ ବହୁ ଅସ୍ତ୍ରାଦି ରହିଛି, ସେହି ଅସ୍ତ୍ରର ପରାକ୍ରମରେ ବିଶ୍ଵସଭା ମାନଙ୍କରେ କଥାକଟାକଟି ମଧ୍ୟ ଚାଲିଛି । ମାତ୍ର, ଅସ୍ତ୍ରଗୁଡ଼ାକ ଯେ ଆଉ କୌଣସି କାମରେ ଲାଗିବ ନାହିଁ, ଅସ୍ତ୍ରାଗାରୀମାନେ ବି କ୍ରମେ ତାହା ହୃଦୟଙ୍ଗମ କରିବାକୁ ଆରମ୍ଭ କଲେଣି । ବିଶ୍ୱଜନର ମତ ଯାହା ହେବ, ଏଣିକି ରାଷ୍ଟ୍ରମାନେ ସେହି ମତକୁ ହିଁ ମାନ୍ୟତା ଦେବେ, —ଆଗପରି ମୋଟେ ଗଉଁ ଦେଖାଇବେ ନାହିଁ । ପ୍ରତ୍ୟେକ ମନୁଷ୍ୟ ଭିତରେ ଏପରି ଏକ ଚେତନା ରହିଛି, ଯାହା ମୋଟେ କୌଣସି ସଂକୀର୍ଣ୍ଣ ଜଳାଶୟଧର୍ମ ଭିତରେ ଆବଦ୍ଧ ହୋଇ ରହିବାକୁ ଇଚ୍ଛା କରେ ନାହିଁ । ପୃଥିବୀବ୍ୟାପୀ ଏକ ନୂତନ ଶିକ୍ଷାର ଉଦ୍ୟମ ଆମ ଚାରିପାଖରେ ଆରମ୍ଭ ହୋଇଗଲାଣି, ଯାହାକି ତାକୁ କାନ୍ଥଗୁଡ଼ିକୁ ଲଂଘି ପାରିବାର ଶିକ୍ଷା ଦେବ । ଆମେ ନିଜ ଘରେ ମଧ୍ୟ ସେହି ଚେତନାର ବାର୍ତ୍ତାଟିକୁ ପାଇ ପାରିଲେ ଆମ ସ୍ଥାନୀୟଗୁଡ଼ିକ ମଧ୍ୟରେ ବିଶ୍ଵବାପୀ ସେହି ଅନ୍ୟ ଆହ୍ଵାନଟିର ସ୍ପର୍ଶ ଲାଭ କରିପାରିବା ।

 

ତେଣୁ, ତୁମକୁ, ମୋତେ, ଆମ ସମସ୍ତଙ୍କୁ ନିଜ ନିଜର ଶିବିର ବାଛିନେବାକୁ ପଡ଼ିବ । ନିଜକୁ ଅଧିକରୁ ଅଧିକ ସୁଖୀ ଓ ସମ୍ପନ୍ନଭାବେ ଦେଖିବି ବୋଲି ମୁଁ ଠିକ୍ ମୋରି ପରି ଆଉ ଦଶଜଣଙ୍କର ବାଟକୁ ଓଗାଳି ରଖିଥିବି ନା ସେମାନଙ୍କର ସାଥି ହେବାକୁ ମନ କରିବି ? ଗାଆଁର ସମସ୍ତେ ଏକାଠି ବସି ଗ୍ରାମ ପାଇଁ ଯୋଜନା କଲେ ଗାଆଁରେ ଅଧିକ ବସ୍ତୁ, ଅଧିକ ସୁଖ ଏବଂ ଅଧିକ ଜୀବନଚଞ୍ଚଳତା ସମ୍ଭବ ହେବ ନା ଗାଆଁଟା ବର୍ତ୍ତମାନ ପରି ଭାଗ ଭାଗ ହୋଇ ରହିଥିଲେ ତାହା ହୋଇପାରିବ ? ଏହି ପ୍ରଶ୍ନଟି ବର୍ତ୍ତମାନ ଖାଲି ଗୋଟିଏ ଗାଆଁର ଅଥବା ଗୋଟିଏ ଦେଶର ନୁହେଁ, ଏହା ହେଉଛି ସାରା ପୃଥିବୀର ପ୍ରଶ୍ନ । ଏକ ଅଲଗା ସକାଳ ଲାଗି ଆକୁଳ ହେଉଥିବା ବିଶ୍ୱହୃଦୟର ପ୍ରଶ୍ନ । ଆମେ ଆମରି ଭିତରେ ରହିଥିବା ଅରିଟିକୁ ଅଧିକରୁ ଅଧିକ ସହାନୁଭୁତି ସହିତ ବୁଝିବା, ତା’ ଗଣତିର ଧାରାଟାକୁ ବଦଳାଇ ଦେବା । ଆମେ ଯିଏ ଯେଉଁଠି ଯେଉଁ କ୍ଷେତ୍ରରେ ରହିଛୁ, ପୃଥିବୀର ଆଗାମୀ ସମରଟି ସେହିଠାରୁ ହିଁ ଆରମ୍ଭ ହେବ । ସାଥିମାନେ ସାଥିମାନଙ୍କୁ କେଡ଼େ ସହଜରେ ଚିହ୍ନି ପାରିବେ, ଆବିଷ୍କାର କରିନେବେ । ଭାରତବର୍ଷର ତଥାକଥିତ ରାଜନୀତିକ ଶିବିରଗୁଡ଼ିକ ଯେପରି ଏବେ ବାରବାର ଲୋକହସା ହେବାକୁ ଆରମ୍ଭ କଲେଣି, ସେଥିରୁ ପ୍ରମାଣ ମିଳିବା ଉଚିତ ଯେ ଏମାନଙ୍କର ଆଉ କୌଣସି ପ୍ରୟୋଜନ ନାହିଁ । ଜଡ଼ମାନେ କଦାପି ଜଡ଼ ସହିତ ଯୁଦ୍ଧ କରି ପାରିବେ ନାହିଁ । ସେମାନେ ଇଚ୍ଛା କରୁଥିବା କ୍ଷମତା ସେମାନଙ୍କ ହାତକୁ ବାରମ୍ବାର ଆସୁଥିବ ଏବଂ ସେମାନଙ୍କୁ ଏକାନ୍ତ ଅଯୋଗ୍ୟ ବୋଲି ପ୍ରତିପାଦିତ କରି ଦେଉଥିବ । ଏମାନେ ସମସ୍ତେ ପଛରେ ରହିଯିବେ । ସଚେତନ କାଳଟା ତା’ ନିମିତ୍ତମାନଙ୍କୁ ତିଆରି କରି ଆଣୁଥିବା ସଙ୍ଗେ ସଙ୍ଗେ ଆଗକୁ ଯିବା ଲାଗି ବାଟ କାଢ଼ି ନେବ । ବନ୍ଧୁ, ଏହି ସମରରେ ତୁମେ ପ୍ରକୃତରେ କାହା ପଟେ ରହିବ ?

 

୦୨ । ୦୩ । ୧୯୯୮

Image

 

ଅଭିନବ ଚିକିତ୍ସା-ପଦ୍ଧତି

 

ଆଗେ ବଇଦମାନେ ଥିଲେ । ଏବେ ଡାକ୍ତର ଆସିଲେ । ଆହୁରି ଅଧିକ ପ୍ରାଚୀନ କାଳରେ ଦେବତାମାନେ ରୁଷ୍ଟ ଅଥବା ଅପ୍ରସନ୍ନ ହେଲେ ମଣିଷମାନଙ୍କୁ ରୋଗବଇରାଗରେ ପଡ଼ିବାକୁ ହେଉଥିଲା ବୋଲି ବିଶ୍ଵାସ କରା ଯାଉଥିଲା । ଅଧିକାଂଶ ସ୍ଥଳରେ ଠାକୁରମାନେ ନୁହନ୍ତି, ଠାକୁରାଣୀମାନେ ହିଁ କୋପ କରି ମଣିଷ ଲାଗି ରୋଗମାନଙ୍କୁ ଡାକି ଆଣୁଥିଲେ ବୋଲି ସାଧାରଣ ଧାରଣା ରହି ଆସିଥିଲା । ଏପରିକି କେତେକ ସେତେବେଳର ଅସାଧ୍ୟ ରୋଗକୁ ସିଧା ଠାକୁରାଣୀ ଆଖ୍ୟା ଦିଆଯାଇ ବର୍ଣ୍ଣନା ବି କରାଯାଉଥିଲା । ଗାଆଁରେ ହଇଜା ଲାଗିଲେ ଆମ ଗ୍ରାମଦେବତୀଙ୍କ ପାଖରେ ପଣା ଦିଆଯାଉଥିବାର ମୋର ପୂରା ମନେଅଛି । ଇଉରୋପରେ କିଏ ଜଣେ ପରୀକ୍ଷା କରୁ କରୁ କହିଲେ ଯେ, ମଣିଷକୁ ଆକ୍ରମଣ କରୁଥିବା ରୋଗମାନେ ଦେବତାଙ୍କର କ୍ରୋଧରୁ ନୁହେଁ, ଜୀବାଣୁରୁ ହିଁ ଉତ୍ପନ୍ନ ହୁଅନ୍ତି । ଭଳି ଭଳି ରୋଗର ଭଳି ଭଳି ଜୀବାଣୁ । ସେହି ଜୀବାଣୁଗୁଡ଼ିକ ମରିଗଲେ ରୋଗ ମଧ୍ୟ ଭଲ ହୋଇଯିବ । ଏହିପରି ରୀତିରେ ରୋଗଗୁଡ଼ିକର ଚିକିତ୍ସା ବାହାରିଲା, ପ୍ରତିଷେଧକମାନେ ମଧ୍ୟ ବାହାରିଲେ । ପୁରୁଣା ରୋଗଗୁଡ଼ିକରୁ ଆଖିଦୃଶିଆ ମୁକ୍ତି ମିଳିଲା । ଖାଲି ଚିକିତ୍ସାକୁ ଆଧାର କରି ନୁହେଁ, ସ୍ୱାସ୍ଥ୍ୟକୁ ଆଧାର କରି ବି ବିଜ୍ଞାନ ବାହାରିଲା । ଆଗର ଠାକୁରାଣୀମାନେ ଏହାଫଳରେ କିଭଳି ପ୍ରତିକ୍ରିୟାମାନ ବ୍ୟକ୍ତ କଲେ କେଜାଣି, ଆଉ ମନୁଷ୍ୟମାନଙ୍କୁ କୌଣସି ହଇରାଣ କଲେନାହିଁ । ଠାକୁରମାନେ ତେଣିକି ଅନ୍ୟ କାମରେ ଲାଗିଲେ, ରୋଗ ଔଷଧ ଦ୍ଵାରା ଭଲ ହେଲା ।

 

ଏବଂ ଅଧିକରୁ ଅଧିକ ଗବେଷଣା ବି ହେଲା । ଟୀକା ଇଞ୍ଜେକ୍ସନ୍ ବାହାରିଲା । ମଣିଷର ଦେହ ଭିତରଟାକୁ ବାହାରୁ ପରୀକ୍ଷା କରି ରୋଗମାନଙ୍କର ନିର୍ଣ୍ଣୟ କରାଗଲା । ସଭ୍ୟ ପୃଥିବୀଟା କ୍ରମେ ତାହାକୁ ହିଁ ଠିକ୍ ବୋଲି ଗ୍ରହଣ କଲା । ଭଳି ଭଳି ବିଶେଷଜ୍ଞ ବାହାରିଲେ । ମଣିଷର ଦେହଟାକୁ ନିଜ ଭିତରେ ବାଣ୍ଟିନେଇ ସେମାନେ ବିଶେଷ ଚିକିତ୍ସାମାନ ଆରମ୍ବ କଲେ । ମାତ୍ର ପୁରୁଣା ରୋଗମାନେ ଆୟତ୍ତ ହୋଇ ଆସୁଥିବା ପରି ମନେହେଲେ ମଧ୍ୟ ଏଣିକି ଏଣିକି ନୂଆ ରୋଗମାନ ବାହାରିଲା । ସାନ ପୃଥିବୀଟି ମଧ୍ୟରେ ଏକାବେଳେକେ ଅଳପ ଭିତରେ ତଥାକଥିତ ସରଳ ଜୀବନଟିଏ ଯାପନ କରୁଥିବା ମଣିଷ ଯେଉଁସବୁ ରୋଗର କଳ୍ପନା ହିଁ କେବେ କରିନଥିଲା, ସେହିସବୁ ରୋଗ ପୃଥିବୀରେ ଆସି ଦୃଷ୍ଟିଗୋଚର ହେଲା । ସେହି ମୁତାବକ ନୂଆ ଓ କଡ଼ା ଉପଚାରମାନ ମଧ୍ୟ ଉଦ୍ଭାବିତ ହେଲା । ଆମର ଆଧୁନିକ ପୃଥିବୀରେ ଡାକ୍ତର ଯାହାକୁ ଯେତେ, ଔଷଧ ଯାହାକୁ ଯେତେ ଏବଂ ବୈଜ୍ଞାନିକ ଉପଚାର ମଧ୍ୟ ଯାହାକୁ ଯେତେ ମହଜୁଦ୍ ହୋଇ ରହିଛି, ତଥାପି ମଣିଷର ରୋଗାଭୋଗ ସରୁନାହିଁ, —ସେହି ସମ୍ବନ୍ଧରେ ମଧ୍ୟ ବିକଳ୍ପ ଚିନ୍ତନମାନ କରାଗଲା-। ରୋଗବିଜ୍ଞାନୀମାନେ ବିତର୍କରେ ବସିଲେ । ମଣିଷକୁ ରୋଗମୁକ୍ତ କରିବାର ପ୍ରୟାସରେ କେଉଁଠାରେ କିଛି ତ୍ରୁଟି ରହି ଯାଉନାହିଁ ତ ? ଚିକିତ୍ସକମାନେ ଏହିପରି ନାନାବିଧ ନୂତନ ସନ୍ଦେହର ଉତ୍ଥାପନ କରି ନୂଆ ଅନ୍ୟ ସମ୍ଭାବନା ଗୁଡ଼ିକ ଆଡ଼କୁ ଅଧିକ ମନ ଦେଲେ । ଆଗକୁ ଚିନ୍ତା କରୁଥିବା ମଣିଷ ତା’ ପ୍ରାଚୀନ ଜ୍ଞାନସଞ୍ଚୟ ଗୁଡ଼ିକ ଉପରେ ମଧ୍ୟ ପୁନର୍ବାର ବିଚାର କରିବାକୁ ମନ କରିଥାଏ । ସେଥିରୁ ସେ ନୂଆ ସୂତ୍ରମାନ ବାହାର କରେ, ସବୁ କିଛିକୁ ଏକ ନୂଆ ପ୍ରସ୍ଥ ଦେଇ ବୁଝିବାଲାଗି ଉତ୍ସାହିତ ହୋଇଥାଏ । ଠିକ୍ ଏହିପରି ଭାବରେ ଅତୀତର ବିଦ୍ୟାରୁ ଆମକୁ ବହୁ ନୂତନ ବ୍ୟାଖ୍ୟା ମିଳିବାକୁ ଆରମ୍ଭ କରେ ।

 

ଚିକିତ୍ସା-ବିଜ୍ଞାନର ପ୍ରତ୍ୟେକ ଶାଖା ଏକ ବିଶେଷ ଦୈର୍ଘ୍ୟ ଓ ପ୍ରସ୍ଥ ଦେଇ ମଣିଷର ରୋଗଗୁଡ଼ିକୁ ବିଚାର କରିଥାଏ । ଯେଉଁ ଶାଖାର ମନୁଷ୍ୟଦେହ ବିଷୟରେ ଯେତିକି ଜ୍ଞାନ ଥାଏ, ତାହା ସେହି ଅନୁସାରେ ନିଜର ନିଦାନଶାସ୍ତ୍ର ଏବଂ ଆରୋଗ୍ୟଶାସ୍ତ୍ରର ବ୍ୟାଖ୍ୟା କରିବାକୁ ବାଧ୍ୟ ହୋଇଥାଏ । ପ୍ରାକୃତିକ ବିଜ୍ଞାନର ଦିଗ୍‌ଦର୍ଶନ ଦ୍ଵାରା ପରିଚାଳିତ ହୋଇ ଆମ ଡାକ୍ତରୀ ବିଦ୍ୟା ମନୁଷ୍ୟର ଦେହକୁ ସତେଅବା ଏକ ଯନ୍ତ୍ରପରି ଧାରଣା କରିଥାଏ । ଯାହାକି ଯେକୌଣସି ଜଡ଼ଯନ୍ତ୍ରର ଶୃଙ୍ଖଳା ମାନି ଆତଯାତ ହେଉଥାଏ । ଆମର ଦେହ ଅବଶ୍ୟ ଏକ ଯନ୍ତ୍ର ପରି ଆଚରଣ କରିଥାଏ, ତଥାପି ଏହା କ’ଣ କେବଳ ଏକ ଯନ୍ତ୍ର ? ଏହି ଦେହ ମଧ୍ୟରେ ତ ମଣିଷର ମନ ରହିଛି, ଏହି ଦେହକୁ ଅର୍ଥାତ୍ ଦେହଭିତରେ ଥିବା ସ୍ନାୟୁଗୁଡ଼ିକୁ ଆଶ୍ରାକରି ମଣିଷର କାମନା ଏବଂ ବାସନାମାନେ ଆପଣାକୁ ଆତଯାତ କରୁଛନ୍ତି । ଏହି ଦେହ ମଧ୍ୟରେ ହୃଦୟ ନାମକ ଆସ୍ଥାନଟି ମଧ୍ୟ ରହିଛି । ଆମ ମନର ବିଶ୍ଵମନ ସହିତ କ’ଣ କୌଣସି ସମ୍ବନ୍ଧ ନାହିଁ ଏବଂ ଦେହଟି ପଛରେ ସକଳ ଦେହର ମୀମାଂସକ ରୂପେ ଏକ ବିଶ୍ୱଦେହର କଳ୍ପନା ମଧ୍ୟ କେତେଦୂର କରାଯାଇ ପାରିବ ? ଭାରି ଭଲ ହେଲା, ଆଧୁନିକ ପୃଥିବୀରେ ଏହିସବୁ ନୂତନ ପ୍ରଶ୍ନ ଉତ୍ଥାପନ କରାଗଲା । ଦେହକୁ ସତେଅବା କୌଣସି ବୃହତ୍ତର ସମଗ୍ରର ଅଂଶ-ଦ୍ୟୋତକରୂପେ ବିଚାର କରାଗଲା । ଏବଂ ଦେହ, ପ୍ରାଣ, ମନ ଓ ହୃଦୟ ଏସବୁ ଯେ ଗୋଟାଏ ସତ୍ୟର ନାନା ସୋପାନ ରୂପେ ଅବସ୍ଥିତ ରହିଛନ୍ତି, ଗୋଟିଏ ଆଉ ଗୋଟିଏ ସହିତ ଛନ୍ଦି ହୋଇ ରହିଛି ଏବଂ ତାହାକୁ ପ୍ରଭାବିତ ବି କରୁଛି, ଜ୍ଞାନର ଜଗତ ପ୍ରଶସ୍ତ ଓ ଅଧିକ ପ୍ରଶସ୍ତ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ବିଜ୍ଞାନୀମାନେ ଏହିସବୁ କଥା ଭାବିବା ନିମନ୍ତେ ସାହସ କଲେ । ବିଶ୍ଵ ସହିତ ଆମର ପରିଚୟ ବୃଦ୍ଧି ପାଉଥିବା ସହିତ ଆମର ଶ୍ରନ୍ଧା ମଧ୍ୟ ପ୍ରଶସ୍ତତର ହୁଏ, ଆମର ଜିଜ୍ଞାସାମାନେ ଅଧିକ ଗ୍ରହଣଶୀଳ ହୁଅନ୍ତୁ । ବିନ୍ଦୁରେ ସିନ୍ଧୁର ପ୍ରତ୍ୟୟ ମିଳେ ଏବଂ ଦେହକୁ ମନ, ପ୍ରାଣ ତଥା ହୃଦୟ, —ଏମାନେ ଯେ ସତେଅବା ଏକ ସତୀର୍ଥପଣରେ ଆବୋଲି ରହିଛନ୍ତି, ସେହି ଅନ୍ଦାଜଟି ସହିତ ପରିଚୟ ହୋଇଯାଏ ।

 

ପ୍ରାଚୀନ କାଳରେ ଭାରତବର୍ଷରେ କାୟାଯୋଗ ରହିଥିଲା, ରାଜଯୋଗରେ ଦେହ ଭିତରେ ରହିଥିବା ବାୟୁଗୁଡ଼ିକୁ ନିଜ ବଞ୍ଚିବାରେ ସହଯୋଗୀ କରି ଆଣିବାର କଥା କୁହାଯାଇଥିଲା-। ସେହିପରି ପ୍ରାଚୀନ ଚୀନ, ତିବ୍ଦତ, ପାରସ୍ୟ, ମିଶର ଏବଂ ଗ୍ରୀସରେ ବିବିଧ ଚିକିତ୍ସାମାର୍ଗ ମଧ୍ୟ ବିକାଶ ଲାଭ କରି ଆସିଥିଲେ । ଏମାନେ ପରସ୍ପର ସହିତ ପ୍ରାୟ ଅସଂଲଗ୍ନ ଭାବରେ ଅଗ୍ରସର ହୋଇ ଆସିଥିଲେ ଏବଂ କେତେ ବାଟ ଆସି ଏକାଧିକ କାରଣରୁ ଗୋଟିଏ ଜାଗାରେ ଅଟକି ମଧ୍ୟ ଯାଇଥିଲେ । ଏମାନଙ୍କ ମଧ୍ୟରେ ବୈବାତ୍ ଭେଟ ହେବା ସମୟରେ ହୁଏତ କିଛି ବିବାଦ ମଧ୍ୟ ହୋଇଥିବ । ଏମାନେ ପ୍ରତ୍ୟେକେ ଆପଣାକୁ ଏକମାତ୍ର ମାର୍ଗ ବୋଲି ଦାବି କରି ଭାରି ନିଶ ଫୁଲାଇଥିବେ । ଇତିହାସର ଧର୍ମମାନେ ଯେପରି ନିକଟାକୁ ଏକମାତ୍ର ଠିକ୍ ଧର୍ମ ବୋଲି ଘୋଷଣା କରି ବହୁବାର ନିଶ ଫୁଲାଇ ଆସିଛନ୍ତି, ଏହି କ୍ଷେତ୍ରରେ ମଧ୍ୟ ସେହିଭଳି କିଛି ଘଟଣା ଘଟିଥିବ । ପୂର୍ବକାଳରେ ଯାବତୀୟ ଜ୍ଞାନ ଏବଂ ବିଜ୍ଞାନ ଆପଣାକୁ ଧର୍ମର ଗଇଁଠାଳ ଭିତରେ ହିଁ ଘୋଡ଼ାଇ ରଖିଥିଲା ଏବଂ ନିଜକୁ ପବିତ୍ର ବୋଲି ଅନୁଭବ କରୁଥିଲା । ଭଲ ହେଲା, ଆଧୁନିକ ଯୁଗକୁ ଆସି ସବୁ ଅସ୍ପୃଶ୍ୟତାବୋଧ ଅପସରି ଗଲେ । ଦେଶ ଦେଶକୁ ଚିହ୍ନିଲା, ଜ୍ଞାନ ଜ୍ଞାନକୁ ଚିହ୍ନିଲା । ଉପନ୍ୟାସକାର ତାରାଶଙ୍କର ବନ୍ଦୋପାଧ୍ୟାୟଙ୍କର ଆରୋଗ୍ୟ ନିକେତନରେ ଗୋଟିଏ ବଂଶରେ ମଧ୍ୟ ପ୍ରାଚୀନ ଆୟୁର୍ବେଦ ଏବଂ ଆଧୁନିକ ଡାକ୍ତରୀ ଚିକିତ୍ସା ମଧ୍ୟରେ ଯେ ଗୋଳ ଲାଗିପାରେ, ତାହାକୁ ଆମେ ଏକ ଦୃଷ୍ଟାନ୍ତ ରୂପେ ଗ୍ରହଣ କରିପାରିବା । ତଥାପି ନିଜଟାକୁ ହିଁ ଏକମାତ୍ର ଠିକ୍ ବୋଲି ରେଣ୍ଟି ଧରି ବସିଥିବା ଡାକ୍ତର ଓ କବିରାଜ ଆମ ଏଯୁଗରେ ସହଜରେ ମିଳିଯାଇ ପାରିବେ-

 

ଏବର ଜ୍ଞାନଟି ହେଲା, ଦେହ ଖାଲି ଦେହ ନୁହେଁ, ଦେହର ରୋଗ ବୋଲି ପ୍ରତୀତ ହେଉଥିବା କିଛି ଉପସର୍ଗ କଦାପି ଦେହସୀମା ମଧ୍ୟରେ ସୀମାବଦ୍ଧ ହୋଇନପାରେ । ମନ ବି ଦେହରୋଗର କାରଣ ହୋଇପାରେ ଏବଂ ଦେହ ମଧ୍ୟ ମାନସିକ ନାନା ଦୌର୍ବଲ୍ୟର କାରଣ ହୋଇପାରେ । ଏବଂ, ଆମର ଦେହ, ପ୍ରାଣ ଏବଂ ମନକୁ ଏକତ୍ର ସାଉଁଟି ଧରି ଜନନୀ ରୂପେ ଆମ ଭିତରେ ଯେଉଁ ହୃଦୟଟି ରହିଛି, ସେହିଠାରେ କୌଣସି ବିସଙ୍ଗତି ଉପୁଜିଲେ ତାହା ମନ, ଦେହ ଓ ପ୍ରାଣର ସ୍ତରକୁ ମଧ୍ୟ ପ୍ରସାରିତ ବା ସଂକ୍ରାମିତ ହୋଇ ଆସିପାରେ । ଆମ ପ୍ରାୟ ପ୍ରତ୍ୟେକଙ୍କର ଶରୀର ଭିତରେ ସୁନିଶ୍ଚିତ ଭାବରେ କେତେ କେତେ ରୋଗର ଜୀବାଣୁ ରହିଛନ୍ତି । ତଥାପି ଆମେ ସମସ୍ତେ କାହିଁକି ସେହି ରୋଗଦ୍ୱାରା ଆକ୍ରାନ୍ତ ହେଉନାହୁଁ ତ ! ନିଜ ମାପକାଠି ଗୁଡ଼ିକୁ ପ୍ରସାରିତ କରି ଏବର ଡାକ୍ତରମାନେ ବି ଅନୁମାନ କରି କହିଲେଣି ଯେ, ଜୀବାଣୁମାନଙ୍କ ଦ୍ଵାରା ଆମ ଦେହରେ ଯେତେ ରୋଗ ଜାତ ହେଉଛି, ଆମକୁ କାମୁଡ଼ି ରହିଥିବା ନାନାବିଧ ଭୟ (Stress)ମାନେ ଆମ ଦେହରେ ତାହାର ବହୁଗୁଣ ରୋଗ, ବହୁବିଚିତ୍ର ରୋଗମାନ ଭିଆଇ ପାରୁଛନ୍ତି । ଆଧୁନିକ ସମାଜରେ ଆମ ଜୀବନକୁ ଘେରି ରହିଥିବା ନାନା ଜଟିଳତାକୁ ଆମର ଆଦୌ କୌଣସି ଅକ୍ତିଆର ପାଉନାହିଁ, ସେଇଥିରୁ ଆମ ଭିତରେ Stress ଜାତ ହେଉଛି ଓ ଆମକୁ ଆସି ଖାଇଯାଉଛି । ଆମର ମନ ନାମକ ସେହି ରହସ୍ୟମୟ ଘରଟିରେ କୌଣସିଠାରେ କିଛି କ୍ଷତ ହୋଇଗଲେ ତାହା ବାଗ ପାଇଯିବା ମାତ୍ରକେ ଆମର ଦେହ ଉପରେ ଆସି ଲଦି ହୋଇ ପଡ଼ୁଛି ଓ ତା’ ପାଇଁ କେତେ ପ୍ରକାରର ବ୍ୟାଧିକୁ ବହନ କରି ନେଇ ଆସୁଛି । ରାଗ, ଦ୍ଵେଷ, ଘୃଣା, ହୀନଭାବ, କିଏ ବା କେଉଁମାନେ ଆସି ମୋତେ ଗିଳି ପକାଇବେ ବୋଲି ଏକ ଅନୁକ୍ଷଣ ଆସଙ୍କା, ଏଗୁଡ଼ିକ ମଧ୍ୟ ଆମ ଶରୀର ପାଇଁ ଆଦୌ କମ୍ ବ୍ୟାଧିର କାରଣ ହେଉନାହାନ୍ତି । ଭୋଗକୁ, ଅଧିକରୁ ଅଧିକ ଭୋଗକୁ ନିଜର ସର୍ବୋଚ୍ଚ ଜୀବନଦର୍ଶନ ରୂପେ ଗ୍ରହଣ କରିଥିବା ମନିଷଟିଏ ବହୁ ବିଚିତ୍ର ବ୍ୟାଧିକୁ ସଙ୍ଗୀ କରି ଛଟପଟ ହେବା ଲାଗି ବାଧ୍ୟ ହେବ ହିଁ ହେବ । ଶକ୍ତିକୁ ଆମେ ଯେତେବେଳେ ଅନ୍ୟମାନଙ୍କ ଉପରେ କ୍ଷମତା ବିସ୍ତାର କରିବାର ଏକ ସାଧନରୂପେ ବ୍ୟବହାର କରୁ, ସତେଅବା ନିଶା ଖାଇବା ପରି ସଂସାର ଭିତରେ ଡେଉଁବାକୁ ଆରମ୍ଭ କରୁ, ସେତେବେଳେ କେତେ କେତେ ବ୍ୟାଧିକୁ ମଧ୍ୟ ଆମେ ଆମ ଦେହ ଭିତରକୁ ତାକି ନେଇଆସୁ । ପ୍ରତ୍ୟେକ ସୁସ୍ଥ ମଣିଷ ଅବଶ୍ୟ ଏକ ଶକ୍ତିମାନ୍ ମଣିଷ ହେବ; ମାତ୍ର ସେହି ଶକ୍ତି ମୂଳତଃ ଏହି ପୃଥିବୀ ପାଇଁ ଅଧିକରୁ ଅଧିକ କାମରେ ଲାଗିବା ନିମନ୍ତେ, ଅନ୍ୟ କାହାକୁ ଗିଳି ପକାଇବା ନିମନ୍ତେ ଆଦୌ ନୁହେଁ-। ଅନ୍ୟମାନଙ୍କର ଭଲ ପାଇବାର ଯୋଗ୍ୟ ହୋଇ ନପାରିଲେ, ଅର୍ଥାତ୍ ଅନ୍ୟମାନଙ୍କୁ ଭଲ ପାଇବା ପାଇଁ ଆପଣାକୁ ଯୋଗ୍ୟ ରୂପେ ଗଢ଼ି ଆଣି ନପାରିଲେ ମଧ୍ୟ ଆମେ ନାନାବିଧ ଶାରୀରିକ ରୋଗ ଭୋଗ କରିଥାଉ । ସ୍ୱୀକୃତି ଓ ମମତାର ଏକ ସ୍ୱାଭାବିକ ବାୟୁମଣ୍ଡଳ ଭିତରେ ବଢ଼ିବାର ଅଧିକାରରୁ ବଞ୍ଚିତ ହେଉଥିବା ଶିଶୁଟିଏ ମଧ୍ୟ ରୋଗଗ୍ରସ୍ତ ହୋଇ ସମ୍ପୃକ୍ତ ଆମମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିପାରେ ।

 

ଯୋଗର ସାଧନା କରି ଭାରତବର୍ଷରେ କେତେ ବ୍ୟକ୍ତି ଭାଗବତ ଉପଲବ୍ଧି ଗୁଡ଼ିକରେ ଭାଜନ ହୋଇ ପାରିଲେ କି ନାହିଁ, ସେହି ବିଷୟରେ ଠିକ୍ କରି ହୁଏତ କିଛି କୁହାଯାଇ ସିନା ପାରିବ ନାହିଁ, ମାତ୍ର ଆମ ଦେହକୁ ସୁସ୍ଥ ଏବଂ ସ୍ଵ-ସ୍ଥ କରି ରଖିବାରେ ଯୋଗଶାସ୍ତ୍ରରେ ଦର୍ଶାଇ ଦିଆଯାଇଥିବା ପରାମର୍ଶଗୁଡ଼ିକର ଯେ ସୁନିଶ୍ଚିତ ଭାବରେ ଏକ ଅବଦାନ ରହିଛି, ସେଥିରେ ସନ୍ଦେହର କୌଣସି ଅବକାଶ ରହିବା ଉଚିତ ନୁହେଁ । ପ୍ରଧାନତଃ ଏହି କାରଣଟି ପାଇଁ ଆମ ଏଯୁଗରେ ମଧ୍ୟ ଯୋଗାସନ ଓ ପ୍ରାଣାୟାମ ପ୍ରଭୃତିରେ ଆଦର ବୃଦ୍ଧି ପାଉଛି । ଯୋଗୀମାନେ ବିଦେଶରେ ମଧ୍ୟ ଲୋକପ୍ରିୟ ହୋଇ ପାରୁଛନ୍ତି । ନାନା ସାଧାରଣ ଅବହେଳାରୁ ଶରୀର ଭିତରେ ପ୍ରବେଶ କରିଥିବା ବହୁପ୍ରକାର ବେରାମକୁ ଯେ ଆସନାଦି ଏଜାତୀୟ ବ୍ୟାୟାମ ଦ୍ଵାରା ଆୟତ୍ତ କରାଯାଇ ପାରୁଛି, ଏକଥା ଅଧିକରୁ ଅଧିକ କ୍ଷେତ୍ରରେ ପ୍ରମାଣିତ ହେଲାଣି । ତେଣୁ, ଆଗେ ସିନା ଯୋଗୀ ହେବା ପାଇଁ ଗୃହ ଅର୍ଥାତ୍ ସଂସାର ତ୍ୟାଗ କରିବାକୁ ପଡ଼ୁଥିଲା, ଜଟାଦିରେ ଶୋଭିତ ହୋଇ ଅନ୍ୟଭଳି ଦିଶିବାକୁ ପଡ଼ୁଥିଲା ଏବଂ ଗୁରୁ-ପରମ୍ପରାମାନ ସୃଷ୍ଟି କରି ବିବିଧ ସମ୍ପ୍ରଦାୟର ନଜିର ହୋଇ ରହିବାକୁ ହେଉଥିଲା, ଏବେ ସୁସ୍ଥ ଦେହରେ ସୁଖ ଲାଭ କରିବାକୁ ମଧ୍ୟ ଅନେକ ବ୍ୟକ୍ତି ଯୋଗାଡ଼ ଅନ୍ତତଃ ଏହି ଶରୀରସ୍ତରୀୟ ଦିଗଟିକୁ ମଧ୍ୟ ବେଶ୍‍ ପରିପାଟୀଯୁକ୍ତ ଭାବରେ କାମରେ ଲଗାଇଲେଣି । ବିଦ୍ୟାଳୟ ମାନଙ୍କରେ ଯୋଗକୁ ଅର୍ଥାତ୍ ଯୋଗବ୍ୟାୟାମକୁ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ କରି ରଖିବା ନିମନ୍ତେ ପ୍ରସ୍ତାବ ହେଲାଣି । ପିଲାଙ୍କ ଭିତରେ ଯୋଗ ପ୍ରତିଯୋଗିତାର ଅନୁଷ୍ଠାନମାନ କରାଗଲାଣି । ଏହି ସବୁକିଛିକୁ ଗୋଟିଏ ଗୋଟିଏ ସାଧୁ ଉଦ୍ୟମ ବୋଲି ନିଶ୍ଚୟ କହିବାକୁ ହେବ । ପରିଧିଗୁଡ଼ିକୁ ପ୍ରସାରିତ କରିଦେବାର ଯେକୌଣସି ଉଦ୍ୟମକୁ ଆମେ ସାଧୁ ଏବଂ ଶୁଭ ବୋଲି ଅବଶ୍ୟ କହିବା ।

 

ଦେହପ୍ରତି ଆମର ଦୃଷ୍ଟି ବଦଳି ଯାଉଥିବା ସଙ୍ଗେ ସଙ୍ଗେ ସେହି ଦେହର ଚିକିତ୍ସା ବିଷୟରେ ଆମର ବିଚାର ଏବଂ ଉପକାରଗୁଡ଼ିକ ମଧ୍ୟ ବଦଳି ଯାଉଛି । ଦେହକୁ ତା’ର ଅନ୍ୟ ବିରାଦରମାନଙ୍କ ଠାରୁ ଅର୍ଥାତ୍, ମନ, ପ୍ରାଣ ଏବଂ ଆତ୍ମାଠାରୁ ବିଚ୍ଛିନ୍ନ କରି କିଛି କରିବାଟାକୁ ଏଣିକି ଏକ ଅତ୍ୟାଚାର ପରି ବିଚାର କରାଗଲାଣି । ଏହାଦ୍ୱାରା ଦେହର ରୋଗପରିସର ବଢ଼ିବାରେ ଲାଗିଛି ବୋଲି ଅନେକେ ସନ୍ଦେହ ମଧ୍ୟ କଲେଣି । କେବଳ ଔଷଧ ଦ୍ଵାରା କଦାପି ରୋଗ ଯାଏ ନାହିଁ, ଔଷଧ ସହିତ ପଥି ମଧ୍ୟ ଦରକାର । ଭାରତବର୍ଷର ଦରିଦ୍ର ମନୁଷ୍ୟମାନେ ଜୀବାଣୁମାନଙ୍କ କାରଣରୁ ଯେତେ ରୋଗ ଭୋଗ ନକରନ୍ତି, ଉଚିତ ଖାଦ୍ୟର ଅଭାବରୁ ହୁଏତ ତାଠାରୁ ଅଧିକ ଅସୁସ୍ଥତାର ଶିକାର ହୁଅନ୍ତି । ଖାଲି ଯେ ଦେହ ପାଇଁ ଖାଦ୍ୟ ଆବଶ୍ୟକ ତାହା ନୁହେଁ; ଖାଦ୍ୟ ପ୍ରାଣ ସ୍ତରରେ, ମନର ସ୍ତରରେ ଏବଂ ହୃଦୟର ସ୍ତରରେ ମଧ୍ୟ ଦରକାର । ବ୍ୟକ୍ତିଟିଏ ସୁସ୍ଥ ରହିବା ନିମନ୍ତେ ତା’ଚାରିପାଖରେ ରହିଥିବା ସାମାଜର ମମତା ମଧ୍ୟ ଦରକାର । ବ୍ୟକ୍ତିଟିଏ ସୁସ୍ଥ ରହିବା ନିମନ୍ତେ ସିଏ ଆପଣାକୁ ସମାଜ ସକାଶେ ସୁସ୍ଥ ଭାବରେ ନିୟୋଜିତ କରି ପାରୁଥିବା ମଧ୍ୟ ଦରକାର । ମଣିଷ ଭିତରେ ବିବେକ ବୋଲି ଯେଉଁ ଦ୍ରବ୍ୟଟି ରହିଛି ତାହାର ମଧ୍ୟ ଉପଯୁକ୍ତ ଶୁଶ୍ରୂଷା ଆବଶ୍ୟକ । ମଣିଷ କ’ଣ ଖାଲି ଆପଣା ପାଇଁ ବଞ୍ଚିବ, ନିଜର ସ୍ଵାର୍ଥକୁ ସବୁକିଛି ବୋଲି ଧରିନେଇ ସିଏ ନିଜକୁ ନିବୁଜ ଦୁର୍ଗଟିଏ ଭଳି ତିଆରି କରିବ ଓ ତାହାରି ଭିତରେ ଅତ୍ୟନ୍ତ ସତର୍କ ଭାବରେ ବାସ କରୁଥିବ ? ଏଭଳି ଅତିସତର୍କ ମନୁଷ୍ୟମାନଙ୍କ ପାଇଁ ରୋଗମାନେ ବିଶେଷ ଭାବରେ ସେବାରେ ନିଯୁକ୍ତ ହୋଇ ହିଁ ରହିଥିବେ । ଏହିସବୁ ଅଧିକା କାରଣରୁ ଏବେ ଚିକିତ୍ସାର ମୂଳ ଦୃଷ୍ଟିଗୁଡ଼ିକ ମଧ୍ୟ ବଦଳି ଯାଉଛି । ମଣିଷକୁ ଏକ ବୃହତ୍ତର ସମଗ୍ର ରୂପେ ଦେଖାଯାଉଛି । ଔଷଧ ଦେଇ ଜଣେ ମଣିଷକୁ ରୋଗମୁକ୍ତ କରିଦେଲେ ସିଏ କଦାପି ସୁସ୍ଥ ହୋଇ ଯିବନାହିଁ ବୋଲି କୁହାଗଲାଣି । ଦେହକୁ ତା’ର ଜ୍ଞାତିମାନଙ୍କ ସହିତ ସମ୍ପୂର୍ଣ୍ଣ ଭାବରେ ଦେଖିଲେ ଯାଇ ଦେହପ୍ରତି ରହିଥିବା ଆମର ଅବଜ୍ଞାଭାବଟି ଦୂର ହୋଇଯିବ ଏବଂ ତେବେଯାଇ ଆମେ ଯଥାର୍ଥ ସ୍ଵାସ୍ଥ୍ୟର ଅଧିକାରୀ ହୋଇପାରିବା ବୋଲି ବିଶ୍ଵାସ କରାଯାଉଛି ।

 

ଏହି ଅଭିନବ ଚିକିତ୍ସା-ପଦ୍ଧତିରେ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ଉପରେ ସର୍ବମୂଳ ଗୁରୁତ୍ଵ ଦିଆଯିବା ସଙ୍ଗେ ସଙ୍ଗେ ଜଣେ ବ୍ୟକ୍ତି ହିସାବରେ ନିଜର ଆରୋଗ୍ୟ-ପ୍ରକ୍ରିୟାରେ ରୋଗୀର ସ୍ଵୟଂ ଯେ ଏକ ଦାୟିତ୍ଵ ରହିଛି, ସେହି କଥାଟି ବୁଝାଇ ଦିଆଯାଇଥାଏ । ମୋ’ ନିଜ ଶରୀର ହେଉଛି ମୋର ଘର, ତାକୁ ମୁଁ ସେହିପରି ନିଜର ବୋଲି ଅନୁଭବ କରିଚି । ନିଜକୁ ମାନସିକ ନାନା ଚିନ୍ତାରୁ ମୁକ୍ତ ରଖିବି । ମୋ’ ଚାରିପାଖର ପରିବେଶ ମୋତେ ଯେ ବନ୍ଧୁ ଭଳି ପରିବେଷ୍ଟନ କରି ରହିଛି, ମୁଁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଅନୁଭବ କରୁଥିବି । ଏକାବେଳେକେ ଗୁଡ଼ାଏ ଲକ୍ଷ୍ୟ ପଛରେ ଦଉଡ଼ି ନିଜକୁ କ୍ଳାନ୍ତ କରି ପକାଇବି ନାହିଁ । ଜୀବନରେ ଏକ ସକାରାତ୍ମାକ ଦୃଷ୍ଟି ଗ୍ରହଣ କରିଥିବି । ମୋ’ ଚାରିପାଖରେ କେବଳ ଶତ୍ରୁମାନେ ରହିଛନ୍ତି ଅଥବା ଭାଗ୍ୟ କୌଣସି କାରଣରୁ ମୋତେ ସବୁଠାରେ ପରାସ୍ତ କରିବାରେ ଚକ୍ରାନ୍ତ କରୁଛି ବୋଲି କଦାପି ନିୟତ ନାନା ସନ୍ତାପ ଭିତରେ ଘାଣ୍ଟି ହେବାର ଏକ ବିକଟ ସ୍ଥିତିରେ ନିଜକୁ ପକାଇ ଦେବିନାହିଁ । ଆହୁରି କିଛି ପଦ୍ଧତିକୁ ମିଶାଇ କହିଲେ, ମୁଁ ନିଜ ଭିତରେ ଶାନ୍ତ ରହିଥିବି, ସତେଅବା ଧ୍ୟାନସ୍ଥ ରହିଥିବି । ନିଜକୁ ହସି ପାରୁଥିବି, ମୁଁ ଏହି ପୃଥିବୀରେ ସବୁଠାରୁ ଅଧିକ ଭାଗ୍ୟହୀନ ବ୍ୟକ୍ତି ବୋଲି କଦାପି ଅଭିଯୋଗ କରୁନଥିବି । ଦୁଃଖ ଆସୁଥିବ, ମାତ୍ର ମୋ’ଠାରୁ ଆହୁରି ଅଧିକ ଅଧିକ ଦୁଃଖୀ ରହିଛନ୍ତି ବୋଲି କହି ମୁଁ ଆପଣାକୁ ଦମ୍ଭ ଦେଉଥିବି । ମନରେ ଭୟ ନଥିବ ଏବଂ ଦେହଟା ମଧ୍ୟ ଆଦୌ କୌଣସି ଭୟ ଦ୍ଵାରା ଆତଙ୍କିତ ଅନୁଭବ କରୁ ନଥିବ । ନିଜ ଭିତରକୁ ଅନାଇ ସେଠି ସତେଅବା କୋଉ ବଗିଚାରେ ଅଥବା ଗଛରେ ଫୁଲ ଭର୍ତ୍ତି ହୋଇ ରହିଥିବା ପରି ପ୍ରତ୍ୟକ୍ଷ କରୁଥିବି । ସମଗ୍ର ପୃଥିବୀ ଅବଶ୍ୟ ଏକ ଛନ୍ଦରେ ଚାଲୁଛି ବୋଲି ମୋ ଭିତରେ ଏକ ବିଶ୍ଵାସ ରହିଥିବ । ପ୍ରସନ୍ନତା ହିଁ ଯାବତୀୟ ପରିସ୍ଥିତିରେ ମୋ’ଜୀବନ ବଞ୍ଚିବାର ମୁଖ୍ୟ ଭାଷା ହୋଇ ରହିଥିବ ।

 

ଏସବୁ ବସ୍ତୁତଃ କେଡ଼େ କେଡ଼େ ବଡ଼ କଥା, ଏକ ବିଶ୍ଵାସ-ପ୍ରେରିତ ଜୀବନଦର୍ଶନର କଥା । ମାତ୍ର ଏସବୁ କ’ଣ କେବଳ ଗୋଟିଏ ଟେକ୍‌ନିକ୍‌, କୌଣସି ଏକ ରୋଗ ବା ତା’ଠାରୁ ମୁକ୍ତିଲାଭ କରିବା ସକାଶେ ମୋ’ ବୈଦ୍ୟ ମୋତେ ବତାଇଥିବା ଗୋଟିଏ ଗୋଟିଏ ଉପାୟ ? ନିଜ ଭିତରେ ନୀରବ ରହିବା, ବାହାରେ ଶ୍ରଦ୍ଧାଶୀଳ ଭାବରେ ବହୁତଙ୍କ ସହିତ ବାନ୍ଧି ହୋଇ ରହିଥିବା ଏବଂ ବହୁତଙ୍କ ନିମନ୍ତେ ଜୀବନ ବଞ୍ଚିବା, —ଏସବୁ କ’ଣ ଗୋଟିଏ ଗୋଟିଏ ସାମୟିକ କାର୍ଯ୍ୟସାଧନ କରୁଥିବା ଉପଚାର ମାତ୍ର ? ଯୋଗ, ଧ୍ୟାନ, ପ୍ରାଣାୟାମକୁ ଏବେ ଯେପରି ଆମ ସ୍ଵାସ୍ଥ୍ୟରକ୍ଷା ସହିତ ନେଇ ଯୋଡ଼ି ଦିଆଯାଇଥାଏ, ବେଳେ ବେଳେ ସେଥିରୁ ସେହିଭଳି ସନ୍ଦେହ କରିବାର ଅବକାଶ ମଧ୍ୟ ରହିଥାଏ । ହୁଏତ ମୂଳରୁ ମନେ ରଖିବାକୁ ହେବ ଯେ ଏଗୁଡ଼ିକ ଆଦୌ କସରତ ନୁହନ୍ତି । ନୀରବ ହେବା ଏକ କସରତ ନୁହେଁ, ଧ୍ୟାନମଗ୍ନ ହୋଇ ରହିବା ମଧ୍ୟ ଏକ କସରତ ନୁହେଁ । ନୀରବ ହେବାର ମାର୍ଗଟିକୁ ଜୀବନର ମାର୍ଗ ବୋଲି ବାଛିନେଲେ ଯାଇ ମଣିଷ ସତକୁ ସତ ନୀରବ ରହିପାରିବ । ଏହି ସବୁକିଛି ଏକ ଦୀକ୍ଷାଗ୍ରହଣକୁ ବୁଝାଏ, ଏକ ନିଷ୍ପତ୍ତିକୁ ବୁଝାଇଥାଏ । ତେବେଯାଇ ଆମ ଜୀବନର ବାଟଚଲାରେ ସେଗୁଡ଼ିକ ଆମ ସ୍ଵାସ୍ଥ୍ୟରେ ସହାୟକ ହୋଇ ରହିବେ । ନୀରବତା ଏକ ନିଷ୍ପତ୍ତି-ଗ୍ରହଣ, ଧ୍ୟାନମୟ ହୋଇ ରହିବା ମଧ୍ୟ ଏକ ନିଷ୍ପତ୍ତି-ଗ୍ରହଣ । କେବଳ ଆମ ରୋଗଗୁଡ଼ିକରେ ଉପଶମ ଆଣିଦେବାକୁ ନୁହେଁ । ଆମ ଜୀବନ-ସାଧନାରେ ଆମେ ଖୁସି ହୋଇ ସେଗୁଡ଼ିକୁ ଗ୍ରହଣ କରିପାରିଲେ ଯାଇ ସେମାନେ ଆମର ପୂର୍ଣ୍ଣ ହିତ କରିପାରିବେ । ବେଶୀ ଖାଇଲେ ବଦହଜମୀ ହୁଏ, ହଜମୀ ଔଷଧ ଖାଇଲେ ତାହା ଦୂର ହୁଏ; ମାତ୍ର, ଔଷଧ ଖାଇ ଭଲ ହୋଇ ଆମେ ପୁଣି ଯଦି ଅତିରିକ୍ତ ଭୋଜନର ଲାଳସାରେ ପଡ଼ିଯାଉ, ତେବେ ତଦ୍ଦ୍ୱାରା ଆମେ ଜଗତରେ ଅଧିକାଂଶ ମନୁଷ୍ୟ ଗ୍ରହଣ କରିଥିବା ଭଉଁରୀଟି ଭିତରେ ଯାଇ ପଡ଼ିଯିବା ସିନା, କିନ୍ତୁ ଯଥୋଚିତ ଆରୋଗ୍ୟରୁ ବହୁଦୂରରେ ଯାଇ ରହିଥିବା ।

 

୩୦ । ୦୩ । ୧୯୯୮

Image

 

ଖାଲି ସଭାପତିଟିଏ ଲୋଡ଼ା

 

ଆମ ଦଳରେ ଗତ ହୋଇଥିବା କୋଡ଼ିଏ କି ପଚିଶି ବର୍ଷ ଭିତରେ ଯେତେ ଯାହା ବିଗିଡ଼ି ଯାଇଛି, ସେହି ସବୁକିଛି ସଜାଡ଼ି ହୋଇଯିବ, ଯଦି ଅମୁକ ବା ଅମୁକ ଆମର ସଭାପତି ହେବାକୁ ରାଜି ହୋଇଯିବେ । ଆମର କେବଳ ଜଣେ ସଭାପତି ଲୋଡ଼ା । ଆମ ଘରେ ସବୁ ଠିକ୍ ଅଛି, ଆମ ନାକ ଆଗକୁ ସବୁ ସଳଖ ହୋଇ ଦେଖାଯାଉଛି, କେବଳ ଜଣେ ସଭାପତି ପାଇଁ ଅପେକ୍ଷା ରହିଛି । ଆମ ଦେଶରେ ଷଣ୍ଢମାନେ କିପରି ଦୁର୍ବଳିଆ ହୋଇ ଯାଉଛନ୍ତି ଏବଂ ସେମାନେ କିପରି କ୍ରମେ ଭାରି ଏକୁଟିଆ ହୋଇ ଯାଉଛନ୍ତି, ଭୋର ପାହାନ୍ତାର ନିଶୁନ୍ ରାସ୍ତାରେ ରାଜଧାନୀରେ ସତେଅବା ଭାରି ଧକେଇଲା ପରି ଚାଲି ଯାଉଥିବା କେବଳ ବିଚରା ଷଣ୍ଢମାନଙ୍କୁ ନୁହେଁ, ଆମ ନେତାମାନଙ୍କୁ ମଧ୍ୟ ନିରୀଖି ଦେଖିଲେ ସେକଥାଟିର ପ୍ରମାଣ ମିଳିଯାଉଛି । ଜଣେ ଜଣେ ରଜା ଥାଆନ୍ତି, ଯେଉଁମାନଙ୍କର କି କେବଳ ମଥାର ମୁକୁଟଟି ବ୍ୟତୀତ ହୁଏତ ଆଉ କିଛିହେଲେ ନଥାଏ । ରାଜା ବୋଲାଇବାରେ କୌଣସି ସନ୍ତକ ଅଥବା ଲକ୍ଷଣ ନଥାଏ, ରାଜାର ଅକଲ ରହିବା ତ ଆହୁରି ଅଧିକ ଦୂରର କଥା । ଜଣେ ଜଣେ ମରଦ ଥାଆନ୍ତି, ଯେଉଁମାନଙ୍କର ଥୋଡ଼ି ଉପରେ ଚେନାଏ ଘାସ ଯେକୌଣସି ମତେ କଅଁଳୁ ଥାଏ ବୋଲି ସତେ ଅବା ସେମାନଙ୍କୁ ମରଦ ବୋଲି କହିବାକୁ ପଡ଼େ । ନଚେତ୍ ସେମାନଙ୍କ ଠାରେ ମରଦପଣିଆର ହୁଏତ ଏତେ ଟିକିଏ ହେଲେ ସଙ୍କେତ ଦେଖିବାକୁ ମିଳେନାହିଁ । ବାଇବେଲ୍ ଶାସ୍ତ୍ରରେ ଯୀଶୁଖ୍ରୀଷ୍ଟଙ୍କର ବାର କଣ ଶିଷ୍ୟଙ୍କ ବିଷୟରେ ଉଲ୍ଲେଖ ଅଛି । ଏହି ଶିଷ୍ୟମାନେ ପୃଥିବି ଭିତରକୁ ଯିବେ ଓ ଲୁଣ ପରି କାର୍ଯ୍ୟ କରିବେ ବୋଲି ଯୀଶୁ ତାଙ୍କୁ କହୁଥିଲେ । ଏହି ଶିଷ୍ୟମାନେ ଯେଉଁସବୁ ଆଡ଼କୁ ଯିବେ, ସେଠାରେ ଅନ୍ୟମାନଙ୍କୁ ନୂତନ ଧର୍ମପ୍ରେରଣାରେ ଦୀକ୍ଷିତ କରାଇ ପାରୁଥିବେ । ଲୁଣ ଯେପରି ଯେଉଁ ରନ୍ଧନ-ସାମଗ୍ରୀରେ ପଡ଼ିଲେ ମଧ୍ୟ ସେହି ସାମଗ୍ରୀଟିକୁ ଲୁଣିଆ କରିଦିଏ, ଏହି କଥାଟି ଠିକ୍ ସେହିପରି । ମାତ୍ର ଯଦି ଦୁର୍ଭାଗ୍ୟବଶତଃ ସ୍ଵୟଂ ଲୁଣ ତା’ ଲୁଣିଆପଣକୁ ହରାଇ ବସିବ, ତେବେ ଆଉ କେଉଁଠାରୁ ଆଉ କ’ଣ ଆଣି ତାକୁ ଲୁଣିଆ କରାଯାଇ ପାରିବ ବୋଲି ଯୀଶୁ ପ୍ରଶ୍ନଟିଏ ମଧ୍ୟ କରୁଥିଲେ ଏବଂ ଶିଷ୍ୟମାନଙ୍କୁ ସଜାଗ କରି ଦେଉଥିଲେ ।

 

୧୯୨୦ ମସିହା ବେଳକୁ ମହାତ୍ମା ଗାନ୍ଧୀ ଯେତେବେଳେ ଏକ ନୂଆ ପ୍ରକାରେ ଭାରତବର୍ଷର ରାଜନୀତିକ ସଂଗ୍ରାମରେ ନେତୃତ୍ଵ ଗ୍ରହଣ କରିଥିଲେ, ସେତେବେଳେ ତାଙ୍କର ଦୁଇଟି ମୁଖ୍ୟ ସର୍ତ୍ତର ପୂରଣ ହେଲେ ବର୍ଷକ ମଧ୍ୟରେ ଭାରତବାସୀଙ୍କୁ ସ୍ଵରାଜ୍ୟ ଆଣି ଦେଇପାରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ସେହି ସର୍ତ୍ତ ଦୁଇଟି ହେଲା;—ସ୍ଵରାଜ୍ୟ ପାଣ୍ଠି ସକାଶେ ଦେଶରୁ ଏକ କୋଟି ଟଙ୍କା ସଂଗ୍ରହ କରାଯିବ ଏବଂ ଭାରତୀୟ ଜାତୀୟ କଂଗ୍ରେସରେ ଏକକୋଟି ବ୍ୟକ୍ତି ଆସି ସଦସ୍ୟ ହେବେ । ସଦସ୍ୟ ହେବା ନିମନ୍ତେ ଚାରିଅଣା ପଇସା ଚାନ୍ଦାରୂପେ ଧାର୍ଯ୍ୟ କରାଯାଇଥିଲା-। ବ୍ରିଟିଶ ଶାସନରୁ ଭାରତବର୍ଷ ମୁକ୍ତ ହେଉ ବୋଲି ଯିଏ ଇଚ୍ଛା କରୁଥିବ, ସିଏ ତତ୍କାଳୀନ ରାଜନୀତିକ ସଂଗ୍ରାମର ସମର୍ଥନ କରୁଛି ବୋଲି ପ୍ରମାଣ ଦେଖାଇବାକୁ ହିଁ କଂଗ୍ରେସ ଅନୁଷ୍ଠାନର ସଦସ୍ୟ ହେବ ଏବଂ ପ୍ରତ୍ୟେକ ସଦସ୍ୟ ଏଥିପାଇଁ ଚାରିଅଣା ପଇସା ବାନ୍ଧିବେ । ସେତେବେଳେ ମଧ୍ୟ ଜାତୀୟ ଆନ୍ଦୋଳନର ପକ୍ଷରେ ଏପରି ଅନେକ ବଦାନ୍ୟ ବ୍ୟକ୍ତି ରହିଥିଲେ, ଯେଉଁମାନେ କି ଅତ୍ୟନ୍ତ ସହଜରେ ଆହୁରି ଅନେକଙ୍କ ଲାଗି ସଦସ୍ୟଚାନ୍ଦା ଚାରିଅଣା ଦେଇପାରିଥାନ୍ତେ ଏବଂ ତା ଫଳରେ ଅତିଶୀଘ୍ର ଏବଂ ଅତି ଅଳପ ମେହନତରେ ଏକକୋଟି ସଦସ୍ୟ ହୋଇଗଲେ ବୋଲି ସୁମାରି କରାଯାଇ ପାରିଥାନ୍ତା । ମାତ୍ର, ସେପରି କରିବାକୁ ବାଟ ନଥିଲା । ଗାନ୍ଧୀଜୀ ବିଶେଷ ଗୁରୁତ୍ଵ ଦେଇ ସର୍ତ୍ତ ରଖିଥିଲେ ଯେ, ଯିଏ ସଦସ୍ୟ ହେବାକୁ ଚାହୁଥିବ, ସେଇ ନିଜେ ଚାରିଅଣା ପଇସା ଦାଖଲ କରିବ, ଅର୍ଥ-ସମର୍ଥନ ଅପେକ୍ଷା ଜନସମର୍ଥନର ଯେ ଅଧିକ ଓଜନ ଓ ମହତ୍ତ୍ଵ ରହିଛି, ସେକଥା ମହାତ୍ମା ଗାନ୍ଧୀ ମୂଳରୁ ବୁଝିଥିଲେ ଏବଂ ତେଣୁ ଚାରିଅଣା ସଭ୍ୟଚାନ୍ଦା ବାନ୍ଧିବାର ଏହି ରୀତିଟି ଉପରେ ଏତେ ଗୁରୁତ୍ଵ ଦେଉଥିଲେ । ଅର୍ଥାତ୍ ଯେଉଁମାନେ ଜାତୀୟ କଂଗ୍ରେସରେ ସଦସ୍ୟ ହେବେ, ସେହିମାନଙ୍କୁ ଏକତ୍ର ଧରି ରଖି ଦଳ ତଳୁ ମଜବୁତ ହୋଇ ତିଆରି ହେବ ବୋଲି ଚିନ୍ତା କରାଯାଇଥିଲା ଏବଂ ଦଳ, ଯେକୌଣସି ଦଳ, ତଳୁ ଟାଣ ହୋଇ ରହିଲେ କେବଳ ଗଣତନ୍ତ୍ର ଯେ ସୁସ୍ଥ ହେବ ତା’ ନୁହେଁ, ଯାବତୀୟ ଅର୍ଥରେ ସେହି ଦଳଟି ମଧ୍ୟ ସୁସ୍ଥ ହେବ । ଦଳ ଭିତରେ ନେତାମାନେ ଅବଶ୍ୟ ରହିବେ, ମାତ୍ର ସେମାନେ ତଳ ଦ୍ଵାରା ହିଁ ନିଯୁକ୍ତ ଏବଂ ନିୟୋଜିତ ହେବେ । ଅର୍ଥାତ, ଆହୁରି ତାତ୍ପର୍ଯ୍ୟର୍ପୂର୍ଣ୍ଣ ଭାବରେ କହିଲେ, ସେମାନେ ତଳୁ ଗଢ଼ି ଗଢ଼ି ହୋଇ ଉପରକୁ ଯିବେ-। ଭାରତବର୍ଷ ସ୍ଵାଧୀନ ହେବାପରେ ରାଜନୀତିକ ଦଳଗୁଡ଼ିକୁ ପରିଚାଳିତ କରୁଥିବା ଏହି ରୀତିଟି କ୍ରମେ ମାଡ଼ ଖାଇଯାଇଛି । ନେତାମାନେ ଆଉ ତଳୁ ଗଢ଼ି ହେଉନାହାନ୍ତି, ସେମାନେ ହୁଏତ ଆଦୌ ଗଢ଼ି ହେଉନାହାନ୍ତି । ସେମାନେ ଏକାବେଳେକେ ଉପରୁ ଆସି ପଡ଼ୁଛନ୍ତି । ଉପରୁ ଆସି ମାମଲତଗୁଡ଼ିକୁ ହାତକୁ ନେଉଛନ୍ତି ଏବଂ କେବଳ ଗୋଟିଏ ଦଳରେ ନୁହେଁ, ଏକାଧିକ ଦଳରେ ସେହି ଅନ୍ୟ ଅରୀତିଟା ପଶି ଭାରତରେ ଗଣତନ୍ତ୍ରକୁ ପ୍ରାୟ ଏକ ହାସ୍ୟାସ୍ପଦ ଖେଳରେ ପରିଣତ କରିଦେଇ ସାରିଲଣି ।

 

ରାଜନୀତିକ ଦଳଗୁଡ଼ିକୁ ପୋଚରା କରି ପକାଇବାରେ ଏହି ଅସୁସ୍ଥ ପରମ୍ପରାଟି ଏବେ ଭାରି ସାହାଯ୍ୟ କରୁଛି । ଏଇଟି ଆରମ୍ଭ ହେଲା ସଂଜୟ ଗାନ୍ଧୀ ଆସି କଂଗ୍ରେସ ଭିତରେ ଋତୁରାଜ ହୋଇ ଧଡ଼୍‌କିନା ପ୍ରବେଶ କରିଯିବା ପରେ । ତାଙ୍କର ମାଆ କ’ଣ ବିଚାର କରି ଏହି ଅତ୍ୟନ୍ତ ନୂଆ ହୁନ୍ଦରଟିକୁ କରାଇବାକୁ ସେତେବେଳେ ଇଚ୍ଛା କରିଥିଲେ କେଜାଣି ? ସେତେବେଳେ ସିଏ ତ ମହାରାଣୀ ପରି ଦେଶକୁ ଶାସନ କରିଥିଲେ ଏବଂ ତାଙ୍କ ପିତା ତଥା ପିତାମହ ମାନଙ୍କୁ ସମ୍ମାନ ଦେଇ ଦେଶବାସୀ ମଧ୍ୟ ତାଙ୍କୁ ମହାରାଣୀଙ୍କର ସମ୍ମାନ ଦେଇ ଦେଖୁଥିଲେ । ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ଆଶାପେଟିକା ହୁଏତ ସେତିକିରେ ପୂରିଲା ନାହିଁ ଏବଂ ସିଏ ଭାରତବର୍ଷକୁ ହୁଏତ ଏତେ ଅଧିକ ପରିମାଣରେ ଏକାବେଳକେ ନିଜର ବୋଲି ଭଲ ପାଇଲେ ଯେ, କାଳେ ତାଙ୍କ ଅନ୍ତେ ଏହି ସମ୍ପତ୍ତିଟି ଆଉ କାହା ହାତରେ ଯାଇ ପଡ଼ିଯିବ, ସେହି ତରରେ ସିଏ ଭାରି ଆତ୍ମକାତର ହୋଇ ପଡ଼ିଲେ ଏବଂ ସତେଅବା ହୁକୁମ ଦେଇ ତାଙ୍କରି ପୁଅଙ୍କୁ ହିଁ ଦେଶବାସୀ ପରବର୍ତ୍ତୀ ସବୁକିଛି ବୋଲି ସ୍ଵୀକାର କରିନିଅନ୍ତୁ ବୋଲି ଘଟଣାମାନଙ୍କୁ ଘଟାଇଲେ । ମାତ୍ର କେଇଟା ମାସରେ ସମ୍ପୃକ୍ତ ସମସ୍ତେ ସେହି କଥାଟିକୁ ମାନିନେଲେ । ବିଧାତା ହସୁଥିଲା, ବିବେକ ହସୁଥିଲା, ଦାଣ୍ଡରେ ରାଜନୀତିର ବାହାରେ ରହିଥିବା ତୁମେ ଆମେ ମଧ୍ୟ ସେତେବେଳେ କେତେ ହସୁନଥିଲେ ! ସଂଜୟ ଗାନ୍ଧୀଙ୍କର ତିରୋଧାନ ପରେ ରାଜନୀତିର ସେହି ଦୁଷ୍ଟ ଗ୍ରହଟା ତଥାପି ଛାଡ଼ି ଚାଲି ଗଲାନାହିଁ । ଛାଗଳମାନେ ପରମ ଆଡ଼ମ୍ବରରେ ପୁନର୍ବାର ସେହି ଉପରୁ ହିଁ ଆଉ ଜଣଙ୍କୁ ବରି ଆଣିଲେ । ରାଜନୀତି କହିଲେ ତା’ପରେ ଆଉ ଆଦୌ କୌଣସି ଅନୁଭବ କିମ୍ବା ଅନୁବଦ୍ଧତାକୁ ବୁଝାଇଲା ନାହିଁ । କ୍ଷମତାରେ ରହିବାକୁ ବୁଝାଇଲା । ତା’ପରେ ସେହି ଖୋଇଟା ସମୁଦାୟ ଖୁଆଡ଼ଟା ଭିତରକୁ ସଂକ୍ରମିତ ହୋଇଗଲା । ଯିଏ ପାରିଲା, ସିଏ ନିଜ ବଂଶର ଅନୁଜ ଏବଂ ଆତ୍ମଜମାନଙ୍କୁ ସବା ଆଗରେ ରଖି ଭାରତବର୍ଷ ବିଷୟରେ ଉଜ୍ଜ୍ଵଳ ସ୍ଵପ୍ନମାନ ଦେଖିବାକୁ ଆରମ୍ଭ କରିଦେଲା । କ୍ରମେ ସମୁଦାୟ ବଜାରରେ ସେହି ଫେଶନଟା ହିଁ ସର୍ବାଧିକ ପ୍ରୀତି ସହକାରେ ଚଳିଲା । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ଚାରିଆଡ଼କୁ ଚାହିଁ ଖୁବ୍ ପ୍ରମାଣ ମିଳିଯାଉଛି, ସତେ ଯେପରି ଡିହ ଉପରେ ବସିଥିବା ପ୍ରାୟ ସମସ୍ତେ କେତେ ଭଳି ବୁଲେଇ ବଙ୍କେଇ ନିଜ ଘରୁ ଗୋଟିଏ ଅଥବା କେତୋଟିଙ୍କୁ ଆଣି ରାଜନୀତି ଭିତରେ ପୂରାଇ ଦେଉଛନ୍ତି । ସେମାନଙ୍କ ଦ୍ଵାରା ଦେଶର କିଛି ହେଉ ବା ନହେଉ ପଛକେ, ଅନ୍ତତଃ ନିଜ ବଂଶର ତ ନାଆଁ ରହିବ । ଆପଣ ଏଇଟାକୁ ବି କ’ଣ ଏକ ପ୍ରକାରର ରତିଖେଳ ବୋଲି କହିବେ ?

 

ମାତ୍ର ଏସବୁକୁ ଆପଣ ଆଜ୍ଞା ରାଜନୀତି ବୋଲି ମୋଟେ କହନ୍ତୁ ନାହିଁ । ନୂଆ ହୋଇ ନିଜକୁ ନିର୍ମାଣ କରୁଥିବା ଏକ ଦେଶରେ ଯଥାର୍ଥ ଆକାଙ୍‌କ୍ଷାଗୁଡ଼ିକ ସହିତ ଏହାର ଆଦୌ କୌଣସି ସମ୍ବନ୍ଧ ନାହିଁ । ନୂଆ ହୋଇ ନିଜର ନିୟତିକୁ ସାଙ୍ଗରେ ଧରି ପୃଥିବୀରେ ନିଜକୁ ପରଖି ବାହାରିଥିବା ଆମର ଏହି ଦେଶରେ ଆମେ ସବାଆଗ ଯେଉଁସବୁ ପ୍ରତିବନ୍ଧକ ସହିତ ଯୁଝୁଥାନ୍ତେ, ଆମ ଦେଶରେ ଚଳୁଥିବା ଗେହ୍ଲାମାନଙ୍କର ଗୃହ—ପ୍ରୀତିଭିତ୍ତିକ ରାଜନୀତିର ସେସବୁ ବିଷୟରେ ପ୍ରାୟ କୌଣସି ଦୃଢ଼ କାର୍ଯ୍ୟକ୍ରମ ନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ବିକାଶ, ସବାତଳ ମଣିଷମାନଙ୍କ ପାଇଁ ସବୁଠାରୁ ଅଧିକ ସୁଯୋଗ ଦେଇ ସେମାନଙ୍କୁ ଯଥାଶୀଘ୍ର ଏକ ନିର୍ଭରଯୋଗ୍ୟ ମୁଖ୍ୟସ୍ରୋତ ଭିତରକୁ ଆଣିବାର ପ୍ରୟାସ—ଏହି ଅସଲ କାର୍ଯ୍ୟଗୁଡ଼ିକ ଆମ ଦେଶରେ ସତେଅବା ପୂରା ଗେଲରେ ଗେଲରେ ଚାଲିଛି । ଅର୍ଥାତ୍ ଆଦୌ ଚାଲୁନାହିଁ । ଉପେକ୍ଷାମାନେ ବଢ଼ୁଛନ୍ତି, ଦୂରତାମାନେ ବଢ଼ୁଛନ୍ତି—ଚାଲାଖିମାନେ ଅଧିକ ଚାଲାଖି ହେଉଛିନ୍ତି ଏବଂ ଅସହାୟମାନଙ୍କୁ ସମ୍ଭବତଃ ଅଧିକ ପ୍ରତ୍ୟୁତ୍ପନ୍ନମତିତା ସହିତ ଚିତା କାଟିବାରେ ଲାଗିଛନ୍ତି ଏବଂ ଏହି ସ୍ଥିତି ଅର୍ଥାତ୍ ଦୁଃସ୍ଥିତିଟିକୁ ଦୀର୍ଘସ୍ଥାୟୀ କରିବାର ମତଲବରେ ଦେଶରେ ରାଜନୀତିକ ଦଳମାନେ ଅନୁକୂଳ ଇନ୍ଧନମାନ ଆଣି ଯୋଗାଇ ଦେଉଛନ୍ତି । ଜଣେ ନେତା ତଳୁ ତିଆରି ହୋଇ ହୋଇ ଯିବ, ଆବଶ୍ୟକ ଲଗାମଗୁଡ଼ିକ ତାହାରି ହାତରେ ହିଁ ରହିବ, ତେବେ ଯାଇ ସାର୍ବଜନୀନ ଭାଗ୍ୟର ଅସଲ ପ୍ରଶ୍ନଗୁଡ଼ିକୁ ଏବେ ଦେଶକୁ ଶାସନ କରୁଥିବା ଆମ ରଜାମାନେ ଭାରତବର୍ଷରେ ଏହି କଥାଟି ଆଉ ମୋଟେ ସ୍ଵାଭାବିକ ଭାବରେ ହୋଇ ପାରୁନାହିଁ । ତେଣୁ ପୁରୁଣା ଅନ୍ଧାରଗୁଡ଼ିକୁ ହିଁ ମାନି ନିଆଯାଉଛି । ରାଜନୀତିରେ ତୁଙ୍ଗ ସ୍ଥାନରେ ପହଞ୍ଚିବା ନିମନ୍ତେ ନିରକ୍ଷର ହେଲେ ମଧ୍ୟ ଚଳିଯାଉଛି-

 

ଧନ୍ୟ ସେ ନେହରୁବଂଶ, ଯିଏକି ଭାରତୀୟ ରାଜନୀତିକୁ ଗତ ଏତେ ପୁରୁଷ ଧରି ପୁଙ୍ଗବମାନଙ୍କୁ ଯୋଗାଇ ଆସିଲା । ନେହେରୁ ତାଙ୍କ ବେଳେ ନିଜେ ଯୁଆଡ଼େ ଯାଉଥିଲେ, ସାଙ୍ଗରେ ନିଜର କନ୍ୟାଙ୍କୁ ନେଇ ଯାଉଥିଲେ । ତଥାପି ନେହରୁଙ୍କ ଅନ୍ତେ ଯେ ତାଙ୍କର କନ୍ୟାଙ୍କ ଉପରେ କଳସ ଢ଼ଳା ହେବ, ନେହେରୁ ବଞ୍ଚିଥିବା ସମୟରେ କୌଣସି ଅବସରରେ ମଧ୍ୟ କେହି କହିନଥିଲେ । ଏପରିକି ନେହରୁଙ୍କ ପରେ ଦେଶର ହଳଲଙ୍ଗଳ କାହାହାତରେ ରହିବ ବୋଲି ପ୍ରଶ୍ନଟିକୁ ପଚାରି ସେତେବେଳେ ଯେଉଁ ଏକାଧିକ ପୁସ୍ତକ ଲେଖା ହୋଇଥିଲା, ସେଗୁଡ଼ିକର ମୂଲ୍ୟାୟନକ୍ରମରେ ମଧ୍ୟ ଶ୍ରୀମତୀ ଗାନ୍ଧୀଙ୍କର ନାମଟି ମୋଟେ ଆଖିଦୃଶିଆ ହୋଇ ରହିନଥିଲା । ତଥାପି କ’ଣ ଗୋଟାଏ ସଙ୍କଟର ସମାଧାନ କରି ଗୁରୁଜନମାନେ ତାଙ୍କୁ ଗାଦୀକୁ ଆଣିଲେ, ତାଙ୍କ ହାତକୁ ଅଙ୍କୁଶଟା ବଢ଼ାଇ ଦେଲେ । ଭଗବାନଙ୍କର କ’ଣ ବରାଦ କେଜାଣି, ସେହି ଦିନଠାରୁ ସେହି ଅଙ୍କୁଶଟି ଉପରକୁ ଯାଉଛି ଯେ ଆଉ ମୋଟେ ତଳକୁ ଆସୁନାହିଁ । ରାଜନୀତିକୁ ଭାରି ହରକତରେ ପକାଉଛି ଏବଂ ତା ଫଳରେ ଦେଶର ଭାଗ୍ୟଟା ମଧ୍ୟ କମ୍ ହୀନସ୍ଥା ହେଉନାହିଁ । ଶ୍ରୀମତୀ ଗାନ୍ଧୀ ପ୍ରାୟ ଏକ Innovation ହିସାବରେ ଏହି କଥାଟିକୁ ଆମ ରାଜନୀତିକ ମାମଲତରେ ଘର ଭିତରକୁ ଆଣିଲେ । ତା’ପରେ ଦେଶରୁ ରାଜନୀତି ବିଦାହୋଇଗଲା ଏବଂ ମାମଲତଟା ହିଁ ପ୍ରଧାନ ଉପାଦାନ ରୂପେ ଆମ ଭାଗ୍ୟର ବେକଟାରେ ସାପ ପରି ଗୁଡ଼ାଇ ହୋଇ ରହିଲା । ଶ୍ରୀମତୀ ଗାନ୍ଧୀ ଗଲାପରେ ତାଙ୍କ ବଳରେ ସୁଆରମାନେ ଫୁସଲା ଫୁସଲି କରି ତାଙ୍କ ଆର ଅପତ୍ୟଟିକୁ ମଙ୍ଗାଇ ଆଣିପାରିଲେ । ଅଳିଅଳ ପୁଅଙ୍କ ହାତରେ ପଡ଼ି ରାଜନୀତି କ୍ରମେ ଅଳିଅଳ ହୋଇଗଲା—ବାରପ୍ରକାରେ ହୁଣ୍ଡାମି କଲା । ସାଧାରଣ ରୋଷେଇଆଟିଏ ରଖିଲା ବେଳେ ସିଏ ଅନ୍ତତଃ କିଛି ରୋଷେଇବାସ ଜାଣିଛି କି ନାହିଁ, ଆମେ ତାକୁ ସେହି ପ୍ରଶ୍ନଟିକୁ ସବା ଆଗ ପଚାରୁଛୁ । ଅଥଚ, ରାଜନୀତି ଭିତରେ ହୁ କରି ସର୍ବୋଚ୍ଚ ଆସନରେ ଆସି ବସିଯିବା ନିମନ୍ତେ, ତୁମ ଘର-ପରିଚୟଟା ହିଁ ଯଥେଷ୍ଟରୁ ଅଧିକ ହୋଇପାରୁଛି । ଅବଶ୍ୟ ମାନିବାକୁ ପଡ଼ିବ ଯେ ଗୋଟାଏ ଘରେ ଆଉମାନେ ବି ରାଜନୀତିରେ ନିଶ୍ଚୟ ଆଗ୍ରହ ରଖିଥିବେ । ଆଗ୍ରହ ଥିବା ମଣିଷର ସଚରାଚର ଏକ ବିନୟ ମଧ୍ୟ ରହିଥାଏ । ବିନୟ ଥିଲେ ମଣିଷ ଆଗ ପ୍ରଥମ ପାହାଚରୁ ହିଁ ସବୁ ଆରମ୍ଭ କରିବାକୁ ଠିକ୍ ବୋଲି ବିଚାରେ । ମାତ୍ର ଏକାବେଳକେ ପ୍ରଧାନମନ୍ତ୍ରୀ ବା ଏକାବେଳେକେ ସଭାପତିର ଆସନ ଉପରେ ଆସି ବସିଯିବା, ଏଇଟା ସତେଅବା କୋଉଠି ଗୋଟାଏ ଜଙ୍ଗଲର ସୂଚନା ହିଁ ଆଣି ଦେଇଥାଏ ।

 

ରାଜନୀତିବାଲା ଏହି ଦେଶଟିକୁ ସତକୁ ସତ ଏକ ଜଙ୍ଗଲ ବୋଲି ଧରି ନେଲେଣି କି ? ଗୋଟାଏ ଗୋଟାଏ ଦଳରେ ଭେରେଣ୍ଡାଙ୍କ ପରି ଏଡ଼େ ଏଡେ଼ ବପୁମାନେ ପଲ ପଲ ହୋଇ ରହିଛନ୍ତି । ଉପରେ କିଏ ଜଣେ ବିବେକର ସହିତ ସେମାନଙ୍କୁ ଦିଗ୍‍ଦର୍ଶନ ଦେଉ, ବିବେକର ତର୍ଜନୀ ଦେଖାଉ, ଏସବୁ କଥା ସେମାନଙ୍କୁ ଏବେ ସମ୍ଭବତଃ ମୋଟେ ଆରୋଉ ନାହିଁ । ତେଣୁ, ସେମାନେ ଯାହାକୁ ତାହାକୁ ଗୋଟାଏ କାହାକୁ ସବା ଉପରେ ନେଇ ବସାଇ ଦେବାକୁ ଭାରି ଆଗ୍ରହ ଦେଖାଉଛନ୍ତି, ଯାହା ଫଳରେ କି ନିଜର ସ୍ଥାନୀୟ କ୍ଷେତ୍ରମାନଙ୍କରେ ମଧ୍ୟ ସେମାନେ ଷଣ୍ଢକୁଦର ସମ୍ରାଟ ହୋଇ ରାଜତ୍ଵ କରିପାରିବେ, ଦେଶର ଭାଗ୍ୟକୁ ଗୋଟାସୁଦ୍ଧା ସ୍ଵୟଂ ଭୋଗ କରିବେ, ଏବଂ ସରକାରଟାକୁ ଲୁଟି ନେବାରେ ଲାଗିଥିବେ । ବିଚରା ସେମାନଙ୍କର ବି ପୁତ୍ର, ପତ୍ନୀ, କନ୍ୟା କିମ୍ବା ଅନ୍ୟ ବିରାଦରାନେ ରହିଥିବେ, ଉପରେ ଅନ୍ଧାର ହୋଇଥିଲେ ସେମାନେ ଏମାନଙ୍କ ନିମନ୍ତେ ମଧ୍ୟ କିଛି ସଞ୍ଚା ଯୋଗାଡ଼ କରିଦେଇ ପାରିବେ । ଉପରବାଲାଟା ଯଦି ସତକୁ ସବୁ ଜାଣିଥିବ, ଏହି ଦେଶକୁ ଅଙ୍ଗେ ନିଭାଇ ବି ଥିବ, ଏହି ଦେଶର ମାଟିକୁ ନେଇ ଗର୍ବ ଅନୁଭବ କରୁଥିବ ଏବଂ ଏଇଠି ଦେଶର ମନୁଷ୍ୟମାନଙ୍କ ସକାଶେ ସମର୍ପିତ ଜୀବନଟିଏ ବଞ୍ଚିବା ପାଇଁ ଯିଏ ତଳୁ ଆପଣାକୁ ପାହାଚ ପାହାଚ କରି ନିର୍ମାଣ କରି ଆଣିଥିବ, ତେବେ ସିଏ କଦାପି ତଳେ କୌଣସି ଗୋଳିଆପାଣି ରହିବାକୁ ପ୍ରଶୟ ଦେବ ନାହିଁ । ଭାରତବର୍ଷରେ ଏବେ ଏପରି ହେଉଛି, କାରଣ ଭାରତକୁ ଭୋଗ କରିବାକୁ ଏକମାତ୍ର ଧର୍ମ ବୋଲି ମାନି ନେଇଥିବା ଏକ ବିଶେଷ ଧାତୁର ମଣିଷମାନେ ଏଠି ରାଜନୀତିର ଅରଣ୍ୟରେ ସିଂହ ବାର୍‍ହା ପରି ବୁଲୁଛନ୍ତି । କ୍ଷମତାରେ ଆସି ପଶିବା ମାତ୍ରକେ ଚଟାପଟ୍ ଧରି ପଡ଼ି ଯାଉଛନ୍ତି । ଦେଶଟା ଯେ କଦାପି ଏମାନଙ୍କର ଜାଲଭିତରେ ଯାଇ ପଡ଼ିଯିବ ନାହିଁ, ବର୍ତ୍ତମାନ ସେହି ଅନ୍ୟ ବେଳଟିର ଅପେକ୍ଷା ରହିଛି ।

 

ଦେଶଟାକୁ ଏମିତି ଅନ୍ଧାର ଭିତରେ ଜବତ କରି ରଖିବେ ବୋଲି ଯେଉଁମାନେ ଫିସାଦ କରିଛନ୍ତି ସେଇମାନେ ପ୍ରାୟ ଏକ ଜଙ୍ଗଲୀ ସୃଷ୍ଟି କରି ରାଜନୀତିକୁ ଏକ ତାମସାରେ ପରିଣତ କରି ରଖିଛନ୍ତି । ଏହି ତାମସା ଉତ୍ତମ ରୂପେ ଚାଲିବ ବୋଲି ତଳଟାକୁ ଅତ୍ୟନ୍ତ ନିଷ୍ଠୁର ଭାବରେ ଖାଲି ଅବହେଳା କରାଯାଇ ଆସିଛି । ଶିକ୍ଷାକୁ ଅବହେଳା କରାଯାଇଛି; ସ୍ଵାସ୍ଥ୍ୟକୁ ଅବହେଳା କରାଯାଇଛି, ସ୍ଥାନୀୟ ଶାସନକୁ ଅବହେଳା କରାଯାଇଛି, ଅଧିକସଙ୍ଖ୍ୟକ ମଣିଷ ଯେଉଁ ଭାଷାକୁ ବୁଝନ୍ତି, ସେହିଭାଷାକୁ ମଧ୍ୟ ଅବହେଳା କରାଯାଇ ଆସିଛି । ଉପରେ ବାବୁମାନେ ଏକ ଅମଲାତନ୍ତ୍ରର ଭାନୁମତୀ-ଘରକୁ ଏପରି ଚତୁରତାର ସହିତ ମେଲାଇ ରଖିଛନ୍ତି ଯେ, ବାହାରକୁ କାଗଜପତ୍ରରେ କ’ଣ ଚାଲିଛି, ତା’ଭିତରକୁ ଦେଶର ଶହେରେ ନବେଭାଗ ମଣିଷଙ୍କର ଆଦୌ କୌଣସି ପ୍ରବେଶ ନାହିଁ । ଉପରଟାକୁ ପଚାଇ ଫୁଲାଇ ରଖିବା ପାଇଁ ଦେଶରେ ସାହିତ୍ୟ, ସଂସ୍କୃତି, ଉତ୍ସବ, ମହୋତ୍ସବ ଲାଗି ରହିଛି । ଦେଶର ବାବାଜୀମାନେ ବି ସେହି ବଡ଼ମାନଙ୍କୁ ଆଦରି ରହିଛନ୍ତି । ଧର୍ମମାନେ ବି ଅଫିମ ହୋଇ ମଣିଷମାନଙ୍କୁ ଶୁଆଇ ରଖିଛନ୍ତି । ଠାକୁର ମାନଙ୍କୁ କଣ୍ଢେଇ କରି ରାଜନୀତିର ଛତ୍ରପତିମାନେ କମ୍‍ ଫାଇଦା ଉଠାଉ ନାହାନ୍ତି । ସଜ୍ଜନମାନେ ଚୁପ୍‍ ହୋଇ ବସିଛନ୍ତି । ସମଗ୍ର ଦେଶଟା ଯେପରି କୋଉ ପଶାଖେଳରେ ପରାସ୍ତ ହୋଇ ବିମୂଢ଼, ଅର୍ଥାତ୍ ବେକୁବ୍ ହୋଇ ବସିଛି, ଆଦୌ କିଛି କରିପାରୁନାହିଁ । କୌରବମାନେ କହୁଛନ୍ତି, ଖାଲି ସଭାପତିଟାଏ ମିଳିଗଲେ ସବୁକଥାର ସମାଧାନ ହୋଇଯିବ । ହୁଏତ ଆହୁରି ପଚାଶ ବର୍ଷ ଏପରି କଟାଇଦେଇ ହେବ ।

 

ତଳୁ ହିଁ ନବନିର୍ମାଣର ସବୁଯାକ ମୂଳଦୁଆ ଅବଶ୍ୟ ପଡ଼ିବ ବୋଲି ଯିଏ ତଥାପି ବିଶ୍ଵାସ କରୁଛି ଏବଂ ସେଥିପାଇଁ କିଛି ଉଦ୍ୟମ କରୁଛି, ଏବେ ଦେଶ ତାହାରି ଉପରେ ସବୁକିଛି ଆଶା ରଖିଛି । ତଳ ବଦଳିଲେ ଏହି ରାଜନୀତି ଅଲବତ ବଦଳିବ, ଏ ବାବୁଗିରି ଯିବ, ଉପେକ୍ଷାର ଅବସାନ ଘଟିବ । ତାହାରି ଦ୍ଵାରା ହିଁ ଦେଶରେ ଅସଲ ବିକଳ୍ପଟି ସମ୍ଭବ ହେବ ।

 

୦୬ । ୦୪ । ୯୮

Image

 

ପିଲାଖିଆ ଶିକ୍ଷାର ଇତିକଥା

 

ସେଦିନ ଜଣେ ବନ୍ଧୁ ବଡ଼ି ସକାଳୁ ନିଜର ଜଣେ ନାତୁଣୀର ସମସ୍ୟା ନେଇ ଆସି ମୋ ପାଖରେ ପହଞ୍ଚିଲେ । ନାତୁଣୀର ବୟସ ସାଢ଼େ ତିନିବର୍ଷ । ଆଗାମୀ ଜୁଲାଇଠାରୁ ପାଠପଢ଼ା ଆରମ୍ଭ କରିବ । ଆମ ପ୍ରାଚୀନ ରୀତି ଅନୁସାରେ ଗୋଟିଏ ପିଲାକୁ ଚାରିବର୍ଷ ଚାରିମାସ ଚାରିଦିନ ହେଲେ ତା’ର ବିଦ୍ୟାରମ୍ଭ ହେଉଥିଲା । ଆମେ ସାଧାରଣ ଘରମାନଙ୍କରେ ହୁଏତ ଆହୁରି ପରେ ଇସ୍କୁଲ ଯିବା ଆରମ୍ଭ କରିଥିଲୁ । ଅଜା କହିଲେ, ନାତୁଣୀ ରାଜଧାନୀର କୋଉ ଇସ୍କୁଲରେ ନାଆଁ ଲେଖାଇବ, ସେଥିନେଇ ଘରେ ମତଭେଦ ହୋଇଛି । ତେଣୁ, ଏକ ସମାଧାନ ପାଇଁ ସିଏ ମୋ’ ପାଖକୁ ଆସିଛନ୍ତି । ଗୋଟିଏ ପଟେ ନାତୁଣୀର ବାପାମାଆ ଅର୍ଥାତ୍ ତାଙ୍କର ପୁଅ ଓ ବୋହୁ । ଆରପଟେ ଇଏ ସ୍ଵୟଂ । ଠିକ୍ ପିଲାଟି ପରି ଭାବବିହ୍ଵଳ ହୋଇ ବନ୍ଧୁ କହିଲେ ଯେ, ବାପାମାଆ ଡାକ୍ତରୀ କରନ୍ତି । ଚାକିରି ସାଙ୍ଗକୁ ଡାକ୍ତରୀ । ଛୁଆ ପାଇଁ ସମୟ ଦେଇ ପାରନ୍ତି ନାହିଁ । ନାତୁଣୀ ତା’ ଅଜାପାଖରେ ହିଁ ଅଧିକ ଆଦରିଥିଲା ପରି ମନେହୁଏ । ଅଜାଙ୍କ ପାଖରେ ଘଷି ହେବାପରି ରହିଥାଏ । ଅଜାଙ୍କପାଖରୁ ଗପ ଶୁଣୁଥାଏ । ଭାରି ଖୁସି ହୋଇ ଗପ ଶୁଣେ । ଅଜାଙ୍କୁ ମୋଟେ ପାଖଛଡ଼ା କରିବାକୁ ଇଚ୍ଛା କରେନାହିଁ ।

 

ଏସବୁ କଥା ସିଏ କାହିଁକି କହୁଥିଲେ କେଜାଣି ? ଝିଅଟିର ବାପାମାଆଙ୍କ ପରି ବାପାଙ୍କ ବାପାଙ୍କର ମଧ୍ୟ ତା’ ବିଷୟରେ ନିଷ୍ପତ୍ତି ନେବାର ସମାନ ଅଧିକାର ରହିଛି ବୋଲି ସିଏ ମୋପାଖରେ ପ୍ରତିପାଦିତ କରିବାକୁ ଇଚ୍ଛା କରୁଥିଲେ କି ? ପ୍ରାୟ ଏକ ଆବେଗର ସହିତ କହୁଥାନ୍ତି; ବାପାମାଆ ଚାକିରିଆ । ନାତୁଣୀକୁ ମୁଇଁ ନେଇ ଇସ୍କୁଲରେ ଛାଡ଼ିବି ଓ ଇସ୍କୁଲ ଛୁଟି ବେଳେ ମୁଇଁ ପୁଣି ତାକୁ ଘରକୁ ଆଣିବି । ଆମ ଘରପାଖରେ ଅମୁକ ଇସ୍କୁଲଟି । ମୁଁ ଚାହୁଛି ନାତୁଣୀ ସେହିଠାରେ ନାଆଁ ଲେଖାଉ । ବାପାମାଆ ରାଜି ହେଉନାହାନ୍ତି । ସେମାନେ କହୁଛନ୍ତି, ସିଏ ଏଠି ନପଢ଼ି ଆଉ ଗୋଟିଏ ଅମୁକ ଇସ୍କୁଲକୁ ଯାଉ । ସେଇ ଅମୁକ ଇସ୍କୁଲଟା ବେଶ୍ ଦୂରରେ-। ଅବଶ୍ୟ ଇସ୍କୁଲର ଗାଡ଼ି ଅଛି, ପ୍ରତିଦିନ ପିଲାକୁ ଘର ଫାଟକ ପାଖରୁ ଉଠଇ ନେବ ଓ ଛୁଟି ପରେ ପୁଣି ସେଇ ଫାଟକ ପାଖରେ ଛାଡ଼ି ବି ଦେଇଯିବ । ଆଜ୍ଞା କହି ଚାଲିଥାନ୍ତି, ନାତୁଣୀ ଭାରି ବୁଦ୍ଧିମତୀ । ଇସ୍କୁଲରେ ବସିବାର ବହୁପୂର୍ବରୁ ମଧ୍ୟ ମୁଁ ତାକୁ ଆବଶ୍ୟକ ବହୁତ ପାଠ ପଢ଼ାଇ ଦେଇଛି । ସିଏ ଇଂରାଜୀ ଅକ୍ଷରମାଳାର ଅଧାପର୍ଯ୍ୟନ୍ତ ଠିକ୍ କ୍ରମ ରଖି କହିଯାଇ ପାରୁଛି, ସଂଖ୍ୟା ଗୁଡ଼ିକୁ ମଧ୍ୟ କୋଡ଼ିଏ କି ତିରିଶି ଯାଏ ମୁଖସ୍ଥ କରିଦେଇଛି । ସାନ ସାନ ଯୋଗ ବିୟୋଗ ମଧ୍ୟ ମୌଖିକ ଭାବରେ କରିଦେଉଛି । ଦେଖାସାକ୍ଷାତ ସମୟରେ ଯେତେବେଳେ ତା’ର ପରୀକ୍ଷା ନିଆଗଲା, ସେତେବେଳେ ନାତୁଣୀ ଗଳ୍ଅଳ୍ ସବୁକିଛି କହିଦେଇ ପାରିଲା ଓ ସମସ୍ତେ ଶୁଣି ଭାରି ଖୁସି ହୋଇଯାଇଛନ୍ତି । ତେଣୁ ସିଏ ସେହି ଇସ୍କୁଲରେ ପଢ଼ିଲେ ହିଁ ତା’ର ସବୁଆଡ଼ୁ ନିଶ୍ଚୟ ଭଲ ହେବ ।

 

ନାତୁଣୀ ଯଦି ଅଜାଙ୍କ ମନଲାଖି ଇସ୍କୁଲକୁ ଯାଏ, ତେବେ ସେଠି ସେମାନେ ଗୋଟାଏ ବର୍ଷରେ ତାକୁ ପାଠରେ କେତେ ନା କେତେ ଆଗେଇ ନେଇଯିବେ । ଠିକ୍ ସେହି ଅନୁସାରେ ହିଁ ସେମାନଙ୍କର ପାଠକ୍ରମ ତିଆରି ହୋଇ ରହିଛି । ଧୁରନ୍ଧରମାନେ ସେହି ପାଠକ୍ରମକୁ ଅବଶ୍ୟ ତିଆରି କରିଥିବେ । ସବାତଳ ଶ୍ରେଣୀରୁ ହିସାବ କରି ଅଜା କହିଲେ ଯେ, ଏପରି ହୋଇପାରିଲେ ତାଙ୍କ ନାତୁଣୀ ଦଶମ ଶ୍ରେଣୀର ଶେଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବେଳକୁ ତାକୁ ମୋଟେ ଚଉଦ ପୂରି ପନ୍ଦର ଚାଲୁଥିବ । ଅଜା ଭାରି ଖୁସି ହୋଇ ଏସବୁ କଥା କହୁଥିଲେ ଏବଂ ନାତୁଣୀର ବିଦ୍ୟାର୍ଜନ-କ୍ରମରେ ତା’ର ଏହି ସମ୍ଭାବ୍ୟ ଭାଗ୍ୟର କଳ୍ପନା କରି କିଞ୍ଚିତ୍ ହୃଷ୍ଟ ହୋଇ ବି ଉଠୁଥିଲେ । ଅଥଚ, ଏତେ ଏତେ ଭଲ ସମ୍ଭାବନା ରହିଥିଲେ ମଧ୍ୟ ଝିଅଟିର ବାପାମାଆ ଏଥିରେ ମତ ଦେଉନାହାନ୍ତି । ସେମାନେ କହୁଛନ୍ତି ମାତ୍ର ଗୋଟାଏ ବର୍ଷରେ ସେମାନଙ୍କର ଝିଅ ଏତେ ଗୁଡ଼ାଏ ପାଠ ଆୟତ୍ତ କରିବା ପାଇଁ ବାଧ୍ୟ ହେଲେ ତାହା ଦ୍ଵାରା ତା’ମଥା ଉପରେ ଅତିବେଶୀ ଚାପ ପଡ଼ିବ-। ତେଣୁ ସେହି ଆଉଗୋଟିଏ ଇସ୍କୁଲରେଏକା ପାଠକୁ ସେମାନେ ଦେଢ଼ କି ଦୁଇବର୍ଷରେ ପଢ଼ାଇବାର ବ୍ୟବସ୍ଥା ରଖିଛନ୍ତି । ଝିଅ ସେହି ଆର ଇସ୍କୁଲଟିରେ ଭର୍ତ୍ତି ହେଉ । ଝିଅ ପାଇଁ ତାହା ହିଁ ଅଧିକ ହିତକାରୀ ହେବ । ଅଜା ମୋ’ପାଖକୁ ଏହାର ଫଇସଲା କରାଇବା ସକାଶେ ଆସିଥିଲେ । ପ୍ରାୟ ଏକ ଧର୍ମସଂକଟରେ ପଡ଼ି ଆସିଥିବା ପରି ଦେଖାଯାଉଥିଲେ । ଆପଣାର ସବୁ କଥା କହିସାରିବା ପରେ ସେ ଆଶାନ୍ଵିତ ମୁଦ୍ରାରେ ମୋ’ ଆଡକୁ ଚାହିଁ ସତେ ଅବା ଅପେକ୍ଷା କରି ରହିଲେ । ମୁଁ କ’ଣ ପାଇଁ ଟିକିଏ ବଙ୍କାବାଟରେ ତାଙ୍କ ଆଡ଼ୁଆଟିର ସମାଧାନ କରିବାକୁ ମନ କଲି କେଜାଣି ? ଆଦେଶ ଦେବାଟା ଯଦି ସିଧା ବାଟ ହୁଏ, ତେବେ ବୁଝାଇ କହିବାଟା ଅବଶ୍ୟ ବଙ୍କା ବାଟ ହୋଇଥିବ । ବିଶେଷଜ୍ଞଟିଏ ଠୋ’ ଠୋ’ ସତକଥାଟାକୁ କହିଦେବାରେ ହିଁ ଆପଣାର ବିଶେଷଜ୍ଞତାଟାକୁ ସାବ୍ୟସ୍ତ କରେ । ବନ୍ଧୁ ବଙ୍କାଇ କରି କହେ । ପାଖକୁ ପାଖକୁ ଆସି ସତକୁ ସତ ନୂଆ ପ୍ରତ୍ୟୟଟିଏ ଦେବାକୁ ହେଲେ ସାଙ୍ଗ ପରି ଆଚରଣ ନ କଲେ ଆଦୌ ଚଳେନାହିଁ ।

 

ତେଣୁ ମୁଁ ବୁଲାଇ କହିଲି । ମୁଁ କହିଲି ଆଜ୍ଞା ଇଂଲଣ୍ଡରେ ଆମେରିକାରେ, ରୁଷିଆରେ ଓ ଜର୍ମାନୀରେ ପୁଅ ଓ ଝିଅମାନେ ହାଇସ୍କୁଲ ପାଠ ଶେଷ କଲାବେଳକୁ ସେମାନଙ୍କୁ ଊଣେଇଶି ବର୍ଷ ପୂରି ସାରିଥାଏ । ବନ୍ଧୁ ଚେଁ କରି ମୋ’ ମୁହଁକୁ ଏଡ଼େ ଏଡ଼େ ଆଖିରେ ଅନାଇ ରହିଲେ । ସତେଅବା ତାଙ୍କର କଟାଘାଆକୁ ଚୂନଲାଗି ଅଧିକ ଗ୍ରହଣଶୀଳ କରି ଆଣିବାର ଅଭିପ୍ରାୟରେ ମୁଁ ପୁଣି ଏହି କଥାଟିକୁ ବି ନେଇ ଯୋଡ଼ି ଦେଲି : ଇସ୍ରାଏଲ ଦେଶରେ ତ ଏମାନଙ୍କର ଅବସ୍ଥା ଆହୁରି ଖରାପ । ସେଠାରେ ପିଲାଏ ମାଟ୍ରିକ ଶେଷ କଲାବେଳକୁ ସେମାନଙ୍କୁ ଅଠର ପୂରି ଯାଇଥାଏ ସତ, ମାତ୍ର ସେମାନେ ତା’ପରେ ସିଧା ଯାଇ ବିଶ୍ଵବିଦ୍ୟାଳୟରେ ନାମ ଲେଖାଇ ପାରନ୍ତି ନାହିଁ । ଦେଶର ଅର୍ଥାତ୍ ସରକାରଙ୍କର ନିୟମ ଅନୁସାରେ ପୁଅ ଝିଅ ସମସ୍ତଙ୍କୁ ହାଇସ୍କୁଲ ପରେ ଆଗ ତିନିବର୍ଷ ସାମରିକ ଶିକ୍ଷାର୍ଥୀ ହୋଇ ଯିବାକୁ ପଡ଼େ । ତିନିବର୍ଷରୁ ଗୋଟିଏ ବର୍ଷ ସେନାଛାଉଣୀରେ ତାଲିମ୍ ନେବାକୁ ହୁଏ । ଏବଂ ବାକି ଦୁଇବର୍ଷ ସେନାବିଭାଗ ଦ୍ଵାରା ପରିଚାଳିତ କୃଷିଫାର୍ମକୁ ଯାଇ କୃଷି ଶିଖିବାକୁ ହୁଏ ଏବଂ ଏହିପରି ଭାବରେ ସେମାନଙ୍କୁ ଏକୋଇଶି ବର୍ଷ ହୋଇ ଯାଇଥାଏ ଓ ଇଚ୍ଛା ଥିଲେ ଏବଂ ଯୋଗ୍ୟ ବୋଲି ନିର୍ବାଚିତ ହେଲେ ଯାଇ ସେମାନେ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରନ୍ତି । ଯୋଉ ଅଜାମାନେ ନିଜର ନାତିନାତୁଣୀ ସୁକୁମାରିଆ କଲେଜପାଠ ପଢ଼ିବାକୁ ପନ୍ଦର ବର୍ଷରେ ହିଁ ସେଠି ପହଞ୍ଚି ଯାଉଥିବାର କଳ୍ପନା କରି ସାଧାରଣତଃ ହୁଷ୍ଟ ହୋଇ ଉଠନ୍ତି ଏବଂ ଆମର ଏହି ଦେଶରେ ଅନ୍ୟ ଅନେକଙ୍କ ତୁଳନାରେ ସେମାନଙ୍କର ପୌତ୍ର ଓ ପୌତ୍ରୀମାନେ କେଡ଼େ ସୌଭାଗ୍ୟ ଲାଭ କରିପାରୁଛନ୍ତି ବୋଲି ମନେ ମନେ ଆପଣାକୁ ଏକ ବିଶେଷ ବର୍ଗ ବୋଲି ଅନୁଭବ କରନ୍ତି, ଏପରି ଗୋଟିଏ ତଥ୍ୟର ନଜିର ପାଇ ସେମାନଙ୍କୁ ନିଶ୍ଚୟ କ’ଣ ଗୋଟାଏ ଆଘାତ ଲାଗିବ ହିଁ ଲାଗିବ । ସେମାନଙ୍କର ଏଠା ଏକଚାଟିଆ ସଂସାରଟିରେ ଶାନ୍ତିଭଙ୍ଗ କରିବାଲାଗି ତେଣେ ପୃଥିବୀରେ ସତେଅବା କୌଣସି ଷଡ଼ଯନ୍ତ୍ର ହେଉଥିବା ପରି ସେମାନେ ଅନୁଭବ କରିବେ ।

 

ନାତୁଣୀ ଇସ୍କୁଲରେ ଯେଉଁ ଶ୍ରେଣୀରେ ଭର୍ତ୍ତି ହେବାଲାଗି ଘରେ ବିତର୍କ ଲାଗିଥିଲା, ଏବର ଫେଶନିଆ ଶିକ୍ଷାର ଭାଷାରେ ତାହାକୁ ନର୍ସରୀ ବୋଲି କୁହାଯାଉଛି । ଆମେସବୁ ପାଠ ପଢ଼ିବା ସମୟରେ ଏ ନର୍ସରୀ ନଥିଲା । ଗାଆଁ ଇସ୍କୁଲର ସବାତକ ଶ୍ରେଣୀକୁ ଶିଶୁଶ୍ରେଣୀ ବୋଲି କୁହାଯାଉଥିଲା । ଏବେ ଏହାକୁ କେହି କେହି ପୂର୍ବ-ପ୍ରାଥମିକ ବୋଲି କହୁଛନ୍ତି । ଦେଶରେ ଇଂରାଜୀ ମିଡ଼ିଅମ୍ ଇସୁଲମାନ ଆସି ପଶିବାପରେ ସମ୍ଭବତଃ ଏହି ନର୍ସରୀ, କିଣ୍ଡରଗାର୍ଟନ୍ ଆଦିର ଭିଆଣ ହେଲା । ଇଉରୋପ ମହାଦେଶରେ ପୂର୍ବ ପ୍ରାଥମିକ ବା କିଣ୍ଡରଗାର୍ଟନ୍‍ ଶିକ୍ଷାର ଗୋଟାଏ ଇତିହାସ ରହିଛି । ସେଠାର ଶିଳ୍ପକାରଖାନା ବଢ଼ିବା ପରେ ଯେତେବେଳେ ପିତାମାତା ଉଭୟେ କର୍ମଜୀବୀ ହେଲେ, ସେତେବେଳେ ଘରେ ପିଲାମାନଙ୍କର ହେପାଜତ କରିବା ଲାଗି ଆଉ କେହି ରହିଲେ ନାହିଁ । ଶ୍ରମିକ ଘରର ଏହି ଛୁଆଙ୍କର ତତ୍ତ୍ଵ ନେବାକୁ ବର୍ଲିନ୍ ସହରରେ ପ୍ରଥମେ କିଣ୍ଡରଗାର୍ଟନ୍‍ ଆରମ୍ବ ହୋଇଥିଲା । ବ୍ୟବସ୍ଥାଟି ଖୁବ୍ ଆବଶ୍ୟକ ଓ ଉପକାରୀ ବୋଲି ପରୀକ୍ଷାଦ୍ୱାରା ଜଣାପଡ଼ିବାରୁ କ୍ରମେ ଅଧିକତର ବିଜ୍ଞାନସମ୍ମତ ଭାବରେ ସେଇଟିକୁ କାର୍ଯ୍ୟକାରୀ କରାଗଲା । ଖୁବ୍ ସମ୍ଭବ ସେଇଥିରେ ଔପଚାରିକ ଭାବରେ ପୂର୍ବରୁ ବର୍ଷଟିଏ ଯୋଡ଼ିଦିଆଯାଇ ପରେ ତାହାକୁ ନର୍ସରୀ ବୋଲି କୁହାଗଲା । ବିଧିର ଏକ ବିଡ଼ମ୍ବନା ଯେ, ଯେଉଁ ଶିକ୍ଷାବ୍ୟବସ୍ଥାଟା ତାହାର ମୂଳ ଭୂଇଁରେ ମୂଳତଃ ଶ୍ରମିକ ଘରକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଥିଲା, ଭାରତବର୍ଷକୁ ଆସି ତାହା ମୂଳତଃ ସହରିଆ ସାଆନ୍ତ ଘରମାନଙ୍କର ପ୍ରାୟ ଏକ ବିଶେଷ ସମ୍ପତ୍ତି ହୋଇ ରହିଲା । ଶିଶୁବିକାଶ ଏବଂ ଶିକ୍ଷା-ସ୍ୱାସ୍ଥ୍ୟ କହୁଛି ଯେ, ବିଦ୍ୟାଲାଭ କରିବା ନିମନ୍ତେ ଔପଚାରିକ ଭାବରେ ବିଦ୍ୟାଳୟକୁ ଯିବା ପୂର୍ବରୁ ପିଲାମାନେ ନିୟମତଃ ମାଆ ଓ ବାପାମାନଙ୍କର ଲାଳନ ପାଇବେ । ଭାରତର ଯେଉଁ ଦରିଦ୍ର ପରିବାର ଉଦରଭରଣର ମାର୍ଗଟିଏ ଖୋଜି ସହରକୁ ଚାଲିଆସନ୍ତି ଓ ନାନା ଅସମ୍ଭବ ଥାନରେ କୁଡ଼ିଆ ମାରି ବାସ କରନ୍ତି, ସେଠି ଯେକୌଣସି ପ୍ରକାରେ ତିଷ୍ଠି ରହିବା ସକାଶେ ମାଆ ଓ ବାପା ଉଭୟଙ୍କୁ କର୍ମରତ ହୋଇ ରହିବାକୁ ପଡ଼ିଥାଏ । ଧର୍ମତଃ ସେହିମାନଙ୍କର ପିଲାଙ୍କ ଲାଗି ଆମର ଏଠି ନର୍ସରୀ ଓ କିଣ୍ଡରଗାର୍ଟନର ବରାଦ ହୋଇଥାନ୍ତା । ମାତ୍ର ଏକ ବଜାରି ବର୍ଣ୍ଣାଶ୍ରମ ଧର୍ମର ପ୍ରାୟ ଏକ ଦୈବୀ ବରାଦ ଅନୁସାରେ ଯେଉଁଠାରେ ବାପା ମାଆଙ୍କର ସମ୍ବଳ ଓ ସାମାଜିକ ସଚେତନତା ନାହିଁ ବୋଲି ଦେଶର ଅଧେ ପିଲା ସମ୍ବିଧାନରେ ସେମାନଙ୍କର ଅବଶ୍ୟ ଅଧିକାର ବୋଲି ଲେଖାହୋଇ ରହିଥିବା ଅତ୍ୟାବଶ୍ୟକ ସର୍ବପ୍ରାଥମିକ ଶିକ୍ଷାରୁ ମଧ୍ୟ ବଞ୍ଚିତ ରହିଛନ୍ତି, ସେଠି ପୂର୍ବ-ପ୍ରାଥମିକ ଶିକ୍ଷାର ସୁଯୋଗଟି ଯେ ସାଆନ୍ତମାନଙ୍କର ଆୟତ୍ତ ହୋଇ ରହିବ, ସେକଥାଟିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ରହିବା ଉଚିତ ନୁହେଁ । ଏହା ହିଁ ହେଉଛି କାରଣ, ଯେଉଁଥି ସକାଶେ ଖାସ୍ ଉପରବର୍ଗଙ୍କ ପାଇଁ ଶିକ୍ଷାର ମହକୁମାରେ ଯେଉଁ ବିଶେଷ କାଟର ଗେହ୍ଲା ଇସ୍କୁଲମାନ ସତେଅବା ଆଉ କୋଉ ରାଇଜର ଅସୁରୁଣୀର ସଉକ ଅନୁସାରେ ଚାଲିଛି, ସେଠାରେ ନର୍ସରୀମାନ ରହିଛି, କିଣ୍ଡ୍‍ଗାର୍ଟ୍‍ ମଧ୍ୟ ରହଛି । ଶିକ୍ଷାଭିନୟର ସେହି ନିତାନ୍ତ ଅସାମାଜିକ ଓ ଅସ୍ଵାସ୍ଥ୍ୟକର ବ୍ୟଙ୍ଗାଭିନୟଟିଏ ଚାଲିଛି ଏବଂ କେତେ ନା କେତେ ପଇସାରେ ଚଲିଛି । ବନ୍ଧୁ କହୁଥିଲେ, ନାତୁଣୀଟି ନର୍ସରୀରେ ପଢ଼ିବ ବୋଲି ମାସକୁ ସବୁ ଖରଚ ସାମିଲ ହୋଇ ହଜାରେ ପର୍ଯ୍ୟନ୍ତ ଡାବୁ ଲାଗିଯିବ ।

 

ଅନୁକରଣପ୍ରିୟ ଫୁଲେଈ ଭାରତବର୍ଷ ତଥାପି ଅନୁକରଣରେ ମଧ୍ୟ ଅତ୍ୟନ୍ତ ଶୋଚନୀୟ ଭାବରେ ଫୁଲେଇ ହୁଏ । ନର୍ସରୀ-ଶିକ୍ଷାବ୍ୟବସ୍ଥାର ମୂଳପ୍ରେରଣାଥଳ ୟୁରୋପରେ ପିଲାମାନେ ସେଇ ବୟସରେ ମୋଟେ ଅକ୍ଷରଶିକ୍ଷା କରନ୍ତି ନାହିଁ ଅଥବା ସଂଖ୍ୟା ଗଣନ୍ତିନାହିଁ । ଏହି ଉଭୟ କର୍ମ ନିମନ୍ତେ ପିଲାର ମସ୍ତିଷ୍କ ପାକଳ ହେବାର ପୂର୍ବରୁ ତା’ ବ୍ୟକ୍ତିତ୍ଵର ଅନ୍ୟ ଯେଉଁ ବିଭାବଗୁଡ଼ିକର ସୁସ୍ଥ ବିକାଶ ଆଗ ଆବଶ୍ୟକ, ନର୍ସରୀରେ ପ୍ରଧାନତଃ ସେହିଗୁଡ଼ିକ ମୁଖ୍ୟ କାର୍ଯ୍ୟକ୍ରମ ହୋଇ ରହିଥାଏ । ଏହି ଶ୍ରେଣୀରେ ବହିବସ୍ତାନୀ ନଥାଏ, ଖାତା ବି ନଥାଏ । ଘରକୁ କୌଣସି ପାଠ ଦିଆଯିବାର ପ୍ରଶ୍ନ ହିଁ ନ ଥାଏ । ନର୍ସରୀରେ ପିଲାମାନେ ଗୀତ ଗାଆନ୍ତି, ଖେଳନ୍ତି, ନାଚନ୍ତି । ସାବଲୀଳଭାବରେ ଦୌଡ଼ନ୍ତି, ଓଦାବାଲିରେ ଘରଟିଆରି କରନ୍ତି, ସାଇଁଶଗଡ଼ ଚଳାନ୍ତି । ତାହାକୁ ଯାବତୀୟ ଅର୍ଥରେ ସାବଲୀଳତାର ଅର୍ଥାତ୍ ସହଜ ଅଭିବ୍ୟକ୍ତିର ଏକ ବହୁ ଆକର୍ଷଣପୂର୍ଣ୍ଣ ବନ୍ଧୁଜଗତ ବୋଲି କୁହାଯାଇ ପାରିବ । ପିଲାର ସଂକୋଚ ଚାଲିଯିବ, ଭୟ ବିଦୂରିତ ହେବ, ଅନ୍ୟ ପିଲାଙ୍କ ସହିତ ମିଶି ସିଏ ନେତୃତ୍ଵ ଦେଇପାରିବ ଏବଂ ନେତୃତ୍ଵ ଗ୍ରହଣ କରିପାରିବ, ମୂଳତଃ ସହଯୋଗୀ ହେବ, ଅଇଁଗୁଣଗୁଡ଼ିକୁ ଛାଡ଼ିଦେବ ଏବଂ ଅନୁଭାବରେ ବଡ଼ ହେଉଥିବା ସଙ୍ଗେ ସଙ୍ଗେ ନିଜର ଭିତରେ ରହିଥିବା କୋମଳ ନିର୍ମାଣାତ୍ମାକ ତା’ କେନ୍ଦ୍ରଟିକୁ ଅଧିକରୁ ଅଧିକ ପରିମାଣରେ ବାରିନେଇ ପାରୁଥିବ । ଏବଂ ସବୁଠାରୁ ବଡ଼କଥା ହେଉଛି ଯେ ତା’ ଜଗତଟା ଯେ ବାପା ଓ ମାଆମାନଙ୍କ ଦୁଇଟି ମେରୁଦ୍ୱାରା ଆଦୌ ଆବଦ୍ଧ ନୁହେଁ, ଅତ୍ୟନ୍ତ ସକାରାତ୍ମକ ଭାବରେ ସିଏ ସେହି ସତ୍ୟଟିର ପରିଚୟ ଲାଭ କରୁଥିବ । ବହୁତ ମିଛ ଶୃଙ୍ଖଳାକୁ ଛାଡ଼ି ଆସିବ ଏବଂ ନିଜର ଅସଲ ଶୃଙ୍ଖଳାଟିଏ ଗଢ଼ିନେଇ ପାରୁଥିବ । ନିଜ ବାପାମାଆ ମଧ୍ୟ ପିଲାର ଏହିସବୁ ବିକାଶ-କ୍ରମରେ ପିଲାଟି ପଢ଼ୁଥିବା ବିଦ୍ୟାଳୟଟି ସହିତ ସହଯୋଗ କରିପାରୁଥିବେ ।

 

ଅଧିକ ଅର୍ଥ ଉପାର୍ଜନ କରି ଅଧିକ ଅର୍ଥ ଖର୍ଚ୍ଚ କରି ପାରୁଥିବା ଘରର ପିତାମାତାଙ୍କୁ ଯଥାସମ୍ଭବ ଅଧିକ ସମୟ ପାଇଁ ଶିଶୁଳଲାଳନର ବୋଝରୁ ରିହାଇ ଦେବାକୁ ମୁଖ୍ୟତଃ ବ୍ୟବସାୟୀକ ସୂତ୍ରରେ ଆମର ଏଠି ଚାଲୁଥିବା ଫେସନିଆ ଶିଶୁକାରଖାନା ଗୁଡ଼ିକ ଶିଶୁମାନଙ୍କୁ ଖାଇଯିବେ ସିନା, ସେମାନେ ପୃଥିବୀର ଆଉ କୌଣସି ହିତ କଦାପି କରି ପାରିବେନାହିଁ । ମନୁଷ୍ୟ-ଶିଶୁର ବିତ୍ତଗୁଡ଼ିକୁ ହରଣ କରିନେଇ ତାକୁ ଆମର ଏହି ଭୂତ ଖାଇ ଖାଇ ଯାଉଥିବା ତଥାକଥିତ ସମାଜଟା ସହିତ ଖାପ ଖାଇ ପାରିବାରେ ମିଛ ସୂତ୍ର ଏବଂ ଦୁଷ୍ଟ ଶୃଙ୍ଖଳାଗୁଡ଼ିକୁ ଆଣି ଯୋଗାଇ ଦେଉଥିବେ ସିନା, ସେମାନେ କଦାପି ଅଧିକ କିଛି କରି ପାରିବେନାହିଁ । ପଇସା କମାଉଥିବେ ଏବଂ ସ୍କୁଲଗୁଡ଼ିକୁ ଖାଇ କାଳର ଏହି ବଗିଚାଟିକୁ ଉଜାଡ଼ି ଦେବାରେ ହିଁ ନାନା ପାରଙ୍ଗମାତା ଦେଖାଉଥିବେ ।

 

ପ୍ରାଚୀନ କାଳର ସ୍ପାର୍ଟା ହିଁ ସେମାନଙ୍କର ସମ୍ମୁଖରେ ମଡ଼େଲ ପରି ହୋଇ ରହିଥିବ-। ହୁଏତ ଏକ ଅନ୍ୟ ପ୍ରକାରର ବିବେକର ଯୁଗ ଆସିବ, ଯେତେବେଳେ କି ସବାଆଗ ନିଜ ପିଲାମାନଙ୍କର ଅନ୍ତରଙ୍ଗ ସହଚାରୀ ହୋଇ ରହିବା ହିଁ ମାଆ ଆଉ ବାପାମାନଙ୍କର ଧର୍ମବତ୍ ହୋଇ ରହିବ । ସେମାନେ ଅଲବତ୍ ଚାକିରି କରିବେ, ପଇସା ଉପାର୍ଜନ କରିବେ, ନିଜର ଘରଟିକୁ ସୁନ୍ଦର ଏବଂ ସମ୍ପନ୍ନ କରି ରଖିବାକୁ ଉଦ୍ୟମ କରୁଥିବେ; ମାତ୍ର ଏସବୁ ସେମାନେ ବସ୍ତୁତଃ ନିଜ ପିଲାମାନଙ୍କ ପାଇଁ କରିବେ । ସେମାନେ ପିଲାମାନଙ୍କ ପାଇଁ ବଞ୍ଚିବେ, ସବାଆଗରେ ପିଲାମାନଙ୍କୁ ଯିବାକୁ ଦେବେ ଓ ପଛେ ପଛେ ଯିବାରେ ଆନନ୍ଦ ଲାଭ କରିବେ । ଏହିଭଳି ସଂସାରଟିଏ ନିଜର ଘରେ ସମ୍ଭବ କରିବା ନିମନ୍ତେ ମାସକୁ ହଜାରେ ଟଙ୍କା ଖର୍ଚ୍ଚ ପଛକେ କରିବେ, ମାତ୍ର ପିଲାମାନଙ୍କ ଠାରୁ ନିଷ୍କୃତି ପାଇବାକୁ ଗୋଟାଏ ଗୋଟାଏ କାରଖାନା ପରି ଦିଶୁଥିବା ଇସ୍କୁଲମାନଙ୍କୁ ପଇସାଟିଏ ବି ଦେବାକୁ ଇଚ୍ଛା କରିବେ ନାହିଁ । ଏ ଯୁଗରେ ବଗିଚାର ମାଲିକ ହେବାକୁ ତ କିଏ କେତେ ବାହାରି ପଡ଼ିବେ, ମାତ୍ର ମାଳି ହେବାକୁ କେତେଜଣ ମନ କରିବେ ?

 

ବନ୍ଧୁ ତାଙ୍କ ବୟସରେ ସରକାରୀ ପ୍ରଶାସନରେ ସର୍ବୋଚ୍ଚ ଥାକରେ ଜୀବନ ଅତିବାହିତ କରିଛନ୍ତି । କେତେ କଅଣ କମାଇଛନ୍ତି, ସଂସାର ବୋଲି ଆହୁରି କେତେ କଅଣ ସର୍ଜି ମଧ୍ୟ ପାରିଛନ୍ତି । ମାତ୍ର, ସିଏ ଭାବୁଛନ୍ତି, ସିଏ ଏହି ସଂସାରର ପୋଖରୀରେ ମାଛ ମାରୁଥିବା ସମୟରେ ପୃଥିବୀଟା ଯେଉଁଠାରେ ଥିଲା, ବର୍ତ୍ତମାନ ମଧ୍ୟ ଠିକ୍ ସେହିଠାରେ ରହିଛି । ତାଙ୍କ ସମୟରେ ଯେମିତି ରହିଥିଲା, ତାଙ୍କ ନାତୁଣୀ ବେଳକୁ ମଧ୍ୟ ଠିକ୍ ସେହପରି ଅଛି ବୋଲି ସିଏ ଗୋଟାସୁଦ୍ଧା ଧରି ନେଇଛନ୍ତି । ଜୀବନରେ ତାଙ୍କର ଅନୁଭବ ତାଙ୍କୁ ସତେଅବା ଆଦୌ କିଛିହେଲେ ଶିକ୍ଷା ଦେଇ ପାରିନାହିଁ । ଭାରତବର୍ଷରେ ଦଳେ ଏହିପରି ଉପରେ ଉପରେ ରହିଗଲେ, ଯେଉଁମାନେ କି ଦେଶଟା ବଦଳିବ ବୋଲି ମୋଟେ ବିଶ୍ଵାସ କରି ପାରିଲେନାହିଁ । ଦେଶ ବଦଳୁ ବୋଲି ମୋଟେ ବାଟ ଛାଡ଼ିଦେବାକୁ ରାଜି ହେଲେ ନାହିଁ । ସେଇମାନେ ଆମ ନିୟତିଟିର ମୁନିବ ହୋଇ ରହିଲେ, ଦେଶଟାକୁ ଗଢ଼ୁ ଗଢ଼ୁ ସବୁକିଛିକୁ ନାରଖାର କରିଦେଲେ । ସମସ୍ତଙ୍କ ଅପେକ୍ଷା ଅଧିକ ପଇସା କମାଇଲେ, ନିଜର ବୁଦ୍ଧିଗୁଡ଼ିକୁ ଆଖି ବୁଜିଦେଇ କେବଳ ନିଜର ଗୁମ୍ପାଗୁଡ଼ିକୁ ଅଧିକ ନିବୁଜ କରି ରଖିବାରେ କାଳାତିପାତ କଲେ । ଯେଉଁ ଦେଶର ସବୁଠାରୁ ଅଧିକ ସମ୍ପନ୍ନ ଏବଂ ସବୁଠାରୁ ଅଧିକ ବୁନ୍ଧିମାନ୍‍ମାନେ ଯଦି ଦେଶଟାଯାକାର ସବୁକିଛି ସମ୍ଭାବନାକୁ ନିତାନ୍ତ ବିବେକଶୂନ୍ୟ ଭାବରେ ନିଜ ଗୁମ୍ପାଗୁଡ଼ିକର ବଇଭବ ବଢ଼ାଇବା ନିମନ୍ତେ ବ୍ୟବହାର କରିବାକୁ ପଣ କରିବେ, ତେବେ ଭଗବାନ ଇଚ୍ଛା କଲେ ବି ସେହି ଦେଶର ଆଦୌ କିଛି କରିପାରିବେନାହିଁ । ନିତାନ୍ତ ଧୂର୍ତ୍ତ ଭାବରେ ଏଠି ଯଦି ଝରକାଗୁଡ଼ିକୁ ବନ୍ଦ କରି ରଖାଯାଇଥିବ ଏବଂ ସରକାର କହିଲେ କାର୍ଯ୍ୟତଃ ତାହାକୁ ହିଁ ବୁଝାଉଥିବ, ତେବେ ତେଣେ ସୂର୍ଯ୍ୟଦେବ ସାରା ପୃଥିବୀକୁ କେତେ କେତେ ନୂଆ ଆଲୋକର ପ୍ରତିଶ୍ରୁତିରେ ଧନ୍ୟ କରି ଦେଉଥିବା ବେଳେ ଭାରତ ନାମକ ଏହି ଆମ ଘରଟିରେ ପ୍ରବେଶ ବା କିପରି କରିପାରିବେ ?

 

ଗତ ଶତାବ୍ଦୀର ପ୍ରାରମ୍ଭରେ ମାକଲେ ସାହେବ ବ୍ରିଟିଶ ଭାରତର ଶିକ୍ଷା ବିଷୟରେ ଯେତିକି ଯାହା ପ୍ରସ୍ତାବ ଦେଇଥିଲେ, ସେଥିରେ ହୁଏତ ସେପରି କୌଣସି ମନ୍ଦଇଚ୍ଛା ନଥିଲା । ଅନ୍ତତଃ, ସିଏ ଭାରତବର୍ଷର ଭଲ ଚିନ୍ତା କରୁଛନ୍ତି ବୋଲି ଅତ୍ୟନ୍ତ ନିଷ୍ଠାପର ଭାବରେ ବିଶ୍ଵାସ କରୁଥିଲେ ଓ ସେହି ସମୟର ସ୍ଥିତିରେ ଯେତିକି ଯେପରି ସମ୍ଭବ, ମାକଲେ ହୁଏତ ସେତିକିଯାଏ ବିଚାର କରିଥିଲେ ।

 

ଭାରତବର୍ଷ ସ୍ଵାଧୀନତା ପାଇଁ ସଂଗ୍ରାମ କଲାବେଳେ ସ୍ଵାଧୀନ ଭାରତରେ ସାର୍ବଜନୀନ ଶିକ୍ଷାର ସ୍ୱରୂପ ବିଷୟରେ କେତେ କେତେ ସ୍ଵପ୍ନ ଦେଖିଥିଲା, କିଛି ପ୍ରୟୋଗ ମଧ୍ୟ କରିଥିଲା । ମାତ୍ର ସ୍ଵାଧୀନତା ପରେ ଯାହା କିଛି ଯେପରି ଭାବରେ ଫଳିଲା ଏବଂ ଫଳୁଛି, ତାକୁ ଦେଖି ମନେ ହେଉଛି, ସ୍ଵୟଂ ମାକଲେ ସାହେବ ଏବେ ତନୁରେ ଥିଲେ ଯାହାକୁ ଦେଖି କିମ୍ଭୂତ ବୋଲି କହି ପାଟି କରି ଉଠିଥାନ୍ତେ, ତାଙ୍କର ତିନି ଚାରି ପୁରୁଷ ପରେ ତାଙ୍କର ଏଇ ଦେଶୀ ବେହେରାଣିଆମାନେ ଠିକ୍ ସେହିଗୁଡ଼ିକୁ ହିଁ ଏଠି ଦୋରସ୍ତ କରି ରଖିଦେଲେ । ଆପଣାର ମର୍ଜି ମୁତାବକ ଶିକ୍ଷାର କ୍ଷେତ୍ରଟାକୁ କ୍ଳୀବ କରି ରଖିଲେ । ସେମାନେ ସରକାର ଚଳାଇବାର ଦ୍ଵାହି ଦେଇ ସତେ କେତେ କ’ଣ ବିଗାଡ଼ି ନଦେଲେ !

 

୧୩ । ୦୪ । ୯୮

Image

 

ଜ୍ଞାତେ ତତ୍ତ୍ୱେ କଃ ସଂସାରଃ ?

 

ଅଜ୍ଞାନ ଭିତରେ ବୁଡ଼ି ରହିଥିବା ପର୍ଯ୍ୟନ୍ତ ମଣିଷ ସଂସାର ଭିତରେ ରହିଥିବ ଏବଂ ଅଜ୍ଞାନ ଦୂରୀଭୂତ ହେଲେ ସଂସାର ଅପସରିଯିବ । ତତ୍ତ୍ଵ ଜାଣିଲେ ଅଜ୍ଞାନ ଯିବ । ଭାରତବର୍ଷରେ ଯୋଉମାନେ ସଂସାର ଭିତରେ ରହିଛନ୍ତି, ସେମାନେ ଏକଥା କହିନାହାନ୍ତି; ଯୋଉମାନେ ସଂସାର ଭିତରୁ ପଳାଇ ଯାଇଛନ୍ତି, ସେହିମାନେ ହିଁ ଏହି କଥାଟିକୁ ଫାନ୍ଦିଛନ୍ତି । ଏବଂ, ସଂସ୍କୃତ ଭାଷାରେ ଲେଖା ହୋଇଥିବାରୁ କଥାଟି ମଧ୍ୟ ବେଶ୍ ପବିତ୍ର ପବିତ୍ର ଲାଗୁଛି । ସଂସାରରୁ ପଳାଇ ଯାଇଥିବା ମଣିଷମାନେ କାହିଁକି ସଂସାର ଭିତରୁ ପଳାଇ ଯିବାକୁ ମନ କଲେ କେଜାଣି ? ସେମାନେ ସଂସାରକୁ ପାରିଲେ ନାହିଁ ବୋଲି ଆଉ ସଂସାରକୁ ଛାଡ଼ି ପଳାଇ ଯିବାର ବାଟ ଧରିଲେ କି ? ସଂସାରରୁ ପଳାୟନ କରିଥିବା ମଣିଷମାନେ ଚିରକାଳ ସଂସାର ଭିତରେ ରହିଥିବା ଲୋକମାନଙ୍କୁ ଜ୍ଞାନହୀନ ଓ ତତ୍ତ୍ୱହୀନ ବୋଲି କହି ଆସିଛନ୍ତି । କେଜାଣି କାହିଁକି ସଂସାରରେ ତଥାପି ଜୀବନ ବଞ୍ଚୁଥିବା ଲୋକେ ଉକ୍ତ ଅପବାଦକୁ ସହ୍ୟ କରିନେଇଛନ୍ତି । କ’ଣ ଗୋଟାଏ କ୍ଷୟକାରୀ ଆତ୍ମଗ୍ଳାନୀର ପୀଡ଼ାରେ ପୀଡ଼ିତ ହୋଇ ସେମାନେ ଅପବାଦଗୁଡ଼ିକୁ ଆଦରି ନେଇଛନ୍ତି । ହୁଏତ ସେହିପରି ଏକ ଗ୍ଳାନୀଦ୍ୱାରା ଆପଣାକୁ ଜର୍ଜର କରି ରଖି ସେମାନେ ପଳାତକ ମାନଙ୍କୁ ସିଦ୍ଧ ବୋଲି କହିଛନ୍ତି, ସାଧୁ ବୋଲି କହିଛନ୍ତି । ସଂସାରୀମାନେ ହିଁ ସଂସାରରେ ରହିଥିବା ପାପର ସତେ ଅବା ପ୍ରାୟଶ୍ଚିତ କଲାଭଳି ସଂସାର-ବିରାଗୀମାନଙ୍କ ନିମନ୍ତେ ମଠବାଡ଼ି ଓ ଅନ୍ୟାନ୍ୟ ସଞ୍ଚା ଖଞ୍ଚି ଦେଇଛନ୍ତି । ଏବଂ ସଂସାରୀମାନଙ୍କ ଉପରେ ନିଜ ଭରଣପୋଷଣର ପ୍ରାୟ ପୂରା ଦାୟିତ୍ଵଟାକୁ ଲଦି ଦେଇ ତଥାପି ସଂସାର-ତ୍ୟାଗୀମାନେ ସେମାନଙ୍କୁ ନାନାମତେ ନିନ୍ଦା କରି ହିଁ କାହିଁକି ଏତେ ଆନନ୍ଦ ପାଇଛନ୍ତି କେଜାଣି ? ସେମାନେ ଆପଣାର କୌଣସି ଅବଚେତନ ଗହ୍ୱରରେ ସଂସାରୀମାନଙ୍କୁ ହୁଏତ ଭାରି ଈର୍ଷା କରୁଛନ୍ତି ।

 

ମଣିଷମାନେ କ’ଣ ପାଇଁ ତତ୍ତ୍ଵକୁ ଲୋଡ଼ନ୍ତି ? ସଂସାରକୁ ଲୋଡ଼ିବା ପାଇଁ ନା ସଂସାରକୁ ଛାଡ଼ିବା ପାଇଁ ? ତତ୍ତ୍ଵ ଯେ କେବଳ ଈଶ୍ଵରଙ୍କୁ ନେଇ କରାଯାଇଛି, ସେକଥା ମୋଟେ ନୁହେଁ, ପ୍ରକୃତିକୁ ନେଇ ମଧ୍ୟ ମଣିଷମାନେ ତତ୍ତ୍ଵ ଖୋଜିଛନ୍ତି ଓ ତତ୍ତ୍ଵ ପାଇଛନ୍ତି । ପ୍ରକୃତି ଭିତରୁ ତତ୍ତ୍ଵ ପାଇ ପ୍ରକୃତିବିଜ୍ଞାନ ନାମକ ଏକ ନୂତନ ସଂସାର ଆସି ମଣିଷ ପାଖରେ ଧରା ଦେଇଛି । ମନୁଷ୍ୟକୁ ଏକ ଆଦିମ ଅବସ୍ଥା ଭିତରୁ ବର୍ତ୍ତମାନର ଆଧୁନିକ ଅବସ୍ଥାଯାଏ ଆଣି ପହଞ୍ଚାଇ ପାରିଛି-। ମନୁଷ୍ୟକୁ ଶତନେତ୍ର କରାଇପାରିଛି । ଦୂରଗୁଡ଼ିକୁ ନିକଟବର୍ତ୍ତୀ କରାଇ ଆଣିଛି । ପ୍ରାଚୀନ କାଳରେ ମନୁଷ୍ୟମାନେ ସତେଅବା ତତ୍କାଳୀନ ପ୍ରୟୋଜନ ଗୁଡ଼ିକର ଏକ ଅତ୍ୟନ୍ତ କ୍ଷୁଦ୍ର ଆୟତନ ଭିତରେ ଭାରି ଅଳ୍ପ ଓ ଭାରି ଅସହାୟ ହୋଇ ରହିଥିଲେ । ପ୍ରଧାନତଃ ଭୟ ଦ୍ଵାରା ହିଁ ପରିଚାଳିତ ହେଉଥିଲେ । ପ୍ରକୃତିବିଜ୍ଞାନର ସହଯୋଗ ବଳରେ ଆମ ସମ୍ପର୍କର ତୋରଗୁଡ଼ିକ କେତେ କୁଆଡ଼କୁ ବିସ୍ତାରିତ ହୋଇଯାଇ ପାରିଲା । ଆମର କ୍ଷୁଦ୍ର ସ୍ଵାର୍ଥାଗୁଡ଼ିକ ସତେଅବା ଏକ ବିଶ୍ଵସ୍ଵାର୍ଥ ଆଡ଼କୁ ପ୍ରସାରିତ ହୋଇଯିବା ନିମନ୍ତେ ବହୁତ ବଳ ପାଇଲା, ବିଜ୍ଞାନ ଦ୍ଵାରା ଉତ୍ସାହିତ ହୋଇ ମଣିଷ ନିଜର ଆର୍ଥିକ, ସାମାଜିକ ଏବଂ ନୌତିକ ଜୀବନକୁ ମଧ୍ୟ ନାନା ଭଳି ନୂଆ ପ୍ରସ୍ଥରେ ଦେଖିବା ଲାଗି ସୁରାଖ ପାଇଗଲା । ପୃଥିବୀରୁ କେତେ କେତେ ପାରମ୍ପରିକ ଆକିଞ୍ଚନତା ଦୁଇ ହୋଇ ପାରିବାର ବାଟମାନ ଫିଟିଯାଇ ପାରିଲା । ଯହୁଁ ଯହୁଁ ମଣିଷ ସମ୍ପନ୍ନତାର ସିଡ଼ିରେ ଉପରକୁ ଉପରକୁ ଯିବାରେ ଲାଗିଛି, ତା’ ସମ୍ପର୍କର ତୋରଗୁଡ଼ିକ ମଧ୍ୟ ସତେଅବା ସେଇଥିରୁ ପ୍ରେରଣା ପାଇ ନାନା ଅଭିନବ ପ୍ରକାରେ ପ୍ରଲମ୍ବିତ ହେବାକୁ ଆରମ୍ଭ କରୁଛି । ମଣିଷ-ସମାଜର ବହୁ ନୃଶଂସତା ହୁଏତ ତାହାରି ଦ୍ଵାରା ଏକାନ୍ତ ଅନାବଶ୍ୟକ ବୋଲି ପ୍ରମାଣିତ ହୋଇଛି । ଶିକ୍ଷା, ଶୃଙ୍ଖଳା, ଦଣ୍ଡନୀତି, —ଏହି ଯାବତୀୟ କ୍ଷେତ୍ରରେ ବହୁ ଅଭୂତପୂର୍ବ ପରିବର୍ତ୍ତନକୁ ସ୍ଵାଗତ କରି ଅଣାଯାଇଛି । ପରସ୍ପରକୁ ଚିହ୍ନିବା ସହିତ ମଣିଷ ନିଜକୁ ମଧ୍ୟ ନୂଆ ନୂଆ ସମ୍ମାନବୋଧର ମାନଦଣ୍ଡ ଦେଇ ଚିହ୍ନିବାକୁ ସମର୍ଥ ହୋଇଛି ଏବଂ ନିଜକୁ ଅଧିକରୁ ଅଧିକ ଚିହ୍ନିବା ସଙ୍ଗେ ସଙ୍ଗେ ପରସ୍ପର ପ୍ରତି ମଧ୍ୟ ଅଧିକ ଉଦାର ଏବଂ ସହିଷ୍ଠୁ ହୋଇପାରିଛି ।

 

ତତ୍ତ୍ଵ ମଣିଷକୁ ଶୁଦ୍ଧ କରେ, ଅଧିକ ଗ୍ରହଣଶୀଳ କରିଥାଏ, ଆହୁରି ଅଧିକ ତତ୍ତ୍ଵ ଲାଗି ଆଗ୍ରହ ଏବଂ ସାହସ ଆଣିଦିଏ । ଜ୍ଞାନ ଦୁଆରଗୁଡ଼ିକୁ ଖୋଲିଦିଏ, ଆଦୌ କିଳି ପକାଏନାହିଁ । ଭାରତବର୍ଷର ଯାବତୀୟ ତତ୍ତ୍ଵ-ଜିଜ୍ଞାସାରେ କେଉଁଠାରେ କାହିଁକି କୌଣସି କଳୁଷ ରହିଗଲା କେଜାଣି, ଏଠାରେ ତଥାକଥିତ ତତ୍ତ୍ଵଜ୍ଞାନୀମାନେ ସଂସାରର ମନୁଷ୍ୟମାନଙ୍କୁ ଅଧିକରୁ ଅଧିକ ସଂସାରବିମୁଖ କରାଇବାରେ ହିଁ ସତେ ଯେପରି ବ୍ରତୀ ହୋଇ ବାହାରି ପଡ଼ିଲେ । ଅଧିକ ତତ୍ତ୍ଵର ବଳରେ ଆମେ ଯେ ଏହି ସଂସାରଟିକୁ ଅଧିକ କରିପାରିବା ଏବଂ ଏହି ସଂସାରରେ ହିଁ ଅଧିକ ଅର୍ଥପୂର୍ଣ୍ଣ ଭାବରେ ବଞ୍ଚିପାରିବା, ଏକଥା ଭାରତବର୍ଷର ତତ୍ତ୍ଵବାଗୀଶମାନଙ୍କୁ କାହିଁକି ଏପରି ଆଗୋଚର ରହିଗଲା ? ଯେଉଁମାନେ ‘କୌପାନବନ୍ତଃ ଖଳୁ ଭାଗ୍ୟବନ୍ତାଃ ‘ବୋଲି ଘୋଷଣା କରି ସଂସାରକୁ ବର୍ଜନ କରିବାରେ ଏଡ଼େ ଖୁସି ପାଇଲେ, ସେମାନେ ଆମ ଆହୁରି ଅନେକଙ୍କ ପାଇଁ ସଂସାରଟିକୁ ନାନା ଦୁଃଖ ଅର୍ଥାତ୍ ଅସମର୍ଥତା ଦ୍ଵାରା ପୂର୍ଣ୍ଣ କରି ରଖିବାର ଚକ୍ରାନ୍ତ କରି ପକାଇଲେ କି ? ଏହିପରି ଗୋଟିଏ ଅତତ୍ତ୍ଵକୁ ସତ୍ୟ ବୋଲି ଦର୍ଶାଇ ସେମାନେ ଭାରତବର୍ଷରେ ବହୁ ଜୀବନୋଦ୍ୟମକୁ ଅତ୍ୟନ୍ତ ଶୋଚନୀୟ ଭାବରେ ପଣ୍ଡ କରି ରଖିଦେଲେ କି ? ନିଜର ସ୍ଥିତିଟିକୁ ବଦଳାଇ ପାରିବାରେ ଜଣେ ମନୁଷ୍ୟର ଯେତିକି ସମର୍ଥତା ଓ ବଳ ସର୍ବଦା ରହିଥାଏ, ସିଏ ସେଇଟି ବିଷୟରେ ସତେଅବା କାହାର ଅଭିଶାପ ପାଇ ଅତ୍ୟନ୍ତ ନିଷ୍ପୃହ ହୋଇ ରହିଲା । ସେହି ନିଷ୍ପୃହତା ଏକ ଅପମାନସୂଚକ କର୍ମବାଦକୁ ଜନ୍ମ ଦେଲା । ମଣିଷର ଉଦ୍ୟମ ମୋଟେ କିଛି ନୁହେଁ, ତା’ କର୍ମଟା ହିଁ ବସ୍ତୁତଃ ସବୁକିଛି—ଏହି ଲଜ୍ଜାକର ଅସହାୟତା—ବୋଧଟି ସତେଅବା ତା’ ରକ୍ତ ଭିତରେ ଯାଇ ଚରିଗଲା । ଏବଂ, ପରସ୍ପର ବିଷୟରେ ମଧ୍ୟ ମନୁଷ୍ୟମାନେ ଅତ୍ୟନ୍ତ ଉଦାସୀନ ହୋଇ ରହିଲେ । ପ୍ରତ୍ୟେକେ ଯେତେବେଳେ ନିଜ ନିଜର କର୍ମଫଳକୁ ଭୁଞ୍ଜିବା ନିମନ୍ତେ ସଂସାର ଭିତରେ ଘୋଷାରି ହେବାକୁ ଆସିଛନ୍ତି, ସେତେବେଳେ ସାମୂହିକ ଭାଗ୍ୟର କ୍ଷେତ୍ରରେ ମଧ୍ୟ ଏଠି ଆଦୌ କିଛି କରିବାର ନାହିଁ ବୋଲି ପରାମର୍ଶ ଦିଆଗଲା ।

 

ଭାରତବର୍ଷରେ ଯେଉଁ ବରିଷ୍ଠମାନେ ସଂସାରବିମୁଖ ହେବାକୁ ହିଁ ଅସଲ ତତ୍ତ୍ଵ ବୋଲି ଆମକୁ କହି ଆସୁଛନ୍ତି, ସେମାନେ ଏଠାରେ ମନୁଷ୍ୟମାନଙ୍କୁ ଭାରି ଭୀରୁ ଓ ଭାରି ନିର୍ଭରଶୀଳ ବି କରି ପକାଇଛନ୍ତି । ଯିଏ ଭଗବାନଙ୍କୁ ଭଲପାଇବ, ସିଏ ସଂସାର ପ୍ରତି ବିମୁଖ ହେବାକୁ ଅଲବତ ବାଧ୍ୟ ହେବ ବୋଲି ବିଶ୍ଵାସ କରିବାକୁ ଯୁଗେ ଯୁଗେ ଆମକୁ କେତେ କୁମନ୍ତ୍ରଣା ଦିଆଯାଇ ଆସିଛି । ସ୍ଵର୍ଗ ନାମକ ଏକ ସ୍ଵର୍ଣ୍ଣଫଳର ଲୋଭ ଦେଖାଇ ଭାରତବର୍ଷରେ ମଣିଷମାନଙ୍କୁ ବଡ଼ ସ୍ଵାର୍ଥପର ଅର୍ଥାତ୍ ଆତ୍ମକାମୀ କରିଦିଆଯାଇଛି । ମୋ’ ପୂଣ୍ୟ ବଳରେ ମୁଁ ସ୍ଵର୍ଗକୁ ଯିବି, ଆଉ ଜଣେ ତା’ ପାପର ଫଳରେ ନର୍କକୁ ଯିବ, —ଏହିପରି କହି ମନୁଷ୍ୟମାନଙ୍କ ଭିତରେ ନିର୍ମମ ହୋଇ ରହିବାକୁ ଭୟାନକ ପ୍ରରୋଚନାମାନ ଦିଆଯାଇଛି । ସ୍ଵର୍ଗକଳ୍ପନା ଦ୍ଵାରା ପରିଚାଳିତ ଏହି ମର୍ତ୍ତ୍ୟମଣ୍ଡଳରେ ମଧ୍ୟ ସୁଖକୁ ଲୋକେ ସତେଅବା ଏକ ବ୍ୟକ୍ତିଗତ ପ୍ରୟାସର ଫଳ ବୋଲି ଧରି ନେଇଛନ୍ତି । ଏବଂ ଏହାରି ଫଳରେ କେତେକ ମଣିଷ ଅତିରିକ୍ତ ମାତ୍ରାରେ ଏହି ସଂସାରରେ ପ୍ରବଳ ହୋଇ ରହିବା ପାଇଁ ପ୍ରଶ୍ରୟ ମଧ୍ୟ ପାଇଛନ୍ତି । ପରସ୍ପରକୁ ଲୋଡ଼ିଲେ ମଧ୍ୟ ଯେ ଏକ ସୁଖ ମିଳେ ଏବଂ ସେଥିରୁ ଯେ ଆହୁରି ଏକାଧିକ ପ୍ରକାରର ପାରସ୍ପରିକତାର ପଥ ଉନ୍ମୋଚିତ ହୋଇଯାଏ, ଆମ ତତ୍ତ୍ଵକାରମାନେ ସତେଅବା ଦାଉ ସାଧିବାକୁ ଆମକୁ ଏପରି ଏକ ଅନ୍ୟ ସତ୍ୟପ୍ରତ୍ୟୟରୁ ବଞ୍ଚିତ କରି ରଖିଛନ୍ତି । ଏହାଦ୍ୱାରା ଆମ ବ୍ୟକ୍ତିଗତ ତଥା ସାମୂହିକ ଉଭୟ ଜୀବନ ହିଁ ବଡ଼ ଅଲକ୍ଷଣା ହୋଇ ରହିଛି । ଏବେ ମଧ୍ୟ ଆମର ସମାଜବେଭାର ଏବଂ ଆମ ରାଜନୀତିକ ଆଚାର ଯେ ଅତ୍ୟନ୍ତ ମଳଯୁକ୍ତ ଭାବରେ ଆତ୍ମକାମୀ ଏବଂ ସ୍ଵାର୍ଥଧର୍ମୀ ହୋଇଛି, ଅନେକ ସଂଗତି ସହିତ ଏହି କଥାଟିକୁ ମଧ୍ୟ ସେହି ମନ୍ଦ ପରମ୍ପରାଟି ସହିତ ଯୋଡ଼ି ଦେଇହେବ । ଯିଏ କେବଳ ନିଜର ସୁଖକୁ ଦେଖେ ନିଜର ଯଶଟାକୁ ହିଁ ଜୀବନର ଯାବତୀୟ ଉଦ୍ୟମରେ ମୁଖ୍ୟ କରି ରଖିଥାଏ, ସିଏ କ’ଣ ସତରେ ସୁଖୀ ? ଜୀବନର ଅସଲ ତତ୍ତ୍ଵର ପରିଚୟ ପାଇଗଲା ବୋଲି ଭାବିକରି ଯିଏ ସଂସାରଠାରୁ ଅଲଗା ହୋଇ ରହେ, ସିଏ କ’ଣ ସତରେ ଅସଲ ସତ୍ୟଧନର ଅଧିକାରୀ ହୋଇଥାଏ ? ଭାରତବର୍ଷରେ ହୁଏତ ବର୍ତ୍ତମାନ ସେହି ପ୍ରଶ୍ନଟିକୁ ପଚାରିବାର ବେଳଟିଏ ଆସି ପହଞ୍ଚିଛି । ସମ୍ଭବତଃ ଏକ ପଙ୍କୋଦ୍ଧାରର ସମୟ ଆସି ପହଞ୍ଚିଛି ।

 

ତତ୍ତ୍ଵ ଅତି ଅଳପ ମନୁଷ୍ୟ ପାଇଛନ୍ତି, ମାତ୍ର ଉପେକ୍ଷା ଏବଂ ଆତ୍ମକାମିତା ସତେଅବା ସେଇଥିରୁ ପୁଷ୍ଟି ପାଇ ଏକ ଜୀବନଦୃଷ୍ଟି ରୂପେ ଭାରତବର୍ଷର ମାନସକୁ କାମୁଡ଼ି ଧରିଛି ଓ ହୃଦୟକୁ ଢାଙ୍କି ରଖିଛି । ଭାରତବର୍ଷରେ ମନୁଷ୍ୟକୃତ କେତେ କେତେ ଦୁଃଖ ରହିଛି । ଆମର ଏହି ସଂସାରସ୍ଥ ଜୀବନ ପ୍ରତି ଏବଂ ପରସ୍ପର ପ୍ରତି ମୂଳତଃ ଏକ ଶ୍ରଦ୍ଧାଭାବ ରଖିଥିଲେ ଆମେ ସେହି ଦୁଃଖଗୁଡ଼ିକର କେତେ ପ୍ରତିକାର କରି ପାରୁଥାନ୍ତେ । ଅନ୍ତତଃ, ଆମେ ନିଜେ ଯେପରି ଅନ୍ୟ କାହାରି ଦୁଃଖର କାରଣ ନହୁଅନ୍ତେ ସେହି ବିଷୟରେ ସଜାଗ ମଧ୍ୟ ରହିପାରୁଥାନ୍ତେ । ଭାରତବର୍ଷରେ ସେତିକି ମଧ୍ୟ ସମ୍ଭବ ହୋଇପାରି ନାହିଁ । ଯେଉଁମାନେ ସମର୍ଥ ଏବଂ ସମ୍ପନ୍ନ ହୋଇ ଜୀବନଯାପନ କରୁଛନ୍ତି, ଅନ୍ୟ ଅଳ୍ପସମର୍ଥମାନଙ୍କ ଲାଗି ସେମାନେ ଯୁଗେ ଯୁଗେ ଯାହାକିଛି କିଞ୍ଚିତ୍ ଦୟା ବା ଅନୁକମ୍ପା ଦେଖାଇ ହିଁ ଆସିଛନ୍ତି । ମଣିଷ ଯେ ଆଉ ଜଣେ ମଣିଷର ବନ୍ଧୁ ଓ ସଖା ହୋଇପାରେ, ସମସ୍କନ୍ଧ ଓ ସହଚାରୀ ହୋଇପାରେ, ଏହି ଅନ୍ୟ ତତ୍ତ୍ଵଟିକୁ ଭାରତବର୍ଷରେ ତଥାକଥିତ ତତ୍ତ୍ଵଜ୍ଞାନୀମାନେ କାଳେ କାଳେ ଗୋପ୍ୟ କରି ରଖିଛନ୍ତି । ତେଣୁ, ଏହି ଆଧୁନିକ ଯୁଗରେ ପ୍ରବେଶ କରି ମଧ୍ୟ ଏଠାରେ ଯାବତୀୟ ଜ୍ଞାନ, ବିଜ୍ଞାନ, ସାମର୍ଥ୍ୟ ଓ ସମ୍ପନ୍ନତାରୁ ଦେଶରେ ବାସ କରୁଥିବା ସମସ୍ତେ ଆଦୌ ଉପକୃତ ହୋଇ ପାରିନାହାନ୍ତି । ଭାରତୀୟ ଧର୍ମରେ ମଧ୍ୟ ପ୍ରଧାନତଃ ଦୟାପ୍ରଦର୍ଶନ କଥା କୁହାଯାଇଛି । ଏହି ପୃଥିବୀରେ ହିଁ ଅର୍ଥଯୁକ୍ତ ଭାବରେ ଜୀବନବଞ୍ଚିବା ଲାଗି ଆମର ତଥାକଥିତ ତତ୍ତ୍ଵ ହୁଏତ ସେତ ବେଶୀ ଉଦବୋଧନ ଦେବାକୁ ମନକରି ନାହିଁ । ଦାନ ଓ ଦାକ୍ଷିଣ୍ୟ ଦ୍ଵାରା ଆମନିଜର ପୁଣ୍ୟଖନ୍ଦାରେ ବୃଦ୍ଧିଘଟିବ ଓ ତାହା ଫଳରେ ଆମେ ଆଗକୁ ଯାଇ ଅଧିକ ସୁଖ ପାଇବା, ଏହିପରି ଏକ ଲୋଭ ଆମର ପ୍ରାୟ ସକଳ ସତ୍କର୍ମକୁ ଏକାବେଳେକେ ମଞ୍ଜରୁ ବିଗାଡ଼ି ଦେବାଲାଗି ଚେଷ୍ଟା କରିଛି ।

 

ଭାରତବର୍ଷର ଇତିହାସରେ କ’ଣ ତତ୍ତ୍ଵଜ୍ଞାନୀ କମ୍ ରହିଛନ୍ତି ? ଅସଲ ତତ୍ତ୍ଵ ସିନା ଆମକୁ ଅଳପ ଭିତରୁ ବୃହତ୍ତର ମଧ୍ୟକୁ ଅନୁପ୍ରାଣିତ କରି ନେଇଯାଇ ପାରୁଥାନ୍ତା । ପ୍ରକ୍ରିୟାଟି ସେପରି ହୋଇ ପାରିଥିଲେ ଧର୍ମନାମରେ, ସତ୍ୟନାମରେ ଏବଂ ମାର୍ଗ ନାମରେ ଏତେ ଏତେ ସମ୍ପ୍ରଦାୟର କାହିଁକି ବା ସୃଷ୍ଟି ହେଉଥାନ୍ତା ? ଏହି ସଂପ୍ରଦାୟୀମାନେ ପରସ୍ପର ସହିତ ଏତେ ଝଗଡ଼ା କାହିଁକି କରୁଥାନ୍ତେ ଓ ନିଜ ନିଜ ମାର୍କାର ଅଫିମ ଖୁଆଇ ସାଧାରଣ ମନୁଷ୍ୟମାନଙ୍କୁ ଅକ୍ତିଆର ମଧ୍ୟରେ ରଖିବା ଲାଗି ସେମାନେ ପରସ୍ପର ସହିତ ପ୍ରତିଯୋଗିତା ଲଗାଇଥାନ୍ତେ କାହିଁକି ? ଭେକଗୁଡ଼ାକ ଉପରେ କାହିଁକି ଏତେଗୁଡ଼ାଏ ଗୁରୁତ୍ଵ ବି ଦିଆଯାଉଥାନ୍ତା ? ଲୋକମାନେ ଯେପରି ନିଜର ଜୀବନଟିକୁ ନିଜେ ପାଇଥିବା ସତ୍ୟ ଅନୁସାରେ ନାସଜାଡ଼ି ପ୍ରତୀକମାନଙ୍କର ପୂଜାରେ ହିଁ କାମୁକପ୍ରାୟ ହୋଇ ରହିବେ, ଗୁରୁମାନେ ଏଭଳି ପ୍ରରୋଚନାମାନ ଦେବାରେ ସଫଳ ବି କିପରି ହୋଇ ପାରୁଥାନ୍ତେ ? ଯୁଗେ ଯୁଗେ ଭାରତବର୍ଷର ସନ୍ଥମାନେ ଏସବୁର ବହୁ ପ୍ରତିବାଦ କରିଛନ୍ତି; ମାତ୍ର ସେମାନଙ୍କ ଅନ୍ତେ ସେମାନଙ୍କୁ ମଝିରେ ଥାପି ମଧ୍ୟ ସେହି ପୁରୁଣା ଖୋଇ ଗୁଡ଼ାକର କମ୍ ପୁନରାବୃତ୍ତି ହୋଇନାହିଁ । ଭାରତବର୍ଷର ଇତିହାସରେ ସର୍ବପ୍ରଥମେ ସମ୍ଭବତଃ ଗୌତମ ବୁଦ୍ଧ ହିଁ ବାହ୍ୟ ଅତିଚାରଣା ଗୁଡ଼ିକର ନିନ୍ଦା କରିଥିଲେ, —ସେ ପ୍ରତ୍ୟେକ ମନୁଷ୍ୟକୁ ନିଜ ବିବେକ ସହିତ ଜୀବନଟିଏ ବଞ୍ଚିବା ନିମିତ୍ତ ଉଦବୋଧନ ଦେଇଥିଲେ । ମନୁଷ୍ୟମାନଙ୍କର ଚେତନାକୁ ଏହି ଭୁଇଁଟି ଉପରକୁ ଆକର୍ଷିତ କରି ଆଣିବାକୁ ଉଦ୍ୟମ କରିଥିଲେ । ମାତ୍ର, ପରବର୍ତ୍ତୀ ଯୁଗରେ ବା ଯୁଗମାନଙ୍କରେ ସିଏ ମଧ୍ୟ ଦେବତା ହୋଇଗଲେ । ତାଙ୍କର ବି ମୂର୍ତ୍ତି ଥାପନା ହେଲା, ତାଙ୍କ ନାମରେ ପୁରାଣମାନ ରଚିତ ହେଲା, ପର୍ବ ଏବଂ ମହୋତ୍ସବ ଗୁଡ଼ିକର ଉଦ୍ଭାବନ ଆରମ୍ଭ ହେଲା । ଭାରତବର୍ଷରେ ତତ୍ତ୍ଵଚେତନା ବା ସତ୍ୟଚେତନାର ପରମ୍ପରା ମଧ୍ୟରେ କେଉଁଠି କ’ଣ ବିଭ୍ରାଟ ପଶି ଯାଇଛି କେଜାଣି, ଏଠି ନୂଆ ତତ୍ତ୍ଵ କେଡ଼େ ବାଗରେ ସେଇ ପୁରୁଣା ଗୁଳାମାନଙ୍କରେ ଆସି ପଡ଼ିଯାଉଛନ୍ତି, ଉପେକ୍ଷାଟା ହିଁ ଆମ ଯାବତୀୟ ଉଦୟପଥରେ ଏକ ପ୍ରବଳ ଭଗାରି ହୋଇ କାର୍ଯ୍ୟ କରୁଛି ।

 

ତତ୍ତ୍ଵ ତତ୍ତ୍ଵଜ୍ଞାନୀକୁ ସଂସାର ପ୍ରତି ବିମୁଖ ନକରାଇ ଶ୍ରଦ୍ଧାବାନ୍ ମଧ୍ୟ କରାଇ ପାରୁଥାନ୍ତା । ଶ୍ରଦ୍ଧାବାନ୍ ହୋଇ ଆମେ ଅଧିକ ନିକଟକୁ ଆସି ପାରୁଥାନ୍ତେ । ଅଧିକ ଗଭୀରଭାବରେ କାରଣ ଗୁଡ଼ିକୁ ଉଦ୍‍ଘାଟନ କରିପାରୁଥାନ୍ତେ । ଦୁଃଖର କାରଣ, ଦୁର୍ଗତିର କାରଣ, ସ୍ଵାର୍ଥକାମୀ ହେବାର କାରଣ, ଆପଣାକୁ ଭଲପାଇବା ନିମନ୍ତେ ଅନ୍ୟମାନଙ୍କୁ ଉପେକ୍ଷା କରିବାର କାରଣ, —ଏହିପରି ନାନା ପ୍ରକାରର କେତେ କେତେ କାରଣ । ସଂସାର ପ୍ରତି ଆକୃଷ୍ଟ ଓ ଶ୍ରାଦ୍ଧଶୀଳ ହୋଇ ପାରୁଥିବା ଶିକ୍ଷକ ତେବେ କଦାପି ଆପଣାର ଛାତ୍ରମାନଙ୍କୁ ଉପେକ୍ଷା କରିବାକୁ ମନ କରନ୍ତା ନାହିଁ । ଅଧିକ ଜାଣିବା ମନୁଷ୍ୟ ଅପେକ୍ଷାକୃତ ଅଳପ ଜାଣିଥିବା ମଣିଷକୁ କଦାପି ଉପେକ୍ଷା କରନ୍ତା ନାହିଁ । ଅଳପ ସମ୍ବଳଥିବା ମଣିଷକୁ ଅଧିକ ସମ୍ବଳ ରହଥିବା ମଣିଷ କଦାପି ଉପେକ୍ଷା କରନ୍ତା ନାହିଁ । ଜ୍ଞାନଭିତରେ ଏପରି ଏକ ଶକ୍ତି ରହିଛି, ଯାହାକି ଆମଭିତରେ ଶ୍ରଦ୍ଧାନାମକ ସେହି ଅନ୍ୟ ସାମର୍ଥ୍ୟଟିକୁ ମଧ୍ୟ ଆଣିଦେଇପାରେ । ଶ୍ରଦ୍ଧାବାନ୍ ମନୁଷ୍ୟ ତଳକୁ ଆସେ, ଶ୍ରଦ୍ଧାବାନ୍ ମନୁଷ୍ୟ ଅଧିକରୁ ଅଧିକ ମନୁଷ୍ୟଙ୍କ ସହିତ ଡୋର ବାନ୍ଧେ । ଶ୍ରଦ୍ଧାଯୁକ୍ତ ଜ୍ଞାନ ଅଧିକରୁ ଅଧିକ ମଣିଷଙ୍କର ଅଧିକରୁ ଅଧିକ କାମରେ ଲାଗେ । ଏହିପରି କାମରେ ଲାଗି ଧନ୍ୟ ହୁଏ । ସ୍ଵୟଂ ଭଗବାନ ସଂସାରକୁ ଶ୍ରଦ୍ଧାକରନ୍ତି ବୋଲି ବାରମ୍ବାର ଏଠାରେ ଅବତାର ରୂପେ ଓଲ୍ଲାଇ ଆସନ୍ତି ବୋଲି ଯିଏ ସତକୁ ସତ ଅନୁଭବ କରି ପାରୁଥିବ, ସିଏ କଦାପି ସଂସାର ପ୍ରତି ବିମୁଖ ହେବନାହିଁ । ଜ୍ଞାନପରି ଶ୍ରଦ୍ଧାରେ ମଧ୍ୟ ସଂକ୍ରମିତ ହେବାର ଏକ ସାମର୍ଥ୍ୟ ରହିଛି । ଆମେ ସେହି ସାମର୍ଥ୍ୟଟିକୁ ଜାଣିବା । ଛନ୍ଦି ହୋଇଯିବା । ବାନ୍ଧି ହୋଇଯିବା । ତା’ପରେ ସଂସାର ଭିତରେ ପଡ଼ିଯାଇ ମୁଁ ଛଟପଟ ହେଉଛି, ତେଣୁ ହେ ଆତଙ୍କନାଶନ, ମୋତେ ଏହି ଦହନ ବା ଅରଣ୍ୟ ଭିତରୁ ଉଦ୍ଧାର କରି ନେଇଯାଅ ବୋଲି ଆମେ କଦାପି କଲବଲ ହୋଇ ଠାକୁରମାନଙ୍କୁ ଡାକିବାକୁ ମନ କରିବା ନାହିଁ । ସେତେବେଳେ ଆମକୁ ଠାକୁର ମନୁଷ୍ୟମାନଙ୍କ ଭିତରେ ମଧ୍ୟ ପ୍ରତ୍ୟକ୍ଷ ହୋଇପାରିବେ । ତା’ପରେ ଆମ ଚାରିପାଖରେ ଏହି ସଂସାର ଭିତରେ ହିଁ ନିଜକୁ ତାଙ୍କର ଜଣେ ନିମିତ୍ତ ବୋଲି ମନେ ହେବ । ଭୀମ ଭୋଇଙ୍କ ପରି ନିଜକୁ ତାଙ୍କର ସନ୍ତାନବୋଲି ଅନୁଭବ ହେବ ।

 

ଏବଂ, ସେହି ଅନୁଭବ ହିଁ ଆମକୁ ଯାବତୀୟ ଉପେକ୍ଷାରୁ ଉଦ୍ଧାର କରି ଶ୍ରଦ୍ଧା ମଧ୍ୟ ପରିଚାଳିତ କରିଆଣିବ । ଉପେକ୍ଷା, ବିମୁଖତା, —ଏଗୁଡ଼ିକ ହେଉଛନ୍ତି ଗୋଟିଏ ଗୋଟିଏ ମହିମାକ୍ଷୟକାରୀ ଦୃଷ୍ଟବୃତ୍ତି । ମନୁଷ୍ୟର ଅସଲ ମହିମାକୁ ସେମାନେ ଆମାଠାରୁ ଆଢ଼ୁଆଳ କରି ରଖିବାକୁ ଷଡ଼ଯନ୍ତ୍ର କରୁଥାନ୍ତି । ସଂସାର–ବିରାଗୀମାନେ, ଶ୍ରଦ୍ଧାହୀନମାନେ ତାହାକୁ ହିଁ ମୋକ୍ଷ ବୋଲି କହନ୍ତି । ଅସଲ ମୋକ୍ଷ ଆମକୁ ଅଧିକ ଶକ୍ତିମନ୍ତ ଭାବରେ ସଂସାର ସହିତ ଯୁକ୍ତ କରିବାରେ ସମର୍ଥ ହୁଏ । ଏହି ସବୁଟି ସହିତ, ଏଠି ସବୁରି ସହିତ ଆମର ଡୋରଗୁଡ଼ିକ ଯେ ଇଶ୍ଵରନିର୍ଦ୍ଦିଷ୍ଟ ଭାବରେ ଲାଗିରହିଛି, ନିଜ ଜୀବନରେ ଏହି ସତ୍ୟଟିର ଆବିଷ୍କାର କରିପାରିଲେ ହିଁ ଆମେ ପରମ ବିଶ୍ଵଜୀବନର ପରିଚୟ ଲାଭ କରିପାରିବା । ନିଜର କ୍ଷୁଦ୍ରତା ଅର୍ଥାତ୍ କ୍ଷୁଦ୍ର ଇଚ୍ଛାଗୁଡ଼ିକ ସହିତ ଅତ୍ୟନ୍ତ ଅସହାୟ ଭାବରେ ବାନ୍ଧି ହୋଇ ରହିବା, ମନୋବିଜ୍ଞାନରେ ତାହାକୁ ମୃତ୍ୟୁ ବୋଲି କୁହାଯାଇଛି । ସେଥିଲାଗି ଏଠି ଅନେକ ମଣିଷ ଭୋଗାଦିର ଏକ ବିଶାଳ କୁଣ୍ଡ ଭିତରେ ଲଟର ହେଉଥିଲେ ମଧ୍ୟ ତଥାପି ଅତ୍ୟନ୍ତ ହୀନମାନ ହୋଇ ରହିଥାନ୍ତି । ଅନେକ ବୈରାଗୀ ସଂସାରରୁ ରଜ୍ଜୁଗୁଡ଼ିକୁ କାଟି ଯେତେ ଯୁଆଡ଼େ ପଳାଇ ଯାଉଥିଲେ ମଧ୍ୟ ତଥାପି ନିଜ ଭିତରେ ନାନା ଭାବେ କ୍ଷିପ୍ତ ହୋଇ ରହିଥାନ୍ତି । ସେମାନେ ସତେଅବା କେଉଁ ନୀଳରଙ୍ଗର କୁଣ୍ଡଭିତରେ ପଶି ଦିହଟାକୁ ନେଳି ଚକଚକ କରି ରଖିଥାନ୍ତି । ସେମାନେ ଭଗବାନଙ୍କୁ, ତତ୍ତ୍ଵକୁ ଓ ସତ୍ୟକୁ ସତେଅବା ଏକୁଟିଆ ରମଣ କରିବାକୁ ଚାହୁଥାନ୍ତି । ଏମାନେ ନିମିତ୍ତ ହୋଇ ପାରନ୍ତି ନାହିଁ । ଭଗବାନଙ୍କର କୌଣସି କାମରେ ଲାଗନ୍ତି ନାହିଁ । ସଂସାରରେ ବହୁ ବାଚାଳତାର କାରଣ ହୁଅନ୍ତି, —ଭାରି ଦରିଦ୍ର ହୋଇ ରହିଥାନ୍ତି ।

 

୨୦ । ୦୪ । ୯୮

Image

 

ପିଣ୍ଟୁର ପୃଥିବୀଚିନ୍ତା

 

ବର୍ତ୍ତମାନ ସିନା କୋଡ଼ିଏ ବର୍ଷ ହେଲାଣି, ସେତେବେଳେ ବୟସ ବାର କି ତେର । ରହେ ଭୁବନେଶ୍ଵରରେ, ପଢ଼େ କଟକରେ । ବସ ଚଢ଼ି ନିତି ଭୁବନେଶ୍ଵରରୁ କଟକ ଯାଏ । ଠିଆ ଠିଆ ଯିବାକୁ ତାକୁ ସମ୍ଭବତଃ ଅଧିକ ଭଲ ଲାଗେ । ବାଟଯାକ ଅନାଇଥାଏ ଏବଂ ଅନାଇ ଅନାଇ ଥିର ହୋଇଯାଏ । ଆଗରେ ଆକାଶ ସ୍ଥିର ହୋଇ ତାକୁ ଆବୋରି ରହିଥାଏ । ଧାନ ବିଲମାନେ କେତେ କେତେ ଥିରତାକୁ ପ୍ରସାରି ଧରି କୁଆଡ଼େ ମନ କୁଆଡ଼େ ଲମ୍ବିଯାଇଥାନ୍ତି । କେନାଲ ଦୁଇକଡ଼ରେ ଧାଡ଼ି ହୋଇ ବେଶ୍ ଖଣ୍ଡେ ଦୂର ଯାଏ ଭାରି ଉଜ୍ଜଳ ଦେଖାଯାଉଥିବା ନଡ଼ିଆ ଗଛମାନେ ସ୍ଥିର ହୋଇ ଉର୍ଦ୍ଧ୍ଵକୁ ଏହି ତଳ ଯାଏ ଆନତ କରି ଆଣୁଥାନ୍ତି । ପୁଣି ଏହି ତଳଟାକୁ ବି ସତେଅବା କେତେ ଉର୍ଦ୍ଧ୍ଵ ଯାଏ ବିସ୍ତୃତ କରାଇ ଦେଉଥାନ୍ତି । ତେର ବର୍ଷର ଏକ ସରସ ମନରେ ପିଣ୍ଟୁ ଭାବେ, ଯାହା ଉର୍ଦ୍ଧ୍ଵରେ ରହିଛି, ତାହାର ଚେର ଏହି ତଳେ ମାଟିରେ ରହିଛି ଏବଂ ତାକୁ ହାତପାଆନ୍ତାରେ ରହିଥିବା ପରି ଲାଗୁଛି, ସେ ସବୁର ପ୍ରକୃତ ଚେରଗୁଡ଼ିକ ଉର୍ଦ୍ଧ୍ଵରେ ଯାଇରହିଛି । ପୃଥିବୀର ଚେର ଆକାଶରେ ରହିଛି, ଆକାଶ ଏହି ପୃଥିବୀକୁ ଭରା ଦେଇ ହିଁ ଠିଆ ହୋଇଛି । ସ୍ଵର୍ଗଟା ଯଦି ପୃଥିବୀକୁ ଲାଗି ଆସିଥିବା ପରି ଏଡ଼େ ସ୍ଵାଭାବିକ ଅନୁଭବ ହୋଇପାରୁଛି, ତେବେ ଆମେ ସମସ୍ତେ ମନ କଲେ ଓ ତାହାରି ମୁତାବକ କିଛିବାଟ ଉଠିଯାଇ ପାରିଲେ ପୃଥିବୀଟା ମଧ୍ୟ କାହିଁକି ସ୍ଵର୍ଗକୁ ସ୍ପର୍ଶ କରି ନପାରିବ ?

 

ପିଣ୍ଟୁ ଭଲ ପଢ଼ୁଥିଲା । ତାକୁ ପାଠ, ସବୁ ପାଠ ଭଲ ଲାଗୁଥିଲା । ପାଠମାନେ ଆପଣାର ଲାଗିଲେ ପ୍ରକୃତରେ କେତେ ସହଜ ନ ଲାଗନ୍ତି ! ପିଣ୍ଟୁ ସେହି କଥାଟିକୁ ଭଲକରି ଜାଣିଥିଲା । ସ୍କୁଲରେ ପରୀକ୍ଷା ପରେ ପରୀକ୍ଷା, ପାହାଚ ପରେ ପାହାଚ ଉଠିବାର ଆହ୍ଵାନ, ଏସବୁ ଅବଶ୍ୟ ସତ କଥା ଓ ସେହି ସତକଥାଟି ବିଷୟରେ ତାକୁ ତା’ ଘରେ ଗୁରୁଜନମାନେ ଏବଂ ବିଦ୍ୟାଳୟରେ ଶିକ୍ଷକମାନେ ନିରନ୍ତର ଚେତାଇ ଦେଉଥିଲେ । ସେମାନେ ପିଣ୍ଟୁ ପ୍ରତି ସେମାନଙ୍କର କର୍ତ୍ତବ୍ୟ କରୁଥିଲେ । ପିଣ୍ଟୁ ପରୀକ୍ଷା ମାନଙ୍କରେ ଭଲ ଫଳ ବି ଆଣୁଥିଲା । ତଥାପି କେବଳ ପରୀକ୍ଷାରେ ଫଳଟାଏ ହାସଲ କରିବା ବ୍ୟତୀତ ଯେ ପାଠ ଭିତରେ ଅଧିକ କିଛି ରହିଛି, ସେହି ଚପଳ ଓ ସହଜ ବୟସରେ ପିଣ୍ଟୁ ତଥାପି ହୃଦୟଙ୍ଗମ କରିପାରୁ ଥିଲା । ସେତେବେଳେ ତା’ ମୁହଁର ମାଂସପେଶୀ ଗୁଡ଼ିକ ସତେ ଯେମିତି ଅଧିକ ଟାଣ ହୋଇ ଆସୁଥିଲେ, ଭିତରକୁ ବାଡ଼ି ବଢ଼ାଇ ସିଏ ମଧ୍ୟ ସତେଅବା କୋଉଠି କ’ଣ କେନ୍ଦ୍ରଟିଏ ରହିଥିବା ଅନୁଭବ କରି ପାରୁଥିଲା । ସେହି କେନ୍ଦ୍ରଟି ତା’ର । ସେଇ ନିଜେ ସେହି କେନ୍ଦ୍ର; ସେଇ ବଗିଚା, ପୁଣି ସେଇ ଫୁଲଗଛ । ତେର ବର୍ଷ ବୟସରେ ଉଦୟ–ସକାଳେ ପୃଥିବୀରେ ଯୋଉ ପିଲା ଏପରି ଚିନ୍ତା କରିପାରେ, ତାହାକୁ ପ୍ରକୃତରେ ଭାଗ୍ୟବାନ ବୋଲି କୁହାଯିବ । ପିଣ୍ଟୁ ଆପଣାକୁ ଭାରି ଭାଗ୍ୟବାନ ବୋଲି ଅନୁଭବ କରୁଥିଲା । ବରଂ ଶୁଭାକାଂକ୍ଷୀ ଗୁରୁଜନମାନେ ବେଳେ ବେଳେ କିଞ୍ଚିତ୍ ଆଶଙ୍କା କରୁଥିଲେ, କାଳେ ପିଣ୍ଟୁ କ’ଣ ହେଉ ହେଉ ଆଉଗୋଟାଏ କ’ଣ ହୋଇଯିବ । ପିଲାଟି ଗୁଳାରେ ନପଡ଼ୁ ଓ ଆଉ କିଛି ଅଧିକ ଅର୍ଥାତ୍ ସ୍ଵତନ୍ତ୍ର କ’ଣ ହେଉ ବୋଲି ଖୁସି ହୋଇ ଭାବୁଥିଲେ ସିନା, ତଥାପି ଗୁଳାରେ ନପଡ଼ିବା ଦ୍ଵାରା ବିଚରା ପିଲାଟିକୁ କାଳେ ଅଧିକ ଧକ୍କା ଖାଇବାକୁ ପଡ଼ିବ, କାଳେ ସେ ଧକ୍କା ଖାଇ କେବେ ତଳେ ପଡ଼ିଯିବ ଏବଂ ଆଉ ମୋଟେ ଉଠି ପାରିବ ନାହିଁ, ସେମାନେ ସେପରି ବି ଭାବୁଥିଲେ । ସମ୍ଭବତଃ ତାହାହିଁ ଏକ କାରଣ, ଯେଉଁଥି ସକାଶେ ଏହି ପୃଥିବୀର ଅଧିକାଂଶ ହିତୈଷୀ ଏବଂ ଅଧିକାଂଶ ଗୁରୁଜନ ସେମାନଙ୍କର ପିଲାଟି ଗୁଳାଭିତରେ ହିଁ ରହୁ ଏବଂ ତାହାରି ଭିତରେ ରହି ସଂସାର–ବଜାରରେ କିଛି ନୈପୁଣ୍ୟ ହାସଲ କରୁ ବୋଲି ଇଚ୍ଛା କରୁଥାନ୍ତି । ଖାଲି ହିତୈଷୀମାନେ ସତକୁ ସତ ଆଉ ଅଧିକ କ’ଣ କରିପାରନ୍ତେ !

 

ହାଇସ୍କୁଲ ବେଳକୁ ପିଣ୍ଟୁ ଭୁବନେଶ୍ଵରରେ ପଢ଼ିଲା । ସିଏ ଏକ ବିଚିତ୍ର ଇସ୍କୁଲ । ଗୋଟାଏ ଭାରି ଅଲଗା ପ୍ରକାରର ସ୍କୁଲ । ପରୀକ୍ଷା ଅଛି, ପାସ୍‍ ଫେଲ ରହିଛି, ତଥାପି ଯାବତୀୟ କାର୍ଯ୍ୟକ୍ରମ ଭିତରେ ଆହୁରି ଏମିତି କ’ଣ ଗୋଟାଏ ରହିଛି, ଯାହାକି ପିଲାକୁ ଅହେତୁକ ଅଥଚ ଅନ୍ତର୍ଗତ କେତେ କେତେ ଖୁସିରେ ଭରି ଦେଉଛି । ଏପରି ଏକ ସାନ୍ନିଧ୍ୟ ଦ୍ଵାରା ଭରି ଦେଉଛି, ଯାହାଦ୍ଵାରା ଭିତରଟା ପୂରା ଉଶ୍ଵାସ ଲାଗୁଛି । ସେହି ଉଶ୍ଵାସ ହୋଇଯିବାରୁ କେତେ ନା କେତେ ସାହସ ମିଳୁଛି । ବର୍ତ୍ତମାନଟା ସହିତ ଭବିଷ୍ୟତଟିଏ ଦିଶିଯାଉଛି । କେବଳ ନିଜଲାଗି ଏକ ତଥାକଥିତ ଭବିଷ୍ୟତ ନୁହେଁ, ସତେ ଅବା ସାରା ପୃଥିବୀ ପାଇଁ ଏକ ଭବିଷ୍ୟତ ଦିଶିଯାଉଛି । ସେହି ଭବିଷ୍ୟତ ପୁଣି ପୂର୍ବନିର୍ଦ୍ଧାରିତ ହୋଇ ରହିଛି । ମଣିଷ ସେହି ଭବିଷ୍ୟତର ପ୍ରତିଷ୍ଠା ପାଇଁ ତିଆରି ହେବ । ଭବିଷ୍ୟତକୁ ଭୋଗ କରିବା ପାଇଁ ନୁହେଁ, ସେହି ଭବିଷ୍ୟତର ନିର୍ମାଣରେ ଯନ୍ତ୍ରରୂପେ ବ୍ୟବହୃତ ହେବା ପାଇଁ ତିଆରି ହେବ । ଯୋଗ୍ୟ ହେବ । ଟାଣ ହେବ । ଅଧିକ ହେବ । କିଶୋର ବୟସର ପିଣ୍ଟୁ ଏପରି ଏକ ଆତ୍ମୀୟତା ମଧ୍ୟରେ ପ୍ରବେଶ କରି ସେତେବେଳେ ସତେଅବା ଏକ ନୂଆ ବିପୁଳତାର ଆଘ୍ରାଣ ପାଇଗଲା । ପୃଥିବୀ ନୂଆ ହେବ, ପୃଥିବୀର ମଣିଷମାତ୍ରକେ ସମସ୍ତେ ଅଣ୍ଟା ସିଧା କରି ପୃଥିବୀରେ ବାଟ ଚାଲିବେ, ଏକ ନୂଆ ଚେତନା ସେମାନଙ୍କୁ ଗୋଟିଏ ଅନ୍ତରଙ୍ଗତାରେ ବାନ୍ଧି ରଖିବ, ନିଷ୍କପଟ କରିବ, —ପିଣ୍ଟୁ ଭିତରେ ଥିବା ନୂଆ ଚିହ୍ନାଳିଟି ସେତେବେଳେ ସତେଅବା ନିଜଭିତରେ ଏକାନ୍ତ ନିର୍ଭରଯୋଗ୍ୟ ଗୋଟିଏ ଥଳ ପାଇ ଯାଇଥିଲା । ଆମ ପାଖେ ପାଖେ ରହି ଜଣେ ଆମ ଜୀବନର ଶିଖରଗୁଡ଼ିକ ଉଦ୍ଦେଶ୍ୟରେ ଆମକୁ ବାଟ ଦେଖାଇ ନେଉଛନ୍ତି । ସେହି ନାନା ନବଗଠନର ବୟସରେ ଏହିପରି ଏକ ପରିଚୟ ପିଣ୍ଟୁକୁ ତାହାର ଯାବତୀୟ ଅର୍ଥରେ ଏକ ଜନନୀର ପରିଚୟ ପରି ମନେହେଲା । ପିଣ୍ଟୁ ଅନୁଭବ କଲା, ପାଠ ପଢ଼ିବାଦ୍ୱାରା ସିଏ କେବଳ ନିଜ ପାଇଁ ପ୍ରସ୍ତୁତ ହେଉନାହିଁ । ସିଏ ଏକ ପୃଥିବୀ ପାଇଁ ପ୍ରସ୍ତୁତ ହେଉଛି । ପିଣ୍ଟୁ ସେଥିପାଇଁ ପ୍ରସ୍ତୁତ ହେଉଥିଲା ।

 

ଇସ୍କୁଲ ସାରି କଲେଜ ସରିବାକୁ ତାକୁ ଖୋଜେ ବାଟ ବି ଲାଗିଲାନାହିଁ । କଲେଜ ଅଧା ହେଉ ହେଉ ତାକୁ କେତେ କିସମର ପ୍ରତିଯୋଗିତାରେ ବସିବାକୁ ହେଲା । ତା’ରି ପରି କେତେ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ଏବଂ ସେଇଥିରୁ କିଏ ଯୋଗ୍ୟ ଆଉ କିଏ ଅଯୋଗ୍ୟ ତାହା ପ୍ରମାଣିତ ହେବ । ପ୍ରମାଣିତମାନେ ଖାସ୍ ପାଠମାନ ପଢ଼ିବେ । ଅମୁକ ଏବଂ ଅମୁକ ହେବେ । ଡାକ୍ତର ହେବେ । ଇଂଜିନିୟର ହେବେ । ବିପୁଳ ଅର୍ଥାଦି ଉପାର୍ଜନ କରିବେ । ଏଣେ ସେମାନଙ୍କ ଅନ୍ଦାଜମାନଙ୍କରୁ ଡେଣା କଟି ଯାଇଥିବ, ସେମାନେ ଆଉ କୌଣସି ସ୍ଵପ୍ନ ଦେଖୁନଥିବେ, —ଗୁଳାରେ ପଡ଼ି ସୁଖୀ ହେବେ, ଏକ ଅଲଗା କଦର ଏବଂ ଅଲଗା ସ୍ଵୀକୃତି ଲାଭକରି ଚଳନ୍ତି ସମାଜରେ ସମସ୍ତଙ୍କ ଠାରୁ ଅଧିକ ସଫଳ ବୋଲି ଘୋଷିତ ହେବେ ଏବଂ ମରିଯିବେ । ପିଣ୍ଟୁ ମଧ୍ୟ ସତେଅବା ଏହି ନୂତନ ଆବଶ୍ୟକତା ଦ୍ଵାରା ମଣ ହୋଇ ପ୍ରତିଯୋଗିତାକୁ ବାହାରିଲା । ପ୍ରତିଯୋଗିତାରେ ସଫଳ ହେବାର ସୁନିଶ୍ଚିତ ସୂତ୍ରଗୁଡ଼ିକୁ ବତାଇ ଦେଉଥିବାରୁ ଦାବିକରି ଯେଉଁସବୁ ନୂଆ ପତ୍ରିକା ଓ ବହିମାନ ବଜାରରେ ବିକ୍ରି ହେଉଛି, ପିଣ୍ଟୁ ସେଗୁଡ଼ିକୁ ଅଧିକ ସମୟ ଦେଇ ଅଧ୍ୟୟନ କଲା । ନିଜର ପିଲାଳିଆ ମନଟାକୁ ବୟସ୍କ–ସୁଲଭ ଓ ବ୍ୟାବହାରିକ କରିବାର ନିଜର ଏହି ଅଭିନବ ସାଧନାରେ ସିଏ ପ୍ରାୟ ଅଣନିଶ୍ଵାସୀ ହୋଇ ଲାଗିପଡ଼ିଲା ସିନା, ମାତ୍ର ତା’ ଭିତରେ ସତେଯେପରି କ’ଣ କିଛି ଶୁଖି ଶୁଖି ଯିବାକୁ ଆରମ୍ଭ କଲା । ସେହି କଣ କିଛିଟିକୁ ସିଏ ତା ଇସ୍କୁଲ ସମୟରେ ତା ବାଟଚାଲିବାରେ ଅସଲ ବନ୍ଧୁ ବୋଲି ଭାବିଥିଲା, ତା ଗନ୍ତାଘରଟିରେ ଅସଲ ରତ୍ନ ବୋଲି ଅନୁଭବ କରିଥିଲି । ଏହି ଅଜବ ସଂସାରରେ ସଫଳ ହେବାଦ୍ୱାରା ମଣିଷକୁ ତେଣେ ନିଜର ନିବିଡ଼ତମ ସ୍ତରରେ ବାଧ୍ୟହୋଇ ଅଲକ୍ଷଣା ହୋଇଯିବାକୁ ପଡ଼େ କି ? ପ୍ରତିଯୋଗିତା ପିଣ୍ଟୁକୁ ଭଲ ଲାଗୁନାହିଁ, ତଥାପି ସେ କାହିଁକି ପ୍ରତିଯୋଗିତାରେ ପଶିବ ? କାହିଁକି ସେ ନିଜର ଡେଣାଗୁଡ଼ିକୁ କାଟି ପକାଇବ ଓ ଆପଣା ଆଖିରେ ନାଣ୍ଡି କୁକୁଡାଟିଏ ପରି ଦିଶିବ ? ପୃଥିବୀରେ ଯେତେ ପିଣ୍ଟୁ ଯେଉଁଠାରେ ରହିଛନ୍ତି, ସମସ୍ତଙ୍କୁ କଣ ଠିକ୍ ଏହିପରି ଏକ ଦୁଃଖଦ ବ୍ୟୁହ ଭିତରେ ପ୍ରବେଶ କରିବାକୁ ହୋଇଥାଏ–ପିଣ୍ଟୁ ଏବେ ଅନେକ ସମୟରେ ସେହିକଥା ଭାବିଲା । ବଡ଼ ଗରମ ହୋଇ ଭାବିଲା । କ୍ରୋଧର ସହିତ ଭାବିଲା ସିଏ କାହାଉପରେ କ୍ରୋଧ କରୁଥିଲା କେଜାଣି ? ଚାରିପାଖର ପୃଥିବୀଟା ଯେତେବେଳେ ବାଘପରି ମାଡ଼ିଆସୁଥିବ ଏବଂ ଦଉଡ଼ି ପଳାଇଯାଇ ରକ୍ଷା ପାଇବା ଲାଗି ବିକଳ୍ପଟିଏ ବି ନ ଥିବ, ସେତେବେଳେ ମଣିଷମାନେ ପ୍ରକୃତରେ ନିଜ ଉପରେ କ୍ରୋଧ କରନ୍ତି । ଏବଂ ସେହି କ୍ରୋଧ ସର୍ବଦା ଅଧିକ ହତବଳ କରି ପକାଏ ।

 

ସେତିକିବେଳେ ପିଣ୍ଟୁର ନିଜ ଚାରିପାଖକୁ ଚାହିଁ ଦେଖିବାକୁ ମନ ହେଲା । ଏହି ଦେଶରେ ପାଠ ନପଢ଼ିଥିବା ମଣିଷମାନଙ୍କ ତୁଳନାରେ ପାଠ ପଢ଼ିଥିବା ମଣିଷମାନଙ୍କର ସଂଖ୍ୟା ଅତ୍ୟନ୍ତ ଅଳ୍ପ : ମାତ୍ର ପାଠ ପଢ଼ିଥିବା ମଣିଷମାନେ କ’ଣ ପାଇଁ ଏଠି ଏତେ ଅଧିକ ଜାଗା ମାଡ଼ି ବସିଛନ୍ତି ଯେ ପାଠ ପଢ଼ି ନଥିବା ମଣିଷମାନଙ୍କର ଟିକିଏ କଡ଼ ଲେଉଟାଇବା ସକାଶେ ରତିଏ ବୋଲି ଜାଗା ନାହିଁ ? ଏହି ଦର୍ପୀମାନଙ୍କ ଭିତରେ କିଏ ଡାକ୍ତର, କିଏ ଇଂଜିନିୟର, କିଏ ହାକିମ, କିଏ ହୁକୁମା; କିଏ ମନ୍ତ୍ରୀ ଓ ଆଉ କିଏ ନେତା, କିଏ ମାନ୍ୟବର ଓ ଆଉ କିଏ ମହାମହିମ ସେଇମାନେ ଚାଲିଗଲେ ପୃଥିବୀ କମ୍ପିଉଠୁଛି । ସେମାନେ ତୁଣ୍ଡ ଫିଟାଇଲେ ପୃଥିବୀ ଦୁଲୁକି ଉଠୁଛି-। ଏମାନେ ସମସ୍ତେ ସଫଳ, ସମସ୍ତେ ପ୍ରବଳ, ସମସ୍ତେ ପ୍ରତାପୀ ଓ ସମସ୍ତେ ପରମଶକ୍ତି-। ସବୁଯାକ ଧନ ସେଇମାନଙ୍କର, ସବୁଯାକ କର୍ମ ସେଇମାନଙ୍କର, ସବୁ ସୁଖ ଓ ଭୋଗ ସେଇମାନଙ୍କର । ସେମାନେ ବି କ’ଣ କେବେ ପାଠ ପଢ଼ିଥିଲେ, କେବେ ପିଲାବୟସରେ ବସ୍‍ରେ ଭୁବନେଶ୍ଵରରୁ କଟକ ଯାଉ ଯାଉ ବିହ୍ଵଳ ହୋଇ ସ୍ଵପ୍ନ ଦେଖିଥିଲେ, ଉପରର ଆକାଶ ତଳେ ଥିବା ଏହି ପୃଥିବୀକୁ ମଧ୍ୟ ଦିନେ ସ୍ପର୍ଶ କରିବ ବୋଲି ସ୍ଵପ୍ନ ଦେଖୁଥିଲେ ? ପିଣ୍ଟୁର ଆଖିକୁ ସମସ୍ତେ ଭାରି ଜାଦୁରା ଦେଖାଗଲେ । ସତେଅବା କାହାର ଜଣକର ବି ମୁହଁ ନାହିଁ, ସମସ୍ତେ ଗୋଟାଏ ଗୋଟାଏ ମୁଖା ପିନ୍ଧିଛନ୍ତି । ପୃଥିବୀ ନାମକ ରଣରେ ସେମାନେ ସତେଅବା କେବଳ ନିଜଟା ପାଇଁ କ’ଣ ଗୋଟାଏ ହାସଲ କରିଛନ୍ତି, ଯାହାକୁ ସେମାନେ ବିଜୟ ବୋଲି କହୁଛନ୍ତି । ସତେଅବା ଗୋଟାଏ ଗରଜରେ ପଡ଼଼ି ସେଇଟାକୁ ହିଁ ଜୀବନର ଏକମାତ୍ର ବିଜୟ ବୋଲି ଧରି ନେଇଛନ୍ତି । ଭିତରେ ନିଜ ପାଖରେ ଗୋଟାଏ ବିଶୁଦ୍ଧ ଚାହାଳୀଚୋର ହୋଇ ରହିଛନ୍ତି । ନିଜପାଖରୁ ଲୁଚି ରହିପାରିବେ ବୋଲି ସେମାନେ ଆଲିଶାନ୍ ଘରମାନ ବନାଇଛନ୍ତି, କୁଢ଼ ପରିମାଣରେ ଅର୍ଥ ଜମା କରିଛନ୍ତି, କ୍ଷମତାର ସବୁ ଡିହଗୁଡ଼ାକୁ ଆତ୍ମାସାତ୍ କରି ନେଇଛନ୍ତି । ଏବଂ ଏହାକୁ ହିଁ କେଡ଼େ ଭାବପ୍ରବଣ ଭାବରେ ସଫଳ ଜୀବନ ବୋଲି କହି ଭଜି ହେଉଛନ୍ତି । ପିଣ୍ଟୁକୁ ଭାରି ହସ ମାଡ଼ିଲା । ମଣିଷ ଭିତରେ ରହିଥିବା ସ୍ଵପ୍ନଚାରୀଟିକୁ ମାରି ଦେଇ, ଡେଣାଗୁଡ଼ିକୁ କାଟିଦେଇ ଯେଉଁ ସମ୍ପନ୍ନତା ହାସଲ କରାଯାଏ, ତାହା ମଣିଷଟାକୁ ଯେ ସଂସାରରେ ନିଜପାଖରେ ହାସ୍ୟାସ୍ପଦ କରି ରଖିଥାଏ, ଏହି ବାବୁ ଆବୁମାନଙ୍କୁ ଚାହିଁବା ମାତ୍ରକେ ପିଣ୍ଟୁ ସେକଥା ବୁଝିପାରିଲା ।

 

ମାତ୍ର କୋଡ଼ିଏ ବର୍ଷ ବୟସରେ ଯିଏ ଏକଥା ବୁଝିପାରିବ, ନିଜର ପଚାଶ ବର୍ଷ ବେଳର ପୋଖତ ପରବର୍ତ୍ତୀ ଜୀବନଟି ନିମନ୍ତେ ସିଏ ପ୍ରକୃତରେ କିଭଳି ମୂଳଦୁଆଟିଏ ପକାଇବାକୁ ମନସ୍ଥ କରିବ ? ତା’ର ଅଧ୍ୟାପକମାନେ ତାକୁ ଏ ବିଷୟରେ ଆଦୌ କୌଣସି ସାହାଯ୍ୟ କରି ପାରିବେ ନାହିଁ । ଆଧ୍ୟାପକମାନେ ତାଙ୍କ ପିଲାଦିନେ ସତେଅବା କୁଣ୍ଡା ଦେଇ କି ପାଠ ପଢ଼ିଥିଲେ କେଜାଣି, ଏବେ ତାଙ୍କୁ ଅଧ୍ୟାପନାଟା ମଧ୍ୟ ଭଲ ଲାଗୁନାହିଁ । ସରକାର ସେମାନଙ୍କ ହାତରେ ମାସକୁ ମାସ ଏତେ ଏତେ ପଇସା ଆଣି ଧରାଇଦେଉଛି ଯେ ସେମାନେ ତାକୁ ହଡ଼ପ କରି ସିଧା ବଜାରକୁ ବାହାରି ଯାଉଛନ୍ତି । ବଜାରରୁ ଭଳି ଭଳି ବଳି ବଳି ପଦାର୍ଥ ବୋହିଆଣି ଫୁଲେଇ ହେବାକୁ ସେମାନଙ୍କର ତର ସହୁ ନାହିଁ । କଲେଜରେ ପିଲାଙ୍କୁ ପାଠ ପଢ଼ାଇବାଟା ସତେଅବା ଗୌଣ ହୋଇଗଲାଣି । ପିଣ୍ଟୁ ଆଗେ ସେମାନଙ୍କୁ କେତେ ଚେଷ୍ଟା କରି ନିଜର ଗୁରୁ ବୋଲି ଭାବିବାକୁ ଚେଷ୍ଟା କରିଛି, ମାତ୍ର ନିରାଶ ହୋଇଛି । ଗୁଳାରେ ପଡ଼ିଥିବା ମଣିଷମାନେ ମଧ୍ୟ ତାକୁ ଆଦୌ କୌଣସି ସାହାଯ୍ୟ କରି ପାରିବେନାହିଁ । ଗୁଳାରେ ପଡ଼ିବାକୁ ମନ କରିବା ମାତ୍ରକେ କେବଳ ଯେ ନିଜ ଭିତରର ସାହସୀ ଡେଣାଟାକୁ କାଟି ଦେବାକୁ ହେବ, ସେକଥା ଭାବିଲାବେଳକୁ ତାକୁ ସତେଅବା କେମିତି କେମିତି ଲାଗୁଛି । ନାହିଁ, ସିଏ କଦାପି ଆତ୍ମଘାତୀ ହେବ ନାହିଁ । ମୁଖା ପିନ୍ଧି ନିଜର ମୁହଁଟାକୁ ମୋଟେ ଲୁଚାଇ ରଖିବ ନାହିଁ । ଏହି ସଂସାରରେ ହିଁ ବାଟ ଚାଲିବ । ଧନରେ, ମାନରେ, କ୍ଷମତାରେ, ବଡ଼େଇ ଦେଖାଇ, ହେବାରେ ସଫଳହେବେ ବୋଲି ଯେଉଁମାନେ ନିଜ ଭିତରର ଅସଲ ନାଡ଼ଟିକୁ କାଟି ଦେଇଛନ୍ତି ଓ ନିଜ ପାଖରେ ଅଚିହ୍ନା ହୋଇ ରହିଛନ୍ତି, ସିଏ କଦାପି ସେମାନଙ୍କ ପରି ହେବ ନାହିଁ । ପିଣ୍ଟୁ ବୀର ପରି ଏହି ବିଷୟରେ ଚିନ୍ତା କରିବାକୁ ଲାଗିଲା । ବାଟରେ ଅନ୍ୟ ଗୁରୁମାନଙ୍କୁ ଭେଟିଲା । ହୁଏତ ଅନ୍ୟ ସାଙ୍ଗମାନଙ୍କୁ ବି ଭେଟିଲା । ବଳ ପାଇଲା, ବିବେକ ମଧ୍ୟ ପାଇଲା ।

 

ଜୀବନର ପୁସ୍ତକରେ ପିଣ୍ଟୁର ଏହି ଯେଉଁ ଅଧ୍ୟାୟଟି, ସେଇଟି ମୋଟେ ବିଷାଦଯୋଗ ନୁହେଁ; ଆଦୌ ଏକ ବୈରାଗ୍ୟ ବି ନୁହେଁ । ପିଣ୍ଟୁମାନେ ତଥାପି ଏହି ବୟସରେ ଭାରି ଚୁପ୍‍ ହୋଇଯାଆନ୍ତି, ସତେ ଯେପରି ଏହି ସବୁକିଛିରୁ ଆପଣାକୁ ପ୍ରତ୍ୟାହାର କରି ନେଇଥାନ୍ତି; ଏହାକୁ ଜଣେ ତରୁଣ ପଥଯାତ୍ରୀର ଜୀବନରେ ଏକ ଅଭିନବ incubation ର ପର୍ଯ୍ୟାୟ ବୋଲି କୁହାଯାଏ ପାରିବ । ଦ୍ଵିଜ ହେବାର ସେହି ସ୍ଵାଭାବିକ ପର୍ଯ୍ୟାୟମାନଙ୍କରେ ଠିକ୍ ଏହିଭଳି ଅପସରି ଯିବାକୁ ପଡ଼ିଥାଏ । ନିଜକୁ ନିଜର ମନୋମତ ଭାବରେ ପୃଥିବୀରେ ଅବତୀର୍ଣ୍ଣ କରାଇବା ନିମନ୍ତେ ନିଜ ଭିତରେ ସତେଅବା ଜନନୀଟିଏ ହୋଇ ନିଜର ଲାଳନ କରିବାକୁ ପଡ଼େ । ବାହାରେ ହୁଏତ ସବୁ ଚାଲିବା ବନ୍ଦ ହୋଇ ଯାଇଥିବା ପରି ଲାଗୁଥାଏ । ବାହାରକୁ ଭିତରେ ସବୁକିଛି ହଠାତ୍ ଥମ୍ବି ଯାଇଥିବା ପରି ମନେ ହେଉଥାଏ । ଗୁରୁଜନମାନେ ଚିନ୍ତିତ ହୋଇ ପଡ଼ନ୍ତି । ବ୍ୟଥା ମଧ୍ୟ ପାଆନ୍ତି । କୋଡ଼ିଏ ବର୍ଷ ବୟସରେ ମଣିଷକୁ ମାଧ୍ୟମ କରି ଏପରି ଅଭିନବ ବିବେକଟିଏ ସେଇ ଭିତରେ ହିଁ ଜନ୍ମଲାଭ କରେ ଏବଂ କ୍ରମଶଃ ପାକଳ ହୋଇ ଆସେ, ଯିଏ କି ମୋଟେ ଠୋ’ କରି ଗୁଳାଗୁଡ଼ାକ ଭିତରେ ପଡ଼ିଯାଏ ନାହିଁ । ସିଏ ତା’ ନିଜର ସ୍ଵାଭାବ ଅନୁସାରେ ଆଉ ଗୋଟିଏ କ’ଣ ହେବାଲାଗି ପ୍ରତ୍ୟୟ ରଖିଥାଏ । ସତେଅବା ସେହି ଭିତରୁ ହିଁ ନିର୍ଦ୍ଦେଶଟି ଆସିବ ବୋଲି କାନ ଡେରି ରହିଥାଏ-। ଭିତରୁ ନିର୍ଦ୍ଦେଶଟି ଅବଶ୍ୟ ଆସେ । ତାହା ସମୟ ଜାଣି ଆସେ; ମାତ୍ର ସେତେବେଳକୁ ଅନେକ ମଣିଷ ଗୁଳାରେ ପଡ଼ି ସାରିଥାନ୍ତି ଓ ତେଣୁ ନିର୍ଦ୍ଦେଶଟିକୁ ବାରି ପାରନ୍ତି ନାହିଁ । ମୁଖ୍ୟତଃ ପୃଥିବୀରେ ଗେହ୍ଲାମାନେ ହିଁ ଏହିପରି ବଞ୍ଚିତ ହୁଅନ୍ତି । ତାଙ୍କ ପାଇଁ ସବୁକିଛି ଗୁଳାରେ ପଡ଼ି, ଗୁରୁଜନମାନଙ୍କର ବରାଦରେ ଘଟଣ ହୋଇ ଆସେ ଓ ସେମାନଙ୍କୁ ମଣ କରିନିଏ । ଗେହ୍ଲାମାନେ ଆଦୌ କୌଣସି ବିବେକର ଯୋଗ୍ୟ ହୋଇ ପାରନ୍ତି ନାହିଁ । ହୁଏତ ଜୀବନବ୍ୟାପୀ ନାବାଳକ ହୋଇ ରହନ୍ତି-। ଆମର ଏହି ବର୍ତ୍ତମାନର ପୃଥିବୀରେ ଆମେ ଏହିପରି ଅସୁମାରି ସଂଖ୍ୟାରେ ସେହି ନାବାଳକମାନଙ୍କୁ ଦେଖିବାକୁ ପାଇବା । ଏହି ବୟସ୍କ ନାବାଳକମାନେ, ଭଗବାନଙ୍କର ଏହି ପୃଥ୍ଵୀମଣ୍ଡଳରେ ଏମାନେ ସର୍ବଦା ଏକ ସ୍ଵତନ୍ତ୍ର କିସମର ଜନ୍ତୁ ହୋଇ ରହିଥାନ୍ତି, ପୃଥିବୀ ପାଇଁ କାଳ ହୁଅନ୍ତି ।

 

ଆମ ପିଣ୍ଟୁମାନେ ବାବାଜୀ ହେବେନାହିଁ । ସଂସାରରୁ ପଳାଇ ବାବାଜୀ ହେବେ ନାହିଁ ଅଥବା ଏହି ସଂସାର ଭିତରେ ଯଥାସମ୍ଭବ ଅଧିକ ଉଦାସୀନ ରହି ମଧ୍ୟ ବାବାଜୀଙ୍କ ପରି ଆଚରଣ କରିବେ ନାହିଁ । ଭାରତବର୍ଷରେ ଯୁଗେ ଯୁଗେ ଏହି ଉଭୟ ପ୍ରକାରର ବାବାଜୀ ପୃଥିବୀଟି ଗଢ଼ାହେବାର ପ୍ରକ୍ରିୟାରେ ଭାରି ବାଧାମାନ ଆଣି ଥୋଇ ଦେଇଛନ୍ତି, ପୃଥିବୀକୁ ଏକାଧିକ ମିଛ ପ୍ରତୀତି ଭିତରେ ସ୍ଥବିର କରି ରଖିଛନ୍ତି । ଆମେ ଏହି ପୃଥିବୀରେ ରହିବା, —ପୃଥିବୀ ଆମର ଘର ମନେକରି ଆମେ ପୃଥିବୀରେ ରହିବା । ଆମର ସବୁଯାକ ବିଦ୍ୟା, ସବୁଯାକ ବଳ ଓ ସବୁଯାକ ବୁଦ୍ଧି ଦେଇ ଆମେ ପୃଥିବୀକୁ ଆଉ କେତେ ପାଦ ଆଗକୁ ନେଇଯିବା, ଆଉ କେତେ ପାହାଚ ଉପରକୁ ଉଠାଇନେବା । ଆମେ ପ୍ରତ୍ୟେକେ ନିଜ ପାଇଁ ବାଟଟିଏ ବାହାର କରିବା, —ଠିକ୍ ଏହି କଥାଟି ପାଇଁ ହିଁ ଆମେ ଗୁରୁଜନମାନଙ୍କର ଆଶୀର୍ବାଦ ଭିକ୍ଷା କରୁଥିବା । ଆମକୁ ନେଇ ସେମାନେ ଯେତିକି ଦୂର ଯାଏ ଚିନ୍ତା କରି ପାରୁଛନ୍ତି, ଆମେ ତା’ଠାରୁ ଆହୁରି ଅଧିକ ହେବା ଓ ଆହୁରି ଅଧିକ ସାଧ୍ୟ କରିବା । ସମଗ୍ର ପୃଥିବୀଲାଗି ଏହିଭଳି ଏକ ଗ୍ରନ୍ଥିମୋଚନର ବେଳ ଆସି ପହଞ୍ଚିଛି ବୋଲି ପୃଥିବୀର ଜାତକ ଗଣୁଥିବା ବୈଜ୍ଞାନିକମାନେ ଏବେ କହିବାକୁ ଆରମ୍ଭ କଲେଣି । ଆମେ ସେମାନଙ୍କର ତୁଣ୍ଡକୁ ସତ ବୋଲି ପ୍ରମାଣ କରିବା । କୋଡ଼ିଏ ବର୍ଷର ପିଣ୍ଟୁମାନଙ୍କର ସତକୁ ସତ ନିକଟବର୍ତ୍ତୀ ହୋଇ, ଏକାବେଳକେ ସେମାନଙ୍କର ସାଙ୍ଗଟିଏ ପରି ଯଦି କେହି ସେମାନଙ୍କର ମୁହଁକୁ ଅନାଇବେ, ତେବେ ତାକୁ ନିଶ୍ଚୟ ଏହିଭଳି ଏକ ତପସ୍ଵୀର ଉତ୍ତର ମିଳିଯିବ । ଇଏ ମଧ୍ୟ ଏକ ତପସ୍ୟା, ଗୁଳାରେ ନ ପଡ଼ି ନିଜପାଇଁ ବାଟଟିଏ ତିଆରି କରିବା ଅବଶ୍ୟ ଏକ ତପସ୍ୟା । ସମସ୍ତେ ଗୁଳାରେ ପଡ଼ିବାକୁ ଧାଉଁଥିବା ସମୟରେ ସତକୁ ସତ ପୃଥିବୀର କାମରେ ଲାଗିପାରିବା ନିମନ୍ତେ ନିଜର ବାଟଟିଏ ଖୋଜିବା, —ଏଇଟି ସମ୍ଭବତଃ ଆମ ସାଂପ୍ରତିକ ପୃଥିବୀର ସବୁଠାରୁ ବଡ଼ ତପସ୍ୟା, ଏକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ତପସ୍ୟା । ପିଣ୍ଟୁମାନେ ବର୍ତ୍ତମାନ ସେହି ତପସ୍ୟାରେ ବସିଛନ୍ତି-

 

୨୭ । ୪ । ୯୮

Image

 

ପ୍ରବନ୍ଧକୁ ପୁରସ୍କାର

 

ସମାଜର ସବୁ ମଣିଷ ସାହିତ୍ୟ ପଢ଼ନ୍ତି ନାହିଁ । ଅଧିକାଂଶ ମଣିଷ ସମ୍ଭବତଃ ଗପ ଏବଂ ଉପନ୍ୟାସ ପଢ଼ନ୍ତି । ସଂସାରଯାକର ପିଲାମାନେ କେଡ଼େ ଖୁସି ହୋଇ ଗପଟିଏ ଶୁଣିବା ସକାଶେ ଆସି ଏକଜୁଟ ହୋଇନଯାନ୍ତି ! ବୟସ ବଢ଼ିଲେ ମଧ୍ୟ କେତେ ମଣିଷ ତଥାପି ପିଲାଦିନେ ସତେଅବା କୋଉଠି କ’ଣ ପଛରେ ଛାଡ଼ିଯାଆନ୍ତି କେଜାଣି, ସେମାନେ ସବାଆଗ ଗପ ପଢ଼ିବାକୁ ଆଗଭର ହୋଇ ଆସନ୍ତି । କାଳକାଳରୁ ପୃଥିବୀରେ ଜୀବନକୁ ଏକ ନାଟକ ବୋଲି କୁହାଯାଇ ଆସିଛି । ଏହି ନାଟକରେ ଆମେ ସବୁ ମାତ୍ର କେତେ କ୍ଷଣର ଗୌଣ ଅଭିନେତା ବୋଲି ଇଂଲଣ୍ଡର ସେକ୍‌ସ୍ପିଅର ତାଙ୍କ ଦ୍ଵାରା ଲିଖିତ ଏକ ନାଟକର ନାୟକ ମୁହଁରେ କେଡ଼େ କାରୁଣ୍ୟପୂର୍ଣ୍ଣ ଭାବରେ କୁହାଇଛନ୍ତି ଏବଂ ସେହି ଧାଡ଼ିଗୁଡ଼ିକୁ ପଢ଼ିବାବେଳେ ପାଠକକୁ ମଧ୍ୟ କେଡ଼େ କ’ଣ ପରି ଲାଗିଛି । ଜୀବନରୂପୀ ନାଟକକୁ ସତକୁ ସତ ବୁଝିବା ନିମନ୍ତେ ସାହିତ୍ୟରେ ଲେଖା ହେଉଥିବା ନାଟକ କାହାକୁ କେତେଦୂର ସାହାଯ୍ୟ କରି ପାରିଛି କି ନାହିଁ, ସେକଥା ଅଙ୍ଗେ ନିଭାଇଥିବା ମଣିଷମାନେ ହିଁ କହିପାରିବେ । ଗପର ବପୁ ବଢ଼ି ବଢ଼ି ଆଉ କାଳକ୍ରମେ ଉପନ୍ୟାସର ଆକାର ଧାରଣ କଲା କି-? କେତେ ଗପ ରହିଛି, ଯାହା ଅଳପ ଭିତରେ କହିହୁଏ ଓ ଲେଖିହୁଏ; ମାତ୍ର ଆଉ କେତେକ ଗପ ପୂରା ଘେରାଟିଏ ବୁଲି ଆସି ପାରିବା ନିମନ୍ତେ ବହୁତ ପୃଷ୍ଠା ଦରକାର ହୋଇଥାଏ । ଆମ ସମସ୍ତଙ୍କର ଜୀବନରେ ଘଟଣା ସହିତ ଆହୁରି ଘଟଣା ଛନ୍ଦି ହୋଇ ରହିଥିବା ଭଳି ଗୋଟିଏ ତଥାକଥିତ ଗପଭିତରେ ଆହୁରି କେତେ ଗପ ମଧ୍ୟ ଛନ୍ଦି ହୋଇଥାଏ । ତେଣୁ, କାହାଣୀଟିକୁ ଫେଣାଇବାକୁ ପଡ଼େ, କାହାଣୀର ଚରିତ୍ରମାନଙ୍କୁ ବି ଫେଣାଇବାକୁ ପଡ଼ିଥାଏ । ଏହିପରି ଏକ ପ୍ରକ୍ରିୟା ଭିତରେ ପ୍ରବେଶ କରି ଗପଟିଏ ପରିଚ୍ଛଦ ବଦଳାଇ ଏକ ଉପନ୍ୟାସରେ ପରିଣତ ହୋଇଯାଏ କି ?

 

କବିତା ଓ କାବ୍ୟ ତ ସବାମୂଳରୁ ହିଁ ଥିଲା ଯେତେବେଳେ କୁଆଡ଼େ କିଛି ନଥିଲା, ସେତେବେଳେ କବିତା ଥିଲା କବିମାନେ ଥିଲେ କାଳକ୍ରମେ କବିତାକାରମାନେ ଆବଶ୍ୟକତାରୁ ଅଧିକ ହୋଇଗଲେ କି କ’ଣ କେଜାଣି, କବିତା ଲେଖିବାର ନାନାବିଧ ଶୃଙ୍ଖଳା ବାହାର କରି ପଣ୍ଡିତମାନେ ତତ୍ତ୍ଵପୁସ୍ତକମାନ ଲେଖିଲେ ସମ୍ଭବତଃ ଏକ ସର୍ବମାନ୍ୟ ବାଗ ତଥା ବାଡ଼ର ବନ୍ଧନୀମାନ ବସାଇ ଦେଲେ ତାହାକୁ ସେକାଳରେ ରୀତି ବୋଲା କୁହାଗଲା ଭାବମାନେ ସୂତ୍ରର ଶାସନ ମାନି ଆପଣାକୁ ବ୍ୟକ୍ତ କରିବା,—ତାହାହିଁ ରୀତି, ଭାରତୀୟ ସାହିତ୍ୟରେ ଗୋଟାଏ ନିର୍ଦ୍ଦିଷ୍ଟ ଯୁଗକୁ କ’ଣ ବିଚାରି ରୀତିର ଯୁଗ ବୋଲି କୁହାଯାଇଛି କେଜାଣି ? ଓଡ଼ଶାର ଏହି ଯୁଗଟି ଚାତୁର୍ଯ୍ୟରେ ଭାରତୀୟ ଆଉସବୁ ଭାଷାର ସଜାତୀୟ ଯୁଗଟିକୁ ଟପି ଯାଇଥିଲା ବୋଲି ମଧ୍ୟ ଏକ ଦୃଢ ମତ ରହିଛି ପ୍ରାଚୀନ ଯୁଗରେ ସାହିତ୍ୟ କହିଲେ ଖାଲି କାବ୍ୟ ଓ କବିତାକୁ ବୁଝାଉଥିଲା ଗଦ୍ୟରେ ଲୋକେ ଜୀବନ ବଞ୍ଚୁଥିଲେ ଓ ପରସ୍ପର ସହିତ ଦୁଃଖସୁଖ ବି ହେଉଥିଲେ ସାହିତ୍ୟ ଏକ ଶୁଦ୍ଧ ସାଧନା ହୋଇଥିବାରୁ ଜୀବନର ଦୈନନ୍ଦିନ ଅଶୁଦ୍ଧି ଗୁଡ଼ାକରୁ ତାହାକୁ ନିରାପଦ ରଖିବା ନିମନ୍ତେ ସମ୍ଭବତଃ ସେପରି ଗୋଟିଏ ନିଷେଧ ରଖାଯାଇଥିଲା ଭାରତରେ କାବ୍ୟରେ ବ୍ୟବହୃତ ଭାଷାକୁ ଏପରି କୌଣସି କାରଣରୁ ଗୀର୍ବାଣ ଭାଷା, ଦେବଭାଷା ଏବଂ ତଦନୁରୂପ ଆଉସବୁ ଉଲୁଗୁଣା ଦେଇ ଅଲଗା କରି ରଖା ଯାଇଥିଲା ବହୁ କଷ୍ଟରେ ସିନା କଥିତ ଭାଷାଟା ସାହିତ୍ୟର ଭାଷା ହୋଇ ପାରିବା ଲାଗି ଅନୁମତି ଲାଭ କଲା କଥିତ ଭାଷା ଆସୁ ଆସୁ ଗଦ୍ୟ ବି ଆସି ପହଞ୍ଚିଗଲା ଗଦ୍ୟ ଆସିବା ପରେ ସାହିତ୍ୟର ଆୟତନଟି ଅଧିକ ଗ୍ରହଣଶୀଳ ଓ ଅଧିକ ସ୍ପୃଶ୍ୟ ହେବାର ଅଭିଳାଷ କରିପାରିଲା ସଭା ଛାଡ଼ି ଜୀବନ ଭିତରକୁ ଆସିଲା, ପ୍ରଶସ୍ତିର ଆଦ୍ୟ ପର୍ଯ୍ୟାୟଟିକୁ ଛାଡ଼ି ସମୀକ୍ଷାରେ ସ୍ତରକୁ ଆସିଲା ତୁଚ୍ଛା ପୁଲକର ସ୍ତରକୁ ଛାଡ଼ି ବିଶ୍ଵ-ଅବଲୋକନର ସ୍ତରରେ ପ୍ରବେଶ କଲା

 

କାବ୍ୟ ଓ କବିତା ପୁରସ୍କୃତ ହେବାର ପରମ୍ପରାଟି, —ଏଇଟି ସେଇ ସେକାଳର ରାଜାମାନଙ୍କର ଅମଳର କଥା । ରାଜାଙ୍କଠାରୁ ପୁରସ୍କାର ଲାଭ କରିବା, ସେତେବେଳର ତରାଜୁରେ ତାହା ସତେଯେପରି ଏକ ଅହୋଭାଗ୍ୟ ଭଳି ବିବେଚିତ ହେଉଥିଲା । ସେନାପତି ଶତ୍ରୁକୁ ଜୟକରି ଆସିଲେ ରାଜା ତାକୁ ପୁରସ୍କାର ଦେଉଥିଲେ, ନୃତ୍ୟନିପୁଣା ବାରାଙ୍ଗନାଟି ଆପଣାର ନୃତ୍ୟ ପ୍ରଦର୍ଶନ ଦ୍ଵାରା ରାଜାଙ୍କୁ ବିଶେଷ ପ୍ରକାରେ ମୁଗ୍ଧ କରି ପାରିଲେ ତତ୍କାଳ ତାଙ୍କଠାରୁ ପୁରସ୍କାର ପାଉଥିଲା । ମୁଗ୍ଧ ରାଜା ସ୍ଥାନକାଳ ଭୁଲି ଅନେକ ସମୟରେ ନିଜ ଗଳାରୁ ଅଥବା ବାଜୁବନ୍ଧରୁ ମୁକ୍ତାମାଳ ବାହାରକରି ନୃତ୍ୟରତା ନାରୀଟି ଆଡ଼କୁ ଫିଙ୍ଗି ଦେଉଥିଲେ । ପରିବେଶଟି ଏକ ବିଶେଷ ଅନୁକମ୍ପା ଏବଂ ବିଶେଷ ଅନୁଗ୍ରହଲାଭର ଉଷ୍ମତାରେ ସେହି କେତେ ମୂହୁର୍ତ୍ତ ନିମନ୍ତେ ଉତ୍ତେଜିତ ହୋଇ ଉଠୁଥିଲା । ସଭାକବିଙ୍କର ରଚିତ ଶ୍ଳୋକଟିଏ ଶ୍ରବଣ କରି ସ୍ଵୟଂ ରାଜା ଆଗଭର ହୋଇ ଆସି କବିଙ୍କର ଗଳାରେ ନିଜର ମୁକ୍ତାହାରଟିକୁ ଲମ୍ବାଇ ଦେଉଥିବାରୁ ଦୃଷ୍ଟାନ୍ତ ମଧ୍ୟ ସେହି ପରମ୍ପରାରେ ଆଦୌ ବିରଳ ନଥିବ । ସେହି ରୀତିଟିକୁ ଅଧିକ ଗରିମା ଦେଇ ସଭାକବିମାନେ ଆଉ ରାଜାଙ୍କର ଭଳି ଭଳି ପ୍ରଶସ୍ତି ଗାଇବାରେ କ୍ରମେ ଅଧିକ ମନ ଦେଲେ କି ? ସେମାନେ ରାଜାଙ୍କୁ କେତେ କେତେ ଆଳଙ୍କରିକତା ଦ୍ଵାରା ପୃଥୁଳ କରି କବିତାମାନ ମଧ୍ୟ ଗାନ କଲେ । ଯିଏ ଅଧିକ ପରିମାଣରେ ସେହି କଳାଟିକୁ ଆୟତ୍ତ କରି ପାରିଲା, ସିଏ ଅଧିକ ମାନ ପାଇଲା ଏବଂ, ହୁଏତ ସେହି ନହସରେ ପଡ଼ି ଯିଏ ରାଜାଙ୍କ ଦ୍ଵାରା ଅଧିକ ପରିମାଣରେ ସମ୍ମାନିତ ହେଲା, ତାହାକୁ ନିୟମସିଦ୍ଧ ଭାବରେ ସମ୍ପୃକ୍ତ ସକଳେ ସମସ୍ତଙ୍କ ଠାରୁ ବଡ଼ କରି ବୋଲି ସ୍ଵୀକୃତି ଦେଲେ । ସଭା ବାହାରେ ସମ୍ଭବତଃ ସେହି ରୀତିଟିର ବେଳେ ବେଳେ ପ୍ରତିବାଦ ମଧ୍ୟ ହୋଇଥିବ । ଗୋଟିଏ ନିର୍ଦ୍ଦିଷ୍ଟ କାଟର କବିମାନେ, ଯେଉଁମାନେ ରାଜାମାନଙ୍କ ଅପେକ୍ଷା କବିତାକୁ ହିଁ ଅଧିକ କାମ୍ୟ ବୋଲି ଅନୁଭବ କରୁଥିବେ, ମୁଖ୍ୟତଃ ସେହିମାନେ ଅପ୍ରସନ୍ନ ହୋଇଥିବେ । ଇଂଲଣ୍ଡର କବି ୱାର୍ଡସ୍‌ୱାର୍ଥ୍ ରାଜକବି ବୋଲି ଘୋଷିତ ହେବା ପରେ ସମକାଳୀନ ଆଉ ଜଣେ କବି ଗଭୀର ଶ୍ଲେଷ ଏବଂ ଖେଦ ପ୍ରକାଶ କରି ଯେଉଁ କବିତାଟି ଲେଖିଥିଲେ, ସେଇଟି ଆମ ଆଗରେ ମଧ୍ୟ ଏକ ନଜିର ହୋଇ ରହିଛି ।

 

ମୋଗଲ ସାମ୍ରାଜ୍ୟ ଭାଙ୍ଗିଯିବା ପରେ କେତୋଟି ସାନ ସାନ ଥାନରେ ଦରବାର ଜମାଇ ନବାବମାନେ ମୋଗଲିଆ ମିଜାଇ ସହିତ ଯେଉଁ ମହକୁମାମାନ ବସାଇଲେ, ସେଥିରେ ରାଜାନୁଗ୍ରହର ପ୍ରଦର୍ଶନଗୁଡ଼ିକ ସତେଅବା ଅଧିକ ଆଡ଼ମ୍ବର ସହିତ ହେବାରେ ଲାଗିଥିଲା । ଗଜଲ ଗୀତ ଏବଂ କଥକ ନୃତ୍ୟ, —ଏଗୁଡ଼ିକ ସେହି ମହକୁମା ଗୁଡ଼ିକର ଗୋଟିଏ ଗୋଟିଏ ଅବଦାନ । ଓଡ଼ିଶାର ମୂଳ ସାମ୍ରାଜ୍ୟଟି ଭାଙ୍ଗି ଯେତେବେଳେ ଚୂନା ଚୂନା ହୋଇଗଲା, ସେତିକି ବେଳର ଏକ ଅତି କ୍ଷୁଦ୍ର ସଭାର କବି ଆମପାଇଁ କବିସୂର୍ଯ୍ୟ ନାମରେ କାଳକାଳକୁ ବିଖ୍ୟାତ ହୋଇ ରହିଲେ । ସଂସ୍କୃତର ପାଟଫୁଲି ପିନ୍ଧାଇ ବକଟେନାକର ଆଠଗଡ଼ ରାଜ୍ୟଟାକୁ ସିଏ କେଡ଼େ ମର୍ଯ୍ୟଦା ଦେଇ ଅଷ୍ଟଦୁର୍ଗ ବୋଲି କହିଲେ, ଖାଦ୍ୟୋତପ୍ରାୟ ତାଙ୍କର ଅନୁଗ୍ରହକାରୀ ରାଜାଙ୍କୁ ଅତିକଥନର ପୁଟ ଦେଇ ଇନ୍ଦ୍ରଙ୍କ ଠାରୁ ବି ଅଧିକ ପ୍ରତାପଶାଳୀ ବୋଲି ବର୍ଣ୍ଣନା କଲେ ଏବଂ ତାଙ୍କର ରୂପକୁ ଏକାବେଳକେ ଏକାଧିକ କନ୍ଦର୍ପଙ୍କର ଦେହଶିରୀ ଠାରୁ ଅଧିକ କାନ୍ତିଯୁକ୍ତ ବୋଲି ବଖାଣି ପାରିଲେ–ତେବେ ସିନା ସେ କବିସୂର୍ଯ୍ୟ ହୋଇପାରିଲେ । କବିସୂର୍ଯ୍ୟଙ୍କ ଭିତରେ ଚାପିହୋଇ କେଉଁଠି କବିଟିଏ ମଧ୍ୟ ତଥାପି ରହିଥିଲା, ଯିଏକି ଏକ ସମୟରେ ଏସବୁ କାରିଗରିକୁ ନିରର୍ଥକ ବୋଲି ହୃଦୟଙ୍ଗମ କରିଥିଲା । ମାତ୍ର ସେତେବେଳକୁ ଆଉ ଧିସା ବଦଳାଇବା ପାଇଁ ଅଧିକ ସମୟ ନଥିଲା ଓ ତେଣୁ ସିଏ କାଳକାଳକୁ ଆମମାନଙ୍କ ପାଇଁ ସେଇ କବିସୂର୍ଯ୍ୟ ହୋଇ ରହିଗଲେ । ତାଙ୍କର ଅସଲ ମାର୍ମିକତାଟି ହୁଏତ ସିଏ ଗଢ଼ିଥିବା କାବ୍ୟସୌଧର ମରକତଗୁଡ଼ାକ ତଳେ ପୋତି ହୋଇ ରହିଗଲା । ସାହିତ୍ୟରେ ସେହି କାଳରେ ରାଜାନୁଗ୍ରହର ଯେଉଁ ଚଳଣିଟିଏ ଥିଲା, ସେଇଟି ଆମ ଏବର ସାହିତ୍ୟ-ସ୍ଵୀକୃତିର ଅଳିନ୍ଦ ଭିତରକୁ ଆସି ପୁରସ୍କାର ରୂପେ ପରିଚିତ ହେଲା କି ? ସେକାଳର ରାଜାମାନେ ନାହାନ୍ତି, ତେଣୁ ରାଜାମାନଙ୍କର ସେହି ସଭାଗୁଡ଼ାକ ମଧ୍ୟ ଆଉ କାହିଁକି ବା ରହିଥାନ୍ତା ? ମାତ୍ର ଏବେ ସେହି ଧାତୁର ମିଜାଜଟା କିଛି କିଛି ଅଂଶରେ ଅବଶ୍ୟ ରହିଛି । ଏବେ କେହି କେହି ଏହାକୁ ପୂଜ୍ୟପୂଜା ନାମରେ ଚଳାଇଲେଣି । ଭାରତ ତଥା ରାଜ୍ୟ ସରକାରଙ୍କର ଏକାଡେମୀମାନେ ସମ୍ଭବତଃ ଏହି କ୍ଷେତ୍ରରେ ପୁରୋଧା ହୋଇ କାର୍ଯ୍ୟ କରିଛନ୍ତି ।

 

ପଛକୁ ଅନାଇ ଦେଖିଲେ ଆମକୁ କିଞ୍ଚିତ ବିଚିତ୍ର ଲାଗିବ ସିନା, ମାତ୍ର ସତ କଥା ହେଉଛି ଯେ ସେହି ପ୍ରଥମ କାଳରେ ସବୁଯାକ ପୁରସ୍କାର ପ୍ରାୟ କବି ଓ କଥାକାରମାନଙ୍କୁ ଦିଆଯାଇଛି । ଏପରିକି କୌଣସି ପୁରସ୍କାର ପାଇବା ଉଚିତ ସମ୍ପୃକ୍ତ ଦସ୍ତରମାନଙ୍କୁ ଯେତେ ବହିର ନାମ ପ୍ରସ୍ତାବିତ ହୋଇ ଆସିଛି, ତାହାର ଆଠ ଭାଗରୁ ସାତ ଭାଗ ବା ତା’ଠାରୁ ଆହୁରି ଅଧିକ କବିତା, ଗପ କିମ୍ବା ଉପନ୍ୟାସ ଅବଶ୍ୟ ହୋଇଥିବ । ତାହାର କାରଣ ଅତ୍ୟନ୍ତ ସ୍ପଷ୍ଟ । ଏବେ ମଧ୍ୟ ସାହିତ୍ୟ କହିଲେ ଅଧିକାଂଶ ମନୁଷ୍ୟ ସବାଆଗ କବିତା, ଗପ ଏବଂ ଉପନ୍ୟାସକୁ ସ୍ମରଣ କରନ୍ତି । ହୁଏତ ଏକ ବୃହତ ସଂଖ୍ୟାର କବି, ଗଳ୍ପକାର ଏବଂ ଔପନ୍ୟାସିକମାନେ ମଧ୍ୟ ସେହିପରି ବିଚାର କରନ୍ତି । ପୂର୍ବର ସେହି ସଂସ୍କାରଟା ଆମ ସାହିତ୍ୟମଞ୍ଚର ପରିମଳଗୁଡ଼ିକୁ ଆବୋରି ରହିଥିବାରୁ ସମ୍ଭବତଃ ସେଭଳି ହୋଇଥାଏ । ତେଣୁ ବାବୁ, ପୁରସ୍କାର ପାଇବାକୁ ମନ, ତେବେ କବିତା ଲେଖ, ଗପ ଲେଖ ଏବଂ ଉପନ୍ୟାସ ଲେଖ । ହୁଏତ ତୁମ ଭାଗରେ ବି କିଛି ପଡ଼ିବ । ତୁମେ ସୃଜନାତ୍ମକ ହୁଅ । ଏଣେତେଣେ ଆଦୌ ମନ ଦିଅନାହିଁ । ସର୍ଜନାତ୍ମକ ସାହିତ୍ୟ କହିଲେ ଏବେ ମଧ୍ୟ କେତେ କେତେ ବିଜ୍ଞବ୍ୟକ୍ତି ଗପ, ଉପନ୍ୟାସ ଓ କବିତାକୁ ବୁଝନ୍ତି । ବିଚରା ପ୍ରବନ୍ଧକାର ଅନ୍ୟ କୁଳର ବୋଲି ବିବେଚିତ ହୁଏ । ସମସ୍ତେ ସର୍କସ ଦେଖି ଯାଆନ୍ତି ଜନ୍ତୁମାନଙ୍କୁ ଦେଖିବାକୁ ଏବଂ ଖେଳାଳିମାନଙ୍କର ଖେଳ ଦେଖିବାକୁ । ପୁଞ୍ଜାଏ କି ଛଅଟା ଜୋକର ମଧ୍ୟ ସେମାନଙ୍କ ସହିତ ରହିଥାଆନ୍ତି । ସର୍କସ ଭିତରେ କେଇଟା ଜୋକର ଅବଶ୍ୟ ରହିବେ, ଏଇଟା ସବାଆଗ କିଏ ଉଦ୍ଭାବନ କରିଛି କେଜାଣି-? ସାହିତ୍ୟ ଭିତରେ ମେଳା ମେଳା କବି, ଗଳ୍ପଲେଖକ ଓ ଉପନ୍ୟାସକାରଙ୍କ ଭିତରେ ଜଣେ ଜଣେ ପ୍ରବନ୍ଧ-ଲେଖକ ଥିବେ, ସାହିତ୍ୟ ଭିତରକୁ ଏଭଳି ବିଧାନଟିଏ ବିଧାତା କାହିଁକି ଏ ଯୁଗରେ ଆଣି ପୂରାଇଛି କେଜାଣି ?

 

ଓଡ଼ିଶା ସରକାରଙ୍କ ଏକାଡେମୀରେ ପ୍ରଥମେ ସାହିତ୍ୟରେ ଗୋଟାଏ ପୁରସ୍କାର ଦିଆଯାଉଥିଲା । ଆଶାୟୀ ଓ ପ୍ରାର୍ଥୀ ଅନେକ ହେଲେ, ତେଣୁ ପୁରସ୍କାର ଏକରୁ ଅନେକ ହେଲା । ଅଲଗା ଅଲଗା ବିଭାଗ ପାଇଁ ଅଲଗା ଅଲଗା ପୁରସ୍କାରର ବରାଦ ହେଲା । ତଥାପି ଲକ୍ଷ୍ୟ କରିବାର ବିଷୟ, ଏହି କ୍ରମରେ ମଧ୍ୟ ପ୍ରବନ୍ଧର ପାଳି ସବା ଶେଷରେ ଯାଇ ପଡ଼ିଲା । ସମ୍ଭବତଃ ଏଭଳି ଘଟିଲା ଯେ, ଗପ, କବିତା ଓ ଉପନ୍ୟାସ ଲେଖୁଥିବା ଆଜ୍ଞାମାନେ ସବୁ ପୁରସ୍କାର ପାଇ ଯାଉଥିଲେ । ପ୍ରବନ୍ଧ ଲେଖୁଥିବା କେତେ ଅନ୍ୟମାନେ ହୁଏତ ସେଇଥିରୁ ପ୍ରମାଦ ଗଣିଲେ । ସେମାନେ ଆଶଙ୍କା କଲେ ଯେ, ଏପରି ଚିତ୍ତବିଦାରଣକାରୀ ଭାବରେ ବର୍ଷକୁ ବର୍ଷ ଅନ୍ୟମାନେ ପୁରସ୍କାର ଗୁଡ଼ିକୁ ହାସଲ କରି ନେଉଥିବେ, ପ୍ରବନ୍ଧନାମକ କନିଷ୍ଠାଟି ହାତରେ ହୁଏତ କେବେହେଲେ ଆଦୌ କିଛି ବି ପଡ଼ିବ ନାହିଁ । ସେମାନେ ଆପତ୍ତି କଲେ, ବିତର୍କରେ ବସିଲେ ଏବଂ ପ୍ରବନ୍ଧ ନିମନ୍ତେ ସ୍ଵତନ୍ତ୍ର ପୁରସ୍କାର-ବିଭାଗଟିଏ ବର୍ଷ ନିଶ୍ଚୟ ରହିବ ବୋଲି ଲେଖାଇ ନେବା ପରେ ଯାଇ ଆଶ୍ଵସ୍ତ ହେଲେ । ଓଡ଼ିଶାରେ ପୁରସ୍କାର ପ୍ରଦାନ କରୁଥିବା ଯେଉଁ ଅନ୍ୟ ମହକୁମାମାନେ ରହିଛନ୍ତି, ସେସବୁ ଥାନରେ ମଧ୍ୟ ପ୍ରବନ୍ଧର କଥା ବିଚାର କରାଗଲାଣି । ପ୍ରବନ୍ଧ କହିଲେ ମୂଳତଃ ସମୀକ୍ଷାକୁ ବୁଝାଇବ । କବିତା, ଗପ, ନାଟକ, ଉପନ୍ୟାସ, —ଏହି ସବୁକିଛି ମଧ୍ୟ ଧର୍ମତଃ ଗୋଟିଏ ସମୀକ୍ଷାର ନମୁନା । ଜୀବନ ହେଉଛି ହେଉଛି ସେହି ସମୀକ୍ଷାତ୍ମକତାର ସର୍ବସାମାନ୍ୟ କ୍ଷେତ୍ର । ଜଣେ କବି, ଗଳ୍ପକାର ବା ଉପନ୍ୟାସ–ଲେଖକ ସମୀକ୍ଷକ ହୋଇପାରେ, ନହୋଇପାରେ । ଅନେକ ସମୟରେ ଏମାନେ ଆଦୌ କୌଣସି ସମୀକ୍ଷା କରୁଛନ୍ତି ବୋଲି ସଚେତନ ନଥାନ୍ତି, —ନିତାନ୍ତ ଅଚେତନ ଭାବରେ ସମୀକ୍ଷା ଭିତରେ ପଶିଯାଇଥାଆନ୍ତି । ପ୍ରବନ୍ଧକାରକୁ ସଚେତନ ଭାବରେ ହିଁ ସମୀକ୍ଷା ଭିତରକୁ ଯିବାକୁ ହୁଏ । ଏବଂ ସବାଆଗ ନିଜ ଭିତରକୁ ନଅନାଇଲେ ବାହାର ପୃଥିବୀଟାର ଏବଂ ସେହି ପୃଥିବୀର ସାହିତ୍ୟ ଭିତରେ ଚଲାବୁଲା କରୁଥିବା ଅସ୍ତିତ୍ଵମାନଙ୍କର ମଧ୍ୟ ସିଏ କୌଣସି ସମୀକ୍ଷା କରି ପାରିବ ନାହିଁ । ପ୍ରଜାପତିମାନଙ୍କୁ ବୁଝି ପାରିବ ନାହିଁ । ସମ୍ଭବତଃ ଏଇଟି ମଧ୍ୟ ଗୋଟିଏ କାରଣ, ଯେଉଁଥି ପାଇଁ ସାହିତ୍ୟ ଭିତରକୁ ପ୍ରବନ୍ଧ ସବାଶେଷରେ ଆସିଛି ।

 

ସମୀକ୍ଷାର ମାର୍ଗ ଅର୍ଥାତ୍ ଜିଜ୍ଞାସାର ମାର୍ଗ । ବ୍ରହ୍ମକୁ ମାନିନେବା ଆଗରୁ ତାହା ‘ଅଥାତୋ ବ୍ରହ୍ମଜିଜ୍ଞାସା’ ବୋଲି ଅବକାଶଟିଏ ସୃଷ୍ଟି କରିଥାଏ । ଆଧୁନିକ ପୃଥିବୀରେ ଏହି ଜିଜ୍ଞାସା ହେଉଛି ରାଜା, ଜିଜ୍ଞାସା ହେଉଛି ମୂଳ । ପ୍ରବନ୍ଧ ଗୋଟାକୁ କାଟିଦେଇ ଆଉଗୋଟାକୁ ଅନ୍ଧଭାବରେ, ଉଗ୍ର ଭାବରେ ଜାହିର କରେ ନାହିଁ । ପ୍ରବନ୍ଧ ଯାବତୀୟ ଅଳପ ଭିତରୁ ସତେଅବା ଏକ ଅଧିକ ଆଡ଼କୁ, ଗଭୀରତର ଏବଂ ବୃହତ୍ତର ଆଡ଼କୁ ଜାଗରୁକ ନେବାକୁ ଚେଷ୍ଟା କରୁଥାଏ । ପୃଥିବୀରେ ତୁଚ୍ଛା ଅଳପଗୁଡ଼ାକୁ ସତ୍ୟ ବୋଲି ଘୋଷଣା କରି ମଣିଷମାନେ ଯେ ରାଜା ହେବାକୁ ମନ କରିଛନ୍ତି–ପ୍ରବନ୍ଧ ସତେଅବା କାନ୍ଧ ଉପରେ ହାତକୁ ରଖି ଜଣେ ବନ୍ଧୁ ପରି ତାହା ଦର୍ଶାଇବାକୁ ଇଚ୍ଛା କରିଥାଏ । ପୃଥିବୀରେ କୌଣସି ବାଟ କେବେ ସରେନାହିଁ । ସବା ଶେଷ ପାହାଚରେ ଆସି ଆମେ ପହଞ୍ଚିଗଲୁ ବୋଲି କହି କିଏ ଦେଉଲଟାଏ ଗଢ଼ି ଧ୍ଵଜାଟାଏ ଉଡ଼ାଇଦିଏ, ଶବ୍ଦର କୁହାଟ ମାରି ସିଏ କେତେ ଫୁଲାଇ ହୁଏ । ତୁଚ୍ଛା ପିତୁଳାମାନଙ୍କୁ ପରମାସ୍ପଦ ବୋଲି ଘୋଷଣା କରେ । ସାହିତ୍ୟରେ ଠିକ୍ ସେହି ଥାନରେ ପ୍ରବନ୍ଧ ଆସି ଆହୁରି ପ୍ରସାରଣ ସମ୍ଭବ ବୋଲି ଏକ ଚେତାବନୀ ଦେଇଯାଏ । ପ୍ରବନ୍ଧକୁ ହୁଏତ ସେହି କାରଣରୁ ଅନେକ ମଣିଷ ନାକ ଟେକନ୍ତି । ଭାବପ୍ରବଣ ହୋଇ ନିଜର ଡିହଟିକୁ ସମ୍ପୂର୍ଣ୍ଣ ପୃଥିବୀ ବୋଲି କହି ପୁଲକିତ ହେଉଥିବା ପର୍ଯ୍ୟନ୍ତ ପ୍ରବନ୍ଧକୁ ଭୟକରୁଥିବା ପ୍ରକୃତରେ ଏକାଧିକ କାରଣ ରହିଥାଏ । ଅତୀତର ସମାଜମାନେ, ଧର୍ମମାନେ ଏବଂ ବିଚାରମାନେ ପରସ୍ପର ଠାରୁ ଏତେ ବେଶୀ ଅସଂଲଗ୍ନ ହୋଇ ରହିଥିଲେ ଯେ, ମଣିଷମାନଙ୍କୁ, ମଣିଷମାନଙ୍କର ଯାବତୀୟ ଅନ୍ଵେଷଣକୁ ସେମାନେ ପ୍ରାୟ ନିୟମତଃ ଏକ ନିର୍ବୋଧତା ବୋଲି କହୁଥିଲେ । ପୃଥିବୀ ବଡ଼ ହେଲା, ମଣିଷମାନେ ଖାଲି ବାହାରେ ନୁହେଁ, ନିଜର ଭିତରେ ମଧ୍ୟ ଏକ ବୃହତ୍ତର ପରିଚୟ ଲାଭ କଲେ; ତା’ପରେ ଯାଇ ସାହିତ୍ୟକୁ ପ୍ରବନ୍ଧର ଆଗମନ ଘଟିଲା । ପାରମ୍ପରିକ କାଳର ଦ୍ଵିପଗୁଡ଼ିକୁ ଭାଙ୍ଗି ଦେବାରେ ପ୍ରବନ୍ଧ ନିମିତ୍ତବତ୍ କାର୍ଯ୍ୟ କଲା ।

 

ତେଣୁ ଭାରି ଭଲ ହେଲା, ପ୍ରବନ୍ଧ ପୁରସ୍କାର ପାଇଲା । ସତେଅବା ସମ୍ପୃକ୍ତ ସମସ୍ତଙ୍କ ଠାରୁ ସ୍ଵୀକୃତିଟିଏ ଲାଭକଲା । ଓଡ଼ିଶାରେ ଗତ ପ୍ରାୟ ପଚାଶ ବର୍ଷ ହେଲା ପ୍ରଧାନତଃ ଗୁମ୍ଫାଧର୍ମୀ ଜୀବନ-ଉଦାସୀମାନେ ହିଁ ସାହିତ୍ୟଘରେ ଭଣ୍ଡାର-ଘରିଆଣୀ ହୋଇ ରହିଥିଲେ । ସାହିତ୍ୟକୁ ଜୀବନ ଠାରୁ ଅଲଗା ବୋଲି କହି ଥୋକେ ଲେଖକ ସତେଅବା ଜୀବନର ଅସଲ ଚାହାଳୀମାନଙ୍କରୁ ପଳାଇ ଯାଇ କାବ୍ୟିକତା ତଥା ଗାଳ୍ପିକତାର ଉତ୍ସବ କରିବାରେ ଲାଗିଥିଲେ । ବେଳେ ବେଳେ ତୁଚ୍ଛା ଦୈତ୍ୟମାନେ ବେକରେ ଫୁଲହାରଟିଏ ଗଳାଇ ଦେଇ ଓ କପାଳରେ ଟୋପାଏ ଚନ୍ଦନ ମାରିଦେଇ ସାହିତ୍ୟ ନାମକ ସଭାରେ ଆସି ରୁଣ୍ଡ ହୋଇ ଯାଉଥିଲେ ଓ ଅତ୍ୟନ୍ତ ଅସାହିତ୍ୟକ ଭାବରେ ହମ୍ବାରଡ଼ି ଦେଉଥିଲେ । ସେଇ ଆଗପରି ସେମାନେ ଆମ ସାହିତ୍ୟକୁ ସଭାଘରର ଏକ ସୂକ୍ଷ୍ମ ତାମସା ପରି ବ୍ୟବହାର କରୁଥିଲେ । ନିଜ ଆଠପହରୀ ଜୀବନର କେତେ କେତେ ଆତ୍ମକାମୀ ଅତୃପ୍ତିକୁ ସେମାନେ ସାହିତ୍ୟ ଦ୍ଵାରା ତୃପ୍ତ କରିବାକୁ ଚେଷ୍ଟା କରୁଥିଲେ । ଆମ ଚତୁର୍ଦ୍ଦିଗରେ ଆହ୍ଵାନମାନେ ଛିଡ଼ାହୋଇ ରହିଥିବାବେଳେ ସେମାନେ ଜୀବନଟା wasteland ହୋଇଗଲାଣି ବୋଲି ଚିତ୍କାର କରୁଥିଲେ । ନିଜର ଆତ୍ମାକୁ ସତେଅବା ଏକ ସଉକରେ ହଜାଇ ଦେଇ ନୂଆ ନୂଆ ଶୈଳୀରେ ବହକାଲିଆ ମାରୁଥିଲେ । କେବଳ ଆପଣା ବ୍ୟତୀତ ଆଉ କାହାକୁ ହେଲେ ଦେଖିପାରୁ ନଥିଲେ ବୋଲି ଏକ ମିଛ ବିହ୍ଵଳତାରେ ପୃଥିବୀରେ ମଣିଷମାନେ ହଠାତ୍ ନିଃସଙ୍ଗ ହୋଇଗଲେଣି ବୋଲି ଭାରି ଫଁ ଫଁ ହୋଇ କହୁଥିଲେ । ଠିକ୍ ଏତିକିବେଳେ ହିଁ ପ୍ରବନ୍ଧକୁ ସମସ୍ତେ ଅପେକ୍ଷା ରଖିଥାନ୍ତି । ସବୁ ନାହିଁ ନାହିଁ ଭିତରେ ଅଛି ଅଛିର ନିର୍ଭରଟିଏ ଯୋଗାଇ ଦେବା ପାଇଁ ପ୍ରବନ୍ଧକୁ ଆସିବାକୁ ପଡ଼େ । ଅସଲ ପ୍ରବନ୍ଧ ସତେଅବା କିରି କିରି ହୋଇ ହସି ହସି ଚଳନ୍ତି ସଭାମାନଙ୍କରେ ଶାନ୍ତିଭଙ୍ଗ କରିବାକୁ ଆସେ । ଜୀବନ ହେଉଛି ଯାବତୀୟ ସଖ୍ୟଭାବନାର ଏକ ଅନ୍ୟ ନାମ-ସାହିତ୍ୟ ଭିତରେ ସେହି ଶାଶ୍ଵତ କଥାଟିକୁ ଉଚାରଣ କରି ଅଭ୍ୟସ୍ତ ପବନ ଗୁଡ଼ାକର ଗଉଁ ଭାଙ୍ଗି ଦେବାକୁ ପ୍ରବନ୍ଧର ଆଗମନ ହୁଏ । ଏବଂ ଯେଉଁ ସମାଜ ପ୍ରବନ୍ଧକୁ ପୁରସ୍କୃତ କରେ, ସେହି ସମାଜ ପ୍ରତି ତା’ର ଅନେକ କର୍ତ୍ତବ୍ୟ ରହିଛି ବୋଲି ପ୍ରବନ୍ଧର ହୃଦବୋଧ ହୋଇଯାଏ ।

 

୦୪ । ୦୫ । ୯୮

Image

 

ତୁଚ୍ଛା ଶୋଭା ପାଇବାକୁ

 

ଏହି ଲେଖାଟି ଲେଖିବାକୁ ଗଲାବେଳେ ଆରମ୍ଭରୁ ହିଁ ଗୌରୀଭାଇଙ୍କର କଥା ମନେ ପଡ଼ିଯାଉଛି । ଗୌରୀ ଭାଇ ଅର୍ଥାତ୍ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ଦାସ । ଗ୍ରାମ ବାଗଲପୁର । ବାଗଲପୁର ଆମ ନିଜ ଗାଆଁ । ଶ୍ରୀଯୁକ୍ତ ଗୌରାଙ୍ଗ ଦାସ ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଜଣେ ସମର୍ପିତ ଯୋଦ୍ଧା ଥିଲେ । ନେତା ନ ଥିଲେ, ଯୋଦ୍ଧା ଥିଲେ । ନେତାମାନେ ତ ବାଜପକ୍ଷୀ ପରି ଉପରୁ ଆସି ପଡ଼ନ୍ତି । ଆସନଗୁଡ଼ିକୁ ସେହିମାନେ ଦଖଲ କରି ନିଅନ୍ତି । ନିଜକୁ ବଡ଼ରୁ ଆହୁରି ବଡ଼ କରନ୍ତି । ଦେଶକୁ ଧୋକା ଦିଅନ୍ତି । ଗୌରୀଭାଇ ସର୍ବଦା ତଳୁ ଯାହାକିଛି କରୁଥିଲେ । ଗାଆଁ ଗାଆଁ ବୁଲି ଚାଷୀମୂଲିଆଙ୍କୁ ସଂଗଠିତ ଅର୍ଥାତ୍ ସଚେତନ କରୁଥିଲେ । ଭାରତବର୍ଷରୁ ଇଂରେଜ ଶାସନ ହଟିବ, ଦେଶ ସ୍ଵାଧୀନ ହେବ, ଶୋଷଣ ଯିବ ଏବଂ ଚାଷୀମୂଲିଆଙ୍କର ମୂଲକ ହେବ ବୋଲି କହୁଥିଲେ । ନିଜ ଗାଁରେ ମଧ୍ୟ ସିଏ ସେତେବେଳେ ଇସ୍କୁଲରେ ପଢ଼ୁଥିବା ଆମ ପିଲାମାନଙ୍କୁ ଦେଶ ତଥା ସମାଜ ବିଷୟରେ ଏକ ନୂତନ ଭାବଧାରା ଦ୍ଵାରା କମ୍ ଉଦବୁଦ୍ଧ କରିନଥିଲେ । ଗୋଟାସୁଦ୍ଧା ସବାତଳ ମଣିଷର ଭାଷାରେ ସବୁ କିଛି କହୁଥିଲେ । ସବାତଳ ମଣିଷମାନଙ୍କର ଆଖିରେ ଦେଶ ଓ ତା’ର ଭବିଷ୍ୟକୁ ଦେଖି ପାରୁଥିଲେ । ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହଠାରୁ ଆରମ୍ଭ କରି ୧୯୪୨ ର ଭାରତ ଛାଡ଼ ଆନ୍ଦୋଳନ ପର୍ଯ୍ୟନ୍ତ ଗୌରୀଭାଇ ସବୁଥିରେ ଯୋଗ ଦେଇଥିଲେ, ବହୁବାର ଜେଲ୍ ଯାଇଥିଲେ । ଢେଙ୍କାନାଳ ପ୍ରଜା ଆନ୍ଦୋଳନକୁ ଅଧିକ ଉଦ୍ଦୀପ୍ତ କରି ଯେତେବେଳେ ମୋଗଲବନ୍ଦୀରୁ ସତ୍ୟାଗ୍ରହ ଦଳ ଯାଇ ସେଠାରେ ପ୍ରବେଶ କରିବାର କାର୍ଯ୍ୟକ୍ରମଟି ଆରମ୍ଭ ହେଲା, ସେତେବେଳେ ସେଥିରେ ମଧ୍ୟ ସେ ପ୍ରତ୍ୟକ୍ଷ ଭାଗ ନେଇଥିଲେ । ଗୋର୍ଖା ସୈନିକଙ୍କ ହାତରୁ ମାଡ଼ ଖାଇ ଅଚେତ ହୋଇ ଯାଇଥିଲେ ।

 

୧୯୪୬ ମସିହାରେ କ୍ଷମତା ହସ୍ତାନ୍ତର ବିଷୟରେ ବ୍ରିଟିଶ୍ ସରକାରଙ୍କ ସହିତ କଥାବାର୍ତ୍ତା ହେଉଥିବା ସମୟରେ ଦେଶରେ ଗୋଟିଏ ନିର୍ବାଚନ କରାଯିବ ବୋଲି ଘୋଷଣା କରାଗଲା । ଆମ ଅଞ୍ଚଳରୁ ମଧ୍ୟ ଜଣେ କେହି ନିର୍ବାଚିତ ହୋଇ ଓଡ଼ିଶାର ବିଧାନସଭାକୁ ଯିବା କଥା । ଆମ ଆଖିକୁ ସେହି ପଦଟି ଲାଗି ଯେଉଁ ଜଣେମାତ୍ର ବ୍ୟକ୍ତି ଦିଶୁଥିଲେ, ସିଏ ହେଉଛି ଗୌରୀଭାଇ । ତାହାହିଁ ପୂରା ଅଞ୍ଚଳଯାକର ମତଥିଲା । ଗୌରୀଭାଇ ଅମଙ୍ଗ ହେଉଥାନ୍ତି । ଆଦୌ କୌଣସି କ୍ଷମତାଭିତରେ ପଶିବେ ନାହିଁ ବୋଲି ବଡ଼ ବିନୟ ସହକାରେ କହୁଥାନ୍ତି । ତଥାପି ତାଙ୍କୁ ରାଜି କରାଗଲା । ନିର୍ବାଚନରେ ଜିତି ଗୌରିଭାଇ ଓଡ଼ିଶା ବିଧାନସଭାକୁ ଗଲେ । ପରବର୍ତ୍ତୀ ଏକାଧିକ ନିର୍ବାଚନରେ ମଧ୍ୟ ସିଏ ନିର୍ବାଚିତ ହୋଇଥିଲେ । ତାହାରି ବଳରେ ସେ ନିଜ ପାଇଁ ଯେ ଆଖିରେ ଦେଖାଯିବା ଭଳି ଗୁଡ଼ାଏ କିଛି କରି ପକାଇଥିଲେ, ସେକଥା ଆଦୌ ନୁହେଁ । ତାଙ୍କ କଂଗ୍ରେସ ଦଳଭିତରେ ସିଏ ଯେପରି କ୍ରମଶଃ ଏକାବେଳେକେ ଏକଘରକିଆ ହୋଇଯାଉଥିଲେ । ତାଙ୍କରି ଗହଣରେ ଥିବା ଅନ୍ୟମାନେ କେତେ କ’ଣ ସମ୍ପତ୍ତି କରିଯିବାରେ ଲାଗିଥାନ୍ତି । ସିଏ ସତେଅବା ଖାଲି ଦାନ୍ତ କାମୁଡ଼ି ହେଉଥାନ୍ତି, ମାତ୍ର ତଥାପି କିଛି କରିପାରୁ ନଥାନ୍ତି । ତଥାପି ନିର୍ବାଚନରେ ଜିତି ବିଧାନସଭାରେ ପ୍ରତିନିଧି ହୋଇ ବସିବାର ସୁଖଟା ତାଙ୍କ ଭିତରେ ହୁଏତ କେତେବେଳେ ସତେ ଯେପରି ଅଠା ପରି ଆସି ଲାଗିଗଲା, ସେକଥା ସିଏ ନିଜେ ମଧ୍ୟ ଠଉରାଇ ପାରିଲେ ନାହିଁ । ସରୁଆ ଉଚ୍ଚ ଆଶାଟିଏ ବୈତରଣୀ ହୋଇ ତାଙ୍କୁ ଅଧିକରୁ ଅଧିକ ଉପରକୁ ଉଡ଼ାଇନେବାକୁ ଆରମ୍ଭ କଲା । ସ୍ଵାଧୀନ ଭାରତର ପରବର୍ତ୍ତୀ କୌଣସି ସାଧାରଣ ନିର୍ବାଚନରେ ସିଏ ଲୋକସଭା ପାଇଁ ଛିଡ଼ା ହେବାକୁ ଆଶାପୋଷଣ କଲେ । ଆଉ କେତେଦିନ ଏହି ପ୍ରଦେଶଟା ଭିତରେ ବିଧାନସଭାର ସଦସ୍ୟ ହୋଇ ରହିଥାନ୍ତେ ! ସେଇ ଗୋଟାଏ ଶ୍ରେଣୀରେ ଗୋଟାଏ ପିଲା ଆଉ କେତେ ବର୍ଷ ପଡ଼ି ରହିବ ? ନିଜ ଭିତରେ ସତେଅବା ତାଙ୍କର ଦୋଷର ହୋଇ ଏକ ଉଚ୍ଚାଭିଳାଷୀ ଜିଦ୍ ଧରି ବାହାରିଲା । ସିଏ ସେଇଟାକୁ ନିଜ ଇଜ୍ଜତର ଏକ ପ୍ରଶ୍ନ ପରି ଗ୍ରହଣ କଲେ ଏବଂ ଏକ ଅନ୍ୟ ଯୁଦ୍ଧରେ ଅବତୀର୍ଣ୍ଣ ହେଲେ ।

 

ତାଙ୍କ ଦଳ ତାଙ୍କୁ ଟିକେଟ ଦେଲାନାହିଁ । ଗୌରୀଭାଇ ବାରମ୍ବାର କଟକ ଆଉ ଭୁବନେଶ୍ଵର ଦୌଡ଼ିବାରେ ଲାଗିଥାନ୍ତି । ଉପର ନେତାମାନେ ମଧ୍ୟ ସେତେବେଳକୁ ଆହୁରି କେତେ ବିଦ୍ୟା ଓ ଅବିଦ୍ୟାରେ ନିପୁଣ ହୋଇସାରିଥାନ୍ତି । ସବୁ କଥା ଯେ ନୀତିରେ ଚାଲେନାହିଁ ଓ ମଝିରେ କେତେଭଳି ଅନ୍ୟକଥାର ମଧ୍ୟ ଖିଆଲ ରଖିବାକୁ ହୁଏ, ସେମାନେ ସେକଥା ବୁଝିବାକୁ ଆରମ୍ଭ କରିଦେଇଥାନ୍ତି । ରାଜନୀତିର ଯାବତୀୟ ପଣ୍ୟକାରବାର କ୍ରମେ ନୂଆ ରୀତିରେ ଚାଲିବାର ଉପକ୍ରମ ହେଉଥାଏ । ଉଚିତମାନେ ତଳି ଛାଡ଼ି ଆହୁରି କେତେ କେଉଁଠାରେ ଯାଇ ଉଡ଼ୁଥାନ୍ତି । ଗୌରୀଭାଇ ହତାଶ ହୋଇ ଯାଉଥାନ୍ତି । ସତେଅବା ନିଜହାତରୁ ଇପ୍ସିତ ଲଗାମଟା ଛାଡ଼ି ଛାଡ଼ି ଯିବାପରି ମନେହେଉଥାଏ । ସେ ନେତାମାନଙ୍କ ପାଖରେ ନିଜ ଆଡ଼ୁ ବହୁତ ବହୁତ ଅଳି କଲେ । ଥରେ ଲୋକସଭାରେ ଯାଇ ବସିବା ବ୍ୟତୀତ ତାଙ୍କର ଅନ୍ୟ କୌଣସି ଉଚ୍ଚଆଶା ନାହିଁ ବୋଲି କେତେମନ୍ତେ ସେମାନଙ୍କୁ ସିଏ ବୁଝାଇ କହିଥିଲେ । ସେଠାରେ ନାସ୍ତିବାଣୀ ଶୁଣି ସହ୍ୟ କରି ନପାରି ସେମାନଙ୍କୁ ଗାଳି ମଧ୍ୟ ଦେଇଥିଲେ । ଖୁବ୍ ଭଲକରି ମନେ ଅଛି, ସେହି ପର୍ଯ୍ୟାୟରେ ମଝିରେ ମଝିରେ ଗାଆଁକୁ ଆସି ଯାହାକୁ ଦେଖନ୍ତି, ତା’ ଆଗରେ ନେତାମାନଙ୍କର ଉଦ୍ଦେଶ୍ୟରେ କେତେ କ’ଣ ଉଦ୍‍ଗାରି ଏବଂ ଉଝାଳିବାରେ ବି ଲାଗି ଯାଆନ୍ତି । ମୋଟେ ଛାଡ଼ନ୍ତି ନାହିଁ । ସବୁ ରାଗ ଭିତରେ ନିଜ ଅତୃପ୍ତିଟାକୁ ନେଇ ସିଏ କେତେ ବାହୁନି ହୁଅନ୍ତି । ଏହି ଦେଶ ପାଇଁ ସିଏ କ’ଣ ନ କରିଛନ୍ତି ? ଏହି ନେତାମାନଙ୍କ ପାଇଁ ମଧ୍ୟ କେତେ କ’ଣ ନ କରିଛନ୍ତି ? କେତେ କଷ୍ଟ ନ ସହିଛନ୍ତି ? ଇତ୍ୟାଦି ଇତ୍ୟାଦି ।

 

ଗୌରୀଭାଇଙ୍କୁ ତଥାପି ଟିକେ ମିଳିଲା ନାହିଁ । ସିଏ ନିରାଶ ହେଲେ । ସେତେବେଳକୁ ପୂରା ହତବଳ ହୋଇଯାଇଥିଲେ । ଖାଲି ନିଜ ବଳ କଂଗ୍ରେସ ଉପରୁ ବିଶ୍ଵାସ ହରାଇ ନଥିଲେ । ହୁଏତ ନିଜର ଯୋଗ୍ୟତା ଏବଂ ଉପଯୁକ୍ତତା ଉପରେ ମଧ୍ୟ ସନ୍ଦେହ କରିବାକୁ ଆରମ୍ଭ କରିଦେଇଥିଲେ । ତାଙ୍କୁ ପ୍ରକୃତରେ ଭାରି ବାଧିଲା । ନିଜର ତାତି ଭାରି ଅଣଅକ୍ତିଆର ଭାବରେ ତାଙ୍କୁ ସତେଅବା ଯେମିତି ଯେକୌଣସି ବାଟରେ ହେଉ ପଛକେ ଲୋକସଭାର ଆସନ୍ନ ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ନିମନ୍ତେ ଅତିମାତ୍ରାରେ ଉତ୍ତେଜିତ କରି ପକାଇଲା । ସିଏ ସ୍ଵତନ୍ତ୍ର ପାର୍ଟିରେ ଯୋଗ ଦେଲେ । ସ୍ଵତନ୍ତ୍ର ପାର୍ଟିର ନେତାମାନେ କେଡ଼େ ଖୁସିହୋଇ ଗୌରୀଭାଇଙ୍କୁ ବରଣ କରିନେଲେ । ସ୍ଵତନ୍ତ୍ର ପାର୍ଟି ଅର୍ଥାତ୍ ରାଜାରାଜୁଡ଼ାଙ୍କର ଏକ ପାର୍ଟି । ପ୍ରାୟ କୌଣସି ରାଜନୀତିକ ବିଶ୍ଵାସ ଅଥବା ଆନୁଗତ୍ୟ ନଥିବା ଗୋଟିଏ ପାର୍ଟି । ଗଡ଼ଜାତରେ ଯେଉଁ ରାଜାମାନେ ଉତ୍କଳଗୌରବ ମଧୁସୂଦନଙ୍କୁ ଭୁଆଁ ବୁଲାଇ ଉତ୍କଳ ସମ୍ମିଳନୀରେ ଅଙ୍ଗମଣ୍ଡନ କରି ୧୯୪୭ ମସିହାରେ ତଥାପି ଓଡ଼ିଶା ସହିତ ନ ମିଶି ନିଜର ଏକ ଅଲଗା ରାଜ୍ୟ ଗଢ଼ି ବସୁନ୍ଧରାକୁ ଭୋଗ କରିବାର ମସୁଧା କରିଥିଲେ, ସେହି ପାର୍ଟି । ଗୌରୀଭାଇ ତାଙ୍କ ଜୀବନଯାକ ସେମାନଙ୍କୁ ଭର୍ସନା କରି ଆସିଥିଲେ । ସେମାନଙ୍କୁ ବ୍ରିଟିଶ ପକ୍ଷର ଗୋଡ଼ାଣିଆ ଓ ଦେଶଜନତାର ଶତ୍ରୁ ବୋଲି ବର୍ଣ୍ଣନାକରି ଆସିଥିଲେ । ସେହି ରାଜାଙ୍କ ଭିତରୁ ଜଣକର ଗଡ଼ଜାତକୁ ସତ୍ୟାଗ୍ରହ କରି ଯାଇଥିଲେ ଏବଂ ବର୍ତ୍ତମାନ ଖଣ୍ଡେ ଟିକେଟ ପାଇଁ ସେଇମାନଙ୍କର ଦ୍ଵାରସ୍ଥ ହେବାକୁ ପଡ଼ିଲା । ମଣିଷକୁ ତା’ ନିଜଭିତରେ ଭଗାରି ହୋଇ ଆଉ କ’ଣଟାଏ ମାଡ଼ିବସିଲେ ସମ୍ଭବତଃ ତା’ର ଏହିଭଳି ଦଶା ହୋଇଥାଏ । ଗୌରୀଭାଇ ଟିକେଟ ପାଇଲେ, ନିର୍ବାଚନ ଲଢ଼ିଲେ ଏବଂ ନିର୍ବାଚନରେ ହାରିଗଲେ-। ସତେଅବା ସେ ନିଜ ପାଖରେ ସବୁ ଦିନ ସକାଶେ ହାରିଗଲେ । ତା’ପରେ କେତେ ପ୍ରକାରେ ନିଜକୁ ଝାଡ଼ିଝୁଡ଼ି ଛିଡ଼ା କରେଇବାକୁ ଚେଷ୍ଟା କରିଥିଲେ ସିନା, ମାତ୍ର ଆଉ ନିଜ ପାଖକୁ ସମ୍ପୂର୍ଣ୍ଣ ଭାବରେ ମୋଟେ ଫେରି ପାରି ନଥିଲେ । ଏକଦା ଜିଲ୍ଲାପରିଷଦର ମୁଖ୍ୟ ବି ହେଲେ,—ମାତ୍ର ଆଖର ଆମ ପରିଣତ ଗୌରୀଭାଇ ହୁଏତ ଏପରି ଭାବରେ ଜଖମ ହୋଇଯାଇଥିଲେ ଯେ, ତାଙ୍କୁ ଆଉ ଆଗ ପରି ମୋଟେ ଚିହ୍ନି ହେଲାନାହିଁ । ଲୋକସଭାରେ ମାତ୍ର ଥରଟିଏ ଯାଇ ବସିବାର ଲୋଭ ତାଙ୍କୁ ସତେ କେତେସରି କରି ନଦେଲା !

 

ଲୋକସଭା ଗୋଟାଏ ସଭା ନୁହେଁ, ଏହା ଆଖଡ଼ା ମଧ୍ୟ ନୁହେଁ । ଲୋକସଭା ହେଉଛି ଏକ ପ୍ରୟୋଗଶାଳା । ଯେକୌଣସି ଦେଶରେ ଗଣତନ୍ତ୍ର ଲାଗି ଏକ ପ୍ରୟୋଗଶାଳା ଏବଂ ତେଣୁ ସେହି ସଭାର ଜଣେ ସଦସ୍ୟ ପାଇଁ ତାହା ଏକ ଚ୍ୟାଲେଞ୍ଜ ପରି ମଧ୍ୟ କାର୍ଯ୍ୟ କରିପାରେ । ଯେକୌଣସି ବିକାଶଶୀଳ ଦେଶରେ ସମ୍ମୁଖରେ ଏକାଧିକ ବିକଳ୍ପ ସାମାଜିକ ଚିତ୍ରକୁ କାମ୍ୟ ରୂପେ ଗ୍ରହଣ କରି ଲୋକସଭା ବିତର୍କ ମାଧ୍ୟମରେ ଏକ ରାଜନୀତିକ ଯୁଦ୍ଧ ମଧ୍ୟ ଖୁବ୍ ଲଢ଼ା ଯାଇପାରେ । ଭାରତବର୍ଷ ଗଣତନ୍ତ୍ରକୁ ହିଁ ଆପଣା କ୍ରମୋନ୍ନୟନ ଏବଂ କ୍ରମାଗ୍ରଗତିର ମାଧ୍ୟମ ରୂପେ ଗ୍ରହଣ କରିନେବା ପରେ ଆମ ଲୋକସଭାର ଯାବତୀୟ ଚର୍ଚ୍ଚା ଓ ଆଲୋଚନା ମଧ୍ୟ ଦେଶର ଜନଗଣଙ୍କ ନିମନ୍ତେ ଏକ ଶିକ୍ଷାଦାତା ପରି ହୋଇ ରହିଥାନ୍ତା । ଓଡ଼ିଶା ବାହାର କଥା ମୁଁ କହିପାରିବି ନାହିଁ । ମାତ୍ର ଓଡ଼ିଶା ଭିତରୁ ବିଗତ ଏହି କେତେଗୋଟି ଲୋକସଭାକୁ ଯେଉଁ ମାନ୍ୟବର ମହୋଦୟମାନେ ନିର୍ବାଚିତ ହୋଇଯାଇଛନ୍ତି, ସେମାନେ ସେଠାରେ ଆମ ପାଇଁ ସତକୁ ସତ କେତେ ଯୋଗ୍ୟର ହୋଇଛନ୍ତି ବା ନ ହୋଇଛନ୍ତି, ଆମେ ମନକଲେ ତାହାର କିଞ୍ଚିତ ଆକଳନ ମଧ୍ୟ କରାଯାଇ ପାରିଥାନ୍ତା । ଲୋକସଭା ସହିତ ଆଉ ଗୋଟିଏ ରାଜ୍ୟସଭା ମଧ୍ୟ ସାଙ୍ଗକୁ ରହିବ ବୋଲି ସମ୍ବିଧାନର ପ୍ରଣୟନକାରୀମାନେ ଏକ ମସୁଧା କରି ଯାଇଥିଲେ । ଉଦ୍ଦେଶ୍ୟ ଥିଲା, ରାଜନୀତି ବାହାରେ ମଧ୍ୟ ଦେଶରେ ବିଭିନ୍ନ କ୍ଷେତ୍ରରେ ମତିମାନ୍ ବ୍ୟକ୍ତିମାନେ ଅବଶ୍ୟ ଥିବେ, ଯେଉଁମାନେ କି ମନୋନୀତ ହୋଇ ରାଜ୍ୟସଭାକୁ ଆସିବେ ଏବଂ ଦେଶ-ଶାସନର ବହୁ ବିଷୟରେ ନିଜର ପ୍ରସ୍ତାବଗୁଡ଼ିକୁ ଦେଇପାରିବେ । ସେମାନେ ମୁଖ୍ୟତଃ ଦେଶର ରାଜନୈତିକ ବିବେକ ନିମନ୍ତେ ଭାରସାମ୍ୟ ରକ୍ଷା କରୁଥିବା ଏକ ଅତ୍ୟାବଶ୍ୟକ ଉପାଦାନ ରୂପେ କାର୍ଯ୍ୟ କରିବେ । ସେକାଳରୁ ଆମ ଏ ପର୍ଯ୍ୟନ୍ତ ଯେଉଁମାନେ ଏଇଟାକୁ ଅଥବା ସେଇଟାକୁ ସଦସ୍ୟ ହୋଇ ଯାଇଛନ୍ତି, ଅନ୍ତତଃ ଆମର ଏହି ଗୋଟାଏ ରାଜ୍ୟକୁ ଆଧାର କରି ତାହାର ଏକ ସମୀକ୍ଷା ହୋଇପାରନ୍ତା । ସେମାନେ ସତକୁ ସତ ସେଠି ଆମ ଲାଗି କିଛି ପ୍ରୟୋଜନରେ ଆସିଛନ୍ତି ନା ତୁଚ୍ଛା ଶୋଭା ପାଇବାକୁ ସେଠି ଯାଇ ବସିଛନ୍ତି ?

 

ଏହି ସନ୍ଦର୍ଭରେ ଓଡ଼ିଶାର ଶ୍ରୀ ସୁରେନ୍ଦ୍ରନାଥ ଦ୍ଵିବେଦୀଙ୍କ କଥା ସାମ୍ନାକୁ ଆସିଯାଉଛି । ଶ୍ରୀ ବାଙ୍କବିହାରୀ ଦାସ ମଧ୍ୟ ଆଗରେ ଆସି ଛିଡ଼ା ହୋଇଯାଉଛନ୍ତି । ସେମାନଙ୍କ ଭଳି ଓଡ଼ିଶାରୁ ଯାଇଥିବା ଆଉ କେହି ସଦସ୍ୟ ନିଜର ଭୂମିକାଟିର ଏତେ ସୌଷ୍ଠବମଣ୍ଡିତ ପରିଚୟ କେବେହେଲେ ଦେଇନାହାନ୍ତି । ଏହି ଉଭୟେ ସରକାରୀ ବଳର ବାହାରେ ଥିଲେ । ବିରୋଧୀ ଆସନରେ ବସୁଥିଲେ । ମାତ୍ର ଏକ ନିର୍ଦ୍ଦିଷ୍ଟ ଦଳର ଟିକେଟ ନେଇ ସେଠାକୁ ଯାଇଥିଲେ ମଧ୍ୟ ସତେଅବା ସମଗ୍ରଦେଶ ତରଫରୁ ଏକ ରାଜନୀତିକ ସମର ହିଁ ଲଢ଼ୁଥିଲେ । ସହଜରେ ସରକାରଙ୍କୁ ବାଟ ଛାଡ଼ି ଦେଉନଥିଲେ । ସମ୍ଭବତଃ ଏହି କାରଣରୁ ସରକାରୀ ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କୁ ସର୍ବଦା ସ୍ଵୀକୃତି ଦେଉଥିଲେ ଓ ସେମାନଙ୍କୁ ଏଡ଼ିପାରୁ ନଥିଲେ । ଶ୍ରୀ ଦ୍ଵିବେଦୀ ନିଜର ଆତ୍ମଜୀବନୀରେ ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟ ହିସାବରେ ଅତିବାହିତ ହୋଇଥିବା ତାଙ୍କର ସେହି କେତୋଟି ବର୍ଷକୁ ସ୍ଵଜୀବନର ଅବିସ୍ମରଣୀୟ ସମୟଟିଏ ବୋଲି ବର୍ଣ୍ଣନା କରିଛନ୍ତି । ବର୍ତ୍ତମାନ ସେହି ସମୟଟି କୁଆଡ଼େ କାହିଁକି ଚାଲିଗଲା କେଜାଣି ? ଆମର ଅଧିକାଂଶ ସଦସ୍ୟ ସେଠାକୁ କ’ଣ ମୁଖ୍ୟତଃ ଶୋଭା ପାଇବା ସକାଶେ ଯାଇଛନ୍ତି ? ସଦସ୍ୟ ହିସାବରେ ଯେଉଁସବୁ ଅର୍ଥାଗମ ଏବଂ ଅନ୍ୟାଗମ ଗୁଡ଼ିକର ସମ୍ଭାବନା ରହିଛି, ମୁଖ୍ୟତଃ ତାହାରି ଦ୍ଵାରା ଆକୃଷ୍ଟ ହୋଇ କ’ଣ ସେମାନେ ସେହି ବିଶେଷ ପୀଠଟିକୁ ଯିବାକୁ ମନକରିଛନ୍ତି ? ଏହି କ୍ଷେତ୍ରରେ ଭାଷା ଆଦୌ ଏକ ପ୍ରତିବନ୍ଧକ ହୁଅନ୍ତା ନାହିଁ । ସମସ୍ତେ ଯେ ଇଂରାଜୀ ବା ହିନ୍ଦୀ ଭାଷାରେ ଆପଣାର ବକ୍ତବ୍ୟଗୁଡ଼ିକୁ ଉପସ୍ଥାପିତ କରିପାରିବେ ତାହାର କୌଣସି କାରଣ ନାହିଁ । ଏମାନେ ଓଡ଼ିଆରେ ମଧ୍ୟ ନିଜର ବକ୍ତବ୍ୟ ଦେଇପାରନ୍ତେ । ମାତ୍ର ଆଦୌ କୌଣସି ବକ୍ତବ୍ୟ ଥିଲେ ସିନା ଦିଅନ୍ତେ । ସେହି ଦୁଇସଭାରେ ଖାଲି ବସିବାଟାକୁ ମଧ୍ୟ ଅବଶ୍ୟ ଶୋଭାବର୍ଦ୍ଧନକାରୀ ବୋଲି କୁହାଯାଇ ପାରିବ । ମାତ୍ର ଯଦି କେହି ମାତ୍ର ଏତିକି ନିମନ୍ତେ ସେଯାଏ ଯିବାପାଇଁ ଅଭିଳାଷ ରଖିଥିବ, ତେବେ ତାକୁ ଆମେ ହୁଏତ ଆମର ଜଣେ ଗେଲ୍ଲାପୁଅ ବା ଝିଅ ବୋଲି କହିବା ସିନା, ମାତ୍ର କ୍ଷମା ଦେଇପାରିବା କିପରି ?

 

ଏବଂ, କାହିଁକି ବା କ୍ଷମାଦେବା ? ସିନେମାରେ ଅଭିନୟ କରିବାକୁ ଯଦି ସେହି ବିଦ୍ୟାଟିରେ ତାଲିମ ନେବାକୁ ପଡ଼ୁଛି, କ୍ରିକେଟ ଖେଳିବାକୁ ଯଦି ନିୟମିତ ଭାବରେ ଅଭ୍ୟାସ କରିବାକୁ ପଡ଼ୁଛି, ତେବେ ରାଜନୀତିରେ ଆଦୌ କୌଣସି ପ୍ରବେଶ ନଥାଇ ଗୋଟିଏ ଗୋଟିଏ ଗୁଣ୍ଠୁଣି ହାତୀ ପରି ସତେ ଅବା ଏକ ବିଶେଷ କିସମର ମାରଣାଗିରି ଦେଖାଇ ଆନନ୍ଦମୟ ଅଭିଜ୍ଞତାଟିଏ ଲାଭ କରିବା ସକାଶେ ଯିଏ ମନ ସିଏ ଏଇଟି ଭିତରକୁ ମାଡ଼ି ଆସିପାରୁଛନ୍ତି କିପରି-? ମୋଟେ ଗାଁ ଚାହାଳୀରେ ନପଢ଼ି କଟକରେ ସିଧା କଲେଜରେ ଯାଇ ବସିବାକୁ ମନକଲେ ଆମ ଗାଁର ନିତାନ୍ତ ମୂର୍ଖମାନେ ଜଣେ ବ୍ୟକ୍ତିକୁ ତାର ମୁଣ୍ଡ ଖରାପ ହୋଇଗଲାଣି କହି ଟାପରା କରିବାକୁ ହିଁ ଆରମ୍ଭ କରିଦେବେ । ହଁ, ସତକଥା, ଅମୁକ ବ୍ୟକ୍ତି ଅମୁକଙ୍କର ପୁଅ ବା ପତ୍ନୀ ହୋଇପାରନ୍ତି କିମ୍ବା ସମୁକଙ୍କର ଭଗ୍ନୀପତି ଅଥବା ଭଣଜା ହୋଇପାରନ୍ତି । ଏହି ପରିଚୟକୁ ବ୍ୟବହାର କରି ଯଦି କେହି ପିଲାମାନେ ମାଟ୍ରିକ୍ ପରୀକ୍ଷା ଦେଉଥିବା ଘରଟା ଭିତରକୁ ସିଏ ମଧ୍ୟ କାହିଁକି ପରୀକ୍ଷା ନନେବ ବୋଲି କହି ପଶି ଆସିବ, ତେବେ ତାକୁ ଅବଶ୍ୟ ଶୂନ୍ୟେ ଶୂନ୍ୟେ ଟେକିନେଇ ବାହାରକୁ ଫିଙ୍ଗି ଦିଆଯିବ । ହଁ, କ’ଣ ଭାବି ଲୋକସଭା ବା ବିଧାନସଭା ମାନଙ୍କରେ ପହିଲମାନମାନେ ନିଯୁକ୍ତ ହୋଇ ରହିଥାନ୍ତି, କେହି ମାନ୍ୟବର ମହାନ ସଦସ୍ୟ ଅନୁଚିତ ଆଚରଣ ଅର୍ଥାତ୍ ଅନାଚରଣ କଲେ ସେମାନେ ତାକୁ ବଳପୂର୍ବକ କାବୁକରି ବାହାରକୁ ନେଇଯାଆନ୍ତି । ଅବଶ୍ୟ ଏହି ପାହିଲମାନମାନେ ମଧ୍ୟ ଏଣିକି ଆମ ଶ୍ରୀମାନ୍ ଓ ଶ୍ରୀମତୀମାନଙ୍କୁ ଆଦୌ ପାରୁନାହାନ୍ତି । ତେଣୁ ପବିତ୍ର ସଭାପୀଠ ମାନଙ୍କରେ ଏବେ କେତେ କ’ଣ ସବୁ ଘଟିଯାଇ ପାରୁଛି । ମନେହେଉଛି, କେବଳ ଅକାଣ୍ଡ ଓ ଅଘଟଣାମାନ ଘଟାଇବା ବ୍ୟତୀତ ଏହି ସଦସ୍ୟମାନେ ଆଉ କିଛି ହେଲେ ଯୋଗ୍ୟତା ଅର୍ଜନ କରିନାହାନ୍ତି ।

 

ଏମିତି ଗୋଟାଏ ନିୟମ ରହନ୍ତା ଯେ, ଯିଏ ଏହିସବୁ ସଭାର ପୂରା ଅଧିବେଶନରେ ତୁଣ୍ଡ ଫିଟାଇ ପଦୁଟିଏ ନ କହନ୍ତା, ତାକୁ ଚିଠି ପଠାଇ ପରବର୍ତ୍ତୀ ଅଧିବେଶନକୁ ଦୟାକରି ନ ଆସିବା ନିମନ୍ତେ କହିଦିଆଯାଆନ୍ତା । ଆମ ପିଲାଦିନେ ଯେଉଁମାନେ ଘରୁ ପାଠ କରି ନ ଆସୁଥିଲେ, ଶିକ୍ଷକମାନେ ସେମାନଙ୍କୁ ବେଞ୍ଚ ଉପରେ ଛିଡ଼ାକରାଇ ରଖୁଥିଲେ ଓ ଆହୁରି ବିଶେଷମାନଙ୍କୁ ଶ୍ରେଣୀରୁ ବାହାର କରି ଦେଉଥିଲେ । ମୁଁ ଏତେ ହଜାର ଲୋକଙ୍କର ପ୍ରତିନିଧି ହୋଇ ସେଠାରେ ଯାଇ ବସିବି ଅଥଚ ତୁଣ୍ଡ ଖୋଲି କିଛି କହିବା ସକାଶେ ମୋ ପାଖରେ କୌଣସି ବିଷୟ ନଥିବ, —ଇଏ ପୁଣି କେଉଁ ଅକଲର କଥା ! ଅଥବା ଏମାନେ କ’ଣ ଖାଲି ହାତ ଟେକି ଭୋଟ ଦେବାକୁ ସେଠାକୁ ଯାଇଛନ୍ତି କି ? ସମ୍ଭବତଃ ସେହି କାରଣରୁ ସେମାନଙ୍କୁ ବିକାଯାଇ ପାରୁଛି ଏବଂ କିଣା ବି ଯାଇପାରୁଛି । ଛାଗଳମାନଙ୍କୁ ଦଳର ନେତାମାନେ କାଳେ କିଏ କେଉଁ ଲୋଭରେ କୁଆଡ଼କୁ ଖସିଯିବ ବୋଲି ଭୟକରି କୌଣସି ହୋଟେଲ ଭିତରେ ନଜରବନ୍ଦୀ କରି ମଧ୍ୟ ରଖିପାରୁଛନ୍ତି । ଏବେ ଦେଶର ଏହି ମାର୍ଗନିର୍ଦ୍ଧାରିଣୀ ସଭାମାନଙ୍କରେ ମାତ୍ର ଅଳପ କେତେ ଜଣ ପାଟିଖୋଲି କିଛି କହୁଛନ୍ତି ଓ ବାକିମାନେ ମୁଣ୍ଡ ସୁମାରି ବେଳକୁ ଲୋଡ଼ା ହେଉଛନ୍ତି । ଫୌଜଦାରୀ ସମୟରେ ମଧ୍ୟ କାମରେ ଲାଗୁଛନ୍ତି । ସୁଶ୍ରାବ୍ୟ ଅଥଚ ଅଭଦ୍ର ଗାଳିଦେବା ବେଳକୁ ସବାବଡ଼ ଚାତୁରୀ ଦେଖାଇ ପାରୁଛନ୍ତି । ଆମ ରାଜନୀତିକ ଭାଗ୍ୟର ମନ୍ଦିରମାନଙ୍କୁ ସତେ ଅବା କ୍ରମେ ଭାରି ଗୋଟାଏ ହାସ୍ୟାସ୍ପଦ ଆଖଡ଼ାରେ ପରିଣତ କରିଦେଉଛନ୍ତି ।

 

ହେ ପରମମହନୀୟ ମିତ୍ରମାନେ, ଟିକିଏ ତୁଣ୍ଡ ଖୋଲି କିଛି କହ । ତୁମ ଭିତରେ ଆଦୌ କିଛି ଇଲମ ରହିଛି କି ନାହିଁ, ତାହାର କିଞ୍ଚିତ ପରିଚୟ ଦିଅ । ଯେଉଁ ଗୋହରିବାଟେ ତୁମେ ଏହି ମନ୍ଦିର ଭିତରକୁ ଆସିଥାଅ ପଛକେ, ବେକରେ କ’ଣଟାଏ ପଡ଼ି ସାରିଲାଣି ଯେତେବେଳେ, ଅନ୍ତତଃ ତାହାକୁ ବଜାଇ ତ ଶିଖିବ ! ନହେଲେ, ଖାଲି ଶୋଭା ପାଇଲେ ତୁମେ କାହାର କି ନାଆଁ ରଖିବ କହିଲ ! ସତକଥା ହେଉଛି, ଏଠି କେତେଜଣ ତୁଚ୍ଛାଠାରେ ଶୋଭା ପାଇବେ ବୋଲି ଏକଦା ଓଡ଼ିଶା ସମେତ ଭାରତ ସ୍ଵାଧୀନ ହୋଇନଥିଲା । ଏବେ ମଧ୍ୟ ଏହି ଦେଶକୁ ଆହୁରି ବହୁତ ବାଟ ଯିବାକୁ ଅଛି । ଓଡ଼ିଶାକୁ ବି ଯିବାକୁ ରହିଛି । ତେଣୁ ସଳଖ ହୁଅ, —ସାବାଳକ ହୁଅ । ତେବେଯାଇ ତୁମେ କାହା ପାଇଁ ପ୍ରକୃତରେ କିଛି କାମରେ ଲାଗିପାରିବ ।

 

୧୧।୦୫।୯୮

Image

 

Unknown

ଅବଳା, ସବଳା, ସ୍ଵୟଂବଳା

 

ଠିକ୍ ଦଶ ବର୍ଷ ତଳେ ମସ୍କୋ ବିଶ୍ଵବିଦ୍ୟାଳୟର ଉପକଣ୍ଠରେ ଅଙ୍ଗେ ନିଭାଇଥିବା ଗୋଟିଏ ଘଟଣା । ମଧ୍ୟରାତ୍ରି ଗତ ହୋଇ ଯାଇଥାଏ । ଜଣେ ବନ୍ଧୁଙ୍କ ଘରେ ସାନ୍ଧ୍ୟଭୋଜନ କରି ଗପୁ ଗପୁ ଏତେ ଡେରି ହୋଇଗଲା ଯେ, ପାତାଳ ରେଳର ଶେଷ ଗାଡ଼ିଟିକୁ ନ ଧରିଲେ ରହୁଥିବା ହୋଟେଲକୁ ଫେରି ହେବନାହିଁ । ବନ୍ଧୁ ଓ ମୁଁ ବିଶ୍ୱବିଦ୍ୟାଳୟ ଭିତରେ ଗୋଟିଏ ସିଧା ଚଲାବାଟ ଧରି ନିକଟବର୍ତ୍ତୀ ଷ୍ଟେସନକୁ ଆସୁଥାଉ । ଗୋଟାସୁଦ୍ଧା ଅନ୍ଧାର; ଦୂର ରାସ୍ତାମାନଙ୍କର ଆଲୁଅଙ୍କ ଧାସରେ ଯାହା ଚାଲିବାର ଦିଗଟା ବାରି ହୋଇପାରୁଥାଏ । ଆମେ ବାଟରେ ଦଳେ ଝିଅଙ୍କୁ ଭେଟିଲୁ । ଏତେ ରାତିରେ ଏମାନେ ପୁଣି ଏଠାରେ କାହିଁକି କୁଆଡ଼ୁ ଆସୁଛନ୍ତି ? ବନ୍ଧୁ କହିଲେ, ଏହିଝିଅମାନେ ସଞ୍ଜବେଳୁ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀକୁ ପଢ଼ିବାକୁ ଯାଇଥିଲେ, ବର୍ତ୍ତମାନ ସେହିଠାରୁ ଛାତ୍ରୀ ନିବାସକୁ ଫେରୁଛନ୍ତି । ଏପରି ପ୍ରତ୍ୟହ ସେମାନେ ଲାଇବ୍ରେରୀକୁ ଯାଆନ୍ତି ଏବଂ ପ୍ରାୟ ଏତିକି ସମୟରେ ସେଠାରୁ ଫେରନ୍ତି । ଆମ ଦେଶରେ ବି ତ ଝିଅମାନେ ବିଶ୍ୱବିଦ୍ୟାଳୟରେ ପଢ଼ୁଛନ୍ତି, ବର୍ତ୍ତମାନ ସେହିଠାରୁ ଛାତ୍ରୀ ନିବାସକୁ ଫେରୁଛନ୍ତି । ଏପରି ପ୍ରତ୍ୟହ ସେମାନେ ଲାଇବ୍ରେରୀକୁ ଯାଆନ୍ତି ଏବଂ ପ୍ରାୟ ଏତିକି ସମୟରେ ସେଠାରୁ ଫେରନ୍ତି । ଆମଦେଶରେ ବି ତ ଝିଅମାନେ ବିଶ୍ୱବିଦ୍ୟାଳୟରେ ପଢ଼ୁଛନ୍ତି ବୁଦ୍ଧିମତୀ, ରୂପବତୀ ଏବଂ ଆହୁରି କେତେ କ’ଣ । ୟାଙ୍କ ଦେଶରେ କ’ଣ ପୁଅମାନେ ଏହିସବୁ ଅବସରଗୁଡ଼ିକ ବିଷୟରେ ଯଥେଷ୍ଟ ସଚେତନ ନୁହନ୍ତି ? ଏପରି ଗୋଟିଏ ସ୍ଥିତିରେ ଆମ ଦେଶରେ ତ କେତେ କ’ଣ ଘଟି ଯାଉଥାନ୍ତା । କେବଳ ରାତିରେ ନୁହେଁ ଦିନରେ ମଧ୍ୟ । ଘଟାଇବାର ବୀରବର ମାନଙ୍କ ଭିତରେ ସାମାଜିକ ତଥା ଅସାମାଜିକ ଉଭୟ ପ୍ରକାରର ଜୀବମାନେ ଅବଶ୍ୟ ରହିଥାଆନ୍ତେ ।

 

ପାଠ ପଢ଼ିଲେ ଯେ ମଣିଷ ସାହାସୀ ହୁଏ, ଆମ ଦେଶରେ ମର୍ଯ୍ୟାଦାବନ୍ତ ଭଳି ଭଳି ପାଠ ପଢ଼ୁଥିବା ଉଭୟ ପୁଅ ଏବଂ ଝିଅମାନଙ୍କୁ ଦେଖିଲେ ସେକଥା ଉପରେ ଆଦୌ ବିଶ୍ଵାସ ହୁଏନାହିଁ । ପଢ଼ୁଥିବା ପାଠ ଭିତରେ ସମ୍ଭବତଃ ଆହୁରି କ’ଣ ଗୋଟିଏ ଉପାଦାନ ରହିଥାଏ, ଯାହା ଫଳରେ ଜଣେ ମଣିଷ ସାହସ ନାମକ ଧନରେ ମଧ୍ୟ ଧନୀ ହୋଇଥାଏ । ଆମର ଏଠି ହୁଏତ ଅଲିଅଳମାନେ ପାଠ ପଢ଼ନ୍ତି ଏବଂ ଅଲିଅଳମାନେ ହିଁ ପାଠ ପଢ଼ାନ୍ତି । ଅଧିକାଂଶତଃ ଭୀରୁମାନେ ପାଠ ପଢ଼ନ୍ତି ଏବଂ ସେହି ପାଠକୁ ପଢ଼ି ବା ଆଉ କ’ଣ କରି ଆମର ପୁଅ ଓ ଝିଅମାନେ ଅଧିକ ଭୀରୁ ହୋଇଯାଆନ୍ତି । ସମ୍ଭବତଃ ସେହି କାରଣରୁ ନିପଟ ପଛୁଆ ପାହାଡ଼ିଆ ଅଥବା ଗାଆଁ ଅଞ୍ଚଳରେ ଝିଅଟିଏ ବା ଝିଅମାନେ ବାଟରେ ଚାଲି ଯାଉଥିବା ବେଳେ ନିଜକୁ ଯେତିକି ସୁରକ୍ଷିତ ଅନୁଭବ କରନ୍ତି, ସହରର ତଥାକଥିତ ପାଠୋଇ ଝିଅମାନେ ଆଦୌ ସେତେ ସୁରକ୍ଷିତ ଅନୁଭବ କରନ୍ତି ନାହିଁ । ମୁଖ୍ୟତଃ ଏହି ଦ୍ଵିତୀୟ ଶ୍ରେଣୀର ଝିଅମାନଙ୍କୁ ଦେଖି ଭୀରୁ ପୁରୁଷମାନଙ୍କୁ ଲମ୍ପଟ କନ୍ଦର୍ପଟା ଆସି ଘାରି ପକାଏ ଏବଂ ସେମାନେ ସତେ ଅବା କୋଉ ହିରଣାକ୍ଷ୍ୟ ଅସୁର ଠାରୁ ବରପାଇ ବାଳାମାନଙ୍କ ଉପରେ ଚଢ଼ଉ କରିବାକୁ ଧାଇଁ ଆସନ୍ତି । ଏକଦା ଆମର ଯେଉଁ କବିମାନେ ବାଳାମାନଙ୍କର କଳ୍ପନା କରି କାବ୍ୟିକତାର ପଞ୍ଚବାଣ ଦ୍ଵାରା ବିଦ୍ଧହୋଇ ସୁଠାମ ସୁରସର କବିତା ଓ ସଂଗୀତମାନ ଲେଖି ପକାଉଥିଲେ, ସେମାନେ କ’ଣ ଆପଣାର ଭିତର ଚେତନାଟାରେ ଏହି ହିରଣାକ୍ଷ୍ୟମାନଙ୍କ ଠାରୁ ବରପ୍ରାପ୍ତ ହୋଇଥିଲେ କି ? ଆମ ସାହିତ୍ୟର ପ୍ରାୟ ତିନିଶହ ବର୍ଷର ଗୋଟାଏ ଯୁଗ ଯେ ଏହିପରି କାମଭାଙ୍ଗ ପିଇ ଦଶଦିଶକୁ ବିମୋହିତ କରି ରଖିଥିଲା, ଏବେ ମଧ୍ୟ ଏକାଧିକ ସମୀକ୍ଷକ ପ୍ରାୟ ଏକ ଅଳିଅଳ କମାତୁରତା ସହିତ ସେଗୁଡ଼ିକର ଚର୍ଚ୍ଚା କରନ୍ତି ଏବଂ ସମ୍ପୃକ୍ତ ଆମ ସମସ୍ତଙ୍କୁ ବିମୋହିତ କରିବା ଲାଗି ଚେଷ୍ଟା କରନ୍ତି ।

 

ନାରୀ ଯେ କେବଳ ନାରୀ, ଅର୍ଥାତ ତାକୁ ଜଣେ ମଣିଷ ରୂପରେ ଦେଖିବା ପୂର୍ବରୁ ନାରୀ ପରିଚୟରେ ଦେଖିପାରିଲେ ଯେ ଆମେ ଯଥାର୍ଥ ସୁଖଭାଣ୍ଡଗୁଡ଼ିକର ଅଧିକାରୀ ହୋଇପାରିବା, —ଏହିପରି ଏକ ବିଚିତ୍ର ବଦଭ୍ୟାସ ବହୁ ଶତାବ୍ଦୀ ଧରି ଆମ ସମାଜରେ ରହିଆସିଛି, ଆମ ଆଚାର ଭିତରେ ରହିଛି ଏବଂ ଆମର ବିଶେଷ ବିଶେଷ ଶାସ୍ତ୍ରମାନେ ତାହାରି ଧ୍ଵଜାକୁ ଉଡ଼ାଇ ଆସିଛନ୍ତି । ପୁରାଣମାନଙ୍କ ଭିତରକୁ ଖସି ଆସି ଭାରତୀୟ ନୀତିବିଦ୍ୟାଟି ମଧ୍ୟ ସତେଅବା ଠାକୁରମାନଙ୍କୁ ମଧ୍ୟ ଗୋଟାଏ ଗୋଟାଏ କାମୋଦ୍ଦୀପକ ଉପନ୍ୟାସର ଆବେଗ ଭିତରେ ନେଇ ପକାଇଦେଇଛି ଓ ସେଥିରୁ କେତେଭଳି ବିନୋଦନର ସୃଷ୍ଟି କରିଚି । ଏବଂ ଏହି ଯାବତୀୟ କଥା ପୁରୁଷମାନେ ହିଁ ଲେଖିଛନ୍ତି । ଯେଉଁ ପୁରୁଷମାନେ ଆପଣାକୁ ମନୁଷ୍ୟ ବୋଲି ଅନୁଭବ କରିବା ପୂର୍ବରୁ ହିଁ ଆଗ ଅଣ୍ଡିରା ବୋଲି ଭାବିହିଁ ଟକଟକ ହୋଇ ଫୁଟିବାକୁ ଆରମ୍ଭ କରନ୍ତି, ଅତୀତରେ ତଥା ଏବେ କ’ଣ ସେଇମାନେ ହିଁ ସତେଅବା ଗୋଟିଏ ବିଚିତ୍ର ଭାଲୁ-ମନ୍ତ୍ରର ଆବେଗ ମଧ୍ୟକୁ ଆସି ନାରୀମାନଙ୍କୁ ମନୁଷ୍ୟ ବୋଲି ଗ୍ରହଣ କରିବା ପୂର୍ବରୁ ତୁଚ୍ଛା ବୋଲି ଦେଖିଥାଆନ୍ତି କି ? ଆମ ଆଧୁନିକ କବିତା ଓ ଗପରେ ମଧ୍ୟ ଅଧିକାଂଶତଃ ସେହି ଗଉଣିରେ ହିଁ ସବୁ କିଛି ମପାହୁଏ । ପ୍ରେମ କହିଲେ ପ୍ରାୟ ସମସ୍ତେ ଆଗରୁ ରାଜିହୋଇ ସାରିଥିବା ପରି ସବୁ କିଛି କେବଳ ସେତିକିକୁ ବୁଝାଏ । ପ୍ରେମଗଳ୍ପ କହିଲେ ସଚରାଚର ସେହି ଏକପାଖିଆ ଉଦାରୀକରଣ ଅପେକ୍ଷା ସତେଅବା ଆଉ ଅଧିକା କିଛିକୁ ବୁଝାଉ ନ ଥାଏ । ଆମର ଏଠି ନାରୀମାନେ ବି କ’ଣ ଗପ ଲେଖନ୍ତି ନାହିଁ ? ମାତ୍ର ସେମାନେ ମଧ୍ୟ ଏକ ପୁରୁଷ-ପ୍ରପୀଡ଼ିତ ସମାଜରେ ନାରୀର ଭାଗ୍ୟକନ୍ଦୁକଟିର ଦଶାଟିର ବର୍ଣ୍ଣନା କରି ସବୁ କିଛି ସାରି ଦେଇଥାଆନ୍ତି । ନାରୀ ଏବଂ ପୁରୁଷ ଉଭୟଙ୍କ ମଧ୍ୟରେ ରହିଥିବା ମନୁଷ୍ୟଟିକୁ ଉଖାରି ବାହାର କରି ଏକ ଅନ୍ୟ ପରିଧି ଅଥବା ପରିମାତ୍ରାରେ ସନ୍ଧାନ କରିବା, ସେଇଟା ସତେଅବା କାହାକୁ ଆକୃଷ୍ଟ କରେ ନାହିଁ ।

 

ତାଙ୍କର ଆଦୌ କୌଣସି ଲିଙ୍ଗ ନାହିଁ ବୋଲି ଉପନିଷଦର ଋଷି କହିଛନ୍ତି । ସେହି ପୁରୁଷ, ପୁଣି ସେହି ନାରୀ । ତନ୍ତ୍ରଶାସ୍ତ୍ରର ଦେବୀ ଏକାଧାରାରେ ଜନନୀ, ଶକ୍ତି, ବିଦ୍ୟା ଏବଂ ଆହୁରି କେତେ କ’ଣ । କାବ୍ୟ ଏବଂ ମହାକାବ୍ୟ ମାନଙ୍କରେ ନାରୀମାଙ୍କୁ ଯଥାସମ୍ଭବ ଅଧିକ ମହନୀୟକରି ଦର୍ଶାଇବା ନିମନ୍ତେ କେତେ କେତେ ଉଦ୍ୟମ କରାଯାଇଛି । ଏବଂ ପୃଥିବୀରେ ଯେତେ ନାରୀ ଅଛନ୍ତି, ସମସ୍ତେ ସେହି ଦେବୀ-ସ୍ଵରୂପିଣୀ ବୋଲି କେଡ଼େ ଉଷ୍ମ ଭାବରେ ବର୍ଣ୍ଣନା କରାଯାଇଛି । ଏବଂ ଏହି ସବୁକିଛିର ପ୍ରାୟ ସମାନ୍ତର ଭାବରେ ନାରୀକୁ ଘରେ ଦାସୀ କରି ରଖାଯାଇଛି, ଗୋଟାଏ ଗୋଟାଏ ଥାନରେ ନାରୀଟା ଶୁଦ୍ରଠାରୁ ମଧ୍ୟ ଆହୁରି ଅବର ବୋଲି ଘୋଷଣା କରାଯାଇଛି । ସାମାଜିକ ବହୁତ ନୈତିକତାକୁ ଆଣି ନାରୀର ଗୋଡ଼ରେ ବେଡ଼ି ପରି ବାନ୍ଧି ଦିଆଯାଉଛି ଏବଂ ପ୍ରାୟ ସେହି ଅନୁପାତରେ ପୁରୁଷକୁ ସେତିକି ସ୍ଵାଧୀନତାର ସହିତ ଉତ୍‍ଶୃଙ୍ଖଳ ହେବା ସକାଶେ ଛାଡ଼ି ଦିଆଯାଇଛି । ଶାସ୍ତ୍ର ଆମକୁ ଯେତିକି ବିହ୍ଵଳ କରିଚି, ଏଣେ ସମାଜ ସେତିକି ବାଧ୍ୟ କରି ରଖିଛି । ସେହି ବିରୋଧଟା ଏବେ ମଧ୍ୟ ଭାରତବର୍ଷର ଜୀବନଦୃଷ୍ଟିକୁ କାମୁଡ଼ି ଧରିଛି । ନିଜ ପାଖରେ ପଳାତକ କରିରଖିଛି ଓ ସମାଜ ପାଖରେ ତୁଚ୍ଛ ବୋଲକରାଟାଏ କରି ରଖିଦେଇଛି । ଏହି ପରିପ୍ରେକ୍ଷୀ ଉପରେ ବିଚାର କଲେ ପତି ସହ ସତୀର ଜୀବନ-ବିସର୍ଜନ, ଝିଅମାନଙ୍କୁ ସତେ ଅବା ଏକ ଅପରାଧକରି ପକାଇଥିବାର ପ୍ରାୟଶ୍ଚିତ୍ତ ସ୍ୱରୂପ ନଦୀକୁ ଫିଙ୍ଗିଦେବା, କନ୍ୟାସୁନା, ଯୌତୁକ, କନ୍ୟାକୁ ଦାୟଭାଗରୁ ବଞ୍ଚିତ କରିରଖିବା, —ନାନା ଆନୁଷଙ୍ଗିକ ଭାବରେ ଏହି କଳୁଷଗୁଡ଼ିକ ଆମକୁ ବିମୂଢ଼ କରି ରଖିଛନ୍ତି । ଏବେ ଝିଅମାନେ ପାଠ ପଢ଼ିଲେଣି, ରୋଜଗାର କଲେଣି, ସେମାନେ ସୁନ୍ଦର ଦିଶିବେ ବୋଲି ଆମ ବେପାରୀମାନେ ଏତେ ଭଳି ଭଳି ପଦାର୍ଥ ଏବଂ ଫିସାଦର ଆବିଷ୍କାର କଲେଣି, ତଥାପି ଅତୀତଟା ଏକ ଦୁଷ୍ଟ ସାପ ପରି ଆମ ବେକରେ ଲମ୍ବିକରି ରହିଛି । ଆମ ସ୍ଵାଧୀନତା ସଂଗ୍ରାମରେ କେତେକ ନାରୀ ଅଦ୍ଭୁତପୂର୍ବ ବୀରତ୍ଵର ପରିଚୟ ଦେଲେ, ନାରୀଜାଗରଣ ନିମନ୍ତେ କେତେ କ’ଣ ପ୍ରେରଣା ଏବଂ ଉନ୍ମାଦନା ସୃଷ୍ଟି କରାଗଲା, —ତଥାପି ତିମିରଟାର ଅସଲ ମୂଳଟା ଆଦୌ ଦୋହଲି ପାରିଲା ନାହିଁ । ଭାରତବର୍ଷ ସତେଅବା ଏକାଧାରରେ ଅତୀତ ଓ ଆଧୁନିକ ଏହି ଉଭୟ ମଧ୍ୟରେ ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ ବିଭକ୍ତ ହୋଇ ରହିଗଲା ।

 

କବି ରବୀନ୍ଦ୍ରନାଥ ଏକଦା ‘ଅବଳା’ ଶୀର୍ଷକଟିଏ ଦେଇ ଗୋଟିଏ କବିତା ଲେଖିଥିଲେ । ଯୁଗ ଯୁଗ ଧରି ସମାଜରେ ବହୁ ଲାଞ୍ଛନା ଏବଂ ଅବମାନନା ସହି ଆସିଥିବା ନାରୀ ପରିବାର ମଧ୍ୟରେ ଜନନୀ, ଜାୟା, ଦୁହିତା ଅଥବା ଆଉ ଯେକୌଣସି ଭୂମିକାରେ ରହିଥାଉ ପଛକେ, ନାରୀ ବୋଲି ତାକୁ ବରଣ କରିନେବାକୁ ହେଉଥିବା ତାର ସେହି ଦୟନୀୟ ମନ୍ଦ ଭାଗ୍ୟଟି ଯୁଗ ଯୁଗର ଅବିଚାର, ଅନ୍ୟାୟ ଏବଂ ଅବହେଳା, —ଏହି ସବୁକିଛି ଦେଇ ସିଏ ନାରୀର ଚିତ୍ର-ରୂପଟିକୁ ଆଣି ଆମ ସମକ୍ଷରେ ଉପସ୍ଥାପିତ କରିଥିଲେ । ସେହି ବର୍ଣ୍ଣନାଗୁଡ଼ିକୁ ପାଠ କରି ଯେକୌଣସି ପୁରୁଷର ପ୍ରକୃତରେ ଅତ୍ୟନ୍ତ ଲଜ୍ଜା ଅନୁଭବ କରିବାର କଥା । କବିତାଟି ଲେଖିସାରିବା ପରେ ତଥାପି କବିଗୁରୁଙ୍କୁ ସମସ୍ତ ବର୍ଣ୍ଣନାଟି ସତେଅବା ଭାରି ଅସହନୀୟ ମନେ ହୋଇଥିଲା । ହୁଏତ ସେ ଭାବିଥିଲେ, ପୁରୁଷର ଦୟା ଉପରେ କ’ଣ ନାରୀର ଗୁହାମୁକ୍ତି ପ୍ରକୃତରେ ଏତେ ପରିମାଣରେ ନିର୍ଭର କରୁଛି ? ସତକୁ ସତ ପୁରୁଷ କ’ଣ ଏକପାଖିଆ ଭାବେ ନାରୀକୁ ଏହିସବୁ ନାନା ଶିଙ୍କୁଳିରେ ବାନ୍ଧି ରଖିଛି ? ଅଥବା ନାରୀ ଭିତରେ ମଧ୍ୟ ଏପରି କିଛି ରହିଛି, ଯାହାକି ଏସବୁକୁ ମଥାପୋତି ସ୍ଵୀକାର କରିନେଉଛି ? ବା, ଅନ୍ୟଏକ ଭାଷାରେ କହିଲେ, ନାରୀ ଭିତରେ ତା’ର ଅସଲ କେନ୍ଦ୍ରଟିରେ ମୂଳତଃ ମନୁଷ୍ୟଟିଏ ରହିଛି ଏବଂ ସାମାଜିକ ନାନା ପ୍ରସୀମନ ଦ୍ଵାରା କାଳକାଳରୁ ଜର୍ଜର ହୋଇ ରହିଥିବାରୁ ନାରୀ ସେହିଟିକୁ ଚିହ୍ନି ପାରୁନାହିଁ ? ରବୀନ୍ଦ୍ରନାଥ ଆପଣା ଭିତରର ସେହି ଅଭିଯୋଗଟିର ଉତ୍ତରରେ ‘ସବଳା’ ବୋଲି ଆଉ ଗୋଟିଏ କବିତା ଲେଖିଲେ । ଖୁବ ସମ୍ଭବ, ଠିକ୍ ତହିଁ ଆରଦିନ ହିଁ ଲେଖିଥିଲେ । ଏବଂ, ତାହାର ପରିପୂରକ ରୂପେ ‘ବିଜୟିନୀ’ ଶୀର୍ଷକରେ ଏକ ତୃତୀୟ କବିତା ମଧ୍ୟ ଲେଖିଲେ । ତିନୋଟିଯାକ କବିତାକୁ ଗୋଟିଏ ଏକକ ପରି ପାଠ କଲେ ଆମକୁ ସତେଅବା ଏହି ପ୍ରଶ୍ନଟିର ଏକ ସମ୍ପୂର୍ଣ୍ଣ ସମାଧାନ ମିଳିଗଲା ପରି ବୋଧ ହୋଇଥାଏ । ଅସଲ କେନ୍ଦ୍ରଟି ଗଭୀରରେ, ନିଜ ଭିତରେ ରହିଛି । ସେଇଟିକୁ ଚିହ୍ନି ତାହାରି ଦ୍ଵାରା ପରିଚାଳିତ ହେଲେ ଆମେ ହୁଏତ ସମ୍ପୂର୍ଣ୍ଣ ଅନ୍ୟ ଏକ ଚେତନାରେ ଜୀବନକୁ ଭେଟିବା ଲାଗି ସମର୍ଥ ହେବା ଏବଂ ତାହାରି ଆଲୋକରେ ହିଁ ଜୀବନକୁ ବଞ୍ଚିପାରିବା । ତା’ପରେ ତୁମେ ନାରୀ ବା ପୁରୁଷ ଯାହା ହୁଅ ପଛକେ, ତୁମେ ଘୁଷୁରି ହେବାକୁ ଆଉ ମୋଟେ ମନ ବଳାଇବା ନାହିଁ । ପୁରୁଷ ହୋଇ ଆଦୌ ଦୁରାଚାର କରିବ ନାହିଁ କିମ୍ବା ପାଞ୍ଚାଳୀ ହୋଇ ରୋଦନ ମଧ୍ୟ କରିବ ନାହିଁ । ସମାଜର ଯେଉଁ ଯାବତୀୟ ନିୟମ ଆମକୁ ଗୋଟିଏ ପାଖରେ ଦୈତ୍ୟବତ୍ ପୁରୁଷଟିଏ ଏବଂ ଆରପାଖରେ ଅବଳା ବା ଦୁର୍ବଳା ନୀରୀଟିଏ କରି ରଖିଛି, ତୁମେ ସେଗୁଡ଼ିକର ଗାରକୁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଅତିକ୍ରମ କରିଯିବ ।

 

ଏବେ ଓଡ଼ିଶାର ଗୋଟିଏ କଲେଜରେ ଭଲ ଘଟଣାଟିଏ ଘଟିଲା । ପୁଅମାନେ ହଠାତ୍ ଆପଣାକୁ ରସିକ ଗୋପବାଳକଙ୍କ ପରି ଅତ୍ୟନ୍ତ ଅଣ-ଅକ୍ତିଆର ଭାବରେ ଭାବିଲେ କି କ’ଣ କେଜାଣି, ସେମାନଙ୍କର କଲେଜରେ ପଢ଼ୁଥିବା ଏବଂ ଆର ଛାତ୍ରାବାସରେ ରହୁଥିବା ଝିଅମାନେ କନ୍ଦର୍ପର କୋପ ହେତୁ ସେମାନଙ୍କୁ ଗୋଟାଏ ଗୋଟାଏ ଗୋପବାଳା ବାଗିର ଦେଖାଗଲେ । ସେମାନେ ମାତି ଉଠିଲେ ଏବଂ ସେଠାରେ ଯାଇ ଲଉଡ଼ି ଖେଳିବା ସକାଶେ ବାହାରି ପଡ଼ିଲେ । ପରିପୂର୍ଣ୍ଣ ଆଧୁନିକ ଉପଚାରରେ ସେମାନେ ମହା ଉତ୍ସାହରେ ତାହା କଲେ । ଆଗରୁ କାଁ ଭାଁ ଜଣ-ଜଣିକିଆ ସ୍ତରରେ ତାହା କରୁଥିଲେ । ଏଥର ସଂଘବଦ୍ଧ ଭାବରେ କରିବାକୁ ଇଚ୍ଛା କଲେ । କିଛି ସମୟ ମସ୍ତ ହେବା ପରେ ଘରକୁ ଫେରି ଆସିଲେ ସତ, ମାତ୍ର ସେମାନଙ୍କର କପାଳରେ ସେଦିନ ପାଇଁ ସତେ ଅବା ଆହୁରି କ’ଣ ସବୁ ଲେଖା ହୋଇ ରହିଥିଲା । ଛାତ୍ରୀ-ନିବାସରେ ଝିଅମାନେ ସଂଘବଦ୍ଧ ହେଲେ ଏବଂ ପୁଅମାନଙ୍କ ଦ୍ଵାରା ହୋଇ ଯାଇଥିବା ନାଟକର ପ୍ରତିବାଦ କରି ସେମାନଙ୍କ ଛାତ୍ରାବାସରେ ଆସି ପହଞ୍ଚିଗଲେ । ଏପରି ଆଗରୁ ମୋତେ ଘଟି ନଥିଲା । ସମ୍ପୃକ୍ତ ଓ ଅଂସପୃକ୍ତ ସମସ୍ତେ ଆଚମ୍ବିତ ହେଲେ । ସତେ ଅବା ଆଗକୁ ଗୋଟିଏ ଉପାୟ ଥିବାପରି ଲାଗିଲା । ଅବଳାମାନଙ୍କ ଭିତରେ ସବଳାର ପରିଚୟ ମିଳିଲା । ତେଣୁ, ପ୍ରାୟ ପାରମ୍ପାରିକ ଭାବରେ ଉଗ୍ର ଅଲିଅଳ ଦେଖାଇ ଆସିଥିବା ପୁଅମାନଙ୍କ ଭିତରର ଭୀରୁଟା ବେଶ୍ ଶଙ୍କିତା ହୋଇଗଲା । ଆଗାମୀ ଯୁଗରେ ଭୀରୁମାନେ ମୋଟେ ରହିବେ ନାହିଁ । ଏ ଯୁଗରେ ପ୍ରଧାନତଃ ଭୀରୁମନେ ହିଁ ଯାବତୀୟ ମ୍ଳେଚ୍ଛଗିରି କରିବାରେ ଭାରି ତତ୍ପର ର ହୋଇ ରହିଛନ୍ତି । ମଣିଷ ତା’ କେନ୍ଦ୍ରଟିକୁ ହରାଇ ବସିଥାଏ ବୋଲି ଭୀରୁ ହୁଏ ଏବଂ ଅତ୍ୟନ୍ତ ବ୍ୟାଧିତ ଭାବରେ ସତର ପ୍ରକାରେ ପ୍ରଚଣ୍ଡ ହେବାରେ ଲାଗିଥାଏ ଧନରେ ପ୍ରଚଣ୍ଡ, କ୍ଷମତାରେ ପ୍ରଚଣ୍ଡ, ଅସ୍ତ୍ରବଳରେ ପ୍ରଚଣ୍ଡ, ଚତୁରତା ଓ ଧୂର୍ତ୍ତିତାରେ ମଧ୍ୟ ପ୍ରଚଣ୍ଡ । ଆମ ସମାଜରେ ଯେଉଁମାନେ ବାରିପଟେ ଆସି ଆମ କଲେଜମାନଙ୍କରେ ଏବେ ପ୍ରଚଣ୍ଡ ହେବାରେ ଲାଗିଛନ୍ତି, ନିଜ ଭିତରର ଅସଲ କେନ୍ଦ୍ରଟି ସହିତ ସେମାନଙ୍କର ହୁଏତ ମୋଟେ କୌଣସି ସୂତା ଲାଗି ନାହିଁ । ସେମାନେ ସେଥିପାଇଁ ବଡ଼ ଆତୁର ହୋଇ ନିଜର ଅସ୍ତିତ୍ଵ ବିଷୟରେ କିଞ୍ଚିତ ପ୍ରତ୍ୟୟ ହୁଏତ ପାଇବେ ବୋଲି ଗୋଟିଏ କ’ଣ କାଣ୍ଡ କରି ପକାଉଛନ୍ତି । କେତେ କେତେ ଅତୃପ୍ତିରେ ଦାରୁଣ ଭାବରେ ଆର୍ତ୍ତ ହୋଇ ରହିଛନ୍ତି । ଅସଲ ବନ୍ଧୁଟିଏ ସହିତ ଭେଟ ହୋଇ ପାରୁଥିଲେ ସିନା ସେମାନଙ୍କର ଆଦୌ କୌଣସି ପରିତ୍ରାଣ ହୋଇପାରନ୍ତା । ଆମ ଇସ୍କୁଲ ଏବଂ କଲେଜମାନଙ୍କରେ ମଧ୍ୟ କ’ଣ ଗୋଟାଏ ଅପାଳକ ପଡ଼ିଛି ଯେ ଏବେ ଆମ ଶିକ୍ଷକ ଏବଂ ଅଧ୍ୟାପକମାନେ ଆଉ ବନ୍ଧୁ ହୋଇପାରୁନାହାନ୍ତି ।

 

ପ୍ରତ୍ୟେକ ପୁରୁଷ ଭିତରେ ନାରୀଟିଏ ରହିଛି ଏବଂ ପ୍ରତ୍ୟେକ ନାରୀ ଭିତରେ ପୁରୁଷଟିଏ ମଧ୍ୟ ରହିଛି । ପ୍ରତ୍ୟେକ ଅବଳାଟିଏ ଭିତରେ ସବଳାଟିଏ ରହିଛି । ଜିନ ଭିତରର ସ୍ଵୟଂଟି ସହିତ ଯାହାର ପରିଚୟ ଘଟିନାହିଁ, ସତେଅବା ଜୀବନ-ଗଣିତର କୌଣସି ନିୟମ ଅନୁସାରେ ସେଇ ବଳହୀନ ହୋଇରହିଛି । ଏବଂ ସ୍ଵୟଂଟି ସହିତ ପରିଚୟ ଘଟିବା ଦ୍ଵାରା ନିଜ ଭିତରୁ ହିଁ ଅମିତ ବଳର ସମର୍ଥନ ମିଳିଯାଉଛି । ନିଜ ଭିତରେ କୌଣସି କନ୍ଦି ବା କଣଟାରେ ହୀନମନ୍ୟଟିଏ ରହିଥିଲେ ହୁଏତ ସେଇ ବାହାରକୁ ନାନାବିଧ ଉଗ୍ରତା ପ୍ରଦର୍ଶନ କରିବାରେ ସତେ ଅବା ଭାରି ଆନନ୍ଦ ଅନୁଭବ କରୁଛି । ଆମ ସମାଜରେ ପୁରୁଷମାନଙ୍କ ଭିତରେ କେଉଁଠି କ’ଣ ହୀନମନ୍ୟତା ରହିଛି, ଯେଉଁଥି ସକାଶେକି ସେମାନେ ନାରୀମାନଙ୍କୁ ଅବର ବୋଲି କହି ନାନା ଉଗ୍ରତାର ପ୍ରଦର୍ଶନ କରୁଛନ୍ତି ? ଏବଂ, ଯଦି ପ୍ରତ୍ୟେକ ପୁରୁଷ ଆପଣା ଭିତରେ ଲୁକ୍କାୟିତ ହୋଇ ରହିଥିବା ନାରୀ-ଭାଗଟିକୁ ଆବଶ୍ୟକ ସ୍ୱୀକୃତି ଦେଇପାରନ୍ତା ଏବଂ ପ୍ରତ୍ୟେକ ନାରୀ ତା’ ଭିତରେ ଲୁକ୍କାୟିତ ହୋଇ ରହିଥିବା ପୁରୁଷ-ଭାଗଟିକୁ ମଧ୍ୟ ସ୍ଵୀକୃତ ଦେଇପାରନ୍ତା, ତେବେ ଆମେ ଉଭୟ ସମ୍ଭବତଃ ବହୁ ହୀନମନ୍ୟତା ଓ ବହୁ ଉଗ୍ରତାରୁ ରକ୍ଷା ପାଇପାରନ୍ତେ, ତେବେ ସମାଜରେ ପୁରୁଷ ଓ ନାରୀ ମଧ୍ୟରେ ଆଉ ଏତେ ଗୁଡ଼ାଏ ବ୍ୟବଧାନ ମଧ୍ୟ ରହନ୍ତାନାହିଁ । ପୁରୁଷ ଏବଂ ନାରୀ ଉଭୟେ ଜଣେ ଆଉ ଜଣକଭିତରେ ନିଜର ପରିପୂରକଟିର ସନ୍ଧାନ କରନ୍ତେ, ଖୁସି ହୁଅନ୍ତେ, ପରସ୍ପର ଠାରେ କୃତଜ୍ଞ ମଧ୍ୟ ରହନ୍ତେ । ପୁନଶ୍ଚ, ପରସ୍ପର ସମ୍ପର୍କରେ ଆସିବାର ମୂଳ ଅଭିପ୍ରାୟଟି ସେହିପରି ରହିଲେ ଆମ ସମାଜରେ ବହୁତ ରୀତି ମଧ୍ୟ ବଦଳି ଯାଆନ୍ତା । ଆମେ ପରସ୍ପରକୁ ସମ୍ମାନର ସହିତ ଚିହ୍ନିପରନ୍ତେ ।

 

ଆମ ସାହିତ୍ୟ କେତେ ନା କେତେ ବଦଳି ଯାଆନ୍ତା । ଆମ ନୈତିକତାର ତରାଜୁଗୁଡ଼ିକ ହୁଏତ ଏକାବେଳେକେ ଅନ୍ୟ ଭଳି ହୋଇଯାଆନ୍ତେ । ଆମ ଭିତରୁ ଏକାଧିକ ଆହେତୁକ ଭୟ ଦୂର ହୋଇଯାଆନ୍ତା । ଆଉ କିଏ ଆସି ମୋତେ ଗିଳି ପକାଇବା ବୋଲି ମୋ ମନରେ କୌଣସି ଭୟ ରହନ୍ତା ନାହିଁ । ତା’ପରେ ଆଉ କାହାକୁ ଯାଇ ଗିଳି ପକାଇବାକୁ ମଧ୍ୟ ମୋ ଭିତରେ କୌଣସି ଆଗ୍ରହ ରହନ୍ତା ନାହିଁ । ବର୍ତ୍ତମାନର ପୃଥିବୀରେ ଅନେକ କ୍ଷେତ୍ରରେ ଏପରି ଘଟିଥାଏ ଯେ, ଆଉ କିଏ ଆସି କାଳେ ମୋତେ ଗିଳି ପକାଇବ, ସେହି ଭୟଟା ଦ୍ଵାରା ପରିଚାଳିତ ହୋଇ ସତେଅବା ନିଜର ନିରାପତ୍ତା ଦୃଷ୍ଟିରୁ ମୁଁ ସେହି ଆଉ କିଏକୁ ପୂର୍ବରୁ ହିଁ ଗିଳି ପକାଇବା ପରି ବ୍ୟଗ୍ର ହୋଇ ଉଠିଥାଏ । ସେଭଳି ଏକ ସଂସାରରେ ମଣିଷ ମଣିଷ ପାଖରେ ମୋଟେ ନିର୍ଭୟ ହୋଇପାରେ ନାହିଁ । ମଣିଷ ଭଗବାନଙ୍କ ପାଖରେ ମଧ୍ୟ ନିର୍ଭୟ ହୋଇପାରେ ନାହିଁ । ଏହି ରୀତିରେ ଭଗବାନମାନେ କ୍ରମେ ଭାରି ଲାଞ୍ଚୁଆ ହୋଇପଡ଼ନ୍ତି ଭଗବାନଙ୍କୁ ଏଇଟା ବା ସେଇଟା ଲାଞ୍ଚ ଦେଇ ନିଜପଟେ ରଖିବା ନିମନ୍ତେ ମଣିଷ ମଣିଷ ଭିତରେ ପ୍ରତିଯୋଗିତା ଲାଗିଥାଏ । ଯେଉଁମାନେ ମୋ ପରିବାରରେ ମୋର ଏକାନ୍ତ ହୋଇ ରହିଥାନ୍ତି, ସେମାନଙ୍କୁ ମୁଁ ନିଜର ସମ୍ପତ୍ତିଜ୍ଞାନରେ ଦେଖୁଥାଏ ଏବଂ ତାହାରି ଦ୍ଵାରା ହିଁ ପାଷଣ୍ଡ ପରି ଖୁସି ହେଉଥାଏ । ଏବଂ ବାହାରେ ଏହି ପୃଥିବୀରେ କେହି ଆଦୌ କାହାରି ନୁହନ୍ତି ବୋଲି କପଟପାଶା ଗାଇବାରେ ଲାଗିଥାଏ । ଗୋଟାଏ ସମାଜ ହୁଏତ ଆସୁଛି, ଯେଉଁଥିରେ କି ଅଶେଷ ଭେଦ ସତ୍ତ୍ୱେ ଜଣେ ମଣିଷ ଆଉ ଜଣକୁ ଆପଣାର ସହଚାରୀ ବୋଲି ଅନୁଭବ କରିବ, ସମସ୍ତଙ୍କ ସହିତ ନିଜକୁ ଦେଖି ଖୁସି ହେବ, ଏବଂ ଏଠି ଏହି ଖେଳଟିକୁ ସମ୍ଭବ କରାଇ ଦେଇଥିବାରୁ ଭଗବାନଙ୍କ ପାଖରେ ସିଏ କୃତଜ୍ଞ ହୋଇ ରହିବ । ଏହିପରି ନିଜକୁ ଲୁଚାଇ ରଖିବାର, ଆଉ ଜଣକ ଠାରୁ ନିଜକୁ ଅଧିକ ବଳୀୟାର ଦେଖାଇ ହେବାର ବହୁତ ଦୁର୍ବୁଦ୍ଧି ସେତେବେଳେ ଅନାବଶ୍ୟକ ହୋଇଯିବ, —ମହୀ ଉଶ୍ଵାସ ହେବ ।

 

୧୫ । ୦୮ । ୯୮

Image

 

ଜଗତୀକରଣର ପ୍ରସ୍ତୁତି

 

ଭାରତରେ ସ୍ଵାଧୀନତା ସଂଗ୍ରାମ ଲାଗିଥିବା ସମୟରେ ସେହି ପର୍ବଟିକୁ ଏକାଧିକ, ଦୃଷ୍ଟିରୁ ବିଚାର କରି ଆମେ ଗୋଟିଏ ପ୍ରସ୍ତୁତିର ପର୍ଯ୍ୟାୟ ବୋଲି କହିପାରିବା । ସ୍ଵାଧୀନତା ପରେ ମଧ୍ୟ ଯେଉଁ ଅନ୍ୟ ପର୍ଯ୍ୟାୟଟି ଆସିଲା ଏବଂ ବର୍ତ୍ତମାନ ଆମେ ଯେଉଁଟିର ମଧ୍ୟ ଦେଇ ଗତି କରୁଛୁ, ସେଇଟିକୁ ମଧ୍ୟ ପ୍ରସ୍ତୁତିର ଏକ ପର୍ଯ୍ୟୟ ବୋଲି କୁହାଯିବ । ଦୁଇଟି ପ୍ରସ୍ତୁତି ଧର୍ମତଃ ଅଲଗା ଅଲଗା ପ୍ରକାରର ପ୍ରସ୍ତୁତି । ପ୍ରଥମ ପ୍ରସ୍ତୁତିଟି ବସ୍ତୁତଃ ଭାଙ୍ଗିବାର ଏକ ପର୍ଯ୍ୟୟ ଏବଂ ଦ୍ଵିତୀୟଟି ଏକ ଗଢ଼ିବାର । କେଉଁଟି ଅଧିକ ବା କମ୍ ମହତ୍ତ୍ଵପୂର୍ଣ୍ଣ, ସେକଥା କହିବା ମୋଟେ ସହଜ ନୁହେଁ । ମାତ୍ର, ଏହି ଦ୍ଵିତୀୟ ପର୍ଯ୍ୟାୟଟି ଭିତରେ ଛିଡ଼ାହୋଇ ପ୍ରଥମଟି ଆଡ଼କୁ ଦୃଷ୍ଟିପାତ କଲେ ଲାଗୁଛି, ପ୍ରଥମଟି ସମ୍ଭବତଃ ଅପେକ୍ଷାକୃତ ଅଧିକ ସହଜ । ଚାଳଟାକୁ ଓଲାରି ଦେବା ଠାରୁ ଚାଳକୁ ନୂଆ ଛଣ ଦେଇ ଛପର କରିବା ସ୍ପଷ୍ଟତଃ ଅଧିକ କଷ୍ଟକର ହିଁ ହେବ । ଭାଙ୍ଗିବାର ସମଗ୍ର ଅର୍ଥଟି ହେଉଛି କାହାଠାରୁ ମୁକ୍ତିଲାଭ କରିବା ଏବଂ ଗଢ଼ିବା କହିଲେ ସତେ ଅବା କ’ଣ ଗୋଟିଏ ଚିତ୍ର ଅଥବା ସ୍ଵପ୍ନ-ଯୋଜନାକୁ ଏକାବେଳକେ ମୂଳରୁ ଗଢ଼ି ଆଣିବା । ସ୍ଵପ୍ନକୁ ବାସ୍ତବ ରୂପ ଦେବା । ସ୍ଵାଧୀନ ଭାରତବର୍ଷରେ ବିଗତ ପଚାଶ ବର୍ଷ ହେଲା ଯାବତୀୟ ଅର୍ଥରେ ସେହି ପର୍ଯ୍ୟାୟଟି ଚାଲିଛି ।

 

ମନୁଷ୍ୟ-ସଭ୍ୟତାର ଇତିହାସରେ ପଛକୁ ଆଖି ପକାଇଲେ ଗୋଟିଏ କଥା ବିଷୟରେ ଅଧିକରୁ ଅଧିକ ହୃଦବୋଧ ହେବାକୁ ଆରମ୍ଭ କରେ । ମଣିଷ ଆଗେ ଏକୁଟିଆ ଥିଲା, ମଣିଷ ମଣିଷକୁ ଡରୁଥିଲା; ଗୋଷ୍ଠୀମାନେ ଏକୁଟିଆ ଥିଲେ ଗୋଟିଏ ଗୋଷ୍ଠୀ ଆଉ ଗୋଟିଏ ଗୋଷ୍ଠୀକୁ ଡରୁଥିଲା । ଗୋଟିକୁ ଆଉ ଗୋଟିକୁ ଗିଳି ପକାଉଥିଲା । ଧର୍ମମାନେ ମଧ୍ୟ ପ୍ରଧାନତଃ ନିଜର ଡିହଗୁଡ଼ିକୁ ମଜବୁତ କରି ଆଣୁଥିବା ସଙ୍ଗେ ସଙ୍ଗେ ମଣିଷର ଏହି ଗିଳି ପକାଇବାର ଉତ୍ସାହଟାକୁ ସତେଅବା ଅଧିକ ସମର୍ଥନ ଦେଲେ । ଗୋଟିଏ ଧର୍ମ ଆଉ ଗୋଟିଏ ଧର୍ମକୁ ଗିଳି ପକାଇବାରେ କ’ଣ କମ୍ ଶକ୍ତିକୁ କାମରେ ଲଗାଇଛି ? ରଜାମାନେ ଏହି ଦୁଷ୍କର୍ମରେ କେଡ଼େ ଅନୁଗତ ହୋଇ ସାହାଯ୍ୟ କରି ଆସିଛନ୍ତି । ମାତ୍ର ପୃଥିବୀରେ ଯହୁଁ ଯହୁଁ ସ୍ଥଳ ଓ ସମୁଦ୍ର ମାର୍ଗରେ ରାସ୍ତାମାନ ଫିଟିବାକୁ ଆରମ୍ଭ କଲା, ବିଜ୍ଞାନର ବହୁ ବୁଦ୍ଧି ଫଳରେ ସମଗ୍ର ପୃଥିବୀଟା ସତେ ଅବା ଏକ ବୃହତ୍ ପଡ଼ିଶା ସଦୃଶ ଲାଗିଲା । ବହି ଛପାହେଲା, ଜ୍ଞାନକୁ ବେଢ଼ା ଭିତରେ କିଳି ରଖିଥିବା ଅଜ୍ଞାନର ବାଡ଼ଗୁଡ଼ିକ ଭାଙ୍ଗିଲା ପୃଥିବୀର ମଣିଷମାନେ ପରସ୍ପରର କେତେ କେତେ କତିକୁ ଆସିଗଲା ପରି ଅନୁଭବ କଲେ । ମନୁଷ୍ୟର ଆଖି ଅଧିକ ଉଦାର ହେଲା । ମଣିଷମାନେ ଆଉ ପରସ୍ପର ଠାରୁ ମୋଟେ ଲୁଚିକରି ରହିପାରିଲେ ନାହିଁ । ନ୍ୟସ୍ତ ସ୍ଵାର୍ଥମାନେ ଯେତେ ଫିସାଦ କଲେ ମଧ୍ୟ ମଣିଷମାନଙ୍କୁ ଆଉ ଆଦୌ ଲୁଚାଇ ରଖିପାରିଲେ ନାହିଁ । ରେଡିଓ ଟେଲିଭିଜନ—ଏସବୁ ହୃଦୟ ଲାଗି ମଧ୍ୟ ସମ୍ପ୍ରାସାରଣରେ ନିମିତ୍ତ ରୂପେ କାର୍ଯ୍ୟ କଲେ । ମଝିରେ ଜାତୀୟତାବାଦ ବି ବାଧାଦେବାକୁ ବାହାରିଲା । ଏବେ ବି କମ୍ ବାଧା ଦେଉନାହିଁ । ଜାତୀୟତାବାଦୀ ସ୍ଵାର୍ଥର ବାହାନା ଦେଖାଇ ପୃଥିବାରେ ଏବେ ମଧ୍ୟ ଅର୍ଥନୀତି ଓ ଅର୍ଥକ୍ଷମତା ବହୁଭାବେ ମନୁଷ୍ୟ-ବିରୋଧୀ ହୋଇ ରହିଛି । ଅସ୍ତ୍ରାଗାର ଏବଂ ସରକାରମାନେ ପରସ୍ପର ସହିତ ଖୁରି ଖାଇବାରେ ଲାଗିଛନ୍ତି । ପରସ୍ପରକୁ ଧମକ ଦେଉଛନ୍ତି । ମେଣ୍ଟ ବି ବାନ୍ଧୁଛନ୍ତି । ଏସବୁ ନାନା ତାମସାକୁ ଅତ୍ୟନ୍ତ ଗାମ୍ଭୀର୍ଯ୍ୟ ସହିତ ରାଜନୀତି ବୋଲି କୁହାଯାଉଛି । ସରକାରଗୁଡ଼ିକୁ ସେହି ରାଜକୀୟ ବୀଭତ୍ସତା ଭିତରେ ନିତାନ୍ତ ଅସହଜ କରି ରଖିବାକୁ ବିଶ୍ଵସ୍ତ ଗୋଲାମମାନେ ମଧ୍ୟ ରହିଛନ୍ତି । କେବଳ ସେହିମାନଙ୍କୁ ଦେଖୁଥିବା ପର୍ଯ୍ୟନ୍ତ ସବୁ ଅନ୍ଧାର ଦେଖାଯିବା ନିତାନ୍ତ ସ୍ଵାଭାବିକ; ନିରାଶ ନହୋଇ ଆଇ ବାଟ ହିଁ ରହିବ ନାହିଁ ।

 

କିନ୍ତୁ, ଏହି ସବୁକିଛି ମାଧ୍ୟମରେ ଏକ ଜଗତୀକରଣର ପ୍ରକ୍ରିୟା ଇତିହାସ ସାରା ପୃଥିବୀରେ ଆପଣାକୁ ସାକାର କରି ଆସିନାହିଁ କି ? ଆଗେ ପୃଥିବୀରେ ଯବନ ଥିଲେ, ମ୍ଳେଚ୍ଛ ରହିଥିଲେ । କାଫେର ନାମକ ଅଶାଳୀନ ମେକ୍ଷ ଏବଂ ଦଣ୍ଡଭୋଗ ପ୍ରଭୃତିର କରାଳ କଳ୍ପନାମାନ କରି ଆମକୁ ଭଣ୍ଡାଇ ଆସିଥିଲେ, ଆମକୁ ଗୋଟାଏ ଗୋଟାଏ ମିଛ ଗମ୍ଭୀର ଭାବରେ ବାନ୍ଧି ରଖିଥିଲେ । ନାନାବିଧ ବ୍ୟୂହ ଭିତରେ ବନ୍ଦୀ କରି ରଖିଥିଲେ । ସେହି ବ୍ୟୂହଗୁଡ଼ିକୁ ଏବେ ମଧ୍ୟ କେତେ ଥାନରେ ସଂସ୍କୃତ ବୋଲି କୁହାଯାଉଛି । ତଥାପି ସମସ୍ତଙ୍କର ସବୁ ନାଟଦେଖିବା ସତ୍ତ୍ୱେ ଲାଗୁଛି ଯେ, ଏସବୁ ଆଦୌ କିଛି ରହିବ ନାହିଁ । ଏକ ଜଗତୀକରଣର ଯୋଜନା ହିଁ ପରିଶେଷରେ ବିଜୟ ଲାଭ କରିବ । ଯାବତୀୟ ଲକ୍ଷଣ ଦେଖି ମନେ ହେଉଛି, ସତେ ଅବା ଆରମ୍ଭରୁ ହିଁ ବିଧାତା ସେହିପରି ଏକ ଜଗତୀକରଣ ଆଡ଼କୁ ମଣିଷମାନଙ୍କୁ ମଣକରି ଆଣିଛନ୍ତି—ବ୍ୟକ୍ତିଗତ ତଥା ସାମୂହିକ ଉଭୟ କ୍ଷେତ୍ରରେ କ୍ରମଗଠିତ ଓ ପାକଳ କରି ଆଣିଛନ୍ତି । ବିଶ୍ଵବିବର୍ତ୍ତନରେ ଏହିଭଳି ଗୋଟିଏ ନିୟତି ମନୁଷ୍ୟସମୂହକୁ ଅପେକ୍ଷା କରି ରହିଛି ବୋଲି ବିବର୍ତ୍ତନ ବିଷୟରେ ଆଗକୁ ଅନୁମାନ କରୁଥିବା ବିଜ୍ଞାନୀମାନେ ମଧ୍ୟ କହିବାକୁ ଆରମ୍ଭ କଲେଣି । ହୁଏତ ସେହିପରି ଏକ ଲକ୍ଷ୍ୟରେ ପୃଥିବୀରେ ଶିକ୍ଷା ବଦଳି ବଦଳି ଯାଉଛି । ଅର୍ଥନୀତିର ପୁନର୍ବିନ୍ୟାସ ହେଲାଣି । ଆଗାମୀ ସୋପାନମାନଙ୍କରେ ଅନୁକୂଳ ହେଲାଭଳି ନୂଆ ନୂଆ ସଂସ୍ଥାମାନେ ମଧ୍ୟ ଜନ୍ମଲାଭ କଲେଣି । ଏବଂ ଆହୁରି ଆଚମ୍ବିତ କଥା ହେଉଛି ଯେ, କେବଳ ନିଜ ଧର୍ମଟା ହିଁ ସାର ଓ ଆଉ ସବୁ ଧର୍ମ ଅସାର ବୋଲି ଖଡ଼ି ମଡ଼ାଇ ଆସିଥିବା ଧର୍ମବାଗୀଶମାନେ ସତେଅବା ହାୱାଟାରୁ ଏକ ନୂଆ ଆଘ୍ରାଣା ପାଇ ପାରିଥିବା ପରି ଏକତ୍ର ହେଲେଣି । ଚର୍ଚ୍ଚାରେ ବସିଲେଣି ଏବଂ ସବୁ ଈଶ୍ଵରଙ୍କୁ ଏକାଠି ଧରି ରଖିଥିବା ମୂଳ ଈଶ୍ଵରଟି ବିଷୟରେ ଅଧିକ ଜିଜ୍ଞାସା ପ୍ରକାଶ କଲେଣି । ତେଣୁ ଏକ ଭଲ ସମୟ ଆସୁଛି, ଏକ ଅନ୍ୟ ସମୟ ଆସୁଛି । ସତକୁ ସତ ଏକ ଜଗତୀକରଣର ଅଭିନବ ବିବେକଟିଏ ପୃଥିବୀ ଯାକର ମଣିଷଙ୍କୁ ଗୋଟିଏ ଉଦ୍ୟମ ଏବଂ ଗୋଟିଏ ଜୀବନ-ବୋଧ ଭିତରେ ଯୋଡ଼ିଆଣିବାକୁ ମନସ୍ଥ କରିଛି । ସ୍ଵାଧୀନତା ଆସିବା ପରେ ଭାରତବର୍ଷରେ ଆମେ ସେହି ଜଗତୀକରଣର ପ୍ରସ୍ତୁତି ଭିତରେ ସାମିଲ ହେବାପାଇଁ ପ୍ରଥମ କରି ଆହ୍ଵାନ ପାଇଲେ । ଜଗତୀକରଣର ଆହ୍ଵାନଟି ବୃହତ୍ତର ଜଗତକୁ ଆସିଥାଉ ପଛକେ, ତାହାକୁ ଆମର ଘରୁ ହିଁ ଏକାବେଳେକେ ତଳୁ ପାହାଚ ପାହାଚ କରି ଗଢ଼ିନେବାକୁ ହେବ । ଏକ ବଡ଼ ଅଟ୍ଟାଳିକା ଏହିପରି ତଳୁ ହିଁ ଗଢ଼ାଯାଏ, ସ୍ୱପ୍ନଗୁଡ଼ିକ ଉପରେ ଥାଇ ଆମକୁ ଯେତେ ଉଚ୍ଚାଟିତ ଏବଂ ଉଦ୍ଦୀପିତ କରିବାରେ ଲାଗିଥିଲେ ମଧ୍ୟ ଇଟାଗୁଡ଼ିକୁ ଏହି ତଳୁ ହିଁ ବସାଇବାକୁ ପଡ଼ିବ । ଯାହାକିଛି ତଳୁ ଗଢ଼ାଯାଏ, କେବଳ ତାହା ହିଁ ଯଥାର୍ଥ ରୀତିରେ ଗାଢ଼ାଯାଏ । ଅସଲ ପ୍ରସ୍ତୁତି ସେହି ତଳୁ ହିଁ ହୁଏ । ତେବେ ଯାଇ ଯାହା କିଛି ହୁଏ, ତାହା ସତକୁ ସତ ମଜବୁତଭାବରେ ହୁଏ । ବିଗତ ୫୦ ବର୍ଷର ଅବଧିକୁ ଯାବତୀୟ ନ୍ୟାୟ ସଙ୍ଗତି ସହିତ ଆମେ ସେହି ପ୍ରସ୍ତୁତିକାଳରୂପେ ବ୍ୟବହାର କରିପାରିଥାନ୍ତେ । ପ୍ରସ୍ତୁତିକାଳ ବୋଲି କେବଳ କହିନଥାନ୍ତେ । ଅଥବା କେବଳ ବହିରେ ଲେଖିନଥାନ୍ତେ, ସେଇଥିପାଇଁ ଟିକିନିଖି ସକଳ କ୍ଷେତ୍ରରେ ଅନୁକୂଳ ପ୍ରକାରେ ପ୍ରକୃତରେ କିଛି କରିଥାନ୍ତେ । ଏହି ପ୍ରସ୍ତୁତିକୁ ଯଥେଷ୍ଟ ପୁରୋଦୃଷ୍ଟି ସହିତ ସେହି ଜଗତୀକରଣ ନିମନ୍ତେ ଏକ ପ୍ରସ୍ତୁତି ବୋଲି ହୃଦୟଙ୍ଗମ କରିଥାନ୍ତେ । ଭାରତବର୍ଷରେ ନେତୃତ୍ଵ ଅନୁରୂପ ପ୍ରକାରରେ ହେଇଥିଲେ ଯାଇ ତାହା ସମ୍ଭବ ହୋଇଥାନ୍ତା । ଭାରତୀୟ ସ୍ଵାଧୀନତା ସଂଗ୍ରାମ ଯେପରି ବହୁଉପନିବେଶରେ ତନନୁରୂପ ଏକ ସଂଗ୍ରାମକୁ ଆନୁପ୍ରାଣିତ କରି ଆଣିଲା ଏବଂ ଭାରତବର୍ଷ ସ୍ଵାଧୀନ ହେବାର ସେହି ତରଙ୍ଗଟି ବାଜି ଯେପରି ବିଶ୍ଵର ଉପନିବେଶମାନେ ଗୋଟି ଗୋଟି କରି ସ୍ଵାଧୀନତା ହାସଲ କଲେ ଏବଂ ପୃଥିବୀର ଇତିହାସରେ ସମ୍ପୂର୍ଣ୍ଣ ଏକ ନୂତନ ଭିତ୍ତିଭୂମି ପ୍ରସ୍ତୁତ କରିପାରିଲେ, ସ୍ଵାଧୀନତା ପରେ ମଧ୍ୟ ଭାରତବର୍ଷର ପ୍ରସ୍ତୁତିଗୁଡ଼ିକ ସେହିପରି ପୃଥିବୀର ବହୁଦେଶକୁ ବିବେକ ଦେଇଥାନ୍ତା ଏବଂ ବାଟ ଦେଖାର ପାରିଥାନ୍ତା । ସ୍ଵାଧୀନତା ପରେ ଭାରତବର୍ଷ ଏପରି ଗଧ ହୋଇ କାହିଁକି ରହିଗଲା କେଜାଣି ? ଆମ ଦେଶର ବାବୁମାନେ ସତେ ଅବା ନିଜକୁ ହିଁ ଦେଶରେ ଯାହା କିଛି ବୋଲି ବିଚାର କରି ଏଠାରେ ପରବର୍ତ୍ତୀ ସୋପାନଗୁଡ଼ିକୁ କାହିଁକି କାଞ୍ଜିଆ କରି ପକାଇଲେ କେଜାଣି ?

 

ଆଗାମୀ ଜଗତୀକରଣଟି ଆଖି ଆଗରେ ରହି ପାରିଥିଲେ ଭାରତବର୍ଷରେ ସର୍ବପ୍ରଥମେ ସର୍ବବିଧ କ୍ରିୟାଶୀଳତାରେ ବାସକରୁଥିବା ସବୁ ମଣିଷଙ୍କୁ ବିଚାରକୁ ନିଆଯାଇଥାନ୍ତା । ସେତେବେଳେ ଆମକୁ ବାଟ ଦେଖାଇବା ନିମନ୍ତେ ଦେଶରେ ଯେଉଁ ସମ୍ବିଧାନଟି ତିଆରି ହୋଇଥିଲା, ସେଥିରେ ମଧ୍ୟ ମର୍ମତଃ ସେହି କଥାଟିକୁ ଘୋଷଣା କରାଯାଇଥିଲା । ଆମ ସମ୍ବିଧାନ ଏକ ପବିତ୍ର ଶାସ୍ତ୍ର ହୋଇ ରହିଗଲା । ବଛା ବଛା ବାବୁମାନେ ଏକାଠି ବସି ଏହି ସମ୍ବିଧାନଟିକୁ ତିଆରି କରିଥିଲେ ସତ, ମାତ୍ର ସେହି ସମ୍ବିଧାନରେ ଯାହାକିଛି ଲେଖା ହୋଇଥିଲା, ତାହା ଦେଶରେ ସବୁ ଲୋକଙ୍କର ନିୟତିକୁ ବିଚାରକୁ ନେଇ ତିଆରି ହୋଇଥିଲା । କେବଳ କେତେକ ବଛା ବଛାଙ୍କ ସକାଶେ ମୋଟେ ତିଆରି ହୋଇନଥିଲା । ମାତ୍ର ତାହା ଯେ ସବୁ ଲୋକଙ୍କ ପାଇଁ ତିଆରି ହୋଇଛି, ସେକଥା ଦୀର୍ଘ ୫୦ ବର୍ଷ ଅନ୍ତେ ବି ସବୁ ଲୋକ ଜାଣିପାରିଲେ ନାହିଁ । ଅଧେ ନିରକ୍ଷର ରହିଲେ, ଅଧିକରୁ ଅଧିକ ନିଃସମ୍ବଳ ହୋଇ ରହିଲେ—ଏହି ଦେଶରେ ଉତ୍ତମମାନଙ୍କ ଦ୍ଵାରା ଘୃଣିତ ହେଲେ, ବଞ୍ଚିତ ହେଲେ ଏବଂ ଉତ୍ତମମାନେ ଦେଶକୁ ଭୋଗ କଲେ । ସେହି ବିକଳ ଅବସ୍ଥା ଏବେ ମଧ୍ୟ ବଳବତ୍ତର ରହିଛି । ସାମନ୍ତବାଦୀ ଉପେକ୍ଷାଗୁଡ଼ାକ ହିଁ ଚକ୍ରବର୍ତ୍ତୀ ହୋଇ ବସିଛନ୍ତି । ସମଗ୍ର ପୃଥିବୀ ଜଗତୀକରଣର ଏକ ବିପୁଳ ଆହ୍ଵାନକୁ ଘରକୁ ଡାକିନେବା ନିମନ୍ତେ ନିଜକୁ ଯୋଗ୍ୟ କରୁଥିବା ସମୟରେ ଭାରତବର୍ଷର ଚକ୍ରବର୍ତ୍ତୀମାନେ ଦେଶକୁ ସତେ ଅବା ସେହି ସପ୍ତଦଶ ଶତାବ୍ଦୀର ବର୍ବରତା ମଧ୍ୟରେ ବାନ୍ଧି ରଖିବାକୁ ଇଚ୍ଛା କରୁଛନ୍ତି । ଆମଦେଶରେ ବିକାଶ ନିମନ୍ତେ କୋଟି କୋଟି ଟଙ୍କା ବରାଦ ହେଉଛି । ମାତ୍ର ଯେଉଁମାନେ ଯାଇ ପହଞ୍ଚିବାର କଥା, ସେଯାଏ ପହଞ୍ଚିପାରୁ ନାହିଁ । ଉପରେ ଓ ମଝିରେ ରହିଥିବା ଥୋକେ ଚତୁର ହୃଦୟହୀନ ମଣିଷ ତାକୁ ହରଣ କରି ନେଉଛନ୍ତି । ସବୁ କିଛି ଦୟାରେ ଚାଲିଛି । ଦେଶରେ ଚାରି ଭାଗରୁ ତିନିଭାଗ ନାଗରିକ ଉପରର ଦୟା ଉପରେ ହିଁ ନିର୍ଭର କରି ରହିଛନ୍ତି । ଏବଂ ଆହୁରି ଆଗକୁ ଶହେ ବର୍ଷ ସକାଶେ ଦେଶଟାକୁ ଏହିଭଳି ଅସହାୟ କରି ରଖିବା ଲାଗି ସତେ ଅବା ଫେସନରେ ପାଠ ପଢ଼ୁଛନ୍ତି, ଅଲଗା ଭାଷାରେ ମଧ୍ୟ ପଢ଼ୁଛନ୍ତି । ସେମାନେ ଯେ ଅନ୍ୟମାନଙ୍କ ପରି ଭାରତବର୍ଷ, ଏହି ସତ୍ୟଟିକୁ ଭୁଲିଯିବା ଲାଗି ଅତ୍ୟନ୍ତ ଆତ୍ମକାମୀ ଭାବରେ ସମ୍ପୃକ୍ତ ସମସ୍ତଙ୍କୁ ଠକାଇ ଭଣ୍ଡାଇ ଏହି ଭାଗ୍ୟଟାକୁ ଯଥାସମ୍ଭବ ଏକାକୀ ଭୋଗ କରିବା ଲାଗି ସେମାନଙ୍କର ଶିକ୍ଷା ସେମାନଙ୍କୁ ମଣ ବି କରି ନେଉଛି । ଜଗତର ସ୍ତରରେ କୌଣସି ସୁସ୍ଥ ଜଗତୀକରଣ ସମ୍ଭବ ହେବା ଲାଗି ଆଗ ଆମ ସ୍ଥାନୀୟ ସାମୂହିକ ଜୀବନରେ ତଥା ବ୍ୟବସ୍ଥା ମାନଙ୍କରେ ସେହି ଦୃଷ୍ଟି ହିଁ ଆମର ଯାବତୀୟ କ୍ରିୟାଶୀଳତାର ହୃଦୟ ହୋଇ ରହିବା ଉଚିତ । ଦେଶ ଓ ସ୍ଥାନୀୟ ସାମାଜିକ ଜୀବନର ଏହି ଘରଟିରେ ଯେପର୍ଯ୍ୟନ୍ତ ଅଧିକଙ୍କୁ ବଞ୍ଚିତ କରି ଥୋକେ ଫୁଲେଇ ହେଉଥିବେ, ପାଠ, ପଇସା, କ୍ଷମତା ସବୁକିଛି ଏକୁଟିଆ ମାଡ଼ି ବସିଥିବେ, ତେବେ ଆମେ କିପରି ଜଗତୀକରଣର ପ୍ରକ୍ରିୟାରେ ଭାଗ ନେଇପାରିବା ?

 

ପିଲାଙ୍କର ଜଗତ ଅର୍ଥାତ୍ ସବୁ ପିଲା । ନାଗରିକର ଜଗତ ଅର୍ଥାତ ସବୁ ନାଗରିକ । ବିଧାନ ଏବଂ ନିୟମ ଅର୍ଥାତ୍ ସବୁ ନାଗରିକଙ୍କ ପାଇଁ ନିୟମ । ଅଧିକାର କହିଲେ ସବୁରି ପାଇଁ ଅଧିକାର । ଏହି ସତ୍ୟକୁ ମୂଳ ବୋଲି ସ୍ଵୀକାର କରିନେଲେ ଏଠି ଭାରତବର୍ଷରେ ଏହି ଘରଟିକୁ ଏକାବେଳେକେ ଅନ୍ୟପ୍ରକାର ସଜାଡ଼ିବାକୁ ହିଁ ପଡ଼ିବ । ଜାତୀୟତାବାଦଟା ଏକାଧିକ ବାହାନା କରି ସେହି ଅନ୍ୟପ୍ରକାରେ ସଜାଡ଼ିହେବା ଲାଗି ରାଜନୀତିକ ଇଚ୍ଛାର କ୍ଷେତ୍ରରେ ପ୍ରାୟ ଅନବତର ବାଧା ପରେ ବାଧା ସୃଷ୍ଟି କରି ଆସିଛି । ଆଇନମାନେ ଅଛନ୍ତି, ତଥାପି ଅପରାଧୀମାନେ ସ୍ଵଚ୍ଛନ୍ଦରେ ସିଂହାସନ ଉପରେ ବସିଛନ୍ତି । ଶିକ୍ଷା-କ୍ଷେତ୍ରରେ ସବା ଉପରେ ରହିଥିବା ବାବୁମାନେ ସତେଅବା ଉଆସ ଭିତରେ ଅମୁହାଁ ହୋଇ ରହିଛନ୍ତି ବୋଲି ପୂରା ଦେଶଟାକୁ ମୋଟେ ଦେଖି ପାରୁନାହାନ୍ତି । ସେମାନେ ସବା ଆଗ ନିଜ କୁଟୁମ୍ବର ପିଲାମାନଙ୍କୁ ଦେଖୁଛନ୍ତି । ରାଜନୀତିରେ ଯେପରି କୌଟୁମ୍ବିକତାର ପାଜି ଦୈତ୍ୟଟା ଏହି ଦେଶର ରାଜନୀତିକ ଚେତନାକୁ ଆଗକୁ ଯିବା ଲାଗି ଦେଉନାହିଁ, ଶିକ୍ଷାରେ ମଧ୍ୟ ଯେପରି ବରାଦ କରି ଦେଶକୁ ଯାବତ୍‍ଚନ୍ଦ୍ରାର୍କେ ଥାକ ଥାକ ଏବଂ ଭାଗ ଭାଗ କରି ରଖାଯାଇ ପାରିବ ତାହାର ଅଶିକ୍ଷିତ ମଧୁଧାମନ ଖୁବ୍ ବୁଦ୍ଧିମତ୍ତା ସହିତ ଚାଲିଛି । ଗୋଟାଏ ଘରକୁ ଅତ୍ୟନ୍ତ ଅଭିସନ୍ଧିମୂଳକ ଭାବରେ ସତରଟା ଘରରେ ବିଭକ୍ତ କରି ରଖିବାର ଚକ୍ରାନ୍ତ ଚାଲିଛି । ଯେଉଁମାନେ ଏହି ସବୁ ଚକ୍ରାନ୍ତ କରୁଛନ୍ତି, ଦେଶକୁ ସେହିମାନେ ଶାସନ ମଧ୍ୟ କରୁଛନ୍ତି । ଉପରକୁ ଦେଖିବା ପାଇଁ ଛାଞ୍ଚଟା ଗଣତନ୍ତ୍ର ହୋଇଥିଲେ ମଧ୍ୟ ଗଣତନ୍ତ୍ରର ଯଥାର୍ଥ ଭିତ୍ତିଭୂମିଟିର ଖୁବ୍ ବେଶୀ ସମ୍ଭବ ହୋଇପାରୁ ନାହିଁ । ଭାରତବର୍ଷକୁ କୃଷିପ୍ରଧାନ ଦେଶ ବୋଲି କୁହାଯାଉଥିଲେ ମଧ୍ୟ ଅଧିକାଂଶ ଜମିମାଲିକ ଏଠି କେବଳ ମାଲିକ ହୋଇ ରହିଛନ୍ତି, କୃଷିପାଠ ସେହିମାନଙ୍କ ପିଲା ପଢ଼ୁଛନ୍ତି କୃଷି କ୍ଷେତ୍ରରେ ଶ୍ରମିକମାନଙ୍କ ହାତରେ ଜମି ନାହିଁ । ସେମାନେ ମୂଲିଆ ହୋଇ ରହୁଛନ୍ତି । କୃଷି ଅଲକ୍ଷଣା ହୋଇଯିବା ଫଳରେ ଗ୍ରାମର ଜୀବନ ମଧ୍ୟ ଅଲକ୍ଷଣା ହୋଇ ରହିଲାଣି । ଜମିକୁ ଅକୃଷକମାନେ ପିତୃଦତ୍ତ ସ୍ଵସମ୍ପତ୍ତି ବୋଲି ଭାବୁଛନ୍ତି, ତେଣୁ କୃଷିକ୍ଷେତ୍ରରେ ସେହି ପୂର୍ବ ଦୁର୍ଦ୍ଦଶା ଆଦୌ ଘୁଞ୍ଚିପାରୁ ନାହିଁ ।

 

ଜଗତୀକରଣର ପ୍ରକ୍ରିୟାଟି ହେଉଛି ମୂଳତଃ ଏକତ୍ର କରି ଆଣିବାର ଏକ ପ୍ରକ୍ରିୟା; ସବୁରି ସହିତ ଏକାଠି ଘରକରି ରହିବା ଲାଗି ଏକ ସମ୍ମତି ହେଉଛି ଏଥିରେ ସର୍ବପ୍ରଧାନ କଥା । ପାରମ୍ପରିକ ଭାବରେ ଭାଗ ଭାଗ ହୋଇ ରହିଥିବା ଆମ ସାମୂହିକ ଜୀବନକୁ ବିଗତ ପଚାଶ ବର୍ଷର ଯଥାର୍ଥ ଉଦ୍ୟମ ଏବଂ ଯଥାର୍ଥ ସାଧୁତା ଦ୍ଵାରା ସେହି ଏକତ୍ରୀକରଣ ଆଡ଼କୁ ଅଗ୍ରସର କରାଇ ଅଣାଯାଇ ପାରିଥାନ୍ତା । ଏହି ଦେଶ ବିଦେଶୀର ନୁହେଁ, ଏହି ଦେଶ ଆମ ସମସ୍ତଙ୍କର । ବିଦେଶୀ ନିଜର ମତଲବ ଅର୍ଥାତ୍ ସ୍ଵାର୍ଥ ପାଇଁ ଏହାକୁ ଭାଗ ଭାଗ କରି ରଖିଛି । ଆମେ ବିଦେଶୀକୁ ହଟାଇବୁ ଓ ସମଗ୍ର ଦେଶକୁ ସମସ୍ତଙ୍କ ପାଇଁ ତିଆରି କରିବୁ, ଦାରିଦ୍ୟ ଓ ଅଶିକ୍ଷା ଦୂରହେବ, ସୁଖ, ଶିକ୍ଷା ଓ ସମୃଦ୍ଧିରେ ସବୁରି ଭାଗ ରହିବା । ଏହିପରି ଏକ ଅଭିନବ ସ୍ଵପ୍ନ ହିଁ ଭାରତବର୍ଷରେ ସ୍ଵାଧୀନତା ସଗ୍ରାର ମୁଖ୍ୟ ପ୍ରେରଣା ହୋଇ ରହିଥିଲା । ସୁଯୋଗ ଏବଂ ସମ୍ପଦର ସର୍ବଜନୀକରଣ, ତାହାକୁ ହିଁ ଆମେ ଯେକୌଣସି ସୁସ୍ଥ ଜଗତୀକରଣର ସର୍ବସାମାନ୍ୟ କଥା ବୋଲି କହିପାରିବା । ମାତ୍ର, ସ୍ଵାଧୀନତା ପରବର୍ତ୍ତୀ ନେତୃତ୍ଵ ଆମକୁ ଯେଉଁ ବଣରେ ଆଣି ପୂରାଇ ଦେଲା, ବର୍ତ୍ତମାନ ସେହି ବଣରେ ମାତ୍ର ଥୋକାଏ ମଣିଷ ହିଁ ବାଘ ଓ ବାର୍‍ହା ହୋଇ ବିଚରଣ କରୁଛନ୍ତି । ସବୁ ମଣିଷଙ୍କ ପାଇଁ ବାଟ ଛାଡ଼ିବା ସକାଶେ ସତକୁ ସତ ଅସମ୍ମତ ହୋଇ ରହିଛନ୍ତି । ସେମାନଙ୍କୁ ଆଇନ ବି ଧରିବାକୁ ଚେଷ୍ଟାକଲେ ସେମାନେ ଆଇନକୁ ମଧ୍ୟ ଶୂଳୀକୁ ପଠାଇ ଦେଉଛନ୍ତି । ତେଣୁ ଜଗତୀକରଣ ଲାଗି ଭାରତବର୍ଷରେ ଯେଉଁ ପ୍ରସ୍ତୁତି ହୋଇଥାନ୍ତା, ତାହା ହୋଇପାରି ନାହିଁ । କେତେକ ବିଶେଷ ପରିସ୍ଥିତି ବଳରେ ପୂରା ପ୍ରମାଣିତ ହୋଇଯାଉଛି ଯେ, ଏହିସବୁ ଢଙ୍ଗକୁ ବଦଳାଇ ନଦେଲେ ଆମେ ଆଗକୁ ଆହୁରି ପଚାଶ ବର୍ଷ ତିମିର ଭିତରେ ରହିଯିବା । ପୃଥିବୀ ଆମକୁ ଡାକୁଥିଲେ ମଧ୍ୟ ଆମେ ତା’ ସହିତ ଯାଇପାରିବା ନାହିଁ ।

 

ସରକାର ଆଉ କଦାପି ଏଠାରେ ଆଲୋଚିତ ଜଗତୀକରଣରରେ ନିମିତ୍ତ ହୋଇପାରିବେ ନାହିଁ । ଧୂର୍ତ୍ତମାନେ ଯାହା ପାଉଥିବେ, ତାହାକୁ ନିଜ ଘରକୁ ବୋହି ନେବାକୁ ହିଁ ଶିକ୍ଷା, ରାଜନୀତି ଏବଂ ଦେଶ–ଶାସନର ଭାଣ କରୁଥିବେ ସିନା, କିନ୍ତୁ ସବୁ ମଣିଷଙ୍କ ପାଇଁ ଦୁଆରଗୁଡ଼ିକୁ ଖୋଲିଦେବା ଲାଗି ଆଦୌ ରାଜି ହେବେନାହିଁ । ତଥାପି ଜଗତୀକରଣର ପ୍ରସ୍ତୁତି-ପ୍ରକ୍ରିୟା ବଜାୟ ରହିବ । ଉପରୁ କଦାପି ନୁହେଁ, ତଳୁ ହିଁ ସେଥିଲାଗି ନୂଆ ଶକ୍ତି ତଥା ନୂଆ ସଂକଳ୍ପର ସୃଷ୍ଟି ହେବ । ସେହି ନୂଆ ଶକ୍ତିକୁ ଆମେ ଏକ ବିକଳ୍ପ ଶକ୍ତି ବୋଲି ମଧ୍ୟ କହିପାରିବା । ପୁରୁଣା ମାର୍ଗଗୁଡ଼ିକ ସତକୁ ସତ ପରିବର୍ତ୍ତନ ଅସଲ ଆହ୍ଵାନଗୁଡ଼ିକ ବିଷୟରେ କିଛି ବତାଇ ପାରିଲେ ନାହିଁ ବୋଲି ଲୋକମାନଙ୍କ ସମକ୍ଷରେ କ୍ରମେ ଯେତିକି ଯେତିକି ପରିଷ୍କାର ହୋଇ ଆସୁଥିବ, ସେତିକି ସେତିକି ଏକାବେଳେକେ ତଳ ସ୍ତରରୁ ହିଁ ନୂତନ ଉଦବେଳନର ସୁଷ୍ଟିହେବ । ସରକାରୀ ସାଆନ୍ତାମାନଙ୍କର ଶିକ୍ଷାବିଭାଗ ସହିତ ଅଧିକ, ଆହୁରି ଅଧିକ ଦରମାର ଝଗଡ଼ାକୁ ନେଇ ଶିକ୍ଷକମାନଙ୍କ ମୁଷ୍ଟିଯୁଦ୍ଧ ଲାଗି ରହିଥିବ ଏବଂ ତେଣେ ଅରଣ୍ୟ ଭିତରେ ବିକଳ୍ପ ବିଦ୍ୟାଳୟଗୁଡ଼ିକୁ ମଧ୍ୟାମ କରି ଅନ୍ୟମାନେ ବଞ୍ଚିତମାନଙ୍କୁ ମେରୁଦଣ୍ଡ ସିଧାକରି ଛଡ଼ାହେବା ବିଷୟରେ ପହିଲି ପାଠ ପଢ଼ାଇବାରେ କୃତସଂକଳ୍ପ ହୋଇ କାର୍ଯ୍ୟକରୁଥିବେ । ବଞ୍ଚିତ ବଞ୍ଚିତ ହୋଇ ରହିବା ବିରୋଧରେ ପ୍ରଭାବଶାଳୀ ଭାବରେ କିଛି କହିପାରିବା ଲାଗି ସଜ ହେଉଥିବା । ଗ୍ରାମବାସୀମାନେ ଏକଜୁଟ ହୋଇ ଖୁସିରେ ଖୁସିରେ ଏତେ ଏତେ କଥା ସମ୍ଭବ କରି ଦେଉଥିବେ, ଯାହା କି କୋଟି କୋଟି ଟଙ୍କା ହାତରେ ଧରିଥିବା ସରକାରୀ ଗୋଲାମମାନେ ମୋଟେ କରି ପାରିନଥିବେ । ସେମାନେ ସେଇ ତଳେ ରହି ଶୋଷଣ ସହିତ ଲଢ଼େଇ, ସେମାନଙ୍କୁ ଯୁଗ ଯୁଗ ଧରି ବୋକା ବନାଇ ଆସିଥିବା ବୋକାମାନଙ୍କ ଆଗରେ ନିଜର ସିଧା କଥାଗୁଡ଼ିକୁ କହିପାରିବେ, ପ୍ରତିବାଦ କରିବା ଲାଗି ଆଦୌ ଡରିବେ ନାହିଁ । ଏସବୁ ହେବ କି ନ ହେବ, ଏଥିରେ ସଫଳତାର ସମ୍ଭାବନା ଆଦୌ ରହିଛି କି ନାହିଁ, ପାଠୁଆମାନଙ୍କ ପରି ସେମାନେ ସେହିସବୁ ଖେଳରେ ମୋଟେ ସମୟ ଦେବେ ନାହିଁ । ପ୍ରତିବାଦ ହେବ, ପ୍ରତିବାଦ ବୃଦ୍ଧି ପାଇବ, ପ୍ରତିବାଦ ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ସଚେତନତା ମଧ୍ୟ ସକ୍ରିୟ ହେବ । ଭାରତବର୍ଷ ସଚେତନ ହେବାପରେ ତାକୁ ବ୍ରିଟିଶ ଶାସନ ପାରିଲା ନାହିଁ । ତଳ ସଚେତନ ହେଲେ ଉପରଟା ଯେ ତାକୁ କଦାପି ପାରିବ ନାହିଁ, ପୃଥିବାର ଇତିହାସରେ ତାହାର ଗଦା ଗଦା ଉଦାହରଣ ରହିଛି । ମହାତ୍ମା ଗାନ୍ଧୀ ଏକଦା ଯାହାକୁ ସତ୍ୟାଗ୍ରହ ବୋଲି କହିଥିଲେ ଏବଂ ସତ୍ୟାଗ୍ରହ ଦ୍ଵାରା ପୃଥିବୀର ସବୁ ଶଇତାନଙ୍କୁ ବଶ କରାଯାଇ ପାରିବ, ତାହାର ଏବେ ମଧ୍ୟ ଏକ ପ୍ରାସଙ୍ଗିକତା ରହିଛି ବୋଲି ପ୍ରମାଣ ହୋଇଯିବ ।

 

ଜଗତୀକରଣର ପ୍ରକ୍ରିୟାଟିକୁ ଗ୍ରାମ ଏବଂ ଅରଣ୍ୟ ଭିତରକୁ ବହନ କରି ନେଇଯିବାକୁ ସମ୍ଭବତଃ ପ୍ରାଥମିକ ପର୍ଯ୍ୟାୟରେ ବାହାରୁ କେତେ ମଣିଷ ସେଠାକୁ ଯିବା ଦରକାର ହେବ । ଏମାନେ ସେଠାରେ ରାଜନୀତି କରିବେ ନାହି, ଖାଲି ସଚେତନତାର ସୃଷ୍ଟି କରିବେ । ଆଗାମୀ ନିର୍ବାଚନରେ ଜୟଲାଲ କରିବା ସକାଶେ ସେମାନଙ୍କର କୌଣସି ଯୋଜନା ବି ନଥିବ । ସେମାନେ ସ୍ଵୟଂ ଜଣେ ଜଣେ ମନୁଷ୍ୟ ହିସାବରେ ସଚେତନ ହୋଇଥିଲେ ଯାଇ ସେମାନଙ୍କ ଦ୍ଵାରା ଉଚିତ ଭାବରେ କାର୍ଯ୍ୟଟିର ସାଧନ ହୋଇପାରିବ । ପୁରୁଣାମାନଙ୍କର ଅନୁକରଣ କରି ଓ ବେଶୀ ସିଆଣିଆ ହୋଇ ମାମଲତକାର ହେବାକୁ ମନ କଲେ ସେମାନେ ଆଦୌ କୌଣସି କାମର ହୋଇପାରିବେ ନାହିଁ । ଫିଡ଼ିକି ପଳାଇ ଯିବେ । ସଚେତନ ମଣିଷ ଆଉ କାହା ଉପରେ ମାମଲତକାରୀ କରିବାକୁ ଆଗ୍ରହୀ ହୁଏ ନାହିଁ । ଅଥବା ସଚେତନ ହୋଇଯିବା ପରେ ଜଣେ ମଣିଷ ଆଉ କାହାର ମାମଲକକାରି ସହ୍ୟ କାରିବା ଲାଗି ମଧ୍ୟ ରାଜି ହୁଏନାହିଁ । ଏହି ସତ୍ୟଟିକୁ ସମଝି ନପାରି ଗୁରୁମାନେ ସଚରାଚର ବଡ଼ ହଇରାଣ ହୋଇଛନ୍ତି, ମଣିଷମାନଙ୍କୁ ବି କମ୍ ହଇରାଣ କରି ନାହାନ୍ତି । ସଚେତନ ମଣିଷ ନିଜେ ନିଜର ବାଟ କାଢ଼ିବ । ଏକ ସୁସ୍ଥ ଜଗତୀକରଣ ନିମନ୍ତେ ପୂରା ଦେଶଟା ଲାଗି ଟାଣ ଭିତ୍ତିଟିଏ ତିଆରି କରିବ । ତାହାରି ଏକ ବିଶ୍ଵବ୍ୟାପୀ ଉପକ୍ରମ ଆରମ୍ଭ ହେଲାଣି । ସେମାନେ ପରସ୍ପରକୁ ଖୁବ୍ ଚମତ୍କାର ଭାବରେ ବୁଝି ପାରୁଛନ୍ତି । ତୁମେ ମଧ୍ୟ ବାହାରିବ କି ?

 

୨୫ । ୦୫ । ୯୮

Image

 

ନଦେଲେ ଉତ୍ତର କେହି

 

ଉତ୍କଳଗୌରବ ମଧୁସୂଦନ ଭାଇ ଭାଇ ବୋଲି କେତେ ଡାକିଲେ, କିନ୍ତୁ କେହି ତାଙ୍କ ଡାକର ଉତ୍ତର ଦେଲେନାହିଁ । ସ୍ଵଲିଖିତ ଗୋଟିଏ କବିତାରେ ସିଏ ତାଙ୍କର ସେହି କ୍ଷୋଭକୁ ଲିପିବଦ୍ଧ କରିଯାଇଛନ୍ତି । କବିତାର ଆଗ ଧାଡ଼ିଟିରେ ସିଏ ମାଆ ମାଆ ବୋଲି କେତେ ଡାକିଥିଲେ ମଧ୍ୟ ତାଙ୍କୁ କେହି ଓ’ ବୋଲି କଲେ ନାହିଁ ବୋଲି ସିଏ ସମାନ କ୍ଷୋଭର ସହିତ ଉଲ୍ଲେଖ କରିଛନ୍ତି । ରାଜ୍ୟଟାକୁ ମାଆ ଓ ରାଜ୍ୟବାସୀଙ୍କୁ ଭାଇ ବୋଲି ସମ୍ବୋଧନ କରିବାର ରୀତିଟି ଆମ ଏକାଳରେ ମଧ୍ୟ ବିରଳ ହୋଇ ଯାଇନାହିଁ, ପୁରୁଣା ତ ମୋଟେ ହୋଇନାହିଁ । ଶହେ ବା ପଚାଶ ବର୍ଷତଳେ ପୁରୋଗାମୀ ଅନେକ ବ୍ୟକ୍ତି ଏହି ଭୂମିର ସେହି ନବଜାଗରଣ-କାଳରେ ନିଜକୁ ଉତ୍କଳପୁତ୍ର ବୋଲି କହୁଥିଲେ । ଶ୍ରୀ ପ୍ୟାରୀମୋହନ ଆଚାର୍ଯ୍ୟ ମଧ୍ୟ ବୋଧହୁଏ ସେହି ରୀତିଟିର ଅନୁସରଣ କରି ନିଜେ ବାହାର କରୁଥିବା ପତ୍ରିକାଟିକୁ ମଧ୍ୟ ‘ଉତ୍କଳ ପୁତ୍ର’ ବୋଲି ନାମିତ କରିଥିଲେ । ତାପରେ ଗୋପବନ୍ଧୁ ଏବଂ ନୀଳକଣ୍ଠର ସତ୍ୟବାଦୀ ବାଟ ଦେଇ ଏବ ପର୍ଯ୍ୟନ୍ତ କେତେକ କବି ସେହି ତାଳରେ କଥା କହିଛନ୍ତି । ଓଡ଼ିଆକୁ ଭାଇ ଏବଂ ଓଡ଼ିଶାକୁ ମାଆ ନାମରେ ହକାରିଛନ୍ତି । ଏବେ ତ ସମ୍ପାଦକଙ୍କୁ ଲେଖା ଯାଉଥିବା ପତ୍ରରେ ମଧ୍ୟ କୌଣସି ଏକ ଅଘଟଣାରେ ଦୁଃଖ ପ୍ରକାଶ କରି କେତେ ତୁମ ଆମ ପରି ସିଧା ମଣିଷ ଉତ୍କଳ-ଜନନୀଙ୍କୁ ସ୍ମରଣ କରୁଛନ୍ତି । ଭୂଇଁ ସହିତ ମାୟା ଲାଗିଲେ ଭୂଇଁଟିକୁ ମାଆ ବୋଲି କହିବା ଓ ତଦ୍ଦ୍ୱାରା କିଞ୍ଚିତ ଉକ୍ଷ୍ମ ଅନୁଭବ ପାରିବା, —ଏଇଟା ଭାରତର ରୀତି ନୁହେଁ । ପୂରାକାଳର ଋଷି ନିଜକୁ ‘ପୁତ୍ରୋଽହଂ ପୃଥିବ୍ୟଃ’ ବୋଲି କହିଛନ୍ତି । ଅନ୍ୟ ରୀତିଟି ଜାତିୟତାବାଦୀ ହାନ୍ଦୋଳାରେ ବସି ପଶ୍ଚିମରୁ ହିଁ ଆମ ଡିହ ଉପରକୁ ଆସିଛି । ଏବଂ ପଶ୍ଚିମ ଜଗତରେ ତାହାର ଆକର୍ଷଣଟା ସମୟ ଜାଣି ବଦଳି ଯାଉଥିବା ସତ୍ତ୍ୱେ ଆମର ଏଠି ତଥାପି ଆମ ଭିତରେ ସତେ ଅବା ଏକ କାମାନୁଭୂତିର ଶିହରଣ ସଞ୍ଚାର କରିପାରୁଛି ।

 

ଓଡ଼ିଶାକୁ ମାଆ ଓ ଓଡ଼ିଶାବାସୀଙ୍କୁ ଭାଇ କହିବାର ସେହି ସନ୍ଦର୍ଭରେ ଆମେ ମଧୁବାବୁଙ୍କର ନିଷ୍ଠା ବିଷୟରେ ମୋଟେ କୌଣସି ସନ୍ଦେହ ପ୍ରକାଶ କରିବା ନାହିଁ । ସାଧାରଣ ଜୀବନରେ ଏକାଧିକ ଦୃଷ୍ଟିରୁ ବିଚାଏ କଲେ ସମ୍ଭବତଃ ମଧୁବାବୁଙ୍କ ପରି ଅଧିକ ନିଷ୍ଠାପର ଆଉକେହି ଜଣେ ଜନ୍ମ ଗ୍ରହଣ କରିନାହାନ୍ତି । କିନ୍ତୁ ଓଡ଼ିଶାକୁ ମାଆ ବୋଲି କହି ଉତ୍କଳଗୌରବ ପ୍ରକୃତରେ କ’ଣ ବୁଝିଥିଲେ ଏବଂ ଓଡ଼ିଆମାନଙ୍କୁ ଭାଇ ବୋଲି କହି କେଉଁମାନଙ୍କୁ ସିଏ ନିଜର ଅନୁଭବ ମଧ୍ୟରେ ସ୍ପର୍ଶ କରିପାରୁଥିଲେ ? ଉଦାହରଣ ସ୍ୱରୂପ, ସିଏ ତତ୍କାଳୀନ ଗଡ଼ଜାତମାନଙ୍କୁ ଯାଉଥିବା ସମୟରେ ଗଡ଼ଜାତର ରଜାଟିକୁ ଓଡ଼ିଆ ବୋଲି ଚିହ୍ନିବା ସହିତ ଗଡ଼ଜାତରେ ପ୍ରଜାରୂପେ ବାସ କରୁଥିବା ସହସ୍ର ସହସ୍ର ମନୁଷ୍ୟଙ୍କୁ ଦେଖି ଓ ଭେଟି ପାରୁଥିଲେ ତ ? କନିକାର ଜମିଦାରଙ୍କୁ ସିଏ ଉତ୍କଳ ସମ୍ମିଳନୀର ମଣ୍ଡପ ଉପରକୁ ଏକାବେଳେକେ ସଭାପତି ରୂପେ ବରଣ କରି ଆଣିଲେ, ମାତ୍ର ସେହି ଜମିଦାରଙ୍କର ପ୍ରଜାମାନେ, ଯେଉଁମାନେ ଧନ, ମାନ, ମହତ୍ ଏବଂ ବିବେକ ଯାବତ ଦୃଷ୍ଟିରୁ ରାଜାଙ୍କ ଠାରୁ କୋରଡ଼ ଖାଉଥିଲେ, ମଧୁବାବୁ କ’ଣ ସେମାନଙ୍କୁ ଆଦୌ ଦେଖି ପାରୁନଥିଲେ ? ଭାଇ ଭାଇ ବୋଲି ସିଏ ନିଜର ଅଭିଧାନ ଅନୁସାରେ ଯେଉଁମାନଙ୍କୁ ଡାକୁଥିଲେ । ସେହିମାନେ ତ ପ୍ରାୟ ସମସ୍ତେ ତାଙ୍କ ଛତାତଳେ ଆସି ଏକଜୁଟ ହୋଇଥିଲେ । ଏବଂ ଯେଉଁମାନଙ୍କୁ ସିଏ ଦେଖିପାରୁନଥିଲେ, ସେମାନେ ମଧ୍ୟ ତାଙ୍କ ଭାଇ ଡାକର ଜବାବ ଦିଅନ୍ତୁ ବୋଲି ସିଏ କାହିଁକି ଆଶା କରୁଥିଲେ ? ଏପରି ଏକ ମଣ୍ଡପ, ଯେଉଁଟି ଉପରେ ଅତ୍ୟାଚାରିତ ପ୍ରଜା ଏବଂ ଅତ୍ୟାଚାରୀ ରାଜା ଏକାଠି ଗୋଟିଏ ଭୂମିର ବା ଗୋଟିଏ ମାଆର ପୁତ୍ରବତ୍ ଏକତ୍ର ବସିବେ ଉତ୍କଳଗୌରବ ସେହିପରି ଏକ ଅସମ୍ଭବ ମଣ୍ଡପର ଉଦ୍‍ଗାତା ଥିଲେ । ଏବଂ ତାଙ୍କୁ ଠିକ୍ ସେହି ଅନୁସାରେ ସିଦ୍ଧି ମଧ୍ୟ ମିଳିଥିଲା । ଏବଂ ଜାତୀୟ ଯାତ୍ରାପଥରେ ସେହି ପାହାଚଟିର ସେତିକି ସିଦ୍ଧି ହିଁ ଯଥେଷ୍ଟ ଥିଲା-। ଭାରତବର୍ଷ ସ୍ଵାଧୀନତା ଲାଭ କରିବା ପରେ ଯେଉଁ ନୂତନ ଭୂମିବୋଧ, ନିୟତିବୋଧ ଏବଂ ଆତ୍ମବୋଧ ଜନ୍ମଲାଭ କଲା, ତାହାର ଦ୍ୟୋତନାରେ ଏହି ଭୂମିର ଅଧିବାସୀମାନେ ଯେ ପରିଚିତ ଅନ୍ୟ ବ୍ୟଞ୍ଜନା ଗୁଡ଼ିକୁ ଲୋଡ଼ିଲେ ସେଥିରେ ସନ୍ଦେହର ଆଦୌ ଅବକାଶ ନାହିଁ ।

 

ମହୀଧରମାନଙ୍କ ତଳେ ସଚରାଚର ଯେ ମହୀଟିଏ ରହିଛି, ସେହି କଥାଟିର ବସ୍ତୁଗତ ତାତ୍ପର୍ଯ୍ୟଟିକୁ ହୃଦୟଙ୍ଗମ କରିବାର ବେଳଟି ସେତେବେଳେ ଓଡ଼ିଶାକୁ ଆସି ପହଞ୍ଚି ନଥିଲା । ତେଣୁ ଉତ୍କଳଗୌରବ ମଧ୍ୟ ମହୀଧରମାନଙ୍କୁ ହିଁ ଦେଖୁଥିଲେ । ଏବେ ମଧ୍ୟ ଆମ ରାଜ୍ୟରେ ଯଥେଷ୍ଟ ସମ୍ମାନ ସହିତ ମହୀଟାକୁ ସ୍ଵୀକୃତି ଦିଆଯାଇ ପାରିନାହିଁ । ତେଣୁ, ଯେଉଁ ଶ୍ରେଣୀଟିକୁ ନୟନ ସମକ୍ଷରେ ରଖି ମଧୁସୂଦନ ଭାଇ ହିସାବରେ ନିବେଦନଟି ଜଣାଇଥିଲେ, ସେମାନେ କିଛି କମ୍ ସଂଖ୍ୟାରେ ତାଙ୍କ ସମୀପକୁ ଆସିନଥିଲେ । ଏବଂ ପ୍ରଜା କହିଲେ ଅଦୂର ଭବିଷ୍ୟତରେ ଯେ ଦିନେ ମହୀ ଓ ମୂଳଦୁଆଟାକୁ ବୁଝାଇବ ଏବଂ ଭାରତବର୍ଷ ସ୍ଵାଧୀନ ହୋଇ ଭାଇ କହିଲେ ଏଠି ଯେ ସବୁ ମଣିଷଙ୍କୁ ବୁଝାଇବ, ସେକାଳେ ଏପରି କଳ୍ପନା କରିବାର ଆଦୌ କୌଣସି କାରଣ ନାହିଁ । ଭାଇ କହିଲେ ଯେତିକି ଯେତିକି ସବୁ ମଣିଷଙ୍କୁ ବୁଝାଇବାକୁ ଆରମ୍ଭ କରେ, ରାଜ୍ୟଟାକୁ ଅଳଙ୍କାର ମଣ୍ଡାଇ ଜନନୀ ବୋଲି କହିବାର ରୀତିଟା ମଧ୍ୟ ପ୍ରାୟ ନିୟମତଃ ସେତିକି ଅଡୁଆ ମଧ୍ୟ ଲାଗେ । ନିଷ୍କର୍ଷ ହେଉଛି, ଭାଇ କହିଲେ ଆମେ ଯେତେବେଳେ ଯେତିକିଙ୍କୁ ପରିଧି ଭିତରକୁ ଆଣିଥାଉ, ଆମେ ଡାକିଲେ ସେତେବେଳେ ସେମାନେ ଅବଶ୍ୟ ଉତ୍ତର ଦିଅନ୍ତି । ଯେଉଁମାନଙ୍କୁ ଆମେ ହିସାବ କରିନଥାଉ, ସେମାନେ ବାହାରେ ରହିଥାନ୍ତି । ସ୍ଵାଧୀନ ଭାରତର ପଚାଶବର୍ଷ କଟିଯିବା ପରେ ମଧ୍ୟ ଏବ କୁଳର ବୃଦ୍ଧ ଓ ବରିଷ୍ଠମାନେ ମଧ୍ୟ ସବୁ ମଣିଷଙ୍କୁ ସୁମାରି କରିବାର ସେହି ଅନ୍ୟ ଅଙ୍କୁଟିକୁ ତଥାପି ଶିକ୍ଷା କରିପାରିନାହାନ୍ତି । ଆମ ଭିତରୁ ଯେଉଁମାନେ ବିଶେଷ ଅନୁରାଗରେ ସାହିତ୍ୟ ଏବଂ ସଂସ୍କୃତ ଆଦି ସବୋବରରେ ସନ୍ତରଣ କରୁଛନ୍ତି, ସବୁ ମଣିଷଙ୍କର ମଧ୍ୟ ସେହି ସରୋବରରେ ଅଧିକାର ରହିବା ଉଚିତ ବୋଲି କହିଲେ ସେମାନଙ୍କର ହୁଏତ ଏବେ ମଧ୍ୟ ହଡ଼କମ୍ପ ଜାତ ହୋଇପାରେ । ଭାବବିହ୍ୱଳ ଭାବରେ ଶବ୍ଦକୁ ନେଇ ଖେଳ ଖେଳିବା ସମୟରେ ଆମେ ଯେତେ ଯାହା ଭାବି ପକାଉଥିବା ସିନା, ମାତ୍ର ଆମର ନିଜ ଜରିବଟି ଅନୁସାରେ ଅନୁରୂପ ସ୍ଥାନରେ ରହିବାକୁ ବାଧ୍ୟ ହିଁ ହେଉଥିବା ।

 

ଭାରତବର୍ଷରେ ଯେତେବେଳେ ନୂଆ ନୂଆ ନିର୍ବାଚନ କରାଗଲା, ସେତେବେଳେ ଲୋକମାନଙ୍କର ପ୍ରାୟ ଏକମାତ୍ର ଦଳ କଂଗ୍ରେସ ପାଖରେ ଧନ ନଥିଲା । ମାତ୍ର, କଂଗ୍ରେସ ଡାକିଲେ ହିଁ ଲୋକମାନେ ଉତ୍ତର ଦେଉଥିଲେ । ବିରୋଧୀଙ୍କ ପକ୍ଷରେ ଧନ ଥିଲା; ଲୋକମାନଙ୍କ ପାଇଁ ସେମାନଙ୍କ ଶିବିରରେ ପୁରୀ କାନିକା ବଢ଼ା ହେଉଥିଲା ଏବଂ ଦିନଯାକ ପତର ପଡ଼ୁଥିଲା । ଲୋକେ ସେଠାରେ ଧାଡ଼ିରେ ବସି ଭୋଜନ କରୁଥିଲେ ଓ ତୃପ୍ତିଲାଭ କରି କଂଗ୍ରେସର ହଳଦିଆ ବାକ୍ସରେ ଯାଇ ଭୋଟ ପକାଉଥିଲେ । ପଚାଶ ବର୍ଷ ପରେ ଏବେ କଂଗ୍ରେସ ପାଖରେ ଧନ ଅଛି, ଆହୁରି କେତେ କ’ଣ ରହିଛି—ଟଙ୍କା ବଣ୍ଟା ଯାଉଛି, ସୋମରସ ପରଷା ଯାଉଛି—କିଛି ଲୋକେ ଅବଶ୍ୟ ଏସବୁର ହିତାଧିକାରୀ ହେଉଛନ୍ତି—ମାତ୍ର ଯାହାକୁ ଭୋଟ ଦେବାର ଦେଉଛନ୍ତି । ସଭାମାନଙ୍କୁ ପଲ ପଲ ବୁହାହୋଇ ଆସୁଛନ୍ତି, ମାତ୍ର ଲୋକେ ଭୋଟ ଦେଲାବେଳକୁ ନିମକହରାମ ହେଉଛନ୍ତି । ତେଣୁ, ଆମେ ସତକୁ ସତ ଯେତେମାନଙ୍କୁ ଭାଇ ବେଭାରଟି ଭିତରେ ରଖିଥିବା, ସେମାନେ ଅବଶ୍ୟ ଆମ ଡାକରେ ଉତ୍ତର ବି ଦେବେ । ନଚେତ୍ ଦେବେନାହିଁ । ଜାତୀୟତାବାଦୀ ଯୁଗରେ ଭାଇ ଅଥବା ଜନନୀ ନାମରେ ଯେତେ ଯାହା କଥା କୁହାଯାଉଥିଲା, ସେସବୁ ଭିତରେ ନିରାଟ ଓ ନିଦା ହୋଇ ବେଶୀ କିଛି ନଥିଲା । ତେଣୁ ଏକ ଭାବବିହ୍ୱଳତା ହିଁ ଆମ କେତେ ଜଣ ଉତ୍ସାହୀଙ୍କୁ ଏକତ୍ର ଆଣି ରୁଣ୍ଡ କରାଇଥିଲା ଉତ୍କଳର ସବୁ ମଣିଷ କ୍ରମେ ଆମ ବିଚାରର ପରିଧି ଭିତରକୁ ଆସୁଛନ୍ତି, ତାହା ଜାତୀୟତାବାଦର କରାମତି ଆଦୌ ନୁହେଁ । ହାଉଆଗୁଡ଼ିକ ପୃଥିବୀରେ ବଦଳି ଯାଉଛନ୍ତି, ତାହାରି କରାମତି । ଆମେ ନଚାହୁଥିଲେ ମଧ୍ୟ ସେହି କାରଣରୁ ଆମ ଅର୍ଥବୃତ୍ତ ଓ ଆହ୍ଵାନଗୁଡ଼ିକ ମଧ୍ୟ ବଦଳି ଯାଉଛି । ସେହି ବୃତ୍ତଟିକୁ ସତକୁ ସତ ମନ କଲେ ଆମକୁ ମଧ୍ୟ ଓଡ଼ିଆମାନେ ଆଗ ମଣିଷ ରୂପେ ଦିଶିବେ କେବଳ ଓଡ଼ିଶାର ରାଜନୀତିକ ସୀମା ବାହାରେ ନୁହେଁ, ଆମ ନିଜ ଗାଆଁରେ ମଧ୍ୟ ଦେଖାଯିବାକୁ ଆରମ୍ଭ କରିବେ । ସିଏ ଏକ ଅନ୍ୟ ଅନୁଭବ, ଏକ ଅନ୍ୟ ପ୍ରତ୍ୟକ୍ଷ । ତାହାର ଯୋଗ୍ୟ ହେବାକୁ ପଡ଼ିବ ଓ ନିଜର ଅନ୍ଦାଜଗୁଡ଼ିକୁ ବଦଳାଇବାକୁ ହେବ । ଆମ ନିଜ ଗାଆଁରେ ଆମକୁ ସବୁ ମଣିଷ ଭାଇ ବୋଲି ଦେଖାଗଲେ ତାହାର ପରିଣାମ ସ୍ୱରୂପ ସମାଜିକ ପରିବର୍ତ୍ତନର ଯେଉଁ ପ୍ରଚଣ୍ଡ ଆହ୍ଵାନଟି ଆମ ଆଗରେ ପ୍ରାୟ ବେତ ଧରି ନାଚିବାକୁ ଆରମ୍ଭ କରିବ, କ୍ରମେ ଓଡ଼ିଶାରେ ମଧ୍ୟ ସେହି ଆହ୍ୱାନଟି ଆସି ଆମକୁ ଉତ୍ପୀଡ଼ିତ କରିବାରେ ଲାଗିଯିବ । ଆମ ପୁରୁଣା ମିଛ ପାଠ ଏବଂ ମିଛ କବିତ୍ଵ ଗୁଡ଼ିକର ମୁଣ୍ଡ ବିଗିଡ଼ିଯିବ । ନୂଆ ଆହ୍ଵାନଟା ଯଦି ଏହିପରି ଭାବରେ ଆମକୁ ଗୋଟାଏ ଭୂତ ପରି ଦେଖାଯାଏ, ତେବେ ଆମେ ତଥାପି ସବୁ ମଣିଷଙ୍କୁ ଭାଇ ବୋଲି ସୁମାରି କରିବାକୁ ସାହସ କରିପାରିବ ତ ? ଆଗ ସାହସ କଲେ ସିନା ତା’ପରେ ଯାଇ ଉତ୍ତର ମିଳିବ । ବର୍ତ୍ତମାନ ପରିସ୍ଥିତିଟା ଠିକ୍ ଓଲଟା ହୋଇ ଯାଇଥିବା ପରି ଲାଗୁଛି । ବର୍ତ୍ତମାନ ଲୋକମାନେ ଉତ୍ତର ଦେବେ ବୋଲି ଜାଗରୁକ ହୋଇ ରହିଲେଣି । ମାତ୍ର ସେମାନଙ୍କୁ ଭାଇ ବୋଲି ଡାକି ପାରିବା ଭଳି ନେତା କେଉଁଠି ହେଲେ ନାହାନ୍ତି । କଥାରେ ନେତା ଅଛନ୍ତି, ସଭାରେ ନେତା ଅଛନ୍ତି ସରକାରର ଭିତରେ ତଥା ବାହାରେ ନେତାମାନଙ୍କର ପଟଳି ଭାଙ୍ଗି ଯାଉଥିବା ପରି ଲାଗୁଛି-। ଆଗ ଅପେକ୍ଷା ସେମାନେ ଏତେ ଅଧିକ ଗତିଶୀଳ ହୋଇପଡ଼ିଛନ୍ତି କାହିଁକି ? ଆଜି ଏଦଳରେ ଅଛନ୍ତି ତ କାଲି ସେ ଦଳରେ ଯାଇ ପଶି ଯାଉଛନ୍ତି । ଆଜି ସଞ୍ଜ ଖବରକାଗଜ ବାହାରିବା ବେଳକୁ ଏ ଦଳଟାକୁ ଭାଙ୍ଗୁଛନ୍ତି ତ କାଲି ସକାଳର କାଗଜତା ବାହାରିଲା ବେଳକୁ ସେ ଦଳଟାକୁ ଯାଇ ଗଢ଼ି ପକାଉଛନ୍ତି । ତାଙ୍କ ଲାଙ୍ଗୁଡ଼ମାନଙ୍କରୁ ସେମାନଙ୍କୁ ଆଉ ମୋଟେ ଚିହ୍ନି ହେଉନାହିଁ । ଏହି ନେତାମାନଙ୍କର ଆଉ ଭାଇ ବୋଲି କେହି ନାହାନ୍ତି । ତେଣୁ ସେମାନେ ବପୁରେ, ବହପରେ ଓ ବଳୀୟାରପଣରେ ପୂରା ଗୋଟାଏ ଗୋଟାଏ ଜଗନ୍ନାଥିଆ ସିରସ୍ତାଦାର ପରି ଦିଶୁଛନ୍ତି ଏବଂ ସିରସ୍ତାଦର ପରି କଥା କହି ପାରୁଛନ୍ତି ସିନା, ମାତ୍ର ଏମାନଙ୍କର ପ୍ରକୃତରେ ଭାଇ ବିରାଦର ବୋଲି କେହି ନାହାନ୍ତି । ଆମ ମଧୁବାବୁଙ୍କର ସବାଆଗ ଯେଉଁ ହୃଦୟଟି ଥିଲା, ଏହି ଗ୍ରହମାନଙ୍କ ଠାରୁ ସେଇଟି କୋଉକାଳରୁ ବିଦା ହୋଇ ଚାଲିଗଲାଣି । ସେମାନେ କିଣି ପାରୁଛନ୍ତି, ବିକି ହୋଇଯାଇ ବି ପାଉଛନ୍ତି । ଓଡ଼ିଶା ନାମକ ସିନେମାର ଗହୀରଟା ଭିତରେ ସେମାନେ ପ୍ରତ୍ୟେକେ ଜଣେ ଜଣେ Villain ପରି ଦୃଶ୍ୟମାନ ହେଉଛନ୍ତି ସିନା, ମାତ୍ର ସତକୁ ସତ କୋଉ ହିରୋ ବିରୋଧରେ ଏହି ଯାବତୀୟ ମହାଡ଼ମ୍ବର ସହିତ ବାହାରିଛନ୍ତି କେଜାଣି ?

 

ଏବଂ ଉତ୍କଳବାସୀ ଅପେକ୍ଷା କରି ରହିଛନ୍ତି । ଉପରେ ପାଞ୍ଚ ବା ଛଅ ପ୍ରତିଶତଙ୍କୁ ବାଦ୍ ଦେଲେ ବାକି ଯିଏ ଯେତେ ରହିଲେ, ସେମାନେ ଅପେକ୍ଷା କରିଛନ୍ତି । କିଏ ବା କେଉଁମାନେ ସେମାନଙ୍କୁ ଭାଇ ବୋଲି ସତକୁ ସତ ଡାକିବ ଏବଂ ସେମାନେ ତା ସହିତ ବାହାରିଯିବେ । ପରିବର୍ତ୍ତନର ଅସଲ ସଂଗ୍ରାମଟି ସକାଶେ ସଂକଳ୍ପ ସହିତ ବାହାରିଯିବେ । ଭେରେସା ସଭାମାନଙ୍କରେ ତାଙ୍କୁ କିଏ ବୀର ଓଡ଼ିଆ ବୋଲି କହୁଛି, କିଏ ପାଇକମାନଙ୍କର ଦାୟାଦ ବୋଲି କହୁଛି, ଆଉ କିଏ ବୋଇତ ବନ୍ଦାଣର ଇତିହାସଟିକୁ ଲୋମହର୍ଷକ ଭାବେ ବର୍ଣ୍ଣନା କରି ଶ୍ରୋତେମାନଙ୍କୁ ଅନ୍ତତଃ ଏକ କ୍ଷଣ ବା କେତେ କ୍ଷଣ ପାଇଁ ନିଜକୁ ସାଧବ ବୋଲି ଅନୁଭବ କରିବାକୁ ଉଦବୋଧନ ଦେଉଛି, ମାତ୍ର ସେଗୁଡ଼ାକରେ ସିଏ ଭଳିବାକୁ ଆଉ ମୋଟେ ରାଜି ହେଉନାହିଁ । ସିଏ ଏହି ମୁହୂର୍ତ୍ତଠାରୁ ସତକୁ ସତ କିଛି ଘଟୁ ବୋଲି ଇଚ୍ଛା କରୁଛି । ଏପରି କିଛି ଘଟୁ, ଯାହା ଓଡ଼ିଶାରେ ଆଗରୁ କେବେହେଲେ ଘଟି ନଥିଲା । ସେଇଥିପାଇଁ ଏକ ଅନ୍ୟ ନେତୃତ୍ଵ ଚାହୁଛି-। ଅନ୍ୟ ପ୍ରକାର ରାଜନୀତି, ଅନ୍ୟପ୍ରକାର ଶିକ୍ଷା, ଅନ୍ୟପ୍ରକାର ସମାଜ ଓ ଅନ୍ୟ ପ୍ରକାରର ସାମୂହିକ ପରିମଳଟିଏ ସମ୍ଭବ ହେଉ ବୋଲି ଇଚ୍ଛା କରୁଛି । ସେଇ ପୁରୁଣା ଧିସାଗୁଡ଼ାକରେ ତା’ର ଆଉ ପ୍ରତ୍ୟୟ ଆସୁନାହିଁ । ଏମିତି ଏକ ପରିବର୍ତ୍ତନ ଆସିବ, ଯାହାଫଳରେ ଏବର ବାବୁମାନେ ବିଦା ହେବେ ସେମାନଙ୍କର ନାଟକ ଗୁଡ଼ାକର ଅନ୍ତ ହେବ, —ଯିଏ ସେମାନଙ୍କୁ ଅମୁକ ଜାତିର ଅମୁକ ପାଟକର କିମ୍ବା ଅମୁକ ଧର୍ମର ବୋଲି ନଦେଖି ସିଧା ମଣିଷଙ୍କ ପରି ଦେଖିବ—ଯିଏ ସତକୁ ସତ ଭାଇ ବୋଲି ଡାକି ପାରିବ ।

 

ଚାଲ ଜଙ୍ଗଲକୁ ଯିବା; ଆମେ ସେଠାରେ ମଧ୍ୟ ଉତ୍କଳବାସୀଙ୍କୁ ଭେଟିବା । ସେଠାରେ ସେମାନେ ସେଇ ତ୍ରେତାଯୁଗରୁ କଉପୁନୀ ପିନ୍ଧି ବୁଲୁଛନ୍ତି, ଶୋଷଣ ସହ୍ୟ କରୁଛନ୍ତି । ନିଜକୁ ଜଙ୍ଗଲରେ ଜାନୁଆର ମାନଙ୍କଠାରୁ ମଧ୍ୟ ହୀନାଭାଗ୍ୟ ବୋଲି ଭାବୁଛନ୍ତି । ସ୍ଵାଧୀନ ଭାରତରେ ସେମାନଙ୍କୁ, ମୁଖ୍ୟତଃ ଦୟା ପ୍ରଦର୍ଶନ କରାଯାଇ ଆସିଛି । ଦୟାର ନଉକାରେ ମଧ୍ୟ ଯେତିକି ପଣ୍ୟ, ପଇସା ଅଥବା ପ୍ରଶାସନ ସେମାନଙ୍କର ଘରଯାଏ ଯାଇ ପହଞ୍ଚିବାର କଥା, ଉପରର ଚତୁରମାନେ ତାକୁ ହଡ଼ପ କରି ନେଇଛନ୍ତି ଓ ନେଉଛନ୍ତି । ନେଇଗଲେ ବୋଲି ଗୁହାରି କରିବା ଲାଗି ମଧ୍ୟ ହାତରେ ଅର୍ଥବଳ ନାହିଁ । ସେମାନେ ଇତିମଧ୍ୟରେ ରାଜ୍ୟରେ ଜଣେ ନାଗରିକ ହେଲେଣି ତ ? ଦେଶର ସମ୍ବିଧାନରେ ସେମାନଙ୍କର ଭାଗ୍ୟଟାବି ଯୋଡ଼ାହୋଇ ରହିଛି ବୋଲି ସେମାନେ ଜାଣିଲେଣି ତ ? ସବୁ ମଣିଷ ଭିତରେ ତାକୁ ଅସହାୟ କରି ରଖିଥିବା ବେଢ଼ାଗୁଡ଼ାକୁ ଛିଣ୍ଡାଇ ଦେବାର ବିବେକ ଓ ତାକତ ରହିଛି ବୋଲି ତାକୁ କୁହାଗଲାଣି ତ ? ହଁ, ଯୋଉମାନେ ସେମାନଙ୍କ ଗାଆଁରୁ ପ୍ରଥମେ ଶିକ୍ଷିତ ହୋଇ ସହର ଯାଏ ଆସିଲେଣି, ସେମାନେ ସେହି ସହରମାନଙ୍କରେ ବି କୁଆଡ଼େ ଖସି ଗଲେଣି । ସେମାନେ ବି ଶୋଷଣ କଲେଣି, ଡିକୁ ହେଲେଣି । କିଏ ବା କେଉଁମାନେ ସେମାନଙ୍କ ପାଖକୁ ଯିବେ, ସେମାନଙ୍କୁ ଭାଇ ବୋଲି ଡାକିବେ, ବଣ ପାହାଡ଼ର ମହାନିଦ୍ରାକୁ ଭାଙ୍ଗିବେ, ସେମାନେ ସେଥିଲାଗି ଅପେକ୍ଷା କରିଛନ୍ତି । ଡାକ ଶୁଣିବା ମାତ୍ରକେ ଉତ୍ତର ଦେବେ ବୋଲି ଟାକି ବସିଛନ୍ତି ।

 

ଚାଲ ସେହି ହଜାର ହଜାର ଶିଶୁଙ୍କ ପାଖକୁ ଯିବା, ଯେଉଁମାନେ ଇସ୍କୁଲ ଯିବା ବୟସର ହୋଇଥିଲେ ମଧ୍ୟ ଇସ୍କୁଲକୁ ଯାଇପାରୁ ନାହାନ୍ତି । ଦେଶର ସମ୍ବିଧାନ ଅନୁସାରେ ସେମାନେ ସମସ୍ତେ ବିଦ୍ୟାଳୟକୁ ଆସି ସାରନ୍ତେଣି । ବାବୁମାନେ କହୁଛନ୍ତି ସରକାର ପାଖରେ ପଇସା ନାହିଁ, ତେଣୁ ଦୁସ୍ଥ ଘରର ପିଲାମାନେ ପାଠ ପଢ଼ିପାରବା ଲାଗି ବ୍ୟବସ୍ଥା ହୋଇପାରୁ ନାହିଁ । ବାବୁମାନଙ୍କର ଦରମା ବଢ଼ିବାକୁ ପଇସା ଅଛି, କିନ୍ତୁ ପିଲାମାନଙ୍କର ପାଠଭୋକ ମେଣ୍ଟାଇବା ସକାଶେ ପଇସା ନାହିଁ । ଏଗୁଡ଼ାକ ଖାଲି ବାଜେ କଥା ନୁହେଁ, ଏଗୁଡ଼ାକ ବଜାରି କଥା । ବଜାରିମାନେ କେବଳ ଧୋବଲୁଗା ପିନ୍ଧିଛନ୍ତି ଓ କାଗଜପତ୍ରକୁ ମାଡ଼ି ବସିଛନ୍ତି ବୋଲି ସେମାନଙ୍କର ବଜାରି କଥାଗୁଡ଼ାକ ମଧ୍ୟ କାନକୁ ମଧୁର ଶୁଭୁଛି । ଓଡ଼ିଶାରେ ଦରିଦ୍ର ପିଲାଏ ପାଠ ପଢ଼ି ସ୍କୁଲକୁ ଆସିବେ ବୋଲି ନୂଆ ନୂଆ ନାମରେ ଯୋଜନା ହେଉଛି, ମନଲୋଭା ଲାଗୁଛି । ବାବୁମାନେ ତା’ ଭିତରେ କୋଟି କୋଟି ଟଙ୍କାର ପାନବଟା ହାତରେ ଧରି ପ୍ରବେଶ କରୁଛନ୍ତି ଏବଂ ଟଙ୍କାଗୁଡ଼ାକ ସତେ ଅବା ପାନ ଖାଉ ଖାଉ ଖର୍ଚ୍ଚ ହୋଇଯାଉଛି । ଏହି ବାବୁମାନେ ବି ନିପଟ ଗୋଲାମ, —ନିଜ ବ୍ୟକ୍ତିଗତ ଭାଗ୍ୟକଳ୍ପନାର ଗୋଲାମ । ସେମାନେ କେବେହେଲେ କାହାକୁ ଭାଇ ବୋଲି ଡାକି ପାରିବେ ନାହିଁ । ଡାକିଲେ ସେମାନଙ୍କୁ ମଣିଷମାନଙ୍କ ସହିତ ମଣିଷ ବୋଲି ଲାଗିବ । ତା’ପରେ ସେମାନେ ଆଉ ଏହିପରି ଗୟଳ ହୋଇ ରହିପାରିବେ ନାହିଁ । ଏବଂ ବର୍ତ୍ତମାନ ଯୋଉ ଭାଷାରେ କଥା କହୁଛନ୍ତି କିମ୍ବା କାଗକ ଚଷୁଛନ୍ତି, ସେହି ଭାଷାର ବେଢ଼ଟା ଭିତରେ ରହିବାକୁ ସେମାନଙ୍କୁ ପ୍ରକୃତରେ ଲାଜ ମାଡ଼ିବ । ଏଗୁଡ଼ାକ ହେବ ବୋଲି ସେମାନଙ୍କୁ ଭାରି ଡର ମାଡ଼ୁଛି । ଏଇଟାକୁ ସବୁଯାକ ମାନମହତ ବୋଲି ମାନୁଥିବା ପର୍ଯ୍ୟନ୍ତ ସେମାନେ ଏହିଭଳି ଓଥରା ହୋଇ ରହିଯିବେ । ତେଣୁ, ଭାଇ ଡାକି ପାରିବାର ଅଗ୍ରଜମାନେ ନିଆରା ପ୍ରକାର ହେବେ । ସାର୍ବଜନୀନ ଶିକ୍ଷାକୁ ଏକାବେଳେକେ ତଳୁ ହିଁ ଏକ ଆନ୍ଦୋଳନରେ, ଏକ ବିସ୍ପୋରଣରେ ପରିଣତ କରିବେ । ସେମାନେ ଥରେ ବାହାରକୁ, ଦେଶବାସୀ ଏକାବେଳେକେ ଉଅ କରିବେ, ଉତ୍ତର ଦେବେ । ଦେଶର ପିଲାମାନଙ୍କୁ ଆମର ଅପଚିନ୍ତାଗୁଡ଼ାକ ଦ୍ଵାରା ମୂଳରୁ ସତର ଭାଗ କରି ତିଆରି କରିବାର ଫିସଦ ବନ୍ଦ ହୋଇଯିବ ।

 

ସେହିପରି ଶ୍ରମିକ ସେହିପରି କୃଷକ । ଭାଇ ବୋଲି ଡାକି ପାରିବା ଆଦୌ କବିତା ଲେଖିବା ପରି ଏକ ଗେଲଖେଳ ନୁହେଁ । ଲୋକମାନଙ୍କୁ ଭାଇ ବୋଲି ଡାକିବାର ଯୋଗ୍ୟ ଲୋକ ଆଉ କୋଉଠି ହେଲେ ଦୁଶୁନାହାନ୍ତି ବୋଲି ସେମାନେ ଉତ୍ତର ଦେଇପାରୁ ନାହାନ୍ତି । ବଡ଼ବାବୁମାନେ ମଧୁସୂଦନଙ୍କୁ ମଧ୍ୟ ସତେ ଅବା ସେମାନଙ୍କର ଭିଆଣର କେତେଟା ଉତ୍ସବରେ କଣ୍ଢେଇ କରି ରଖିଛନ୍ତି । ବହୁ ସାଆନ୍ତରେ ମର୍ଯ୍ୟାଦାରେ ତାଙ୍କର ଦିନ ଗୁଡ଼ିକୁ ପାଳନ କରୁଛନ୍ତି । ସେମାନେ ଯଦି ଏସବୁ ନବରଙ୍ଗ ଛାଡ଼ି ଉତ୍କଳବାସୀଙ୍କୁ ଭାଇ ବୋଲି ଡାକିବାର ଯୋଗ୍ୟ ହୋଇପାରନ୍ତେ, ତେବେ ଓଡ଼ିଶାରେ ତଦ୍ଦ୍ୱାରା କେଡ଼େ ବଡ଼ ଘଟଣାଟାଏ ଘଟନ୍ତା । ମଧୁସୂଦନ ସବଳ ଓ ଜୀବନ୍ତ ହୋଇ ଉଠନ୍ତେ । ଭାଇ ବୋଲି ଡାକିବା ପାଇଁ କୌଣସି ମହାସଂଗଠନ ଗଢ଼ିବାର ମଧ୍ୟ ଆଦୌ କୌଣସି ପ୍ରୟୋଜନ ନାହିଁ । ଜଣେ ଶିକ୍ଷକ ଜଣେ ଅଧ୍ୟାପକ, ଜଣେ ଅଫିସର ଏବଂ ଜଣେ ହାକିମ ସତକୁ ସତ ମନକଲେ ତାହା ଅବଶ୍ୟ କରିପାରନ୍ତା । ଭାଇ ପରି ଦେଖିବାର ଓ ଭାଇ ବୋଲି ଡାକି ପାରିବାର ହିମ୍ମତ ହିଁ ତାର ମେରୁଦଣ୍ଡରେ ବଳ ଆଣି ଦିଅନ୍ତା । ଏବଂ ଉତ୍କଳବାସୀ ତାକୁ ଅବଶ୍ୟ ଚିହ୍ନି ନେଇପାରନ୍ତେ, ନୂଆ ସିନ୍ଦୁରଟିଏ ଫାଟିଲା ବୋଲି ବିଶ୍ଵାସ ବି କରନ୍ତେ । ଉତ୍ତର ଦେବାକୁ ଅର୍ଥାତ୍ ସାଙ୍ଗରେ ଯିବାକୁ ବାହାରି ପଡ଼ନ୍ତେ । ତା’ପରେ ଶଠମାନଙ୍କୁ ଧରିବାକୁ ଆଉ ମୋଟେ କମିଶନ ବସାଇବାର କଷ୍ଟ କରିବାକୁ ପଡ଼ନ୍ତା ନାହିଁ । ସରକାରୀ କମିଶନ ସାଇବାର ଚତୁରୀଟା ମଧ୍ୟ ପୂରା ଧରା ପଡ଼ିଯାଆନ୍ତା । ଏବଂ ଦେଶଶାସନ ନାଆଁରେ ବାର ପ୍ରକାର ଅଭିନୟ କରିବାର ଯେଉଁ ଶୈଳୀଟା ବର୍ତ୍ତମାନ ଖୁବ୍ ଜମିଛି, ସେଇଟା ମଧ୍ୟ ପଦାରେ ପଡ଼ନ୍ତା । ତେଣୁ, ବନ୍ଧୁ, ଉତ୍କଳଗୌରବଙ୍କ ଠାରୁ ପ୍ରେରଣା ନିଆ, ମେରୁଦଣ୍ଡ ସୁଧା ହୋଇଯିବ, ତୁମେ ଭାଇ ବୋଲି ଡାକିବା ମାତ୍ରକେ ଲକ୍ଷ ଲକ୍ଷ ଲେକ ଉତ୍ତର ଦେବେ । ମଧୁବାବୁଙ୍କ ପରି ତୁମକୁ ନିରାଶ ହୋଇ କେହି ଉତ୍ତର ଦେଲେନାହିଁ ବୋଲି କବିତାରେ ଲେଖିବାକୁ ପଡ଼ିବ ନାହିଁ, ହଁ, ତୁମ ନିଜର ମଧ୍ୟ ଏକ ନବଜନ୍ମ ହୋଇଯିବା ।

 

୧୦ । ୦୬ । ୯୮

Image

 

ସଂସ୍କୃତି ଓ ସ୍ଵାଭିମାନ

 

ଭୋଗୀ ମଣିଷମାନେ ସବୁକିଛିକୁ ନିଜର ବୋଲି କହି ମାଡ଼ିବସନ୍ତି । ଓଡ଼ିଶା ଆମର ଏବଂ ଓଡ଼ିଶା ଆମେ ବୋଲି କହି ଏକଦା ଯିଏ ଗୀତଟିଏ ଲେଖିଥିଲା, ସିଏ ଏହି ଭୂଇଁଟିକୁ ହୁଏତ କେଡ଼େ ନିବିଡ଼ ଭାବରେ ନିଜର ବୋଲି ଅନୁଭବ କରି ସିଏ ବ୍ୟବହାର କରିଥିବା ଏହି ଶବ୍ଦଗୁଡ଼ିକୁ ପାଇଥିଲା । ମାତ୍ର ଏହା ଆଦୌ ଏକ ଆକସ୍ମିକ କଥା ନୁହେଁ ଯେ, ସ୍ଵାଭିମାନ ଶବ୍ଦଟି ମୋଟେ ତା’ ମୁଣ୍ଡ ଭିତରକୁ ଆସିନଥିଲା । ସ୍ଵାଭିମାନ ସମ୍ପୂର୍ଣ୍ଣ ଭାବରେ ଏବକାର ଏକ ଶବ୍ଦ । ଅଭିମାନୀ ମାନଙ୍କର ଫିସାଦ ଭିତରୁ ବାହାରିଥିବା ଶବ୍ଦ । ଏକ ଅସମାନ ସମାଜରେ ଯଥାସମ୍ଭବ ସବୁକିଛିକୁ ଅଧିକାର କରି ରହିଥିବା ଏକ ନିର୍ଦ୍ଧିଷ୍ଟ ମତଲବର କେତେଟା ବର୍ଗ ବ୍ୟବହାର କରୁଥିବା ଏକ ଶବ୍ଦ । ଏହି ଶବ୍ଦକୁ ଏବେ ସଭାମାନଙ୍କରେ ଥାନରେ ଓ ଅଥାନରେ ଯେ ବ୍ୟାବହାର କରାଯାଉଛି, ଆମଭିତରୁ ଥୋକାଏ ମନୁଷ୍ୟ ଅଧିକ ସିଆଣିଆ ହୋଇ ବର୍ତ୍ତମାନର ଅସମାନତା ଗୁଡ଼ାକୁ ଅଧିକ ସ୍ଥାୟୀ କରି ରଖିବାକୁ ପରମ ଉତ୍ସାହର ସହିତ ଲାଗି ପଡ଼ିଛନ୍ତି ବୋଲି ସେପରି ହେଉଛି । ସିଆଣିଆ ମନୁଷ୍ୟମାନେ ଏବେ ରାଜନୀତିରେ ଅଛନ୍ତି, କ୍ଷମତାରେ ଅଛନ୍ତି, ଖବରକାଗଜର ଖଳାମାନଙ୍କରେ ରହିଛନ୍ତି । ନିଜର ପାଳଗଦାଗୁଡ଼ିକୁ ଉଚ୍ଚରୁ ଆହୁରି ଉଚ୍ଚ କରିବାକୁ ମନ କରିଛନ୍ତି । ସ୍ଵାଧୀନତା ପରେ ଗୋଟିଏ ଦେଶ ଏକାନ୍ତ ଅବାଗିଆ ହୋଇ ଧର୍ମକୁ, ନ୍ୟାୟକୁ ଏବଂ ସାଧୁତାକୁ ଛାଡ଼ି ବଙ୍କାଇ ବଙ୍କାଇ ଯେ ଆମକୁ କୋଉ କାନ୍ତାରରେ ନେଇ ପକାଇଦେଲା, ନିଜ ପାଳଗଦାଗୁଡ଼ିକୁ କରୁଣା କରିବାଲାଗି ହିଁ ରାତିଦିନ ଠିକାଦାର ପରି କାମ କରିଛନ୍ତି । ଏବଂ ବର୍ତ୍ତମାନ ସମ୍ପୃକ୍ତ ଆମ ସମସ୍ତଙ୍କୁ ଆହୁରି କେତେଟା ପୁରୁଷ ଏହିପରି ଭାବରେ ଝଅକ ମରାଇ ରଖିବାକୁ ମନସ୍ଥ କରୁଛନ୍ତି ।

 

ସଂସ୍କୃତି କହିଲେ ସବାଆଗ ଏକ ସ୍ୱାସ୍ଥ୍ୟକୁ ବୁଝାଏ । ସେତେବେଳେ ଭିତରେ ଏପରି କିଛି ଅନୁଭବ କରାଯାଉଥାଏ, ଏବଂ ବାହାରେ ସାମୂହିକ ସମ୍ପର୍କ ଓ ବ୍ୟବସ୍ଥାଗୁଡ଼ିକ ମଧ୍ୟରେ ଏପରି କିଛି ଦେଖି ବି ହେଉଥାଏ, ଯାଦ୍ଦ୍ୱାରା ସଂସ୍କୃତି ସତକୁ ସତ ରହିଛି ବୋଲି ହୃଦବୋଧ ହୁଏ । ଆଗ ଅର୍ଥାତ୍ କୋଡ଼ିଏକି ଦି’ କୋଡ଼ି ବର୍ଷ ତଳର ତୁଳନାରେ ବର୍ତ୍ତମାନ ଦଶଗୁଣ ନାଟ, କଳା, ସଭା, ଆମୋଦ ଓ ତୋଷାମଦର ହାଟମାନ ମେଲାଇ ଦିଆଯାଇଛି । ଭକ୍ତ ମଣ୍ଡଳୀ, ଭଜନ ମଣ୍ଡଳୀ ପ୍ରଭୃତିଙ୍କର ସଂଖ୍ୟା କେତେ ବୃଦ୍ଧି ପାଇଛି । ପୂଜ୍ୟମାନଙ୍କର ପୂଜା ନାମରେ ତୁଚ୍ଛା ଶାର୍ଦ୍ଦୁଳମାନେ କେତେ ବର୍ଣ୍ଣାଢ଼୍ୟ ଭୂମିକାମାନଙ୍କରେ ଅବତୀର୍ଣ୍ଣ ହୋଇ ବୟସରେ ଦରବୁଢ଼ା ଏବଂ ଦରବୁଢ଼ୀ ହୋଇ ଯାଇଥିଲେ ମଧ୍ୟ ଫକ ଫକ ହୋଇ ଖାଲି ଡେଇଁବାରେ ଲାଗିଛନ୍ତି । କଲେଜ ଓ ଇସ୍କୁଲ ଗୁଡ଼ାକ ଗୁଣକ ଜାଗାରେ ଏକାବେଳେକେ କେତେଗୁଣ ହୋଇ ଗଲେଣି । ରାଜନୀତିରେ ଏବର ନେତାମାନେ ଏକାଧାରାରେ କଂସ, ରାମ, ବିଶ୍ଵକର୍ମା, କଦମ୍ବବନର ବିବେକ-ହରଣକାରୀ କୃଷ୍ଣ, ଛଳୀ ବାମନ ଏବଂ ଦନ୍ତା ହିରଣାକ୍ଷ ପରି ଦେଖା ଯାଉଛନ୍ତି । ତୁମେ ତାଙ୍କୁ ଯେଉଁ ଚଷମାରେ ଦେଖିବ, ସେମାନେ ସେହି ପରିମାଣରେ ତିଆରି ହୋଇ ରହିଛନ୍ତି । ମିଜାଜ ଘରେ ଲାଳ ବୋହୁଛି ଏବଂ ପୂରା ବତସିଂହାରର ଛାଆଁଟରେ ସେମାନଙ୍କର ଛଇ ଲାଗିରହିଛି । ସରକାର ଘରର ଆଉସବୁ କାମକୁ ପଛକୁ ରଖି ଆଗ ସାଂସ୍କୃତିକ କାର୍ଯ୍ୟଗୁଡ଼ିକର ଖବର ନିଆଯାଉଛି । ତଥାପି ଅସ୍ଵାସ୍ଥ୍ୟ କାହିଁକି ମାଡ଼ିମାଡ଼ି ଆସୁଛି ? ଖାଲି ଶାସନରେ ନୁହେଁ, ଶିକ୍ଷାଳୟକୁ ମଧ୍ୟ ଗୋଟିଏ ଗୋଟିଏ ପଙ୍କଗାଡ଼ିଆ କରି ରଖାଯାଇଛି । ଯୋଉମାନେ ଶାସନର ଗୋପଦାଣ୍ଡରେ ଲାବଣ୍ୟମୟ ଗୋପାଳ-ବାଳକମାନଙ୍କ ପରି ହାତ ଧରାଧରି ହୋଇ ଛାତିରେ ଛାତି ମିଳାଇ ନାଚୁଛନ୍ତି, ସେମାନେ କାହିଁକି ଅବସର ପଡ଼ିଲେ ପରସ୍ପରକୁ ନାକଦଣ୍ଡା ଫଟାଇବେ ବୋଲି ବାହାରି ପଡ଼ୁଛନ୍ତି । ସେମାନେ କ’ଣ ପାଇଁ ନିଜେ ତିଷ୍ଠି ରହିପାରିବେ ବୋଲି ସାଙ୍ଗରେ ଗୋଟାଏ ଗୋଟାଏ ଗୁଣ୍ଡାଦଳଙ୍କୁ ବାନ୍ଧିଛନ୍ତି ? କାଳଟା କେଉଁବାଟେ ଏପରି ଏକ ଅକାଳରେ ପରିଣତ ହୋଇଗଲା ଯେ, ସେମାନେ ଏପରି ଅସୁସ୍ଥ ହୋଇ ପଡ଼ିଲେ ? କୋଟି କୋଟି ମଣିଷଙ୍କ ମୁହଁରୁ ଦାନାକୁ ଛଡ଼ାଇ ନେଇ, କୋଟି କୋଟି କାଳସମ୍ଭାବନାକୁ ତୁଚ୍ଛା ଭଣ୍ଡୁର କରିଦେଇ ଯିଏ କେବଲ ନିଜ ଭୋଗଘର ଗୁଡ଼ାକୁ ବଢ଼ାଇବାରେ ସର୍ବାଧିକ ବଳ ଖରଚ କରୁଥିବ, ସିଏ ଅସୁସ୍ଥ ହେବନାହିଁ ତ ଆଉ କ’ଣ ହେବ ? ଏବଂ ନିଜର ସେହି ଅସୁସ୍ଥତାକୁ ଘୋଡ଼ାଇ ଆମକୁ ସ୍ୱାଭିମାନର ବିଲେଇ ପଛରେ ଭୂଆଁ ବୁଲାଇବାରେ ଲାଗିଥିବ-। ଆମ ଭିତରେ ଏମିତି ତୋଷାମଦକାରୀ ଥିବେ, ଯେଉଁମାନେ କି ସେମାନଙ୍କ କଥା ମାନୁଥିବେ-

 

ସୁସ୍ଥ ବ୍ୟକ୍ତି ଓ ସୁସ୍ଥ ସମାଜ । ସେଇଥିରୁ ଯେଉଁ ପରିମଳଟି ମଣିଷ ମଣିଷ ଭିତରେ ଦୈନନ୍ଦିନ ଜୀବନର ସାନ ଓ ବଡ଼ ସକଳ ସମ୍ପର୍କରେ ପ୍ରାୟ ଏକ ସହଜତା ସହିତ ଅନୁଭୂତି ହେଉଥିବ, ତାକୁ ଆମେ ଯାବତୀୟ ସଂଗତି ସହିତ ସଂସ୍କୃତି ବୋଲି କହିପାରିବା । କେତେ ସିଦ୍ଧାନ୍ତ ଓ କେତେ କେତେ ସିଦ୍ଧାନ୍ତୀ କହନ୍ତି, ଆଗ ବ୍ୟକ୍ତିର ସ୍ୱାସ୍ଥ୍ୟ ଓ ତା’ପରେ ସମାଜର ସ୍ୱାସ୍ଥ୍ୟ । ଆଗ ସୁସ୍ଥ ବ୍ୟକ୍ତି ଓ ତା’ପରେ ସୁସ୍ଥ ସମାଜ ଏବଂ ଆଗ ସୁସ୍ଥ ସମାଜ ଏବ ତା’ପରେ ଯାଇ ସୁସ୍ଥ ବ୍ୟାକ୍ତି ବୋଲି ଅପରପଟରେ ମଧ୍ୟ ସିଦ୍ଧାନ୍ତଟିଏ ଏବଂ ସିଦ୍ଧାନ୍ତୀମାନେ ରହିଛନ୍ତି । ଏଇଟା ଠିକ୍, ତେଣୁ ଆରଟା ଭୁଲ ବୋଲି ଏବେ ସେପରି କେହି ବିଚାର କରିବାକୁ ମୋଟେ ରାଜି ହେବନାହିଁ । ତଥାପି, ସମାଜଟିଏ ସୁସ୍ଥ ହେବା ପାଇଁ ବ୍ୟକ୍ତିକୁ ଉତ୍ତରଦାୟୀ କରିବା ପୂର୍ବରୁ ସମାଜ ପକ୍ଷରୁ ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ଏକ ସର୍ବନିମ୍ନ ବାହ୍ୟ ପରିବେଶଟିଏ ସମ୍ଭବ କରିଦେବା ହେଉଛି ସବାମୂଳର ଏକ ଅସଲ କଥା । ସମାଜରେ ଅଧେ ମଣିଷ ଦରଲଙ୍ଗଳା ହୋଇ ରହିଥିବା ବେଳେ ଆଉ ଥୋକେ ଭକି ଭଳି ପରିଚ୍ଛଦର ଫେଶନ ବିଷୟରେ ଚିନ୍ତା କରୁଛନ୍ତି । ଦେଶରେ ଅଧେ ମଣିଷ ଦରଭୁକ୍ତ ରହୁଥିବା ସମୟରେ, ସାମନ୍ତ ଘରର ଲଳନାମାନଙ୍କ ପାଇଁ ରଙ୍ଗୀନ ପତ୍ରିକାମାନଙ୍କରେ ନୂଆ ନୂଆ କିସମର ରନ୍ଧନ ପ୍ରଣାଳୀ ବତାଇ ଦିଆଯାଉଛି । ଦେଶରେ ଶତକଡ଼ା ଦଶଭାଗ ପିଲା ଗେଲ୍ହା ହୋଇ ପାଠ ପଢ଼ିବେ ବୋଲି ତେଣେ ମୋଟେ ଇସ୍କୁଲକୁ ଆସିପାରୁ ନ ଥିଲା ଲକ୍ଷ ଲକ୍ଷ ପିଲାଙ୍କ ବିଷୟରେ ସେମାନଙ୍କୁ ଅନ୍ଧକାରରେ ରଖାଯାଉଛି । ଦେଶରେ ଅଧେ ମଣିଷ ନିଜେ ନିତି ବ୍ୟବହାର କରୁଥିବା ଭାଷାଟିକୁ ପଢ଼ି ନପାରୁଥିଲେ ମଧ୍ୟ ଥୋକେ ଅତୀତବିହ୍ୱଳ ମଣିଷ ଗୋଟିଏ ଶାସ୍ତ୍ରୀୟ ଭାଷାରେ ସମ୍ଭାଷଣ ଶିଖାଇ ବୁଲୁଛନ୍ତି—ଏସବୁ ଗୋଟିଏ ଗୋଟିଏ ଅସୁସ୍ଥତା, —ଏହି ଅସୁସ୍ଥତା ପଛରେ ଏପରି ଏକ ଅନମନୀୟ ଉପେକ୍ଷାଭାବ ରହିଛି, ଯାହାକୁ କି ଘୋଡ଼ାଇ ରଖିବାକୁ ଚେଷ୍ଟା କରାଯାଉଛି । ଏବଂ ପ୍ରଧାନତଃ ସ୍ଵାଭିମାନ ବ୍ୟକ୍ତିମାନେ ତାହା କରୁଛନ୍ତି । ନାନା ମୋହ ଦ୍ଵାରା ଆଚ୍ଛନ୍ନ ହୋଇ ରହିଥିବା ବିବକେ ଦ୍ଵାରା ଚାଳିତ ହୋଇ ସେମାନେ ସ୍ୱାଭିମାନର ଭାନୁମତୀ ଅନ୍ତରାଳରେ ଆଶ୍ରା ଗ୍ରହଣ କରିଛନ୍ତି ଏବଂ ସବୁ ମଣିଷଙ୍କର ଏକ ଅବଶ୍ୟ ଅଧିକାର ରୂପେ ସେମାନଙ୍କୁ ଯେ ସର୍ବନିମ୍ନ ସୁଯୋଗଗୁଡ଼ିକ ଯୋଗାଇ ଦିଆଯାଉ, ସେମାନେ ତାହା ଇଚ୍ଛା କରୁନାହାନ୍ତି । ସମାଜକୁ ଅସମାନ ଏବଂ ତେଣୁ ଅସୁସ୍ଥ କରି ରଖିବାରେ ସେମାନେ ସହଯୋଗ କରୁଛନ୍ତି । ସଂସ୍କୃତି ନାମରେ ସେମାନଙ୍କର ଯାବତୀୟ ବିଚାରରେ ବ୍ୟାଧି ଭର୍ତ୍ତି ହୋଇ ରହିଛି ।

 

ପୂର୍ଣ୍ଣରୁ ପୂର୍ଣ୍ଣିତର ଜଣେ ବ୍ୟକ୍ତି ହେବା ଲାଗି ମୁଁ ବର୍ତ୍ତମାନର ସମାଜରେ ମାଲିକାନା ବା ଅଧିକାର ପାଇବି ବୋଲି ସେଥିପାଇଁ ଯେପର୍ଯ୍ୟନ୍ତ ଆହୁରି କେତେଜଣକୁ ନାନାଭାବେ ବଞ୍ଚିତ ଏବଂ ଅକିଞ୍ଚନ ହୋଇ ରହିବାକୁ ପଡ଼ୁଛି ସେପର୍ଯ୍ୟନ୍ତ ମୋର ବ୍ୟକ୍ତି ହେବାର ଯାବତୀୟ କସରତ ପଛରେ ଅବଶ୍ୟ କେଉଁଠି ନା କେଉଁଠି ଗୋଟିଏ ଦୈତ୍ୟଗିରି ଲୁକ୍କାୟିତ ହୋଇ ରହିଯାଉଛି । ମୋ ଭିତରର ସେହି ଦୈତ୍ୟଟା କ’ଣ ସ୍ଵାଭିମାନ ନାମକ କଥାଟିକୁ ଆଳ ପରି ବ୍ୟବହାର କାରି ଚତୁର୍ଦ୍ଦିଗର ପୃଥିବୀଟିକୁ ଭୂତାଇ ରଖିବା ପାଇଁ ପ୍ରୟାସ କରୁଛି କି ? ବର୍ତ୍ତମାନ ପ୍ରାୟ ସର୍ବତ୍ର ଆମେ ଯେଉଁମାନେ ଆସୁଣୁ ଯାଉଣୁ, ସ୍ଵାଭିମାନ ଶବ୍ଦଟିର ବ୍ୟବହାର କରୁଛୁ, ସେମାନେ ଅଳ୍ପ ବହୁତ ପରିମାଣରେ ଏହି ଦୈତ୍ୟଟାର ଚକ୍ରାନ୍ତ ଭିତରେ ଯାଇ ପଡ଼ିଯାଇଛୁ କି ? ଦେଶର ସବୁ ମଣିଷଙ୍କୁ ଯେଉଁ ସୁଯୋଗ ମିଳିଥାନ୍ତା, ତାହା ସମସ୍ତଙ୍କୁ ନମିଳି ମୋତେ ଓ ମୋଭଳି ମାତ୍ର ଅଳ୍ପ କେତେଜଣଙ୍କୁ ମିଳିଛି । ପରୋକ୍ଷରେ ବା ପ୍ରତ୍ୟକ୍ଷରେ ହେଉ ପଛକେ ଅନ୍ୟମାନଙ୍କୁ ଧର୍ମତଃ, ମୁଁ ବଞ୍ଚିତ କରି ହିଁ ମୋର ବର୍ତ୍ତମାନର ସ୍ଥାନଟିକୁ ଆସିପାରିଛି । ଏବଂ ଏପରି କରି ମୁଁ ମୋ ଜାତିର ବା ମୋ ଦେଶର ସ୍ଵାଭିମାନକୁ ବଜାୟ ରଖିଲି ନା ପ୍ରକୃତରେ ଏକ ଲମ୍ପଟର କାର୍ଯ୍ୟ କଲି ? ସହସ୍ର ସହସ୍ର ଓଡ଼ିଆରେ ବଞ୍ଚିତ କରି ମୁଁ ଯଦି ପ୍ରକୃତରେ ଗୌରବମୟ ବୋଲି କୁହାଯାଇ ପାରୁଥିବା କିଛିକୁ ହାସଲ କରି ପାରିଲି, ତେବେ ତାହା ଦ୍ଵାରା ଓଡ଼ିଶାର ସ୍ୱାଭିମାନ ବଢ଼ିଲା ନା ପ୍ରକୃତରେ ଏପରି କିଛି ଘଟିଲା ଯଦ୍ଦ୍ୱାରା ମୂଳତଃ ମନୁଷ୍ୟର ଅପମାନ କରାଗଲା ?ବର୍ତ୍ତମାନ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ବିଶେଷ ସଫଳତା ଲାଭ କରିଥିବା ମଣିଷ କତିପୟଙ୍କୁ ଦେଖିଲେ, ସେମାନେ ହୁଏତ କଳେବଳେ କୌଶଳେ ଠିକ୍ ସେହିମାନଙ୍କ ପରି ଯୋଗ୍ୟ ଓ ଏପରିକି ସେମାନଙ୍କ ଠାରୁ ହୁଏତ ଅଧିକା ଯୋଗ୍ୟ ଆଉ କେଉଁମାନଙ୍କୁ ବଞ୍ଚିତ କରି ଏଯାଏ ଆସିଛନ୍ତି ବୋଲି ସନ୍ଦେହ କରିବାକୁ ଭାରି ଇଚ୍ଛା ହୋଇଥାଏ ।

 

ଓଡ଼ିଶାର ଗର୍ବ ଓ ସମ୍ପଦ ହେଉଛନ୍ତି ତା‘ର ମଣିଷମାନେ । ଓଡ଼ିଶା ସେହି ମଣିଷମାନଙ୍କ ନିମନ୍ତେ ଉଦୟର ଏକ ସର୍ବନିମ୍ନ ଭୂମି ତିଆରି କରିଦେବ, ବଳଯୁକ୍ତ ସବୁ ପିଲାଙ୍କ ଲାଗି ଶିକ୍ଷାର ଏକ ସାଧାରଣ ଭୂମି ତିଆରି କରିଦେବ, ବଳଯୁକ୍ତ ସବୁ ବାହୁଙ୍କ ସକାଶେ କାମ ଯୋଗାଇଦେବା, ନିଜକୁ ଅଧିକରୁ ଅଧିକ ପରିମାଣରେ ବିକଶିତ କରି ସମୁଦାୟ ନିମନ୍ତେ ତାହାକୁ ଉତ୍ସର୍ଗ କରିଦେବା ସକାଶେ ପ୍ରତ୍ୟେକ ମନୁଷ୍ୟ ଏଠି ପୂର୍ଣ୍ଣ ସୁଯୋଗ ପାଇବା । ଆହୁରି ଖୋଲି କରି କହିଲେ ଏଠି ସମାଜରେ ଜାତିଗତ ପାର୍ଥକ୍ୟମାନ ମଣିଷମାନଙ୍କୁ ମଣିଷ ଆଖିରେ ଆଦୌ ନିଉଛଣା କରି ରଖି ନାହିଁ । ପ୍ରକୃତରେ କେତେକ ମନୁଷ୍ୟଙ୍କୁ ସୁଖ ଓ ସୁଯୋଗମାନଙ୍କୁ ଭୁଲିବାର ଅଧିକ ଅବକାଶ ଆଣି ଯୋଗାଇଦେବା ଲାଗି ଏବଂ ତାହାର ପ୍ରାୟ ଏକ ଅବଶ୍ୟମ୍ଭାବୀ ପରିମାଣ ସ୍ୱରୂପ ବହୁସଂଖ୍ୟକ ଲୋକଙ୍କୁ ବଞ୍ଚିତ କରି ରଖିବାକୁ ଭାରତବର୍ଷର ସମାଜରେ ଜାତିପ୍ରଥାକୁ ଏକ ହତିଆର ପରି ବ୍ୟବହାର କରଯାଇଥିଲା ଏବଂ ସମ୍ପୃକ୍ତ ବଞ୍ଚିତ ବର୍ଗ ଯେପରି ତାହାକୁ ମୁଣ୍ଡପାତି ସହ୍ୟକରିନେବା ପାଇଁ ବାଧ୍ୟ ହେବେ, ସେଥିପାଇଁ ତାହାକୁ ସ୍ଵୟଂ ଈଶ୍ଵର ଇଚ୍ଛା କରିଥିବା ଗୋଟାଏ ବ୍ୟବସ୍ଥା ବୋଲି ପ୍ରଚାର କରଯାଇଥିଲା । ସମ୍ପ୍ରାତିକ ଯୁଗରେ ମଧ୍ୟ ସମାଜର ନିମ୍ନତମ ବର୍ଗର ଲୋକମାନେ ପ୍ରାୟ ଅନ୍ଧକାର ଭିତରେ ରହିଛନ୍ତି ବୋଲି ଆମେ ସୁବିଧା ଭୋଗ କରୁଥିବା ଲୋକମାନେ ସେହିଟାକୁ ସାର ବୋଲି ମାନି କାମୁଡ଼ି କରି ରହିଛୁ । ସେଥିଲାଗି ବହୁତଙ୍କୁ ବଞ୍ଚିତ କରି ମଧ୍ୟ ଆମେ ଯେତେବେଳେ ଆମର କୌଣସି ଏକ କରାମତି ସକାଶେ ଓଡ଼ିଶାର ସ୍ଵାଭିମାନକୁ ବଢ଼ାଇଲୁ ବୋଲି ଆନନ୍ଦ ଧ୍ୱନି ହେଉଛି, ସେତେବେଳେ ଆମକୁ ମୋଟେ ଲାଜ ମାଡ଼ୁନାହିଁ । ଏବଂ ଗୋଟିଏ କରାଳ ଉପେକ୍ଷାଭାବ ସତେଅବା ଏକ ଲଜ୍ଜାକର ବ୍ୟାଧି ରୂପେ ଆମ ସାଧାରଣ ବିବେକର କ୍ଷେତ୍ରଟିକୁ ଘନ କୁହୁଡ଼ି ସଦୃଶ ଆଚ୍ଛନ୍ନ କରି ରଖିଛି । ସାସ୍କୃତିକ ଆନ୍ଦାଜର ସୂତ୍ରଗୁଡ଼ିକ ପୃଥିବୀଯାକ ସତେଅବା ଏକ ଅନ୍ୟ ପ୍ରସ୍ଥକୁ ଉଠି ଚାଲିଯାଉଥିବା ସମୟରେ ଓଡ଼ିଶା ନାମକ ଆମ ନିଜ ପୃଥିବୀଟାକୁ ଏଠାରେ ବାସ କରୁଥିବା ସଂଖ୍ୟାଗରିଷ୍ଠଙ୍କ ନିମନ୍ତେ ପ୍ରାୟ ଆକାଶକୁସୁମ କରି ସ୍ୱାଭିମାନର ବୋଲିଟାକୁ ଏକ ଧୂର୍ତ୍ତ ଜାଲ ପରି ବ୍ୟବହାର କରୁଥିବା, ସେକଥା ମୋଟେ ହୋଇପାରିବ ନାହିଁ । ଓଡ଼ିଶା ଏବଂ ଓଡ଼ିଆ ପ୍ରଭୃତି ଶବ୍ଦର ବ୍ୟବାହର କରି ଓଡ଼ିଶାରେ ଯେଉଁମାନେ ନିଜର ଜାତିପ୍ରୀତି ଏବଂ ଭୂମିପ୍ରୀତିକୁ ବାନ୍ଧି ଓ ଅଟକାଇ ରଖିବାକୁ ଇଚ୍ଛା କରୁଥାନ୍ତି । ଜାତୀୟତାବାଦ ନାମକ ମିଥ୍‍ଟିକୁ ସେମାନେ ଅତ୍ୟନ୍ତ ଖଳତା ସହିତ ପ୍ରୟୋଗ କରନ୍ତି । ଆଉ ସମସ୍ତଙ୍କୁ ସତେଅବା ପୂରା ବୋକା ବୋଲି ଭବିଥାଆନ୍ତି ।

 

ଯଦି ଓଡ଼ିଶାର ଭୂମିକୁ ତା’ର ଗୌରବମୟ ରୂପରେ ଦେଖିବାକୁ କେହି ସତରେ ଇଚ୍ଛା କରୁଥାଏ, ଧର୍ମତଃ ତାକୁ ଏକାବେଳକେ ତଳୁ ଆରମ୍ଭ କରିବାକୁ ହେବ । ତାକୁ ପୂରାପୂରି ସର୍ବଜନଙ୍କର ସ୍ତରକୁ ଓହ୍ଲାଇ ଆସିବାକୁ ପଡ଼ିବ । ତଳ ମଜବୁତ ନହେଲେ ଉପରଟା ମଧ୍ୟ କ୍ରମେ ଭାରି ଅଲକ୍ଷଣା ଯେ ହୋଇଯିବ, ବିଗତ ପଚାଶ ବର୍ଷର ନେତୃତ୍ଵ ଭାରତବର୍ଷରେ ଆମକୁ ସବାଆଗ ତାହାହିଁ ଶିକ୍ଷା ଦେଇ ଯାଇ ପାରିବା ଆବଶ୍ୟକ । ଭାରତବର୍ଷରେ ଉପରେ ରଜାମନ୍ତ୍ରୀ ହୋଇଥିବା ନେତୃତ୍ଵ ଯେଉଁଠାରୁ ଅନ୍ୟ ମତଲବରେ ବାଇ ହେଲା ଓ ତଳ ଛାଡ଼ି ଉପରକୁ ମନ କଲା, ଦେଶ ସେହି ଦିନଠାରୁ ବିଗିଡ଼ିବାକୁ ଆରମ୍ଭ କଲା । ଓଡ଼ିଶାର ତଥାକଥିତ ଓଡ଼ିଆ ଆନ୍ଦୋଳନ ତଳୁ ନୁହେଁ, ସେହି ଉପରୁ ହିଁ ଆରମ୍ଭ ହୋଇଥିଲା । ଯେଉଁମାନେ ତଳେ ଜୀବନର ଯାବତୀୟ କ୍ଷେତ୍ରରେ ସାମନ୍ତ ବନି ହଜାର ହଜାର ମଣିଷଙ୍କୁ ଶୋଷଣ କରୁଥିଲେ, ଓଡ଼ିଶାରେ ସେହିମାନେ ହିଁ ସହରରେ ସେତେବେଳର ଓଡ଼ିଆ ଆନ୍ଦୋଳନର ନେତୃତ୍ୱ ଦେଉଥିଲେ । ସେମାନେ ପୂର୍ଣ୍ଣ ସାଧୁତାର ସହିତ ତାହାହିଁ କରୁଥିଲେ । କାରଣ ସେମାନେ କେବଳ ସେତିକି ବା ସେହିଯାଏ ବୁଝୁଥିଲେ । ଉତ୍କଳକୁ ଜନନୀ ନାମରେ ଉଚ୍ଚାରଣ କରିବା ମାତ୍ରକେ ଯେ ଏହି ଭୂମିରେ ବାସ କରୁଥିବା କେତେ ନିୟୁତ ମଣିଷମାନଙ୍କ ସହିତ ବାନ୍ଧି ହୋଇ ଯିବାକୁ ପଡ଼େ, ଶବ୍ଦାତୁରତା ପରିତ୍ୟାଗ କରି ମଣିଷ ସହିତ ଏକାଠି ବାଟଟିଏ ତିଆରି କରି ଚଳିବାକୁ, ପଡ଼େ, ତତ୍କାଳୀନ ଆମ ନେତୃବୃନ୍ଦ ହୁଏତ ଏକ ଆଦର୍ଶବାଦୀ ପୁଲକର ଫାନ୍ଦରେ ପଡ଼ିଯାଇ ତେଣେ ନିଘା ପକାଇ ପାରିନଥିଲେ । କିନ୍ତୁ ଶହେବର୍ଷ ପରେ ବି ଯେଉଁମାନେ ସେହି ଆତୁରତାର ବେଢ଼ଟା ଭିତରେ ହିଁ ଜାତୀୟ ଉଦବେଳନକୁ ଅଟକାଇ ରଖିବାକୁ ଇଚ୍ଛା କରୁଛନ୍ତି, ସେମାନେ ସମ୍ଭବତଃ ଖୁବ୍ ଚତୁର ବୋଲି ତାହା କରୁଛନ୍ତି । ଅତ୍ୟନ୍ତ ଅସାଧୁ ଏକ ମତଲବ ରଖି ସ୍ଵାଭିମାନ ଶବ୍ଦଟିକୁ ପ୍ରୟୋଗ କରୁଛନ୍ତି, ଏବଂ ସେମାନେ ଯାହାକିଛି କରୁଛନ୍ତି, ତାକୁ ଓଡ଼ିଶା ଓ ଓଡ଼ିଆଙ୍କ ନାମରେ ହିଁ କରୁଛନ୍ତି । ଏହି ପ୍ରୟାସ ଧରା ପଡ଼ିଯିବ, ଏହି ମତଲବ ମଧ୍ୟ ଧରାପଡ଼ିଯିବ । ଓଡ଼ିଶାର ଅଧେ ମଣିଷ ତୁମକୁ ଡିକୁ ବୋଲି କହିବେ, ତୁମେ ପଢ଼ିଥିବା ପାଠକୁ ସେମାନେ ଅପାଠ ବୋଲି କହିବେ । ପ୍ରଧାନତଃ ପାଠୁଆମାନେ ପଚାଶ ବର୍ଷ କାଳ ଦେଶଟାକୁ ଚଳାଇ ଶେଷକୁ ଯେମିତି ଅସାଧୁ ବୋଲି ଧରା ପଡ଼ିଗଲେ, ଓଡ଼ିଶାରେ ଏମାନେ ମଧ୍ୟ ସେହିଭଳି ଭାବରେ ଧରା ପଡ଼ିଯିବେ । ସ୍ଵାଭିମାନ ଶବ୍ଦଟାର ପୂରା ବଦନାମ ହୋଇଯିବ ।

 

ପରିଶେଷରେ, ଉପରେ କୁହାଯାଇଥିବା ଯାବତୀୟ କଥାକୁ ଅତିକ୍ରମ କରି ଆଉ ଗୋଟିଏ କଥା ମଧ୍ୟ କୁହାଯାଇ ପାରିବ । ଅସଲ ସଂସ୍କୃତି ମଣିଷକୁ ଯାବତୀୟ ଅହଂକାର ଏବଂ ଅଭିମାନରୁ ମୁକ୍ତ କରିଥାଏ । ଅସଲ ସଂସ୍କୃତିର ନିକଟବର୍ତ୍ତୀ ହୋଇ ପାରୁଥିଲେ ତାହାକୁ ନିଜ ଜୀବନରେ ବଞ୍ଚିବାକୁ ହିନ ମନ ହୁଏ । ଏବଂ ମୂଲ୍ୟଗୁଡ଼ିକୁ ସତକୁ ସତ ବଞ୍ଚିବାର ସେହି ଅନ୍ୟ ଅସଲ ପ୍ରୟାସଟି ଆରମ୍ଭ ହୋଇଗଲେ କୋଳାହଳ କରିବାକୁ ମୋଟେ ଇଚ୍ଛା ହୁଏ ନାହିଁ । ଏବଂ ଅଭିମାନ ଚାଲିଯିବାକୁ ବସିଲେ ସ୍ଵାଭିମାନ ଶବ୍ଦଟିକୁ ମଧ୍ୟ ସବୁକିଛି ଉତ୍ତେଜନା ଅନାବଶ୍ୟକ ବୋଲି ପ୍ରମାଣିତ ହୋଇ ତଳକୁ ଖସିପଡ଼େ । ସ୍ଵାଭିମାନକୁ ବଞ୍ଚିଥିବା ମଣିଷଟିଏ କଦାପି ଭୂମି ପାଖରେ, ଦେଶ ପାଖରେ ଅଟକି ଯାଏନାହିଁ । ସିଏ ନିଜକୁ ସତେଅବା ନିଜ ଭିତରେ ରହିଥିବା ଏକ ପରମ ଶିଳ୍ପୀର ସ୍ଵପ୍ନଟିଏ ପରି ଅନୁଭବ କରେ, ସେହି ଶିଳ୍ପୀଟି ସହିତ ସହଯୋଗ କରି ସତେଅବା ଏପରି କିଛି ହେବାକୁ ଚାହେ, ଯାହାକୁ ତୁମେ ଆଦୌ ନିର୍ଦ୍ଧିଷ୍ଟ ଭାବରେ କୌଣସି ଦେଶର ବା କୌଣସି ଜାତିର ବୋଲି କହିପାରିବ ନାହିଁ । ସଂସ୍କୃତିରେ ଜାତିନିଷ୍ଠ ସନ୍ତକମାନେ କ୍ରମେ ଭାରି ଅଳପ ଏବଂ ଅଯଥେଷ୍ଟ ବୋଲି ପ୍ରମାଣିତ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସେହି ଅନ୍ୟ ପ୍ରୟାସଟିର ଦିନ ସତେଅବା ଆମ ପୃଥିବୀରେ ଅଧିକରୁ ଅଧିକ ପରିମାଣରେ ସ୍ଵୀକୃତି ଲାଭ କରିବାରେ ଲାଗିଛି । ତୁମେ ଯାହାକିଛି ହେବ, ନିଜ ଭୂମିଟି ଉପରେ ହିଁ ତାହା ହେବ, ମାତ୍ର ତଥାପି ସେହି ଭୂମି ତୁମକୁ ବାଡ଼ ଦେଇ ରଖିପାରିବ ନାହିଁ । ତୁମେ ସମଗ୍ର ପୃଥିବୀର କାମରେ ଲାଗିବ; ଏବଂ ସମଗ୍ର ପୃଥିବୀର କାମରେ ଲାଗିପାରୁଛ ବୋଲି ନିଜ ଭୂମିଟିର ବି କାମରେ ଲାଗିବ । ତେଣିକି ସଂସ୍କୃତି କହିଲେ କେହି କଦାପି ବାହ୍ୟଗୁଡ଼ାକ ଓ ଭେକଗୁଡ଼ାକ ପାଖରେ ଅଟକି ରହିଯିବେ ନାହିଁ । ସେମାନେ ମୂଳଗାରଟି ପ୍ରତି କୃତଜ୍ଞ ରହିଥିବେ ଏବଂ ଗାରକୁ ଅତିକ୍ରମ କରି ଯାଉଥିବେ । ଉଭୟ ମଧ୍ୟରେ ଯେ ଆଦୌ କୌଣସି ଫରକ ନାହିଁ, ସହଜ ହୋଇ ନିଜ ସଂସ୍କୃତିଟିକୁ ବଞ୍ଚି ପାରୁଥିବା ମନୁଷ୍ୟମାନେ ତୁମକୁ ସେହିକଥାଟି ଠିକ୍ ବୋଲି ହିଁ କହିବେ । ଏବଂ ସେଇଟା ନଥିଲେ ତୁମକୁ ଚଗଲା ବୋଲି କହୁଥିବେ ।

 

ସଂସ୍କୃତିକୁ ବଞ୍ଚିଲେ ଖାଲି ମଣିଷଟି ଯେ ସହଜ ହୋଇଯାଏ ତା’ ନୁହେଁ । ସିଏ ବଞ୍ଚୁଥିବା ତା’ର ସେହି ସଂସ୍କୃତିଟି ମଧ୍ୟ ସହଜ ହୋଇଯାଏ । ସଂସ୍କୃତିଟିଏ ନ ବଞ୍ଚି ତାହାକୁ ସତେଅବା ସ୍ଵାଭିମାନର ଏକ ପତାକା ରୂପେ ବ୍ୟବହାର କରିବାକୁ ଯେଉଁମାନେ ଅଧିକ ସୁବିଧାଜନକ ବୋଲି ଗ୍ରହଣ କରନ୍ତି, ସଚରାଚର ସେହିମାନେ ହିଁ ସଂସ୍କୃତିକୁ ଜଟିଳ କରିପକାନ୍ତି । ସେମାନଙ୍କ ଭିତରୁ ଥୋକେ ଆହୁରି ଅଧିକ ପାରଙ୍ଗମତା ଦେଖାଇ ଭଳି ଭଳି ପ୍ରଣାଳୀ ଏବଂ ପଦ୍ଧତିର ବାଡ଼ି ପକାଇ ସଂସ୍କୃତିର ଅଧ୍ୟୟନ ମଧ୍ୟ କରନ୍ତି । ଏବଂ ଯଦି ମତଲବ ଭିତରେ କେଉଁଠାରେ ମୋହ ରହିଥାଏ, ତେବେ ସେହି ଅଧ୍ୟୟନଗୁଡ଼ିକୁ ମଧ୍ୟ ସଂସ୍କୃତିକୁ ସହଜ ଭାବରେ ବଞ୍ଚିବା ଆଡ଼କୁ ପ୍ରବୃତ୍ତ ନ କରାଇ ପତାକାମାନଙ୍କ ଆଡ଼କୁ ହିଁ ଅଧିକ ପରିମାଣରେ ଆକୃଷ୍ଟ କରିଥାଏ । ଓଡ଼ିଶାରେ ଓଡ଼ିଶାର ସଂସ୍କୃତି ବିଷୟରେ କ’ଣ କମ୍ ବେଙ୍ଗଳା ପଡ଼ି ଅଧ୍ୟୟନମାନ କରାଯାଉଛି ? ମାତ୍ର ଥରେ ଆଖି ବୁଲାଇ ଆଣିଲେ ମନେହେଉଛି, ସେଗୁଡ଼ିକ ଦ୍ଵାରା ମଣିଷମାନଙ୍କର ମନକୁ ପତାକାମାନଙ୍କୁ ଆଡ଼କୁ ଆକୃଷ୍ଟ କରାଇବା ଲାଗି ସତେଅବେ ଅଧିକ ପ୍ରଚେଷ୍ଟା ହିଁ କରାଯାଇଛି । ଓଡ଼ିଆର ପରିଚିତି ମଣିଷମାନଙ୍କର ଜୀବନରେ ନୁହେଁ, ଶାସ୍ତ୍ରରୁ ହିଁ ଖୋଜାଯାଉଛି । ଜଳ ଜଳ କରି ଅନାଇଥିବା ବର୍ତ୍ତମାନଟା ଭିତରେ ନୁହେଁ, ଅତୀତ ଭିତରୁ ଖୋଜାଯାଉଛି ଓ ସ୍ଵାଭିମାନର ଉତ୍ସ-ନିରୂପଣ କରାଯାଉଛି । ମଥାଟା ଭିତରେ କି ମତଲବ ରଖି ସେମାନେ ଏସବୁ କଥା କରୁଛନ୍ତି କେଜାଣି ? ସେମାନେ ସତେଅବା ବର୍ତ୍ତମାନଟାକୁ ଯେମିତି ସେମିତି ନିଖୁଣ କରି ରଖିବାକୁ ମନ କରିଛନ୍ତି । ତେଣୁ ଆଗ ସହଜ ସଂସ୍କୃତି-ଅନୁରାଗୀ, ମଣିଷଟିଏ ନହୋଇ ସ୍ଵାଭିମାନୀ ହେବାକୁ ମନ ବଳାଇଛନ୍ତି-। ନିଜ ବିଷଟାକୁ ଆଣି ଆମର ଅକଲଗୁଡ଼ାକୁ ବି ବିଷାକ୍ତ କରି ପକାଇବେ ବୋଲି ସିଆଣ କରିଛନ୍ତି । ସେମାନେ ଓଡ଼ିଶା ବିଷୟରେ ନୁହେଁ, ନିଜ ବିଷୟରେ ହିଁ ଉଚ୍ଚ ସ୍ଵପ୍ନମାନ ଦେଖୁଛନ୍ତି । ସେମାନେ ସଂସ୍କୃତି ଭିତରେ ମୋଟେ ନାହାନ୍ତି । ଯୁଗର ଅସଲ ଭୋଗଗୁଡ଼ାକୁ ମାରିପକାଇବେ ବୋଲି ଆଣ୍ଟକରି ବାହାରିଛନ୍ତି । ଓଡ଼ିଶାର ମଣିଷମାନେ ଆଗ ମଣିଷ ହେବେ; ସବୁ ମଣିଷଙ୍କ ଲାଗି ଆମେ ମଧ୍ୟ ସମସ୍ତଙ୍କ ଭଳି ମନୁଷ୍ୟ ବୋଲି ସର୍ବସାମାନ୍ୟ ବିଶ୍ଵାସଟିଏ ଅଙ୍କୁରିତ ହେବ । ତା’ପରେ ସେମାନେ ପ୍ରାୟ ସ୍ଵାଭାବିକ ଭାବରେ ଭୂଇଁଟିକୁ ଖୋଜିବେ, ଭୂଇଁଟିକୁ ଚିହ୍ନିବେ—ସେମାନେ ଭୂମିର ପୁନରାବିଷ୍କାର କରିବେ । ଭୂମିଟିକୁ ସତକୁ ସତ ନିଜ ପାଦତଳେ ଅନୁଭବ କରିପାରିବେ । ଏଇଟି ରୀତି, ଆଉ ସବୁକିଛି ଅରୀତି, ଖାଲି ଫାଙ୍କି । ତେଣୁ ମତଲବୀମାନେ ଆଉ ସ୍ଵାଭିମାନ କଥା ନ କହନ୍ତୁ । ଓଡ଼ିଶାକୁ ନିଜର ଭୂମି ରୂପେ ଜାଣୁଥିବା ବାକିମାନେ ଵି ଅଧିକରୁ ଅଧିକ ଅନୁରାଗୀ ହେବେ, ସ୍ଵାଭିମାନର ବୋଲିଗୁଡ଼ାକରେ ମୋଟେ ଭଳିବେ ନାହିଁ ।

 

୦୮ । ୦୬ । ୯୮

Image

 

ଆଉ ଯୁଦ୍ଧ ଲାଗିବନାହିଁ

 

ଉତ୍କାଳୀନ ପଶ୍ଚିମ ଜର୍ମାନୀର ହାନୋଭର ସହରରେ ମୁଁ ରାତିକ ଲାଗି ଗୋଟିଏ ପରିବାରରେ କୁଣିଆ ହୋଇଥାଏ । ରାତ୍ରିଭୋଜନ ସମୟରେ ଘରର ବାପା ଦୁନିଆଯାକର ଗପ ଆରମ୍ଭ କରିଦେଲେ । ଭାରତ ଓ ଜର୍ମାନୀର ହାଲଚାଲ ମହାତ୍ମା ଗାନ୍ଧୀ, ହିମାଳୟ ପର୍ବତ ଓ ଆହୁରି କେତେ କଣ ଦାଣ୍ଡିଦେଇ ଆମେ ପରମାଣୁ ବୋମା ପାଖରେ ଯାଇ ପହଞ୍ଚିଥିଲୁ । ଯଜମାନ ଶାନ୍ତ ମୁଖମୁଦ୍ରାଟିଏ ଦର୍ଶାଇଦେଇ କହିଲେ, ଭଲହେଲା, ଆମେରିକା ଆଉ ରୁଷିଆ ଉଭୟଙ୍କ ପାଖରେ ପରମାଣୁ ବୋମା ରହିଲା । ସେମାନେ ଏଣିକି କେବେଳ ନିଜଆଡ଼ୁ ନିଷ୍ପତ୍ତି ଗ୍ରହଣ କରି ଅନ୍ୟପକ୍ଷ ଉପରେ କଦାପି ଏହି ବୋମାର ପକାଇବା ମାତ୍ରକେ ଅନ୍ୟ ପକ୍ଷଟି ମଧ୍ୟ ସିଏ ସାଇତି ରଖିଥିବା ବୋମାକୁ ତତ୍‍କ୍ଷଣାତ୍ କ୍ରିୟାଶୀଳ କରାଇଦେବ । ତେଣୁ, ଉଭୟେ ଉଭୟଙ୍କୁ ଡରିବେ । ଏବଂ ମୋଟେ ହୁଣ୍ଡାଂକ ପରି ଅବିବେକୀ ହେବେନାହିଁ । ଫଳରେ ଆମ ପୃଥିବୀରେ ଆଗକୁ କୌଣସି ଯୁଦ୍ଧ ହେବନାହିଁ । ସେଦିନ ଭଦ୍ରଲୋକଙ୍କର କଥା ମୋତେ ଭାରି କେମିତି କେମିତି ଲାଗିଥିଲା ସତ, ମାତ୍ର ବର୍ତ୍ତମାନ ଦେଖୁଛି ତାଙ୍କର ସେହି କଥା ପ୍ରକୃତରେ ସତ ହିଁ ହୋଇଛି ପୃଥିବୀରେ ଆଉ ଯୁଦ୍ଧ ଲାଗିନାହିଁ । ଗୋଟାଏ ପକ୍ଷ ପୂରା ଭୁଷୁଡ଼ି ପଡ଼ିଲାଣି, ତଥାପି ସେଥିପାଇଁ ମଧ୍ୟ ଯୁଦ୍ଧ ଲାଗିନାହିଁ । ଚଗଲା ମନଟା ଆଶା ବାନ୍ଧି କହୁଛି, ଏଣିକି ଠିକ୍ ଏହିପରି ହିଁ ହେବ; ପୁରୁଣାଗୁଡ଼ାକ ଗୋଟାକ ପରେ ଗୋଟାଏ ଭୁଷୁଡ଼ି ପଡ଼ୁଥିବ, ମାତ୍ର ସେଥିଲାଗି ହୁଏତ କୌଣସି ଯୁଦ୍ଧ ଆବଶ୍ୟକ ହେବନାହିଁ ।

 

ଯୁଦ୍ଧ ଲାଗିନାହିଁ ବୋଲି କହିଲେ ଭୁଲ ହେବ । ଯୁଦ୍ଧ ଲାଗିଛି । ସାହୀ ଯୁଦ୍ଧମାନ ଲାଗିଛି-। ସେଥିରେ ବଡ଼ମାନଙ୍କର ହାତ ବି ଅଛି । ଇରାକରେ ଯୁଦ୍ଧ ଲାଗିଥିଲା । ମାସେ ଦୁଇମାସ ଲାଗି ବନ୍ଦ ହୋଇଗଲା । ସେହି ଯୁଦ୍ଧକୁ ନେଇ ଏବେ ମଧ୍ୟ ଖିଚିରି ମିଚିରି ଲାଗିଛି ସିନା, ମାତ୍ର ଆଉ ଯୁଦ୍ଧ ଲାଗୁନାହିଁ । ବୋସନିଆରେ ଭାଇବାଣ୍ଟ ନେଇ ଯୁଦ୍ଧ ଲାଗିଛି । ଆବଖାର୍ଜିଆ, ଚେଚେନ୍ୟା—ଏମିତି କେତେ କେତେ ଅନାମଧେୟ ସ୍ଥାନରେ ବେଳେ ବେଳେ କ’ଣଟିଏ ଲାଗିଯାଉଛି, ଯାହାକୁ ଯୁଦ୍ଧ ବୋଲି କୁହାଯାଇପାରେ । ତଥାପି ବିଶ୍ଵଯୁଦ୍ଧ ବୋଲି ପୃଥିବୀ ଯାହାକୁ ଏକଦା ଅଙ୍ଗେ ନିଭାଇଥିଲା, ସେଇଟା ଆଉ ହୁଏତ କେବେହେଲେ ଅଙ୍ଗେ ନିଭାଇବାକୁ ପଡ଼ିବ ନାହିଁ । ଯେତେବେଳେ ପ୍ରାୟ ଦଶବର୍ଷ ତଳେ ପୂର୍ବ ୟୁରୋପରେ ଶାସନ ପରେ ଶାସନ ଭାଙ୍ଗି ପଡ଼ୁଥିଲା, ସେତେବେଳେ ରୁଷିଆର ଟ୍ୟାଙ୍କ, କମାଣ ବାରୁଦ ଓ ସୌନ୍ୟମାନେ ଛାଉଣୀମାନଙ୍କରେ ମଜଜୁତ ହୋଇ ରହିଥିଲେ-। ବିଚରାମାନଙ୍କୁ ମୋଟେ ଗୋଟିଏ ହେଲେ ଗୁଳି ଫୁଟାଇବାକୁ ପଡ଼ିଲା ନାହିଁ । ସେତେବେଳେ ସେମାନଙ୍କୁ ଦେଖିଲେ ପ୍ରକୃତରେ ଭାରି ବିକଳ ଲାଗୁଥିଲା । ପାଞ୍ଚବର୍ଷ ପୂର୍ବରୁ ସ୍ଥାନୀୟ ସରକାରମାନଙ୍କୁ ସୁରକ୍ଷା ଦେବାପାଇଁ ଯେଉଁମାନେ ବାଘପରି ଛକି ରହିଥିଲେ, ସେମାନଙ୍କର ହଠାତ୍ ଏହି ଐତିହାସିକ ଧ୍ଵଜଭଙ୍ଗ ଦେଖି ପ୍ରକୃତରେ କାହାକୁ ବିକଳ ନ ଲାଗିବା । ମାତ୍ର ସେତେବେଳକୁ ମୂଳଭୂଇଁ ଋଷିଆରେ ପୁରୁଣା ମାମୁଁ ମାନଙ୍କର ଦର୍ପ ଭାଙ୍ଗି ସାରିଥିଲା ଯେତେବେଳେ, ସେମାନେ ମାମୁଁଙ୍କର ଏକଦା ଅଧସ୍ତନ ରାଜ୍ୟଗୁଡ଼ିକରେ ଆଉ କଣ ବା କରିଥାନ୍ତେ-? ବିନା ଯୁଦ୍ଧରେ ଏହି ଯେଉଁ ବିପୁଳ ପରିବର୍ତ୍ତନ ହେଲା, ବିଶ୍ଵ-ଇତିହାସରେ ଆମକୁ କେଉଁଠି ହେଲେ ତା’ର ଏକ ସାମନ୍ତର ମୋଟେ ଦେଖିବାକୁ ମିଳିବ ନାହିଁ ।

 

ସବା ଆଗ ପୃଥିବୀରେ ଦୁଇ ବୁଢ଼ାଙ୍କ ହାତରେ ପରମାଣୁ ଅସ୍ତ୍ର ରହିଥିଲା । ମୁକାମ ନେଇ ତା’ପରେ ଆଉ କେତୋଟି ସରକାର ସେହି ଅସ୍ତ୍ର ଅମଳ କରିପାରିଲେ । ବିଶ୍ଵ ସାମରିକ ଅଭିଧାନରେ ପରମାଣୁ କୁଟୁମ୍ବ ବୋଲି ଗୋଟିଏ ନୂଆ କଥାର ସୃଷ୍ଟିହେଲା । ବୈଜ୍ଞାନିକ ମାନଙ୍କର କାନକୁ କାନ ହୋଇ ବୋମାମନ୍ତ୍ର କ୍ରମେ କେତେ ଦେଶକୁ ବ୍ୟାପୀଗଲା । ଜାତୀୟତାବାଦ ଏହି ଉଦ୍ୟମ-କ୍ଷେତ୍ରରେ ବ୍ରାହ୍ମଣ ପରି କାର୍ଯ୍ୟ କଲା, ଶ୍ୱସ୍ତି ମନ୍ତ୍ର ଗାଇ ଖୁବ୍ ଉଦ୍‍ବୁଦ୍ଧ କଲା । ପରମାଣୁ ଶକ୍ତି ଅର୍ଥାତ୍ ପରମାଣୁ ବୋମାର ରହସ୍ୟଜ୍ଞାନର ଅଧିକାରୀ ହେବା, —ଏଇଟା କ୍ରମେ ସତେଅବା ଏକ ବିଶେଷ ସମ୍ମାନର ସୂଚକ ହୋଇ ରହିଲା । ପୃଥିବୀଯାକ ବର୍ବରମାନଙ୍କ ଭିତରେ କିଛି ରାଷ୍ଟ୍ର ମହାବର୍ବର ହୋଇ ରହିଲେ । ଶୋଭା ପାଇଲେ । ରାଜନୀତିରେ ମଙ୍ଗଗୁଡ଼ିକୁ ଧରିପାରିଲେ । କରଜ ଦେଇ ପୃଥିବୀରେ ମହାଜନ ବୋଲାଇ ପାରିଲେ । ସେମାନଙ୍କର ଗୋଇନ୍ଦା ଜାଲ ପୃଥିବୀଯାକ ଚରିଯାଇ ପାରିଲେ । ମନ ଅନୁସାରେ ଅନ୍ୟାନ୍ୟ ଦେଶମାନଙ୍କରେ ସରକାରଗୁଡ଼ିକର ପତନ ଘଟାଇଲେ ଅଥବା ନିଜର ମନୋମତ ବ୍ୟକ୍ତି ଓ ସ୍ଵାର୍ଥଗୁଡ଼ିକୁ ଏକ ଦୂର ନିୟନ୍ତ୍ରଣର ଫିସାଦ ବଳରେ ଶାସନାରୂଢ଼ କରି ରଖାଇପାରିଲେ ।

 

ପୃଥିବୀରେ ଯୁଦ୍ଧର ଆଶଙ୍କା ହ୍ରାସ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ପୃଥିବୀ ଧର୍ମତଃ ଅନ୍ୟ ପ୍ରକାର ହୋଇ ଯାଉଥାନ୍ତା ସିନା, ମାତ୍ର ସେକଥା ବି ହୋଇପାରିଲା ନାହିଁ । ଅସ୍ତ୍ରର ପ୍ରତିଯୋଗିତା ମୋଟେ କମିଲାନାହିଁ । ଉପରେ କେତେଟା ରାଷ୍ଟ୍ର ପଣ୍ଡାଙ୍କ ପରି ମେଳ ହୋଇ ଆଣବିକ ବୋମାର ପରୀକ୍ଷା ଆଉ ଆମ ଦ୍ଵାରା ହେବ ନାହିଁ ବୋଲି ଗୋଟାଏ କାଗଜ ଉପରେ ଦସ୍ତଖତ କରି ସେଥିରୁ ମହାନନ୍ଦ ଲାଭ କଲେ । ଆପଣକୁ ଗୋଟାଏ ଗୋଟାଏ ଶାନ୍ତିଦୂତ ଭଳି ଅନୁଭବ କଲେ । ଅନ୍ୟାନ୍ୟ ବହୁଦେଶକୁ ସିଧାରେ ବଙ୍କାରେ ବାଧ୍ୟ କରି ସେହି କାଗଜ ଉପରେ ଦସ୍ତଖତ କରାଇନେଲେ । ମାତ୍ର, ଶସ୍ତ୍ରାସ୍ତ୍ରର ବାଣିଜ୍ୟ ମୋଟେ କମିଲା ନାହିଁ-। ସାମରିକ ଖର୍ଚ୍ଚ ମୋଟେ କମିଲା ନାହିଁ । ଖାଲି ଗଣ୍ଡାରମାନେ ନୁହନ୍ତି, ନିତାନ୍ତ କୁଜିଗେଣ୍ଡାମାନେ ମଧ୍ୟ ଅସ୍ତ୍ର ତହବିଲରେ ଫୁଲି ବଡ଼ଗେଣ୍ଡା ହୋଇ ରାସ୍ତା ଉପରକୁ ବାହାରିବାକୁ ସକସକ ହେଲେ । କୋଟି କୋଟି ଟଙ୍କାର କିଣାବିକା ଏହି ଅସ୍ତ୍ରମାନଙ୍କରେ ଚାଲିଲା । ଅନ୍ନ ଅପେକ୍ଷା ଅସ୍ତ୍ରରେ ଅଧିକ ବରାଦ କରିବାକୁ ଏକ ଲକ୍ଷ୍ମୀମନ୍ତ ଦେଶ ବା ସରକାରର ବିଶେଷ ଲକ୍ଷଣ ବୋଲି ବିବେଚିତ ହେଲା-। ଏହି ମିଛ ଖରଚକୁ ଦେଶରକ୍ଷା ବା ପ୍ରତିରକ୍ଷା ବୋଲି କୁହାଗଲା । ଏବଂ ସେହି କ୍ଷେତ୍ରରେ ଆଦୌ କୌଣସି ସାଲିଶ୍ କରାଯିବା ନାହିଁ ବୋଲି ରାଷ୍ଟ୍ରମାନେ କେତେ କେତେ ସଂକଳ୍ପର ସହିତ କହିଲେ-। ଏବେ ମଧ୍ୟ କହିବାରେ ଲାଗିଛନ୍ତି ।

 

ଯୁଦ୍ଧ ହେବନାହିଁ, ଅସ୍ତ୍ରଗୁଡ଼ାକ ଲୋଡ଼ାହେବ ନାହିଁ—ତଥାପି ଅସ୍ତ୍ରାଗାରଗୁଡ଼ାକ ବଢ଼ିବାରେ ଲାଗିଛନ୍ତି । କେଡ଼େ କେଡ଼େ ଧନଶାଳୀ ଦେଶ ଆମେରିକା ଆଉ ଇଂଲଣ୍ଡ—ସେମାନେ ପୃଥିବୀର ଦାରିଦ୍ର୍ୟମୋଚନ ପାଇଁ କୋଟି ପରିମାଣରେ ପଇସା ଖର୍ଚ୍ଚ କରୁଛନ୍ତି ଏବଂ ତେଣେ ବୋମାରେ, ବନ୍ଧୁକରେ, ତରୁଣ ସୈନ୍ୟମାନଙ୍କୁ ଯୁଦ୍ଧରେ ମଣ କରିବାକୁ ମଧ୍ୟ ହୁଏତ ତିରିଶି ସେତିକି ବା ଆହୁରି ବେଶୀ ଖର୍ଚ୍ଚ କରୁଛନ୍ତି । ପୃଥିବୀ ଯାକର ହାଟକୁ ଦଖଲ କରି ନେଇଥିବାରୁ ସେମାନଙ୍କର ହୁଏତ ପୃଥିବୀରେ କୋଠା ତୋଳିଦେବା ଏବଂ ପୃଥିବୀପାଇଁ ଗାଡ଼ ଖୋଳିଦେବା, —ଉଭୟ ନିମନ୍ତେ ପଇସା ରହିଛି । ସେମାନେ ଗ୍ରହରୁ ଗ୍ରହନ୍ତରକୁ ବି ଗଲେଣି । ପୃଥିବୀରେ ନୂଆ ବିଜ୍ଞାନର ଭେଳିକିମାନ ଦେଖାଇବାରେ ସେମାନେ ପୃଥିବୀଯାକ ମଣିଷଙ୍କର ବିସ୍ମୟଭାଜନ ହୋଇପାରୁଛନ୍ତି । ମାତ୍ର, ପାକିସ୍ଥାନ କଣ ଅଛି ?

 

ଭାରତବର୍ଷର କଣ ଅଛି ? ଦୁଇ ସରକାରଙ୍କର ଭାଗ୍ୟର ସମ୍ଭତତଃ ପ୍ରଶଂସା କରିବାକୁ ହେବ ଯେ ସେମାନଙ୍କୁ ଚେଙ୍ଗାକରି ରଖିବାପାଇଁ କାଶ୍ମିରୀ ନାମକ ଏକ ସମସ୍ୟା ରହିଛି । ଦୁଇପଟୁ ପୂର୍ଣ୍ଣ ପ୍ରୟାସରେ ସମସ୍ୟାଟିକୁ ଜୀଆଇ ରଖାଯାଇଛି । କଥାରେ କିଛି ଛିଣ୍ଡୁନାହିଁ, —ତେଣୁ ଗତ ପଚାଶ ବର୍ଷ ମଧ୍ୟରେ ସେମାନେ ଏକାଧିକାର ବହେ ବହେ ନାଚି ବି ଗଲେଣି । ଖାଲି କଣ ଧର୍ମ ଅଫିମ ପରି ମଣିଷକୁ ଚେଙ୍ଗାକରି ରଖେ ? ଯୁଦ୍ଧ ମଧ୍ୟ ଖୁଆଇ ଜାଣିଲେ ଅତ୍ୟନ୍ତ ଚମତ୍କାର ପ୍ରକାରେ ଏକ ଅହିଫେନ ପରି କାର୍ଯ୍ୟ କରିପାରେ । ସରକାରମାନେ ପାରୁଆ ହୋଇଥିଲେ ଏକ ଯୁଦ୍ଧ ଧର୍ମଯୁଦ୍ଧ ବୋଲି ମଧ୍ୟ ଅବଶ୍ୟ କହିପାରନ୍ତି । କାଶ୍ମୀର ସମସ୍ୟାଟା ମାମୁଲି ବାଟରେ ମୋଟେ ଛିଣ୍ଡି ପାରୁନାହିଁ ବୋଲି ଉଭୟ ପଟର କ୍ଷମତାସୀନମାନ ବୋମା ଓ ପରମାଣୁ ବୋମାଯାଏ ଆସିଲେଣି । ସେପାଖରୁ କ୍ଷେପଣାସ୍ତ୍ରଟାଏ ହୋଇଗଲା । ଆମର ଆଗରୁ କ୍ଷେପଣାସ୍ତ୍ର ଥିଲା । ତେଣୁ ଆମେ ତାଙ୍କଠାରୁ ଅଧିକ ନଦିଶିଲେ ଭଗବାନ ଆମକୁ ସତକୁ ସତ ସତ କଣ ନକହିବେ । ତେଣୁ ଆମେ ବି ବୋମାର ପରୀକ୍ଷା କରିଦେଲୁ । ବିଜ୍ଞାନୀମାନେ ଆଗରୁ ଅଙ୍କ କଷି ରଖିଥିଲେ, ଖାଲି ଦିଆସିଲି କାଠିଟାକୁ ମାରିଦେବାକୁ ଯାହା ଅପେକ୍ଷା ରହିଥିଲା । ଏବର ବିଜ୍ଞାନ ଏପରି ପ୍ରଗାଢ଼ ଭାବରେ ଖାମିନ୍ଦମାନଙ୍କର ଦାସ ହୋଇ ଗଲାଣି ଯେ ସର୍ବନିମ୍ନ ଅତ୍ୟାବଶ୍ୟକ ବିବେକ ଜ୍ଞାନଟିକୁ କ୍ରମେ ହରାଇ ବସିଲାଣି । ଚାକିରିଆ ବିଚରାଠାରୁ ଆଉ କ’ଣ ଆଶା କରାଯାଇପାରିବ ? ବିଶେଷତଃ ତୁମେ ଯଦି ତା ମୁଣ୍ଡରେ ସଭାର ସବାବଡ଼ କଳସତାକୁ ନେଇ ଲଦିଦେବ, ତେବେ ସିଏ ତ ସେଥିରେ କୃତକୃତ୍ୟ ହୋଇ ଏକ ସର୍ବସଫଳ ଷଣ୍ଢପରି ନାଚିବାକୁ ଲାଗିବା ଓ ସେହି ପୁଲକରେ ହୁଏତ ଆହୁରି ପନ୍ଦରଟା ଜାଗାରେ ଶିଙ୍ଗ ଭୁଷିଦେଇ ଆସିବାକୁ ବାହାରିପଡ଼ିବ । ପାକିସ୍ଥାନ ବି ତା’ ପରୋକ୍ଷ ଆରମ୍ଭ କରିଦେବ । ଏମିତି ପରୀକ୍ଷା ପରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଭୟେ ଶେଷରେ କେଉଁଠିଯାଇ ପରସ୍ପରକୁ ହାବୁଡ଼ିବେ କେଜାଣି ? ଅନ୍ତଃସତ୍ତ୍ୱା ସରକାରମାନଙ୍କର ଏହି ବୋମା ଆଦୌ ଫୁଟା ହେବନାହିଁ । କାଶ୍ମୀରୀରେ ବି ଫୁଟା ହେବାର କେବେ କୌଣସି ଅବସର ଆସିବ ନାହିଁ । ଏତେ ପଇସା ଖରଚ ହେବ ଏବଂ ରହି ରହି ଖତ ହୋଇଯିବ । ରୁଷିଆ, ଆମେରିକା ବା ଆଉ କାହା ଭଣ୍ଡାରରେ ଯେମିତି ଖତ ହେଉଛନ୍ତି, ସମ୍ପୂର୍ଣ୍ଣ ଭାବରେ ସେହିପରି । ତେବେ ସେହି ମୂଳପ୍ରଶ୍ନଟି ହେଉଛି, ପରମାଣୁ ବୋମା ରଖିବା ଦ୍ଵାରା କଣ କାଶ୍ମୀର ସମସ୍ୟାର ସମାଧାନ ହୋଇଯିବ ? ଏପରିକି ସେଥିରୁ ବାଛି ବାଛି କେତୋଟିକୁ ଫୁଟାଇଲେ ମଧ୍ୟ କଣ ସମସ୍ୟାର ସମାଧାନ ହୋଇଯିବ ? ତେଣୁ ଏପରି ଗୋଟିଏ ଦ୍ରବ୍ୟର ଉଦ୍ଭାବନ କରିଥିବା ହେତୁ ଭାରତ ସତେଅବା ଏକ ଅଦ୍ୱୟ ସିଦ୍ଧି ଲାଭ କଲାବୋଲି ଯେଉଁମାନେ ପାଟି କରିବାରେ ଲାଗିଛନ୍ତି, ଆପଣ କହନ୍ତୁ ତ ସେମାନେ କାହିଁକି ଏପରି ହେଉଛନ୍ତି ! ବୋମା ଅଛି, ତଥାପି ବୋମା କାମରେ ଲାଗୁନାହିଁ—ରାଷ୍ଟ୍ରମାନଙ୍କ ପାଖରେ ତହୁଁ ବଳି ଓ ତହୁଁବଳି ତେଣ୍ଟାମାନ ମହଜୁଦ ହୋଇ ରହିଛି, ସତେଅବା ଆଖି ପିଛୁଳାକେ କାହା ଦେହରେ ଯାଇ ଗଳିଯିବ ଓ ଟାକୁ ଖତମ କରିଦେବ ବୋଲି ଜିଭ ଲହ ଲହ କରୁଛି । ତଥାପି ଆଧୁନିକ ବିଶ୍ଵର ନାଗରିକ ଭିତରେ ଏପରି କ’ଣ ନୂତନ ଏକ ଶକ୍ତି ଜନ୍ମଲାଭ କଲାଣି, ଯାହାକି ସେଗୁଡ଼ିକୁ ସେହିପରି ସଢ଼ାଇବା ପଛକେ, କିନ୍ତୁ ବ୍ୟବହାର କରିବା ନାହିଁ । ଏହି ବୋମାମାନେ ପୃଥିବୀରେ ଯେଉଁଠି କାମରେ ଲାଗିବେ ପଛକେ, ତଦ୍ଦ୍ୱାରା ପୃଥିବୀରୁ ମାନବସଂସାରର ପୂର୍ଣ୍ଣବସାନ ଘଟିବ ଓ ତେଣୁ ମାନବଜାତି କଦାପି ଏପରି ଗୋଟିଏ ଘଟଣା ଘଟିବାକୁ ଦେବାନାହିଁ । ସେହି ବିଶ୍ଵାସଟି ପୃଥିବୀଯାକ କ୍ରମେ ଭାରି ଦୃଢ଼ ହୋଇ ଗଲାଣି । ତାକୁ କୌଣସି ଜାତୀୟତାବାଦ ଆଦୌ ଟଳାଇ ଦେଇପାରିବ ନାହିଁ ।

 

୧୯୬୫ ମସିହାରେ ଭାରତ ପାକିସ୍ଥାନ ଯୁଦ୍ଧ କଥା ମନେପଡ଼ୁଛି । ସେଇ କାଶ୍ମୀରକୁ ଆଳକରି ଏକ ଯୁଦ୍ଧ ଲାଗିଥିଲା । ଦୁଇଦେଶର ପୂରା ସୀମାଟା କ୍ରମେ ସମରାଙ୍ଗନରେ ପରିଣତ ହୋଇଗଲା । ଶ୍ରୀଯୁକ୍ତ ଲାଲବାହାଦୁର ସେତେବେଳେ ଭାରତବର୍ଷର ପ୍ରଧାନମନ୍ତ୍ରୀ ଥିଲେ । ଭାରତୀୟ ସେନା ଆଗକୁ ଆଗକୁ ମାଡ଼ି ଚାଲିଥାନ୍ତି, ବିଜୟ ପରେ ବିଜୟ ହାସଲ କରୁଥାନ୍ତି । ଆଶିଣମାସ ଦଶହରା ପାଖେଇ ଆସୁଥାଏ । ଦିନେ ଭାରତୀୟ ବାହିନୀ ସୀମା ଅତିକ୍ରମ କରି ସେପାଖକୁ ଚାଲିଗଲେ । ଅଗ୍ରଗତି ତଥାପି ଅବ୍ୟାହତ ରହିଥାଏ । ଭାରତରେ କେତେ କିଏ ହର୍ଷ ପ୍ରକାଶ କରୁଥାନ୍ତି । ତତ୍କାଳୀନ ଜନସଂଘ ନାମକ ଏକ ରାଜନୀତିକ ଦଳର ଜଣେ ନେତା ବଡ଼ ଉଲ୍ଲସିତ ହୋଇ ବିବୃତି ଦେଇ କହିଲେ ଯେ ଭାରତୀୟ ସୈନ୍ୟମାନେ ପାକିସ୍ଥାନ ଭିତରେ ଆଗକୁ ଆହୁରି ଆଗକୁ ମାଡ଼ିଯାଇ ଏକାବେଳକେ ଲହୋରଠାରେ ଯାଇ ପହଞ୍ଚିଯାଆନ୍ତୁ, ଯେପରିକି ଆମେ ଭାରତୀୟମାନେ ଏବର୍ଷ ସେହି ଲାହୋରରେ ହିଁ ଦଶହରା ପର୍ବ ପାଳନ କରିପାରିବୁ । ଲାହୋର ପ୍ରକୃତରେ ଆଉ ମାତ୍ର ଅଳ୍ପ କେତେ ମାଇଲ ବାକିଥିଲା । ମାତ୍ର ମିଳିତ ଜାତିସଂଘର ଉଦ୍ୟମ ଫଳରେ ତା’ପୂର୍ବରୁ ଯୁଦ୍ଧ ବନ୍ଦ ହୋଇଗଲା । ଉଭୟ ପକ୍ଷ ତାସ୍କେଣ୍ଟ ଚୁକ୍ତିକୁ ମାନିଲେ । ସମାଧାନଟିଏ ହୋଇଗଲା । ଯିଏ ସେଦିନ ଲାହୋରଠାରେ ଦଶହରା ପାଳିବେ ବୋଲି ଅଭିଳାଷ କରିଥିଲେ, ଯୋଗକୁ ବର୍ତ୍ତମାନ ସେହି ଭାରତବର୍ଷର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତାଙ୍କ ଭିତରେ ସେହି କାଟର ଆଉ କ’ଣ ସବୁ ଅଭିଳାଷ ରହିଥିବ, ସେକଥା କେବଳ ସେହି ଜାଣିବେ । ବର୍ତ୍ତମାନ ସିଏ ଯେଉଁ ଦଳର ପ୍ରତିନିଧିତ୍ଵ କରୁଛନ୍ତି, ତାହାର କ’ଣ ସବୁ ଗୁପ୍ତ ଏକପାଖିଆ କାର୍ଯ୍ୟକ୍ରମ ରହିଛି ବୋଲି ଆଗରୁ ଅନ୍ୟ ରାଜନୈତିକ ଦଳମାନେ ମୂଳ ସରକାର ଗଢ଼ାହେବା ପରଠାରୁ ହିଁ କହି ଆସୁଥିଲେ । ଏଇଟିକୁ କ’ଣ ସେହି ସେହି କାର୍ଯ୍ୟକ୍ରମର ପ୍ରଥମଟି ବୋଲି କୁହାଯାଇ ପାରିବ କି ?

 

ପୃଥିବୀରେ କାଳରେ ବିବେକ ବଦଳି ଯାଉଥିବା ଅନୁସାରେ ରାଜନୀତିକ ମତବାଦ ଗୁଡ଼ାକର ଚେହେରା ମଧ୍ୟ ବଦଳି ଯାଉଛି । ମଣିଷମାନଙ୍କର ଶକ୍ତି ବଢ଼ିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର ଶକ୍ତି କ୍ରମେ କମିବାରେ ଲାଗିଛି । ଅବଶ୍ୟ ଏବେ ମଧ୍ୟ ପୃଥିବୀରେ ଏପରି ଗଣତାନ୍ତ୍ରିକ ଶାସନ-ଛାଞ୍ଚମାନ ରହିଛି, ଯେଉଁଠାରେ କି ନିର୍ବାଚିତ ପ୍ରତିନିଧିବର୍ଗ ଆପଣକୁ ସେହି ପୁରୁଣା ଯୁଗ ଗୁଡ଼ାକର ଅନ୍ଦାଜରେ ଗୋଟାଏ ଗୋଟାଏ ରଜା ବୋଲି ଭାବୁଛନ୍ତି । ସେମାନେ ନିଜ ଆଦର୍ଶଗତ ଚିଡ଼ିଆଖାନାରେ ଜାତୀୟତାବାଦର ପିଞ୍ଜରା ଭିତରେ ବନ୍ଧାହୋଇ ପଡ଼ିଛନ୍ତି ଓ ପବନମାନେ ଯେତେ ଅନ୍ୟ ପ୍ରକାରେ ବହୁଥିଲେ ମଧ୍ୟ ସେ ପୁରୁଣା ପଥରଗୁଡ଼ାକର ଏକ ଭବବିହ୍ୱଳ ଉତ୍ତୁଙ୍ଗତା ଭିତରେ ଘାରିହୋଇ ରହିଛନ୍ତି । ପାକିସ୍ଥାନ ଅଥବା ଭାରତବର୍ଷ, ଏମାନଙ୍କର ସର୍ବପ୍ରଥମ ସମସ୍ୟା ଆଦୌ କାଶ୍ମୀର ନୁହେଁ । ଏହି ଉଭୟ ଦେଶକୁ କାଳ କାଳରୁ ମାଡ଼ିବସିଥିବା ଅନ୍ଧାରକୁ ଫୁଜି ରୂପେ ବ୍ୟବହାର କରି ରାଜାମାନେ ତଥାପି ସେହି ମିଛ ଲୁହାଟାକୁ ପଜାଇ ରଖିଛନ୍ତି । ଠିକ୍ ଶହେବର୍ଷ ତଳେ ସ୍ଵାମୀ ବିବେକାନନ୍ଦ ଭାରତବର୍ଷର ସର୍ବପ୍ରଥମ ସମସ୍ୟା ଆଦୌ ଧର୍ମ ନୁହେଁ ବୋଲି ଆମେରିକାରେ କହିଥିଲେ । ଏବେ ମଧ୍ୟ ଏଠି ମହାପାତ୍ରମାନେ ଯୋଉ ଉଆସ ଭିତରୁ ଯୋଉ ସ୍ଵପ୍ନ ଦେଖୁଥାଆନ୍ତୁ, ଉପମହାଦେଶର ଅଧିକରୁ ଅଧିକ ମଣିଷଙ୍କ ସକାଶେ ମୂଳ ସମସ୍ୟାଟି ଧର୍ମ ନୁହେଁ, ମୂଳ ସମସ୍ୟା ହେଉଛି ଦାରିଦ୍ୟ, ଅଶିକ୍ଷା, ଶୋଷଣ, ତାମସିକତା ଏବଂ ରକ୍ଷଣଶୀଳତା । ଭାରତବର୍ଷର ଅସଲ ନେତା ବି ଠିକ୍ ସେହି କଥା କହିବ । କିନ୍ତୁ ପାଞ୍ଚବର୍ଷ କି ଦଶବର୍ଷ ନିମନ୍ତେ ରାଜହୋଇ ଆସିଥିବା ସେହି ପୁରୁଣା ଗୁଳାର ପ୍ରକାଣ୍ଡମାନେ ଅମକୁ ବୋମା କଥା କହି ଭୁଲାଇ ରଖିବାକୁ ଚେଷ୍ଟା କରିବେ । ଏଠି ସନ୍ଦୁାର ଫାଟିବାର ମୁହୂର୍ତ୍ତଟିକୁ ଗଡ଼ାଇଦେବାରେ ଲାଗିଥିବେ । ମଣିଷକୁ ନିଜ ଭିତରକୁ ଦେଖିବାକୁ ନକହି ମନ୍ଦିର ଆଡ଼େ ଚଗଲା କରି ନେଉଥିବେ ।

 

ବୋମାରେ ଏହି ପରୀକ୍ଷାଟାକୁ ଦେଶର ପ୍ରାୟ ସବୁ ରାଜନୀତିକ ଦଳ ସ୍ଵାଗତ କରୁଛନ୍ତି-। ଏହା ଏକ ଅତ୍ୟନ୍ତ ଆଗ୍ରହୋଦ୍ଦୀପକ ଘଟଣା । ପଚାଶ ବର୍ଷ ତଳେ ଭାରତବର୍ଷ ଏକାବେଳକେ ଏକ ଅନ୍ୟ ମିଜାରରେ ଗୋଟିଏ ସ୍ଵାଧୀନ ରାଷ୍ଟ୍ର ରୂପେ ଜନ୍ମଗ୍ରହଣ କରିଥିଲା । ବିଗତ ବର୍ଷଗୁଡ଼ିକ ମଧ୍ୟରେ ସେଇ ମିଜାଜଟାକୁ ଆମ ନେତୃତ୍ଵ ଗୁଡ଼ିକ ଚିଲମରେ ପୂରାଇ ଗୋଟାସୁଦ୍ଧା କିଭଳି କାହିଁକି ଫୁକିଦେଲେ କେଜାଣି ? ଖଣ୍ଡିଆ ହେଉ ପଛକେ, ଉପମହାଦେଶର ଅନ୍ତତଃ ଏଇ ପଟଟାଏ ପୃଥିବୀ ଦ୍ଵାରା ସ୍ୱୀକୃତି ହେଲାଭଳି କିଛି ପ୍ରକୃତରେ କରି ଦେଖାଇ ଦେବେ ବୋଲି ଆମ ରାଜନୀତିକ ବୋପାମାନେ ଆମକୁ କେତେଜଣ କହିନଥିଲେ । ଭାରତର ପୃଥିବୀବାସୀ ମାନଙ୍କ ପାଇଁ ଏକ ବିଶେଷ ଅବଦାନ ଦେବାକୁ ରହିଛି ବୋଲି ଏଠାରେ କେତେ ଭରସା ଦିଆଯାଇଥିଲା । ଏବଂ ସମସ୍ତଙ୍କ ସହିତ ସେହି ପୁରୁଣା ଗୁଳାଟା ଭିତରେ ଆସି ପଡ଼ିଯିବା ନିମନ୍ତେ ଆମ ନେତାମାନଙ୍କୁ ମୋଟେ ପଚାଶ ବର୍ଷ ଲାଗିଲା । ପୂରା ପ୍ରମାଣ ହୋଇଗଲା ଯେ ସେମାନେ ଦେଶବାସୀଙ୍କ ପାଇଁ ଯାହା ସମ୍ଭବ କରିବା ଲାଗି ଜବାବ ଦେଇଥିଲେ, ତାହାକୁ ପୂରଣ କରିପାରିବେ ନାହିଁ । ନିରାଶ ହେଲେ ଲଜ୍ଜିତ ହେଲେ । ଉପରେ ଶହେ ପ୍ରକାର ମୁହଁଭଡ଼ଙ୍ଗା ଦେଖାଉଥିଲେ ମଧ୍ୟ ଭିତରେ ନିଜର ବିବେକ ପାଖରେ ଏବଂ ବାହାରେ ଦେଶବାସୀଙ୍କ ପ୍ରତ୍ୟାଶାଗୁଡ଼ିକ ପାଖରେ ପ୍ରକୃତରେ ଭାରି ଗନ୍ଧାଇଲା । ଯୋଉ ଦଳକୁ ଗଲେ ଗନ୍ଧାଇଲା । ସାତ ରକମର ମେଣ୍ଟ ବାନ୍ଧିଲେ ମଧ୍ୟ ତଥାପି ଗନ୍ଧାଇଲେ । ନିତାନ୍ତ ଅପାରଗ ବୋଲି ପ୍ରମାଣିତ ହୋଇଥିବା ଏହି ଘୋର ସଂକଟର ମୁହୂର୍ତ୍ତରେ ସମ୍ପୃକ୍ତ ସମସ୍ତଙ୍କର ଧ୍ୟାନକୁ ଆଉ କୁଆଡ଼େ ଟଳାଇ ଅନ୍ୟମନସ୍କ କରିନେବାକୁ ସେମାନେ ଆଉ ବୋମା ପରୀକ୍ଷା କରିବାର ମୂଳ ଫନ୍ଦିଟିକୁ ଗ୍ରହଣ କରି ପକାଇଲେ କି ? ଆଦୌ କିଛି ଣ ଘଟୁଥିଲେ ମଧ୍ୟ ପ୍ରକୃତ କଣ ଗୋଟାଏ ଘଟିବାର ଏକ ବିଭ୍ରାନ୍ତି ସୃଷ୍ଟି କରି ସେମାନେ ସେହି କୁହୁଡ଼ି ଭିତରେ ହିରୋପରି ଦିଶିବେ ବୋଲି ଇଚ୍ଛା କରୁଛନ୍ତି କି ? ଯେଉଁମାନେ ଏକଦା ନିଜର ଅପକର୍ମ ସକାଶେ କଚେରୀକୁ ଟାଣି ହୋଇଯାଇଥିଲେ, ଲୋକମାନେ ଅନ୍ୟମନସ୍କ ହେଲେ ସେମାନଙ୍କର କିଞ୍ଚିତ ଆଶ୍ଵସ୍ତ ଅନୁଭବ କରିବାର ଅବଶ୍ୟ ଏକାଧିକ କାରଣ ରହିଥିବ । ଆଉ ସେ ଯୁଦ୍ଧ ସିନା ଲାଗିବ ନାହିଁ, ମାତ୍ର ଏଣିକି ଆଉ ପ୍ରକାରେ ଯୁଦ୍ଧ ଅବଶ୍ୟ ଲାଗିବା-। ଖୁବ୍ ଲାଗିବା । ଏ ଯୁଦ୍ଧ ପୃଥିବୀବ୍ୟାପୀ ହେବ । ରାଜଶକ୍ତି ବିରୋଧରେ ଲୋକଶକ୍ତିର ଯୁଦ୍ଧ ଲାଗିବ । କ୍ଷମତା ଏବଂ ରକ୍ଷଣଶୀଳତା ବିରୋଧରେ ସ୍ୱପ୍ନ ଦେଖିଥିବା ବିଶ୍ଵାସୀ ମଣିଷର ଯୁଦ୍ଧ ଲାଗିବ । ଭୋଗୀମାନଙ୍କ ବିରୋଧରେ ଭାତୃତ୍ୱର ଯୁଦ୍ଧ ଲାଗିବ । ମଣିଷମାନେ ସଚେତନ ହେଲେ ଯେତେବେଳେ ନିଜେ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କରି ଶିଖନ୍ତି, ସେତେବେଳେ ସାବାଆଗ ଅନ୍ୟ ମଣିଷ ମାନଙ୍କୁ ଦେଖନ୍ତି । ସବୁ ମଣିଷଙ୍କର ଦେଶଟିଏ ଅବଶ୍ୟ ରହିଛି, ମାତ୍ର ତା ପୂର୍ବାରୁ ପେଟଟିଏ ରହିଛି-। ଇଜ୍ଜତଟିଏ ରହିଛି, —ସେଗୁଡ଼ିକୁ ସତେଅବା ଷଡ଼ଯନ୍ତ୍ର କାଳପରି ପଛକୁ ଆଡ଼େଇ ଦେଇ ମଣିଷ ହାତରେ ଦେଶ ନାମରେ ପତାକାଟାଏ ଓ ଅଫିମ ଟେଳାଏ ଧରାଇ ଦିଆଯାଇଛି । ସମ୍ଭବତଃ ସେଇ ଏକାଭଳି ଫିସାଦରେ ପୃଥିବୀର ଅଧ୍ୟାତ୍ମସତ୍ୟ ଗୁଡ଼ିକ କେଡ଼େ ଗଉଁରେ ଗୋଟିଏ ଗୋଟିଏ ଭାରି ସଂକୀର୍ଣ୍ଣ ଧର୍ମରେ ହିଁ ପରିଣତ କରି ଦିଆଯାଇଛି । ଏଣିକି ସେହି ଗଉଁ ଗୁଡ଼ାକୁ ବିରୋଧରେ ପୃଥିବୀବ୍ୟାପୀ ଯୁଦ୍ଧ ଲାଗିବ । ପାକିସ୍ଥାନରେ ଲାଗିବ, ଭାରତବର୍ଷରେ ମଧ୍ୟ ଲାଗିବ । କାଶ୍ମୀରରେ ବାସ କରୁଥିବା ସଚେତନ ମଣିଷମାନେ ମଧ୍ୟ ସବାଆଗ ସେହି ଯୁଦ୍ଧରେ ସାମିଲ ହୋଇଯିବେ । ତେଣୁ, ଯେତେ ଯେତେ ବୋମାର ପରୀକ୍ଷା ହୋଇ ସେଥିରୁ ଫୁଜାଏ ଦିଫୁଜା ବୋମା ତିଆରି ବି ହେଉ ପଛକେ, ଯେହେତୁ ସେହି ପୁରୁଣା ଯୁଦ୍ଧ ଆଉ ଲାଗିବ ନାହିଁ, ଏହି ବୋମା ଗୁଡ଼ାକର ମଧ୍ୟ ଆଉ ବ୍ୟବହାର ହୋଇ ପାରିବ ନାହିଁ । ସଉକୀ ନାନାମାନଙ୍କର ସଉକ ଦ୍ରବ୍ୟଟା ଖତ ହୋଇଯିବ । ଜାତୀୟତାବାଦୀ ସଂଗ୍ରାମର ଅସଲ ବୀରମାନେ ମଧ୍ୟ ଜାତିବିଷୟକ ସେମାନଙ୍କର ଅସଲ ସ୍ଵପ୍ନଗୁଡ଼ିକୁ ବୋମାମାନଙ୍କୁ କେନ୍ଦ୍ରକରି ନୁହେଁ, ମଣିଷମାନଙ୍କୁ କେନ୍ଦ୍ରକରି ହିଁ ଚିରକାଳ ଦେଖି ଆସିଛନ୍ତି । ପୃଥିବୀଟାକୁ ଯଖମାନେ ନାନା ସ୍ଵାର୍ଥରେ ଭାଗ ଭାଗ କରି ରଖିଥିବାରୁ ଅସଲ ସ୍ଵପ୍ନଗୁଡ଼ିକ ସତେଅବା ଗୌଣ ହୋଇ ରହିଯାଇଛି । ଏବଂ ଜାତୀୟତାବାଦ ରାଜନୀତିଟା କାଳକ୍ରମେ ନିଜକୁ ଏଡ଼େ ହାସ୍ୟାସ୍ପଦ ସ୍ତରକୁ ଖସାଇ ଆଣିଲାଣି ଯେ ଏଣିକି ପୃଥିବୀଯାକ ମଣିଷମାନଙ୍କର ମୋହଭଙ୍ଗ ହେବାକୁ ଆରମ୍ଭ କଲାଣି ଏବଂ ସେମାନେ ସତେ ଅବା ଏକ ଅନ୍ୟ ନକ୍ସାର ଦର୍ପଣ ଉପରେ ଭବିଷ୍ୟକୁ ଦେଖି ଶିଖିଲେଣି ।

 

ଭାରି ଭଲହେଲା, ପୃଥିବୀ ଏକ ବୃହତ୍ ପଡ଼ିସା ପରି ତିଆରି ହୋଇ ଆସିଲା । ଭଗବାନ ଯେ ପ୍ରକୃତରେ ଖାସ୍ କୌଣସି ଦେଶକୁ ଗେହ୍ଲାପୁଅ ପରି ବାଛି ନାହାନ୍ତି, ସେହି କଥାଟା ଧରା ପଡ଼ିଗଲା । ଥୋକେ କ୍ଷମତାସୀନ ଅଳ୍ପଅକଲ ମଣିଷ ମୁଖ୍ୟତଃ ମିଛ କବିତ୍ଵ କରି ନିଜର ସ୍ଵାର୍ଥସିଦ୍ଧି ପାଇଁ ସେ ପୃଥିବୀଟାକୁ ଏତେଶହ ବା ଏତେ ହଜାରଟା ଜନନୀରେ ବିଭକ୍ତ କରି ରଖିଛନ୍ତି, ସେହି ମିଥ୍ୟାଟା ଜଳ ଜଳ ହୋଇ ଦିଶିଲା । ଜାତୀୟତାବାଦ ହିଁ ବିଜ୍ଞାନଙ୍କୁ ପୋଇଲୀ ପାରି ନିଜ ଅଙ୍ଗଭୋଗରେ ଲଗାଇ ପୃଥିବୀଟାକୁ ବୋମାଯାଏ ନେଇଆସିଲା । ତେଣେ ଅଧେ ମଣିଷ ଭୋକରେ ରହିଲେ, ବହୁବିଧ ଅସହାୟତା ଭିତରେ ଦୟନୀୟ ହୋଇ ରହିଗଲେ । ତେଣେ ସାହିତ୍ୟରେ ଏବଂ ସଂଗୀତରେ ଦେଶକୁ ଜନନୀ ବୋଲି କହି ମଣିଷକୁ ଅନ୍ୟମନସ୍କ କରି ରଖିବାକୁ ଯୋଜନା କରାଗଲା । ଏଥର ଚକ ଆଗକୁ ଗଡ଼ିଯିବ । ଏଥର ମଣିଷ ମାନଙ୍କୁ ଏକ ଅନ୍ୟ ସମ୍ଭାବନା ଓ ଅନ୍ୟ ଶକ୍ତି ଉଦବୋଧନ ଦେବାକୁ ଆସି ପହଞ୍ଚିଯିବ । ପାକିସ୍ଥାନକୁ ଆସିବ, ଭାରତବର୍ଷକୁ ବି ଆସିବ ଏବଂ ସେତେବେଳେ କାଶ୍ମୀର କୋଉଠି ଥିବ ଆପଣା କହିଲେ !

 

୧୫ । ୦୬ । ୯୮

Image

 

ବସ୍ତୁବାଦୀମାନେ ହିଁ କହୁଛନ୍ତି

 

ପଶ୍ଚିମରୁ ବସ୍ତୁବାଦ ଆସି ଭାରତକୁ ବିଗାଡ଼ିଦେଲା ବୋଲି ବର୍ତ୍ତମାନ ଭାରତବର୍ଷରେ ମୁଖ୍ୟତଃ ବସ୍ତୁବାଦୀମାନେ ହିଁ ସବୁଠାରୁ ଅଧିକ ଉତ୍ସାହ ଓ ଉତ୍ତେଜନା ସହିତ କହୁଛନ୍ତି । ଆମ ଦେଶରେ ଏକ ସୁସ୍ଥ ସର୍ବନିମ୍ନ ସ୍ତରର ଜୀବନକୁ ବଞ୍ଚିବା ଲାଗି ଯେତିକି ବସ୍ତୁର ଆବଶ୍ୟକତା ରହିଛି, ଭାରତରେ ତା’ଠାରୁ ଯଥେଷ୍ଟ କମ୍ ପରିମାଣରେ ବସ୍ତୁ ସମ୍ଭବ ବା ଉପଲବ୍ଧ ହୋଇପାରୁଛି । ସବୁ ମଣିଷଙ୍କ ପାଇଁ ପେଟପୂରା ଅନ୍ନ, ସମସ୍ତଙ୍କ ପାଇଁ ବାରମାସିଆ ଖଣ୍ଡେ ଖଣ୍ଡେ ସ୍ଥାୟୀ ଘର, ସବୁ ପିଲାଙ୍କ ସକାଶେ ଅନ୍ତତଃ ପ୍ରାଥମିକ ସ୍ତରରେ ଆଖିଦୃଶିଆ ହେଲାପରି କିଛି ପାଠ, —ଏସବୁ ଆମ କଥା ଆମ ଦେଶରେ କାହିଁ କେତେ ଦୂର ହୋଇ ରହିଛି । ସେଗୁଡ଼ିକୁ ଆମେ ସବା ଆଗ ହାସଲ କରିବା ବୋଲି ଆମ ମାଲିକମାନଙ୍କର କୌଣସି ନିଘା ନାହିଁ । ତଥାପି ଭାରତବର୍ଷରେ ସମ୍ପଦ ପୂରି ରହିଛି, ଇନ୍ଦ୍ରମାନେ ମହାନ ମହାନ ସ୍ଵପ୍ନ ଦେଖୁଛନ୍ତି । ଗୋଇନ୍ଦା ପଶିଲେ ଜଣେ ଜଣେ ଉତ୍ତମଙ୍କ ଘରୁ ଏତେ ଏତେ ଟଙ୍କା, ସୁନା, ବ୍ୟସନଦ୍ରବ୍ୟ ଓ ଅନ୍ୟାନ୍ୟ ବହୁ ମାଲମତାର ସନ୍ଧାନ ମିଳିଯାଉଛି, ଯାହାକୁ ହୁଏତ ଖୋଦ୍ କୁବେର ଦେଖି ଆଚମ୍ବିତ ହୋଇପଡ଼ିବ । ଅଧିକ ମଣିଷ ଅରକ୍ଷିତ ଓ ଅଳ୍ପସମ୍ବଳ ହୋଇଥିବା ସମୟରେ ଏଣେ ଅଳ୍ପସଂଖ୍ୟକ ଯେଉଁମାନେ ଅଧିକରୁ ଅଧିକ କମୟ ରଖିବାକୁ ହିଁ ଜୀବନର ସବା ବଡ଼ ବ୍ରତପ୍ରାୟ ଗ୍ରହଣ କରିନେଇଛନ୍ତି, ଆମେ ସବୁଠାରୁ ଅଧିକ ନ୍ୟାୟର ସହିତ ସେହିମାନଙ୍କୁ ହିଁ ଆଗ ବସ୍ତୁବାଦୀ ବୋଲି କହିବା । ବସ୍ତୁମାନେ ବଢ଼ିଲେ ଗୋଟିଏ ଯୁଗ ଆପେ ଆପେ କଦାପି ବସ୍ତୁବାଦୀ ହୋଇଯାଏ ନାହିଁ । ଅନ୍ୟମାନଙ୍କୁ ବହୁବିଧ ଧୂର୍ତ୍ତତା ଦ୍ଵାରା ବଞ୍ଚିତ କରି ଯେଉଁମାନେ ନିଜ ପାଇଁ ହିଁ ବହୁତରୁ ଆହୁରି ବହୁତ ମାଡ଼ିବସି ରହିଥାନ୍ତି, ବସ୍ତୁବାଦ ନାମକ କୁକୁରର କାନରେ ଅସଲ ଟିଙ୍କ ସେଇମାନେ । ସେଇମାନେ ହିଁ ଯେକୌଣସି ଦେଶରେ ସବୁକିଛି ବିଗାଡ଼ି ଦିଅନ୍ତି ।

 

ଏବଂ ଭାରତବର୍ଷରେ ସେଇମାନେ ହିଁ ବିଗତ ଏହି କେତେଟା ବର୍ଷରେ ସବୁକିଛିକୁ ଭାରି ବିଗାଡ଼ି ଦେଇଛନ୍ତି । ଭାରତବର୍ଷ ଯେଉଁପରି ଭାବରେ ଗଢ଼ା ହୋଇଥାନ୍ତା, ସର୍ବୋପରି ଏହିମାନେ ହିଁ ବହୁ ଫିସାଦ କରି ସେସବୁକୁ ବିଗାଡ଼ି ଦେଇଛନ୍ତି । ଭାରତବର୍ଷକୁ ବିଫଳ କରାଇ ସେଇମାନେ ପ୍ରାୟ ସବୁଯାକ ସଫଳତା ହାସଲ କରିଛନ୍ତି । ଆମର ରାଜନୀତି ଶାସକ, ଯୋଜନା, ବିଦ୍ୟାର୍ଜନ ଯାବତୀୟ କ୍ଷେତ୍ରରେ ଉପର ଥାକମାନଙ୍କରେ ରହିଥିବା ସେହିମାନେ ହିଁ ସରବରାକାର ହୋଇ ବସିଛନ୍ତି । ଆପଣ କେବେ ସେମାନଙ୍କ ଘରକୁ ଯାଇଛନ୍ତି ? ଦପ୍ତର ବୋଲି କୁହାଯାଉଥିବା ସେମାନଙ୍କର ଦରବାରଗୁଡ଼ିକର ନାଡ଼ୀ ପରୀକ୍ଷା କରିଛନ୍ତି ? ନିଜର ପୁଅ, ନାତି, ପୁତ୍ର ଓ ଜାମାତାମାନଙ୍କ ବିଷୟରେ ସେମାନେ ସବୁ କ’ଣ ଚିନ୍ତା କରନ୍ତି, କେବେ ସେମାନଙ୍କ ମିଜାଜ ଭିତରୁ ଆପଣ ଠଉରାଇବାକୁ ଚେଷ୍ଟା କରିଛନ୍ତି ? ଆମ ସରକାରୀ ସାନ ବଡ଼ କ୍ଷେତ୍ରପତିମାନେ ରାସ୍ତାରେ ବା ରାତିରେ କେଉଁଠି କାଳେ ଅଟକିବେ ବୋଲି ଦେଶରେ ଯେଉଁ ନାନା ମର୍ଯ୍ୟାଦାର ଡାକବଙ୍ଗଳା ସବୁ ତିଆରି ହୋଇଛି, ସେଗୁଡ଼ିକର ପୃଥୁଳ ପରିପାଟୀଗୁଡ଼ିକୁ ଆପଣ କେବେ ଆଖିପକାଇ ଦେଖିବାର ସୌଭାଗ୍ୟ ଲାଭ କରିଛନ୍ତି ? ସ୍ଵାଧୀନ ଭାରତରେ ଆମେ ଆଖିବୁଜି ସେହିମାନଙ୍କୁ ହିଁ ସବୁ ବସ୍ତୁର ରାଜା ବୋଲି କହିଦେଇ ପାରିବା । ସେମାନେ ଆଧୁନିକ ଯେକୌଣସି ଧନୀ ଦେଶର ପଦସ୍ଥମାନଙ୍କ ସହିତ ନିଜର ତୁଳନା କରୁଛନ୍ତି, ଠିକ୍ ସେହିମାନଙ୍କ ପରି ଦରିଦ୍ର ଭାରତବର୍ଷରେ ମଧ୍ୟ ମୋଟା ଅଙ୍କରେ ଦରମା ପାଇବେ ବୋଲି ସଦା ଉଜାଗର ହୋଇ ରହିଛନ୍ତି । ମାତ୍ର ଯେଉଁ ସାଧାରଣ ମଣିଷଙ୍କର ଉନ୍ନୟନ ଲାଗି ସମାନେ ହାତୀ ପରି ପୋଷା ଦେଉଛନ୍ତି, ଏହି ବଡ଼ମାନେ ଧରିନେଇଛନ୍ତି ଯେ ସେମାନେ ସତେଅବା ଆହୁରି ବହୁଦିନ ଲାଗି ସେହିପରି କାଙ୍ଗାଳ ଓ ପରିତ୍ୟକ୍ତ ହୋଇ ରହିବେ । ଏହି ଦେଶ ସହିତ ହୃଦୟ ଭିତରେ ଖିଅଟାଏ ଲାଗିଥିଲେ ସେମାନେ ସେପରି କଦାପି ଚିନ୍ତା କରନ୍ତି ନାହିଁ ।

 

ଏହିମାନେ ହେଉଛନ୍ତି ଅସଲ ବସ୍ତୁବାଦୀ । ବସ୍ତୁଲୋଭୀ, ତେଣୁ ବସ୍ତୁବାଦୀ । ବସ୍ତୁମାନେ ଯେ ମଣିଷ ପାଇଁ ତିଆରି ହୋଇଛନ୍ତି ଏବଂ ଭାରତବର୍ଷରେ ସମ୍ପୂର୍ଣ୍ଣ ସାମୂହିକ ଜୀବନଟି ପାଣି ପାଇବାକୁ ହେଲେ ଯେ ବସ୍ତୁକୁ ଏକ ଅନ୍ୟ ବିବେକରେ ଏବଂ ଅନ୍ୟ ହିସାବରେ ବ୍ୟବହାର କରି ଶିଖିବାକୁ ହେବ, ସେ କଥା ପାଇଁ ବସ୍ତୁବାଦୀର ଆଦୌ କୌଣସି ଖିଆଲ ନାହିଁ । ସବୁକିଛିକୁ ଆଗ ଆବୋରି ନେବ ବୋଲି ଯିଏ ନିଜ ବିଧାତାଟା ପଖରୁ ବାର ନେଇ ଆସିଛି ବୋଲି ଭାବୁଛି, ତାକୁ ସେହି ବିଧାଟା ମଧ୍ୟ ଆଉ ପାରୁନାହାନ୍ତି, —ତୁମେ କିପରି ପାରିବ ବୋଲି ମନରେ ଭାବିଛ ? ଏବଂ ଭାରତର ସଂସ୍କୃତି ବିଷୟରେ ସେହିମାନେ ହିଁ ଗଳ ଗଳ କରି କେତେଜଣ କହିଯାଉଛନ୍ତି । ଏଠି ପ୍ରାଚୀନ ମୁନି ଓ ଋଷିମାନେ ପ୍ରାୟ ଶାଶ୍ଵତ କାଳ ନିମନ୍ତେ ସମଗ୍ର ପୃଥିବୀକୁ ଉତ୍ତୁଙ୍ଗ ସନ୍ଦେଶମାନ ଶୁଣାଇ ଯାଇଛନ୍ତି ବୋଲି ସେମାନେ କେତେ ବିଗଳିତ ଭାବରେ ବଖାଣିବାରେ ଲାଗିଛନ୍ତି । ସେମାନେ ଗୀତା, ରାମାୟଣ, ମହାଭାରତ ପ୍ରଭୃତିର ନୀତିକଥାଗୁଡ଼ିକୁ ସତେଅବା ମାମୁଁଘରୁ ଆଣିଥିବା ଛବିବହି ପରି ମୁଖସ୍ଥ କରି ବି ରଖିଛନ୍ତି । ଦିନରେ ଲୋକବ୍ୟବହାରରେ ଅସାଧୁ ରହି ରାତିର ସଭାମଞ୍ଚରେ ପଶ୍ଚିମର ବସ୍ତୁବାଦ ବିଷୟରେ ବିଷ ଉକାଳିବା, —ଏହା କେବଳ ଟିଙ୍କା ବସ୍ତୁବାଦୀମାନେ ହିଁ କରିପାରିବେ । ମନୁଷ୍ୟମାନଙ୍କୁ ଜାଣିଶୁଣି ଦରିଦ୍ର ଓ ଅଳ୍ପ ବଳକରି ରଖି ସେମାନଙ୍କୁ ହିତବାଣୀର ଅଫିମ ଖୁଆଇ ରଖିବା, ଏକଥା ମୁଖ୍ୟତଃ ଏହି ବସ୍ତୁବାଦୀମାନେ ହିଁ ବିଶେଷ ଛଳ ପ୍ରୟୋଗ କରି କରାଇଛନ୍ତି । ଆର ବହିମାନଙ୍କରେ ଯାହା ଲେଖାହୋଇଛି, ଆମ ଚତୁର୍ଦ୍ଦିଗରେ ଆମ ଉପରେ ଆରୋହଣର କରି ରହିଥିବା ବ୍ୟବସ୍ଥାଟା ଭିତରେ ତାହା ନାହିଁ । ଏଇଟା ବି କଣ ଶି ବସ୍ତୁବାଦୀମାନଙ୍କର ଅବଦାନ ?

 

ଏବଂ ଏକାଳ ସମେତ କାଳେ କାଳେ ଭାରତବର୍ଷରେ ଯେଉଁ ସିଦ୍ଧିକାମୀମାନେ ଈଶ୍ଵରଙ୍କୁ ପାଇବେ ବୋଲି ପୃଥିବୀକୁ ଛାଡ଼ିଲେ, ପୃଥିବୀକୁ ମୋହ ବୋଲି ଘୋଷଣାକରି ତାହାକୁ ସଂସ୍କୃତ ଶ୍ଳୋକର ମୁଦ୍ଗର ଦ୍ଵାରା ପିଟିବାକୁ ହିଁ ଧାମ ପରେ ଧାମ ବୁଲିଲେ, ସେମାନଙ୍କର ମଠସଂସାର ଦେଖି ସେମାନଙ୍କୁ ମଧ୍ୟ କାହିଁକି ଯେ ବସ୍ତୁବାଦୀ ବୋଲି କୁହାନଯିବ, ଭିତରୁ ବାରମ୍ବାର ସେହିଭଳି ଏକ ଦଂଶନ ହୋଇଥାଏ । ଆମ ଏ ଯୁଗରେ ମଧ୍ୟ ଆମେ ଯେତେବେଳେ ସେମାନଙ୍କ ଭିତରୁ ଜଣ ଜଣକୁ ସେମାନଙ୍କ ଗମ୍ଭୀରାଗୁଡ଼ାକ ଭିତରୁ ବାହାରକୁ ଆଣୁଛୁ, ସେତବେଳେ ବସ୍ତୁଗୁଡ଼ାକ ବିଷୟରେ କାମୁକତା ଦେଖି ଆମେ ନିଶ୍ଚୟ ବିସ୍ମିତ ହୋଇଯାଉଥିବା । ସେମାନଙ୍କୁ ଘେରିକରି ଯେଉଁ ଅଣ୍ଡ ଓ ଚଣ୍ଡମାନେ ବି ରହିଆସିଛନ୍ତି, ସେମିତି ଦେଖିବାକୁ ସେମାନେ ଯୋଉ ପଦରେ ରହିଥିଲେ ମଧ୍ୟ ସେମାନଙ୍କର ପିତ୍ତଟା ପୂରାପୂରି ଗୋଟାଏ ବସ୍ତୁବାଦୀର ପିଣ୍ଡ ବୋଲି ଧରାପଡ଼ିଯାଉଛି । ଯେତିକି ଧରାପଡ଼ିଲେଣି ବା ପଡ଼ିବେ, ସେମାନେ କ’ଣ ସେତିକି ? ଭଗବତ୍‍ଶକ୍ତି ପ୍ରାପ୍ତ ହେଲେ ସେହି କ୍ଷେତ୍ରରେ ନ୍ୟାୟ ଅନୁସାରେ ସେମାନେ ଆହୁରି କେତେ କେତେ ଆଲୋକର ଅଧିକାରୀ ହୋଇଥାନ୍ତେ ଓ ଆମ ସଂସାରୀମାନଙ୍କ ସକାଶେ ମଧ୍ୟ ବହୁ ଆଲୋଚନାର କାରଣ ହୋଇପାରିଥାନ୍ତେ । କିନ୍ତୁ ସେମାନଙ୍କର ଭିତରେ ଥିବା କେଉଁ ଅନ୍ୟ ପୋକଟିର କବଳ ଭିତରେ ପଡ଼ିଯାଇ ସେମାନେ ମଠଆଡ଼େ ମୋହିଁଗଲେ କାହିଁକି କେଜାଣି ? ସେମାନଙ୍କୁ ମଧ୍ୟ ସେହି ବସ୍ତୁବାଦୀ ହେବାର ନିଶାଟା ଅଧିକ ଘାରି ପକାଇଲା କି ?

 

ଏହି ପ୍ରସଙ୍ଗରେ କାହିଁକି ସ୍ୱାମୀ ବିବେକାନନ୍ଦଙ୍କର କଥାଟା ହୁ କରି ମାନେ ପଡ଼ିଯାଉଛି । ପଶ୍ଚିମଜଗତରୁ ସିଏ ଯେତେବେଳେ ଭାରତବର୍ଷକୁ ଫେରିଆସିଲେ, ସେତେବେଳେ ଏକ ପ୍ରଥମ କାର୍ଯ୍ୟକ୍ରମ ହିସାବରେ ଦେଶର ଦକ୍ଷିଣ ତୀରରେ ଅବସ୍ଥିତ ରାମେଶ୍ଵର ମହାଦେବଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ । ସେଠାରେ ସେଦିନ ତାଙ୍କୁ ଘରକୁ ଫେରି ଆସିଥିବା ଜଣେ ବୀରର ଅଭ୍ୟର୍ଥନା ଦିଆଯାଉଥିଲେ । ରାଜା ମହାରାଜା ମାନଙ୍କର ଥାଟ ଲାଗିଥିଲା । ଶିବ ଭଗବାନଙ୍କର ଗର୍ଭଦେବୀ ପାଖରେ ଛିଡ଼ାହୋଇ ସ୍ଵାମିଜୀ ଗାମ୍ଭୀର୍ଯ୍ୟର ସହିତ କହିଥିଲେ ଯେ ଭଗବାନ ପ୍ରକୃତରେ ମନ୍ଦିରରେ ନାହାନ୍ତି ଅଥବା ମୂର୍ତ୍ତି ଭିତରେ ବି ନାହାନ୍ତି । ସିଏ ମନୁଷ୍ୟମାନଙ୍କର ହୃଦୟରେ ଅଛନ୍ତି ଏବଂ ମନୁଷ୍ୟର ସେବାକାରି ତାଙ୍କୁ ଅନୁଭବ କରାଯାଇପାରିବ । ସ୍ୱାମୀଜୀ ପ୍ରକୃତରେ କେଡ଼େ ନିଦାକଥା ନକହିଲେ ! ମାତ୍ର ଏଇକଥାକୁ ସିଏ ଏପରି ଗୋଟିଏ ଥାନରେ କାହିଁକି କହିଲେ ? ସିଂହଳ ପରେ ଭାରତବର୍ଷ ଆସି ପହଞ୍ଚିବା ମାତ୍ରକେ ସ୍ଥାନୀୟ ରାଜାମାନେ ତାଙ୍କୁ ନିଜେ ପାଲିଙ୍କି କାନ୍ଧେଇ ନେଇଆସିଥିଲେ । ସ୍ଵାମୀ ବିବେକାନନ୍ଦ ସ୍ଵୟଂ ସେହି ଘଟଣାଟିର ଉଲ୍ଲେଖକରି କହିଛନ୍ତି ଯେ କେବଳ ଭାରତବର୍ଷରେ ହିଁ ଜନେ ସଂସାରତ୍ୟାଗୀ ସନ୍ନ୍ୟାସୀକୁ ଏଭଳି ମର୍ଯ୍ୟାଦା ଦିଆଯାଏ ଓ ରାଜାମାନେ ମଧ୍ୟ ସେମାନଙ୍କର ପାଲିଙ୍କିକୁ କାନ୍ଧେଇବା ନିମନ୍ତେ ଆଗଭର ହୋଇଆସନ୍ତି । ଆମ ଏକାଳରେ ରାଜା ମହାରାଜା ସିନା ନାହାନ୍ତି, କିନ୍ତୁ ସମାଜରେ ରାଜାମହାରାଜାଙ୍କ ଭଳି ନିତାନ୍ତ ବସ୍ତୁବାଦୀ ହୋଇ ରହିଥିବା ବ୍ୟକ୍ତିମାନେ ତୁଚ୍ଛା ଏକ ସ୍ଵାର୍ଥକାମିତା ଦ୍ୱାରା ଅନୁପ୍ରେରିତ ହୋଇ ସନ୍ୟାସୀମାନଙ୍କର ଗହଣିଆ ହେବାକୁ ଭାରି ପସନ୍ଦ କରୁଛନ୍ତି । ଦୁହିଙ୍କ ଭିତରେ ସମ୍ଭବତଃ କ’ଣ କେତେ ଏକା ଧାତୁର ଉପାଦାନ ରହିଛି, ଯାହାକି ସେମାନଙ୍କୁ ପରସ୍ପର ଆଡ଼କୁ ପ୍ରୀତିପୂର୍ବକ ଆକର୍ଷିତ କରି ଆଣୁଛି । ବସ୍ତୁବାଦୀଙ୍କର ଏପଟ ମୁହଁଟା ଉପଦେଶ ଦେଉଛି ଓ ସେପଟ ପିଠିଟା ସେହି ଉପଦେଶକୁ ସାଉଁଟି ନେଉଛି । ଉଭୟ ଖୁସି ପାଉଛନ୍ତି ।

 

ଭଗବାନ ମନ୍ଦିରର ଭିତରେ ନାହାନ୍ତି ବୋଲି ଖାଲି ଶ୍ରୀବିବେକାନନ୍ଦ ନୁହନ୍ତି, ଆମ ଦେଶରେ କେତେ କେତେ ସନ୍ଥ କହି ଆସିଛନ୍ତି । ସେମାନେ କେହି ଜାତିଭେଦ ମାନିନାହାନ୍ତି, ତଥାପି ଭାରତବର୍ଷରେ ଜାତିଭେଦ ଜବର ହୋଇରହିଛି । ପାଠ ପଢ଼ିଥିବା ବ୍ୟକ୍ତିମାନଙ୍କ ଭିତରେ ମଧ୍ୟ ରହିଛି । ସବୁରି ଭିତରେ ଇଶ୍ୱର ବା ସତ୍ୟ ରହିଛନ୍ତି ବୋଲି ଆମ କାନପାଖରେ ନାଗରା ପିଟା ହୋଇଥିଲେ ମଧ୍ୟ ଏଠି ତଥାପି ଅସମାନତା, ଦୂରତା ଏବଂ ଉପେକ୍ଷାକୁ ସବୁଠାରୁ ଅଧିକ ଫଳଦାୟକ ଆଚାର ବୋଲି ଗ୍ରହଣ କରାଯାଇଛି । ଭାଗ୍ୟ ଅନୁସାରେ ମଣିଷମାନେ ବଡ଼-ସାନ ହୋଇଛନ୍ତି ବୋଲି ସେହି ବିପଜ୍ଜନକ ବିଶ୍ଵାସଟା ଏଠାରେ ମଣିଷର ବିବେକକୁ ପ୍ରାୟ ସନାତନ କାଳରୁ ଆଚ୍ଛନ୍ନ କରି ରଖିଛି । ଭାରତବର୍ଷ ମୂଳତଃ ସେଥିପାଇଁ ବିଗିଡ଼ିଛି, ସେଇଥିପାଇଁ ବାଟ ହୁଡ଼ିଛି-। ଭାରତବର୍ଷରେ ଚିରଦିନ ବସ୍ତୁବାଦୀମାନେ ରହିଥିଲେ । ଚିରଦିନ ଅଳପ ମଣିଷ ଅଧିକଙ୍କୁ ଅଧୀନ କରି ରଖିଥିଲେ । ଆମେ ଏବେ ବି ଥୋକାଏ ମଣିଷ ସେହି ପୁରୁଣା ଭାବନାର ଫାନ୍ଦ ଭିତରେ ସତେଅବା ପ୍ରୟୋଜନ ଦ୍ଵାରା ବାନ୍ଧି ହୋଇ ରହିଛୁ, ଯେଉଁମାନେ କି ଏକାକୀ ସବୁକିଛିକୁ ଭୋଗ କରିବୁ ବୋଲି ଲୋକମାନଙ୍କୁ ଶାସ୍ତ୍ର-ପୁରାଣର କଥା କହୁଛୁ । ଦୈତ୍ୟ ପରି ଜୀବନ ବଞ୍ଚୁଥିବା ଆମ ଏହିମାନଙ୍କୁ ହିଁ ଅଧିକ ଯୁକ୍ତିର ସହିତ ବସ୍ତୁବାଦୀ ବୋଲି କୁହାଯାଇପାରିବ ।

 

ପଶ୍ଚିମ ସହିତ ଏହିମାନଙ୍କର ଝଗଡ଼ା ରହିବା ଅତ୍ୟନ୍ତ ସ୍ଵାଭାବିକ । ପଶ୍ଚିମ ଆସିବା ଫଳରେ ହିଁ ତ ଆମ ଘରକୁ ନୂଆ ଶିକ୍ଷା ଆସିଲା ଓ ଆମ ଅନ୍ଦାଜର ଘରମାନଙ୍କରେ ବିଶ୍ଵ ଆଡ଼କୁ ଏକାଧିକ ଝରକା ଖୋଲି ହୋଇଗଲା । ପଶ୍ଚିମ ହିଁ ଆମକୁ ଭାଗ୍ୟବାଦୀ ନହବା ଲାଗି ପ୍ରେରଣା ଦେଲା, ସମାଜରେ ବହୁ ନିର୍ମମ ଅମାନୁଷିକ କୁସଂସ୍କାର ଭିତରୁ ଉଦ୍ଧାର ପାଇ ଆସିବାକୁ ଆମକୁ ବଳ ଓ ବିଶ୍ଵାସ ଦେଇଗଲା । ସାମାଜିକ ନ୍ୟାୟ କଥାଟିକୁ ଆମେ ପାଶ୍ଚାତ୍ୟଠାରୁ ହିଁ ଶିଖିଲୁ । ମଣିଷ ଦ୍ଵାରା ମଣିଷ ଉପରେ ହେଉଥିବା ଶୋଷଣର ଅନ୍ତ ହୋଇ ବାସ୍ତବ ପୃଥିବୀରେ ଯେ ଏକ ସମ-ସମାଜ ସମ୍ଭବ ହୋଇପାରିବ । ସେହି ନୂଆ ମନ୍ତ୍ରଟିକୁ ଆମେ ପଶ୍ଚିମଠାରୁ ହିଁ ପାଇଲୁ । ତେଣୁ ବସ୍ତୁବାଦଟା ଆସିଥିଲେ ଏସବୁ କଦାପି ସମ୍ଭବ ହୋଇନଥାନ୍ତା । ବରଂ, ଏପରି କୁହାଯାଇ ପାରିବ ଯେ ଆମ ଭିତରୁ ଯେଉଁମାନେ ଏକାନ୍ତ ଲୋଭୀ ଓ ଏକାନ୍ତ ବସ୍ତୁବାଦୀ, ସେହିମାନେ ହିଁ ଭାରତବର୍ଷରେ ବହୁତ ସୁସ୍ଥ ସଂକ୍ରମଣର ପ୍ରକ୍ରିୟାକୁ ଅଟକାଇ ରଖିଛନ୍ତି । ଏବଂ ବସ୍ତୁବାଦର ଦ୍ୱାହିଦେଇ ଆମକୁ ଅନ୍ୟମନସ୍କ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଦେଶୀ ବସ୍ତୁବାଦୀମାନଙ୍କ ସକାଶେ ହିଁ ଆମ ଦେଶର ରାଜନୀତିକ ଏବଂ ସାମାଜିକ ବିବର୍ତ୍ତନମାନ ଆଦୌ ଉଚିତ ବେଗରେ ଏବଂ ଉଚିତ ମାର୍ଗରେ ହୋଇପାରୁନାହିଁ ।

 

ଆଧୁନିକ ପୃଥିବୀର ପରିପ୍ରେକ୍ଷୀରେ ଭାରତବର୍ଷ ଯେ କ୍ରମେ ନିଜକୁ ଆବିଷ୍କାର କରିବା, ନିଜକୁ ବଦଳାଇବ, ଏଠାରେ ଯାବତୀୟ ଭାବନା ଏବଂ ଯୋଜନାରେ ଦେଶର ମନୁଷ୍ୟମାନେ ଯେ ସବା ଆଗରେ ରହିବେ ପ୍ରତ୍ୟେକ ମଣିଷ ଲାଗି ଅତ୍ୟାବଶ୍ୟକ ବସ୍ତୁମାନ ଉପଲବ୍ଧ ହେବ ଓ ଅସାଧୁମାନେ କଦାପି ସେଥିରେ ଅନ୍ତରାୟ ହୋଇ ଛିଡ଼ାହୋଇପାରିବେ ନାହିଁ, ବସ୍ତୁବାଦୀ ଭୋଗୀମାନଙ୍କର ମୁହଁ ବନ୍ଦ କରିବାକୁ ବର୍ତ୍ତମାନ ଦେଶରେ ସେହିଭଳି ଏକ ଅନ୍ୟ ନେତୃତ୍ଵ ଆବଶ୍ୟକ । ବର୍ତ୍ତମାନ ଥୋକେ ମଣିଷଙ୍କ ପାଇଁ ଆମଦେଶରେ ଯେଉଁ ତଥାକଥିତ ଶିକ୍ଷାର ଗାଡ଼ିଟା ଚାଲିଛି, ତାହା ସମ୍ପୃକ୍ତ ଶିକ୍ଷିତମାନଙ୍କୁ କେବଳ ନିଜ ସୁଖ, ନିଜ ସିଦ୍ଧି ଏବଂ ନିଜ ସଫଳତା ବିଷୟରେ ହିଁ ଭାବିବାକୁ ଶିକ୍ଷା ଦେଉଛି । ଏହି ଶିକ୍ଷା ହେଉଛି ବସ୍ତୁବାଦୀ ହେବାର ଶିକ୍ଷା । ଏଥିରେ ଦେଶର ରାତି ପାହିବ ନାହିଁ । ଅସଲ ଶିକ୍ଷା ଖୁସିହୋଇ ଆମଙ୍କୁ ଅନ୍ୟମାନଙ୍କ ସହିତ ଏକାଠି ସାମିଲ କରି ଭାବିବାକୁ ଶିଖାଇଛି ।

 

ଅସଲ ଶିକ୍ଷିତ ବ୍ୟକ୍ତି କାହାକୁ ବଞ୍ଚିତ କରି ରଖିବା ଲାଗି ପ୍ରକୃତରେ ଲଜ୍ଜାବୋଧ ହିଁ କରିବ । ସିଏ ସ୍ଵଭାବତଃ ଅନ୍ୟମାନଙ୍କୁ ଲୋଡ଼ିବ ଓ ଅନ୍ୟମାନଙ୍କ ସାଙ୍ଗରେ ଥିବ । ଯେଉଁଠାରେ ସବୁ ମଣିଷଙ୍କର ମଙ୍ଗଳ ଏକାଠି ଯୋଡ଼ାହୋଇ ରହିଥାଏ, ଆଗାମୀ ଶାସନ ବ୍ୟବସ୍ଥାରେ ତାହାକୁ ହିଁ ସରକାର ବୋଲି କୁହାଯିବ । ବର୍ତ୍ତମାନ ତ ସରକାର ଭିତରେ ତୁଚ୍ଛା ଖଚଡ଼ାମାନେ ରହିଛନ୍ତି । ତୁଚ୍ଛା ବାସ୍ତବାଦୀମାନେ ରହିଛନ୍ତି । ଆମ ବାବାଜୀମାନେ ବି ସବାଆଗ ସେହିମାନଙ୍କୁ ଯଜମାନ ରୂପେ ଗ୍ରହଣ କରି ନେଇଛନ୍ତି । ବାବାଜୀମାନେ ମଣିଷମାନଙ୍କ ଭିତରକୁ ଆସିବା ଲାଗି ହୁଏତ ଭୟ କରୁଛନ୍ତି । ତେଣୁ ସେମାନେ ମୁଖ୍ୟତଃ ବସ୍ତୁବାଦୀମାନଙ୍କର କାମରେ ହିଁ ଲାଗୁଛନ୍ତି ।

 

୨୨ । ୦୬ । ୯୮

Image

 

Unknown

ଠିକଣା ଜବାବ ମିଳିଲା

 

ସିଏ ଫୁଟାଇଥିଲେ, ଆମେ ଫୁଟାଇଲୁ । ସିଏ ଆମକୁ ବାଳିଗଲେ ବୋଲି ଦେଖାଇ ହେଉଥିଲେ, ଆମେ ତାଙ୍କଠାରୁ ମୋଟେ ପଛରେ ନାହୁଁ ବୋଲି ସାରା ପୃଥିବୀକୁ ଦେଖାଇଦେଲୁ । ଏହା ବାଣ ଫୁଟାଇବା କଥା ନୁହେଁ, ବୋମା ଫୁଟାଇବାର କଥା । ଏକାବେଳେକେ ପରମାଣୁ ବୋମା ଫଟାଇବା ବିଷୟର କଥା । ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିବା କଥା ନୁହେଁ । ଦୁଇରାଷ୍ଟ୍ରଙ୍କ ଭିତରେ ଲାଗିଥିବା ବିବାଦର କଥା । ଏ ଦୁଇରାଷ୍ଟ୍ର ପ୍ରଥମେ ଗୋଟିଏ ଉପନିବେଶ ରୂପେ ଶାସିତ ହେଉଥିଲେ । ମାତ୍ର ପରିସ୍ଥିତି ଏପରି ହେଲା ଯେ ଦୁଇଖଣ୍ଡ ହୋଇ ସ୍ଵାଧୀନ ହେଲେ-। ଆମର ଆଗ ମାଲିକମାନେ ଆମକୁ ପରସ୍ପର ବୋରୋଧରେ ଖେଳାଇ ଖେଳାଇ ଓ ଉସ୍କାଇ ଉସ୍କାଇ ଆମକୁ ଭିନ୍ନ କରିଦେଲେ । ଆମ ନେତାମାନଙ୍କୁ ସେଥିପାଇଁ ରାଜି କରାଇନେଲେ-। ଯେଉଁ ଅଭିସନ୍ଧି ରଖି ସେମାନେ ଆମର ଏହି ଗୋଟିଏ ଘରକୁ ଦୁଇଭାଗ କରି ଯାଇଥିଲେ, ସେହି ଅଭିସନ୍ଧିର ବୃତ୍ତଟି ସମ୍ପୂର୍ଣ୍ଣ ହେବାକୁ ଠିକ୍ 50 ବର୍ଷ ଲାଗିଲା । ସେକାଳର ସେହି ନେତାମାନେ ସମସ୍ତେ ସ୍ୱର୍ଗକୁ ଗଲେଣି, ତଥାପି ବଞ୍ଚିଥିଲେ କିପରି କ’ଣ ପ୍ରତିକ୍ରିୟା ଦେଖାଉଥାନ୍ତେ କେଜାଣି ? ଭାରତବର୍ଷକୁ ବାଣ୍ଟିବାରେ ଯେଉଁମାନେ ସେତେବେଳେ ବ୍ରିଟିଶ ସରକାରଙ୍କର ଅବଧୂତିଆ ହୋଇ ବ୍ୟବହୃତ ହେଉଥିଲେ, ସେମାନେ କୁଆଡ଼େ ମରିବା ପୂର୍ବରୁ ଯାହାସବୁ କଲେ ତାହା ଆଦୌ ଏହି ଭୂଇଁଟାରେ ହିତକାରୀ ହେଲାନାହିଁ ବୋଲି ଦୁଃଖ ମଧ୍ୟ କରିଥିଲେ । ମାତ୍ର ଅନ୍ୟ ଯେଉଁମାନେ ଅନିଚ୍ଛା ସତ୍ତ୍ୱେ ବଣ୍ଟୁଆରଟିକୁ ତଥାପି ମାନି ନେଇଥିଲେ, ସେମାନେ ଏସବୁ ପରିମାଣ ନିମନ୍ତେ ଆମ ନିଜ ଘରର ଅକଲଟାକୁ ନା ଇଂରେଜ ସରକାରକୁ, ପ୍ରକୃତରେ କାହାକୁ ଅଧିକ ଗାଳି ଦେଉଥାନ୍ତେ ?

 

ଏକଦା ଏହି ଦୁଇଟିଯାକ ଭାଗର ଲୋକମାନେ ଭାରତର ସ୍ଵାଧୀନତା ପାଇଁ ଚରମ ତ୍ୟାଗମାନ କରି ଲଢ଼େଇ କରିଥିଲେ ଏବଂ ବର୍ତ୍ତମାନ ଦୁଇଟିଯାକ ସରକାର ପରସ୍ପରକୁ ଶତ୍ରୁ ବୋଲି କହି ଗାଳି ଦିଆଦେଇ ହେଲେଣି । ଆମ ମନୁଆ ପ୍ରଧାନମନ୍ତ୍ରୀ ତ ସେଦିନ କହିଲେ ଯେ ଶତ୍ରୁର ମୁହଁ ବନ୍ଦ କରିଦେବା ସକାଶେ ହିଁ ଆମେ ପରମାଣୁ ବୋମା-ଶକ୍ତିର ପରୀକ୍ଷା କଲୁ । ମାତ୍ର କାହିଁ ଶତ୍ରୁର ମୁହଁ ବନ୍ଦ ତ ହେଲା ନାହିଁ ! ବାଳିର ଠେଙ୍ଗା ଦେଖି ସତେଅବା ସୁଗ୍ରୀବ ଠେଙ୍ଗାଧରି ତା ଘରୁ ବାହାରି ଆସିଲା । ଏବଂ ବୋମା ପରୀକ୍ଷା କରି ଦେଖାଇଦେଲା । ପନ୍ଦର ଦିନ ତଳେ ଭାରତବର୍ଷର ଏହି ନୂଆ ଚମତ୍କାରିତା ହାସଲ କରିଥିବାର ଅବସରରେ ଯେପରି ଉଲ୍ଲସିତ ହୋଇ କେତେକିଏ ବାଣ ଫୁଟାଇଥିଲେ ଓ ମିଠାଇ ବାଣ୍ଟିଥିଲେ, ଏବେ ସେପଟେ ମଧ୍ୟ ସେହିପରି ବାଣ ଫୁଟାହେଲା, ମୁହଁ ମିଠାହେଲା ଓ ଅଣ୍ଟାଭାଙ୍ଗି ନୃତ୍ୟମାନଙ୍କର ପ୍ରଦର୍ଶନ କରାଗଲା । ଆଗେ ଭାରତ ଓ ପାକିସ୍ଥାନ ହକି କିମ୍ବା କ୍ରିକେଟରେ ଜଣେ ଆରେକ ଉପରେ ବିଜୟ ହାସଲ କଲେ ତାହାକୁ ରସିକମାନେ ଜାତୀୟ ବିଜୟ ଅଥବା ଜାତୀୟ ପରାଜୟ ପରି ଅନୁଭବ କରୁଥିଲେ । ଏବେ ଏହିସବୁ ଉଚ୍ଚାଟନର ଏକ ସ୍ତରଗତ ଉତ୍ତୋଲୋନ ଘଟିଗଲା । ଆମ ଠାକୁରମାନେ ବି ଆମର ଏହି ଆନନ୍ଦରେ ଅବଶ୍ୟ ସାମିଲ ହେଉଥିଲେ, ଏପରି ଅନୁଭବ କରିବା ଲାଗି ଉଭୟ ଦେଶରେ ଅତିଉତ୍ସାହୀମାନେ ଯଥେଷ୍ଟ ସଂଖ୍ୟାରେ ଅବଶ୍ୟ ରହିଥିବେ ।

 

ପାକିସ୍ଥାନର ପ୍ରଧାନମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ ଏଣିକି ପାକିସ୍ଥାନରେ ଲୋକମାନେ ପଛକେ ପ୍ରତ୍ୟହ ଓଳିଏ ଖାଇ ଓଳିଏ ଉପାସ ରହିବେ, ମାତ୍ର ଦେଶର କୀର୍ତ୍ତିଧ୍ଵଜା ଏହିପରି ଉଡ଼ିବାରେ ଲାଗିଥିବ । ଏପରି ଏକ ଆନନ୍ଦମୟ କ୍ଷଣରେ ସେଠି ହୁଏତ ଆହୁରି କେତେବ୍ୟକ୍ତି କେତେକଥା କହିଥିବେ । ଆମ ମନ୍ତ୍ରୀ ବି କହିସାରିଲେଣି ଯେ ନିଜେ ନିଜର ପରମାଣୁ ବୋମା ପରୀକ୍ଷା କରି ଦେଶର ଗୌରବ ଖୁବ୍ ବଢ଼ିଯାଇଛି । ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ତ ଖାଲି ପରୀକ୍ଷାଟାଏ କରି ବସିନଯାଇ ସେହି ମୂଲ୍ୟବାନ ଦ୍ରବ୍ୟରୁ ଚାରି ପୁଞ୍ଜା ଛଅ ପୁଞ୍ଜା ତିଆରି କରିଦେଇ ଭାଡ଼ିତଳେ ନେଇ ରଖିଦେବାକୁ ପରାମର୍ଶ ଦେଇଛନ୍ତି । ୧୯୬୫ ମସିହାରେ ପାକ୍ ଓ ନାପାକ ଏହି ଦୁଇରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଲାଗିଥିବା ସମୟରେ ଭାରତବର୍ଷ ଅଚିରେ ବୋମା ତିଆରି କରୁବୋଲି ଦେଶରେ ଗୋଟିଏ ଧୂମାଳ ବି ସୃଷ୍ଟି କରଯାଇଥିଲା । ସେତେବେଳେ ଆମ ଓଡ଼ିଶାର ଜଣେ ସାଂସଦ ବହୁତ ଦରଦ ପ୍ରକାଶ କରି କହିଥିଲେ ଯେ ଆମ ଦେଶରେ ଲୋକମାନଙ୍କୁ ପିନ୍ଧିବା ଲାଗି ଧୋତି ନ ମିଳୁ ପଛକେ, ସେହି ପରମାଣବିକ ଅଗ୍ନିବାଣଟିର ନିର୍ମାଣକୁ ଆମେ ଏକ ଜାତୀୟ କାର୍ଯ୍ୟକ୍ରମ ବୋଲି ନିଶ୍ଚୟ ଗ୍ରହଣ କରିବା । ଓଡ଼ିଶାର କୌଣସି ଇଞ୍ଜିନିୟରିଂ କଲେଜରେ ଅଧ୍ୟାପନା ଓ ଗବେଷଣା କରୁଥିବା ଜଣେ ଅନୁବିଦ୍ୱାନ ବିବୃତ୍ତି ଦେଇ କହିଛନ୍ତି ଯେ ସର୍ବଦା ଭୀତତ୍ରସ୍ତ ହୋଇ ରହିବା ଅପେକ୍ଷା ନିଜକୁ ଭାରତବର୍ଷ ପୃଥିବୀର ସମର-ବଜାରରେ ଏକ ମହାଶକ୍ତି ରୂପେ ଅବତୀର୍ଣ୍ଣ କରାଇବା ହିଁ ଅଧିକ ପୌରୁଷର କଥାହେବ ।

 

ବିଚରା ଆମର ଏହି ବୈଜ୍ଞାନିକମାନେ ! ବିଶ୍ୱଯାକାର ବୈଜ୍ଞାନିକମାନେ ବିଜ୍ଞାନର ସେବା ନକରି ଅଧିକତର କ୍ଷେତ୍ରରେ ସରକାରମାନଙ୍କର ସେବା କରନ୍ତି ଅର୍ଥାତ ସରକାରମାନଙ୍କର ଚାକିରିଆ ହୋଇ ରହନ୍ତି । । ସରକାର ହିଁ ସେମାନଙ୍କୁ ଦରମା ଦେଇ ଦେଇ ସେମାନଙ୍କ ବିବେକକୁ କ୍ଳୀବ କରି ପକାଇଥାନ୍ତି । ବିଜ୍ଞାନ ପଢ଼ିଲେ ବେଶୀ ଦରମା ଓ ତେଣୁ ବେସୀ ସମ୍ମାନ । ବିଶେଷତଃ ତୃତୀୟ ବିଶ୍ୱରେ ମୁଖ୍ୟତଃ ସେହି କାରଣ ସକାଶେ ବାପା ମା’ ମାନେ ସେମାନଙ୍କ ପିଲାଏ ବିଜ୍ଞାନ ପଢ଼ନ୍ତୁ ବୋଲି ଅତି ବିକଳ ଭାବରେ ଇଚ୍ଛା କରୁଥାନ୍ତି । ଖାଲି ବିଜ୍ଞାନ ପଢ଼ିବା ଦ୍ଵାରା କେହି କଦାପି ବୈଜ୍ଞାନିକ ହୋଇଯାଏ ନାହିଁ । ଦର୍ଶନ ପଢ଼ି ଏବଂ ପଢ଼ାଇ ଯେପରି କେହି ଦାର୍ଶନିକ ହୁଏ ନାହିଁ ଠିକ୍ ସେହିପରି । ବିଜ୍ଞାନ ହେଉଛି ଧର୍ମତଃ ଏକ ଜୀବନଦୃଷ୍ଟି, ବିଶ୍ଵବ୍ୟାପାରକୁ ବୁଝିବାର ଏକ ବିଶେଷ ପଦ୍ଧତି । ବିଜ୍ଞାନ ପଢ଼ିଥିବା ସବୁ ବିଶାରଦଙ୍କ ଠାରେ ଯଦି ବୈଜ୍ଞାନିକ ଦୃଷ୍ଟି ନାମ ସେହି ମହାର୍ଘ ସମ୍ପତ୍ତିଟି ରହିଥାନ୍ତା, ତେବେ ସେମାନଙ୍କୁ ରାଷ୍ଟ୍ରମାନେ ନିଜ ଜନ୍ତୁଶାଳାରେ କଦାପି ଚାରାଦେଇ ବାନ୍ଧି ରଖି ପାରୁନଥାନ୍ତେ ଏବଂ ହୁକୁମ ଦେଇ ବୋମା ତିଆରି କରୁନଥାନ୍ତେ । ବରଂ ସେହିମାନେ ହିଁ ରାଷ୍ଟ୍ରକୁ ବାଟ ଦେଖାଉଥାନ୍ତେ । ବୈଜ୍ଞାନିକ ମାନଙ୍କ ଭିତରେ ପ୍ରଧାନତଃ ଜଣେ ବ୍ୟତିକ୍ରମ ହୋଇ ରହିଥିବା ଶ୍ରୀ ଆଲବର୍ଟ ଆଇନ୍‍ଷ୍ଟାଇନ ଥରେ ମନ୍ତବ୍ୟ କରିଥିଲେ ଯେ ପୃଥିବୀର ଚାରି ଭାଗରୁ ତିନିଭାଗ ବୈଜ୍ଞାନିକ ସରକାରମାନଙ୍କ ପାଖରେ ଚାକିରି କରୁଛନ୍ତି ଓ ସେହି ଚାକିରିମାନଙ୍କ ଭିତରୁ ଏକ ବୃହତ୍ ଭାଗ ସାମରିକ ଉତ୍ପାଦନ ଭିତରେ ରହିଛନ୍ତି । କହିବା ବାହୁଲ୍ୟ, ସାମରିକ ବିଭାଗମାନେ ହିଁ ପୃଥିବୀଜାକ ବିଜ୍ଞାନକୁ ଅଧିକ ଦରମା ଦେଉଛନ୍ତି । କାଙ୍ଗାଳ ରାଷ୍ଟ୍ର ଏବଂ କୁବେର ଉଭୟେ ତଥାକଥିତ ଦେଶରକ୍ଷା ନିମନ୍ତେ ଅଧିକ ଅନୁପାତରେ ପଇସା ଖରଚ କରୁଥିବା ପର୍ଯ୍ୟନ୍ତ ଏହି କାଟର ବିଜ୍ଞାନୀମାନଙ୍କ ଧାଡ଼ି ନିଶ୍ଚୟ ସବା ଆଗରେ ରହିଥିବ । ମାତ୍ର ଲୋକରକ୍ଷା ହିଁ ସର୍ବପ୍ରଥମ କର୍ତ୍ତବ୍ୟ ରୂପେ ସ୍ୱୀକୃତି ହେଲେ ବର୍ତ୍ତମାନର ହିସାବ-ଧାରାଟା ଗୋଟାସୁଦ୍ଧା ବଦଳିଯିବ ।

 

ଯଦି ପୃଥିବୀଟା ସ୍ଵାର୍ଥ ଅନୁସାରେ, ସୁଯୋଗ ଅନୁସାରେ ଖଣ୍ଡ ଖଣ୍ଡ ହୋଇ ରହିଥିବ, ସ୍ଥାନୀୟ ଧର୍ମଟା ବି ପଦାସୀନମାନଙ୍କର ବୋଲ ମନୁଥିବ, ତେବେ ପୃଥିବୀରେ ଲୋକରକ୍ଷା ନାମକ ସେହି ଅନ୍ୟ ଲକ୍ଷଟି ପ୍ରତି ପ୍ରକୃତରେ କଦାପି ଯଥାର୍ଥ ନ୍ୟାୟ ଦେଖାଇ ହେବନାହିଁ । ଲୋକରକ୍ଷାକୁ ହିଁ ଅସଲ ଦେଶରକ୍ଷା ବୋଲି ସ୍ଵୀକାର କରିନେଲେ ଯାଇ ପ୍ରକୃତରେ ଗୋଟିଏ ଦେଶକୁ ଦେଶ ବୋଲି କହିବାରେ ଆଦୌ କୌଣସି ମହତ ରହିବ । ଦେଶରେ ଅଧେ ମଣିଷ ନିଃସ୍ଵ ଓ ନିରକ୍ଷର ଦେଶଟା ଯାକରେ ସବୁକିଛି ଏପରି କୁତ୍ସିତ ଭାବରେ ଉଚ୍ଚ, ନୀଚ ଓ ଉପର ତଳ ହୋଇ ରହିଛି ଯେ କୋଉଠି ହେଲେ ସବୁ ମଣିଷ ମୂଳତଃ ମଣିଷ ଭାବରେ ନିଃଶଙ୍କ ହୋଇ ବସିବାକୁ ଥାନଟିଏ ନାହିଁ । ବଡ଼ମାଛମାନେ ସାନମାଛ ମାନଙ୍କୁ ଖାଇଯାଉଛନ୍ତି । ସାହିତ୍ୟ ଓ ତଥାକଥିତ ସଂସ୍କୃତି ସେହି ଅଳପ କେତେଜଣଙ୍କର ଖାସମାହାଲ ହୋଇ ରହିଛି— ଓ ଆମ ମନୁଆ କବି ଗାଦୀରେ ବସିରହି ଏହି ଦେଶକୁ ଶତ୍ରୁ ହାତରୁ ରକ୍ଷା କରିବେ ବୋଲି ପରମାଣୁ ବୋମାର ବରାଦକରି ବାହାରିଲେଣି । ସେହି ଶତ୍ରୁଟାର ଘରେ ମଧ୍ୟ ଲୋକଜୀବନ, ଅନ୍ନଜୀବନର କ୍ଷେତ୍ରରେ ସହସ୍ର ହୀନସ୍ଥା ଲାଗି ରହିଛି-। ସେହି କାଳଟାକୁ ସତେଅବା ସପ୍ତଦଶ ଶତାବ୍ଦୀର ବେଅକଲ ଗୁଡ଼ାକ ଦ୍ଵାରା ବାନ୍ଧିକରି ରଖିଦିଆଯାଇଛି । ଉଭୟ ଦେଶରେ ମଣିଷର ଅସହାୟତା କହିଲେ ନସରେ । ସାମୂହିକ ଜୀବନର ଜାତୀୟ ପରିମଳକୁ ତସ୍କରମାନେ ହଡ଼ପ କରି ନେଇଛନ୍ତି । ନବେଙ୍କୁ ବଞ୍ଚିତ କରି ଦଶ ପ୍ରତିଶତ ଦେଶଟା ବିଷୟରେ ସ୍ଵପ୍ନ ଦେଖୁଛନ୍ତି । ଋଣ ଆସୁଥିବା କୋଟି କୋଟି ଟଙ୍କା ଉଦ୍ଦିଷ୍ଟ ତଳଯାଏ ଆସି ପହଞ୍ଚି ପାରୁନାହିଁ । ଏକ ସଭ୍ୟ ମନୁଷ୍ୟ-ସମାଜର ସର୍ବନିମ୍ନ ଚାହିଦାଗୁଡ଼ିକୁ ଅପୂରଣ ରଖାଯାଇଛି-। ଯେକୌଣସି ବିକାଶଶୀଳ ଦେଶ ପରି ପାକିସ୍ଥାନ ଓ ଭାରତବର୍ଷ ଉଭୟ ଦେଶରେ ମଧ୍ୟ ଏକାଧିକ ପରିବର୍ତ୍ତନ ଅତ୍ୟାବଶ୍ୟକ ହୋଇ ରହିଛି । ସେହି ପରିବର୍ତ୍ତନ ପରମାଣୁ ବୋମା ପରୀକ୍ଷା ଦ୍ଵାରା ହେବନାହିଁ, ତାହା ଲୋକଶକ୍ତିର ଆବାହନ ଦ୍ଵାରା ହେବ ।

 

ଗୋଟିଏ ଭୂମିର ଦୁଇଟିଯାକ ଖଣ୍ଡରେ ବର୍ତ୍ତମାନ ପରମାଣୁ ବୋମା ରହିଲା । ଏହାପରେ ମଧ୍ୟ ଉସୁକା ଉସୁକି ଓ ଚଦା ଚଦି ଚାଲିବ । ସିଏ ଆହୁରି ଗୋଟାଏ ଫୁଟାଇଲେ ଇଏ ଆହୁରି ଗୋଟିଏ ଫୁଟାଉଥିବ । ବୋମାର ଅସଲ ଗୋଦାମ ଗୁଡ଼ିକ ଯେଉଁମାନଙ୍କ ହାତରେ ଅଛି ସେମାନେ ହାଁ ହାଁ କହୁଥିବେ, ମାତ୍ର ମଜା ଦେଖୁଥିବେ । ଆବଶ୍ୟକ ହେଲେ ରଞ୍ଜକ ବି ଯୋଗାଇ ଦେଉଥିବେ । ଉଭୟ ଦେଶରେ ଉଚ୍ଚରେ ବସିଥିବା ବଡ଼ମାନେ ଓ ମୂଢ଼ମାନେ ଆମକୁ ଜାତିତ୍ଵବୋଧର କଥା କହି ସର୍ବଦା ଉତ୍ତେଜିତ କରିବାରେ ଲାଗିଥିବେ । ମାତ୍ର ଏଣେ ଦେଶଟାଯାକର ହାଲୁକ ଶୁଖିଯାଉଥିବ, ବିବେକ ବି ମରି ମରି ଯାଉଥିବ । ଯେତେବେଳେ ହିରୋସୀମାରେ ପ୍ରଥମ ଅଣୁବୋମା ପଡ଼ିବା ପରେ ତତ୍କାଳୀନ ଦୁଇ ପ୍ରତିପକ୍ଷଙ୍କ ଭିତରେ ବିଜ୍ଞାନକୁ ପଇସା ଦେଇ କାମରେ ଲଗାଇ ପ୍ରତିଯୋଗିତା ଆରମ୍ଭ ହୋଇଗଲା, ସେତେବେଳେ ପୃଥିବୀର ଦୁଇଜଣ ବିବେକୀ ବ୍ୟକ୍ତି—ଆଲବର୍ଟ ଶ୍ଵାଇତ୍‍ଜର ଓ ବର୍ଟଣ୍ଡ ରସେଲ ତାର ବିରୋଧ କରି ଆନ୍ଦୋଳନମାନ ଆରମ୍ଭ କରିଥିଲେ । ଏବାଟରେ ଗଲେ ମଣିଷଜାତି ଲୁପ୍ତ ହୋଇଯିବ ବୋଲି ସତର୍କ ବାଣୀ ଶୁଣାଇଲେ । ସେମାନଙ୍କ ଅନ୍ତେ ମଧ୍ୟ ଆନ୍ଦୋଳନ ଚାଲିଛି । ଅଣୁଅସ୍ତ୍ରର ଭୟଙ୍କରତା ବିଷୟରେ ଏବେ ବିଶ୍ଵବାସୀ ଅଧିକ ବୁଝୁଛନ୍ତି । ସରକାରୀମାନେ ବି କିଛି କିଛି ବୁଝି ପାରିଲେଣି । ବୋମାର ଭଣ୍ଡାରମାନ ମହଜୁତ ରହିଥିଲେ ମଧ୍ୟ ଭବିଷ୍ୟତରେ ଯେ କେବେ ସେଗୁଡ଼ିକୁ ବ୍ୟବହାର କରିବାର ଅବକାଶ ଆସିବ ନାହିଁ, ସେ ବିଷୟରେ ସହମତି ସମ୍ଭବ ହେଲାଣି । ବୋମା-ବିରୋଧୀ ଆନ୍ଦୋଳନ ଅଧିକ ବିସ୍ତୃତ ଦେଇ ନୂଆ ଅନୁଷ୍ଠାନମାନ ଗଢ଼ିଉଠିଛି ।

 

ଏପରି ଗୋଟିଏ ଉତ୍ତେଜିତ ସମୟରେ ଇଏ ତାକୁ ଏବଂ ସିଏ ୟାକୁ ଅଲଗା କରି ଦେଖୁଥିବା ପର୍ଯ୍ୟନ୍ତ ଆମେ ହୁଏତ ଅସଲ ବିଭ୍ରାନ୍ତିଟାକୁ ପୂର୍ଣ୍ଣ ସମ୍ବେଦନା ସହିତ ଆଦୌ ଦେଖିପାରିବା ନାହିଁ । ଏପରି ଗୋଟିଏ ଆଖି ଦରକାର, ଯାହାକି ଦୁଇପଟକୁ ଗୋଟିଏ ସମଗ୍ରତା ମଧ୍ୟରେ ଦେଖିପାରୁଥିବ । ଏକ ସାଂପ୍ରତିକ ଇତିହାସର ରାୟ ଅନୁସାରେ ଏମାନେ ଦୁଇଟା ଦେଶ ହୋଇ ରହିଥାନ୍ତୁ ପଛକେ, ଦୁଇଟା ଦେଶକୁ ଶାସନ କରୁଥିବା ସରକାର ଦ୍ୱୟ ଏକ ମିଛ ସଫଳତାର ଝୁଙ୍କିରେ କେବଳ ଆପଣ ବ୍ୟତୀତ ଆଉ କିଛିହେଲେ ଦେଖିନପାରନ୍ତୁ ପଛକେ, ତଥାପି ଏମାନଙ୍କୁ ଗୋଟିଏ ନିୟତି ଭିତରେ ଏକାଠି ଗୁନ୍ଥି ଅବଶ୍ୟ ଦେଖିହେବ । ବୋମା ବିପଦର ପରିପ୍ରେକ୍ଷୀରେ ଖାଲି ଦୁଇଟା ଦେଶକୁ ନୁହେଁ, ସମଗ୍ର ବିଶ୍ୱକୁ ଗୋଟିଏ ନିୟତି ମଧ୍ୟରେ ଦେଖି ନପାରିବା ପର୍ଯ୍ୟନ୍ତ ଦୁଇଟି ଦେଶକୁ ମଧ୍ୟ ସମ୍ଭବତଃ ଗୋଟିଏ ପୂର୍ଣ୍ଣ ବିବେକର ସହିତ ବୁଝିହେବ ନାହିଁ । ଆମେ ଲୋକରକ୍ଷାର ବୃହତ୍ତର ଭୂମିଟି ଉପରେ ଏହି ଦୁଇଟି ଦେଶକୁ ଦେଖିବା । ଅଲଗା ଅଲଗା ଦେଶ ହିସାବରେ ଏମାନଙ୍କର ଆୟୁଷ ମାତ୍ର ୫୦ ବର୍ଷ, ମାତ୍ର ସମ୍ପୂର୍ଣ୍ଣ ଭୂମିଟାର ଆୟୁଷ ତାଠାରୁ ଅନେକ ଦୀର୍ଘ, ଅନେକ ବେଶୀ । ଭୂମିଟି ଅବଶ୍ୟ ରହିବ; ଭୂମିରେ ବାସ କରୁଥିବା ମଣିଷମାନେ ଅବଶ୍ୟ ରହିବେ । ଏହି ସରକାରମାନେ ଆସୁଥିବେ ଯାଉଥିବେ । ଉଭୟ ଦେଶରେ ଲୋକଶକ୍ତି ଜାଗରୁକ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସରକାରମାନଙ୍କ ମନୋମୁଖୀ ମିଛବାଦ ଗୁଡ଼ିକ କ୍ରମେ କ୍ରମେ ମଉଳନ ପଡ଼ିଆସୁଥିବ । ଏବଂ ବିଶ୍ୱଯାକ ଲୋକଶକ୍ତିର ଜାଗରଣ ଘାଟିଲେ ତଥାକଥିତ ଶତ୍ରୁମାନଙ୍କର ମୁହଁକୁ ବନ୍ଦ କରିବା ଲାଗି ଆଉ ମୋଟେ ପରମାଣୁ ଶକ୍ତିର ଭୂତ ପାଖକୁ ଯିବାକୁ ହେବନାହିଁ ।

 

ଉଭୟ ଦେଶରେ ଏଭଳି ବହୁସଂଖ୍ୟକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଆଗ ଲୋକମାନଙ୍କୁ ଦେଖୁଥିବେ, ରାଜନୀତିକ ନାନା ବନ୍ଧୁରତା ସତ୍ତ୍ୱେ ତଥାପି ଭୂମିଟିକୁ ହିଁ ଆଗ ଓ ଅଧିକ ପୁରୁଣା ବୋଲି ଅନୁଭବ କରୁଥିବେ । ଏହି ଭୂମିରେ ଦୁଇ ସରକାର ପ୍ରତିଯୋଗୋତାର ନିଶାରେ ଯଥାର୍ଥ ନିୟତିଟିର ସମ୍ଭାବନା ବିଷୟରେ ଆମକୁ ଅନ୍ୟମନସ୍କ କରିପକାଇବେ, ସେମାନଙ୍କୁ ଏକଥା କଦାପି କାମ୍ୟ ବୋଲି ଲାଗିବ ନାହିଁ । ଏପରି ବ୍ୟକ୍ତି ଉଭୟ ଦେଶରେ ଯାବତୀୟ କ୍ଷେତ୍ରରେ ଥିବେ । ଲେଖକ ହୋଇଥିବେ, ଶିକ୍ଷକ ହୋଇଥିବେ, ଶିଳ୍ପୀ ବା କଳାକାର ହୋଇଥିବେ ଏବଂ ନିଜ ନିଜ ସ୍ଥାନୀୟ ରାଜନୀତିକୁ ଏକ ବିଶ୍ଵଭବିଷ୍ୟତର ଭୂପୃଷ୍ଠଭୂମି ଉପରେ ଦେଖିପାରୁଥିବେ । ସେମାନେ ମଣିଷ ପକ୍ଷରେ ଥିବେ, ଧର୍ମର ପକ୍ଷରେ ବି ଥିବେ । ଯେଉଁ ଧର୍ମ ମଣିଷକୁ ନେଇ ମଣିଷ ସହିତ ଲଢ଼ାଇ ଦିଏ, ତାହା ଧର୍ମ ନୁହେଁ; ମାତ୍ର ଯୋଉ ଧର୍ମ ଯୋଡ଼େ, ଘରକୁ ଡାକି ଆଣେ ଓ ଜଗତକର୍ତ୍ତାଙ୍କୁ ଦର୍ପଣ କରି ମଣିଷ ମାନଙ୍କୁ ଦେଖେ ସେଇ ଧର୍ମ । ଏମାନେ ଏକାଠି ହୁଅନ୍ତୁ, ଏକଆରେକୁ ଆବିଷ୍କାର କରନ୍ତୁ—ମିଛ ଜାତୀୟତା ଏବଂ ମିଛ ଉଗ୍ରତା ଗୁଡ଼ିକର ପ୍ରତିବାଦ କରନ୍ତୁ । ମାନବ-ଅଧିକାର ସୁରକ୍ଷା ନିମନ୍ତେ ଉଭ୍ର ଦେଶରେ ଯେଉଁ ସଂଗଠନମାନେ ରହିଛନ୍ତି, ଏହି ଶାନ୍ତି ଫେରି ସେହିମାନଙ୍କ ଠାରୁ ଆରମ୍ଭ ହେଉ । ଶାନ୍ତି ସଂକ୍ରାମିତ ହେଉ । ସେମାନେ ଉଭୟ ଦେଶରେ ପଦଯାତ୍ରା କରନ୍ତୁ । ପୃଥିବୀଯାକର ମଣିଷ ବହୁବିଧ ସ୍ଲୋଗାନ ଶୁଣି ଶୁଣି କ୍ଳାନ୍ତ ହୋଇପଡ଼ିଲେଣି । ନୂଆ କ’ଣଟିଏ ହେଉବୋଲି ଅପେକ୍ଷା କରିଛନ୍ତି । ସତକୁ ସତ ଏକ ଅନ୍ୟ ପ୍ରକାରର ରାଜନୀତି ଓ ସମ୍ପର୍କ ସ୍ଥାପନ ଲାଗି ଅପେକ୍ଷା କରିଛନ୍ତି । ନୂଆ ଶାନ୍ତିସେନାଟିଏ ବାହାରୁ ଓ ସେଥିରେ ନେତୃତ୍ଵ ନେଉ ।

 

୨୯ । ୦୬ । ୯୮

Image

 

ଜୟ ବିଜ୍ଞାନ

 

ପ୍ରକୃତିକୁ ଜୟ କରିବାର ବଗୁଲିଆମି ଛାଡ଼ି ଯେଉଁଦିନଠାରୁ ମଣିଷ ପ୍ରକୃତିକୁ ବୁଝିବାକୁ ଆରମ୍ଭ କଲା, ସେହି ଦିନଠାରୁ ବିଶ୍ଵବାସୀଙ୍କ ନିମନ୍ତେ ବିଜ୍ଞାନର ପ୍ରକୃତରେ ସୁସ୍ଥ ଯୁଗଟି ଆରମ୍ଭ ହେଲା । ପ୍ରଥମ କାଳରେ ସେହି ମୂଢ଼ ସ୍ତରରେ ବିଜ୍ଞାନ-କୌଶଳର ଅଧିକାରୀ ହୋଇ ଥୋକାଏ ମଣିଷ ଆପଣାକୁ ପୃଥିବୀଯାକର ଚକ୍ରବର୍ତ୍ତୀ କରି ବସାଇବେ ବୋଲି କେଡ଼େ ଦର୍ପରେ ବାହାରିଥିଲେ । ସେହି ଦର୍ପରୁ ସାମ୍ରାଜ୍ୟବାଦ ଜନ୍ମଗ୍ରହଣ କଲା । ହଜାର ହଜାର ମଣିଷଙ୍କ ପ୍ରାଣ ନିଆଗଲା । ହଜାର ହଜାର ପରମ୍ପରାକୁ ନଷ୍ଟ କରି ଦିଆଗଲା । ନିଜର ଧର୍ମଟାକୁ ଅନ୍ୟମାନଙ୍କ ଉପରେ ବଳପୂର୍ବକ ନେଇ ଲଦିଦେବାକୁ ବି କେତେକ ମଣିଷ କମ୍ କ୍ରୂର ହେଲେ ନାହିଁ । ସିଏ ଆମ ଇତିହାସରେ ଏକ ଦୀର୍ଘ କାହାଣୀ ହୋଇ ରହିଗଲା । ତଥାପି ସେହି ମୂଢ଼ତାରୁ କିଛି ଫଳ ମଧ୍ୟ ମିଳିଥିଲା । ପୃଥିବୀର ମନୁଷ୍ୟମାନେ ପରସ୍ପରକୁ ଚିହ୍ନିଲେ । ପରସ୍ପରର ପାଖ ହୋଇ ଆସିଲେ । ନିଜଟା ସହିତ ଅନ୍ୟଟାକୁ ମିଳାଇ କରି ଦେଖିପାରିଲେ । ତଦ୍ଦ୍ୱାରା ଅହଙ୍କାର କମିବାକୁ ବାଧ୍ୟ ହେଲା-। ବନ୍ଧୁ ହେବାର ଇଚ୍ଛାମାନେ ସକ୍ରିୟ ହେଲେ । ପୃଥିବୀରେ ମୁଁ ସିନା ନିଜକୁ ଏକମାତ୍ର ଦ୍ଵୀପ ବୋଲି ମଣି ଆସୁଥିଲି, ମାତ୍ର, ଏଠି ପ୍ରକୃତରେ କେହି ଦ୍ଵୀପ ନୁହନ୍ତି । ସବୁ ସଂଯୁକ୍ତ, ସବୁ ଅବିଚ୍ଛିନ୍ନ, ସବୁ ଅନେକବିଧ । ପୃଥିବୀର ଏହି ଅନେକତାକୁ ଜାଣିବା ହେଉଛି ତାହାକୁ ସୁସ୍ଥ ଭାବରେ ଜାଣିବା ଏବଂ ତାହାରି ସହିତ ନିଜକୁ ମଧ୍ୟ ଏକ ବୃହତ୍ତର ପୃଷ୍ଠଭୂମି ଦେଇ ଜାଣିବା, ଏଇଟି ଅସଲ ବୁଝିବା । ଖାଲି ଜାଣିବାର ଗାରଟି ଯାଏ ଆସି ଯେଉଁ ବିଜ୍ଞାନ ନିଜକୁ ଅମରମତା ବୋଲି ଦେଖାଇ ବୁଲିବାକୁ ଆରମ୍ଭ କରେ, ତାହା ସତକୁ ସତ ବାଟ ହୁଡ଼ିଯାଏ; ଆଉ କେଉଁ କର୍ତ୍ତୃତ୍ଵ ପାଖରେ ଗୋଲାମ ହୋଇ ରହିଥାଏ । ପୃଥିବୀରେ ବହୁ ଅରାଜକତାର କାରଣ ହୁଏ ।

 

ବିଜ୍ଞାନକୁ ମୂଳତଃ ବୁଝିବା ବୋଲି ହୃଦୟଙ୍ଗମ କରିବା ପରେ ମଣିଷ ଏହି ପୃଥିବୀରେ ନିଜର ଯାତ୍ରାରେ ତାହାକୁ ଅଧିକରୁ ଅଧିକ ଅର୍ଥରେ ଅପଣାର ବନ୍ଧୁ କରିନେଇଛି । ଯିଏ ବନ୍ଧୁ, ତା ପାଇଁ ଆଉ କୌଣସି ବାରଣ ବା କାହିଁକି ରହିବ ? ତେଣୁ, ମନୁଷ୍ୟର ଆଗ୍ରହରେ ହିଁ ବିଜ୍ଞାନ କ୍ରମେ ତା’ ଜୀବନକ୍ଷେତ୍ରରେ ଅଧିକରୁ ଅଧିକ ଇଲାକାକୁ ସ୍ପର୍ଶ କରିବାକୁ ବସିଲାଣି । ପ୍ରକୃତି କହିଲେ ମଣିଷ ଏବେ ଆହୁରି କେତେ କ’ଣକୁ ବୁଝାଉଛି । ପ୍ରକୃତି ତା’ ବାହାରେ, ପ୍ରକୃତି ତା’ ଭିତରେ, ଠିକ୍ ତା’ ଆତ୍ମାପରି, ଠିକ୍ ତା’ ଭଗବାନଙ୍କ ପରି । ତେଣୁ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଆଦି ଆରମ୍ଭର ମୂଳ ସେହି ମୂଳ ପରିଧିକୁ ଡେଇଁ ଏବେ ବିଜ୍ଞାନ ଅର୍ଥନୀତି, ସମାଜ ବ୍ୟବସ୍ଥା, ଶାସନର ନାନା ଗଢ଼ଣ, ମନୋବିଜ୍ଞାନ ଆଦି କେତେ କୁଆଡ଼କୁ ପ୍ରସାରିତ ହୋଇଗଲାଣି । ବିଶ୍ଵଜ୍ଞାନ ଆତ୍ମଜ୍ଞାନକୁ ବାଟ ଦେଖାଇଲାଣି । ଚେତନକୁ ଡେଇଁ ଅବଚେତନା ପାଖରେ ପହଞ୍ଚିଲାଣି । ପ୍ରକୃତି-ବିଜୟରେ ସେହି ପ୍ରଥମ ସ୍ତରଟି ହୁଏତ ଏକାଧିକ ଦୃଷ୍ଟିରୁ ସେତେବେଳର ଗୋଟିଏ ଗୋଟିଏ ଯଶସ୍ଵୀ ଦେଶରେ ଜାତୀୟତାବାଦର ମୂଳ ଚାରାଟିକୁ ରୋପଣ କରିଥିଲା ଏବଂ ବୁଝିବାର ପରବର୍ତ୍ତୀ ସ୍ତରଟି ମଧ୍ୟରେ ପ୍ରବେଶ କରୁଥିବା ସହିତ, ଜାତୀୟତାବାଦ ଯେ ଆଦୌ ଯଥେଷ୍ଟ ନୁହେଁ ଏଥିରେ ଯେ ମଣିଷର ଜୀବନରେ ବହୁ ଅବାଞ୍ଛିତ ଜୀବାଣୁ ଆସି ପଶିଯିବାର ଆଶଙ୍କା ରହିଛି, ବିଜ୍ଞାନ ଆମକୁ କ୍ରମେ ସେହି ଉପଲବ୍ଧଟିକୁ ଆଣି ମଧ୍ୟ ଦେବାକୁ ଆରମ୍ଭ କଲାଣି । ବିଜ୍ଞାନୀ ମୁଣ୍ଡମାନେ ଏବେ ଆଗର ଅର୍ଥରେ ବିଜୟ ବିଷୟରେ ଯେତେ ଚିନ୍ତା କରୁନାହାନ୍ତି, କଲ୍ୟାଣ ଅର୍ଥରେ ହିଁ ତା’ଠାରୁ ଅନେକ ଅଧିକ ଚିନ୍ତା କଲେଣି । ଅବଶ୍ୟ କଲ୍ୟାଣ ପାଇଁ ମଧ୍ୟ କେତେକ ବିଜୟର ପ୍ରୋୟଜନ ରହିଛି: ଅଭାବ ଉପରେ ବିଜୟ, ଅଶିକ୍ଷା ଉପରେ ବିଜୟ, Inertia ଉପରେ ବିଜୟ ଓ ମନୁଷ୍ୟକୃତ ବହୁ ଅନ୍ୟାୟ ଉପରେ ବିଜୟ । ଆମେ ପାରମ୍ପରିକ ଭାବରେ ପୃଥିବୀଟାକୁ ଏତେ ଅନ୍ୟଭଳି କରି ରଖିଛୁ ଯେ, ବିଚରା ବିଜ୍ଞାନକୁ ସଚରାଚର ପ୍ରାୟ ବାଧ୍ୟ ହୋଇ ରାଷ୍ଟ୍ରମାନଙ୍କର ଅଧୀନ ହୋଇ ହିନ କାର୍ଯ୍ୟ କରିବାକୁ ପଡ଼ୁଛି । ରାଷ୍ଟ୍ରର ବରାଦ ଅନୁସାରେ ହିଁ ନିଜର ଗବେଷଣାକୁ ବହୁ ଭାଙ୍ଗ ମୋଡ଼ ଦେବାକୁ ପଡ଼ୁଛି । ବିଜ୍ଞାନକୁ ଖଟାଇ ରାଷ୍ଟ୍ରମାନେ ପ୍ରଧାନତଃ ନିଜର ବିଜୟ ନିମନ୍ତେ ହିଁ ଅଧିକ ଆଗ୍ରହ ଦେଖାନ୍ତି । ବିଜ୍ଞାନ ଯେ ଧର୍ମତଃ ବୁଝିବା ପାଇଁ, ସେକଥା ବୁଝିବା ସକାଶେ ରାଷ୍ଟ୍ରମାନଙ୍କର ବେଳ ନଥାଏ ।

 

ବୁଝିବାର ସୋପାନଟିରେ ପ୍ରବେଶ କରି ବିଜ୍ଞାନ ଭାରି ସହଜରେ ଜାଣିବାକୁ ସମର୍ଥ ହେଲା ଯେ, ଅଧିକ ବକ୍ଷ କୌଶଳଗୁଡ଼ିକର ସାହାଯ୍ୟରେ ସାମଗ୍ରୀମାନଙ୍କର ଉତ୍ପାଦନ ବୃଦ୍ଧି ପାଇଲେ ହିଁ ଏହି ପୃଥିବୀର ଦୈନ୍ୟ କଦାପି ଯିବନାହିଁ । ପୃଥିବୀରେ ଅଳପ ମଣିଷ ହିଁ ଅଧିକ ଭୋଗ କରୁଛନ୍ତି; ଏବଂ ବିଜ୍ଞାନର ଆଗମନ ପରେ ମଧ୍ୟ ସେହି ପୁରୁଣା ଅତୀତଟାରେ ଖୁବ୍ ବେଶୀ ପରିବର୍ତ୍ତନ ହୋଇନାହିଁ । ଉତ୍ପାଦନ ବଢ଼ାଇବାର କାମଟା ହିଁ ଆର୍ଥିକ ବ୍ୟବସ୍ଥାର ସବୁକାମ ନୁହେଁ, ତେଣୁ ବିତରଣର ସ୍ତରରେ ମଧ୍ୟ ମଣିଷମାନଙ୍କୁ ଅଧିକ ବାଟ ଛାଡ଼ିଦେବା ନିମନ୍ତେ କିଛି ଅବଶ୍ୟ ଘଟିବା ଉଚିତ । ଗୋଟିଏ ଦେଶକୁ କିଏ ଶାସନ କରୁଛି, ସେହି କଥାଟି ଉପରେ ବି ଉତ୍ପାଦନ ଏବଂ ବିତରଣର ରୀତିଟି ନିର୍ଭରଶୀଳ ହୋଇ ରହିଛି । ହଁ, ଯୁଗ ଆଧୁନିକ ହେଉଥିବା ସଙ୍ଗେ ସଙ୍ଗେ ପାଠର ଆୟାମଗୁଡ଼ିକ ମଧ୍ୟ ଖୁବ୍ ବଢ଼ିଯାଉଛି । ବିଦ୍ୟାର ଅଭିନବ ବିପଣିମାନ ଖୋଲିଯିବାରେ ଲାଗିଛି । ବାହାରୁ ସେହି ଚମକଗୁଡ଼ାକୁ ଦେଖିଲେ ସ୍ଵର୍ଗ ସତେଅବା ଆଉ ମାତ୍ର ଅଳପ ବାଟ ରହିଲା ବୋଲି ମାନେ ହେଉଛି । ତଥାପି ପୃଥିବୀରେ ଅଧେ ପିଲାଙ୍କ ପାଇଁ ମୂଳରୁ ହିଁ କୌଣସି ସ୍କୁଲ ନାହିଁ-। ଗରିବ ଅଳ୍ପସମ୍ବଳ ଘରର ପିଲାମାନେ ବାଟରେ ଅଟକି ଯାଉଛନ୍ତି । ଏବେ ମଧ୍ୟ ତୁମ ବିଦ୍ୟାର୍ଜନ ତୁମର ପ୍ରତିଭା ଉପରେ ନୁହେଁ, ମାତ୍ର ତୁମ ଘରର ପଇସା ଉପରେ ଯେ ନିର୍ଭର କରୁଛି, ବିଜ୍ଞାନ ଏହିସବୁ କ୍ଷେତ୍ରରେ କିଛି କରି ପାରୁନାହିଁ ବୋଲି ଏପରି ଘଟୁଛି । ଅଥବା ସ୍ଥିତିଟିକୁ ପୂରା ବୁଝୁଥିଲେ ମଧ୍ୟ ତଥାପି କିଛି କରିପାରୁ ନାହିଁ । ଏହି ସବୁକିଛି ଏଣିକି ଅଧିକରୁ ଅଧିକ ତାତ୍ପର୍ଯ୍ୟ ସହିତ ବିଜ୍ଞାନର ହିଁ ଇଲାକା ଭିତରକୁ ଆସିବେ । ଏହି ନୂଆ ଆହ୍ଵାନଟି ହେଉଛି ନୃତତ୍ତ୍ୱ-ବିଜ୍ଞାନ ।

 

ତାହା କିପରି ଏକ ସମାଜ ହେବ, ଯେଉଁଥିରେ ସବୁ ମଣିଷ କାମ ପାଇବେ, ସବୁ ପିଲା ପାଠ ପଢ଼ିବେ ଓ ସବୁ ମଣିଷଙ୍କୁ ଗୋଟିଏ ଦେଶର ନାଗରିକ ବୋଲି ଗ୍ରହଣ କରାଯିବ ? ପ୍ରତ୍ୟକ ବ୍ୟକ୍ତିର ଅଧିକାର ରହିବା, କର୍ତ୍ତବ୍ୟ ରହିବା ? ଜୀବନରେ ଘୁଷୁରି ପରି ହୋଇ ରହିବାକୁ କେହି ନିଜର ଭାଗ୍ୟ ବୋଲି ମାନି ନେବେନାହିଁ । ଏକ ବାସ୍ତବ ସମ୍ମାନବୋଧ ସେମାନଙ୍କୁ ଯାବତୀୟ ହୀନମାନ୍ୟତାରୁ ସୁରକ୍ଷାଦେଇ ରଖିବ । ବିଜ୍ଞାନ ହାତରେ ରଜ୍ଜୁଗୁଡ଼ିକ ରହିଥିଲେ ପୃଥିବୀ ଏସବୁ ଦିଗରେ କେତେ ନା କେତେ ଅଗ୍ରସର ହୋଇ ସାରନ୍ତାଣି । ସବୁ ମଣିଷ ମଣିଷ ପରି ଜୀବନ ବଞ୍ଚି ପାରିବେ ବୋଲି ପୃଥିବୀରେ ଯଥେଷ୍ଟ ସମ୍ବଳ ରହିଛି, ମଥାରେ ଆବଶ୍ୟକ ଜ୍ଞାନ ମଧ୍ୟ ରହିଛି । ପୃଥିବୀକୁ ଶାସନ କରି ଆସିଥିବା ବର୍ଗ କିମ୍ବା ସ୍ଵାର୍ଥମାନେ ନିଜର ସେହି ପୁରୁଣା ଅବିବେକିତାଗୁଡ଼ିକୁ ଛାଡ଼ିଦେବେ ଏବଂ ପୃଥିବୀରୁ ବଞ୍ଚିତମାନେ ମଧ୍ୟ ଜଣେ ଜଣେ ମଣିଷ ହିସାବରେ ଅଧିକ ସଚେତନ ହେବେ, ବିଜ୍ଞାନର ଠିକଣା ଯୁଗଟି ସେତିକିବେଳେ ଯାଇ ଆସିବା । ପୃଥିବୀର କଳେବରଟିକୁ ବଦଳାଇ ଦେବାରେ ଏବଂ ମଣିଷମାନଙ୍କୁ ସେମାନଙ୍କର ଘରକୁ ମଧ୍ୟ ଫେରାଇ ଆଣିବାରେ ବିଜ୍ଞାନ ସେତେବେଳେ କେତେ କ’ଣ କରିପାରିବ । କଲ୍ୟାଣର ବାହକ ହେବ । ବିଜ୍ଞାନୀମାନେ ଏକଥା ବୁଝିଲେ ଯାଇ ବିଜ୍ଞାନ ଘରକୁ ଫେରି ଆସିବ । ସେତେବେଳେ ଯାଇ ଆମ ପୃଥିବୀରୁ ବହୁ ବହୁ ଅସହାୟତା ଦୂର ହୋଇଯିବ । ଏବଂ ଅସହାୟତା ଦୂର ହୋଇଯାଉଥିବା ସଙ୍ଗେ ସଙ୍ଗେ ଗୋଲାମୀ ମଧ୍ୟ ବିଦା ହୋଇ ଯାଉଥିବ ।

 

ତେଣୁ, ଯେକୌଣସି ବିକାଶୀଳ ଦେଶରେ ବିଜ୍ଞାନ ହିଁ ସବାଆଗରେ ରହିବା । ହୁଏତ ଜାତୀୟତାବାଦ ପଛରେ ରହିବ ଓ ବିଜ୍ଞାନ ଆଗରେ ରହିବା । ଗୋଟିଏ ପୁରୁଣା ଭୁଇଁକୁ ଯଥେଷ୍ଟ ମୋହମୁକ୍ତ ଏବଂ ଅନ୍ତରଙ୍ଗ ଭାବରେ ଚିହ୍ନି ଆଗାମୀ ସ୍ଵପ୍ନ ଏବଂ ସଂକଳ୍ପ ଗୁଡ଼ିକର ମୁତାବକ ନିଜକୁ ନିଜର ସମୂହଟିକୁ ଏବଂ ସମଗ୍ର ଲୋକ–ଭାଗ୍ୟଟିକୁ ବଦଳାଇ ପାରିବା ନିମନ୍ତେ ବିଜ୍ଞାନ ଆମର ସବୁଠାରୁ ଅଧିକ ବିଶ୍ଵାସଯୋଗ୍ୟ ଆଖିରୁପେ କମ କରିବା । ଶାସନ ବିଜ୍ଞାନ ଦ୍ଵାରା ଚଳିବ, ଭାବପ୍ରବଣତା ଦ୍ଵାରା ନୁହେଁ । ବଡ଼ ଅନୁଗ୍ରହ ଦେଖାଇଲେ ଯାଇ ତଳର ଦୁଃଖ ଯିବ, ଏହା ବିଜ୍ଞାନ ନୁହେଁ, ଏହା ଅବିଜ୍ଞାନ । ଗଣତନ୍ତ୍ରକୁ ଦୃଢ଼ କରିବା ସକାଶେ ଏହି ଦେଶର ଭୂମି-ନିର୍ମାଣରେ ପଦେ ପଦେ ବିଜ୍ଞାନ ହିଁ ଆମକୁ ଆବଶ୍ୟକ ବୁଦ୍ଧି ଏବଂ ଆବଶ୍ୟକ ହୃଦୟ ଯୋଗାଇଦେବା । ଅମଲାତନ୍ତ୍ର ଉପରେ ରହିଥିବା ଆଉ କାହାରି ମର୍ଜି ଦ୍ଵାରା ନୁହେଁ, ବିଜ୍ଞାନର ପରାମର୍ଶ ଦ୍ଵାରା ହିଁ ପରିଚାଳିତ ହେବ । କେବଳ ବିଜ୍ଞାନର ଆଧୁନିକତମ ପରିମାଲଗୁଡ଼ିକୁ ସ୍ଵୀକାର କରିନେଇ ପାରିଲେ ଯାଇ ଆଉ ଉପରେ ନାୟିକା ପରି ବପୁଶ୍ରୀ ବିସ୍ତାର କରି ବସିଥିବା ସାମନ୍ତବାଦଟାର ଅନ୍ତ ହେବ । ଆମ ଶିକ୍ଷାରେ ବିଜ୍ଞାନ ପାଇଁ ସ୍ଥାନ ଛାଡ଼ିଦେଲେ ଆମକୁ ଯୁଗ ଯୁଗ ଧରି ଅଳ୍ପବଳ କରି ରଖିଥିବା ଯାବୀୟ ବଳଦତତ୍ତ୍ଵ ବିଦା ହୋଇ ଯାଇପାରିବ । ପିଲାର ପାଠ ଆଉ ତା ବାପା ପଇସା ଉପରେ ନିର୍ଭର କରିବା ନାହିଁ । ଯେଉଁମାନେ ସମାଜର ଅବିଚାର ଫଳରେ କାଳ କାଳରୁ ପଛରେ ରହିଛନ୍ତି, ଗୋଟିଏ ବାବୁ–ବ୍ୟବସ୍ଥାର ଶଗଡ଼କୁ ଟାଣିବାରେ ଏବେ ମଧ୍ୟ ବ୍ୟବହୃତ ହୋଇ ଆସୁଛନ୍ତି, ଆମେ ବିଜ୍ଞାନର ବୋଲ ମାନଲେ ସମାନଙ୍କ ପାଇଁ ସତକୁ ସତ ଅଧିକ ଖରଚ ହେବ, ଯେପରିକି ସେମାନେ ଶୀଘ୍ରାତଶୀଘ୍ର ଦେଶ ନାମକ ଏହି ବୃହତ୍ ପ୍ରାନସ୍ରୋତଟିରେ ଅନ୍ୟମାନଙ୍କ ସହିତ ସାମିଲ ହୋଇଯାଇ ପାରିବେ । କୋଦମାମାନଙ୍କୁ ଅଧିକ କୋଦମା କରି ରଖିବାର ଯାବତୀୟ ଫିସାଦ ଅଚଳ ହୋଇ ରହିଯିବା ।

 

ଏହି ଯାବାତୀୟ କଥା ଚିନ୍ତା କରୁଥିବା ସମୟରେ ସରକାର ପରମାଣୁ ବୋମାର କେତୁଟା ପରୀକ୍ଷା କରିସାରିବା ପରେ ଆମ ପ୍ରଧାନମନ୍ତ୍ରୀ ଜୟ ବିଜ୍ଞାନ ବୋଲି ଯେଉଁ ଡାକଟାଏ ଦେଲେ, ତାହା କିଞ୍ଚିତ ହାସ୍ୟାସ୍ପଦ ଲାଗିବ ହିଁ ଲାଗିବ । ସବୁମୂଳ କଥା ହେଉଛି, ଯଦି ସମ୍ପୃକ୍ତ ଏପାଖ ଓ ସେପାଖ ବିଗତ ପଚାଶ ବର୍ଷ ଭିତରେ ବିଜ୍ଞାନକୁ ସାରଣୀ କରି ବାଛିଥାଆନ୍ତେ, ତେବେ ସାମରିକ ସିରସ୍ତାର ବାରୁଦ ବିଭାଗଟିକୁ ସମ୍ଭବତଃ ମୋଟେ ପୋଖରାନ ଠାରେ ଗାଡ଼ ଖୋଲିବାକୁ ପଡ଼ିନଥାନ୍ତା । ସହଯୋଗର ଏତେ ପ୍ରଶସ୍ତ ପଡ଼ିଆ ପଡ଼ିଥାଆନ୍ତା ଯେ, ଅନ୍ୟ ଅକର୍ମକୁ ବୃଦ୍ଧି ମଧ୍ୟ ରହୁନଥାନ୍ତା । ହଁ, ଭାରତବର୍ଷ ଭାରତବର୍ଷ ପଟେ ବିଜ୍ଞାନକୁ ପୂର୍ଣ୍ଣ ଆନୁଗତ୍ୟରେ ଗ୍ରହଣ କରିନାହିଁ କିମ୍ବା ପାକିସ୍ଥାନ ପାକିସ୍ଥାନ ପଟେ ମଧ୍ୟ ବିଜ୍ଞାନ ଠାରୁ ଲୁଚି ଲୁଚି ବୁଲିଛି । ତେଣୁ, ଯଥାର୍ଥ ସହଯୋଗରେ ବହୁ ବହୁ ସମ୍ଭାବନା ପ୍ରକୃତରେ ମାଡ଼ଖାଇ ଯାଇଛି । ଆମେ ଉଭୟେ ପୁରୁଣା ଦାଶୀଙ୍କ ପରି ପରସ୍ପରସହିତ ଖୁରି ଖାଇବାରେ ବ୍ୟସ୍ତ ହୋଇ ରହିଛୁ, ସତେଅବା କ’ଣ ସବୁ ପୂର୍ବ କାହାଣୀ ମନେପକାଇ ପରସ୍ପରକୁ ହସିଛୁ ଓ ପରସ୍ପରକୁ ଦୁଷ୍ମନ ବୋଲି କହିଛୁ । ମାତ୍ର ଏକ ଆରକେ ପଛରେ ରଞ୍ଜକ ଖଞ୍ଜିବାକୁ ବିଦେଶୀ ବରବାରମାନଙ୍କରେ ହାତ ପତାଇ ଯାଇଛୁ । ପରମାଣୁ ବୋମାକୁ ଏକ ଜାତୀୟ ସମୂହର ଶକ୍ତିସନ୍ତକ ବୋଲି ଭାବୁଥିବା ମଣିଷଟିଏ କିମ୍ବା ଶାସକଟିଏ ସେଥିରୁ କେତୋଟି ଫୁଟାଇ ଦେଇ ଉଲ୍ଲାସରେ ଜୟ ବିଜ୍ଞାନ ବୋଲି ଚିତ୍କାର କରି ଉଠିଲେ ସେଥିରୁ ତା ନିଜ ମତିଗତିଟି ବିଷୟରେ ହୁଏତ ଅଧିକ ସଂକେତ ମିଳିବ । ଜାପାନ ଉପରେ ପରମାଣୁ ବୋମା ପକାଇବାରେ ବରାଦ କରିଥିବା କର୍ତ୍ତାଗଣ ସେହି ଘଟଣାଟିକୁ ଘଟାଇବା ସମୟରେ ହୁଏତ ଆଉ କେତେ କାହାରି ଜୟଜୟକାର ସିନା କରିଥିବେ, ମାତ୍ର ଜୟ ବିଜ୍ଞାନ ବୋଲି କେବେହେଲେ କହିନଥିବେ । ତାତ୍କାଳିକ ଦୃଷ୍ଟିରୁ ବିଚାରକଲେ ପରମାଣୁ ପରୀକ୍ଷଣ ଦ୍ଵାରା ଭାରତ ହାତରେ ମଧ୍ୟ ଅସୁରୁଣୀ ଶକ୍ତି ରହିଛି ବୋଲି ନିଜକୁ ପାକିସ୍ଥାନ ତୁଳନାରେ କେତେ ଗାର ଉଚ୍ଚ ଏବଂ କେତେ ଗାର ଆଗ ବୋଲି ଅନୁଭବ କରି ଆନନ୍ଦ ପାଉଥିବା କେତେ ବ୍ୟକ୍ତିଙ୍କର ପ୍ରତିକ୍ରିୟାକୁ ଆମେ ଯେତେ ଯାହା ବୁଝିପାରିଲେ ମଧ୍ୟ ତଥାପି, ଯେଉଁ କାଣ୍ଡଟା ହେଲା, ତାହାକୁ ଜୟ ବିଜ୍ଞାନର ସ୍ଲୋଗାନ ଦେଇ ଆମେ କଦାପି ଘୋଡ଼ାଇ ପକାଇବା ନାହିଁ । ତୁମେ ଯେଉଁ କାରଣରୁ ଘର ପୋଡ଼ିବାକୁ ଯାଇଥାଅ ପଛକେ, ତେଣୁ ତୁମ ଘର ପୋଡ଼ି ବାହାରିଥିବା ସେହି ଅନ୍ୟମାନଙ୍କର କଳା ପାଉଁଶ ବୋଳା ହୋଇଥିବା ମୁହଁଟା ତୁଳନାରେ ତୁମେ ମୁହଁରେ ଅଧିକ ଆଦର୍ଶବାଦ ଏବଂ ଅଧିକ ଦେଶପ୍ରୀତି ରହିଛି ବୋଲି କେବେହେଲେ ଦାବି କରିପାରିବା ନାହିଁ । ଏହାଦ୍ୱାରା ଦୁଇଟାଯାକ ଦେଶ ହୁଏତ ଏକ ଭଉଁରୀ ଭିତରେ ଯାଇ ପଡ଼ିଗଲେ, ଯେଉଁଥିରୁ ତୁମେ ବା ସିଏ କିଏ ହେଲେ ଆଦୌ ସହଜରେ ବାହାରି ପାରିବନାହିଁ । ଏଥର ଜଣେ ଟେକାଟିଏ ମାରିଲେ ଆଉ ଜଣେ ଟେକାଟିଏ ଉଞ୍ଚାଉଥିବ, ଜଣେ ଖତେଇ ହେଲେ ଆଉ ଜଣେ ଖତେଇ ହେବାର ଇନ୍ତଜାମ କରୁଥିବ । ଭାରତ–ଭାଗ୍ୟବିଧାତା ବୋକା ବନି ଯାଉଥିବେ ।

 

ତେଣୁ, ହେ ମାଲିକମାନେ, ଏହାକୁ ବିଜ୍ଞାନର ବିଜୟ ବୋଲି ଆଦୌ କହନାହିଁ । ହଁ, ବରଂ ତୁମ ନିଜର ବିଜୟ ବୋଲି କହ । ଅଧିକାଂଶ ବିକାଶଶୀଳ ଦେଶରେ ନିଜର ବିଜୟଗୁଡ଼ିକ ହିଁ କର୍ତ୍ତାମାନେ ଦେଶର ବିଜୟ ବୋଲି କହି ଆସିଛନ୍ତି । ହୁଏତ ସେହି କାରଣରୁ ସେହିସବୁ ଦେଶରେ ମଣିଷ ମାନଙ୍କରେ ଭାଗ୍ୟରେ ବିଶେଷ ପରିବର୍ତ୍ତନ ହୋଇନାହିଁ । ମାତ୍ର ଗଦୀ ଦଖଲ ନିମନ୍ତେ ଚକ୍ରବର୍ତ୍ତୀମାନଙ୍କ ମଧ୍ୟରେ ଧରାପରା ଲାଗିଛି । ମଣିଷ ପାଇଁ ବିଜ୍ଞାନକୁ କାମରେ ଲଗାଯାଇନାହିଁ । ସୈନ୍ୟବଳ ବୃଦ୍ଧି ପାଇଛି, ଅସ୍ତ୍ରାଗାରମାନେ ମୋଟା ହୋଇଛନ୍ତି । କିନ୍ତୁ ମଣିଷମାନେ ଅସହାୟ ହୋଇ ରହିଛନ୍ତି । ଦୁର୍ଭିକ୍ଷ ପଡ଼ୁଛି, ଆଉ କେଉଁଠି ମରୁଭୂମି ମାଡ଼ିଆସୁଛି । ଗଛବୃଛ ମରିଗଲେଣି । ମାତ୍ର କ୍ଷମତାର ଅନ୍ତଃପୁରରେ ପରାକ୍ରମୀ ଗୀତାଭିନୟ ଲାଗିରହିଛି । ଭାରତବର୍ଷ ଏକ ପୁରାତନ ଦେଶ । ବହୁତ କିଛି ଅଙ୍ଗେ ନିଭାଇଥିବା ଦେଶ, ଆଖିଥିବା ବହୁ ଲୋକଙ୍କର ଦେଶ, ଏଠାରେ ହୁଏତ କଥାଗୁଡ଼ିକ ଅନ୍ୟ ପ୍ରକାରେ ଘଟିଥାଆନ୍ତା । ବିଜ୍ଞାନର ସକାରାତ୍ମକ ପ୍ରୟୋଗମନ କରାଯାଇଥାନ୍ତା । ସେଗୁଡ଼ିକ ମନୁଷ୍ୟ ମାନଙ୍କ କଲ୍ୟାଣ ଲାଗି କରାଯାଇଥାନ୍ତା । ଏଠାରେ ଆମ ରାଜନୀତିକ ନେତୃତ୍ୱ ଗୁଡ଼ିକ ସତେଅବା କ’ଣ ଅଭାବ ଥିବା ହେତୁ ସେହି କଥାକୁ ସମ୍ଭବ କରି ପାରିଲେ ନାହିଁ । ଘରର ଚୋରମାନଙ୍କୁ ଘୋଡ଼ାଇ ରଖିବା ସକାଶେ ବାହାରେ କାହାକୁ ଆମର ଶତ୍ରୁ ବୋଲି କହିଲେ ଏବଂ ଶକ୍ତି ନଷ୍ଟ କାଲେ । ଶିକ୍ଷା କର୍ମସଂସ୍ଥାନ, ବାସଗୃହ ଓ ଅନ୍ୟାନ୍ୟ ଯାବତୀୟ ସମର୍ଥତାର କ୍ଷେତ୍ରରେ ଜନଗଣଙ୍କୁ ଧୋକା ଦେଲେ । ରାଜନୀତି ମନୁଷ୍ୟମାନଙ୍କର ଦୁଃଖ ବଢ଼ାଇବାରେ ହିଁ ନିମିତ୍ତ ହେଲା । ବିଜ୍ଞାନର ମହତ କେଉଁଠି ରହିଥିଲା ଯେ, ପ୍ରଧାନମନ୍ତ୍ରୀ ଜୟ ବିଜ୍ଞାନ ବୋଲି କହିଲେ ? ପାକିସ୍ଥାନ ସହିତ ଆଉ ଏକ ଯୁଦ୍ଧ ଲାଗିଥିବା ସମୟରେ ଆଉ ଜଣେ ପ୍ରଧାନମନ୍ତ୍ରୀ ଜୟ କିଷାନ ବୋଲି କହିଥିଲେ । ସେହି ସ୍ଳୋଗାନଟା ରଥରେ ପତାକା ହୋଇ ସେତେବେଳେ ବେଶ୍ କାମ ଦେଇଥିବ । ଏହି ନୂଆ ସ୍ଳୋଗାନଟିର ଦଶା କ’ଣ ସେହିପରି ହେବ ? କେଜାଣି ?

 

୦୬ । ୦୭ । ୯୮

Image

 

ଓଡ଼ିଆର ପରିଚିତ

 

ଧଉଳି ପାହାଡ଼ ତଳେ ପ୍ରାୟ ଦୁଇହଜାର ବର୍ଷ ତଳେ କଳିଙ୍ଗର ପାଇକମାନଙ୍କର ରକ୍ତରେ ଦୟାନଦୀର ପାଣି ନାଲିଆ ହୋଇ ଯାଇଥିଲା ବୋଲି ଆମେ ପାଠ୍ୟ ପୁସ୍ତକର ଗୋଟିଏ କବିତାରେ ପଢ଼ିଥିଲୁ । ସାହିତ୍ୟ ଶିକ୍ଷକ କେଡ଼େ ଭାବପ୍ରବଣ ହୋଇ ଆମକୁ ସେହି କଥାମାନ କହୁଥିଲେ । ଅନେକ ସମୟରେ ସେହି କବିତାର ଧାଡ଼ିଗୁଡ଼ିକ ପରୀକ୍ଷାରେ ଆମକୁ ସରଳାର୍ଥ ଲେଖିବାକୁ ଦିଆ ଯାଉଥିଲା ଓ ତାହାକୁ ଚିତ୍ତ ଛୁଇଁଲା ଭଳି ଲେଖିବାରେ ଆମେ ପିଲାମାନେ ଜଣେ ଆଉ ଜଣକୁ ଟପି ଯାଉଥିଲୁ । ସେହି ଅନୁସାରେ ନମ୍ବର ମଧ୍ୟ ପାଉଥିଲୁ । ତାପରେ ଉପର ଶ୍ରେଣୀମାନଙ୍କୁ ଯାଉଥିବା ସଙ୍ଗେ ସଙ୍ଗେ ଓଡ଼ିଶାର କଥା ଇତିହାସରେ ଆସିଲା । ଭୂଗୋଳରେ ମଧ୍ୟ ଆସିଲା । କିନ୍ତୁ ଗୋଟିଏ ଗୋଟିଏ ବିଷୟରେ ହିସାବରେ ଭୂଗୋଳ ଓ ଇତିହାସ ଭିତରେ ଆବେଦନଗତ କ’ଣ ସବୁ ଫରକ ରହିଛି କେଜାଣି, ଇତିହାସ ବେଳକୁ ଯେପରି ଆଖି ଛଳ ଛଳ ହୋଇ ଉଠୁଥିଲା ଏବଂ ହୃଦୟ ଭିତରେ ସତେଅବା କେତେ କ’ଣ ଦାଉ ଦାଉ ହୋଇ ଜଳି ଉଠୁଥିବା ପରି ମାନେ ହେଉଥିଲା, ଭୂଗୋଳ ବେଳକୁ ସେପରି କିଛି ଘଟୁନଥିଲା । ମୋ ମନ ଇତିହାସରେ ଥିଲା, ଭୂଗୋଳରେ ବି ରହିଥିଲା ।

 

ଭୂଇଁଟା ତ ସବୁବେଳେ ଥିଲା; ମାତ୍ର ଓଡ଼ିଶା କେଉଁଠି ଥିଲା ? ଏବଂ ସେହି ନ୍ୟାୟରେ ପଚାରିବାକୁ ମନ କାଲେ, ଓଡ଼ିଆମାନେ କେଉଁଠି ଥିଲେ ? ସମ୍ରାଟ ଖାରବେଳ ଅସାଧାରଣ ବୀରତ୍ଵ ପ୍ରଦର୍ଶନ କରି ଯେତେବେଳେ ଗଙ୍ଗାରୁ ଗୋଦାବରୀ ଯାଏ ଦେଖି ଆସିଥିବେ, ସେତେବେଳେ ସିଏ ତାହାକୁ ନିଜର କୃତିତ୍ଵ ବୋଲି ସିନା ଅନୁଭବ କରିଥିବେ, ତାହାକୁ ଓଡ଼ିଆଙ୍କର ଗୌରବ ବୋଲି ଆଦୌ କହିନଥିବେ । ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ରହିବା ଉଚିତ ନୁହେଁ । ଶ୍ରୀ କପିଳେନ୍ଦ୍ର ଦେବ ଓ ଶ୍ରୀ ପୁରୁଷତ୍ତମ ଦେବ ରାଜ୍ୟ ବିଜୟ କରି ଯାହାସବୁ କୀର୍ତ୍ତି ଅର୍ଜନ କରିଛନ୍ତି, ସେଥିରୁ ସେମାନେ ଆଦୌ କାହାକୁ ହେଲେ କୌଣସି ଭାଗ ଦେଇନଥାନ୍ତେ । ସେମାନଙ୍କର ସେହି ସଫଳତା ସମଗ୍ର ଓଡ଼ିଆ ଭୂମି ବା ଓଡ଼ିଆଜାତିର ବୋଲି ସେତେବେଳେ ସେମାନଙ୍କୁ କେହି କହିଥିଲେ ସେମାନେ ହୁଏତ ନିଜେ ହିଁ କେତେ କ୍ଷୋଭ ପ୍ରକାଶ କରିଥାନ୍ତେ । ଏହି ଉଭୟଙ୍କ ବିଷୟରେ ପଣ୍ଡିତ ଗୋଦାବରୀଶ ମିଶ୍ର ତାଙ୍କ ଲିଖିତ ନାଟକଦ୍ଵୟରେ ଯାହାସବୁ କହିଛନ୍ତି, ତାହା ଆଦୌ ଇତିହାସ ହୁହେଁ । ତାହାହେଉଛି ନାଟକ । ସେପରି କରିବା ନିମନ୍ତେ ସେତେବେଳେ ଏକ ଆବଶ୍ୟକତା ରହିଥିଲା ବୋଲି ଇତିହସକୁ ମୋଡ଼ିମାଡ଼ି ନାଟକରେ ପରିଣତ କରଯାଇଥିଲା । ମୋଗଲ ସରକାର ଏଣେ ଆସିବା ପରେ ଯାଇ ଏହି ଭୂମିକୁ ଓଡ଼ିଶା ବୋଲି କହିଲେ ଏବଂ ଭୂମିର ଅଧିବାସୀମାନେ ଓଡ଼ିଆ ହେଲେ । ଇଂରେଜ ହାକିମମାନେ ସେହି ନାଆଁକୁ ହିଁ ରଖିଲେ । ଆମେ ସେହିଦିନ ଠାରୁ ଓଡ଼ିଶା ହେଲୁ । ନିଜକୁ ଓଡ଼ିଆ ବୋଲି ଅନୁଭବ କରିବାକୁ ଚେଷ୍ଟା କଲୁ । ଶାସନଗତ ସୁବିଧା ସକାଶେ ଓଡ଼ିଶାରେ କେତେ କେନାକୁ କେତେ କେତେ ଅନ୍ୟ ଭୂମି ସହିତ ମଧ୍ୟ ଯୋଡ଼ି ଦିଆଯାଇଛି । ବ୍ରିଟିଶ ଶାସନ ପରେ ଓଡ଼ିଶାର କେତେ ବ୍ୟକ୍ତିଙ୍କ ମୁଣ୍ଡରେ ଜାତିତ୍ଵ ନାମକ ଯେଉଁ ନୂଆ ଭବନାଟି ଆସି ଢୁକିଲା, ସେଇଥିରୁ ନିଜକୁ ଓଡ଼ିଆ ବୋଲି କହିବାର ଚଳଣିଟି ସହିତ କିଛି ଅଧିକ ମାଂସ ହାଡ଼ ଯୋଡ଼ି ଦିଆଗଲା । ଭୂମିକୁ ଇଂରେଜ କବିମାନଙ୍କର ଅନୁକରଣରେ ଜନନୀ ବୋଲି କୁହାଗଲା । ଏପରିକି ଶ୍ରୀ ଗୋପବନ୍ଧୁ ଦାସଙ୍କର ଜାତୀୟତାବାଦୀ କବିତାରେ ଆମକୁ ଠାଏ ଠାଏ ଇଂରେଜୀରେ ଲିଖିତ ତତ୍ତୁଲ୍ୟ ଧାଡ଼ିମାନଙ୍କର ପ୍ରାୟ ଅନୁବାଦମାନ ଦେଖିବାକୁ ମିଳିବ । ଏଥିରେ ଆଦୌ କୌଣସି ଅସାଧୁତା ନଥିଲା । ନିଜର ବୋଲି ଗୋଟିଏ ମୂଳଦୁଆ ତିଆରି କରିବାକୁ ହେଲେ ଅନ୍ୟ ଏକାଧିକ ବ୍ୟକ୍ତିଙ୍କର ଡିହରୁ ମାଟି ଆଣିବାକୁ ହିଁ ପଡ଼ିଥାଏ ।

 

ନିଜକୁ ମୂଲ୍ୟାୟନ କରିବାର ରୀତି ଦୁଇ ପ୍ରକାରର । ଗୋଟିଏ ପଛକୁ ଅନାଇ ଉତ୍ସ ଗୁଡ଼ିକର ସନ୍ଧାନ କରେ, ନିଜର ଅନୁମାନମାନଙ୍କୁ ସର୍ଜନାତ୍ମକତା ଦେଇ ତାହା ସୃଷ୍ଟି ଚିତ୍ତରେ ନୂଆ ଉତ୍ସଗୁଡ଼ିକୁ ମଧ୍ୟ ନିଜ କଳ୍ପନା ଭିତରେ ଠାବ ବି କରେ । ଏଥିରି ଭାରି ଉନ୍ନାଦନା ମିଳେ ସିନା ମାତ୍ର ହୃଦୟ ପୂରେନାହିଁ । ଜଣେ ମଣିଷ ନିଜ ପାଖରୁ, ସତ୍ୟପାଖରୁ ପଳାଇ ଯିବାପାଇଁ ମନ କରୁଥିଲେ ହୁଏତ ଉନ୍ମାଦନାଟା ଭାରି ଭଲ ଲାଗେ । ଅନ୍ୟ ରୀତିଟି ସାମନାକୁ ଅନାଇବାର ରୀତି । ଓଡ଼ିଆ ଆମ ଅତୀତରେ ଆଗ ଅଛି ? ଚତୁର୍ଦ୍ଦିଗରେ ରହିଛି ବୋଲି ହିଁ ଅତୀତରେ ଅଛି । ମାତ୍ର ଯେଉଁ ମଣିଷମାନେ ସତେ ଅବା ଏକ ଅନ୍ୟ ଉତ୍ସାହାର ଜରିବରେ ମାପିବାର କେଡ଼େ କେଡ଼େ ଉପକରଣମାନ ଧରି ଓଡ଼ିଶାକୁ ଠାବ କରିବା ନିମନ୍ତେ ଦୂର ଦୂର ଅତୀତ ଭିତରକୁ ଧାଇଁ ପାଳାନ୍ତି ଓ ତାହାକୁ ଗବେଷଣା ବୋଲି କହନ୍ତି, ସେମାନଙ୍କର ହୃଦୟ ପ୍ରକୃତରେ ଭାରି ଟାଣ ହୋଇଥିବ । ସେଦିନ ତ ସଭାର ଜଣେ ବନ୍ଧୁ କେଡ଼େ ଉଚ୍ଚାଟରେ ଓଡ଼ିଆଜାତିର ସୂତାଟା ପଛକୁ ଲମ୍ବି ଲମ୍ବି ଏକାବେଳକେ ପ୍ରାଗ୍ ଐତିହାସିକ ଯୁଗମାନଙ୍କୁ ଛୁଇଁକରି ରହିଛି ବୋଲି କହିଥିଲେ । ତଥାପି ସର ଲବଣୀ ଖିଆ ଅତୀତର ସେହି ଓଡ଼ିଶା ଆମ ଚତୁଃଦିଗରେ ମଧ୍ୟ ରହିଛି ଓ ଆମେ କିଞ୍ଚିତ୍ ଆଖି ପକାଇ ତାକୁ ମଧ୍ୟ ଦେଖିବା ବୋଲି ସେହି ଅନ୍ୟ ଆହ୍ୱାନଟିକୁ ସତେ ଅବା କେଡ଼େ ଖୁସି ହୋଇ ଭୁଲିଯାଉଥିଲେ ।

 

ଓଡ଼ିଆ ଜାତି କହିଲେ ଯାହାର ଖାରବେଳ ମନ ପଡ଼ିଯାଆନ୍ତି । ଜାଭା ଓ ବାଲିଦ୍ଵୀପମାନଙ୍କୁ ଯାଉଥିବା ସାଧବମାନେ ମନେ ପଡ଼ିଯାଆନ୍ତି, କାଞ୍ଚି ବିଜୟ ମାନେ ପଡ଼େ, ବାରବାଟୀ ଦୁର୍ଗ ଅଙ୍ଗେ ନିଭାଇଥିବା କେତେ ସବୁ ଗାଥା ଏତେ ପ୍ରବଳ ଭାବରେ କଳ୍ପନାଟା ଉପରେ ମାଡ଼ିହୋଇ ପଡ଼େ, ଅଥଚ ସେହି ଉତ୍ସାହରେ ଆମର ଏହି ସାମ୍ପ୍ରତିକ କାଳରେ ଓଡ଼ିଶା ନାମକ ଏହି ଭୂମିରେ କଲବଲ ହେଉଥିବା ନିୟୁତ ନିୟୁତ ମଣିଷ ମନେପଡ଼ନ୍ତି ନାହିଁ, ସେମାନଙ୍କର କଲିଜା ନିଶ୍ଚୟ ଏକ ଭିନ୍ନ ଉପାଦାନରେ ତିଆରି ହୋଇଥିବ । ଆମର ଚତୁଃଦିଗରେ ଯେଉଁ ଓଡ଼ିଶାଟା ବିସ୍ତାରିତ ହୋଇପଡ଼ିଛି, ସେଥିରେ ଯେଉଁମାନେ ପ୍ରାୟ ଭାଗ୍ୟର ବରାଦ ଅନୁସାରେ ଧନ ସ୍ଥାନରେ ରହି ଋଣ ସ୍ଥାନରେ ରହିଥିବା ଅନ୍ୟମାନଙ୍କୁ ଭାଲୁ ପରି ଚାଟିନେବାରେ ଲାଗିଛନ୍ତି, ପ୍ରାୟ ନିୟମତଃ ସେହିମାନେ ହିଁ ଅତୀତକୁ ନେଇ ଫୁଲେଇ ହୁଅନ୍ତି, ନାଚ ଗୀତାକୁ ନେଇ ସଂସ୍କୃତିରେ ରମଣ କରନ୍ତି । ସେମାନେ ଉପରେ ଥାଆନ୍ତି, ଉଚ୍ଚ ପଦରେ ଥାଆନ୍ତି, —ଇଷ୍ଟଦେବ ଜଗନ୍ନାଥଙ୍କ ସହିତ ଓଡ଼ିଶା ଚିରକାଳ ଲାଗି ଧନ୍ୟ ହୋଇଛି ବୋଲି କେଡ଼େ ବିଗଳିତ ହୋଇକହୁଥାନ୍ତି । ଏକା ବହୁ ଅସହାୟତାପୂର୍ଣ୍ଣ ସମାଜରେ ଯେଉଁମାନେ ତଥାପି ଉତ୍ତମ ଏବଂ ସମ୍ପନ୍ନମାନଙ୍କର ମେଳ ଭିତରେ ଗଣାହେଉଥାନ୍ତି, ସେହିମାନେ ହିଁ ଓଡ଼ିଆମାନଙ୍କର ମେଳ ଭିତରେ ଗଣାହେଉଥାନ୍ତି, ସେହିମାନେ ହିଁ ଓଡ଼ିଆମାନଙ୍କର ପୂର୍ବ ଗୌରବ ବିଷୟରେ ତୁମକୁ କାହାଣୀମାନ କହି ଗୋଟାସୁଦ୍ଧା ଚକିତ କରିଦେବାକୁ ଇଚ୍ଛା କରୁଥାନ୍ତି । ଏମାନଙ୍କୁ ଦେଖି ମୁଁ ସବୁବେଳେ ଭାରି ଚକିତ ହୋଇଯାଏ । ଅସାଧୁ ନେତାଟାଏ ସାଧୁତା ବିଷୟରେ ପ୍ରବଚନ ଉଦ୍‍ଗାରୁଥିବାର ଶୁଣିଲେ ଯେମିତି ତା’ ମୁହଁକୁ ନେଥାଏ ଛେପ ପକାଇଦେଇ ସେଠାରୁ ପଳାଇଯିବାକୁ ଇଚ୍ଛା ହୁଏ, ଏଠାରେ ମଧ୍ୟ ଠିକ୍ ସେହିଭଳି ଲାଗେ ।

 

ତେଣୁ, ଓଡ଼ିଆର ପରିଚିତକୁ ଆମେ ଏଣିକି ଇତିହାସରେ ଖୋଜିବାକୁ ଯିବା ନାହିଁ କି ଗବେଷଣା କରି ବାହାର କରିବାକୁ ଚେଷ୍ଟା କରିବା ନାହିଁ । କାରଣ, ଅସଲ ସତ୍ୟଟି ହେଉଛି ଯେ, ମୁଁ ଯେତିକି ପରିଚୟ ଇଚ୍ଛା କରିବି, ମୋ’ ପରିଚିତିର ଆୟତନଟି ମଧ୍ୟ ଠିକ୍ ତାହାରି ଅନୁସାରେ ନିର୍ଦ୍ଧାରିତ ହେବ । ଓଡ଼ିଶା ନାମକ ଏହି ଭୂଖଣ୍ଡଟିରେ ଯେତେ ମଣିଷ ବସବାସ କରୁଛନ୍ତି, ମୁଁ ଇଚ୍ଛାକଲେ ସେମାନଙ୍କୁ ସିନା ମଣିଷ ବୋଲି ସ୍ଵୀକାର କରିବି, ମାତ୍ର ଇତିହସରୁ ପ୍ରମାଣ କାଢ଼ି ମତେ କିଏ କିପରି କେଉଁ ପରିଚିତିର ଖୁଣ୍ଟରେ ଆଣି ବାନ୍ଧିଦେଇପାରିବ ? ଯଦି ମୁଁ ସତ ଆହ୍ଵାନଗୁଡ଼ିକ ଆଗରୁ ଚାହାଳୀଚୋରଙ୍କ ପରି ଖସି ପଳାଇବାକୁ ହିଁ ବାଟ ଖୋଜୁ ଥିବି, ତେବେ କୌଣସି ଶାସ୍ତ୍ରପ୍ରମାଣ କିପରି ମତେ ପରିଚିତିର କୌଣସି ଖୁଣ୍ଟରେ ଆଣି ବାନ୍ଧି ରଖି ପାରିବ ? ଏହି ଶତାବ୍ଦୀର ପ୍ରଥମ ଦଶକରେ ଯେଉଁମାନେ ଉତ୍କଳ ଜନନୀଙ୍କ ସକାଶେ ବିଳାପ କରୁଥିଲେ ଏବଂ ଓଡ଼ିଶାର ଏକା ସ୍ଵତନ୍ତ୍ର ପରିଚିତ ଲାଗି ହୁଙ୍କାର ଦେଉଥିଲେ, ସେମାନଙ୍କର ନିଜ ପରିଚିତ ପ୍ରକୃତରେ କ’ ଣ ବା କିପରି ଥିଲା ? ମୋ’ ଘରେ ଯେଉଁ ଚାକର ପିଲାଟି କମ ଖଟୁଛି, ହଠାତ୍ ତା’ସହିତ ଓଡ଼ିଆର ପରିଚିତିରେ ବାନ୍ଧିହୋଇ ରହିବାକୁ ସଂକଳ୍ପ କଲେ, ମୋତେ ସିଏ ସମ୍ଭବତଃ ନିଜର ପୁଅ ପରି ଲାଗିବ । ତା’ପରେ ମୁଁ ତାକୁ ସାଙ୍ଗରେ ବସାଇ ଖୁଆଇ ପାରିବି ଓ କିଛି ସମୟ ଦେଇ ତାକୁ ଦି’ ଅକ୍ଷର ପାଠ ପଢ଼ାଇ ଦେବାକୁ ମଧ୍ୟ ମନ କରିବି । ଏହି ପରିଚିତିଟି କ’ଣ ବହି ପଢ଼ିଲେ ବା ଗବେଷଣାରେ ତଥ୍ୟଗୁଡ଼ାକୁ ଜାଣିଲେ ହୋଇଯିବ ? ନା, ସେଥିପାଇଁ ଆଉ କିଛିର ଆବଶ୍ୟକତା ଥିବ, ଯାହା ମୋ’ ଠାରେ ନାହିଁ ବୋଲି ମୁଁ ଗବେଷଣା କରି ଅଥବା ବହିଗୁଡ଼ାକୁ ପଢ଼ି ମଧ୍ୟ ସେପରି ଆଚରଣ କରିପାରୁ ନାହିଁ ?

 

ଓଡ଼ିଶାରେ ମୋ ଚାରିପାଖରେ ଖାଲି ଓଡ଼ିଆମାନେ ହିଁ ମୋତେ ବେଢ଼ି ରହିଛନ୍ତି । ମୁଁ ସେମାନଙ୍କ ସହିତ ଯେଉଁ ପରି ପରିଚୟରେ ଗଅଁଠାଇ ହେବାକୁ ସ୍ଥିର କରିବି ସେହି ଅନୁସାରେ ସେମାନେ ମୋ’ ସୀମାଟି ଭିତରକୁ ଆସିବେ, ମୋତେ ଅନୁରୂପ ଭାବରେ କ୍ରିୟାଶୀଳ କରିବେ । ଅଧ୍ୟାପକ ଯୋଉମାନଙ୍କୁ ପାଠ ପଢ଼ାଉଛି, ସେମାନେ ମଧ୍ୟ ଓଡ଼ିଆ । ଯୋଉ ଅଧ୍ୟାପକ ଆପଣାକୁ ପଣ୍ୟ ପରି ଦେଖିନ୍ତି, ସେମାନଙ୍କୁ ନିଜର ଛାତ୍ରମାନେ ମଧ୍ୟ ପଣ୍ୟ ପରି ଦେଖାଯାଉଥାନ୍ତି । ମାତ୍ର, ଯଦି ଥରେ ଏକ ଅନ୍ୟ ପରିଚିତ ସମ୍ଭବ ହୋଇଯାଏ, ତେବେ ଅଧ୍ୟାପକଟିଏ ଠକିବାକୁ କିପରି ମନ କରିବା, —ସିଏତ ଅଧିକ ଶ୍ରଦ୍ଧାର ସହିତ ନିଜେ ପଢ଼ିବ ଏବଂ ଶ୍ରଦ୍ଧାର ସହିତ ନିଜକୁ ସର୍ବୋତ୍ତମ ଭାବେ ଦେବା ଲାଗି ଆପେ ଆପେ ପ୍ରସ୍ତୁତ ହୋଇଯିବ । ନିଜକୁ ଓଡ଼ିଆ ବୋଲି ଅନୁଭବ କରୁଥିବା ସମ୍ପନ୍ନ ମଣିଷ ମାନଙ୍କର ଅସହାୟତାକୁ ବା କିପରି ସହ୍ୟକରିବ ? ସିଏ ସେମାନଙ୍କୁ ଠକିବ କିପରି, ସେମାନଙ୍କୁ କିପରି ଗୋଡ଼ି ମାଟି ପରି ହେୟଜ୍ଞାନ କରିବ ? ଆମ ଶିକ୍ଷିତମାନେ ନିଜକୁ ଓଡ଼ିଆ ବୋଲି ସ୍ଵୀକାର କରି ନେଇଥିଲେ ଏଠି ଲକ୍ଷ୍ୟ ଲକ୍ଷ୍ୟ ମଣିଷ କିପରି ଅଶିକ୍ଷିତ ହୋଇ ରହିଥିବେ ? ନିଜକୁ ଓଡ଼ିଆ ବୋଲି ନିଜ ପାଖରେ ପରିଚିତି ଦେଇପାରୁଥିବା ବ୍ୟକ୍ତିଟିଏ ଅନ୍ୟ ଓଡ଼ିଆଙ୍କୁ ଠକିବା କିପରି, ଶୋଷଣ କରିବ କିପରି ? ଓଡ଼ିଶାରେ ଉପର ଏବଂ ଶିକ୍ଷିତ ଭାଡ଼ିମାନଙ୍କରେ ଦିନରାତି ତସ୍କରମାନଙ୍କର ଯେଉଁ ଲୀଳା ଚାଲିଛି, ସେମାନେ ତ ଭଲ ଦିନମାନଙ୍କର ଆମକୁ ଓଡ଼ିଆ ଜାତିର ଅତୀତ ବିଷୟରେ କେତେ ମଣ୍ଡାପିଠା ଖୁଆଇବାରେ ଲାଗିଛନ୍ତି, ମାତ୍ର ତେଣେ ନିଜ ଭିତରେ ନିଜର ପରିଚିତିଟିକୁ ସଜାଡ଼ି ପାରୁନାହାନ୍ତି କାହିଁକି ? ସେମାନେ ମୁଖା ପିନ୍ଧିଛନ୍ତି କି ? ସାଢ଼େ ତିନିକୋଟି ମଣିଷଙ୍କର ଏହି ବିପୁଳ ସମ୍ପଦ ଓ ସମ୍ଭାବନରେ ଭରା ଭୂମିଟି; —ଏଠାରେ ବାବୁମାନେ ଧୋବମାନେ ଓଡ଼ିଆ ହୋଇପାରୁଥିଲେ ଏହି ରାଜ୍ୟର ଚେହେରାଟା ହିଁ ଆଉ ପ୍ରକାରେ ହୋଇ ଯାଆନ୍ତା । ତାହା ହୋଇ ପାରୁନାହିଁ, କାରଣ କଥା କହୁଥିବା ମଣିଷମାନେ ଆମକୁ ଚିତା କାଟୁଛନ୍ତି ।

 

ତେଣୁ ହେ ବନ୍ଧୁମାନେ, ଚାଲନ୍ତୁ ଆମେ ନିଜର ପରିଚିତି କଥାଟା ହିଁ ସବାଆଗ ବିଚାର କରିବା । ଆମ ନିଜ ସହିତ ଓଡ଼ିଶାରେ ଆମେ କେଉଁ ମାନଙ୍କ ସହିତ ନିଜକୁ ଓଡ଼ିଆ ବୋଲି ଗଣାକରୁଛୁ, ସେହି କଥାଟିକୁ ଜାଣିବା । ନା, ଚାରିପାଖରେ ମଣିଷମାନଙ୍କୁ ଛାଡ଼ି ପ୍ରତାପରୁଦ୍ର ଏବଂ ଅନଙ୍ଗଭୀମଙ୍କ ପର୍ଯ୍ୟନ୍ତ ଡେଇଁପଡ଼ିବା ? ଆହୁରି ବାସ୍ତବ ଭାବରେ କହିଲେ, ବର୍ତ୍ତମାନର ଚତୁର୍ଦ୍ଦିଗରେ ମଣିଷମାନଙ୍କୁ ଅବଜ୍ଞା ପ୍ରଦର୍ଶନକରି ଖାରବେଳ ବା କପିଳେନ୍ଦ୍ରଙ୍କର ଖଟଖୁରାରେ ଯାଇ ନିଜକୁ ବାନ୍ଧି ରଖିବା ପାଇଁ ପାଞ୍ଚ କରୁଥିବା ? ଓ ତାହାକୁ ଏକାନ୍ତ ଅଶାଳୀନ ଭାବରେ ଗବେଷଣା ବୋଲି କହୁଥିବା ? ଏବେ ତ ଆମ ସାମୂହିକ ଜୀବନର ସକଳ ଅବସରରେ ହିଁ ସହୃଦୟତା ଅପେକ୍ଷା ଅବଜ୍ଞା ଏବଂ ଉପେକ୍ଷା ହିଁ ଅଧିକ ଦେଖିବାକୁ ମିଳିବ । ଘରେ ଉପେକ୍ଷା, ଦାଣ୍ଡରେ ଉପେକ୍ଷା, କଚେରୀରେ ଉପେକ୍ଷା, ବିଦ୍ୟାଳୟରେ ଉପେକ୍ଷା, କ୍ଷମତାସୀନ ବଡ଼ ଅର୍ଥାତ୍ ଜଡ଼ମାନଙ୍କର ଦରବାରମାନଙ୍କରେ ଉପେକ୍ଷା । ଏପରିକି ଓଡ଼ିଶାରେ ଶହେରେ ନବେ ମଣିଷ ଯେଉଁ ଭାଷାରେ କଥା ହୁଅନ୍ତି, ବାକି ଦଶଜଣଙ୍କର ଯାବତୀୟ ଅବସରରେ ସେଇଟି ପ୍ରତି ଏକ ଚରମ ଉପେକ୍ଷା । ଦୂରତ୍ଵ ଗୁଡ଼ିକ ହିଁ ସଚରାଚର ଯାବତୀୟ ପରିଚିତି ଲାଗି ସର୍ବପ୍ରଧାନ ବାଧା ହୋଇ ଛିଡ଼ା ହୋଇଥାନ୍ତି ଏବଂ ବୁଦ୍ଧିଆମାନଙ୍କର ବୁଦ୍ଧିଗୁଡ଼ାକୁ ପ୍ରାୟ ଦୂର୍ବୁଦ୍ଧିରେ ହିଁ ପରିଣତ କରି ରଖିଥାନ୍ତି । ସେହି ଦୁର୍ବୁଦ୍ଧି ହିଁ ବର୍ତ୍ତମାନ ଓଡ଼ିଶାରେ ରାଜନୀତିକୁ ପ୍ରାୟ ଏକ ଅମାନୁଷିକତାରେ ପରିଣତ କରି ରଖିଛି । ଏଠି ଅମଲାତନ୍ତ୍ର ମଧ୍ୟ ଏଭଳି ଆଚରଣ କରୁଛି । ସତେ ଯେପରି ସିଏ ବାହାରୁ କାହାଦ୍ଵାରା ପେଶା ହୋଇ ଏଠାକୁ ଆସିଛି, ପୂରା ଓଡ଼ିଶାଟାକୁ ଚାଟି ଖାଇଦେବ ବୋଲି ଆସିଛି ।

 

ଆମ ଭିତରେ ଏକ ଅନ୍ୟ ବିବେକର କଥା ମାନିଲେ ଆମେ ନିଜର ପରିଚିତିଟିକୁ ବଢ଼ାଇ ଓଡ଼ିଶାକୁ ନିଜର ଘରଟିଏ ପରି ଅନୁଭବ କରିପାରିବା ା ତେଣୁ, ଓଡ଼ିଶାରେ ଶିକ୍ଷିତ ମାନଙ୍କ ଭିତରେ ଅଧିକ ପରିମାଣରେ ସେହି ବିବେକଟିର ହିଁ କର୍ଷଣ ହେଉ । ଆଧୁନିକ ଓଡ଼ିଶା ସାହିତ୍ୟ ସେହି ବିବେକଟି ଠାରୁ ସମ୍ପର୍କ ଛିନ୍ନ କରି ଏବେ ମଧ୍ୟ ପିନ୍ଧିବା ଲୁଗାଟାକୁ ମୁଣ୍ଡରେ ଠେକା କରି ବାନ୍ଧି ଆହୁରି କୋଉ କୋଉ ମୂଲକମାନଙ୍କରେ ବୁଲୁଛିଯେ, ଚତୁର୍ଦ୍ଦିଗରେ ରହିଥିବା ମଣିଷମାନଙ୍କୁ ହାତ ବଢ଼ାଇ ଆଦୌ ଛୁଇଁ ପାରୁନାହିଁ । ଫଳରେ, ସାହିତ୍ୟ ମୁଖ୍ୟତଃ ସୌଖୀନମାନଙ୍କର ହିଁ ଏକ ଆତ୍ମରତିପୂର୍ଣ୍ଣ ଗୁହାଳରେହିଁ ପରିଣତ ହୋଇଯାଉଛି । ଜଣେ ଜଣେ ଓଡ଼ିଆ ହିସାବରେ ଆମର ପରିଚିତ କ୍ରମେ ଅଧିକ ସୁସ୍ଥ ହୋଇ ଆସିଲେ, ଅର୍ଥାତ୍ ଆମର Prodigal son ମାନେ ପୁନର୍ବାର ଘରକୁ ଫେରିଆସିଲେ, ତା’ପରେ ଏଠି ସାମନ୍ତ ହୋଇ ଶୋଭା ପାଇବାକୁ ଆମକୁ ଭାରି ଲାଜ ମାଡ଼ିବ । ଏପରିକି ଜଗତର ନାଥଙ୍କୁ ମଧ୍ୟ ସାମନ୍ତ କହିବାକୁ ଆଉ ମୋଟେ ମନ ହେବନାହିଁ । ନିଜର ଜୀବନରେ ଅଧିକରୁ ଅଧିକ ଆଗ୍ରହର ସହିତ ଅଧିକରୁ ଅଧିକ ମଣିଷଙ୍କର ନିକଟବର୍ତ୍ତୀ ହୋଇ ଆସିବା, ସେମାନଙ୍କୁ ଆଦୌ ଗୋଡ଼ିମାଟି ପରି ନଦେଖିବା, ଜୀବନରେ ଅସଲ ପରିଚିତିଗୁଡ଼ିକ ସର୍ବଦା ଏହି ନୀତିରେ ହିଁ ହୋଇଯାଏ । ସେହି ପରିଚିତିଟି ଉପରେ ଉଚିତ ଗୁରୁତ୍ଵ ଦିଆଯାଉଥିଲେ ଭାରତବର୍ଷରେ ଜାତିଭେଦର କୌଣସି ଆବଶ୍ୟକତା ହୁଅନ୍ତା ନାହିଁ । ଇଂରାଜୀ ଭାଷାକୁ ଆୟତ୍ତ କରି ପକାଇଲା ବୋଲି ଜଣେ ବ୍ୟକ୍ତିକୁ ତା ଘରେ ଶିଖିଥିବା ଭାଷାକୁ ଅବଜ୍ଞା ଦେଖାଇବାରେ ଧର୍ମସଂକଟରେ ପଡ଼ିବାକୁ ହୁଅନ୍ତା ନାହିଁ । ଓଡ଼ିଶାରେ ଜୀବନ କେଡ଼େ ସହଜ ହୋଇଯାନ୍ତା ଓ ଓଡ଼ିଆମାନେ ଅନ୍ୟ ଯେକୌଣସି ଓଡ଼ିଆମାନଙ୍କ ପାଖରେ ବସି କେଡ଼େ ହାଲୁକା ବି ଅନୁଭବ କରନ୍ତେ । ଓଡ଼ିଶାରୁ କପଟ ହ୍ରାସ ପାଆନ୍ତା, ସାହିତ୍ୟ ଭୂମି ଛାଡ଼ି ବ୍ୟକ୍ତିଗତ ମିଛ ପ୍ରଶସ୍ତିର ପଛରେ ଦୌଡ଼ିବାକୁ ଏକ ଲଜ୍ଜା ବୋଲି ଭାବନ୍ତା । ସିଏ ଏପରି ଏକ ସମୟ, ଯାହା ଓଡ଼ିଶାକୁ କେବେହେଲେ ଆସିନାହିଁ । ମାତ୍ର, ଯାହା ଆସି ପାରିଲେ ଓଡ଼ିଶାରେ ଆମ ସମସ୍ତଙ୍କର ଏକ ପୁନର୍ଜନ୍ମ ହୁଆନ୍ତା । ଜାତୀୟ ଜୀବନ ହୁଏତ ଯାବତୀୟ ଅର୍ଥରେ ଏକ ଆତ୍ମିକ ଜୀବନର ଗାରକୁ ସ୍ପର୍ଶ କରନ୍ତା । ତେବେ ପଣ୍ଡିତ କିମ୍ବା ପ୍ରବରମାନଙ୍କୁ ଗବେଷଣା କରି ଅଥବା ସମ୍ମିଳନୀ ଡାକି ମିଛ ପରିଚିତିଗୁଡ଼ିକର ଭଣ୍ଡିମା ଗାଇ ଏତେ ଏତେ କସରତ କରିବାକୁ ମଧ୍ୟ ହୁଅନ୍ତା ନାହିଁ ।

 

୧୩ । ୦୭ । ୯୮

Image

 

ବହୁତଙ୍କୁ ବଞ୍ଚିତ କରି

 

ଭାରତବର୍ଷରେ ବହୁତପଟେ ରହିଥିବା ମଣିଷଙ୍କୁ ସବୁଦିନେ ବଞ୍ଚିତ କରି ରଖାଯାଇଛି । ମଣିଷମାତ୍ରେ ସମସ୍ତଙ୍କ ନିମନ୍ତେ ସର୍ବନିମ୍ନ ନିର୍ଭରର ସଂସ୍ଥାନଟିଏ ସମ୍ଭବ କରି ପାରିବା ଲାଗି ସ୍ଵାଧୀନ ଭାରତବର୍ଷରେ ସର୍ବପ୍ରଥମ ଚେଷ୍ଟା ହେବ ବୋଲି ସ୍ଵାଧିନତାର ସଂଗ୍ରାମ ଚାଲିଥିବା ସମୟରେ ଏଠି କେତେ ଭରସା ଦିଆଯାଇଥିଲା । ସେହି ଭରସାକୁ ସାକାର କରିବାକୁ ହିଁ ସ୍ଵାଧୀନତା ଆସିଥିଲା । ମାତ୍ର ପଚାଶଟା ବର୍ଷ ଭିତରେ ଅଳପମାନେ ହିଁ ଏହି ଦେଶଟାକୁ ପୂରା ଭୋଗ କରିବେ ବୋଲି ବହୁ ଚତୁରତାର ସହିତ ଯାବତୀୟ ପରିବର୍ତ୍ତନର ମଙ୍ଗଗୁଡ଼ିକୁ ନିଜ ଫିସାଦ ଅନୁସାରେ ମୋଡ଼ିଦେଲେ ଯେ ବର୍ତ୍ତମାନ ଦେଶରେ ଯାହାକିଛି ହେଉଛି, ସତେଅବା ବହୁତଙ୍କୁ ବଞ୍ଚିତ କରି ରଖିବା ମତଲବରେ ହିନ ତାହା ହେଉଛି । ଦାଣ୍ଡରେ ଶୋଭାଯାତ୍ରା ଲାଗି ରହିଛି । ଅଳପଙ୍କର ପ୍ରତିନିଧିତ୍ଵ କରୁଥିବା ସଫାସୁତୁରାମାନେ ମୁଥକୁ ମୁଥ ଶୋଭାଯାତ୍ରା କରି କଟିରେ ଘାଗରା ପିନ୍ଧି ବାହାରିଛନ୍ତି । ସେମାନଙ୍କ ଠାରୁ ସବୁଯାକ ଲାଜ ଛାଡ଼ି ଚାଲି ଗଲାଣି କି କ’ଣ କେଜାଣି, ସେମାନେ ସାମନ୍ତବତ୍ ଆମର ଏହି ଭୂମିଟାକୁ ଚିତା କାଟିବାକୁ ସ୍ଥିର କରି ନେଇଛନ୍ତି । ସେମାନଙ୍କ ଭିତରେ ଡାହାଣ ବାମ ଉଭୟେ ଅଛନ୍ତି, ସେମାନେ ସତେ ଅବା ଶିଖା ଶିଖି ହୋଇଥିବା ପରି ଏପରି ଭାବରେ ରାଜନୀତି କରୁଛନ୍ତି ଯେ, ଯେତେ ଜାଜ୍ଜଲ୍ୟମାନେ ଭାବରେ ଏହି ଦେଶରେ ଯାହାକିଛି ବରାଦ ହେଲେ ମଧ୍ୟ ଲୋକଭାଗ୍ୟକୁ ଭୂତ ଖାଇଯିବାରେ ଲାଗିଛି । କୋଟି କୋଟି ଟଙ୍କା କାରବାର ହେଉଛି, ତଥାପି ସେଗୁଡ଼ାକ ସାତକଣା ହୋଇ ଶେଷକୁ ସେହି ଅଳପମାନଙ୍କର ଗଞ୍ଜିଆ ଭିତରକୁ ଚାଲିଯାଉଛି । ଅନେକ ବହୁତଙ୍କୁ ଦାରିଦ୍ୟରୁ ମୁକ୍ତ କରିବେ ବୋଲି ସେହି ଅଳପମାନେ ହିଁ ଧନୀରୁ ଅଧିକ ଧନୀହେବାରେ ଲାଗିଛନ୍ତି । ଯାହାର ଅଧିକ ଧାନ ଅଛି ସେଇ ଦେଶର ଭାଗ୍ୟଟା ଉପରେ ଭର୍ତ୍ତା ହୋଇ ବସିଛି ।

 

ଶାସନ ଅଳପଙ୍କ ଦ୍ଵାରା ଚାଲିଛି । ବହୁତଙ୍କୁ ବଞ୍ଚିତ କରି ଚାଲିଛି । ଶାସନ ଇଂରାଜୀ ଭାଷାରେ ଚାଲିଛି । ବହୁତ ମଣିଷଙ୍କର ଭାଷାରେ ମୋଟେ ଚାଲିପାରୁ ନାହିଁ । ଶାସକମାନଙ୍କୁ ବହୁତ ମଣିଷଙ୍କର ଭାଷା ଆଉ ଆସୁନାହିଁ ବୋଲି ସେମାନେ ନିର୍ଲ୍ଲଜ ଭାବରେ ସଭାରେ ସର୍ବଜନ ସମକ୍ଷରେ ମଧ୍ୟ କହିଲେଣି । ବହୁତ ପକ୍ଷର ମଣିଷମାନେ ପ୍ରତିବାଦ ବି କରୁନାହାନ୍ତି । ପ୍ରତିବାଦ କରିବା ଏବଂ ଅନ୍ୟାୟର କାନ ଧରି ବସଉଠ କରାଇବା ଯେ ଏକ ଗଣତନ୍ତ୍ରରେ ଧର୍ମରକ୍ଷା କରିବାର ସର୍ବପ୍ରଥମ ଶୃଙ୍ଖଳା, ସେକଥାକୁ ଏହି ଦେଶରୁ କ୍ରମେ ଭୁଲାଇ ଦିଆଗଲାଣି । ନ୍ୟାୟାଳୟରେ ଯେଉଁ ଭାଷାରେ ନ୍ୟାୟ ହେଉଛି, ବହୁତ ପକ୍ଷଟା ତା’ର ଅଗ ବା ମୂଳ କିଛି ବୁଝୁନାହିଁ । ପାଞ୍ଚ ପ୍ରକାର ଦୁଆରେ ତା’ଠାରୁ ବଟି ମାଗୁଥିବା ଚତୁରମାନେ ତାକୁ ସର୍ବସ୍ୱାନ୍ତ କରିଦେଉଛନ୍ତି । ଅଳପମାନେ ହିଁ ଏହି ଦେଶରେ ସର୍ବାଧିକ ଦରମା ମାରି ନେଉଛନ୍ତି । ତେଣୁ ରାଜାଙ୍କ ଭଳି ଆତଯାତ ହେଉଛନ୍ତି, ରାଜାଙ୍କ ପରି ଘର କରି ରହିଛନ୍ତି । ରାଜାଙ୍କ ପରି କେବଳ ନିଜକୁ ନେଇ ସ୍ଵପ୍ନ ଦେଖୁଛନ୍ତି । ଯେଉଁମାନେ ଏକ ପାରସ୍ପରିକ ପ୍ରତ୍ୟୟର ଭୂମି ଉପରେ ସମ୍ମାନର ସହିତ ଶକ୍ତିମାନ ହୋଇ ଜୀବନଟିଏ ବଞ୍ଚିବେ ବୋଲି ଏକ ଭରସାଯୋଗ୍ୟ ପରିବେଶ ଯୋଗାଇଦେବା ପାଇଁ ଅମଲା ଓ ହାକିମମାନଙ୍କୁ ଏତେ ଏତେ ଦରମା ଦିଆଯାଉଛି, ଶାସନର ଗମ୍ଭୀରିମାନଙ୍କରେ ସେମାନଙ୍କର କଥା ଆଦୌ ପଡ଼ୁନାହିଁ । କଚେରୀରେ ତାରିଖ ଗଡ଼ୁଥିବା ପରି ସମସ୍ୟାଗୁଡ଼ିକର ପ୍ରତିକାରକୁ ଗଡ଼ାଇ ଦିଆଯିବାରେ ଲାଗିଛି ।

 

ଏହି ଦେଶରେ ଅଳପ ପିଲା ପାଠ ପଢ଼ୁଛନ୍ତି । ବହୁତ ପିଲା ବାହାରେ ବାହାରେ ଫୁଙ୍ଗୁଳା ଓ ଅଲୋଡ଼ା ହୋଇ ବୁଲୁଛନ୍ତି । ସେମାନଙ୍କୁ ଶିକ୍ଷାର ଆଲୋକ ଯୋଗାଇ ଦିଆଯିବ ବୋଲି ନାଗରା ପିଟା ହୋଇ ନୂଆନୂଆ ଭାଡ଼ି ବନ୍ଧା ହେଉଛି ଏବଂ ସେହି ବାହାନାରେ ପୁଣି କୋଟି କୋଟିର ଖର୍ଚ୍ଚ ବରାଦ ହେଉଛି । ନୂଆ ଶାଗୁଣାମାନେ ଆସି କୁଟି ଯାଉଛନ୍ତି, କିଛିଦିନ ଗୋଟାଏ କିଛି ହେଉଛି ବୋଲି ପ୍ରତୀତି ଦେଇ ଖୁବ୍ ଥେଇ ଥେଇ ହେଉଛନ୍ତି । ତା’ପରେ ଅସ୍ତମିତ ହି ଯାଉଛନ୍ତି । ନିଜ ଚାକିରିର ମାଧ୍ୟମରେ ଅପ୍ରମିତ ବେତନ ଓ ଅପ୍ରମିତ କ୍ଷମତାର ଅଧିକାରୀ ସିନା ହେଉଛନ୍ତି, ମାତ୍ର ନିତାନ୍ତ ଅସମର୍ଥ ବୋଲି ପ୍ରମାଣିତ ହେଉଛନ୍ତି । ଏସବୁ ବରବାଦ କାହିଁକି ହେଉଛି ବୋଲି ପ୍ରତିବାଦ କରି କହିବା ଲାଗି ବହୁତଙ୍କ ପଟେ କେହି ନାହାନ୍ତି । ଅଳପ ପଟଟାକୁ ବାଳୁଙ୍ଗା ହେବାଲାଗି ପୂର୍ଣ୍ଣ ପ୍ରଶ୍ରୟ ମିଳୁଛି । ସେହି ବାଳୁଙ୍ଗାମାନେ, ଆମର ପଇସା, ଆମର ଆଶା ଓ ଯାବତୀୟ ଭାଗ୍ୟ-ସମ୍ଭାବନାକୁ ଶୋଷି ନେଉଥିବା ସେହିମାନେ ହିଁ ଆମର ବାଟରେ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛନ୍ତି । ଏଠି ସାଧାରଣ ଜୀବନର ସବୁଯାକ ଦ୍ଵାରକୁ ସେହିମାନେ ମାଡ଼ି ବସିଛନ୍ତି-। ବହୁତଙ୍କୁ ବଞ୍ଚିତ କରି ରଖିବାର ଅଧର୍ମଟା ଦୋରସ୍ତ ହୋଇ ରହିଛି ।

 

ଯିଏ ଅଧିକରୁ ଅଧିକ ପଇସା ଗଣିଦେଇ ପାରିବ, ତା’ରି ଘରର ପିଲା ଅଧିକରୁ ଅଧିକ ସରସିଆ ପାଠମାନ ପଢ଼ିବେ, ସରସ ଦେଖାଯିବେ, ମଇଳାଙ୍କା ଭିତରେ ସଫା ଦେଖାଯିବେ ଏବଂ ବଡ଼ ହୋଇ ସେଇମାନେ ବଡ଼ ପାଠମାନ ପଢ଼ିବେ ଓ ବଡ଼ ବଡ଼ ପଦରେ ଅଭିଷିକ୍ତ ହେବ । ଦେଶରେ ପ୍ରଜାତନ୍ତ୍ରର ଧାରାରେ ସମ୍ବିଧାନ ତିଆରି ହେବ, ଅଥଚ ମଣିଷ ବଞ୍ଚିତହୋଇ ରହିବେ । ଭିତରେ ଯୋଗ୍ୟତା ରହିଥିଲେ ମଧ୍ୟ ସେମାନଙ୍କର ପିଲାମାନେ ଅନୁରୂପ ଶିକ୍ଷା ପାଇଁ ପ୍ରଦେଶର ଅଧିକାର ପାଇବେ ନାହିଁ, ଏଇପୁଣି କୋଉ ରାଜ୍ୟର ଅନାଚାର କଥା ଓ ଅନାଚାର ବ୍ୟବସ୍ଥା ? ଏପରି ଅବିଧିଟିଏ ରହିବା ଫଳରେ ଏହି ଦେଶରେ ଭାଗ୍ୟରଜ୍ଜୁଗୁଡ଼ିକ ଆଉ ଅନିଶ୍ଚିତ କୀଳ ଲାଗି ଅଳପମାନଙ୍କ ହାତରେ ରହିଯିବ କି, ଅଳପଙ୍କର ଗୋତି ଖତି ଓ ଅନ୍ୟାୟକୁ ସହ୍ୟକରି ବହୁତ ମଣିଷମାନେ ଯେ କ୍ରମେ ଗୋରୁ ମେଣ୍ଢା ହୋଇ ରହିବେ ଏବଂ ରାଜଧାନୀରେ ସଫଳ ସାମନ୍ତମାନେ ସେମାନଙ୍କ ସମ୍ପଦ ଓ ସାହାରାଗୁଡ଼ିକୁ ଅପହରଣ କରିବାରେ ଲାଗିଥିବେ, ପୃଥିବୀରେ ପୁରଣାଗୁଡ଼ାକ ଧଡ଼ଧାଡ଼ ହୋଇ ଭୁଷୁଡ଼ି ପଡ଼ୁଥିବା ସମୟରେ ଭାରତବର୍ଷରେ କ’ଣ ସେହି ଅନ୍ଧାରଟା ସତେ ଅବା ଏପରି କାବୁ କରି ରଖିଥିବ ? ସାରା ଦେଶରେ ସବୁ ପିଲାଙ୍କୁ ଆଖିରେ ରଖି ଏକ ଅନୁରୂପ ଶିକ୍ଷାର ପ୍ରଚାଳନ ନିମନ୍ତେ ପୁଣି ଏଠି କେଉଁଦିନ ବିଚାର ବସିବ ? ଯେଉଁମାନେ ସଂପ୍ରତି ଜାରି ହୋଇ ରହିଥିବା ଅବିବେକ ଗୁଡ଼ାକ ଦ୍ଵାରା ଲାଭବାନ୍ ହେବାରେ ଲାଗିଛନ୍ତି, ସେମାନେ କ’ଣ ବୋକା ହୋଇଛନ୍ତି ଯେ ସେକଥା କରିବେ ? ବାବୁମାନେ ପୃଥିବୀର ଇତିହାସରେ କେବେହେଲେ ଏଭଳି ବୋକାମୀ କରିନାହାନ୍ତି । ଆପଣ ବି ଚାଲାଖ ହୋଇଥିଲେ କଦାପି ସେପରି କରନ୍ତେ ନାହିଁ ।

 

ଏଠି ସାହିତ୍ୟଟା ମଧ୍ୟ ବହୁତଙ୍କୁ ବଞ୍ଚିତ କରି ଚାଲିଛି । ଆମ ଓଡ଼ିଶାରେ ସେଇଟାକୁ ହିଁ ସୂତର କରି ଓଡ଼ିଆ ସାହିତ୍ୟ ବୋଲି କୁହାଯାଇଛି । ଭାରି ମତଲବ ସହିତ ତାହା କରାଯାଉଛି । ସ୍ଵାଧୀନତାର ସଂଗ୍ରାମ ଲଢ଼ା ହେଉଥିବା ବେଳେ କଲିଜା ଭିତରେ ଆଉ ଯାହା ରହିଥାଉ ପଛକେ, ସାହିତ୍ୟର ଲେଖାରେ ଯେଉଁମାନେ ଦଳିତ, ବଞ୍ଚିତ ଓ ଅପମାନିତ ମାନଙ୍କର କଥା କହୁଥିଲେ ସେମାନେ ସ୍ଵାଧୀନତା ଆସିବା ପରେ କ’ଣ ପାଇଁ ମୁଣ୍ଡରେ ନୂଆ ପର ଲଗାଇଲେ ଓ ନୂଆ ଶୈଳୀରେ ପୂରା ଭୂଇଁଟାକୁ ଉପେକ୍ଷା କରି ଆମର ଏଠି ଦୁନିଆଯାକର ଧୂଳି ଉଡ଼ାଇଲେ, ସେମାନଙ୍କୁ ତାହାର କାରଣ ଥରେ ପଚାରନ୍ତୁତ !ଖାଲି କବିତା ନୁହେଁ, ଗପ ଉପନ୍ୟାସ ଏବଂ ନାଟକରେ କ୍ରମେ ସେହି ଏକା ଉପେକ୍ଷାଟା ହିଁ ପ୍ରାୟ ଏକ ରାଜକୀୟ ପ୍ରତାପରେ ଆମ ସାହିତ୍ୟର ପରିମଳଟିକୁ ଗ୍ରାସ କରି ପକାଇଲା । ପ୍ରଦସ୍ଥ ମହୀୟାନମାନେ ସେଥିରୁ ସବୁଠାରୁ ଅଧିକ ଲାଭ ଉଠାଇଲେ । କେତେ ନୂଆ ଛଇରେ ସତକୁ ସତ ଅତ୍ୟନ୍ତ ଅକଳାତ୍ମକ ଭାବରେ ଗୋଟିଏ ଉପଦ୍ରବ ଚାଲିଲା । ଦରବାରୀମାନେ ହିଁ ନାୟକ ଓ ମହାନୟକର ବେଶ ପିନ୍ଧି ସାହିତ୍ୟଟିକୁ ପ୍ରାୟଏକ ପୋଷାକୀ ଶବ୍ଦ-ପ୍ରଦର୍ଶନର ବ୍ୟାପାରରେ ପରିଣତ କରିଦେଲେ । ନିଜର ଲେଖାଗୁଡ଼ିକରୁ ନିଜର ବରଦାରେ ଅଥବା ନିଜେ ଅନୁବାଦ କରାଇ ସେମାନେ ସିଆଡ଼ୁ ଛଞ୍ଚାଣର ମୂର୍ତ୍ତି ଧରି ଏପରି ଅସଜ ଭାବରେ ଆମ ଉପରେ ଆସି ପଡ଼ିଲେ ଯେ, ତୃଣମୂଳ ସାହିତ୍ୟଶ୍ରଦ୍ଧାର ସତେ ଅବା ହାଲୁକା ଶୁଖିଗଲା । ସାହିତ୍ୟରେ ସଂଖ୍ୟାଘରଟିକୁ ସେମାନେ ସତେଅବା ଏକ ଅମଲାତନ୍ତ୍ର ପରି ଦାଖଲ କରିନେଲେ ଏବଂ ସମଗ୍ର ମନ୍ଦିରଟିର ମହତ ନେଲେ ।

 

ସେଇ-ଅମଲାମାନେ ଆମର ସାଂସ୍କୃତିକ ଜୀବନକୁ ମଧ୍ୟ ଗିଳି ପକାଇଲେ । ସଂସ୍କୃତି ନାମରେ ଯାବତୀୟ ଆୟୋଜନ ସେଇମାନେ କରାଇଲେ, ସେଇଇମାନେ ହିଁ ପ୍ରବକ୍ତା ହେଲେ । ଖବରକାଗଜ ଗୁଡ଼ିକୁ ମାଡ଼ିବସିଲେ । ସାମ୍ବାଦିକତାକୁ ପ୍ରାୟ ଏକ ବଜାରୀ ରାଜନୀତି ଦ୍ଵାରା ଦୂଷିତ କଲେ । ପଇସା ଉପରେ ପଇସା ଅଜଡ଼ା ହୋଇ ସମ୍ବାଦପତ୍ରମାନେ ଛିଟ ଲୁଗା ପରି ଦିଶିଲେ । ମାତ୍ର ସେଗୁଡ଼ିକ ଭିତରେ ବିବେକ ବୋଲି ମୋଟେ କିଛି ରହିଲା ନାହିଁ । ପ୍ରଧାନତଃ ନିଜର ତେଲଘଡ଼ିଗୁଡ଼ିକ ଚିକ୍କଣ ଏବଂ ପାକଳ କରି ରଖିବାକୁ ଅନୁରୂପ ବୃଦ୍ଧିସମ୍ପନ୍ନ ଭୃତ୍ୟମାନେ ମଧ୍ୟ ସେମାନଙ୍କ ଡିହ ଉପରେ ଆସି ପହଞ୍ଚିଗଲେ । ସମ୍ବାଦପତ୍ର ଦ୍ଵାରା ଲୋକଚେତନା ସୃଷ୍ଟି କରିବା କ୍ଷେତ୍ରରେ ଯାହାକିଛି ସଚରାଚର କରାଯାଏ, ତାହା ମାଡ଼ ଖାଇଗଲା । ବହୁତଙ୍କୁ ବଞ୍ଚିତ କରି ଅଳପଙ୍କର ନାନାବିଧ କୋପନ ପ୍ରବୃତ୍ତିକୁ ଜାଗୃତ କରିବାର ଅଭିପ୍ରାୟରେ ଅଭିନବ ହଟବୁଦ୍ଧିରେ କେତେ କ’ଣ ଅପପ୍ରୟାସ କରାଗଲା । ମଣିଷ ଭିତରେ, ପ୍ରତ୍ୟକ ମଣିଷ ଭିତରେ ଏପରି ଗୋଟିଏ ଆତ୍ମା ରହିଛି, ଯାହାକି ଯାବତୀୟ ଅସୁନ୍ଦରପଣକୁ ଦେଖିବା ମାତ୍ରକେ ପ୍ରତିବାଦ କରେ, ପ୍ରତିରୋଧ କରି ବାହାରେ । ଅଳପଙ୍କର ଅଭିସନ୍ଧି ବଳରେ ସେହି ଆତ୍ମାକୁ ଦନ୍ଥଡ଼ା କରି ରଖିବାର ସମସ୍ତ ବରାଦ ହୋଇଗଲା ।

 

ବହୁତଙ୍କୁ ବଞ୍ଚିତ କରି ଗୋଟାଏ ଦେଶକୁ ଓ ମଣିଷମାନଙ୍କର ଏହି ବିଶାଳ ସମୂହକୁ କେହି କଦାପି ଅକ୍ତିଆର ଭିତରେ ରଖିପାରିବ ନାହିଁ । ସାମନ୍ତମାନଙ୍କର ଶାସନ ଯେ କ୍ରମେ ହୁଗୁଳି ଯାଉଛି ଓ ଫମ୍ପାଗୁଡ଼ାକ ଯେ ଭାରି ପଦାରେ ପଡ଼ିବାକୁ ଆରମ୍ଭ କଲାଣି, ଏହି ପର୍ବଟା ଅତିଶୀଘ୍ର ସରି ସରି ଆସୁଛି ବୋଲି କ୍ରମେ ଭାରି ସ୍ପଷ୍ଟ ହୋଇ ଦେଖାଗଲାଣି । ଭାରତବର୍ଷ ଚିରକାଳ ଏକ ଅସମାନ ସମାଜ ହୋଇ ରହି ଆସିଥିଲା, । ଭାଗ୍ୟବାଦ ଏବଂ ମାୟାବାଦର ଭେଳିକି ଲଗାଇଦେଇ ଏଠାରେ ଆବହମାନ କାଳରୁ ବହୁତ ମଣିଷଙ୍କୁ ଅଳପଙ୍କର ଆଜ୍ଞାନୁବହ କରି ରଖା ଯାଇଥିଲା । ବହିମାନଙ୍କରେ ବଡ଼ ବଡ଼ ଅଧ୍ୟାତ୍ମକଥାକୁ ଲେଖାଯାଇ ସମାଜ-ଜୀବନର ବାସ୍ତବ ବେଭାର ଗୁଡ଼ିକୁ ଅନ୍ଧାର ଭିତରେ ଜଡ଼ କରି ରଖିଦିଆ ଯାଇଥିଲା । ଯାହାର ଯାହା ହେବା କଥା, ତାହାପୂର୍ବରୁ ନିର୍ଦ୍ଧାରିତ ହୋଇରହିଛି । ବିଧାତାଙ୍କର ସେହି ବିରାଦ ଅନୁସାରେ ଏହି ପୃଥିବୀ ଚାଲିଛି, —ତେଣୁ ଏସବୁକୁ ବଦଳାଇବା ମୋଟେ ମଣିଷର କାବୁ ଭିତରେ ନାହଁ, ଆମ କୁଳଗୁରୁ ମାନେ ଏହିସବୁ ଦର୍ଶନ କଥା କହି ମଣିଷ ଭିତରର ଅସଲ ନିଆଁଟିକୁ, ଅସଲ ପୁରୁଷାର୍ଥ ଅର୍ଥାତ୍ ଆତ୍ମାକୁ ଭାରି ଶୀତଳ କରି ରଖିଥିଲେ । ଆମ ସ୍ଵାଧୀନତା ସଂଗ୍ରାମ ଖାଲି ବିଦେଶୀ ଶାସନକୁ ହଟାଇବାକୁ ନୁହେଁ, ଏହିସବୁ ମାରାତ୍ମକ ମିଥ୍ୟା ପ୍ରରୋଚନାକୁ ହଟାଇ ମଣିଷମାନଙ୍କୁ ସିଂହାସନରେ ଆଣି ବସାଇବା ଲାଗି ଲଢ଼ା ହୋଇଥିଲା ।

 

ଏହି ଦେଶରେ ସମସ୍ତେ ସମାନ ହେବେ, ଅର୍ଥାତ୍ ଆପଣାର ବିକାଶ ନିମନ୍ତେ ସମସ୍ତଙ୍କୁ ସମାନ ସୁଯୋଗ ମିଳିବ । କାହାକୁ ବଞ୍ଚିତ କରି ରଖାଯିବ ନାହିଁ । ସମସ୍ତଙ୍କୁ ସମ୍ମାନ ଦେବା, ସମସ୍ତଙ୍କୁ ମନୁଷ୍ୟର ସ୍ୱୀକୃତି ଦେବା, ତାହାହିଁ ଅସଲ ସଂସ୍କୃତି । ସ୍ଵାଧୀନତା ପରେ ଯେଉଁ ସାର୍ଦ୍ଦୁଳମାନେ ଆମ ଦେଶର ଭାଗ୍ୟଟାକୁ ମାଡ଼ିବସିଲେ, ଶିକ୍ଷାକୁ ଅସମର୍ଥ କରି ରଖିଲେ ଏବଂ ନିଜର ଭୋଗଘର ଗୁଡ଼ିକୁ ସୁନିଶ୍ଚିତ କରି ରଖିବାରେ ଶାସନର କଳଟାକୁ ଅତ୍ୟନ୍ତ ଦର୍ପର ସହିତ କାମରେ ଲଗାଇଲେ, ଏବେ ସେମାନେ ଆମ ସାମୂହିକ ଜୀବନର ଯାବତୀୟ ପରସ୍ତଗୁଡ଼ିକ ଭିତରେ ଖେଦି ଯାଇଛନ୍ତି । ଏହି ଅବସ୍ଥାଟିକୁ ବଦଳାଇବାକୁ ହିଁ ହେବ ।

 

ସରକାର ଏବଂ ସାମନ୍ତବର୍ଗ ଉପରୁ ଉଦାର ଯୋଜନାମାନ କରି ସ୍ଥିତିଗୁଡ଼ିକୁ ବଦଳାଇବେ, ଗତ ପଚାଶ ବର୍ଷ ହେଲା ସେହି ପ୍ରୟୋଗଟି ଖୁବ୍ ହୋଇଗଲା । ଅର୍ଥନୀତି, ଶିକ୍ଷା ଉଭୟ-ପ୍ରଦାନ ଏବଂ ନ୍ୟାୟର ଶାସନ, ଏହି ଯାବତୀୟ କ୍ଷେତ୍ରରେ ହୋଇଗଲା । ଉପରୁ ଦୟା ପ୍ରଦର୍ଶନକରି ବାବୁମାନେ ଯେ ଆଦୌ କିଛିହେଲେ ବଦଳାଇବେ ନାହିଁ, ତାହାର ପ୍ରମାଣ ମିଳିଗଲା-। ବାବୁମାନେ ହିଁ ଯାହା ଅତ୍ୟଧିକ ବଉଳିଲେ, ପଦାରେ ପଡ଼ିଲେ ଏବଂ ଚୋର ବୋଲି ସାବ୍ୟସ୍ତ ହେଲେ, ଏତିକି ଲାଭ ହୋଇ ପାରିଲା । ପରିବର୍ତ୍ତନ କଦାପି ଉପରୁ ଆସି କଚାଡ଼ି ହୋଇ ପଡ଼େନାହିଁ । ସେଥିଲାଗି ସବାତଳ ସ୍ତରକୁ ଶକ୍ତିର ସଞ୍ଚାରଣ କରିବାକୁ ପଡ଼େ । ବହୁତ ସଚେତନ ହେଲେ ଅର୍ଥାତ୍ ଆପଣା ଶକ୍ତିର ପରିଚୟ ପାଇଲେ ଯାଇ ସେଥିରୁ ଯେଉଁ ପ୍ରତିବାଦ ପର୍ଯ୍ୟାୟଟି ଜନ୍ମଲାଭ କରେ ପରିବର୍ତ୍ତନ ତାହାରି ଦ୍ଵାରା ହୁଏ । ପାହାଚ ପାହାଚ କରି ବିକଳ୍ପଟିଏ ତଳୁ ଗଢ଼ି ହୋଇ ଆସେ ।

 

ଆମ ରାଜନୀତିର ବରକନ୍ଦାଜମାନେ ନିଜ ଘରକୁ ଅଧିକରୁ ଅଧିକ ବୋହି ନେବାରେ ଭ୍ରମରେ ନପଡ଼ିଥିଲେ ସେହି କଥାକୁ ଅବଶ୍ୟ ହୃଦୟଙ୍ଗମ କରିଥାଆନ୍ତେ । ସେମାନେ ଲୋଭରେ ପଡ଼ିଗଲେ ଏବଂ ଧୋକାରେ ପଡ଼ିଗଲେ ଏବଂ ଧୋକା ହିଁ ଦେଲେ । ଦେଶରେ ସେହି ପ୍ରହସନର ପୁନରାବୃତ୍ତି ନହେଉ । ବହୁତଙ୍କ ଶିବିରରୁ ହିଁ ନେତୃତ୍ଵମାନେ ବାହାରନ୍ତୁ । ଏପରି ନାନା ନେତୃତ୍ଵ, ଯେଉଁମାନେ କି ବାବୁମାନଙ୍କର ଫାନ୍ଦରେ ପଡ଼ିବେ ନାହିଁ, ବାବୁମାନଙ୍କର ଅନୁକରଣ କରିବେ ନାହିଁ ଏବଂ ଡିମ୍ବ ଭିତରୁ ନବାହାରୁଣୁ କାହାର ଇନ୍ଦ୍ରଜାଲରେ ପଡ଼ିଯାଇ ନିଜେ ରାତିକେ ବଡ଼ ହୋଇଯିବାର ଗହନ ଭିତରେ ଯାଇ ପଶିଯିବେ ନାହିଁ ।

 

ସ୍ଵାଧୀନତା ପରେ ଆମର ନେତାମାନେ ଯେ ବହୁତଙ୍କ ପକ୍ଷରେ ରହିଲେ ନାହିଁ, ସେଇଥି ଲାଗି ହିଁ ଏହି ଦେଶର ଶାସନ ଏବଂ ନିର୍ମାଣ ବହୁତଙ୍କର ଅନୁକୂଳ ହୋଇପାରିଲା ନାହିଁ । ବହୁତଙ୍କୁ ବଞ୍ଚିତ କରି ହିଁ ଏଠି ଯାହାକିଛିର ପ୍ରବର୍ତ୍ତନ କରାଗଲା । ଏପରି ଏକ ଅବ୍ୟବସ୍ଥାର ପ୍ରବର୍ତ୍ତନ, ଯେଉଁଥିରେ କି ଅଳପଟା ହିଁ ସବୁକିଛି ଆତ୍ମାସାତ୍ କରିନେଇଯିବ । ଏହି ବିପର୍ଯ୍ୟୟର ବାଟରେ ସମ୍ଭବତଃ ଅମଲାମାନେ ହିଁ ଆଗୁଆ ହୋଇ ବାହାରିଲେ । ସେମାନେ ସ୍ଵାଧୀନ ଭାରତ ବିଷୟରେ ହୁଏତ ଆଳୁ କି ସାରୁ କିଛି ବୁଝୁନଥିଲେ । ସେହି ବ୍ରିଟିଶ ଅମଳରୁ ସେମାନଙ୍କୁ ପିଠିରେ ଯେଉଁ କୁଜଟା ଏଡ଼େ ବଡ଼ ହୋଇ ରହିଥିଲା ଓ ସେମାନଙ୍କୁ ଗୋଟାସୁଦ୍ଧା ଆତ୍ମାକମୀ ଓ ହୃଦୟହୀନ କରି ପକାଇଥିଲା, ସ୍ଵାଧୀନତା ପରେ ସବୁଯାକ ଅଢ଼ାକୁ ତାହାରି ହାତକୁ ବଢ଼ାଇ ଦିଆଗଲା । ସେମାନେ ନିଜର ଅଭିଜ୍ଞତା ରହିଛି ବୋଲି ଯୁକ୍ତି ଦେଖାଇ ଦେଶର ରାଜନୀତିକ କର୍ତ୍ତାମାନଙ୍କୁ ମଧ୍ୟ ନିଜ ଆଡ଼େ ଟାଣିନେଇ ପାରିଲେ । ସେମାନଙ୍କୁ ଭାନୁମତୀର ଭେଳିକିରେ ବଶ କରିନେଲେ । ନୂଆ ସରକାରୀ ଚଉକିରେ ଆସି ବସିଥିବା ଆମ ନେତାମାନେ ମଧ୍ୟ ଜାଲରେ ପଡ଼ିଗଲେ । ସଂକଳ୍ପ ଭୁଲିଗଲେ । ଅମଲାମାନଙ୍କ ପୂର୍ଣ ସମର୍ଥନରେ ନିଜ ବ୍ୟକ୍ତିଗତ ଥାଇତି ଏବଂ ଉନ୍ନତିରେ ଲାଗିଗଲେ । ଆମ ରାଜନୀତିରୁ ହୃଦୟଟା କ୍ରମେ ପୂରା ବିଦାୟ ନେଇ ଚାଲିଗଲା । ନେତାମାନଙ୍କର ଆଖିକୁ ଆଉ ଲୋକମାନେ ମୋଟେ ଦିଶିଲେ ନାହିଁ । ସବାଆଗ ସେମାନଙ୍କର ନିଜ ମହାଭାଗ୍ୟଟା ଦେଖାଗଲା ଏବଂ ତାହାରି ସେବା କରିବା ନିମନ୍ତେ ସେମାନେ ସରକାର ଭିତରେ ପାଉଥିବା ପଦମାନଙ୍କୁ ଗୋଟାଏ ଗୋଟାଏ ମଉକା ପରି ବ୍ୟବହାର କଲେ । ଲୋକମାନେ ଶାସନର ଦୁଆରେ କେଡ଼େ ଭରସାମାନ କରି କର ପିଟିଲେ, ମାତ୍ର ସେମାନଙ୍କୁ ଲେଉଟି ଯିବାକୁ ପଡ଼ିଲା । ଏହିପରି ପଚାଶଟା ବରଷ ଯେ କେତେବେଳେ ହାତରୁ ଖସି ଚାଲିଗଲା, ବର୍ତ୍ତମାନ ଚାହିଁ ଦେଖିଲାବେଳକୁ ବିଶ୍ଵାସ କରି ହେଉନାହିଁ ।

 

ଏହି ଯାବତୀୟ ଦୌରାତ୍ମ୍ୟର ପରବର୍ତ୍ତୀ ପର୍ବଟି ହେଉଛି ବହୁତଙ୍କ ଭିତରୁ ବହୁଦିନର ଇପ୍ସିତ ସେହି ବିକଳ୍ପ ନେତୃତ୍ୱଟିର ଜନ୍ମଲାଭ ଏବଂ ଯାବତୀୟ ଲୋକାଭିତ୍ତିର ସେହି ତଳପାଖରୁ ହିଁ ନିର୍ମାଣ । ସତୁରି ବର୍ଷ ତଳେ ଏହି ଦେଶର ଅସଲ ଆନ୍ଦୋଳନଟି ଦେଶର ତଥାକଥିତ ମାତ୍ର କେତେ ପ୍ରତିଶତ ଶିକ୍ଷିତମାନଙ୍କୁ ବାଦ୍ ଦେଇ ହେବବୋଲି ମହାତ୍ମା ଗାନ୍ଧୀ ଏକ ଉପଲକ୍ଷ୍ୟରେ କହିଥିଲେ । ସେଇଟିର ବେଳ ବର୍ତ୍ତମାନ ନିକଟ ହୋଇ ଆସିଲାଣି କି ? ପାଠୁଆମାନେ ନାନା ସ୍ଵାର୍ଥକାମିତ ଭିତରେ ଲଟରପଟର ହୋଇ ରହିଗଲେ ବୋଲି ଭାରତବର୍ଷରେ ଅସଲ ହଲଚଲଟି ଏପର୍ଯ୍ୟନ୍ତ ହୋଇ ପାରିନଥିଲା । ତାହାର ଦିନ ସରି ଆସିଲା । ସମ୍ଭବତଃ ସାରା ପୃଥିବୀରେ ମଧ୍ୟ ସରିଆସିଲା-। ଏଣିକି ଲୋକଭାଗ୍ୟକୁ ସଉଦା ପରି ବ୍ୟବହାର କରୁଥିବା ମୋଟା ମୁଣ୍ଡବେପାରୀମାନେ କ୍ରମେ ହଟିଯିବେ । ସେମାନେ ଆଉ ବହୁତ ପକ୍ଷଟାକୁ ପ୍ରତାରିତ କରି ଦେଶଟାକୁ ନିଜ ସ୍ୱାର୍ଥଗୁଡ଼ିକର ଦାଣ୍ଡରେ ଅଟକାଇ ରାଖି କଦାପି ଭୋଗ କରିପାରିବେ ନାହିଁ । ଅସଲ ରାଜନୀତି ବହୁତଙ୍କର ଅଭ୍ୟୁଦୟ ପାଇଁ କାମରେ ଲାଗିବ । ସେହି ଅନ୍ୟରୀତିଟିର ବେଳ ଆସି ପହଞ୍ଚି ଯାଇଥିବାରୁ ସାମନ୍ତମାନେ ଆଉ କେବେହେଲେ ତାହାର ପଥରୋଧ କରିପାରିବେ ନାହିଁ । ବହୁତ ଭୁଲ କରିବେ, ଭୁଲରୁ ଶିକ୍ଷା କରିବେ, ତଥାପି ଆଗକୁ ଆଗକୁ ବାଟ ଖୋଲି ଯାଉଥିବ । ଜାତି, ସଂସ୍କୃତି ଓ ଆଉ କେତେ କ’ଣ ସବୁରି ମିଛ ବାଣଗୁଡ଼ାକୁ ମାରି ଆଉ ମଣିଷମାନଙ୍କୁ ଭୁଲାଇ ରଖାଯାଇ ପାରିବ ନାହିଁ । ଅସଲ ଶକ୍ତି ପ୍ରଦର୍ଶନର ଦୃଷ୍ଟାନ୍ତ ସେତିକିବେଳେ ମିଳିବ । ଅସଲ ରାଜନୀତି ସେତିକିବେଳେ ଯାଇ ଦୃଶ୍ୟାମାନ ହେବ । ବହୁତ ପକ୍ଷର ମନୁଷ୍ୟମାନଙ୍କୁ ଠକି ଭୂତେଇ ରଖିବା ନିମନ୍ତେ ଆଉ ବର୍ତ୍ତମାନର ମହୋଦରମାନେ ସାହସ କରିବେ ନାହିଁ, ସାହସ କଲେ ନାକେଦମ୍‍ ହେବେ । ତେଣୁ, ଆମେ ସମସ୍ତେ ବି ନିଜର ପକ୍ଷଟିକୁ ବାଛିନେବା । ଆମ ପାଠ, ଆମ ସାହିତ୍ୟ, ସଂସ୍କୃତି ବିଷୟରେ ଆମତୁଣ୍ଡରୁ ବାହାରୁଥିବା ଏଡ଼େ ଏଡ଼େ ଭାଷଣ, —ଏହି ସବୁକିଛି ଅତ୍ୟନ୍ତ ଧୂର୍ତ୍ତ ଓ ନିର୍ବୋଧ ଭାବରେ ଅଳପଙ୍କ ପକ୍ଷରେ ହିଁ ରହିଆସିଛି । ସତେଅବା ସ୍ଵୟଂ ଇନ୍ଦ୍ର ହେବାକୁ ମନ କରୁଛି ବୋଲି ଇନ୍ଦ୍ରମାନଙ୍କର ଖଟୁଲି ଗୋଡ଼ରେ ବନ୍ଧା ହୋଇରହିଛି । ମିଛ ସମାଗମ ଓ ଉତ୍ସବମାନଙ୍କରେ ପେଟେ ପିଇ ପଡ଼ିଛି । ଇନ୍ଦ୍ରମାନେ ଧରାପଡ଼ିଯାଉଥିବା ସଙ୍ଗେ ସଙ୍ଗେ ଏଗୁଡ଼ିକ ମଧ୍ୟ ଧରା ପଡ଼ିଯିବେ । ତେଣୁ ଆମକୁ ବାଛିନେବାକୁ ହେବ । ଆଗାମୀ ଯୁଗଟି ଆମର ଭୂମିଗୁଡ଼ିକରୁ ହିଁ ଆମକୁ ଚିହ୍ନିବ ଏବଂ ଆମର ବିଚାର କରିବ । ଆମର ମୁଖାଗୁଡ଼ାକ ସେତେବେଳେ ଆଉ କୌଣସି କାମ ଦେଇ ପାରିବେ ନାହିଁ ।

 

୩୦ । ୧୧ । ୯୮

Image

 

ଆମକୁ ଅଣହିନ୍ଦୁ କରନାହିଁ

 

ଆମେ ଯେଉଁମାନେ ହିନ୍ଦୁ ଘରେ ଜନ୍ମ ହୋଇଛୁ, ଧର୍ମସୁମାରିର ଖନ୍ଦା ଅନୁସାରେ ସମସ୍ତେ ହିନ୍ଦୁ । ହିନ୍ଦୁ ହେବା କହିଲେ କ’ଣ ସବୁକୁ ବୁଝାଏ, ଜନ୍ମ ହେବା ସମୟରେ ଆମେ ରାମ କି ବିଷ୍ଣୁ ଆଦୌ କିଛି ଜାଣିନଥିଲୁ । ହିନ୍ଦୁ ହୋଇପାରିବା ଆଗରୁ ଖାପ ଅନୁସାରେ ହିନ୍ଦୁ ବୋଲାଇବା, ଯେତେ ଇଚ୍ଛା ନଥିଲେ ମଧ୍ୟ ଆମକୁ ସେଇଟିକୁ ହିଁ ପ୍ରକୃତ ପ୍ରକ୍ରିୟା ବୋଲି ମାନିନେବାକୁ ପଡ଼ିବ । ସମ୍ଭବତଃ ପୃଥିବୀର ଅନ୍ୟ ପ୍ରତ୍ୟେକ ଧର୍ମଟି ବିଷୟରେ ଠିକ୍ ସେହି କଥା କୁହାଯାଇ ପାରିବ ଏବଂ ଏଥିରେ କ୍ଷୁଣ୍ଣ କିମ୍ବା କ୍ଷୁବ୍ଧ ହୋଇ ପଡ଼ିବାର ଆଦୌ କୌଣସି କାରଣ ନାହିଁ । ବଡ଼ ହେଲାପରେ ଯାଇ ନିଜ ଧର୍ମରେ ସତକୁ ସତ କ’ଣ ସବୁ ରହିଛି, ସେସବୁ କଥା ଜାଣିବାକୁ ପାଇଲୁ । ନିଜର ପରିବେଶ ଓ ସଂସ୍କାର ଅନୁସାରେ ଆମକୁ ଯେତିକି ମିଳିଲା, ଆମେ ସେତିକି ଜାଣିଲୁ । ଯେଉଁ ପରିବେଶରେ ସାନରୁ ବଡ଼ ହେଲୁ, ସେହି ଅନୁସାରେ ହିନ୍ଦୁ ଧର୍ମ ନାମକ ଏହି ସଂସ୍କରଟିକୁ ବୁଝିଲୁ । ହିନ୍ଦୁ ବୋଲାଇଲୁ ।

 

ପିଲାଦିନେ ଗାଆଁରେ କେତେ ପୂଜା, କେତେ ପର୍ବ । ଗାଆଁରେ ଠାକୁରଙ୍କର ମନ୍ଦିର, ଘରେ ଭଗବତ ଗାଦୀ, ଠାକୁରାଣୀଙ୍କର ନାମ କୋହ୍ଲେଇ । ଏବଂ ସେଇ ବ୍ରାହ୍ମଣସାହିରେ ମାତାମଠ-। ସେଠି ମାତା ବାବାଜୀ ଦୁହେଁ ରହନ୍ତି । ସେଠାରେ ଅଁଳାନବମୀ ବେଳକୁ ଉତ୍ସବ ହୁଏ । ସେଥିରେ ଗାଆଁର ସବୁ ସବର୍ଣ୍ଣ ଯୋଗ ଦିଅନ୍ତି । ଅସବର୍ଣ୍ଣମାନଙ୍କୁ ମଧ୍ୟ ହିନ୍ଦୁ ବୋଲି ଗଣତି କରାଯାଏ । କିନ୍ତୁ ଠାକୁରଙ୍କର ଯାବତୀୟ କାର୍ଯ୍ୟକ୍ରମରେ ସେମାନଙ୍କର ଭାଗ ନଥାଏ । ସବର୍ଣ୍ଣ ସାହୀରେ ବାହା କାନଫୋଡ଼ା ହେଲେ । ଅସବର୍ଣ୍ଣମାନଙ୍କୁ ଆଣି ଶଙ୍ଖ ବଜାଯାଏ, ନହବତ ବାଜାର ଉଚ୍ଚଭାଡ଼ି ବସେ-। ପାଣସାହିଆ ଆସି ତେଲିଙ୍ଗିବାଜା ବଜାନ୍ତି, ଢ଼ୋଲ ଓ ମହୁରୀରେ ଦାଣ୍ଡଟା ଉଲ୍ଲସିତ ହୋଇଉଠେ-। ଆମ ଦୂଆରେ ବୃନ୍ଦାବତୀ । ବୋଉର ତେତିଶି କୋଟି ଦେବତାଙ୍କ ଉପରେ ବିଶ୍ଵାସ । ପରମ୍ପରାଗତ ଫରମାସ ଗୁଡ଼ିକ ଅନୁସାରେ ପୁନିଅଁ ପରବ ପୁରାଣର ପାରାୟଣ, ସଂକ୍ରାନ୍ତି ଦିନ ଘରେ ହୋମ, ବର୍ଷକୁ କେତେଥର ପିତୃପୁରୁଷଙ୍କର ଶ୍ରାଦ୍ଧ । ଠାକୁର ଭେଦରେ କେତେପ୍ରକାରର ଭୋଗରାଗ, । ସତ୍ୟନାରାୟନ ପୂଜା କରଞ୍ଜେଶ୍ଵର ମହାଦେବଙ୍କ ମନ୍ଦିରରେ ଜାଗର ଆଉ କାର୍ତ୍ତିକ ପାଳନ । ଆମ ପିଲାଙ୍କ ପାଇଁ ଏକ ସୁସ୍ଥ ସମୂହଜୀବନ ମଧ୍ୟରେ ସକାରାତ୍ମକ ଭାବରେ ବଢ଼ି ଉଠିବା ସକାଶେ ସତେଅବା ଅଧିକ ଭଲ କୌଣସି ପରିବେଶ ଅନ୍ୟ କେଉଁଠି ହେଲେ ଆମକୁ କଦାପି ମିଳିନଥାନ୍ତି ।

 

ଆମେ ପୁଅମାନେ ତେତିଶି କୋଟି ଦେବତାଙ୍କୁ ବିଶ୍ଵାସ କରୁଛୁ କି ନାହିଁ, ଆମ ବୋଉ ଆମକୁ ସେକଥା କେବେହେଲେ ପଚାରି ନାହିଁ । ବୋଉ ବା କାହିଁକି ସେହି ପୁରୁଣା ବିଶ୍ଵାସମାନଙ୍କର ଫଳରେ ପଡ଼ି ଉପାସବ୍ରତ କରୁଛି, ସେଥିରୁ ସିଏ କ’ଣ ପାଉଛି ବା ନପାଉଛି, ଆମେ ମଧ୍ୟ ବେଶୀ ବାହାଦୁର-ପଣ ଦେଖାଇ ତାକୁ ଓହରାଇ ଦୋହରାଇ ପଚାରି ଚିଡ଼ାଇବା ନିମନ୍ତେ କେବେ କୌଣସି ଆଗ୍ରହ ଅନୁଭବ କରିନାହୁଁ । ହିନ୍ଦୁ ଧର୍ମ ପୃଥିବୀର ସାରା ଧର୍ମ, ଏହି ଧର୍ମରେ ଚାଲୁଥିବା ଅର୍ଥାତ୍ ଏହି ଧର୍ମକୁ ମାନୁଥିବା ମଣିଷମାନେ ହେଉଛନ୍ତି ପୃଥିବୀର ସାର ମନୁଷ୍ୟ, —ଆମର ବୋଉ ପାଟିରୁ କେବେ ହେଲେ ଶୁଣି ନଥିଲୁ । ପାଠ ପଢ଼ିବାକୁ ସହରକୁ ଆସିବା ପରେ ଯାଇ ସେସବୁ କଥା ଆମ ପରିଚୟ ମଧ୍ୟରେ ଆସି ପ୍ରବେଶ କରିବାର ସୁଯୋଗ ପାଇଥିଲା । ସଂସ୍କୃତ ଶିଖିବା ପରେ ଆମକୁ ସଂସ୍କୃତ ଭାଷାରେ ଏତେ ଏତେ ମହାନ୍ ଶାସ୍ତ୍ର ରହିଛି ବୋଲି ସମ୍ବାଦ ମିଳିଲା । ଭିତରେ ଏକ ଆଗ୍ରହ ଅଙ୍କୁରିତ ହୋଇ ଆସିଲା ଏବଂ ସେହିସବୁ ଶାସ୍ତ୍ରରେ ଅବଗାହିବାକୁ ଊତ୍ସାହା ଆସିଲା । ଧର୍ମ ଓ ଅଧ୍ୟାତ୍ମ ଭିତରେ ଯେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ପାର୍ଥକ୍ୟ ରହିଛି, ସେହି ତଥ୍ୟଟା ବି କ୍ରମେ ଗୋଚର ହୋଇ ଆସିଲା । ବୃଦ୍ଧି ପାକଳ ହୋଇ ହ୍ରୁଦୟକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ସ୍ପଷ୍ଟ ଭାବରେ ଅନୁଭବ କରିହେଲା ଯେ, ମଣିଷମାନେ କୌଣସି ଏକ ନିଦ୍ଦିଷ୍ଟ ଧର୍ମରେ ଅବଶ୍ୟ ଜନ୍ମଗ୍ରହଣ କରନ୍ତି, ମାତ୍ର ନିଜ ଭିତରୁ ଏକ ସ୍ଵତନ୍ତ୍ର ବାସନକୁ ଚିହ୍ନିପାରିଲେ ଯାଇ ସେମାନେ ଆଧ୍ୟାତ୍ମକୁ ମନ ବଳାନ୍ତି । ଆଧ୍ୟାତ୍ମରେ ପହଞ୍ଚିବା ମଣିଷ ଧର୍ମକୁ ମଧ୍ୟ ନିଜର ମାର୍ଗ ବୋଲି ବ୍ୟବହାର କରିପାରେ ସତ, କିନ୍ତୁ ସମ୍ଭବତଃ ଅଧିକାଂଶ ମଣିଷ ଅଧ୍ୟାତ୍ମକୁ ଯାଆନ୍ତି ନାହିଁ । ଧର୍ମର ପାହାଚରେ ହିଁ ରହିଯାନ୍ତି, ଏହି ପାହାଚଟା ସେମାନଙ୍କୁ ଏତେ ପରିମାଣରେ ଜଡ଼ିତ କରି ରଖାଯାଏ ଯେ, ସେଇଟାକୁ ଡେଇଁ ଅନ୍ୟ ଏକ ଶିଖର ଆଡ଼କୁ ମନ କରିବାଟା ସେମାନଙ୍କୁ ଭାରି ବିପଦସଂକୁଳ ବୋଲି ମନେହୁଏ । ସେମାନେ ଯେତିକିରେ ଜନ୍ମିଥିଲେ, ସେତିକିରେ ରହିଯାଆନ୍ତି । ଦ୍ଵିଜ ହେବାକୁ ପ୍ରତ୍ୟାଖାନ କରନ୍ତି ।

 

ହିନ୍ଦୁ ଧର୍ମରେ ଭାଲୁକୁଣୀ ବ୍ରତ ରହିଛି, ପନ୍ଥେଇ ପୂଜା ଅଛି, କାର୍ତ୍ତିକ ମାହାତ୍ମ୍ୟ ରହିଛି, ଅଷ୍ଟାଦଶ ପୁରାଣକୁ ଧର୍ମାଶ୍ରୟର ସେସ ଶୃଙ୍ଗ ବୋଲି ମନେକରି ଆହୁରି ଏକ ଶହ ଆଠ ସରିକି ପୁରାଣ ଛାପା ହୋଇ ବଜାରରେ ବିକା ଯାଉଛି, ଉପନିଷଦ ଓ ବେଦ ମଧ୍ୟ ରହିଛି । ସବୁ ଉପନିଷଦ ଯେ ସମାନ ସ୍ତରର ସତ୍ୟଗୁଡ଼ିକୁ ଉଚ୍ଚାରଣ କରିଛି, ସେକଥା ଆଦୌ ନୁହେଁ । ଏକାବେଳେକେ ସଂକୀର୍ଣ୍ଣ ସମ୍ପ୍ରଦାୟ ଏବଂ ଉପାସନା-ମାର୍ଗ ଗୁଡ଼ିକର ମଧ୍ୟ ଉପନିଷଦମାନ ରହିଛି । ବେଦରେ ମଧ୍ୟ ଗୁଣୀ ଗାରେଡ଼ି, ଦେବତାମାନଙ୍କର ତୋଷଣ ଦ୍ଵାରା ସାଂସାରିକ ଫଳପ୍ରାପ୍ତି ପ୍ରଭୃତି ବାର ପ୍ରକାରର ବ୍ୟାପାର ରହିଛି । ସମ୍ପୂର୍ଣ୍ଣ ବେଦ କିମ୍ବା ସବୁଯାକ ଉପନିଷଦକୁ କଦାପି ଅଧ୍ୟାତ୍ମଶାସ୍ତ୍ର ବୋଲି କୁହାଯାଇ ପାରିବ ନାହିଁ । ଯିଏ ଯେତିକି ଯାଏ ଯାଇଛି, ସେତିକି ପାଇଛି । ଖାଲି ହିନ୍ଦୁ ଧର୍ମ ନୁହେଁ, ମନୁଷ୍ୟ-ଇତିହାସର ସବୁ ଧର୍ମରେ ପ୍ରାୟ ସର୍ବଦା ସେହି କଥାଟିକୁ ଦେଖିବାକୁ ପାଇବା । ଅଟକି ରହିବାକୁ ଇଚ୍ଛା ଥିଲେ ତୁମକୁ କେହି ମନା କରିପାରିବ ନାହିଁ ଓ ଆହୁରି ଆଗକୁ ଯିବା ଲାଗି ମନ ବାହାରିଥିଲେ ବି ତୁମକୁ କେହି କଦାପି ଅଟକାଇ ରଖିବ ନାହିଁ । ତେଣୁ, ଯଦି ଆଧ୍ୟାତ୍ମ ଖୋଜି ବାହାରିବ, ତେବେ ଧର୍ମର ଗାରଟିକୁ ତୁମେ ଅନାୟାସରେ ଡେଇଁ ଯାଇ ପାରିବ । ଏବଂ ଯଦି ତୁମେ ଏହି ପହିଲି ପାହାଚରେ ଅଟକି ରହିବାକୁ ଫଇସଲା କରିଥିବ, ତେବେ ଏତିକିକୁ ହିଁ ଅଧ୍ୟାତ୍ମବୋଲି କହିବା ପାଇଁ ତୁମେ ହୁଏତ କେତେ ନା କେତେ ବୁଦ୍ଧି ବାହାର କରିବସିବ । ଅଧ୍ୟାତ୍ମର କୌଣସି ଭେକ ନାହିଁ, ମାର୍କା ନାହିଁ । ଏସବୁ ଧର୍ମରେ ଅଛି । ହିନ୍ଦୁ ଧର୍ମରେ ଅଛି, ପୃଥିବୀର ଯାବତୀୟ ଧର୍ମରେ ଅଛି । ଧର୍ମରେ ଅଟକି ଯାଇଥିବା ମଣିଷମାନେ ହିଁ ବାନା ଧରନ୍ତି, ଦିଗ୍‍ବିଜୟ କରି ବାହାରନ୍ତି, ତୋଡ଼ ଦେଖାନ୍ତି, ଉଗ୍ର ହୁଅନ୍ତି । କେହି ଯଦି ତୋଡ଼ ଦେଖାଉଥିବ ଉଗ୍ର ହେଉଥିବ ତେବେ ଅବଶ୍ୟ ଜାଣିବ ଯେ ସିଏ ବିଚରା ଏହି ଗାରଟି ପାଖରେ ରହିଯାଇଛି ତେଣୁ ଏପରି ଫଅଁ ଫଅଁ ହେଉଛି ।

 

ଧର୍ମଠାରୁ ଅଧ୍ୟାତ୍ମ ଯାଏ ଗୋଟାଏ ସିଡ଼ି ରହିଛି ଏବଂ ଜଣେ ଇଚ୍ଛା କଲେ ସେହି ସିଡ଼ିଟିର ଆଶ୍ରାରେ କେତେ ନା କେତେ ଆଗକୁ ବା ଉପରକୁ ଯେ ପାଇପାରେ, ଏହି କଥାଟି ମଧ୍ୟକୁ ହେତୁ ହୋଇଗଲେ ଧର୍ମକୁ ପଣ୍ୟ କରି ମାମଲତ କରୁଥିବା ସୌଦାଗରମାନଙ୍କ ଆଡ଼ାକୁ ବେଳେ ବେଳେ ତୁମର ଆଖିଚାଲିଯିବ । ଗୁରୁମାନେ ଯଦି ସତକୁ ସତ ଉଚିତ ଶିଡ଼ିଟିରେ ବାରତା ପାଇଥିଲେ, ତେବେ ସେମାନେ କାହିଁକି ମଠଟିଏ କାଲେ, କାହିଁକି ସମ୍ପ୍ରଦାୟ ଗଢ଼ିଲେ, କାହିଁକି ମୋ ସମ୍ପ୍ରଦାୟକୁ ଆଉ ସବୁ ସମ୍ପ୍ରଦାୟ ତୁଳନାରେ ସରସା ବୋଲି କହିଲେ ? ସେମାନେ କାହିଁକି ରଜାମାନଙ୍କ ପାଖକୁ ଯାଇ ଭଗବାନଙ୍କ ନାମରେ ମନ୍ଦିରମାନ ଗଢ଼ିଦେବାକୁ କହିଲେ ଏବଂ କ୍ରମେ ରାଜାମାନଙ୍କର ପକ୍ଷରେ ରହି ସଂସାରଶୋଷଣ ଭିତରେ ପଶିଗଲେ, —ଏହିସବୁ ପ୍ରଶ୍ନ ତୁମକୁ ବଡ଼ ଅଶାନ୍ତ କରି ପକାଇବେ । ଯେତେ ଯେତେ କାଳରେ ଓ ଯେତେ ଯେତେ ଧର୍ମରେ ଧର୍ମର ବକ୍ତା ଓ ପ୍ରବକ୍ତାମାନେ ଶାସକର ପଟକୁ ଢ଼ଳି ପଡ଼ିଛନ୍ତି, ସେତେ ଜାଗାରେ ହୁଏତ ଧର୍ମର ଭାବନାରେ ଅନେକ ଅସନା ଏବଂ ଉଗ୍ରତା ପଶିଯାଇଛି, ନାନା ହିଂସ୍ରତା ଆସି ସମଗ୍ର କ୍ଷେତ୍ରଟିକୁ ଦୂଷିତ କରିଦେଇଛି ବୋଲି ଆଉ ଏପରି ଘଟିଛି କି ? ଏହି ବିଷୟରେ ଚିନ୍ତା କରିବା ନିମନ୍ତେ ପୃଥିବୀର ସବୁଯାକ ଧର୍ମରେ ଆମକୁ ଭୂରି ଭୂରି ତଥ୍ୟ ମଧ୍ୟ ମିଳିଯିବ । ଏବଂ ସମ୍ଭବତଃ ସେହିପରି ଏକ କାରଣରୁ ଧର୍ମର ଶକ୍ତି କ୍ରମଶଃ ହ୍ରାସ ହୋଇଯାଉଛି ବୋଲି ଆମ ମନରେ ସନ୍ଦେହ ମଧ୍ୟ ଆସିବ । କୌଣସି ଧର୍ମ ଅଧ୍ୟାତ୍ମ ଆଡ଼କୁ ନଯାଇ ସମ୍ପ୍ରଦାୟଗତ ଉଗ୍ରତା ଆଡ଼କୁ ମନ କଲେ ସେଥିରୁ ଅନେକ ସମୟରେ ଆଉ ଗୋଟିଏ ଭୟାନକ ପରିଣାମ ଜନ୍ମଲାଭ କରିଥାଏ । ଅଟକିଯିବାରୁ ଉଗ୍ରତା ଆସେ, ମୋହରୁ ମାତ୍ସର୍ଯ୍ୟର ଉତ୍ପତ୍ତି ହୁଏ । ଗୋଟିଏ ଧର୍ମସତ୍ୟ ନିଜକୁ ପୃଥିବୀର ଏକମାତ୍ର ସତ୍ୟବୋଲି ଘୋଷଣ କରେ । ମୋ’ର ସତ୍ୟଟି ଯଦି ଏକମାତ୍ର ସତ୍ୟ, ତେବେ ଆଉ ଅନ୍ୟଗୁଡ଼ିକ ଯେ ଅବଶ୍ୟ ମିଥ୍ୟା, ଏପରି ଏକ ଅନ୍ଧତା ମଧ୍ୟ ଖୁବ୍ ମାଡ଼ି ବସିଥାଏ । ତା’ପରେ ଧର୍ମମାନେ ସାମ୍ରାଜ୍ୟ ବିସ୍ତାର କରିବାକୁ ଆରମ୍ଭ କରନ୍ତି ଏବଂ ସାମ୍ରାଜ୍ୟବିସ୍ତାର ନିମନ୍ତେ ଯେଉଁ ଯୁଦ୍ଧ ହୁଏ, ତାହାକୁ ଧର୍ମଯୁଦ୍ଧ ବୋଲି କୁହାଯାଏ । ରଜାମାନଙ୍କର ଛତି ଧରି ଧର୍ମଗୁଡ଼ିକ ମ୍ଳେଛ ନିପାତ କରି ବାହାରନ୍ତି । ପୃଥିବୀର କେତୋଟି ଧର୍ମର ଇତିହାସରେ ଏହି ବ୍ୟାପାରଟି ଅତିମାତ୍ରାରେ ଦେଖିବାକୁ ମିଳିବ । ଈଶ୍ୱରଙ୍କ ନାମରେ କେତେ କେତେ ହତ୍ୟା କରାଯାଇଛି, ଦେଉଳ ଭଙ୍ଗା ଯାଇଛି, ତସ୍ମରବୃତ୍ତିକୁ ପ୍ରଶ୍ରୟ ଦିଆଯାଇଛି । କେଉଁ କାରଣବଶତଃ କେତୋଟି ଧର୍ମ ଏହି କ୍ଷେତ୍ରରେ ଅଧିକ ଅକୀର୍ତ୍ତି ଅର୍ଜିଛନ୍ତି, ତାହା ପଛରେ ହୁଏତ ବିଶେଷ କାରଣମାନ ମଧ୍ୟ ରହିଛି । ଏହିଭଳି ଗୋଟିଏ ଦୂରାଗ୍ରହରୁ ଆମର ଭାଷାମାନଙ୍କରେ ଯବନ, ମ୍ଳେଚ୍ଛ, କଫେର ଓ ପାଗାନ୍ ପ୍ରଭୃତ୍ତି ଶବ୍ଦର ଉଦ୍ଭବ ହୋଇଛି । କେବଳ ଏକ ଅଧ୍ୟାତ୍ମ ବାସନା ହିଁ ମଣିଷକୁ ଏସବୁ ମନ୍ଦ ଆଗ୍ରହରୁ ବଞ୍ଚାଇ ରଖିପାରନ୍ତା । ମାତ୍ର, ଧର୍ମର ନିଶା ଖାଇ କ୍ଷମତାକାମୀ ଦର୍ପୀମାନେ ଯେତେବେଳେ ଭଗବାନଙ୍କ ନାମରେ ଅନ୍ଧ ହୋଇ ନିଜର ବିବେକ ହରାଇ ବାହାରିଛନ୍ତି, ସେତେବେଳେ ସମ୍ଭବତଃ ସ୍ଵୟଂ ଭଗବାନ ମଧ୍ୟ ଭୟରେ ସେମାନଙ୍କ ଚକ୍ଷୁ ସାମନାରୁ ଦଉଡ଼ି ପଳାଉଥିବେ ଏବଂ ନାନାଭାବେ ଲୁଚି ରହି ଯାଉଥିବେ-। ଯିଏ ମନ୍ଦିର ଭିତରେ ଭଗବାନଙ୍କୁ ଦେଖୁଥିବ, ସିଏ କଦାପି ଆଉ ଏକ ଧର୍ମର ଭଗବାନ କିମ୍ବା ମନ୍ଦିରକୁ ଅସ୍ଵୀକାର କରିବ ନାହିଁ । ସୈନ୍ୟବଳ ସହିତ ମନ୍ଦିରଗୁଡ଼ାକୁ ଭାଙ୍ଗି ବାହାରିବା ତ ଆହୁରି ଅଧିକ ଦୂରର କଥା ହୋଇ ରହିବ । ମନୁଷ୍ୟ ପାଇଁ ଘୋର ଲଜ୍ଜାର କଥା ଯେ ପୃଥିବୀର ଇତିହାସରେ ଏହା ଖୁବ୍ ଘଟିଛି । କ୍ଷମତାନ୍ଧ ମାନଙ୍କଦ୍ୱାରା ଏବେ ମଧ୍ୟ ଘଟୁଛି ।

 

କେତେକ ମୂଳ ଭୁତ କାରଣରୁ ହିନ୍ଦୁ ଧର୍ମ ଇତିହାସରେ ଏସବୁ ବିଶେଷ ଭାବରେ ଘଟିନାହିଁ । ହିନ୍ଦୁ ଧର୍ମ ପୃଥିବୀର ଆଉ କେତେକ ଧର୍ମ ପରି ଜଣେ ପୈଗମ୍ବରଙ୍କ ଠାରୁ ଆରମ୍ଭ ହୋଇନାହିଁ । ଏଥିରେ ପ୍ରାୟ ସେହି ମୂଳ ସମୟରୁ ହିଁ ଅନେକ ମତ ଅନେକ ପଥ ରହି ଆସିଛି । ଏଥିରେ ଭୁତ ମତ୍ରକେ ସର୍ବଘଟରେ ଇଶ୍ଵର ଅଛନ୍ତି ବୋଲି କୁହାଯାଇଛି । କେବଳ ହିନ୍ଦୁଙ୍କ ଭିତରେ ଭଗବାନ ରହିଛନ୍ତି ଓ ଆଉମାନଙ୍କରେ ଭିତରେ ନାହାନ୍ତି, ଏପରି ଏକଦର୍ଶୀ ପରାମର୍ଶ ଏଥିରେ କେବେହେଲେ ଦିଆଯାଇ ନାହିଁ । ପୃଥିବୀର ଅନ୍ୟ ଧର୍ମଗୁଡ଼ିକୁ ଦେଖି, ଅନେକ ମନ୍ଦୋତ୍ସାହୀ ହିନ୍ଦୁଧର୍ମକୁ ପ୍ରାୟ ଏହି କରଣଗୁଡ଼ିକ ହେତୁ ଏକ ଦୁର୍ବଳ ଧର୍ମ ବୋଲ ମଧ୍ୟ କହିଛନ୍ତି । ମାତ୍ର ସମ୍ଭବତଃ ବରଂ ଓଲଟା କଥାଟିକୁ ସର୍ବଦା କୁହାଯାଇପାରିବ ଯେ, ଖାସ୍ ଏହି ଦୃଷ୍ଟିଟି ସକାଶେ ହିଁ ହିନ୍ଦୁ ଧର୍ମ ବିଲୁପ୍ତ ନହୋଇ ବଞ୍ଚିରହିଛି । ଏକ ଈଶ୍ଵରତତ୍ତ୍ୱକୁ ମୋହାନ୍ଧ ହୋଇ ଜାବୁଡ଼ି ନଧରି ତାହା ମନୁଷ୍ୟରେ ସ୍ଵଭାବ ଅନୁସାରେ ସିଏ ଆବିଷ୍କାର କରୁଥିବା ଈଶ୍ଵର ଅଲଗା ଅଲଗା ପ୍ରସ୍ଥ, ପ୍ରକାର ଏବଂ ସ୍ତରର ଅବଶ୍ୟ ହେବେ ବୋଲି ଅକୃପଣଭାବେ ସ୍ଵୀକାର କରିଛି । ହଁ, ଠାକୁରମାନଙ୍କୁ ନେଇ ହିନ୍ଦୁ ଧର୍ମରେ ମଧ୍ୟ କଳହ ଖୁବ୍ ଲାଗିଛି, ସାମ୍ପ୍ରଦାୟିକ ପଥଗୁଡ଼ିକର ଗୁରୁମାନେ ବାନା ମଧ୍ୟରେ ଖୁବ୍ ଝଗଡ଼ା ଲଗାଇଛନ୍ତି ଓ ରଜାମାନଙ୍କୁ ପୃଷ୍ଠପୋଷାକ କରାଇ ଉପଦ୍ରବ ବି କରିଛନ୍ତି, ତଥାପି ସେମାନେ କେବେ ହେଲେ ଧର୍ମଯୁଦ୍ଧ ଯାଏ ଯାଇନାହାନ୍ତି । କେବଳ ମୋର ଏହି ଗୋଟିଏ ପଥଦ୍ଵାରା ମନୁଷ୍ୟର ସଦ୍‍ଗତି ସମ୍ଭବ ବୋଲି କହି ସେମାନେ କଦାପି ଅନ୍ୟମାନଙ୍କୁ ବଳର ପ୍ରୟୋଗ ଦ୍ଵାରା ନିଜ ପଲଟା ଭିତରକୁ ଆଣିବା ନିମନ୍ତେ ଚେଷ୍ଟା କରିନାହାନ୍ତି । କେବଳ ହିନ୍ଦୁ ହେଲେ ଯାଇ ମଣିଷମାନେ ମୃତ୍ୟୁ ପରେ ସ୍ଵର୍ଗକୁ ଯିବେ, ଈଶ୍ୱରଙ୍କର କୃପାଭାଜନ ହେବେ ବୋଲି ଏଥିରେ କେବେ ଦାବି କରାଯାଇ ନାହିଁ । ବରଂ ଏକ ଈଶ୍ଵରଯୋଗ୍ୟ ଜୀବନମାର୍ଗର କଥା ହିଁ ଏଥିରେ ଅଧିକ ଦୃଢ଼ତାର ସହିତ କୁହାଯାଇଛି । ମୂଳତଃ ସେହି କାରଣରୁ ଆମେ କାଳେ କାଳେ ଭାରତବର୍ଷର ଜୀବନଗତ ଚଳଣିଟିରେ ଏତେ ବୈଚିତ୍ର୍ୟ ଦେଖିବାକୁ ପାଇଥାଉ । ଭାରତବର୍ଷକୁ ତାହା ହିଁ ଏପରି ଏକ ସୁସ୍ଥତା ଦେଇ ଆସିଛି ଯାହା ଫଳରେ ଏହି ଭୂମିରେ ପରବର୍ତ୍ତୀ କାଳରେ ପୃଥିବୀର ଭିନ୍ନ ଧର୍ମ ଓ ବିଭିନ୍ନ ଚଳଣି ନିମନ୍ତେ ମଧ୍ୟ ସ୍ଥାନ କରି ଦିଆଯାଇ ପାରିଛି । ମୋଟେ କାହାରିକୁ ଗିଳି ପକାଇବାର ଦୌରାତ୍ମ୍ୟ କରାଯାଇ ନାହିଁ ।

 

ଭାରତୀୟ ଧର୍ମଭାବନାରେ ଯେତେଦିନ ପର୍ଯ୍ୟନ୍ତ ଏହିପରି ଏକାବେଳେ ଅନେକଙ୍କୁ ସ୍ଵୀକାର କରି ନିଆଯାଇ ପାରୁଥିବ, ସେତେଦିନ ଯାଏ ଭାରତର ମୂଳ ଅଧ୍ୟାତ୍ମ ଭୂମିଟି ମଧ୍ୟ ଦୃଢ଼ ହୋଇ ରହିଥିବ । ବାହାରେ କେତେ ଦୁଃସମୟ ଆସୁଥିବ ଏବଂ କେତେ ଅତଡ଼ା ଖସୁ ଜୀବନର ସଂସ୍ଥାନଗୁଡ଼ିକୁ ହୁଏତ ସାମୟିକ ଭାବରେ ବିପର୍ଯ୍ୟସ୍ତ କରି ଦେଉଥିବ, ତଥାପି ମୂଳ ଭରସାମ୍ୟଟି ଅବିନାଶୀ ହୋଇ ରହିଥିବ । ଭାରତୀୟ ଚେତନାର ପୁନର୍ଜୀବନ୍ୟାସ ପାଇଁ ତାହା ପୁନର୍ବାର ପ୍ରାଣ ଓ ପ୍ରେରଣା ଯୋଗାଇ ଦେଉଥିବ । ତେଣୁ ହିନ୍ଦୁ ଧର୍ମକୁ ସ୍ଵୀକାର କରିବା ଅର୍ଥ ବିବିଧତାକୁ ହିଁ ସତ୍ୟ ବୋଲି ସ୍ଵୀକାର କରିନେବା । ସମସ୍ତେ ଏହି ଗୋଟିଏ ମତକୁ ବା ପଥକୁ ଆସନ୍ତୁ ବୋଲି ଜିଦ୍ ନକରିବା, ହିନ୍ଦୁ ଧର୍ମର ନାନା ମାର୍କା ଧାରଣ କରି କାଳକ୍ରମେ ହିଁ ଭୂମିରେ ଯେଉଁସବୁ ନ୍ୟସ୍ତସ୍ଵାର୍ଥ ମୁଣ୍ଡଟେକି ଉଠିଛନ୍ତି, ସେଗୁଡ଼ିକୁ ସେମାନଙ୍କର ସୀମା ମଧ୍ୟରେ ନିୟନ୍ତ୍ରିତ କରି ରଖିବା । ଅଧ୍ୟାତ୍ମକୁ ହିଁ ସର୍ବୋଚ୍ଚ ମାନ୍ୟତା ପ୍ରଦାନ କରିବା ଏବଂ ଧର୍ମକୁ ରାଜନୀତିକ କ୍ଷମତାକାମୀଙ୍କର କବଳରୁ ମୁକ୍ତ କରି ରଖିବା । କ୍ଷମତାକାମୀମାନେ ଧର୍ମ ଆଡ଼କୁ ଲୋଭାଇଲେ ଧର୍ମର ପ୍ରକୃତରେ ମହତ ଯିବାକୁ ଆରମ୍ଭ କରେ । କାରଣ ସେତେବେଳେ ଧର୍ମକୁ ଜଣେ ଜଣେ ମନୁଷ୍ୟ ହିସାବରେ ତଥା ଏକ ଭୂଖଣ୍ଡର ସମୂହ ହିସାବରେ ଆମର ଅଭ୍ୟୁଦୟ ନିମନ୍ତେ ବ୍ୟବହାର କରାନଯାଇ ଆମକୁ ଉତେଜିତ୍ତ କରିରଖାଯାଏ । ଉତ୍ତେଜିତ ମନୁଷ୍ୟମାନଙ୍କୁ ହିଁ କ୍ଷେମତାର ମଣିଷମାନେ ଭାରି ସହଜରେ ନିଜର ମତଲବଗୁଡ଼ିକୁ ସିଦ୍ଧ କରାଇବାରେ କାମରେ ଲଗାନ୍ତି ।

 

ହିନ୍ଦୁ ଧର୍ମ ନିଜକୁ ଅଧିକ ପ୍ରତିରୋଧସମର୍ଥ କରିପାରିବା ନିମନ୍ତେ ଅନ୍ୟ ଧର୍ମଗୁଡ଼ିକର ଅନୁକରଣ କରୁ ବୋଲି ଆମକୁ ଯେଉଁମାନେ ମିଛ ଉଦବୋଧନ ଦେଉଛନ୍ତି, ସେମାନେ ଆମ ଧର୍ମର ଅସଲ ମୂଳଗୁଡ଼ିକରେ ଆଘାତ କରିବାରେ ଲାଗିଛନ୍ତି । ଭାରତବର୍ଷକୁ ସେମାନେ ତାହାର ବଳଗୁଡ଼ିକରୁ ଉତ୍ପାଟିତକରି ଆଣିବାର ଅଭିସନ୍ଧି ହିଁ କରୁଛନ୍ତି । ଆଉ କିଏ ଦେଉଳ ଭାଙ୍ଗିଛି, ତେଣୁ ଚାଲ ସେମାନଙ୍କୁ ଜବତ କରିବାପାଇଁ ଆମେ ମଧ୍ୟ ଦେଉଳ ଭାଙ୍ଗିବା, —ଏଗୁଡ଼ାକ ଅତ୍ୟନ୍ତ ଦୃଷ୍ଟୋଚିତ କଥା । କ୍ଷମତାକୁ ମନ କରୁଥିବା ମଣିଷମାନେ ଯେତେବେଳେ ଧର୍ମକୁ ନିଜର କାମରେ ଆଣି ଲଗାଇବାକୁ ଚକ୍ରାନ୍ତ କରନ୍ତି, ଠିକ୍ ସେତିକିବେଳେ ହିଁ ଏସବୁ କଥା ଶୁଣିବାକୁ ମିଳିଥାଏ । କ୍ଷମତାକାମୀମାନେ ସଚରାଚର ମଣିଷର ଦୈତ୍ୟ ପ୍ରକୃତିଟିକୁ ହିଁ ଉସ୍କାଇ ଆଣିବା ଲାଗି ଏସବୁ କରନ୍ତି । ମଣିଷକୁ ଅଭ୍ୟୁଦୟର ପଥରୁ ଭ୍ରଷ୍ଟ କରାଇ ଆଣନ୍ତି । ଶାସ୍ତ୍ର ପୁରାଣର ଖଳ ବ୍ୟାଖ୍ୟାମାନ ବାଢ଼ିଦିଅନ୍ତି ଓ ବିବେକକୁ ଭ୍ରଷ୍ଟ କରାନ୍ତି । ସେମାନେ ଆମକୁ ସେମାନଙ୍କର ନକ୍ସା ଅନୁସାରେ ଗୋଟାଏ ଗୋଟାଏ ପଲରେ ପରିଣତ କରିବା ସକାଶେ ଉଦଗ୍ର ହୋଇ ବାହାରନ୍ତି । ଏବଂ ମଣିଷମାନେ ତୁଚ୍ଛା ପଲରେ ପରିଣତ ହୋଇଗଲେ ସମାଜରେ ଯେଉଁମାନଙ୍କର ଫାଇଦା ହୁଏ, ସେମାନେ ସେଥିଲାଗି ଆବଶ୍ୟକ ପୁଞ୍ଜିମାନ ଆଣି ଯୋଗାଇ ଦିଅନ୍ତି । ଅଧ୍ୟାତ୍ମ ଭିରତକୁ ମନ ନକରି ଯେଉଁ ବାବାଜୀମାନେ ସେମାନଙ୍କର ସମ୍ପ୍ରଦାୟଗୁଡ଼ାକ ଭିତରେ ନିଜକୁ କିଳି ରଖିଥାଆନ୍ତି ଏବଂ ଅନ୍ୟମାନଙ୍କୁ ହିଂସା କରୁଥାନ୍ତି, ସେମାନେ ବି ଭାରି ପୁଲକରେ ଆସି ପଲଗୁଡ଼ାକ ସହିତ ସାମିଲ ହୋଇ ଯାଆନ୍ତି । ଯୁଗ ହୁଡ଼ି ହୁଡ଼ି ଯାଏ ଏବଂ ବିବେକମାନେ ଭାରି ଗୋଦଡ଼ା ହୋଇ ପଡ଼ିରହନ୍ତି ।

 

ତେଣୁ ଶାସକମାନେ ଆମ ଧର୍ମ ଭିତରକୁ ଆଦୌ ସାହସ ନ କରନ୍ତୁ । ସେମାନେ ଆମକୁ ଅଣହିନ୍ଦୁ କରିବାର ଫିକର ନ କରନ୍ତୁ । ଆମକୁ ସଂକୀର୍ଣ୍ଣ କରି ଆଣିବାର ଫନ୍ଦା ଛାଡ଼ିଦିଅନ୍ତୁ-। ଧର୍ମକୁ ଅଧ୍ୟାତ୍ମଆଡ଼କୁ ଉନ୍ମୋଚିତ କରି ନେବାର ଯେତେ ଯେତେ ମାର୍ଗ ରହିଛି, ପୁଥିବୀଯାକ ବର୍ତ୍ତମାନ ସେହି ମାର୍ଗଗୁଡ଼ିକର ସନ୍ଧାନ ହେଲାଣି । ନିନ୍ଦା ଅଧ୍ୟାତ୍ମ-ସତ୍ୟଗୁଡ଼ିକର ସାହସୀ ଉଚ୍ଚାରଣ କରି ପାରୁଥିବା ଏବଂ କ୍ଷମତାକାମୀମାନଙ୍କୁ ମନୁଷ୍ୟର ବାଟ ଉପରୁ ହଟିଯିବା ପାଇଁ ଆହ୍ଵାନ କରୁଥିବା ଏକ ଚେତନା ହିଁ ଆଗାମୀ ପୃଥିବୀରେ ମନୁଷ୍ୟ ସମାଜକୁ ଏକ ଅନ୍ୟ ପ୍ରକାରର ନେତୃତ୍ଵ ଦେବାକୁ ବାହାରୁଛି । ଧର୍ମର ଭେକଗୁଡ଼ିକ ଅପେକ୍ଷା ଧର୍ମଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ଏକ ଅଧ୍ୟାତ୍ମ ବ୍ୟାକୁଳତା ହିଁ ପୃଥିବୀକୁ ଆହୁରି ଆଗକୁ ନେଇଯିବ ବୋଲି ସଜ ହେଉଛି । ଭାରତର ଅଧ୍ୟାତ୍ମ ଯେ ଏଥିଲାଗି ମଧ୍ୟ ଏକ ଭୂମିକା ଅବଶ୍ୟ ଗ୍ରହଣ କରିବ, ତାହାର ଯୋଗ୍ୟ ହେବ ନିମନ୍ତେ ଭାରତବର୍ଷରେ ହିନ୍ଦୁମାନଙ୍କର ମଧ୍ୟ ଏକ କର୍ତ୍ତବ୍ୟ ରହିଛି । ମାତ୍ର ସେହି ଯୋଗ୍ୟତା ହାସଲ କରିବାକୁ ହେଲେ ଆମକୁ ଆହୁରି ଅଧିକ ସାଧୁତା ଏବଂ ଅନ୍ତର୍ଗତତା ସହିତ ସାମୂହିକ ଜୀବନର ଗଭୀରକୁ ଯିବାକୁ ପଡ଼ିବ । ପୁରୁଣା ଶାସ୍ତ୍ରରେ ଲୁଚି ରହିଥିବା ନୂଆ ବାର୍ତ୍ତାଗୁଡ଼ିକ ନିମନ୍ତେ ଆପଣାକୁ ପ୍ରସ୍ତୁତ ଏବଂ ସମ୍ମତ କରିବାକୁ ହେବ । ରାଜନୀତି ଭିତରର ତାତ୍କାଳୀକ ସିଦ୍ଧିଲୋଭୀମାନେ ଆମକୁ ଏଥିରେ କୌଣସି ସାହାର୍ଯ୍ୟ କରିପାରିବେ ନାହିଁ । ବାହାରର ଉତ୍ତେଜନାରେ ସେମାନଙ୍କର ହାତରେ କ୍ରିଡ଼ନକ ହୋଇ ନୁହେଁ, ଅଧିକ ଗଭୀର ଆନ୍ତରିକ ଏବଂ ସମ୍ପୃକ୍ତ ଭାବରେ ହିନ୍ଦୁ ଧର୍ମକୁ ବଞ୍ଚାଇପାରିଲେ ଯାଇ ଆଗାମୀ ବିଶ୍ଵଯୋଜନାରେ ଆମର ମଧ୍ୟ ବହୁତ ଅବଦାନ ରହିବା ସମ୍ଭବ ହେବ । ଆମେ ଆହୁରି ଗଭୀର ଅର୍ଥରେ ହିନ୍ଦୁ ହେବା, ଗମ୍ଭୀରି ଭିତରେ ଉତ୍ତେଜିତ ହୋଇ ରହିବାକୁ ମନା କରିଦେବା । ଆମେ ଭଗବାନଙ୍କ ମନରେ ମୋଟେ ସନ୍ତ୍ରାସବାଦୀ ହେବାନାହିଁ ବା ସନ୍ତ୍ରାସବାଦୀ ମାନଙ୍କର ଅନୁକରଣ କରିବା ନାହିଁ । ଅଧ୍ୟାତ୍ମକୁ ମାନି ବାଟା ଚାଲୁଥିବା ଯାଏ ଆମେ ଧର୍ମକୁ ମଧ୍ୟ ତାର ଉଚିତ ସୀମାଗୁଡ଼ିକ ମଧ୍ୟରେ ବୁଝିବା ଲାଗି ଅବଶ୍ୟ ସମର୍ଥ ହେଉଥିବା ।

Image

 

Unknown

ବିବେକମାନେ ତଳକୁ ଆସ

 

ଏବର୍ଷ ଭାରତବର୍ଷରୁ ଯିଏ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଲେ, ପୁରସ୍କାରଟିକୁ ଦେଇଥିବା ନୋବେଲ କମିଟି ତାଙ୍କୁ ଅର୍ଥନୀତିର ବିବେକ ବୋଲି କହିଛନ୍ତି । ଯାବତୀୟ ବିଦ୍ୟା ସମଗ୍ରତଃ ଆମକୁ ବିବେକ ପ୍ରଦାନ କରେ ବୋଲି ଶାସ୍ତ୍ରରେ କୁହାଯାଇଛି । ବିଦ୍ୟା ବିଦ୍ୟାବନ୍ତ ବା ବିଦ୍ଵାନର ବିବେକକୁ ବଢ଼ାଏ, ବିଶ୍ଵର ବିବେକକୁ ମଧ୍ୟ ବଢ଼ାଏ । କେବଳ ଅର୍ଥନୀତି ନୁହେଁ, ସକଳ ପ୍ରକାରର ଭଳି ଭଳି ବିଦ୍ୟା ବିଶ୍ଵର ବିବେକକୁ ଅବଶ୍ୟ ଯେ ବଢ଼ାଉଥିବା, ଆମେ ସାଧାରଣ ଲୋକେ ସେହିଭଳି ଅନୁମାନଟିଏ କରିବା ଲାଗି ସର୍ବଦା ଏକ କାରଣ ରହିବ ହିଁ ରହିବ । ପୃଥିବୀରେ ଏହି ବଂଶ ଶତାବ୍ଦୀରେ ବିଦ୍ୟା ପୂର୍ବ ତୁଳନାରେ ନିଶ୍ଚୟ କେତେଶହ ଗୁଣ ଅଧିକ ହୋଇଥିବ । ବିଶ୍ୱବିଦ୍ୟାଳୟମାନଙ୍କର ସଂଖ୍ୟା ବଢ଼ିଛି । ବିଦ୍ୟଗୁଡ଼ିକର ଶାଖା ପ୍ରଶାଖା ମଧ୍ୟ ସଂଖ୍ୟାରେ ବଢ଼ି ବଢ଼ି ଲାଗିଛି । ମାତ୍ର ବିଦ୍ୟାମାନେ ବଢ଼ିଥିବାର ଅନୁପାତରେ ବିବେକ ପ୍ରକୃତରେ ବୃଦ୍ଧି ପାଇଛି କି ? ସେହି ଅର୍ଥନୀତି ବିଦ୍ୟାର କ୍ଷେତ୍ରରେ କେତେ ନୂଆ ନୂଆ ଜ୍ଞାନ ଅର୍ଥାତ୍ ବାଖ୍ୟାମାନ ବୃଦ୍ଧିଲାଭ କରିଥିବା ସମୟରେ ଏଣେ ଅପରପକ୍ଷରେ ବିଶ୍ଵଅର୍ଥନୀତିର କ୍ଷେତ୍ରରେ ବିବେକ ବଢ଼ିଛି କି ? ପୃଥିବୀଯାକ କେତେ କେତେ ବହି ଲେଖାହେଉଛି । ମାତ୍ର ସେହି ଅନୁସାରେ ସେଗୁଡ଼ିକ ଭିତରେ ନୂତନ ଜ୍ଞାନର ସ୍ୱାଦଲାଭ କରୁଥିବା ମନୁଷ୍ୟମାନେ ସତକୁ ସତ ବିବେକରେ ଆଗକୁ ଯାଉଛନ୍ତି କି ? ପୃଥିବୀରେ ଧନର ପରିମାଣ ବଢ଼ିବା ସଙ୍ଗେ ସଙ୍ଗେ ନିର୍ଦ୍ଧନମାନଙ୍କର ଦୁଃଖରାଶି ବୃଦ୍ଧି ପାଉଛି । ଭୋଗର ଅଧିକରୁ ଅଧିକ ଭିଆଣମାନ ହେଉଥିବା ସମୟରେ ବଞ୍ଚିତମାନଙ୍କର କଷଣ ଓ ସେମାନଙ୍କ ପ୍ରତି ଆମର ଉପେକ୍ଷା ଅତ୍ୟନ୍ତ ନିଷ୍ଠୁର ଭାବରେ ବଢ଼ିବାରେ ଲାଗିଛି । ଠିକ୍ ସେହି କଥାଟିକୁ ବିଦ୍ୟାର କ୍ଷେତ୍ରଟି ବିଷୟରେ କୁହାଯାଇପାରିବ ।

 

ଏହି ଦୁଃଖ କଥାଟିକୁ ଆମେ ଆମ ସାମୂହିକ ଜୀବନର ଅନ୍ୟାନ୍ୟ ଏକାଧିକ କ୍ଷେତ୍ର ବିଷୟରେ ମଧ୍ୟ କହିପାରିବା । ଆମ ପୃଥିବୀରେ ଧର୍ମମାନେ କ୍ରମେ ନିଜର ସନ୍ତକଗୁଡ଼ିକୁ ଅଧିକରୁ ଅଧିକ ବର୍ଣ୍ଣୋଜ୍ଵଳ କରି ଦେଖାଇଲେଣି । ମନ୍ଦିର ବଢ଼ୁଛି, ଉପାସକ ସମ୍ପ୍ରଦାୟମାନେ ବଢ଼ୁଛନ୍ତି, ପ୍ରତ୍ୟେକ ଧର୍ମରେ ମହା ମହା ଗ୍ରନ୍ଥମାନ ଲେଖା ହେଉଛି ଓ ମସ୍ତ ମସ୍ତ ଗୁରୁମାନେ ସମ୍ଭୁତ ହେବାରେ ଲାଗିଛନ୍ତି । ଧର୍ମ ପ୍ରଚାରରେ ନୂଆ ନୂଆ ଉପାୟ ଏବଂ ପଦ୍ଧତିମାନ ବାହାରିଲାଣି । ବହୁତ ବୁଦ୍ଧି ଖର୍ଚ୍ଚ କରି ପ୍ରଚାରକମାନେ ନିଜ ନିଜ ଧର୍ମକୁ ଏକାବେଳକେ ମଣିଷମାନଙ୍କର ଦୁଆର ମୁହଁରେ ନେଇ ପହଞ୍ଚାଇ ଦେବାର ପ୍ରଣାଳୀମାନ ବାହାର କଲେଣି । ମାତା ଧର୍ମ ଦ୍ଵାରା ମଣିଷମାନେ ଅଧିକ ବିବେକୀ ହେଉଛନ୍ତି କି ? ପୃଥିବୀରେ ଧର୍ମସ୍ଥମାନଙ୍କର ସଂଖ୍ୟା ବୃଦ୍ଧି ପାଉଛି କି ? ନା କପଟତା ବଢ଼ୁଛି, ଦୂରତାମାନ ବଢ଼ୁଛି, ପ୍ରତିଦ୍ୱନ୍ଦିତାର ନାନା ନୂଆ ନୂଆ ଛଇ ବାହାରୁଛି ଏବଂ ଭଗବାନଙ୍କୁ ଆଳକରି ନୂଆ ନୂଆ ଛୁରୀମାନ ପଜା ହେବାରେ ମଧ୍ୟ ଲାଗିଲାଣି ? ଧର୍ମକୁ ନାନା ହୀନ ମତଲବକୁ ଚରିତାର୍ଥ କରିବାର କାର୍ଯ୍ୟରେ ବ୍ୟବହାର କରାଯାଉଛି । ପ୍ରତ୍ୟକେ ନିଜକୁ ଅନ୍ୟମାନଙ୍କ ଠାରୁ ଅଧିକ ଠିକ୍ ଏବଂ ଭଲ ବୋଲି କହୁଛନ୍ତି ।

 

ସାହିତ୍ୟ ସେହିପରି ଆମ ସାମୂହିକ ଜୀବନର ଆଉ ଗୋଟିଏ କ୍ଷେତ୍ର, ଯାହାକୁ ନେଇ କେତେ ଗର୍ବ କରାଯାଉଛି । ସାହିତ୍ୟରେ ମଧ୍ୟ ନୋବେଲ ପୁରସ୍କାର ସମେତ ଆହୁରି କେତେ ପୁରସ୍କାର ଏବେ ମିଳିଲାଣି । ଯେଉଁ ଭାଷାର, ଦେଶର ବା ଜାତିର ସାହିତ୍ୟ ଯେତେ ବଡ଼, ସେହି ଭାଷା, ଦେଶ ଏବଂ ଜାତି ସେତିକି ବଡ଼ ବୋଲି ଉଲ୍ଲାସର ସହିତ କଥାମାନ କୁହାଯାଉଛି । ସାହିତ୍ୟରେ ମଧ୍ୟ କେତେ କେତେ ନୂଆ ବୁଦ୍ଧି ଖର୍ଚ୍ଚକରି ନୂଆ ଶୈଳୀ ଓ ନୂଆ ମାହାଲମାନ ବାହାରିବାରେ ଲାଗିଛି । ମାତ୍ର ସାହିତ୍ୟ ଦ୍ଵାରା ପୃଥିବୀର ବିବେକ ବୃଦ୍ଧି ପାଉଛି କି ? ସାହିତ୍ୟକୁ ତଦ୍‌ବିତ୍‍ମାନେ ଏକାବେଳେକେ ଦେବୀ ସରସ୍ଵତୀଙ୍କ ସହିତ ନେଇ ଯୋଡ଼ି ଦେଇଛନ୍ତି । ସାହିତ୍ୟ ଜୀବନକୁ ପ୍ରଭାମୟ କରେ, ଧନାଢ଼୍ୟ ଏବଂ ଆହୁରି କେତେ କ’ଣ କରେ ବୋଲି ସମ୍ପୃକ୍ତ ଦରବାରମାନଙ୍କରେ କୁହାଯାଉଛି ।

 

ସାହିତ୍ୟର ଆନନ୍ଦକୁ ଏକ ସ୍ୱର୍ଗୀୟ ଆନନ୍ଦ ବୋଲି ପୂରା ଉତ୍ସାହର ସହିତ କୁହାଯାଉଛି । ମାତ୍ର ସାହିତ୍ୟମାନେ ଆମର ବିବେକରେ ବୃଦ୍ଧି ସାଧନ କରିପାରୁଛନ୍ତି କି ? ସାହିତ୍ୟ ପୃଥିବୀକୁ ଅବିବେକୀ ହେବାରୁ ରକ୍ଷାକରି ପାରୁଛି ? ଅବିବେକ ଗୁଡ଼ିକର ପ୍ରତିରୋଧ କରିପାରୁଛି କି ? ପୃଥିବୀରେ ରାଷ୍ଟ୍ରମାନେ ଅଧିକରୁ ଅଧିକ ପ୍ରବଳ ହୋଇ ଅଧିକ ଅସ୍ତ୍ର ଠୁଳକରି ଅଭିଯାନରେ ବାହାରୁଥିବା ସମୟରେ ସାହିତ୍ୟ ତାହାର ପଥରୋଧ କରି ଛିଡ଼ା ହୋଇ ପାରୁଛି କି ? ଏହି ସାହିତ୍ୟର ମାଧ୍ୟମରେ ପ୍ରୀତିର ବହୁତ ବହୁତ ପ୍ରଚାର ହେଉଛି, ମେଧାରେ ମସଲାମାନେ ଦେଇ କେତେ ସୂକ୍ଷ୍ମ ଓ ସୂକ୍ଷ୍ମତର ବାଗରେ ହୃଦୟର କର୍ଷଣ ନିମନ୍ତେ ଉତ୍ତୁଙ୍ଗ ଆହ୍ଵାନମାନ ଦିଆଯାଉଛି । ମାତ୍ର ତଦ୍ଦ୍ୱାରା ପ୍ରୀତି ବୃଦ୍ଧିଲାଭ କରୁଛି କି, ହୃଦୟ ଦେଇ ବାଟ ଚାଲିବା ଲାଗି ତାହା ମନୁଷ୍ୟକୁ ସତକୁ ସତ କିଛି କ୍ରିୟାଶୀଳତା ଯୋଗାଇଦେଇ ପାରୁଛି କି ? ସାହିତ୍ୟଲେଖାଳିମାନେ କେଡ଼େ କେଡ଼େ ଭାବପ୍ରବଣତା ଦ୍ଵାରା ପ୍ରେରିତ ହୋଇ ଏକାଠି ବସି ସମ୍ମିଳନୀ ଓ ସଭାମାନ କରୁଛନ୍ତି । ପାଠୋତ୍ସବମାନ ଏବେ ବିଶ୍ୱସ୍ତରରେ ମଧ୍ୟ ବସିଲାଣି । ସେଠି ମହୀରୁହମାନେ କେଡ଼େ ଭୋଳହୋଇ ପରସ୍ପରର ପ୍ରଶଂସା କରୁଛନ୍ତି, ବାକ୍ୟକବିତାର ନିଶାରେ ସତେଅବା ସ୍ଵୟଂ ଭଗବାନଙ୍କର ପାଦକୁ ଯାଇ ଛୁଇଁ ପକାଉଥିବା ପରି ଅନୁଭବ କରୁଛନ୍ତି । ମାତ୍ର, ପୃଥିବୀର ବିବେକ ବଢ଼ାଇବାର କ୍ଷେତ୍ରରେ ସାହିତ୍ୟ କାହିଁକି କାଳକାଳରୁ ଏପରି ନିସ୍ତେଜ, ଉଦାସୀନ ହୋଇ ରହିଛି ? ସାହିତ୍ୟ ଭିତରେ ରହିଥିବା, ଖାସ୍ ମଣିଷମାନେ ଅର୍ଥାତ୍ ସାହିତ୍ୟରସିକ ଓ ସାହିତ୍ୟଲେଖକମାନେ ସମ୍ଭବତଃ ଏପର୍ଯ୍ୟନ୍ତ ସେହି କଥାଟିକୁ ଯଥେଷ୍ଟ ଗମ୍ଭୀର ଭାବରେ ଚିନ୍ତା କରିନାହାନ୍ତି । କାହିଁକି କରିନାହାନ୍ତି କେଜାଣି ?

 

ଯୋଗୀମାନେ ଯୋଗସାଧନା କରି ଆସିଛନ୍ତି । ସେହି ସାଧନାରେ ଚକ୍ରରୁ ଚକ୍ରକୁ ଉଠିବାକୁ ହୁଏ । ତଳୁ ଉପରକୁ ଉଠିବାକୁ ହୁଏ । ସେବା ଉପରେ ଏକ ଶୀର୍ଷଚକ୍ରରେ ପହଞ୍ଚି ସେହିଠାରେ ଭଗବାନଙ୍କର ଠାବ କରାଯାଏ ବୋଲି କୁହାଯାଇଛି । ଏହି ସାଧନା ଆଗେ ହେଉଥିଲା, ଏବେ ମଧ୍ୟ ହେଉଛି । ମାତ୍ର ଯେଉଁମାନେ ସବା ଉପରେ ଯାଇ ପହଞ୍ଚିଛନ୍ତି, ସେମାନେ ସଚରାଚର ତଳଟାକୁ ଛାଡ଼ିଦେଇ ଉପରଟା ଭିତରକୁ ଚାଲି ଯାଇଛନ୍ତି । ସମ୍ଭବତଃ ଏକ ବାହ୍ୟ ଅର୍ଥରେ ମଧ୍ୟ ନିଜର ସେହି ସିଦ୍ଧିକୁ ସୂଚାଇଦେବା ନିମନ୍ତେ ସେମାନେ ସଂସାର ଛାଡ଼ି ଗିରିଶୃଙ୍ଗ ଉପରକୁ ଚାଲି ଯାଇଛନ୍ତି । ସଂସାରର କୋଳାହଳ ଭିତରୁ ବାହାରି ଯାଇ ଏକ ନିକାଞ୍ଚନ ଥାନକୁ ଚାଲି ଯାଇଛନ୍ତି । ସେହି ଥାନଟିକୁ ଆମର ପାରମ୍ପରିକ ଭାଷାରେ ଆଶ୍ରମ ବୋଲି କୁହାଯାଇଛି । ଋଷିମାନେ ସଂସାରରେ ରହୁନଥିଲେ, ସେମାନେ ନିଜ ଆଶ୍ରମରେ ରହୁଥିଲେ । ସଂସାର ତ୍ୟାଗକରି ବନରେ ରହୁଥିଲେ । ସମସ୍ତଙ୍କ ସହିତ ରହିଲେ ଏଠି ମାୟା ଖାଇଯିବ ବୋଲି ଭୟ କରୁଥିବାରୁ ସେମାନେ ଅଲଗା ହୋଇ ରହିବା ଲାଗି ବଣକୁ ମନ କରୁଥିଲେ କି ? ପୁରାଣ ମାନଙ୍କରେ ଯେଉଁଠି ଋଷିମାନଙ୍କର କଥା କୁହାଯାଇଛି, ସେଠି ସେମାନଙ୍କର ଆଶ୍ରମଗୁଡ଼ିକ ବିଷୟରେ ମଧ୍ୟ କୁହାଯାଇଛି । ଆଗେ ପବିତ୍ରାତ୍ମାମାନେ ଆଶ୍ରମରେ ରହୁଥିଲେ, ଏବେ ହୁଏତ ସେହିଭଳି କୌଣସି ବସନରେ ଉଦ୍‍ବୁଦ୍ଧ ହୋଇ ମଠଗୁଡ଼ିକର ସୃଷ୍ଟି ହୋଇଛି । ମଠ ଏହି ସଂସାର ମଧ୍ୟରେ ରହିଛି । ମଠଗୁଡ଼ିକର ଜମିବାଡ଼ି ଓ ଧନସମ୍ପତ୍ତିମାନ ରହିଛି । ମାତ୍ର ମଠର ବାବାଜୀମାନେ ସଂସାରକୁ ଅଲଗା ଓ ଏକଣା ହୋଇ ରହୁଛନ୍ତି । ସଂସାର ସହିତ ପୂରା ଘଷି ହୋଇ ରହିଥିଲେ ମଧ୍ୟ ତଥାପି ତୁମେ ନିଜ ମଠରେ ରହିବ ଓ ସଂସାରର ମଳିଗୁଡ଼ିକରୁ ଅଲଗା ହୋଇ ରହିଛ ବୋଲି ଅନୁଭବ କରିବ । ଏହିପରି ଏକ ଡବଲ ଲାଭର ଆକାଂକ୍ଷା ରାଖି ସମ୍ଭବତଃ ମଠ ଗୁଡ଼ିକର ଉଦ୍ଭାବନ କରାଯାଇଛି ।

 

ଯିଏ ଗଲା, ସିଏ କ’ଣ ସମ୍ପୂର୍ଣ୍ଣଭାବରେ ଗଲା ? ଯିଏ ଗଲା, ସିଏ ବୀତରାଗ ହୋଇ ବାହାରି ଗଲା । ଏହି ସଂସାରରେ ଆଧ୍ୟାତ୍ମ ମିଳିବାରେ ଆଦୌ କୌଣସି ସାରବସ୍ତୁ କଦାପି ମିଳିବ ନାହିଁ ବୋଲି ଭିତରେ ଏକ ବୈରାଗ୍ୟକୁ ଆବୋରି ଧରିଥିବାରୁ ସିଏ ଏଠାରୁ ଗଲା । ଯେଉଁମାନେ ଉର୍ଦ୍ଧ୍ୱକୁ ଉଠିଲେ, ଆରୋହଣ କଲେ, ସେମାନେ ଆଉ ତଳକୁ ମୋଟେ ମନକଲେ ନାହିଁ । ସେମାନେ ସତ୍ୟ ପାଇ ସେଇଠି ରହିଗଲେ । ସତ୍ୟ କେବଳ ସେହି ଉପରେ ରହିଛି ବୋଲି ସେଇଥିପାଇଁ କାଳ କାଳକୁ ଏହି ଅପବାଦ ରହିଗଲା କି ? କ୍ରମେ ଭଗବାନ ମଧ୍ୟ ସେଇ ଉପରେ ଯାଇ ରହିଛନ୍ତି ବୋଲି ଗୋଟିଏ ବିଶେଷ ପ୍ରଚାର ଉପରେ ଏକ ମହତ୍ତ୍ୱ ଦିଆଗଲା ବୋଲି ସେଇ ସିଆଡ଼େ ମଧ୍ୟ ସ୍ଵର୍ଗଟା ରହିଛି ବୋଲି ସଂସାରରେ ଏକ ବିଶ୍ୱାସକୁ ପ୍ରଚାର କରି ଦିଆଗଲା କି ? ସ୍ୱର୍ଗରେ ଦେବତାମାନେ ଅଛନ୍ତି, ପୁଣ୍ୟବାନମାନେ ରହିଛନ୍ତି, ପାରିଜାତ ଫୁଲ ସେଇଠି ଫୁଟୁଛି ଏବଂ ସ୍ଵୟଂ ଭଗବାନ ମୋହିନୀବେଶ ଧାରଣ କରି ହକ୍‍ଦାରମାନଙ୍କୁ ଅମୃତ ପରିବେଷଣ ମଧ୍ୟ କରୁଛନ୍ତି-। ତେଣୁ ହେ ଅଧମ ମଣିଷ, ତୁ ଆଉ ତୋ ପୃଥିବୀରେ କୌଣସି ପରିବର୍ତ୍ତନର ଆଶା କରନା । ତୁ ପୃଥିବୀକୁ ଭୁଲ ବୋଲି କହିବୁ, ମାୟା ବୋଲି କହିବୁ । ସେଇ ମାୟା ଭିତରୁ ମୁକୁଳି ଆସିବୁ ବୋଲି କାତର ଓ କାକୁସ୍ଥ ହି ପ୍ରାର୍ଥନ କରିବୁ । ତୋର ସୌଭାଗ୍ୟ ଥିଲେ ସଂସାର ଛାଡ଼ିବାର ତାକତ ଆସିବ ଏବଂ ତୁ ମଧ୍ୟ ଏହି ଉପରକୁ ଆସିବାର ଯୋଗ୍ୟତାପତ୍ରଟିଏ ପାଇଯିବୁ । ଆମ ବାବାଜୀମାନେ ଶାସ୍ତ୍ରକାରମାନେ ଏବଂ ମହୀୟାନ ଆତ୍ମାମାନେ ଯେତେବେଳେ ପୃଥିବୀ ପାଇଁ ଉପରୁ ଥାଇ ଏହିଭଳି କଥାମାନ କହିବାକୁ ମାର୍ଗ ବୋଲି ଗ୍ରହଣ କଲେ, ପୃଥିବୀର ମଣିଷମାନେ ମୂଢ଼ ହୋଇ କ’ଣ ପାଇଁ ସେଗୁଡ଼ିକୁ ସ୍ୱୀକାର କରିନେଲେ ? ବହିମାନେ ଉପରେ ରହିଲେ ଏବଂ ସଂସାର ସେଥିରୁ ଆଦୌ କିଛିହେଲେ ଭାଗ ପାଇଲା ନାହିଁ । ସଂସାରଯାକର ମନୁଷ୍ୟଙ୍କୁ କାହିଁକି ଏପରି ପ୍ରତାରିତ କରି ରଖାଗଲା ?

 

ବିବେକ ତଳକୁ ନ ଆସିବା ପର୍ଯ୍ୟନ୍ତ ତାହା ସେହିପରି ଶାସ୍ତ୍ରୀୟ ଓ ବ୍ୟୟବୀୟ ହୋଇ ରହିଥିବ ସିନା, ଏହି ପୃଥିବୀରେ ମୋଟେ କୌଣସି କାମରେ ଲାଗିବ ନାହିଁ । ତପସ୍ଵୀମାନେ ତପସ୍ୟାଲବ୍ଧ ଫଳରାଶିକୁ ସତେ ଅବା ଏକୁଟିଆ ଭୁଞ୍ଜିବେ ବୋଲି ଯେପର୍ଯ୍ୟନ୍ତ ଉପରେ ରହିଥିବେ, ତଳକୁ ତରୁଥିବେ, ତଳର କଥା ପଡ଼ିଲେ ତରକି ଯାଉଥିବେ, ସେପର୍ଯ୍ୟନ୍ତ ତପସ୍ୟାର ପରିମାଣଟା ପନ୍ଦର ହଜାର ଗୁଣ ବଢ଼ିଲେ, ମଧ୍ୟ ପୃଥିବୀରେ ବିବେକ ଗୁଡ଼ିକର ପ୍ରତିଷ୍ଠା ସମ୍ଭବ ହେବନାହିଁ । ଅସଲ ଚେତନା କଦାପି ଆପଣାସାର୍ତ୍ତିକିଆ ହୋଇ ଉପରେ ନିଜର କୌଣସି ଅଲଗା କୋଠି ଭିତରେ ନିଜକୁ ନିବୁଜ କରି ରଖିପାରିବ ନାହିଁ । ତାହାକୁ ମୂର୍ତ୍ତ ହେବାଲାଗି, ହାଡ଼ ମାଂସ ଓ ରୁଧିରର ଅବୟବଟିଏ ଧାରଣ କରିପାରିବା ନିମନ୍ତେ ତଳକୁ ଆସିବାକୁ ପଡ଼ିବ । ଏହି ତଳେ ହିଁ ଆମର ନାନା ଆହ୍ଵାନଗୁଡ଼ିକର ଭୂମିରେ ତାକୁ ନିଜ ଅର୍ଜନ ଓ ବଳର ପରୀକ୍ଷା ଦେବାକୁ ପଡ଼ିବ ।

 

ଚେତନା ଆରୋହଣର ଯୋଗ୍ୟ ହେଲେ ତାହା ଉପରକୁ ଉଠିଯାଏ ଓ ସିଆଡ଼େ ସିଆଡ଼େ ରହେ ବୋଲି ଯେଉଁମାନେ ଆମ ଆଗରେ କହି ଆସିଛନ୍ତି ଓ ଏବେ ମଧ୍ୟ କହିବାରେ ଲାଗିଛନ୍ତି, ସେମାନେ ଚେତନାର ଆର ଦିଗଟିକୁ ସମ୍ଭବତଃ ମୋଟେ ମନ କରିନାହାନ୍ତି ବୋଲି ଏପରି କହିଛନ୍ତି ବା କହୁଛନ୍ତି । ଅସଲ ଚେତନା ନିଜକୁ ସମ୍ପ୍ରସାରିତ ବି କରିପାରେ, ଏଥିରେ ଆରୋହଣର ଏବଂ ଅବରୋହଣର ଦୁଇଟିଯାକ ପ୍ରକ୍ରିୟା ଏକାବଳକେ ଲାଗିଥାଏ ଏବଂ ଦୁଇଟିଯାକ ପ୍ରକ୍ରିୟା ସତକୁ ସତ ପରିପୂରକ ଭାବରେ ରହିଥିଲେ ଯାଇ ଚେତନାର କ୍ରିୟା ସୁସ୍ଥ ହୁଏ-। ଯାବତୀୟ ତପସ୍ୟା ମଧ୍ୟ ସେତିକିବେଳେ ଯାଇ ସୁସ୍ଥ ହେବାର ସାମର୍ଥ୍ୟ ଲାଭକରେ । ବିବେକ କାମରେ ନ ଲାଗିପାରିବା ପର୍ଯ୍ୟନ୍ତ ତାହା ପଳାୟନକାମୀ ମାନଙ୍କ ହାତରେ ସତେ ଅବା କେତେଟା ଗେହ୍ଲାଫଳ ହୋଇ ରହିଥାଏ । ଯେଉଁ କବି, ଲେଖକ, କଳାକାର, ତପସ୍ୟାରତ ତପସ୍ୟା ଓ ବୈଜ୍ଞାନିକମାନେ ସଂସାର ଭିତରେ ବିଚରଣ କରୁଥିଲେ ମଧ୍ୟ ତଥାପି ଉପରେ ସତେ ଅବା ନିଜର କେଉଁ ରତିଦାୟକ ଗମ୍ଭିରୀ ଭିତରେ ଅଲଗା ହୋଇ ରହିଛନ୍ତି, ଶ୍ରୀ ଅରବିନ୍ଦ ସେମାନଙ୍କୁ sannyasins of the intellect ବୋଲି କହିଛନ୍ତି । ଭାରତବର୍ଷ ସମେତ ପୃଥିବୀ ପରି ଗୋଟିଏ ଅସମାନ ସମାଜରେ ସେମାନଙ୍କର ଲବ୍ଧ ନୈପୁଣ୍ୟମାନ ସେମାନଙ୍କୁ ହୁଏତ ବହୁତ ଆତ୍ମସନ୍ତୋଷ ଦାନ କରୁଛି ସିନା, ମାତ୍ର ପୃଥିବୀକୁ ଅସୁରମାନଙ୍କ ହାତରୁ ମୁକ୍ତ କରିବାର ଏ ଯୁଗର ଅସଲ ସଂଗ୍ରାମରେ ତାହା ଆମର ଖୁବ୍ ବେଶୀ କାର୍ଯ୍ୟରେ ଆଦୌ ଲାଗିପାରୁ ନାହିଁ ।

 

ଆମ ବିଶ୍ଵବିଦ୍ୟାଳୟମାନେ ସତେ ଆବ ପ୍ରଧାନତଃ କେବଳ ଆରୋହଣରେ ବିଶ୍ଵାସ କରୁଥିବା ଏବଂ ଅଲଗା ହୋଇ ଉର୍ଦ୍ଧ୍ୱରେ ରହିବାକୁ ବୈରାଗୀ ସନ୍ନ୍ୟାସୀ ମାନଙ୍କର ଏକ କ୍ଲବ୍‍ଘର ହୋଇ ରହିଛି । ସେହି କ୍ଲବ୍‍ଘରମାନଙ୍କୁ ଶ୍ଲେଷର ସହିତ ଗୋଟିଏ ଗୋଟିଏ ଆଶ୍ରମ ବୋଲି କୁହାଯାଇ ପାରିବ । ସେମାନେ ସେଠାରେ ଯାହାକିଛିର କର୍ଷଣ କରୁଛନ୍ତି, ତାହାକୁ ତପସ୍ୟା ବା ଏକ ସାଧନା ବୋଲି କହିଲେ ମଧ୍ୟ ତାହା ଚଳକୁ ଆସିବାକୁ ରାଜି ହେଉନାହିଁ ବୋଲି ପୃଥିବୀର ବିବେକ ବୃଦ୍ଧିରେ ତାହା ଆଦୌ ସାହାଯ୍ୟ କରିପାରୁ ନାହିଁ । ବିଦ୍ୟା ଯଦି ପୃଥିବୀର ବିବେକ ବିଷୟରେ କିଛି କରିନପାରିବ ତେବେ ସେହି ବିଦ୍ୟାରେ କେତେଜଣ ମଣିଷ ଯେଡ଼େ ଧୁରନ୍ଧର ହେଲେ ମଧ୍ୟ ତାହା ଆଉ କେଉଁ କାମରେ ଆସିବ ? ପୃଥିବୀରେ କେବଳ ଦରିଦ୍ର୍ୟ ହିଁ ବଢ଼ିବାରେ ଲାଗିଥିବ । ବିଜ୍ଞାନୀମାନେ ଉପରେ ରହିଥିବେ, ଦ୍ଵୀପନିବାସୀ ହୋଇ ରହିଥିବେ ଓ ପୃଥିବୀବାସୀ ଦିନକୁ ଦିନ ଉଚ୍ଛନ୍ନ ହେବାରେ ଲାଗିଥିବେ । ପୃଥିବୀରେ ଯିଏ ଟିକିଏ ବୁଦ୍ଧିଆ ହେଲା, ଯଦି ସିଏ ନିଜର ଅଲଗା ପାଞ୍ଚ କରି ଉପରକୁ ପଳାଇଯିବ, ତେବେ ସେହି ବୁଦ୍ଧିକୁ ବି କାହିଁକି ସୁସ୍ଥ ବୋଲି କୁହାଯିବ ? ଏବେ ପୃଥିବୀରେ ଯେଉଁମାନେ ରାଜନୀତିରେ ଅଛନ୍ତି, କେତେଜଣଙ୍କୁ ଉଚ୍ଚ ଓ ଉଗ୍ର କରିବା ବ୍ୟତୀତ ସେମାନଙ୍କ ଦ୍ଵାରା ପୃଥିବୀର ଆଉ କେଉଁ ଉପକାର ହୋଇପାରୁଛି ? ଉପରେ ରହିଥିବା ଓ ବିଦ୍ୟାର ବିଳାସ କରୁଥିବା ଯଦି କେଉଁମାନେ ପ୍ରକୃତରେ ବିବେକ ଭିତରେ ମଧ୍ୟ ରହିଛନ୍ତି, ତେବେ ସେମାନେ ତ ବଳେ ବଳେ ତଳକୁ ଓହ୍ଲାଇ ଆସନ୍ତେ, ଆମ ସମସ୍ତଙ୍କର ସମସ୍ୟାଗୁଡ଼ିକର ସମ୍ମୁଖୀନ ହୁଆନ୍ତେ, ଆମ ସହିତ ଏକାଠି ମିଶି ଅସଲ ସଂଗ୍ରାମଗୁଡ଼ିକରେ ଅଂଶ ଗ୍ରହଣ କରନ୍ତେ ଓ ପ୍ରତିବନ୍ଧକଗୁଡ଼ିକୁ ଚୁନୌତି ଦେଇପାରନ୍ତେ । ପୃଥିବୀର ଏହି ତଳଭାଗ ଅର୍ଥାତ୍ ଆଧିକ ମଣିଷ ବାସ କରୁଥିବା ଭାଗଟିରେ ଯଦି ଅନ୍ଧାରଟା ହିଁ ଭାଗ୍ୟର ମୀଂମାସା କରିବାରେ ଲାଗିଥିବ, ତେବେ ପୃଥିବୀରେ ତଥାକଥିତ ଉପରସ୍ଥାନ ମାନଙ୍କରେ ବିଦ୍ୟାମାନେ ବାବୁ ହୋଇ ବସିଥିବେ ଓ କ୍ରମେ ଖତରା ହୋଇ ଯାଉଥିବେ । ଏବଂ ଅତ୍ୟନ୍ତ ମୂଢ଼ ଭାବରେ ସେମାନେ ହୁଏତ ଶୋଷଣର ପକ୍ଷଟାକୁ ହିଁ ସାହାଯ୍ୟ କରିବାରେ ଲାଗିଥିବେ ।

 

ତେଣୁ, ହେ ବିବେକମାନେ, ତୁମେମାନେ ସେଇ ଉପରେ ମୋଟେ ରାହିଯାଅ ନାହିଁ । ଏଥର ତଳକୁ ଆସ । ତୁମମାନଙ୍କର ଯାବତୀୟ ପ୍ରତିଭାର ପରୀକ୍ଷା ଉପରେ ନୁହେଁ, ଏହି ତଳେ ହିଁ ହେବ । ହେ ଯୋଗୀମାନେ, ତୁମେମାନେ ମଧ୍ୟ ତଳକୁ ଆସ ପୃଥିବୀର ସାଙ୍ଗ ହୁଅ, ଆପଣାର ବିଦ୍ୟାକୁ ଏହି ପୃଥିବୀରେ ବିବେକର ପ୍ରତିଷ୍ଠାରେ ହିଁ ଆଣି ଅଲଗା । ତେବେ ତୁମ ନିଜ ଭିତରେ ନିଜ ସମର୍ଥତାର ଏକ ଅଭୁତପୂର୍ବ ପରିଚୟ ଅବଶ୍ୟ ପାଇବ । ଉପରଟା ସହିତ ଯେ ଏହି ତଳଟାର ନିରନ୍ତର ନାନାବିଧ ତୋରି ଲାଗି ରହିଛି, ତୁମକୁ ତାହାର ସନ୍ଧାନ ମଧ୍ୟ ମିଳିଯିବ । ଯାବତୀୟ ସୁସ୍ଥ ବିବେକ ନିଜକୁ ଯୋଗ୍ୟ କରିବାର ପ୍ରକ୍ରିୟାଟିରେ ଉପରକୁ ଯିବ ଏବଂ ତା’ପରେ ସେହି ଯୋଗ୍ୟତାର ପରୀକ୍ଷା ହେବାର ପ୍ରକ୍ରିୟା ତଳକୁ ହିଁ ମନ କରିବ ।

 

ଶାସ୍ତ୍ରମାନେ ଜୀବନର ଯାବତୀୟ ପର୍ବତଲଂଘନରେ ହିଁ ନିଜର ପରିଚୟ ଦେବେ । ବିଦ୍ୟା ଓ ବିଦ୍ୱାନମାନେ କ’ଣ ପାଇଁ ସେହି ଉପରେ ରହିବାର ମନ୍ଦ ପ୍ରଲୋଭନରେ ପଡ଼ି ଯାଇଛନ୍ତି ବୋଲି ତଳର ଏହି ପ୍ରିୟ ପୃଥିବୀଟି କାଳକ୍ରମେ ଭାରି ଆଲକ୍ଷଣା ହୋଇପଡ଼ିଲାଣି । ବିଚରା ବିଦ୍ଵାନମାନେ ବି ଭୀରୁ ହୋଇଗଲେଣି । ବିଦ୍ୟାର ଅଧିକାର ମଣିଷକୁ ପ୍ରକୃତରେ ସାହସ ହିଁ ଦେଇପାରୁଥିବା ଉଚିତ । ଜଣେ ଭୀରୁ ମଣିଷ କଦାପି ଆଦୌ କୌଣସି ବିବେକର ଯୋଗ୍ୟ ହୋଇପାରିବ ନାହିଁ । ସମ୍ଭବତଃ ସେଇଥି ସକାଶେ ପୃଥିବୀରେ ଏତେ ଏତେ ବିଦ୍ୟା ଦୈତ୍ୟମାନଙ୍କର ବୋଲ କରିବାରେ ବ୍ୟସ୍ତ ହୋଇ ରହିଛି । ବିଦ୍ଵାନମାନେ ଭୃତ୍ୟ ଖଟୁଛନ୍ତି ।

 

ତଳକୁ ଆସିବାକୁ ସମ୍ମତ ହେଉନଥିବା ବିବେକ ହେଉଛି ଏକ ଅସୁସ୍ଥ ବିବେକ । ଏହି ବିବେକ କାଳେ କାଳେ ଶାସକମାନଙ୍କ ଆଡ଼କୁ ଆଉଜି ପଡ଼ିବାକୁ ହିଁ ଆପଣାର ଏକ ନିରାପଦ ଧର୍ମ ବୋଲି ଗ୍ରହଣ କରି ଆସିଛି । ପୃଥିବୀରେ ଏତେ ଏତେ କ୍ଷେତ୍ର ପଡ଼ି ରହିଥିଲେ ମଧ୍ୟ ପୃଥିବୀର କ୍ରମବିନାଶରେ ଅଧିକ ସହଯୋଗ କରିଛି । ପୃଥିବୀରେ ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ନବଗଠନର କ୍ଷେତ୍ରକୁ ମୁହିଁ ଆଡ଼େଇ ଦେଇ ସିଏ ଶାସକମାନଙ୍କ ପାଇଁ ବୋମା ତିଆରି କରି ଯୋଗାଇ ଦେଇଛି । ବିବେକ ଯଦି ତଳକୁ ଆସନ୍ତା, ତେବେ ପୃଥିବୀରେ କଦାପି କ୍ଷୁଧା ରହନ୍ତା ନାହିଁ, ଉପେକ୍ଷା ମଧ୍ୟ ରହନ୍ତା ନାହିଁ-। ପୃଥିବୀ ଏକ ଅନ୍ୟ ପାରସ୍ପରିକତାରେ ଚାଲନ୍ତା । ମହାପୁରୁଷମାନେ ଗମ୍ଭୀରି ଭିତରେ ନିଜକୁ ନିର୍ବାସନ ଭିତରେ ରଖିବାକୁ ଏକ ମୂଢ଼ତା ବୋଲି ବୁଝନ୍ତେ । ଧର୍ମ କହିଲେ ଏହି ପୃଥିବୀକୁ ଡୋରରେ ବାନ୍ଧି ରଖିଥିବା ଏକ ସଚେତନତା ଓ ସଫଳତାକୁ ବୁଝାଇବାକୁ ଆରମ୍ଭ କରନ୍ତା । ତପସ୍ୟା ନିମନ୍ତେ ଗୁମ୍ଫା ଭିତରେ ଯାଇ ପଶିବାର ସେତେବେଳେ କୌଣସି ଆବଶ୍ୟକତା ରହନ୍ତା ନାହିଁ ।

 

୧୪ । ୧୨ । ୯୮

Image

 

ନେତାମାନେ ଟିଉସନ୍ ହୁଅନ୍ତୁ

 

ଏବେ ସିନା ଗଧ ଘୋଡ଼ା ସମସ୍ତେ ଟିଉସନ୍‍ ହେଲେଣି, ଆମ ପିଲାଦିନେ କେବଳ ଗଧମାନେ ଟିଉସନ ହେଉଥିଲେ । ଗଧ ଅର୍ଥାତ୍‍ ପାଠରେ ଗଧ । ଶ୍ରେଣୀରେ ପଢ଼ାଯାଉଥିବା ପାଠ ସେମାନଙ୍କ ଦ୍ୱାରା ହଜମ ହେଉନଥିଲା ବୋଲି ସେମାନେ ଅଧିକା ସମୟରେ ସ୍ୱତନ୍ତ୍ର ଭାବରେ ଘରୋଇ ଟିଉସନରେ ବସି ସେହି ପାଠକୁ ପାକୁଳି କରୁଥିଲେ । ବର୍ତ୍ତମାନ ଆମ ନେତାମାନଙ୍କ ସକାଶେ ହୁଏତ ସେହିପରି ଏକ ସମୟ ଆସି ପହଞ୍ଚିଛି । ନେତା ଅର୍ଥାତ୍‍ ରାଜନୀତିରେ ରହିଥିବା ନେତା । ଏମାନଙ୍କ ମଧ୍ୟରୁ ଥୋକେ ସରକାର ଭିତରେ ଅଛନ୍ତି, ଆଉ ଥୋକେ ସରକାର ବାହାରେ, ନିଜର ଦଳ ଭିତରେ । ଥୋକେ ସରକାରୀ ଦଳରେ ତ ଆଉ ଥୋକେ ବିରୋଧିଦଳରେ । ଏମାନେ ବିଚରା ଭାରି ନିରକ୍ଷର ହୋଇ ରହିଛନ୍ତି । ପଦରେ ରହିଲେ କ୍ଷମତା ରହିବ ଏବଂ କ୍ଷମତାରେ ରହିଲେ ତୁମେ ଯଥା ଓ ଅଯଥା କେତେ କ’ଣ କରିପାରିବ ବୋଲି ଆମ ଦେଶର ହାଓ୍ୱାଟାରେ ଏପରି ପ୍ରଚାର ହୋଇ ଯାଇଛି ଯେ, ସମସ୍ତେ ଯେକୌଣସି ପ୍ରକାରେ ପଦଟାରେ ଆସି ରହିବାକୁ ହିଁ ସବୁଠାରୁ ବଡ଼ ସୁଖଭୋଗ ବୋଲି ବିଚାର କରୁଛନ୍ତି । ନିରକ୍ଷର ହୋଇଥିବାରୁ ସମ୍ଭବତଃ ବେଶୀ ବଗୁଲିଆ ହେଉଛନ୍ତି । ଏତେ ଏତେ ଉପଦ୍ରବର କାରଣ ହେଉଛନ୍ତି ବୋଲି ମୋଟେ ଜାଣିପାରୁନାହାନ୍ତି । ରାଜନୀତିରେ ଅଛନ୍ତି, ତଥାପି ରାଜନୀତିର ସାମାନ୍ୟ ବର୍ଣ୍ଣମାଳାକୁ ମଧ୍ୟ ଆୟତ୍ତ କରି ପାରି ନାହାନ୍ତି । ଆମ ସଭିଙ୍କ ପାଇଁ ସମସ୍ୟା ହେଲେଣି ।

 

ବିଚରା ସରକାରୀ ମନ୍ତ୍ରଟିଏ ଆଉ କ’ଣ ବା କରିଥାନ୍ତା । ଏକାନ୍ତ ନିରକ୍ଷର ହୋଇ ରହିଥିଲେ ମଧ୍ୟ ହଠାତ୍‍ ତାକୁ କ୍ଷମତାର ଭୂତମାନେ ଆସି ଡାକି ନେଇଗଲେ । ତା’ପାଖରେ ଗୁରାଏ ପଇସା ଜମିଥିଲା, ଯାହା ତାକୁ କୋଉଠି ହଠାତ୍‍ ପଶିଯାଇ ଏକାବେଳେକେ ବଡ଼ ହୋଇଯିବାର ନିଶା ଭିତରକୁ ଠେଲି ନେଇଗଲା । ଅଥବା, ତା’ର ଅମୁକ ବା ସମୁକ ଉପରେ ରାଜନୀତିରେ ପ୍ରତାପରୁଦ୍ର କିମ୍ବା ଅନଙ୍ଗଭୀମ ହୋଇ ବସିଥିଲେ, ତାଙ୍କରି ସହାୟତାରେ ନିର୍ଦ୍ୱନ୍ଦ୍ୱରେ ଏକାବେଳେକେ ବାଉଁଶଟାର ସବା ଉପରର ଚକିଟା ଉପରେ ସାଇଁ ସାଇଁ ହୋଇ ବୁଲିବା ନିମନ୍ତେ ଏକ ଲୋଭନୀୟ ଭାବନା ତା’ ଉପରେ ସବାର ହେଲା ଓ ସିଏ ସିଧା ପଶିଯାଇ ପାରିଲା । ଏକାବେଳେକେ ଦଳପତି ହେଲା ବା ମନ୍ତ୍ରୀଟାଏ ହୋଇଗଲା । ରାଜନୀତିର ଇସ୍କୁଲକୁ ଯିବାକୁ ତାକୁ ଆଉ ବେଳ ବି କୁଆଡ଼ୁ ମିଳିଲା ? ବୃଷଭ ହେବାର ଭାଗ୍ୟ ସଚରାଚର ମୋଟେ ସମସ୍ତଙ୍କୁ ମିଳେନାହିଁ । ଆଗ ବାଛୁରୀ ହୋଇ ଜନ୍ମ ନେବାକୁ ହୋଇଥାଏ । ବୃଷଭ-ବିଦ୍ୟାରେ କିଛି ପ୍ରଶିକ୍ଷଣ ଲାଭ କରିସାରି ସମୟ ଆସି ପହଞ୍ଚିଲେ ଯାଇ ବାଛୁରୀଟିଏ ସୁସ୍ଥ ଓ ଶାଳୀନ ଭାବରେ ବୃଷଭଟିଏ ହୋଇପାରେ । ବୃଷଭ ହୋଇ ସାରିବା ପରେ ମଧ୍ୟ ବିଧି ମାନି ତାକୁ ଆଗ ବାହାରେ ମହାଦେବଙ୍କ ଆଡ଼କୁ ଅନାଇ ବସି ରହିବାକୁ ହୁଏ । ଏବେ, ରାଜନୀତି ଭିତରେ ନିଜକୁ ବାଛୁରୀଟିଏ ବୋଲି ଜାଣିବା ଆଗରୁ ହିଁ ସିଧା କେତେ କିଏ ବୃଷଭଟିର ଭୂମିକାରେ ଯାଇ ପହଞ୍ଚି ଯାଉଛନ୍ତି ଏବଂ ମଉକାଗୁଡ଼ାକୁ ବାଗେଇ ଆଣି ପାରିଲେ ଦେଉଳ ଭିତରୁ ସ୍ଵୟଂ ମହାଦେବଙ୍କୁ ଆଣି ବୃଷଭ ଥାନରେ ବସାଇ ନିଜକୁ ମନ୍ଦିର ଭିତରେ ଅଧିଷ୍ଠିତ କରାଇ ନେଉଛନ୍ତି; ସେମାନେ ପୁଣି ସାକ୍ଷର ହୋଇପାରିବା ନିମନ୍ତେ ସମୟ କେତେବେଳେ ପାଇଥାନ୍ତେ ?

 

କ୍ଷମତାଟା ରହିବା ପର୍ଯ୍ୟନ୍ତ ଜଣେ ଜଳସମ୍ପଦରେ ରହିଲା ଅଥବା ଜଙ୍ଗଲସମ୍ପଦରେ ରହିଲା, ସେଥିରେ ଆଦୌ ଭାବନା କରିବାକୁ କିଛି ନାହିଁ । ସେଠାରେ ଅର୍ଥ ବା ଅନର୍ଥ ଯାହା ମିଳିଲେ ମଧ୍ୟ ଚଳିବ । ଶିକ୍ଷାରୁ ଫିଙ୍ଗିଦେଇ ପଶୁପାଳନର ଦାୟିତ୍ଵ ଦିଆଗଲେ ମଧ୍ୟ ମୋଟେ ଖରାପ ଲାଗିବ ନାହିଁ । ତଥାପି, କୌଣସି ଏକ ରାଜନୀତିକ ଦଳର ମାଧ୍ୟମରେ ତ ତୁମକୁ ରାଜନୀତିକ କ୍ଷମତା ଅଥବା ସରକାରୀ ପଦରେ ଯେମିତି ହେଲେ ପ୍ରବେଶ କରିବାକୁ ହେବ । ଏବଂ ତୁମେ ଯେଉଁ ଦଳର ହୋଇଥାଅ ପଛକେ, ସେହି ଦଳରେ ତ ପୁଣି ରାଜନୀତିରେ ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ରହିଥିବ, ଏକ ରାଜନୀତିକ ଇତିହାସ, ନୀତି ଏବଂ ଭବିଷ୍ୟଚିତ୍ର ମଧ୍ୟ ରହିଥିବ । କିନ୍ତୁ ପଦମାନଙ୍କରେ ନିରକ୍ଷରମାନେ ଆସି ବସିବାଟା କ୍ରମେ ସମ୍ଭବ ହୋଇ ଆସିବା ପରେ ଆଉ ସେସବୁର ସତେଅବା କୌଣସି ଆବଶ୍ୟକତା ପଡ଼ୁନାହିଁ । ସବା ଉପର ସ୍ତରରେ ସେଥିଲାଗି ଅଧିକାଂଶଙ୍କର ରାଜନୀତିକ ମତ ବା ବିବେକର ଆଦୌ କୌଣସି ବିଚାର ହେଉନାହିଁ । ପ୍ରତ୍ୟେକ ଦଳରେ ଦୁଇଟା ତିନିଟା ଛଅଶିଙ୍ଗିଆ ଷଣ୍ଢ ରହିଛନ୍ତି ଓ ଦଳରେ ସାନ ଷଣ୍ଢମାନେ ବାଣ୍ଟି ହେଲାପରି ସେଥିରୁ ଜଣଙ୍କୁ ମାନୁଛନ୍ତି । ଦଳ ସାତଥର ଭାଙ୍ଗିଯାଉଛି ଓ ପୁନର୍ବାର ସାତଥର ଗଢ଼ାହୋଇ ଯାଉଛି । ନୂଆଦଳ ଗଢ଼ାହେଉଛି । ନିରକ୍ଷରମାନେ ନିଜେ ନିର୍ଭର କରୁଥିବା ଜଣେ ଜଣେ ଅବଧାନଙ୍କର କକ୍ଷ ଭିତରେ ରହି ଏଣେ ତେଣେ ହୋଇ ପାରୁଛନ୍ତି । କିଣାହୋଇ ପାରୁଛନ୍ତି, ବିକାହୋଇ ପାରୁଛନ୍ତି । ସାରା ଦେଶଟା ଏକ କାଳଷଣ୍ଢପୁରରେ ପରିଣତ ହୋଇ ରହିଛି । ସମସ୍ତେ ସାକ୍ଷର ହୋଇଥିଲେ ଏହି କଥାଟା ମୋଟେ ସମ୍ଭବ ହେଉନଥାନ୍ତା । ଆମ ଦେଶର ଚଳନ୍ତି ରାଜନୀତିରେ ଏବେ କୌଣସି rite de passage ନଥିବାରୁ ଆମ ରାଜନୀତିଟା ପ୍ରାୟ ନିୟମତଃ ଖାଲି ନିରକ୍ଷରମାନଙ୍କର ଗୋଟାଏ ଆଖଡ଼ାରେ ପରିଣତ ହେଲାଣି । ଗଧ ତଥା ବୃଷଭ ଉଭୟେ ନିରକ୍ଷର ହୋଇ ରହିଛନ୍ତି ଓ ତେଣୁ ଆଉ ଯାବତୀୟ ସବୁକିଛି କରୁଥିଲେ ମଧ୍ୟ ବସ୍ତୁତଃ ରାଜନୀତି ଭିତରେ ସେମାନେ ମୋଟେ ନାହାନ୍ତି । ଦଳ ଦଳର ଆଚାର ଭିତରେ ପ୍ରକୃତରେ ସେପରି କୌଣସି ରାଜନୀତିକ ପାର୍ଥକ୍ୟ ନାହିଁ । ମେଣ୍ଟଗୁଡ଼ାକ ହେବା ବା ଭାଙ୍ଗିବା ପଛରେ ରାଜନୀତି ନାହିଁ । ଭାରତ ଭଳି ଏକ ନିର୍ମୀୟମାଣ ସମାଜ ନିମନ୍ତେ ଏହା ପ୍ରକୃତରେ ଭାରି ମହଙ୍ଗା ହୋଇଯାଉଛି । ବେଳ ଉଛୁର ହୋଇଯାଉଛି ।

 

ତେଣୁ ନେତାମାନେ ଟିଉସନ୍ ହୁଅନ୍ତୁ । ସବାଆଗ ସେମାନେ ଆମ ଦେଶର ଇତିହାସକୁ ପଢ଼ନ୍ତୁ । ଆମ ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେଇଥିବା ବିଭିନ୍ନ ପଥ, ମତ ଏବଂ ଶିବିର ଗୁଡ଼ିକର ଆଭିମୁଖ୍ୟ ଗୁଡ଼ିକୁ ଭଲକରି ଜାଣନ୍ତୁ । ଭବିଷ୍ୟତ ପୁନର୍ବିଧାନ ତଥା ପୁନର୍ଗଠନର ପ୍ରଧାନତଃ କେଉଁ ଉପାଦାନଗୁଡ଼ିକ ଆମ ଦେଶର ସ୍ଵାଧୀନତା ସଂଗ୍ରାମକୁ ବଳ ଓ ପ୍ରେରଣା ଯୋଗାଇ ଦେଇଥିଲା, ସେମାନେ ପ୍ରାଞ୍ଜଳ ଭାବରେ ସେହି ବିଷୟରେ ଅବଗତ ହୁଅନ୍ତୁ । ସ୍ଵାଧୀନ ଭାରତବର୍ଷରେ କ୍ରିୟାଶୀଳ ରାଜନୀତିକ ଦଳଗୁଡ଼ିକ କେଉଁଭଳି ସ୍ଥିତିରେ ଅଥବା ସ୍ଥିତିରୁ ଜନ୍ମଲାଭ କରିଛନ୍ତି, କିଭଳି ଭୂମିକାମାନ କାହିଁକି ଗ୍ରହଣ କରିଛନ୍ତି, ସେମାନେ ସେ କଥାଟିକୁ ଜାଣନ୍ତୁ ଏବଂ ହୃଦୟଙ୍ଗମ କରନ୍ତୁ । ନିଜେ ପ୍ରତ୍ୟେକେ ଯେଉଁ ଦଳରେ ଅଛନ୍ତି, ଅନ୍ୟ ଦଳଗୁଡ଼ିକ ସହିତ ତାହାର ପ୍ରାସଂଗିକତାକୁ ସେମାନେ ତୁଳନାତ୍ମକ ଭାବରେ ଜାଣନ୍ତୁ । ଏଡ଼଼େ ବିରାଟ ଏବଂ ଐତିହ୍ୟରେ ପୂର୍ଣ୍ଣ ଏହି ଦେଶ ସ୍ଵାଧୀନତା ପ୍ରାପ୍ତି ପରେ କାହିଁକି ଏପରି ଶିଥିଳ ଭାବରେ ଗତିକରୁଛି ଏବଂ ଏବେ ମଧ୍ୟ ତାହାର ସବା ମୂଳ ସମସ୍ୟାଗୁଡ଼ିକର ସମାଧାନ ହୋଇ ପାରିନାହିଁ, ସେମାନେ ସେହି ପ୍ରଶ୍ନଟିର ଅଧ୍ୟୟନ କରନ୍ତୁ । ଏବେ ମଧ୍ୟ ଏହି ଦେଶର ସବୁ ମଣିଷଙ୍କୁ କାହିଁକି ଆଖିଆଗରେ ରଖି କୌଣସି ନ୍ୟାୟପୂର୍ଣ୍ଣ ଯୋଜନା ଏଠାରେ ସମ୍ଭବ ହୋଇ ପାରୁନାହିଁ, ଏହି ବିଷୟରେ ସେମାନେ ନିଜକୁ ଓ ପରସ୍ପରକୁ ଏକାଧିକ ପ୍ରଶ୍ନ ପଚାରିବାକୁ ସମର୍ଥ ହୁଅନ୍ତୁ ଏବଂ ସାମ୍ଭାବ୍ୟ ଉତ୍ତରଗୁଡ଼ିକୁ ବାହାର କରନ୍ତୁ-। ତା’ପରେ ସେମାନେ ଆଧୁନିକ ପୃଥିବୀକୁ ବୁଝିବା ସକାଶେ ଯେଉଁ ରାଜନୀତିକ ଅନୁଶୀଳନର ପ୍ରୟୋଜନ ରହିଛି, ନିଜକୁ ସେଇଟି ମଧ୍ୟରେ ମଧ୍ୟ ଅବଗାହି ଆଣନ୍ତୁ ।

 

ଏହି ପୃଥିବୀରେ ସଂପ୍ରତି କେତେ ବାଦ, କେତେ ମତ ଓ କେତେ ଭଳି ଆଭିମୁଖ୍ୟ । ପ୍ରତ୍ୟେକଟିର ପଛରେ ଗୋଟିଏ ଗୋଟିଏ କାହାଣୀ ବା ଇତିହାସ ମଧ୍ୟ ରହିଛି । ନିଜର ଦେଶରେ ସାଧୁତାର ସହିତ ସତକୁ ସତ କିଛି ହାସଲ କରିବାକୁ ହେଲେ ବୃହତ୍ତର ପୃଥିବୀଟି ଆଡ଼କୁ ଆମର ଯେଉଁସବୁ ଗବାକ୍ଷ ଯେପରି ଖୋଲାହୋଇ ରହିବା ଆବଶ୍ୟକ, ଆମ ନେତାମାନେ ତାହାର ଖବର ରଖିବା ଭଳି ଆପଣାକୁ ପ୍ରଶିକ୍ଷିତ କରିପାରୁଥିବା ଏକାନ୍ତ ଆବଶ୍ୟକ । ଦ୍ଵିତୀୟ ମହାଯୁଦ୍ଧ ପରେ ରାଜନୀତିକ ନ୍ୟସ୍ତସ୍ଵାର୍ଥମାନେ କାହିଁକି ଭାରତ ପରି ଗୋଟିଏ ଦେଶ ସହିତ କିପରି ସମ୍ପର୍କ ରଖିବାକୁ ଇଚ୍ଛା କରିଛନ୍ତି ଓ କରୁଛନ୍ତି, ଆମ ନେତାମାନେ ସେଗୁଡ଼ିକ ସମ୍ବନ୍ଧରେ ମଧ୍ୟ ସଂଜ୍ଞାନତା ଲାଭକରିଥିବା ଉଚିତ । ପୃଥିବୀର ଅର୍ଥନୀତି ସହିତ ପୃଥିବୀର ରାଜନୀତିର ନିରନ୍ତର ଯେଉଁ ସମ୍ପର୍କ ରହିଆସିଛି, ସେଗୁଡ଼ିକୁ ଠଉରାଇ ନପାରିବା ପର୍ଯ୍ୟନ୍ତ ଆମର ନେତୃତ୍ଵ ଗୁଡ଼ିକ ନିର୍ବୋଧଭାବରେ ଦେଶକୁ କେତେବେଳେ କାହା ପାଖରେ ଯେ ନେଇ ପକାଇଦେବ, ସେ କଥା କୁହାଯାଇ ପାରିବ ନାହିଁ । ଆମ ପ୍ରତିନିଧି ସଭାରେ ଅଧିକାଂଶ ସେପରି ତାଣ୍ଡବ ନୃତ୍ୟମାନ ଦେଖିବାକୁ ମିଳୁଛି, ଅଧିକାଂଶ ପ୍ରତିନିଧି ରାଜନୀତି ବିଷୟରେ ନିରକ୍ଷର ରହୁଥିବାରୁ ହିଁ ସେପରି ହେଉଛି କି ? ଖୁବ୍ ବେଶୀ ହେଲେ ଶହେରେ ଦଶଜଣ ପ୍ରତିନିଧି ଆଲୋଚନା ଗୁଡ଼ିକରେ ଭାଗ ନେଉଛନ୍ତି ଓ ବାକି ଅନ୍ୟମାନେ ଆନୁଷଙ୍ଗିକ ତୁଣ୍ଡରୋଳ କରିବା ବ୍ୟତୀତ ଆଉ କିଛି କରୁନାହାନ୍ତି । କେବଳ ଯାଉଛନ୍ତି ଓ ଆସୁଛନ୍ତି । ଦଳମାନଙ୍କରେ ବସ୍ତୁତଃ କୌଣସି ବିତର୍କ ହେଉନାହିଁ । ଗୋଟାଏ ଗୋଟାଏ ବଡ଼ ବଳଦ ଅନ୍ୟ ଅବରମାନଙ୍କର ମୁହଁକୁ ବନ୍ଦ କରି ରଖିଛନ୍ତି । ମୁହଁ ଖୋଲିବାକୁ ପେଟରେ ଇଲମ ନାହିଁ । ସେମାନେ ଟିଉସନ୍ ହୁଅନ୍ତୁ । ଜ୍ଞାନ ପାଆନ୍ତୁ, ପୋଖତ ହୁଅନ୍ତୁ । ରାଜନୀତିକ ମର୍ଯ୍ୟାଦାବନ୍ତ କରନ୍ତୁ ।

 

ଏଣିକି ଜାତୀୟତାବାଦ ଆଦୌ ଯଥେଷ୍ଟ ହେବନାହିଁ । ସଂଗ୍ରାମ ସମୟରେ ଆମେ ଜାତୀୟତାର ମୁକୁଟଟିଏ ପରିଧାନ କରି ଜନଗଣଙ୍କୁ କେତେ ତତାଇଲୁ ଓ ମତାଇ ଯେ ପାରିଲୁ ସେହି କଥାଟିକୁ ଖୁବ୍ ଭଲ କରି ବୁଝିହେଉଛି । ସ୍ଵାଧୀନତା ଲାଭ ପରେ ଜାତୀୟତାର ବୋଧଟି ଭୂଇଁ ଛୁଇଁ ପାରିଥାନ୍ତା, ଶବ୍ଦମାନେ ସାକାର ହୋଇ ପାରିଥାନ୍ତେ । ତାହା ଆଉ ହୋଇ ପାରିଲା ନାହିଁ-। ନେତୃତ୍ଵମାନେ ବାଟ ହୁଡ଼ିଗଲେ । ରାଜନୀତିକ ସ୍ଵପ୍ନଗୁଡ଼ିକ ମାଡ଼ ଖାଇଗଲା । ନେତୃତ୍ଵ ଆତ୍ମକାମୀ ହେଲା । ଶାସକମାନେ ଦେଶଟାକୁ ସମ୍ପତ୍ତି ରୂପେ ଭୋଗ କଲେ, ଏବେ ମଧ୍ୟ ଖୁବ୍ କରୁଛନ୍ତି । ସବୁ ମଣିଷଙ୍କୁ ଏକାଠି ସମ୍ମୁଖରେ ରଖି ଦେଶରେ ହୁଏତ ଆଦୌ କିଛି ହେଉନାହିଁ । ଅସମାନତା ହିଁ ଯୁଗର ଚତୁରମାନଙ୍କ ପାଇଁ ଧର୍ମବତ୍ ହୋଇଗଲାଣି । ତେଣୁ ଜାତୀୟତାବାଦ ମଧ୍ୟ କ୍ରମେ ମନୁଷ୍ୟମାନଙ୍କୁ ଭୁଲାଇ ରଖିବାର ଏକ ଆୟୁଧରେ ପରିଣତ ହେଲାଣି । ଏକ ପୋଖତ ରାଜନୀତିକ ନକ୍ସାକୁ ଆଗରେ ରଖି ଯେଉଁମାନେ ଏଠି ପୁରୁଣାଗୁଡ଼ିକୁ ଭାଙ୍ଗି ନୂଆ ପାଇଁ ମୂଳଦୁଆ ପକାଉଥାଆନ୍ତେ, ସେମାନେ ଏବେ ମଧ୍ୟ ସାଧୁତାର ସହିତ ସେହି କର୍ତ୍ତବ୍ୟଟିକୁ କରି ପାରୁନାହାନ୍ତି । ଦେଶରେ କୋଟି କୋଟି ମଣିଷ ସେଇ ପୁରୁଣା ଅବିଧିଗୁଡ଼ିକ ଭିତରେ ପଡ଼ି ରହିଛନ୍ତି ଓ ମାତ୍ର ଥୋକେ ମଣିଷ ଦେଶରେ ପ୍ରାୟ ସବୁକିଛି ଅଧିକାର କରି ନେଇଛନ୍ତି; ଭାଗ୍ୟ ନାମକ ଏକ ମିଥ୍ୟା ହିଁ ସେମାନଙ୍କର ଗୋଡ଼କୁ ବାନ୍ଧି ରଖିଛି । ମଣିଷର ଜୀବନକ୍ଷେତ୍ରଟି ବହୁ ଅସମର୍ଥତା ଭିତରେ ଜଡ଼ ହୋଇ ରହିଥିବା ପର୍ଯ୍ୟନ୍ତ କୋଉ ଜାତୀୟତା ତା’ର ନିଦ୍ରାଭଙ୍ଗ କରିପାରିବ ? ସେହି ମଣିଷମାନଙ୍କୁ କିଏ ସେହି ରାଜନୀତିକ ନୂଆ ଶିକ୍ଷାଗୁଡ଼ିକ ଦେଇ ପାରିବ ? ତାହା ନହେଲେ ମଣିଷମାନେ, ଲୋକମାନେ ହାରି ହାରି ଯାଉଥିବେ ଏବଂ ତୁଚ୍ଛା ଧୃଷ୍ଟମାନଙ୍କର ପ୍ରବଞ୍ଚନାମାନ ସହ୍ୟକରିବାକୁ ବାଧ୍ୟ ହେଉଥିବେ । ସେହି ଲୋକମାନେ ଏବେ ଯେଉଁ ନେତାମାନଙ୍କର କବଳରେ ପଡ଼ିଛନ୍ତି, ସେମାନେ କେବଳ “ଏହି ଦେଶ ମହାନ”, “ଏହି ଦେଶରେ ପୂର୍ବେ ଅମୁକ ଥିଲା ବା ଅମୁକ ହେଉଥିଲା” ପ୍ରଭୃତି କେତେଟା ଭୁରୁଡ଼ା ଜାତୀୟତାବାଦୀ କଥା ବ୍ୟତୀତ ଆଉ କିଛି ହେଲେ କହି ପାରୁ ନାହାନ୍ତି । ହୁଏତ ସେତିକିରୁ ଆଉ ଟିକିଏ ଆଗକୁ ମୋଟେ କିଛି ଦେଖି ପାରୁନାହାନ୍ତି ।

 

ନିରକ୍ଷର ନେତାମାନେ କ୍ରମେ ଆମ ସଭାମାନଙ୍କରେ ଆସି ଚଢ଼ୋଉ କଲେଣି । ନିଜ ସରକାରୀ ବିଭାଗର ସଚିବମାନଙ୍କୁ ହୁକୁମ ଦେଇ ସେମାନେ ରାଜଧାନୀ ସମେତ ରାଜ୍ୟର ବହୁତ ସ୍ଥାନରେ ସଭାମାନ ଆୟୋଜନ କରୁଛନ୍ତି । ସେହି ସଭାରେ ଆପେ ଯାଇ ସବା ବଡ଼ ଚଉକିରେ ବିଜେ ହେବେ ବୋଲି ଏହି ଆୟୋଜନଗୁଡ଼ିକ କରାଯାଉଛି । ସଚିବ ବାପୁଡ଼ା ମାନଙ୍କର ବି ଆମେ କାହିଁକି ଦୋଷ ଧରିବାକୁ ଯିବା ? ସରକାରୀ ଶାସନପାଟଣାଟା ଏପରି ହୋଇଯାଇଛି ଯେ, ମହୁଡ଼ମଣି ମାନଙ୍କର ବୋଲ ମୁତାବକ କାମ ନକଲେ ସେମାନେ ବି ଖଣ୍ଡେ କାଗଜର ନିର୍ଦ୍ଦେଶ ଅନୁସାରେ କୋଉଠି କୋଉ ଖତଗଦାରେ କିମ୍ବା ମୂତଭାଣ୍ଡରେ ଯାଇ ପଡ଼ିବେ ଯେ, ପରେ ଆଉ ହୀନସ୍ତାର ସୀମା ରହିବ ନାହିଁ । ତେଣୁ, ସମ୍ମାନ ପଛକେ ଯାଉ, ତଥାପି ଚାକିରିଟା ରହିଥାଉ—ସେମାନେ ସେହି ବାସ୍ତବ ଧର୍ମଟି ଅନୁସାରେ ଆଦେଶ ପାଳନ କରିବାକୁ ହିଁ ସର୍ବଦା ନିରାପଦ ବୋଲି ଭାବୁଛନ୍ତି । ତେଣୁ ସଭା ପରେ ସଭାର ବରାଦ କରି ଦେଉଛନ୍ତି । ସେଠାରେ ନିରକ୍ଷରମାନେ ବେଳେ ବେଳେ ପୁଞ୍ଜା ପୁଞ୍ଜା ହୋଇ ଶୋଭା ପାଉଛନ୍ତି । ସଭାରେ ଯାହାକିଛି ପଡ଼ିବାକୁ ରହିଥାଉ ପଛକେ, ତାହା ସାହିତ୍ୟ ହେଉ କି ସଂଗୀତ ହେଉ, ଅମୁକ ମହାପୁରୁଷଙ୍କର ସମୁକତମ ଜନ୍ମବାର୍ଷିକୀ ହେଉ—ନିରରମାନେ ସେଠାରେ ହୁଏତ ଯାହା ଉଦ୍‍ଗାରି ପକାଉଛନ୍ତି, ସେଇଟାରେ ସମ୍ପୃକ୍ତ ଅବସରଟି ସହିତ ହୁଏତ କୌଣସି ସଂଗତି ରହୁନାହିଁ । କହିବାଟା ମୋଟେ ବଡ଼କଥା ନୁହେଁ; ସେମାନେ ଯେ ସେଠାରେ ସବା ଉଞ୍ଚ ହୋଇ ବସିପାରିଲେ, ତାହା ହିଁ ଅଶେଷ ଆତ୍ମପ୍ରସାଦର କାରଣ ହୋଇ ପାରୁଛି । ନିରକ୍ଷର ନେତାମାନେ ଆପଣା ସହିତ ସରକାରୀ ଫଟୋ ବିଭାଗଟାକୁ ମଧ୍ୟ ଆଦେଶ ଦେଇ ସଭାକୁ ନେଇ ଯାଉଛନ୍ତି । ତେଣୁ, ସେମାନେ ଯେ ଅମୁକ ସଭାଟିକୁ ମଣ୍ଡନ କରିଥିଲେ, ତାହାର ଚାକ୍ଷୁଷ ବିବରଣୀମାନ ସମ୍ବାଦପତ୍ର ଓ ଦୂରଦର୍ଶନରେ ବାହାରିପଡ଼ୁଛି । ନିଜର ଏହି ଚିତ୍ରବନ୍ଧ ଗୁଡ଼ାକ ଉପରେ ଆଖି ପଡ଼ିଯିବା ମାତ୍ରକେ ଆମ ନିରକ୍ଷର ନିପୁଣମାନେ ନିଶ୍ଚୟ ଆବଶ୍ୟକ ସ୍ପର୍ଶଗୁଡ଼ିକୁ ଲାଭ କରି ପାରୁଥିବେ ।

 

ନଶ୍ଵର ରାଜନୀତିକ ଜୀବନରେ କିଏ କେତେଦିନ ରହିବ, ସେ କଥା କେବଳ ବିଧାତା ହିଁ ଜାଣିଥିବେ । ଅନ୍ୟମାନେ ଆଉ ଯାହାକିଛି ଭାବନ୍ତୁ ପଛକେ, କେବଳ ବିଧାତାଙ୍କର ପ୍ରସାଦରୁ ଯେ ସେମାନଙ୍କୁ ଏହିସବୁ ଆସନ ଓ ସନମାନଗୁଡ଼ିକ ପ୍ରାପ୍ତ ହୋଇଛି, ସ୍ଵୟଂ ନେତାମାନେ ଏଥିରେ କେବେ କୌଣସି ସନ୍ଧେହ ବ୍ୟକ୍ତ କରୁନଥିବେ । ସେହିପରି ଏକ ମଜବୁତ ଈଶ୍ଵରନିର୍ଭର ରହିଛି ବୋଲି ସିନା ସେମାନେ ଶପଥ-ଖାତାରେ ନାମ ଦରଜ କରିବା ପରେ ଆଉ କୋଉଥିରେ ହାତ ମାରିବା ପୂର୍ବରୁ ସିଧା ବଡ଼ଠାକୁରଙ୍କର ଆଶୀର୍ବାଦ ଭିକ୍ଷାକରିବା ସକାଶେ ଶ୍ରୀକ୍ଷେତ୍ରକୁ ଧାଇଁ ଯାଉଛନ୍ତି । ସମ୍ଭବତଃ ସେହି କାରଣରୁ ହିଁ ଦେବଦର୍ଶନ ପରେ ଆଉ ଯେତେ ଯେତେ ଜାଗାରେ ହାତ ମାରିଲେ ମଧ୍ୟ ସେଗୁଡ଼ିକ ମୋଟେ କେହି ଜାଣିପାରୁନାହାନ୍ତି । ବିଧାତାଙ୍କର ଅନୁଗ୍ରହ ପାଇନଥିଲେ କେହି କଦାପି ମାତ୍ର ଥରେ ଗାଦୀରେ ବସି ଏକାବେଳେକେ ଏତେ କାଣ୍ଡ ଓ ଅକାଣ୍ଡ କରିପାରୁନଥାନ୍ତା । ଏତେ ଏତେ କାଣ୍ଡ କରି ପାରୁଛନ୍ତି ବୋଲି ତ ସେମାନେ ନିଜ ବିଷୟରେ ଏତେ ଜଳକା ହୋଇ ରହିପାରୁଛନ୍ତି, ପୂରା ଆଖି ବୁଜିଦେଇ ଆପଣା ପାଖରୁ ଫାଙ୍କିଦେଇ ବୁଲିପାରୁଛନ୍ତି । ସେମାନେ ଟିଉସନ୍ ହେଲେ ହୁଏତ ସେମାନଙ୍କର କିଞ୍ଚିତ ଚେତା ଆସିବ, ସେମାନଙ୍କ ଭିତରେ ଆଣ୍ଠୁଗଣ୍ଠି ଭାଙ୍ଗି ପଡ଼ିଥିବା ବିବେକଟି ପୁଣି ଉଠି ବସିବା ଲାଗି କିଞ୍ଚିତ ଚେଷ୍ଟା କରିବ । ସେମାନେ ଅଭ୍ୟସ୍ତ ଭାବରେ ଯାହା କରିଆସିଛନ୍ତି ଓ କରୁଛନ୍ତି, ହୁଏତ ତାହା କରିବାକୁ ଏଣିକି କିଛି ସଂକୋଚ ବି ଲାଗିବ । ତଦ୍ଦ୍ଵାରା ଆମେ ଦେଶବାସୀ ମଧ୍ୟ ଭୋଗୁଥିବା ଏକାଧିକ କାଳକଷଣରୁ କିଛି ପରିମାଣରେ ରକ୍ଷା ପାଇଯିବୁ । ନିରକ୍ଷରମାନେ ରାଜନୀତି କ’ଣ ବୋଲି ଜାଣିବେ ଏବଂ ହୁଏତ ଏକ ଭଦ୍ର ପୃଥିବୀରେ ଜଣେ ମଣିଷ ସାର୍ବଜନୀନ ଆଲୁଅଟା ଭିତରେ ସମସ୍ତଙ୍କ ସମ୍ମୁଖରେ ରହିଥିଲେ ମଧ୍ୟ ଲଜ୍ଜାହୀନତାର କୋଉ କୋଉ ସୀମାଯାଏ ଯାଇପାରିବ, ସେମାନଙ୍କର ସେହି ବିଷୟରେ ଏକ ହୋସ୍ ବି ଆସିବ ଏବଂ ଆଖର ଲାଜ ବି ମାଡ଼ିବ । ଏବଂ ଶାସକମାନଙ୍କୁ, ସାମନ୍ତମାନଙ୍କୁ ଲାଜ ମାଡ଼ିଲେ ଯାଇ ଏହି ଭୂଖଣ୍ଡର ଭାଗ୍ୟ ଫେରି ଆସିବ । ବିଦ୍ୟା ଯେ ବିନୟ ଆଣିଦିଏ, ଶାସ୍ତ୍ରର ସେହି ବାକ୍ୟଟି ପୁନର୍ବାର ସତ ବୋଲି ପ୍ରମାଣିତ ହୋଇଯିବ ।

 

ନିରକ୍ଷର ନେତାମାନେ ଟିଉସନ୍ ହେବାଲାଗି ସହଜରେ ରାଜି ହୋଇଯିବେ ବୋଲି ଆମେ ଆଦୌ ଭାବି ପକାଇବା ନାହିଁ । ପୃଥିବୀରେ ସମସ୍ତେ ଚାଟ ହେବା ଲାଗି କଦାପି ରାଜି ହୁଅନ୍ତି ନାହିଁ । ଗଧଚାଟମାନେ କଦାପି ଆକଟ ଭିତରକୁ ଆସିବା ନିମନ୍ତେ ଇଚ୍ଛା କରନ୍ତି ନାହିଁ । ପୁନଶ୍ଚ ଯେଉଁମାନେ ଏଡ଼େବଡ଼ ଦେଶରେ ସବା ଉପରସ୍ଥାନମାନଙ୍କରେ ବିହରଣ କରୁଛନ୍ତି, ୟାଡ଼ୁସାଡ଼ୁ କରି ଏତେ ଏତେ କମାଉଛନ୍ତି, ଏତେ କ୍ଷମତାର ପାଳଦଉଡ଼ିରେ ବନ୍ଧାହୋଇ ଏତେ ତୋଫା ଦେଖାଯାଉଛନ୍ତି, ସେମାନେ ଏତେ ଶୀଘ୍ର କଥାମାନି କଦାପି ଚାଟ ହୋଇ ବସିବେ ନାହିଁ । ସେମାନଙ୍କୁ ରାଜି କରାଇ ପାରିବେ କେବଳ ଏ ଦେଶର ଜନଗଣ । ଜନଗଣ ହେଉଛନ୍ତି ସେଇ କଡ଼ା ମାଷ୍ଟର, ଯିଏକି ନେତାମାନଙ୍କୁ ଆବଶ୍ୟକ ହେଲେ ଚାଟ କରି ବସାଇପାରିବେ, ନାକ ଘଷାଇ ପାରିବେ ଏବଂ କାନଧରି ବସ୍ ଉଠ କରାଇପାରିବେ । ଇତିହାସରେ ସର୍ବତ୍ର ଜନଗଣ ହିଁ ସେମାନଙ୍କର ନେତାମାନଙ୍କୁ ସଜାଡ଼ିଛନ୍ତି ଏବଂ ଅକ୍ତିଆର ଭିତରକୁ ଆଣି ପାରିଛନ୍ତି । ଯେକୌଣସି ଗଣତନ୍ତ୍ରରେ ଏହି ଜନଗଣ ହେଉଛନ୍ତି ଅସଲ ମାଷ୍ଟର । କ୍ଷମତା ଅତି ଉତ୍ପାତୀ ହେଲେ ଜନଗଣ ହିଁ ବେଳଜାଣି କ୍ଷମତାକୁ ଲଗାମ ଭିତରକୁ ଆଣିପାରନ୍ତି ଏବଂ ଏକ ପରିବର୍ତ୍ତନ ସମ୍ଭବ କରାନ୍ତି । ଆଗେ ରାଜାମାନେ ଥିଲେ । ପଣ୍ଡିତମାନେ ରାଜାମାନଙ୍କର ହିଁ ସ୍ତୁତିଗାନ କରୁଥିଲେ । ରାଜାଙ୍କୁ ମହୀତଳେ ସ୍ଵୟଂ ନାରାୟଣଙ୍କର ଅବତାର ବୋଲି କହୁଥିଲେ । କେବଳ ଜନଗଣ ସଚେତନ ହେବାରୁ ହିଁ ରାଜତନ୍ତ୍ର ବଦଳିଲା । ସାମନ୍ତମାନଙ୍କର ଦମ୍ଭ ଭାଙ୍ଗିଲା । ଏହି ପ୍ରଜା-ନିୟନ୍ତ୍ରଣର ଯୁଗରେ ମଧ୍ୟ ବେଳେବେଳେ ଶାସନକୁ ଆସୁଥିବା ନେତାମାନେ ନିଜକୁ ରାଜା ଓ ସାମନ୍ତ ପରି ବିଚାର କରୁଛନ୍ତି । ରାଜାଙ୍କ ପରି ନିଜ କର୍ତ୍ତବ୍ୟରୁ ହୁଡ଼ି ଯାଉଛନ୍ତି । ବିଶେଷତଃ ଯାହାକୁ ତୃତୀୟ ପୃଥିବୀ ବୋଲି କୁହାଯାଉଛି, ସେଠାରେ ଅଧିକାଂଶ ଦେଶରେ ନିର୍ବାଚିତ ପ୍ରତିନିଧିମାନେ ରାଜ୍ୟମାନଙ୍କୁ ଅନ୍ଧାର କରି ରଖିବାକୁ ମନ କରୁଛନ୍ତି ଏବଂ ସ୍ଥିତିଗୁଡ଼ିକୁ ବଦଳିବାକୁ ଦେଉନାହାନ୍ତି । ଦାରିଦ୍ର୍ୟ ଭର୍ତ୍ତି ହୋଇ ରହିଛି । ବହୁବିଧ ପ୍ରବଞ୍ଚନା ଓ ଅସାଧୁତା ଅନେକ ମନୁଷ୍ୟଙ୍କର ଭାଗ୍ୟକୁ ଅତ୍ୟନ୍ତ ଦୀନହୀନ କରିରଖିଛି । କେବଳ କ୍ଷମତାସୀନମାନଙ୍କୁ ହିଁ ମତ୍ତଗଜ ହେବାପାଇଁ ଛାଡ଼ି ଦେଇଛି ।

 

ଜନଗଣ ଘୁଷୁରି ନୁହନ୍ତି, ଜନଗଣ ହିଁ ଚାବିକାଠି । ସେମାନେ ସଚେତନ ହେବେ, କାଳକୁ ବୁଝିବେ ଏବଂ କାଳର ପ୍ରତିକାର କରିବେ । ଏହି କାଳଟା ଯାଇ ଆଉ ଗୋଟିଏ କାଳ ଆସିବ । ସେହି ନୂତନ ବରାଦ ଅନୁସାରେ ମନୁଷ୍ୟମାତ୍ରକେ ସମସ୍ତଙ୍କ ପାଇଁ ବ୍ୟବସ୍ଥା ହେବ । ସମସ୍ତଙ୍କୁ ନାଗରିକ ବୋଲି ସ୍ଵୀକାର କରାଯିବ । ଅଲବତ ସ୍ଵୀକାର କରାଯିବ । ରାଜ୍ୟ-ଶାସନ ହିଁ ରାଜ୍ୟ ଶାସକମାନଙ୍କ ପାଇଁ ଏକ ସ୍କୁଲ ପରି କାର୍ଯ୍ୟ କରିବ । ସେମାନଙ୍କର ସାମ୍ରାଜ୍ୟ ହୋଇ ମୋଟେ ରହିବ ନାହିଁ । ଗଉଁବାଲାଙ୍କର ଗଉଁ ଭାଙ୍ଗିଯିବ ।

 

୨୧ । ୧୨ । ୯୮

Image

 

ବ୍ରହ୍ମ ତାତିଲାଣି ପରା !

 

ପୃଥିବୀ ଯେତେବେଳେ ଅସମ୍ଭାଳ ହୁଏ, ସେତେବେଳେ ଭଗବାନ ମଧ୍ୟ ତାତି ଯାଆନ୍ତି ବୋଲି ଶାସ୍ତ୍ରରେ ଅପବାଦ ରହିଛି । ସିଏ ବି ସହି ପାରନ୍ତି ନାହିଁ । ତଳକୁ ଆସନ୍ତି । ଅବତାର ଗ୍ରହଣ କରନ୍ତି । ଦୁଷ୍ଟ ନିବାରି ସନ୍ଥ ପାଳନ୍ତି । ଅସଜଡ଼ାକୁ ସଜାଡ଼ି ହେବାର ବାଟ ବା ପାଠକୁ ବତାଇ ଦେଇଯାଆନ୍ତି । ଧର୍ମର ଗ୍ଳାନି ହୁଏ, ଅର୍ଥାତ୍ ଅଧର୍ମ ପ୍ରବଳ ହୁଏ । ଅଧର୍ମ ପାଚେ । ପୃଥିବୀଟା ସତେଅବା ସଢ଼ି ସଢ଼ି ଯିବାରେ ଲାଗିଥାଏ । ଧର୍ମର ଅନେକ ଧୈର୍ଯ୍ୟ ଥିବାରୁ ଧର୍ମ ସବରାତ କରେ-। ହୁଏତ ଅଧର୍ମଟା ପୂରା ପାଚୁ ବୋଲି ସମୟ ଦିଏ । ବର୍ଷ ବର୍ଷ ପରେ ଏମିତି ପଚାଶ ବର୍ଷ ଅତିକ୍ରାନ୍ତ ହୋଇଯାଏ । ଅଧର୍ମଟା ପୂରା ଉଦ୍ଦଣ୍ଡ ହୋଇ ଦାଣ୍ଡକୁ ବାହାରେ । ଲଙ୍ଗଲା ହୋଇ ନାଚେ-। ଖବରକାଗଜ ମାନଙ୍କରେ ପ୍ରାୟ ଗୋଟା ସୁଦ୍ଧା ତାହାରି କଥା ବାହାରେ । ଖାଲି କେତେ ଦିନ ବା କେତେ ବର୍ଷ ପାଇଁ ନୁହେଁ, ସବୁଦିନ ପାଇଁ ଏଣିକି ଏହି ଅଧର୍ମଟା ହିଁ ରହିବ ଓ ରାଜୁତି କରିବ ବୋଲି ରାଜ୍ୟଟାଜାକ ଗୋଟାଏ ଭ୍ରମ ସୃଷ୍ଟି କରିଦିଆଯାଏ । ଭଲ ମଣିଷମାନେ ବି କହିବାକୁ ଆରମ୍ଭ କରନ୍ତି ଯେ, ଏଣିକି ଆଉ ଧର୍ମ ବୋଲି ମୋଟେ କିଛି ରହିବ ନାହିଁ । ଏମିତି ଅକାଣ୍ଡମାନ ଘଟିବ ବୋଲି ମାଳିକାମାନେ ବି ଏଡ଼େ ବଡ଼ ପାଟି କରି କହିବାକୁ ଆରମ୍ଭ କରନ୍ତି । ସ୍ଵୟଂ ଭଗବାନ ରାହୁର ଗ୍ରାସରେ ପଡ଼ି ଯାଇଛନ୍ତି ବୋଲି ଅନୁଭବ ହୁଏ । ଏ ରାହୁ ହୁଏତ ଆଉ ଭଗବାନଙ୍କୁ ମୋଟେ ଛାଡ଼ିବ ନାହିଁ ଓ ଭଗବାନଙ୍କୁ ଗିଳି ପକାଇବ ବୋଲି ବି କେହି କେହି ଆଶଙ୍କା କରୁଥାନ୍ତି । ହୁଏତ ଠିକ୍ ସେତିକିବେଳେ ଭଗବାନ ଅବତରି ଆସନ୍ତି । ଅବାକ୍ କରନ୍ତି । ମଲାମାନେ ଜୀବନ ପାଆନ୍ତି । ମୂକମାନେ ପାଟି ଖୋଲନ୍ତି । ପଥରମାନେ କଡ଼ ଲେଉଟାଇ ଉଠନ୍ତି । ଯୁଗର ପରିବର୍ତ୍ତନ ହୁଏ । ଶତ ଶତ ଅଧର୍ମ ସତ୍ତ୍ୱେ ଧର୍ମ ତଥାପି ରହିଥିଲା ବୋଲି ପ୍ରମାଣ ମିଳେ । ପୁରୁଣା ଯାଏ, ଆଉ ଗୋଟିଏ କ’ଣ ଆସିବାର ଉପକ୍ରମ ହେଉଥିବା ପରି ଜଳ ଜଳ ଦେଖାଯାଏ । ଆମେ ମନ କରିବା ମାତ୍ରକେ ଦେଖାଯାଏ ।

 

ଶାସ୍ତ୍ରର ବର୍ଣ୍ଣନା ଅନୁସାରେ ଭଗବାନ ବାହାରୁ ଆସନ୍ତି । କୁଆଡ଼େ ତେଣେ ରହିଥାଆନ୍ତି-। ସେହି ତେଣୁ ହିଁ ଏହି ପୃଥିବୀରେ ଅବତୀର୍ଣ୍ଣ ହୋଇ ଆସନ୍ତି । ସିଏ ଅବତୀର୍ଣ୍ଣ ହେଲେ ବୋଲି ଯିଏ ଅନୁଭବ କରେ, ଯୁଗେ ଯୁଗେ ଆମେ ତାହାକୁ ହିଁ ପ୍ରକୃତରେ ଧନ୍ୟ ବୋଲି କହିବା । ସେଇ ଘ୍ରାଣ କରିପାରେ, ସେଇ ପ୍ରଥମ ନିମିତ୍ତ ହୋଇ ବାହାରେ । ଯାହା ହେଇ ଆସିଲାଣି ବୋଲି ସମସ୍ତେ କହୁଥାନ୍ତି, ତାକୁ ସିଏ ନିଜ ଭିତରେ ଅନୁଭବ କରେ । ଭିତରେ ଯେଉଁ ଭଗବାନ ସତକୁ ସତ ଅନୁଭୂତ ହୁଅନ୍ତି, ଆମେ ତାହାକୁ ହିଁ ବ୍ରହ୍ମ ବୋଲି କହିବା । ସିଏ ନିରନ୍ତର ସେଇ ଭିତରେ ରହିଥାଆନ୍ତି, ତେବେ ଭିତରେ ମଧ୍ୟ କାହିଁକି ନ ରହିବେ ? ଗୋଟାଏ ଗୋଟାଏ ବେଳ ଆସେ, ଯେତେବେଳେ ସେହି ବ୍ରହ୍ମ ମଧ୍ୟ ଆଉ ସହିବାକୁ ରାଜି ହୁଏନାହିଁ । ମୋଟେ ରାଜି ହୁଏନାହିଁ । ବ୍ରହ୍ମ ତାତିଗଲେ ବ୍ରହ୍ମକୁ ଥାନ ଦେଇ ରଖିଥିବା ମଣିଷ ସତେଅବା ଏକାବେଳେକେ ଅନ୍ୟପ୍ରକାରେ ଦେଖିବାକୁ ଆରମ୍ଭ କରେ । ତାକୁ ଆଉ ମୋଟେ ଡର ମାଡ଼େ ନାହିଁ । ତା’ ନିଦ ଭାଙ୍ଗିଯାଏ । ଏବଂ ତା’ପରେ ପୃଥିବୀରେ ଏଭଳି ଘଟଣାମାନ ଘଟିବାକୁ ଆରମ୍ଭ କରେ, ଯାହାକି ଘଟିବ ବୋଲି କେହି ଆଶଙ୍କା କରିନଥିଲେ । ମଣିଷ ଶୋଇଥିଲା । ତେଣୁ ଅତ୍ୟାଚାର ରଜା ହୋଇ ଉପଦ୍ରବ କରୁଥିଲା । ସତ୍ୟ ଘରେ କୋଲପ ପଡ଼ିଥିଲା, ତେଣୁ ଦରବାର ମାନଙ୍କରେ ଅସତ୍ୟର ବାହିନୀମାନେ ହିଁ ସବୁଠାରୁ ଅଧିକ ଦର୍ପ ଦେଖାଇ ଯୁଗଟାକୁ ଅକ୍ତିଆର କରି ରଖିଥିଲେ । ଆଲୁଅ ନିଜର ପରିଚୟ ପାଇନଥିଲା, ତେଣୁ ଅନ୍ଧାରକୁ, ଅନ୍ଧାରମାନଙ୍କୁ ରାଜ୍ୟ ଛାଡ଼ି ଦେଇଥିଲା । ବ୍ରହ୍ମ ଅମୁହାଁ ହୋଇ ରହିଥିଲେ । ଭଗବାନ ବାହାରେ ଥାଆନ୍ତି—ପୃଥିବୀର ମଣିଷମାନେ ଚିରକାଳ ଭାଗ୍ୟବାଦୀ ହୋଇ ଅର୍ଥାତ୍ ଭାଗ୍ୟକୁ ଆଦରି ରହିଥାନ୍ତୁ ବୋଲି ଚକ୍ରାନ୍ତ କରି ଆସିଥିବା କୁଅଭିପ୍ରାୟୀମାନେ ହିଁ ଯୁଗେ ଯୁଗେ ଏକଥା କହି ଆସିଛନ୍ତି । ପୃଥିବୀରେ ଭଗବାନଙ୍କୁ ବିସ୍ମୃତ କରି ରଖିବା ଲାଗି ସତେଅବା ଏଠି ରାଜାମାନେ ମନ୍ଦିର ଗଢ଼ି ଦେଇଛନ୍ତି ଏବଂ ସେହି ମନ୍ଦିର ଭିତରେ ମଣିଷମାନଙ୍କୁ ବାଉଳା କରି ରଖିଛନ୍ତି । ଏବଂ ଏହିପରି ଭାବରେ ଯେଉଁଠାରେ ବ୍ରହ୍ମର ଧାରଣାକୁ ହିଁ ଭୂତାଇ ରଖାଯାଇଛି, ସେଠି ମଣିଷମାନେ ବ୍ରହ୍ମ ମଧ୍ୟ ବେଳ ଆସି ପହଞ୍ଚିଲେ ବ୍ରହ୍ମ ତାତେ ବୋଲି ବା କିପରି ଅନୁଭବ କରିପାରିବେ ? ବ୍ରହ୍ମକୁ ତାତିବାର ନଦେଖିବା ଯାଏ ଏମାନେ ବିଶ୍ଵାସ କରିପାରିବେ ନାହିଁ ।

 

ଯୁଗ ଯୁଗରୁ ଢିପ, ପାହାଡ଼, ଅରଣ୍ୟ ଓ ଅରମା ହୋଇ ରହି ଆସିଥିବା ଭୂଇଁଗୁଡ଼ାକୁ ତାଡ଼ି, ସଫା କରି ଓ ସମତୁଲ କରି ହିଁ ଆମ ଏବର ଚାଷଜମିଗୁଡ଼ିକ ତିଆରି ହୋଇଛି । ଅନାବାଦୀକୁ ଆବାଦରେ ପରିଣତ କରିବାରେ ମଣିଷମାନେ ହିଁ ବଳ ଖର୍ଚ୍ଚ କରିଛନ୍ତି, ସାହସ କରିଛନ୍ତି ଏବଂ ମିହନ୍ତ କରି ଆସିଛନ୍ତି । ଆମ ରାଜ୍ୟର ଅଧିକରୁ ଅଧିକ ଜମିକୁ ମଣିଷର ଶ୍ରମ ହିଁ ବାସଯୋଗ୍ୟ ଓ ଚାଷଯୋଗ୍ୟ ଜମିରେ ରୂପାନ୍ତରିତ କରିଛି ଏବଂ ତଥ୍ୟ କହୁଛି ଯେ, ଯେଉଁମାନଙ୍କର ମିହନ୍ତ ସକାଶେ ତାହା ସମ୍ଭବ ହୋଇଛି, ବର୍ତ୍ତମାନ ସେମାନଙ୍କ ହାତରେ ସେସବୁ ଜମି ନାହିଁ । ଯେଉଁମାନେ ଏବେ ସେହି ଜମିକୁ ଭୋଗ କରୁଛନ୍ତି, ସେମାନେ ପଥର ଭାଙ୍ଗି ଓ ଜଙ୍ଗଲ ତାଡ଼ି ମୋଟେ ତିଆରି କରିନାହାନ୍ତି । ଜଣେ ମିହନ୍ତ କରିଛି ଓ ଆଉ ଜଣେ ତାହାକୁ ଭୋଗ କରୁଛି । ଏହା ଧର୍ମ ନୁହେଁ, ଏହା ହେଉଛି ଅଧର୍ମ । ଏହା ନ୍ୟାୟ ନୁହେଁ, ଏହା ହେଉଛି ଅନ୍ୟାୟ । ଏକଦା ଯେଉଁ ବହିରାଗତମାନେ ଗଡ଼ଜାତ ଓ ମାଳ ଅଞ୍ଚଳକୁ ଚାକିରି କରି ଯାଇଥିଲେ, ସେମାନେ ନିଜ ଚତୁରପଣିଆରେ ଅସଲ ଜମିମାଲିକ ମାନଙ୍କର ଜମିକୁ ନିଜ ନାଆଁରେ ହଡ଼ପ କରି ନେଇଛନ୍ତି-। ବିଚରା ମଣିଷମାନଙ୍କୁ ମଦ ପିଇବାକୁ ଦେଇଛନ୍ତି । ୮ ଟଙ୍କା କରଜକୁ ୮ ଶହ ଅଥବା ୧୮ ଶହ କରି ଲେଖାଇଛନ୍ତି । ସେତେବେଳେ ହାକିମ ଓ ଅମଲାମାନେ ମଧ୍ୟ ଏହି କାର୍ଯ୍ୟରେ କମ୍ ମଦତ୍ କରିନଥିବେ । ଶେଷକୁ ଜମିମାନେ ସେହି ହଡ଼ପକାରୀମାନଙ୍କ ନାଆଁରେ ଲେଖା ହୋଇ କାଗଜରେ ରହିଛି ଓ ତେଣୁ ଧର୍ମ ବୋଲି ପ୍ରମାଣିତ ହୋଇଛି । ଦେଶକୁ ସ୍ଵାଧୀନତା ଆସିବା ପରେ ଯେଉଁମାନେ ହାକିମ ଓ ଅମଲା ହୋଇ ଦେଶକୁ ଭୋଗ କରିବାର ଏକ ବିଶାଳ ହଡ଼ପ-ପ୍ରକ୍ରିୟାରେ ସକ୍ରିୟ ଭାଗ ନେଇଛନ୍ତି, ସେମାନେ ଯେ ଧର୍ମତଃ ହଡ଼ପକାରୀମାନଙ୍କ ପକ୍ଷରେ ରହିବେ, ସେଥିରେ ସନ୍ଦେହ କରିବାର ଆଉ କାହିଁକି କୌଣସି କାରଣ ରହିବ ? ଦେଶଟାକୁ ଏବେ ମଧ୍ୟ ଚତୁରମାନେ ହିଁ ଶାସନ କରୁଛନ୍ତି, ଅର୍ଥାତ୍ ନିଜର କବଳରେ ରଖିଛନ୍ତି । ତେଣୁ ନାଗରିକ ହୋଇ ମଧ୍ୟ ଦେଶରେ ଅଧେ ମଣିଷ ଅଧିକାର ଗୁଡ଼ିକର ଖାତାରେ ଅଲୋଡ଼ା ହୋଇ ରହିଛନ୍ତି ।

 

ମିହନ୍ତ କରିଥିବା ଓ ମିହନ୍ତ କରୁଥିବା ମଣିଷମାନେ ହିଁ ଅଧିକରୁ ଅଧିକ ନିର୍ମମ ଭାବରେ ଅଲୋଡ଼ା ହୋଇ ରହିଛନ୍ତି । ସ୍ଵାଧୀନତା ପାଇଁ ସଂଗ୍ରାମ ଚାଲୁଥିବା ସମୟରେ, ଜମି ହରାଇଥିବା ଲୋକେ ସ୍ଵାଧୀନତା ପରେ ସେମାନଙ୍କର ଜମି ନିଶ୍ଚୟ ଫେରିପାଇବେ ବୋଲି କେତେ ପ୍ରବୋଧନା ଦିଆଯାଇଥିଲା । ଯିଏ ଜମିରେ ଚାଷ କରୁଛି, ଜମି ତାହାରି ହାତକୁ ଆସିବ ବୋଲି ଚାତୁର୍ଯ୍ୟ ଦେଖାଇ ଲୋକପ୍ରାଣ ନେତାମାନେ କେତେ ଭାଷଣ ଦେଇଥିଲେ । ସ୍ଵାଧୀନ ଭାରତବର୍ଷରେ ଭୂମି ସଂସ୍କାର ହିଁ ସର୍ବପ୍ରଥମ କାର୍ଯ୍ୟ ହେବ ବୋଲି ସ୍ଵୟଂ ଜବାହରଲାଲ ଥରେ ମଞ୍ଚ ଉପରୁ ଘୋଷଣା କରିଥିଲେ । ଜବାହର ତ କେବେ ଜମିରେ ମିହନ୍ତ କରିନଥିବେ ଓ ଜମିକୁ ହିଁ ନିଜର ମାଆ ବୋଲି ଅନୁଭବ କରିନଥିବେ, ତେଣୁ ନିଜର ଜମି ହରାଇଥିବା ମିହନ୍ତୀ ମଣିଷ ଭିତରର ବ୍ରହ୍ମକୁ ସିଏ କଦାପି ଚିହ୍ନିପାରି ନଥାନ୍ତେ । ସ୍ଵାଧୀନ ଭାରତରେ ଯେଉଁମାନେ ରଜା ହୋଇ ବସିଲେ, ସେମାନେ ଭୂମିସଂସ୍କାରର ସବୁ କଥାକୁ ଭୁଲିଗଲେ । ସେମାନଙ୍କ ଭିତରୁ ଶତକଡ଼ା ପଞ୍ଚାନବେ ହୁଏତ ଜମିଗୁଡ଼ାକର ମାଲିକ ଥିଲେ, ନିଜେ ଜମିରେ ଚାଷ ନକରି ମଧ୍ୟ ଜମିକୁ ଭୋଗ କରୁଥିଲେ । ତେଣୁ ଚତୁର ହେଲେ, ବାଆଁରେଇ ହୋଇ ରହିଗଲେ । ଯେଉଁମାନଙ୍କର ଜମିକୁ ହଡ଼ପ କରି ନେଇ ନିଆଯାଇଥିଲା, ସେମାନେ ନିରୁପାୟ ହୋଇ ପାହାଡ଼ ଉପରେ ଦାରୁଣ ଖଟଣି ଖଟି ଜମି ତିଆରି କଲେ, ଜଙ୍ଗଲୀ ହୋଇ ରହିଲେ । ସାଆନ୍ତମାନେ, ଆଜ୍ଞାମାନେ ଏକଦା ହଡ଼ପ କରି ନେଇଥିବା ସେମାନଙ୍କ ନିଜ ଜମିରେ ହିଁ ମୂଲିଆର କାମ କଲେ । ନିଜର ଭାଗ୍ୟକୁ ଅଭିଶାପ ଦେଇ ବାଧ୍ୟ ହୋଇ ରହିଲେ । ସ୍ଵାଧୀନ ଦେଶରେ ସେମାନଙ୍କ ସକାଶେ କେତେ କେତେ ଯୋଜନାର ଫନ୍ଦା ଖୋଲିଲା ଓ କୋଟି କୋଟି ଟଙ୍କାର ବରାଦ ହେଲା । ମାତ୍ର ସେମାନଙ୍କର ଭାଗ୍ୟକୁ ପରିବର୍ତ୍ତନ କରିବାର କାର୍ଯ୍ୟରେ ହୁଏତ ସେହି ଅର୍ଥରୁ ଟଙ୍କାରେ ଅଣାଏ ମଧ୍ୟ ଲାଗିଲା ନାହିଁ । ସବୁ ବାଟମାରଣା ହୋଇଗଲା । ଭିତରେ ବ୍ରହ୍ମଟା ଏଥିରେ ନିଶ୍ଚୟ କେତେ ଝୁରି ହୋଇଥିବ, ଅମୁହାଁ ହୋଇ ରହିଯାଇ ଥିବାରୁ କେତେ କଷ୍ଟ ପାଇଥିବ ।

 

ଦେଶ ସ୍ଵାଧୀନ ହେଲା, ତଥାପି ଆମକୁ ଚିତା କାଟି ଆମ ହାତରୁ ଚାଲି ଯାଇଥିବା ଜମି ଆମ ହାତକୁ କ’ଣ ପାଇଁ ଆସିଲା ନାହିଁ ବୋଲି ବଞ୍ଚିତ ମଣିଷମାନେ ଅବଶ୍ୟ ପ୍ରଶ୍ନ କରିଥିବେ । ଉଚିତ ନେତୃତ୍ଵଟିଏ ପାଇ ରାଜ୍ୟର ଗୋଟିଏ ସ୍ଥାନରେ ଏହି ଦିଗରେ ପ୍ରକୃତରେ ଆଗକୁ ପାଦେ ପକାଇବା ନିମନ୍ତେ ସଂଗଠନଟିଏ ମଧ୍ୟ ଗଢ଼ା ହୋଇଥିଲା । ଆମର ଜମି, ଆମେ ତାହାକୁ ଦଖଲ କରିବୁ, ମାଲିକ ମନା କଲେ ଓ ସରକାର ବାଧା ଦେଲେ ମଧ୍ୟ ଆମେ ସେହି ଜମିକୁ ଅବଶ୍ୟ ଚଷିବୁ, ଭୂସତ୍ୟାଗ୍ରହ ସମିତି ତରଫରୁ ସେଥିପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରଯାଇଥିଲା । ମାତ୍ର ତତ୍କାଳୀନ ସରକାରଙ୍କର ମୁଖ୍ୟମନ୍ତ୍ରୀ ଏବଂ ସର୍ବୋଦୟ ବିଚାରରେ ଜଣେ ତୁଙ୍ଗ ନେତା ମଝିରେ ପଶି ସେଥିରେ ଏପରି କଦର କଲେ ଯେ, ସତ୍ୟାଗ୍ରହର ମସୁଧାଟି ଫସର ଫାଟିଗଲା । ସେହି ମସୁଧାରେ ଅଗ୍ରଣୀ ରୂପେ କାର୍ଯ୍ୟ କରିଥିବା ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକ ଏବେ ମଧ୍ୟ ଜୀବିତ ଅଛନ୍ତି ଓ ତାଙ୍କ ପାଖରେ ସେକାଳର ଯାବତୀୟ କାଗଜପତ୍ର ମଧ୍ୟ ମହଜୁଦ ରହିଛି । ପଛକୁ ଅନାଇ ସିଏ ପ୍ରକୃତରେ କ’ଣ ସବୁ ଭାବୁଛନ୍ତି ବା ନ ଭାବୁଛନ୍ତି, ସେକଥା ତାଙ୍କୁ ପଚାରିଲେ ନିଶ୍ଚୟ ଜଣାପଡ଼ନ୍ତା । ମହାତ୍ମା ଗାନ୍ଧୀ ଭାରତବର୍ଷରେ ସତ୍ୟାଗ୍ରହ କଥା କହିଥିଲେ । ଭାରତବର୍ଷ ସ୍ଵାଧୀନତା ପାଇବା ପରେ ମଧ୍ୟ ସତ୍ୟାଗ୍ରହ ଦ୍ଵାରା ବଞ୍ଚିତ ମନୁଷ୍ୟମାନେ ଅନ୍ୟାୟର ପ୍ରତିରୋଧ କରି ନ୍ୟାୟ ହାସଲ କରିବାର ଏକ ଅବକାଶ ଅବଶ୍ୟ ରହିବ ବୋଲି ସେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଘୋଷଣା କରିଥିଲେ । ସେହି ବାଟଟି ମଧ୍ୟ ଯେ ସ୍ଵାଧୀନ ଭାରତରେ ବାସନ୍ଦ ପ୍ରାୟ ହୋଇ ରହିଗଲା, ଆମେ ସେଥିପାଇଁ କାହାକୁ ବା କେଉଁମାନଙ୍କୁ ଗୌରବ ଅଥବା ଦୋଷ ଦେବା କହିଲେ-? ସତ୍ୟାଗ୍ରହରେ ମନୁଷ୍ୟମାନେ ନିଜ ଶକ୍ତିର ଆବିଷ୍କାର କରନ୍ତି ଏବଂ ନିଜ ଶକ୍ତିର ଆବିଷ୍କାର କରିପାରିଲେ ମନୁଷ୍ୟମାନେ ଆଉ କଦାପି ନିଷ୍କ୍ରିୟ ହୋଇ ସହ୍ୟ କରିବା ପାଇଁ ରାଜି ହୁଅନ୍ତି ନାହିଁ । ସେମାନେ ପ୍ରତିକାର ନିମନ୍ତେ ନିଜେ ଆଗେଇ ଯାଆନ୍ତି । ସ୍ଵାଧୀନତା ପରେ ଏହି ଦେଶରେ କ୍ରମେ ଅଧିକରୁ ଅଧିକ ମନୁଷ୍ୟ ଯେ ସେହି ସୋପାନଟିରେ ଆସି ପହଞ୍ଚିବାକୁ ଆରମ୍ଭ କଲେଣି ଓ ଏଣିକିଯେ, ସେମାନେ କଦାପି ସେମାନଙ୍କୁ ଧୋକା ଦେଇ ଆସିଥିବା ଥୋକେ ଉପରବାଲାଙ୍କର କଥା ମାନି ଘୁଷୁରି ପରି ସବୁ ସହ୍ୟ କରିଯିବେ ନାହିଁ, ସେ କଥାର ପ୍ରମାଣ ମିଳିଯାଉଛି ।

 

ଦେଶରେ ଥୋକେ ମଣିଷ ସବୁ ଅଧିକାରକୁ ବର୍ବରଙ୍କ ପରି ମାଡ଼ି ବସିଥିବେ, ବର୍ବରତା ବଢ଼ାଇବାକୁ ହିଁ ଶିକ୍ଷା ନାମରେ ନାନା ଲମ୍ପଟତା ଲାଗି ରହିଥିବ, ରାଜନୀତିରେ ରାଜାମାନେ ଦେଶଟାକୁ ସତେଅବା ନିଜର କନିଆ ବୋଲି ଧରିନେଇ ରମଣ କରିବାରେ ଲାଗିଥିବେ, ଦେଶରେ ସଉକିନି ଜିନିଷ ବଢ଼ୁଥିବ ଅଥଚ ସବୁ ମଣିଷଙ୍କର ପେଟ ନିମନ୍ତେ ଅନ୍ନର ବ୍ୟବସ୍ଥା ହୋଇ ପାରୁନଥିବ—ଗୋଟାଏ ସ୍ଵାଧୀନ ଦେଶରେ ଏସବୁକୁ ବିଧାତା ଆଉ କାହିଁକି କେତେ ଦିନ ସକାଶେ ପ୍ରଶ୍ରୟ ଦେବ ? ସାହିତ୍ୟ, ସଂସ୍କୃତି, ପରିମଳ ଏହି ସବୁକିଛି ଦରବାରୀ ଫେସନିଆ ମାନଙ୍କ ହାତରେ ଗୋଟାଏ ବିଶେଷ ମାହାଲ ପରି ହୋଇଥିବ ଏବଂ ଧର୍ମାଧିଶମାନେ ବି ନିଜ ନିଜ ଅନ୍ଦାଜରେ ବର୍ବରମାନଙ୍କ ପଟେ ରହି ବଞ୍ଚିତ କୋଟି କୋଟି ମଣିଷଙ୍କୁ ହିତବାଣୀ ଶୁଣାଉ ଥିବେ, ଏ କଥାଗୁଡ଼ାକ ଏଠି କାହାର ହିତ ପାଇଁ କାହିଁକି ଚାଲିବ ? ହୁଏତ ସେହି କାରଣରୁ ହିଁ ଏଠି ବ୍ରହ୍ମ ବି ତାତିବାକୁ ଆରମ୍ଭ କଲାଣି । ବ୍ରହ୍ମ ସତ୍ୟ ଅବା ଏକାବେଳେକେ ଗୋଟାଏ ବିକଳ୍ପ ନିମନ୍ତେ ସଜ ହେଲାଣି ଏବଂ ସେଇଥି ଲାଗି ମୂକମାନେ ମଧ୍ୟ ସତେ ଅବା ନିଜ ସମୂହଶକ୍ତି ବିଷୟରେ ସଚେତନ ହୋଇ ବାହାରିବାକୁ ସ୍ଥିର କଲେଣି । ବ୍ରହ୍ମ କେବଳ ବ୍ୟକ୍ତି ଭିତରେ ତାତେ ନାହିଁ । ଆବଶ୍ୟକ ହେଲେ ସମୂହ ଭିତରେ ମଧ୍ୟ ତାତେ ଏବଂ ମଣିଷମାନଙ୍କୁ ଏକ ସାମୂହିକ ଶକ୍ତିମତ୍ତାର ପ୍ରତ୍ୟୟ ଆଣି ଦିଏ । ଜଣେ ବ୍ୟକ୍ତିର କ୍ରୋଧ ଯେପର୍ଯ୍ୟନ୍ତ କୌଣସି ସ୍ୱାର୍ଥର ସାଧନ ନିମନ୍ତେ ଅଭିପ୍ରେତ ହୋଇ ରହିଥାଏ,ସେପର୍ଯ୍ୟନ୍ତ ତାହାକୁ ଅବଶ୍ୟ ଏକ ରିପୁ ବୋଲି କୁହାଯାଇପାରିବ । ମାତ୍ର ସମୂହର କ୍ରୋଧକୁ ଏକାଧିକ ଅର୍ଥରେ ଆମେ ଏକ ରୁଦ୍ରଶକ୍ତି ବୋଲି କହିପାରିବା । ସେହି ରୁଦ୍ରଶକ୍ତି ଯୁଗକୁ ବଦଳାଇଛି, ପୁରାତନ ବ୍ୟବସ୍ଥାକୁ ଭାଙ୍ଗିଛି, ନୂଆ ନିମନ୍ତେ ଭୂମି ପ୍ରସ୍ତୁତ କରିଛି, ଇତିହାସ ନିର୍ମାଣ କରିଛି । ଅନ୍ଧାରଗୁଡ଼ାକ, ଜଡ଼ତାଗୁଡ଼ାକ ସବୁଦିନ ଲାଗି ଅଲବତ ରହିବ ବୋଲି ଯେଉଁମାନେ ଆଣ୍ଟ କରି ରହିଥିଲେ, ସେମାନଙ୍କୁ ହୁଏତ ଅବାକ୍ କରିଦେବାକୁ ଯାଇଛି ।

 

ସ୍ୱଶକ୍ତି-ଆବିଷ୍କାରର ଘଟଣାଗୁଡ଼ିକୁ ଆମେ କଦାପି ସାଂପ୍ରଦାୟିକ ନାନା ରଙ୍ଗ ଦେଇ ଭଣ୍ଡୁର କରିଦେବା ପାଇଁ ଚେଷ୍ଟା କରିବା ନାହିଁ । ଭାରତର ସ୍ଵାଧୀନତା ଆନ୍ଦୋଳନକୁ ମଧ୍ୟ ଏକଦା ବ୍ରିଟିଶ ସରକାର ସାଂପ୍ରଦାୟିକତାର ଆଳ ଦେଖାଇ ଭଣ୍ଡୁର କରିଦେବାକୁ ଇଚ୍ଛା କରୁଥିଲା । ତଥାପି ଏହି ଭୂମି ସ୍ଵାଧୀନ ହେଲା । ରାଜନୀତିକ ସ୍ଵାଧୀନତା ହାସଲ ହୋଇପାରିଲା । ତା’ପରେ ଆର୍ଥିକ ଓ ସାମାଜିକ ପରିବର୍ତ୍ତନର ଦ୍ଵିତୀୟ ପର୍ବଟିଏ ଆରମ୍ଭ ହୋଇଥାନ୍ତା । ମାତ୍ର ଭୋଗୀମାନେ ସେହି ପରବର୍ତ୍ତୀ ପ୍ରକ୍ରିୟାଟିକୁ ଭଣ୍ଡୁର କରି ରଖିଲେ । କାଳର ନିୟତିକୁ ପଚାଶ ବର୍ଷ ଅଟକାଇ ରଖିଲେ । ଦୂରତାଗୁଡ଼ିକ ଅତ୍ୟନ୍ତ ନିର୍ମମ ଭାବରେ ବଢ଼ାଇଲେ । ଏବେ ମଧ୍ୟ ସବୁ ମଣିଷକୁ ସମ୍ମୁଖରେ ରଖି ଭବିଷ୍ୟତର ବିଚାର ହୋଇପାରିଲା ନାହିଁ ଏବଂ ବର୍ତ୍ତମାନ ଭିତରେ ସେଥିଲାଗି କୌଣସି ଅନୁକୂଳ ଉଦବେଳନ ସୃଷ୍ଟି କରାଗଲା ନାହିଁ । ଉପରବାଲା ଏହିପରି ଅଡ଼ିବସିଲେ ବୋଲି ବ୍ରହ୍ମ ସବାତଳେ ରହିଥିବା ମଣିଷମାନଙ୍କ ଭିତରେ ସାହସ ଓ ବିବେକର ରୂପ ନେଇ ତାତିବାକୁ ଆରମ୍ଭ କଲାକି ? ବଞ୍ଚିତ ମଣିଷ ପାଖରେ ତା’ ଗୋଡ଼ରେ ବନ୍ଧା ହୋଇଥିବା ଜଞ୍ଜିର ବ୍ୟତୀତ ଆଉ ଗୋଟାଏ କିଛି ନାହିଁ, ଯାହାକୁ କି ତାକୁ ଛାଡ଼ିବାକୁ ବା ହରାଇବାକୁ ପଡ଼ିବ । ଗତ ପଚାଶବର୍ଷ ଧରି ଉପରବାଲା କେତେ ତାତିଲେ, କେତେ ବେଲେଇ ହେଲେ, ମିଛ ମୁହଁଗୁଡ଼ାକୁ ଗମ୍ଭୀର କରି ଦେଶଟାକୁ କେତେ ପ୍ରତିଶ୍ରୁତି ଦେଲେ ଏବଂ ଏହି ସବୁକିଛି ଦ୍ଵାରା ନିଜେ ହିଁ ଉପକୃତ ହେଲେ । ନିଜ ପାଇଁ ସ୍ଵର୍ଣ୍ଣଲଙ୍କାମାନ ଗଢ଼ି ଅନେକଙ୍କୁ ବଞ୍ଚିତ କରିରଖିଲେ । ସକଳ ପରିମଳର ମାନମହତ ନେଲେ । ଉପରୁ କେବେ କୌଣସି ସୁସ୍ଥ ପରିବର୍ତ୍ତନ ସୁସ୍ଥ ଭାବରେ ହୁଏନାହିଁ । ତେଣୁ ଏଥର ବିକଳ୍ପ ରୂପେ ତଳଟା ହିଁ ତାତିବ । ତଳଟା ହିଁ ଅଣ୍ଟା ସିଧାକରି ଛିଡ଼ା ହେବ ଏବଂ ସିଧା କୈଫିୟତ ମାଗିବ, ସିଧା ସିଧା ପ୍ରଶ୍ନଗୁଡ଼ିକୁ ପଚାରିବ । ବ୍ରହ୍ମ ସତେ ଅବା ତାହାକୁ ହିଁ ମାଧ୍ୟମ କରି କଥା କହିବେ, ତାହାକୁ ନିମିତ୍ତ କରି ଧର୍ମର ସଂସ୍ଥାପନା କରିବେ । ତାହାରି ପୂର୍ବସୂଚନା ମିଳିବାକୁ ଆରମ୍ଭ କଲାଣି । ବର୍ତ୍ତମାନର ବଳୀୟାରମାନେ ତାହାକୁ ଅରାଜକତା ବୋଲି କହିବେ, ତାହାର ନିନ୍ଦାବାଦ କରିବେ, ତଥାପି ଯାହା ହେବାର ତାହା ହିଁ ହେବ । ଯାହାର ମୁହୂର୍ତ୍ତଟି ଆସି ଉପସ୍ଥିତ ହେବାକୁ ଯାଉଛି, ତାହାରି ବରାଦରେ ଫଳମାନ ଫଳିବ । ମଣିଷମାନେ ରଜା ହେବେ; ଯେଉଁମାନେ ମଣିଷମାନଙ୍କୁ ଧୋକା ଦେଇ ଆସିଛନ୍ତି, ସେମାନଙ୍କର ସବୁକିଛି ପଦାରେ ପଡ଼ିଯିବ ।

 

ନିଜର ଜଞ୍ଜିରଗୁଡ଼ାକ ବ୍ୟତୀତ ବଞ୍ଚିତମାନେ ଆଉ କିଛିହେଲେ ହରାଇବେ ନାହିଁ ଏବଂ ସମଗ୍ର ପୃଥ୍ଵୀମଣ୍ଡଳରେ ଅଧିକାରୀ ହେବେ ବୋଲି ପ୍ରାୟ ଦେଢ଼ଶହ ବର୍ଷ ତଳେ ଏହି ପୃଥିବୀରେ କୁହାଯାଇଥିଲା । ତାହାରି ପ୍ରେରଣା ହେତୁ ଆମର ଏହି ଶତାବ୍ଦୀର ଆରମ୍ଭରେ ଗୋଟିଏ ବିପ୍ଲବ ମଧ୍ୟ ହେଲା । ବିପ୍ଳବୀମାନେ ଶାସନକୁ ଆସି ନୂତନ ରୀତିରେ ସମାଜ ଓ ସଂସାରକୁ ଗଢ଼ିବେ ବୋଲି ହୁଙ୍କାର ବି ଦେଇଥିଲେ । ସେହି ହୁଙ୍କାର ବଳରେ ପୃଥିବୀରେ ଆହୁରି କେତେ ଦେଶ ନିଦ ଭାଙ୍ଗି ଉଠିଲେ । ମାତ୍ର, ତା’ପରେ କ୍ଷମତାର ନିଶା ଶାସନଧାରୀ ମାନଙ୍କୁ ଏପରି ଭାବରେ ଘାରିଲା ଯେ, ସେମାନେ କ୍ରମେ ସ୍ଵୟଂ ସାମନ୍ତ ହୋଇଗଲେ । ଉନ୍ମାଦ ଭିତରକୁ ଭାରି ଅଣଅକ୍ତିଆର ହୋଇ ପଶିଗଲେ । ବ୍ରତ ଭୁଲିଲେ, ଭ୍ରଷ୍ଟ ହେଲେ । ପରିଣାମତଃ ସେମାନେ ତିଆରି କରିଥିବା ଦୁର୍ଗଟି ଭୁଷୁଡ଼ି ପଡ଼ିଲା । ନେତୃତ୍ଵଟା ଲୋକହସା ବି ହେଲା । ଆଉ ଥରେ କ’ଣ ଠିକ୍ ସେହିପରି ହେବ କି-? ପୁଣି ଏତେଗୁଡ଼ାଏ ତାତି ବ୍ୟର୍ଥ ହୋଇ ଯିବନାହିଁ ତ ? ହୁଏତ ତାହାର ପୁନରାବୃତ୍ତି ହେବନାହିଁ-। ଏହି ଶତାବ୍ଦୀର ଗତିକ୍ରମ ଗୁଡ଼ିକରୁ ଯଦି ମନୁଷ୍ୟମାନେ କିଛି ବି ଶିକ୍ଷା କରିଥିବେ, ତେବେ ଆଉ ସେପରି କୌଣସି ଭୁଲ୍ ହେଉ ବୋଲି ସେମାନେ ମୋଟେ ବାଟ ଛାଡ଼ି ଦେବେନାହିଁ । ମିଛ ନେତାମାନଙ୍କ ବିଷୟରେ ସାବଧାନ ରହିବେ । ସେମାନେ ନିଜ ଭିତରେ ହିଁ ଶକ୍ତିକୁ ଠାବ କରିପାରିବା ଲାଗି ଅଧିକ ଯୋଗ୍ୟତା ହାସଲ କରିବେ । ଆଧୁନିକ ବିଜ୍ଞାନର ମୂଳ ବିବେକଗୁଡ଼ିକ ମଧ୍ୟ ସେମାନଙ୍କୁ ବାଟରେ ରହିବାକୁ ସାହାଯ୍ୟ କରିବ, ଯାବତୀୟ ଧୋକାରୁ ବଞ୍ଚାଇ ରଖିବ । ପୃଥିବୀର ଉଦୟ ତଥା ମଙ୍ଗଳ ବିଷୟରେ ସମଗ୍ର ପୃଥିବୀରେ ଯୁଗାନୁକ୍ରମେ ଯେତେ ଯେତେ କଥା କୁହା ହୋଇଆସିଛି, ମନୁଷ୍ୟଜାତି ସେଥିରୁ ଅବଶ୍ୟ ଲାଭବାନ ହେବ ଏବଂ ଆଉ ଆଦୌ ହୁଡ଼ି ଯିବନାହିଁ ।

 

ବ୍ରହ୍ମର ତାତିକୁ ଆମେ ନିଜ ଭିତରେ ମଧ୍ୟ ଅନୁଭବ କରିବା । ତେବେ ସେଇ ଆଦିମ ବର୍ବରତା ଗୁଡ଼ିକର କବଳରୁ ମୁକ୍ତ ହୋଇ ରହିବାକୁ ଆମକୁ ଅନେକ ବଳ ମିଳିବ । ଭିତରୁ ମିଳିବ । ପୁରୁଖାମାନେ ଜାତିର ଦ୍ଵାହି ଦେବେ, ଦେଶର ଦ୍ଵାହି ଦେବେ । ଆମକୁ ଭାବପ୍ରବଣ କରିବେ, ଉଗ୍ର କରିବେ ଏବଂ ତାହାରି ସାହାଯ୍ୟରେ ଆମକୁ ଦୁର୍ବଳ କରିରଖିବେ । ମାତ୍ର, ଅସଲ ତଳଟି ସହିତ ଯାହାର ଚେରଗୁଡ଼ିକ ଲାଗିକରି ରହିଥିବ, ସିଏ ମୋଟେ ବାଉଳା ହେବନାହିଁ, ସିଏ ଠିକଣା ପଟଟିକୁ ବାଛିନେବ । କାମ୍ୟ ଭବିଷ୍ୟଟି ସକାଶେ ସିଏ ନିଜକୁ ବିହନ ହେବାକୁ ବାଟ ଛାଡ଼ିଦେବ । ଖାଲି ଭାରତବର୍ଷରେ ବା ଖାଲି ଓଡ଼ିଶାରେ ଯେ ଅରଣ୍ୟର ନିଦ ଭାଙ୍ଗିବ ତା’ ନୁହେଁ-ସାରା ପୃଥିବୀରେ ସେକଥା ଘଟିବ । ବ୍ରହ୍ମର ତାତି ଆଦୌ କୌଣସି ବାଧା ମାନିବ ନାହିଁ । ସବୁ ମଣିଷଙ୍କ ଲାଗି ସମ୍ମାନର ଆସ୍ଥାନଟିଏ ସମ୍ଭବ ହେଲା ପର୍ଯ୍ୟନ୍ତ ସେହି ତାତି ହିଁ ବାଟ ଦେଖାଇନେବ ।

Image

 

ଦେଖିଲେ ଦୁଃଖ ଲାଗେ

 

ଆମ ପୃଥିବୀରେ ବାସନା ଅନେକ ପ୍ରକାରର, ତେଣୁ ପ୍ରେରଣା ମଧ୍ୟ ଅନେକ ପ୍ରକାରର-। ଭୋକ ଅନେକ ପ୍ରକାରର । ଅଙ୍ଗୀକାରବଦ୍ଧତା ଅନେକ ପ୍ରକାରର, ତେଣୁ ସାନ୍ତ୍ଵନା ମଧ୍ୟ ଅନେକ ପ୍ରକାରର । ନିଜ ଅନ୍ଦାଜ ଗୁଡ଼ାକୁ ଯେତେ ଅଧିକ ପରିମାଣରେ ପୁଟ ଦେଇ କହିବାକୁ ମନ କରୁଥିଲେ ମଧ୍ୟ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭଗବାନ ଏହି ସଂସାରରେ ମଣିଷମାନଙ୍କୁ ଦୁଃଖୀ ଅଥବା ସୁଖୀ କରି ରଖିବାରେ ମୋଟେ କୌଣସି ଚକ୍ରାନ୍ତ କରିନାହାନ୍ତି । ମୁଁ ସୁଖରେ ଅଛି, ତା’ର କାରଣ ଆଦୌ ନୁହେଁ ଯେ ମୋର କୌଣସି ପୂର୍ବ ସୁକୃତ ଫଳରେ ମୋତେ ସେହି ସୌଭାଗ୍ୟଟି ପ୍ରାପ୍ତ ହୋଇ ପାରିଛି । ଆଉ କିଏ ଦୁଃଖରେ ଯେ ରହିଛି, ତାହାର ମଧ୍ୟ କାରଣ ଆଦୌ ନୁହେଁ ଯେ ପୂର୍ବକୃତ କୌଣସି ମନ୍ଦ କାର୍ଯ୍ୟ ହେତୁ ସିଏ ସେହିପରି ଦଣ୍ଡ ପାଇ ପୃଥିବୀକୁ ଆସିଛି । ବଳବାନ୍‌ମାନେ ପୃଥିବୀରେ ଭଲରେ ଅଛନ୍ତି, କାରଣ ସେମାନେ ଅପର ଅନେକଙ୍କୁ ବଞ୍ଚିତ କରି ରଖିଛନ୍ତି । ଏପରି ଅରୀତିଟିଏ କାଳ କାଳରୁ ସଂସାରରେ ଚଳିଆସିଛି ବୋଲି ସଂସାରରେ କେତେକ ସମାଜରେ ତାହାକୁ ହିଁ ନିୟମ ବୋଲି ଧରିନିଆଯାଇଛି । ସେଥିରୁ ତତ୍ତ୍ଵ ବାହାର କରାଯାଇଛି । ତତ୍ତ୍ଵକୁ ବୁଦ୍ଧିର ଭାବପ୍ରବଣତା ଦେଇ ଶାସ୍ତ୍ରମାନ ଲେଖାଯାଇଛି । ଭାଗ୍ୟବାଦର ମିଛ ତତ୍ତ୍ଵଟି ଖଳମାନଙ୍କର ମୁଣ୍ଡରୁ ହିଁ ବାହାରିଛି । ମଣିଷର ପାପ ବା ପୁଣ୍ୟ ଅନୁସାରେ ତାକୁ ଦୁଃଖ ବା ସୁଖ ଭୋଗ କରିବାକୁ ପଡିଛି ବା ପଡ଼ୁଛି । ଏପରି କହିଥିବା ଶାସ୍ତ୍ରକାରମାନଙ୍କୁ ଆମେ ଖଳ ବ୍ୟତୀତ ପ୍ରକୃତରେ ଆଉ କ’ଣ ବୋଲି କହିପାରିବା ? ଏବଂ ଯେଉଁମାନେ ଆଉ କେତେ ପାଦ ଆଗକୁ ଯାଇ ତାହାକୁ ଧର୍ମ ସହିତ ଯୋଡ଼ି ରଖିଛନ୍ତି, ସେମାନଙ୍କର କାନ୍ଧରେ ଯେତେ ସରି ପଇତା ପଡିଥିଲେ ମଧ୍ୟ ସେମାନଙ୍କୁ କେବଳ ଖଳ ବୋଲି ହିଁ ଆଖ୍ୟାତ କରାଯାଇ ପାରିବ ।

 

ଯେଉଁ ପିଲାମାନେ ଆଦିବାସୀ ଅଥବା ହରିଜନ ଘରେ ଜନ୍ମ ହୋଇଛନ୍ତି, ସେମାନେ କୌଣସି ଆଗ ଜନ୍ମରେ କୌଣସି ଅପରାଧ କରିଥିଲେ ବୋଲି ଯେ ସେଭଳି ହୋଇଛି, ସେ କଥା ଆଦୌନୁହେଁ । ଭଗବାନଙ୍କର ଖାତାରେ ଆଦିବାସୀ ଅଥବା ହରିଜନ ବୋଲି କୌଣସି ଶବ୍ଦ କଦାପି ନଥିବ । ଗୋଟିଏ ସମାଜରେ ଯେତେବେଳେ ଥୋକେ ବର୍ଗ ବା ବ୍ୟକ୍ତି ଆପଣାକୁ ଅଧିକ ଗେହ୍ଲାକରି ରଖିବାକୁ ମନସ୍ଥ କରନ୍ତି, ଅର୍ଥାତ୍ ଯେତେବେଳେ ସେମାନେ ଯଥାର୍ଥ ମାନବଧର୍ମରୁ ହୁଡ଼ି ଯାଆନ୍ତି ଓ ପୃଥିବୀଟାକୁ ପ୍ରଧାନତଃ ଏକ ଭୋଗଘର ରୂପେ କଳ୍ପନା କରନ୍ତି, ସେହିମାନଙ୍କର ଫିଦାସରୁ ହିଁ ସମାଜଟା ଥାକ ଥାକ ହୋଇଯାଏ । ମଣିଷମାନଙ୍କର ପରିଚୟ ଭିତରେ ବହୁ ଦୁଷ୍ଟ ଭେଦ ଏବଂ ପାତର-ଅନ୍ତରକୁ ଆଣି ପୂରାଇ ଦିଆଯାଏ । ତଳେ ରହିଯିବା ମଣିଷମାନେ ଖଟନ୍ତି । ଉପରେ ଭାଗ୍ୟବାନ୍‍ମାନେ ସାମନ୍ତ ବୋଲାନ୍ତି । ଭାରତବର୍ଷର ସମାଜରେ ଏହିପରି ଭାବରେ ଯୁଗଯୁଗ ଧରି ଲେଖାହୋଇ ଆସିଥିବା ଭେଦଶାସ୍ତ୍ର ଏବଂ ଭେଦାଚାର ଗୁଡ଼ାକୁ ଘାଣ୍ଟିଲେ ବିବେକରେ ବଞ୍ଚିବାକୁ ଇଚ୍ଛା କରୁଥିବା ମନିଷଟିଏ ହୁଏତ ହସି ହସି ଗଡ଼ିଯିବ ସିନା, ମାତ୍ର ତଥାପି ସେଇଟାରେ ମୋଟେ କୌଣସି ଭେଦ ପାଇ ପାରିବ ନାହିଁ । ଅରୁଆ ଓ ଉଷୁନା ଏକାଠି ସହାବସ୍ଥିତ ଓ ସମାନ୍ତର ପରି ରହି ଆସିଥିବାର ଏକ ନିୟମରେ ଭାରତ ନାମକ ଏକ ପରମ୍ପରାରେ ଗୋଟାଏ ପାଖରେ ସବୁ ମଣିଷଙ୍କ ଭିତରେ ଭଗବାନ ରହିଛନ୍ତି ବୋଲି ଘୋଷଣା କରାଯାଇଛି ଏବଂ ଅପର ପାଖରେ ମଣିଷମାନଙ୍କୁ ସାନ, ବଡ଼, ଉଚ୍ଚ, ନୀଚ ଏବଂ ଭାଗ୍ୟହୀନ୍ ଓ ଭାଗ୍ୟବାନ୍‍ କରି ରଖାଯାଇଛି । ଦେବାଳୟଠାରୁ ଆରମ୍ଭ କରି ଦରବାରଗୁଡ଼ାକ ପର୍ଯ୍ୟନ୍ତ ଏହି ହାସ୍ୟାପ୍ସଦ ନିତାନ୍ତ ବିରୋଧଟା ଆମର ଜୀବନକୁ ଏମିତି ଅସହଜ ଭାବରେ କାମୁଡ଼ି ଧରିଛି ଯେ, ଭାରତବର୍ଷର ପ୍ରାୟ ସବୁକିଛି ଅକଲ ସେଇଠି ଆସି ଧକ୍କା ଖାଇ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଉଛି । ସ୍ଵାଧୀନ ଭାରତରେ ଭାରତୀୟ ମାତ୍ରକେ ସମସ୍ତେ ନାଗରିକ ରୂପେ ସ୍ଵୀକୃତ ହେବେ ବୋଲି ବିଜ୍ଞମାନେ ତିଆରି କରିଥିବା ନୀତିବିଧାନ ପୁସ୍ତକରେ ଲେଖା ହୋଇ ରହିଥିଲେ ମଧ୍ୟ ଏଠି ମଣିଷମାନେ ସତେଅବା ସତରଟା ଅଲଗା ଅଲଗା ଭାଡ଼ିରେ ଉଚ୍ଚ ନୀଚ ହୋଇ ରହିଛନ୍ତି । ଏହି ଦେଶକୁ ଚଳାଉଥିବା ଶାସକମାନଙ୍କୁ ଅସମାନତାଟା ହିଁ ସତେଅବା ଅଧିକ ଭଲ ଲାଗୁଛି । ମୋ ନିଜ ନାଆଁରେ ଉପର ଭାଡ଼ିଟା ଲେଖା ହୋଇ ରହିଥିବାରୁ ହିଁ ହୁଏତ ଏଠି ଦୂରତା ଓ ଅସମାନତା ମୋତେ ଭାରି ଭଲ ଲାଗୁଛନ୍ତି । ଭାରି ସୁହାଉଛନ୍ତି ।

 

ଭାରତବର୍ଷ ସ୍ଵାଧୀନତା ଲାଭ କଲାପରେ ଆମର ସାମୂହିକ ନେତୃତ୍ଵଗୁଡ଼ିକ ଯଦି ଏହି ଦେଶରେ ବାସ କରୁଥିବା ସବୁ ମଣିଷଙ୍କୁ ନାଗରିକ ବୋଲି ପ୍ରକୃତରେ ସ୍ଵୀକାର କରି ନେଇଥାନ୍ତେ, ତେବେ ଏହି ଦେଶ ଅନ୍ୟ ପ୍ରକାରେ ତିଆରି ହୋଇଥାନ୍ତା । ପ୍ରାୟ ଚିରକାଳ ଅସମାନ ହୋଇ ରହି ଆସିଥିବା ଏଠାରେ ଯେଉଁମାନେ ଅପେକ୍ଷାକୃତ ଅଧିକ ପଛରେ ରହି ଆସିଛନ୍ତି, ସେମାନଙ୍କୁ ଯଥାଶୀଘ୍ର ଅନ୍ୟମାନଙ୍କ ସହିତ ସମର୍ଥ ଓ ସମାସ୍କନ୍ଧ କରି ଆଣିବା ପାଇଁ ସେମାନଙ୍କର ଉନ୍ନତି ବିଧାନ ପାଇଁ ଅଧିକ ଦୃଷ୍ଟି ଦିଆ ଯାଇଥାନ୍ତା । ଶିକ୍ଷାର ବ୍ୟବସ୍ଥାରେ ସେଇମାନଙ୍କ ସକାଶେ ଅଧିକ ଅର୍ଥ ଏବଂ ବିଚାର ଖରଚ ହୋଇଥାନ୍ତା । ମାତ୍ର ସାମନ୍ତମାନେ ସେକଥା କଲେନାହିଁ । ସାମନ୍ତମାନଙ୍କ ପିଲାମାନେ ଯେପରି ବଡ଼ ହୋଇ ଠିକ୍ ଏବପରି ସାମନ୍ତ ହୋଇ ରହିବେ, ସେଥିଲାଗି ଚଉକଷ ବରାଦମାନ କରାଗଲା । ପୂର୍ବର ଇଂରାଜୀ ଅମଳରେ ଶାସନରେ ରହିଥିବା ବିଲାତୀ କର୍ତ୍ତାମାନେ ସାଧାରଣ ଭାରତୀୟମାନଙ୍କୁ ଯେଭଳି ଆଖିରେ ଦେଖୁଥିଲେ, ସ୍ଵାଧୀନ ଭାରତବର୍ଷରେ ଶାସନର ଉଚ୍ଚ ପାହାଚମାନଙ୍କରେ ବସିଥିବା ବାବୁମାନେ ଦେଶର ଅଧାରୁ ଅଧିକ ଅଳ୍ପ ଭାଗ୍ୟବାନ୍‍ମାନଙ୍କୁ ପ୍ରାୟ ସେହି ଆଖିରେ ଦେଖିଲେ । ନିଜକୁ ଧୋବ ବୋଲି ବିଚାର କରି ସେମାନଙ୍କୁ ମସିଆ ଓ ମଇଳା ବୋଲି ଦେଖିଲେ । ସେମାନଙ୍କୁ ସତେ ଅବା ଦୟା ଦେଖାଇବାର ରୀତିରେ ଫୋପାଡ଼ିଦେବା ପରି କିଛି କିଛି ଉନ୍ନୟନର ବ୍ୟବସ୍ଥା ହେଲା ସିନା, ମାତ୍ର ତଳ ମଣିଷ ଠିକ୍ ଆଗପରି ସେହି ତଳେ ହିଁ ରହିଲା । ଅନୁସରଣିଆ ହୋଇ ରହିଲା । ଉପରର ଅନୁଗ୍ରହ ଗୁଡ଼ାକୁ ଅନାଇ ରହିଲା । ଆଗେ ଗୋଟାଏ ଗୋଟାଏ ଗଡ଼ଜାତରେ ରଜା କୌଣସି ପ୍ରଜାର ଦରଖାସ୍ତକୁ ମଞ୍ଜୁର କଲେ ଯେପରି ଦରଖାସ୍ତ ଉପରେ ପାନପିକ ପକାଇ ଦେଇ ଆପଣାର ସମ୍ମତି ଜ୍ଞାପନ କରୁଥିଲେ, ସ୍ଵାଧୀନ ଭାରତରେ ଦରିଦ୍ର ବର୍ଗ ନିମନ୍ତେ ଯାବତୀୟ ଉନ୍ନୟନ କର୍ମ ପ୍ରାୟ ସେହିପରି ଏକ ଧାରାରେ କରାଗଲା । ଏବଂ ସେତିକିର ସୁଫଳ ମଧ୍ୟ ଉଦ୍ଦିଷ୍ଟ ସ୍ତରଟି ପର୍ଯ୍ୟନ୍ତ ଯାଇ ପହଞ୍ଚିବା ପୂର୍ବରୁ ଅମଲାମାନେ ତାହାର ଏକ ବୃହତ୍ ଅଂଶକୁ ହାତର ପାଞ୍ଚ କରିନେଲେ ।

 

ହଁ, ଏକଥା ଅବଶ୍ୟ ସତ ଯେ ସମ୍ବିଧାନର ନିୟମରକ୍ଷା ମୁତାବକ ହରିଜନ ଓ ଆଦିବାସୀଙ୍କ ଭିତରୁ ମନ୍ତ୍ରୀ ବାହାରିଲେ, ଏକ ବିଚିତ୍ର କୋଟା ବ୍ୟବସ୍ଥା ଅନୁସାରେ ଉଚ୍ଚ ହାକିମ ମଧ୍ୟ ହେଲେ । ମାତ୍ର ସେମାନେ ଥରେ ରାଜଧାନୀରେ ଗାଦୀ ଭିଡ଼ିବାର ସୁଯୋଗ ପାଇବା ମାତ୍ରକେ ଆଉ ଫେରିଯିବାକୁ ମନ କଲେନାହିଁ । ସେମାନେ ଏକ ନୂଆ ପ୍ରକାରର ସାଆନ୍ତ ପାଲଟି ଗଲେ । ସଭାରେ ମୁହଁ ଫିଟିଲା ନାହିଁ, ମାତ୍ର ସେମାନେ ଯଥାସମ୍ଭବ ଅଧିକ ଧୋବ ଦେଖାଗଲେ; ଯେଉଁମାନଙ୍କର ପ୍ରତିନିଧିତ୍ଵ କରୁଥିଲେ, ସେମାନଙ୍କୁ ଘୃଣା କଲେ । ଆପଣାକୁ ଆଦିବାସୀ ଓ ହରିଜନ କହିବା ନିମନ୍ତେ ସମ୍ଭବତଃ ସେମାନଙ୍କୁ ଲାଜ ମଧ୍ୟ ମାଡ଼ିଥିବ । ସେମାନେ ଡିକୁ ହୋଇଗଲେ, ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ଶୋଷକ ପକ୍ଷରେ ସାମିଲ୍ ହୋଇଗଲେ । ହରିଜନ ଓ ଆଦିବାସୀ ପିଲାଙ୍କ ପାଇଁ ଉଚିତ ଶିକ୍ଷା ଦାବି କରିବା ସକାଶେ ସେମାନଙ୍କର ଆଉ ଅକଲ ରହିଲା ନାହିଁ । ହରିଜନ ଓ ଆଦିବାସୀ ପିଲାଙ୍କୁ ଭାରତୀୟ ନାଗରିକମାନଙ୍କର ପିଲା ବୋଲି ସ୍ଵୀକାର କରାଯାଉ ବୋଲି ଦାବି କରି ସେହି ଦାବିକୁ ହାସଲ କରିବା ନିମନ୍ତେ ସେମାନଙ୍କ ପାଖରେ ଆଉ କିପରି ବା ହିମ୍ମତ ଆସିଥାନ୍ତା ? ଫଳରେ ଶୋଷଣମାନେ ବଳବତ୍ତର ରହିଲେ । ଅନ୍ଧାରମାନେ ପରିପୂର୍ଣ୍ଣ କ୍ଷମତା ସହିତ ଠିକ୍ ଆଗପରି ଉପଦ୍ରବ କରିପାରିଲେ । ଏବଂ ବିଚରା ପ୍ରତିନିଧିମାନେ ବି ଅଧିକତର କ୍ଷେତ୍ରରେ ଅନ୍ଧାର ଓ ଶୋଷଣ ପଟେ ରାଜସାକ୍ଷୀ ହୋଇ ରହିବାକୁ ଅଧିକ ଲାଭଜନକ ବୋଲି ଭାବିଲେ । ହରିଜନ ଓ ଆଦିବାସୀ ପାଟକରୁ ଆସିଥିବା କେତେଜଣ ମନ୍ତ୍ରୀ, ଲୋକପ୍ରତିନିଧି ଏବଂ ଅମଲାଙ୍କର ନିଜ ପିଲାମାନେ ଆମ ସରକାର ମେଲି ଦେଇଥିବା ଆଶ୍ରମ ସ୍କୁଲ ମାନଙ୍କରେ ପାଠ ପଢ଼ୁଛନ୍ତି, ଭାରତ ସାରା ତାହାର ଏକ ହିସାବ ନେଇଆସିଲେ ଆମକୁ ବାସ୍ତବ ସତ୍ୟଟିର ଓଳମ ଆପେ ଆପେ ମିଳିଯିବ । ଆଶ୍ରମ ସ୍କୁଲରେ ଜଣେ ପିଲାର ପଢ଼ିବା ନିମନ୍ତେ ସରକାର କେତେ ଖରଚ କରିବେ ବା ନକରିବେ, ସେକଥା ଫଇସଲା କଲାବେଳେ ପିଲାମାନଙ୍କର ବାପାମାଆଙ୍କୁ କଦାପି ଡକାଯାଇ ନଥିବ । ଏଠୁ ସେଠାଯାଏ ତୁମେ ରିକ୍ସାରେ ଗଲେ ତୁମକୁ କେତେ ଭଡ଼ା ଦେବାକୁ ପଡ଼ିବ, ତାହା ଠିକ୍ କରାଯିବା ବେଳେ ରିକ୍ସାବାଲା ମାନଙ୍କର କୌଣସି ମତ କେବେହେଲେ ନିଆଯାଏ ନାହିଁ । ବାବୁମାନେ ନିଜର ଅନୁମାନ ମୁତାବକ ତାହାର ଫଇସଲା କରନ୍ତି ଏବଂ ତାହାକୁ ହିଁ ଉଚିତ ବୋଲି ଧରି ନିଆଯାଏ । ଏହି ଦରିଦ୍ର ଦେଶରେ ଯାବତୀୟ ପ୍ରଣୟନ ଓ ପ୍ରଣିଧାନର କ୍ଷେତ୍ରରେ ସତେଅବା କୌଣସି ନିୟମ ମାନୁଥିବା ପରି ବଡ଼ଚଲାଖ ମାନଙ୍କର ମାମଲତକାରୀ ଚଳୁଥିଲା ଭଳି ଆଦିବାସୀ ଓ ହରିଜନମାନଙ୍କର ବ୍ୟବସ୍ଥା ଏଠି ମାମଲତକାରମାନେ ହିଁ କରିଥାନ୍ତି । ବିବେକ ଗୁଡ଼ାକ ନାଲି ଫିତାରେ ଏପରି ଆଣ୍ଟରେ ବନ୍ଧା ହୋଇ ରହିଥାଏ ଯେ, ଆଶ୍ରମ ବୋଲି ଚିହ୍ନାଇ ଦିଆଯାଉଥିବା ଶିକ୍ଷାସ୍ଥାନଟି ସତେ ଅବା ଏକ ଅନ୍ଧାରୀ ମୁଲକ ପରି ହେବାକୁ ବାଧ୍ୟ ହୁଏ । ସେଠାରେ ପିଲାମାନେ କିପରି ଥାଆନ୍ତି କ’ଣ ଖାଆନ୍ତି କିମ୍ବା କେଉଁଭଳି ପାଠ ପଢ଼ନ୍ତି, ସେକଥା ସର୍ବଦା ଏକ ରହସ୍ୟ ହୋଇ ରହିଥାଏ । ଜଣେ ଆଦିବାସୀ ମଣିଷପିଲାର ଭାଗ୍ୟ କେତେ ଯେ, ସେ ନିଜକୁ ମଝିରେ ରଖି ଏହି ପୃଥିବୀ ଆଡ଼କୁ ସଳଖ ହୋଇ ଅନାଇ ପାରିବ ଏବଂ ହରିଜନ ପିଲା ନିଜ ଭିତରେ ନିଜର ସତ୍ୟ-ପରିଚୟଟି ପାଇଲେ ଧୋବମାନଙ୍କର ପ୍ରୀତ୍ୟର୍ଥେ ବର୍ତ୍ତମାନ ଚାଲୁଥିବା ସଂସାରଟା ପ୍ରକୃତରେ କି ହଟ୍ଟହଟାରେ ପଡ଼ି ନଯିବ ! ତେଣୁ ଯାହା ଯେଉଁପରି ଚାଲିଛି ତାହା ସେହିପରି ଚାଲିଥାଉ । ଆମ ଦେଶରେ ଉପର ଭାଡ଼ି ମାନଙ୍କରେ ବସିଥିବା ମାହୁନ୍ତମାନେ ତାହାକୁ ଏକ ନିରାଟ ସତ୍ୟ ବୋଲି ଧରି ନେଇଛନ୍ତି ।

 

ବାବୁ, ତୁମକୁ କୋଟି ଜୁହାର, ତୁମେ ଆମକୁ କେବେ ହେଲେ ଦୟା କରିବ ନାହିଁ । ଦୟା ଦେଖାଇବା ବ୍ୟତୀତ ତୁମକୁ ଆଉ କିଛି ହେଲେ ଯଦି ନଆସେ ତେବେ ତୁମେ ଆମକୁ ବରଂ ଦେଖିବାକୁ ନ ଆସିବ ପଛକେ ମାତ୍ର ଆସିଲ ବୋଲି ଆମକୁ ମୋଟେ ଦୟା କରିବ ନାହିଁ । ତୁମର ଯଦି ପିଲାଟିଏ ଥିବ, ତେବେ ତାକୁ ଅନାଇ ଦେଖୁଥିବା ସମୟରେ ତୁମେ ଯଦି ତାହାରି ଭିତରେ ଆମକୁ ଦେଖିପାରୁଥିବ, ତେବେ ଯାଇ ହୁଏତ ଆମକୁ ଆସି ଥରେ ଦେଖିଯାଇପାରିବ । ନିଜର ପୁଅ ଝିଅଙ୍କୁ ଯେପରି ଗେଲ କରିପାରୁଛ, ଯେପରି କୋଡ଼ରେ ନେଇ ବସାଇପାରୁଛ, ଆମକୁ ମଧ୍ୟ ସେହିପରି କେବେ କରିପାରିଲେ ତୁମର ଜାତି ଚାଲିଯିବ ନାହିଁ ତ ବାବୁ ! ତୁମ ପିଲାଟି ଘରେ ଯେପରି ଲୁଗାପଟା ପିନ୍ଧୁଛି, ଆମେ ସେପରି ଲୁଗାପଟା ନ ପିନ୍ଧିଥିଲେ ମଧ୍ୟ ତୁମ ଆଖିକୁ ଯେଉଁ ଦିନ ଆମେ ସେହିପରି ଅବିକଳ ତୁମରି ପିଲାଟି ପରି ଦେଖାଯିବାକୁ ଆରମ୍ଭ କରିବୁ, ସେତେବେଳେ ମୁଁ ତୁମକୁ ସତ କହୁଛି ବାବୁ, ତୁମେ ଆମକୁ ଦୟା ଦେଖାଇବାକୁ ଆଦୌ ମନ କରିବ ନାହିଁ । ତୁମେ ଆମକୁ ସ୍ଵୀକାର କର ବାବୁ, ଆମକୁ ତୁମେ ସ୍ଵୀକୃତି ଦିଅ । ତୁମେ ଇଚ୍ଛା କର କି ନକର ବାବୁ ଆମର ଭାଗ୍ୟଗୁଡ଼ିକ ତୁମର ଓ ତୁମ ପିଲାମାନଙ୍କର ଭାଗ୍ୟଟି ସହିତ ଏକାବେଳେକେ ସମ୍ପୂର୍ଣ୍ଣ ଭାବରେ ଛନ୍ଦି ହୋଇରହିଛି । ଆମର ବାପା ମା’ ପାଠ ପଢ଼ି ନାହାନ୍ତି ସତ, ମାତ୍ର ଆମକୁ ତୁମେ ବିଶ୍ଵାସ କର ବାବୁ, ତୁମକୁ ତୁମ ନିଜ ପିଲାମାନେ ଯେଉଁଭଳି ଦିଶୁଥିବେ, ଆମ ବାପା ମା’ଙ୍କ ଆଖିକୁ ଆମେ ମଧ୍ୟ ସେହିପରି ଦେଖାଯାଉଛୁ । ଏହି ଦେଶ ଯଦି ଆଗକୁ ଯିବ, ତେବେ କେବଳ ଆମ ସମସ୍ତଙ୍କୁ ନେଇ ହିଁ ସେକଥା ସମ୍ଭବ ହୋଇପାରିବ । ବାବୁ, ଆମ ଭିତରେ ବି ଭଗବାନ ଅଛନ୍ତି, ଆମ ଭିତରେ ମଧ୍ୟ କେତେ ନା କେତେ ସ୍ଵପ୍ନ ରହିଛି । ଏହି ଦେଶରେ ସବୁ ପିଲାଙ୍କୁ ଏକାଠି କାହିଁକି ହିସାବକୁ ନିଆଯାଉ ନାହିଁ, ତୁମେ ସେକଥା ବିଷୟରେ କେବେ କୌଣସି ଚିନ୍ତା କରିଛ ? ବାବୁ, ତୁମେ ଯଦି ଆମକୁ ତୁମ ନିଜ ପିଲାଙ୍କ ସହିତ ଏକାଠି ଥାପି ଭାବିବାକୁ କେବେ ସମର୍ଥ ହେବ, ତେବେ ସେମାନଙ୍କ ଆଗରେ ତୁମର ଆମ କଥାମାନ କହିବାକୁ ଅବଶ୍ୟ ଇଚ୍ଛା ହେବ । ସେମାନଙ୍କୁ ତୁମେ ଆମର ଭାତ ଡାଲମା କଥା ନକହି ମୋଟେ ରହିପାରିବ ନାହିଁ । ତା’ପରେ ଦେଖିବ ବାବୁ, ଏଠାକୁ ଆସିବା ବେଳେ ତୁମେ ନିଜ ପିଲାଙ୍କୁ ମଧ୍ୟ ସାଙ୍ଗରେ ନେଇ ଆସିବାକୁ ମନ କରିବ ।

 

ସେମାନଙ୍କୁ ଆମ ସହିତ ଖେଳିବାକୁ ଛାଡ଼ିଦେବ । ଖେଳୁ ଖେଳୁ ସେମାନେ ଆମର ଗୋଟା ସୁଦ୍ଧା ସାଙ୍ଗ ହୋଇଯିବେ । ମୋଟେ ଧୋବ ଅଧୋବ କରିବେ ନାହିଁ । ଆମ ସହିତ ଖାଇ ବସିବାକୁ ମନ କରିବେ । ହୁଏତ ଆମ ଥାଳିରୁ ଛଡ଼ାଇ ଖାଇବାକୁ ମନ ବି କରିବେ । ସେତେବେଳେ ଆମେ କଣ ସବୁ ଅନୁଭବ କରୁଥିବୁ, ତୁମେ ଅନୁଭବ କରିପାରୁଛ ବାବୁ-? ସେତେବେଳେ ଆମକୁ ଏହି ପୃଥିବୀଟା ଗୋଟାସୁଦ୍ଧା ବଦଳି ଯାଉଥିବା ପରି ଦେଖାଯିବାକୁ ଆରମ୍ଭ କରିବ । ଏବଂ ଆମେ ପିଲାମାନେ ଏକାଠି ଏହିପରି ଖେଳି ପାରିଲେ ବାପା ମା’ଙ୍କ ମନ ଭିତରୁ ଗଣ୍ଠି ଗୁଡ଼ାକ ଠୋ ଠା ହୋଇ ଛିଣ୍ଡି ଯିବାକୁ ଆଉ ମୋଟେ ଅଧିକ ସମୟ ଲାଗିବ ନାହିଁ-। ଏହି ଦେଶରେ ଆକାଶରେ ଏକ ନୂଆ ସିନ୍ଦୂରା ଫାଟିବାକୁ ଆଉ ମୋଟେ ଡେରି ହେବନାହିଁ । ମାତ୍ର, ତୁମେ ସେତେଯାଏ ସହ୍ୟ କରିବାକୁ ରାଜି ହେବ ତ ବାବୁ ! ଦେଶଟା, ପୃଥିବୀଟା ସେତେଯାଏ ବଦଳୁ ବୋଲି ତୁମେ ସତକୁ ସତ ବାଟ ଛାଡ଼ିଦେଇ ପାରିବ ? ତୁମ ନିଜ ପିଲାମାନେ ଯଦି ସରକାରଙ୍କର ଅନୁଗ୍ରହରୁ ଦିନକୁ ତିନିଓଳି ଭାତ ଡାଲମା ଖାଇ ପାଠ ପଢ଼ିବାକୁ ଏବଂ ପୃଥିବୀ ଲାଗି ତିଆରି ହେବାକୁ ବାଧ୍ୟ ହେଉଥାନ୍ତେ, ତେବେ ତୁମେ କ’ଣ କରନ୍ତ, ସେ କଥା ସତ କରି କହିଲ ବାବୁ-! ଯଦି ତୁମେ ନିଜେ ହରିଜନ ଓ ଆଦିବାସୀ ହୋଇ ଜନ୍ମ ହୋଇଥାନ୍ତ, ତେବେ ତୁମେ ବି କ’ଣ ଏହାକୁ ହିଁ ବିଧାତାଙ୍କର ବିଧାନ ବୋଲି ମାନି ସହି ଯାଉଥାନ୍ତ ? ଯଦି ନିଜକୁ ଏହି ପ୍ରଶ୍ନଟିକୁ ତୁମେ ପଚାରି ସତକୁ ସତ ଉତ୍ତରଟିଏ ପାଇପାରନ୍ତ, ତେବେ ତୁମେ କଦାପି ଦୟା ଦେଖାଇ ନିଜର କାମ ସାରି ଦିଅନ୍ତ ନାହିଁ । ତେଣୁ ଆମକୁ ଦୟା କର ନାହିଁ ବାବୁ ତୁମେ ଆମକୁ ସ୍ଵୀକାର କର, ସ୍ଵୀକୃତି ଦିଅ ।

 

ତୁମର ଜ୍ଞାତି ପରି ଦିଶୁଥିବା ଯେଉଁମାନେ ସରକାର ଚଳାଉଛନ୍ତି, ସେମାନେ ଆମକୁ ପ୍ରକୃତରେ ଦୟା ହିଁ ଦେଖାଉଛନ୍ତି । ସେମାନେ ଆମକୁ ଏହି ଦେଶରେ ସତେ ଅବା ଏକ ଅନାବଶ୍ୟକ ବୋଝ ବୋଲି ବିଚାର କରୁଛନ୍ତି । ଏହି ବୋଝଟା ନଥିଲେ ଦେଶଟା କେଡ଼େ ଅନ୍ୟ ପ୍ରକାରର ହୋଇଥାନ୍ତା ଏବଂ ସେମାନେ ନିଜେ କେତେ ସୁଖରେ ରହିଥାନ୍ତେ ବୋଲି ମଧ୍ୟ ସେମାନେ ବେଳେ ବେଳେ ଭାବି ପକାଉଥିବେ । ଏବଂ ଖାସ୍ ସେହିମାନଙ୍କ ସକାଶେ ଯେ ଏଇ ଦେଶରେ ଏପରି କେତେ କୋଟି ମଣିଷ ନିରକ୍ଷର ହୋଇ ରହିଛନ୍ତି, ସେମାନେ ଯଥାସମ୍ଭବ ସବୁ ମାଡ଼ି ବସିଛନ୍ତି ବୋଲି ଯେ ଦେଶରେ ଏତେ ପ୍ରକାରର ଦାରିଦ୍ର୍ୟ ରହିଛି ଏବଂ ଏଠାରେ କେତେ ମନୁଷ୍ୟଙ୍କୁ ମନୁଷ୍ୟ ବୋଲି ସ୍ଵୀକାର ନକରି ଆଗ ହରିଜନ ଓ ଆଦିବାସୀ କହି ଦୟା ପ୍ରଦର୍ଶନ କରାଯାଉଛି, ସେ କଥା କ’ଣ ତୁମକୁ ବୁଝାଇ କରି କହିବାକୁ ପଡ଼ିବ ବାବୁ ? ଆମେ ଆଗ ମଣିଷ ବୋଲି ଗଣା ହେବାକୁ ଇଚ୍ଛା କରୁଛୁ, ମାତ୍ର ଆମକୁ ସେହି ସ୍ଵୀକୃତିଟି ଦେବାକୁ ରାଜି ନହୋଇ ଅମୁକ ବା ସମୁକ ମାର୍କାଟା ଦ୍ଵାରା ହିଁ ଆମକୁ ସୂଚିତ ଓ ଅନୁସୂଚିତ କରିଦେଇ ଦୟା ଦେଖାଯାଉଛି କାହିଁକି-? ଆମେ ଆଗ ମଣିଷ, ଆମେ ସବା ଆଗ ଏହି ଦେଶର ନାଗରିକ । ଆମକୁ ତୁମେ ଚିରକାଳ ନିମନ୍ତେ ଆଦିବାସୀ ଓ ହରିଜନ କରି ରଖିବା ସକାଶେ କୌଣସି ଅଭିସନ୍ଧି ରଖିଛି କି ବାବୁ-? ଆମକୁ ଦେଖିବା ମାତ୍ରକେ ତୁମକୁ ଦୟା ଲାଗୁଥିବ, ସତେ ଅବା ଏକ ଧର୍ମକାର୍ଯ୍ୟ କଲାପରି ତୁମେ ଆମ ପାଇଁ ଆଶ୍ରମ ବୋଲି କୁହାଯାଉଥିବା ବିଶେଷ ଗୁମ୍ଫା ମାନଙ୍କରେ ଭାତ, ଡାଲମାର ବରାଦ କରିଦେଇ ପୁଣ୍ୟ ଅର୍ଜନ କରି ପକାଇଲ ବୋଲି ଭାବିବାରେ ଲାଗିଥିବ, ଘନ ଘନ ବଦଳି ଯାଉଥିବା ପୃଥ୍ୱୀବିବେକର ଏହି ଯୁଗରେ ଏକଥା ଆଉ ଖୁବ୍ ବେଶୀ ଦିନ ଚାଲି ପାରିବ ବୋଲି ତୁମେ ଭାବୁଛ କି ବାବୁ ? ଆମ ଭାତ, ତାଲମାର ଏହି ନିର୍ଘଣ୍ଟଟା ନ ବଦଳୁ ପଛକେ, ପୃଥିବୀ ବଦଳି ଯାଉଥିବା ସଙ୍ଗେ ସଙ୍ଗେ ଆମ ଭିତରେ ନୂଆ ନୂଆ ଆଖିମାନେ ଫିଟି ଯାଉଥିବେ । ହୁଏତ ଭିତରୁ କୌଣସି ବିଧାତା ଆମକୁ ଅଧିକ ସଚେତନ କରି ଅନ୍ୟ ପ୍ରକାରେ ତିଆରି କରି ଆଣିବ ଓ ଆମକୁ ତୁମେ ଯେଉଁପରି ରଖିଛ,ତାହା ଆମକୁ ଆଉ ମୋଟେ ଭଲ ଲାଗିବ ନାହିଁ । ଯାହାର ଏହି ଭୂଇଁ ଉପରେ ଅନ୍ୟ ସମସ୍ତଙ୍କର ସଦୃଶ ଏକ ଅଧିକାର ରହିଛି ସିଏ କାହିଁକି ଅନ୍ୟର ଦୟା ଉପରେ ନିର୍ଭର କରି ରହିବ ? ଏହିଭଳି ଦୟା ପ୍ରଦର୍ଶନ ଲାଗି ରହିଥିବା ପର୍ଯ୍ୟନ୍ତ ହରିଜନ ଓ ଆଦିବାସୀ ଘରର ପିଲା ନିଜକୁ ଆଦିବାସୀ ଓ ହରିଜନ ବୋଲି ଭାବିବା ମାତ୍ରକେ ଭାରି ଲଜ୍ଜା ଅନୁଭବ କରୁଥିବ, ଭାରି ନୂଆଣିଆ ହୋଇ ରହିଥିବ, ଶୋଷିତ ହେବାରେ ଲାଗିଥିବ । ମାତ୍ର, ସବା ଆଗ ମଣିଷ ବୋଲି ସେହି ଅନ୍ୟ ସ୍ୱୀକୃତିଟିକୁ ଅନୁଭବ କରିପାରିଲେ ସିଏ କଦାପି କାହାରି ଅନୁଗ୍ରହକୁ ଅପେକ୍ଷା କରି ପଡ଼ିରହିବ ନାହିଁ । ସିଏ ମଧ୍ୟ ସୂର୍ଯ୍ୟୋଦୟ ପାଇଁ ବ୍ୟାକୁଳ ହେବ । ନିଃଶଙ୍କ ହୋଇ ଅନ୍ୟ ପିଲାଙ୍କ ପରି ଦାଣ୍ଡକୁ ବାହାରି ଆସିବ ।

 

ତାପରେ ସିଏ ଆଉ କୌଣସି ଅବହେଳାକୁ ମୋଟେ ସହ୍ୟ କରିବ ନାହିଁ । ତୁମେ ଭୁଲ୍ କଲେ ସିଏ ତା’ର ପ୍ରତିବାଦ କରିବ । ସମ୍ମାନ ଦାବି କରି ଶିଖିବ । ଭାରତବର୍ଷକୁ ସିଏ ଆଉ କଦାପି କାହାର ହସ୍ତମୁଦି ମାହାଲ ହେବାକୁ ଛାଡ଼ିଦେବ ନାହିଁ । ନବଭାରତର ନିର୍ମାଣରେ ତା’ର ମଧ୍ୟ ଏକ ରାଜଭାଗ ଅବଶ୍ୟ ରହିବ । ଭାରତବର୍ଷ ଏଠାରେ ବାସ କରୁଥିବା ସମସ୍ତଙ୍କର ହୋଇପାରିଲେ ଯାଇ ଭାରତବର୍ଷର ମର୍ଯ୍ୟାଦା ବଢ଼ିବ । ସେତେବେଳେ ଭାରତବର୍ଷରେ ଯାବତୀୟ ପରିମଳ ନିଶ୍ଚୟ ଅଧିକ ଭଦ୍ର ହେବ । ଠାକୁରମାନଙ୍କର ବି ଯଥାର୍ଥ ବିବେକ ଆସିଗଲା ପରି ଲାଗିବ । ଶାସନ ଭଦ୍ର ହେବ, ଉଦ୍ୟମ ଭଦ୍ର ହେବ, —ଦୟାର ଆଉ କୌଣସି ଅବକାଶ ନଥିବ ।

 

୧୧ । ୦୧ । ୧୯୯୯

Image

 

କୃଷ୍ଟିରୁ ସଂସ୍କୃତି

 

ଆମ ଭାଷାରେ ସଂସ୍କୃତି ଓ କୃଷ୍ଟି ଦୁଇଟି ସମବାଚୀ ଶବ୍ଦ । ଯେତେଦୂର ମନେ ହେଉଛି କୃଷ୍ଟି ଶବ୍ଦଟି ସଂସ୍କୃତି ଠାରୁ ଅଧିକ ପୁରୁଣା । କୃଷ୍ଟି ଓ କୃଷି ଗୋଟିଏ ମୂଳରୁ ତିଆରି ହୋଇଛନ୍ତି । କାଳକ୍ରମ କ’ଣ ହେଲା କେଜାଣି, ଆମ ଚଳଣିରେ କୃଷ୍ଟି ଶବ୍ଦଟିର ବ୍ୟବହାର ଊଣା ହୋଇଗଲା ଏବଂ ତା’ଜାଗାରେ ସଂସ୍କୃତି ଶବ୍ଦଟି ବ୍ୟବହୃତ ହେଲା । ଏବେ ତ ସଂସ୍କୃତି କହିଲେ ଆମେ କେତେ କ’ଣ ବୁଝିଲୁଣି । ହୁଏତ ମୋଟେ କିଛି ବୁଝି ନବୁଝୁ ଥିଲେ ମଧ୍ୟ କେତେ କ’ଣ ବୁଝିପାରୁଛୁ ବୋଲି ଆଭାସ ଦେଲୁଣି । ତାଙ୍କ ସଂସ୍କୃତି ଆମ ସଂସ୍କୃତି ଠାରୁ ଅଧିକ ଭଲ ବୋଲି କହିଲୁଣି । ସଂସ୍କୃତିକୁ ମାପି ଭଲ ମନ୍ଦ, ଊଣା ଅଧିକ ଅଥବା ଉତ୍କୃଷ୍ଟ ଓ ନିକୃଷ୍ଟ ବୋଲି ବାଛି ଥୋଇ ଦେବାକୁ ଆମ ପାଖରେ ହୁଏତ ଆଦୌ କୌଣସି ମାପ କିମ୍ବା ମାନ ନ ଥିଲେ ମଧ୍ୟ ଆମେ କେତେ କ’ଣ ତୁଳନାରେ ବାଡ଼ି ପକାଇ କେତେ ପ୍ରକାରେ ଆମର ତଥାକଥିତ ସଂସ୍କୃତିକୁ ଅଧିକ ସରସ ବୋଲି କହି ଗର୍ବ ଅନୁଭବ କରିବାର ଅଭିପ୍ରାୟରେ ଅନ୍ୟମାନଙ୍କର ସଂସ୍କୃତିକୁ ନୀରସ ବୋଲି ବି କହିବାକୁ ଇଚ୍ଛା କଲୁଣି । ଭାରତବର୍ଷ ଧନରେ ଦରିଦ୍ର ହେଲେ କ’ଣ ହେଲା, ତା’ର ସଂସ୍କୃତି ସମଗ୍ର ବିଶ୍ଵରେ ଅତୁଳନୀୟ ବୋଲି କହି ଆମେ ନିଜ ଛାତିକୁ କୁଣ୍ଢେମୋଟ କରିଦେଇ ଖୁସି ହେବାକୁ ମନ କଲୁଣି । ଏସବୁ କରି ଆମେ ବେଳେ ବେଳେ ହୁଏତ କୋଉ ଲଟା ଭିତରେ ଯାଇ ଯେ ପଶିଯାଉଛୁ ଏବଂ ନିଜର ସାଧାରଣ ବିବେକଗୁଡ଼ିକୁ ମଧ୍ୟ ହରାଇ ବସୁଛୁ, ଆମେ ସେହି ବିଷୟରେ ଏତେ ଟିକିଏ ବି ସଚେତନ ରହିପାରୁନାହିଁ ।

 

କୃଷି ନିମନ୍ତେ କ୍ଷେତକୁ ପ୍ରସ୍ତୁତ କରିବାକୁ ହୁଏ । ଗୋଡ଼ି ବାଛି ମାଟିକୁ ପ୍ରସ୍ତୁତ କରିବାକୁ ହୁଏ । ଜମି ପାଗ କରି ମଞ୍ଜି ବୁଣିବାକୁ ହୁଏ । ମଞ୍ଜିରୁ ଗଛମାନେ ଉଠିବା ପରେ ବିବିଧ ପ୍ରକାରେ କ୍ଷେତର ଯନ୍ତ୍ର ନେବାକୁ ହୁଏ । ମିହନ୍ତ ନହେଲେ କ୍ଷେତ ଉଜୁଡ଼ି ଯାଏ । ଗୋଟିଏ କଥାରେ କହିଲେ, ଫସଲକୁ କାଟିବାର ଯୋଗ୍ୟ ହେବାକୁ ହୁଏ । ତେଣୁ ଏକାଧିକ ଅର୍ଥରେ କୃଷିକୁ ଏକ ଯୋଗ୍ୟତା ବୋଲି କୁହାଯାଇପାରିବ । ବାପା ଅର୍ଜି ଯାଇଥିଲେ ପୁଅ ଅବଶ୍ୟ ଜମିର ମାଲିକ ହୋଇପାରିବ ସତ, ମାତ୍ର ସେହି ଜମିରୁ କିଛି ଫଳାଇ ପାରିବାକୁ ହେଲେ ତା’ଭିତରେ ଏକ ଯୋଗ୍ୟତା ରହିଥିବା ଉଚିତ । ଅବଶ୍ୟ ଏକ ସାମନ୍ତବାଦୀ ଶୋଷଣଭିତ୍ତିକ ସମାଜରେ ଜଣେ କ୍ଷେତରେ ଫସଲ ଫଳିବାର ପ୍ରକ୍ରିୟାଟିରେ ଆଦୌ କୌଣସି ଭାଗ ନନେଇ ମଧ୍ୟ ଫଳୁଥିବା ଫସଲରେ ଜମିର ମାଲିକ ହିସାବରେ ସବୁଠାରୁ ବଡ଼ ଭାଗଟାକୁ ମାରି ନେଇପାରେ । ଏହିଭଳି ଏକ ସମାଜରେ କୃଷକ ଦରିଦ୍ର ହୋଇ ରାହିଯାଏ ଓ ମାଲିକମାନେ ନିଜକୁ ସମ୍ପନ୍ନ ବୋଲି ଦେଖାଇ ହୁଅନ୍ତି । ଏପରି ବିଧିଟିଏ ଚଳୁଥିବା ପର୍ଯ୍ୟନ୍ତ ସମାଜକୁ ବହୁ ପ୍ରକାରର ଅସୁସ୍ଥତା ଗ୍ରାସ କରି ରହିଥାଏ । ତଥାକଥିତ ଲକ୍ଷ୍ମୀମନ୍ତମାନେ ହୁଏତ ନିପଟ ଅଲକ୍ଷଣାଙ୍କ ପରି ଆଚରଣ କରୁଥାନ୍ତି ଏବଂ ବହୁ ଦୁଃଖର କାରଣ ହୁଅନ୍ତି । ସେମାନେ ପୃଥିବୀ ଉପରକୁ ବହୁତ ବହୁତ ଉତ୍ପୀଡ଼ନକୁ ଡାକି ଆଣନ୍ତି । ନିଜର ସାମୂହିକ ଜୀବନକୁ ସଜାଡ଼ିବାକୁ ଯାଇ ଆଧୁନିକ କାଳର ମଣିଷମାନେ ଯହୁଁ ଯହୁଁ ସେହି କଥାଟିକୁ ବୁଝି ପାରିଛନ୍ତି, ସେହି ଅନୁସାରେ ସମାଜର ଗଢ଼ଣଗୁଡ଼ିକୁ ବଦଳାଇ ଦେଇଛନ୍ତି । ମାଲିକମାନେ ବାଟ ଓଗାଳିଛନ୍ତି ;ତଥାପି ସମାଜ ବଦଳିଛି, ବ୍ୟବସ୍ଥା ବଦଳି ଯାଇଛି ।

 

ତେଣୁ କର୍ଷଣରୁ କୃଷ୍ଟି, କୃଷ୍ଟିରୁ ସଂସ୍କୃତି । ମୁଁ କ’ଣ ସବୁ ଚିଜର ମାଲିକ ହୋଇ ରହିଛି, ସେହିଥିରୁ ଯଦି ମୁଁ ଆପଣାକୁ ଅଧିକ ସଂସ୍କୃତିଯୁକ୍ତ ବୋଲି ଭାବିବି, ତେବେ ଜୀବନର ବିଧାତା ପାଖରେ ନିଜେ ବେକୁବ ହୋଇ ରହିବା ସଙ୍ଗେ ସଙ୍ଗେ ମୁଁ ପୃଥିବୀର ବାଟରେ ମଧ୍ୟ ଗୋଟାଏ ପଥର ଓ ପ୍ରତିବନ୍ଧକ ହୋଇ ରହିଥିବି । ଯିଏ ଯେତେ ବେଶୀ ସମ୍ପତ୍ତିର ମାଲିକ, ଯଦି ଗୋଟିଏ ସମାଜରେ ତାକୁ ସେତିକି ଅଧିକ ଉଚ୍ଚତାର ମଣିଷ ବୋଲି କୁହାଯାଏ, ତେବେ ଆଶଙ୍କା କରିବାକୁ ହେବ ଯେ ସେହି ସମାଜକୁ ନିଶ୍ଚୟ କ’ଣ ଗୋଟାଏ ରୋଗ ଗ୍ରାସ କରି ରହିଛି । ଯାହାପାଖରେ ଯେତେ ଅଧିକ କ୍ଷମତା, ଯଦି କୌଣସି ସମାଜର ରୀତି ଅନୁସାରେ ତାକୁ ସବୁଠାରୁ ଅଧିକ ପାରୁଆ ମଣିଷ ବୋଲି କୁହାଯାଏ, ତେବେ ସେହି ସମାଜରେ ସଂସ୍କୃତି ଅପେକ୍ଷା ବିକୃତିଟା ହିଁ ଅଧିକ ପରିମାଣରେ ମନୁଷ୍ୟମାନଙ୍କର ବିବେକକୁ ଘୋଟି ରହିଛି ବୋଲି ଭୟ କରିବାକୁ ହେବ । ମୁଖ୍ୟତଃ ସେହି କାରଣରୁ ହିଁ ଏବେ ପୃଥିବୀଯାକ କ୍ଷମତାର ବିକେନ୍ଦ୍ରୀକରଣ କଥା କୁହାଯାଉଛି । ଧନର, ଆୟର ଏବଂ ସମ୍ପତ୍ତିର ବିକେନ୍ଦ୍ରୀକରଣ କଥା ମଧ୍ୟ କୁହାଯାଉଛି । ପୂର୍ବର ରାଜାମାନଙ୍କ ଅମଳରେ ପୃଥିବୀକୁ ସେହି ବିଚାରଟି ଆସି ନଥିଲା । ରାଜ୍ୟରେ, ସମାଜ ଭିତରେ ଓ ପରିବାରର ଜଣକ ପାଖରେ ହିଁ ଯାବତୀୟ ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତା ଠୁଳ ହୋଇ ରହିଥିଲା । ଜଣେ ନିର୍ଦ୍ଦେଶ ଦେଉଥିଲା ଓ ବାକିମାନେ ସେହି ନିର୍ଦ୍ଦେଶର ପାଳନ କରୁଥିଲେ, ବାଧ୍ୟ ହୋଇ ରହିବାକୁ ହିଁ ଭଲ ମଣିଷର ସବୁଠାରୁ ବଡ଼ ଗୁଣ ବୋଲି କୁହାଯାଉଥିଲା । ପୃଥିବୀରେ ଶିକ୍ଷାର ପ୍ରସାର ହେବା ସଙ୍ଗେ ସଙ୍ଗେ ଏବଂ ବିଜ୍ଞାନ ବଳରେ ପୃଥିବୀର ସମୂହମାନେ ପରସ୍ପର ସମ୍ବନ୍ଧରେ ଅଧିକ ପରିଚିତ ହେବା ସଙ୍ଗେ ସଙ୍ଗେ ଯେଉଁ ଅନ୍ୟ ବିବେକଟି ଜନ୍ମଲାଭ କଲା, ତାହାରି ଫଳରେ ଏକ ନୂତନ ମାନବସ୍ଵୀକୃତି ସମ୍ବବ ହୋଇ ଆସିଲା । ଫଳରେ ସଂସ୍କୃତି କହିଲେ ମଧ୍ୟ କ୍ରମେ ଏକ ଅନ୍ୟ କଥାକୁ ବୁଝାଇଲା । ସଂସ୍କୃତି ଯେ ଏକ ସମ୍ପତ୍ତି ନୁହେଁ, ସେହି ନୂଆ ସତ୍ୟଟିକୁ ସ୍ଵୀକାର କରାଗଲା । ମଣିଷ ନିଜେ ପ୍ରକୃତରେ କ’ଣ ହେବ ବା ନହେବ, କିପରି ଜୀବନଟିଏ ବଞ୍ଚିବ, କେତେ ପରିମାଣରେ ସିଏ ପୃଥିବୀର କାମକୁ ଲାଗି ପାରିବ, ସେହି ଅନୁସାରେ ତା’ ସାଂସ୍କୃତିକ ସ୍ତରଟିକୁ ମଧ୍ୟ ବିଚାର କରାଗଲା ।

 

ତେଣୁ, ସଂସ୍କୃତି ଏକ ସମ୍ପତ୍ତି ନୁହେଁ, ସଂସ୍କୃତି ଏକ ବାଟ । ସେହି ବାଟଟିକୁ ଚାଲିବାକୁ ହୁଏ । ଆମେ ହୁଏତ ବୋକା ହୋଇଥିଲେ ଅଥବା ଆମ ଭିତରେ କୌଣସି ମନ୍ଦ ମତଲବ ଆମକୁ କାବୁ କରି ରଖିଥିଲେ ଆମେ ବାଟଟାକୁ ଆମର ବୋଲି କହୁଥିବା ଏବଂ ମୋଟେ କୌଣସି ବାଟ ଚାଲୁନଥିବା । ଓଡ଼ିଶା ସମେତ ଆମ ଭାରତବର୍ଷରେ ଅତୀତ ସଂସ୍କୃତିର ସନ୍ତକ ହୋଇ ରହିଥିବା କେତେ କେତେ ବସ୍ତୁକୁ ଆମେ ପ୍ରାୟ ସମ୍ପତ୍ତି ଅର୍ଥରେ ଆମର ବୋଲି କହିଥାଉ । ଆମ ପିଲାଦିନର ପାଠବହି ମାନଙ୍କରେ ସେହିଭଳି ଲେଖା ବି ହୋଇଥାଏ ଏବଂ ଆମେ ନିଜେ କିଛି ବିଚାର କରି ଶିଖିବା ଆଗରୁ ଆମ ମନଟାକୁ ସେଇ ଭ୍ରମଟା ମଧ୍ୟକୁ ବଣା କରି ନେଇଥାଏ । ଆମ ଶାସ୍ତ୍ରଗୁଡ଼ିକୁ ଆମର ବୋଲି କହି ଆମେ କେତେ ଗର୍ବ ଅନୁଭବ କରୁ । ଆଦୌ ସଂସ୍କୃତ ଭାଷାରେ ପ୍ରବେଶ ନଥିଲେ ମଧ୍ୟ ବେଦ, ଉପନିଷଦ ଓ ପୁରାଣଗୁଡ଼ିକୁ ଆମର ବୋଲି କହୁ ଓ ତାହାରି ଦ୍ଵାରା କେତେ ମନ କେତେ ଫୁଲିକରି ରହିଥାଉ । ବେଦ ଓ ଉପନିଷଦରେ ଯେଉଁସବୁ ସତ୍ୟ ଉଚ୍ଚାରିତ ହୋଇଛି, ସେି ସତ୍ୟଗୁଡ଼ିକୁ ଯିଏ ନିଜର ଜୀବନରେ ସଂଯୁକ୍ତ କରି ରଖିବାର ଚେଷ୍ଟା କରୁଛି, ବେଦ ଉପନିଷଦ ତା’ର ନା ସେଗୁଡ଼ିକ ଏକଦା ଆମର ଏହି ଭାରତଭୂମିରେ ଉଚ୍ଚାରିତ ହୋଇଥିଲେ ବୋଲି ସେଗୁଡ଼ିକ ଆମର? ଅନେକ ସମୟରେ ନିଜ ଭୂଇଁର ସୌନ୍ଦର୍ଯ୍ୟମୟୀ ପ୍ରକୃତିକୁ ମଧ୍ୟ ମଣିଷମାନେ ଏକ ବାତୁଳ ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଆମର ବୋଲି କହିଥାନ୍ତି । ହିମାଳୟ ଆମର, ଚିଲିକା ଆମର, ଗଙ୍ଗାନଦୀ ଆମର—ଇତ୍ୟାଦି ଇତ୍ୟାଦି କେତେ କଥା । ଆଗର ଯେଉଁ ଋଷିମାନେ ହିମାଳୟକୁ ଦେଖି ମୁଗ୍ଧ ହୋଇଛନ୍ତି ଏବଂ ତପସ୍ୟା ଦ୍ଵାରା ନିଜ ଭିତରେ କାହାକୁ ସ୍ପର୍ଶ କରି ପାରିଛନ୍ତି, ହିମାଳୟ ସିନା ତାଙ୍କର ହୋଇ ରହିଥିବ ଓ ସେଥିରୁ ଆମେ ଯୁଗେ ଯୁଗେ ପ୍ରେରଣା ଲାଭ କରୁଥିବା, ମାତ୍ର ଯିଏ ବା ଯେଉଁମାନେ କେବେ ହିମାଳୟକୁ ବାହାରେ କିମ୍ବା ଭିତରେ ଦେଖି ମଧ୍ୟ ନଥିବେ ଏବଂ କାହାକୁ ଯେକୌଣସି ପର୍ବତ ପରି ଗୋଟିଏ ପର୍ବତ ବୋଲି ଭାବି ସବୁକିଛି ଜାଣିଗଲେ ବୋଲି କୁରୁଳି ହେଉଥିବେ, ଆମେ ହିମାଳୟକୁ ସେମାନଙ୍କର ବୋଲି କେଉଁ ଯୁକ୍ତିରେ କହିବାକୁ ମନ କରିବା ଏବଂ କାହିଁକି ବା ମନ କରିବା ? ଏହିପରି ଏକ ମାନଦଣ୍ଡରେ ବିଚାର କଲେ ଧର୍ମଗ୍ରନ୍ଥ ବାଇବେଲକୁ ମଧ୍ୟ ଖ୍ରୀଷ୍ଟିଆନ ମାତ୍ରକେ ସମସ୍ତଙ୍କର ସମ୍ପତ୍ତି ବା ସମ୍ପଦ ବୋଲି କଦାପି କହି ହେବନାହିଁ । ନଈରେ ପହଁରି ନଥିବା ଜଣେ ମନୁଷ୍ୟ କେଉଁ ନ୍ୟାୟରେ ନଈକୁ ନିଜର ବୋଲି କହିପାରିବ ? ଯଦି ମୁଁ ଗୋଟିଏ ଗଛ ମୂଳରେ ଦିନେ ହେଲେ ଆଞ୍ଜୁଳାଏ ପାଣି ବି ଦେଇନଥିବି, ତେବେ ସେହି ଗଛ ଉପରେ ମୋର ଆଦୌ କାହିଁକି କୌଣସି ଦାବି ରହିବ? ସଂସ୍କୃତିକୁ ସମ୍ପତ୍ତି ବୋଲି ବିଚାରୁଥିବା ବ୍ୟକ୍ତି ଓ ସମୂହମାନେ ହିଁ ସଚରାଚର ମଉକା ମିଳିଯିବା ମାତ୍ରକେ ଅତୀତ ଭିତରକୁ ପଳାଇ ଯାଆନ୍ତି । ନାନାବିଧ ଅତିରଞ୍ଜନରେ ସେମାନେ ଅତୀତର ବର୍ଣ୍ଣନା କରନ୍ତି ଓ ସେହି ଅତୀତ ପାଇଁ ଆମକୁ ଏବେ ମଧ୍ୟ ସମସ୍ତେ ଯୋଗ୍ୟ ଓ ମହାନ୍ ବୋଲି କହନ୍ତୁ ବୋଲି ଦାବି କରୁଥାନ୍ତି । ବର୍ତ୍ତମାନର ଆହ୍ୱାନଗୁଡ଼ିକୁ ସାମନା କରି ପାରନ୍ତି ନାହିଁ ବୋଲି ସେମାନେ ଏଭଳି ଆଚରଣ କରନ୍ତି କି ? ଭାରତବର୍ଷରେ ଏହି ଖୋଇଟା ପ୍ରାୟ ସର୍ବତ୍ର ମନୁଷ୍ୟମାନଙ୍କର ହାତରେ ଆୟୁଧ ପରି ହୋଇ ବାର୍ତ୍ତମାନଟାକୁ ଏକାବେଳେକେ ଘୋଡ଼ାଇ ପକାଇବାର ଚେଷ୍ଟା କରୁଥାଏ । ଅତୀତର ଦ୍ରବ୍ୟଗୁଡ଼ିକ ଏତେବଡ଼ ଏବଂ ଏଡ଼େ ମହାନ୍ ବୋଲି ବର୍ଣ୍ଣନା କରି ସେଥିରୁ ଆତ୍ମପ୍ରସାଦ ଲାଭ କରୁଥିବା ଜଣେ ମଣିଷକୁ ହୁଏତ ଏକାନ୍ତ ଦାୟିତ୍ଵହୀନ ବୋଲି କୁହାଯାଇପାରିବ । ଯେଉଁ ଜାତିର ଅତୀତ ମହାନ୍, ସେହି ଜାତି ଅବଶ୍ୟ ମହାନ୍ ବୋଲି ଦାୟିତ୍ଵହୀନ ମନୁଷ୍ୟମାନେ ହିଁ କହିଥାଆନ୍ତି । ଏହି ମନୁଷ୍ୟମାନେ ଅତୀତକୁ ପ୍ରାୟ ଠାକୁର ଜ୍ଞାନରେ ପୂଜା କରନ୍ତି ଓ ତଦ୍ଦ୍ଵାରା ଅପରିମିତି ଆନନ୍ଦ ଲାଭ କରିଥାନ୍ତି । ସେମାନଙ୍କର ବର୍ତ୍ତମାନଟାକୁ କୌଣସି ବଳ ପାଏନାହିଁ ବୋଲି ସେମାନେ ସେପରି କରୁଥାନ୍ତି କି ? ସେମାନେ ପୂଜ୍ୟମାନଙ୍କର ପୂଜା କରିବା ନିମନ୍ତେ ସଭା ମଣ୍ଡାଇ ସଂକୀର୍ତ୍ତନ କରନ୍ତି । ପୂଜ୍ୟମାନଙ୍କର ଆହ୍ଵାନକୁ ଶୁଣି ପାରନ୍ତି ନାହିଁ ବୋଲି ହୁଏତ ସେପରି କରିଥାନ୍ତି । ଭାରତବର୍ଷ ସ୍ଵାଧୀନ ହେବା ପୂର୍ବରୁ ଏଠାରୁ ଅତୀତର ଚର୍ଚ୍ଚା ଅବଶ୍ୟ କରାଯାଉଥିଲା । ମାତ୍ର ଏକ ବୃହତ୍ତର ଏବଂ ଉଜ୍ଜ୍ଵଳତର ଭବିଷ୍ୟ ଲାଗି ପ୍ରେରଣା ସଂଗ୍ରହ କରିବା ନିମନ୍ତେ ହିଁ ଅତୀତର ଚର୍ଚ୍ଚା କରାଯାଉଥିଲା । ସ୍ଵାଧୀନତା ପରେ ବର୍ତ୍ତମାନର ବହୁ ଆବଶ୍ୟକତା ଅନୁସାରେ ଯେଉଁମାନେ ଅନୁରୂପ ଭାବରେ ବଦଳିବାକୁ ଆରାଜି ହେଲେ, ହୁଏତ ସେହିମାନେ ହିଁ ସର୍ବାଧିକ ସଂଖ୍ୟାରେ ଏଠି ଅତୀତ ସ୍ମୃତିର ଗୋଟାଏ ହାଟ ବସାଇ ଦେବାକୁ ମନକଲେ । ସେମାନେ ସ୍ଵାଧୀନତା ପରେ ଏଠାରେ ବାସ କରୁଥିବା ସବୁ ମଣିଷଙ୍କୁ ମୋଟେ ଭାଗ ଦେବାକୁ ଇଚ୍ଛା କରିନଥିଲେ । ଆମ ଉଦୟର ପଥରେ ପ୍ରତିବନ୍ଧକ ହୋଇ ରହିଲେ । ପ୍ରଧାନତଃ ସେହି ଲୋକମାନେ ହିଁ ବର୍ତ୍ତମାନ ସଂସ୍କୃତିକୁ ଆମର ଆମର ବୋଲି କହୁଛନ୍ତି ଏବଂ ଅସଲ ସଂସ୍କୃତି ଗୁଡ଼ିକର କ୍ଷେତ୍ରରେ ହୁଏତ ଅତ୍ୟନ୍ତ ଅଯୋଗ୍ୟ ହୋଇ ରହିଛନ୍ତି ।

 

ସେମାନେ ବିଲକୁ ନଚଷି ଖଳା ଗୋଟାକର ମାଲିକ ବୋଲାଇବାକୁ ଦମ୍ଭ କରିବାରେ ଲାଗିଛନ୍ତି ଏବଂ ଦେଶର ମଣିଷମାନେ ଯେପରି କସ୍ମିନ୍ କାଳେ ମଧ୍ୟ ଚେତା ନହେବେ, ସେଥିଲାଗି ଆମର ଏହି କାଳଟାକୁ ପୂରାପୂରି ବାଉଳା କରିଦେବାକୁ ବାହାରିଛନ୍ତି । ଆଦୌ ନିଜେ କୌଣସି କୃଷି ନକରି ଯେପରି ଆମ ଦେଶରେ ଥୋକେ ମଣିଷ ଫସଲ ଉପରେ ପୂର୍ଣ୍ଣ ଅଧିକାର ଲାଭ କରିବାକୁ ଆଗ ବାହାରି ପଡ଼ୁଛନ୍ତି, ଏହା ପ୍ରାୟ ସେହିପରି ଗୋଟିଏ କଥା ପରି ହେଉନାହିଁ କି ? ଯିଏ ଭୋଗ କରିବ, ତାକୁ ଆଗ ଅର୍ଜନ ମଧ୍ୟ କରିବାକୁ ପଡ଼ିବ, ଏଇଟି ହେଉଛି ଧର୍ମ, ଏଇଟି ହେଉଛି ରୀତି । ଯେଉଁ ସମାଜରେ ମଣିଷମାନଙ୍କୁ ସବାବଡ଼ ଅଧିକାର ପ୍ରଦାନ ନକରି କ୍ଷମତାକୁ ବା ଏକ ସାମନ୍ତ ପ୍ରଥାକୁ ଅଢ଼ା ଧରାଇ ଦିଆଯାଇଛି, ସେହି ସମାଜ ଏବେ ମଧ୍ୟ ଯଥାର୍ଥ ସଂସ୍କୃତିଠାରୁ ବହୁତ ଦୂରରେ ଯାଇ ରହିଛି । ସେହି ଦେଶରେ ହୁଏତ ମାଳମାଳ ମନ୍ଦିର ରହିଛନ୍ତି, ଗଦା ଗଦା ଶାସ୍ତ୍ର ଲେଖା ହୋଇ ଥୁଆ ହୋଇଛି, ତଥାପି ମନୁଷ୍ୟମାନଙ୍କର ଜୀବନ ସଂସ୍କୃତିବର୍ଜିତ ହୋଇ ରହିଛି । ବାବୁମାନେ ପାଟଯଥା ପରିଧାନ କରି ସଭାରେ ବସିଥିଲେ ମଧ୍ୟ ନିଜର କାର୍ଯ୍ୟକଳାପ ଦ୍ଵାରା ଅପସଂସ୍କୃତି ବଢ଼ିବାରେ ହିଁ ନିମିତ୍ତବତ୍ କାର୍ଯ୍ୟ କରୁଛନ୍ତି । ଉତ୍ସବ ପରେ ଉତ୍ସବ ଚାଲିଛି, ଢମମାନେ ନାନାବିଧ ରଙ୍ଗରେ ଗୋଟାସୁନ୍ଧା ମୁକୁଳା ହୋଇ ନାଚୁଛନ୍ତି ; ମାତ୍ର ସଂସ୍କୃତି ଘରେ ଦୁର୍ଭିକ୍ଷ ପଡ଼ିଛି । ଶୋଷଣ, ଉତ୍ପୀଡ଼ନ, ପ୍ରବଞ୍ଚନା ଏବଂ ପ୍ରତ୍ୟୟହୀନତା ଆମ ବ୍ୟବସ୍ଥାର ଉଚ୍ଚ ଥାନମାନଙ୍କରେ ନିତିଦିନର ଅଭାବରେ ପରିଣତ ହୋଇ ରହିଥିବା ସମୟରେ ଏବଂ କ୍ଷମତାର ଆସ୍ଥାନଗୁଡ଼ିକ ଚରମ ଉଦାସୀନତାର ଗୋଟିଏ ଗୋଟିଏ ଉଦାହରଣ ହୋଇ ରହିଥିବା ବେଳେ ଆମକୁ ନୃତ୍ୟ ଓ ଗୀତର ଉତ୍ସବମାନ ଜମାଇ କିଏ କିପରି ବୋଧ ଦେଇ ରଖିପାରିବ ? ସମାଜରୁ ଦୂରତା ଦୂର ହେବ, ସହାନୁଭବ ଓ ସହାନୁଭୂତି ବୃଦ୍ଧି ପାଇବ, ବିଶ୍ଵାସ ଦ୍ଵାରା ବ୍ୟବସ୍ଥାଗୁଡ଼ିକ ଚାଲିବ, ତେବେ ଯାଇ ଆମେ ଏଠାରେ ସଂସ୍କୃତି ନିମନ୍ତେ ଏକ ନିର୍ଭରଯୋଗ୍ୟ ଭିତ୍ତିଭୂମିର ପ୍ରତିଷ୍ଠା କରିପାରିବା । ଭୟ ନଥିବ, ଅଭିନୟ ନଥିବ—ଏକ ପାରସ୍ପରିକତାର ସମ୍ବନ୍ଧ ହିଁ ସର୍ବତ୍ର ଚାକ୍ଷୁଷ ହୋଇ ରହିଥିବ-ତେବେ ଯାଇ ହେବ । ମାତ୍ର ଏଗୁଡ଼ିକ ପାଇଁ କର୍ଷଣ ଆବଶ୍ୟକ, ଏବଂ କର୍ଷଣର ପରିବେଶ ସୃଷ୍ଟି କରିପାରିବା ପାଇଁ ଉପଯୁକ୍ତ ନେତୃତ୍ୱଗୁଡ଼ିକ ମଧ୍ୟ ଏକାନ୍ତ ଆବଶ୍ୟକ । ତେବେ ସମ୍ମୁଖର ଆକାଶଟା ମଧ୍ୟ ସଫା ଦିଶିପାରିବ ।

 

ତେଣୁ ଆଗ କୃଷ୍ଟି, ତା’ପରେ ସଂସ୍କୃତି ; କୃଷ୍ଟିରୁ ହିଁ ସଂସ୍କୃତି । ଆଗ କର୍ଷଣ ତା’ପରେ ଅର୍ଜନ । ଆଗ ସଂକଳ୍ପ, ତା’ପରେ ଯାଇ ଫଳରେ ଅଂଶଗ୍ରହଣ । ଆଗ ସାଧନା ଓ ତପସ୍ୟା, ତାପରେ ଯାଇ ବରପ୍ରାପ୍ତି । ଆଗ ଅଙ୍ଗାକାରବଦ୍ଧତା, ତା’ପରେ ଯାଇ ତୁମେମାନେ କେହି ସତକୁ ସତ ସାଙ୍ଗରେ ଅଛ ବୋଲି ସ୍ଵୀକାର କରାଯାଇ ପାରିବ । ତୁମେ ଏହି ଦେଶରେ ଜନ୍ମ ହୋଇଚ ବୋଲି ଏହି ଦେଶଟା ଯେ ତୁମର ସମ୍ପତ୍ତି ହେବ—ଏପରି କହିବାଟାକୁ ପୂର୍ଣ୍ଣତଃ ଏକ ଦୁର୍ବୁଦ୍ଧି ବୋଲି କୁହାଯିବ । କ୍ଷମତାକୁ ଆସିଲ ବୋଲି ଯେ ତୁମେ ଦେଶଟାକୁ ଭୋଗ କରିବାରେ ଲାଗିଯିବ, ଦେଶଟାକୁ ଏକାବେଳେକେ ସପରିବାର ଦୁହିଁ ନେବାକୁ ଆସି ପହଞ୍ଚିଯିବ, ଏହା ଏକ ନିରାଟ ବର୍ବରତା । ତୁମକୁ ଶିକ୍ଷା-ଦରବାରରେ ଘଡ଼ିଏ କୋଉ ଚଉକୀରେ ବସିଯିବା ପାଇଁ ଗୋଟାଏ ସୁଯୋଗ ମିଳିଯାଇଛି ବୋଲି ତୁମେ ଗୋଟାଶୁଦ୍ଧା ଭୀଷ୍ମ ପିତାମହ ବନିଯାଇ ମହା ମହା ପରାମର୍ଶ ଦେବାକୁ ଆରମ୍ଭ କରିଦେବ, ଏହା ହେଉଛି ଏକ ଅକ୍ଷମଣୀୟ ଧୃଷ୍ଟତା । ଆସନ କେବଳ କର୍ତ୍ତୃତ୍ଵ ଆଣିଦିଏ ନାହିଁ, ଆସନ ଏକ ସୁଯୋଗ ମଧ୍ୟ ଆଣି ଦେଇଥାଏ । ଶିଖିବା ନିମନ୍ତେ ସୁଯୋଗ, ପୋଖତ ହେବା ନିମନ୍ତେ ଏକ ସୁଯୋଗ । ଅସଲ ମଣିଷକୁ ତା’ର ଆସନ ଅଧିକ ଗ୍ରହଣଶୀଳ ହେବାକୁ ସୁଯୋଗ ଦିଏ । ଆସନଟା ମିଳିଯିବା ମାତ୍ରକେ ଯିଏ କର୍ତ୍ତୃତ୍ଵ ଜାରି କରିବାରେ ଲାଗିଯାଏ, ସିଏ ଆମର ସାମୂହିକ ଭାଗ୍ୟଘରଟା ପାଇଁ ବହୁ ଅପସଂସ୍କୃତିର କାରଣ ହୁଏ । ବର୍ତ୍ତମାନ ସମଗ୍ର ଦେଶଟା ଯେ ଘୋର ଅପସଂସ୍କୃତି ଭିତରେ ପଡ଼ି ହରବର ହେବାରେ ଲାଗିଛି, ହୁଏତ ଏହିପରି ଗୋଟିଏ ଅନ୍ଦାଜର ଖିଅ ଧରି ତାହାର କାରଣ ବାହାର କରାଯାଇଆପାରେ । ଯିଏ କୌଣସି ପ୍ରକାରର କର୍ଷଣର ମଧ୍ୟ ଦେଇ ମୋଟେ ଯାଇନଥାଏ, ସଚରାଚର ସେଇ ଏକାବେଳେକେ ତୁଳି ଉପରକୁ ଉଠିଯାଇ କର୍ତ୍ତୃତ୍ଵଟାକୁ ଲଦି ଦେବାକୁ ଇଚ୍ଛା କରୁଥାଏ । ଯାବତୀୟ ଅବସରରେ ତାକୁ ସବା ଉଚ୍ଚ ସ୍ଥାନଟି ନମିଳିଲେ ରୁଷି ବସେ, ଅପମାନିତ ବୋଧ କରେ । ନେତୃତ୍ଵ କଦାପି ରୁଷେ ନାହିଁ । ସବୁ ବେଦୀରେ ଖୋଦ୍ ବର ହୋଇ ବସିବା ନିମନ୍ତେ ମୋଟେ ଇଚ୍ଛା କରୁନଥାଏ, ସିଏ ସାଙ୍ଗରେ ରହିଥାଏ । ଏପରି ନେତାଟିକୁ ସମସ୍ତେ ବଳେ ବଳେ ଲୋଡ଼ନ୍ତି । ନେତାକୁ ଲୋଡ଼ନ୍ତି, କର୍ତ୍ତୃତ୍ଵଗୁଡ଼ାକୁ ବାଧ୍ୟ ହୋଇ ମାନନ୍ତି । ସେଥିପାଇଁ ନେତା ଗଲେ ସୁତ୍ରଟି ତଥାପି ଅବିଚ୍ଛିନ୍ନ ହୋଇ ରହିଥାଏ । ମାତ୍ର କର୍ତ୍ତାଟା ହଟିଗଲେ ସିଏ ବନାଇଥିବା ଭାଡ଼ିଟା ସିଏ ଯିବା ସାଙ୍ଗେ ସାଙ୍ଗେ ଭୁଷୁଡ଼ି ପଡ଼ିବାକୁ ବାଧ୍ୟ ହୁଏ ।

 

ଆଗାମୀ ଯୁଗଟି କର୍ତ୍ତୃତ୍ଵର ନୁହେଁ, ନେତୃତ୍ଵର ଯୁଗ ହେବାକୁ ଯାଉଛି । କର୍ଷଣ ହିଁ ସେଥିରେ ସର୍ବବିଧ ସଂସ୍କୃତି ଲାଗି ସର୍ବପ୍ରଧାନ କଷଟିପଥର ହୋଇ ରହିବ । ସେଥିପାଇଁ ଆମର ଏହି ଶତାବ୍ଦୀରେ ହିଁ ମୂଳ ବିଚାରଗୁଡ଼ିକ ଆରମ୍ବ ହୋଇଯାଇଛି, ମୂଳ ଦିଶାଗୁଡ଼ିକୁ ଉନ୍ମୁକ୍ତ କରି ଦିଆଯାଇଛି । ଯଦି ସତକୁସତ ସେଥିପାଇଁ ଉପଯୁକ୍ତ ସହଯୋଗ ମିଳିପାରିବ, ତେବେ ଆଗାମୀ ପୃଥିବୀ କର୍ତ୍ତୃତ୍ଵ ଦ୍ଵାରା ନୁହେଁ, ନେତୃତ୍ଵ ଦ୍ଵାରା ହିଁ ଅଧିକ ପରିମାଣରେ ପରିଚାଳିତ ହେବ । ଏହିପରି ଏକ ଅନ୍ୟ ରୀତିକୁ ଯଥାର୍ଥ ବୋଲି ମନେ କରୁଥିବା ବ୍ୟକ୍ତି ଓ ଗୋଷ୍ଠୀମାନେ ସେଥିପାଇଁ ବେଳ ଥାଉଁ ଅନୁରୂପ କର୍ଷଣଗୁଡ଼ିକରେ ହିଁ ଅଧିକ ମନୋନିବେଶ କରିପାରିବା ଉଚିତ । କର୍ଷଣର ଗତି ତଳୁ ଉପରକୁ, ଭିତରୁ ବାହାରକୁ । ଏଥିରେ ଉପରୁ କଦାପି କୌଣସି କଥାକୁ ଲଦିଦିଆଯିବ ନାହିଁ, ବାହାରଟା କଦାପି ଦୁରାଗ୍ରହ ଦେଖାଇ ଶାସନଦଣ୍ଡକୁ ପ୍ରହାର କରି ଆମ ଭିତରଟାକୁ ବାନ୍ଧି ପକାଇବ ବୋଲି ଦଉଡ଼ି ବି ଆସିବ ନାହିଁ । ନେତା ବି ବାଟ ଚାଲୁଥିବ, ଅନ୍ୟମାନେ ମଧ୍ୟ ବାଟ ଚାଲୁଥିବେ । ଗୁରୁ ବାଟ ଚାଲୁଥିବ, ଶିଷ୍ୟ ମଧ୍ୟ ବାଟ ଚାଲୁଥିବ । ବାଟ ଚାଲୁଥିବାରୁ ହିଁ ଜଣେ ଆଉ ଜଣକୁ ଚାଲିବାର ପ୍ରେରଣା ଦେଉଥିବ । ସରକାରୀ ଅଥବା ବେସରକାରୀ କୌଣସି ଅବସରରେ ମଧ୍ୟ ଗୁଡ଼ାଏ ବିଜ୍ଞାପନର ଆଉ କୌଣସି ଆବଶ୍ୟକତା ରହିବ ନାହିଁ । ବିଜ୍ଞାପନ ଗୁଡ଼ାକୁ ଜାହିର କରି ଆମେ ସମସ୍ତଙ୍କର ବିବେକକୁ ଅବଶ୍ୟ ଜୟ କରିନେଇ ପାରିବା ବୋଲି ବର୍ତ୍ତମାନର ବେହିଆ ଯୁଗଟାରେ ଯେଉଁ ଦୁଷ୍ଟ ବିଶ୍ୱାସଟା ଅତିମାତ୍ରାରେ ରହିଛି, ସେଇଟା ମଧ୍ୟ ସେତେବେଳେ ଅନୁକୂଳ କ୍ଷେତ୍ର ନପାଇ ଅପସରି ଯିବ । ରଜା ବି ଶିଖୁଥିବ, ରାଜ୍ୟ ବି ଶିଖୁଥିବ । ତେଣୁ ଉଭୟ ପକ୍ଷ ଯାବତୀୟ ଅର୍ଥରେ ନମନୀୟ ହୋଇ ରହିଥିବେ । ଏବେ ତ ଗୋଟାଏ ପକ୍ଷ ସବୁ କଥାରେ ଚଢ଼ୋଉ କରିବାକୁ ମାଡ଼ିଆସୁଛି ବୋଲି ଆରପକ୍ଷଟା ବାଧ୍ୟହୋଇ ନୂଆଁଣିଆ ହୋଇ ରହିଛି । ନମନୀୟ ହୋବାକୁ ହେଲେ ଯେ ମୋଟେ କାହାକୁ ନୁଆଁଣିଆ ହେବାକୁ ପଡ଼େନାହିଁ, କର୍ଷଣ ହିଁ ଜୀବନର ଅସଲ ଉଦୟକାରଣ ବୋଲି ଗୃହୀତ ହେଉଥିବା ଏକ ଯୁଗରେ ଯାଇ ସେହି କଥାଟିର ପ୍ରମାଣ ମିଳିବ । ନମନୀୟତା, ଗ୍ରହଣଶୀଳତା—ଏହିଗୁଡ଼ିକ ହିଁ ଆଗାମୀ ଅଧ୍ୟାତ୍ମ ଯୁଗଟିର ପ୍ରାଥମିକ ନିଦର୍ଶନ ବୋଲି କାହିଁକି କୁହାଯାଇ ନପାରିବ ??

 

୧୮।୦୧।୧୯୯୯

Image

 

ପ୍ରତୀକର ବନ୍ଦନା

 

ପ୍ରତୀକମାତ୍ରେ ପ୍ରତିନିଧିମୂଳକ । ପ୍ରତୀକ ପଛରେ ଆଉ ଗୋଟିଏ କ’ଣ ଥାଏ, ଯାହାକୁ କି ପ୍ରତୀକ ସୂଚାଇ ଦେଉଥାଏ । ମୂର୍ତ୍ତି ପଛରେ ମର୍ମ ରହିଥାଏ । ମୂର୍ତ୍ତି ଆମକୁ ମର୍ମଟି ଆଡ଼କୁ ସୂଚାଇ ଦେଇଥାଏ ବୋଲି ଆମ ପୃଥିବୀରେ ଯାବତୀୟ ପ୍ରତିକର ଅବତାରଣା କରାଯାଇଛି । ପ୍ରତୀକ ପ୍ରକୃତରେ ଗୋଟିଏ ଦ୍ଵାର ସଦୃଶ । ସେହି ଦ୍ଵାର କୌଣସି ଏକ ଗୃହ ଭିତରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥାଏ । ଦ୍ଵାରଟିଏ ଅଛି ବୋଲି ସମସ୍ତେ ଯେ ଗୃହଟି ଭିତରକୁ ଯିବା ନିମନ୍ତେ ଇଚ୍ଛା କରନ୍ତି, ସେକଥା ଆଦୌ ନୁହେଁ । ପୃଥିବୀରେ ବହୁ ମଣିଷ ଦ୍ଵାରପାଖରେ ହିଁ ଅଟକି ଯାଇଥାଆନ୍ତି । ଭିତରକୁ ଯିବାକୁ ଅମଙ୍ଗ ହୁଅନ୍ତି ।

 

ସରସ୍ଵତୀ ହେଉଛି ପ୍ରତୀକ, ବିଦ୍ୟା ହେଉଛି ଉପାସ୍ୟ । ସରସ୍ଵତୀଙ୍କର ମାଧ୍ୟମରେ ବିଦ୍ୟାର ଆବାହନ କରାଯାଏ । ସୂର୍ଯ୍ୟ ବା ମିତ୍ର ଆଲୋକର ପ୍ରତୀକବାଚୀ ଏକ ଦେବତା । ଆଲୋକର ହିଁ ଉପାସନା କରାଯାଏ, ଆଲୋକର ଆବାହନ କରାଯାଏ । ବେଦରେ ମରୁତ୍ ଆଦି କେତେ କେତେ ପ୍ରତୀକର ସ୍ତୁତି କରାଯାଇଛି । ଅଗ୍ନି ତେଜର ପ୍ରତୀକ, ମରୁତ୍ ଗତିର ପ୍ରତୀକ । ଦେବୀମାନେ ସେହିପରି ଶକ୍ତିର ପ୍ରତୀକ । ଭାରତବର୍ଷର ତନ୍ତ୍ରସାଧନାରେ ଯେଉଁସବୁ ଚକ୍ରର କଳ୍ପନା କରାଯାଇଛି, ସେଗୁଡ଼ିକ ମଧ୍ୟ ଗୋଟିଏ ଗୋଟିଏ ପ୍ରତୀକ । ପ୍ରତ୍ୟେକ ଚକ୍ରରେ କେତୋଟି ପାଖୁଡ଼ାର କଳ୍ପନା ପଛରେ ମଧ୍ୟ ଠିକ୍ ସେହି ପ୍ରତୀକକଳ୍ପନା ହିଁ କାର୍ଯ୍ୟ କରୁଛି । ପ୍ରତ୍ୟେକ ପାଖୁଡ଼ା ଗୋଟିଏ ଗୋଟିଏ ଗୁଣବିଭୂତିର ପ୍ରତିନିଧି । ସେହି ପାଖୁଡ଼ାରେ ମଧ୍ୟ ଦେବତା ଓ ଦେବୀମାନେ ଅଧିଷ୍ଠିତ ରହିଥାନ୍ତି ଓ ଗୁଣଗୁଡ଼ିକର ପ୍ରତିନିଧିତ୍ଵ କରୁଥାନ୍ତି । ଉଦ୍ଦେଶ୍ୟ ହେଲା, ସେହି ଗୁଣଗୁଡ଼ିକର ଅର୍ଜନ ଏବଂ ଏକ ଉପଯୁକ୍ତ ଆଧାରରୂପେ ନିଜର ପ୍ରସ୍ତୁତିକରଣ ।

 

ଅଧ୍ୟାତ୍ମକ ଉପଲବ୍ଧି ନିମନ୍ତେ ପ୍ରତୀକଗୁଡ଼ିକର ଉପାସନା । ମାତ୍ର, ଆମ ଉପାସନାର ଉତ୍ସାହଟା ଯେତେବେଳେ କୌଣସି କାରଣରୁ ପ୍ରତିକ ମଧ୍ୟରେ ହିଁ କିଳିହୋଇ ରହିଥାଏ, ସେତେବେଳେ ସେହି ଉପାସନାଟା ଯେ ଆମକୁ ଅଧ୍ୟାତ୍ମ ଉପାସନା ଭିତରକୁ ପରିଚାଳିତ କରି ନେଇଯିବ, ତାହାର ମୋଟେ କୌଣସି କାରଣ ନାହିଁ । ସେଥିଲାଗି ସାଧନାରେ ଅଧ୍ୟାତ୍ମ ଉପାସନା ଏବଂ ଅଧ୍ୟାସ ଉପାସନା ଭିତରେ ରହିଥିବା ପ୍ରଭେଦଟିକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ସୂଚାଇ ଦିଆଯାଇଛି । ସାଧନାର ଇତିହାସରେ ଆମ ପୃଥିବୀରେ ଅଧିକତର କ୍ଷେତ୍ରରେ କେଉଁସବୁ କାରଣରୁ ପ୍ରତୀକଗୁଡ଼ିକର ଉପାସନା ଯେ ଅଧ୍ୟାସର ଉପାସନା ପାଖରେ ଅଟକି ରହିଯାଇଛି, ସେହି କାରଣଗୁଡ଼ିକୁ ଆମେ ଇଚ୍ଛାକଲେ ଅବଶ୍ୟ ଖୋଜି ବାହାର କରିପାରନ୍ତେ । ପୃଥିବୀର ବିଭିନ୍ନ ଧର୍ମରେ ପ୍ରତୀକ ଉପାସନା ଅର୍ଥାତ୍ ଅଧ୍ୟାସୋପାସନାଟା ହିଁ ଅଧିକ ପ୍ରବଳ ହୋଇ ଅଧ୍ୟାତ୍ମ ଉପାସନାର ତଣ୍ଟିକୁ ମୋଡ଼ିଦେବାର ଚକ୍ରାନ୍ତ କରିଛି । ମନ୍ଦିରମାନଙ୍କରେ ପୂଜାର ଭିଡ଼, ସମ୍ପ୍ରଦାୟଗୁଡ଼ିକରେ ସ୍ତବସ୍ତୁତିର ଭିଡ଼ ଏବଂ ସାମାଜିକ ଜୀବନରେ ବହୁବିଧ ଧର୍ମବିଧିର ଭିଡ଼ ସତେ ଯେପରି ମନୁଷ୍ୟର ଅଧ୍ୟାତ୍ମ ଲାଗି ରହିଥିବା ଅଧିକାରଟିକୁ ବାଟ ରୋଧି ଅଟକାଇ ରଖିଛନ୍ତି; ସମ୍ଭବତଃ ସେହିପରି କୌଣସି ପ୍ରମାଦର ଘାଣ କରିପାରିବ ଏକ ଉପନିଷଦର ଋଷି ‘ନ ତତ୍ ଯତ୍ ଇଦଂ ଉପାସତେ’ ବୋଲି ଘୋଷଣା କରି ପକାଇଛନ୍ତି ।

 

ମଣିଷ ଭିତରେ ଉପାସକଟିଏ ଯେଉଁପରି ଅଛି, ସେହିପରି କଳାକାରଟିଏ ମଧ୍ୟ ରହିଛି-। ସେହି କଳାକାରଟା ହିଁ କଳ୍ପନାର ଡେଣା ଉପରେ ବସି ପ୍ରତୀକଗୁଡ଼ିକୁ ଠାବ କରିଛି ଏବଂ ପ୍ରତୀକର କଳ୍ପନାଗୁଡ଼ିକରେ ହାତଗୋଡ଼ ଖଞ୍ଜିଦେଇ ଦେବତାମାନଙ୍କର ଭିଆଣ କରି ପକାଇଛି । କେଉଁ ଦେବତାର ଭୁଜମାନଙ୍କରେ ସିଏ ସୁନ୍ଦର ଆୟୁଧ ଏବଂ ପ୍ରହରଣମାନ ଆଣି ଧରାଇ ଦେଇଛି, କାହାର ମସ୍ତକରେ କେତେ କ’ଣ ଆଭରଣ ଏବଂ ପରିଧାନ ଆଣି ଯୋଡ଼ି ଦେଇଛି । କାହାକୁ ଶୁଭ୍ରବର୍ଣ୍ଣ କରିଛି ତ ଆଉ କାହାକୁ ପିଙ୍ଗଳବର୍ଣ୍ଣି କରିଛି । ମିଶର ଓ ଗ୍ରୀସ୍‍ଠାରୁ ଆରମ୍ଭ କରି ଭାରତବର୍ଷ ଲଗାଏତ ଆହୁରି କେତେ କେତେ ଦେଶର ପୁରାଣରେ ଏହିପରି ଯେଉଁ Pantheon ଅର୍ଥାତ୍ ସୁଧର୍ମା ସଭା ଗୁଡ଼ିକର ଫାନୁଷ ସଜାଇ ଦିଆଯାଇଛି, ତାହା ସଚରାଚର ଅତୀବ ମନୋରଞ୍ଜକ ହୋଇଛି । ହୁଏତ ତାହାହିଁ ପୃଥିବୀର ଅଧିକ ମଣିଷଙ୍କୁ ଧର୍ମ ଆଡ଼କୁ, ଉପାସନା ଆଡ଼କୁ ଓ ନାନାବିଧ ବ୍ରତବିଧି ଆଡ଼କୁ ଆକର୍ଷିତ କରି ନେବାରେ ଖୁବ୍ ସହାୟକ ହୋଇପାରିଛି । ମନୁଷ୍ୟମାନଙ୍କର କଳାଲୋଭ ଦେବୀ ଓ ଦେବତାମାନଙ୍କୁ କେଡ଼େ ଘଟଣ ଭାବରେ ଫାନ୍ଦି ପାରିଛି ଓ କବିମାନଙ୍କର କାବ୍ୟଲୋଭୀ ଉପନ୍ୟାସର ମନୋରମ ଛାଞ୍ଚଗୁଡ଼ିକୁ ପକାଇ ପୁରାଣଗୁଡ଼ିକର ରଚନା କରିଛି । ପୁରାଣ ଭିତରୁ କେତୋଟିକୁ ବିଶେଷ ମର୍ଯ୍ୟାଦା ପ୍ରଦାନ କରାଯାଇ ମହାପୁରାଣ ବୋଲି କୁହାଯାଇଛି । ଜିରାରୁ ସିରା ବାହାର କରି କଳ୍ପିତ ଗୋଟିଏ ଗୋଟିଏ ଦେବତାଙ୍କୁ ଐକାନ୍ତିକ ଭାବରେ ଗ୍ରହଣ କରି ସମ୍ପ୍ରଦାୟଗୁଡ଼ିକର ରଚନା ହୋଇଛି । ମୋ’ ଦେବତା ଅନୁସାରେ ମୋର ମାର୍ଗ, —ଏହିପରି ଏକ ଅତ୍ୟାଗ୍ରହ ଅର୍ଥାତ୍ ଅତ୍ୟୁତ୍ସାହରୁ ହୁଏତ ମୋ’ ମାର୍ଗଟା ଅନ୍ୟାନ୍ୟ ଯାବତୀୟ ମାର୍ଗଠାରୁ ସରସ ବୋଲି କହି ଧର୍ମର ଇତିହାସ ମାନଙ୍କରେ ଭଳି ଭଳି ବଚସାମାନ ହୋଇଛି । ବଚସାଗୁଡ଼ିକୁ ଜମାଲ ରଖିବା ନିମନ୍ତେ ତଦନୁରୂପ ଅର୍ଦ୍ଧଗୁରୁମାନେ ବି ବାହାରି ଆସିଛନ୍ତି । ପୃଥିବୀରେ ଧର୍ମ ଧର୍ମ ଭିତରେ ଯେତିକି ଝଗଡ଼ା ଲାଗିଛି, ମାର୍ଗ ମାର୍ଗ ଭିତରେ ହୁଏତ ତିନି ସେତିକି ଖଳବର ସର୍ଜନା କରାଯାଇଛି । ଆମେ ଏଇଟାକୁ ପ୍ରତିକର କରାମତି ବୋଲି କହିବା ନା ଆମର ଦୁର୍ଭାଗ୍ୟ ବୋଲି କହିବା ? ପ୍ରତୀକର କରାମତି ଏଇଥିଲାଗି ଯେ ତାହା ମଣିଷମାନଙ୍କୁ କିମିଆଟାଏ କରି ଅଧ୍ୟାତ୍ମଠାରୁ ହୁଡ଼ାଇ ନେଇଛି, ଅଧ୍ୟାସ ଭିତରେ ଦୋରସ୍ତ କରି ରଖିଛି । ଆମର ମଧ୍ୟ ଦୁର୍ଭାଗ୍ୟ ଯେ ଏହି ସବୁକିଛିରେ ମାଡ଼ିହୁଡ଼ି ଗଲାବେଳେ ଆମେ ନିଜ ଭିତରକୁ ଅନାଇ ଭେଦି ଦେଖିବା ଲାଗି ଯଥେଷ୍ଟ ମନ କରି ପାରିନାହୁଁ ।

 

ନିଜକୁ ସମସ୍ତଙ୍କଠାରୁ ବଡ଼ ବୋଲି ଦେଖାଇବାର ଦାମ୍ଭିକତା ଭିତରେ ଗୋଡ଼ ଖସାଇ ଦେଇ ମଣିଷର ସମ୍ପ୍ରଦାୟ ଅଥବା ପଲମାନେ ସମ୍ଭବତଃ ନିଜର ପ୍ରତୀକମାନଙ୍କୁ ମଧ୍ୟ ସବାବଡ଼ କରି ଦେଖାଇଦେବାକୁ ଇଚ୍ଛା କରିଛନ୍ତି । ଯୁଗକୁ ଦୁର୍ଯୋଗ ପଡ଼ି ଆସୁଥିବା ସମୟରେ ହିଁ ସେମାନେ ମୁହଁଟିକୁ ଘୋଡ଼ାଇ ରଖିବାର ମନ୍ଦ ମତଲବରେ ମୁଖାଟାକୁ ଏଡ଼େ ପ୍ରାଧାନ୍ୟର ସହିତ ଦେଖାଇଦେବା ଲାଗି ମନ କରିଛନ୍ତି । ପ୍ରାୟ ପ୍ରତ୍ୟେକ ସମ୍ପ୍ରଦାୟ ନିଜର ଅବତାରଟାକୁ ସବାବଡ଼ କରି ଦେଖାଇଛନ୍ତି । ସବାବଡ଼ ହେଉଛନ୍ତି ଅବତାରୀ, ସେହି ଅବତାରୀଙ୍କଠାରୁ ହିଁ ଆଉ ସବୁଯାକ ଅବତାର ନିଷ୍ପନ୍ନ ହୋଇ ଆସିଛନ୍ତି । ନିଜ ଅବତାରକୁ ଭାବାତୁର ଭାବରେ କେତେ ଗୋଷ୍ଠୀରେ ଅବତାରବରିଷ୍ଠ ବୋଲି ଘୋଷଣା କରାଯାଇଛି । ଅଧ୍ୟାସର ସେହିସବୁ ଚାତୁରୀକୁ ଦେଖି ଆଧ୍ୟାତ୍ମ ନିଶ୍ଚୟ ଠୋ ‘ଠୋ ‘ହୋଇ ହସୁଥିବ ଏବଂ ଅସଲ ବିବେକର ଉଦୟ ନିମନ୍ତେ ଅପେକ୍ଷା କରି ରହୁଥିବ । ଥରେ ଆମ ପୁରୀର ଜଗନ୍ନାଥଙ୍କୁ କିଏ ଅବତାର ବୋଲି ଲେଖିଦେଲା ବୋଲି ଜଗନ୍ନାଥଙ୍କୁ ଅଧିକ ଜାଣିଛନ୍ତି ବୋଲି ଭାବୁଥିବା ଆଉ ଜଣକ ଠାରୁ ବିଚାରାକୁ କେତେ ଗାଳି ଖାଇବାକୁ ପଡ଼ିଥିଲା । ଶ୍ରୀଚୈତନ୍ୟଙ୍କର ଜଣେ ଅନୁଗାମୀ ମାୟାରେ ପଡ଼ି ଥରେ ନିଜର ଗୁରୁଙ୍କୁ ଜଗନ୍ନାଥଙ୍କ ଠାରୁ ଅଧିକ ବଡ଼ ବୋଲି ପ୍ରତିପାଦିତ କରି ପୋଥିଟିଏ ଲେଖି ପକାଇଥିଲେ ବୋଲି ସ୍ଵୟଂ ଶ୍ରୀଚୈତନ୍ୟଙ୍କୁ ସେଥିରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ପୃଥିବୀରେ ଧର୍ମମାନେ ଏକ ଆରେକୁ ବଳିଯାଇ ନିଜର ପ୍ରତୀକମାନଙ୍କୁ ସବୁଠାରୁ ବଡ଼ ବୋଲି ଦର୍ଶାଇ ଆସିଛନ୍ତି । କେବଳ ସେହି ଧର୍ମରେ ବା ସେହି ଧର୍ମର ପ୍ରତୀକଟା ଭିତରେ ଆଲୁଅଟି ରହିଛି ବୋଲି ଐକାନ୍ତିକ ଭାବରେ ବିଶ୍ଵାସ କରୁଥିବାରୁ କେତେ ମନୁଷ୍ୟ ମିଶନାରୀ ବନି ପୃଥିବୀର ଅନ୍ୟତ୍ର ଘୋଟି ରହିଥିବା ଅନ୍ଧକାରକୁ ଦୂର କରିବାର ବ୍ୟଗ୍ରତାରେ ସମୁଦ୍ର ଡେଇଁ କେତେଆଡ଼େ ଖେଦି ଯାଇଛନ୍ତି । ପ୍ରତୀକଟା ପାଇଁ କେତେ ମଣିଷ ଯେପରି ଅତିଶୟ ଆଗ୍ରହ ଦେଖାଇଛନ୍ତି, ଅଧ୍ୟାତ୍ମ ପାଇଁ ତାହାର ଦଷଭାଗରୁ ଭାଗେ ଆଗ୍ରହ ଦେଖାଇଥିଲେ ଆମ ପୃଥିବୀଟା ହୁଏତ ଅଧିକ କାଳିମାମୁକ୍ତ ହୋଇ ରହିପାରନ୍ତା । ବିଚରା ଭଗବାନଙ୍କୁ ମଧ୍ୟ କମ୍ ଦୌରାତ୍ମ୍ୟ ସହ୍ୟ କରିବାକୁ ପଡ଼ୁଥାନ୍ତା ।

 

ଧର୍ମର ବାହାରେ ମଧ୍ୟ ଏହି ପ୍ରତୀକର ଅତିଲାଳସାଟା ମଣିଷମାନଙ୍କୁ କମ୍ ଅଚେତା କରି ରଖିନାହିଁ । ବିଶେଷ ବିଶେଷ କାଢ଼ ଥିବା ବିଜ୍ଞ ଲୋକମାନେ ନିଜର ଦେଶକୁ ମାଆ ବୋଲି କହିଛନ୍ତି, ଜନନୀଙ୍କୁ ଏକ ଦେବୀର ଛଟାରେ ସଜାଇ ଦିଆଯାଇଛି । ପୃଥିବୀର ସନ୍ତ୍ରୀସବାଦୀମାନଙ୍କୁ ଏବେ ମଧ୍ୟ ସେହି ଅବିଚାରଟା ଭାରି ସୁହାଉଛି । ଚମ୍ବଲ ଘାଟୀର ଦସ୍ୟୁମାନେ ଅଭିଯାନରେ ବାହାରିବା ପୂର୍ବରୁ ସଫଳତା ଲାଭ କରିବା ସକାଶେ ଥାପି ରଖିଥିବା ଦେବୀପ୍ରତିମାଙ୍କୁ ପୂଜା କରୁଥିବା ପରି ଜାତୀୟତାବାଦୀମାନେ ବହୁ କ୍ଷେତ୍ରରେ ସେହିପରି ଦେଶମାତୃକାର ବନ୍ଦନା ଗାନ କରିବାକୁ ଏକ ପୁଣ୍ୟ କର୍ତ୍ତବ୍ୟ ରୂପେ ଗ୍ରହଣ କରିନେଇ ଅପରିମିତ ଆତ୍ମପ୍ରସାଦ ଲାଭ କରୁଛନ୍ତି । କୌଣସି ଦେଶର ପତାକାକୁ ପବିତ୍ର ବୋଲି କହି ଯେପରି ସମ୍ମାନ ଦିଆଯାଏ, ସେଇଟିକୁ ମଧ୍ୟ ସେହି ପ୍ରତୀକର ପ୍ରସଙ୍ଗ ଭିତରେ ଅନ୍ତର୍ଭୁକ୍ତ କରାଯାଇ ପାରିବ । ନିଜର ଦେଶ ପ୍ରତି ଏକ ଅଙ୍ଗାକାରବଦ୍ଧତାକୁ ଜାଗୃତ କରି ଆଣିବା ଲାଗି ତାହା ଆମକୁ ସହାୟତା କରିଥାଏ । ପତାକାଟି ଯେ କୌଣସି ଯାନ୍ତ୍ରିକ ପ୍ରକ୍ରିୟାଦ୍ୱାରା ତାହା କରେ, ସେକଥା ଆଦୌ ଠିକ୍ ନୁହେଁ, । ମାତ୍ର ଆମ ଭିତରେ ଯଦି ଉକ୍ତ ଅଙ୍ଗାକାରବଦ୍ଧତା ଆଗରୁ ସଂଚାରିତ ହୋଇ ରହିଥାଏ, ତେବେ ଦେଶର ପତାକାକୁ ଉଡ଼ୁଥିବାର ଦେଖିବା ମାତ୍ରକେ ଆମ ଭିତରେ ପବିତ୍ରତାର ଏକ ଭାବ ଜନ୍ମଗ୍ରହଣ କରିଥାଏ, ପ୍ରତୀକ ଭିତରେ ଆରୋପିତ ସତ୍ୟଟି ହିଁ ପ୍ରତୀକକୁ ଏକ ମୂଲ୍ୟ ଆଣି ଦେଇଥାଏ; ମାତ୍ର ପ୍ରତୀକଟା ଆମ ଆଖି ଆଗରେ ଉଭା ହୋଇଗଲେ ତଦ୍ଦ୍ଵାରା ଆମେ ଯେ ଆପେ ଆପେ ତନ୍ନିହିତ ସତ୍ୟଦ୍ୱାରା ଅନୁପ୍ରାଣିତ ହୋଇଯିବା, ସେକଥା ମଧ୍ୟ ଠିକ୍ ନୁହେଁ । ପ୍ରତୀକ ହେଉଛି ମନୁଷ୍ୟର ଏକ ରଚନା । ଆମ ଦେବାଦେବୀମାନେ ଆମର ରଚନା । ଆମ ନିଜର ଚେତନା ଅନୁସାରେ ଯେ ଆମ ଦେବାଦେବୀଙ୍କର ତାତ୍ପର୍ଯ୍ୟଟି ନିର୍ଦ୍ଧାରିତ ହୋଇଥାଏ, ଆମକୁ ତାହା ଅବଶ୍ୟ ସ୍ଵୀକାର କରିବାକୁ ପଡ଼ିବ ।

 

ପ୍ରତୀକମାନଙ୍କୁ ନେଇ ପୃଥିବୀରେ ଯେଉଁ ଧ୍ଵଜା ଉଡ଼ୁଛି, ତାହା ଦେଖିଲେ ମଣିଷମାନେ କ’ଣ ପାଇଁ ଏପରି ବୋକା ବନିଗଲେ ଏବଂ ସତ୍ୟଠାରୁ ମୁହଁ ଆଡ଼େଇ ନେଇ ପ୍ରତୀକ ଭିତରେ ଭୋଳ ହୋଇ ରହିଲେ, ନିଜକୁ ସେହି ପ୍ରଶ୍ନଟି ପଚାରିବାକୁ ମନ ହୋଇଥାଏ । ପ୍ରତୀକ ପଛରେ ବାଇହୋଇ ରହିବାକୁ ମଣିଷମାନଙ୍କୁ କିଏ ଏହି ଶିକ୍ଷା ଦେଇଛି କେଜାଣି ? ପ୍ରତୀକମାନଙ୍କ ସହିତ ବାନ୍ଧିହୋଇ ଯାଇ ଆମ ଧର୍ମମାନେ ମଧ୍ୟ ଭାରି ଭେଷରା ହୋଇ ପଡ଼ିଛନ୍ତି । ପ୍ରତୀକରେ ବାଇ ହେବା ମାତ୍ରକେ ମଣିଷମାନେ ଏତେ ଅଣଆୟତ୍ତ ଭାବରେ ମନ୍ଦମତି ହୋଇଯାଇଛନ୍ତି ଯେ, ଏହିସବୁ ଭବ୍ୟ ମନ୍ଦିର, ଏହି ଯାବତୀୟ ଧର୍ମବୋଳା ରାଜସିକତା ଏବଂ ସତେଅବା ଭଗବାନଙ୍କୁ ମୋଟେ ଘଡ଼ିକ ନିମନ୍ତେ ମଧ୍ୟ ଶାନ୍ତିରେ ରହିବାକୁ ନଦେବା ପାଇଁ କରାଯାଉଥିବା ଏହିସବୁ ତାମସିକ ହୋ’ ହୋ’, —ଏସବୁ ମଣିଷକୁ ସତେଅବା ତା’ ଧର୍ମର ଆହ୍ଵାନ କ୍ଷେତ୍ରଟିରେ ଆଦୌ କିଛିହେଲେ ହେବାକୁ ଦେଉନାହାନ୍ତି, ତାକୁ ଗୁଡ଼ାଏ ମିଛ ତୃପ୍ତି ଭିତରେ ମଜ୍ଜାର ରଖିଛନ୍ତି ଏବଂ ପୃଥିବୀକୁ ବହୁ ବହୁ ପ୍ରମାଦ ଭିତରେ ଉତ୍ପୀଡ଼ିତ କରି ରଖିଛନ୍ତି । ସନ୍ଥମାନେ, ଭକ୍ତମାନେ, ଭାବର ପଥିକମାନେ ସେହି କାରଣରୁ ହିଁ ପ୍ରତୀକମାନଙ୍କର ଏତେ ଏତେ ନିନ୍ଦା କରି ଆସିଛନ୍ତି । ପ୍ରତୀକମାନଙ୍କୁ ସେମାନେ ନିତାନ୍ତ ବାହ୍ୟ ବୋଲି କହି ମନୁଷ୍ୟମାନଙ୍କୁ ଅନ୍ତର୍ଗତ ଅଧ୍ୟାତ୍ମପଥଟି ଉପରକୁ ଫେରି ଆସିବା ନିମନ୍ତେ କେତେ ଉଦବୋଧନ ଦେଇଛନ୍ତି ।

 

ପ୍ରତୀକ ପଛରେ ରହିଥିବା ମର୍ମଟିକୁ ହେଜି ପାରିବାକୁ ହେଲେ ପ୍ରତୀକର ବାଡ଼ଟିକୁ ଡେଇଁଯିବାକୁ ହିଁ ପଡ଼ିଥାଏ । ସନ୍ଥମାନେ ସେଥିଲାଗି କେଡ଼େ ସ୍ପଷ୍ଟ ଭାବରେ ଆମ ଦେଉଳମାନଙ୍କରେ ପୂଜା ପାଉଥିବା ମୂର୍ତ୍ତିଗୁଡ଼ିକୁ ଡେଇଁଯିବା ସକାଶେ ଆମକୁ ଆହ୍ଵାନ ଦେଇଛନ୍ତି । ଖାଲି ହିନ୍ଦୁଧର୍ମରେ ନୁହେଁ, ଇସ୍‍ଲାମ ଏବଂ ଖ୍ରୀଷ୍ଟିଆନ ଧର୍ମରେ ମଧ୍ୟ ପ୍ରତୀକର କେତେ କେତେ ପ୍ରତିରୋଧ କରାଯାଇଛି । ପଛରେ ଥିବା ସତ୍ୟଟିକୁ ହୁଡ଼ିଗଲେ ପ୍ରତୀକ-ଉପାସନା ସତେଅବା ପ୍ରତୀକତୃଷ୍ଣାରେ ପରିଣତ ହୋଇଯାଏ । ପ୍ରତୀକତୃଷ୍ଣାରୁ ପ୍ରତିମାତୃଷ୍ଣା ଜନ୍ମଗ୍ରହଣ କରିଥାଏ ଏବଂ ସେହି ତୃଷ୍ଣା ମନୁଷ୍ୟକୁ ପୌତ୍ତଳିକ ହେବାରେ ହିଁ ମନ୍ଦୋତ୍ସାହ ଦେବାରେ ଲାଗିଥାଏ । ପୌତ୍ତଳିକତାର ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି ବୋଲି ସନ୍ଥମାନେ ପୃଥିବୀଯାକ କେତେ ଅତ୍ୟାଚାର ସହ୍ୟ କରିଛନ୍ତି । ରାଜାଠାରୁ ଅତ୍ୟାଚାର ସହିଛନ୍ତି । ପଣ୍ଡିତର ପରିହାସ ସହ୍ୟ କରିଛନ୍ତି ଏବଂ ସମାଜର ଧନୀକବର୍ଗଠାରୁ ମଧ୍ୟ ଅତ୍ୟାଚାର ସହିଛନ୍ତି । ଏହି କଥାଟି ମଧ୍ୟ ଲକ୍ଷ୍ୟକରି ରଖିବାର ବିଷୟ ଯେ, ସନ୍ଥମାନେ ପୃଥିବୀଯାକ ସାଧାରଣତଃ ସମାଜର ନିମ୍ନବର୍ଗରୁ ଆସିଛନ୍ତି । ଉଚ୍ଚବର୍ଗମାନେ ଚିରକାଳ ସମାଜ ତଥା ସାମୂହିକ ଜୀବନକୁ ନିଜର କାବୁ ଭିତରେ ରଖିବେ ବୋଲି ଆଉ ପ୍ରତୀକଗୁଡ଼ାକର ଭେଳିକି ବାହାର କରିଛନ୍ତି କି ? ସନ୍ଥମାନେ ମନୁଷ୍ୟକୁ ତା’ର ଅନ୍ତର୍ଗତ ମହିମାରେ ପ୍ରତିଷ୍ଠିତ କରାଇବାରେ ଅଭିଳାଷ ରଖି ଆସିଛନ୍ତି । ସବୁ ମଣିଷ ଭିତରେ ତା’ର ସର୍ବୋତ୍ତମ ସମ୍ଭାବନା ରୂପେ ଯେଉଁ ସତ୍ୟଟି ନିହିତ ହୋଇ ସବୁବେଳେ ରହିଛି, ସନ୍ଥମାନେ ତାହାକୁ ହିଁ ଉନ୍ନୋଚିତ କରି ଆଣିବା ଲାଗି ଚେଷ୍ଟା କରିଛନ୍ତି । ପ୍ରତୀକମାନଙ୍କର ତୃଷ୍ଣା ହିଁ ମଣିଷମାନଙ୍କୁ ଅଫିମ ଖୁଆଇ ଭାଗ ଭାଗ କରି ରଖିବାର ଅପଚେଷ୍ଟା କରି ଆସିଛି ଏବଂ ଧର୍ମର ଘଣ୍ଟଗୁଡ଼ାକ ଏପରି ଢାଉଁ ଢାଉଁ ହୋଇ ବାଜିବାରେ ଲାଗିଥିଲେ ମଧ୍ୟ ମଣିଷର ଅସଲ ବଳଗୁଡ଼ିକୁ ଯେପରି କାହାର ଷଡ଼ଯନ୍ତ୍ରରେ ହରଣ କରି ନିଆଯାଇଛି ।

 

ମଣିଷମାନଙ୍କୁ ଅଫିମ ଖୁଆଇ ରଖିବାଦ୍ୱାରା ସେମାନଙ୍କ ଉପରେ ରାଜତ୍ଵ କରୁଥିବା ଶାସକମାନଙ୍କର ସବୁଦିନେ ଖୁବ୍ ଫାଇଦା ହୋଇଆସିଛି । ପ୍ରକୃତରେ କ’ଣ ସେଇଥି ସକାଶେ ହିଁ ଶାସକମାନେ ପ୍ରତିମା ଏବଂ ପ୍ରତିକଗୁଡ଼ିକର ସାହାଯ୍ୟ ନେଇ ଆସିଛନ୍ତି କି ? ପ୍ରତିମାତୃଷ୍ଣା ମଣିଷକୁ ଭିତରେ ଜଡ଼ ଓ ଭୀରୁ ହୋଇ ରହିବାରେ ସାହାଯ୍ୟ କରେ ଏବଂ ବାହାରେ ଉଗ୍ର କରି ରଖେ । ପ୍ରଜା ଜଡ଼ ଏବଂ ଭୀରୁ ହେଲେ ଶାସକକୁ ବଡ଼ ସୁହାଏ ଏବଂ ଆବଶ୍ୟକ ପଡ଼ିଲେ ବାହାରେ କୌଣସି ମତଲବ ସିଦ୍ଧ କରିବା ନିମନ୍ତେ ପ୍ରଜାମାନଙ୍କ ଉଗ୍ରତା ଦ୍ଵାରା ମଧ୍ୟ ବହୁତ କାର୍ଯ୍ୟ ହାସଲ କରାଯାଇପାରେ । ପୃଥିବୀରେ କେତୋଟି ଦେଶରେ ଶାସକମାନେ ତାହାହିଁ କରୁଛନ୍ତି ଏବଂ ସେଥିପାଇଁ ସେମାନେ ଧର୍ମକୁ, ପ୍ରତୀକମାନଙ୍କୁ ଅତ୍ୟନ୍ତ ଚତୁରତା ସହିତ କାମରେ ଲଗାଉଛନ୍ତି । ପ୍ରତ୍ୟେକ ମଣିଷ ତା’ଭିତରେ ରହିଥିବା ବିବେକଟି ଅନୁସାରେ କାର୍ଯ୍ୟ କରୁ, ମେରୁଦଣ୍ଡ ସିଧା କରି ସାହସର ସହିତ ଆଗକୁ ଆଖି ରଖି ବାଟ ଚାଲୁ ଏବଂ ବାଟଟିଏ ଚାଲୁ ଚାଲୁ ନିଜ ଭିତରେ ରହିଥିବା ପରମବନ୍ଧୁଟିର ସାହାଯ୍ୟ ଗ୍ରହଣ କରି ନିଜ ଜୀବନର ସତ୍ୟଗୁଡ଼ିକୁ ଆବିଷ୍କାର କରୁ, ମଣିଷମାନଙ୍କୁ ବଳଦଙ୍କ ପରି କାବୁରେ ରଖିବା ପାଇଁ ଇଚ୍ଛା କରୁଥିବା ଶାସକ ସେକଥାରେ କେବେହେଲେ ମଙ୍ଗିବ ନାହିଁ । ମଣିଷ ତା’ ନିଜ ଭିତରୁ ନିଜ ବଳଟିକୁ ପାଇବାର ବାଟଟିକୁ ପାଇଗଲେ କଦାପି ଯେ ମେଣ୍ଢା ପରି ରଜାର ବୋଲଗୁଡ଼ାକୁ ମାନି ନେବନାହିଁ ଏବଂ ନିଜ ଭିତରୁ ନିଜର ସୋଦର ପରି ବଳିଷ୍ଟ ବିବେକଟିର ପରାମର୍ଶକୁ ଶୁଣିପାରିଲେ କଦାପି ଶାସକମାନଙ୍କ ଦ୍ଵାରା ସହଜରେ ମଣ ହୋଇ ପାରିବ ନାହିଁ, ଶାସକମାନେ ସେହି କଥାଟିକୁ ଖୁବ୍ ଠଉରାଇ ନେଇଥାନ୍ତି ଏବଂ ତେଣୁ ପ୍ରତିକମାନଙ୍କର ସାହାଯ୍ୟ ଗ୍ରହଣ କରନ୍ତି । ପ୍ରତିମାମାନଙ୍କୁ ଥୋପ ପରି ବ୍ୟବହାର କରନ୍ତି । ପେଟର ଭୋକଟା ହିଁ ଶହେରେ ଅଶୀଭାଗ ମଣିଷଙ୍କର ସର୍ବପ୍ରଥମ ଦୁଃଖ ହୋଇ ରହିଥିବା ସମୟରେ ଏବଂ ଦେଶର ଅଧେ ପିଲାଙ୍କ ଭାଗ୍ୟରେ ବିଦ୍ୟାଳୟର ଦ୍ଵାର ମାଡ଼ିବା ସମ୍ଭବ ହେଉନଥିବା ସମୟରେ ଶାସକମାନେ ସତେଅବା ସେଗୁଡ଼ାକୁ ପାରୁନଥାନ୍ତି ବୋଲି ଲୋକମାନଙ୍କର ମନକୁ ଆଉ କୁଆଡ଼େ ଭୁରୁଡ଼ାଇ ନେଇଯିବା ପାଇଁ ବ୍ରାହ୍ମଣର ଭେକ ପିନ୍ଧି ପ୍ରତୀକର ବନ୍ଦନା ବିଷୟରେ ଫତୁଥାଟାଏ ଜାରି କରିଦିଅନ୍ତି, ଆମକୁ ଭୀରୁ କରି ରଖିବେ ବୋଲି ସତେଅବା ଆମର ଉପକାରୀ ବନ୍ଧୁର ମୁଖା ପିନ୍ଧି ଆମକୁ ଅନ୍ୟମନସ୍କ କରନ୍ତି । ଦେଶରେ ମଣିଷମାତ୍ରକେ ସମସ୍ତେ ମଥା ଉପରକୁ ଟେକି ବାଟ ଚାଲନ୍ତୁ ଏବଂ ଗୌରବର ସହିତ ଏଠାରେ ନିର୍ମାଣର ଯାବତୀୟ ଉଦ୍ୟମର ପରିଧି ମଧ୍ୟକୁ ସକ୍ରିୟ ଭବାରେ ଆସନ୍ତୁ, ରାଜାମାନେ ସେକଥା ଚାହୁନଥାନ୍ତି ବୋଲି ପ୍ରତୀକମାନଙ୍କୁ ଥୋପ ପରି ବ୍ୟବହାର କରନ୍ତି ।

 

ଭାରତବର୍ଷର ସବାବଡ଼ ପ୍ରୟୋଜନ ଧର୍ମ ନୁହେଁ, ସର୍ବପ୍ରଥମ ପ୍ରୟୋଜନ ହେଉଛି ଅନ୍ନ, ଠିକ୍ ଶହେବର୍ଷ ତଳେ ସ୍ଵାମୀ ବିବେକାନନ୍ଦ ଆମେରିକାରେ ଏକ ଧର୍ମମହାସଭାରେ ସେହି କଥାଟିକୁ ଘୋଷଣା କରି କହିଥିଲେ । ଶହେବର୍ଷ ଗତ ହୋଇଯାଇଥିଲେ ମଧ୍ୟ ସମ୍ଭବତଃ ଦଶଗୁଣ ଅଧିକ ଔଚିତ୍ୟ ସହିତ ଭାରତବର୍ଷରେ ବର୍ତ୍ତମାନ ବି ସେହି କଥାଟିକୁ କୁହାଯାଇ ପାରିବ । ମଝିରେ ଏହି ଏକଶହ ବର୍ଷ ମଧ୍ୟରେ ଏହି ଦେଶରେ ସମ୍ପନ୍ନମାନେ ହୁଏତ ସମସ୍ତଙ୍କ ଲାଗି ଅନ୍ନ ସମ୍ଭବ କରି ପାରିବାର ସବାଆଗ ଆହ୍ଵାନ ଅପେକ୍ଷା ତଥାକଥିତ ଧର୍ମର କଥାଟା ହିଁ ଅଧିକ କହିଛନ୍ତି । ସତ୍ୟ ତୁଳନାରେ ପ୍ରତୀକ ତଥା ପ୍ରତିମାମାନଙ୍କ ପାଇଁ ଅଧିକ ଅନୁରକ୍ତି ପ୍ରକଟ କରିଛନ୍ତି । ଦେଶର ଜଟାଧାରୀ ଧର୍ମ ସମ୍ପ୍ରଦାୟୀମାନେ ମଧ୍ୟ ସମ୍ପନ୍ନମାନଙ୍କର ସେହି ବୋଲିଟାକୁ ହିଁ ଅଧିକ ସମର୍ଥନ ଜଣାଇଛନ୍ତି । ଦେଶରେ ସବୁ ମଣିଷଙ୍କ କଥା ଚିନ୍ତା କରୁଥିଲେ ସେମାନେ ତାହା କଦାପି କରୁନଥାନ୍ତେ । ଧର୍ମର ଏକ ଗ୍ଲାନିକର ପର୍ଯ୍ୟାୟରେ ହିଁ ସମ୍ପନ୍ନ ଓ ଶାସକମାନେ ଏପରି ଖୋଲାଖୋଲି ଭାବରେ ଧର୍ମଘରର ଗାଦିଗୁଡ଼ିକ ସହିତ ସମ୍ବନ୍ଧୀପଣ କରିବାକୁ ମନ ବି କରିଥାନ୍ତି । ଆମର ଏଠି ରାଜନୀତିକ କ୍ଷମତାର ମହାମେରୁମାନେ ମଧ୍ୟ କିପରି ଗାଦିସ୍ଵାମୀମାନଙ୍କ ସହିତ ମେଣ୍ଟ କରିଛନ୍ତି ଏବଂ ସେହି ମେଣ୍ଟର ଫଳିତ ଜ୍ୟୋତିଷଦ୍ଵାରା ପରିଚାଳିତ ହେଉଛନ୍ତି, ସେହି ପ୍ରସଙ୍ଗଟା ଏବେ ଫୁଲି ଫୁଲି କଚେରୀ ପର୍ଯ୍ୟନ୍ତ ଯାଇ ପହଞ୍ଚିଲାଣି ।

 

ତେଣୁ, ଏହି ଦେଶରେ ମଣିଷର ପ୍ରକୃତ ହିତାକାରୀ କେଉଁମାନେ ଅଛ, ଏହି ପ୍ରହସନର ପଥରୋଧ କର । ଅଧିକରୁ ଅଧିକ ସାହସର ସହିତ ମଣିଷର ପକ୍ଷରେ ଛିଡ଼ାହୁଅ । ଭାରତବର୍ଷର ଭୂମିରେ ମନୁଷ୍ୟ ବିଷୟରେ ଉଚ୍ଚତମ ଯେଉଁ ସତ୍ୟଗୁଡ଼ିକର କାଳେ କାଳେ ଉଚ୍ଚାରଣ ହୋଇ ଆସିଛି, ତୁମେମାନେ ତାହାରି ପ୍ରତିନିଧିତ୍ଵ କର । ବିଚାର ଆମ ପ୍ରତୀକଗୁଡ଼ିକୁ ରାଜନୀତିର ଖଳ ମହତ୍ତ୍ଵାକାଙ୍‍କ୍ଷୀମାନଙ୍କ ହାତରୁ ରକ୍ଷାକର । ପ୍ରତୀକମାନଙ୍କର ବନ୍ଦନାକୁ ବାଧ୍ୟତାମୂଳକ ଭାବରେ ଦେଶଟା ଉପରେ ମଡ଼ାଇ ଦେବାର ରୀତି ଆଦୌ ଭାରତବର୍ଷର ରୀତି ନୁହେଁ । ଯାବତୀୟ ମାପକାଠିରେ ତାହା ହେଉଛି ଅସୁରମାନଙ୍କର ରୀତି । କେହି କଦାପି ଜବରଦସ୍ତି କରି ମଣିଷମାନଙ୍କୁ ଧର୍ମପଥକୁ ଆଣିପାରିବ ନାହିଁ । ଅଧ୍ୟାତ୍ମର ପଥକୁ, ସତ୍ୟର ପଥକୁ ଆସିବାକୁ ହେଲେ ସର୍ବପ୍ରଥମେ ବାଧ୍ୟ ହୋଇ ବୋଲ ମାନିବାର ଯାବତୀୟ ଦୁର୍ଗତିରୁ ଯେ ମୁକ୍ତ ହେବାକୁ ପଡ଼ିବ, ଭାରତବର୍ଷର ଉଚ୍ଚତମ ପ୍ରଜ୍ଞା ସବୁକାଳେ ତାହାହିଁ କହି ଆସିଛି । ଏବଂ ଆଧୁନିକତମ ଶିକ୍ଷାଶାସ୍ତ୍ର ମଧ୍ୟ ତାହାର ସମର୍ଥନ କରୁଛି ।

୨୫ । ୦୧ । ୧୯୯୯

Image

 

Unknown

ଖାଲି ସାହିତ୍ୟର ଅସାହିତ୍ୟ

 

ତତ୍ତ୍ଵବାଦୀମାନେ ଯାହା କହନ୍ତୁ ବା ନ କହନ୍ତୁ ପଛକେ, ସାହିତ୍ୟ କ’ଣ ଖାଲି ସାହିତ୍ୟ ? ଘଟଣାଟିଏ କ’ଣ କେବଳ ଏକ ଘଟଣା ? ସ୍ମୃତିଟିଏ କ’ଣ କେବଳ ସ୍ମୃତିଟିଏ ? ସ୍ଵପ୍ନ କ’ଣ ତୁଚ୍ଛା ଗୋଟାଏ ସ୍ଵପ୍ନ ଏବଂ ଆମର ଯାବତୀୟ ବ୍ୟାକୁଳତା ମାତ୍ର ? ଯେଉଁ ସମଗ୍ର ଭୂମିଟି ଉପରେ ଆମେ କେତେ ନା କେତେ ଭରସାର ସହିତ ଛିଡ଼ା ହୋଇପାରୁଛୁ ବୋଲି ପୂର୍ଣ୍ଣ ବିଶ୍ଵାସରେ ଏକ ଆକାଶକୁ ମନ କରି ପାରୁଛୁ, ତାହା କ’ଣ କେବଳ ଏହି ଭୂମି ? ଏବଂ, କେତେ ନା କେତେ ଆତ୍ମୀୟତା ସହିତ ଅନାଇ ପାରିଲେ ଯେଉଁ ଆକାଶ ଆମର ନିଜ ଭିତରେ ମଧ୍ୟ ଏକ ପ୍ରତ୍ୟକ୍ଷ ସ୍ପର୍ଶରେ ଏକାବେଳେକେ ଆମ ପାଖକୁ ଲାଗି ଆସି ପାରୁଛି, ତାହା କ’ଣ କେବଳ ଏକ ଆକର୍ଷଣ ? ଆମର ଏହି ତଥାକଥିତ ଆଧୁନିକ ଯୁଗକୁ ଆସି ସାହିତ୍ୟ କରୁଥିବା ଓ ସାହିତ୍ୟରେ ଚରୁଥିବା ସତେଅବା ବିଶେଷ ମନୁଷ୍ୟମାନେ ସାହିତ୍ୟକୁ ଏକ ବିଶେଷ ଧନ୍ଦା ବୋଲି ଘୋଷଣା କଲେ । ସେମାନେ ସାହିତ୍ୟକୁ ଜୀବନ ଠାରୁ ଖଣ୍ଡିଆ କରି ଦେଖିଲେ ବୋଲି ସମ୍ଭବତଃ ସେଇଥିରୁ ଗୋଟାଏ ଅନୁରୂପ ତତ୍ତ୍ଵକୁ ବୟାନ କରି ଆସିଥିଲେ । ଅଥବା, ସେମାନଙ୍କ ନିଜ ଭିତରେ ରହିଥିବା କୌଣସି ଖଣ୍ଡିଆକୁ କ’ଣ ମନେକରି ଘୋଡ଼ାଇ ରଖିବାକୁ ମନକଲେ ବୋଲି ସେମାନେ ଆଉ ଏପରି ଆଚରଣ କଲେ କି ? ସାହିତ୍ୟକୁ ଏକ ଭିନ୍ନ ବିଶେଷ ଇଲାକାରେ ପରିଣତ କରାଯିବା ମାତ୍ରକେ ସାହିତ୍ୟିକମାନେ ମଧ୍ୟ ଆପଣାକୁ ଏକ ବିଶେଷ ଗାରିମା ସହିତ ଏକ ଭିନ୍ନ ଗହନର ଜୀବ ବୋଲି ଭାବିବାକୁ ଆରମ୍ଭ କଲେ । ଅଥବା ଏକ ବିଶେଷ କିସମର ବିହ୍ୱଳତାରେ ଜୁଡ଼ୁବୁଡ଼ୁ ହୋଇ କୋଉ ରାଜ୍ୟର ରାଜକୁମାରଙ୍କ ପରି ରୁଷି ବସିବାକୁ ଆପଣାର ଧର୍ମ ବୋଲି ଅନୁଭବ କଲେ । ଏକ ଶାବ୍ଦିକ ସର୍ଜନାତ୍ମକତାର ପଲଙ୍କ ଉପରେ ସତେ ଅବା ଏଆଡ଼କୁ ପଛ କରି ସେଆଡ଼କୁ ମୁହଁ କରି ଶୋଇବା ଏବଂ ସେଥିପାଇଁ ଆମ ଇଆଡ଼ଟା ଠାରୁ ସ୍ୱୀକୃତି ଦାବି କରିବା, —ନିରୋଳା ସାହିତ୍ୟ କହିଲେ ଥୋକେ ମଣିଷ ଏବେ ଏପରି ମଧ୍ୟ ବୁଝିଲେଣିକି ?

 

ଗୋଟାଏ ସାହିତ୍ୟ ସଂସାରକୁ ଭଲ ପାଇ ଲେଖାଯାଏ ଏବଂ ଆଉ ଗୋଟାଏ ସାହିତ୍ୟ ସଂସାରକୁ ରୁଷିକରି ବି ଲେଖାଯାଏ । ସେହି ନ୍ୟାୟରେ ଆମେ ଶୃଙ୍ଗାରକୁ ମଧ୍ୟ ହୁଏତ ଦୁଇ ପ୍ରକାରର ବା ଦୁଇ ଆୟତନର ବା ସ୍ତରର ବୋଲି କହିପାରିବା । ଏକ ବିଶେଷ ଜାତିର ବୈଷ୍ଣବ କାବ୍ୟଚାତୁର୍ଯ୍ୟ ଭିତରେ ଅନେକ ସମୟରେ ଭଲ ପାଇବାର ତୁଳନାରେ ରୁଷିବାଟା ହିଁ ସମଧିକ ପରିମାଣରେ ରହିଥିବା ପରି ପ୍ରତୀତ ହୋଇଥାଏ । ଭଲ ପାଇଲେ ଭିତରୁ କିଏ ସତେ ଅବା କ୍ରମେ ନୀରବ ହୋଇ ଆସୁଥିବା ପରି ଅନୁଭବ ହୋଇଥାଏ ଏବଂ ରୁଷିଥିବା ମଣିଷ କେଜାଣି କାହିଁକି ଅଧିକରୁ ଅଧିକ ଖୁଣ୍ଟ କରିବାକୁ ଇଚ୍ଛା କରୁଥାଏ । ଭାରି ରବେଇ ଖବେଇ ହୁଏ; ଅଳଙ୍କାର ମାନଙ୍କର ପ୍ରୟୋଗ କରି ମଧ୍ୟ ରବେଇ ଖବେଇ ହେବାରେ ଲାଗିଥାଏ, —ଆଦ୍ୟ ଓ ପ୍ରାନ୍ତ ଉଭୟ ଜମକରେ ରବେଇ ଖବେଇ ହେଉଥାଏ । ରସିକମାନଙ୍କର ମନୋହରଣ କରେ, —କନ୍ଦାଏ, ନଚାଏ ଓ କଚାଇବାରେ ଲାଗିଥାଏ-ରୁଷିଥିଲେ ହିଁ ଅଧିକରୁ ଅଧିକ ବର୍ଣ୍ଣନା କରି କହିବାକୁ ମନ ହୁଏ । ଆମ ସାହିତ୍ୟର ରୀତି ଯୁଗରେ ଅଳପ କଥାକୁ ଅଧିକ ବର୍ଣ୍ଣନାରେ ବଖାଣି କହିବାର ଯେଉଁ ବିଶେଷ ଧାରାଟି ଭାରି ଦୃଷ୍ଟିଗୋଚର ହୋଇଥାଏ, ତା’ପଛେରେ ଏହିପରି କୌଣସି ଅଭିପ୍ରାୟ ପ୍ରଚ୍ଛନ୍ନ ହୋଇ ରହିଥାଏ କି ? ରୁଷିବା ମଣିଷ ସଚରାଚର ଅଧିକ ଦାବି କରେ, ଜୀବନ ରୂପକ ନୀଳମଣିଟାକୁ ସିଏ ଏକାବେଳେକେ ନିଜ ହାତମୁଠା ଭିତରେ ଜାବୁଡ଼ି ଧରିବା ନିମନ୍ତେ ଅଡ଼ି ବସିଥାଏ । ମାତ୍ର, ଭଲ ପାଇବା ମଣିଷ ଦାବି କରେନାହିଁ । ଭଲ ପାଇବା ମଣିଷ ଆପଣାକୁ ଦିଏ । ସେହି ଦେବାଲାଗି ନିଜକୁ ଅଧିକରୁ ଅଧିକ ଯୋଗ୍ୟ କରିବାରେ ଲାଗିଥାଏ । ବଂଶୀର ସ୍ଵନ ତାକୁ ଉଚ୍ଚଟା କରେନାହିଁ । ବରଂ ଏକ ପ୍ରତିଶୃତି ଦେଇଯାଏ, ଏକ ନିର୍ଭର ଦେଇଥାଏ । ରୁଷି ବସିଥିବା ମଣିଷ ହିଁ ଦେଖାଇହୁଏ, ଫୁଲେଇ ହୁଏ, ପ୍ରଦର୍ଶନପ୍ରିୟ ହୁଏ । ଏବଂ ଆମ ଏ ଯୁଗରେ ସାହିତ୍ୟର ସାହୀ ଭିତରେ ନିଜକୁ ପ୍ରାୟ ଅଲଗା କରି ରଖିଥିବା ଆମେ ଯେ ବହୁବିଧ ଶୈଳୀରେ ଏତେ ଏତେ ପ୍ରଦର୍ଶନପ୍ରିୟ ହୋଇ ରହିଛୁ, ଏଥିରୁ ଆମେ ମୂଳତଃ ଦାବି କରୁଛୁ ଏବଂ ମୁଖ୍ୟତଃ ରୁଷି ବସିଛୁ ବୋଲି ପ୍ରତିପାଦିତ ହୋଇଯାଉଛି କି ? ଆଧୁନିକ ସାହିତ୍ୟିକ ହୁଏତ ପୃଥିବୀ ଠାରୁ ଅଧିକ ଦାବି କରୁଛି ବୋଲି ସାହିତ୍ୟକୁ ପୃଥିବୀ ଠାରୁ ଏବଂ ପୃଥିବୀସ୍ଥ ଜୀବନ ଠାରୁ ତଥାପି ଅଲଗା ବୋଲି ଭାବୁଛି ଓ ଖାଲି ସାହିତ୍ୟର କଥା କହୁଛି ।

 

ଅସଲ ସାହିତ୍ୟକୁ ମନ କଲାମାତ୍ରକେ ସାହିତ୍ୟିକ ସତେ ଅବା ସେହି ପ୍ରକ୍ରିୟାଟି ଦ୍ଵାରା ହିଁ ପୃଥିବୀ ସହିତ ଆହୁରି ଅଧିକ ବାନ୍ଧି ହୋଇଯାଏ । ନିଜକୁ ବୁଝୁ ବୁଝୁ ସିଏ ସମଗ୍ର ଜୀବନକୁ ବୁଝିବାର ସେହି ବୃହତ୍ତର ପେଷାଟି ଭିତରେ ଆସି ସାମିଲ ହୋଇଯାଏ । ନିଜର ହୃଦୟ ଭିତରେ ଆଖର ତାହାର କାହା ସହିତ ଭେଟ ହୋଇଯାଏ କେଜାଣି, ସିଏ ଅଧିକରୁ ଅଧିକ ସ୍ଵତଃପ୍ରେରିତ ଭାବରେ ସାରା ପୃଥିବୀଟାର ହୃଦୟକୁ ସତେ ଅବା ଏକାବେଳେକେ ଦେଇପାରିବ ବୋଲି ସମ୍ମତ ହୋଇଯାଏ । ନିଜର ଗୋଟାଏ ଘର ଭିତରେ କିଳିହୋଇ ରହିବା ଆଉ ମୋଟେ ସମ୍ଭବ ହୋଇପାରେ ନାହିଁ । ଏକା ଏକା ବାଟ ଚାଲି ଜୀବନର ଦୁର୍ଗମ ପଥକୁ ପାରିହେବା ଲାଗି ତାର ସବୁଯାକ ସଉକ ତେଣିକି ଚୁଲିକୁ ଯାଏ । ଏବର ଯେଉଁ ସାହିତ୍ୟିକମାନେ ପ୍ରାୟ କୋଉ ହାଉଆ ପାଖରୁ ଦୀକ୍ଷା ନେଇଥିବା ପରି ଯେଉଁ ନିଃସଙ୍ଗତାର କଥା କହୁଛନ୍ତି, ତାକୁ ତାହା ଗୋଟାଏ ଡାହା ମିଛ ବୋଲି ଲାଗିବାକୁ ଆରମ୍ଭ କରେ । ସଂସାର କହିଲେ ଯାବତୀୟ ଯେତେ ଯାହା ଜଞ୍ଜାଳକୁ ବୁଝାଇବା କଥା, ସାହିତ୍ୟକ ତେଣିକି ସେହି ସବୁକିଛି ସହିତ ଛନ୍ଦ ହୋଇଯାଏ । ବୃହତ୍ତର ଜୀବନର ଆକର୍ଷଣକୁ ଅଙ୍ଗେ ନିଭାଇ ସାହିତ୍ୟିକ ଧନ୍ୟ ହୁଏ । ଧନ୍ୟ ହୋଇ ନିଜକୁ ସିଏ ଏକ ବୃହତ୍ତର ଯାତ୍ରାର ଅଙ୍ଗ ରୂପେ ଅନୁଭବ କରିବାକୁ ଆରମ୍ଭ କରେ । ସାହିତ୍ୟ ପାଖରେ ସିଏ କୃତଜ୍ଞ ରହେ, କାରଣ ସାହିତ୍ୟ ହିଁ ତାକୁ ଏକ ବୃହତ୍ତର ଆହ୍ଵାନ ପାଖରେ ଆଣି ପହଞ୍ଚାଇ ଦେଇପାରିଲା, ତାର କାନ୍ଥଗୁଡ଼ାକୁ ଭାଙ୍ଗିଦେଇ ଗଲା ଓ ତା’ ପାଇଁ ଯଥାର୍ଥ ବିମୋଚନର କାରଣ ହେଲା । ସେହି ବିମୋଚନ ସଚରାଚର ଏକ ଅଙ୍ଗୀକାରବଦ୍ଧତାକୁ ଜନ୍ମ ଦିଏ ।

 

ରବୀନ୍ଦ୍ରନାଥ, ପ୍ରେମଚାନ୍ଦ, ରୋମାଁରୋଲାଁ, ରୁଷିଆର ଲେଓ ଟଲଷ୍ଟୟ, —ଏମାନଙ୍କୁ ଆମେ କୌଣସି ସୂତ୍ରରେ ପକାଇ ମଧ୍ୟ ଖାଲି ସାହିତ୍ୟର ପ୍ରତିନିଧି ବୋଲି କହିପାରିବା ନାହିଁ । ଏମାନେ ପ୍ରତ୍ୟେକେ ଜଣେ ଅଙ୍ଗୀକାରବଦ୍ଧ ମଣିଷ ହିସାବରେ ହିଁ ସାହିତ୍ୟ ଭିତରୁ ଆସିଥିଲେ । ଏମାନେ କେହିହେଲେ ରୁଷି ନଥିଲେ । ସାହିତ୍ୟକୁ ଏକ ବିଶେଷ ବ୍ୟୂହ ପରି ବ୍ୟବହାର କରି ତାହାରି ଭିତରେ କୌଣସି ନିଜ ସିଂହାସନ ଉପରେ ଅଲଗା ବା ଏକୁଟିଆ ହୋଇ ବସିଯିବାକୁ ମୋଟେ ମନ କରିନଥିଲେ । ରବୀନ୍ଦ୍ରନାଥ ସାହିତ୍ୟରୁ ଆରମ୍ଭ କଲେ, ତା’ପରେ ନୂଆ ଶିକ୍ଷାର ପ୍ରୟୋଗ କଲେ, ଶାନ୍ତିନିକେତନ ବ୍ରହ୍ମଚର୍ଯ୍ୟାଶ୍ରମରୁ ସତେ ଅବା ଥାକ ଥାକ ଉଠି ଆସି ବିଶ୍ଵାଭାରତୀ ଯାଏ ଆସି ପହଞ୍ଚିଲେ । ରବୀନ୍ଦ୍ରନାଥ ବଙ୍ଗ-ବିଭାଜନ ସମୟରେ ଜାତୀୟ ଆନ୍ଦୋଳନରେ ଯୋଗ ଦେଇଥିଲେ । ସତେ ଅବା ଶାନ୍ତିନିକେତନ ଯଥେଷ୍ଟ ନ ଲାଗିଥିଲା ପରି ସମାନ୍ତର ଭାବରେ ଶ୍ରୀନିକେତନ ଠାରେ ପଲ୍ଲୀ-ଉନ୍ନୟନର ଆବଶ୍ୟକ କାର୍ଯ୍ୟକ୍ରମଟିକୁ ଆରମ୍ଭ କରିଥିଲେ । ଅସଲ କବିଟି ଏହିପରି ଭାବରେ ନାନାମନ୍ତେ ବିଚ୍ଛୁରିତ ଏବଂ ନିବେଦିତ ହୋଇପାରିଥିବା ଯୋଗୁ ପ୍ରକୃତରେ କେତେ କୃତକୃତ୍ୟ ଅନୁଭବ କରିନଥିବ । ହୁଏତ ଖାସ୍ ଏଇଥି ସକାଶେ ରବୀନ୍ଦ୍ରନାଥ କେବଳ ବଙ୍ଗଳାର ସାହିତ୍ୟରେ ନୁହେଁ, ନବଜାଗୃତ ଭାରତୀୟ ଜୀବନର ଆହ୍ଵାନ-କ୍ଷେତ୍ରରେ ଏଭଳି ଅନନ୍ୟ ହୋଇ ରହିଲେ ଓ ଏକାଧିକ ଅର୍ଥରେ ଏବେ ମଧ୍ୟ ସେହିପରି କିଛି ହୋଇ ରହିଛନ୍ତି । ଆମ ଲାଗି ନୂଆ ନୂଆ ଅନୁପ୍ରେରଣାର ଉତ୍ସ ହୋଇ ରହିଛନ୍ତି । ରୁଷିଆର ଲେଓ ଟଲଷ୍ଟୟ କ’ଣ କେବଳ ଜଣେ ପ୍ରସିନ୍ଧ ଉପନ୍ୟାସ-ଲେଖକ ରୂପେ ଆମ ପାଖରେ ଏବେ ମଧ୍ୟ ଏଡ଼େ ବଡ଼ ଏବଂ ଏଡ଼େ ନିଜର ହୋଇ ଦିଶୁଛନ୍ତି ? ଆମେ କେହି ଜାଣିଛୁ କି ନାହିଁ କେଜାଣି, ନିଜର ଯୌବନ ସମୟରେ ନିଜ ଗାଆଁରେ ଏକ ଖାସ୍ ପ୍ରକାରର ଇସ୍କୁଲଟିଏ ବସାଇ ସିଏ ଏକଦା ଶିକ୍ଷା ଓ ଶିଶୁର ଜୀବନକୁ ନେଇ ଯେଉଁସବୁ ପ୍ରୟୋଗମାନ କରିଥିଲେ, ଏବେ ମଧ୍ୟ ଆମର ପୃଥିବୀରେ ସେଗୁଡ଼ିକ ଆମ ଏକାଳର ଅନୁସନ୍ଧାନ-ପଥରେ କେତେ କେତେ ମହତ୍ତ୍ୱପୂର୍ଣ୍ଣ ଅନ୍ତଃଦୃଷ୍ଟି ଯୋଗାଇ ଦେଇପାରୁଛି । ଜଣେ କବି ଯେତେବେଳେ ଶିକ୍ଷକ ହେବାକୁ ମନକରେ, ଜଣେ ଉପନ୍ୟାସକାର ଯେତେବେଳେ ସତେ ଅବା କେଉଁ ଶୁଭ ଜୀବନଭାବନା ଦ୍ଵାରା ପରିଚାଳିତ ହୋଇ ପଲେ ପିଲାଙ୍କୁ ଆପଣାର ପରମାତ୍ମୀୟ ଭଳି ଅନୁଭବ କରି ପାଖରେ ବସାଏ ଏବଂ ଭବିଷ୍ୟର ସ୍ଵପ୍ନ ଦେଖେ, ସେତେବେଳେ ମଣିଷକୁ ବାଟ କଢ଼ାଇ ଆଗକୁ ଆଗକୁ ନେଇ ଯାଉଥିବା ବିଧାତା ପ୍ରକୃତରେ କେତେ ଅଧିକ ପରିମାଣରେ ଯେ ଆପ୍ତକାମ ଅନୁଭବ କରୁଥିବେ, ରବୀନ୍ଦ୍ରନାଥ ଏବଂ ଟଲଷ୍ଟୟଙ୍କର ଜୀବନ-ବୃତ୍ତାନ୍ତରୁ ଆମେ ସର୍ବଦା ସେହି ଅନୁଭବଟିକୁ ହିଁ ଲାଭ କରିଥାଉ ।

 

ଲେଓ ଟଲଷ୍ଟୟ ନିଜ ଜୀବନର ସେସ ଚରଣରେ ଏକାଧିକ ଅର୍ଥରେ ଜୀବନରେ ଆହୁରି କେତେ କ’ଣ ପ୍ରସାରର ଇଙ୍ଗିତ ପାଇ ଏକ ଋଷି-ଜୀବନକୁ ଗ୍ରହଣ କରିନେଲେ କାହିଁକି କେଜାଣି ? ଭାରତୀୟ ବିଦ୍ୟାର ଭାଷାରେ ସିଏ କ୍ରାନ୍ତଦର୍ଶୀ ହେଲେ । ଶଙ୍କର ଭାଷ୍ୟରେ ଅତ୍ୟନ୍ତ ଯଥାର୍ଥତା ସହିତ କବିକୁ କ୍ରାନ୍ତଦର୍ଶୀ ବୋଲି କୁହାଯାଇଛି । ମନୁଷ୍ୟନିୟତିକୁ ନେଇ ଟଲଷ୍ଟୟ କେତେ ଆହୁରି ଆଗକୁ ଦେଖିପାରିଲେ । ଉପସ୍ଥିତ ସାହିତ୍ୟିକ ଏବଂ କଳାତ୍ମକ ମୂଲ୍ୟଗୁଡ଼ିକର ଏକ ସମଗ୍ରତର ପୁନଃ-ମୂଲ୍ୟାୟନ କରି ବାହାରିଲେ । ବହୁ ତଥାକଥିତ ଖାଲି ସାହିତ୍ୟିକମାନଙ୍କୁ ଭାରି ନିରାଶ କରିଦେଲେ । ଏହିସବୁ ୟାଡ଼େ ଶ୍ୟାଡ଼େ ହୁଡ଼ିଯିବା ଦ୍ଵାରା ଟଲଷ୍ଟୟ ନିଜର ସୃଜନାତ୍ମକ ସାହିତ୍ୟ ଜୀବନରେ କିଭଳି ପ୍ରଭୂତ କ୍ଷତି ଆଣି ପହଞ୍ଚାଇଲେ, ସାହିତ୍ୟ-ଘରର ତୁଚ୍ଛ ସମୀକ୍ଷକମାନେ ବହୁବିଧ ଅଭିମାନରେ ସେହି କଥାଟିକୁ ନେଇ ଏବେ ମଧ୍ୟ ବଡ଼ ଝୁରି ହେଉଛନ୍ତି । ଲେଓ ଟଲଷ୍ଟୟ ଶେଷକୁ ସଂଗ୍ରାମର କଥା କହିଲେ, ସମାଜରୁ ଶୋଷଣର ବିଲୋପ ବିଷୟରେ ବି କହିଲେ । ଲୋକଶକ୍ତିର ଉଦବୋଧନ ଦେଲେ । ସୁଦୂର ମୋହନଚାନ୍ଦ କରମଚାନ୍ଦ ଗାନ୍ଧୀଙ୍କୁ ସିଏ ସତ୍ୟାଗ୍ରହର ଅଭିନବ ମାର୍ଗଟି ଲାଗି ଆବଶ୍ୟକ ପ୍ରାଥମିକ ବିଚାର ଗୁଡ଼ିକୁ ମଧ୍ୟ ଯୋଗାଇ ଦେଇଥିଲେ । ରୋମାଁ ରୋଲାଁ ଉପନ୍ୟାସ ଲେଖୁ ଲେଖୁ ଭାରତୀୟ ଅଧ୍ୟାତ୍ମ ମନୀଷାର ଆଲୋଡ଼ନ ଭିତରକୁ ପ୍ରବେଶ କରି ରାମକୃଷ୍ଣ ଓ ବିବେକାନନ୍ଦଙ୍କର ଜୀବନୀପୁସ୍ତକ ରଚନା କଲେ । ରୋମାଁ ରୋଲାଁ କହିଲେ, ଗାନ୍ଧୀ ମାର୍ଗରେ ସତ୍ୟାଗ୍ରହ ଏବଂ କାର୍ଲମାର୍କସ୍‌ଙ୍କର କଳ୍ପିତ ସର୍ବହରାର ସଚେତନ କ୍ରିୟାଶୀଳତା-ଉଭୟେ ଏକାଠି ହେଲେ ସମ୍ଭବତଃ ଯେଉଁ ବିପ୍ଲବ ସମ୍ଭବ ହେବ, ସେଥିରେ ପୃଥିବୀର ଜନଶିବିର ଏବଂ ଜନଆକାଙ୍‌କ୍ଷାକୁ ଆଉ କେହି ଧୋକା ଦେଇ ପାରିବନାହିଁ । ଆମ ଶତାବ୍ଦୀର ଶେଷ ଭାଗରେ ପୃଥିବୀ ଆଡ଼କୁ ଅନାଇ ମନେ ହେଉଛି, ପୃଥିବୀରେ ପରିବର୍ତ୍ତନର ପରବର୍ତ୍ତୀ ପଦକ୍ଷେପ ଗୁଡ଼ିକ ଆଉ ଠିକ୍ ସେହିଭଳି କୌଣସି ନୂତନ ଘଟଣା ନିମନ୍ତେ ପ୍ରସ୍ତୁତ ହେଉଛି କି ? ଜଣେ ସାହିତ୍ୟକାର ଖାଲି ସାହିତ୍ୟର ଗୁମ୍ଫା ଭିତରୁ ବାହାରି ଆସି ପାରିଲେ ପୃଥିବୀରେ ବିଧାତାଙ୍କର କାର୍ଯ୍ୟ ଲାଗି କେତେ ପ୍ରୟୋଜନରେ ଯେ ଆସିପାରେ, ଆମେ ସମସ୍ତେ ସେହି ବିଷୟରେ ଅଧିକ ଚିନ୍ତା କରିବା ।

 

ପ୍ରୀତିଚେତନାର ଉତ୍‍କ୍ରମଣ-କ୍ଷେତ୍ରରେ ପାହାଚ ହୋଇ ଅଗ୍ରସର ହୋଇପାରିବାକୁ ହେଲେ ସାହିତ୍ୟକୁ ତଥାକଥିତ ଖାଲି ସାହିତ୍ୟର ଯାବତୀୟ ଅସାହିତ୍ୟର ମୋହକୁ ବର୍ଜନ କରି ବାହାରି ଆସିବାକୁ ପଡ଼ିବ । କାହିଁକି କେଉଁ ଚକ୍ରାନ୍ତରେ ପଡ଼ି ଆମର ଆଧୁନିକ ସାହିତ୍ୟ ଏପରି ଅଲକ୍ଷଣା ବୁଦ୍ଧି କରି ରଖିବା ସକାଶେ ଆଗ୍ରହ ଦେଖାଇଲା କେଜାଣି ? ଆଧୁନିକତା ଯାବତୀୟ ଅର୍ଥରେ ପୃଥିବୀ ଯାକ ଏକ ପ୍ରସାରଣର ହିଁ ସନ୍ତକ ହୋଇ ରହି ଆସିଛି । ପୃଥିବୀର ମଣିଷମାନେ ଏହି ଆଧୁନିକ କାଳରେ ପ୍ରବେଶ କରି ହିଁ ଦୂରଦୂରାନ୍ତର ସହ-ମଣିଷ ମାନଙ୍କୁ ପ୍ରତିବେଶୀ ରୂପେ ଅନୁଭବ କରିବାର ସୁଯୋଗ ପାଇଲେ । ଧର୍ମମାନେ, ଆଦର୍ଶମାନେ, ସ୍ଵପ୍ନମାନେ ମଧ୍ୟ ପରସ୍ପରକୁ ଅଧିକ ଅନ୍ତରଙ୍ଗ ବୁଝାମଣାରେ ଚିହ୍ନିଲେ । କାଳକାଳର କେତେ କେତେ କୃପଣତା ଏବଂ ଅଳ୍ପତାକୁ ଭାଙ୍ଗିଦେଇ ଅଭୂତପୂର୍ବ ସମ୍ବାବନାମାନ ମଣିଷ ମାନଙ୍କର ଦ୍ୱାରଦେଶରେ ଆଘାତ ଦେବାକୁ ଆରମ୍ଭ କଲା । ଆମ ସାହିତ୍ୟ ମଧ୍ୟ ସେହି ଅଭିନବ ଏବଂ ଅକୃପଣ ଆହ୍ୱାନଗୁଡ଼ିକୁ ଶୁଣି ପାରିଥାନ୍ତା । ଆମକୁ ଅପେକ୍ଷା କରି ରହିଥିବା ସୋପାନଗୁଡ଼ିକୁ ଗୋଡ଼ ବଢ଼ାଇବା ସକାଶେ ସାହିତ୍ୟ ମଧ୍ୟ ଅନୁରୂପ ସହଯୋଗ କରି ପାରିଥାନ୍ତା । ମାତ୍ର ଭାରତବର୍ଷର ସାହିତ୍ୟରେ ଆମର ଏହି ଘରଟି ଭିତରେ ସତେ ଅବା ଓଲଟା କଥାଟା କ’ଣ ପାଇଁ ଘଟିଲା ? ଆମ ସାହିତ୍ୟର ଘଣ୍ଟିକାଟାକୁ କେତେକ ପାଠୁଆ ଆସି କାମୁଡ଼ି ଧରିଲେ । ପାଠୁଆମାନେ ଯେଉଁ ପାଠ ପାଢ଼ିଥିଲେ, ସେଇଟା ହେଉଛି ସେମାନେ ଛିଡ଼ା ହୋଇଥିବା ଭୂଇଁଟାକୁ ଯଥାସମ୍ଭବ ଯାବତୀୟ ପ୍ରକାରେ ନିନ୍ଦା କରିବାର ଓ ଅସ୍ଵୀକାର କରିବାର ପାଠ । ନୂଆ ଭାରତରେ ଯେଉଁମାନେ ରାଷ୍ଟ୍ର ଶାସନରେ ଆମର ନେତୃତ୍ଵ ନେବାକୁ ଆସି ପହଞ୍ଚିଲେ, ସେମାନେ ବି ଭୂମିକୁ ଚିହ୍ନିଲେ ନାହିଁ, ଏଠି ସର୍ବମୂଳ ଆବଶ୍ୟକତା ଗୁଡ଼ିକୁ ଆଖି ବୁଜି ରହିଲେ । ଶାସନର ମୁଖ୍ୟ ଅଳିନ୍ଦଗୁଡ଼ିକୁ ସତେଅବା ଏକ ଦେୱାନ-ଇ-ଖାସରେ ପରିଣତ କରି ଦେଶଟାକୁ ଚିତା କାଟିଲେ । ନିଜକୁ କୌଣସି ଏକ କାରଣରୁ ସେହିମାନଙ୍କର ସଧର୍ମୀ ହୋଇ ରହିବାକୁ ମନ କରୁଥିବାରୁ ଆମ ସାହିତ୍ୟିକବୃନ୍ଦ ମଧ୍ୟ ଖାଲି ସାହିତ୍ୟିକ ହୋଇ ରହିବା ଲାଗି ମନ କଲେ କି ? ଆମ ଶାସକମାନଙ୍କ ପରି ଆମ ସାହିତ୍ୟିକମାନେ ମଧ୍ୟ ଗୋଟାପଣେ ସାମନ୍ତ ମାନଙ୍କ ପରି ଦେଖାଗଲେ । ଦିନରେ ଚାକିରିଆ ହେଲେ, ପ୍ରାୟ ଏକ ବର୍ବରତନ୍ତ୍ରରେ ହାକିମ ହୋଇ ରହିଲେ ଏବଂ ରାତିକୁ ସାହିତ୍ୟର କାରବାର କଲେ, ସାହିତ୍ୟ ନାମରେ ମୁଆଁ ଖାଇଲେ । ସେମାନେ ଉଭୟେ ଶିଖାଶିଖି ହୋଇ ଏପରି କଲେକି ? ପଚାଶଟା ବର୍ଷ ଭିତରେ ସୃଜନଶୀଳତାର ପରିଭାଷାଗୁଡ଼ିକୁ ମଧ୍ୟ ବଦଳାଇ ଦେଲେ । ଭୂଇଁକୁ ନିଜର ବୋଲି ଜାଣି ଯେଉଁ କୋଟି କୋଟି ମଣିଷ ଭୂଇଁ ଉପରେ ଛିଡ଼ା ହୋଇ ନୂତନ ଭାରତବର୍ଷରେ କ’ଣ ସବୁ ନବୋଦ୍ୟମ ପର୍ବ ଆଡ଼କୁ ରାସ୍ତା ଫିଟିଯିବ ବୋଲି ଅପେକ୍ଷା କରି ରହିଥିଲେ, ସେମାନେ ଓଲମା ହୋଇ ରହିଗଲେ । ଶାସକମାନଙ୍କ ପରି ସାହିତ୍ୟ-ସାଆନ୍ତମାନେ ବି ଆଉ ମୋଟେ ତଳକୁ ଆସି ପାରିଲେ ନାହିଁ । ଏମାନେ ବିଦେଶୀ ଯାତମାନଙ୍କୁ ଅଧିକ ମୂଲ୍ୟରେ ବିକ୍ରି ହେବାକୁ ବହୁ ସରାଗରେ ବାହାରିଗଲେ । ହଁ, ଆମର ବିଶ୍ୱବିଦ୍ୟାଳୟ ମାନଙ୍କରେ ସାହିତ୍ୟରେ ଅଧ୍ୟାପନା ଅବଶ୍ୟ ହେଉଥିଲା ସିନା ଓ ସେଠାରେ ଆହୁରି କେତେ କେତେ ମୂଲକର କଥା ପଡ଼ୁଥିଲା ସିନା, ମାତ୍ର ଭୂଇଁଟିର କଥା ସତେଅବା କାହାରିହେଲେ ମନେ ନଥିଲା । ଭୂଇଁ ପ୍ରତି ରହିଥିବା ଦାୟିତ୍ୱଟି ଯେ ଜଣେ ମଣିଷର ଅସଲ ଦାୟିତ୍ୱ, ସେହି କଥାଟିକୁ ସମସ୍ତେ କେଡ଼େ ଆରାମଦାୟକ ଭାବରେ ପାସୋରି ପକାଉଥିଲେ । ଯେଉଁ ଜାତି ବା ଦେଶର ସାହିତ୍ୟ ଯେତେ ଉନ୍ନତ ଓ ବଡ଼, ସେହି ଜାତି ଓ ଦେଶ ମଧ୍ୟ ସେତେ ଉନ୍ନତ ଓ ବଡ଼ ବୋଲି ଖାଲି ସାହିତ୍ୟର ଖାଦାନ ମାନଙ୍କରୁ କେତେବଡ଼ ପାଟିରେ ଘୋଷଣା କରାଯାଉଥିଲା । ଯେଉଁ ଦେଶ ବା ଜାତିର ଭୂମି ଯେତେ ଅଧିକ ମାନବ-ଅନୁକୂଳ ସେହି ଜାତି ବା ଦେଶର ଖୁଣ୍ଟଗୁଡ଼ିକ ସେତେ ମଜବୁତ ବୋଲି କହିବାକୁ ଆଉ କାହାରି ମନେ ବି ନଥିଲା ।

 

ସୁସ୍ଥ ସାହିତ୍ୟ କଦାପି ଖାଲି ସାହିତ୍ୟର ବାହାନା କରେନାହିଁ । ସୁସ୍ଥ ସାହିତ୍ୟ ମୋଟେ କୌଣସି ଏକ ସ୍ଵାଧିକାରପ୍ରମତ୍ତ ମସ୍ତିଷ୍କରେ ମୁକୁଟପ୍ରାୟ ହୋଇ ଶୋଭା ପାଇବାକୁ ମନ କରେନାହିଁ-। ସୁସ୍ଥ ସାହିତ୍ୟ ମୋଟେ ରୁଷେ ନାହିଁ । ଚତୁର୍ଦିଗରେ ଏତେ ଏତେ ମଣିଷ ସାହିତ୍ୟ ଠାରୁ କେତେ କ’ଣ ଅପେକ୍ଷା କରୁଥିବା ସମୟରେ ସୁସ୍ଥ ସାହିତ୍ୟ ମୋଟେ ପଳାଇ ଯାଏନାହିଁ । କେବଳ ଅସାହିତ୍ୟ ହିଁ ସେପରି କରେ । ଅସାହିତ୍ୟ ମଣିଷକୁ ଭୟ କରେ । ସମୀପବର୍ତ୍ତି ହେବାକୁ ଡରେ । ତେଣୁ ନିଜର ଦ୍ୱୀପଟି ଉପରେ ଅତ୍ୟନ୍ତ ଦୟନୀୟ ଭାବରେ ଯେଉଁ ସ୍ଵଗତ ଆତ୍ମମ୍ଭରିତା ଭିତରେ ଆପଣାକୁ ଏଡ଼େ ଆକାରରେ ଫୁଲାଇକରି ରଖିଥାଏ, ଅସାହିତ୍ୟ ତାହାକୁ ହିଁ ଜାବୁଡ଼ି ବସି ରହିଥାଏ-। ଏତେ ଏତେ ସଙ୍ଗସମ୍ଭାବନା ଭିତରେ ମଧ୍ୟ ନିଃସଙ୍ଗତାର ମିଛ କୀର୍ତ୍ତନମାନ କରିବାରେ ଲାଗିଥାଏ-। ଯାବତୀୟ ଅସାହିତ୍ୟ ସତେ ଅବା ଏକ ଆତ୍ମରତି ଭିତରେ ଭାରି ଅସହଜ ଏବଂ ଉଗ୍ର ହୋଇ ରହିଥାଏ । ସାହିତ୍ୟ ଗଣ୍ଠି ଫିଟାଏ, ନୂଆ ନୂଆ ଡୋରରେ ନିଜକୁ ସତତ ବାନ୍ଧି ରଖିବାର ପ୍ରୟାସ କରି ସିଏ ଅହଂକୁ ଅତିକ୍ରମ କରିବାର ସାଧନା କରୁଥାଏ । ତାର ଯାବତୀୟ ସାହିତ୍ୟକୃତି ତାକୁ ମୂଳତଃ ଏହିଭଳି ଏକ ଧର୍ମାଚରଣରେ ସବାଆଗ ସାହାଯ୍ୟ କରେ । ସହଯୋଗ କରିବାରେ ଲାଗିଥାଏ । ଖାଲି ସାହିତ୍ୟରେ ଯାବତୀୟ ଉଦ୍ୟମ ଲେଖକକୁ ଲୁଚି ରହିବାର ବହୁ ଫନ୍ଦା ବତାଇ ଦେଉଥାଏ । ସମ୍ଭବତଃ ତାହାହିଁ ଗୋଟିଏ କାରଣ, ଯେଉଁଥିପାଇଁ ଆମ ଆଧୁନିକ ସାହିତ୍ୟ ଯେତିକି କହୁଛି, ତା’ଠାରୁ ଅନେକ ଅଧିକ ଲୁଚାଇ ନେଇ ଲୁଚାଇ ରଖିବାକୁ ଚେଷ୍ଟା କରୁଥିବା ପରି ମନେ ହୋଇଥାଏ । ଏହି ଖାଲି ସାହିତ୍ୟର ଦୁଆଗୁଡ଼ାକ ସାହିତ୍ୟିକମାନଙ୍କୁ ମଧ୍ୟ ନାନପ୍ରକାରେ ପରସ୍ପର ଠାରୁ ଦୂରକୁ ନେଇ ଯାଉଥିବା ପରି ବୋଧ ହୋଇଥାଏ । ଖାଲି ସାହିତ୍ୟର ଆରାଧନାକାରୀମାନେ ବହୁ ପରିମାଣରେ ମନର ଲାମ୍ପଟ୍ୟଗୁଡ଼ାକୁ କାମରେ ଲଗାଇ ହୃଦୟଟାକୁ ଚପାଇ ଓ ଦବାଇ ରଖିବା ପାଇଁ ପ୍ରୟାସ କରୁଥାଅନ୍ତି କି ? ଖାଲି ସାହିତ୍ୟରେ ଉପାସକମାନେ ଆମରି ଭିତରେ ରହିଥିଲେ ମଧ୍ୟ ସତେ ଅବା ଆମାଠାରୁ ବହୁ ବହୁ ଯୋଜନ ଦୂରରେ ରହିଥାନ୍ତି । ହଠାତ୍ ପଇଁତରା ମାରି ଆସି ଆମ ପାଖରେ ପହଞ୍ଚି ଯାଆନ୍ତି ଓ ଆମକୁ କ୍ଷଣକ ପାଇଁ ଖୁସି ଦେଇ ପୁଣି କୁଆଡ଼େ ପଳାଇ ଯାଆନ୍ତି-। ସେମାନେ ନିଜ ସହିତ ମଧ୍ୟ ଠିକ୍ ସେହିଭଳି କୌଣସି ଖେଳ ଖେଳିବାର ଲାଗିଥାଆନ୍ତି କି ? ଏହିପରି ଏକ ଦୃଷ୍ଟିକୋଣରୁ ଆମ ଆଧୁନିକ ସାହିତ୍ୟର ସମୀକ୍ଷାମାନ ହୋଇପାରିଲେ ସମ୍ଭବତଃ ଖାଲି ସାହିତ୍ୟର କର୍ଷଣ ପଛରେ ରହିବାର ବହୁତ ଗୁମର ଆମମାନଙ୍କ ଗୋଚରକୁ ଆସିପାରନ୍ତା ।

 

ଆମ ସାହିତ୍ୟ ହେଉଛି ଆମ ଜୀବନର ଏକ ଅଂଶ । ଆମ ଜୀବନର ଏକ ଅଂଶ ବୋଲି ହିଁ ତାହା ଆମ ପ୍ରକୃତରେ ଏଡ଼େ ବଡ଼ ବନ୍ଧୁ । ସେହିପରି ଏକ ସୌଭାଗ୍ୟ ରହିଥିଲେ ଯାଇ ଜଣେ ଲେଖକ ସାହିତ୍ୟକୁ ନିଜର ବନ୍ଧୁ କରି ପାଏ । ବନ୍ଧୁରୂପେ ସାହିତ୍ୟ ଆମ ସମଗ୍ର ଜୀବନକୁ ସ୍ପର୍ଶ କରେ । ଏକ ସମଗ୍ର ଜୀବନର ବାର୍ତ୍ତା ନେଇ ତାହା ଆମ ଜୀବନରେ ପ୍ରବେଶ କରେ । ଆମକୁ ବହୁ ଅଳ୍ପତାର ଆଶଙ୍କାରୁ ମୁକ୍ତ କରିବାକୁ ଆମ ପାଖକୁ ଆସେ । ଆମକୁ ବହୁ ଭାଗ୍ୟଶାଳୀ କରାଏ । ଆମେ ରାଜି ହୋଇ ପାରିଲେ ଯାଇ ଏସବୁ ହୁଏ । ନହେଲେ, କୁଢ଼ କୁଢ଼ ବହି ଲେଖା ହେବାରେ ଲାଗିଥାଏ । ଗୋରୁ ହାଟରେ ଗୋରୁମାନେ ପୁରସ୍କାର ପରେ ପୁରସ୍କାର ପାଇବାରେ ଲାଗିଥାନ୍ତି । ଶୈଳୀରେ ପ୍ରତିଯୋଗିତ ଚାଲିଥାଏ, କୃଷ୍ଣଙ୍କୁ ଏକା ଏକା ଭୋଗ କରିବେ ବୋଲି ଗୋପୀମାନେ ବହୁ ପ୍ରଦର୍ଶନଯୁକ୍ତ ହୋଇ ଶୋଭାଯାତ୍ରାରେ ବାହାରି ଥାଆନ୍ତି । ତଥାପି ଦେଶକୁ ଅପାଳକ ପଡ଼ିଥାଏ । ଗଛମାନେ ବରଷସାରା ବଉଳନ୍ତି, ତଥାପି ଗୋଟିଏ ହେଲେବି କିଷ ଧରେ ନାହିଁ । ଖାଲି ସାହିତ୍ୟର ଦୁର୍ବୁଦ୍ଧି ଆସି ଘୋଟିବା ଦିନଠାରୁ ଆମ ସାହିତ୍ୟକୁ ହୁଏତ ସେହିଭଳି କୌଣସି ଦଶା ପଡ଼ିଛି । ସାହିତ୍ୟ ନିମନ୍ତେ ସରକାର ମଧ୍ୟ ପାଟ ପିତାମ୍ବରୀ ଆଣି ଯୋଗାଇ ଦେଉଛନ୍ତି । ତଥାପି ସାହିତ୍ୟ ସାଆନ୍ତମାନଙ୍କର କବଳରୁ ବାହାରି ପାରୁନାହିଁ । ସତେ ଅବା ଅସଲ ଦୁଆର ଗୁଡ଼ିକ ଖୋଲିବା ନିମନ୍ତେ ତଥାପି ଅପେକ୍ଷା ରହିଛି । ଦୁଆର ଖୋଲିବାର ସେହି ମୂହୁର୍ତ୍ତଟି ହେଉଛି ପ୍ରକୃତରେ ଏକ ଦେବମୂହୁର୍ତ୍ତ । ଭାରତୀୟ ସାହିତ୍ୟ ଏବେ ସେହିପରି ଏକ ଦେବମୂହୁର୍ତ୍ତକୁ ଅପେକ୍ଷା କରି ରହିଛି । ଓହ୍ଲାଇ ଆସିବାକୁ, ଦୁଆର ଫିଟାଇ ଦେବାକୁ ସମ୍ମତି ଦଳେ ଯାଇ ଜଣେ ସାହିତ୍ୟିକର ଜୀବନରେ ମଧ୍ୟ ସେହି ମୁହୂର୍ତ୍ତଟି ଆସି ପହଞ୍ଚିଯାଏ । ଅହଂଘରେ ଅର୍ଗଳ ଫିଟେ । ଆମର ଯାବତୀୟ ମେଧା ହୃଦୟ ଆଡ଼କୁ ବାଟ ଖୋଲି ଦିଅନ୍ତି । ଏବଂ ସେହି ହୃଦୟ ଭିତରେ ହିଁ ମନୁଷ୍ୟ-ମହାଖଣ୍ଡର ରୂପରେ ସମଗ୍ର ପୃଥିବୀ ଆମ ଲାଗି ଅପେକ୍ଷା କରି ରହିଥାଏ । ସ୍ଵାଧୀନ ଭାରତବର୍ଷର ରାଜନୀତିକ ପୃଷ୍ଠଟିରେ ଯେପରି ଏକ ମୋହଭଙ୍ଗର ପର୍ଯ୍ୟାୟ ଆରମ୍ଭ ହେବାର କ୍ରମସୂତ୍ରପାତ ହେଲାଣି, ଏଠି ସାହିତ୍ୟ ମଧ୍ୟ ସେହିପରି ଖାଲି ସାହିତ୍ୟର ନିର୍ବାସିତ ବିଳାସ ଭିତରେ ରହିବାର ପର୍ଯ୍ୟାୟଟିକୁ ଛାଡ଼ିଦେଇ ଏକ ଅନୁରୂପ ଉତ୍ତରଣ ଲାଗି ସମର୍ଥ ହେଉ । ଆମ ଜୀବନର ପରିଧି ଓ ସ୍ଵପ୍ନଗୁଡ଼ିକୁ ଯେତିକି ପ୍ରସାରିତ, ସାହିତ୍ୟିକ ମଧ୍ୟ ନିଜକୁ ସେତିକି ପ୍ରସାରିତ ଓ ନିବେଦିତ କରିପାରିବା ଲାଗି ରାଜି ହୋଇଯାଉ । ତା’ପରେ ଯାଇ ଆମର ଭୂଇଁଟି ମଧ୍ୟ ଆମ ସାହିତ୍ୟକୁ ସତକୁ ସତ ଏକ ସାଥୀ ରୂପେ ଗ୍ରହଣ କରିନେବ । ସାହିତ୍ୟ ଏକ ବିଳାସ ନୁହେଁ, ସତକୁ ସତ ଏକ ଆବଶ୍ୟକତାରେ ପରିଣତ ହେବ । ଆମ ସାମୂହିକ ଜୀବନରେ ଆମେ ମନ କରୁଥିବା ସମ୍ଭାବ୍ୟ ଆକାଶଗୁଡ଼ିକୁ ଛୁଇଁ ପରିବାର ପ୍ରକ୍ରିୟାରେ ଆମ ସାହିତ୍ୟ ଅବଶ୍ୟ ସାଙ୍ଗରେ ରହିଥିବ ।

 

୦୧ । ୦୨ । ୧୯୯୯

Image

 

ରାଜସତ୍ତା ଓ ଲୋକଶକ୍ତି

 

ରାଜା ଶାସନ କରିବ, ପ୍ରଜାମାନେ ରାଜାମାନଙ୍କ ଦ୍ଵାରା ଶାସିତ ହେବେ, —ଏହି କଥାଟା ପୁରାତନ ପୃଥିବୀରେ ପ୍ରାୟ ଏକ ଧର୍ମବିଶ୍ଵାସ ପରି ଚଳୁଥିଲା । ସେହି ବିଶ୍ୱାସକୁ ସମର୍ଥନ କରି ଶାସ୍ତ୍ର ଲେଖା ହେଉଥିଲା । ରାଜାମାନେ ପ୍ରଜାବତ୍ସଳ ହୁଅନ୍ତୁ ଅର୍ଥାତ୍ ପ୍ରଜାମାନଙ୍କର କଲ୍ୟାଣ ନିମନ୍ତେ ରାଜ୍ୟମାନଙ୍କର ଶାସନ କରନ୍ତୁ ବୋଲି ଭାରତବର୍ଷରେ ସେହି ପ୍ରାଚୀନ କାଳରେ ଅରଣ୍ୟ ଓ ଅଟବୀମାନଙ୍କରେ ରହି ତପସ୍ୟା କରୁଥିବା । ମୁନୀଋଷିମାନେ ମଧ୍ୟ କେଡ଼େ ବ୍ୟାକୁଳ ଭାବରେ ଇଚ୍ଛା କରୁଥିଲେ । ତଥାପି କ’ଣ ପାଇଁ ମନୁଷ୍ୟ-ଇତିହାସର ନିୟତି ସେହି କଥାଟିକୁ ସ୍ଵୀକାର କରିନେଇ ପାରିଲା ନାହିଁ କେଜାଣି, ସେହି ରାଜାମାନେ ଆମର ଏହି ପୃଥିବୀ ବିଦ୍ୟାରେ, ଚେତାନରେ ଏବଂ ପାରସ୍ପରିକ ପରିଚୟରେ ଅଗ୍ରସର ହୋଇ ଆସୁଥିବା ସଙ୍ଗେ ସଙ୍ଗେ କ୍ରମେ ଅପସରି ଗଲେ ଏବଂ ଲୋକଶକ୍ତି ନାମକ ଏବର ଏହି ଅନ୍ୟ କଥାଟି ଜନ୍ମଲାଭ କଲା । ପ୍ରଜାମାନେ ଘୁଷୁରି ନୁହନ୍ତି; ପ୍ରଜାମାନେ ମଧ୍ୟ ଏକ ଶକ୍ତି; ଏହି ନୂଆ ସତ୍ୟଟିର ପ୍ରତିଷ୍ଠା ନିମନ୍ତେ ପୃଥିବୀଯାକ କେତେ ଓଲଟପାଲଟ ହୋଇ ଆସିଛି । ବିପ୍ଲବ ହୋଇ ଆସିଛି, ଏବେ ମଧ୍ୟ ହେଉଛି । ପ୍ରାୟ ଶହେବର୍ଷ ତଳେ ଭାରତବର୍ଷର ସ୍ଵାମୀ ବିବେକାନନ୍ଦ ଆମେରିକାରେ ସେଠା ମଣିଷମାନଙ୍କୁ ଦେଖି ସମ୍ଭବତଃ ଏତେ ଅଭିଭୂତି ହୋଇ ପଡ଼ିଥିଲେ ଯେ, ସେହି ଭୂଖଣ୍ଡରେ ପ୍ରତ୍ୟେକ ବ୍ୟକ୍ତି ପ୍ରକୃତରେ ଜଣେ ଜଣେ ରାଜା ବୋଲି ଅତି ଉଲ୍ଲସିତ ଭାବରେ କହି ପକାଇଥିଲେ । ପ୍ରତ୍ୟେକ ମନୁଷ୍ୟ ତା’ର ହୃଦୟ ଅର୍ଥାତ୍ ଅସଲ ବିବେକଟି ମଧ୍ୟରେ ପରମ ସତ୍ୟକୁ ବହନ କରି ପୃଥିବୀକୁ ଆସିଛି ଏବଂ ତେଣୁ ତାକୁ କଦାପି ହେୟ ଲୋଷ୍ଟ୍ରବତ୍ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଆମ ଦେଶର ଅଧ୍ୟାତ୍ମ ବିଦ୍ୟା ଚିରକାଳ ଘୋଷଣା କରି ଆସିଥିଲେ ମଧ୍ୟ ଏଠି ସଜ୍ଜନମାନେ ଅତେଅବା କେଉଁ ଅନ୍ୟ ଗରଜରେ ପଡ଼ି ରାଜାମାନଙ୍କ ଦ୍ଵାରା ହିଁ ପ୍ରଜାମାନେ ଶାସିତ ହେବେ ବୋଲି ରାଜି ହୋଇ ଯାଇଥିଲେ । ଏପରିକି ତୁଚ୍ଛା ରାକ୍ଷସମାନେ ବେଳେ ବେଳେ ସିଂହାସନରେ ଆସୀନ ହୋଇ ରହିଥିଲେ ମଧ୍ୟ ସେମାନଙ୍କ ପାଖରେ ଅନୁଗତ ହୋଇ ରହିବା ପ୍ରଜାର ଧର୍ମ ବୋଲି ପରାମର୍ଶ ଦେଉଥିଲେ ।

 

ପ୍ରଜାମାତ୍ରେ ପ୍ରତ୍ୟେକେ ଯେ ମନୁଷ୍ୟ ଏବଂ ତାହାରି ଉଦୟ ଲାଗି ଯେ ଯାବତୀୟ ଶାସନ ନିଜକୁ ଅନୁକୂଳିତ ଏବଂ ସମ୍ମତ କରି ରଖିବ, ବିଜ୍ଞାନ ହିଁ କ୍ରମେ ପୃଥିବୀରେ ସାମୂହିକ ଜୀବନ-ବ୍ୟବସ୍ଥାମାନଙ୍କରେ ଅଧିକରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ଭୂମିକାମାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ପୃଥିବୀର ବିବେକ ମଧ୍ୟ ସେହି କଥାଟିକୁ ବୁଝିବାକୁ ଏବଂ ସେହି ଅନୁସାରେ ନିଜ ଅନ୍ଦାଜଗୁଡ଼ିକୁ ବଦଳାଇବାକୁ କ୍ରମେ ପ୍ରଶିକ୍ଷିତ ହୋଇ ଆସିଥିଲା । ରାଜତନ୍ତ୍ରମାନେ ବିଦା ହୋଇଯିବାକୁ ଆରମ୍ଭ କଲେ ଏବଂ ସାମ୍ରାଜ୍ୟମାନେ ଅସ୍ତମିତ ହେଲେ । ଉପନିବେଶମାନେ ବହୁ ସ୍ଵାଧୀନ ରାଜ୍ୟର ନୂଆ ପରିଚ୍ଛଦରେ ଆବିର୍ଭୂତ ହେଲେ । ବିଂଶ ସତାବ୍ଦୀରେ ପ୍ରାୟ ଅଧାଅଧି ବେଳକୁ ପୃଥିବୀରେ ଶାସନ-କାୟରେ ଏହି ଯେଉଁ ତୁମୂଳ ପରିବର୍ତ୍ତନଟି ଘଟିଲା, ବହୁ ଅର୍ଥରେ ଆମେ ତାହାକୁ ସମ୍ପୂର୍ଣ୍ଣ ଶତାବ୍ଦୀଟିର ଏକ ପ୍ରଧାନ ଘଟଣା ବୋଲି ହୁଏତ କହିପାରିବ । ସତେଅବା ସେହି ସତ୍ୟଟିର ମୂହୁର୍ତ୍ତ ଆସି ପହଞ୍ଚି ଆସି ପହଞ୍ଚି ଯାଇଥିଲା । ଅସଲ ଶକ୍ତି ଯେ ଶାସିତମାନଙ୍କ ପାଖରେ ରହିଛି, ଅର୍ଥାତ୍ ଶାସିତମାନେ ଯେ ସେହି ଶକ୍ତିର ପରିଚୟ ଲାଭ କରି ନିଜର ଶାସନ ନିଜେ କରିବେ ଏବଂ ସେମାନଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧିମାନେ ଯେ ମୂଳତଃ ସେହିମାନଙ୍କର ଉଦୟ ଏବଂ ଉନ୍ନୟନକୁ ସବା ଆଗରେ ରଖି ଯାବତୀୟ ଶାସନ ତଥା ପ୍ରଶାସନକୁ ଚଳାଇବେ, —ପୃଥିବୀର ରାଜନୀତି ବିଜ୍ଞାନ କ୍ରମେ ଅଧିକରୁ ଅଧିକ ସ୍ପଷ୍ଟ ଭାବରେ ସେହି କଥାଟିକୁ କହିବାକୁ ଆଗଭର ହୋଇ ଆସିଲା-। ନୂଆ ହୋଇ ସ୍ଵାଧୀନ ହୋଇଥିବା ଦେଶମାନଙ୍କରେ ଏକାବେଳେକେ ଏକ ନୂତନ ମୂଳପ୍ରତ୍ୟୟରେ ଯେଉଁସବୁ ସମ୍ବିଧନ ଲେଖା ହେଲା, ସେହିଗୁଡ଼ିକ କାର୍ଯ୍ୟକାରୀ କରିବା ଯେ ଆଦୌ କେବଳ ଏକ ରାଜନୀତିକ କାର୍ଯ୍ୟ ନୁହେଁ, ସେହି କଥାଟି ମଧ୍ୟ କ୍ରମେ ଅଧିକ ସ୍ପଷ୍ଟ ହୋଇ ଆସିଲା । ନୂଆ ଅଟ୍ଟାଳିକାଟିକୁ ତିଆରି କରିବାକୁ ହେଲେ ମୂଳଦୁଆଟିକୁ ମଧ୍ୟ ସେହି ବହୁମନ୍ତେ ନୂଆ କରିବାକୁ ପଡ଼ିବ, ଆହୁରି ଅନେକ ଦେଶ ପରି ଆମର ଏହି ଭାରତବର୍ଷରେ ମଧ୍ୟ ସେହି ସମସ୍ୟାଟି ଆସି ଆମ ସମ୍ମୁଖରେ ଉପସ୍ଥିତ ହେଲା । କହିବା ବାହୁଲ୍ୟ, ବ୍ୟତୀତ ପଚାଶବର୍ଷର ନିର୍ମୀୟମାଣ ଭାରତବର୍ଷରେ ପ୍ରଧାନତଃ ତାହାରି ପ୍ରସ୍ତୁତି ହିଁ ହୋଇ ଆସିଛି । ପ୍ରତିକୂଳ ପରିସ୍ଥିତିମାନେ ସର୍ବଦା ପ୍ରତିରୋଧ କରି ଆସିଛନ୍ତି ଓ ଲୋକଶକ୍ତି ତଥାପି ଆପଣାକୁ ଆବିଷ୍କାର କରିବାରେ ଲାଗିଛି । ଭାରତୀୟ ସମାଜର ନାନା କ୍ଷେତ୍ରୀୟ ନ୍ୟସ୍ତ-ସ୍ଵାର୍ଥମାନେ ସତେଅବା ଏହି ଦେଶର ଲୋକଭାଗ୍ୟ ଉପରେ ରାଜା ହୋଇ ରହିବାର ଆଣ୍ଟଟାକୁ ଛାଡ଼ି ପାରୁନାହାନ୍ତି ଏବଂ ତେଣୁ ବହୁ ଆଦିମ ଲାଳସା ଦ୍ଵାରା ଗ୍ରସ୍ତ ହୋଇ ରହୁଛନ୍ତି । ଭାରତର ରାଜନୀତିକୁ ସେମାନେ ଧର୍ମତଃ ଲୋକାଭିମୁଖୀ ହେବା ପାଇଁ ଛାଡ଼ି ଦେଉ ନାହାନ୍ତି । ଭାରତୀୟ ଧର୍ମମାନେ ଯୁଗ ଯୁଗ ଧରି ଆପଣାକୁ ସତେଅବା ଏକ ଊତ୍ତେଜନାପୂର୍ଣ୍ଣ ଦ୍ଵୀପାଳୟରେ ଏପରି କବଳିତ କରି ରଖିଛନ୍ତି ଯେ, ଲୋକଶକ୍ତିର ନୂତନ ଆହ୍ଵାନଗୁଡ଼ିକୁ ବୁଝି ପାରିବା ସକାଶେ ସେମାନଙ୍କ ଭିତରେ ଏକ ତଦନୁରୂପ ଅକଲ ଆଦୌ ଜନ୍ମଲାଭ କରି ପାରୁନାହିଁ । ସମ୍ପ୍ରଦାୟ ଓ ମଠମାଙ୍କର ସମ୍ପତ୍ତି ବଢ଼ୁଛି, ପ୍ରଦର୍ଶନ-ପ୍ରିୟ ଶକ୍ତି ବଢ଼ୁଛି । ପଣ୍ଡିତମାନେ ରାଜସଭାରେ ବସି ଦାସବୃତ୍ତି କରୁଛନ୍ତି । ସମସ୍ତେ ମିଶି ଏକ ସାମନ୍ତବାଦକୁ ଦୋରସ୍ତ କରି ରଖିବାର ଅପଚେଷ୍ଟା କରିବାରେ ଲାଗିଛନ୍ତି ।

 

ଲୋକଶକ୍ତି ବୃଦ୍ଧି ପାଇବାର ପ୍ରକୃତ ରାସ୍ତାଟି ଏକାବେଳେକେ ନିଆରା । କାଳ କାଳରୁ ନାନାବିଧ ଅସମାନତାକୁ ଭରସା କରି ପ୍ରତିପତ୍ତି ଦେଖାଇ ଆସିଥିବା ଭାରତୀୟ ସମାଜରେ ସେହି ରାସ୍ତାଟିକୁ ଫିଟାଇବା ସକାଶେ ଯାହାକିଛି ହୋଇ ପାରିଥାନ୍ତା ବା ଘଟି ପାରିଥାନ୍ତା, ସେଗୁଡ଼ିକ ଏପର୍ଯ୍ୟନ୍ତ ହୋଇ ପାରିନାହିଁ ବା ଘଟି ପାରିନାହିଁ । ସବୁ ପିଲା ଇସ୍କୁଲକୁ ଆସି ପାରିନାହାନ୍ତା । ଯେଉଁମାନେ ଆସୁଛନ୍ତି, ସେମାନେ ମଧ୍ୟ ବାର ଭଳି ଭିନ୍ନ ଭିନ୍ନ ପାଠ ପଢ଼ୁଛନ୍ତି । ସାତେଅବା ଚିରକାଳ ଲାଗି ଏହି ଦେଶ ଯେପରି ଥାକ ଥାକ ଅର୍ଥାତ୍ ଅସମାନ ହୋଇ ରହିବ, ଉଭୟ ବେସରକାରୀ ଏବଂ ସରକାରୀ ସାମନ୍ତମାନେ ପ୍ରବଳ ନିଷ୍ଠା ସହକାରେ ପ୍ରାୟ ସେହି ଚେଷ୍ଟାଗୁଡ଼ିକୁ କରିବାରେ ଲାଗିଛନ୍ତି । ସରକାରଙ୍କ ବରାଦ ଅନୁସାରେ ଦେଶରେ ଅର୍ଥ ବରାଦ ଏବଂ ସୁଯୋଗ-ପ୍ରଦାନର ବ୍ୟବସ୍ଥାମାନ ଏପରି ଆକାଧିକ ଦୁର୍ବୁଦ୍ଧି ଦ୍ଵାରା ପରିଚାଳିତ ହେଉଛି ଯେ, ତଦ୍ଦ୍ୱାରା ଧନୀ ଅଧିକ ଧନୀ ହେଉଛି ଓ ଦରିଦ୍ର ଅଧିକ ଦରିଦ୍ର ହେବାରେ ଲାଗିଛି । ଅର୍ଥାତ୍, ସାନମାଛ ମାନଙ୍କୁ ଖାଇଯିବା ପାଇଁ ବଡ଼ମାଛ ମାନଙ୍କୁ ଅଧିକ ସୁଯୋଗ ଅଧିକ ସୁଯୋଗ ମିଳିଛି । ଦେଶରେ ଅଧିକତର ପରିମାଣରେ କୃଷିଯୋଗ୍ୟ ଭୂମି ଉଚ୍ଚବର୍ଣ୍ଣ ଆଚାଷୀମାନଙ୍କ ହାତରେ ରହିଛି । ପ୍ରଶାସନ ନାମକ କଳଟାକୁ ଯେଉଁ ଚାକିରିଆମାନେ ସବାଉପରେ ରହି ଚଳାଉଛନ୍ତି, ନାନାଭାବେ ବଞ୍ଚିତ ହୋଇ ରହିଥିବା କୋଟି କୋଟି ଦେଶବାସୀଙ୍କ ସହିତ ସେମାନଙ୍କର ପ୍ରାୟ କୌଣସି ନାଡ଼ ଲାଗି ନାହିଁ । ନିଜକୁ ଏହି ଦେଶର ନାଗରିକ ରୂପେ ଅନୁଭବ କରିବା ପରିବର୍ତ୍ତେ ସେମାନେ ସତେଅବା ଜଣେ ଜଣେ ଇନ୍ଦ୍ର ପରି ରହିବାର ବରାଦ କରିବାରେ ଲାଗିଛନ୍ତି । ହାକିମକୁଳ ଭାରତୀୟ ଭୂମିର ଭାଷାଗୁଡ଼ିକୁ ସମ୍ଭବତଃ ଘୃଣା ବି କରୁଛନ୍ତି ଓ ତେଣୁ ଇଂରାଜୀକୁ ହିଁ ଏକାଧିକ ଅର୍ଥରେ ଶାସନର ଭାଷା କରି ରଖିବାରେ ବଡ଼ ସୁଖ ପାଉଛନ୍ତି । ଯାବତୀୟ ଅର୍ଥରେ ଦେଶ ନାମକ ଏହି ଘରଟିରେ ସେମାନେ ନିଜକୁ କୁଣିଆ ପରି ବିଚାରୁଛନ୍ତି ଏବଂ ତେଣୁ ଦୂରଛଡ଼ା ହୋଇ ଆପଣାର ଏକ ଅଲଗା ମଞ୍ଚା ତିଆରି କରି ରହିଛନ୍ତି । ନିର୍ବାଚିତ ପ୍ରତିନିଧିମନେ ନିଜକୁ ଆଗ ରଜା ବୋଲି ମଣୁଛନ୍ତି । ଏହି ଦେଶରେ ସବାଆଗ ନିଜ ଭାଗ୍ୟର ନିର୍ମାଣ କରୁଛନ୍ତି । ସ୍ଵାଧୀନ ଭାରତବର୍ଷଟାକୁ ଭୋଗ କରିବାର ନିଶାରେ ପଡ଼ି ସେମାନେ ହାକିମତନ୍ତ୍ରଟା ସହିତ ସଲା କରିଥିବା ପରି ଦେଶକୁ ଠକିଲେ, ଗୟଳ ହେଲେ, ଭାରତବର୍ଷର ଭାଗ୍ୟକୁ ଗିଳି ପକାଇବା ନିମନ୍ତେ ସର୍ବବିଧ ଉପାୟରେ ଉଦ୍ଭାବନ ମଧ୍ୟ କରି ବାହାରିଲେ । ଦେଶକୁ ତିଆରି କରିବାକୁ ଖର୍ଚ୍ଚ ହେଉଥିବା ପଇସାରୁ ନିଜ ସକାଶେ ହିଁ ଜ୍ୟେଷ୍ଠ ଭାଗଗୁଡ଼ିକୁ ଦାବି କଲେ । ଲୋକଶକ୍ତିକୁ ଭୁରୁଡ଼ାଇ ରଖିବା ପାଇଁ ସବୁ ପ୍ରକାରର ଫିକର ବାହାର କଲେ ।

 

ରାଜା ଓ ସାମନ୍ତମାନେ ଦୟାକୁ ହିଁ ସତେଅବା ଏକମାତ୍ର ରୀତି ବୋଲି ଗ୍ରହଣ କରି ନେଇଥାନ୍ତି । ଖିଆଲ ଅନୁସାରେ ଦୟା ଦେଖାନ୍ତି ଏବଂ ଖିଆଲ ଅନୁସାରେ ଦୟା ପ୍ରତ୍ୟାହାର କରି ନିଅନ୍ତି । ସେମାନଙ୍କର ରଜ୍ଜୁରେ ବନ୍ଧା ହୋଇ ବାହକମାନେ ନାଚୁଥିଲେ ସେମାନେ ସବୁବଳେ ଭାରି ଆତ୍ମପ୍ରସାଦ ଲାଭ କରନ୍ତି । ସେହି ଆତ୍ମପ୍ରସାଦରୁ ଯାଉଣୁ ଆସୁଣୁ ସକଳ ପ୍ରକାରର ଦୁର୍ନୀତି କରିବାକୁ ବାଧ୍ୟ ସାହସ ହେଉଛି । ନହେଲେ, ଜଣେ ସୁସ୍ଥ ମଣିଷ କଦାପି ତେଣେ ଗୋଡ଼ ଖସାଇ ବି ଦିଅନ୍ତା ନାହିଁ ଓ ତାହାକୁ ମନ କରନ୍ତା ନାହିଁ । ଅନେକଙ୍କୁ ବଞ୍ଚିତ କରି ଆମେ ଯଥାସମ୍ଭବ ସବୁକିଛି କି ଭୋଗ କରିବାର ଏହି ଯେଉଁ ପ୍ରବୃତ୍ତି ବର୍ତ୍ତମାନ ଆମ ବ୍ୟବସ୍ଥାଗୁଡ଼ିକର ଉଚ୍ଚ ଦାଣ୍ଡିମାନଙ୍କରେ ଛାତି ଫୁଲାଇ ପ୍ରବେଶ କରିଛି, ତାହା ହିଁ କେତେ କେତେ ଅନ୍ୟାୟକୁ ପ୍ରଶ୍ରୟ ଦେଇଛି ଓ ସେହି ଅନ୍ୟାୟଗୁଡ଼ିକୁ କୋଟି କୋଟି ମନୁଷ୍ୟଙ୍କୁ ଅସହାୟ କରି ରଖିଛି । ଉପରେ ଥୋକେ ମଣିଷ ମ୍ଳେଚ୍ଛ ଓ ହୃଦୟହୀନ ଭାବରେ ସହ୍ୟ କରୁଛନ୍ତି । ଧର୍ମ ଉଦାସୀନ ହୋଇ ସବୁ ଦେଖୁଛି, ପ୍ରତିବାଦ କରୁନାହିଁ । ଅସଲ ସମାଜ ମଣିଷକୁ ସମ୍ମାନ ଦିଅନ୍ତା, ନ୍ୟାୟ ଦିଅନ୍ତା । ଅସଲ ହୃଦୟବତ୍ତା ମଣିଷକୁ ଅପର ମନୁଷ୍ୟମାନଙ୍କ ପାଖକୁ ଆକର୍ଷିତ କରି ଆଣନ୍ତା । ପ୍ରତ୍ୟେକେ ଆପଣାକୁ ଏହି ଭୂମିର ସନ୍ତାନ ବୋଲି ଜାଣି ଗୌରବ ଅନୁଭବ କରୁଥାନ୍ତେ । ଭାରତବର୍ଷରେ ସବୁ ମଣିଷ ଯେ ଜଣେ ଜଣେ ସନୁଷ୍ୟ ହିସାବରେ ଗୌରାବନ୍ୱିତ ଅନୁଭବ କରୁନାହାନ୍ତି, ଏକ ନିର୍ମମ ଭାଗ୍ୟବାଦ ଯେ ମଣିଷକୁ ମଣିଷ ପାଖରେ ଉଦାସୀନ କରି ରଖିଛି, ହୁଏତ ଏହିପରି ଭାବରେ ତାହାର ଏକ କାରଣ ଖୋଜି ବାହାର କରାଯାଇପାରେ । ବିଜ୍ଞାନ ଓ ସମ୍ମାନବୋଧର ଏହି ଯୁଗରେ ମଣିଷ ମଣିଷକୁ ଅନୁରାଗ ପ୍ରଦର୍ଶନ କରିବ ନାହିଁ—ସିଏ ସହୋଦର ଭାବରେ ଅନ୍ୟମାନଙ୍କୁ ଲୋଡ଼ିବ । ତାହାରି ଦ୍ଵାରା ହିଁ ଲୋକଶକ୍ତି ସାକାର ହୋଇ ଅନୁଭୂତ ହୋଇ ପାରିବ । ସରକାର ଲୋକମାନଙ୍କ ଉପରେ ରଜା ହୋଇ ରହିବା ନାହିଁ ଏବଂ ଅସଲ ଶକ୍ତି ତଳେ ଲୋକସ୍ତରରେ ହିଁ ରହିଥିବ । ଏଥିଲାଗି ମନୁଷ୍ୟମାତ୍ରକେ ସମସ୍ତେ ଏହି ଦେଶରେ ଆପଣାର ସର୍ବନିମ୍ନ ଆବଶ୍ୟକତା ଗୁଡ଼ିକ ବିଷୟରେ ନିଶ୍ଚିତ ହୋଇ ରହିଥିବେ । ଭାରତବର୍ଷରେ ଏବେ ମଧ୍ୟ ଯେ କୋଟି କୋଟି ମନୁଷ୍ୟ ଅରକ୍ଷିତ ହୋଇ ରହିଛନ୍ତି, ତାହାର ଏକ ପ୍ରଧାନ କାରଣ ହେଉଛି ଯେ, ସେମାନେ ନିଜର ଶକ୍ତି ବିଷୟରେ ସଚେତନ ହୋଇନାହାନ୍ତି । ସେମାନେ ସେହି ସଚେତନତା ଲାଭ କରନ୍ତୁ, ହୁଏତ ଭାରତର ରଜା ହୋଇ ବସିଥିବା ବିଶିଷ୍ଟ ଓ ଭାଗ୍ୟବାନ ବର୍ଗଟି ଏକଥା ଆଦୌ ଇଚ୍ଛା କରୁନାହିଁ ।

 

ଇଏ କିଭଳି ଏକ ଦେଶ, ଯେଉଁଠାରେ ଅଧିକରୁ ଅଧିକ ମଣିଷ ଆଲୋଡ଼ାପ୍ରାୟ ହୋଇ ରହିବେ, ଆପଣାର ଶକ୍ତି ବିଷୟରେ ପ୍ରାୟ ନିରକ୍ଷର ହୋଇ ରହିଥିବେ, ଅବହେଳିତ ହୋଇ ରହିଥିବେ ଅଥଚ ପ୍ରତିବାଦ କରି ପାରୁ ନଥିବେ ? ସବୁଠାରୁ ଅଧିକ ଖଟିବେ, ସବୁଠାରୁ ଅଧିକ ସହ୍ୟ କରୁଥିବେ, —ଏକ ଗଣତନ୍ତ୍ରର ବ୍ୟବସ୍ଥାରେ ସମର୍ଥତାର ଅସଲ ଚାବିକାଠିଗୁଡ଼ିକ ଯେ ସେହିମାନଙ୍କ ହାତରେ ରହିଛି, ସେହି ବିଷୟରେ ଏକାନ୍ତ ଅଜ୍ଞ ହୋଇ ରହିଥିବେ ? ସାରା ଜୀବନ ସବୁକିଛିକୁ ମାନି ନେଉଥିବେ ଏବଂ ଏ ସବୁରେ ଯେ ଏକ ପରିବର୍ତ୍ତନ ଅବଶ୍ୟ ସମ୍ଭବ, ସେହି କଥାଟିକୁ ଅନୁଭବ ବି କରି ପାରିବେ ନାହିଁ ? ଅସଲ କଥାଟିକୁ କହି ଦେବା ପାଇଁ ଆବଶ୍ୟକ ନେତୃତ୍ଵଟି ପ୍ରକୃତରେ କେଉଁଠାରେ ଆସିବ ? ଯିଏ ଦେଶ କହିଲେ ଦେଶରେ ବାସ କରୁଥିବା ସବୁ ମଣିଷଙ୍କର ଭାଗ୍ୟକୁ ବୁଝୁଥିବ, ସ୍ଵାଧୀନ ଭାରତବର୍ଷରେ ପଚାଶ ବର୍ଷ ଅତିବାହିତ ହୋଇଯିବା ପରେ ସିଏ ନିଜକୁ ସବା ଆଗ ସେହି ପ୍ରଶ୍ନଟିକୁ ହିଁ ନିଶ୍ଚୟ ପଚାରିବାକୁ ମନ କରିବ । ନିଜକୁ ପଚାରିବ, ରାଷ୍ଟ୍ରକୁ ମାଡ଼ି ବସିଥିବା ରଜାମାନଙ୍କୁ ପଚାରିବ, ତୁଚ୍ଛା ଧୂର୍ତ୍ତପଣ କରି ରଜା ପାଖରେ ଗୋଲାମୀ କରୁଥିବା ବାବୁମାନଙ୍କୁ ମଧ୍ୟ ପଚାରିବ । ସ୍ଵାଧୀନତା ପାଇଁ ଏକ ସଂଗ୍ରାମ ଲଢ଼ା ହେଉଥିବା ସମୟରେ ନେତାମାନେ ସ୍ୱାଧିନ ଭାରତବର୍ଷକୁ ସମ୍ମୁଖରେ ରଖି କେତେ ନା କେତେ ବିଶ୍ଵାସ ସ୍ଥାପନ କରିଥିଲେ । ସେହି ବିଶ୍ଵାସଟିକୁ ବଳ କରି ହିଁ ସଂଗ୍ରାମୀମାନେ ସଂଗ୍ରାମ ଲଢ଼ିଲେ ଏବଂ ସ୍ଵାଧୀନତା ଆଣିଲେ । ବିଗତ ପଚାଶ ବର୍ଷ ମଧ୍ୟରେ ସେହି ବିଶ୍ୱାସଟି ହିଁ ସମ୍ଭବତଃ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବିଶ୍ଵାସଟି ଭାଙ୍ଗି ରୁଜି ଯିବା ହେତୁ ଦେଶର ସେହି ଏକକ ଶକ୍ତିମନ୍ତ ରୂପଟି ମଧ୍ୟ ଆଉ କେଉଁଠି ହେଲେ ଦେଖିବାକୁ ମିଳୁନାହିଁ । ଏହି ଦେଶରେ ବର୍ତ୍ତମାନ ଯେଉଁମାନେ ଅଧିକ ସମର୍ଥ, ସେମାନେ ସତେଅବା ନିଜକୁ ଅଧିକରୁ ଅଧିକ ଗରିଷ୍ଠ କରି ରଖିବା ବ୍ୟତୀତ ଆଉ କିଛି ହେଲେ କରୁ ନାହାନ୍ତି । କ୍ଷମତାର ଯାବତୀୟ ଆଳରେ ଗରିଷ୍ଠମାନେ ହିଁ ଜବର ହୋଇ ବସିଛନ୍ତି । ଦେଶର ମନୁଷ୍ୟ ଲାଗି ଏଠି ଉପଲବ୍ଧ ଯାବତୀୟ ସମ୍ଭାବନାକୁ ସେମାନେ ଚଳୁ କରି ଦେବାକୁ ହିଁ ସବୁଠାରୁ ଅଧିକ ତପ୍ତର ହୋଇ ବାହାରିଛନ୍ତି ।

 

ଲୋକ-ଜୀବନର ଉନ୍ନୟନ ନିମନ୍ତେ ସରକାର ଏଯାଏ ଯାହା କିଛି କରିଛନ୍ତି, ପ୍ରାୟ ସମ୍ପୂର୍ଣ୍ଣ ଭାବରେ ନିଜ ଘରେ ପୋଷୁଥିବା ଏକ ବିଚିତ୍ର ଅମଲାତନ୍ତ୍ରର ସାହାଯ୍ୟରେ ହିଁ ତାହା କରିଛନ୍ତି । ଅମଲାତନ୍ତ୍ର ହେଉଛି ବୁଦ୍ଧିଆ ମାନଙ୍କର ଏକ ତନ୍ତ୍ର । ସଚାରାଚର ଯାହା ପ୍ରମାଣ ମିଳିଥାଏ, ବୁଦ୍ଧିଆମାନଙ୍କ ହାତରେ କ୍ଷମତା ଆସିଲେ ସେମାନେ ସେହି କ୍ଷମତା ଦ୍ଵାରା ପ୍ରଧାନତଃ ବର୍ବର ହୁଅନ୍ତି, ଅବିବେକୀ ହୁଅନ୍ତି । ଦିଗଗୁଡ଼ାକୁ ଭ୍ରଷ୍ଟ କରି ଦିଅନ୍ତି ଏବଂ କାଳକୁ ବୋକା ବନାଇ ରଖିବାକୁ ହିଁ ଚେଷ୍ଟା କରନ୍ତି । ଗତ ପଚାଶ ବର୍ଷର ଅବଧି ମଧ୍ୟରେ ଭାରତର ଅମଲାମନ୍ତ୍ରଟା କାଳକୁ ପ୍ରକୃତରେ ଭ୍ରଷ୍ଟ କରିବାକୁ ହିଁ ହୁଏତ ଅଧିକ ସାହାଯ୍ୟ କରି ଆସିଛି । ସ୍ଵାଧୀନତାର ସଂଗ୍ରାମ ସମୟରେ ଭାରତବର୍ଷର ଲୋକମନାସରେ ଯେଉଁ ସଂହତିଟି ତିଆରି ହୋଇ ପାରିଥିଲା ଏବଂ ଯେଉଁ ସଂହତିଟି ପ୍ରଧାନତମ ନିର୍ଭର କରି ଏହି ଦେଶର ନବନିର୍ମାଣ ଏବଂ ନବବିଧାନ ପ୍ରକୃତରେ ହୋଇଥାନ୍ତା, ଏଠି ଅମଲାତନ୍ତ୍ର ଦ୍ଵାରା ସେହି ସଂହତିକୁ ନଷ୍ଟ କରି ଦିଆଯାଇଛି । ଭାରତବର୍ଷରେ ରାଷ୍ଟ୍ରୀୟ ଯାବତୀୟ ଉଦ୍ୟମରେ ଯେ ଏଠି ଅଧିକରୁ ଅଧିକ ମଣିଷଙ୍କୁ ଅବଜ୍ଞା କରାଯାଉଛି ଏବଂ ତେଣୁ ଏକ ଭୟାନକ ଅରାଜକତାକୁ ହିଁ ଏଠାରେ ଡାକି ଆଣାଯାଉଛି, ଏହି ପ୍ରକ୍ରିୟାଟିରେ ଅମଲାତନ୍ତ୍ର ଏକାଧିକ ପ୍ରକାରେ ହିରୋ ପରି କାମ କରି ଆସିଛି । ଏବେ ମଧ୍ୟ କରୁଛି । ପ୍ରଧାନତଃ ସେହି ତନ୍ତ୍ରର ଅନୁଗ୍ରହରୁ ହିଁ ଭାରତବର୍ଷର ଶାସନ, ଶାସନର ମହକୁମାଗୁଡ଼ାକ ଏବଂ ରାଷ୍ଟ୍ର ପକ୍ଷରୁ ଜନଗଣଙ୍କ ନିମନ୍ତେ ଘୋଷିତ ଯାବତୀୟ ପ୍ରତିଶ୍ରୁତି ପ୍ରାୟ ନିୟମତଃ ପଣ୍ଡ ହୋଇ ଆସିଛି । ଏବଂ ଅପର ପକ୍ଷରେ, ଏଠି ସରକାର ଲୋକଶକ୍ତି ଉପରେ ନିର୍ଭର କରି ତଥା ଲୋକଶକ୍ତିର ପର୍ଯ୍ୟାପ୍ତ ସମର୍ଥନ ସହିତ ଦେଶକୁ ଯେ ଚଳାଇବେ, ସେଥିଲାଗି ଯାବତୀୟ ଯୋଗ୍ୟତା ମଧ୍ୟ ହରାଇ ବସିଛନ୍ତି-। ହଁ, ଏକ ଗଣତନ୍ତ୍ରର ବିଧିମାନି ଯେଉଁମାନେ ଆମର ପ୍ରତିନିଧି ହୋଇ ସରକାର ନାମକ ଘରେ ଆମର ପ୍ରହରୀ ପରି କାର୍ଯ୍ୟ କରୁଥାନ୍ତେ, ଆମ ତରଫରୁ କଥା କହୁଥାନ୍ତେ ଏବଂ ଆମର ଆସ୍ଥାଭାଜନ ହୋଇ ରହିଥାନ୍ତେ, ସରକାରୀ ଅମଲାତନ୍ତ୍ର ସେମାନଙ୍କୁ ମଧ୍ୟ ସତେଅବା ଓଷଦ କରି ରଖିଛି । ପ୍ରତିନିଧିମାନେ ସରକାର ଭିତରକୁ ଯିବା ମାତ୍ରକେ ହିଁ ଲୋକମାନଙ୍କର ବୈରୀପକ୍ଷ ହୋଇ ଯାଇଛନ୍ତି । ଲୋକମାନଙ୍କୁ ଧୋକା ଦେଉଥିବା ପରି ଲୋକମାନଙ୍କୁ ଲୁଚି ବୁଲୁଛନ୍ତି ।

 

ତେଣୁ, ଲୋକଶକ୍ତିକୁ ସ୍ଵୀକାର କରି ଦେଶରେ ପରବର୍ତ୍ତୀ ପରିବର୍ତ୍ତନଗୁଡ଼ିକ ଲାଗି କିଏ ତାହାକୁ କାମରେ ଲଗାଇ ପାରିବ ? ଦେଶର ଶିକ୍ଷିତମାନେ ହୁଏତ ଆଦୌ ସେ କଥା କରି ପାରିବେ ନାହିଁ । ଅଶିକ୍ଷାକୁ ଦୂର କରିବାରେ ଆମ ଦେଶରେ ପ୍ରଚଳିତ ଶିକ୍ଷା କେତେଦୂର କ’ଣ କରୁଛି କି ନକରୁଛି, ଆମେ ଇଚ୍ଛା କଲେ ସ୍ଵତନ୍ତ୍ର ଭାବରେ ହୁଏତ ସେହି କଥାର ଆଲୋଚନା ଅବଶ୍ୟ କରି ପାରନ୍ତେ ; ମାତ୍ର ଏଥିରେ ମୋତେ କୌଣସି ସନ୍ଦେହ ନାହିଁ ଯେ ଆମର ବିଦ୍ୟାଳୟ ମାନଙ୍କରେ ଦିଆଯାଉଥିବା ଶିକ୍ଷା ଆମକୁ ବଡ଼ ଶୋଚନୀୟ ଭାବରେ ଭୀରୁ କରି ରଖିଛି ଏବଂ ଭୀରୁ କିପରି କୌଣସି ଲୋକଶକ୍ତିର ଆଦୌ କୌଣସି କଳନା କରି ପାରିବ ? ଭୀରୁମାନେ ଯେଉଁଠାରୁ ଯିବେ, ସେଠି ଅବଶ୍ୟ ବୋଲ ମାନିବେ, ଭାରି ସହଜରେ ଗୁଳାରେ ଆସି ପଶିଯିବେ ଏବଂ ଗୁଳା ବାହାରେ ଆହୁରି କିଛି ରହିଛି ବୋଲି ଭାବିବାକୁ ମଧ୍ୟ ଭୟ କରିବେ । ଶିକ୍ଷା ମଣିଷକୁ ପ୍ରକୃତରେ ବହୁତ ସାମର୍ଥ୍ୟ ଯୋଗାଇ ଦେଇଥାଏ ସତ, ମାତ୍ର ଭୀରୁ ହୋଇ ରହିଥିବା ପର୍ଯ୍ୟନ୍ତ ଶିକ୍ଷିତମାନେ ମୂଳତଃ ଅସମର୍ଥ ହୋଇ ରହିବେ, ବଡ଼ ଆତ୍ମକତାର ହୋଇ ରହିଥିବେ ଏବଂ ମୋଟେ କାହାର କୌଣସି କାମରେ ବି ଆସିବେ ନାହିଁ । ସ୍ଵାଧୀନ ଭାରତବର୍ଷରେ ଶିକ୍ଷା ଅନୁରୂପ ଭାବରେ ବଦଳି ପାରିଥିଲେ ଅବା ଶିକ୍ଷିତମାନେ ଦେଶର ଆବଶ୍ୟକ ପରିବର୍ତ୍ତନଗୁଡ଼ିକର ପ୍ରକ୍ରିୟାରେ ନେତୃତ୍ଵ ନେଲା ଭଳି କିଛି ଭୂମିକା ଗ୍ରହଣ କରି ପାରିଥାନ୍ତେ । ମାତ୍ର ଅମଲାତନ୍ତ୍ର ସେକଥା ଆଦୌ କରାଇ ଦେଲା ନାହିଁ । ସେହି ପୁରୁଣା ଗୁଳାମାନଙ୍କରେ ଆବଦ୍ଧ ହୋଇ ରହି ଶିକ୍ଷା ସଢ଼ି ପଚି ଗଲା; ଅତ୍ୟନ୍ତ ବଳହୀନ ହୋଇ ପଡ଼ିଲା । ବର୍ତ୍ତମାନ ଭାରତବର୍ଷରେ ଶିକ୍ଷିତମାନେ ଯେ ସବୁଠାରୁ ଅଧିକ ରକ୍ଷଣଶୀଳ ଓ ପରିବର୍ତ୍ତନକାତର, ଦେଶରେ ଉପଦ୍ରବ କରିବାରେ ଲାଗିଥିବା ଯାବତୀୟ ଦୁର୍ବୁଦ୍ଧି ଓ ଦୁରାଚାରର ଆଦୌ କୌଣସି ସମୀକ୍ଷା କରିବା ମାତ୍ରକେ ସେହି କଥାଟି ଅବଶ୍ୟ ଦୃଷ୍ଟିଗୋଚର ହେବାକୁ ଆରମ୍ଭ କରିବ ।

 

ଭାରତବର୍ଷକୁ ଅନେକ ଜାଣିବା ଶୁଣିବା ବ୍ୟକ୍ତି ଧର୍ମର ଦେଶ ବୋଲି କହି ଆସିଛନ୍ତି । ଧର୍ମକୁ ଅବଲମ୍ବନ କରି ଭାରତବର୍ଷରେ ଗଦା ଗଦା ଧର୍ମଶାସ୍ତ୍ରର ରଚନା ହୋଇଛି, ଗୋଟିଏ ଗଛରୁ ଅଶେଷ ଶାଖା ବାହାରି ଗଲା ପରି ଧର୍ମର ଗୋଟିଏ ମାର୍ଗରୁ ଅନେକ ସମ୍ପ୍ରଦାୟର ଉଦ୍ଭବ ହୋଇଛି-। ଧର୍ମପୀଠର ସଂଖ୍ୟା ମଧ୍ୟ ଅସୁମାରି ଆଗ୍ରହରେ ବୃଦ୍ଧି ପାଇଛି । ଧର୍ମାଧୀଶମାନେ ଭଳି ଭଳି ଭେକରେ ଶୋଭା ପାଇ ଆସିଛନ୍ତି । କିନ୍ତୁ ଭାରତୀୟ ଜୀବନରେ ଧର୍ମର ଘୋର ଅଭାବ ରହିଛି-। ହୁଏତ ଚିରଦିନ ରହି ଆସିଛି । ଜୀବନରୁ ଧର୍ମ ଛାଡ଼ିଗଲେ ଯେ ଧର୍ମରେ ପ୍ରତିମାମାନଙ୍କୁ ଓ ବାହ୍ୟାଚାର ଗୁଡ଼ାକୁ ନିଠ କରି କୋଳାହଳ ବଢ଼େ ଓ ନାନା ଆତିଶଯ୍ୟ ସହିତ ବହୁ ଭାବପ୍ରବଣତା ମାନଙ୍କୁ ପୂର୍ଣ୍ଣ ପ୍ରଶୟ ଦିଆଯାଏ, ଭାରତବର୍ଷରେ ଆମକୁ ହୁଏତ ସବାଆଗ ତାହାରି ଦୃଷ୍ଟାନ୍ତମାନ ଦେଖିବାକୁ ମିଳିବ । ଏଠି ଧର୍ମ ଥିଲା ତ ଲୋକାଜୀବନରେ ଏତେ ଅସମାନତା ପୁଣି କିପରି ଆସି ପଶିଲା ? ଏଠି ମଣିଷ ମଣିଷ ମଧ୍ୟରେ ରହିଥିବା ସମ୍ପର୍କମାନ ଏପରି ଈଶ୍ଵରବର୍ଜିତ ହୋଇ କିପରି ରହିଗଲା ? ଧର୍ମତ୍ମାମାନେ କିଭଳି ଅତ୍ୟାଚାରୀମାନଙ୍କର ପକ୍ଷକୁ ଆଉଜି ରହିଲେ ଏବଂ ଅନ୍ୟାୟଗୁଡ଼ାକୁ ସମର୍ଥନ କଲେ ? ମୂଳତଃ ଲୋକଶକ୍ତିର ଆଧାର ଉପରେ ଲୋକଜୀବନକୁ ଘ୍ରାଣ କରି ପାରୁଥିଲେ ଧର୍ମ କଦାପି ଅନ୍ୟାୟୀ, ଅତିଭୋଗୀ ଏବଂ ଲମ୍ପଟମାନଙ୍କ ପକ୍ଷରେ ରହି ନଥାନ୍ତା । ଅସଲ ଧର୍ମ କ୍ଷମତାଗୁଡ଼ିକୁ ଚ୍ୟାଲେଞ୍ଜ କରି ପାରୁଥାନ୍ତା, ବଞ୍ଚିତର ପକ୍ଷ ଗ୍ରହଣ କରୁଥାନ୍ତା । ବର୍ତ୍ତମାନର ଠାକୁରମାନେ ଯେ ସ୍ଵାର୍ଥୀମାନଙ୍କ ନିମନ୍ତେ ଅଧିକ ପ୍ରସନ୍ନ ହୋଇ ରହିଛନ୍ତି, ଠାକୁରମାନେ ପୂଜା ପାଉଥିବା ମନ୍ଦିରଗୁଡ଼ାକୁ ଭିତରକୁ ପ୍ରବେଶ କରିବା ମାତ୍ରକେ ସେହି ସତ କଥାଟା ସତେଅବା ଆମର ବିବକେକୁ ଆସି କାମୁଡ଼ି ପକାଇବା ପରି ମନେ ହୋଇଥାଏ ।

 

ଖୁବ୍ ସମ୍ଭବ ଏହିସବୁ କାରଣରୁ କ୍ରମେ ଏଭଳି ଗୋଟିଏ ସମୟ ଆସିବ, ଯେତେବେଳେ କି ଲୋକମାନେ ହିଁ ନିଜ ଶକ୍ତିଗୁଡ଼ିକର ଆବିଷ୍କାର କରି ବାହାରିବେ । ସେମାନେ ନିଜ ଭିତରୁ ହିଁ ନିଜର ଶକ୍ତିର ସାକ୍ଷାତକାର ଲାଭ କରିବେ ଏବଂ ଭିତରୁ ଆଘାତ ପାଇ ନିଜ ଭାଗ୍ୟର ପରିବର୍ତ୍ତନ କରିବା ନିମନ୍ତେ ପଣ କରି ବାହାରିବେ । ସେମାନେ ନିଜ ଘରକୁ ଏଣିକି ନିଜେ ସମ୍ଭାଳିବେ । ଦୃଷ୍ଟିକୁ ଦୃଷ୍ଟ ବୋଲି କହିବେ ଏବଂ ଠକକୁ ମଧ୍ୟ ଠକ ବୋଲି ଚିହ୍ନିବେ । ନିଜର ଭାଗ୍ୟକୁ ନିଜର ଅନୁକୂଳ କରି ଗଢ଼ି ପାରିବା ପର୍ଯ୍ୟନ୍ତ ସେମାନେ ଆଦୌ କୌଣସି ଅନ୍ୟାୟକୁ ସହ୍ୟ କରିବେ ନାହିଁ-। ଧୋବ ମଣିଷକୁ ଦେଖି ଡରି ମରି ଜଙ୍ଗଲ ଭିତରକୁ ପଳାଇ ଯିବେ ନାହିଁ । ସେମାନେ କର୍ତ୍ତାମାନଙ୍କୁ ହିସାବ ମାଗିବାକୁ ଆସିବେ । ନିଜ ଭାଗ୍ୟର ନିର୍ଦ୍ଧାରଣରେ ସେମାନଙ୍କର ମଧ୍ୟ ଏକ ମତ ଅବଶ୍ୟ ରହିଛି ଏବଂ ସମ୍ପୃକ୍ତ ସମସ୍ତଙ୍କୁ ଯେ ଅଲବତ ସେହି ମତକୁ ଶୁଣିବାକୁ ପଡ଼ିବ, ସେମାନେ ତାହା ଅବଶ୍ୟ ଦାବି କରିବେ । ସେମାନଙ୍କୁ ନେତୃତ୍ଵ ଦେବା ଲାଗି ମଧ୍ୟ ସେମାନେ ଆଉ ଧୋବମାନଙ୍କ ଉପରେ ଆଦୌ ନିର୍ଭର କରିବେ ନାହିଁ । ଧୋବମାନେ ଧୋକା ଦେଲେ ସେମାନେ ତାହା ଅବଶ୍ୟ ବୁଝିପାରିବେ । ନିଜ ସଂଗ୍ରାମଟିକୁ ସେମାନେ ନିଜେ ଚଳାଇବେ ଓ ନିଜେ ନିଜକୁ ନେତୃତ୍ୱ ଦେବେ । ନିଜର ଅଧିକାର ମାଗିବେ, ସମ୍ମାନ ମାଗିବେ । ଏହି ଦେଶର ଯାବତୀୟ ଭଙ୍ଗାଗଢ଼ାରେ ସେମାନଙ୍କର ମଧ୍ୟ ବହୁତ କିଛି କହିବାକୁ ରହିଛି ବୋଲି ଦାବି କରିବେ ଏବଂ ସେମାନଙ୍କର କଥାକୁ ଶୁଣାନଯିବା ପର୍ଯ୍ୟନ୍ତ ଆଦୌ ଘରକୁ ଫେରି ଯିବେ ନାହିଁ । ସମଗ୍ର ପୃଥିବୀ ଲାଗି ଯେଉଁ ଲୋକଶକ୍ତିର ଯୁଗଟି ଆସନ୍ନ ହୋଇ ଆସୁଛି, ଭାରତବର୍ଷର ଲୋକସମୂହ ମଧ୍ୟ ସେହି ଯୁଗଟିର ଆଗମନରେ ନିଜର ସକ୍ରିୟ ଅଂଶଗ୍ରହଣ କରିବେ । ସଚେତନ ଲୋକଶକ୍ତି ଏକ ସାମନ୍ତବାଦକୁ କଦାପି ମାନିବ ନାହିଁ, ବାବୁମାନଙ୍କୁ ବର୍ଜନ କରିବ । ବାବୁମାନେ କାଗଜପତ୍ରର ଧମକ ଦେଖାଇବେ, ସାମନ୍ତମାନେ ଶକ୍ତି ଓ ଶୃଙ୍ଖଳାର ଓ ଶୃଙ୍ଖଳାର ରକ୍ଷା ନାଆଁରେ କେତେ ଯୁକ୍ତି ବାଢ଼ିବେ ଓ କେତେ ଡରାଇବେ । ତଥାପି, ସମଗ୍ର ପୃଥିବୀରେ ଯୁଗେ ଯୁଗେ ଯାହା ହୋଇ ଆସିଛି, ଭାରତବର୍ଷରେ ମଧ୍ୟ ତାହା ହିଁ ହେବ । ବିଗତ ପଚାଶ ବର୍ଷର ଧୃଷ୍ଟତାଗୁଡ଼ାକର ଆଉ କୌଣସି ପୁନରାବୃତ୍ତି ହେବ ନାହିଁ । ଗୋଟିଏ ସ୍ଵାଧୀନ ଦେଶକୁ, ଯେଉଁମାନେ ତଥାପି ଏକ ଗଡ଼ଜାତରେ ପରିଣତ କରି ରଖିବାର ଫିକର କରୁଛନ୍ତି, ସେମାନେ କ୍ରମେ ପ୍ରକୃତିସ୍ଥ ହୁଅନ୍ତୁ । ଲୋକଶକ୍ତିର ମହିମାକୁ ବୁଝନ୍ତୁ । ଲୋକଶକ୍ତିର ଭୟଙ୍କର ସମ୍ଭାବନାଗୁଡ଼ିକୁ ମଧ୍ୟ ବୁଝନ୍ତୁ । ତେବେ ସେମାନଙ୍କୁ ଭଗବାନ ନିଶ୍ଚୟ ଦୟା କରିବେ ।

 

୦୮ । ୦୨ । ୧୯୯୯

Image

 

କୋଉ ଭାରତର ରତ୍ନ ?

 

ଭାରତବର୍ଷ ଥାକ ଥାକ, ତେଣୁ ତା’ର ରତ୍ନଗୁଡ଼ିକ ମଧ୍ୟ ଥାକ ଥାକ । ପ୍ରତିବର୍ଷ ପଦବୀଟିଏ ପ୍ରଦାନ କରିବାକୁ ସରକାରଙ୍କୁ ନିଶ୍ଚୟ ଖୁବ୍ ମେହନତ କରିବାକୁ ପଡ଼ୁଥିବ । ରାଜଧାନୀରେ ଏକାବେଳେକେ ଉଚ୍ଚତମ ସ୍ତରରେ ଗୋଟାଏ କମିଟି ରହିଥିବ । ସେହି କମିଟିରେ ମସ୍ତ ମସ୍ତ ମଣିଷମାନେ ଅର୍ଥାତ୍ ଯେଉଁମାନଙ୍କୁ ସମସ୍ତେ ନିଶ୍ଚୟ ଚିହ୍ନିଥିବେ, ସେମାନେ ନିଜ ନିଜ କ୍ଷେତ୍ରରେ ବିଶେଷ ପରିମାଣରେ ନାଆଁ କରିଥିବେ ଏବଂ ତେଣୁ ସରକାରୀ ତୁଙ୍ଗ ମହଲରେ ସେମାନଙ୍କର ଉତ୍ତମ ପରିଚୟ ଅବଶ୍ୟ ରହିଥିବ । ଏହି କମିଟି କେଉଁସବୁ କାଠି ପକାଇ ପ୍ରସିଦ୍ଧ ମନୁଷ୍ୟମାନଙ୍କର ପ୍ରସିଦ୍ଧିକୁ ମାପନ୍ତି କେଜାଣି ? ହୁଏତ ସେମାନେ ଦେଶର ଆହୁରି ଶହେ ବା ସେହିପରି କେତେ ବ୍ୟକ୍ତିଙ୍କର ଏହି ବିଷୟରେ ମତ ଲୋଡ଼ୁଥିବେ ଏବଂ ସେହି ସୁପାରିଶ ଗୁଡ଼ିକର ତାଲିକାଟି ସମ୍ମୁଖରେ ରଖି ଚର୍ଚ୍ଚିତ ବର୍ଷଟିରେ କାହା ମୁଣ୍ଡରେ କଳସଟି ଢଳାଯିବ ତା’ର ମୀମାଂସା କରୁଥିବେ । ଏଥିପାଇଁ ଅବଶ୍ୟ ଢେର ସମୟ ଲାଗୁଥିବ ଏବଂ ବହୁତ କାଗଜପତ୍ର କାମ ମଧ୍ୟ କରାଯାଉଥିବା । ବିଚାର ଓ ଫଇସଲାଟି ଯେପରି ଯଥାସମ୍ଭବ ନିରପେକ୍ଷ ହେବ, ସେଥିଲାଗି ସବୁ ପ୍ରକାରର ଦୃଷ୍ଟି ରଖାଯାଉଥିବା ।

 

ଉପରେ ରହିଥିବା ସରକାରୀ ନେତା ଏବଂ କର୍ତ୍ତାମାନଙ୍କର ମନରେ ଯେପରି କୌଣସି କଳ୍ପନା ନରହିବ, ସେଥିନିମନ୍ତେ ସାଧ୍ୟମତେ ଚେଷ୍ଟା କରା ଯାଉଥିବ । ମାତ୍ର ଏହି ସବୁକିଛି ପ୍ରକ୍ରିୟା ଭାରି ସହଜ ହୋଇ ଯାଉଥିବ, ଯଦି ସବା ଉପରର କୌଣସି ନେତା କିମ୍ବା କର୍ତ୍ତା ଚଳିତ ବର୍ଷ କାହାକୁ ଭାରତରତ୍ନ ପଦବୀରେ ଭୂଷିତ କରାଯିବ, ତାହାକୁ ନିଜେ ବାଛି ତାହାକୁ ଗ୍ରହଣ କରି ନେବାଲାଗି ସମ୍ପୃକ୍ତ କମିଟିକୁ ନିର୍ଦ୍ଦେଶଟିଏ ପଠାଇ ଦେଉଥିବେ ।

 

ଭାରତରତ୍ନ ବୋଲି ପଦବିଟିଏ ସୃଷ୍ଟି ହେଉ ଏବଂ ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ତାହା ପ୍ରଦାନ କରାଯାଉ, ଏକଦା ବଡ଼ ବଡ଼ ମଣିଷମାନେ ହିଁ ସେହି କଥାଟିକୁ ଅବଶ୍ୟ ସ୍ଥିର କରିଥିବେ । ଏହିଭଳି ସ୍ଥିର କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏଭଳି କେତେଜଣ ବ୍ୟକ୍ତି ବି ହୁଏତ ରହିଥିବେ, ଯେଉଁମାନେ କି ନିଜେ ସେହି ପଦବୀଟିକୁ ପାଇବେ ବୋଲି ଅତ୍ୟନ୍ତ ଯୁକ୍ତିଯୁକ୍ତ ଭାବରେ ଆଶାୟୀ ହୋଇ ରହିଥିବେ ଏବଂ ଭବିଷ୍ୟତରେ ତାହାକୁ ପ୍ରକୃତରେ ପାଇଥିବେ । ଏଥିରେ ସେପରି କୌଣସି ଅସ୍ଵାଭାବିକତା ରହିଛି ବୋଲି ବିଚାର କରିବା ଆଦୌ ଉଚିତ ନୁହେଁ । ସଚରାଚର ଯୋଗ୍ୟ ବ୍ୟକ୍ତିମାନଙ୍କର ମଧ୍ୟରୁ ହିଁ ଯୋଗ୍ୟ କଥାଗୁଡ଼ିକ ବାହାରେ ଏବଂ ତଦ୍ଦ୍ୱାରା ଯୋଗ୍ୟ ଲୋକମାନେ ହିଁ ଅନେକ ସମୟରେ ଉପକୃତ ହୋଇଥାନ୍ତି । ଯୋଗ୍ୟ ବ୍ୟକ୍ତିମାନଙ୍କୁ ସମଗ୍ର ଦେଶର ସମକ୍ଷରେ ପରିଚିତ କରାଇବା ମଧ୍ୟ ସରକାର ମାନଙ୍କର ଅବଶ୍ୟ ଗୋଟିଏ ଉତ୍ତମ କାର୍ଯ୍ୟ । ଓଡ଼ିଶାରେ ଅନେକ ସୁଧୀ ବ୍ୟକ୍ତି ଯେଉଁ ପରମ୍ପରାଟିକୁ ପୂଜ୍ୟପୂଜା ବୋଲି କହନ୍ତି, ତାହାର ଏକ ମର୍ଯ୍ୟାଦା ଅବଶ୍ୟ ରହିଛି । ଅସଲ କଥା ହେଉଛି, ପ୍ରକୃତରେ ଯୋଗ୍ୟ ବ୍ୟକ୍ତିମାନେ ସର୍ବତ୍ର ଅତ୍ୟନ୍ତ ଉସ୍ଥାର୍ଗୀକୃତ ଭାବରେ ନିଜ କାର୍ଯ୍ୟରେ ଲାଗିଥାନ୍ତି । ସେମାନେ ସେହି କାର୍ଯ୍ୟଟିକୁ ସତେଅବା ଏକ ବ୍ରତ ପରି ସମ୍ପାଦନ କରୁଥାନ୍ତି । ସେହି କାର୍ଯ୍ୟରେ ଆପଣାକୁ ସମର୍ପିତ କରି ଦେଇଥାନ୍ତି । ସେମାନଙ୍କରେ ସେହି ବ୍ରତଚାରଣା ଦ୍ଵାରା ଦେଶ ଉପକୃତ ହୁଏ, ଜାତି ଉପକୃତ ହୁଏ, ସମଗ୍ର କାଳ ମଧ୍ୟ ଉପକୃତ ହୁଏ । ସେମାନଙ୍କ ପାଖରେ ଆମେ କେତେ କୃତଜ୍ଞ ହୋଇ ରହିବା ଉଚିତ । ସେମାନଙ୍କ ପାଖରେ ଆମେ ଦେଶବାସୀ ଯେ ଅତ୍ୟନ୍ତ କୃତଜ୍ଞ, ଅନେକ ସମୟରେ କୌଣସି ଏକ ପଦବୀ ଦ୍ଵାରା ସେମାନଙ୍କୁ ଭୂଷିତ କରି ସେହି କଥାଟିକୁ କୁହାଯାଇଥାଏ ଏବଂ ଏକ ଅନୁରୂପ ସ୍ଵୀକୃତି ଦିଆଯାଇଥାଏ । ଦେଶବାସୀ ତ ସିଧା ସେ କଥାଟି କରି ପାରନ୍ତେ ନାହିଁ । ତେଣୁ ଦେଶବାସୀଙ୍କ ତରଫରୁ ଦେଶର ସରକାରଙ୍କୁ ସେହି କଥାଟିକୁ କରିବାକୁ ହୋଇଥାଏ । ସକଳ ଅର୍ଥରେ ବିଚାର କରି ଦେଖିଲେ, ଏହିସବୁ ବ୍ୟାପାରର କ୍ଷେତ୍ରରେ କେବଳ ସରକାର ହିଁ ଦେଶବାସୀଙ୍କର ଉତ୍ତମ ପ୍ରତିନିଧିତ୍ୱ କରିପାରିବେ । ସଚରାଚର ସରକାରମାନେ ଏହି କଥାଟିକୁ ହିଁ ଠିକ୍ ବୋଲି ଧରି ନେଇଥାନ୍ତି । ଦେଶବାସୀ ମାତ୍ରକେ ସମସ୍ତେ ଯେ ସରକାରଙ୍କର ନିଷ୍ପତ୍ତିରେ ଖୁସି ହୁଅନ୍ତି, ସେକଥା ମୋଟେ ନୁହେଁ ।

 

ଭାରତବର୍ଷର ପରମ ସୌଭାଗ୍ୟ ଯେ, ସରକାରୀ ଘରର ବହୁତ ନିଷ୍ପତ୍ତି ଲୋକ-ସାଧାରଣଙ୍କର ସ୍ତରଯାଏ ପ୍ରକୃତରେ ପହଞ୍ଚି ହିଁ ପାରେନାହିଁ । କୌଣସି ପ୍ରତିକ୍ରିୟା ସୃଷ୍ଟି କରିବା ତ ଆହୁରି ଦୂରର କଥା । ଏଠି ଅଧିକାଂଶ ମଣିଷ ନିଜ ଜଞ୍ଜାଳ ଭିତରେ ଏପରି ବୁଡ଼ି ରହିଥାନ୍ତି ଯେ, ସରକାର କିପରି ଚାଲୁଛି ବା ନଚାଲୁଛି, ଅଥବା ଆଦୌ ଚାଲୁଛି କି ନାହିଁ, ତାହାର ଖବର ନେବାକୁ ଲୋକମାନଙ୍କ ପାଖରେ ଅବସର ନଥାଏ, ଆଗ୍ରହ ମଧ୍ୟ ନଥାଏ । ତେଣୁ କୋଉ ପଦବୀଟାଏ ଏ ବର୍ଷ କାହାକୁ ମିଳିଲା ଓ ତାହା କେତେଦୂର ଠିକ୍ ହେଲା କି ନାହିଁ ସେହି କଥାର ରୋମନ୍ଥନ କରିବା ଲାଗି ମଧ୍ୟ ଆମ ଦେଶରେ ଅଧିକାଂଶ ମଣିଷଙ୍କର ଜୀବନରୂପୀ ମାନଚିତ୍ରରେ ଖୁବବେଶୀ ବେଳ ନଥାଏ । ସ୍ଥାନୀୟ ବ୍ୟାପରଗୁଡ଼ିକୁ ହିଁ ସେମାନଙ୍କର ସକଳ ଧ୍ୟାନକୁ ଅଧିକାର କରି ରହିଥାଏ । ସ୍ଥାନୀୟଠାରୁ ବୃହତ୍ତର ଜାତୀୟ ବୋଲି ଯେ ଆଉ ଏକ ବୃତ୍ତ ରହିଛି, ଭାରତବର୍ଷରେ କୋଟି କୋଟି ମଣିଷ ତାହାରି କୌଣସି ସମ୍ବାଦ ହିଁ ରଖି ନଥାନ୍ତି ।

 

କାଗଜପତ୍ର କହୁଛି, ଭାରତରତ୍ନ ନାମକ ସର୍ବୋଚ୍ଚ ଏକ ପଦବୀ କାହାକୁ ବା କୋଉମାନଙ୍କୁ ଦିଆଯିବାର ପରମ୍ପରାଟି ଦେଶରେ ଗତ ପଇଁଚାଳିଶି ବର୍ଷ ହେଲା କାର୍ଯ୍ୟକାରୀ ହୋଇଆସୁଛି । ଦେଶରେ ତ ସାନ ଓ ବଡ଼ ପଦବୀ ବହୁତ ରହିଛି । ମାତ୍ର ଭାରତରତ୍ନ ନାମକ ପଦବୀଟି ସର୍ବୋଚ୍ଚ ହୋଇ ରହିବ ବୋଲି ଆମ ଦେଶର ସରକାରୀ ସର୍ବୋଚ୍ଚ ରତ୍ନମାନେ ହିଁ ନିଷ୍ପତ୍ତି କରିଥିବେ । ବିଲାତରେ, ଆମେରିକାରେ ଓ ଆହୁରି କେତେ ଦେଶରେ ମଧ୍ୟ ଏହିପରି ପଦବୀ ପ୍ରଦାନ କରିବାର ରୀତି ବହୁବର୍ଷରୁ ପ୍ରଚଳିତ ହୋଇ ଆସିଛି । ତେଣୁ ଆମ ଦେଶରେ ମଧ୍ୟ ସେହି ରୀତିଟା ରହିବା ବିହିତ ହେବ ବୋଲି ଉପଲବ୍ଧି କରିବା ନିମନ୍ତେ ବଡ଼ମାନଙ୍କୁ ଆଦୌ ଯେ ଅଧିକ ସମୟ ଲାଗିଲା ନାହିଁ, ତାହା ଅତ୍ୟନ୍ତ ଆନନ୍ଦର ବିଷୟ । ଭାରତବର୍ଷ ଭଳି ଏଡ଼େବଡ଼ ଗୋଟିଏ ଦେଶରେ ବଡ଼ମାନଙ୍କର ସଂଖ୍ୟା ମଧ୍ୟ ବେଶ୍ ଲମ୍ବା ଯେ ହେବ, ସେ କଥା ଅତି ସହଜରେ ବୁଝି ହେଉଛି । ପ୍ରସିଦ୍ଧି ଲାଭ କରିବାର ଏତେ ଏତେ କ୍ଷେତ୍ର ରହିଛି ଯେ ବଡ଼ ଉଚ୍ଚତା ହାସଲ କରିଥିବା ସଭିଙ୍କ ଭିତରୁ ଊଣେଇଶି ବିଶି ଓଳମ ପକାଇ ସବାବଡ଼କୁ ବା ସବାବଡ଼ମାନକୁ ବାଛିବା ନିଶ୍ଚୟ କାଠିକର ପାଠ ହେଉଥିବ । ତେଣୁ କୌଣସି ବର୍ଷ ଭାରତରତ୍ନ କିଏ କିମ୍ବା କେଉଁମାନେ କାହିଁକି ହେଲେନାହିଁ, ସେହି ଅଭିଯୋଗ ଆଣିବା ହୁଏତ ଆଦୌ ଏକ ସମୀଚୀନ ବ୍ୟାପାର ହେବନାହିଁ । କାହାକୁ ବାଛିଲେ ଆଉ କେତେଜଣ ଯେ ଅବଶ୍ୟ ରହିଯିବେ, ଆମକୁ ବିବେକ ଖର୍ଚ୍ଚ କରି ସେକଥା ଅବଶ୍ୟ ବୁଝିବାକୁ ପଡ଼ିବ ।

 

ବିଗତ ପଇଁଚାଳିଶି ବର୍ଷ ମଧ୍ୟରେ ଭାରତରତ୍ନ ଲାଭ କରିଥିବା ବ୍ୟକ୍ତିମାନଙ୍କୁ କେତେକ ମାନଦଣ୍ଡରେ ପକାଇ କିଞ୍ଚିତ ଶ୍ରେଣୀବିଭାଗ କରି ଦେଖବାକୁ ଚେଷ୍ଟା କଲେ ଜଣାଯିବ ଯେ, ସରକାରୀ କ୍ଷମତାରେ ରହିଥିବା ଆମ ନେତାମାନଙ୍କ ମଧ୍ୟରୁ ହିଁ ସର୍ବୋଚ୍ଚ ସଂଖ୍ୟାରେ ସେହି ସମ୍ମାନଟିକୁ ଲାଭ କରିଛନ୍ତି । ସେମାନଙ୍କ ଭିତରେ ଛଅଜଣ ରାଷ୍ଟ୍ରପତି ଅଛନ୍ତି । ସେମାନେ ସମସ୍ତେ ସେମାନଙ୍କର ଜୀବଦ୍ଧଶାରେ ହିଁ ଏହି ପଦବୀରେ ଭୂଷିତ ହୋଇଛନ୍ତି । ଭାରତବର୍ଷରେ ପ୍ରଧାନମନ୍ତ୍ରୀର ଆସନ ଅଳଙ୍କୃତ କରିଥିବା ପଣ୍ଡିତ ଜବାହରଲାଲ, ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଏବଂ ଶ୍ରୀଯୁକ୍ତ ମୋରାରଜୀ ଦେଶାଇ ଭାରତରତ୍ନ ହୋଇ ପାରିଛନ୍ତି । ନିଜ ନିଜର ଜୀବଦ୍ଦଶାରେ ହିଁ ଏମାନଙ୍କୁ ଦେଶବାସୀଙ୍କ ତରଫରୁ ଦେଶର ଶାସନ ବା ସରକାର ଏହି ସମ୍ମାନଟିକୁ ପ୍ରଦାନ କରିଛି-। ଆଉ ଜଣେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରାଜୀବ ଗାନ୍ଧୀ ମଧ୍ୟ ରତ୍ନମାନଙ୍କର ତାଲିକାରେ ସୁମାରି ହୋଇଛନ୍ତି, ଅବଶ୍ୟ ତାଙ୍କ ଦେହାନ୍ତ ହେବା ପରେ । ଅତ୍ୟନ୍ତ ଆକସ୍ମିକ ଭାବରେ ଶ୍ରୀ ରାଜୀବଙ୍କର ଦେହାବସାନ ହେଲା ବୋଲି ସିନା ଏପରି ହେଲା, ମାତ୍ର ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ଆପଣାର ସମ୍ପୂର୍ଣ୍ଣ କାଳଟିକୁ ବଞ୍ଚିଥିଲେ ସିଏ ନିଶ୍ଚୟ ସମୁଚିତ ସମୟରେ ଭାରତରତ୍ନ ବୋଲି ଘୋଷିତ ହୋଇଥାନ୍ତେ । ଦୁଇଟି ରାଜ୍ୟର ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପଦବୀରେ ଅଭିଷିକ୍ତ ହୋଇଛନ୍ତି ଓ ସେମାନେ ହେଉଛନ୍ତି ଡାକ୍ତର ବିଧାନଚନ୍ଦ୍ର ରାୟ ଏବଂ ଶ୍ରୀଯୁକ୍ତ ଗୋବିନ୍ଦ ବଲ୍ଲଭ ପନ୍ଥ । ଶ୍ରୀ ପନ୍ଥ ତାଙ୍କ ଜୀବନର ପରବର୍ତ୍ତା ଚରଣରେ ଅବଶ୍ୟ କେନ୍ଦ୍ରରେ ମନ୍ତ୍ରୀପଦ ଲାଭ କରିଥିଲେ । ଶ୍ରୀଯୁକ୍ତ ପୁରୁଷୋତ୍ତମ ଦାସ ଟଣ୍ଡନ ଯିଏକି ଏକଦା କଂଗ୍ରେସ ଦଳର ସଭାପତି ହୋଇଥିଲେ ମାତ୍ର ସରକାର ଭିତରେ କେବେ କୌଣସି ସ୍ଥାନ ପାଇନଥିଲେ, ତାଙ୍କୁ ମଧ୍ୟ ଭାରତରତ୍ନର ସାରଣୀ ଭିତରେ ଦେଖି ବେଳେ ବେଳେ ବେଶ୍ କୌତୁହଳ ଲାଗେ । ଭାରତରତ୍ନଙ୍କ ଭିତରେ ଦୁଇଜଣ ବିଦେଶୀ ନାଗରିକ ରହିଛନ୍ତି; ଜଣେ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଶ୍ରୀଯୁକ୍ତ ନେଲସନ୍ ମାଣ୍ଡେଲା ଓ ଆଉ ଜଣେ ଖାଁ ଅବଦୁଲ୍ ଗଫର ଖାଁ । ଗଫର ଖାଁଙ୍କୁ ଏକଦା ସୀମାନ୍ତ ଗାନ୍ଧୀ ବୋଲି କୁହାଯାଉଥିଲା । ଭାରତର ସ୍ଵାଧୀନତା ସଂଗ୍ରାମରେ ସିଏ ଆଗଧାଡ଼ିରେ ଜଣେ ନାୟକ ଥିଲେ । ଦେଶ ଦୁଇଖଣ୍ଡ ହେବାପରେ ସିଏ ନିୟମ ଅନୁସାରେ ଯେଉଁ ଖଣ୍ଡଟିର ନାଗରିକ ହେଲେ, ସେଠାରେ ତାଙ୍କୁ ଅଧିତର ସମୟ ବନ୍ଦୀଶାଳାରେ ହିଁ କଟାଇବାବାକୁ ପଡ଼ିଥିଲା । ମାଆ ଟେରେସାଙ୍କୁ ମଧ୍ୟ ଆମେ ସକଳ ଯୁକ୍ତିର ସହିତ ଭାରତୀୟ ବୋଲି କହିବା । ଯେତେବେଳେ ଆଉ ଏକ ଅବସରରେ ସିଏ ଶାନ୍ତିରେ ନୋବେଲ ପୁରସ୍କାର ଲାଭ କଲେ, ସେତେବେଳେ ଭାରତରେ ଆମେ ତାଙ୍କୁ ସିଏ ଜନ୍ମ ହୋଇଥିବା ଦେଶ ଆଲ୍‍ବାନିଆର ବୋଲି ନଭାବି ଅଧିକ ଆତ୍ମୀୟତା ଦେଖାଇ ଭାରତୀୟ ବୋଲି ହିଁ ଅନୁଭବ କରିଥିଲୁ ।

 

ରାଜନୀତିର ସମ୍ପୂର୍ଣ୍ଣ ବାହାରେ ପ୍ରଦତ୍ତ ଭିନ୍ନ ଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅତ୍ୟୁତ୍କର୍ଷର ପରିଚୟ ଦେଇଥିବା ହେତୁ ଯେଉଁ ବ୍ୟକ୍ତିମାନଙ୍କୁ ଭାରତରତ୍ନ ପଦବୀ ପ୍ରଦତ୍ତ ହୋଇଛି, ସେମାନେ ହେଉଛନ୍ତି ମୋଟେ ନଅଜଣ । ଅବଶ୍ୟ ଆମେ ସେଥିରୁ ଏପରି ଏକ ସିଦ୍ଧାନ୍ତରେ ଆଦୌ ଉପନୀତ ହେବା ନାହିଁ ଯେ, ଭାରତୀୟ ରାଜନୀତିକ କ୍ଷମତାଙ୍ଗନରେ ହିଁ ଭାରତବର୍ଷର ସର୍ବଶ୍ରେଷ୍ଠ ବ୍ୟକ୍ତିମାନେ ରହିଛନ୍ତି ଏବଂ ଭାରତର ଟେକ ରଖିବାରେ ସେହିମାନେ ହେଉଛନ୍ତି ସବୁଠାରୁ ଅଧିକ ଅଗ୍ରଗଣ୍ୟ । ଅବଶ୍ୟ ଏଥିରେ ସନ୍ଦେହ ନାହି ଯେ, ଆମ ଦେଶରେ ରାଜନୀତିର କ୍ଷେତ୍ରରେ ହିଁ ସବୁଠାରୁ ଅଧିକ କୋଳାହଳ ଶୁଣିବାକୁ ମିଳିଥାଏ, ଗଣାମାଧ୍ୟମ ଡିଣ୍ଡିମମାନଙ୍କରେ ସେହି କୋଳାହଳର ହିଁ ସବୁଠାରୁ ଅଧିକ ପ୍ରଚାର ହୁଏ । ଏବଂ, ସରକାର ସ୍ଵୟଂ ଯେତେବେଳେ ଉପାଧିଟିର ଉଦ୍ଭାବନ କରିଛନ୍ତି, ସେତେବେଳେ ସରକାରୀ ସର୍ବୋଚ୍ଚ ପଦମାନଙ୍କରେ ରହିଥିବା ମହାନ୍ ବ୍ୟକ୍ତିମାନଙ୍କର କପାଳରେ ସବାଆଗ ହିଁ ଶିକାମାନେ ଛିଡ଼ିବାଟା ସବୁଠାରୁ ଅଧିକ ସମ୍ଭବ ହେବ ହିଁ ହେବ । ପୁନଶ୍ଚ ରାଜନୀତି ବାହାରେ ନିଜ ନିଜର ବିଶେଷ କ୍ଷେତ୍ରମାନଙ୍କରେ ନିଗମ୍ନ ହୋଇ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ସବାଆଗ କୌଣସି ଉଚ୍ଚ ପଦବୀ ଉପରେ ଆଖି ରଖି ଯେ ଆପଣାର କାର୍ଯ୍ୟ କରୁଥାନ୍ତି, ତାହା ସାଧାରଣତଃ ସେମାଙ୍କର ଧାତୁରେ ହିଁ ନଥାଏ ।

 

ଯେଉଁ ମହାନ ବ୍ୟକ୍ତିମାନେ ମରଣୋତ୍ତର ଭାବରେ ଭାରତରତ୍ନ ଉପାଧି ଲାଭ କରିଛନ୍ତି, ସେମାନଙ୍କୁ ଏକାଧିକ କାରଣରୁ ଗୋଟିଏ ପଂକ୍ତିରେ ରଖି ଅବଶ୍ୟ କିଛି ଅନୁମାନ କରାଯାଇ ପାରିବ । ଏଥିରେ କେତେଗୁଡ଼ିଏ ନାମ ହେଉଛି–ଶ୍ରୀଯୁକ୍ତ ବଲ୍ଲଭଭାଇ ପଟେଲ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଶ୍ରୀ ଲାଲବାହଦୂର ଶାସ୍ତ୍ରୀ, ଆଚାର୍ଯ୍ୟ ବିନୋବା ଭାବେ, ଶ୍ରୀଯୁକ୍ତ ଭୀମରାଓ ଆମ୍ବେଦକର ଏବଂ ମୌଲାନା ଆବୁଲ କାଲାମ ଆଜାଦ । କେବଳ ବିନୋବାଙ୍କୁ ଛାଡ଼ିଦେଲେ ଏମାନେ ସମସ୍ତେ ରାଜନୀତିର ଲୋକ । ସର୍ଦ୍ଦାର ପଟେଲ ଉଭୟ ସ୍ଵାଧୀନତା ସଂଗ୍ରାମ ଓ ଭାରତରେ ପ୍ରଥମ ସରକାରରେ ରହିଥିବା ଜଣେ ତୁଙ୍ଗ ଓ ବରିଷ୍ଠ ବ୍ୟକ୍ତିତ୍ଵ ଥିଲେ । ଲାଲବାହାଦୁର ଭାରତର ପ୍ରଧାନମନ୍ତ୍ରୀ ଭାବରେ କ୍ଷମତାର କେଡ଼େ ବଡ଼ ଆସନରେ ଯାଇ ବସିଥିଲେ । ଅବଶ୍ୟ ଶ୍ରୀ ଶାସ୍ତ୍ରୀ ଏଭଳି ଏକ ଉପାଦାନରେ ଗଢ଼ା ହୋଇଥିଲେ ଯେ, ଅତ୍ୟନ୍ତ ଯୁକ୍ତିଯୁକ୍ତ ଭାବରେ ଅନ୍ଦାଜ କରି ହେଉଛି ଯେ, ସିଏ ଭାରତରତ୍ନ ପାଆନ୍ତୁ ବୋଲି ତାଙ୍କର ସରକାରୀ ପରିଜନମାନେ ହୁଏତ ପ୍ରସ୍ତାବାଟିଏ ବି କରିଥିବେ ଏବଂ ଶାସ୍ତ୍ରୀ ସେଥିରେ ଆଦୌ ସମ୍ମତି ପ୍ରକାଶ କରିନଥିବେ । ମାତ୍ର ବଲ୍ଲଭଭାଇଙ୍କ ବେଳକୁ କାହିଁକି କ’ଣ ହେଲା ଏବଂ ସିଏ ଭାରତୀୟ ଗଗନରୁ ଯିବାର ଚାଳିଶବର୍ଷ ଅତିକ୍ରାନ୍ତ ହୋଇଯିବା ପର୍ଯ୍ୟନ୍ତ ତାଲିକାରେ କ’ଣ ପାଇଁ ତାଙ୍କର ପ୍ରସଙ୍ଗ ଉଠିନଥିଲା ? ମୌଲାନା ଆବୁଲ୍ କଲାମ ଆଜାଦଙ୍କୁ ମଧ୍ୟ ଶ୍ରୀ ପଟେଲଙ୍କର ପାଖେ ପାଖେ ରଖି ବିଚାର କରାଯାଇପାରିବ କି ? ଏବଂ ନେତାଜୀ ସୁଭାଷ ତ ପାଇଥିଲେ କେତେ ଆଗରୁ ଭାରତରତ୍ନ ପଦବୀଟିକୁ ଲାଭ କରି କରିଥାନ୍ତେ । ତାଙ୍କର କଥାଟା ସମ୍ପୃକ୍ତ କାହାରି ହେଲେ ମନେ ନପଡ଼ିଲା କିପରି ? ଏବଂ ଯଦି ମନେ ନପଡ଼ିଲା ଏତେଦିନ ପରେ ବା କାହିଁକି ମନେ ପଡ଼ିଲା ? ଭୀମରାଓ ଆମ୍ବେଦକର ସ୍ଵାଧୀନତା-ସଂଗ୍ରାମରେ ବ୍ରିଟିଶ୍ ପକ୍ଷରେ ଥିଲେ । ଏଠୁ ବିଦେଶୀ ସରକାର ଯିବେ ଓ ଭାରତ ସ୍ଵାଧୀନ ହେବ ବୋଲି ସିଏ କଳ୍ପନା ମଧ୍ୟ କରିନଥିଲେ । ବରଂ ସଂଖ୍ୟାଲଘୁ ଅବହେଳିତମାନଙ୍କୁ ଯେପରି ସବର୍ଣ୍ଣ ହିନ୍ଦୁ ସମାଜ ଗିଳି ନପକାଇବା, ସେଥିପାଇଁ ବ୍ରିଟିଶ ସରକାର ଭାରତରେ ଆହୁରି ରହିଥାନ୍ତୁ ଓ ରାଜତ୍ଵ କରୁଥାନ୍ତୁ ବୋଲି ଆମ୍ବେଦକର ଇଚ୍ଛା ମଧ୍ୟ କରୁଥିଲେ । ଭାରତୀୟ ରାଜନୀତି ଆନ୍ଦୋଳନର ଇତିହାସରେ ବହୁ ଦୃଷ୍ଟିରୁ ତାଙ୍କୁ ହୁଏତ ଶ୍ରୀ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କର ପାରୁଶରେ ରଖି ମୂଲ୍ୟାୟନ କରାଯାଇପାରିବ ।

 

ଶ୍ରୀଯୁକ୍ତ ଅବଦୁଲ୍ କଲାମ ପଦାର୍ଥ ବିଜ୍ଞାନର ଜଣେ ପ୍ରସିଦ୍ଧ ବ୍ୟକ୍ତି । ଭାରତବର୍ଷରେ ଅଣୁ ଗବେଷଣାର କ୍ଷେତ୍ରରେ ସିଏ ବିଗତ କେତେ ବର୍ଷ ହେଲା ସବା ଆଗ ଧାଡ଼ିରେ ରହି ନେତୃତ୍ୱ ଦେଇ ଆସିଛନ୍ତି । ତାଙ୍କର ସହଚାରୀ ପୂର୍ବଜମାନେ ଏହି କିସମର ଗବେଷଣାରେ ଯେତେ ସଫଳତା ଲାଭ କରିନଥିଲେ, ଶ୍ରୀ କଲାମ ଯାବତୀୟ ହିସାବ ଅନୁସାରେ ତା‘ଠାରୁ ଅଧିକ ମୂର୍ତ୍ତ ଭାବରେ ସଫଳତା ଲାଭ କରିଛନ୍ତି । ତାଙ୍କରି ଉଦ୍ୟମର ଫଳସ୍ୱରୂପ ଭାରତ ସରକାର ଗତବର୍ଷ ପୋଖରାନ୍‍ଠାରେ ଯେଉଁ ଅଭୂତପୂର୍ବ କେତୋଟି ଆଣବିକ ବିସ୍ପୋରଣ କରାଇ ପାରିଛନ୍ତି, ତଦ୍ଦ୍ୱାରା ଆମର ଉପ-ମହାଦେଶରେ ଏକ ଅଭାବନୀୟ ପରିସ୍ଥିତି ଜନ୍ମଲାଭ କରିଛି । ଭାରତବର୍ଷର ଏହି କୃତିତ୍ଵ ଆମ ପଡ଼ିଶା ରାଜ୍ୟର ସମଧର୍ମୀ ଅଣୁ-ଗବେଷକମାନଙ୍କୁ ମଧ୍ୟ ତତ୍ପର କରିଛି ଓ ସେମାନେ ବି ଅନୁରୂପ ପରୀକ୍ଷାମାନ କରି ଦେଖାଇ ଦେଇ ପାରିଛନ୍ତି । ଏହି ନୂତନ କୀର୍ତ୍ତିଟି ଫଳରେ ଭାରତବର୍ଷ ସାମରିକ ଦୃଷ୍ଟିରୁ ଅଧିକ ଶକ୍ତିଶାଳି ହୋଇଛି ବୋଲି ଆମ ଜାତିୟତାବାଦୀ ଶିବିରରେ ଅନେକ ଖୁବ୍ ଉଲ୍ଲସିତ ବି ହୋଇଛନ୍ତି । ଆମ ଉଚ୍ଚତମ ପ୍ରତିନିଧି ସଭାରେ ସେହି ସଫଳତାର ପ୍ରଶଂସା କରାଯାଉଛି ଏବଂ ପୋଖରାନ୍‍ଠାରେ ଆଣିବିକ ପରୀକ୍ଷାର କେତେ ମାସ ପୂର୍ବରୁ ବୈଜ୍ଞାନିକ ଶ୍ରୀଯୁକ୍ତ କଲାମଙ୍କୁ ଭାରତରତ୍ନ ପଦବୀରେ ସମ୍ମାନିତ ମଧ୍ୟ କରାଯାଇଛି । ଏକ ଭିନ୍ନଧର୍ମୀ ସେନାପତିତ୍ଵ ଦ୍ଵାରା ପରିଚାଳିତ ହୋଇ ରାଜନୀତିକ ସ୍ଵାଧୀନତା ହାସଲ କରିଥିବା ଏବଂ ସେହି କାରଣରୁ ଆଧୁନିକ ପୃଥିବୀର ଆଖିକୁ ଅନନ୍ୟ ଦେଖାଯାଉଥିବା ଭାରତବର୍ଷ ମାରଣାସ୍ତ୍ର ବାହାର କରିବାର ସେହି ଅନ୍ୟ ଗବେଷଣାଟିରେ ମଧ୍ୟ ଯେ ସେହି ଶିବିରର ଅନ୍ୟମାନଙ୍କ ସହିତ ସମକକ୍ଷ ହେବାକୁ ମନ କରିବ, ସେଥିରେ ଭାରତୀୟ ବହୁ ବ୍ୟକ୍ତିଙ୍କର ମନରେ ଅବଶ୍ୟ ଦ୍ୱନ୍ଦ୍ଵ ଜାତ ହୋଇଥିବ ଏବଂ ବିଶ୍ଵବାସୀ କୋଟି କୋଟି ମନୁଷ୍ୟ ବି ଏହି ଘଟଣାଟିରେ ସେମାନଙ୍କର ସତେଅବା ଏକ ମୋହଭଙ୍ଗ ହେଲାପରି ଅନୁଭବ କରିଥିବେ । ଏହି ଘଟଣାଟିର ମୂଳରେ ଥିବା ବୈଜ୍ଞାନିକଙ୍କୁ ଯେ ଭାରତରତ୍ନ ପଦବୀରେ ଭୂଷିତ କରାଗଲା, ଅନେକ ଭାରତବାସୀଙ୍କୁ ମଧ୍ୟ ସେହି କଥାଟା ଅତ୍ୟନ୍ତ ଖଟା ଲାଗୁଥିବ । ଏହି ସଂକ୍ରାନ୍ତରେ ଆମର ଶ୍ରୀ ଆଲଫ୍ରେଡ ନୋବେଲଙ୍କ କଥା ବି ହୁଏତ ମନେ ପଡ଼ି ଯାଇପାରେ । ନୋବେଲ ଡିନାମାଇଟ୍ ତିଆରି କରିବାର ସୂତ୍ର ବାହାର କରିଥିଲେ ତବ୍ଦ୍ୱାରା ମନୁଷ୍ୟଜାତିର ପ୍ରଭୂତ ଉପକାର ସାଧିତ ହେବ ବୋଲି ବସ୍ତୁଟିକୁ ବାହାର କରି ସେ କେଡ଼େ ଖୁସି ହୋଇ ଯାଇଥିଲେ । ସେଥିରୁ ପ୍ରଭୂତ ଅର୍ଥ ମଧ୍ୟ ଉପାର୍ଜନ କରିଥିଲେ । ଶ୍ରୀ ନୋବାଲ ଧନବାନ ହେଲେ, ମାତ୍ର ୟୁରୋପର ସରକାରମାନେ ଡିନାମାଇଟକୁ ଯୁଦ୍ଧରେ ବ୍ୟବହୃତ ହେଉଥିବା ତୋପ ଓ ବାରୁଦ ତିଆରି କରିବାରେ କାମରେ ଲଗାଇଲେ । ଶ୍ରୀଯୁକ୍ତ ନୋବେଲ ଏଥିରେ ଅତ୍ୟନ୍ତ ବ୍ୟଥିତ ହୋଇ ପଡ଼ିଥିଲେ ଏବଂ ଡିନାମାଇଟ୍ ପରି ଏକ ଅନିଷ୍ଟକାରୀ ଦ୍ରବ୍ୟ ଉଭାବନ କରିଥିବାରୁ ସମ୍ଭବତଃ ଅନୁତାପ ବି କରିଥିଲେ ଏବଂ ସେହି ଅପରାଧର କିଞ୍ଚିତ ଅପନୋଦନ ନିମନ୍ତେ ନିଜ ଉପାର୍ଜିତ ଅର୍ଥର ଗୋଟିଏ ଅଂଶକୁ ଖଟାଇ ସେ ନୋବେଲ ପୁରସ୍କାର ଗୁଡ଼ିକର ଭିଆଣ କରିଥିଲେ-। ସେହିଦିନୁ ଗୋଟିଏ ପୁରସ୍କାର ଶାନ୍ତି ପାଇଁ ମଧ୍ୟ ଦିଆଯାଇ ଆସିଛି ।

 

ଭାରତୀୟ ରାଜନୀତିକ କ୍ରାନ୍ତିର ଇତିହାସରେ ଜୟପ୍ରକାଶ ନାରାୟଣ ହେଉଛନ୍ତି ଏକ ବିଚିତ୍ର ବିଭୂତି । ଭାରତୀୟ ସମାଜବାଦୀ ଆନ୍ଦୋଳନର ଉଦ୍‍ଗାତା ସିଏ । ସ୍ଵାଧୀନତା ପରେ ଜବାହରଲାଲଙ୍କର ପରାମର୍ଶ ମାନିଥିଲେ ସିଏ ତାଙ୍କ ଅନ୍ତେ ହୁଏତ ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ । ରାଜନୀତି ନାମକ ବ୍ୟୂହରେ ସହଯୋଦ୍ଧାମାନଙ୍କର ରୀତିରେ ନିରାଶ ହୋଇ ଜୟପ୍ରକାଶ ସର୍ବୋଦୟ ଆନ୍ଦୋଳନ ଭିତରକୁ ଆସିଥିଲେ । ସେହି ଅଭିନବ କାର୍ଯ୍ୟକ୍ରମରେ ଜୀବନଦାନ କରିଥିଲେ । ତା’ପରେ କ’ଣ ଭାବି କଂଗ୍ରେସକୁ ହଟାଇବା ସକାଶେ ପ୍ରାୟ ବାୟାଙ୍କ ପରି ଲାଗି ପଡ଼ିଲେ ଓ ବାର କିସମର ଧାନକୁ ଏକତ୍ର କରି ଏକ କଂଗ୍ରେସବିରୋଧୀ ସାମ୍ମୁଖ୍ୟ ଛିଡ଼ା କରାଇ ଦେଇଥିଲେ । ସେହି ସାମ୍ମୁଖି ଦିଲ୍ଲୀରେ କ୍ଷମତାକୁ ଆସିଲା ଏବଂ ନିଜର ଅସାମର୍ଥ୍ୟକୁ ଧାରା ପକାଇଦେଲା । ଜୀବନର ଅନ୍ତିମ ଚରଣରେ ଜୟପ୍ରକାଶ ପ୍ରାୟ ଏକୁଟିଆ ହୋଇ ଯାଇଥିଲେ । ତାଙ୍କର ରାଜନୀତିକ ସାଧୁତାରେ କେହି କୌଣସି ସନ୍ଦେହ କରି ନଥିଲେ ସତ, ମାତ୍ର ସିଏ ଯେତେ ଯାହାଙ୍କ ଉପରେ ଭରସା ରଖି ଦେଶବାସୀଙ୍କୁ ନୂଆ ନୂଆ ଆହ୍ଵାନ ଦେଇଥିଲେ, ସେମାନେ ବୁଏତ ସମସ୍ତେ ଅନୁପଯୁକ୍ତ ବୋଲି ପ୍ରମାଣିତ ହୋଇଥିଲେ ।

 

ସିଏ ପୃଥିବୀ ଛାଡ଼ିଯିବାର ବହୁବର୍ଷ ପରେ ଏବର୍ଷ ଯାଇ ତାଙ୍କର ପାଳି ପଡ଼ିଲା ଓ ସେ ଭାରତରତ୍ନ ପଦବୀରେ ଭୀଷିତ ହେଲେ । ଜୟପ୍ରକାଶ ଯେଉଁ ସମାଜ-ଦର୍ଶନରେ ବିଶ୍ୱାସ ରଖିଥିଲେ, ବର୍ତ୍ତମାନର ସରକାର ସେହି ଦର୍ଶନର ହୁଏତ କଡ଼ାକ ଉପରେ ମଧ୍ୟ ଆସ୍ଥା ରଖିନଥିବ । ବର୍ତ୍ତମାନ ବଞ୍ଚିଥିଲେ ଜୟପ୍ରକାଶ ସମ୍ଭବତଃ ଏହି ସରକାରର ଜଣେ ପ୍ରଧାନ ବିରୋଧୀ ହୋଇ ବାହାରି ଥାଆନ୍ତେ । ଏକଦା ସେ କଂଗ୍ରେସର ଯେତେ ବିରୋଧ କରୁଥିଲେ, ଏହି ସରକାରର ତାହାର ଦଶଗୁଣ ବିରୋଧ କରୁଥାନ୍ତେ ଏବଂ ତା’ ସହିତ ନିଜର ନାମକୁ ସଂଲଗ୍ନ କରି ରଖିବାକୁ ମୋଟେ ଇଚ୍ଛା କରୁନଥାନ୍ତେ । ତଥାପି ସିଏ ମର ଶରୀରରେ ନଥିବାରୁ ସତେଅବା ଅସମ୍ଭବଟା ସମ୍ଭବ ହୋଇଗଲା । ଏବେ ମଧ୍ୟ ଆନୁଗତ୍ୟର କ୍ଷେତ୍ରରେ ନିଜକୁ ତାଙ୍କର ଅନୁଗାମୀ ବୋଲି ତଥାପି ଅନୁଭବ କରୁଥିବା ଲୋକମାନେ ଜୟପ୍ରକାଶ ଭାରତରତ୍ନ ହୋଇଥିବାରୁ ଘଟଣାରେ କ’ଣ କିପରି ଭାବୁଥିବେ କେଜାଣି ? ଅମର୍ତ୍ତ୍ୟ ସେନ୍ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପାଇଲେ ଏବଂ ତେଣୁ ଭାରତରତ୍ନ ପଦବୀ ପାଇବେ ବୋଲି ତାଙ୍କ ନାମ ଘୋଷିତ ହେଲା । ଶୁଣାଯାଉଛି, ସ୍ଵୟଂ ପ୍ରଧାନମନ୍ତ୍ରୀ ଅମର୍ତ୍ତ୍ୟଙ୍କୁ ଏହି ଉପାଧିଟି ପ୍ରଦତ୍ତ ହେଉ ବୋଲି ପ୍ରସ୍ତାବ ଦେଲେ ଏବଂ ପ୍ରସ୍ତାବଟି ଗୃହିତ ହେଲା । ଅର୍ଥନୀତି କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ଯେ ଭାରତବର୍ଷର ସରକାରୀ ମହଲ ଡକ୍ଟର ସେନଙ୍କୁ ଭାରତରତ୍ନ ଉପାଧି ଦେଇନାହିଁ, ସେକଥା ଅତ୍ୟନ୍ତ ନିଃସନ୍ଦେହ ଭାବରେ କୁହାଯାଇ ପାରିବ । ଭାରତବର୍ଷ ପାଇଁ ସିଏ ନୋବାଲ ପୁରସ୍କାରଟି ପାଇବାର ବିଶେଷ ସମ୍ମାନ ଆଣିଦେଲେ ବୋଲି ଆମ ସରକାର ତାଙ୍କୁ ଉଚ୍ଚତମ ପଦବୀଟିକୁ ଦେଇ ଆପଣାର ହର୍ଷ ବ୍ୟକ୍ତି କରିବାର ଏକ ସୁଯୋଗ ଲାଭ କଲେ । ଅମର୍ତ୍ତ୍ୟ ସେନ୍ ଭାରତର ଗୌରବ ବୃଦ୍ଧି କଲେ, ତେଣୁ ଭାରତରତ୍ନ ହେଲେ । ସ୍ୱୟଂ ଅମର୍ତ୍ତ୍ୟ ସେନଙ୍କୁ ଏହି ଘଟଣାଟି ପ୍ରକୃତରେ କେଉଁଭଳି ଲାଗୁଥିବ କେଜାଣି ? ଅର୍ଥନୈତିକ ବିଶ୍ଳେଷଣ ଏବଂ ଦିଗନିର୍ଦ୍ଦେଶନର କ୍ଷେତ୍ରରେ ଯେଉଁସବୁ ସମାଧାନଗୁଡ଼ିକୁ ସ୍ୱୀକୃତି ଦେଇ ନୋବେଲ ପୁରସ୍କାରର ଅନୁଷ୍ଠାନଟି ଅମର୍ତ୍ତ୍ୟ ସେନଙ୍କୁ ଏ ବର୍ଷ ଫକ୍ତି ଭିତରକୁ ଆଣିଲା, ଭାରତୀୟ ସରକାରୀ ଆଥିକ ନୀତି ସେଗୁଡ଼ିକୁ କୌଣସି ମହତ୍ତ୍ଵ ବା ଗୁରୁତ୍ଵ ଦେବ ଏବଂ ଶାସନର ଆୟତନଟି ଭିତରକୁ ସେହି ସମାଧାନଗୁଡ଼ିକୁ ଆଣିବା ନିମନ୍ତେ ସତକୁ ସତ କିଛି ପ୍ରୟାସ କରିବ, ଆମେ ସେପରି କିଛି ସମ୍ଭାବନା ରହିଛି ବୋଲି ଆଦୌ ଆଶଙ୍କା କରିବା ନାହିଁ-। ସେପରି କିଛି ମନ କରୁଥିଲେ ସରକାରୀ ବୃହତ୍‍ମାନଙ୍କୁ ହୁଏତ ଏକ ନୂତନ ଉପବୀତ ପରିଧାନ କରିବା ଲାଗି ରାଜି ହେବାକୁ ପଡ଼ନ୍ତା । ଏତେଗୁଡ଼ିଏ ରାଜି ହେବା ଲାଗି ସାଧାରଣତଃ କୌଣସି ସରକାରଙ୍କ ପାଖରେ ଯଥେଷ୍ଟ ଫୁରୁସତ୍ ନଥାଏ । ଫୁରୁସତ୍ ଥିଲେ ସିନା ଅନୁରୂପ ସଂକଳ୍ପଟିଏ ସମ୍ଭବ ହୁଅନ୍ତା ଏବଂ ନୋବେଲ ପୁରସ୍କାର ପାଇଥିବା ହେତୁ ହିଁ ତାଙ୍କର ଅର୍ଥନୀତି ବିଷୟକ ସମାଧାନ ଦୃଷ୍ଟିଗୁଡ଼ିକ ବିଷୟରେ ମୋଟେ କିଛି ହେଲେ ଧାର ଧାରୁ ନଥିବା ଗୋଟିଏ ସରକାର ତାଙ୍କୁ ଯେ ଏଡ଼େ ପ୍ରସନ୍ନ ହୋଇ ଭାରତରତ୍ନ ପଦବୀଟିକୁ ପ୍ରଦାନ କଲେ, ନିଜେ ଅମର୍ତ୍ତ୍ୟ ସେନଙ୍କର ଅନ୍ତର୍ମନରେ ସେହି ବିଷୟରେ କିଭଳି ପ୍ରତିକ୍ରିୟା ହେଉଥିବ କେଜାଣି ?

 

ବଡ଼ ବଡ଼ ବିଚାର ଏବଂ ଉପଲବ୍ଧିମାନ କ’ଣ ସବୁଦିନେ ପୁରସ୍କାର ଏବଂ ପଦବୀର ଭେଳିକି ଗୁଡ଼ାକର କବଳରେ ପଡ଼ି ମାଡ଼ ଖାଇ ଯାଉଥିବେ ?

 

ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକଙ୍କୁ ଏକ ମରଣୋତ୍ତର ସମ୍ମାନ ରୂପେ ଭାରତରତ୍ନ ପଦବୀ ପ୍ରଦାନ କରାଯାଉ ବୋଲି ଓଡ଼ିଶାରେ ବି କେତେଜଣ ଭାରି ଉତ୍ତପ୍ତ ହୋଇ କହୁଛନ୍ତି । ଯେଉଁମାନେ ମହାନ୍‍ମାନଙ୍କୁ ନିଜର ସମ୍ପତ୍ତି ପରି ଭାବନ୍ତି, ହୁଏତ ସେହିମାନେ ହିଁ ଏହିସବୁ ଉତ୍ସାହର ଶିକାର ହୁଅନ୍ତି । ଓଡ଼ିଶାର ଜଣେ କେହି ବଡ଼ ପଦବୀଟାଏ ପାଇଲେ ତାହା ଓଡ଼ିଶାର ସମ୍ମାନ ବଢ଼ାଇବ, ଏତିକି କ’ଣ ସବୁଯାବ ସତ କଥା ?

 

୨୨ । ୦୨ । ୯୯

Image

 

ବିଳମ୍ବରେ ହେଲେ ମଧ୍ୟ

 

ଲୋକରତ୍ନ କୁଞ୍ଜବିହାରୀ ଦାଶଙ୍କ ସହିତ ମୋର ପରିଚୟ ପଚାଶ ବର୍ଷ ତଳର । ସର୍ବପ୍ରଥମ ଭାବସ୍ଥାପନ ଶାନ୍ତିନିକେତନାଠାରେ । ନୂଆ ହୋଇ ଆରମ୍ଭ କରାଯାଇଥିବା ଓଡ଼ିଆ ଗବେଷଣା ବିଭାଗରେ ଆମେ ଗୋଟିଏ କୋଠରୀରେ ପ୍ରାୟ ୬ ମାସ କାଳ ଏକତ୍ର ବସିଛୁ ଓ କାମ କରିଛୁ । ତା’ପରେ ମୁଁ ମୋର ପରବର୍ତ୍ତୀ ଅଧ୍ୟୟନ ଲାଗି ବିଦେଶ ପଳାଇଲି । ସିଏ ରହିଲେ । ମୁଁ ବାହାରୁ ଫେରି ଆସିବା ପରେ ବହୁତ ବାର ତାଙ୍କ ସହିତ ଭେଟଘାଟ ହୋଇଛି । ପ୍ରଥମେ ଶେହି ଶାନ୍ତିନିକେତନରେ ଓ ତା’ପରେ ସିଏ ତେଣୁ ଅବସର ଗ୍ରହଣ କରି ଫେରି ଆସିବା ପରେ କଟକରେ ତାଙ୍କ ଘରେ । ସିଏ ମୋ ବଡ଼ଭାଇଙ୍କ ସହିତ ପାଠ ପଢ଼ୁଥିଲେ । ତେଣୁ ମୁଁ ସବୁ ଅବସରରେ ତାଙ୍କୁ ଜଣେ ଗୁରୁଜନ ପରି ଦେଖି ଆସୁଥିଲି । ସିଏ ମଧ୍ୟ ହୁଏତ ମୋତେ ଠିକ୍‍ ସେହି ହିସାବରେ ସବା ଆଗ ଦେଖି ଆସୁଥିଲେ ଏବଂ କେତେ କେତେ ଶୁଭେଛା ଏବଂ ପ୍ରତ୍ୟାଶା ବ୍ୟକ୍ତ କରି ମୋ ସହିତ କଥା ହେଉଥିଲେ । ଅନେକ କଥା ଆଉ ମନେନାହିଁ, ମାତ୍ର ଗୋଟିଏ କଥା ଏ ପର୍ଯ୍ୟନ୍ତ ମନେ ରହିଛି । ମୋ ସହିତ ସବୁଥର ଭେଟ ହେବା ମାତ୍ରକେ ସିଏ ସବାଆଗ ସେଇ ଗୋଟିଏ କଥା ହିଁ କହୁଥିଲେ । କହୁଥିଲେ : ତୁମକୁ ଏ ଓଡ଼ିଶା ଚିହ୍ନିପାରିଲା ନାହିଁ । ଏବଂ, ଏକଥାଟି କହୁଥିବା ସମୟରେ ତାଙ୍କର ସେହି ମେଦଯୁକ୍ତ ପ୍ରସନ୍ନ ମୁହଁଟି ଉପରେ ସତେ ଅବା ଖେଦର କେତେଟା କୁଞ୍ଜନକାରୀ ରେଖା ଆଙ୍କି ହୋଇ ଯାଉଥିଲା । ସିଏ ବହୁତ ଅନୁରାଗ ସହିତ ସେହି କଥା କହୁଥିଲେ ସିନା, କିନ୍ତୁ ମତେ ତାହା ପ୍ରକୃତରେ କେମିତି କେମିତି ଲାଗୁଥିଲା । ଭିତରେ କ’ଣ ସବୁ ଭାବି ସିଏ ତାହା କହୁଥିଲେ କେଜାଣି ? ଥରେ ବା ଅଧଥରେ ନୁହେଁ, ପ୍ରାୟ ନିୟମ ରକ୍ଷା କରି ବିଧି ମାନିବା ପରି କହୁଥିଲେ । ଏପରି କଥାଟିଏ ଶୁଣି ମୁଁ ମଧ୍ୟ ପ୍ରସନ୍ନ ଅନୁଭବ କରିବି ଓ ବିନୟ ଦ୍ଵାରା ପ୍ରେରିତ ହୋଇ ତାଙ୍କୁ କିଛି ଉତ୍ତର ଦେବି, ସମ୍ଭବତଃ ତାଙ୍କ ମନ ଭିତରେ ଅବଶ୍ୟ ଏପରି ପ୍ରତ୍ୟାଶାଟିଏ ରହୁଥିବ । ମାତ୍ର ତାଙ୍କର କଥା ମତେ ଯେ ଆଦୌ ପ୍ରସନ୍ନ କରୁନଥିଲା ଓ ପ୍ରାୟ ଚାକ୍ଷୁଷ ଭାବରେ କିଞ୍ଚିତ୍ ବିବ୍ରତ ବି କରି ପକାଉଥିଲା ବୋଲି କ’ଣ ସିଏ ଜାଣି ପାରୁନଥିଲେ ? ତଥାପି ସବୁଥର ତାହାର ପୁନରାବୃତ୍ତି କାହିଁକି କରୁଥିଲେ ?

 

ଏହି ଓଡ଼ିଶା ସହିତ ହିଁ ମୋର ସବୁଠାରୁ ଅଧିକ ପରିଚୟ । ମୁଁ ଓଡ଼ିଶାରେ ଜନ୍ମ ହୋଇଛି, ଏକ ଓଡ଼ିଆ ପରିବାରରରେ ବଢ଼ିଛି, ସବୁଠାରୁ ଅଧିକ ଅବସରରେ ଓଡ଼ିଆରେ କଥା କହିଛି, ଓଡ଼ିଆ ବହି ହିଁ ସବୁଠାରୁ ଅଧିକ ସଂଖ୍ୟାରେ ପଢ଼ିଛି । ଓଡ଼ିଆ ସହିତ ନାନା ମାୟାରେ ସତେ ଅବା ଆପେ ଆପେ ବାନ୍ଧି ହୋଇଯାଇ ମୁଁ ନିଜ ଭିତରେ ଏବଂ ଜୀବନର ଯାବତୀୟ ସମ୍ବନ୍ଧକ୍ଷେତ୍ରରେ ଅଧିକରୁ ଅଧିକ ବିମୋଚିତ ହୋଇ ଯାଉଥିବା ପରି ଅନୁଭବ କରିଛି । ମୋ’ ଘରଟା ଯଦି ମୋତେ ନ ଚିହ୍ନିଥାନ୍ତା, ତେବେ ମୁଁ ତାକୁ କିପରି ଏତେ ନିବିଡ଼ ଓ ଅନ୍ତରଙ୍ଗ ଭାବରେ ଚିହ୍ନି ପାରିଥାନ୍ତି ଏବଂ ତାହାକୁ ମୁଁ ନିଜର ଘର ପରି ଚିହ୍ନି ପାରିଥାନ୍ତି ? ନିଜର ମାଆକୁ ଚିହ୍ନିବାରେ ଯେଉଁ ଆନନ୍ଦ, ମାଆ କାହିଁକି ମୋତେ ସେତିକି ପରିମାଣରେ ଚିହ୍ନିଲା ନାହିଁ ବୋଲି ପ୍ରଶ୍ନ ବା ସଂଶୟଟି ଉପରେ ତାହା କାହିଁକି ବା ନିର୍ଭର କରି ରହିବ ? ତଥାପି ଶ୍ରୀଯୁକ୍ତ କୁଞ୍ଜବାବୁଙ୍କର କଥାକୁ ଓ ଦୁଃଖକୁ ମୁଁ କ୍ରମେ ବୁଝିପାରୁଥିବା ପରି ମନେହେଲା । ସିଏ ପୁରସ୍କାର କଥା ଭାବୁଥିଲେ । ପଦପଦବୀ କଥା ଭାବୁଥିଲେ । ଏବଂ ମୋ ଭିତରେ ଗୋଟାଏ ଅନ୍ୟ କିସମର ଲୋଭୀ ଯେ ସତେ ଅବା ହିସାବ କରି ନିଷ୍ପତ୍ତି କରି ଅନ୍ୟବିଧ କେତେ କେତେ ଲୋଭକୁ ପରିହାର କରି ବାହାରି ଆସିଛି, ସିଏ ପ୍ରକୃତରେ ସେକଥା ବୁଝିପାରି ନଥିଲେ । ସଚରାଚର ଶୁଭାକାଂକ୍ଷୀମାନେ ହିଁ ସମ୍ଭବତଃ ସେହିପରି କରନ୍ତି । ସେମାନେ ଯେଉଁମାନଙ୍କୁ ସ୍ନେହ କରନ୍ତି, ସେମାନଙ୍କ ବିଷୟରେ ଆକାଶକୁସୁମ ଚୟନ କରିବାର ପ୍ରତ୍ୟାଶାରେ ତୁଚ୍ଛା ନିଜ ନିକିତିରେ ଓଜନ କରି ଏଇଟା ବା ସେଇଟା ଆସି ମିଳିଯାଉ ବୋଲି ଅପେକ୍ଷା କରୁଥାନ୍ତି ଏବଂ ସେଇଟା କାହିଁକି ଅନୁମତି ସମୟ ଅନୁସାରେ ମିଳିଲା ନାହିଁ ବୋଲି ଖେଦ କରି ବସିଥାନ୍ତି । କେଡ଼େ ଆଦରରେ ଲୋକରତ୍ନ ଚିନ୍ତା କରୁଥିଲେ, ମୋତେ ପଦ ଉପରେ ପଦ ମିଳିପାରୁ ଥାଆନ୍ତା, ପୁରସ୍କାରମାନେ ଆଗ ମୋ ପାଖରେ ଆସି ପହଞ୍ଚି ଯାଉଥାନ୍ତେ ଇତ୍ୟାଦି, ଇତ୍ୟାଦି । ଏତେ ଏତେ ମଣିଷ ବିହିତ ବାଟଗୁଡ଼ିକରେ ଯାଇ ପଦମାନଙ୍କରେ ଅଭିଷକ୍ତ ହୋଇ ଯାଉଛନ୍ତି ଓ ପୁରସ୍କାର ପରେ ପୁରସ୍କାର ଲାଭ କରୁଛନ୍ତି, ଅଥଚ ମୁଁ ସତେ ଅବା ବାଡ଼ୁଅ ହୋଇ ବସି ରହିଛି, ଶ୍ରୀଯୁକ୍ତ ଦାଶ ସେହି କାରଣରୁ ମୋ ପ୍ରତି ଏକ ଅନୁକମ୍ପାଭାବ ପୋଷଣ କରୁଥିଲେ କି ?

 

ଜଣେ ସାଧାରଣ ମଣିଷର ତୁଳନାରେ ଜଣେ ଲେଖକର ଲୋଭ ଆଦୌ କୌଣସି ଗୁଣରେ କମ୍ ନୁହେଁ । ଜଗତକୁ ମାୟା ବୋଲି କହୁଥିବା ମାୟାବାଦୀ ବିଚରା ପ୍ରାୟ ପ୍ରୟୋଜନରେ ପଡ଼ି ବାବାଜୀ ହୁଏ । ଜଣେ ଲେଖକ ପୃଥିବୀକୁ ନେଇ ସ୍ଵପ୍ନ ଦେଖିବାକୁ ଲାଗିଥାଏ । ଟିକିଏ ଅଧିକ ନିର୍ଭୁଲ ଭାବରେ କହିଲେ, ଯୁଗ ଯୁଗ ଧରି ଏହି ପୃଥିବୀ ବିଷୟରେ ଯେତେ ଯେତେ ସ୍ଵପ୍ନ ଦେଖାହୋଇ ଆସିଛି, ଜଣେ ଲେଖକ ଆପେ ଆପେ ଖୁସି ହୋଇ ଓ ଆପେ ଆପେ ଗୋଡ଼ କାଢ଼ି ସେହି ସ୍ଵପ୍ନଗୁଡ଼ିକ ସହିତ ସାମିଲ ହୋଇ ରହିଥାଏ । କିଏ ମନା କରି କହିବ ଯେ, ପୃଥିବୀ ସେହି ଆଦିମ ଦୂରତା ଏବଂ ଅଳ୍ପତା ଗୁଡ଼ାକର ଅନ୍ଧାର ଭିତରୁ କ୍ରମାଗ୍ରସର ହୋଇ ଏଯାଏ ଯେତିକି ଆଲୋକ-ସମ୍ଭାବନାର ଭାଜନ ହୋଇ ପାରିଛି, ପ୍ରଧାନତଃ ଏହି ପୃଥିବୀବାସୀଙ୍କର ସ୍ଵପ୍ନଗୁଡ଼ିକୁ ହିଁ ସେ ପ୍ରକ୍ରିୟାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରି ଆସିଛି । ଏବଂ ଜଣେ ସାହିତ୍ୟିକର ମହାଭାଗ୍ୟ ଯେ ସିଏ ସର୍ବଦା ସେହି ସ୍ଵପ୍ନାଭିଯାନର ଅଗ୍ରଭାବରେ ରହି ଆସିଛି । ସେହି ଅସଲ ଭୂମିକାଟି ହିଁ ତା’ ଭିତରେ କାଳେ କାଳେ ଏପରି ବଳ ଆଣି ଭରିଦେଇଛି ଯେ, ଅନ୍ୟ ବହୁତର ଲୋଭମାନେ ତାକୁ ମୋଟେ ପଥଚ୍ୟୁତ କରିପାରି ନାହାଁନ୍ତି । ପୁରସ୍କାରର ଲୋଭ ଯଦି ସାହିତ୍ୟ-ସୃଜନର ଜନନୀ ହୋଇଥାନ୍ତା, ତେବେ ବିଶ୍ଵଯାକର ସାହିତ୍ୟ ଏକାବେଳେକେ ଏକ ଅନ୍ୟ ଧାତୁର ହୋଇଥାନ୍ତା । ତାହାକୁ ସାହିତ୍ୟ ବୋଲି କହିବା ନିମନ୍ତେ ସତକୁ ସତ ସୃଜନଶୀଳ ବ୍ୟକ୍ତିମାନେ ହୁଏତ ଭାରି କୁଣ୍ଠା ମଧ୍ୟ ଅନୁଭବ କରନ୍ତେ । ତଥାପି ପୃଥିବୀରେ ଅବଶ୍ୟ ସେଭଳି ଲେଖକ ବା ସାହିତ୍ୟିକ ଅବଶ୍ୟ ରହିଥିବେ, ଯେଉଁମାନେ କି ରୁଗ୍‍ଣ ଶିଶୁମାନଙ୍କ ପରି ପୁରସ୍କାରର ଲୋଭରେ ହିଁ ସାହିତ୍ୟ ରଚନା କରୁଥିବେ । ମୋତେ ଜନନୀର ସ୍ନେହ ମିଳୁନାହିଁ ବୋଲି ଏକାଧିକ କାରଣରୁ ଭାବିବାକୁ ଆରମ୍ଭ କଲେ ଗୋଟିଏ ଶିଶୁ ପ୍ରାୟ କୌଣସି ମଞ୍ଚ ଉପରେ ଅଭିନୟ କରୁଥିବା ପରି ଏପରି କଥାମାନ କରେ ଯେ ତଦ୍ଦ୍ୱାରା ଜନନୀରୁ ଦୃଷ୍ଟି ତା’ ଆଡ଼କୁ ଆକର୍ଷିତ ହୋଇ ଆସିଥାଏ । ବିଚାର ମୋହାବିଷ୍ଟ ଶିଶୁଟି ସେହି ଦୃଷ୍ଟିଆକର୍ଷଣକୁ ସ୍ନେହ ବୋଲି ବୁଝେ ଏବଂ ଗୋଟିଏ ପ୍ରକାରର ଉଦ୍ଭଟ ଆତ୍ମପ୍ରସାଦ ଲାଭ କରିଥାଏ । ବିଚିତ୍ରା ସାହିତ୍ୟ-ସଂସାରରେ ସେଭଳି ଘଟଣା ବି ଅବଶ୍ୟ ଘଟୁଥିବ ।

 

କେତେ କେତେ ଲେଖକବନ୍ଧୁ ନିଜର ଅନ୍ତର୍ଦାହଗୁଡ଼ିକୁ ବେଳେବେଳେ ଗୋଟା ସୁଦ୍ଧା ମୁକୁଳା କରିଦେଇ ସେମାନେ କାହିଁକି ଉପଯୁକ୍ତ ସ୍ୱୀକୃତି ପାଉନାହାନ୍ତି ବୋଲି ପ୍ରାୟ ଏକ ପ୍ରତିବାଦର ଶୈଳୀରେ ଖେଦ ପ୍ରକାଶ କରିଥାନ୍ତି । ମୁଁ ଏତେଟା କବିତା ବହି ଲେଖିଛି, ଏତେ କୋଡ଼ି ଗପ ଲେଖି ଛପାଇ ସାରିଲିଣି, ମୋ ଉପନ୍ୟାସଗୁଡ଼ିକ ଅମୁକ ଅମୁକ ପତ୍ରିକାରେ ଧାରାବାହିକ ଭାବରେ ବାହାରି ପାଠକମାନଙ୍କର ସମକ୍ଷକୁ ଆସିଗଲାଣି: କିମ୍ବା ମୁଁ ଏତେଟା ବହି ଅମୁକ ଅମୁକ ଭାଷାକୁ ଏବଂ ଏତେଟା ଅମୁକ ଅମୁକ ଭାଷାରୁ ଓଡ଼ିଆକୁ ଅନୁବାଦ କରିଛି—ଏହିପରି ନିଜ ପ୍ରତି ନିଜର ସହାନୁଭୂତି ପ୍ରକଟ କରି ବନ୍ଧୁମାନେ ବହୁ ଦରଦର ସହିତ ଉଦ୍‍ଗାରମାନ କରିଥାନ୍ତି । ନିଜେ ନିଜର ସେହି ମୂଲ୍ୟାୟନଟାକୁ ବଜାର ମଝିରେ ଅଭିଯୋଗରେ ମୁଦ୍ରାରେ ଆଣି ଉପସ୍ଥାପନ କରିବା, ସେଇଟା ହେଉଛି ଏକ ବିଶେଷ ମାର୍ଗରେ ନିଜକୁ ଗଢ଼ି ଆଣିଥିବା କେତେକ ମଣିଷଙ୍କର ଗୋଟିଏ ବିଶେଷ ରୀତି । କେଉଁ କେଉଁ ଅବସ୍ଥାରେ ପଢ଼ି ବ୍ୟକ୍ତିମାନେ ଆତ୍ମରତିର ସେହି ହାସ୍ୟାସ୍ପଦ ଗୁଡ଼ହାଣ୍ଡିଟା ଭିତରେ ଯାଇ ଯେ ପଡ଼ିଯାଆନ୍ତି, ଏବଂ ସେଠି ଅଠାରେ ଲଟର ପଟର ହେଉଥାନ୍ତି, ଅଥଚ ସେମାନଙ୍କର ସେହି ଆତୁର ଆତ୍ମସଲସଲ ଗୁଡ଼ାକୁ ଦେଖି କୋଉଠି ଯେ କେହି ହସିବାରେ ଲାଗିଛି, ଆପଣାକୁ ଭୋଳ ହୋଇ କୁଣ୍ଢାଇ ଧରିଥିବା ଏହି ଅତ୍ୟନ୍ତ ନିରିମାଖୀମାନେ ସେକଥା ଗୁଡ଼ିକୁ ହୁଏତ ଆଦୌ ଠଉରାଇ ପାରୁନଥାନ୍ତି । ସାହିତ୍ୟ ଭିତରେ ପଶି କ୍ରମେ ସଭାମାନଙ୍କୁ ଯିବାକୁ ଆରମ୍ଭ କଲେ ସମ୍ପୃକ୍ତ ଚଉପାଢ଼ୀମାନଙ୍କରେ ଏଭଳି କେତେ କଥା, କେତେ ବିଳାପ ଏବଂ କେତେ ସଂଳାପ ବି ଶୁଣିବାକୁ ହୋଇଥାଏ । ସାହିତ୍ୟଟା କାଳକ୍ରମେ ଏକ ଜମକାଣିଆ ଅନ୍ତପୁରରେ ପରିଣତ ହୋଇଗଲାଣି ବୋଲି ଲକ୍ଷ୍ୟକରି ପ୍ରଥମେ ହୁଏତ ଆଶ୍ଚର୍ଯ୍ୟ ଲାଗେ ସତ, ମାତ୍ର ତା’ ପରେ କଂସାରୀ ଘରର ପାରାଙ୍କ ପରି କାନ ଭିତରକୁ ମୋଟେ କିଛି ନଭେଦାଇ ମଧ୍ୟ ଏହିସବୁ ଚର୍ଚ୍ଚା ଶୁଣିବାକୁ ବେଜାଏ ପ୍ରୀତିକର ବି ମନେ ହୋଇଥାଏ । ସାହିତ୍ୟ ଭିତରେ ଅନେକେ ପ୍ରଥମେ ପ୍ରାୟ ଏକ ଓଷେଇତୀର ପୁଲକ ନେଇ ପ୍ରବେଶ କରିଥାନ୍ତି ଓ ସତେ ଅବା କୌଣସି ପବିତ୍ର ବେଢ଼ା ଭିତରେ ବିଚରଣ କରୁଥିବା ଭଳି ଅନୁଭବ କରୁଥାନ୍ତି । ମାତ୍ର କ୍ରମେ ବଜାରର ହାଲଚାଲ ଦେଖି ପାଗଅନୁକୂଳ ହୋଇଯାଆନ୍ତି ଏବଂ ସେହି ବିଶେଷ ସଂସର୍ଗଟିକୁ ବେଶ୍ ଉପଭୋଗ ବି କରନ୍ତି । ଏହି ସବୁକିଛି ନିମନ୍ତେ ଆମେ କ’ଣ କେବଳ ସାହିତ୍ୟରେ ଏବେ ଚାଲୁଥିବା ପୁରସ୍କାର ପ୍ରଥାଟାକୁ ହିଁ ଦାୟୀ କରିପାରିବା ?

 

ସାହିତ୍ୟରେ କେଉଁମାନେ ପୁରସ୍କାର ଦେବା ନିମନ୍ତେ ଆଗୁଆ ହୋଇ ବାହାରନ୍ତି ? ଏହି ତାଲିକାରେ ସବା ଆଗ ସରକାରମାନଙ୍କର ନାମ ହିଁ ଉଲ୍ଲେଖ କରାଯାଇ ପାରିବ । ଆଗଯୁଗର ରାଜା, ଏବଂ ଆମ ଏ ଯୁଗରେ ସରକାର । ସରକାରଙ୍କ ବାହାରେ ସାହିତ୍ୟାନୁରାଗୀ ଅଥବା ସାହିତ୍ୟପ୍ରେମୀ ବି କିଛି କିଛି ରହିଥାଆନ୍ତି, ଯେଉଁମାନେ ବଦାନ୍ୟତା ପ୍ରକାଶ କରି ସାହିତ୍ୟରେ ପୁରସ୍କାର ଦେବାପାଇଁ ମାନ କରିଥାନ୍ତି । ଖାଲି ପଇସା ବେଶୀ ରହିଛି ବୋଲି ଯେ ସେମାନେ ପୁରସ୍କାର ଦେବାକୁ ମନ କରନ୍ତି, ସେକଥା ମୋଟେ ହେଇନଥିବ । ହୁଏତ ସେମାନଙ୍କ ଚିତ୍ତରେ ସାହିତ୍ୟ ପ୍ରତି ଏକ ଦରଦ ରହିଥିବ । ହୁଏତ ସେମାନେ ନିଜେ କୌଣସି ସାହିତ୍ୟ ଲେଖୁନଥିବେ କିମ୍ବା ପଢ଼ୁନଥିବେ ପଛକେ, ତେବେ ସୁଦ୍ଧା ସାହିତ୍ୟିକମାନେ ପୁରସ୍କାର ପାଆନ୍ତୁ ବୋଲି ଇଚ୍ଛା କରୁଥିବେ । ମାତ୍ର ସରକାରଙ୍କ କ୍ଷେତ୍ରରେ ମଧ୍ୟ ଆମେ ସେହି ସାହିତ୍ୟପ୍ରେମ ଓ ସାହିତ୍ୟାନୁରାଗକୁ ହିଁ ତାଙ୍କ ପୁରସ୍କାର ବ୍ୟବସ୍ଥାର କାରଣ ବୋଲି କ’ଣ ଅନୁମାନ କରିପାରିବା ? ଆଗକାଳରେ ରାଢ଼ ରଜାମାନେ ଯେପରି ସଭାରେ ସାହିତ୍ୟଚର୍ଚ୍ଚା କରାଇ ଯୋଗ୍ୟମାନଙ୍କୁ ପୁରସ୍କାର ବା ପଦବୀମାନ ପ୍ରଦାନ କରୁଥିଲେ, ଯେକୌଣସି ରାଢ଼ ସରକାର ମଧ୍ୟ ନିର୍ମଳ ବିବକେର ସହିତ ଅତ୍ୟନ୍ତ ବିଧିସଂଗତ ଭାବରେ ପଞ୍ଚମାନଙ୍କୁ ବସାଇ ସାହିତ୍ୟରେ ପୁରସ୍କାରର ବ୍ୟବସ୍ଥା କରାରପାରନ୍ତି । ଯୁଗ ଯଦି ଏମିତି ହୁଏ, ଯେଉଁଥିରେ କି ପୁରସ୍କାର ଉଚ୍ଚାଶା ପୋଷଣ କରି ସାହିତ୍ୟ ଲେଖୁଥିବା ସରସ୍ଵତୀସନ୍ତାନମାନେ ଲେଖନୀ ଫଡ଼ ଫଡ଼ କରିବାରେ ଆନନ୍ଦ ଲାଭ କରୁଥାନ୍ତି, ତେବେ ପୁରସ୍କାରର ସଂଖ୍ୟା ସାହିତ୍ୟରେ ଯେତେ ବେଶୀ ହେବ, ସାହିତ୍ୟର ସମ୍ଭ୍ରାନ୍ତ ଦାଣ୍ଡଗୁଡ଼ିକ ସମ୍ଭବତଃ ସେତିକି ଅଧିକ ପରିମାଣରେ ନ୍ୟାୟତଃ ଉଲ୍ଲସିତ ହୋଇ ଉଠିବ । ଆମର ଏହି ଚଳନ୍ତି କାଳଟାରେ ସେହିଭଳି ଆଶାୟୀମାନଙ୍କର ଆଶାମାନେ କ’ଣ ସବୁ ଅନୁକୂଳତା ପାଇ ଆଗ ଅପେକ୍ଷା ଅଧିକ ସୋଚ୍ଚାର ହୋଇ ଉଠିଛନ୍ତି ବୋଲି ବିଧାଟା ସେମାନଙ୍କୁ ବେଶୀ ନଚାଇବା ନିମନ୍ତେ ସାହିତ୍ୟରେ ପୁରସ୍କାରର ବରାଦଗୁଡ଼ିକୁ ପ୍ରାୟ ସେହି ଅନୁପାତରେ ଆଣି ଜୁଟାଇ ଦେଉଛନ୍ତି କି ?

 

ଅଥବା କୌଣସି କାରଣରୁ ପୁରସ୍କାର ଉପରେ ଆହୁରି ପୁରସ୍କାର ପାଇ ମିଠା ଖାଇ ଶେଷକୁ ମୁହଁ ବାନ୍ଧି ହୋଇଯିବା ପରି ଲେଖକମାନଙ୍କର ତାପଟା ମଧ୍ୟ ଥଣ୍ଡା ହୋଇ ରହିଯାଉ ବୋଲି ବିଧାତା ହୁଏତ ଅନ୍ୟ ପ୍ରକାରର କୌଣସି କୂଟ କରିଛନ୍ତି ଏବଂ ତେଣେ ସାହିତ୍ୟିକମାନେ ମଧ୍ୟ ପୁରସ୍କାର ଲାଗି ହାଇଁ ପାଇଁ ହୁଅନ୍ତୁ ବୋଲି ଚକ୍ରାନ୍ତଟାଏ ମେଲି ଦେଇଛନ୍ତି । ସିଏ କ’ଣ ସାହିତ୍ୟର ଓ ସାହିତ୍ୟିକ ମାନଙ୍କର ପରୀକ୍ଷା ନେବାକୁ ଏହି ପୁରସ୍କାରଟାକୁ ଗୋଟାଏ କଷଟି ପରି ବ୍ୟବହାର କରୁଛନ୍ତି କି ? ଜଗତରେ କୋଉ ରାବଣକୁ ମାରିବା ଲାଗି ବରାଦଟିଏ କରି ବିଧାତା ପୁରସ୍କାର ରୂପକ ଏହି ମାୟାମୃଗକୁ ସାହିତ୍ୟର ପଞ୍ଚବଟୀକୁ ପଠାଇଛନ୍ତି କେଜାଣି ? ଭଗବାନ କ’ଣ ଏଯୁଗର ସାହିତ୍ୟିକ ମାନଙ୍କୁ ଈର୍ଷା କରୁଛନ୍ତି କି ଏବଂ ତେଣୁ କଷଟି ଦ୍ଵାରା ପରାଭୂତ କରି ନକଲିମାନଙ୍କୁ ସାହିତ୍ୟର ରାସ୍ତା ଉପରୁ ଆଉ କୁଆଡ଼େ ନେଇ ଫୋପାଡ଼ି ଦେବାକୁ ଇଚ୍ଛା କରୁଛନ୍ତି କି ? ସେଇଥିସକାଶେ କ’ଣ କେତେକ ସାହିତ୍ୟିକ ସେହି ଜାଲରେ ଆସି ପଡ଼ି ଯାଉଛନ୍ତି ଓ ନିଜକୁ ଧରାପକାଇ ଦେଉଛନ୍ତି କି ? ନହେଲେ ସେମାନେ ସାହିତ୍ୟ ଲେଖିବା ଅର୍ଥାତ୍ ସାହିତ୍ୟ କରିବାରେ ଏକ ଅତ୍ୟାବଶ୍ୟକ ଆନୁଷଙ୍ଗିକ କର୍ତ୍ତବ୍ୟ ରୂପେ ସଭାମାନଙ୍କର ପାଖ ଗଳିଗୁଡ଼ାକରେ କାହିଁକି ଏତେ ଫୁସୁରଫାସର ହେଉଥାନ୍ତେ, କାହିଁକି ରାଜନୀତି କରୁଥାନ୍ତେ, କାହିଁକି ଗୋଷ୍ଠୀ ବାନ୍ଧୁଥାନ୍ତେ ଏବଂ ସେମାନଙ୍କର ନିଜ ପସନ୍ଦ ଅନୁସାରେ ଯେ ପୁରସ୍କାରଗୁଡ଼ିକ ଦିଆହେଉ, ସେଥିଲାଗି ଘର୍ମାକ୍ତ ହୋଇପଡ଼ୁଥାନ୍ତେ ? ଏବେ ସାହିତ୍ୟର ତୋଟାଟି, ମଧ୍ୟରେ ନାନାବିଧ ଅନ୍ୟ ମାମଲତକାରୀ ଯେ ଆସି ପ୍ରବେଶ କଲାଣି, ଅସାହିତ୍ୟିକ ଆନ ଅନେକଙ୍କର ସାହିତ୍ୟରେ ଅଧିକକରୁ ଅଧିକ ଅନୁପ୍ରବେଶ ଯେ ଘଟିଲା, ବିଚାର ସାହିତ୍ୟ ଲେଖୁଥିବା ପ୍ରାଣୀମାନେ ଅଧିକ ପରାକ୍ରମେ ଓ ପ୍ରତାପୀ ହୋଇପାରିବେ ବୋଲି ସାହିତ୍ୟର ଏକାନ୍ତ ବାହାରେ ରହିଥିବା ଅଥଚ ବୁଢ଼ିଆଣୀ ପରି ଚାରିଆଡ଼କୁ ଗୋଡ଼ ବଢ଼ାଇବାକୁ ସକ ସକ ହେଉଥିବା ଅନ୍ୟମାନଙ୍କ ଗ୍ରହଣ ଭିତରେ ଯେପରି ନଙ୍ଗରପଙ୍ଗର ହେଲେଣି, ସେଇଥିରୁ ପୂରା ଧରାପଡ଼ି ଯାଉଛି ଯେ ଲେଖକର ଗୋଡ଼ଗୁଡ଼ାକ ସହିତ ସତେ ଅବା ଆଉ କେଉଁ ଭାଙ୍ଗର ମଜା ପାଇଥିବା ପରି ନାନା ଅନ୍ୟ ସଉକ ସହିତ ବି ସଙ୍ଗାତପଣ କାରୀ ବାହାରିଲାଣି ।

 

ସାହିତ୍ୟ ଲେଖୁ ଲେଖୁ ଯିଏ ନିଜ ଭିତରର ଅସଲ କେନ୍ଦ୍ରଟି ବିଷୟରେ ଅସଲ ବାରତାଟି ସତକୁ ସତ ପାଉଥିବ, ସାହିତ୍ୟ ଲେଖୁ ଲେଖୁ ଏହି ବୃହତ୍ତର ପୃଥିବୀ ସହିତ ଡୋର ଲଗାଇ ପାରିଥିବ, ଯିଏ ପୃଥିବୀପଟେ ରହିଥିବ, ସିଏ କଦାପି କୌଣସି କଷଟି ଦ୍ଵାରା ଆଦୌ ପରାଭୂତ ହେବନାହିଁ । ଏପରି କୋଉ ସାହିତ୍ୟିକ ରହିଛି ଯିଏ କି ନିଜର ସବୁଯାକ କଥା କହି ସାରିଲାଣି ? ଏପରି କୋଉ ସାହିତ୍ୟିକ ରହିଛି, ଯାହାର ସଂଗ୍ରାମଗୁଡ଼ିକ ମଧ୍ୟ ସରିଗଲାଣି । ଏପରି ସାହିତ୍ୟିକ କିଏ ଅଛି ଯିଏ କି ତାକୁ ଏଠାରେ ବେଢ଼ି ରହିଥିବା ସକଳ ରାତ୍ରି ସତ୍ତ୍ୱେ ଗୋଟିଏ ନୂତନ ସକାଳ ଲାଗି ନିଜ ଭିତରେ ତଥା ବାହାରେ ନିରନ୍ତର ବାଟଟିଏ ଚାଲୁନାହିଁ । ପୁରସ୍କାର ଦେଇ ତେଣୁ ତାକୁ କେହି ବିସ୍ମୃତ କରି ବସାଇ ଦେଇପାରିବ ନାହିଁ । ରାଜାମାନେ ଯୁଗ ଯୁଗ ଧରି ଲାଗିଲେ, ହୁଏତ କେତେ କେତେ କବିଙ୍କୁ ସେମାନେ ସଭା ଦରବାରର ଖୁଣ୍ଟରେ ଛେଳି ପରି ବାନ୍ଧି ରଖିପାରିଥିଲେ । ସାହିତ୍ୟର ସେହି ପ୍ରଶସ୍ତି-ଯୁଗରେ ପୃଥିବୀର ଅସଲ ପ୍ରଜ୍ଞା ଏବଂ ଅସଲ ସତ୍ୟଗୁଡ଼ିକ କେତେ ପ୍ରକାରେ ଉଢ଼ୁଆଳ ହୋଇ ରହିଗଲା । ତଥାପି ସାହିତ୍ୟ ବଞ୍ଚି ରହିଲା, ସାହିତ୍ୟ ଆଗକୁ ବି ଗଲା । ମଣିଷର ନିଦ ଭଙ୍ଗାଇବାରେ, ତାକୁ ତା’ ବିରାଟ ରୂପର ସନ୍ଧାନ ଦେବାରେ କେତେ ପ୍ରକାରର ଅନ୍ଵେଷଣରେ ଏବଂ କେତେ ପ୍ରକାରର ଆବିଷ୍କାରରେ ବ୍ରତୀ ହେଲା । ପ୍ରତିଷ୍ଠିତ ଶାସନମାନେ, କ୍ଷମତାମାନେ ଏହି ମଣିଷକୁ ଯେତେ ଅଳପ ଓ ଅସମର୍ଥ ବୋଲି ପ୍ରମାଣ କରିବାକୁ ପ୍ରୟାସ କଲେ, ସାହିତ୍ୟ ପ୍ରତିବାଦ କରି ଶିଖିଲା-ମନୁଷ୍ୟ ମାନଙ୍କର ମାଧ୍ୟମରେ ପୃଥିବୀରେ ସତ୍ୟର ଶକ୍ତି ଗୁଡ଼ିକୁ ଅଧିକରୁ ଅଧିକ ପ୍ରତ୍ୟକ୍ଷ କଲା । ଏହି ପୃଥିବୀକୁ ଭୂମି ରୂପେ ବ୍ୟବହାର କରି ଏବଂ ନିଜକୁ ଉଭୟ ବ୍ୟକ୍ତିଗତ ତଥା ସାମୂହିକ ଭାବରେ ଏକ ନିମିତ୍ତ ରୂପେ ପ୍ରସ୍ତୁତ କରି ସତ୍ୟର ଅର୍ଥାତ୍ ଜୀବନଧର୍ମର ବହୁ ସମ୍ଭାବନା ଯେ ବାସ୍ତବରେ ପରିଣତ ହୋଇପାରିବ, ସାହିତ୍ୟ ମନୁଷ୍ୟକୁ ସେହି ଉଦ୍‍ବୋଧନ ଦେଲା । ମନୁଷ୍ୟ ଭିତରେ ରହିଥିବା ଦେବତାକୁ ଉଦ୍‌ବୋଧନ ଦେଲା: ମନୁଷ୍ୟକୁ ପ୍ରାୟ ଏକ ପୌତ୍ତଳିକ କରି ରଖିବା ନିମନ୍ତେ ଯୁଗେ ଯୁଗେ ଯେଉଁ ଷଡ଼ଯନ୍ତ୍ର ଚାଲି ଆସୁଥିଲା, ସାହିତ୍ୟ ତାକୁ ସେହି ଦୁର୍ଦ୍ଦଶାରୁ ବଞ୍ଚାଇ ରଖିଲା । ବର୍ତ୍ତମାନ ମଧ୍ୟ ସାହିତ୍ୟର ସେହି କାର୍ଯ୍ୟଟି ଆଦୌ ସମ୍ପୂର୍ଣ୍ଣ ହୋଇନାହିଁ । ସମ୍ଭବତଃ କେବେ ହେଲେ ସମ୍ପୂର୍ଣ୍ଣ ହେବ ନାହିଁ । ଚେତନାର ପାହାଚ ତଥା ପରସ୍ତଗୁଡ଼ିକ କୌଣସି ଏକ ଅର୍ଦ୍ଧସତ୍ୟ ବା ମିଛ ଶିଖରଦେଶରେ ଆସି ଯେତେବେଳେ ଅଟକି ଯିବାକୁ ମନ କରିଛି, ସେତେବେଳେ ସାହିତ୍ୟ ହିଁ ତା ଭିତରେ ନୂଆ ନୂଆ ଅସନ୍ତୋଷ ଓ ନୂଆ ନୂଆ ଉଦ୍ଦୀପନା ଆଣି ଭରି ଦେଇଛି ।

 

ମଣିଷ କେତେ ନା କେତେ ଝୁଣ୍ଟିଛି । ଏବେ ମଧ୍ୟ କ’ଣ ସିଏ କମ୍ ଝୁଣ୍ଟୁଛି ? ମଣିଷ ବହୁବାର ନିର୍ବୋଧଙ୍କ ପରି ଆଚରଣ କରିଛି ? ଏବେ ବି କଣ ତାକୁ କମ୍ ନିର୍ବୋଧତା କାବୁ କରି ରଖିଛନ୍ତି ? ମଣିଷମାନେ ବେଳେବେଳେ ଭାରି ନିରାଶ ହୋଇ ପଡ଼ିଛନ୍ତି । ମାତ୍ର ସାହିତ୍ୟ ନିରାଶ ହୋଇନାହିଁ । ବରଂ ବିକଳ୍ପ ଦିଗ୍‍ବଳୟମାନଙ୍କୁ ଖୋଲି ଦେଇ ମନୁଷ୍ୟର ବନ୍ଧୁ ପରି ସାହାଯ୍ୟ ଦେବାକୁ ଆସିଛି । କ୍ଷମତାସୀନମାନେ ସାହିତ୍ୟକୁ ଅନେକ ସମୟରେ ସୁନା ରୂପାର ପ୍ରତିଶ୍ରୁତିମାନ ଦେଇ ଶୀଳତ କରିବାକୁ ଉଦ୍ୟମ କରିଛନ୍ତି । ତଥାପି ସାହିତ୍ୟ ବାରବାର ସେମାନଙ୍କର କବଳରୁ ଖସି ବାହାରି ଚାଲି ଯାଇଛି । ସେ ଯୁଗରେ ସ୍ଥାନୀୟ ସାହିତ୍ୟମାନେ ଏବେ କ୍ରମେ ବିଶ୍ଵସାହିତ୍ୟର ଅନୁଭବ ମଧ୍ୟରେ ଆସି ପ୍ରବେଶ ମଧ୍ୟ କଲେଣି । ସାହିତ୍ୟରେ ବେଳେ ବେଳେ ସତେ ଅବା ଭଗାରୀମାନେ ପଶି ମଣିଷକୁ ନିଃସଙ୍ଗ ବୋଲି ଘୋଷଣା କରି କେତେ ଖଳ ଆତ୍ମପ୍ରସାଦ ଅନୁଭବ କରୁଛନ୍ତି, ଜୀବନଟାକୁ ମୃତ୍ୟୁ ତୁଳନାରେ ନିତାନ୍ତ ଅସହାୟ ବୋଲି ଘୋଷଣା କରିବାରେ ଲାଗିଛନ୍ତି-। ମାତ୍ର ମଣିଷ କି ତା’ର ପୃଥିବୀ କେହି ସେଥିରେ ମଙ୍ଗୁନାହାନ୍ତି ଏବଂ ସାହିତ୍ୟ ହିଁ ମଣିଷଏ ଏହି ଅମଙ୍ଗ ହେବାର ସାଧନରେ କେତେ ନା କେତେ ବଳ ଆଣି ଯୋଗାଇ ଦେଉଛି । ମଣିଷ ଓ ପୃଥିବୀକୁ ସର୍ବଦା ସଙ୍ଗ ଦେଇ ବାଟ ଚାଲୁଥିବା ଭଗବାନ ଅନିଦ୍ରା ରହିଥିବା ପରି ସାହିତ୍ୟ ମଧ୍ୟ ସେମାନଙ୍କର ଅନିଦ୍ର ବାନ୍ଧୁ ହୋଇ ରହିଛି । ପାଖେ ପାଖେ ରହିଛି ।

 

କିଏ ବା କୋଉ ବହିଟା ପୁରସ୍କାର ପାଇବେ, ତାହା ନିଷ୍ପତ୍ତି କରୁଥିବା ମଣିଷମାନେ ପ୍ରକୃତରେ ବଡ଼ ବିଚିତ୍ର ପ୍ରକାରର । ଯେଉଁ ବହିଟିକୁ ସେମାନେ ପୁରସ୍କାର ଦେବେ ବୋଲି ଫଇସଲା କରନ୍ତି, ସେମାନେ କେହି ସେହିଟିକୁ ପଢ଼ି ନଥାନ୍ତି । ତେଣୁ ପଞ୍ଚାଟା ବା ଦଶଟା ବହି ଭିତରୁ ଚାରିଟା ବା ନଅଟାକୁ ଆଡ଼େଇ ଦେଇ ସେମାନେ ଗୋଟାଏକୁ କିଭଳି ବାଛିପାରନ୍ତି କେଜାଣି-? ସମ୍ଭବତଃ ଆଗ ପାଞ୍ଚ ବା ଦଶ ଜଣଙ୍କ ମଧ୍ୟରୁ ସେମାନେ ଚାରି ଜଣ ବା ନଅ ଜଣଙ୍କୁ ବାଦ ଦେଇ ଜଣକୁ ବାଛନ୍ତି । ସବୁ ପ୍ରୀତି ତାରି ଉପରେ ନେଇ ଅଜାଡ଼ି ଦିଅନ୍ତି । ତା’ପରେ କଳସଟା ମଧ୍ୟ ସହସା ତାହାରି ଉପରେ ଯାଇ ଅଜାଡ଼ି ହୋଇପଡ଼େ । ତେଣୁ ପୁରସ୍କାର ପାଉଥିବା ଜଣେ ଲେଖକକୁ ସେହି କାରଣରୁ ଜଣେ ଭାଗ୍ୟବାନ ବ୍ୟକ୍ତି ବୋଲି କୁହାଯାଇ ପାରିବ । ଅନ୍ତତଃ ସମ୍ପୃକ୍ତି ବର୍ଷଟି ପାଇଁ ତା’ର ନକ୍ଷତ୍ରମାନେ ଟା ଉପରେ କ’ଣ ପାଇଁ ଭାରି ପ୍ରସନ୍ନ ହୋଇ ପଡ଼ିଥାନ୍ତି । ତେବେ ପୁରଷ୍କୃତ ଲେଖକଟି କ’ଣ ତାର ଗ୍ରହମାନଙ୍କ ପାଖରେ ହିଁ କୃତଜ୍ଞ ରହିବ ? ସିଏ ତାକୁ ବାଛି ଥିବା ବନ୍ଧୁମାନଙ୍କ ପାଖରେ ମଧ୍ୟ ଅବଶ୍ୟ ଗୋଟିଏ ଅନୁରୋଧ କରିବ । ସେମାନେ ବହିଟିକୁ ପଢ଼ନ୍ତୁ । ବିଳମ୍ବରେ ହେଲେ ମଧ୍ୟ ପଢ଼ନ୍ତୁ । ବହିଟି ବିଷୟରେ ବିତର୍କ ହେଉ । ସେଇଟି ଭିତରେ ମନେ ରହିଲା ଭଳି ଏବଂ ଚହଲାଇ ଦେଲା ଭଳି ପ୍ରକୃତରେ କୌଣସି ଆବେଦବ ରହିଛି କି ନାହିଁ, ତାହାରି ଅନେକ ଅନେକ ଚର୍ଚ୍ଚା ହେଉ । ପୁରସ୍କାରଟିଏ ପାଇଛି ବୋଲି ଲେଖକକୁ ଘରକୁ ଡାକିବାକୁ ମନ କଲେ ତାହା ଏକ ଅମର୍ଯ୍ୟାଦା ମଧ୍ୟ ହେବ । ତେଣୁ ପୁସ୍ତକଟିକୁ ହିଁ ଘରକୁ ଡ଼କାଯାଉ । ଚର୍ଚ୍ଚା ହେଉ-। ବିଳମ୍ବରେ ହେଲେ ମଧ୍ୟ ଚର୍ଚ୍ଚା ହେଉ । ତେବେ ସେହି ଚର୍ଚ୍ଚାକୁ ଲେଖକକୁ ଡକା ଯାଇନଥିଲେ ମଧ୍ୟ ଲେଖକ ଯାଇ ସେଠାରେ ଅଲବତ ନାକେଇ କରି ରହିଥିବ ।

 

୦୧ ।୦୩ । ୧୯୯୯

Image

 

ଗୋଟିଏରୁ କୋଟିଏ

 

ଦିନେ ଏଠି ଆମ ଶିକ୍ଷାକେନ୍ଦ୍ରରେ ମୁଁ ପିଲାମାନଙ୍କୁ ଆମେରିକା ବିଷୟରେ କହୁଥିଲି । ସେଠାରେ ଅନେକ ପିଲା ବଳ ପାଇଯିବା ସମୟରୁ ହିଁ ଆପେ ଅର୍ଜନ କରିବାକୁ ଆରମ୍ଭ କରି ଦିଅନ୍ତି । ମୋର ପରିଚିତ ଗୋଟିଏ ପରିବାରର ତିନୋଟି ଭେଣ୍ଡା ପୁଅ କିପରି ଫୁରସତ ସମୟରେ ଶ୍ରମ କରି ନିଜ ପାଠପଢ଼ାରେ ଆବଶ୍ୟକ ହେଉଥିବା ଅର୍ଥର କିଛି ଅଂଶ ନିଜେ ଉପାର୍ଜନ କରୁଥିଲେ, ମୁଁ ତାହାର ଉଦାହରଣ ଦେଉଥିଲି । ଜଣେ ପୁଅ ରାତିରେ ଟ୍ରକ୍ ଚଳାଉଥିଲା, ଟ୍ରକରେ ଜିନିଷ ଲଦିବା ଓ ଜିନିଷ ଓହ୍ଲାଇବା କାମ କରୁଥିଲା । ଆଉ ଜଣେ, ଅଠରବର୍ଷର ସବାସାନଟି କୌଣସି ହୋଟେଲରେ ରୋଷେଇ କରୁଥିଲା । ତିନି ପୁଅଙ୍କୁ ପଢ଼ାଇବା ସକାଶେ ବାପାମାଆଙ୍କର ଯେ ଅର୍ଥର ଅଭାବ ରହିଥିଲା, ସେ କଥା ଆଦୌ ନୁହେଁ । ସେମାନେ ଉଭୟେ କର୍ମନିଯୁକ୍ତ ଥିଲେ ଏବଂ ବହୁତ ରୋଜଗାର ବି କରୁଥିଲେ । ସଂସାର-ସଂସ୍ଥାନର ଉଦ୍ୟମରେ ଆମେ ପୁଅମାନେ କାହିଁକି କିଛି ସାହାଯ୍ୟ ନକରିବା, —ଏହିଭଳି ଏକ ଇଚ୍ଛା ହିଁ ପୁଅମାନଙ୍କୁ ସ୍ୱଂୟ କାମ କରି ପଇସା କମାଇବାକୁ ପ୍ରବୃତ୍ତ କରିଥିଲା । ମୋ କଥା ଶୁଣିବା ପରେ ଜଣେ ପିଲା ପ୍ରଶ୍ନ କରିଥିଲା, ଆମେ ମଧ୍ୟ ଇଚ୍ଛା କଲେ କ’ଣ କାମ କରି ପଇସା ରୋଜଗାର କରି ପାରିବା ନାହିଁ ? ଏ କଥା କିପରି ସମ୍ଭବ ହେବ ବୋଲି ସିଏ ମୋ ‘ ଠାରୁ ଜାଣିବାକୁ ଚାହିଥିଲା ।

 

ତାହା ଅବଶ୍ୟ ସମ୍ଭବ ବୋଲି କହି ମୁଁ ପ୍ରଶ୍ନଟିର ଉତ୍ତର ଦେଇଥିଲି । ପିଲାଟି ଇଚ୍ଛା କଲେ ଆଗ ନିଜ ଘରେ କିଛି ନା କିଛି କାମ କରିବା ଆରମ୍ଭ କରି ପାରିବ । ମାଆଙ୍କୁ ରୋଷେଇରେ ସାହାଯ୍ୟ କରିପାରିବ, ଘରଗୁଡ଼ିକରେ ଝାଡ଼ୁଦେଇ ପାରିବ, ଘରେ ଗାଈ ଥିଲେ ଗାଈ କାମ କରିପାରିବ, ବଗିଚା ପାଇଁ ଜାଗା ରହିଥିଲେ ଫୁଲଗଛ ଏବଂ ଫଳଗଛ ଲଗାଇପାରିବ ଓ ସେଗୁଡ଼ିକର ପରିଚର୍ଯ୍ୟା କରିପାରିବ । ହଁ, ସେମାନଙ୍କରେ ଶିକ୍ଷାକେନ୍ଦ୍ରରେ ମଧ୍ୟ ସବୁ ପିଲା କିଛି ଶ୍ରମ କରିବାର ଆବଶ୍ୟକ ଅବସରମାନ ଅବଶ୍ୟ ସୃଷ୍ଟି କରାଯାଇପାରିବ । ମହାତ୍ମା ଗାନ୍ଧୀଙ୍କ ଦ୍ଵାରା ପ୍ରବର୍ତ୍ତିତ ବିଦ୍ୟାଳୟମାନଙ୍କରେ ଏକଦା କର୍ମ ମାଧ୍ୟମରେ ହିଁ ତ ବହୁତ ଶିକ୍ଷା ଦିଆଯାଇ ପାରୁଥିଲା । ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଉଭୟେ ମିଶି ରୋଷେଇ, ଗୁହାଳକାମ ଓ ପାଇଖାନା ସଫେଇଠାରୁ ଆରମ୍ଭ କରି କୃଷି ତଥା ଲୁଗାବୁଣା ପର୍ଯ୍ୟନ୍ତ ସବୁକିଛି କାର୍ଯ୍ୟକୁ ନିଜେ ତୁଲାଉଥିଲେ । ହଁ ଶିକ୍ଷାକେନ୍ଦ୍ରରେ ଏବଂ ଘରେ ଏହି ସବୁକିଛି ଅବଶ୍ୟ ସମ୍ଭବ ହେବ । ତଥାପି କେତେକ ବାଧାର ସମ୍ମୁଖୀନ ହେବାକୁ ପଡ଼ିବ । ବିଦ୍ୟାଳୟ ଗୁଡ଼ିକରେ ପ୍ରଚଳିତ କାର୍ଯ୍ୟକ୍ରମରେ କେଉଁଠି ହେଲେ ଶରୀରଶ୍ରମର ନିର୍ଘଣ୍ଟ ନଥିବା ବେଳେ ଗୋଟିଏ ଶିକ୍ଷାକେନ୍ଦ୍ରରେ ସେଇଟିକୁ ପ୍ରବେଶ କରାଇବାର ବିଚାରଟି ସମ୍ପୃକ୍ତ ପରିଚାଳକମାନଙ୍କୁ ହୁଏତ କେମିତି କେମିତି ଲାଗିବ । ଶିକ୍ଷକମାନେ ହୁଏତ ପିଲାମାନଙ୍କ ସହିତ ଏକାଠି ମିଶି ଶ୍ରମ କରିବାକୁ ଏକ ଲାଜକଥା ବୋଲି ଭବିବେ । ଶ୍ରମସହଯୋଗର ଏହି ନୂଆ ଚଳଣିଟି ଦ୍ଵାରା ଛାତ୍ର ଓ ଶିକ୍ଷକ ମଧ୍ୟରେ ବର୍ତ୍ତମାନ ରହି ପାରୁଥିବା ଦୂରତାଟା କମିଗଲେ ତା’ ଫଳରେ ଶିକ୍ଷାକେନ୍ଦ୍ରର ଶୃଙ୍ଖଳା ବାଧାପ୍ରାପ୍ତ ହେବ ନାହିଁ ତ, ଅର୍ଥାତ୍ ଛାତ୍ରମାନେ ଆଉ ଶିକ୍ଷକମାନଙ୍କୁ ବର୍ତ୍ତମାନ ପରି ମାନିବାର ପରମ୍ପରାଟି ପୂରା ବିଗିଡ଼ିଯିବ ନାହିଁ ତ-? ଏହି ଶିକ୍ଷାକେନ୍ଦ୍ରର ପିଲାମାନେ ସାଧାରଣତଃ ଥିଲା ଘରମାନଙ୍କରୁ ଚାକିରିଆମାନଙ୍କ ପରିବାରରୁ ଆସିଛନ୍ତି । ସେମାନଙ୍କର ପିଲାମାନେ ବିଦ୍ୟାଳୟରେ କ’ଣ ପାଇଁ ମୁଲିଆଙ୍କ ପରି ଖଟିବେ ବୋଲି ବାପାମାଆମାନେ ଆପତ୍ତି କରିବେ ନାହିଁ ତ ? ପୁନଶ୍ଚ, ନିଜ ଘରେ ମଧ୍ୟ ପିଲାମାନେ ଯଦି ଚାକରମାନଙ୍କର କାମକୁ ନିଜେ କରିବେ, ତେବେ ପଡ଼ିଶାମାନଙ୍କ ଆଖିରେ ସେମାନଙ୍କର ମାନହାନି ହୋଇଯିବ ନାହିଁ ତ ? ତେଣୁ, ନୂଆ ପଦକ୍ଷେପଟିଏ ନେବାକୁ ହେଲେ ଆଗ କିଛି ସାହସ ମଧ୍ୟ ଦରକାର ହେବ ।

 

ଏକଥା ଲେଖିବା ବେଳକୁ ଏକାନ୍ତ ସ୍ଵାଭାବିକ ଭାବରେ ମୋର ରମେଶ କଥା ମନେ ପଡ଼ିଯାଉଛି । ରମେଶ ଏବେ ନାଗପୁର ବିଶ୍ଵବିଦ୍ୟାଳୟରେ ସମାଜଶାସ୍ତ୍ରରେ ଅଧ୍ୟାପକ, ପ୍ରଧାନତଃ ନିଜର ଚେଷ୍ଟା ଓ ଶ୍ରମ ବଳରେ ସିଏ ନିଜ ଅଧ୍ୟୟନ ସମୟଟିକୁ ଅତିବାହିତ କରିଛି । ତା’ ଘର ସେବାଗ୍ରାମର ଅନତିଦୂରରେ ଗୋଟିଏ ଗାଆଁରେ । ବାପା ସାମାନ୍ୟ ଦରଜି ଏବଂ ଯେତେ ଖଟିଲେ ମଧ୍ୟ ସଂସାର ମୋଟେ ଚଳିପାରେ ନାହିଁ । ରମେଶ ପ୍ରଥମ ଶ୍ରେଣୀରେ ହାଇସ୍କୁଲ ପାଠ ସାରିବା ପରେ ବାପା କହିଲେ ତାକୁ ଉପରକୁ ପଢ଼ାଇବା ସକାଶେ ତାଙ୍କର ଆଉ ବଳ ପାଇବ ନାହିଁ । ଏଣେ ରମେଶ ଜିଦ୍ କଲା ଯେ ସିଏ ଯେମିତି ହେଲେ ପଢ଼ିବ । ବାପାମାଆଙ୍କର ଅନୁମତି ସହିତ ଦିନେ ସିଏ ନିଜେ ଅନ୍ଵେଷଣରେ ଘରୁ ବାହାରିଗଲା । ପାଦରେ ଚାଲି ଚାଲି ବହରି ପଡ଼ିଲା । ବାଟରେ ଯେତେ ଜାଗାରେ କଲେଜ ପଡ଼ିଲା, ସେଠାରେ ଅଧ୍ୟକ୍ଷଙ୍କର ପାଖକୁ ଯାଇ କହିଲା ଯେ, ତାକୁ ଯାହା କାମ ଦିଆଯିବ, ସିଏ ତାହା କରିବା ପାଇଁ ପ୍ରସ୍ତୁତି, ମାତ୍ର କଲେଜରେ ତାକୁ ପାଠ ପଢ଼ିବା ପାଇଁ ସୁଯୋଗ ଦିଆଯିବା ଉଚିତ । ଅଧ୍ୟକ୍ଷମାନେ ତା’ ସାହସର ଉଚ୍ଚ ପ୍ରଶଂସା ସିନା କଲେ, ମାତ୍ର ଏତେ ବଡ଼ ଝମେଲାରେ ପଶିବାର ସାହସ କରିପାରିଲେ ନାହିଁ । କେତେ ସପ୍ତାହ ସେହିପରି ଘୂରିବା ପରେ ରମେଶ ଶେଷକୁ ଜଣେ ଦୟାର୍ଦ୍ର ଅଧ୍ୟକ୍ଷଙ୍କ ପାଖରେ ପହଞ୍ଚିଲା, ଯିଏକି ତାକୁ କଲେଜରେ ପାଠ ପଢ଼ିବାରେ ସୁଯୋଗ ଦେଲେ ଓ ଛାତ୍ରାବାସରେ ମଧ୍ୟ ସ୍ଥାନ ଦେଲେ । ରମେଶ ଛାତ୍ରାବାସରେ କୋଠରୀଗୁଡ଼ିକୁ ଝାଡ଼ୁ ଦେଇ ସଫା କରିବା କାମରେ ନିଯୁକ୍ତି ହେଲା । ତାକୁ ମୋଟେ ଲାଜ ମାଡ଼ିଲା ନାହିଁ । ତେଣେ ନିଜ ପାଠରେ ସମସ୍ତଙ୍କର ଆଗରେ ରହିଥିଲା । କ୍ରମେ କାମରେ ବି ପଦୋନ୍ନତି ହେଲା । କଲେଜରେ ଖେଳଛୁଟି ସମୟରେ ଅଧ୍ୟାପକ ଓ ଛାତ୍ରମାନଙ୍କୁ ସିଏ ଚାହା ତିଆରି କରିଦେଲା ଓ ସେଥିରୁ ବହୁତ ଲାଭ କଲା । ପାଠରେ ଆଗକୁ ଆଗକୁ ଉଠି ସିଏ ସମାଜବିଜ୍ଞାନରେ ସ୍ନାତକୋତ୍ତର ହେଲା ଏବଂ ନିବନ୍ଧ ବି ଲେଖି ଉଚ୍ଚତମ ଡିଗ୍ରୀଟିକୁ ପାଇଲା । ଅଧ୍ୟାପକ ହେଲା । ପ୍ରଥମ ମାସର ବେତନରୁ ସବାଆଗ ବାପାଙ୍କ ପାଇଁ ଏକ ସିଲେଇ ମେସିନ୍ କିଣିଦେଲା । ସେପର୍ଯ୍ୟନ୍ତ ବାପା ଆଉ ଜଣେ ଦର୍ଜିଙ୍କର ମେସିନରେ ସିଲେଇ କରି ଯାହା କିଛି ଉପାର୍ଜନ କରି ପାରୁଥିଲେ; ଏଣିକି ସିଏ ସ୍ଵାବଲମ୍ବୀ ହୋଇପାରିଲେ ।

 

ଆମ ଦେଶରେ ଏବେ ମଧ୍ୟ ଲକ୍ଷ ଲକ୍ଷ ପିଲା ଶ୍ରମିକ ହୋଇ ଖଟୁଛନ୍ତି । କେତେ ପ୍ରକାରରେ ଶ୍ରମ ଯେ ଖଟୁଛନ୍ତି, ତା’ର କୌଣସି ବାଡ଼ ନାହିଁ କି ବତା ନାହିଁ । ମେହେନତ କରି ସେମାନେ ନିଜ ଅନ୍ନର ଭରଣା କରୁଛନ୍ତି, ପରିବାରକୁ ମଧ୍ୟ ଯତ୍‍କିଞ୍ଚିତ୍ ସାହାର୍ଯ୍ୟ କରିପାରୁଛନ୍ତି । ଗାଆଁରେ ଥିବା ନିଜ ପୃଥିବୀଟିକୁ ଛାଡ଼ି ସହରର ତମ୍ବୁସଂସାରଟା ଭିତରେ ନିଜ ଭାଗ୍ୟର ଅତି ବନ୍ଧୁର ପଥଟିକୁ ପାର ହେଉଛନ୍ତି । ଦେଶର ସମ୍ବିଧାନ ଅନୁସାରେ ସେମାନେ ସମସ୍ତେ କୌଣସି ନା କୌଣସି ବିଦ୍ୟାଳୟରେ ବସି ପାଠ ପଢ଼ୁଥାଆନ୍ତେ । ସେମାଙ୍କର ସମସ୍ୟାଟିକୁ କିପରି ସମାଧାନ କରି ହେବ, ଅର୍ଥାତ୍ ସେମାନଙ୍କୁ କିପରି ଶ୍ରମଯାତନାରୁ ମୁକ୍ତି ଦେଇ ବିଦ୍ୟାଳୟକୁ ଆଣି ହେବ, ଭାଗ୍ୟବାନ୍ ଉଚ୍ଚପଦସ୍ଥମାନେ ତାହାର ବାଟ ଖୋଜୁଛନ୍ତି । ଏବେ ମଧ୍ୟ ସଳଖ ଓ ଫଳଦାୟକ ସମଗ୍ର ବାଟଟିଏ ପାଉନାହାନ୍ତି । ଏହି ପ୍ରସଙ୍ଗରେ କାଶୀପୁର, କଇଁପୁର ଓ ଫୁଲବାଣୀରେ ଚାଲୁଥିବା ରାତି ସ୍କୁଲର ପିଲାମାନଙ୍କର ଏକ ଚିତ୍ର ମୋ’ ସମ୍ମୁଖକୁ ଆସିଯାଉଛି, ଯେଉଁଠାରେ ପିଲାମାନେ ଦିନଯାକ କାମ କରନ୍ତି । ଛେଳି ଜଗନ୍ତି, କାଠ ଗୋଟାନ୍ତି ଅଥବା ରାସ୍ତାକଡ଼ ଛାଇରେ ବସି ପଥର ଭାଙ୍ଗନ୍ତି; ତଥାପି ସନ୍ଧ୍ୟା ବୁଡ଼ିବା ମାତ୍ରକେ ରାତି ସ୍କୁଲକୁ ପାଠ ପଢ଼ି ଆସନ୍ତି, ମୋଟେ କ୍ଳାନ୍ତ ହୋଇ ପଡ଼ିନଥାନ୍ତି । ଭିତରର ଇଚ୍ଛାଶକ୍ତି ମୁହଁରେ ହସ ହୋଇ ଫୁଟି ଉଠୁଥାଏ । ସେମାନେ ପୂର୍ଣ୍ଣ ଉତ୍ସାହରେ ପାଠ ପଢ଼ନ୍ତି, ଗପ ଶୁଣନ୍ତି ଓ ଗପ କହନ୍ତି । ସକାଳୁ ଟିଉସନ ହୋଇ ହାଲିଆ ବାହାରି ଯାଉଥିବା ଏବଂ ରାତିରେ ଆଉ ଟିଉସନକୁ ଯିବାର ଚିନ୍ତାରେ ହାଲୁକା ଶୁଖିଯାଉଥିବା ଆମ ଦିନ-ଇସ୍କୁଲିଆ ପିଲାଙ୍କ ପରି ମୋଟେ ନିରାଶିଆ କିମ୍ବା ସେନ୍ତେରା ଦେଖା ଯାଆନ୍ତି ନାହିଁ । ମୋଟେ ଅନ୍ୟମନସ୍କ ହୁଅନ୍ତି ନାହିଁ । ଶରୀରଟା ପ୍ରଫୁଲ୍ଲ ହୋଇ ରହିଥାଏ ବୋଲି ମନଟା ବି ଏଡ଼େ ଗ୍ରହଣଶୀଳ ହୋଇପାରେ କି ? ଶ୍ରମ ଦ୍ଵାରା ଶରୀର ଯେ କେବଳ ସଚଳ ବା ସବଳ ନୁହେଁ, ଅଧିକ ପରିମାଣରେ ଯେ ସମ୍ମତ ଓ ପ୍ରଫୁଲ୍ଲ ହୋଇପାରେ, ଏହା ପଛରେ କୌଣସି ବୈଜ୍ଞାନିକ କାରଣ ରହିଛି କି ? ଶ୍ରମଲଜ୍ଜା ଦ୍ଵାରା ସତେଅବା ବଂଶାନୁଗତ ଭାବରେ ପୀଡ଼ିତ ହୋଇ ରହିଥିବା ଗେହ୍ଲାମାନେ ଯେଉଁ ବିଜ୍ଞାନ ପଢ଼ନ୍ତି, ସମ୍ଭବତଃ ସେହି ବିଜ୍ଞାନ ଏଆଡ଼େ କୌଣସି ଗବେଷଣା କରିବାକୁ ଆଦୌ ରାଜି ହେବ ନାହିଁ ।

 

ଶୁଣିଛି, ଊତ୍ତର ପ୍ରଦେଶରେ ପ୍ରାୟ ଷାଠିଏ ସତୁରି ବର୍ଷ ତଳେ ଯେଉଁ ଜମିଦାର ଓ କ୍ଷତ୍ରିୟ ସାମନ୍ତ ଘରର ପୁଅମାନେ ପ୍ରାୟ ଏକ ସଉକରେ ସହରରେ ଥିବା କୌଣସି କଲେଜରେ ପାଠ ପଢ଼ି ଆସୁଥିଲେ, ଛାତ୍ରାବାସରେ ସେମାନଙ୍କ ନିମନ୍ତେ ନାନା ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ହେଉଥିଲା । ଗୁଣବନ୍ତମାନଙ୍କ ସହିତ ଚାକରବାକର ବି ଆସୁଥିଲେ, ଯେଉଁମାନେ କି ବାବୁଙ୍କ ପାଇଁ ରୋଷେଇ କରି ଦେଉଥିଲେ, ଗୋଡ଼ଫୋଡ଼ ମୋଡ଼ି ଦେଉଥିଲେ ଓ ଗାଧେଇବା ପୂର୍ବରୁ ଦେହରେ ତେଲ ମାଲିଶ୍ କରି ଦେଉଥିଲେ । ବେଳେ ବେଳେ ସାନସାଆନ୍ତଙ୍କ ସହିତ ଗୋଟାଏ ମାଈମଇଁଷି ମଧ୍ୟ ଆସୁଥିଲା । ସେଗୁଡ଼ିକର ହେପାଜତ ଲାଗି ବି ଅଲଗା ମଣିଷ ଆସୁଥିଲେ । ଏଇଟା ଫଳରେ ସାଆନ୍ତେ ନିରୁତା ଗୋରସ ପାନ କରିପାରୁଥିଲେ । ଏସବୁ ଶୁଣିବା ସମୟରେ ବାଟରେ ମୋଗଲମାନଙ୍କ ସୈନ୍ୟ ଛାଉଣୀଗୁଡ଼ାକ କଥା ମନେ ପଡ଼ିଯାଉଥିଲା, ଯେଉଁଠାରେ ଜହାମ୍ପନାମାନେ ଯୁଦ୍ଧ କରିଯିବେ ବୋଲି ସାଙ୍ଗରେ ପାନ ଭୋଜନର ନାନା ସାମଗ୍ରୀ ସହିତ ମନୋରଞ୍ଜନ ନିମନ୍ତେ ସୁରାସାକୀ ଏବଂ ବାବର୍‍ଚୀମାନେ ମଧ୍ୟ ଗହଣରେ ମହଜୁଦ ରହିଥିଲେ । ସମାଜରେ ଗେହ୍ଲାମାନେ ତଥାକଥିତ ପାଠ ପଢ଼ିବେ ବୋଲି ଏବେ ମଧ୍ୟ ବରାଦଗୁଡ଼ିକ ଭାରି ଚଉକଷ ଭାବରେ ଗେହ୍ଲା ହୋଇ ରହିଛି । ଶିକ୍ଷାକୁ ପ୍ରାୟ ଏହି ଅର୍ଥରେ ଆନନ୍ଦମୟ କରି ରହିବା ପାଇଁ ସରକାରୀ ଉର୍ବର ମୁଣ୍ଡମାନେ ଗବେଷଣା କରୁଛନ୍ତି ଏବଂ ଜଟିଳ ବହୁ ଚିନ୍ତା-ପ୍ରସୂତ ଅଭିଯାନମାନ ବି ଚଳାଇବାକୁ ମାନ କରୁଛନ୍ତି । ଗେହ୍ଲା ପିଲାମାନଙ୍କର ମନ ବହଲାଇବାକୁ ହିଁ ସମ୍ଭବତଃ ପ୍ରଧାନତଃ ଆମ ଅଧିକାଂଶ ଶିଶୁସାହିତ୍ୟମାନ ଲେଖାଯାଉଛି । ସେମାନଙ୍କୁ ବାଘମାମୁଁଙ୍କଠାରୁ ଆରମ୍ଭ କରି ବୁଢ଼ୀ ଅସୁରୁଣୀ ପର୍ଯ୍ୟନ୍ତ ମସ୍ତ ମସ୍ତ କଳ୍ପନାରେ କେତେ କଥା କୁହାଯାଇଛି । ଚାରିପାଖ ସଂସାରର ପ୍ରାୟ କିଛି କଥା କୁହାଯାଉନାହିଁ । ଗଳ୍ପ ଛଳରେ ସନାତନ ଶୈଳୀରେ ନୀତିଉପଦେଶ ପ୍ରଦାନ କରାଯାଉଛି । ଅଥଚ, ଚାରିପାଖରେ କଞ୍ଚା ପୃଥିବୀଟା ବିଷୟରେ କେତେ ଅଳପ ସଚେତନ କରାଯାଉଛି । ସେମାନଙ୍କର ସମବୟସୀ କେତେ ପିଲା ଯେ ଦିନଯାକ ଶ୍ରମ କରି ରାତିରେ ତଥାପି ଖୁସି ମୁହଁରେ ପାଠପଢ଼ି ଆସୁଛନ୍ତି, ଏମାନଙ୍କ ବିଷୟରେ ଆମ ଗେହ୍ଲା ପଢ଼ୁଆମାନେ ମୋଟେ କିଛି ଜାଣି ନଥିବେ । ଶିଶୁସାହିତ୍ୟ ମଧ୍ୟ ଇଚ୍ଛା କଲେ ସେଇ ଚିତ୍ରଟିକୁ ଆଣି ଦେଇପାରନ୍ତା ଓ ଏକ ଅନ୍ୟ ଜୀବନମୂଲ୍ୟ ଏବଂ ଭବିଷ୍ୟତଚିତ୍ର ବିଷୟରେ ପିଲାମାନଙ୍କର ଉତ୍ସାହକୁ ଉଖାରି ଦେଇପାରନ୍ତା ।

 

ବର୍ତ୍ତମାନ ଆମ ଘରେ କ’ଣ ସବୁ ପୁରୁଣା ଭଙ୍ଗା ହୋଇ ନୂଆ କରି ଗଢ଼ା ହେଉଛି ଯେ ସେଥିଲାଗି ମିସ୍ତ୍ରୀ କାମ କରିବାକୁ ଆସୁଛନ୍ତି । ମିସ୍ତ୍ରୀଙ୍କ ସହିତ ମୂଲିଆଟିଏ ମଧ୍ୟ ଆସୁଛି । ବୟସ ସତର କି ଅଠର ହେବ । ସିଏ ମୋଟା କାମ ଗୁଡ଼ିକୁ କରି ଦେଉଛି, କାନ୍ଥରୁ ପୁରୁଣା ପଲସ୍ତରା ଛଡ଼ାଉଛି, କାନ୍ଥ ଭିତରକୁ କଣା ଫିଟାଉଛି ବିଜୁଳି ତାର ଯାଇଥିବା ଆଗ ବାଟଟିକୁ ତାଡ଼ି ନୂଆ ବାଟଟିଏ ଖୋଳି ଦେଉଛି ଏବଂ ମିସ୍ତ୍ରୀଙ୍କ ସକାଶେ ସିମେଣ୍ଟ ମସଲା ତଳୁ ବୋହି ଆଣି ପହଞ୍ଚାଇ ଦେଉଛି । ଯାବତୀୟ ହାବଭାବରୁ ଟିକିଏ ଭାରି ଅଲଗା ଅଲଗା ମନେ ହେଉଛି । ମୋଟେ ଯାହା ତାହା ମୁଲିଆଙ୍କ ପରି ଦେଖା ଯାଉନାହିଁ । ସିଏ ପିନ୍ଧିଥିବା ପୂରା ପ୍ୟାଣ୍ଟ ଓ କମିଜ୍ ମଧ୍ୟ ଭିନ୍ନ ବାଗର ଦେଖାଯାଉଛି । ଇଏ ସିଏ ମୂଲିଆଙ୍କ ପରି ମୁହଁଶୁଖିଲା ଦିଶୁନାହିଁ । ତା’ ସହିତ କଥା ହେଲା ସମୟରେ ତ ମୁହଁ ଉପରେ ଏକ ଧୀର ହସର ସହଜ ଉଜ୍ଜଳତା ଫୁଟି ଉଠୁଛି । ସତେଯେପରି ସିଏ ଆଦୌ କୌଣସି କଷଣ ମେଣ୍ଟାଇବା ସକାଶେ ମୂଲ ଖଟିବାକୁ ଆସିନାହିଁ; ନିଜ ଜୀବନର ଆଉ କ’ଣ ଉଦ୍ଦେଶ୍ୟଟିଏ ପୂରଣ କରିବା ପାଇଁ ଏହିପରି କାମ କରି କିଛି ଅର୍ଥ ଉପାର୍ଜନ କରିବା ଲାଗି ଆସିଛି । କଥାବାର୍ତ୍ତାରୁ ଜଣାପଡ଼ିଲା, ସିଏ ରାଜଧାନୀର ଉପକଣ୍ଠରେ ଥିବା ଏକ କଲେଜରେ ପାଠ ପଢ଼ୁଛି । ତା’ ଘର କଟକ ଜିଲ୍ଲାରେ କୌଣସି ନଦୀକୂଳିଆ ଗାଁରେ । ତା’ ଘରେ ତାକୁ କଲେଜରେ ପଢ଼ିବା ସକାଶେ ପଇସା ଦେଇ ପାରିନଥାନ୍ତେ । ତେଣୁ ନିଜର ଭାଗ୍ୟ-ପ୍ରତିଶ୍ରୁତିକୁ କାନ୍ଧରେ ବସାଇ ସିଏ ଏଣେ ପଳାଇ ଆସିଛି ଓ ଏହିପରି ଉପାୟରେ ପାଠ ପଢ଼ିବା ନିମନ୍ତେ ସଂସ୍ଥାନଟିଏ ଯୋଗାଡ଼ କରି ଦେଇଛି । ଯେଉଁଦିନ କେଉଁଠି କାମ କରିବା ପାଇଁ ଡାକରା ପାଏ, ସେଦିନ ସିଏ କଲେଜର ଅଧ୍ୟାପକମାନଙ୍କୁ ସେଥିଲାଗି କହି କରି ଆସିଥାଏ । ଅର୍ଥାତ୍ ଅଧ୍ୟାପକମାନେ ତା’ ବିଷୟରେ ସବୁକିଛି ଜାଣିଛନ୍ତି ଏବଂ ତାକୁ ସେଥିପାଇଁ ଅନୁମତି ବି ଦେଇ ଦିଅନ୍ତି ।

 

ତା’ର କଥା ଶୁଣି ତା’ ପ୍ରତି ସମ୍ମାନ ଜାତ ହେଲା । ତା’ର ଅବସ୍ଥାରେ ଥିଲେ ମୁଁ ଏପରି କରି ପାରିଥାନ୍ତି କି ନାହିଁ କେଜାଣି ? ନିଜ ପାଠପଢ଼ା ପାଇଁ ନିଜେ ଏହିପରି ବ୍ୟବସ୍ଥାଟିଏ କରିପାରିଥାନ୍ତି କି ନାହିଁ କେଜାଣି ? ମୋତେ ଏପରି କରିବା ଦ୍ଵାରା ଲାଜ ମାଡ଼ିନଥାନ୍ତା, ମୁଁ ସାଙ୍ଗପିଲାମାନଙ୍କ ମେଳରେ ନିଜକୁ ହୀନ ଓ ନ୍ୟୂନ ବୋଲି ମନେ କରି ନଥାନ୍ତି ତ ? ଉପଯୁକ୍ତ ସାହସ ଥିଲେ ହୁଏତ କରି ପାରିଥାନ୍ତି, ସାହସ ନଥିଲେ ଅଟକି ଯାଇଥାନ୍ତି, ପରିସ୍ଥିତି ପାଖରେ ମୁଣ୍ଡ ନୁଆଁଇ ଦେଇଥାନ୍ତି । ଆଗ୍ରାରେ ଥିବାବେଳେ କେତେକ ରି ରିକ୍ସାଚାଳକଙ୍କୁ ଜାଣିଥିଲି, ଯେଉଁମାନେ କି ରାତିରେ ରିକ୍ସା ବୋହୁଥିଲେ ଏବଂ ଦିନବେଳେ କଲେଜରେ ପାଠ ପଢ଼ୁଥିଲେ । ଏହିଭଳି ଆହୁରି କେତେ କେତେ ଅବଶ୍ୟ ରହିଥିବେ । ସେମାନେ ହଟିଯାଇ ନଥିବେ, ମୋଟେ ଅଟକିଯାଇ ନଥିବେ-। ନିଜ ପାଇଁ ଯୋଜନା କରି ଜୀବନର ହିଡ଼ଗୁଡ଼ିକୁ ଡେଇଁବେ ବୋଲି ବାହାରିଥିବେ । ସେମାନଙ୍କୁ ଆଦୌ ଲାଜ ମାଡ଼ୁନଥିବ । ବିଦ୍ୟା ଦ୍ଵାରା ଜଡ଼ତା ଦୂରୀଭୂତ ହୁଏ ବୋଲି ପ୍ରାଚୀନ ପ୍ରଜ୍ଞାଶୀଳ ବ୍ୟକ୍ତିମାନେ ଯାହା କହିଛନ୍ତି, ଏମାନେ ଜଣେ ଜଣେ ସମ୍ଭବତଃ ସେହିଭଳି ଗୋଟିଏ ଗୋଟିଏ ଉଦାହରଣ । ଜଡ଼ତା ଛାଡ଼ିଯିବା ଯାହା, ଲାଜ ଛାଡ଼ିଯିବା ମଧ୍ୟ ପ୍ରକୃତରେ ସେଇଆ । ଲାଜ ଛାଡ଼ି ପାରୁଥିବା ମନୁଷ୍ୟମାନେ ହିଁ ପୁରୋଗାମୀ ହୋଇପାରିବେ । ଅତ୍ୟନ୍ତ ସକାରାତ୍ମକ ଭାବରେ ଆଗକୁ ବାଟ କାଢ଼ି ପାରିବେ । ଅତ୍ୟନ୍ତ ସକାରାତ୍ମକ ଅର୍ଥରେ ସେହିମାନଙ୍କୁ ହିଁ ଆଜି ସଂକଳ୍ପ ରହିଥିବା ଅମାନିଆ ବୋଲି କୁହାଯାଇ ପାରିବ । ସେମାନେ ନିଜ ଭିତରେ ରହିଥିବା ବୃହତ୍ତର ଆଉ କାହାର ବୋଲ ମାନୁଛନ୍ତି ବୋଲି ଏପରି ଆଶା–ଉଦ୍ଦୀପ୍ତ ଭାବରେ ଅମାନିଆ ହୋଇ ପାରୁଛନ୍ତି । ଏହି ଏକମାନେ ହିଁ ଅନେକ ହେବେ ।

 

ଏହି ଏକମାନେ ଅନେକ ହେବେ । ପରିମଳ ବଦଳାଇବେ । ସ୍ଵାଧୀନ ଭାରତବର୍ଷରେ ଆମ ଧୋବ ଉଚ୍ଚାସୀନମାନେ ଆମକୁ କେଡ଼େ ଉତ୍‍ଫୁଲ୍ଲ ଭାବରେ ଶ୍ରମର ମର୍ଯ୍ୟାଦା ବିଷୟରେ ଭାଷଣ ଦେଇ ଆସିଛନ୍ତି । ପାଠ୍ୟ ପୁସ୍ତକମାନଙ୍କରେ ଶ୍ରମର ମର୍ଯ୍ୟାଦାକୁ ବକ୍ତବ୍ୟ କରି ଲେଖାମାନ ରହିବ ବୋଲି ହୁଏତ ସରକାରୀ ଶିକ୍ଷା ବିଭାଗରୁ ପରାମର୍ଶ ପ୍ରଦାନ କରାଯାଇଛି । ମାତ୍ର ଶ୍ରମ-ଲାଜଗୁଡ଼ାକ ହିଁ ତଥାକଥିତ ଶିକ୍ଷିତମାନଙ୍କୁ କ୍ରମେ ଅଧିକରୁ ଅଧିକ କାମୁଡ଼ି ଧରିବାକୁ ଚେଷ୍ଟା କରୁଥିବା ପରି ମନେହେଉଛି । ସବାତଳ ମଣିଷମାନେ ଗଧ ପରି ଖଟଣି ଖଟୁଛନ୍ତି ଏବଂ ଉପରେ ରହିଥିବା ଶିଷ୍ଟମାନେ ଅତ୍ୟନ୍ତ ଧୂର୍ତ୍ତ ଭାବରେ ଯାବତୀୟ ପ୍ରକାରର ଶ୍ରମଠାରୁ ଦୂରରେ ରହିଛନ୍ତି । ଏଡ଼େ ବଡ଼ ନାକଗୁଡ଼ାକୁ ଟେକି ତଳେ ରହିଥିବା ମଣିଷମାନଙ୍କୁ ଘୃଣା କରୁଛନ୍ତି । ଏବଂ ଏହି ଦେଶରେ ଅଧିକାଂଶ ମଣିଷ ତଳେ ହିଁ ରହିଥିବାରୁ ସେମାନେ ଏହି ଦେଶଟାକୁ ମଧ୍ୟ ଘୃଣା କରୁଛନ୍ତି-। ବାହାରକୁ ଯେ ଭାରି ଗୋଦଡ଼ା ଦେଖାଯାଉଛନ୍ତି, କେବଳ ସେତିକି ନୁହେଁ, ନିଜର ଦୃଷ୍ଟଗତ କ୍ଷେତ୍ରଗୁଡ଼ିକରେ ମଧ୍ୟ ଗୋଦଡ଼ା ହୋଇ ରହିଛନ୍ତି । ନିରାଲମ୍ବ ଭାବରେ କେବଳ ଭୋଗ ହିଁ କରିବାକୁ ଜୀବନର ମୋକ୍ଷ ବୋଲି ଜାଣୁଛନ୍ତି । ଗାଆଁମାନଙ୍କରେ ଭୂଇଁ ପଡ଼ିଆ ହୋଇ ପଡ଼ିଛି ଅଥଚ ପଢ଼ୁଆମାନେ କର୍ମହୀନ ଭାବରେ ବାପାମାଆଙ୍କ ଉପରେ ବୋଝ ହୋଇ ରହିଛନ୍ତି । ନିକିମା ସାଆନ୍ତମାନଙ୍କୁ ଦେଖି ଏବେ ମୂଲିଆମାନେ ବି ଠାପୁଆ ହେଲେଣି । ସତେଅବା ଗୋଟିଏ ପକ୍ଷ ଅନ୍ୟ ପକ୍ଷକୁ ଦୋଷ ଦେବାର ଅଧିକାରଟିକୁ ହରାଇ ବସିଛି । କଥାକଥିତ ଉଚ୍ଚଶିକ୍ଷାର ଆସ୍ଥାନମାନଙ୍କରେ ଆମ ତରୁଣକୁଳ ପ୍ରାୟ ବିଧିବଦ୍ଧ ଭାବରେ ଅଳସୁଆ ଏବଂ ଅଲକ୍ଷଣା ହେବାର ଏକ ବିଧିବଦ୍ଧ ତାଲିମ ପାଇବାରେ ଲାଗିଛନ୍ତି । ଜୀବନଟାକୁ ବ୍ୟର୍ଥ କରି ଦେଉଛନ୍ତି ।

 

ବ୍ୟତିକ୍ରମମାନେ କ୍ରମେ ଅଧିକସଂଖ୍ୟକ ହୁଅନ୍ତୁ । ହୁଏତ ପ୍ରକୃତରେ ବର୍ତ୍ତମାନ ମଧ୍ୟ ସେମାନେ ବହୁ ସଂଖ୍ୟାରେ ରହିଛନ୍ତି । ଉପରୁ ମୋଟେ ଚିହ୍ନା ଦେଉନାହାନ୍ତି ଏବଂ ବହୁପ୍ରକାରେ ସୁଯୋଗ ଗୁଡ଼ିକର ଦୃଷ୍ଟିରୁ ବଞ୍ଚିତ ହୋଇ ରହିଥିଲେ ମଧ୍ୟ ସେମାନେ ତଥାପି ସେହି ବଞ୍ଚିତ ହୋଇ ଭାଗ୍ୟ ଆଦରି ରହିବାଟକୁ ଆଦୌ ସ୍ଵୀକାର କରି ନେଇ ନାହାନ୍ତି । ସେମାନେ ପ୍ରାୟ ସମସ୍ତେ ଗାଆଁମାନଙ୍କରୁ ଆସିଛନ୍ତି । ସେମାନେ ଘରୁ ଖାଇ ଗାଆଁ ବା ଗାଆଁପାଖ ହାଇସ୍କୁଲମାନଙ୍କରେ ପଢ଼ି ଉତ୍ତୀର୍ଣ ହୋଇଛନ୍ତି । ଆହୁରି ଆଗକୁ ଯେପରି ପଢ଼ିପାରିବେ, ବାପାମାଆ ସେମାନଙ୍କୁ ସେହି ଭରସା ଦେଇ ପାରିନାହାନ୍ତି । ତେଣୁ ସେମାନେ ନିଜ ପାଇଁ ନିଜେ କିଛି ସମ୍ଭବ କରିବେ ବୋଲି ସହରକୁ ଚାଲି ଆସିଛନ୍ତି । ପାଠ ପଢ଼ୁଛନ୍ତି ଏବଂ କାମ କରୁଛନ୍ତି । କୌଣସି କାମ କଲେ ଯେ ସମ୍ମାନ ହାନି ହେବ, ସେମାନଙ୍କର ମୁଣ୍ଡ ଭିତରୁ କ୍ରମେ ସେହି ଭ୍ରମଟା ଦୂର ହୋଇ ଯାଉଛି । ସେମାନେ ଅଭିଜ୍ଞତାରୁ ହିଁ ବଳ ପାଉଛନ୍ତି । ଶ୍ରମ କଲେ ଯେ ମଣିଷ ନିଜ ଭିତରୁ ହିଁ ବିଶ୍ୱାସ ପାଉଥାଏ, ମେରୁଦଣ୍ଡ ସିଧାକରି ଛିଡ଼ା ହୋଇ ପାରିବାର ଭରସା ଲାଭ କରେ ସେମାନେ ଅଙ୍ଗେ ନିଭାଇ ତାହା ଉପଲବ୍ଧି କରୁଛନ୍ତି । ନିଜର ଜୀବନ ହିଁ ସେମାନଙ୍କ ପାଇଁ ବିଦ୍ୟାଳୟ ପରି କାର୍ଯ୍ୟ କରୁଛି । ତେଣୁ କଷ୍ଟଟା ମୋଟେ କଷ୍ଟ ବୋଲି ଲାଗୁନାହିଁ । ସେମାନଙ୍କ ସହିତ ପଢ଼ୁଥିବା ଅନ୍ୟମାନେ ଯେ ବାପାମାନଙ୍କୁ ଅବଲମ୍ବନ କରି ଅନ୍ୟପ୍ରକାରେ ବଞ୍ଚୁଛନ୍ତି, ସେକଥା ଦେଖି ସେମାନଙ୍କ ଭିତରେ କୌଣସି ଈର୍ଷା ଜାତ ହେଉନାହିଁ । ତେଣୁ, ସଂଘର୍ଷରୁ ଖୁସି ମିଳୁଛି । ସଂଘର୍ଷ ମୋଟେ ସଂଘର୍ଷ ପରି ଲାଗୁନାହିଁ । ଯେକୌଣସି କଲେଜର ସହାନୁଭୂତିସମ୍ପନ୍ନ ଅଧ୍ୟାପକଟିଏ ନିଶ୍ଚୟ ଏହି ଛାତ୍ରମାନଙ୍କର ସମ୍ପର୍କରେ ଆସୁଥିବ । ସେମାନଙ୍କୁ ନାନା ପ୍ରକାରେ ଉତ୍ସାହିତ କରୁଥିବ-। ଯେତେ ପ୍ରତିବନ୍ଧକ ଆସୁଥିଲେ ମଧ୍ୟ ନିଜର ଉଦ୍ୟମକୁ ଚାଲୁ ରଖିବାକୁ ସେମାନଙ୍କୁ ବଳ ଦେଉଥିବ ।

 

ବର୍ତ୍ତମାନ ଶ୍ରମ କରି ପାଠ ପଢ଼ୁଥିବା ଛାତ୍ରମାନେ ଏପରି କରୁଛନ୍ତି, କାରଣ ସେମାନେ ଅଭାବ ରହିଥିବା ପରିବାର ମାନଙ୍କରୁ ଆସିଛନ୍ତି । ଯଦି ସେମାଙ୍କ ଘରେ ସେଭଳି ଅଭାବ ନଥାନ୍ତା, ଯଦି ବାପାମାଆ ଅଧ୍ୟୟନ ସମୟରେ ସେମାନଙ୍କୁ ଅର୍ଥ ଯୋଗାଇ ଦେଉଥାନ୍ତେ, ତେବେ ଏମାନେ ତଥାପି ଶ୍ରମ ଦ୍ଵାରା କିଛି ଉପାର୍ଜନ କରିବାର ଏହି ପନ୍ଥାଟିକୁ ମନ କରିଥାନ୍ତେ କି ? ହୁଏତ ଏମାନେ ମଧ୍ୟ ଗୃହନିର୍ଭର ହୋଇ ରହିଥାନ୍ତେ, ଘରର ଗେହ୍ଲାପୁଅ ହିସାବରେ ସହରରେ ଗେହ୍ଲା ପାଠ ବି ପଢ଼ୁଥାନ୍ତେ । ଅର୍ଥାତ୍ ଯେଉଁମାନେ କେବଳ ସ୍ଵଅବସ୍ଥାର ପ୍ରୟୋଜନରେ ପଡ଼ି ଶ୍ରମ କରୁଛନ୍ତି, ସେମାନେ ମୁଖ୍ୟତଃ ବାଧ୍ୟ ହୋଇ ସେପରି କରୁଛନ୍ତି । ତଥାପି ଯେଉଁଭଳି ଯାହା ହେଉ ପଛକେ, ଦୈବାତ୍ ଏପରି ଛାତ୍ରମାନଙ୍କର, ସ୍ଵେଚ୍ଛାଶ୍ରମିକ ମାନଙ୍କର ପରିଚୟରେ କେବେ ଆସିଲେ ଛାତି କୁଣ୍ଢେମୋଟ ହୋଇଯାଉଛି, ସେମାନଙ୍କ ପ୍ରତି ସ୍ଵତଃ ସମ୍ମାନ ଜାତ ହେଉଛି । ପ୍ରୟୋଜନରେ ପଡ଼ି ହେଉ ପଛଳେ, ଅଧିକରୁ ଅଧିକ ସଂଖ୍ୟାରେ ସେମାନେ ନିଜ ଶ୍ରମରୁ ହିଁ ନିଜର ପଢ଼ାଖର୍ଚ୍ଚ ଉଠାଇବାର ପଦ୍ଧତିଟିକୁ ଗ୍ରହଣ କରନ୍ତୁ । ଜୀବନରେ ପ୍ରବେଶ କରିବା ପୂର୍ବରୁ ଜୀବନର କିଛି ବାସ୍ତବ ସ୍ଵାଦ ପାଇପାରନ୍ତୁ । କ୍ରମଶଃ ସେମାନଙ୍କର ସଂଖ୍ୟାରେ ବୃଦ୍ଧି ହେଲେ ହୁଏତ ଆମ ଦେଶର ଉଚ୍ଚ ଶିକ୍ଷାସ୍ଥାନ ମାନଙ୍କରେ ଏପରି ଏକ ସ୍ଥିତି ସମ୍ଭବ ହୋଇଯିବ, ଯେତେବେଳେ କି ନିଜେ ଉପାର୍ଜନ କରି ପାଠ ପଢ଼ିବା ଆଉ ଏକ ଲଜ୍ଜାକର ବିଷୟ ହୋଇ ରହିବା ନାହିଁ । ପିଲାମାନେ ଖୁସି ହୋଇ ସେହି ପନ୍ଥାଟିକୁ ଗ୍ରହଣ କରିବେ ଏବଂ ବାପମାଆ ଅର୍ଥସାହାର୍ଯ୍ୟ ନିମନ୍ତେ ସମର୍ଥ ହେଉଥିଲେ ମଧ୍ୟ ଜଣେ ଛାତ୍ର ନିଜେ ଉପାର୍ଜନ କରିବାକୁ ଏକ ଗୌରବ ବୋଲି ଅନୁଭବ କରିବ । ବାପା ମାଆମାନେ ମଧ୍ୟ କ୍ରମେ ଏହି ନୂତନ ରୀତିଟିର ଅଭ୍ୟସ୍ତ ହୋଇଯିବେ । ପୁଅ ନିଜେ କାମ ଖଟି ପାଠ ପଢ଼ୁଛି ବୋଲି ନିଜକୁ କୌଣସି ପ୍ରକାରେ ଅପମାନିତ ହେବାପରି ଅନୁଭବ କରିବେନାହିଁ-। କାଳକାଳରୁ ସେମାନଙ୍କୁ କାମୁଡ଼ି ଧରିଥିବା ସାମନ୍ତବାଦୀ ଦୁର୍ବଳତାଗୁଡ଼ାକୁ ଡେଇଁଯିବା ନିମନ୍ତେ ବଳ ବି ପାଇବେ ।

 

ଆଗୁଆ ବହୁସଂଖ୍ୟକ ଦେଶରେ ଉଚ୍ଚଶିକ୍ଷା ସମୟରେ ପୁଅ ଝିଅ ବାପାମାଆଙ୍କ ଉପରେ ନିର୍ଭର କରନ୍ତି ନାହିଁ । ଏହାଦ୍ୱାରା ପାରିବାରିକ ଡୋରଗୁଡ଼ିକୁ ଆଦୌ କୌଣସି ପ୍ରକାରେ କ୍ଷୁଣ୍ଣ ହୁଏନାହିଁ ଅଥଚ ତାହା ପିଲାମାନଙ୍କୁ ସ୍ଵାଧୀନଚେତା ହେବାଲାଗି ବହୁ ଅନୁକୂଳତା ଆଣି ଯୋଗାଇ ଦେଇଥାଏ । ପିଲାମାନେ ଏକ ସ୍ଵାଭାବିକ ଅଭିଜ୍ଞତାର ପ୍ରକ୍ରିୟାରେ ସାବାଳକ ହୋଇ ଶିଖନ୍ତି ଏବଂ ନାବାଳକମାନଙ୍କ ପରି କେବଳ ନିଜର ବାପାମାଆଙ୍କ ପାଇଁ ନୁହେଁ, ସମାଜ ପାଇଁ ମଧ୍ୟ ଏକ ବୋଝ ହୋଇ ରହିବାକୁ ଇଚ୍ଛା କରନ୍ତି ନାହିଁ । ଆମ ପିଲାମାନେ ଦେହ ଓ ମନରେ ଏତେ ଏତେ ସାମର୍ଥ୍ୟ ଥାଇ ମଧ୍ୟ କଅଁଳ ବୟସରୁ ଏତେ ଅତିରିକ୍ତ ପରିମାଣରେ ନିର୍ଭରଶୀଳ ହୋଇ ପଡ଼ୁଛନ୍ତି ଯେ, ବୟସ ଆସିବା ପରେ ମଧ୍ୟ ତଥାପି ନାବାଳକ ହୋଇ ରହୁଛନ୍ତି । କାହାରି ନା କାହା ଉପରେ ଲଦି ହୋଇ ରହିବାକୁ ସତେଅବା ବିଶେଷ ଭାଗ୍ୟ ବୋଲି ଭାବୁଛନ୍ତୁ । ସମ୍ଭବତଃ ସେହି କାରଣରୁ ଅତି ସହଜରେ ଅସାଧୁ ହୋଇ ପଡ଼ୁଛନ୍ତି । ଅସାଧୁ ନହେଲେ, ବିବେକଶୂନ୍ୟ ଭାବରେ ଅନ୍ୟମାନଙ୍କ ଠାରୁ ଦୁହିଁ ନଆଣିଲେ ସେମାନେ ଜୀବନରେ ସଫଳ ହୋଇ ପାରିବେ ନାହିଁ ବୋଲି ବିଚାର କରୁଛନ୍ତି । ଆମ ପାଠୁଆ ଓ ଚାକିରିଆମାନେ ତମାମ ଦେଶଟା ଉପରେ ଗୋଟାଏ ଗୋଟାଏ ଦୁର୍ଦ୍ଧାନ୍ତ ବୋଝ ହୋଇ ରହିଛନ୍ତି । ଉପରେ ଶାସନ ଚାଲିଛି ଏବଂ ବାସ୍ତବରେ ଶୋଷଣକୁ ହିଁ ରୀତି ବୋଲି ଧରି ନିଆଯାଇଛି । ସେହି ପିଲାମାନେ ରୀତିଟାକୁ ବଦଳାନ୍ତୁ, ଦେଶରେ ଅସହାୟତା ଗୁଡ଼ିକୁ ବଢ଼ାଇବାର ପ୍ରକ୍ରିୟାଟିକୁ ବଦଳାନ୍ତୁ । ସାହସୀ ହୁଅନ୍ତୁ । ଅଣ୍ଟା ସିଧା କରନ୍ତୁ । ଯେଉଁମାନେ ଏ ଦିଗରେ ଏବେ ମଧ୍ୟ ବ୍ୟତିକ୍ରମ ହୋଇ ରହିଛନ୍ତି, ସେମାନଙ୍କୁ ପ୍ରକୃତରେ ସାବାସ୍ ବୋଲି କହିବାକୁ ହେବ ।

 

୦୮ । ୦୩ । ୧୯୯୯

Image

 

Unknown

ଧର୍ମର ଅନ୍ତରୀକରଣ

 

ଭଗବାନଙ୍କୁ ନେଇ ପୃଥିବୀରେ ଉତ୍ସାହୀ ଅଥଚ ଅତିଆତୁର ଲୋକମାନେ ସମ୍ଭବତଃ ଆବହମାନ କାଳରୁ ବଡ଼ ହୀନସ୍ଥା କରିଆସିଛନ୍ତି । ଏବେ ବିଜ୍ଞାନ ବଳରେ ସାଧନଗୁଡ଼ିକ ଅଧିକ ଫଳଦାୟକ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସେହି ହୀନସ୍ଥାଗୁଡ଼ାକ ମଧ୍ୟ ସତେ ଅବା ଆହୁରି ଅଧିକ ଉତ୍କଟ ହେବାର ମଧ୍ୟ ଲାଗିଛି । ବଡ଼ ବିଚିତ୍ର କଥା ଯେ ଭଗବାନଙ୍କୁ ମୂଳ କରି ଧର୍ମମାନେ ନିଜକୁ ପ୍ରଚାରିତ କରିଛନ୍ତି ସତ, ମାତ୍ର ସେହି ପ୍ରଚାରର ନିଶାରେ ବିଭିନ୍ନ ଧର୍ମରେ ଥିବା ଭଗବାନମାନେ ମଧ୍ୟ ସେହି ଧର୍ମର ଅନୁଗାମୀମାନଙ୍କର ଆଖିରେ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ଭଗବାନ ଅବଶ୍ୟ ସତକୁ ସତ ଆଦୌ ଅଲଗା ହୋଇନଥିବେ; ମାତ୍ର ତାଙ୍କ ଅନୁଗ୍ରାମୀବୃନ୍ଦ କାଳର ନାନାବିଧ ନହସରେ ପଡ଼ି ପରସ୍ପର ଠାରୁ ଏପରି ମତଲବପୂର୍ଣ୍ଣ ଭାବରେ ଅଲଗା ହୋଇଯାଇଛନ୍ତି ଯେ ଭଗବାନଙ୍କର ମୁହଁଟା ମଧ୍ୟ ପନ୍ଦର ପ୍ରକାରର ହୋଇଯାଇଛି ଓ ତେଣୁ ମୁହଁଗୁଡ଼ାକୁ ପୁଞ୍ଜିରେ ପରିଣତ କରିଦେଇ ନାଚିବା ବାଲାମାନେ ନାଚିବାରେ ଲାଗିଛନ୍ତି । ଆଗେ ପାରମ୍ପରିକ ଭାବରେ ଝାଞ୍ଜ, ମୃଦଙ୍ଗ, ଖୋଳ, କରତାଳ ଏବଂ ଭେରୀ ଓ ତୁରୀ ଧରି ନାଚୁଥିଲେ । ଏବେ ସେମାନେ ଛୁରୀ ଭୁଜାଲି, ବନ୍ଧୁକ ଏବଂ ତୋପ ଧରି ନାଚି ବାହାରିଲେଣି । ଭଗବାନଙ୍କୁ ପଛରେ ପକାଇ ଦେଇ ଧର୍ମମାନେ ସତେ ଅବା ସାତ ଯୋଜନ ଆଗକୁ ମାଡ଼ିଯାଇ ପୃଥିବୀ ଜୟ କରିବାକୁ ଭାବୁଛନ୍ତି ।

 

ସବୁଧର୍ମର ନିବିଡ଼ ମର୍ମ ସ୍ୱରୂପ ଏକ ଅସଲ ଧର୍ମ ରହିଛି ବୋଲି ମହାତ୍ମା ଗାନ୍ଧୀ ଥରେ କହିଥିଲେ । ସେହି ଅସଲ ଧର୍ମଟିର କୌଣସି ନାଆଁ ନାହିଁ । ଅସଲ ଜଣେ ଭକ୍ତ ହେବ ପାଇଁ ଯେମିତି ଆଦୌ କୌଣସି ଭେକ ଧାରଣା କରିବାର ପ୍ରୟୋଜନ ନାହିଁ, ଏହା ପ୍ରାୟ ସେହିପରି ଗୋଟିଏ ସତକଥା । ଯେଉଁସବୁ ଧର୍ମ ଗୋଟିଏ ଗୋଟିଏ ବିଶେଷ ନାଁ ଦେଇ ଭଗବାନଙ୍କୁ ଚିହ୍ନିବାର ଚେଷ୍ଟା କରିଛନ୍ତି, ସେମାନେ ସମସ୍ତେ ନାଁଆଗୁଡ଼ାକ ଭିତରେ ଈଶ୍ଵରଙ୍କୁ ଓ ଧର୍ମକୁ ପୋତି ପକାଇଲେଣି । ଏହି ପୃଥିବୀରୁ ଅସଲ ଧର୍ମସତ୍ୟଗୁଡ଼ିକ ଅନ୍ତର ହୋଇଯାଉ ବୋଲି ମନାସ କରି ସତେଅବା ଧର୍ମଚଣ୍ଡମାନେ ଶୋଭାଯାତ୍ରାରେ ବାହାରିଛନ୍ତି । ଭଳି ଭଳି ମନ୍ଦିର ଓ ଭଳି ଭଳି ପ୍ରତୀକ-। ସେହି ପ୍ରତୀକ ମାନଙ୍କର ମହିମା ଗାନ କରି ମାର୍ତ୍ତଣ୍ଡମାନେ ଶାସ୍ତ୍ର ରଚନା କରିଯାଇଛନ୍ତି । ମନ୍ଦିର, ପ୍ରତୀକ ଏବଂ ଶାସ୍ତ୍ରଗୁଡ଼ିକୁ ସମ୍ପତ୍ତିବିତ୍ ଦେଖୁଥିବା ଗୁରୁମାନେ ଅଲଗା ଅଲଗା ସମ୍ପ୍ରାଦାୟମାନ ଗଠନ କରିଛନ୍ତି । ସମ୍ପ୍ରଦାୟମାନେ ପରସ୍ପର ଭିତରେ ଭିତରେ ଲଢ଼େଇ କରିବାରେ ହିଁ ସୁଖ ପାଇଛନ୍ତି । ଆମର ଏହି ଉପସ୍ଥିତି କାଳଟାରେ ମଧ୍ୟ ପୁରୁଣା ସେହି ନାଟକଟିର ଅଭିନୟ ହେଉଛି । ଗୋଟିଏ ଗୋଟିଏ ନାମ, ଗୋଟିଏ ଗୋଟିଏ ପ୍ରତୀକ ଏବଂ ଗୋଟିଏ ଗୋଟିଏ ମନ୍ଦିରକୁ ନିଠ କରି ରଖି ଜନ୍ମଲାଭ କରିଥିବା ସମ୍ପ୍ରଦାୟମାନେ ଖାଲି ଆପଣାଟାକୁ ହିଁ ଏପରି ଗରିଷ୍ଠ ଭାବରେ ଦେଖୁଛନ୍ତି ଯେ, ଆଉ କାହାରିଟାକୁ ଆଦୌ କୌଣସି ସୃହା ହିଁ ନାହିଁ ।

 

ଗୋଟାଏ ସମ୍ପ୍ରଦାୟ ସାରା ପୃଥିବୀକୁ ନିଜର ଅଡ଼ାଟି ଭିତରକୁ ଟାଣ ଆଣିବାପାଇଁ ଚେଷ୍ଟା କରିବାରେ ଲାଗିଛି । ସେଥିଲାଗି ପୃଥିବୀରେ ବହୁ ଉତ୍ତାପର ସୃଷ୍ଟି କରାଯାଇଛି ଏବଂ ସେହି ଉତ୍ତାପରେ ଭଗବାନ ସତେ ଅବା ପୋଡ଼ିଜଳି ଯାଇଛନ୍ତି । ଭଗବାନଙ୍କୁ ପାଇଥିବା ଜଣେ ମନୁଷ୍ୟ ଉଦ୍ଦଣ୍ଡ ହୁଆନ୍ତା ନାହିଁ । ଆଉ କାହାର ବସ୍ତ୍ରହରଣ କରି ତାଙ୍କୁ ନିଜର ବସ୍ତ୍ର ଗୁଡ଼ାଇ ପକାଇବାକୁ ହୁଏତ କୌଣସି ଉତ୍ସାହ ଦେଖନ୍ତା ନାହିଁ । ଏବଂ ସବୁଠାରୁ ବଡ଼ କଥାଟା ହେଉଛି ଯେ, ନିଜର ଯେଉଁଭଳି ଏକ ବାଟରେ ହେଉ, ପ୍ରକୃତରେ ଭଗବାନଙ୍କର ଭେଟ ବା ଅନୁଭବ ପାଇଥିବା ଜଣେ ବ୍ୟକ୍ତି ପୃଥିବୀର ଯେକୌଣସି ସନ୍ତକ ଏବଂ ଅଭିଧା ମଧ୍ୟରେ ବି ଭଗବାନଙ୍କୁ ଦେଖିପାରନ୍ତା ଏବଂ ଖୁସି ହୁଅନ୍ତା ।

 

ଏହି ପୁଳା ପୁଳା ସନ୍ତକଗୁଡ଼ାକୁ ଗଣ୍ଠିଲି କରି ଧରି ସମ୍ପ୍ରଦାୟମାନେ କାହିଁକି ଏତେ ଗୋଳ ଲଗାଇବାକୁ ଏହି ପୃଥିବୀରେ ମନକରି ଆସିଛନ୍ତି କେଜାଣି ? ଯୋଉମାନେ ଗୋଳ କରୁଛନ୍ତି, ସେମାନେ ହୁଏତ ନିଜର ଦେଉଳଟା ଭିତରେ ଏବଂ ନିଜ ସନ୍ତକଗୁଡ଼ିକର ମାଧ୍ୟମରେ ଭଗବାନ ନାମକ ସମ୍ପଦଟିକୁ ଆଦୌ ପାଇପାରି ନାହାନ୍ତି । ବିଶେଷକରି, ଯେଉଁଦିନ ଠାରୁ ରଜାମାନେ ଠାକୁରମାନଙ୍କ ନିମନ୍ତେ ଦେଉଳ ତୋଳାଇ ବାହାରିଲେ, ନିଜର ସମରାଭିଯାନରେ ଠାକୁରଙ୍କୁ ଧଣ୍ଡା କରି ବାନ୍ଧିବା ନିମନ୍ତେ ସାହସ କଲେ, ସେହି ଦିନଠାରୁ ପୃଥିବୀରୁ କ୍ରମେ ଧର୍ମ, ଅସଲ ଧର୍ମାଚରଣମାନ ଲୋପ ହେବାକୁ ଆରମ୍ଭ କଲା । ରାଜାମାନେ ଦେବତାମାନଙ୍କୁ ନେଇ ସେକାଳରୁ ଯେଉଁ ଅଣପରମ୍ପରା ସୃଷ୍ଟି କରିବାକୁ ଆରମ୍ଭ କଲେ, ସମ୍ଭବତଃ ସେଇଥିରୁ ପ୍ରଶୟ ଏବଂ ପ୍ରେରଣା ପାଇ ଆମ ଏ ଯୁଗରେ ଅତ୍ୟୁତ୍ସାହୀ ସମ୍ପ୍ରଦାୟମାନେ ମଧ୍ୟ ନିଜକୁ ସବାବଡ଼ ବା ସର୍ବଶ୍ରେଷ୍ଠ ବୋଲି ଦେଖାଇବା ନିମନ୍ତେ ପୃଥିବୀରୁ ଭଗବାନଙ୍କୁ ଅର୍ଥାତ୍ ଦିବ୍ୟତ୍ଵର ଯାବତୀୟ ଉଦବୋଧନକୁ ବିଦାୟ ଦେବାରେ ପ୍ରାୟ ବ୍ରତୀ ହୋଇ ବାହାରିଛନ୍ତି । ସେମାନେ ପରସ୍ପର ସହିତ ଲଢ଼ିବାରେ ଲାଗିଛନ୍ତି ସତ, ମାତ୍ର ସତେ ଅବା ସେହି ଏକା ପ୍ରକ୍ରିୟାଟିର ହିଁ ପ୍ରତିନିଧିତ୍ଵ କରିବାରେ ଲାଗିଛନ୍ତି । ଛତିଶି ପ୍ରକାରର ପର୍ବରେ ହୁଏତ ସାତଶହ ଛତିଶି ପ୍ରକାରର ଉପାସନା ଘୋର ଆଡ଼ମ୍ବରରେ ଲାଗିଛି, ମାତ୍ର ଉପାସକଟିଏ କୋଉଠି ହେଲେ ନାହିଁ । ଏବଂ ଉପାସକ ନଥିଲେ ଧର୍ମଟିଏ ବି ଆଉ କାହିଁକି ପୃଥିବୀରେ ରହିବ ? ହୃଦୟଟିଏ ନଥିଲେ ଯେପରି ପ୍ରେମର ମଧ୍ୟ କୌଣସି ପ୍ରୟୋଜନ ନଥାନ୍ତା, କଥାଟି ଠିକ୍ ସେହିପରି । ଅସଲ ଉପାସକ ଅନ୍ୟ ଉପାସକମାନଙ୍କୁ ଖୁବ୍ ସହଜରେ ଚିହ୍ନିନେଇ ପାରିବ । ମାତ୍ର ଉପାସନାର ଚଉଷଠି ବର୍ଗର ପ୍ରଦର୍ଶନ ତଳେ ଯଦି ମଣିଷର ଅନ୍ତର୍ଗତ ସ୍ଥଳରେ ଉପାସକଟିଏ ନଥିବ, ତେବେ କେବଳ କୋଳାହଳ ହିଁ ସାର ହେବ, କେବଳ କଳହ ହିଁ ଲାଗିଥିବ ଏବଂ ରାଜନୀତିରେ କ୍ଷମତାକାରୀମାନଙ୍କ ପ୍ରୟାସ ପୂରଣରେ ଭଗବାନଙ୍କୁ ଓ ଧର୍ମକୁ ସାକ୍ଷୀ ପଡ଼ିବା ପାଇଁ ଟଣାହୋଇ ଅଣାଯାଉଥିବ ।

 

କ’ଣ ସବୁ ଆବଶ୍ୟକତାରେ ପଡ଼ି ଆଗେ ଯେତେବେଳେ ଜଣେ ରାଜା ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଦୀକ୍ଷା ଗ୍ରହଣ କରୁଥିଲେ, ସେତେବେଳେ ସତେ ଅବା ସେହି ରାଜାମାନେ ନିର୍ଦ୍ଧାରିତ କରି ଦେଇଥିବା ଏକ ନିୟମ ଦ୍ଵାରା ପରିଚାଳିତ ହାଇ ତାଙ୍କ ରାଜ୍ୟରେ ସବୁ ଅଧିବାସୀ ସେହି ମାର୍ଗରେ ଦୀକ୍ଷିତ ହୋଇ ଯାଉଥିଲେ ? ପ୍ରାଚୀନ ତଥା ମଧ୍ୟଯୁଗର ଇତିହାସରେ ଏପରି ହୋଇଥିବାର ଭୁରି ଭୁରି ଦୃଷ୍ଟାନ୍ତ ଆମକୁ ମିଳିଯାଇ ପାରିବ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ଭୂଖଣ୍ଡରେ ତାହା ହୋଇ ଆସିଛି, ରାଜାର ଧର୍ମଗତ ଭେକଟା ଅନୁସାରେ ପ୍ରଜାମାନଙ୍କର ଧର୍ମ ବଦଳିଗଲା ବୋଲି ହୋଇଥିବା ଯାବତୀୟ ଘଟଣାରେ ଠିକ୍ ଏହିପରି ଭାବରେ ଅସଲ ଧର୍ମସ୍ଥତାକୁ ଖୁବ୍ ଚମତ୍କାର ଭାବରେ ତଳକୁ ଦବାଇ ଦେଇ ମନୁଷ୍ୟମାନଙ୍କୁ ଜାଲରେ ପକାଇ ଦିଆଯାଇଛି । ନନ୍ଦବଂଶର ରାଜତ୍ଵ ସମୟରେ ମଗଧର ସବୁ ପ୍ରଜା ଯେପରି ହିନ୍ଦୁ ହୋଇଗଲେ, ଅଶୋକଙ୍କର ରାଜତ୍ଵ କାଳରେ ସେମାନେ ଠିକ୍ ସେହିପରି ଏକ ତରାଜୁର ନିଷ୍ପତ୍ତି ଅନୁସାରେ ବୌଦ୍ଧ ହୋଇ ଯାଇଥିଲେ । ଅଶୋକ ଯୁଦ୍ଧ କରି କଳିଙ୍ଗକୁ ଜୟ କଲେ, ତେଣୁ କଳିଙ୍ଗ ମଧ୍ୟ ଶାସନର ଖାତାଟା ଅନୁସାରେ ବୌଦ୍ଧ ହୋଇଗଲା । ପ୍ରାୟ କଣ୍ଟାକଣ୍ଟି ଶହେବର୍ଷ ପରେ ଖାରବେଳ ଏହି ଭୂମିର ଅଧିପତି ହେଲେ ଏବଂ ଓଡ଼ିଆବାସୀ ଜୈନ ହୋଇଗଲେ । ବିଚରା ମଣିଷମାନଙ୍କୁ ନେଇ ଇତିହାସରେ ଯେ ଏପରି କେତେ ଖେଳ ଖେଳାଯାଇଛି, ତାହାର ପ୍ରକୃତରେ କୌଣସି ହିସାବ ନାହିଁ-। ଏବଂ ଏହି ପ୍ରକ୍ରିୟାରେ ଧର୍ମମାନଙ୍କର ଅସଲ ସତ୍ୟ ଏବଂ ସନ୍ଦେହଗୁଡ଼ିକ ସତେ ଅବା କୁଆଡ଼େ ଖତରା ଏବଂ ଧୋତଡ଼ା ହୋଇଯାଇଛି । ଜୀବନଗୁଡ଼ାକ ବଡ଼ ଫମ୍ପା ହୋଇଯାଇଛି ।

 

ଇଉରୋପରେ ପ୍ରାଚୀନ ରୋମ୍ ସାମ୍ରାଜ୍ୟରେ ଯେତେଦିନ ଯାଏ ସ୍ଵୟଂ ସମ୍ରାଟ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିନଥିଲେ, ସେତେଦିନ ଖ୍ରୀଷ୍ଟିଆନମାନଙ୍କୁ ନାନା ଉତ୍ପୀଡ଼ନ ଦିଆଯାଉଥିଲା । ପ୍ରାୟ ତୁଚ୍ଛା ଏକ ଖିଆଲରେ ଜଣେ ଚତୁର ସମ୍ରାଟ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିପକାଇଲେ ଏବଂ ରାଜ୍ୟଯାକର ପ୍ରଜା କେବଳ ତାହାରି ଦ୍ଵାରା ଖ୍ରୀଷ୍ଟିଆନ ହୋଇଗଲେ । ଖ୍ରୀଷ୍ଟିଆନମାନଙ୍କ ଉପରେ ହୋଇ ଆସିଥିବା ଉତ୍ପୀଡ଼ନ ବି ବନ୍ଦ ହୋଇଗଲା । ଏହାର ପ୍ରାୟ ୧୫୦୦ ବର୍ଷ ପରେ ପୁରୁଣା ଧର୍ମତନ୍ତ୍ରଟା ବିରୋଧରେ ବିଦ୍ରୋହ ଘୋଷଣା କରି ମାର୍ଟିନ ଲୁଥର ଯେତେବେଳେ ପ୍ରୋଟେଷ୍ଟାଣ୍ଟ ଧର୍ମର ପ୍ରଚାର କଲେ, ସେତେବେଳେ ମଧ୍ୟ ସିଏ ରାଜ୍ୟ ରାଜ୍ୟ ବୁଲି ଆଗ ରଜାମାନଙ୍କୁ ନିଜର ନୂଆ ଧର୍ମରେ ରାଜି କରାଇନେଲେ ଏବଂ ତାହାରି ଦ୍ଵାରା ହିଁ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ପ୍ରଜାମାନେ ମଧ୍ୟ ଏକ ନୂଆ ପାଣିରେ ହକଳା ହୋଇ ପ୍ରୋଟେଷ୍ଟାଣ୍ଟ ହୋଇ ଯାଉଥିଲେ । ଯେଉଁମାନେ ନହେଉଥିଲେ, ସେମାନଙ୍କୁ ପ୍ରାଣ ବଞ୍ଚାଇବା ନିମନ୍ତେ ଅନ୍ୟତ୍ର ପଳାଇବାକୁ ହେଉଥିଲା । ତଥାପି କମ୍ ମଣିଷ ସେତେବେଳେ ଧର୍ମର ନାମରେ ହାଣମୁହଁରେ ପଡ଼ିନାହାନ୍ତି । ଆମ ଉତ୍କଳଖଣ୍ଡରେ ଚୈତନ୍ୟଦେବ ଆଗ ରାଜା ପ୍ରତାପରୁଦ୍ରଙ୍କୁ ନିଜର ଦୀକ୍ଷା ଦେଇସାରିବା ପରେ ରାଜ୍ୟବାସୀ ସତେ ଅବା ବୈଧାନିକ ଭାବରେ ସେହି ସାମ୍ପ୍ରଦାୟର ହୋଇ ଯାଇଥିଲେ । ପଞ୍ଚସଖା ସମେତ ଯେଉଁ ଓଡ଼ିଆ ବୈଷ୍ଣବମାନେ ପଲର ବାହାରେ ରହିଥିଲେ, ରାଜା ସେମାନଙ୍କୁ ଏକାଧିକ ପ୍ରକାରେ କଲବଲ କରିଥିଲେ । ମନେ ହେଉଛି, ଏହିପରି ଏକ ଅଶାଳୀନ ପ୍ରକ୍ରିୟା ଲାଗି ରହିଥିବାରୁ, ମନୁଷ୍ୟମାନଙ୍କର ଜୀବନରେ ଅସଲ ଧର୍ମର ସନ୍ଦେଶ ଓ ଆବେଦନଗୁଡ଼ିକ ଭେଦିବା ଲାଗି ଯେତିକି ସମୟ ଆବଶ୍ୟକ, ସେମାନେ ତାହା ଆଦୌ ପାଇନାହାନ୍ତି ଏବଂ ବାହ୍ୟ ଅଙ୍କୁଶଟାର ପ୍ରତାପ ଦ୍ଵାରା କ’ଣ ଗୋଟାଏ ଆଦରି ନେବାକୁ ବାଧ୍ୟ ହୋଇଛନ୍ତି । ଭାରତୀୟ ସଂସ୍କୃତି ପ୍ରଧାନତଃ ଏକ ଧର୍ମସଂସ୍କୃତି ବୋଲି କୁହାଯାଉଥିବା ବେଳେ ଆମେ ଭିତରର ସେହି କଥାଟିକୁ ସ୍ମରଣରେ ରଖିଥିଲେ ଯାଇ ମିଛ ଧୋକାଗୁଡ଼ାକରେ ପଡ଼ିବାରୁ ରକ୍ଷା ପାଇପାରିବା । ଭାରତବର୍ଷରେ ସତେ ଅବା ଏକ ମିଉଜିୟମ୍ ପରି କୋଡ଼ି କୋଡ଼ି ଧର୍ମ ସଜା ହୋଇ ରହିଛି । ଆମେ ପଛକୁ ଅନାଇ ଦେବା ମାତ୍ରକେ ସବୁ ମିଶି ଏକ ବୃହତ୍ ପ୍ରଦର୍ଶନୀ ପରି ଦେଖାଯାଉଛି । ଧର୍ମମାନଙ୍କ ଭିତରେ ଯେତିକି ସମ୍ପ୍ରଦାୟ, ସେତିକି ଭଳି ଭଳି ଭେକ, ସେତିକି ସଂଖ୍ୟାରେ ଛତିଶରାସର ଆଡ଼ମ୍ବର, ସେତିକି ପର୍ବପର୍ବାଣି, ସେତିକି ପୁରାଣ ବୋଲି କୁହାଯାଉଥିବା ଅତି ମନୋରମ ନାନା ଉପନ୍ୟାସ, ସେତିକି ସଂଖ୍ୟାରେ ଠାକୁର, ଠାକୁରାଣୀ ଏବଂ ଗୋଟାସୁଦ୍ଧା ସ୍ଥୂଳ ସାଂସାରିକ ଅଲିଅଳରେ ଧର୍ମର ଦେହରେ ସତେ ଅବା ଯାଦୁ ପରି ନେସା ହୋଇଥିବା ନୀତି, ବିଧି, ଲୌକିକତା ଏବଂ ଅଲୌକିକତା । ଏବଂ ଭାରତବର୍ଷର ଲୋକମନକୁ ଯୁଗ ଯୁଗ ଧରି ଏହିପରି ଭାବରେ ଜୁଡ଼ୁବୁଡ଼ୁ କରି ରଖାଯାଇଛି ଯେ, ଧର୍ମସ୍ଥ ମଣିଷମାନେ କ୍ରମେ ଏକାନ୍ତ ବିରଳ ହେବାରେ ଲାଗିଛନ୍ତି । ଧର୍ମ ଛିଣ୍ଡି ଛିଣ୍ଡି ଯାଉଛି ଏବଂ ଗୋଟାସୁଦ୍ଧା ଲୋସଡ଼ି ପଡ଼ୁଥିବା ବାହ୍ୟାଚାର ଗୁଡ଼ାକ ପ୍ରାୟ ଯାବତୀୟ ବିବେକକୁ ଖେଞ୍ଚା ମାରି ଖତମ କରିଦେବାରେ ଲାଗିଛି । ଆମର ଦେବକଳ୍ପନା ଗୁଡ଼ିକ ଯଦି ଆମ ଜୀବନର ଦାଣ୍ଡିଗୁଡ଼ାକରୁ ବାହାର ଓ ବାସନ୍ଦ ହୋଇ ରହିଥାନ୍ତି, ତେବେ ପାରସ୍ପରିକ ଜୀବନରେ ନାନା ଉଗ୍ରତା ବୃଦ୍ଧି ପାଇବା ହିଁ ସାର ହୁଏ । ଭଗବାନଙ୍କର, ଧର୍ମର, ଭେକର ଏବଂ ତୁଚ୍ଛା ଢମଗୁଡ଼ାକର ଦ୍ଵାହି ଦେଇ ମଣିଷମାନେ ରାକ୍ଷସ ହେବାକୁ ପ୍ରଶ୍ରୟ ପାଆନ୍ତି । ଭାରତବର୍ଷରେ ସମ୍ପ୍ରତି ଧର୍ମ ନାମରେ ଆମ ଚତୁର୍ଦ୍ଦିଗରେ ଯେଉଁ ଆସୁରିକତାର କାଣ୍ଡଗୁଡ଼ାକ ପ୍ରାୟ ଦୁନ୍ଦୁଭି ପରି ଗର୍ଜନ କରିବାରେ ଲାଗିଛନ୍ତି, ଏଥିପାଇଁ ସମ୍ଭବତଃ ଆମେ ଅନେକ ପରିମାଣରେ ସେହି ପ୍ରମାଦଗ୍ରସ୍ତ ପରମ୍ପରାଟାକୁ ଦାୟୀ କରିପାରିବା ନାହିଁକି ? ଧର୍ମରେ ସେହି ବାହ୍ୟ ସନ୍ତକଗୁଡ଼ାକୁ ନେଇ ହୁରି କରିବା ସକାଶେ ତ ନିମିତ୍ତମାନେ ମିଳି ଯାଉଛନ୍ତି । କିନ୍ତୁ ମଣିଷମାନଙ୍କୁ ଅସଲ ଧର୍ମସ୍ଥତା ଏବଂ ଆଧ୍ୟାତ୍ମିକତା ଆଡ଼କୁ ଫେରାଇ ଆଣିବା ପାଇଁ କେତେ ଜଣ ପ୍ରୟାସ କରୁଛନ୍ତି ? ଭାରତବର୍ଷର ମନୁଷ୍ୟ-ସମୁଦାୟ ସତକୁ ସତ ଅଧ୍ୟାତ୍ମ ଓ ଅସଲକୁ ମନ କଲେ ବର୍ତ୍ତମାନର ସମ୍ପ୍ରଦାୟ ଓ ସେମାନେ ବସାଇଥିବା ପେଣ୍ଠମାନଙ୍କର ସ୍ଥିତି ଯେ ଭାରି ବିପନ୍ନ ହୋଇପଡ଼ିବ, ଧର୍ମଗଡ଼ର ନାୟକମାନେ ହୁଏତ ସେକଥା ଉତ୍ତମ ରୂପେ ଜାଣିଛନ୍ତି ।

 

ପଣ୍ଡିତମାନେ ଧର୍ମର ଗବେଷଣା କରୁଛନ୍ତି । ବହୁ ମହାର୍ଘ ଓ ବିରଳ ତଥ୍ୟ ସଂଗ୍ରହ କରି ସେହି ଗବେଷଣାମାନ ଚାଲିଛି । ମାଟି ଖୋଳା ହୋଇ ନୂଆ ନୂଆ ଭାଷ୍ୟ ଲାଗି ଧୀମାନ୍‍ମାନଙ୍କୁ ବହୁ ସୁରାଖ ମିଳିଯାଉଛି । ବହୁ ପଣ୍ଡିତ ଏକତ୍ର ବସି କର୍ମଶାଳା ମାନଙ୍କରେ ସେହି ତଥ୍ୟଗୁଡ଼ିକୁ ଆଲୋଚନା କରୁଛନ୍ତି ଓ ଆମକୁ ବିସ୍ମିତ କରିଦେଉଛନ୍ତି । ପୁସ୍ତକମାନ ଲେଖା ହେବାର ଲାଗିଛି । ଭାରତରେ ଶୈବଧର୍ମ, ଭାରତରେ ଶକ୍ତି ଉପାସନା, ଭାରତରେ ବୈଷ୍ଣବ ସାଧନା, ଭାରତରେ ତାନ୍ତ୍ରିକ ଆନ୍ଦୋଳନ, —ଏହିପରି କେତେ କ’ଣ ବିଷୟର ବିଶଦ ଆଲୋଚନା ସକାଶେ ଚର୍ଚ୍ଚାମାନ ହେଉଛି, ତର୍କଗୋଷ୍ଠୀ ଗୁଡ଼ିକର ଆୟୋଜନ କରାଯାଇଛି । ଶିଳାଲେଖ, ମନ୍ଦିର, ରାଜାମାନେ ଏକଦା ଦେଇଥିବା ସନନ୍ଦ ଓ ଦାନପତ୍ର, —ଏହିଗୁଡ଼ିକୁ ହିଁ ପ୍ରତିପାଦନର ସାମଗ୍ରୀ ରୂପେ ବ୍ୟବହାର କରାଯାଉଛି । ପଣ୍ଡିତମାନେ ଏହିପରି ଭାବରେ ପରସ୍ପରକୁ ଚମତ୍କୃତ ଓ ଅଭିଭୂତ କରିଦେଉଛନ୍ତି । ସେହି ଧାରାଟି ଏବେ ଓଡ଼ିଶାକୁ ମଧ୍ୟ ଆସିଲାଣି । ଓଡ଼ିଶାରେ ବୌଦ୍ଧଧର୍ମ, ଓଡ଼ିଶାରେ ଶକ୍ତିପୂଜା, ଶୈବ ବା ତାନ୍ତ୍ରିକ ଉପାସନା ଅଥବା ବୈଷ୍ଣବ ଧର୍ମର ପ୍ରସାରକୁ ଅଧୀତ ବିଷୟମାନଙ୍କରେ ପରିଣତ କରି ଚର୍ଚ୍ଚାସଭାମାନ ବସିଲାଣି, ତାହାର ଫଳସ୍ଵରୂପ ପୁସ୍ତକମାନ ବି ପ୍ରକାଶ ପାଇଲାଣି । ଏଗୁଡ଼ିକରେ ଗୋଟାସୁଦ୍ଧା ସେହି ସନ୍ତକ ଗୁଡ଼ିକର ହିଁ ଚର୍ଚ୍ଚା କରାଯାଉଛି । ପ୍ରାୟ ଏକ ସାମନ୍ତବାଦୀ ଧୀଷଣା ସହିତ ଆଲୋଚନାଗୁଡ଼ିକ ହେଉଛି । ମାତ୍ର, ଅପରପକ୍ଷରେ ଏହିସବୁ ଧର୍ମମାର୍ଗର ପ୍ରସାର ଫଳରେ ସତକୁ ସତ କେତେଜଣଙ୍କର ଜୀବନ ଭିତରେ ସେଗୁଡ଼ିକ ପ୍ରବେଶ କରିପାରୁଛି, ଓଡ଼ିଶାରେ କେତେଜଣ ସେହିସବୁ ମାର୍ଗରେ ବାଟ ଚାଲୁଛନ୍ତି ବା କେତେଜଣ ସେହିସବୁ ମାର୍ଗକୁ ନିଜ ଜୀବନରେ ଏକ ଆହ୍ଵାନବତ୍ ଗ୍ରହଣ କରିଛନ୍ତି ଏବଂ ସେହି ଆହ୍ଵାନରେ କୌଣସି ସକାରାତ୍ମକ ଜବାବ ଦେଇପାରିବାକୁ ଆପଣାକୁ ଯୋଗ୍ୟ କରୁଛନ୍ତି, ପଣ୍ଡିତମାନଙ୍କର ତଥ୍ୟକର୍ଷଣ ଭିତରେ ସେସବୁର କାହିଁ କୌଣସି ହିସାବ ମିଳୁନାହିଁ ତ ? ଜଣେ ପଣ୍ଡିତ ନିଜେ ଯେଉଁ ଧର୍ମମାର୍ଗଟି ବିଷୟରେ କେତେ ତଥ୍ୟ ସଂଗ୍ରହ କରି ସନ୍ଦର୍ଭଟିଏ ପ୍ରସ୍ତୁତ କରିଛନ୍ତି, ତାହା ତାଙ୍କ ଜୀବନକୁ ଯେ ହୁଏତ ଏତେଟିକିଏ ସ୍ପର୍ଶ କରି ପାରିନାହିଁ, ସେମାନେ ସେଥିରେ ଏତେ ଟିକିଏ ଆଶ୍ଚର୍ଯ୍ୟ ହେଉନାହାନ୍ତି । ଜଣେ ତଥ୍ୟଜ୍ଞାନୀ କ’ଣ ପାଇଁ ଜ୍ଞାନଯୋଗର ସମବାଚୀ ଏକ ସ୍ତରକୁ ଉନ୍ନୀତ ହୋଇ ପାରେ ନାହିଁ, ଏଥିରୁ ଆମକୁ ସେହି ପ୍ରଶ୍ନର ହୁଏତ ଏକ ଉତ୍ତର ମିଳିଯାଇ ପାରିବ । ଏବଂ କୌଣସି ଧର୍ମସତ୍ୟକୁ ନିଜ ଜୀବନ ସହିତ ଯୁକ୍ତ କରି ରଖି ପୃଥିବୀରେ ବାଟ ଚାଲିବାକୁ ସତକୁ ସତ ମନ କରୁଥିଲେ ଧର୍ମର ବାହ୍ୟ ତଥ୍ୟଗୁଡ଼ାକ ବିଷୟରେ ପାଣ୍ଡିତ୍ୟ ଅର୍ଜନ କରିବା ଯେ ଅତ୍ୟାବଶ୍ୟକ, ସେପରି ବିଚାର କରିବାର ମଧ୍ୟ ମୋଟେ କୌଣସି କାରଣ ନାହିଁ । କେତେକ ଖ୍ରୀଷ୍ଟିଆନ୍ ମିଶନାରୀଙ୍କ ସହିତ ଏକଦା ମହାତ୍ମା ଗାନ୍ଧୀଙ୍କର ହୋଇଥିବା ଗୋଟିଏ କଥାବାର୍ତ୍ତାରୁ ଏହି କ୍ଷେତ୍ରରେ ଆମକୁ ହୁଏତ ବହୁତ ପ୍ରାସଙ୍ଗିକ ଅନ୍ତଃଦୃଷ୍ଟି ମିଳିଯାଇପାରିବ । ମିଶନାରୀମାନେ ଯେଉଁଭଳି ଧାରାରେ ଭାରତବର୍ଷରେ ଲୋକମାନଙ୍କୁ ଖ୍ରୀଷ୍ଟିଆନ୍ ଧର୍ମରେ ଦୀକ୍ଷିତ କରିବାକୁ ଚେଷ୍ଟା କରୁଥିଲେ, ଖ୍ରୀଷ୍ଟିଆନ୍ ଧର୍ମବାର୍ତ୍ତାରୁ ନିଜ ଜୀବନର ବହୁତ ପ୍ରେରଣା ଲାଭ କରିଥିବା ମହାତ୍ମା ଗାନ୍ଧୀ ତାହାକୁ ଆଦୌ ଏକ ସୁସ୍ଥ ଧାରା ବୋଲି ବିଚାର କରୁନଥିଲେ । ଗୋଟାଏ ଧର୍ମ ବଦଳାଇ ଆଉ ଗୋଟାଏ ଧର୍ମକୁ ଆସିଗଲେ ଜଣେ ମଣିଷ ଯେ ପ୍ରକୃତରେ ଧର୍ମକୁ ଆସିଯାଏ, ତାହାର କୌଣସି କାରଣ ନାହିଁ । ସିଏ ଧର୍ମକୁ ଆସିବା ଲାଗି ମନ କଲେ ଯାଇ ଧର୍ମକୁ ଆସେ । ସିଏ ଯେଉଁ ଧର୍ମରେ ଥାଉ ପଛକେ, ଧର୍ମକୁ ଆସିବାକୁ ମନ କଲେ ହିଁ ତାହାର ସେହି ଧର୍ମଟିରୁ ମଧ୍ୟ ତାକୁ ସତ ବାଟଟିଏ ମିଳିଯାଏ । ଗାନ୍ଧୀ ଯେପରି କହିଥିଲେ : ଆପଣମାନେ ଜଣେ ଖ୍ରୀଷ୍ଟିଆନ୍‍କୁ ଆହୁରି ଭଲ ଖ୍ରୀଷ୍ଟିଆନ୍ ହେବା ଲାଗି ହିଁ କୁହନ୍ତୁ, ଜଣେ ହିନ୍ଦୁକୁ ଜଣେ ଅଧିକ ଭଲ ହିନ୍ଦୁ ହେବା ପାଇଁ କୁହନ୍ତୁ ଏବଂ ସେହିପରି ଜଣେ ମୁସଲମାନକୁ ଜଣେ ଅଧିକ ଭଲ ମୁସଲମାନ ହେବା ସକାଶେ ଉଦବୋଧନ ଦିଅନ୍ତୁ । ଏପରିକି, ଜଣେ ନାସ୍ତିକକୁ ମଧ୍ୟ ଅଧିକ ଭଲ ନାସ୍ତିକଟିଏ ହେବା ଲାଗି ପରାମର୍ଶ ଦିଅନ୍ତୁ । ତେବେ, ଅଧିକରୁ ଅଧିକ ମନୁଷ୍ୟ ସେହିପରି ପ୍ରୟାସଟିଏ କଲେ ଶେଷକୁ ପୃଥିବୀକୁ ଉଚିତ ମାର୍ଗଟି ମିଳିଯାଇ ପାରିବ ଏବଂ ଧର୍ମ ଧର୍ମ ଭିତରେ ଝଗଡ଼ା କରିବା ପାଇଁ ଆଉ କୌଣସି ଅବକାଶ ହିଁ ରହିବ ନାହିଁ । ଇଏ ସମ୍ପୂର୍ଣ୍ଣ ଭାବରେ ଏକ ଅନ୍ୟ ନିଷ୍ଠା ଏବଂ ଅନ୍ୟ ଅନ୍ଦାଜର କଥା । ସମ୍ଭବତଃ ସେହି ନିଷ୍ଠା ଓ ସେହି ଅନ୍ଦାଜର ଘୋର ଅଭାବ ରହିଛି ବୋଲି ପୃଥିବୀରେ ଧର୍ମଗୁଡ଼ିକ ଭିତରେ ବହୁବିଧ କ୍ଷୟ ଆସି ପଶିଯାଇଛି । ପୌତ୍ତଳିକତା ବଢ଼ିଛି, ପ୍ରତିମା-ତୃଷ୍ଣା ବୃଦ୍ଧି ପାଇଛି, ଦ୍ଵେଷ ଏବଂ ଅସହିଷ୍ଣୁତାକୁ ଅକ୍ଷମଣୀୟ ପ୍ରଶ୍ରୟମାନ ମିଳିଛି ଏବଂ ନିରାଟ ଧର୍ମହୀନ ଅଳ୍ପଦୃଷ୍ଟି ଓ ଉଗ୍ରମାନ ଧର୍ମଘର ଗୁଡ଼ିକରେ ମାଲିକ ହୋଇ ବସିଛନ୍ତି । ବଡ଼ ଉପଦ୍ରବ କରୁଛନ୍ତି । ମିଶନାରୀ ମାନଙ୍କର ଯାବତୀୟ ଚେଷ୍ଟା ଓ ଅପଚେଷ୍ଟା ଫଳରେ ପୃଥିବୀରେ କେତେ କେତେ ଅନ୍ୟ ଧର୍ମରୁ କେତେ ମଣିଷ ପ୍ରାୟ କୋଟି ସଂଖ୍ୟାରେ ଖ୍ରୀଷ୍ଟିଆନ୍ ଧର୍ମର ସୁମାରି ଭିତରକୁ ଯେ ଆସିଲେ, ତଦ୍ଦ୍ଵାରା ପାଦ୍ରୀମାନଙ୍କର ଖାତା ଓ ସିରସ୍ତାମାନ ବଢ଼ିଲା ସତ, ମାତ୍ର ସେମାନଙ୍କ ଭିତରୁ କେତେ ଜଣ ଖ୍ରୀଷ୍ଟପ୍ରଦର୍ଶିତ ମାର୍ଗଟିକୁ ସତକୁ ସତ ଗ୍ରହଣ କରିପାରିଲେ ? ଶତାବ୍ଦୀ ଶତାବ୍ଦୀ ଧରି ଯୁଦ୍ଧ, ଆକ୍ରମଣ, ଲୁଣ୍ଠନ ଓ ନରସଂହାର ବଳରେ ଆକ୍ରାମଣକାରୀ ରାଜାମାନେ କେତେ କେତେ ଜନସମୂହକୁ ଇସ୍‌ଲାମରେ ଦୀକ୍ଷିତ କରିଆଣିଲେ, ମାତ୍ର ସେମାନଙ୍କ ଭିତରୁ ପ୍ରକୃତରେ କେତେଜଣ ମୁସଲମାନ ହୋଇପାରିଲେ ? ବାବାସାହେବ ଭୀମରାଓ ଆମ୍ବେଦକର କେତେ ଲକ୍ଷ ଅସବର୍ଣ୍ଣ ହିନ୍ଦୁଙ୍କୁ ଏକ ଉତ୍ସବାନୁଷ୍ଠାନ କରାଇ ଏକଦା ଯେପରି ବୌଦ୍ଧଧର୍ମରେ ଯେ ଦୀକ୍ଷିତ କରାଇ ପାରିଥିଲେ, ତଦ୍ଦ୍ଵାରା କେତେ ଜଣ ବୋଧିମାର୍ଗର ନିକଟବର୍ତ୍ତୀ ବି ହୋଇପାରିଲେ ? ଏସବୁ ଫଳରେ କେତେ ଧୂଳି ଉଡ଼ିଲା, କେତେ ଉତ୍ତେଜନା ସୃଷ୍ଟି କରାଗଲା, ମାତ୍ର ଏହି ସମ୍ପୃକ୍ତ ଧର୍ମଗୁଡ଼ିକ ମଧ୍ୟରେ ପଶି ଯାଇଥିବା ଫମ୍ପାଗୁଡ଼ାକରେ କୌଣସି ଭରଣା ହୋଇପାରିଲା କି ? ମଣିଷମାନେ ଓ ସେମାନଙ୍କୁ ଭାରି ଚଗଲା କରି ପକାଉଥିବା ଗୁରୁମାନେ ସତେଅବା କେଉଁ ଭ୍ରମ ଭିତରେ ଯାଇ ପଡ଼ିଗଲେ ଓ ନିଜ ନିଜ ପିତୁଳାଗୁଡ଼ାକୁ ନେଇ ଢମ କରି ବସିଲେ କେଜାଣି, ପୃଥିବୀରୁ କ୍ରମେ ଅସଲ ଧର୍ମଟି ଅନ୍ତର ହୋଇ ରହିଲା । ଶାସକମାନେ ପ୍ରବଳ ହେଲେ, ପାଖଣ୍ଡୀମାନେ ପ୍ରବଳ ହେଲେ; ମାତ୍ର ଧର୍ମସ୍ଥତା ଅଲୋଡ଼ା ପ୍ରାୟ ହୋଇ ରହିଗଲା ।

 

ଅଧିକରୁ ଅଧିକ ମଣିଷ ଏଣିକି ଭେକଗୁଡ଼ାକୁ ନୁହେଁ, ଧର୍ମକୁ ମନ କଲେ ଯାଇ ଦୁର୍ଗତି ଯିବ । ଧର୍ମକୁ ମନ କରିପାରିଲେ ହିଁ ଆମେ ଖୋଳପାଗୁଡ଼ାକୁ ନେଇ ଝଗଡ଼ା କରିବାକୁ ଆଦୌ ଇଚ୍ଛା କରିବା ନାହିଁ । ପିତୁଳାମାନେ ଖସିପଡ଼ିଲେ ଯାଇ ମଣିଷ ଅସଲ ଅନ୍ଵେଷଣ ଗୁଡ଼ିକୁ ଆଗ୍ରହ କରିବ ଏବଂ ଅନ୍ୟ ସଖ୍ୟଗୁଡ଼ିକୁ ଲୋଡ଼ିବ । ସେତେବେଳେ ସେମାନେ ଏଇଟା ମୋ ଧର୍ମ ଓ ସେଇଟା ତା ଧର୍ମ ବୋଲି କହି ନିଜ ନିଜର ଗଡ଼ ଭିତରେ ପ୍ରମତ୍ତ ହୋଇ ରହିବାକୁ ମୋଟେ ମନ କରିବେ ନାହିଁ । ଅନ୍ଵେଷଣକାରୀ ମନୁଷ୍ୟମାନେ ପରସ୍ପରର ସତ୍ୟ ମଧ୍ୟରେ ନିଜ ସତ୍ୟଟିକୁ ମଧ୍ୟ ଠାବ କରିପାରିବେ । ଅଫିସମାନେ ପୂରା ବାରି ହୋଇପଡ଼ିବେ । ସବା ବଡ଼ ଉଦବୋଧନଟି ସେତେବେଳେ ବାହାରୁ ନୁହେଁ, ଭିତରୁ ହିଁ ମିଳିବ । ଭିତରୁ ଉଦବୋଧନ ପାଉଥିବା ମଣିଷମାନେ ମୋଟେ ବାହ୍ୟ ରଙ୍ଗଗୁଡ଼ାକ ଦ୍ଵାରା ଜଳକା ହୋଇ ଯାଆନ୍ତି ନାହିଁ । ମିଛ ଗୁରୁମାନେ ବି ସେମାନଙ୍କୁ ମୋଟେ ଠକିପାରନ୍ତି ନାହିଁ । ଭିତରେ ପରିଚୟ ପାଇଥିଲେ ଏଇଟାକୁ ଛାଡ଼ି ସେଇଟାକୁ ଆଦରି ପକାଇବା ନିମନ୍ତେ ମଧ୍ୟ କୌଣସି ପ୍ରୟୋଜନ ହୁଏ ନାହିଁ । ନିଜର ବାଟଟି ମଧ୍ୟ ଠିକ୍ ପ୍ରେରଣାଟିକୁ ଆଣି ଅବଶ୍ୟ ଦେଇପାରେ । ସମଗ୍ର ପୃଥିବୀ ଏକାଧିକ କାରଣରୁ ବର୍ତ୍ତମାନ ସେହି ମୂହୁର୍ତ୍ତଟି ପାଇଁ ଅପେକ୍ଷା କରିଛି ।

 

୧୫ । ୦୩ । ୧୯୯୯

Image

 

ଏମିତି ନଲେଖି ସେମିତି ଲେଖ

 

ଇଏ କହୁଛନ୍ତି ଏମିତି ଲେଖ, ସିଏ କହୁଛନ୍ତି ସେମିତି ଲେଖ । ଭାଷାପ୍ରେମୀମାନେ କହୁଛନ୍ତି ଏମିତି ଲେଖ, ବ୍ୟାକରଣପ୍ରେମୀମାନେ କହୁଛନ୍ତି ସେମିତି ଲେଖ । ଭାଷାରୁ ବ୍ୟାକରଣ ବାହାରିଛି ନା ବ୍ୟାକରଣ ଅନୁସାରେ ଭାଷାଟିଏ ତିଆରି ହୋଇଛି, ବିବୁଧମାନଙ୍କ ମଧ୍ୟରେ ସମ୍ଭବତଃ ସେହି କଥାଟିକୁ ନେଇ ଯେ ଏକ ଉତ୍ସାହପୂର୍ଣ୍ଣ କଳହର ସୂତ୍ରପାତ ବେଶ୍ ହୋଇପାରିବ, ସେକଥା କିଏ ଠୋ’ କରି ନାହିଁ ବୋଲି କହିପାରିବ ? ପୃଥିବୀରେ କ’ଣ ଏମିତି ମଣିଷମାନେ ଅଛନ୍ତି ଯେଉଁମାନେ ଆଗ ବ୍ୟାକରଣ ଭିତରେ ପଶି ତା’ପରେ ଯାଇ ଭାଷା ପାଖକୁ ଆସନ୍ତି ? ଆମେ ସମସ୍ତେ ଆମ ଭାଷାଟାକୁ ଅତ୍ୟନ୍ତ ଅସଚେତନ ଭାବରେ ପ୍ରାୟ ଚୁଲିମୁଣ୍ଡରୁ ହିଁ ଶିଖିଥିଲୁ । ହେତୁ ହେବା ଆଗରୁ ଶିଖିଥିଲୁ । ଶିଖିଥିଲୁ ବୋଲି ଇସ୍କୁଲକୁ ଆସି ସେହି ଭାଷାର ଦେହକୁ ଗଢ଼ିଥିବା ଓ ସୂତ୍ରଦେଇ ବୁଝୁଥିବା ବ୍ୟାକରଣଟାକୁ ମଧ୍ୟ କେଡ଼େ ସହଜରେ ଶିଖିପାରିଲୁ । ତଥାପି, ଅଧିକାଂଶ ମଣିଷ ଜୀବନ ଭିତରେ ପଶି ବ୍ୟାକରଣଟାକୁ ସିନା ଭୁଲିଗଲେ, କିନ୍ତୁ ଭାଷାଟା ସ୍ଥାୟୀ ହୋଇ ରହିଗଲା । ପୃଥିବୀର ପ୍ରତ୍ୟେକ ଭାଷା ବିଷୟରେ ଅଳ୍ପ ବହୁତ ହୁଏତ ସେହି କଥାଟିକୁ କୁହାଯାଇପାରିବ; ଭାଷାକୁ ଶୁଦ୍ଧ କରି ଜାଣିବା ସକାଶେ ବ୍ୟାକରଣ ବୋଲି ଏକ ପରିମଳ ଭିତରେ ପ୍ରବେଶ କରିବାକୁ ହୋଇଥାଏ ସିନା, ମାତ୍ର ଭାଷାଟିଏ ବ୍ୟବହାର କଲାବେଳେ ବ୍ୟାକରଣଟି ମଧ୍ୟ ପାଖରେ ଯେ ବେତ ଧରି ବସିଥିବା ଏକାନ୍ତ ଉଚିତ, ସେହି କଥାଟି ଆଦୌ ସ୍ମରଣ ରହିପାରେ ନାହିଁ-। ବ୍ୟାକରଣଟା ଏକାଧିକ କାରଣରୁ ପଣ୍ଡିତମାନଙ୍କର ଧର୍ମପତ୍ନୀ ହୋଇ ରହିଯାଏ; ଭାଷା ସତେ ଅବା ଅଣ୍ଟାରେ ନାଲିଗାମୁଛା ବାନ୍ଧି କେତେ କୁଆଡ଼େ ଖେଦିଯାଏ ଏବଂ କେତେ କୁଆଡ଼କୁ ଭେଦିଯାଏ । ବ୍ୟାକରଣମାନେ ବହି ଭିତରେ ଆପଣାକୁ ଦୃଢ଼ ଓ ନିୟମସିଦ୍ଧ କରି ରଖୁ ରଖୁ ତେଣେ ଭାଷାଟା ହୁଏତ ବଦଳି ଯାଇଥାଏ । ପଣ୍ଡିତମାନେ ଅଗତ୍ୟା ତାହାକୁ ସ୍ଵୀକାର କରନ୍ତି, ସ୍ଵୀକୃତି ଦିଅନ୍ତି ଏବଂ ସେହି ଅନୁସାରେ ନୂଆ ବ୍ୟାକରଣ ଲେଖନ୍ତି ।

 

ଯେତେବେଳେ ଇଂରେଜମାନେ ଆମକୁ ଶାସନ କରିବାକୁ ଆରମ୍ଭ କଲେ, ସେତେବେଳେ ଯାଇ ଆମେ ଆମର ଗୋଟାଏ ଭାଷା ଅଛି ବୋଲି ସଚେତନ ଭାବରେ ଜାଣିଲୁ । ଇଉରୋପୀୟ ପାଦ୍ରୀମାନେ ହିଁ ଆମ ଭାଷାରେ ସର୍ବପ୍ରଥମ ବ୍ୟାକରଣ ପୁସ୍ତକମାନ ଲେଖିଲେ । ଆଗେ କେବଳ ସଂସ୍କୃତ ଭାଷାରେ ହିଁ ବ୍ୟାକରଣଟାଏ ରହିଥିଲା । ସମ୍ଭବତଃ ବ୍ୟାକରଣ କହିଲେ ସେହି ସଂସ୍କୃତ ଭାଷାର ବ୍ୟାକରଣଟାକୁ ବୁଝାଉଥିଲା । ଏକ ପ୍ରୟୋଜନ ପଡ଼ିଲେ ତାହାରି ଉପରେ ନିଘା ରଖି ହିଁ କଥିତ ଲୋକଭାଷା ମାନଙ୍କ ଭିତରୁ ମଧ୍ୟ ବ୍ୟାକରଣ ବୋଲି କିଛି ପଦାର୍ଥ ବାହାରିପାରିବ ବୋଲି ହୁଏତ ଅନୁମାନ କରାଯାଇପାରୁଥିଲା । ସେତେବେଳେ ଅବଧାନମାନଙ୍କର ଯେଉଁ ଚାଟଶାଳୀ ଥିଲା, ସେଥିରେ ବାଳୁତ ମସ୍ତିସ୍କମାନେ ଅମରକୋଷ ମୁଖସ୍ଥ କରୁଥିଲେ । ଏବଂ ତଦ୍ଦ୍ଵାରା ତୁମେ ତୁମ ନିଜ ଭାଷାକୁ ସାଧୁ ଅର୍ଥାତ୍ ଶୁଦ୍ଧ କରି ଲେଖିପାରିବ ବୋଲି ଏକ ଧାରଣା ଦିଆଯାଉଥିଲା । ପାଦ୍ରୀମାନେ ଆମ ଭାଷାକୁ କୌଣସି ଅର୍ଥରେ ଭଲ ପାଉନଥିଲେ । ସେମାନେ ଆମ ଭାଷାକୁ ଶିଖିବାକୁ ଚାହୁଥିଲେ । ପ୍ରୟୋଜନରେ ପଡ଼ି ଚାହୁଥିଲେ । ସେମାନେ ଶାସନଗତ ଏବଂ ଧର୍ମପ୍ରଚାରଗତ କାରଣରୁ ଏହି ଇଚ୍ଛାଟିକୁ କରୁଥିଲେ । ତେଣୁ, କହିବା ବାହୁଲ୍ୟ ଯେ, ସେମାନେ ଭାଷାଟା ଅପେକ୍ଷା ବ୍ୟାକରଣ ଉପରେ ହିଁ ଅଧିକ ଗୁରୁତ୍ଵ ଦେଲେ । ଭାଷାର ବ୍ୟବଚ୍ଛେଦ କରି ସେମାନେ ବ୍ୟାକରଣ ଲେଖିବାରେ ପ୍ରୟାସୀ ହେଲେ ଏବଂ ବ୍ୟାକରଣକୁ ଆଶ୍ରୟ କରି ଭାଷାରେ ପ୍ରବେଶ କଲେ । ସେମାନଙ୍କ ନିଜ ବାଗରେ ଆମ ଭାଷାକୁ ଶିଖିଲେ । ଓଡ଼ିଶାରେ ସେମାନେ ଓଡ଼ିଆ ଭାଷାକୁ ଶିଖିଲେ ଓ ଧର୍ମଗ୍ରନ୍ଥ ବାଇବେଲକୁ ଓଡ଼ିଆରେ ଅନୁବାଦ କରି ଛାପିବାକୁ ବାହାରିଲେ ବୋଲି କଟକରେ ଓଡ଼ିଆ ଛାପାଖାନାଟିଏ ବସାଇଲେ । ତାହା ଆମର ତତ୍କାଳୀନ ଓଡ଼ିଆମାନଙ୍କୁ ମଧ୍ୟ ନିଜର ଭାଷା ଓ ନିଜର ଭୂମିକୁ ନେଇ ଆହୁରି ଆଗକୁ ଆଗକୁ ସ୍ଵପ୍ନ ଦେଖିବା ନିମନ୍ତେ ପ୍ରେରଣା ଦେଇଥିଲା । ଓଡ଼ିଶାରେ ପରବର୍ତ୍ତୀ ନବଯୁଗଟି ସେଇଠାରେ ହିଁ ଜନ୍ମଲାଭ କରିଥିଲା ।

 

ସାହେବ ଓ ପାଦ୍ରୀମାନେ ଆମ ଭାଷାର ଶବ୍ଦଗୁଡ଼ିକୁ ଅବିକଳ ଆମରି ପରି ଯେ ଉଚ୍ଚାରଣ କରିପାରିଥାଆନ୍ତେ, ଆମେ ସେମାନଙ୍କ ଠାରୁ ତାହା କଦାପି ଆଶା କରିବା ନାହିଁ । ସେମାନେ ସେମାନଙ୍କ ବାଗରେ ଆମ ଶବ୍ଦଗୁଡ଼ିକୁ ଉଚ୍ଚାରଣ କଲେ ଏବଂ ଯେପରି ଉଚ୍ଚାରଣ କଲେ, ଠିକ୍ ସେହିପରି ଲେଖିଲେ । ସେମାନେ ଶାସକ ଥିଲେ ଏବଂ ପାରମ୍ପରିକ ସକଳ ସନ୍ଦର୍ଭରେ ସେମାନେ ଆମର ରାଜା ଥିଲେ ବୋଲି କୁହାଯାଇ ପାରିବ । ତେଣୁ, ଆମ ଭାଷାଗୁଡ଼ିକୁ ସେମାନେ ଯେଉଁଭଳି ବନାନରେ ଲେଖିଲେ ଏବଂ ଉଚ୍ଚାରଣ କଲେ, ତାଙ୍କର ଅଧସ୍ତନ ଏବଂ ଅନୁଗତମାନେ ଯେ ତାହାରି ଅନୁକରଣ କରିବାଟାକୁ ଏକ ବିଶେଷ କୃତିତ୍ଵର ବିଷୟ ବୋଲି ଅନୁଭବ କରିଥିବେ, ସେଥିରେ ମଧ୍ୟ ଆଶ୍ଚର୍ଯ୍ୟ ହେବାର ଆଦୌ କିଛି ରହିବା ଉଚିତ ନୁହେଁ । ଇଉରୋପୀୟମାନେ ଉପନିବେଶ ସୃଷ୍ଟି କରିବାର ସେହି ଯୁଗରେ ପୃଥିବୀର ଯେତେ ଯୁଆଡ଼େ ଯାଇଛନ୍ତି, ସେହିସବୁ ରାଜ୍ୟଖଣ୍ଡରେ ଏକ ଅନୁରୂପ Europhille ଶ୍ରେଣୀଟିଏ ଅତ୍ୟନ୍ତ ସ୍ଵାଭାବିକ ଭାବରେ ସୃଷ୍ଟି ହୋଇଯାଇଛି । ଭାରତରେ ସେହି ସଂକ୍ରମଣଟି ହେତୁ ଶାସକମାନଙ୍କର ନିକଟତମ ସନ୍ନିଧାନକୁ ଆସିଥିବା ବର୍ଗଟିକୁ ଅନୁରୂପ ଶବ୍ଦନିପାତରେ Anglophille ବୋଲି ମଧ୍ୟ କୁହାଯାଇପାରିବ । ଯେଉଁମାନେ ଏହିପରି ଭାବରେ ତତ୍କାଳୀନ ସମାଜରେ ଆଗରେ ରହିଥିଲେ ସେହିମାନେ ହିଁ ପ୍ରାୟ ସକଳ ଅର୍ଥରେ ସବା ପରେ ମଧ୍ୟ ରହିଥିଲେ ଏବଂ ନିମ୍ନସ୍ଥ ସମସ୍ତଙ୍କର ଆଖିରେ ସମ୍ଭ୍ରାନ୍ତତମ ଭାବରେ ସ୍ଵୀକୃତ ମଧ୍ୟ ହୋଇପାରିଥିଲେ । ସେହିମାନଙ୍କର ମାଧ୍ୟମରେ ଦେଶକୁ ନୂଆ ପୋଷାକ ଆସିଲା, ନୂଆ ଫେଶନ ଆସିଲା, ନୂଆ ସାହିତ୍ୟ ସହିତ ନୂତନ ଅନ୍ୟ ଶ୍ରଦ୍ଧାଟିଏ ମଧ୍ୟ ଆସି ପହଞ୍ଚିଗଲା । ବିଦେଶୀ ଶିକ୍ଷା, ବିଦେଶୀ ହାୱା ଓ ବିଦେଶୀ ଅନ୍ଦାଜଗୁଡ଼ିକର ଏକ ପୁଲକଦାୟକ ଆବେଶ ଭିତରେ ପଡ଼ି ସେମାନେ ସତେ ଅବା ସେହିଗୁଡ଼ିକ ଦ୍ଵାରା ହିଁ ନିଜେ ମଧ୍ୟ ବିଦେଶୀ ବା ସାହେବୀ ହୋଇଯିବା ପରି ଅନୁଭବ କଲେ । ସେଇମାନେ କ୍ରମେ ଏକ ନୂଆ ବର୍ଗରେ ପରିଣତ ହେଲେ, ଏକ ନୂଆ ସଂସ୍କୃତିର ନାଳୀ ଭିତରୁ ପାଣି ପିଇବାକୁ ଆରମ୍ଭ କଲେ ଏବଂ ନିଜକୁ ସତେ ଅବା କୌଣସି ନୂଆସ୍ଵର୍ଗର ଗୁହାଳରେ ବନ୍ଧା ହୋଇଥିବା ଧୋବ ଧୋବ ଦାମୁଡ଼ି ପରି ଭାବିଲେ । ଗର୍ବିତ ହେଲେ ।

 

କଲିକତା ସହରରେ ସେହି ନୂଆ କାରବାରଟି ବିଶେଷ ମାତ୍ରାରେ ଜନମନକୁ ରମଣ କରୁଥିଲା ଏବଂ ସେହି କାରଣରୁ ତାର ଛାପ ଓ ଚିହ୍ନଗୁଡ଼ିକ ସେହିଠାରେ ସବୁଠାରୁ ଅଧିକ ଉତ୍ସାହରେ ଆପଣାକୁ ସୂଚିତ ମଧ୍ୟ କରିଥିଲେ । ମାଇକେଲ ମଧୁସୂଦନ, ଭିକ୍ଟର ନୃପେନ୍ଦ୍ର ନାରାୟଣ, ଶେଲୀ କମଳକୃଷ୍ଣ, ଆଲ୍‌ବିଅନ୍ ରାଜକୁମାର ଓ ଅରବିନ୍ଦ ଏକ୍ରୟେଡ଼ —ଏଗୁଡ଼ିକ ହେଉଛନ୍ତି ସେହି ସରାଗଯୁଗର ଗୋଟିଏ ଗୋଟିଏ ସନ୍ତକ । ସରାଗଟିକୁ ମଧ୍ୟ ଭାରି ଚମତ୍କାର ଭାବରେ ବୁଝି ହୋଇ ଯାଉଛି । ସେହି କାଳଟାର ପରିପ୍ରେକ୍ଷୀରେ ଏହାକୁ ଏକ ଅସ୍ଵାଭାବିକ ଘଟଣା ବୋଲି କହିବାକୁ ହୁଏତ ଇଚ୍ଛା ହେବା ବି ଉଚିତ ହେବ ନାହିଁ । ଭାରତବର୍ଷ ତ ଚିରକାଳ ଏକ ଅସମାନ ସମାଜ ହୋଇ ରହି ଆସିଥିଲା । ଉଚ୍ଚ ଜାତିର ଉଚ୍ଚତ୍ଵ ଏବଂ ନିମ୍ନ ଜାତିର ନିମ୍ନତ୍ଵ ଉପରେ ଅତ୍ୟନ୍ତ ନିଷ୍ଠାପର ଭାବରେ ବିଶ୍ଵାସ ବି କରିଆସିଥିଲା । ତେଣୁ ଇଂରେଜମାନେ ଭାରତରେ ଯେଉଁ ନୂଆ ବ୍ୟବସ୍ଥାଟି ମଧ୍ୟରେ ସବାଉପରେ ରହିଲେ ଓ ଶାସନୀ ବ୍ରାହ୍ମଣ ବୋଲାଇଲେ, ଇଂରାଜୀ ବାଜିଥିବା ଉପରେ ଥାକରେ ଭାରତୀୟମାନେ ମଧ୍ୟ ସେହି ଅନୁସାରେ ସେମାନଙ୍କର ବେହେରାଣିଆ ଅପତ୍ୟବତ୍ ହୋଇ ରହିଲେ ଓ ଅଧିକ ମାର୍ଜିତ ବୋଲାଇଲେ । ଇଂରେଜମାନେ ଆମ ଭାରତୀୟ ସ୍ଥାନନାମଗୁଡ଼ିକୁ ଆମ ପରି ଉଚ୍ଚାରଣ କରି ପାରୁନଥିଲେ । ସେମାନଙ୍କର ଜିଭ, ଦନ୍ତପଂକ୍ତି ଏବଂ କଣ୍ଠଗଢ଼ଣଟା ଅନୁସାରେ ସେମାନେ ସେହି ନାମଗୁଡ଼ିକୁ ଉଚ୍ଚାରଣ କରୁ କରୁ ତାହା ସତେ ଅବା ବୁଲି ଯାଇ ଗୋଟାଏ ଆଉ କେମିତି ହୋଇ ଯାଉଥିଲା । ଅତ୍ୟନ୍ତ ସ୍ଵାଭାବିକ କଥା ଯେ, ସେମାନେ ଯେପରି ଭାବରେ ନାଆଁଗୁଡ଼ିକୁ ଉଚ୍ଚାରଣ କରୁଥିଲେ, ସେଗୁଡ଼ିକ ସେହି ଅନୁସାରେ ଲେଖିବାରେ ମଧ୍ୟ ଅଭ୍ୟସ୍ତ ହୋଇଗଲେ । ସେତିକିବେଳେ ସେହି ପ୍ରକ୍ରିୟାରେ ଏଗୁଡ଼ିକ ଅନ୍ୟ ପ୍ରକାରେ ହୋଇଯାଇଥିବେ । ସେହି ବନାନମାନେ ହିଁ ରହିଗଲେ ଏବଂ ସ୍ଵାଧୀନତା ପରେ ପଚାଶ ବର୍ଷ ବିତିଯାଇଥିଲେ ମଧ୍ୟ ସେହିପରି ରହିଛନ୍ତି । ସେହି ନାମଗୁଡ଼ିକୁ ପୁନରାୟ ବଦଳାଯାଇ କାହିଁକି ମୂଳ ଭାରତୀୟ ବା ଓଡ଼ିଆ କରାଯିବ ନାହିଁ ବୋଲି ଏବେ ଥୋକାଏ ଆପତ୍ତି କରିବାକୁ ଆରମ୍ଭ କରୁଛନ୍ତି । ଇଂରେଜ ଶାସନ ଚାଲିଯିବା ପରେ ତଥାପି ସେଇମାନେ ପ୍ରଚଳିତ କରାଇ ଯାଇଥିବା ବିକୃତ ବନାନଟାକୁ ତଥାପି ସେହିପରି ରଖିବାକୁ ସେମାନେ ଆମର ଜାତୀୟତା ପ୍ରତି ଏକ ଅପମାନ ବୋଲି ବିଚାର କରୁଛନ୍ତି ।

 

କିଛି ଉଦାହରଣ ଦେଇ ଏହି ବ୍ୟାପାରଟିର ଆହୁରି ଆଗକୁ ମଧ୍ୟ କିଞ୍ଚିତ ଆଲୋଚନା କରାଯାଇପାରେ । ଇଂରେଜ ଅମଳରେ ଯେତେବେଳେ ଆମ ବାଲେଶ୍ଵର ବା ବ୍ରହ୍ମପୁରକୁ Balasore ବା Berhampore ବୋଲି ଲେଖାଯାଉଥିଲା, ସେତେବେଳେ ହୁଏତ କେବଳ ସାହେବମାନଙ୍କୁ ବାଦ୍ ଦେଇ ସମ୍ପୃକ୍ତ ବାକି ସମସ୍ତେ ସେହି ସ୍ଥାନଗୁଡ଼ିକୁ ବାଲେଶ୍ଵର ଓ ବ୍ରହ୍ମପୁର ବୋଲି କହୁଥିଲେ । ବାଗେ ଲେଖାଯାଉଥିଲା, ମାତ୍ର ଆଉ ବାଗେ ଅର୍ଥାତ୍ ସେହି ପୁରାତନ ବାଗରେ ଉଚ୍ଚାରଣ କରାଯାଉଥିଲା । Jeypore ଅଥବା Aul ଏବଂ Tyendakura କୁ ଏହି ବନାନରେ ଲେଖାଯାଉଥିଲା ସତ, କିନ୍ତୁ ଜୟପୁର, ଆଳି ଏବଂ ତେଣ୍ଡାକୁଡ଼ା ବୋଲି କୁହାଯାଉଥିଲା-। ଚଳୁଥିଲା ତ ଚଳୁଥିଲା ଏବଂ ତେଣୁ ତଦ୍ଦ୍ଵାରା କୌଣସି ଅପରାଧ ହୋଇଯାଉଛି ବୋଲି ଭାବିବାର ଅବସର ନଥିଲା । ତେଣୁ ଏତେ ଦିନ ପରେ ଅଭିମାନୀମାନେ ହିଁ ସେହି ଆଡ଼କୁ ଦୃଷ୍ଟି ଆକର୍ଷଣ କରାଇଲେ । ସେମାନେ ସତେଅବା ଗୋଟାଏ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଥିବା ପରି ହାବଭାବ ଦେଖାଇଲେ । ସବାଆଗ ଚଡ଼କ ଯାଇ ପଡ଼ିଲା ଓଡ଼ିଆ ଏବଂ ଓଡ଼ିଶା ଏହି ଦୁଇଟା ଶବ୍ଦ ଉପରେ । ଇଂରାଜୀରେ ଏହାକୁ Oriya ଓ Orissa ବୋଲି ଲେଖାହୋଇ ଆସୁଥିଲା । ସେହି ପ୍ରଥମ କାଳଟାରେ କୌଣସି ସାହେବ ସେହି ନୂଆ ବାଗଟିକୁ ଆରମ୍ଭ କରିଥିବେ ଏବଂ ସେହି ଦିନଠାରୁ ତାହା ସେହିପରି ଚଳିଆସିଥିବ । ଖୁବ୍ ମନେ ଅଛି, ପିଲାଦିନେ ବଂଗଭାଷୀମାନେ ଏହି ଉଭୟ ଶବ୍ଦକୁ ଆହୁରି ଅନ୍ୟଢ଼ଙ୍ଗୀ କରି ଉଡ଼ିୟା ଓ ଉଡ଼ିଷ୍ୟା ବୋଲି ଉଚ୍ଚାରଣ କରୁଥିଲେ ଓ ଲେଖୁଥିଲେ । ସେହି ରାଜ୍ୟରେ ଅନେକ ଶବ୍ଦର ‘ଓ’ ଉଚ୍ଚାରଣଟା କଥା କହିବା ବେଳକୁ ଯେ ‘ଉ’ ହୋଇଯାଏ, ବଙ୍ଗଳାକୁ ଲାଗିକରି ଅବସ୍ଥିତ ରହିଥିବା ଏବଂ ବେଶ୍ ବଙ୍ଗାଳୀ ପ୍ରଭାବ ପଡ଼ିଥିବା ବାଲେଶ୍ଵର ଅଞ୍ଚଳର ବୋଲିରେ ମଧ୍ୟ ସେହି ଲକ୍ଷଣଟି ଦେଖିବାକୁ ମିଳିଥାଏ । ଉଡ଼ିୟା ଶବ୍ଦଟା ଆହୁରି ଅଧିକ ପରିମାଣରେ ଏକ ଅପଭାଷାର ଭେକରେ ଅନେକ ବଙ୍ଗାଳୀଙ୍କ ମୁହଁରେ ‘ଉଡ଼େ’ ବୋଲି ସେହି ଅନ୍ୟ ଆକାରଟି ମଧ୍ୟ ଧାରଣ କରିଥିଲା ଏବଂ ଅଭିମାନୀ ଓଡ଼ିଆମାନେ ସେଥିରେ ସତେଅବା ଅଧିକ ଅପମାନିତ ଅନୁଭବ କରୁଥିଲେ । କବି ରବୀନ୍ଦ୍ରନାଥ ତାଙ୍କ ଦ୍ଵାରା ଲିଖିତ ଏକ କବିତାର ଗୋଟିଏ ଧାଡ଼ିରେ ସେହି ଉଡ଼େ ଶବ୍ଦଟିକୁ ବ୍ୟବହାର କରିଥିବାରୁ ନିଜକୁ ବଡ଼ ସ୍ଵାଭିମାନୀ ବୋଲି ଭାବୁଥିବା ଓଡ଼ିଶାର କେତେ ପ୍ରତିଷ୍ଠିତ ବ୍ୟକ୍ତି ତାହାକୁ ଓଡ଼ିଆମାନଙ୍କ ପ୍ରତି କବିଙ୍କର ଏକ ଇଚ୍ଛାକୃତ ଅପମାନ ବୋଲି ମତ ମଧ୍ୟ ଦେଉଥିଲେ । କବିତାର ଧାଡ଼ିଟିକୁ ଦେଖି ଅବଶ୍ୟ ମନେହେବ ଯେ, ପ୍ରକୃତରେ ଅକ୍ଷର ସହିତ ଅକ୍ଷରର ଛନ୍ଦ ମିଳାଇବା ନିମନ୍ତେ ହିଁ ରବୀନ୍ଦ୍ରନାଥ ସେପରି କରିଥିଲେ ଓ ଓଡ଼ିଆମାନଙ୍କୁ କୌଣସି ପ୍ରକାରେ ଅପମାନିତ କରିବା ଲାଗି ତାଙ୍କର ଅଭିପ୍ରାୟ ନଥିଲା ।

 

ତଥାପି ଯିଏ ମାନୀ, ସିଏ ମାନୀ ଅବଶ୍ୟ ହେବ । ଅଭିମାନୀ ତା’ର ଅଭିମାନକୁ ପ୍ରକଟ କରାଇବା ନିମନ୍ତେ ଗୋଟାଏ ବାଟ ନପାଇବା ପର୍ଯ୍ୟନ୍ତ ପ୍ରକୃତରେ ଭାରି ଛଟପଟ ହେଉଥିବ । ଗୋଟାଏ ପ୍ରକାରେ ଭାରି ଭାବୋତ୍ତୋଳିତ ଭାବରେ ଏବେ ଅଭିମାନକୁ ସତେଅବା ଏକ ଆଦର୍ଶବାଦୀ ମୂର୍ଚ୍ଛନା ଦେଇ ଅନେକେ ସ୍ଵାଭିମାନ ବୋଲି କହିଲେଣି । ଯେଉଁ ଜାତିର ସ୍ଵାଭିମାନ ନାହିଁ, ସେହି ଜାତିର କିଛି ନାହିଁ ବୋଲି ଏକ ସତର୍କବାଣୀ ମଧ୍ୟ ଶୁଣାଇ ଦିଆଯାଉଛି । ଗତ ଶତାବ୍ଦୀରେ ଯେଉଁ Anglophille ଉତ୍ସାହୀମାନେ ତତ୍କାଳୀନ ଶାସକ ସଂସ୍କୃତିଟାର ଅନୁକରଣ କରୁଥିଲେ ଏବଂ ସାହେବୀ କାଇଦା ଗୁଡ଼ାକର ପଦାଙ୍କ ଅନୁସରଣ କରୁଥିଲେ, ସେମାନଙ୍କର ସେଭଳି କରିବାର ମୂଳରେ ମଧ୍ୟ ଏକ ଅଭିମାନ ହିଁ ରହିଥିଲା । ସେହି ଅଭିମାନ ହେଉଛି ନିଜ ପୁଚ୍ଛଟାକୁ ନୀଳବର୍ଣ୍ଣ କରି ତାହାକୁ ନେଇ ବଡ଼ାଇ କରିବାର ଅଭିମାନ । ମୋ ଚତୁର୍ଦ୍ଦିଗରେ ଶହେରେ ପାଞ୍ଚଜଣ ମଣିଷଙ୍କ ଭିତରେ ନିଜକୁ ସୁମାରି ନକରି ବାକି ପଞ୍ଚାନବେଙ୍କ ଠାରୁ ମୁଁ ଅଲଗା ବୋଲି ଦେଖାଇ ହେବାର ଅଭିମାନ । ସେହି ଅଭିମାନୀମାନେ ଏବେ ମଧ୍ୟ ପ୍ରବଳ ଭାବରେ ରହିଛନ୍ତି । ସେମାନଙ୍କୁ ଚୁଲିମୁଣ୍ଡର ଭାଷାଟା ଭାରି ଗନ୍ଧାଉଛି । ନିଜର ଶାବକମାନଙ୍କୁ ସେମାନେ ଏପରି ଭଳି ଭଳି ବାଗରେ ସେହି ଉପର ଡାଳଟାରେ ଅଲଗା କରି ବଢ଼ାଇବାକୁ ଏତେମନ୍ତେ ଚେଷ୍ଟା କରୁଛନ୍ତି ଯେ, ଏ ଦେଶରେ ଗୋଟାଏ ଭୂମି ପ୍ରକୃତରେ ରହିଛି ବୋଲି ସେମାନେ ସତେଅବା ଜାଣିଶୁଣି ଅସ୍ଵୀକାର କରିବାରେ ଲାଗିଛନ୍ତି । ଏପରି କରି ସେମାନଙ୍କୁ ମୋଟେ ସରମ ବି ଲାଗୁନାହିଁ । ଦେଶଟା ସେହିମାନଙ୍କର ଫେସନରେ ଚାଲିଛି । ଦେଶର ଜ୍ୟୋଷ୍ଠଭାଗକୁ ଯାବତୀୟ ଅର୍ଥରେ ସେହିମାନେ ଭୋଗ କରୁଛନ୍ତି ଏବଂ ଭୂମି କହିଲେ ଏଠି ଯାହାକିଛିକୁ ବୁଝାଇବା ଉଚିତ, ସେମାନେ ତାହାକୁ ଘୃଣା କରୁଛନ୍ତି । ଯାହାର ଉନ୍ନୟନ ଓ ନବଗଠନ ନିମନ୍ତେ ସେମାନେ ସର୍ବୋଚ୍ଚ ଦାୟିତ୍ଵ ମାନଙ୍କରେ ରହିଛନ୍ତି, ସେମାନେ ତାହାକୁ ଘୃଣା କରୁଛନ୍ତି ।

 

କାହିଁ ଏହି ଅଭିମାନୀ ଓ ଅତ୍ୟଭିମାନୀଙ୍କର ସମ୍ମୁଖୀନ ହେବା ଲାଗି ଓଡ଼ିଶାରେ କେହି ଆନ୍ଦୋଳନଟିଏ କରିବା ନିମନ୍ତେ ବାହାରୁନାହାନ୍ତି ତ ! ଏହି ଭୂମିରେ ପିଲାମାନଙ୍କୁ ମିଳୁଥିବା ଶିକ୍ଷା ଦିନକୁ ଦିନ ବିଗିଡ଼ି ବିଗିଡ଼ି ଯାଉଛି, ଦେଶାଭିମାନୀ ଓ ଭାଷାଭିମାନୀମାନେ କାହିଁ ସେହି ବିଷୟରେ କୌଣସି ସ୍ଵର ଉତ୍ତୋଳନ କରୁନାହାନ୍ତି ତ । ହୁଏତ ବିଧାତାଙ୍କର ଏପରି ଗୋଟିଏ ନିୟମ ସବୁବେଳେ ରହିଛି ଯେ, ଗୋଟିଏ ପ୍ରକାରର ଅଭିମାନୀମାନେ ଆଉ ଏକ ପ୍ରକାରର ଅଭିମାନକୁ ଟଳାଇବାରେ ମୋଟେ କୌଣସି କାମର ହୋଇ ପାରନ୍ତି ନାହିଁ । ତଦ୍ଦ୍ଵାରା ହୁଏତ ଅଭିମାନର ପ୍ରକାରମାନ ବୃଦ୍ଧି ପାଇବାରେ ଲାଗିଥାଏ ଏବଂ ତଥାପି ଭୂମିର ମୂଳ ଅବିଚାର ଓ ଅନ୍ୟାୟଗୁଡ଼ିକ ଟଳିବାରେ ମୋଟେ କିଛି ହୋଇପାରେନାହିଁ । Oriya ଏବଂ Orissa ପରିବର୍ତ୍ତେ Odia ଏବଂ Odisa ଲେଖିବାରେ ବାବୁମାନଙ୍କୁ ଯେଉଁ ଆତ୍ମପ୍ରସାଦ ମିଳୁଛି, ସେତିକିରେ କ’ଣ ସେମାନଙ୍କର ସବୁଯାକ ପେଟ ପୂରିଯାଉଛି ? ଏବଂ ଆମର ଅସଲ ସମସ୍ୟାଗୁଡ଼ିକ ସତେଅବା କାଳକାଳରୁ ଆଁ କରି ରହିଛନ୍ତି । ଓଡ଼ିଶାରେ ଅଧେ ମଣିଷ ନିପଟ ନୃଶଂସମାନଙ୍କ ଦ୍ଵାରା ଅବହେଳିତ ହୋଇ ରହିଥିବା ସମୟରେ Oriya କୁ Odia ବୋଲି ଲେଖିବାକୁ ଏକ ସବାଆଗ କର୍ତ୍ତବ୍ୟ ବୋଲି ମଣି ଯେଉଁମାନେ ପ୍ରାୟ ଏକ ଆନ୍ଦୋଳନ ପରି ଦୃଷ୍ଟି ଆକର୍ଷଣ କରିବାକୁ ବାହାରୁଛନ୍ତି, ସେମାନଙ୍କୁ କୋଉଟା ଆଗ ଓ କୋଉଟା ପଛ ବୋଲି ବତାଇ ଦେବା ପାଇଁ ପୁଣି କିଏ କେଉଁଠାରୁ ଆସିବ ? ରାଜ୍ୟର ଅଧେ ପିଲା ମୋଟେ କୌଣସି ପାଠଶାଳାକୁ ଯାଉନାହାନ୍ତି ଏବଂ ଯେଉଁମାନେ ଯାଉଛନ୍ତି, ସେମାନଙ୍କୁ ସତେଅବା ସତର ପ୍ରକାରର ଶ୍ରେଣୀରେ ବିଭକ୍ତ କରି ସତର ପ୍ରକାରର ଶିକ୍ଷା ଦିଆଯାଉଛି, ଏହି ଅବିଚାରଟିର ପ୍ରତିବାଦ କରିବାକୁ କ’ଣ ଆମେରିକାରୁ ଆଉ କିଏ ଆସିବେ ? ଖାଲି ଓଡ଼ିଶାରେ ନୁହେଁ, ସ୍ଵାଧୀନତା ପରେ ସମଗ୍ର ଭାରତବର୍ଷରେ ଜାତୀୟ ନିର୍ମାଣ ଏବଂ ନିୟୋଜନର ପ୍ରାୟ ସବୁକ୍ଷେତ୍ରରେ ଯାହା ସବାଆଗ ଆମ ଆଖିରେ ପଡ଼ିବା ଉଚିତ, ତାହାକୁ କେଡ଼େ ମତଲବପୂର୍ଣ୍ଣ ଭାବରେ ପଛକୁ ରଖି ଦିଆଯାଇଛି ଏବଂ ନାନା ଅପ୍ରାସଙ୍ଗିକ ବିଷୟକୁ ସର୍ବପ୍ରଥମ ଅଗ୍ରାଧିକାର ଦିଆଯାଉଛି ଏବଂ ଉପରେ ବାବୁ ହୋଇ ଯାବତୀୟ କ୍ଷମତାର ଅଧିକାରୀ ହୋଇ ବସିଥିବା ଶତକଡ଼ା ପାଞ୍ଚଭାଗମାନେ ଗୋଟାସୁଦ୍ଧା ନିଜର ହିତ ଓ ନିରାପତ୍ତାକୁ ନଜରରେ ରଖି ଏପରି ଏକ ଭ୍ରମଜାଲ ମେଲାଇ ଦେଇଛନ୍ତି କି ?

 

ଏହି ଶତାବ୍ଦୀର ଏକାବେଳେକେ ଆରମ୍ଭରୁ ଓଡ଼ିଶାର ସାମୂହିକ ଉଦ୍ୟମ ଏବଂ ପ୍ରୟାସଗୁଡ଼ିକର ପର୍ଯ୍ୟାଲୋଚନା କଲେ ଅନେକ ସମୟରେ ଲାଗେ, ସତେଯେପରି ପ୍ରାୟ ସକଳ ଅବସରରେ ଏଠାରେ ଗୌଣଗୁଡ଼ିକୁ ହିଁ ମୁଖ୍ୟ ବୋଲି ଗ୍ରହଣ କରାଯାଇଛି ଏବଂ ମୁଖ୍ୟଗୁଡ଼ିକୁ ପଛକୁ ଠେଲି ଦିଆଯାଇଛି । ଭାରତବର୍ଷର ସ୍ଵାଧୀନତା ଆନ୍ଦୋଳନ ସମଗ୍ର ଦେଶରେ ଅତ୍ୟନ୍ତ ସକ୍ରିୟ ଭାବରେ ଦାନା ବାନ୍ଧି ଆସୁଥିବା ସମୟରେ ତତ୍କାଳୀନ ଓଡ଼ିଶାରେ ପ୍ରମୁଖ ନେତୃତ୍ଵଟି ଦେଶମିଶ୍ରଣ ବିଷୟରେ ସବୁଠାରୁ ଅଧିକ ଉତ୍ସାହ ଦେଖାଇଛି । ସେହି ଉତ୍ସାହଟା ଭିତରେ ସତେଅବା କ’ଣ ଗୋଟାଏ ଭାରି ମନ୍ଦ ଚକ୍ରାନ୍ତ ରହିଥିଲା ପରି ମୋଗଲବନ୍ଦୀରେ ହେଉଥିବା ଓଡ଼ିଆ ଆନ୍ଦୋଳନର ଆନୁଷ୍ଠାନିକ ସଭାମାନଙ୍କରେ ଗଡ଼ଜାତର ରାଜାମାନଙ୍କୁ ଗୋଟିଏ ଗୋଟିଏ ଅପରିହାର୍ଯ୍ୟ ପ୍ରତିମା ସଦୃଶ ଆଣି ବସାଯାଇଛି, ମାତ୍ର ଗଡ଼ଜାତର ଅଧିବାସୀମାନଙ୍କୁ ପଚରା ଯାଇନାହିଁ । ଗଡ଼ଜାତ ରାଜାମାନେ ଏଣେ ଉତ୍କଳ ଉଦ୍ଧାରର ସଭାମାନଙ୍କରେ ବସି ତେଣେ ନିଜ ନିଜ ରାଜ୍ୟରେ ଯେଉଁସବୁ ଦୁରାଚାର କରୁଥିଲେ, ଅନେକ ବର୍ଷ ପରେ ଭାରତବର୍ଷର ସ୍ଵାଧୀନତା ସଂଗ୍ରାମରୁ ପ୍ରେରଣା ପାଇ ପ୍ରଜାମଣ୍ଡଳମାନ ଗଢ଼ାହେବା ଏବଂ ରାଜ-ଉପଦ୍ରବରୁ ମୁକ୍ତିଲାଭ କରିବାର ସେହି ଅନ୍ୟ ଆନ୍ଦୋଳନଟି ଜନ୍ମଲାଭ କରିବା ପରେ ଯାଇ ତାହା ଲୋକଗୋଚରକୁ ଆସି ପାରିଥିଲା । ସେମାନଙ୍କୁ ପ୍ରାୟ ବାଧ୍ୟ କରି ସ୍ଵାଧୀନ ଭାରତ ସହିତ ସାମିଲ କରାନଯିବା ପର୍ଯ୍ୟନ୍ତ ସେହି ରାଜାମାନେ କେତେ ପ୍ରକାର ଅନର୍ଥ ଭିଆଇବା ନିମନ୍ତେ ଯେ ଫିକର କରୁଥିଲେ, ତାହା ଆମ ଗତକାଲିର ଇତିହାସରେ ଲେଖାହୋଇ ରହିଛି । ସେହି ଗଡ଼ଜାତ ରଜାମାନଙ୍କର ପରମ୍ପରାକୁ ଅନୁସରଣ କରି ଆମେ ଓଡ଼ିଶାରେ ଶତକଡ଼ା ପାଞ୍ଚ କି ଦଶ ମଣିଷ ସ୍ଵାଧୀନ ଭାରତରେ ଏହି ବିଗତ ପଚାଶଟା ବର୍ଷ ପ୍ରାୟ ରଜାଙ୍କ ପରି କାଳଟାକୁ ଭୋଗ କଲୁ ଏବଂ ନବେଭାଗ ଓଡ଼ିଆଙ୍କୁ ଭୁଲିଗଲୁ କି ?

 

ଉତ୍କଳ-ଗୌରବ ମଧୁସୂଦନଙ୍କର ଗୋଟିଏ ଜୀବନୀ ଏବେ ଛପା ହୋଇ ବାହାରିଛି । ସେଇଟିକୁ ବହୁବର୍ଷ ପୂର୍ବେ ତାଙ୍କର କନ୍ୟା କୁମାରୀ ଶୈଳବାଳା ରଚନା କରିଥିଲେ । ଇଂରାଜୀ ଭାଷାରେ ରଚନା କରିଥିଲେ । ପୁସ୍ତକଟିରେ ମଧୁବାବୁ ଏକଦା ଲେଖିଥିବା କେତୋଟି ଚିଠି ମଧ୍ୟ ପ୍ରକାଶ ପାଇଛି । ମଧୁବାବୁ ଚିଠିଗୁଡ଼ିକୁ ଇଂରାଜୀରେ ଲେଖିଥିଲେ, ଏବଂ ଲେଖକ ହିସାବରେ ନିଜର ନାମ ନଦେଇ ‘ଜଣେ ଓଡ଼ିଆ’ ବୋଲି ଲେଖି ଚିଠିଗୁଡ଼ିକୁ ଶେଷ କରିଥିଲେ । ଇଂରାଜୀ ଭାଷାରେ ‘ଓଡ଼ିଆ’ ଶବ୍ଦଟିକୁ ସେ Uriya ବୋଲି ଲେଖିଛନ୍ତି । ଏକାଧିକ ଚିଠିରେ ସେହି ଗୋଟିଏ ବନାନରେ ଲେଖିଛନ୍ତି । ତେଣୁ ଧରି ନିଆଯାଇପାରେ ଯେ, ମଧୁବାବୁ ସବୁବେଳେ ‘ଓଡ଼ିଆ’ ଶବ୍ଦଟିକୁ ଇଂରାଜୀରେ ଲେଖିବା ସମୟରେ Uriya ବୋଲି ଲେଖୁଥିଲେ । ଯଦି ସ୍ଵାଭିମାନର ମାନଦଣ୍ଡ ଉପରେ ତଉଲି ବିଚାର କରାଯାଏ, ତେବେ ଉତ୍କଳ-ଗୌରବ ହିଁ ସର୍ବକାଳରେ ସମସ୍ତଙ୍କ ଆଗରେ ନମୁନା ହୋଇ ଅବଶ୍ୟ ରହିବେ ।

 

ଏଡ଼େ ବଡ଼ ଓଡ଼ିଆ ତାଙ୍କ ନିଜ ସମୟରେ ଆଦୌ କେହି ନଥିଲେ ଏବଂ ଭବିଷ୍ୟତରେ ମଧ୍ୟ କଦାପି ଜନ୍ମ ହେବେନାହିଁ । ବର୍ତ୍ତମାନର ନେତାମାନଙ୍କୁ ଓଡ଼ିଆ କହିବା ଆଗରୁ ହୁଏତ ସାତଥର ଚିନ୍ତା କରିବାକୁ ପଡ଼ିପାରେ । ବର୍ତ୍ତମାନ Odia ଏବଂ Odisa ର ପକ୍ଷ ନେଇ ସେମିତି ନଲେଖି ଏମିତି ଲେଖ ବୋଲି ପରାମର୍ଶ ଦେଉଥିବା ବାବୁମାନେ ମଧୁବାବୁଙ୍କର କିପରି ବିଚାର କରି ବସିବେ କେଜାଣି ? ଅସଲ କଥା ହେଉଛି, ତୁମେ ବା ତୁମେମାନେ ଏମିତି ନଲେଖି ସେମିତି ଲେଖ ଅଥବା ସେମିତି ନଲେଖି ଏମିତି ଲେଖ ପଛକେ, ତୁମେ ଏଠି ପ୍ରକୃତରେ କାହାପଟେ ରହିଛ, ତାହାରି ଦ୍ଵାରା ହିଁ ତୁମର ବିଚାର ହେବ । ତୁମେ ହାକିମମାନଙ୍କ ପଟେ ନା ମଣିଷମାନଙ୍କ ପଟେ ? ଦଶଭାଗଙ୍କ ପଟେ ନା ନବେ ଭାଗଙ୍କର ପଟେ ? ନବେ ଭାଗଙ୍କ ପଟେ ରହିଥିବା ଜଣେ ମଣିଷ ସବାଆଗ ଓଡ଼ିଆ ନାମବାଚକ ଗୁଡ଼ିକର ଇଂରାଜୀ ବନାନକୁ ନେଇ ମୋଟେ ଅଟକି ରହିଯିବ ନାହିଁ । ସିଏ ଏକାବେଳେକେ ଏକ ଅନ୍ୟ ଉପନୟନ ପାଇଁ ମନ କରିବ, ବାହାରି ଆସିବ-

 

୨୨ । ୦୩ । ୧୯୯୯

Image

 

ପଳକର ଶାନ୍ତି ପଲଙ୍କର ଶାନ୍ତି

 

ଶାନ୍ତି ନାମକ ଦ୍ରବ୍ୟଟି ଏହି ପୃଥିବୀରୁ କାହିଁକି କୁଆଡ଼େ ହଜି ଯାଇଛି କେଜାଣି, ଆଜି ମଣିଷମାନେ ବଡ଼ ଅଶାନ୍ତ ଭାବରେ ତାହାକୁ ଖୋଜିବାରେ ଲାଗିଛନ୍ତି । ସମସ୍ତେ ଶାନ୍ତି ଚାହୁଛନ୍ତି, ସମସ୍ତେ ଶାନ୍ତି ଖୋଜୁଛନ୍ତି, —ତେବେ ଏହି ପୃଥିବୀଟା ଏପରି ଅଶାନ୍ତ ଦ୍ଵାରା ହିଁ କାହିଁକି ଭରପୂର ହୋଇ ରହିଛି ? ଶାନ୍ତି ପାଇଁ କିଏ ଗ୍ରହ ପୂଜା କରୁଛି, କିଏ ଗୁରୁସେବା କରୁଛି, କିଏ ଧର୍ମଦାକ୍ଷିଣ୍ୟରେ କେତେ ନା କେତେ ପଇସା ଖରଚ କରୁଛି । ସରକାରମାନେ ଶାନ୍ତିରକ୍ଷା ନିମନ୍ତେ ପୋଲିସ ବାହିନୀଟିଏ ନିଯୁକ୍ତ କରି ରଖିଛନ୍ତି, ସେମାନେ ଶାନ୍ତିଭଙ୍ଗକାରୀଙ୍କ ନିମନ୍ତେ ସ୍ଵତନ୍ତ୍ର ଭାବରେ ବିଚାରାଳୟ ଓ ବନ୍ଦୀଶାଳାମାନ ତିଆରି କରି ଦେଇଛନ୍ତି । ପୃଥିବୀରେ ଶାନ୍ତିରକ୍ଷା ନିମନ୍ତେ ଯୁଦ୍ଧମାନ ହେଉଛି । ଆଗେ ତ ସ୍ଥାନୀୟ ଯୁଦ୍ଧମାନ ହେଉଥିଲା ଓ ଏବେ ଗୋଟାଏ ଗୋଟାଏ ଯୁଦ୍ଧକୁ ବିଶ୍ଵଯୁଦ୍ଧ ବୋଲି କୁହାଗଲାଣି । ବିଜ୍ଞାନ ନାମକ ମଣିଷର ସେହି ଆଧୁନିକ ଅତିବୁଦ୍ଧିଟାକୁ ଖଟାଇ ଜିରାରୁ ଶିରା ବାହାର କଲାପରି କ୍ରମେ ସୂକ୍ଷ୍ମରୁ ସୂକ୍ଷ୍ମତର ଅସ୍ତ୍ରମାନ ବାହାର କରାଯାଉଛି । ବୋମାମାନ ଅଧିକରୁ ଅଧିକ ଗରୁ ହୋଇ ପରମାଣୁ ବୋମା ପାଖରେ ଆସି ପହଞ୍ଚିଗଲେଣି । ଆହୁରି ଶକ୍ତିଶାଳୀ କେତେ ଜାତିର ବୋମା ଖାସ୍ ସରକାରମାନଙ୍କ ଗନ୍ତାଘରେ ରନ୍ଧାହେବାରେ ଲାଗିଛି ବୋଲି ଖବର ପ୍ରକଟ ହୋଇ ସାରିଲାଣି । ପ୍ରାୟ ଏହି ପଚାଶ ବର୍ଷ ତଳେ ଯେଉଁ ବିଶ୍ଵସମରଟା ଲାଗିଥିଲା, ସେଇଟା କାହିଁକି ଶେଷ ହେଉନାହିଁ ଓ ପୃଥିବୀରେ ଶାନ୍ତିର ପ୍ରତିଷ୍ଠା ହେଉନାହିଁ ବୋଲି ହିଁ ତ ଆମେରିକା ଏକଦା ବ୍ୟାକୁଳ ହୋଇପଡ଼ିଥିଲା ଏବଂ ଘରତିଆରି କେତେଟା ଅଭିନବ କିସମର ବୋମାକୁ ଜାପାନ ଉପରେ ଆଣି ପକାଇଦେଲା । ସାରା ବିଶ୍ଵ ଏକାବେଳେକେ ତଟସ୍ଥ ହୋଇଗଲା ।

 

ପୃଥିବୀର ମଣିଷମାନେ ଗୋଟାସୁଦ୍ଧା ସ୍ତବ୍ଧ ହୋଇଗଲେ । ସମସ୍ତେ ଭାବିଲେ ଏଇଥର ଶାନ୍ତି ଅବଶ୍ୟ ହାତର ପାଞ୍ଚ ହୋଇଯିବ । ମାତ୍ର, ପରବର୍ତ୍ତୀ ପୃଥିବୀରେ ସେହିଦିନ ଠାରୁ ଯାହାସବୁ ଘଟଣା ଯେଉଁଭଳି ଘଟିଆସିଛି, ସେଥିରୁ ସତେ ଅବା ତାହାର ଠିକ୍ ଓଲଟାଟା ହିଁ ପ୍ରତିପାଦିତ ହୋଇଯାଇଛି । ଏବେ ଅଧିକରୁ ଅଧିକ ସରକାର ପରମାଣୁକୁ କୁଟି ବୋମା ତିଆରି କଲେଣି । ଏପରିକି ଆଦୌ ଏକ ମେରୁଦଣ୍ଡ ନଥିବା ସରକାରମାନେ ବୋମାର ପରୀକ୍ଷା କରାଇ ସେଇଥିରୁ ହିଁ ସେମାନଙ୍କର ଏକ ମେରୁଦଣ୍ଡ ଅବଶ୍ୟ ଅଛି ବୋଲି ନିଜକୁ ବୁଝାଇବାକୁ ଚେଷ୍ଟା ମଧ୍ୟ କଲେଣି । ପୃଥିବୀରେ ଭୟ ବଢ଼ୁଛି, ଧମକଗୁଡ଼ାକ ବଢ଼ୁଛି; ଯେଉଁମାନଙ୍କ ପାଖରେ ଅଧିକ ରହିଛି, ସେମାନେ ଦିନୁଦିନ ଅଧିକ ପ୍ରମତ୍ତ ହେଉଛନ୍ତି । War to end all wars ବୋଲି ଯେଉଁ କଥାଟିକୁ ପୃଥିବୀଯାକାର ମଣିଷଙ୍କୁ ବୋଧ ଦେଇ ଯୁଦ୍ଧର ସପକ୍ଷରେ ରହିବାକୁ ସରକାରମାନେ ପ୍ରାୟ ଏକ ଆୟୁଧ ପରି ବ୍ୟବହାର କରୁଥିଲେ, ଆଉ ସେହି କଥାଟି ଉପରେ କାହାରି ବିଶ୍ଵାସ ଆସୁନାହିଁ । ଯେଉଁ ଯେଉଁ ସରକାରମାନଙ୍କ ହାତରେ ବୋମା ରହିଛି, ସେମାନେ ସେହି ବୋମାକୁ ବ୍ୟବହାର କରିବେ ନାହିଁ ବୋଲି ଏବେ ନୂଆ ନୂଆ ଚୁକ୍ତିପତ୍ର ସ୍ଵାକ୍ଷର କରିବାରେ ଲାଗିଛନ୍ତି । ବିଚରାମାନଙ୍କର ବିବେକକୁ ସେଥିରୁ ପ୍ରକୃତରେ କେତେ କ’ଣ ଶାନ୍ତି ମିଳୁଥିବ କେଜାଣି ? ବୋମା ତିଆରି କରିବା ପାଇଁ ଯେଉଁ ସରକାରମାନଙ୍କ ହାତରେ ଧନ ନାହିଁ, ସେମାନେ ମଧ୍ୟ ଧର୍ମକାର୍ଯ୍ୟ କଲାପରି କେବେ କୌଣସି ପରିସ୍ଥିତିରେ ପଡ଼ି ମଧ୍ୟ ବୋମା ପରୀକ୍ଷା କରିବେ ନାହିଁ ବୋଲି ଆଉ ଗୋଟାଏ କାଗଜରେ ସେମାନଙ୍କ ଠାରୁ ଦସ୍ତଖତ କରାଇନେବାକୁ ବୋମା-ଗାଆଁର ସାମନ୍ତମାନେ କେଡ଼େ ଉଚ୍ଛନ୍ନ ଭାବରେ ଧାଆଁ ଧପଡ଼ ବି କରୁଛନ୍ତି । ହଁ, ପଡ଼ିଶା ହିସାବରେ କେଉଁଠି ଦୁଇଟା ସରକାରଙ୍କ ହାତରେ ବୋମା ରହିଛି ଓ ସେମାନେ କଦାପି ପ୍ରଥମେ ବୋମାକୁ କାମରେ ଲଗାଇବେ ନାହିଁ ବୋଲି ଗୋଟାଏ କାଗଜରେ ଟିପଚିହ୍ନ ମାରି ରଖିବା ନିମନ୍ତେ ପରସ୍ପରକୁ ଆହ୍ଵାନ ଦେଲେଣି । ଯେତିକି ପିଲାଙ୍କ ପରି ସେମାନେ ବୋମା ତିଆରି କରିଥିଲେ ଓ ଭୂଇଁକୁ ତାଡ଼ି ନିଜର ଶକ୍ତିଟାକୁ ଦେଖାଇ ଦେଇଥିଲେ, ଠିକ୍ ସେତିକି ପିଲାଙ୍କ ପରି ପରସ୍ପର ପାଖରେ ଆସି ସାକୁଲେଇ ହେଲେଣି-। ସମ୍ଭବତଃ ସମ୍ପୂର୍ଣ୍ଣ ଭାବରେ ପିଲାଙ୍କ ପରି ଡରିବାକୁ ଆରମ୍ଭ କଲେଣି । ଆପଣା ଆପଣା ବୁଦ୍ଧିରେ ଶାନ୍ତିକୁ ଖୋଜିବାରେ ଲାଗିଛନ୍ତି । ଭାରି ନୟାନ୍ତ ହୋଇ ଯାଉଛନ୍ତି ସିନା, ମାତ୍ର ଶାନ୍ତିକୁ ଠାବ କରିପାରୁ ନାହାନ୍ତି ।

 

ଗୋଟାଏ ପାଖରେ ଏହି ସରକାରମାନେ ଓ ଆଉ ଗୋଟାଏ ପାଖରେ ଆମର ଧର୍ମମାନେ ଏବଂ ଗୁରୁମାନେ । ଅଶାନ୍ତିଟା ସତେ ଅବା ଦୁହିଁଙ୍କ ମଝିରେ ରହି ଉଭୟଙ୍କୁ ହିଁ ନିରନ୍ତର ଭାରି କଲବଲ କରି ଆସିଛି । ଗୁରୁମାନେ କହୁଛନ୍ତି, ଯୁଦ୍ଧ ତୁମ ବାହାରେ ନୁହେଁ, ଯୁଦ୍ଧ ତୁମ ଭିତରେ-। ଏହି ଶତାବ୍ଦୀର ଆରମ୍ଭରେ ଆମେରିକାର ଜଣେ ମତିମାନ୍ ବ୍ୟକ୍ତି ମଧ୍ୟ କହିଥିଲେ ଯେ ଆମ ନିଜ ସହିତ ଆମ ଭିତରେ ନିରନ୍ତର ଏକ ଯୁଦ୍ଧ ଲାଗି ରହିଛି ଏବଂ ତେଣୁ ଆମର ବାହାରେ ମଧ୍ୟ ଆମେ ପରସ୍ପର ସହିତ ଯୁଦ୍ଧରେ ଲିପ୍ତ ହୋଇ ରହିଛୁ । ଏହି କଥାଟିକୁ ଆମେ କଦାପି ଅର୍ଥହୀନ ବା ଭିତ୍ତିହୀନ ବୋଲି କହି କଦାପି ଉଡ଼ାଇ ଦେଇପାରିବା ନାହିଁ ସତ, ମାତ୍ର ଏଇଟା ଯେ ସମ୍ପୂର୍ଣ୍ଣ କଥା, ସେହି ବିଷୟରେ ମଧ୍ୟ ଆମର ବହୁତ ସନ୍ଦେହ ତଥାପି ରହିଥିବ ।

 

ମାତ୍ର ଏଥିରେ କୌଣସି ସନ୍ଦେହ ନାହିଁ ଯେ ଶାନ୍ତିକୁ ଖୋଜି ନିରାଶପ୍ରାୟ ହୋଇ ମଣିଷମାନେ ଯୁଗେ ଯୁଗେ ଗୁରୁ ଖୋଜିଛନ୍ତି । ଗୁରୁପରାମର୍ଶ ଲାଭ କରିଛନ୍ତି । ସମ୍ଭବତଃ ଚାହିଦାଟା ବୃଦ୍ଧି ପାଉଥିବାରୁ ଗୁରୁମାନଙ୍କର ସଂଖ୍ୟା ବି ବୃଦ୍ଧି ପାଇଛି । ଅନେକ ସମୟରେ ଆମେ ନିଜେ କିଛି ଖୋଜିବା ଏବଂ ପାଇବା ପୂର୍ବରୁ ହିଁ ଗୁରୁଟିଏ କଲେ ଆମ ଜୀବନର ସକଳ ସନ୍ତାପ ଦୂର ହୋଇଯିବ ବୋଲି ଆମକୁ ଚାରିପାଖରୁ କେତେ ପ୍ରବର୍ତ୍ତନା ମଧ୍ୟ ମିଳିଛି । ପୃଥିବୀଯାକ ନିଆଁ ଜଳୁଥିବ, ଅଥଚ ତୁମେ ନିଜ ଭିତରେ ତଥାପି ଶାନ୍ତ ଓ ଅବିଚଳିତ ହୋଇ ରହିପାରିବ । ପୃଥିବୀ ଉପରେ ନାନା ଅତୃପ୍ତି ଓ ଅଧୃତିର ଝଡ଼ ବୋହିବାରେ ଲାଗିଥିବ, ଅଥଚ ତୁମେ ନିଜ ଭିତରେ ନିଶ୍ଚଳ ହୋଇ ବସିପାରିବ । ପ୍ରାୟ ଏହିପରି ଏକ ଅଲିଅଳ ସାନ୍ତ୍ଵନାରେ ଗେହ୍ଲା ମଣିଷମାନଙ୍କୁ ପ୍ରାୟ ସୌଖୀନ ଭାବରେ ଟାଣ ହୋଇ ରହିପାରିବା ନିମନ୍ତେ ଭାରତବର୍ଷରେ ମାୟାବାଦର ପ୍ରଚାର କରଯାଇଥିଲା ଏବଂ ସେହିପରି ଏକ ବ୍ରତ ନେଇ ଗୁରୁ ଶଙ୍କରାଚାର୍ଯ୍ୟ ଏକଦା ଡିଣ୍ଡିମ ବଜାଇ ଦିଗ୍‍ବିଜୟ କରି ବାହାରିଥିଲେ । ସେହି ଦିନଠାରୁ ଭାରତବର୍ଷରେ ଥୋକେ ମଣିଷଙ୍କ ସକାଶେ ଏକ ବିଚିତ୍ର ଶାନ୍ତିର ପରାମର୍ଶମାନ ଦିଆଯାଇ ଆସିଛି ଏବଂ ସେହି କାର୍ଯ୍ୟରେ ପ୍ରାୟ ଏକ ଗଣନାତୀତ ଗୁରୁଗୋଷ୍ଠୀ କ୍ରିଯାଶୀଳ ହୋଇ ରହିଛନ୍ତି । ଶାନ୍ତି-ପ୍ରଦାନର ବନ୍ୟା ଛୁଟିବାରେ ଲାଗିଛି ।

 

ମାୟାବାଦୀ ସେଦିନର ଦୃଷ୍ଟିଟି ପ୍ରାୟ ଏକ ମୌଳବାଦୀ ପରି ଦାବିକରି ଆସିଛି ଯେ ଏହି ପୃଥିବୀରେ ମଣିଷ କେବେହେଲେ ଶାନ୍ତି ପାଇପାରିବ ନାହିଁ । ସଂସାର ମିଥ୍ୟା, ସଂସାର ଅନିତ୍ୟ, ସଂସାରରେ ଏଠି ଆଦୌ କେହି କାହାରି ନୁହନ୍ତି, —ଏଠି ସବୁ ଅଢ଼େଇଦିନିଆ । ତେଣୁ ଏଠୁ ଗଲେ ଯାଇ ସୁଖ । ସେଠି ଚିରନ୍ତନ ସୁଖ । ଅସଲ ସାନ୍ନିଧ୍ୟଟି ଯାଇ ସେଇଠି । ଭାରତୀୟ ଭାଷାରେ ଲେଖା ହୋଇଥିବା ଭଜନଗୁଡ଼ିକ ସାରତଃ ଆମକୁ ସେହି ମନ୍ତ୍ରଣା ଦେଇଥାଆନ୍ତି । ମାତ୍ର ଆତ୍ମହତ୍ୟା କରି ତ କେହି ଉକ୍ତ ସୁଖ-ରାଜ୍ୟଟିକୁ ପଳାଇଯାଇ ପାରିବ ନାହିଁ । ମୃତ୍ୟୁ ଆସିବା ଯାଏ ଏହି ମାୟା ସଂସାର ଭିତରେ ରହିବାକୁ ହିଁ ପଡ଼ିବ । କେତେ କେତେ ବ୍ୟକ୍ତି ତଥାପି ଏକ ନିସ୍ତାର ଖୋଜି ଗୃହତ୍ୟାଗୀ ହୁଅନ୍ତି । ପର୍ବତକୁ, ଅରଣ୍ୟକୁ ପ୍ରସ୍ଥାନ କରନ୍ତି । ଜନପଦର ବାହାରେ ଆଶ୍ରମ ସ୍ଥାପନ କରି ରହନ୍ତି । ହୁଏତ ପ୍ରଥମେ ଏକା ଏକା ରହୁଥିଲେ, କ୍ରମେ ସମ୍ପ୍ରଦାୟ ଗଢ଼ି ରହିବାର ଅନ୍ୟ ପ୍ରକାରଟିଏ କୌଣସି ପ୍ରୟୋଜନରେ ପଡ଼ି ଆରମ୍ଭ ହୋଇ ଯାଇଥିବ । ଜଣେ ଗୁରୁଙ୍କ ଠାରୁ ଦୀକ୍ଷା ନେଇଥିବା ଶିଷ୍ୟମାନେ ବୈରାଗ୍ୟମୟ ଜୀବନଟିକୁ ଅତିବାହିତ କରିବା ଲାଗି ସମ୍ପ୍ରଦାୟ ନାମକ ସେହି ଅନ୍ୟ ସଂସାରଟିକୁ ମନ କରିଥିବେ । ସଂସାରକୁ ଭ୍ରାନ୍ତି ମଣି ଯେତେ ବୈରାଗ୍ୟ ଅବଲମ୍ବନ କରିଥିଲେ ମଧ୍ୟ ସେମାନେ ସଂସାର ଠାରୁ ଯେ ସବୁ ସୂତ୍ର ଛିଣ୍ଡାଇ ପକାଇ ଗୋଟାସୁଦ୍ଧା ତେଣେ ରହିଲେ, ସେକଥା ମୋଟେ ନୁହେଁ । ସେମାନେ ସଂସାରବାସୀଙ୍କୁ ସେମାନଙ୍କ ନିମନ୍ତେ ଫଳଦାୟକ ଗୋଟିଏ ପ୍ରକାରର ବୈରାଗ୍ୟ କଥା ମଧ୍ୟ କହିଲେ । ଗୁରୁଦୀକ୍ଷା ଦେଲେ, ଗୁରୁ ହୋଇ ରହିଲେ । ବର୍ତ୍ତମାନ ଭାରତବର୍ଷରେ ଆମେ ଅନେକତଃ ଏହିଭଳି ଗୁରୁମାନଙ୍କୁ ହିଁ ଭେଟିଥାଉ । ସେମାନେ ସାଧାରଣ ସଂସାରଗ୍ରସ୍ତମାନଙ୍କର ହିତ ନିମନ୍ତେ ପ୍ରବ୍ରଜ୍ୟା କରନ୍ତି, ସଂସାରବାସୀଙ୍କୁ ଆଚରିବାର ବାଟଟିଏ ଦର୍ଶାଇ ଦିଅନ୍ତି । ସ୍ଵାଧୀନ ଭାରତବର୍ଷରେ ଅଶାନ୍ତିଟା ଯେ ବହୁଗୁଣରେ ବଢ଼ିଯାଇଛି, ତାହା ଆମକୁ ନିଶ୍ଚୟ ଜଳଜଳ ହୋଇ ଦିଶୁଥିବ । ତେଣୁ ଏବେ କ୍ରମେ ଗୁରୁମାନଙ୍କର ସଂଖ୍ୟା ଓ ସକ୍ରିୟତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେମାନେ ଦେଶଟାଯାକ ବୁଲି ଧର୍ମ ପ୍ରବଚନ ଦେଉଛନ୍ତି । ସାଧାରଣମାନଙ୍କୁ ତଥାପି ଉଚିତ ଗୁଳାମାନଙ୍କରେ ରଖିବେ ବୋଲି ହିତବାଣୀ ଶୁଣାଉଛନ୍ତି । ଆମ ନେତାମାନଙ୍କୁ ମଧ୍ୟ ଅନୁକମ୍ପା ଦେଖାଇବାରେ ଏହି ଗୁରୁମାନେ କାର୍ପଣ୍ୟ କରୁନାହାନ୍ତି । ଗୁରୁମାନେ, ଏମାନଙ୍କ ମଧ୍ୟରୁ ଅପେକ୍ଷାକୃତ ଅଧିକ ପ୍ରଖ୍ୟାତ ଓ ଅଧିକ ସମର୍ଥମାନେ ସୁଦୂର ବିଦେଶରେ ମଧ୍ୟ ନିଜ ନିଜର କେନ୍ଦ୍ର ସ୍ଥାପନ କଲେଣି । ସିଦ୍ଧିଲାଭ କରିବାକୁ ଦେଶ ଛାଡ଼ି ଯାଇଥିବା ଭାରତୀୟମାନଙ୍କର ଶାନ୍ତିବିଧାନ ନିମନ୍ତେ ସେମାନେ ତେଣେ ବି ସକ୍ରିୟ ହେଲେଣି ।

 

ସଂସାର ଭିତରେ ଯେତେ ପଙ୍କସରସର ହୋଇ ରହିଥିଲେ ମଧ୍ୟ, ସଂସାରଟା ଭିତରେ ଭଳି ଭଳି ପଙ୍କ ଯେପରି ଯାବତୀୟ ସାମୂହିକ ସମ୍ବନ୍ଧକୁ ଅଧିକରୁ ଅଧିକ ପଙ୍କିଳ କରି ରଖିପାରୁଥିବ, ସେଥିଲାଗି ବଡ଼ ସକ୍ରିୟ ଭାବରେ ନିମିତ୍ତ ପରି କାର୍ଯ୍ୟ କରୁଥିଲେ ମଧ୍ୟ, ଅଳପ କଥାରେ ସବୁଟିକୁ ମିଶାଇ କହିଲେ, ଆମର ଏହି ମାୟାସଂସାରରେ ସଫଳ ହେବାକୁ ହେଲେ ଜଣେ ମଣିଷ ଯେପରି ନିର୍ବିକାର ଏବଂ ଅବିଚଳିତ ହୋଇ ପୂର୍ଣ୍ଣ ସମାହିତ ଭାବରେ ନିଜର ବଣିଜଟିକୁ କରିପାରିବ, ଗୁରୁମାନେ ମୁଖ୍ୟତଃ ସେହି ଦିଗରେ ଆଶ୍ରିତମାନଙ୍କୁ ଟାଣ କରିବାରେ ଆବଶ୍ୟକ ଉପାୟଗୁଡ଼ିକୁ ବତାଇ ଦେଉଛନ୍ତି । ସେମାନେ ତୁମର ସାଂସାରିକ ଜୀବନପଦ୍ଧତିକୁ ଆଦୌ କୌଣସି ପ୍ରକାରେ ବ୍ୟାହତ କରିବେ ନାହିଁ ବୋଲି ସତେ ଅବା ମୂଳରୁ ହିଁ ପ୍ରତିଶ୍ରୁତି ଦେଇଛନ୍ତି । ତୁମେ ନିଜର ଅଦୃଷ୍ଟର ନିର୍ଦ୍ଦେଶ ମାନି ଯେଉଁଠାରେ ରହିଛ, ସେଠାରେ ଅବଶ୍ୟ ରହିଥିବ; ଯାହା କରୁଛ, ଅବଶ୍ୟ କରୁଥବ । ବିଚରା ରତ୍ନାକର ଦିନମାନ ଯାହା କିଛି କରୁଥିଲା, ଧର୍ମତଃ ସଂସାର ଭିତରେ ଭଲରେ ରହିବ ବୋଲି ହିଁ ତ ତାହା କରୁଥିଲା । ସେଥିରେ ଏବର ଗୁରୁମାନେ କାହିଁକି କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ଯିବେ ? ହୁଏତ ନିର୍ବୋଧ ହୋଇଥିଲେ ସିନା ବିରୁଡ଼ି ବସାରେ ହାତ ମାରିବାକୁ ଯିବେ ! ତେଣୁ, ତୁମେ ଦିନଯାକ ନିଜର ଭାଗ୍ୟଦ୍ୱାରା ନିର୍ଦ୍ଦେଶିତ ଦିନ-ଧର୍ମଟିକୁ ପାଳନ କରିବ । ରାତିକୁ ଯାଇ ଭକ୍ତ ଓ ଆଶ୍ରିତର ବେଶ ପିନ୍ଧି ଗୁରୁସନ୍ନିଧାନକୁ ଆସିବ । ଗୁରୁଙ୍କଠାରୁ ପ୍ରବଚନ ଶୁଣିବ । ଶାନ୍ତ ମନରେ, ପ୍ରସନ୍ନ ମୁଦ୍ରାରେ ଘରକୁ ଫେରିଯାଇ ପାରିବ । ଦିନଯାକର ଉତ୍ତାପକୁ ଗୁରୁମାନେ ପଳକରେ ଶାନ୍ତ କରିଆଣିବେ । ତୁମର ଉତ୍ତପ୍ତ ବିବେକଟାକୁ ମଧ୍ୟ ସେମାନେ ପୋଷ ମନେଇ ଆଣିବେ, ଯେପରିକି ତୁମେ ସମ୍ପୂର୍ଣ୍ଣ ଚିନ୍ତାରହିତ ଭାବରେ ନିଜ ପଲଙ୍କଟି ଉପରେ ଶାନ୍ତିରେ ଶୋଇପାରିବ । ସେମାନେ ଗୀତା ବୁଝାଇବେ, ଭାଗବତ ବୁଝାଇବେ, ରାମାୟଣ ବା ମହାଭାରତକୁ କେଡ଼େ ସରଳ ଭାବରେ ବୁଝାଇଦେବେ । ମୂଳତଃ ତୁମକୁ ଶାନ୍ତି ପ୍ରଦାନ କରିବା ନିମନ୍ତେ ହିଁ କୋଉ ସେକାଳମାନଙ୍କରେ ମୁନି ଋଷିମାନଙ୍କ ଦ୍ଵାରା ସେସବୁ ମହାମୂଲ୍ୟ ଶାସ୍ତ୍ରମାନ ଲେଖା ହୋଇଥିଲା ବୋଲି ତୁମକୁ ଆଶ୍ଵାସନା ଦେବେ । ତୁମକୁ ପାରି କରିଦେବେ, ତୁମକୁ ଏପରି କଠିନ ଭାବରେ ନିଦା କରିଦେବେ ଯେ, ତୁମ ନିଜ ବିବେକଟା ମଧ୍ୟ ତୁମ ପାଖରେ ଗୁହାରି କରିବାକୁ ମୋଟେ ସାହସ କରିବ ନାହିଁ । ପ୍ରତିବାଦ କରିବା ତ ଆହୁରି ଅଧିକ ଦୂରର କଥା ।

 

ଗୁରୁମାନେ ଭକ୍ତମାନଙ୍କର କଲ୍ୟାଣ ନିମନ୍ତେ ସେମାନଙ୍କୁ ଯୋଗଶିକ୍ଷା ଦେଉଛନ୍ତି, ଭଳି ଭଳି ଧ୍ୟାନମାର୍ଗର ମଧ୍ୟ ଶିକ୍ଷା ଦେଉଛନ୍ତି । ଯୋଗର ବଡ଼ ଦୁର୍ଯୋଗ ଯେ ଏବେ ବିଶ୍ୱଜନଙ୍କର ପ୍ରୀତ୍ୟର୍ଥେ ସେମାନଙ୍କୁ ନିଦା ବଣା କରି ରଖିବା ପାଇଁ ତାହା ସେହି କ୍ଷେତ୍ରରେ ଟେକ୍‍ନିସିଆନ୍‌ମାନଙ୍କର ଅନୁଗ୍ରହରୁ ଆମ ଦୂରଦର୍ଶନ ଭିତରେ ମଧ୍ୟ ଆସି ପହଞ୍ଚିଗଲାଣି । ଯୋଗକୁ ଆଗେ ଏକ ସାଧନା ବୋଲି କୁହାଯାଉଥିଲା, ତାହା ବଳରେ ତୁମ ଚେତନାରେ, ତୁମ ସମ୍ପର୍କମାନଙ୍କରେ ଓ ତୁମ ଜୀବନରେ କିଛି ମୂଳଭୂତ ସ୍ତର-ପରିବର୍ତ୍ତନ ସମ୍ଭବ ହେବ ବୋଲି ଉଲ୍ଲେଖ ହୋଇଥିଲା । ଏବେ ତାହା ଭୋଗୀମାନଙ୍କର ସୁଖଲାଭ ଏବଂ ଶାନ୍ତିଲାଭର ଏକ ଟେକନିକ୍‌ ରୂପେ ବ୍ୟବହାର କରାଗଲାଣି । ଭୋଗ ମଣିଷକୁ ଶୁଆଇ ପକାଏ, ମନୁଷ୍ୟ ଭିତରେ ରହିଥିବା ସେହି ଈଶ୍ଵରୀୟ ଅସନ୍ତୋଷକୁ ମାରିପକାଏ ଓ ତାକୁ ଆପଣାର ଅସଲ ଆହ୍ୱାନଗୁଡ଼ିକ ପାଖରେ ଗୋଟାସୁଦ୍ଧା ବଧିର କରି ରଖେ । ଏବେ ଗୁରୁମାନେ ଆମକୁ ସେହିପରି ବଧିର କରି ରଖିବାକୁ ସମ୍ଭବତଃ ଆମକୁ ଶାନ୍ତିକାମୀ ଧ୍ୟାନ ଓ ଶାନ୍ତିକାମୀ ଯୋଗ ଶିଖାଇବା ପାଇଁ ଏକାବେଳେକେ ଅତ୍ୟାଧୁନିକ ଶୈଳୀରେ ପୃଥିବୀଯାକ ଖେଦି ବୁଲୁଛନ୍ତି । ସେମାନେ ଦରିଆପାରି ହୋଇ ଦୂର ଆମେରିକାରେ ଯାଇ ପହଞ୍ଚିଲେଣି । ସେମାନଙ୍କ ମୁଖାମୃତ ପାଇବା ସକାଶେ ପ୍ରବଚନ ଶୁଣିବାର ଅହରହ ନାନା କାର୍ଯ୍ୟକ୍ରମ ଚାଲିଛି । ନିଜ ଆତ୍ମକାମିତାର ଅନ୍ଧାର ଭିତରେ ରହି ତୁମେ ସଂସାରରେ ସଫଳ ଏବଂ ପୃଥୁଳ ହୋଇ ରହିବା ପାଇଁ କ’ଣ କରୁଛ, ଗୁରୁମାନେ ସେହି ବିଷୟରେ ପୂର୍ଣ୍ଣ ଉଦାସୀନ ରହିଛନ୍ତି । ତଥାପି ମାତ୍ର କେତେଟା ପଳ ବା କେତେଟା ଦଣ୍ଡର ଶାନ୍ତି ନିମନ୍ତେ ତୁମକୁ ନିଜର ପର୍ଯ୍ୟଙ୍କ ଉପରେ ନିଦକ ହୋଇ ଶୋଇ ପଡ଼ିବାର ଉପାୟ ବତାଇ ଦେଉଛନ୍ତି । ସଂସାର ଭିତରେ ମଧ୍ୟ ନିଜ ନିଜ ଆଶ୍ରମ-ସଂସ୍ଥାନଟିକୁ ପ୍ରାୟ ଏକ ସାମ୍ରାଜ୍ୟରେ ପରିଣତ କରି ରଖିଛନ୍ତି । ଜୀବନ ହେଉଛି ଏକ ଯାତ୍ରା, ଏକ ପଥ ଏବଂ ଆହ୍ଵାନ । ସତେ ଅବା ସେହି ଆହ୍ଵାନଟା ପାଖରୁ ପାସୋରି ରହିବାକୁ ଆମେ ଭୋଗୀମାନେ ଯେଉଁ ଧାତୁର ଗୁରୁମାନଙ୍କୁ ଆବଶ୍ୟକ କରୁଥିଲୁ, ଆମକୁ ପ୍ରାୟ ସେହି ଧାତୁର ଗୁରୁମାନେ ଚମତ୍କାର ମିଳି ଯାଇଛନ୍ତି । ଭାରତବର୍ଷ ସ୍ଵାଧୀନତା ଲାଭ କଲା ପରେ ଏଠାରେ ଆହ୍ଵାନଗୁଡ଼ିକ ପାଖରୁ ପଳାଇ ଯାଉଥିବା ଚାହାଳୀଚୋର ମାନଙ୍କର ସଂଖ୍ୟା ଯେପରି ବଢ଼ିଛି, ଏହି ଅଭିନବ ଗୁରୁମାନଙ୍କର ସଂଖ୍ୟା ମଧ୍ୟ ସେହିପରି ବଢ଼ିଛି । ଉଭୟ ବୃଦ୍ଧି ମଧ୍ୟରେ କେଉଁଠାରେ ଏକ ପରସ୍ପର-ପରିପୂରକତାର ସମ୍ବନ୍ଧ ରହିଛି କି ?

 

ଶ୍ରୀମଦ୍ ଭଗବଦ୍‍ଗୀତା ଲୋକମାନ୍ୟ ତିଳକ ଓ ମହାତ୍ମା ଗାନ୍ଧୀଙ୍କର ଜୀବନରେ ଏକ ଦ୍ଵାରୋନ୍ମୋଚନକାରୀ ଆହ୍ଵାନ ଭଳି କାର୍ଯ୍ୟ କରିଥିଲା । ନିଜର ଧର୍ମଟିକୁ ସାକାର କରାଇ ଆଣିବାରେ ସେହି ଗ୍ରନ୍ଥଟି ସେମାନଙ୍କ ପାଇଁ ସତେ ଅବା ଜନନୀର ଭୂମିକାଟିଏ ଗ୍ରହଣ କରିଥିଲା । ଏବର ଗୁରୁମାନଙ୍କର କବଳରେ ପଡ଼ି ସେହି ଗୀତା ଏବଂ ସେହିପରି ଅନ୍ୟାନ୍ୟ ବହୁ ଗ୍ରନ୍ଥ ଆମ ପାଇଁ ଏପରି ଶୁଆଇ ପକାଇବାର ମୋଦକ ପରି କାର୍ଯ୍ୟ କରୁଛି କାହିଁକି ? ଗୋଟିଏ ପ୍ରକାରର ସାହିତ୍ୟ ଅଛି, ଯାହା ଜୀବନରେ ନବ ନବ ଉଚ୍ଚାଟନାର ସନ୍ଦେଶ ବହନ କରି ନେଇ ଆସେ ଓ ନିଜ ଭିତରେ ଲୁକ୍କାୟିତ ହୋଇ ରହିଥିବା ବହୁ ମହିମାର ଜାଗୃତି ଘଟାଏ । ସେହି ଉଚ୍ଚାଟନ ବଳରେ ମନିଷଟିଏ କିଛି ସନ୍ଧାନ ପାଏ, କିଛି ହୁଏ, କିଛି ପ୍ରତିଶ୍ରୁତି ଦେଇ ଏକ ଅଲଗା ପ୍ରକାରର ଜୀବନ ବଞ୍ଚେ । ଆଉଗୋଟିଏ ପ୍ରକାରର ସାହିତ୍ୟ ନିର୍ଧୂମ ଶୁଆଇ ପକାଏ, ଆମକୁ ଜଳକା କରିପକାଏ, ସମ୍ମୋହିତ କରି ରଖିଦିଏ । ସାହିତ୍ୟ ପରି ସଙ୍ଗୀତ, ଆମର ଧର୍ମ, ଆମର ଠାକୁରମାନେ, ଆମର ଅତୀତ, ଆମର ଜାତୀୟତାବୋଧ ଇତ୍ୟାଦି ଇତ୍ୟାଦି । ଆମ ଗୁରୁମାନେ ମଧ୍ୟ ଆମକୁ ଗୋଟାସୁଦ୍ଧା ସମ୍ବେଦନାଶୂନ୍ୟ କରି ରଖିବାକୁ ଦେଶଟାସାରା ପ୍ରବଚନର ସେହି ଚମତ୍କାରିତାର ଜାଲଟାକୁ ମେଲାଇ ରଖିଛନ୍ତି କି ? ଭଗବତ୍-ସାକ୍ଷାତ୍‍କାର ମଣିଷକୁ ମୋଟେ ଶୁଆଇ ପକାଏ ନାହିଁ । ସାକ୍ଷାତ୍‍କାର ଦ୍ଵାରା ଦୁଆର ଫିଟେ, ଗଣ୍ଠିଗୁଡ଼ାକ ଆଉ ମୋଟେ ଫିସାଦ କରି ବାନ୍ଧି ରଖନ୍ତି ନାହିଁ । ନିଜର ଗମ୍ବିରୀଗୁଡ଼ାକ ବିଶ୍ଵ ଆଡ଼କୁ ଖୋଲି ଯାଆନ୍ତି ଏବଂ ସବୁ ମଣିଷ ଦୃଷ୍ଟିଗୋଚର ହୁଅନ୍ତି । ମଣିଷମାନଙ୍କର ଅଦୃଷ୍ଟ ପରସ୍ପର ସହିତ ଅନନ୍ତ ସମ୍ଭାବନାରେ ଛନ୍ଦାଛନ୍ଦି ହୋଇ ରହିଥିବାର ପ୍ରତ୍ୟକ୍ଷ ହୁଅନ୍ତି । ଏବଂ ତା’ପରେ ଆଉ ନିଜର କୌଣସି ଅଲଗା ସଂସାର ଭିତରେ ନିଜର ନିର୍ଲଜ୍ଜ ସର୍କସ୍‍ଗୁଡ଼ାକ କେବଳ ନିଜେ ଦେଖିବାରେ ଆଦୌ ମଳା ଲାଗେ ନାହିଁ । ନିଜ ଭିତରୁ କେତେ କେତେ ଆତ୍ମୀୟତାର ଏବଂ ଖିଅ ଲଗାଇ ରଖିବାର ଆହ୍ଵାନ ଆସି ପହଞ୍ଚିଯାଏ । ଦ୍ଵିଜ ହେବାର ମହାଭାଗ୍ୟ ପ୍ରାପ୍ତ ହୁଏ । ଆମର ସେହିପରି ଗୁରୁ ସବୁଠାରୁ ଅଧିକ ଉପରେ କରିବେ, ଯିଏକି ଆମକୁ ଏହିସବୁ ସୌଭାଗ୍ୟର ସମର୍ଥ କରାଇବେ, ଆମ ଗୁମ୍ପାଗୁଡ଼ିକର ଦୁଆର ଉପରେ ଆସି ଆଘାତ ହେବେ । ମାତ୍ର, ନିଜ ଜୀବନରେ ସେମାନେ ନିଜେ ଗୁମ୍ଫାର ଅଳ୍ପଟା ଭିତରୁ ବାହାରିଥିଲେ ସିନା ସେମାନେ ତାହା କରିପାରିବେ ।

 

ଆମ ଜୀବନର ଅସଲ ଆହ୍ଵାନଗୁଡ଼ିକ ଆମକୁ ଏହି ପୃଥିବୀ ଉପରେ ଅଧିକରୁ ଅଧିକ ସମ୍ପୃକ୍ତ କରି ରଖିବା ନିମନ୍ତେ, ଆମକୁ ପୃଥିବୀରୁ ବାହାର କରି କୋଉ ଗୁମ୍ଫା ଭିତରେ ଗୋଦଡ଼ା କରି ପକାଇଦେବା ପାଇଁ ମୋଟେ ନୁହେଁ । ପୃଥିବୀ ସହସ୍ର ପ୍ରଶ୍ନ ହୋଇ ଡାକୁଥିବା ସମୟରେ ଯେଉଁମାନେ ଆମକୁ ପଳକ ପାଇଁ ପଲଙ୍କ ଉପରେ ନେଇ ଶୁଆଇ ପକାଇବାର ଲୋଭ ଦେଖାଉଛନ୍ତି, ସେମାନେ ଆମର ଆଦୌ ଅସଲ ଗୁରୁ ନୁହନ୍ତି, ଅସଲ ହିତୌଷୀ ମଧ୍ୟ ନୁହନ୍ତି । ଗୋଟିଏ ଗୋଟିଏ ବାପା ଅଛନ୍ତି, ଯେଉଁମାନେ ପୁଅ ପାଇଁ ସବୁ ବରାଦ କରିଦିଅନ୍ତି; ପୁଅ ଯେପରି ଜୀବନରେ ସର୍ବଦା ସୁଖରେ ହିଁ ରହିବ, ସେଥିଲାଗି ସଦାତତ୍ପର ଓ ସଦାପ୍ରଖର ହୋଇ ରହିଥାନ୍ତି । ସେହି ହତଭାଗ୍ୟ ପୁଅମାନଙ୍କୁ ମୋଟେ କିଛି ଖୋଜିବାକୁ ପଡ଼େନାହିଁ । କିଛି ପରଖି ଦେଖିବାକୁ ପଡ଼େନାହିଁ । ସବୁକିଛି ସେମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଥାଏ । ବିଚରା ଏହି ପୁଅମାନେ ଜୀବନସାରା ପ୍ରଧାନତଃ ଶୋଇରହନ୍ତି । କାହାରି କାମରେ ଲାଗନ୍ତି ନାହିଁ । କାହାରି ହୋଇ ପାରନ୍ତି ନାହିଁ । ସେମାନେ ଆହ୍ଵାନଗୁଡ଼ିକୁ ଶୁଣିପାରନ୍ତି ନାହିଁ । ମୋଟେ ସାବାଳକ ହୋଇ ପାରନ୍ତି ନାହିଁ । ଭାରତୀୟ ସମାଜର ସୁକୁମାରିଆ ସେକ୍ଟର ମାନଙ୍କରେ ଅନେକ ସମୟରେ ସେହି ଗେହ୍ଲାମାନଙ୍କୁ ବହୁସଂଖ୍ୟାରେ ଦେଖିବାକୁ ମିଳିଥାଏ । ସେମାନଙ୍କର ପିତାମାତା ଯେ ଅବଶ୍ୟ କୌଣସି ଗୁରୁଙ୍କୁ ଆଶ୍ରୟ କରିଥାନ୍ତି ଏବଂ ଶୋଇ ପଡ଼ିବାର ବିଦ୍ୟାଟିକୁ ହାସଲ କରିଥାନ୍ତି, ସେକଥାଟିକୁ ମଧ୍ୟ ଅନୁସନ୍ଧାନ କରି ଦେଖାଯାଇ ପାରନ୍ତା ।

 

ଆଗାମୀ ପୃଥିବୀରେ ପଲଙ୍କରେ ପଳକ ଲାଗି ଶୋଇ ରହିବାକୁ ହିଁ ଗୁରୁ ଆଶ୍ରା କରିବାର ହାସ୍ୟାସ୍ପଦ ଅଭ୍ୟାସଟାକୁ ହୁଏତ ଏକ ଅପରାଧ ବୋଲି ବିଚାର କରାଯିବ । ମଣିଷର ନିଜ ଭିତରେ ରହିଥିବା ସମ୍ଭାବନାଗୁଡ଼ିକ ପାଖରେ ଅପରାଧ ଏବଂ ବୃହତ୍ତର ସମୂହଟି ସହିତ ଅତ୍ୟନ୍ତ ଅପରିହାର୍ଯ୍ୟ ଭାବରେ ଲାଗି ରହିଥିବା ଆମ ଡୋରଗୁଡ଼ିକ ପାଖରେ ମଧ୍ୟ ଅପରାଧ । ନିଜ ଭିତରର ସମ୍ଭାବବନାଗୁଡ଼ିକ ବିଷୟରେ ଆମେ ଯେତିକି ସଚେତ ହେବା, ଭଗବାନ ଆମର ସେତିକି ପ୍ରତ୍ୟକ୍ଷ ହେବେ । ଏବଂ ସବୁରି ସହିତ ଆମର ଲାଗିଥିବା ନିବିଡ଼ ଡୋରଗୁଡ଼ିକ ବିଷୟରେ ଆମେ ଯେତିକି ସମ୍ବେଦନନାଯୁକ୍ତ ହୋଇପାରିବା, ଭଗବାନ ଆମକୁ ସେତିକି ବ୍ୟାପ୍ତ ହୋଇ ଦିଶିବାକୁ ଆରମ୍ଭ କରିବେ ।

 

ତା’ପରେ ଆମ ନିଜ ଭିତରୁ ତଥା ବାହାରୁ ଆମେ ଯେଉଁ ଆହ୍ୱାନଗୁଡ଼ିକୁ ସତକୁ ସତ ଶୁଣିବାକୁ ଆରମ୍ଭ କରିବା, ସେଗୁଡ଼ିକର ସ୍ପର୍ଶ ବାଜି ଶାନ୍ତି ଆଉ ଅଶାନ୍ତି ଭିତରେ, ସୁଖ ଆଉ ଦୁଃଖ ଭିତରେ ଆଉ ଆଦୌ କୌଣସି ଫରକ ରହିବ ନାହିଁ । ଜୀବନ ଏକ ବ୍ରତରେ ପରିଣତ ହୋଇଯିବ । ଯାବତୀୟ ବାଟ ତୀର୍ଥ ପର୍ଯ୍ୟନ୍ତ ପଡ଼ିଥିବା ପରି ମନେହେବ । ଆମ ଗୁରୁମାନେ ଆମକୁ ଏହି ଚାଲିବାରେ ହିଁ ସାହାଯ୍ୟ କରନ୍ତୁ, ସେମାନେ ବି ଆମ ସହିତ ଆଗେ ଆଗେ ରହି ବାଟ ଚାଲନ୍ତୁ-ଏଣିକି ଆମେ ଚାଲ ଭଗବାନଙ୍କୁ ସେଇଥି ସକାଶେ ପ୍ରାର୍ଥନା କରିବା ।

 

୨୯ । ୦୩ । ୧୯୯୯

Image

 

ମନୋହରପୁରର ସାହିତ୍ୟ

 

ଏପରି ଏକ ପୁର ଥିବ, ଯାହା କେବଳ ମନୋହର ହୋଇ ରହିଥିବ । ମନୋହର ଦେଖା ଯାଉଥିବ, ମନୋହର ମନେ ହେଉଥିବ । ସାହିତ୍ୟର ସଭାଯୁଗରେ ଏକଦା ପଣ୍ଡିତମାନେ ତତ୍ତ୍ଵଦ୍ଵାରା ଖାଲି ରସ ନାମକ ଯେଉଁ ମନୋହର ପଦାର୍ଥଟିକୁ ଆବିଷ୍କାର କରୁଥିଲେ, ସେମାନେ ତାହାରି ଦ୍ଵାରା ହିଁ ଯାବତୀୟ ସାହିତ୍ୟର କଳନା ଓ କଳ୍ପନା କରୁଥିଲେ । ଭାରତବର୍ଷରେ ସାହିତ୍ୟ ଭିତରେ ଆପଣାକୁ ମୃଗୟାଗ୍ରସ୍ତ କରି ରଖିଥିବା ସେହି ବିଶେଷ କାଟର ବ୍ୟକ୍ତିମାନେ ସତେଅବା ଏବେ ମଧ୍ୟ ସେହି ପୁରାତନ ଗହନଟା ଭିତରେ ବିଚରଣ କରୁଛନ୍ତି ଓ ସାହିତ୍ୟକୁ ସେହି ଅନୁସାରେ ଏକ ମନୋହର ଦ୍ରବ୍ୟ ଭଳି ଅନୁଭବ କରୁଛନ୍ତି । ରସରୁ କାଳକ୍ରମେ ରାସିକ ଶବ୍ଦଟି ମଧ୍ୟ ଆମ ଭାଷାର ଚଳଣି ଭିତରକୁ ନିଷ୍ପନ୍ନ ହୋଇ ଆସିଛି । ଏବେ ମଧ୍ୟ ସାହିତ୍ୟରେ ସମଝଦାର ମଣିଷମାନଙ୍କୁ ରସିକ ବୋଲି କୁହାଯାଉଛି । ତୁମେ ରସିକଟିଏ ହୋଇପାରିଲେ ଯାଇ ଯେ ସାହିତ୍ୟନାମକ ମାହାଲ ଭିତରେ ଜଣେ ସମଝଦାର ହୋଇ ପାରିବ, ଏକଥାଟି ବିଷୟରେ ଏହି ଆଧୁନିକ ଯୁଗରେ ମଧ୍ୟ ବହୁତ ସାହିତ୍ୟ-ମଣିଷ ରାଜି ହୋଇଯିବେ ।

 

ସାହିତ୍ୟର ମନୋହର ପୁରରେ ଭାଡ଼ି ବାନ୍ଧିଥିବା ଅଧିକାଂଶ ମନୁଷ୍ୟ ସମ୍ଭବତଃ ସେହି କାରଣରୁ ହିଁ ଜଣେ ଜଣେ ଗେହ୍ଲା ମଣିଷ । ପୃଥିବୀରେ ଗେହ୍ଲା ମଣିଷମାନେ ବେଶି ଦାବି କରନ୍ତି, କମ୍ ଦିଅନ୍ତି । ଅଧିକ ଋଷି ବସନ୍ତି, ଅଭିଯୋଗ କରୁଥାନ୍ତି । ଏହି ସବୁକିଛିକୁ ସେମାନେ ମଞ୍ଜୁଳ ଭାଷାରେ କରନ୍ତି । ଗୋଟିଏ ଦରିଦ୍ର ଦେଶରେ ଗେହ୍ଲାମାନେ ଅଧିକ ସଂଖ୍ୟକଙ୍କୁ ବାଦ୍ ଦେଇ ହିଁ ସାହିତ୍ୟ ବିଷୟରେ ଯାହାକିଛି ଜଳ୍ପନା କିମ୍ବା କଳ୍ପନା କରନ୍ତି, ସତେ ଅବା ନିଜକୁ ହିଁ ଏହି ପୃଥିବୀରେ ଆନନ୍ଦ ଲାଗି ଲାଇସେନ୍ସ ପାଇଥିବା ଏକମାତ୍ର ଜୀବ ବୋଲି ଧରି ନେଇଥାନ୍ତି ବୋଲି ଯେଉଁ ଦେଶର ସାହିତ୍ୟ ଯେତେ ବଡ଼, ସେହି ଦେଶ ଯଥାର୍ଥରେ ଅଲବତ ସେତେ ବଡ଼ ବୋଲି ଘୋଷଣା କରିବାରେ ଲାଗିଥାନ୍ତି । ଆନନ୍ଦ ନାମକ କୌଣସି ପାୟସାନ୍ନକୁ ସେମାନେ ଏକାକୀ ଭୋଜନ କରିବାକୁ ଇଚ୍ଛା କରୁଥାନ୍ତି କି ? ଆମ ଉପନିଷଦରେ ଏକତ୍ର ଭୋଜନ କରିବା ବିଷୟରେ ପ୍ରାୟ ଏକ ଅଧ୍ୟାତ୍ମର ବ୍ୟଞ୍ଜନା ଦେଇ କେତେ କଥା କୁହାଯାଇଛି । ଅଥଚ ଆମ ସାମାଜିକ ଜୀବନରେ ପ୍ରାୟ ସେହି ପ୍ରାଚୀନ କାଳରୁ ହିଁ ଅଧିକ ଜାଣିଥିବା, ଅଧିକ ସମ୍ପନ୍ନତା ହାସଲ କରିଥିବା ଏବଂ ଅଧିକ ବଡ଼ ଥାନମାନଙ୍କରେ ବସି ଆସିଥିବା ମନୁଷ୍ୟମାନେ କାହିଁକି କାହାର ମାୟାରେ ପଡ଼ିଯାଇ ଯଥାସମ୍ଭବ ସବୁକିଛିକୁ ଏକାକୀ ଭୋଗ କରିବା ବିଷୟରେ ଏତେ ଏତେ ପାରଙ୍ଗମତା ଦେଖାଇ ଆସିଛନ୍ତି ? ଏହି ଅଧିକ ଜାଣିଥିବା ଓ ଅଧିକ ଜଣାଇଥିବାମାନେ ହିଁ ଜୀବନରେ ପ୍ରାୟ ଏକ ମୀମାଂସକ ଦର୍ଶନ ସଦୃଶ ଏକାକୀ ଭୁଞ୍ଜିବାକୁ ହିଁ ପରମ ମୋକ୍ଷପଥ ରୂପେ ଗ୍ରହଣ କରି ନେଇଛନ୍ତି-। ଭାରତବର୍ଷର ସାହିତ୍ୟ ମଧ୍ୟ ଏହି ଏକାକୀ ଭୁଞ୍ଜିବାକୁ ଉଦ୍‍ଗ୍ରୀବ ହୋଇ ରହିଥିବା ମଣିଷଙ୍କର ଚିଦ୍‍ବିଳାସ ନିମନ୍ତେ କାମରେ ଲାଗି ଆସିଛି ।

 

ଶବ୍ଦ ଦ୍ଵାରା ଆପଣାକୁ ବ୍ୟକ୍ତ କରିହୁଏ, ପୁନଶ୍ଚ, ସେହି ଶବ୍ଦ ଦ୍ଵାରା ଅନେକ ମଣିଷ ଆପଣାକୁ ଘୋଡ଼ାଇ ରଖିବା ନିମନ୍ତେ ବେଶ୍ ଏକ ଅବସର ମଧ୍ୟ ପାଇଯାଆନ୍ତି । ମଣିଷ ଆପଣାକୁ ବ୍ୟକ୍ତ କରିବାକୁ ଚାହେଁ, କାରଣ ସିଏ ଜୀବନର, ଏହି ଜଗତର ନିକଟବର୍ତ୍ତୀ ହେବାକୁ ଇଚ୍ଛା କରେ । ଏହି ଦେହଟା ତଳେ ଆତ୍ମାଟିଏ ରହିଛି, ଏହି ମସ୍ତିଷ୍କଟାକୁ ଅତିକ୍ରମ କରି ହୃଦୟ ବି ରହିଛି । ଆତ୍ମାର ପରସ୍ତଟା ଯାଏ ପହଞ୍ଚିପାରିଲେ ମଣିଷ ଅଧିକ ଅନେକଙ୍କୁ ସ୍ପର୍ଶ କରିପାରେ, ଅନେକ ଅଧିକ ସହିତ ଖିଅ ଲଗାଇପାରେ । ଦୁଆର ଗୁଡ଼ିକ ଏକାବେଳେକେ ଖୋଲି ଯାଆନ୍ତି । ମଣିଷ ତା’ପରେ ଆଉ କେବଳ ନିଜ ପାଇଁ ମୋଟେ ବଞ୍ଚି ପାରେନାହିଁ । ସିଏ ଏହି ସବୁକିଛି ସହିତ ଯୋଡ଼ି ହୋଇଯାଏ । ସଂସାରର ଏହି ଘରଟାକୁ ସେ ଅତ୍ୟନ୍ତ ନିବିଡ଼ ଭାବରେ ଯୋଡ଼ିହୋଇ ରହିଥିବା ଏକ ବରାଦରୂପେ ଅନୁଭବ କରିବାକୁ ଆରମ୍ଭ କରେ । ସେହି ଅନୁଭବ ହିଁ ଆମକୁ ଯାହାର ଭାଜନ କରାଏ, ତାହାକୁ ହିଁ ଅନୁଭବୀମାନେ ଆନନ୍ଦ ବୋଲି କହିଛନ୍ତି । ଆମର ସାହିତ୍ୟ ଶବ୍ଦଦ୍ଵାରା ଆମେ ଅଙ୍ଗେ ନିଭାଉଥିବା ଆନନ୍ଦଟିକୁ ହିଁ ପ୍ରକାଶ କରିଥାଉ । ଆଧୁନିକ ଯୁଗରେ ସାହିତ୍ୟ ନାମକ ଏହି ରାଜ୍ୟଟିରେ କେଉଁ ଅପାଳକ ପଡ଼ିଛି ଅଥବା କି ଦୁର୍ଘଟଣା ଘଟିଛି କେଜାଣି, ସାହିତ୍ୟିକମାନେ ଶବ୍ଦଗୁଡ଼ିକର ଧାଉଡ଼ି ବସାଇଦେଇ ସତେଅବା ତାହାରି ଭିତରେ ନିଜକୁ ଲୁଚାଇ ଓ ଘୋଡ଼ାଇ ରଖିବାକୁ ଇଚ୍ଛା କରୁଛନ୍ତି । ସେମାନେ ସାହିତ୍ୟକୁ ସତେଅବା କେବଳ ଏକାକୀ ଭୁଞ୍ଜିବାର ଏକ ପଦାର୍ଥରେ ପରିଣତ କରି ରଖିଛନ୍ତି । ସାହିତ୍ୟ ନାମକ ଏକ ମନୋହରପୁରରେ ସେମାନେ ଏକା ରମଣ କରିବାକୁ ଇଚ୍ଛା କରୁଛନ୍ତି । ବିଶେଷ ଭାଗ୍ୟବାନମାନେ ହିଁ ବାଗ୍ ଦେବୀଙ୍କର କୃପା ଲାଭ କରନ୍ତି ବୋଲି ପ୍ରାଚୀନ ସାହିତ୍ୟତତ୍ତ୍ଵରେ ଯେଉଁ ଅପବାଦ ରହି ଆସିଛି, ଆମର ଏବ ସମୟଟାକୁ ଆସି ସତେଅବା ସେହି ଅକଥାଟାକୁ ହିଁ କଥା ରୂପେ ଦେଖାଇ ଦିଆଯାଉଛି ।

 

ପୃଥିବୀରେ ଯେଉଁସବୁ ସମାଜରେ ମାତ୍ର କେତେକାଂଶ ମନୁଷ୍ୟ ଭାଗ୍ୟବାନ ହୋଇ ରହିଛନ୍ତି, —ଏକ ସ୍ଵୀକୃତିପ୍ରାପ୍ତ ପରମ୍ପରା ଭିତରେ ସେମାନେ ଧନ, ବିଦ୍ୟା, କ୍ଷମତା ତଥା ନାନା ସୁଯୋଗର ଅଧିକାରୀ ହୋଇ ରହିଛନ୍ତି, ସଚରାଚର ସେହିସବୁ ସମାଜରେ ସାହିତ୍ୟକୁ ମାତ୍ର କେତେଜଣଙ୍କର ଭୋଗ-ସମ୍ବନ୍ଧରେ ପରିଣତ କରି ରଖାଯାଇଛି । ମନୋହରପୁର ନାମକ ରାଜ୍ୟରେ ମାତ୍ର ଅଳପ କେତେଜଣଙ୍କ ସକାଶେ ହିଁ ଅଳିନ୍ଦଗୁଡ଼ିକ ଖୋଲାହୋଇ ରହିଛି । ଭାରତବର୍ଷରେ ବାସ କରୁଥିବା ଅଧେ ମଣିଷଙ୍କର ପ୍ରକୃତରେ କୌଣସି ସାହିତ୍ୟ ନାହିଁ ଅର୍ଥାତ୍ ମନୋହରପୁରରେ ପ୍ରବେଶ କରିପାରିବା ଲାଗି ଆଦୌ କୌଣସି ଲାଲସେନ୍ସ ବି ନାହିଁ । ଯେଉଁମାନଙ୍କ ପାଖରେ ଲାଇସେନ୍ସ ଅଛି, ସେମାନେ ତାହାକୁ କେଉଁ ବିଧାନ ଅନୁସାରେ ଯୋଗାଡ଼ କରି ପାରିଛନ୍ତି କେଜାଣି ? ହାତରେ ଅନୁମତିପତ୍ର ଧରିଥିବା ଏମାନେ ସତେଅବା ନିଜକୁ ସୁହାଇବ ବୋଲି ପ୍ରତିଭାକୁ ଜନ୍ମଜାତ ବୋଲି ଘୋଷଣା କରିପକାଇ କେତେ ଆନନ୍ଦ ଲାଭ କରୁଛନ୍ତି । ଯାହାର ପ୍ରତିଭାଧର ହେବାର ଥାଏ, କେବଳ ସେଇ ପ୍ରତିଭାଧର ହୁଏ । ଏହିଭଳି ଏକ ଅତତ୍ତ୍ଵରେ ପ୍ରାୟ ଏକ ଧର୍ମ ପରି ବିଶ୍ଵାସ ସ୍ଥାପନ କରିଥିବା ରସେନ୍ଦ୍ରମାନେ ସତେଅବା ଏହି ସମଗ୍ର ପୃଥିବୀଟାକୁ ଏକ ଅବଜ୍ଞାଚକ୍ଷୁରେ ହିଁ ଦେଖୁଥାଆନ୍ତି । ଭାରତବର୍ଷର ଜୀବନଦାଣ୍ଡରେ ସମ୍ପନ୍ନମାନେ ଅସମ୍ପନ୍ନମାନଙ୍କୁ ଯେପରି ଅବଜ୍ଞାର ଚକ୍ଷୁରେ ଦେଖନ୍ତି, ଆପଣାକୁ ଗୋଟିଏ ଗୋଟିଏ ସ୍ଵତନ୍ତ୍ର ଭୂଷଣଯୁକ୍ତ ଜୀବରୂପେ ଦେଖୁଥିବା ସାହିତ୍ୟଜୀବୀମାନେ ପ୍ରାୟ ସେହିପରି ଏକ ନ୍ୟାୟରେ ଏହି ବିଶେଷ ବେଢ଼ାଟାର ବାହାରେ ରହିଥିବା ବୃହତ୍ତର ମେଦିନୀଟିକୁ ପ୍ରାୟ ସେହି ବା ସେତିକି ଅବଜ୍ଞା ସହିତ ଦେଖିବାକୁ ହିଁ ନୀତି ବୋଲି ଧରି ନେଇଥାନ୍ତି ।

 

ସାହିତ୍ୟର କୌଣସି ଶୋଭାମଞ୍ଚ ଭିତରେ ଘଡ଼ିକ ପାଇଁ ଯାଇ ପଶିଗଲେ ହଠାତ୍ ମନେହୁଏ, ମାତ୍ର କେତେ ପଳ ବା କେତେ ଦଣ୍ଡ ସକାଶେ ହେଲେ ମଧ୍ୟ ବାହାରେ ଏକ ବୃହତ୍ତର ପୃଥିବୀ ରହିଛି ବୋଲି ସେଠାରେ ସତେଅବା କାହାରି ହୋସ୍ ନଥାଏ । ବୃହତ୍ତର ସଂସାରଟିଏ ଭୂମିଟିଏ ହୋଇ ରହିଛି ଏବଂ ଜନନୀ ରୂପେ ଅଙ୍କଟିକୁ ପ୍ରସାରି ରଖିଛି ବୋଲି ଯେ ଏହି ଆନନ୍ଦଭୁକ୍ ଓ ସାହିତ୍ୟଭୂକ୍ ମାନଙ୍କର ଯାବତୀୟ ଆନନ୍ଦ ଓ ସାହିତ୍ୟ ସମ୍ଭବ ହେଉଛି, ସେତେବେଳେ ସେହି କଥାଟି ସମ୍ପୂର୍ଣ୍ଣ ଭାବରେ ପାସୋର ଯାଇଥାଏ । ବିସ୍ମିତ ହେବାର ଆଦୌ କୌଣସି କାରଣ ନାହିଁ ଯେ ସାହିତ୍ୟ-ସୃଜନକୁ ଏହି ଆନନ୍ଦଭୁକ୍ ଲୋକମାନେ ହିଁ କାଳିସୀର ମାଡ଼ିବସିବା ସହିତ ତୁଳନା କରିଛନ୍ତି । ସାହିତ୍ୟ ନାମକ ଏକ ବିଶେଷ ପ୍ରାଙ୍ଗଣ ମଧ୍ୟରେ ପ୍ରବେଶ କଲେ କବି ଓ ଲେଖକମାନଙ୍କୁ କାଳିସୀ ଲାଗେ ଅଥବା ଆଗ କ’ଣ କିଛି ଘଟି ଜଣେ ମଣିଷକୁ କାଳିସୀ ଲାଗିଲେ ସିଏ ସାହିତ୍ୟସୃଜନ ନିମନ୍ତେ ନିଜକୁ ସମର୍ଥ ବୋଲି ଅନୁଭବ କରେ, ଆମେ ଇଚ୍ଛା କଲେ ସେହି ପ୍ରଶ୍ନଟିକୁ ମଧ୍ୟ ପଚାରି ପାରିବା । ଯେକୌଣସି ସାହିତ୍ୟଅବସର ଭିତରେ ଯାଇ ପହଞ୍ଚିଗଲେ ସମ୍ଭବତଃ ସେଇଥିପାଇଁ ସତେଅବା ଚାଉଁକିନା ଲାଗିଗଲା ପରି ମନେହୁଏ । ସେଠାରେ ବକ୍ତା ଓ ଶ୍ରୋତା ଉଭଯଙ୍କୁ ସମ୍ମୋହିତ କରି ରଖିଥିବା ଦେବୀଶକ୍ତିଟି ଏକ କାଳିସୀ ବ୍ୟତୀତ କଦାପି ଅନ୍ୟ କିଛି ହୋଇନଥିବ ବୋଲି ପୂରା ହୃଦବୋଧ ହୋଇଯାଏ । ସେଠାରେ ଏକାବେଳେକେ ପୂରା ଦମରେ ବିଗଳିତ ହୋଇ ବକ୍ତା ଓ ଶ୍ରୋତା ଉଭୟ ପକ୍ଷ ସତେଅବା ଏକ ଅଲଗା ସଂସାର ରଚନା କରି ଏକାବେଳେ ଆଉ କୁଆଡ଼କୁ ହାମୁଡ଼େଇ ପଡ଼ିଥାନ୍ତି ଓ ପରସ୍ପରକୁ ଆଲିଙ୍ଗି ଧରିଥାନ୍ତି । ସାହିତ୍ୟର ସେହି ମୁହୂର୍ତ୍ତଟି ନିଦା ଭାବରେ ଏକ ବିସ୍ମରଣର ମୂହୁର୍ତ୍ତ ହୋଇ ରହିଥାଏ । ବିସ୍ମରଣର ମୁହୂର୍ତ୍ତଗୁଡ଼ିକୁ କ’ଣ ବିଚାରି ଯେ ଆମ ଅଭିଜ୍ଞମାନେ ସର୍ଜନାତ୍ମକ ମୂହୁର୍ତ୍ତ ବୋଲି ପ୍ରମାଣ କରିବାକୁ ଉଦ୍ୟମ କରୁଥାନ୍ତି, ସେକଥାର ରହସ୍ୟଟିକୁ ମୋଟେ ଜାଣି ହୁଏନାହିଁ । ଆପଣାକୁ ଲୁଚାଇ ରଖିବାର, ଅଲଗା କରି ରଖିବାର ପ୍ରଚେଷ୍ଟାଗୁଡ଼ିକୁ କାହିଁକି ଏକ regression ର ବୃତ୍ତିଟିଏ ବୋଲି ନକହି ସର୍ଜନାତ୍ମକତା ବୋଲି କୁହାଯିବ, ସେହି ବିଷୟରେ ମଧ୍ୟ ବେଶ୍ ଗୋଟିଏ ବିତର୍କ ହୋଇପାରେ । ମାତ୍ର ସାହିତ୍ୟକୁ ଜୀବନ ଭିତରର ଏକ ରଲାକା ନକହି ଚାତୁର୍ଯ୍ୟ ସହିତ ଏକ ପବିତ୍ର ଇଲାକା ଅର୍ଥାତ୍ ନିଷିଦ୍ଧ ଇଲାକା ବୋଲି ମଣୁଥିବା ପର୍ଯ୍ୟନ୍ତ ସେହି ବିତର୍କ ସମ୍ଭବ ହେବନାହିଁ-

 

ପ୍ରତ୍ୟେକ ଲେଖକ ହେଉଛି ଗୋଟିଏ ଯନ୍ତ୍ରଣା-ଜର୍ଜରିତ ପ୍ରାଣୀ, —ମନୋହରପୁରର ଏକ ଆନୁଷ୍ଠାନିକ ଅବସରରେ ଜଣେ ବକ୍ତା ଏପରି କହୁଥିଲେ । ଏହି ପୃଥିବୀକୁ ଥୋକେ କ୍ଷମତାଶାଳୀ ମଣିଷ ଯେପରି ହେବାକୁ ବାଧ୍ୟ କରି ରଖିଛନ୍ତି, ସେଥିରେ କୋଟି କୋଟି ମନୁଷ୍ୟ ବହୁବିଧ ଯନ୍ତ୍ରଣା ଭିତରେ ବଡ଼ ଛଟପଟ ହେଉଛନ୍ତି । ସେମାନଙ୍କର ସେହି ଯନ୍ତ୍ରଣାର ଯିଏ ମର୍ମପ୍ରବେଶ କରିବ, ସିଏ ଅସଲ ଡୋରଟି ଲାଗିଯିବା ମାତ୍ରକେ ସେହି ବଞ୍ଚିତ ଓ ଦୁଃଖୀ ମଣିଷଙ୍କ ସହିତ ଏପରି ଭାବରେ ଛନ୍ଦି ହୋଇଯିବ ଯେ ସେ ନିଜର ଦୁଃଖକୁ ପୂରା ଭୁଲିଯିବ । ନିଜକୁ ପଛରେ ରଖି ସିଏ ଅନ୍ୟ ବହୁଜନଙ୍କର କଥା କହିବ । ଅସଲ ଅହଂଗୁଡ଼ାକର ଗଡ଼କୁ ସମ୍ଭବତଃ ଠିକ୍ ଏହିପରି ଭାବରେ ଜୟ କରାଯାଇଥାଏ । ମାତ୍ର, ସତେ ଅବା ଏକ ଅନ୍ୟ ଧାତୁରେ ଗଢ଼ା ହୋଇଥିବା କେତେ ଅନ୍ୟମାନେ ଯେତେବେଳେ ନିଜର ଯନ୍ତ୍ରଣାଟାକୁ ଅଳଙ୍କାରମଣ୍ଡିତ କରି ପ୍ରଦର୍ଶନ କରିବାରେ ଲାଗିଥାନ୍ତି, ସେତେବେଳେ ସେମାନଙ୍କୁ ଆମେ ଗେହ୍ଲା ବା ଫୁଲାବୋଲି ହିଁ କହିପାରିବା । ଆଧୁନିକ କବି ଓ ଲେଖକ କ’ଣ ପାଇଁ ଟାକୁ ବେଷ୍ଟନ କରି ରହିଥିବା ଜଗତଟି ପାଖରୁ ପଳାଇ ଆସି ନିଜର ତଥାକଥିତ ଯନ୍ତ୍ରଣାଟା ବିଷୟରେ ଏତେ ଅତିସଚେତନ ହେବାପାଇଁ ଭଲ ପାଉଛି କେଜାଣି ? କେବଳ ନିଜକୁ ହିଁ ଅନୁଭବ କରୁଥିବା ଏକ ଅଇଁଗୁଣରେ କଳାତ୍ମକ ମଣ୍ଡ ଦେଇ ସିଏ କେଡ଼େ ବ୍ୟାଧିତ ଭାବରେ ନିଜର ମିଛ ଯନ୍ତ୍ରଣାଗୁଡ଼ିକୁ ଫାନ୍ଦି ପକାଉଛି ଓ ପ୍ରାୟ ଏକ ମନୋରମ ପରିପାଟୀରେ ସାହିତ୍ୟବିହାର କରିବାରେ ତତ୍ପର ହୋଇ ରହିଛି । ତେଣୁ ଏହି କାଳର ଅସଲ ଯନ୍ତ୍ରଣାଗୁଡ଼କୁ ସିଏ ମୋଟେ ଆବିଷ୍କାର କରିପାରୁନାହିଁ । ଆମ ସମୟର ଅଧିକାଂଶ ଯନ୍ତ୍ରଣା ଯେ ଏକାନ୍ତ ମନୁଷ୍ୟକୃତ, ସେହି କଥାଟିକୁ ହୃଦୟଙ୍ଗମ କରିବାକୁ ହେଲେ, ନିଜ ଯନ୍ତ୍ରଣାର ମିଛ ପ୍ରଦର୍ଶନଗୁଡ଼ାକୁ ପରିହାର କରିବାକୁ ପଡ଼ିବ । ପ୍ରଦର୍ଶନପ୍ରିୟତା ବଢ଼ିଲେ ହିଁ ଜଣେ ମଣିଷ ନିଜଟାକୁ ହିଁ ଅଧିକ ଦେଖେ, —ଏବଂ ଆହୁରି ସତ୍ୟକଥା ହେଉଛି ଯେ, ନିଜ ଭିତରର ଅନେକ ଉଦାସୀନତା ଓ ଅସମର୍ଥତାକୁ ଘୋଡ଼ାଇ ରଖିବାକୁ ଇଚ୍ଛା କରୁଥିବା ମଣିଷମାନେ ଭିତରୁ ପ୍ରାୟ ବାଧ୍ୟ ହୋଇ ହିଁ ପ୍ରଦର୍ଶନପ୍ରିୟ ହୁଅନ୍ତି । ମନୋହରପୁରରେ ଏହି ପ୍ରଦର୍ଶନର ସୁଗନ୍ଧ ଗୁଡ଼ାକ ହିଁ ସବୁଠାରୁ ଅଧିକ ଉପଦ୍ରବ ସହିତ ଆମ ନାକ ଉପରେ ଆସି ଅଜାଡ଼ି ହୋଇ ପଡ଼ିବାରେ ଲାଗିଥାଏ ।

 

ସାହିତ୍ୟକୁ ଏବଂ ପ୍ରଦର୍ଶନକୁ ଅନେକ ମଣିଷ ବ୍ୟକ୍ତିର ସ୍ତରରୁ ବେଳେ ବେଳେ ଜାତିର ସ୍ତରଯାଏଁ ବି ଚହଟାଇ ନେବାକୁ ଇଚ୍ଛା କରିଥାନ୍ତି । ସେମାନଙ୍କର ଉଗ୍ରମନ୍ୟତା ସତେ ଅବା କେଉଁଠାରେ କପକପ ହୋଇ ସେମାନଙ୍କୁ ପ୍ରାୟ ଅଣଅକ୍ତିଆର କରିପକାଉଥାଏ କେଜାଣି, ସେମାନେ ରୋଦନ କରି ଜାତିର ଦୁରବସ୍ଥା ବିଷୟରେ ମଧ୍ୟ ଶବ୍ଦବନ୍ଧରେ କେତେଆଡ଼କୁ କେତେକଥା କହିପକାନ୍ତି । ଓଡ଼ିଆ ଜାତିର ମାନସିକତାରେ ରହିଥିବା ଗୌଣମନ୍ୟତାର ଚେତନାଟା ସବା ଆଗ ଦୂରହୋଇ ନଗଲେ ଓଡ଼ିଶାରେ ଭାଗ୍ୟର ଗାଭୀଟା କଦାପି ଫଳବତୀ ହୋଇପାରିବ ନାହିଁ ବୋଲି ସେମାନେ ଆତଙ୍କିତ ଭାବରେ ଆମକୁ ସତର୍କ କରାଇଦିଅନ୍ତି । ଓଡ଼ିଆମାନେ କ’ଣ ପାଇଁ ନିଜକୁ ଛୋଟ, ଗୌଣ ବା ଅକ୍ଷମ ବୋଲି ଭାବିବେ ବୋଲି ସେମାନେ ଭାରି କାତର ଏବଂ ଉତ୍ତେଜିତ ଭାବରେ ପ୍ରଶ୍ନ କରୁଥାନ୍ତି । ଏକଦା ମଧୁବାବୁ ମଧ୍ୟ ଓଡ଼ିଶାରେ ଏକଥା କହୁଥିଲେ । ମଧୁବାବୁଙ୍କ କଥାତ ବୁଝି ହେଉଥିଲା । କାରଣ, କଥାଟି କହିବା ପଛରେ ଯେତେବେଳେ କଥାଟିକୁ କହୁଥିବା ଅନୁରୂପ ମଣିଷଟିଏ ରହିଥାଏ, ସେତେବେଳେ ଆଦୌ କିଛି ହେଲେ ଅସ୍ଵାଭାବିକ ଲାଗେନାହିଁ । ଅସାଧୁମାନେ ହିଁ ଅସ୍ୱାଭାବିକ ଲାଗନ୍ତି । ଅସାଧୁମାନେ ହିଁ ପ୍ରଦର୍ଶନପ୍ରିୟ ହୁଅନ୍ତି ଏବଂ ଅସାଧୁମାନେ ହିଁ ସାହିତ୍ୟକୁ ମନୋହରପୁରର ଏକ ପଣ୍ୟରେ ପରିଣତ କରି ରଖିଥାନ୍ତି । ଏହି ପୃଥିବୀରେ ଅନେକଙ୍କୁ ଦୁଃଖୀ କରି ରଖିଥିବା ମଣିଷମାନେ ହିଁ ଆମ ଆଧୁନିକ ସାହିତ୍ୟ ଭିତରେ ନିଜର ଯନ୍ତ୍ରଣାକୁ ଏଡ଼େ କବିତ୍ଵପୂର୍ଣ୍ଣ ଭାବରେ ବର୍ଣ୍ଣନା କରିବାରେ ଲାଗିଛନ୍ତି । ସେମାନଙ୍କ ଅନ୍ତର୍ଗତ ପିଉଟି ସହିତ ସେମାନେ କହୁଥିବା କଥାଗୁଡ଼ିକର ହୁଏତ ଆଦୌ କୌଣସି ସଂଗତି ନାହିଁ । ସେମାନେ ହୁଏତ ସ୍ଵପ୍ନ ଦେଖୁଛନ୍ତି ଯେ, ଏହି ଭୂମିରେ ସେହିମାନଙ୍କୁ ହିଁ ସମସ୍ତେ ଶିଷ୍ଟ ବୋଲି କହି କାନ୍ଧେଇ ବୁଲିବେ, ତେବେଯାଇ ଓଡ଼ିଶା ତା’ର ପୂଜ୍ୟମାନଙ୍କୁ ଚିହ୍ନିଲା ବୋଲି ପ୍ରମାଣିତ ହୋଇଯିବ-। ଯଦି ତୁମେ ସତକୁ ସତ ନିଜ ଭିତରେ ଏହିପରି ଏକ ମନକୁ କଆଁଳ ଦୂବଘାସ ଦେଇ କଅଁଳା ବାଛୁରୀଟିଏ ପରି ପୋଷିବାରେ ଲାଗିଥିବ, ତେବେ ତୁମେ ବାବୁ କାହିଁକି କେଉଁ ଅପଶକୁନର ସଂକେତ ହୋଇ ସାହିତ୍ୟକୁ ମନ କରିବ କହିଲ ? ଆଦୌ କୌଣସି ସାହିତ୍ୟ ବ୍ୟତୀତ ମଧ୍ୟ ତୁମ ମନୋହରପୁରଟା ବଡ଼ ଚମତ୍କାର ଭାବରେ ସମ୍ଭବ ହୋଇପାରନ୍ତା ।

 

ସେଦିନ ଓଡ଼ିଆ ଗୌଣମନ୍ୟତାର ଆଲୋଚନା କରି ବକ୍ତା କହୁଥିଲେ ଯେ ଆମେ ଯଦି ଓଡ଼ିଶାକୁ ଭଲ ପାଇବା, ତେବେଯାଇ ଏହି ଗୌଣ ମନୋଭାବ ଆମକୁ ଛାଡ଼ି ଚାଲିଯାଇ ପାରିବ । ତାଙ୍କରି କଥାରେ, ଓଡ଼ିଶାକୁ ଭଲ ପାଇବାକୁ ହେଲେ ଆମକୁ ଓଡ଼ିଶାର ଇତିହାସ, ସାହିତ୍ୟ ଓ ଭୂଗୋଳକୁ ଉତ୍ତମ ପ୍ରକାରେ ବୁଝିବାକୁ ହେବ । ବୁଝିବାକୁ ହେବ ଅର୍ଥାତ୍ ଚିହ୍ନିବାକୁ ହେବ । ବକ୍ତା ଦୃଢ଼ ବିଶ୍ଵାସ ପୋଷଣ କରିଥିଲେ ଯେ, ଥରେ ସେହି ପରିଚୟଟି ହୋଇଗଲେ ଓଡ଼ିଆ ମାନସିକତାରୁ ହୀନମନ୍ୟତା ଆପେ ଆପେ ଦୂର ହୋଇଯିବ । ହିଟ୍‍ଲର୍ ଶାସିତ କର୍ମାନୀରେ ଏକଦା କର୍ମୀନୀର ଇତିହାସ, ଭୂଗୋଳ ଏବଂ ସାହିତ୍ୟ ବିଷୟରେ ପ୍ରାୟ ସେହିଭଳି କଥାମାନ କୁହାଯାଇଥିଲା ଏବଂ ତାହାହିଁ ଖାଲି ଜର୍ମାନୀ ଲାଗି ନୁହେଁ, ସମଗ୍ର ପୃଥିବୀ ଲାଗି ଏକ ବୀଭତ୍ସ ମନ୍ଦକୁ ଡାକିନେଇ ଆସିଥିଲା । ଉପରେ ନାନା ହୀନମାନ୍ୟତାରେ କୁହୁଳୁଥିବା ଲୋକମାନେ ନିଜ ଭିତରେ ଏକ ଆଦିମସ୍ତରୀୟ ଉଗ୍ରମନ୍ୟତାରେ ହିଁ ଟକ୍ ଟକ୍ ହୋଇ ଫୁଟୁଥାନ୍ତି, ଏବଂ ସେଥିଲାଗି ଓଲଟା ଦେଖନ୍ତି, ଓଲଟା କହନ୍ତି ଓ ଓଲଟା ଉତ୍ସାହ ଗୁଡ଼ାକୁହିଁ ଉତ୍ତେଜିତ କରି ଆଣନ୍ତି । ଏମାନେ ସ୍ଵୟଂ ଯେଉଁ ମହାମିଥ୍ ଗୁଡ଼ିକର ମନୋହରପୁର ମାନଙ୍କରେ ବିଚରଣ କରୁଥାନ୍ତି, ଭୂଇଁର ସାହିତ୍ୟଟାକୁ ମଧ୍ୟ ସେଇଆଡ଼କୁ ଭ୍ରଷ୍ଟ କରିନେବାକୁ ଭାରି ଇଚ୍ଛା କରନ୍ତି । ସେମାନେ ବର୍ତ୍ତମାନ ପ୍ରତି ଉଦାସୀନ ହୋଇ ରହିବାଟାକୁ ସତେଅବା ଏକ ଚତୁରତମ ଧର୍ମ ବୋଲି ଧରିନେଇଥାନ୍ତି । ସାହିତ୍ୟକୁ ପଛମୁହାଁ କରି ରଖନ୍ତି, ସମୂହଭିତରେ ରହିଥିବା ଅଧିକାଂଶ ମଣିଷ ପଛଟାକୁ ନେଇ ମଜ୍ଜିରହିଲେ ସେମାନେ ବର୍ତ୍ତମାନଟାକୁ ନିରୁଙ୍କଶ ଭାବରେ ଭୋଗ କରିବେ ବୋଲି ଏଭଳି କରନ୍ତି କି ? ମନୁଷ୍ୟ ବିଷୟରେ ହେଉଥିବା ଯାବତୀୟ ଆଲୋଚନା ତା’ର ବର୍ତ୍ତମାନକୁ ନେଇ ହିଁ ହେବା ଉଚିତ । ଓଡ଼ିଆ ସାହିତ୍ୟର ମନୋହର ଆଲୋଚନା ଗୁଡ଼ିକ ଆମକୁ ସତେ ଅବା ନାନା ଭାବେ ଫୁସୁଲାଇ କୋଉ ସପ୍ତଦଶ ଶତାବ୍ଦୀ ଭିତରକୁ ଲୋସଡ଼ାଇ ନେବାର ଚକ୍ରାନ୍ତ କରିବାରେ ଲାଗିଥାଏ-। ଯାହା ମଣିଷ ମାନଙ୍କର ନିଦ ଭଙ୍ଗାଏ, ମଣିଷମାନଙ୍କୁ ସେମାନଙ୍କର ମହିମା ଓ ସମ୍ଭାବନା ଗୁଡ଼ିକ ବିଷୟରେ ଜାଗତ୍ତ୍ଵକ କରାଏ, ତାହାହିଁ ଅସଲ ସାହିତ୍ୟ । ପ୍ରାଣଦାୟୀ ସାହିତ୍ୟ ଓ ପବିତ୍ର ସାହିତ୍ୟ । ଯାହା ନାନା ମିଛ ସାମୂହିକତା ତଥା ପ୍ରଲୋଭନରେ ଫୁସୁଲାଇ ରଖିବାକୁ ଫନ୍ଦା କରୁଥାଏ, ତାହା ଅସାହିତ୍ୟ ଓ ଘୋର ଅନିଷ୍ଟକାରୀ ସାହିତ୍ୟ । ଆମ ବର୍ତ୍ତମାନକୁ ମୁଖ୍ୟତଃ ଏକ ଆହ୍ଵାନ ରୂପେ ଅନୁଭବ କରିପାରୁଥିଲେ ଯାଇ ଆମେ ଅତୀତକୁ ମଧ୍ୟ ଗୌରବମୟ ଭାବରେ, ସର୍ଜନାତ୍ମକ ଭାବରେ କାମରେ ଲଗାଇ ପାରିବା ଓ ଭବିଷ୍ୟର ଯାବତୀୟ ନିର୍ମାଣରେ ତାହାକୁ ପ୍ରେରଣା ରୂପେ ବ୍ୟବହାର ବି କରିପାରିବା । ଆମ ସାହିତ୍ୟକୁ ଆମେ ମନୋହରପୁରର ମାମଲତକାରମାନଙ୍କର ମୋହାଚ୍ଛନ୍ନତା ଭିତରୁ ମୁକ୍ତ କରି ଆଣିବା । ସାହିତ୍ୟକୁ ମନୋହରପୁରର ନାନା ମୋହବନ୍ଧ ଭିତରେ ବାନ୍ଧି ରଖିବାକୁ ପ୍ରୟାସ କରୁଥିବା ବାବୁମାନେ ଆମକୁ ଆମ ବର୍ତ୍ତମାନଟା ବିଷୟରେ ଆଖି ବୁଜି ରହିବାକୁ ଅନୁରୂପ ନାନା ଫିକରରେ କେତେ କେତେ ତତ୍ତ୍ଵ ବାହାର କରୁଥିବେ । ସେମାନେ ଉପରେ ରହି ଏ ସବୁ କରୁଥିବେ ଏବଂ ସାହିତ୍ୟକୁ ଭାଡ଼ି ଉପରେ ବସାଇ ଘଣ୍ଟ ବଜାଉଥିବେ । ସାହିତ୍ୟ ତଳଯାଏ ଆସିଲେ ଯାଇ ମୁକ୍ତି ପାଇବ ଏବଂ ତଳଯାଏ ଆସି ଆହ୍ଵାନ ଗୁଡ଼ିକର ଯୋଗ୍ୟ ହେବାକୁ ମନ କଲେ ଯାଇ ସାହିତ୍ୟିକ ମଧ୍ୟ ମୁକ୍ତି ପାଇବ । ମୋଟେ ସଙ୍ଗା ଉପରେ ବସି ରହିବାକୁ ଇଚ୍ଛା କରିବ ନାହିଁ । ସିଏ କୁଣ୍ଠାଗୁଡ଼ିକୁ ବର୍ଜନ କରିବ, ସତକୁ ସତ ଦ୍ଵିଜ ହେବ ।

 

୦୫ । ୦୪ । ୧୯୯୯

Image

 

ଆଗାମୀ ହଜାରବର୍ଷ ପଥେ

 

ଭାରତବର୍ଷର ଇତିହାସରେ ସମ୍ଭବତଃ ଅଶୋକ ହେଉଛନ୍ତି ସର୍ବପ୍ରଥମ ସମ୍ରାଟ, ଯିଏକି ତାଙ୍କ ସମୟର ଏହି ଭୂଖଣ୍ଡଟିର ଏକ ବୃହତ୍ ଅଂଶ ଉପରେ ଚକ୍ରବର୍ତ୍ତୀ ଶାସକ ହୋଇପାରିଥିଲେ । ମୌର୍ଯ୍ୟ ସାମ୍ରାଜ୍ୟ ଆମ ଇତିହାସର ସର୍ବପ୍ରଥମ ସାମ୍ରାଜ୍ୟ, ଆମେ ଯାହାକୁ କି ଆମ ଏକାଳର ଅନ୍ଦାଜ ପକାଇ ମଧ୍ୟ ଏକ ବୃହତ୍ ସାମ୍ରାଜ୍ୟ ବୋଲି କହିପାରିବା । ସିଏ ଆମ କଳିଙ୍ଗକୁ ମଧ୍ୟ ଜୟ କରିଥିଲେ । ଆଶୋକଙ୍କ ଅନ୍ତେ କଳିଙ୍ଗରେ ସମ୍ରାଟ ଖାରବେଳ ଗଙ୍ଗାନଦୀ ଯାଏ ନିଜ ରାଜ୍ୟର ଗାରଟାକୁ ବିସ୍ତାରିତ କରି ନେଇଥିଲେ । ସିଏ ଜଣେ ମହାପ୍ରତାପଶାଳୀ ସମ୍ରାଟ ଥିଲେ । ବହୁ କୀର୍ତ୍ତି ଅର୍ଜନ କରିଥିଲେ । ସେହିପରି ଜଣେ ରାଜା କନିଷ୍କ ଏବଂ ଆଉ ଜଣେ ହେଉଛନ୍ତି ଉଜ୍ଜୟିନୀର ହର୍ଷବର୍ଦ୍ଧନ । ମୋଗଲ ଅମଳରେ ଆକବର । କେଡ଼େ କେଡ଼େ ସାମ୍ରାଜ୍ୟର ଅଧୀଶ୍ଵର ରୂପେ ଆପଣାକୁ ସଂସ୍ଥାପିତ କରିଥିଲେ ମଧ୍ୟ ସେମାନେ କେହି ଆଦୌ ବେଓକୁବ ନଥିଲେ, ମୋଟେ ମିଛଦମ୍ଭୀ ନଥିଲେ । ଏବଂ ତେଣୁ ସେମାନଙ୍କ ସମୟର ସାମ୍ରାଜ୍ୟଟା ହଜାରବର୍ଷ ପର୍ଯ୍ୟନ୍ତ ରହିବ ବୋଲି କହିବାକୁ ସେମାନେ କେବେହେଲେ ଚିନ୍ତା ବି କରିନଥିବେ । ଭାରତୀୟ ଜୀବନଦର୍ଶନଟି ମଧ୍ୟ ପରମ୍ପରାକ୍ରମେ ମଣିଷମାନଙ୍କୁ ଏପରି ତିଆରି କରି ଆଣିଛି ଯେ, ଏଠି ସେପରି ସାହସିଆ କାଥାମାନ କହିବାକୁ କେହି ମୋଟେ ଇଚ୍ଛା କରନ୍ତି ନାହିଁ ଏବଂ କରିନାହାନ୍ତି । ମୁଁ ଯିବି, ମୋର ସାମ୍ରାଜ୍ୟ ଯିବ, ତଥାପି ଭୂମିଟା ଏବଂ ପୃଥିବୀଟା ଅବଶ୍ୟ ରହିଥିବ, କିଞ୍ଚିତ୍ ବାସ୍ତବ ବିବେକ ରହିଥିବା ରାଜାମାନେ କେବଳ ଭାରତବର୍ଷରେ ନୁହେଁ, ସମଗ୍ର ପୃଥିବୀରେ ମଧ୍ୟ ଆବଶ୍ୟକ ବିନୟ ଅବଲମ୍ବନ କରିଛନ୍ତି ଓ ତେଣୁ ହାସ୍ୟାସ୍ପଦ ବି ହୋଇନାହାନ୍ତି ।

 

ଏବର ଇତିହାସରେ କେବଳ ଗୋଟିଏ ଘଟଣାରେ ହିଁ ଏହି ହାସ୍ୟାସ୍ପଦତାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ । ତାହା ହେଉଛି ଜର୍ମାନୀରେ ନାତ୍‍ସୀ ଶାସକ ହିଟ୍‍ଲର୍ ଅମଳରେ । ହିଟଲର ୧୯୩୩ ଖ୍ରୀଷ୍ଟାବ୍ଦରେ ଜର୍ମାନୀର ଶାସନକୁ ନିଜ ଦଳର କାବୁ ଭିତରକୁ ନେଇଯାଇଥିଲେ । ଗଣତନ୍ତ୍ର ବୋଲି ତଦାନୀନ୍ତନ ତାଙ୍କ ଦେଶରେ ଯେତେ ଯାହା ଉପାଦାନ ଏବଂ ସମ୍ଭାବନା ରହିଥିଲା, ସିଏ ତାକୁ ଗ୍ରାସକରି ନେଲେ ଓ ଏକଛତ୍ର ଅଧିପତି ବୋଲାଇଲେ । ଜର୍ମାନ ଭାଷାରେ ତାଙ୍କୁ ଭୟବଶ ପ୍ରଜାମାନେ Fuehrer ଏବଂ Verseher ବୋଲି କହିଲେ । ଅଧିକ ନିର୍ଭୁଲ ଭାବରେ କହିଲେ, ସେହିପରି କହିବା ନିମନ୍ତେ ଶାସକୀୟ ପ୍ରଚାର ଦ୍ଵାରା ବାଧ୍ୟ ଏବଂ ଅଭ୍ୟସ୍ତ ହେଲେ । ପ୍ରଥମ ଶବ୍ଦଟିର ଅର୍ଥ ହେଉଛି, ଯିଏ ବାଟ ଦେଖାଇ ନେଇଯାଏ । ଇଂରାଜୀରେ ଯାହାକୁ ଡିକ୍ଟେଟର ବୋଲି କୁହାଯାଏ ଏବଂ ଓଡ଼ିଆରେ ଆମେ ତାହାକୁ ମହାନାୟକ ବୋଲି କହିବା । ଦ୍ଵିତୀୟ ଶବ୍ଦଟିର ଅର୍ଥ ହେଉଛି ଦ୍ରଷ୍ଟା, ଯିଏ ଆଗକୁ କ’ଣ ସବୁ ଘଟିବାକୁ ଯାଉଛି, ତାହା ଦୃଢ଼ ଭାବରେ କହିଦେଇପାରେ । ହିଟ୍‍ଲର୍‍ ତାଙ୍କ ନିଜର ସ୍ଥାୟିତ୍ଵ ବିଷୟରେ ଏତେ ଅଧିକ ପରିମାଣରେ ସୁନିଶ୍ଚିତ ହୋଇଯାଇଥିଲେ ଯେ, ଏକଦା ଜର୍ମାନୀ ହିଁ ସମଗ୍ର ପୃଥିବୀଟାକୁ ଅଧିକାର କରିବ ବୋଲି ପୂରା ସମ୍ଭରେ କହିଦେଇ ପାରୁଥିଲେ । ବିଶ୍ଵ-ଜୟର ଅଭିଯାନଗୁଡ଼ିକରେ କାହାପରେ କିଏ ହାତକୁ ନିଆଯିବ, ତାଙ୍କର ନିର୍ଦ୍ଦେଶରେ ତାଙ୍କ ଶୁମ୍ଭ ଓ ନିଶୁମ୍ଭମାନେ ନକ୍ସା କାଟି ଯୋଜନା କରି ରଖିଥିଲେ । ଆଗ ୟୁରୋପ ଦଖଲ ହେବ, ତା’ପରେ ସାମରିକ ମୃଗୟାଟି ଇରାନ ବାଟେ ଭରତ ଯାଏ ଆସିବ, ଏହିପରି ଗଣିତର ଢଙ୍ଗରେ କରାଯାଇଥିବା ଏକ ସମ୍ପୂର୍ଣ୍ଣ ଯୋଜନା । ଠିକ୍ ଗୋଟିଏ କାହାଣୀ ପରି-। ଏହିପରି ଢୋଲା ଢୋଲା ଜାତୀୟତାବାଦୀ ସ୍ଵପ୍ନମାନ ଦେଖାଇ ହିଟ୍‍ଲର୍‍ ଜର୍ମାନୀର ମଣିଷମାନଙ୍କୁ ଅତ୍ୟନ୍ତ ପାଶବିକ ଭାବରେ ଭାବପ୍ରବଣ କରି ରଖିଥିଲେ ଏବଂ ଲୋକମାନେ ସେହି ମୋହରେ ପୂରା ଜୁଡ଼ୁବୁଡ଼ୁ ହୋଇ ହିଟ୍‍ଲର୍‍ଙ୍କୁ ଦ୍ରଷ୍ଟା, ମହାନେତା ଏବଂ ଯୁଗନ୍ଧର ବୋଲି ମାନି ନେଉଥିଲେ । କେଡ଼େ ଦର୍ପରେ ଆସୁଣୁ ଯାଉଣୁ ଦେଶର ସର୍ବୋଚ୍ଚ କର୍ତ୍ତା ରୂପେ ହିଟଲର Eine thausand jahrige Reichର ଏକ ଉନ୍ନତ ଘୋଷଣା ମଧ୍ୟ କରିବାରେ ଲାଗିଥିଲେ ।

 

ଜର୍ମାନ ଭାଷାରେ ରାଇଖ୍ ଶବ୍ଦଟିର ଅର୍ଥ ହେଉଛି ସାମ୍ରାଜ୍ୟ । ଜର୍ମାନ ବହୁସଂଖ୍ୟାକର ଉଲ୍ଲସିତ ସମର୍ଥନରେ ସେଇଟିକୁ ଯଥା ସମୟରେ କାର୍ଯ୍ୟରେ ପରିଣତ କରିବାର ପର୍ବଟିକୁ ମଧ୍ୟ ଆରମ୍ଭ କରି ଦିଆଯାଇଥିଲା । ୧୯୩୯ ମସିହାର ମଧ୍ୟଭାଗରେ ନାତ୍‍ସୀ ସୈନ୍ୟବାହିନୀ ପୋଲାଣ୍ଡ ଭିତରକୁ ମାଡ଼ି ଆସିଥିଲା ଓ ସେଇଥିରୁ ହିଁ ଦ୍ଵିତୀୟ ୟୁରୋପୀୟ ମହାଯୁଦ୍ଧ ଆରମ୍ଭ ବି ହେଲା । ପଶ୍ଚିମ ୟୁରୋପ ପରେ ରୁଷିଆ ଉପରେ ଆକ୍ରମଣ ହେଲା, ଭୂମଧ୍ୟ ସାଗର ଡେଇଁ ଆଫ୍ରିକାର ଉତ୍ତର ଭାଗଟିକୁ ଦଖଲ କରାଗଲା ଏବଂ ତୁରସ୍ମ ବାଟେ ଜର୍ମାନ ବାହିନୀ ଇରାନ ପର୍ଯ୍ୟନ୍ତ ମାଡ଼ି ବି ଆସିଥିଲା । ଇରାନ ଡେଇଁଥିଲେ ସେମାନେ ଭାରତବର୍ଷରେ ଆସି ପ୍ରବିଷ୍ଟ ହୋଇଥାଆନ୍ତେ । ମାତ୍ର, ଏକ ବେଳ ଆସିଲା, ଯେତେବେଳେ କି ଯୁଦ୍ଧର ଭାଗ୍ୟ ଲେଉଟିବାକୁ ଆରମ୍ଭ କଲା । ସର୍ବପ୍ରଥମେ ରୁଷିଆରେ ସେହି ପ୍ରକ୍ରିୟାଟି ଆରମ୍ଭ ହେଲା । କ୍ରମେ ସକଳ ରଣାଙ୍ଗନରେ ମଧ୍ୟ ପରାଜୟ ଘଟିଲା । ଏଣୁ ଜାପାନ ଓ ତେଣୁ ଜର୍ମାନୀ ଦୁଇ ବାହିନୀ ଯେ ଭାରତର ଭୂମିକୁ ଆସି ବିଜୟୀ ଭାବେ ହାତ ମିଳାଇଥାନ୍ତେ, ତାହା ଆଉ ଘଟିଲା ନାହିଁ । ଭାରତୀୟ ବକ୍ରୋକ୍ତି ଲଗାଇ କୁହାଯାଇ ପାରିବ ଯେ, ବିଧାତା ତାହା କରାଇ ଦେଲାନାହିଁ । ୧୯୪୫ ମସିହାରେ ଜର୍ମାନୀ ପକ୍ଷ ହାରିଲା । ବର୍ଲିନର ଗୋଟାଏ ଗାତରେ ଆତ୍ମଗୋପନ କରି ରହୁଥିବା ସମୟରେ ହିଟ୍‍ଲର୍‍ ଆତ୍ମହତ୍ୟା କଲେ । ହଜାର ବର୍ଷ ସାମ୍ରାଜ୍ୟର ସ୍ଵପ୍ନ ଛାରଖାର ହୋଇଗଲା । ମାତ୍ର ବାରଟା ବର୍ଷରେ ସବୁ ଦର୍ପ ଚୂନା ହୋଇଗଲା ।

 

ଗ୍ରୀକ୍ ସମ୍ରାଟ ସିକନ୍ଦର ଏକଦା ପୃଥିବୀ ବିଜୟର ମେଗାସ୍ଵପ୍ନ ଦେଖି ଘରୁ ବାହାରିଥିଲେ-। ମିଶର ଓ ପାରସ୍ୟ ଜୟକରି ଭାରତର ଗୋଟିଏ ମାତ୍ର କୋଣରେ ଆସି ପାଦ ଦେଉ ଦେଉ ତାଙ୍କୁ ବାହୁଡ଼ିବାକୁ ପଡ଼ିଥିଲା ଓ ଫେରିବା ବାଟରେ ହିଁ ତାଙ୍କର କୌଣସି ଅଧସ୍ତନ ତାଙ୍କୁ ହତ୍ୟା କରି ପୃଥିବୀରୁ ବିଦା କରି ଦେଇଥିଲା । ଏହିସବୁ ପୂର୍ବ ଉଦାହରଣ ଥାଉ ଥାଉ ଭାରତବର୍ଷର ପ୍ରାଧାନମନ୍ତ୍ରୀ ତଥାପି ସହସ୍ର ବର୍ଷର ସ୍ଵପ୍ନ ଦେଖୁଛନ୍ତି କାହିଁକି କେଜାଣି ? ଏକଥା ସତ ଯେ କାଳଗଣନାର ହିସାବ ଅନୁସାରେ ସମଗ୍ର ପୃଥିବୀ ସହିତ ଭାରତବର୍ଷରେ ଆମେ ମଧ୍ୟ ଗୋଟିଏ ସହସ୍ରାବ୍ଦୀର ପହିକୁ ପାର ହୋଇ ଆଉ ଗୋଟିଏ ସହସ୍ରାବ୍ଦୀରେ ଯାଇ ପ୍ରବେଶ କରିଛୁ । ଏହି ସହସ୍ରାବ୍ଦୀରେ ଭାରତରେ କ’ଣ ସବୁ ଘଟିବ ? ଆଗାମୀ ଶତାବ୍ଦୀରେ ମଣିଷମାନେ ପ୍ରକୃତରେ କେଉଁସବୁ ସ୍ଵପ୍ନ ଦେଖିବେ ? ଏ କାଳରେ ଦେଶ ନାମକ ଏକ ଭୂମିକୁ ନିଠ କରି ଶାସକମାନେ ଓ ସମୂହମାନେ ଯେଉଁସବୁ ଶକ୍ତି-ପ୍ରସାରଣର କଳ୍ପନା ସବୁ କରିଆସିଲେ, ପୃଥିବୀରେ ଯୁଦ୍ଧ ଭିଆଇଲେ, ମାରଣାସ୍ତ୍ର ଦ୍ଵାରା ମଣିଷ ମାରିଲେ, ସେହିସବୁ ରୀତିକୁ ଆଗାମୀ ମଣିଷ ଯେ ତଥାପି ଆଚରଣ କରିବ ଓ ସେହିପରି ପୁରୁଣା ହୋଇ ରହିବ, ସେକଥା ଏହି ଅଳ୍ପଆଖି ଆସୀନମାନେ କିପରି କେଉଁ ନିର୍ଭର ଦେଇ କହିପାରିବେ ? ମଣିଷ ରାଜି ହେଉଥିଲା ପର୍ଯ୍ୟନ୍ତ ସିନା ଇତିହାସର ପୁନରାବୃତ୍ତି ଭଳି କିଛି ହେଉଥିବ ଓ ସେହି ପୁରାତନ ଶିରଃବ୍ୟଥାଗୁଡ଼ିକ ପୃଥିବୀର ଗୋଟିଏ ଗୋଟିଏ ସମସ୍ୟା ହୋଇ ପୃଥିବୀକୁ ଅଟକାଇ ରଖିଥିବ, ମାତ୍ର ଅନ୍ଦାଜମାନଙ୍କୁ ଅନ୍ୟ ପ୍ରକାରେ ଓଳମ ପକାଇ ଦେଖିବାକୁ ମନକଲେ ଆମ ପୃଥିବୀଟା ଯେ ଅନ୍ୟ ବିଧି ଓ ଅନ୍ୟ ଧାରାରେ ଚାଲିବାକୁ ଆରମ୍ଭ କରିବ, ସେକଥାକୁ ବର୍ତ୍ତମାନର ଶାସକମାନେ କିପରି ଏଡ଼ିଦେଇ ପାରିବେ ?

 

ତେଣୁ ଆଗାମୀ ସହସ୍ର ବର୍ଷର ପଥରେ ସମଗ୍ର ପୃଥିବୀ ପରି ଭାରତବର୍ଷରେ ମଧ୍ୟ କେତେ କେତେ ଅଭାବନୀୟ ଆବଶ୍ୟକତାମାନ ଆସିବ ଓ ରାଷ୍ଟ୍ରୀୟତାର ସଂଜ୍ଞାଗୁଡ଼ାକୁ ବି ବଦଳାଇ ଦେବ । ଆଗେ ତ ରାଜାମାନଙ୍କୁ ସ୍ଵୟଂ ନାରାୟଣଙ୍କର ମର୍ତ୍ତ୍ୟସଂସ୍କରଣ ବୋଲି କୁହାଯାଉଥିଲା, ରାଜା ଅନୁସାରେ ହିଁ ପ୍ରଜା ଅଲବତ ବାଟ ଚାଲିବ ବୋଲି ପଣ୍ଡିତମାନେ ଶାସ୍ତ୍ର ଲେଖି ଫତୁଆ ମାରି ଦେଉଥିଲେ । ଖାଲି ମର୍ତ୍ତ୍ୟରେ ନୁହେଁ, କଳ୍ପନାରେ ଏବଂ ଶୃଙ୍ଖଳାରେ ସମତା ରକ୍ଷା କରିବା ନିମନ୍ତେ ସେତେବେଳେ ସ୍ୱର୍ଗରେ ମଧ୍ୟ ଜଣେ ରାଜା ଥିଲେ ଏବଂ ଦେବତାମାନେ ମଧ୍ୟ ଉଚ୍ଚ ନୀଚ ମର୍ଯ୍ୟାଦାରେ ଥାକ ଥାକ ହୋଇ ରହିଥିଲେ । ପୃଥିବୀଟାକୁ ନଶ୍ଵର ବୋଲି କହି ବର୍ତ୍ତମାନଟାକୁ ପୂରା ଭୁତାଇ ଦିଆଯାଉଥିଲା । ମଣିଷମାନେ ଶୂକରବତ୍ ପୋଷ ମାନି ରହୁଥିଲେ । ସାକ୍ରେଟିସ୍‍ମାନେ ବିଷପାନ କରୁଥିଲେ । ଉପର ତଳକୁ ଦୟା ପ୍ରଦର୍ଶନ କରୁଥିଲା; ଉପର ଓ ତଳ ଉଭୟେ ମୁଖ୍ୟତଃ ନିଜର ଭାଗ୍ୟ ଅନୁସାରେ ଅନୁରୂପ ଖୋପମାନଙ୍କରେ ଆୟତ୍ତ ହୋଇ ରହୁଥିଲେ । ତଥାପି ସେଇ ମଣିଷମାନଙ୍କ ଭିତରେ କେଉଁଠି କ’ଣ ନିଆଁଟିଏ ରହିଥିଲା କେଜାଣି, ଉଚିତ କାଳଟି ଆସି ପହଞ୍ଚିବା ମାତ୍ରକେ ସେହି ପୁରୁଣା ଗଢ଼ଣଗୁଡ଼ାକ ଭୁଷୁଡ଼ି ପଡ଼ିଲା । ବିପ୍ଲବ ହେଲା; ରାଜତନ୍ତ୍ର ଗଲା ଓ ଗଣତନ୍ତ୍ର ଆସିଲା । କେବଳ ଥୋକେ ନୁହନ୍ତି, ମଣିଷ ହିସାବରେ ସମସ୍ତେ ଗଣାହେଲେ । ଶିକ୍ଷା, ଶାସନ, ଅଧିକାର ଏବଂ କର୍ତ୍ତବ୍ୟ ପ୍ରଭୃତି ଶବ୍ଦର ଗୁଣାତ୍ମକ ପରିମିତି ଗୁଡ଼ିକ ମଧ୍ୟ ବଦଳିଗଲା । ଆଧୁନିକ ବିଜ୍ଞାନର ଦୃଷ୍ଟି ଲୋକତନ୍ତ୍ରକୁ ଅଧିକ ଗତି ଆଣିଦେଲା ଏବଂ ଲୋକତାନ୍ତ୍ରିକ ଶାସନ ମଧ୍ୟ ବିଜ୍ଞାନକୁ ଅଧିକରୁ ଅଧିକ ଅନୁକୂଳତା ଯୋଗାଇଲା, ତାହାକୁ କଲ୍ୟାଣମୁଖୀ କରାଇଲା ।

 

ପୃଥିବୀଯାକର ସେହି ହାୱାଟାକୁ ଦେଖି ହିଁ ଭାରତବର୍ଷ ଗଣତନ୍ତ୍ରକୁ ନିଜର ମାର୍ଗଧର୍ମ ହିସାବରେ ବାଛିନେଲା । ଇଂରେଜମାନେ ଏକଦା ଭାରତବର୍ଷକୁ ରାଜାମାନଙ୍କଠାରୁ ସିନା ନେଇଥିଲେ, ମାତ୍ର ଗଲାବେଳେ ତାହାକୁ ଭାରତବର୍ଷର ଲୋକମାନଙ୍କ ହାତରେ ଛାଡ଼ି ଦେଇଗଲେ-। ଭାରତର ଅଦ୍ୟତମ ଇତିହାସରେ ଆମେ ଏକାଧିକ ତଉଲରେ ପକାଇ ଏହାକୁ ହିଁ ହୁଏତ ଏକ ସବାବଡ଼ ପ୍ରଳୟକାରୀ ଏବଂ ପରିବର୍ତ୍ତନକାରୀ ଘଟଣା ବୋଲି କହି ପାରିବା । ହୁଏତ ସେଇଥିରୁ ହିଁ ଆଗକୁ ଯିବା ଲାଗି ସବୁଠାରୁ ଅଧିକ ବଳ ଲାଭ କରିବା । ତଥାପି ସାମନ୍ତବାଦର ଜଙ୍ଗଲ ମଧ୍ୟରୁ ଲୋକତନ୍ତ୍ରର ବ୍ୟାପ୍ତି ଭିତରକୁ ଆସିପାରିବା ଯେ ଆଦୌ ସହଜ କଥା ନୁହେଁ, ସ୍ଵାଧୀନ ଭାରତବର୍ଷର ପ୍ରଥମ ପଚାଶବର୍ଷର ଅବଧିଟିରେ ତାହା ପ୍ରମାଣିତ ହୋଇଗଲା । ଏହି ଆହ୍ଵାନଟିର ସମ୍ମୁଖୀନ ହେବା ପାଇଁ ଇଉରୋପ ପରି ଭାରତବର୍ଷରେ ମଧ୍ୟ ଜାତୀୟତାବାଦକୁ ଏକ ମଧ୍ୟବର୍ତ୍ତୀ ସୋପାନାଦର୍ଶ ରୂପେ ସିନା ବ୍ୟବହାର କରାଗଲା, ମାତ୍ର ବର୍ତ୍ତମାନ ଯାହା ଜଣାପଡ଼ୁଛି, ଏହି ମଝି ବାଟଟାକୁ ମଧ୍ୟ ପ୍ରଧାନତଃ ସାମନ୍ତମାନେ ହିଁ ହଡ଼ପ କରିନେଲେ । ଗଣତନ୍ତ୍ର ନାମକ ଶାସନ ସାଆନ୍ତମାନଙ୍କର ସିଆଣିଆପଣର ଶିକାର ହୋଇ ଲୋକତନ୍ତ୍ରର ପରିମଳଟିକୁ ଭାରି ପ୍ରଦୂଷିତ କରି ରଖିଲା । ଏବଂ ଏବେ ମଧ୍ୟ ଦେଶରେ ପ୍ରାୟ ସେଇ କ୍ରୋଡ଼ଅଙ୍କଟି ହିଁ ଅଭିନୀତ ହେବାର ଲାଗିଛି । ତେଣୁ, ଯେଉଁମାନେ ଆମ ଶାସନର ଉଚ୍ଚତମ ଥାନମାନଙ୍କରେ ଅଛନ୍ତି, ସେମାନେ ଭାରତବର୍ଷକୁ ନେଇ ଆଗାମୀ ହଜାର ବର୍ଷର ବାରତା ଦେବାକୁ ଇଚ୍ଛା କଲାବେଳେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ମନକୁ ନାନା ପାପ ଆସି ଛୁଇଁଯାଉଛି । ସତ ଗଣତନ୍ତ୍ରର ପ୍ରତିଷ୍ଠା ନିମନ୍ତେ ଏମାନେ ସମସ୍ତେ ଅବଶ୍ୟ ବିଦା ହୋଇ ଯିବେ, ତକ୍ଷକ ସମତେ ଇନ୍ଦ୍ରମାନେ ମଧ୍ୟ ଆସନ୍ନପ୍ରାୟ କାଳମେଧ ଯଜ୍ଞଟି ଭିତରେ ଆସି ଆହୁରି ପଡ଼ିବେ ।

 

ଜାତୀୟତାର ପର୍ଯ୍ୟାୟଟି ଇଉରୋପରେ ସାମ୍ରାଜ୍ୟ ବିସ୍ତାର ଏବଂ ପୃଥ୍ଵୀଶୋଷଣ ନିମନ୍ତେ ବହୁ ଅମାନୁଷିକତା ଯୋଗାଇ ଦେଇଥିଲେ ମଧ୍ୟ ସମ୍ପୃକ୍ତ ଅନ୍ତତଃ କେତୋଟି ଦେଶରେ ତାହା ଲୋକ-ଉଦୟ ଏବଂ ଲୋକ-ଶାସନକୁ ବିବର୍ତ୍ତିତ କରାଇ ଆଣିବାରେ ଏକ ମହତ୍ତ୍ୱପୂର୍ଣ୍ଣ ମଧ୍ୟନିମିତ୍ତ ରୂପେ ଅବଶ୍ୟ କାର୍ଯ୍ୟ କରିଛି । ତୃତୀୟ ବିଶ୍ଵରେ ଅନୁକୂଳ ଭିତ୍ତିଭୂମି ଗୁଡ଼ିକୁ ନପାଇ ତାହା ସାମନ୍ତମାନଙ୍କ ହାତରେ କ୍ରୀଡ଼ନକ ପରି ହୋଇ ରହିଛି । ଜାତୀୟ ମୋହାଚ୍ଛନ୍ନତାରେ ଆମକୁ ଅବଶ କରି ରଖିବାରେ ସାମନ୍ତବର୍ଗ ଆମକୁ ଅତୀତ ନାମକ ଏକ ମିଛ ପ୍ରୀତି ଭିତରେ ନେଇ ପୂରାଇ ଦେଇଛନ୍ତି ଏବଂ ଏକ ଅନ୍ୟ ଭବିଷ୍ୟର ନିର୍ମାଣ ଲାଗି ଉପଯୁକ୍ତ ଉଦ୍ୟମର ଆହ୍ଵାନରୁ ଆମକୁ ସତେଅବା ଛିନ୍ନ କରି ରଖିଛନ୍ତି । ସ୍ୱାଧିନତାର ପ୍ରଥମ ପଚାଶ ବର୍ଷରେ ସାଧୁତାର ସହିତ ସବୁ ପିଲାଙ୍କୁ ବିଦ୍ୟାଳୟକୁ ଅଣାଯାଇଥାନ୍ତା, ଶିକ୍ଷାକୁ ଆମ ସାମାଜିକ ଦୂରତାର ଯାବତୀୟ ମଳିରୁ ମୁକ୍ତ ରଖାଯାଇ ଥାଆନ୍ତା । ଚାଷୀ ନିଜର ଜମିକୁ ଚାଷ କରିଥାନ୍ତା, ପ୍ରତ୍ୟେକ ମଣିଷ ବାସ କରିବାକୁ ଘରଡ଼ିହ ପାଇଥାନ୍ତେ । ଭଗବାନଙ୍କର ମନ୍ଦିରଗୁଡ଼ିକୁ ମଣିଷମାତ୍ରକେ ସମସ୍ତଙ୍କର ଉପାସନା ଲାଗି ମୁକ୍ତ କରି ଦିଆଯାଇ ଥାଆନ୍ତା । ଲୋକବଳ ଅଧିକ ସଚେତନ ହେବା ସଙ୍ଗେ ସଙ୍ଗେ ପୁରୁଣା ଫିସାଦରେ ଚାଲୁଥିବା ଶାସନକଳଟା ବାଟ ଛାଡ଼ି ଦେଉଥାନ୍ତା, ଜନଗଣ ଅର୍ଥାତ୍ ଦେଶକୁ ଠକିଲେ ହାକିମ, ଅମଲା, ଶିକ୍ଷକ ଏବଂ ଅନ୍ୟ ପଦସ୍ଥମାନଙ୍କୁ ଲାଜ ମାଡ଼ୁଥାନ୍ତା ଓ ସମୁଚିତ ଶାସ୍ତି ମିଳୁଥାନ୍ତା-। ସେସବୁ ସେପରି କିଛି ହେଲା ନାହିଁ ତ । ପାଲାବାଲାମାନେ ମୁଥକୁ ମୁଥ ବଦଳିଲେ ସିନା, ମାତ୍ର ସବୁଯାକ ଶିରିଣି ସେହି ପୁରୁଣା ପୀରଙ୍କର ନ୍ୟାୟ ଅନୁସାରେ ସେହି ଉପରବାଲାଙ୍କର ଭୁଞ୍ଜିବା ନିମନ୍ତେ ତେଣେ ଅଟକି ରହିଲା ଓ କୋଟି କୋଟି ମଣିଷ ଭକୁଆ ହୋଇଗଲେ । ଦେଶଟାକୁ ଭୋଗ କରିବା ସକାଶେ ସେହି ପୁରୁଣା ଶାର୍ଦ୍ଦୁଳମାନେ ଏବେ ମଧ୍ୟ ଧରାପରା ଲଗାଇଛନ୍ତି-। କାମୁଡ଼ା କାମୁଡ଼ି ହେଉଛନ୍ତି । ବଡ଼ମାନଙ୍କର ଏହି ବିଚିତ୍ର ପ୍ରଦର୍ଶନଗୁଡ଼ାକୁ ଦେଖି ସାନମାନେ, ତଳମାନେ ମଧ୍ୟ ଅଧୀର ହୋଇ ଉଠିଲେଣି । ଏକାବେଳେକେ ଏକ ଅନ୍ୟ ଭାରତବର୍ଷ ନିମନ୍ତେ ଚିନ୍ତା କଲେଣି । ସେମାନେ ବହୁ ଶୁଭ-ସମ୍ଭାବନାର ସନ୍ତକ ହୋଇ ବାହାରିଲେଣି ।

 

ତେଣୁ, ଆମ ପ୍ରଧାନମନ୍ତ୍ରୀ ସେଇ ଗନ୍ଧିଆ ଏବଂ ପୁରୁଣା ଘ୍ରାଣଗୁଡ଼ାକର ବଶବର୍ତ୍ତୀ ହୋଇ ଆମକୁ ମୋଟେ ଆଗାମୀ ହଜାର ବର୍ଷ ବିଷୟରେ କିଛି ନକହନ୍ତୁ । ସିଏ ଆମକୁ ଆଗାମୀ ପାଞ୍ଚ ବା ଦଶବର୍ଷ ବିଷୟରେ କହନ୍ତୁ । ଦେଶର ପୁନର୍ଗଠନ ଏବଂ ଅଗ୍ରଗତିରେ Watchdogର କାର୍ଯ୍ୟ କରିବା ହେଉଛି ଯେକୌଣସି ଯୋଗ୍ୟ ଓ ଦକ୍ଷ ସରକାରର ଅସଲ କର୍ତ୍ତବ୍ୟ । ବିଗତ ପଚାଶ ବର୍ଷ ଭାରତବର୍ଷର ସରକାରୀ ମହକୁମାମାନେ ଖାସ୍ ସେହି କାର୍ଯ୍ୟଟି ବିଷୟରେ ହିଁ ଚରମ ଅବହେଳା ଓ ଅବଜ୍ଞା ଦେଖାଇ ଆସିଛନ୍ତି । ଯେଉଁମାନେ ଆମ ଘରକୁ ଜଗିବା କଥା, ସେହିମାନେ ହିଁ ଘରଟିକୁ ଲୁଟିନେବାରେ ହିଁ ଅଧିକ ଉତ୍ସାହ ଦେଖାଇଛନ୍ତି । ସାଧାରଣ ମଣିଷର ବିଶ୍ଵାସକୁ ଭାଙ୍ଗି ଦେଇଛନ୍ତି, ଯାବତୀୟ ନବନିର୍ମାଣରେ ସେମାନଙ୍କର ସହଯୋଗ ହରାଇ ଆସିଛନ୍ତି । ତେଣୁ, ଯେଉଁ ସର୍ବନିମ୍ନ କଥା ଗୁଡ଼ିକ ସବାଆଗ ସମ୍ଭବ ହେବାକୁ ରହିଥିଲା, ତାହା ଏବେ ମଧ୍ୟ ଆଲୋଡ଼ା ହୋଇ ରହିଛି । ବଡ଼ ମାଛମାନେ ସାନ ମାଛ ମାନଙ୍କୁ ଖାଇ ଯାଉଛନ୍ତି । ଜାତୀୟତାବୋଧ ବିଷୟରେ ପହିଲିମାନମାନେ ଉପଦେଶ ଦେଉଛନ୍ତି, ମାତ୍ର ଅଧିକରୁ ଅଧିକ ମଣିଷଙ୍କୁ ସେମାନଙ୍କର ସର୍ବମୂଳ ଅଧିକାରଗୁଡ଼ିକରୁ ବଞ୍ଚିତ କରି ରଖାଯାଇଛି । ସରକାରମାନେ ଧର୍ମତଃ ଅଳ୍ପସଂଖ୍ୟକମାନଙ୍କର ଓ ଶୋଷକମାନଙ୍କର ପକ୍ଷରେ ରହିଛନ୍ତି । ସାମନ୍ତବାଦୀ ଚଲାଖିଗୁଡ଼ାକ ଜାତୀୟ ଭାଗ୍ୟର ଅସଲ ବିଶ୍ଵାସସ୍ତମ୍ଭ ଗୁଡ଼ିକୁ ଭୁଷୁଡ଼ାଇ ପକାଇବାରେ ଲାଗିଛି । ତେଣୁ, ଆଗାମୀ ପାଞ୍ଚବର୍ଷରେ ଅଥବା ଦଶବର୍ଷରେ ସରକାର ପ୍ରକୃତରେ ଯେତିକି କରିପାରିବେ, ପ୍ରଧାନମନ୍ତ୍ରୀ ସେତିକିର ସମାଚାର ଆମକୁ ଦିଅନ୍ତୁ ଓ ସେତିକି କରିବା ନିମନ୍ତେ ସମର୍ଥ ମଧ୍ୟ ହୁଅନ୍ତୁ । ତେବେ ଯାଇ ଲୋକତନ୍ତ୍ର ବିଷୟରେ ସରକାର ପ୍ରକୃତରେ ଭାବୁଛନ୍ତି ବୋଲି ଲୋକମାନଙ୍କର ପ୍ରତ୍ୟୟ ଆସିବ । ଏବଂ ସକଳ କ୍ଷେତ୍ରରେ, ଯେକୌଣସି ଦେଶରେ ସେହି ପ୍ରତ୍ୟୟଟି ଉପରେ ହିଁ ଅସଲ ଲୋକତନ୍ତ୍ର ନ୍ୟାୟତଃ ନିର୍ଭର କରିଥାଏ ।

 

ଯୁକ୍ତରାଜ୍ୟ ଆମେରିକାରେ ସଭାପତି କେନେଡ଼ି ଥରେ କହିଥିଲେ ଯେ, ଆମେ ସମସ୍ତେ ଦିନେ ଅବଶ୍ୟ ମରିବା ବୋଲି ପୃଥିବୀର ରାଷ୍ଟ୍ରନାୟକମାନେ ଭଲ କରି ଜାଣି ରଖିଥିବା ଉଚିତ । ଦେଶର ଲୋକମାନେ ସେମାନଙ୍କୁ ମାତ୍ର ପାଞ୍ଚବର୍ଷ ପାଇଁ ଗାଦୀରେ ବସିବାଲାଗି ବାଛିଥାନ୍ତି ଏବଂ ସେହି ପାଞ୍ଚବର୍ଷ ଭିତରେ ହିଁ ସେମାନେ ଯେ ସେହି ଆସନର ଯୋଗ୍ୟ, ତାହାର କ୍ରିୟାନ୍ଵିତ ପ୍ରମାଣ ଦେଇପାରିବା ଉଚିତ । ସମ୍ଭବତଃ ଏହି ମୂଳ ବିଶ୍ଵାସ ଓ ନିର୍ଭରଟିର କ୍ଷେତ୍ରରେ ଆଯୋଗ୍ୟ ଓ ଅନିଚ୍ଛୁକ ହୋଇ ରହିଥିଲେ ଆସନସ୍ଥ ଚିଲମାନେ ଆମକୁ ହଜାରବର୍ଷ ବିଷୟରେ କହନ୍ତି । ସେମାନେ ଆମକୁ ଅନ୍ୟମନସ୍କ କରିବାକୁ ଚେଷ୍ଟା କରନ୍ତି । ଅନେକ ସମୟରେ ଜାଣିଶୁଣି ସେଭଳି କରନ୍ତି । କ୍ଷମତାର ଅଠା ଭିତରେ ବାନ୍ଧି ହୋଇଯାଇ ସେମାନେ ନିଜକୁ ଅଜର ଓ ଅମର ବୋଲି ଧରି ନିଅନ୍ତି ଏବଂ ହଜାରବର୍ଷ ଲଗାଏତ ସେହିମାନେ ହିଁ ମଙ୍ଗଟା ଉପରେ ଅଲବତ ବସିଥିବେ ବୋଲି ଦମ୍ଭସ୍ଵପ୍ନ ଦେଖୁଥାନ୍ତି । ଆମ ବଡ଼ମାନେ ପ୍ରକୃତିସ୍ଥ ହୁଅନ୍ତୁ । ନିଜ ସୀମାକୁ ଜାଣନ୍ତୁ ଏବଂ ହଜାର ବର୍ଷ ଯାଏ ଦେଶଟା ସେହିମାନଙ୍କର ହେପାଜତରେ ରହିବ ବୋଲି ଅନ୍ୟାୟ ମନ୍ଦସ୍ଵପ୍ନମାନ ମୋଟେ ନଦେଖନ୍ତୁ । ଆଉ ଦଶବର୍ଷ ପରେ ମଧ୍ୟ ହୁଏତ ଏମାନେ ନଥିବେ । ଦେଶ ଥିବ । ଲୋକଶକ୍ତି ଆହୁରି ଅଧିକ ପାକଳ ଏବଂ ଆହୁରି ଅଧିକ ଜାଗରୁକ ମଧ୍ୟ ହୋଇ ଯାଇଥିବ । ଲୋକମାନେ ସେତେବେଳେ ନୂଆ ନେତୃତ୍ଵ ଖୋଜିବେ । ଏହିପରି ନେତୃତ୍ଵ ପରେ ନେତୃତ୍ଵର କାନ୍ଧ ଉପରେ ଗୋଡ଼ ରଖି ଲୋକଆକାଂକ୍ଷା ଅଗ୍ରସର ହୋଇ ଯାଉଥିବ । ଏବଂ ଦିନ ସରିଯାଇଥିବା ନେତୃତ୍ଵଗୁଡ଼ିକ ପଛରେ ପଡ଼ି ରହୁଥିବେ । ସିକନ୍ଦର, ଅଶୋକ ବା ଖାରବେଳମାନେ ଆଉ କଦାପି ଲେଉଟି ଆସିବେ ନାହିଁ । ସାନନ୍ତବାଦ ପଛରେ ରହିଯିବ । ପ୍ରତିରୋଧ କରିବାକୁ ମନ କଲେ ହୁଏତ ସ୍ଵୟଂ ଠୋ’ କରି ଫାଟିଯିବ । ତେଣୁ, ପାଞ୍ଚବର୍ଷ ପାଇଁ ନିଜକୁ ଅଯୋଗ୍ୟ ବୋଲି ଭାବୁଛନ୍ତି ବୋଲି ଯେଉଁମାନେ ଆଗାମୀ ହଜାରବର୍ଷର କଥା ଆମକୁ କହୁଛନ୍ତି, ସେମାନେ ଅତ୍ୟନ୍ତ ଅଭିସନ୍ଧିମୂଳକ ଭାବରେ ତାହା କରୁଛନ୍ତି । ଏଣିକି ସେଇଟା ମଧ୍ୟ ଧରା ପଡ଼ିଯିବ ଏବଂ ଅସାଧୁମାନଙ୍କୁ ଲୋକେ ଅସାଧୁ ବୋଲି କହିବାକୁ ଆରମ୍ଭ କରିବେ । ଯଦି ଆମେ ଆଗାମୀ ପାଞ୍ଚବର୍ଷ ଲାଗି ଦାୟିତ୍ଵପୂର୍ଣ୍ଣ ଭାବରେ ଏହି ଦେଶରେ ଏକାନ୍ତ କରଣୀୟ ଗୁଡ଼ିକୁ କରିପାରିବା, ତେବେ ତାହାହିଁ ଯେ ଆଗକୁ ଆସୁଥିବା ଆହୁରି ଅନେକ ପାଞ୍ଚବର୍ଷ ଲାଗି ବାଟ ଫିଟାଇଦେବ, ଲୋକମାନେ ତାହା ଖୁବ୍ ଭଲ ଭାବରେ ଜାଣି ସାରିଲେଣି ।

 

୧୨ । ୦୪ । ୧୯୯୯

Image

 

Unknown

ସଂଗ୍ରାମ ବ୍ୟର୍ଥ ହୋଇନାହିଁ

 

ସେଦିନ ଜଣେ ସଂଗ୍ରାମୀଙ୍କୁ ତାଙ୍କର ଅଶୀ ନା ପଞ୍ଚାଅଶୀ ବର୍ଷ ବୟସ ପୂର୍ଣ୍ଣ କରିଥିବା ଅବସରରେ ଅଭିନନ୍ଦନ ଦିଆଯାଉଥିଲା । ଭାରତବର୍ଷର ସଂଗ୍ରାମୀମାନଙ୍କ ପାଖରେ ଭାରତବର୍ଷ ସବୁଦିନ ସକାଶେ ଋଣୀ ରହିବ । ସଂଗ୍ରାମୀମାନେ ହିଁ ସଂଗ୍ରାମ କରି ଭାରତବର୍ଷକୁ ବିଦେଶୀଙ୍କ ଶାସନ ତଥା ଶୋଷଣରୁ ମୁକ୍ତ କରିଥିଲେ । ସେମାନେ ଏକ ଅଭିନବ ସଂଗ୍ରାମରେ ଯୋଗଦେଇ ସମଗ୍ର ପୃଥିବୀକୁ ଆଚମ୍ବିତ କରି ଦେଲାଭଳି ଏକ ମାର୍ଗରେ ଦେଶକୁ ସ୍ଵାଧୀନ କରିଥିଲେ । ସେହି ମାର୍ଗ ସମସ୍ତ ମନୁଷ୍ୟଜାତିକୁ ସତେଅବା ଏପରି ଗୋଟିଏ ଏକାବେଳେକେ ଅନ୍ୟ ପ୍ରକାରର ସମର-କୌଶଳ ଶିଖାଇଦେଇ ଯାଇଛି, ଆମେ ଏହି ପୃଥିବୀର ସମ୍ଭାବନାଗୁଡ଼ିକୁ ଆଖିଆଗରେ ରଖି ଆଗକୁ ଆଗକୁ ଯାଉଥିବା ସମୟରେ ଯାହାର କି ଅଧିକରୁ ଅଧିକ ଉପାଦେୟତା ହୃଦୟଙ୍ଗମ ହେବାରେ ଲାଗିଛି । ପୁରୁଣା କୌଶଳଗୁଡ଼ାକ ଆଗାମୀ ପୃଥିବୀର ଯଥାର୍ଥ ପ୍ରତିଷ୍ଠା ନିମନ୍ତେ ସତେଅବା ଆଉ ଖୁବ୍ ବେଶୀ କାମ ଦେବ ନାହିଁ ବୋଲି କ୍ରମଶଃ ଅଧିକ ସ୍ପଷ୍ଟ ହୋଇଯାଉଛି ।

 

ସେଦିନ ବକ୍ତାମାନଙ୍କର ଭାଷଣରେ ବିଭିନ୍ନ ଦିଗରୁ କେତେ କେତେ କଥା କୁହାଗଲା । ସବା ଶେଷରେ ସଂଗ୍ରାମୀ ମହୋଦୟ ସ୍ଵୟଂ ଅଭିନନ୍ଦନ ଗୁଡ଼ିକର ଉତ୍ତର ଦେଲେ । ଭାରି ନୈରାଶ୍ୟପୂର୍ଣ୍ଣ ଭାବରେ କହିଲେ ଯେ, ଏହି ଦେଶରେ ଏକଦା ଲଢ଼ା ଯାଇଥିବା ସଂଗ୍ରାମ ବ୍ୟର୍ଥ ହୋଇଯାଇଛି । ଏବେ ଆମ ଦେଶର ମାହାଲଗୁଡ଼ାକୁ ଆମେ ହୁଏତ ଏପରି ଏକ ଦୟନୀୟ ଅବସ୍ଥା ଭିତରେ ଆଣି ପହଞ୍ଚାଇଛୁ ଯେ, ସତେଅବା ନିରାଶିଆ କଥାଗୁଡ଼ିକୁ କହିବ ମାତ୍ରକେ ଆମକୁ କେଜାଣି କାହିଁକି କିଞ୍ଚିତ ଭଲ ବି ଲାଗୁଛି । ଶୁଣିବା ମଣିଷମାନେ ତ ସେହିଗୁଡ଼ିକୁ ଶୁଣି କେଡ଼େ ଉତ୍ସାହରେ କରତାଳି ବି ଦେଲେଣି । କିଭଳି ଅବସ୍ଥା ଭିତରେ ଏବଂ କେଡ଼େ ଅସହାୟ ଭାବରେ ଯନ୍ତି ହେଉଥିଲେ ମଣିଷମାନେ ଯେ ଉତ୍ସାହରେ କରତାଳି ଦିଅନ୍ତି ଏବଂ ସେପରି କରି ଭାରି ସାନ୍ତ୍ଵନା ମଧ୍ୟ ପାଆନ୍ତି, ଆମ ଜୀବନର ବିକୃତିଗୁଡ଼ିକୁ ବୁଝୁଥିବା ବିଶେଷ ବୈଜ୍ଞାନିକମାନେ ସେକଥା ଅବଶ୍ୟ କହିପାରନ୍ତେ । ମୁଁ ମୋର ତରୁଣ ବୟସରେ ଯଦି କୌଣସି ଏକ ସଂଗ୍ରାମରେ ଯୋଗ ଦେଇଥିବି, ସଂଗ୍ରାମଟିଏ ଲଢ଼ିବାବେଳେ ଯଦି ମୋର ନୟନ ସମକ୍ଷରେ ନିଜକୁ ଏବଂ ନିଜ ଦେଶର ସବୁ ମଣିଷଙ୍କୁ ନେଇ ଗୋଟିଏ ଭବିଷ୍ୟଚିତ୍ର ରହିଥିବ, ତେବେ ବୃଦ୍ଧ ହୋଇ ପଛକୁ ଅନାଇ ସେହି ସଂଗ୍ରାମଟି ବ୍ୟର୍ଥ ହୋଇଗଲା ବୋଲି ଯଦି ମୁଁ ତଥାପି କହୁଥାଏ, ତେବେ ସବାଆଗ ମୋତେ ହିଁ ଜଣେ ମନ୍ଦଭାଗ୍ୟ ବ୍ୟକ୍ତି ବୋଲି କୁହାଯିବ । ମୋ ଜୀବନରେ ମୁଁ ଯାହାକୁ ସର୍ବଶ୍ରେଷ୍ଠ ସନ୍ତକ ରୂପେ ବହନ କରି ଆସିଲି, ଜୀବନର ସବା ଶେଷ ଚରଣରେ ଯଦି ମୁଁ ତାହାକୁ ବ୍ୟର୍ଥ ବୋଲି କହିବାର ଦୁର୍ଭାଗ୍ୟରେ ଆସି ପଡ଼ିଯିବି, ତେବେ ମୋ’ ନିଜ ଭିତରେ ହୁଏତ କେଉଁଠାରେ କ’ଣ ବିଗିଡ଼ି ଯାଇଛି ବୋଲି କହିବାକୁ ହେବ । ସଂଗ୍ରାମୀ ଯାହା କହିଲେ, ତଦ୍ଦ୍ଵାରା ନିଜର ସେହିପରି କିଛି ପରିଚୟ ଦେଲେ କି ?

 

ସଂଗ୍ରାମ ବ୍ୟର୍ଥ ହୁଏ ନାହିଁ । କେବେହେଲେ ବ୍ୟର୍ଥ ହୁଏ ନାହିଁ । ତେଣୁ ଜଣେ ପ୍ରକୃତ ସଂଗ୍ରାମୀ କାହିଁକି କେଉଁ ଗରଜରେ ପଡ଼ି ସଂଗ୍ରାମଟି ବ୍ୟର୍ଥ ହୋଇଯାଇଛି ବୋଲି ସେଦିନ କହିଲେ-? ଏକଥା ଏକାନ୍ତ ସତ୍ୟ ଯେ ବହୁତ ସଂଗ୍ରାମୀ ଭାରତବର୍ଷ ବ୍ରିଟିଶ୍ ସରକାର ଏଠୁ ହଟି ଚାଲିଯିବା ସଙ୍ଗେ ସଙ୍ଗେ ସଂଗ୍ରାମଟା ସରିଗଲା ବୋଲି ଧରିନେଲେ । ସେମାନେ ସ୍ୱାଧୀନତାକୁ ଭୋଗ କରିବେ ବୋଲି ସେତିକିରେ ରହିଗଲେ । ଏବଂ ସେହିପରି ରହିଗଲେ ବୋଲି ବର୍ତ୍ତମାନ ବୟସ ଓ ବହପ ଖସିଯିବା ସହିତ ଏମାନେ ସଂଗ୍ରାମଟା ବ୍ୟର୍ଥ ହୋଇଗଲା ବୋଲି କହୁଛନ୍ତି କି ? କେତେ ଭଲ ଏବଂ ଯୁକ୍ତିଯୁକ୍ତ ହୋଇଥାନ୍ତା, ଯଦି ସେ କହିଥାଆନ୍ତେ ଯେ, ଏକ ସଂଗ୍ରାମ ଲଢ଼ାଯାଇ ହିଁ ଆମ ଦେଶକୁ ସ୍ଵାଧୀନତା ଆସିଥିଲା । ତା’ପରେ ଦେଶରେ ଯାହାସବୁ ହେଲା ବା ଘଟିଲା, ସେଥିରେ ଆମେ ନାନାଭାବେ କ୍ରିୟାଶୀଳ ହୋଇ ରହିଲୁ ଏବଂ ନାନା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲୁ । କେତେ ପାରିଲୁ, କେତେ ଜାଗାରେ ହଟି ବି ଗଲୁ । ଏବେ ଆମର ବୟସ ଅତିକ୍ରାନ୍ତ ହୋଇଗଲା । ଏଣିକି ଆମେ ଆଉ କିଛି କରି ପାରିବୁ ନାହିଁ । ଯେଉଁମାନେ ତରୁଣ, ଯେଉଁମାନଙ୍କର ବୟସ ଅଛି, ସଂଗ୍ରାମଟିକୁ ଏଣିକି ସେହିମାନେ ଚଳାଇବେ । ସେଇମାନେ ନେତୃତ୍ଵ ଦେବେ । ଯିଏ ଅସଲ ସଂଗ୍ରାମୀ ଅର୍ଥାତ୍ ସଂଗ୍ରାମ ଦ୍ଵାରା ହିଁ ଗୋଟିଏ ସମୂହ ବା ଗୋଟିଏ ସମାଜ ଅନବଚ୍ଛିନ୍ନ ଭାବରେ ପାହାଚକୁ ପାହାଚ ଉଠି ଯାଉଥାଏ ବୋଲି ବିଶ୍ଵାସ କରେ ସିଏ ସଂଗ୍ରାମଟା ବ୍ୟର୍ଥ ହୋଇଗଲା ବୋଲି କେବେହେଲେ କହେ ନାହିଁ । ଅନ୍ତତଃ ଯେଉଁମାନେ ତା’ପରେ ତା’ ପଛେ ପଛେ ଆସୁଛନ୍ତି, ସେମାନଙ୍କୁ କଦାପି ସେପରି କଥା କହେ ନାହିଁ । ସିଏ ସ୍ଵୟଂ ନିଜର ଜୀବଦ୍ଦଶାରେ ଯାହା ପୂରଣ କରି ନପାରିଲା, ତାକୁ ଆଗାମୀ ଏବଂ ପରବର୍ତ୍ତୀମାନେ ଅବଶ୍ୟ ପୂରଣ କରିବେ ବୋଲି ସିଏ ନିରନ୍ତର ବିଶ୍ଵାସ ରଖିଥାଏ ।

 

ଭାରତବର୍ଷରେ ପ୍ରଥମ ସଂଗ୍ରାମଟି ପରେ ଦ୍ଵିତୀୟଟି ଆରମ୍ଭ ହୋଇଥାନ୍ତା । ରାଜନୀତିକ ମୁକ୍ତି ହାସଲ ହୋଇଯିବା ପରେ ସାମାଜିକ ମୁକ୍ତିର ସଂଗ୍ରାମଟି ଆରମ୍ଭ ହୋଇଥାନ୍ତା । ଭାରତବର୍ଷରେ ଏକ ଅସମାନ ସମାଜର ବାଧା ପର୍ବତସମାନ ଛିଡ଼ା ହୋଇ ଏଠି ମନୁଷ୍ୟମାନଙ୍କର ଉଦୟ-ପଥରେ ଅନ୍ତରାୟ ହୋଇ ରହିଥିଲା । ଅସମାନ ସମାଜରେ ଥୋକେ ଚଲାଖ ହୋଇ ରହିଥାନ୍ତି ଓ ଭୋଗ ତଥା ସୁଯୋଗର ସମସ୍ତ କ୍ଷେତ୍ରଟିକୁ କେବଳ ନିଜ ପାଇଁ ଅକ୍ତିଆର କରି ନିଅନ୍ତି-। ଏବଂ ଭାରତୀୟ ଲୋକାଜୀବନରେ ଆବହମାନ କାଳରୁ ଚଲାଖ ଲୋକମାନେ ହିଁ ସତେଅବା ସବୁ ଭୋଗ ଏବଂ ସୁଯୋଗକୁ ନିଜର ଅକ୍ତିଆର କରି ରଖିଆସିଛନ୍ତି । ସଂଗ୍ରାମୀମାନଙ୍କ ଭିତରେ ଯେଉଁମାନେ ଅଧିକ ଚଲାଖ ଥିଲେ, ସେମାନେ ମୁଖ୍ୟତଃ ଉଚ୍ଚ ଜାତିର ଥିଲେ, ଇଂରାଜୀ ପାଠ ପଢ଼ିଥିଲେ, ଗୀତା, ରାମାୟଣ ଓ ମହାଭାରତ ବିଷୟରେ ଜନମନକୁ ତୋଷ କରି ରଖିବା ପାଇଁ ପାଞ୍ଚପଦ କଥା କହି ପାରୁଥିଲେ, ସେମାନଙ୍କ ପାଖରେ ହିଁ ଚାଷଜମିମାନ ରହିଥିଲା ଓ ସେମାନେ ନିଜେ ଚାଷ ନକରୁଥିଲେ ମଧ୍ୟ କୃଷିଉତ୍ପାଦନର ଜ୍ୟେଷ୍ଠ ଅଂଶଟିକୁ ହରଣ କରି ନେଇ ପାରୁଥିଲେ, ସେଇମାନେ ହିଁ ବିଗତ ପଚାଶ ବର୍ଷ ଧରି ଆମ ଦେଶରେ ରାଜତ୍ଵ କଲେ । ସରକାର ହେଲେ, ଦରବାର ମଣ୍ଡାଇ ଦେଶର ସବୁ ମଣିଷଙ୍କ ନାଆଁରେ ଯୋଜନା କଲେ, ଗୋଟିଏ ଅନୁନ୍ନତ ଦେଶକୁ ଆଧୁନିକ କରିବେ ବୋଲି କୋଟି କୋଟି ଟଙ୍କାର କାରବାର କଲେ । ସୁଯୋଗ ମାନଙ୍କରେ ସବୁ ମଣିଷଙ୍କୁ ଭାଗ ଦେବାରେ ମୋଟେ ରାଜି ହେଲେ ନାହିଁ । ଦେଶଟାକୁ ତଳଆଡ଼ୁ ଟାଣ କରି ଆଣିବାକୁ ସତେଅବା ଜାଣିଶୁଣି ଭୁରାଡ଼ିଲେ । ଭାରତବର୍ଷରେ ଭୂମିସଂସ୍କାର ଠିକ୍ ଏହିଭଳି ଭୁରୁଡ଼ାହୋଇ ରହିଲା, ଦେଶର ସବୁ ପିଲାଙ୍କୁ ସର୍ବନିମ୍ନ ଶିକ୍ଷାର ଅଧିକାର ଦେବାର ଅତ୍ୟାବଶ୍ୟକତା ବିଷୟରେ ପ୍ରାୟ ଚରମ ଅବହେଳା ପ୍ରଦର୍ଶନ କରାଗଲା । ବର୍ତ୍ତମାନ ତ ପିଆଦାମାନଙ୍କର ଧରପଗଡ଼ଟା ପ୍ରାୟ ପୂରା ଧରା ପକାଇ ଦେଉଛି ଯେ, କ୍ଷମତାସୀନ ଏହି ଚଲାଖମାନେ ହିଁ ଦେଶକୁ ନିର୍ମାଣ କରୁ କରୁ ମୁଖ୍ୟତଃ ନିଜର ବ୍ୟକ୍ତିଗତ ଭାଗ୍ୟଗୁଡ଼ିକୁ ହିଁ ନିର୍ମାଣ କରିଛନ୍ତି । ଦେଶରେ ସେହିମାନେ ହିଁ ନୂଆ ସାମନ୍ତ ହୋଇ ବସିଛନ୍ତି । ଆଗେ ଗଡ଼ଜାତର ରଜାମାନେ ଯାହା କରୁଥିଲେ ଓ ପୃଥିବୀଟାକୁ ଅନ୍ଧାର କରି ରଖିଥିଲେ, ସ୍ଵାଧୀନ ଭାରତରେ ଏହି ରାଜାମାନେ ନିଷ୍ଠାପର ଭାବରେ ତାହା ହିଁ କରୁଛନ୍ତି । ଏବଂ ଗଡ଼ଜାତ ରାଜାମାନଙ୍କ ତୁଳନାରେ ଅଧିକ ଚେଙ୍ଗା ହୋଇଥିବାରୁ ହୁଏତ ବହୁଗୁଣ ଅଧିକ ବିଚକ୍ଷଣ ଭାବରେ ତାହା କରି ପାରୁଛନ୍ତି ।

 

ସ୍ଵାଧୀନତା ସକାଶେ ସଂଗ୍ରାମଟିଏ ଲଢ଼ୁଥିବା ସମୟରେ ସଂଗ୍ରାମୀମାନଙ୍କର ଆଖି ଭିତରେ ଅସୁମାରି ସ୍ଵପ୍ନ ରହିଥିଲା । ଉଭୟ ଭାବ ଓ ଭାବପ୍ରବଣତା ସହିତ ସେମାନେ ଏ ଦେଶକୁ ମାଆ ବୋଲି କହୁଥିଲେ, ଭାରତମାତାଙ୍କର ବନ୍ଦନା ଗାଉଥିଲେ । ହୁଏତ ହିସାବ ନେଲେ ଅଳ୍ପ ବହୁତ ଜଣା ବି ପଡ଼ିଯିବ ଯେ, ଯେଉଁମାନଙ୍କର ଉତ୍ସାହ ପଛରେ ଭାବପ୍ରବଣତାଟା ଅଧିକ ଥିଲା, ସେମାନେ ଅଧିକ ଆଗଭର ହୋଇ କ୍ଷମତା ଭିତରେ ପ୍ରବେଶ କଲେ, ସରକାର ଗଢ଼ିଲେ । ଆସନରେ ବସି ସତେଅବା ଦେଖୁ ଦେଖୁ ଅଳ୍ପ କେତେଟା ବର୍ଷରେ ଦେଶଟାର ରୂପଟାକୁ ବଦଳାଇ ଦେଇପାରିବେ ବୋଲି ସେମାନେ ବିଶ୍ଵାସ ରଖୁଥିଲେ । କ୍ଷମତାକୁ ଉଚିତ ଭାବରେ କାମରେ ଲଗାଇଥିଲେ ମଧ୍ୟ ଏକ ମନୋମତ ଭାରତବର୍ଷର ସର୍ବପ୍ରାଥମିକ ଭିତ୍ତିଭୂମିଗୁଡ଼ିକୁ ସମ୍ଭବ କରିବା ଲାଗି ହୁଏତ ଯେକୌଣସି ନେତୃତ୍ଵ ଏବଂ ଯେକୌଣସି ସରକାରକୁ ପ୍ରାୟ ଅର୍ଦ୍ଧଶତାବ୍ଦୀ ସମୟ ଅବଶ୍ୟ ଲାଗିଥାନ୍ତା । ତେଣୁ ଉଚିତ ବିବେକ ସହିତ ମୂଳରୁ ହିଁ ଠିକଣା ଦିଗଟି ଆଡ଼କୁ ଦେଶର ଯାବତୀୟ କ୍ରିୟାଶୀଳତାକୁ ନିର୍ଦ୍ଦେଶିତ କରାଯାଇ ପାରିଥାନ୍ତା । ମାତ୍ର, ଭାବପ୍ରବଣ ଶାସନାଧୀଶମାନେ ତାହା କରିପାରିଲେ ନାହିଁ । କ୍ଷମତା ଭିତରେ ଗୁରାଇ ତୁରାଇହୋଇ ରହିବାକୁ କ୍ରମେ ଭାରି ତୃପ୍ତିଦାୟକ ମଣିଲେ । ଫଳରେ ରାଜନୀତିଟା ବଣା ହୋଇଗଲା । ଦେଶର ସାଧାରଣ ଲୋକସମୂହ ଆଗରୁ ଲୋକତନ୍ତ୍ରରେ କେବେହେଲେ ପ୍ରଶିକ୍ଷିତ ହୋଇ ନଥିବାରୁ ସେମାନେ ମଧ୍ୟ ସେହି ମୂଳରୁ ହିଁ ନେତାମାନଙ୍କ ନିମନ୍ତେ ଲଗାମ ହୋଇପାରିଲେ ନାହିଁ ଏବଂ ପରିପୂର୍ଣ୍ଣ ସ୍ଵେଚ୍ଛାଚାରିତାର ଏକ ଅନୁକୂଳ ପବନ ପାଇ ନେତୃତ୍ଵଟା ମଧ୍ୟ କ୍ରମେ ସାମନ୍ତବାଦୀ ହେବାକୁ ଇଚ୍ଛା କଲା । ପ୍ରଥମ ଧାଡ଼ିଟା କ୍ରମେ ମରି ଉଡ଼ିଗଲାପରେ ଦ୍ଵିତୀୟ ଧାଡ଼ିଟା ଯେତେବେଳେ ଶାସନର ଗୋଦାମ ଘରେ ଆସି ପ୍ରବେଶ କଲା, ସେତେବେଳେ ଦେଶକୁ ସ୍ଵାଧୀନତା ଆଣି ଦେଇଥିବା ଓ ଦେଶକୁ ନେଇ ଏକ ଭବିଷ୍ୟ-ଚିତ୍ର ଆଙ୍କିଥିବା ସଂଗ୍ରାମଟି ମଧ୍ୟ ପାସୋର ହୋଇଯାଇଥିଲା । ଆମ ଶାସକମାନେ ଏକ ଦୁର୍ବହ ବେତାଳ ପରି ଦେଶ ଉପରେ ଲଦି ହୋଇ ରହିଥିଲେ । ଏବେ ମଧ୍ୟ ଦେଶ ଲାଗି ସବୁଠାରୁ ବଡ଼ ସମସ୍ୟା ହେଉଛନ୍ତି ଆମର ଏହି ଶାସକମାନେ ।

 

ଦେଶକୁ ଏକ ସାମାଜିକ ନ୍ୟାୟଯୁକ୍ତ ପାରସ୍ପରିକତାରେ ପରିଣତ କରିବା ହିଁ ସେହି ପ୍ରଥମ କାଳର ଶାସକ ନେତାମାନଙ୍କର ଯାବତୀୟ ଉଦ୍ୟମରେ ନକ୍ଷତ୍ରଟିଏ ହୋଇ ରହିଥିଲା । ମୂଳ ରାଜନୀତିକ ଦଳଟା ହୁଏତ ଯଥେଷ୍ଟ ଆନ୍ତରିକତା ସହିତ ନିଜର ଘୋଷିତ ସେହି କାର୍ଯ୍ୟକ୍ରମଟି ବିଷୟରେ ଯଥେଷ୍ଟ ପଦକ୍ଷେପମାନ ନେବେ ନାହିଁ ବୋଲି ସନ୍ଦେହ କରି ସ୍ଵାଧୀନତା ଆସିବା ପୂର୍ବରୁ ସେତେବେଳେର କେତେକ ତରୁଣ ନିଜର ବିଶେଷ ଏକ ବିରାଦରୀ ଗଠନ କରିଥିଲେ ଓ ତାହାକୁ ସମାଜବାଦୀ ଦଳ ବୋଲି କହୁଥିଲେ । ସାରା ଭାରତର ସ୍ତରରେ କାଗଜପତ୍ରରେ ଏହି ବିଷୟରେ କିଛି ହେବା ଆଗରୁ ହିଁ ଓଡ଼ିଶାରେ ଏହି ବିରାଦରୀର ଏକ ଉଲ୍ଲେଖଯୋଗ୍ୟ ଆନୁଷଙ୍ଗିକ ନିର୍ମାଣ ହୋଇ ସାରିଥିଲା ବୋଲି ବି ଏବେ କିଏ କିଏ ଦାବି କଲେଣି । ସ୍ଵାଧୀନତା ପରେ ଓଡ଼ିଶା ସମେତ ସମଗ୍ର ଦେଶରେ ଏହି ଦଳଟି ନିଜର ଅନେକ ପ୍ରଶଂସାଯୋଗ୍ୟ ପରିଚୟ ବି ଦେଇ ପାରିଥିଲା । ମାତ୍ର, ଏମାନେ କ୍ରମେ ବୁଢା଼ ହୋଇ ଆସିଲେ କି ? ସାମନ୍ତମାନଙ୍କୁ ଈର୍ଷା କରୁ କରୁ ବେଳେ ବେଳେ ସେହି ସାମନ୍ତମାନଙ୍କ ପରି ହେବାକୁ ମଧ୍ୟ ଇଚ୍ଛା କରୁଥିଲେ କି ? ଅନ୍ୟମାନେ କେଡ଼େ ଡଗ ଡଗ ହୋଇ କ୍ଷମତାର ଆସନଗୁଡ଼ିକୁ ଦଖଲ କରି ନେଉଛନ୍ତି ଅଥଚ ସମାଜବାଦୀମାନେ ତୁଚ୍ଛା ସ୍ଵପ୍ନଗୁଡ଼ିକରେ ଭର୍ତ୍ତି ହୋଇ ରହିଥିବା ଥାଳଟାକୁ ଧରି ବାବାଜୀଙ୍କ ପରି ବୁଲୁଛନ୍ତି, —କିଛି ହୋଇପାରୁନାହାନ୍ତି ଅଥବା କିଛି ପରି ଦିଶୁନାହାନ୍ତି—ଏସବୁରେ ଘାରି ହୋଇ ସେମାନେ ନିଜେ କେଉଁଠି ଭୁଲ କରୁଛନ୍ତି ବୋଲି ସନ୍ଦେହ କରିବାକୁ ଆରମ୍ଭ କଲେ କି ? ସମ୍ଭବତଃ ସେଇଥିରୁ ହିଁ ଘରଟା ଧସକିବାକୁ ଆରମ୍ଭ କଲା । ଭାରତରେ ହେଲା, ଓଡ଼ିଶାରେ ମଧ୍ୟ ପ୍ରାୟ ତାହାରି ଛିଟକା ଆସି ବାଜିଲା । ମତ ମତ ମିଳିଲା ନାହିଁ । ସାଥୀ ସାଥୀ ଭିନେ ହୋଇଗଲେ । ସତର ଭଳି ସମାଜବାଦୀ ସାହୀ ଗଢ଼ା ହେଲା । ସମସ୍ତେ ଶାସନୀ ବ୍ରାହ୍ମଣୀଙ୍କ ପରି ଦିଶିଲେ । ତା’ ପରେ ଆଉ କେଉଁସବୁ ତୃଷ୍ଣା ବା ତୃଷ୍ଣାର ଶିକାର ହୋଇ ଜଣେ ଜଣେ ଅଲଗା ଦଳମାନଙ୍କରେ ଯାଇ ପଶିଲେ । ପ୍ରଧାନତଃ ବ୍ୟକ୍ତିଗତ ମତଭେଦ ଓ ତାକୁ ମୌଳିକ ଇନ୍ଧନମାନ ଯୋଗାଇ ଦେଉଥିବା ବ୍ୟକ୍ତିଗତ ମହତ୍ତ୍ଵାକାଂକ୍ଷା ଗୁଡ଼ିକ ହେତୁ ଏହି ଅଘଟଣାସବୁ ଘଟିଲା ।

 

ଏତେ ସରି ହେଉ ହେଉ ବୟସଟା ବି ଖସି ଯାଉଥିଲା । ସାଧାରଣ ଜୀବନରୁ ବାନପ୍ରସ୍ଥ ନେଇ ଘରକୁ ଫେରିଆସିବା ବେଳକୁ ଏପରି ପରିଶ୍ରାନ୍ତ ଲାଗୁଥିଲା ଯେ, ନିଜ ପାଦଟିକୁ ଥାପିପାରିବା ନିମନ୍ତେ ନିଜର ଭୂଇଁଟିଏ ହୁଏତ କେଉଁଠି ହେଲେ ଦିଶୁ ନଥିଲା । ଭାରି ଚିଡ଼ି ମାଡ଼ିଥିବ ଏହି ଦୁର୍ଗତି ସମୟରେ । ନିଜ ଜୀବନର ଦୁର୍ଗତିଟାକୁ ଦେଶର ଦୁର୍ଗତି ବୋଲି କହିବ ନିମନ୍ତେ ଭିତରର ଭଦ୍ରଲୋକଟା ଠିକ୍ ସେତିକିବେଳେ ଅଶେଷ ଫୁସୁଲାରେ ଫୁସୁଲାଇବାକୁ ଆସିଥିବ ଏବଂ ଏକଦା ଏ ଦେଶରେ ହୋଇଥିବା ସଂଗ୍ରାମଟା ବ୍ୟର୍ଥ ହୋଇଗଲା ବୋଲି କହିବା ସକାଶେ ନିଜ ଅବଚେତନରେ ରହିଥିବା ଦୋସରଟା ସେତେବେଳେ ବନ୍ଧୁ ଭଳି ପରାମର୍ଶ ବି ଦେଇଥିବ । ଭାରତବର୍ଷରେ ଆମେ ସମସ୍ତେ ଯାବତୀୟ ବଡ଼ ଭାଗ୍ୟବାନ୍ ଯେ ଏଠାରେ ବୟସକୁ ସମ୍ଭବତଃ ସବୁଠାରୁ ଅଧିକ ସମ୍ମାନ ଦିଆଯାଏ । ଅନ୍ୟାନ୍ୟ ଯାବତୀୟ ଯୋଗ୍ୟତା ଅପେକ୍ଷା ବୟସଟା ହିଁ ସତେଅବା ପାରମ୍ପରିକ ମାନଦଣ୍ଡରେ ପାଟରାଣୀର ମର୍ଯ୍ୟାଦା ଲାଭ କରିଥାଏ । ସେଥିଲାଗି ପୂଜ୍ୟପୂଜା ନାମକ ଏକ ଜନପ୍ରିୟ ବିଭାଗଟିଏ ଖଞ୍ଜା ହୋଇ ବି ରହିଥାଏ । ଅଭ୍ୟର୍ଥନା ମିଳେ, ଖୁବ୍ ମିଳେ । ଚାରିଆଡ଼ୁ ସବୁ ଖାସଖସ ହୋଇ ଖସି ପଡ଼ୁଥିବା ସମୟରେ ସେହି ଦଶାଟାକୁ ସମ୍ଭବ କରିଥିବା ଆମକୁ ପୂଜା ଓ ପ୍ରଶସ୍ତିମାନେ ଖୁବ୍ ମିଳିବାରେ ଲାଗିଥାଏ । ଗଲା ପଚାଶବର୍ଷ ଭିତରେ ଏହି ଦେଶରେ ସଂଗ୍ରାମ ସମେତ ସବୁକିଛି ବ୍ୟର୍ଥ ହୋଇଗଲା ବୋଲି ଉଚ୍ଛଳ ଭାବରେ କହୁଥିବା ସମୟରେ ମଧ୍ୟ ଲୋକ ଆମର ଅଭ୍ୟର୍ଥନା କରୁଥାନ୍ତି । ଅନ୍ତତଃ ଆମେ ନିଜେ ତ ନିଜର ଏକ ମୂଲ୍ୟାୟନ ଫର୍ଦ୍ଦ ତିଆରି କରିବାକୁ ଚେଷ୍ଟା କରୁଥାନ୍ତେ ।

 

ବିପ୍ଲବ ବା ସଂଗ୍ରାମ ବ୍ୟର୍ଥ ହୋଇଯାଇନାହିଁ । ବିପ୍ଲବର ସବାରି ଭିତରେ ବୁହା ହୋଇ ଏହି ଦେଶରେ ଜୀବନ-ନିର୍ମାଣରେ ବହୁ ବହୁ ସୁଯୋଗକୁ ଉଚିତ ପ୍ରକାରେ କାମରେ ଲଗାଇ ପାରୁନଥିବା ଆମେମାନେ ହିଁ ବ୍ୟର୍ଥ ହୋଇଛୁ ଏବଂ ତାହାକୁ ସ୍ଵୀକାର କରିବାକୁ ଆମକୁ ଭାରି ଲାଜ ଲାଗୁଛି । କ୍ରମେ ଆଉ ଗୋଟିଏ ବିପ୍ଲବ ଦେଶବ୍ୟାପୀ କୁହୁଳି ଆସୁଛି । ସେହି ବିପ୍ଲବ ବା ସଂଗ୍ରାମ ହୁଏତ ଆମର ମନୋମତ ନହୋଇପାରେ । ତଥାପି ତାହା କ୍ରମେ କୁହୁଳି କୁହୁଳି ଆସିଲାଣି । ଆମ ସଂଗ୍ରାମଟି ଦ୍ଵାରା ଲବ୍ଧ ହୋଇଥିବା ଭୂମିଟି ଉପରେ ଯଦି ଆମେ ଯୋଗ୍ୟ ଭାବରେ ଆହ୍ଵାନଗୁଡ଼ିକର ଜବାବ ଦେଇପାରିଥାନ୍ତୁ, ତବେ ହୁଏତ ଆମ ପୀଢ଼ିଟିଠାରୁ କିଛି ଶିକ୍ଷା କରିବାକୁ ରହିଛି ବୋଲି ଉପସ୍ଥିତ ସଂଗ୍ରାମ ପୀଢ଼ିଟି ଅନୁଭବ କରିପାରିଥାନ୍ତା । ଉପସ୍ଥିତ ସଂଗ୍ରାମୀ ପୀଢ଼ିଟା ଯେ ଆମକୁ ସହ୍ୟ କରି ରହିଛି, ସେଥିଲାଗି ବରଂ ଆମେ ସେମାନଙ୍କଠାରେ କୃତଜ୍ଞ ହୋଇ ରହିବା ଓ ସେମାନଙ୍କୁ ବାଟ ଛାଡ଼ିଦେବା । ସେକାଳର ସଂଗ୍ରାମୀମାନେ ସତକୁ ସତ ଯେଉଁ କ୍ଷମତାଘରଟିକୁ ଚ୍ୟାଲେଞ୍ଜ୍ କରିଥାନ୍ତେ, ତାହା ଯେ କେଡ଼େ ସୂତରରେ ଗଉଣିଏ ଗଉଣିଏ ଭତ୍ତା ଦେଇ କିପରି ସେମାନଙ୍କର ମୁହଁକୁ ବନ୍ଦ କରିଦେଲା, ଉପସ୍ଥିତ ପୀଢ଼ିର ସଂଗ୍ରାମୀମାନେ ହୁଏତ ଦେଖି ବଡ଼ ତାଜୁବ ହୋଇ ଯାଉଥିବେ ଏବଂ କୌଣସି ପରିସ୍ଥିତିରେ ମଧ୍ୟ ଆମ ଭଳି ହେବେ ନାହିଁ ବୋଲି ନିଜର ସଂକଳ୍ପ-ଘରେ ପ୍ରତ୍ୟହ ଶପଥ ଗ୍ରହଣ କରୁଥିବେ ।

 

ଅସଲ କଥାଟି ହେଉଛି, ତୁମେ ନିଜେ ଯଦି ସଂଗ୍ରାମ ଭିତରେ ଥିବ, ତେବେ ସଂଗ୍ରାମଟିଏ ତଥାପି ଚାଲିଛି ବୋଲି ତୁମର ହୃଦବୋଧ ହେବାରେ ଆଦୌ କୌଣସି ବାଧା ରହିବା ନାହିଁ । ସଂଗ୍ରାମୀମାନେ ଯେଉଁଦିନୁ ସଂଗ୍ରାମ ଛାଡ଼ିଲେ, ସେହିଦିନଠାରୁ ମୂଳତଃ ନିଜକୁ ଦେଖିଲେ, ଦେଶକୁ ହୁଡ଼ିଗଲେ । ନାନାବିଧ ଭଲ କାମରେ ପୁରୋଧା ହେଲେ ଦେଶରେ ସବୁ ସମୁଚିତ ଭାବରେ ଚାଲିଛି ବୋଲି ଏକାବେଳେକେ ଭଲ ମଣିଷଙ୍କ ପରି ମୁଣ୍ଡ ଟୁଙ୍ଗାରିଲେ । କେତେକେତେ ଅନ୍ୟ କାମରେ ଧାଁଧପଡ଼ ହେଲେ ଏବଂ ଅସଲ ସଂଗ୍ରାମଗୁଡ଼ିକ ସହିତ ଆଉ ଖିଅ ଲଗାଇ ରହିପାରିଲେ ନାହିଁ । ବର୍ତ୍ତମାନ ବେଳଗୁଡ଼ାକ ଦୃଶ୍ୟମାନ ଭାବରେ ଅସମ୍ଭାଳ ହେଳାରୁ ଭାରି ଛାନିଆ ହୋଇପଡ଼ିଲେ ବୋଧହୁଏ, ତେଣୁ ସଂଗ୍ରାମଟା ବ୍ୟର୍ଥ ହୋଇଗଲା ବୋଲି ସନ୍ତାପ ପ୍ରକାଶ କାଲେ । ସେମାନେ ଯେଉଁଠି ଅଛନ୍ତି ରହିଥାଆନ୍ତୁ ଏବଂ ସଂଗ୍ରାମ ଦାନା ବାନ୍ଧି ବାନ୍ଧି ଆଗକୁ ଯାଉଥାଉ ।

 

୧୯ । ୦୪ । ୧୯୯୯

Image

 

ଭଲ ମଣିଷ ହୁଅ

 

ଶାସ୍ତ୍ରକାରମାନଙ୍କର କଥା ଅନୁସାରେ ପୃଥିବୀରେ କୁଆଡ଼େ ମୋଟେ ଦୁଇ କିସମର ମଣିଷ ରହିଛନ୍ତି; ଭଲ ମଣିଷ ଅଛନ୍ତି ଓ ଖରାପ ମଣିଷ ଅଛନ୍ତି । ସଂସାରର ହିତକାମନା କରୁଥିବା ଆମ ଗୁରୁଜନମାନେ ସବୁକାଳେ ଆମକୁ ଭଲ ମଣିଷ ହେବାପାଇଁ ବହୁ ଉଦବୋଧନ ଏବଂ ପରାମର୍ଶ ଦେଇ ଆସିଛନ୍ତି । ପ୍ରାଚୀନ ସାହିତ୍ୟକୁ ତ ଏହି ଅର୍ଥରେ ଅତ୍ୟନ୍ତ ଔଚିତ୍ୟ ସହିତ ଏକ ଉଦବୋଧନ-ସାହିତ୍ୟ ଅଥବା ପରାମର୍ଶ-ସାହିତ୍ୟ ବୋଲି କୁହାଯାଇ ପାରିବ । ଆମ ଧର୍ମର ପୁରାଣ ଏବଂ ଦେବ-ଉପାଖ୍ୟାନମାନଙ୍କରେ ସ୍ଵୟଂ ଭଗବାନ ପରାମର୍ଶ ଦେଉଛନ୍ତି ଓ ମନୁଷ୍ୟବର୍ଗର ପ୍ରତିନିଧିତ୍ଵ କରି ଜଣେ ଶିଷ୍ୟ ସେଗୁଡ଼ିକୁ ଶୁଣୁଛି । ପରାମର୍ଶ ଦେବାର, ଭଲ ମଣିଷଟିଏ ହେବା ନିମନ୍ତେ ଉଦବୋଧନ ଦେବାର ଏହି ଆଙ୍ଗିକଟି ଆମ ଆଧୁନିକ କାଳରେ ମଧ୍ୟ ସମାନ ଭାବରେ ପକ୍ଷ ବିସ୍ତାର କରି ରହିଛି ଓ ଆପଣାର ଚଞ୍ଚୁ ଦ୍ଵାରା କେତେ କେତେ କଦରରେ ସମ୍ପୃକ୍ତ ଆମ ସମସ୍ତଙ୍କୁ ଖୁମ୍ପିବାରେ ଲାଗିଛି । ଖୁମ୍ପି ଖୁମ୍ପି ଅନେକ ସମୟରେ ଅତ୍ୟନ୍ତ ଭାବପ୍ରବଣ କରି ବି ପକାଉଛି । ଆମର ଏଯୁଗଟାରେ ମଧ୍ୟ ବିଜ୍ଞାନମାନେ ମନୁଷ୍ୟର ବିଚାରଶକ୍ତିକୁ ବହୁପ୍ରକାରେ ସାବାଳକ କରିସାରିବା ସତ୍ତ୍ୱେ ଉଦବୋଧନ ତଥା ପରମର୍ଶର ପରାକ୍ରମରେ ହୁଏତ କୌଣସି ଭଟ୍ଟା ପଡ଼ିନାହିଁ ।

 

ଭଲ ମଣିଷଟିଏ ହେବାପାଇଁ ଦିଆଯାଉଥିବା ପରମର୍ଶଟାରେ ଯଦି ସତକୁ ସତ ଏକ ମେରୁଦଣ୍ଡ ରହିଥାନ୍ତା, ତେବେ ପୃଥିବୀରେ କ୍ରମେ ସବୁ ମଣିଷ ଏଡ଼େ ଭଲ ହୋଇସାରନ୍ତେଣି ଯେ ଭଲ ହେବଲାଗି ପରମର୍ଶଟାଏ ଦେବାର ହୁଏତ ଆଦୌ କୌଣସି ପ୍ରୋୟଜନ ହିଁ ନଥାନ୍ତା । ପରାମର୍ଶ ଦେଉଥିବା ମନୁଷ୍ୟମାନଙ୍କର ସଂଖ୍ୟା ପରାମର୍ଶ ଶୁଣୁଥିବା ମନୁଷ୍ୟମାନଙ୍କର ସଂଖ୍ୟା ଠାରୁ ଆମର ବର୍ତ୍ତମାନ କାଳଟା ପରି ସବୁ କାଳରେ ମଧ୍ୟ ସଂଖ୍ୟାରେ ଅଧିକ ହୋଇ ରହିଥିଲା କି-? ନିଜ ଜୀବନରେ ନିଜେ ଶୁଣୁଥିବା ଆହ୍ଵାନଗୁଡ଼ିକ ମୋଟେ ଶୁଣିବେ ନହିଁ ବୋଲି ପଣ କରିଥିବା ମଣିଷମାନେ ପ୍ରାୟ ନିଜଆଡ଼ୁ ତାଡ଼ିତ ହେବାପରି ଆଉମାନଙ୍କୁ ପରାମର୍ଶ ଓ ଉପଦେଶ ଦେବାକୁ ମନ କରିଥାନ୍ତି କି ? ନିଜ ଭିତରେ ପାହାଚ ଉଠିବାର ଆହ୍ନାନଟିକୁ ଶୁଣିବା କୌଣସି କାରଣରୁ ବନ୍ଦ ହୋଇଗଲେ କିଛି ମଣିଷ ତା’ପରେ ଅନ୍ୟମାନଙ୍କୁ ପାହାଚ ଉଠିବା ପାଇଁ ପରାମର୍ଶ ଓ ଉଦବୋଧନ ଦେବଟାକୁ ହିଁ ସତେ ଅବା ଏକ ଧର୍ମ ପରି ଗ୍ରହଣ କରିନେଇଥାନ୍ତି । ଭଲ ମଣିଷମାନେ ଏହି ପୃଥିବୀରେ ସତକୁ ସତ ଆସ୍ଥାପ୍ରଦାନ କରିପାରୁଥିବା ସଂଖ୍ୟାରେ ରହିଥିଲେ ହୁଏତ ଆମକୁ ଭଲ ମଣିଷ ହୁଅ ବୋଲି କହିବାର କୌଣସି ଅବକାଶ ହିଁ ମିଳୁନାଥନ୍ତା । ବିଚରା ଅମ ଚାରିପାଖରେ ରହିଥିବା ପିଲାମାନଙ୍କୁ ଆହା ବୋଲି କହିବାକୁ ପଡ଼ିବ ଯେ ସେମାନଙ୍କୁ ସତେ ଅବା ତୀର ମାରିବା ପରି ଉପଦେଶ ଓ ଉଦବୋଧନମାନେ ଆସି ଅସ୍ତବ୍ୟସ୍ତ କରି ପକାଉଛନ୍ତି । ଏବଂ ଯେତେ ଅଣ୍ଡାଳିଲେ ମଧ୍ୟ ସେମାନେ ନିଜ ଚାରିପାଖରେ ସେମାନଙ୍କର ମନକୁ ପାଇଲା ମୁତବକ ଭଲ ମଣିଷଟିଏ ଦେଖିବାକୁ ପାଉନାହାନ୍ତି । ଏହିପରି ଗୋଟିଏ ଅବସ୍ଥାକୁ ଦେଖି ସେମାନେ କାନ୍ଦୁଥିବେ ବି ହସୁଥିବେ କେଜାଣି ? ଅଥବା ବାଧ୍ୟ ହୋଇ ଉପଦେଶ ଦେଉଥିବା ମଣିଷମାନଙ୍କୁ ଅନୁକରଣ କରୁଥିବେ ଅର୍ଥାତ୍ ଶୀଘ୍ର ବୟସରେ ବଡ଼ ହୋଇ ଯିବାକୁ ଦିଗପାଳମାନଙ୍କୁ ପ୍ରାର୍ଥନା କରୁଥିବେ, ଯେପରିକି ସେମାନଙ୍କୁ କେହି ହେଲେ ଭଲ ମଣିଷ ହେବାର ଉପଦେଶ ଦେଇପାରିବେ ନାହିଁ ଏବଂ ସେମାନେ ବି ବେଫିକର ହୋଇ ସେମାନଙ୍କ ତୁଳନାରେ ଅଧିକ ସାନମାନଙ୍କୁ ଭଲ ମଣିଷ ହେବାର ସର୍ବବିଧି ପରାମର୍ଶ ଓ ଉଦବୋଧନ ଦେଇପାରିବ ।

 

ଭଲ ମଣିଷ ହୁଅ, ଭଲ ମଣିଷ ହୁଅ ବୋଲି ଉଦବୋଧନ ଦେଉଥିବା ମନୁଷ୍ୟମାନେ ନିଜ ଭିତରେ ଅତ୍ୟନ୍ତ ଅଣଅକ୍ତିଆର ଭାବରେ କପ କପ ହେଉଥିବା ଅସଲଗୁଡ଼ାକର ପ୍ରକୋପରୁ ଘଡ଼ିକ ନିମନ୍ତେ ରକ୍ଷା ପାଇବା ଲାଗି ଆଉ ସେପରି କରି ବୁଲୁଛନ୍ତି କି ? ଅଥବା, ପ୍ରତ୍ୟେକ ମନୁଷ୍ୟ ଭିତରେ ଭଲଟି ହିଁ ସ୍ଵଭାବସିଦ୍ଧ ହୋଇ ରହିଥାଏ ଏବଂ ନିହାତି ଦାବି ହୋଇ ରହିବାକୁ ବାଧ୍ୟ ନହେଲେ ଅବଶ୍ୟ ବିକଶିତ ହୋଇ ବାହାରି ଆସେ ବୋଲି ବିଶ୍ଵାସ କରି ନପାରୁଥିବାରୁ ହିଁ ସେମାନେ ଉପଦେଶ ଓ ଉଦବୋଧନର ଖେଞ୍ଚା ମାରି ସେଇଟିକୁ ବାହାରି କରିବାକୁ ଇଚ୍ଛା କରୁଛନ୍ତି-? ଗୁରୁ ଶିଷ୍ୟକୁ ଭଲ ମଣିଷ ହେବାକୁ କହୁଛି, ଶିକ୍ଷକ ତାର ଛାତ୍ରକୁ ଭଲ ମଣିଷ ହେବ ପାଇଁ କହୁଛି, ଘରେ ବାପା ମାଆ ବି ସତେ ଅବା ଚାରିପାଖର ହାଓ୍ୱାଟାର ଫୁସୁଲା ଭିତରେ ପଡ଼ି ନିଜର ପିଲାମାନଙ୍କୁ ଭଲ ମଣିଷ ହେବାକୁ କହୁଛନ୍ତି । ଧର୍ମକୁ ହିରୋ କରି ଲେଖା ହୋଇଥିବା ସେକାଳର ଉପନ୍ୟାସମାନଙ୍କରେ ମୁଖ୍ୟ ସନ୍ଦେଶ ରୂପେ ଭଲ ମଣିଷଟିଏ ହେବାର କଥା ହିଁ ପ୍ରଚାରିତ ହୋଇଛି-। କାହାଣୀ ମାନଙ୍କରେ ମଣିଷ ଅଥବା ବିଲୁଆ ଓ କୋକିଶିଆଳୀଙ୍କ ମାଧ୍ୟମରେ ସେହି ଉପଦେଶଗୁଡ଼ାକୁ ଲଦି ଦିଆଯାଉ ନାହିଁ କି ? ଖାଲି ତଥାକଥିତ ଶିଶୁ ସାହିତ୍ୟ ନୁହେଁ, କବିତା, ଗଳ୍ପ, ଉପନ୍ୟାସ ବା ନାଟକରେ ବଡ଼ମାନଙ୍କ ନିମନ୍ତେ ମଧ୍ୟ ସାହିତ୍ୟ ପାରିବେଷଣର ମାଧ୍ୟମରେ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ସେହି ଘଣ୍ଟାଟିକୁ ହିଁ ପିଟାହେଉଛି । ଏତେ ଏତେ ମିହନ୍ତ ସତ୍ତ୍ୱେ ଭଲଟା ସତେ ଅବା ସେହି ଦୁଷ୍ଟ ଓ ଖରମତି ବେଙ୍ଗଟା ପରି ଆମେ ଧରିବାକୁ ଚେଷ୍ଟା କରୁ କରୁ ଆମ ହାତରୁ ସଟକିନା ଖସିଯାଇ ଓଳିରେ ମାଡ଼ିଥିବା ଲାଉଗଛର ଲତା ଭିତରେ ତତ୍‍କ୍ଷଣାତ୍ କୁଆଡ଼େ ଖପିଯାଉଛି । କାମ ପଡ଼ିବା ବେଳକୁ ସତେ ଅବା ଟିକିଏ ଓଷଦ କରିବା ନିମନ୍ତେ ବି କେଉଁଠି ହେଲେ ମିଳୁନାହିଁ ।

 

ଅତୀତର ବଡ଼ ମଣିଷମାନେ କେତେ ଭଲ ମଣିଷ ଥିଲେ ବୋଲି ବକ୍ତାମାନେ, ଆମ ନେତାମାନେ କହିବାରେ ଲାଗିଛନ୍ତି । ନେତାମାନେ କ୍ଷମତାରେ ଅଛନ୍ତି ସଭାମାନଙ୍କରେ ଉଚ୍ଚତମ କର୍ତ୍ତା ରୂପେ ସବାବଡ଼ ଆସନରେ ବସି ସେମାନେ ଏସବୁ କଥା କହିବାରେ ଲାଗିଛନ୍ତି । ଆମକୁ ମହାପୁରୁଷ ମାନଙ୍କର ବାଣୀ ଶୁଣାଉଛନ୍ତି । ଆମ ଦେଶରେ ଆଗକାଳରେ ମହାପୁରୁଷମାନେ ଏତେ ଅଧିକ ସଂଖ୍ୟାରେ ରହିଥିଲେ ଯେ, ସାଧାରଣ ପୁରୁଷଟିଏ ହେବା ପାଇଁ ମଧ୍ୟ ସମ୍ଭବତଃ କାହାକୁ ହେଲେ ଫୁରୁସତଟାଏ ବି ମିଳୁନଥିଲା । ସମ୍ଭବତଃ ସେହି କାରଣରୁ ହିଁ ଆମର ଗ୍ରନ୍ଥମାନଙ୍କରେ ମହାପୁରୁଷମାନେ ଯେପରି ଭରଭର ହୋଇ ରହିଥିବା ପରି ଦିଶି ଯାଉଛନ୍ତି, ଆମ ଚାରିପାଖରେ ଏହି ଚଳନ୍ତି ସମାଜଟାରେ ତାର ଦଶଭାଗରୁ ଭାଗେ ବି ପୁରୁଷ ଦୃଷ୍ଟିଗୋଚର ହେଉନାହାନ୍ତି । ଏଇଟାକୁ ଭାରତୀୟ ସଂସ୍କାର ବା ଅପସଂସ୍କାରର ଏକ ବିଶେଷ ଲକ୍ଷଣ ବୋଲି ଗ୍ରହଣ କରାଯାଇ ପାରନ୍ତା ଏବଂ ତାହାରି ଦର୍ପଣ ଉପରେ ଆମର ମଞ୍ଜ ଭିତରଟାକୁ ମଧ୍ୟ ହୁଏତ କିଞ୍ଚିତ୍ ପରୀକ୍ଷା କରି ଦେଖି ହୁଅନ୍ତା । ଭଲ ମଣିଷମାନେ ଏତେ ଏତେ ସଂଖ୍ୟାରେ ଆମ ଅତୀତରେ ଥିଲେ ଏବଂ ଏବେ ମଧ୍ୟ ରହଛନ୍ତି; ତେବେ କାଳଟା କାହିଁକି ଲଟାରେ ଯାଇ ପଶିଛି ? ରାଜନୀତିରେ ଭଲ ମଣିଷ ଥିଲେ ବର୍ତ୍ତମାନର ରାଜନୀତିଟା ଏପରି ପାଜି ହେଉଥାନ୍ତା କି ? ଆମ ସରକାରଙ୍କ ଘରେ ସେହି ଭଲ ମଣିଷମାନେ ଆମ ଭାଗ୍ୟର ଭାଡ଼ି ଗୁଡ଼ିକୁ ସତକୁ ସତ ହେପାଜତ କରି ରଖିଥିଲେ ଦେଶଟାଯାକ ଏପରି ଆଣ୍ଠୁକୁଡ଼ାହୋଇ ପଡ଼ିଥାନ୍ତି କି ? ଆମର ଇସ୍କୁଲ ଏବଂ କଲେଜରେ ଆମ ଶିକ୍ଷକମାନେ ଭଲ ମଣିଷ ହୋଇଥିଲେ ଏହି ଦେଶରେ ଶିକ୍ଷା ନାମକ ସିରସ୍ତାକୁ ମୂଷାମାନେ କଣାକରି ପୋଲ କରି ଦେଉଥାନ୍ତି କି ? ଆମ ହାକିମ ଓ ଅମଲାମାନେ ଭଲ ମଣିଷ ହୋଇଥିଲେ ସେମାନଙ୍କର ଦରମା ବୃଦ୍ଧି ହେଉଥିବା ସଙ୍ଗେ ସଙ୍ଗେ ସତେ ଅବା ଏକ ସ୍ନାୟବିକ ଧ୍ଵଜଭଙ୍ଗ ସେମାନଙ୍କୁ ଏପରି ଆଡ଼ମ୍ବରପୂର୍ଣ୍ଣ ଭାବରେ ଆସି ମାଡ଼ି ବସୁଥାନ୍ତା କି ? ଜଣେ ଭଲ ମଣିଷ କପଟୀ ହୋଇପାରିବ ? ଜଣେ ଭଲ ମଣିଷ ଖୋସାମଦ କରିପାରିବ, ଲାଞ୍ଚ ଦେଇପାରିବ ଲାଞ୍ଚ ନେଇପାରିବ ? ଜଣେ ଭଲ ମଣିଷ ଉଚ୍ଚ ଆସନରେ ଅର୍ଥାତ୍ ଉଚ୍ଚ କ୍ଷମତାର ବସିଛି ବୋଲି ସର୍ବଜନଙ୍କର ଧନକୁ ପ୍ରାୟ ଏକ ଧର୍ମନିଷ୍ଠା ସହିତ ନିଜ ଘରକୁ ବୋହିନେଇ ପାରିବ ? ସଭାରେ ଭଲ ମଣିଷ ହୁଅ ବୋଲି ବଚନିକା ଶୁଣି ତା’ପରେ ନିଜ ଚତୁର୍ଦ୍ଦିଗକୁ ଅନାଇଦେବା ମତ୍ରକେ ଏହି ପ୍ରଶ୍ନଗୁଡ଼ିକ ହିଁ ଆମକୁ ସର୍ବଦା ଉତ୍ପୀଡ଼ିତ କରିବାକୁ ଆସିବା । ଜଣେ ଭଲ ମଣିଷ ଆଦୌ ମୁଖା ପିନ୍ଧି ଦୁନିଆକୁ ଧୋକା ଦେବାକୁ ମନ କରିବ କି ?

 

ଆଚାର୍ଯ୍ୟ ହରିହାର ଦାସ ତାଙ୍କ ଜୀବନକାଳର ଶେଷ ବର୍ଷଗୁଡ଼ିକରେ ଯୁଆଡ଼େ ଯାଉଥିଲେ ସମସ୍ତଙ୍କୁ ଭଲ ମଣିଷଟିଏ ହୁଅ ବୋଲି ଉପଦେଶ ଦେଉଥିଲେ । ସେତେବେଳକୁ ତାଙ୍କ ଆଖିକୁ ଆଉ ଦିଶୁନଥିଲା । ଭୂଦାନ ଆନ୍ଦୋଳନର କୋଳାହଳ ମଧ୍ୟ ମାନ୍ଦା ପଡ଼ି ଆସିଥିଲା । ଆଚାର୍ଯ୍ୟ ମହାଶୟ ସାଧାରଣ ଆଖିଥିବା ମଣିଷମାନଙ୍କର ତୁଳନାରେ ହୁଏତ ଅନେକ ଅଧିକ ଦେଖିପାରୁଥିଲେ ଏବଂ ଅନେକ ଅଧିକ ଅନୁଭବ କରିପାରୁଥିଲେ । ତାଙ୍କର ଗହଣିଆମାନେ ତାଙ୍କୁ ସେତେବେଳେ ସତେ ଅବା ପ୍ରଦର୍ଶନର ଦ୍ରବ୍ୟ ପରି ରାଜ୍ୟର ଚାରିଆଡ଼େ ବୁଲାଉଥିଲେ । ତାଙ୍କୁ ବିଶେଷତଃ ସାନ ପିଲାମାନଙ୍କ ସଭାକୁ ନେଉଥିଲେ । ପ୍ରଧାନତଃ ସେହି ସଭାଗୁଡ଼ିକରେ ହିଁ ସେ ପିଲାମାନଙ୍କୁ ଭଲ ମଣିଷ ହେବାପାଇଁ ଉପଦେଶ ପ୍ରଦାନ କରୁଥିଲେ । ବଡ଼ମାନେ ଯେପରି ହେଲେ ବୋଲି ଆମ ଭରସାର ମଟିଗୁଡ଼ାକ ଚାରିଆଡ଼ୁ ଖସି ଖସି ଯାଉଥିଲା, ସେପରି ନହୋଇ ଆଉ କିଛି ହୁଅ ବୋଲି ସତେ ଅବା ଆଚାର୍ଯ୍ୟ ମହାଶୟ କହିବାକୁ ଇଚ୍ଛା କରୁଥିଲେ । ହାଉଆଟା ବେଅକଲ ହୋଇଯାଉଥିବା ସମୟରେ ସତକୁ ସତ ଅକଲ ରହିଥିବା ଓ ଅକଲର ପ୍ରତିଷ୍ଠା ନିମନ୍ତେ ନିଜ ଜୀବନଯାକ ଲଢ଼ି ଆସିଥିବା ଜଣେ ମଣିଷ ନିଜ ଜୀବନର ଶେଷ ଚରଣକୁ ଆସି ସମ୍ଭବତଃ ନିଜ ଭିତରେ କୌଣସି ବୋଲ ମାନି ଚୁପ୍ ହୋଇଯାଏ । ଅନ୍ତତଃ ନିଜେ କିଛି ଦେଖିବ ନାହିଁ ବୋଲି ସେହି ଭିତରୁ ହିଁ କିଏ ତାର ଆଖିଗୁଡ଼ିକ ବନ୍ଦ କରିଦିଏ । ସେତେବେଳେ ଭଲ ମଣିଷ ହୁଅ ବୋଲି ବଡ଼ ଆକୁଳ ଭାବରେ କହିବା ଛଡା଼ ସମ୍ଭବତଃ ଆଉ କିଛି ହେଲେ କହିହୁଏ ନାହିଁ । ଏବଂ ଏହିପରି କହୁ କହୁ ତା’ ସମୟଟି ଆସିବ ଓ ସିଏ ବିଦା ହୋଇ ଚାଲିଯିବ ବୋଲି ବାନପ୍ରସ୍ଥୀ ହୋଇ ଅପେକ୍ଷା କରିଥାଏ । ପୃଥିବୀରେ ସଚରାଚର ଅଧିକ ଭଲ ମଣିଷ ହିଁ ସବୁକାଳେ ଚୁପ୍ ହୋଇ ରହିଥାନ୍ତି । ପ୍ରତିବାଦ କରନ୍ତି ନାହିଁ; ସେମାନେ ଦୁଷ୍ଟକୁ ଦୁଷ୍ଟ ବୋଲି କହନ୍ତି ନାହିଁ, ଦୁଷ୍ଟଙ୍କ ମେଳରେ ଶିଷ୍ଟ ହୋଇ ରହିବାକୁ ବୋଧହୁଏ ଭଲ ମଣିଷର ପରମ କରଣୀୟ ବୋଲି ଗ୍ରହଣ କରି ନେଇଥାନ୍ତି । ସେମାନଙ୍କ ଭିତରେ କେଉଁଠାରେ ଭୀରୁଟିଏ ଲଗାମ ଧରି ବସି ରହିଥାଏ, ଯିଏକି ସେମାନଙ୍କୁ ଚୁପ୍ ରହିବାରେ ପ୍ରବର୍ତ୍ତନା ଦେବାରେ ଲାଗିଥାଏ । ଭଲ ମଣିଷମାନେ ପ୍ରାୟ ନିୟମତଃ କୌଣସି ପକ୍ଷ ନିଅନ୍ତି ନାହିଁ । ଏ ପକ୍ଷ ସେ ପକ୍ଷ ଉଭୟ ପକ୍ଷକୁ ଦୋଷଯୁକ୍ତ ବୋଲି ଦେଖୁଥିବାରୁ ସେମାନେ ବାହାରେ ରହିଥାନ୍ତି । ଭଲରେ ରହନ୍ତି, ଶାନ୍ତିରେ ରହଥାନ୍ତି; ନିଜ ଗୋଡ଼ରେ ଏତେ ଟିକିଏ ହେଲେ କାଦୁଅ ଲଗାଇବାକୁ ଇଚ୍ଛା କରନ୍ତି ନାହିଁ । କାଳେ କାଦୁଅ ଲାଗିଯିବ ବୋଲି ଭୟ କରୁଥାନ୍ତି । ତେଣୁ ଏକ ବହୁକ୍ଷୋଭପୂର୍ଣ୍ଣ ପୃଥିବୀରୁ ସମ୍ଭବତଃ ସେମାନେ ହିଁ ଯଥାସମ୍ଭବ ସର୍ବମନ୍ତେ ଉପକୃତ ହୁଅନ୍ତି । ଆଲୋକ ସ୍ଵଭାବପ୍ରେରିତ ହୋଇ ଅନ୍ଧାରର ପ୍ରତିବାଦ କରେ, ଅନ୍ଧାରର ବିକଳ୍ପ ହୋଇ ନିଜକୁ ଧରା ପକାଇଦିଏ । ମାତ୍ର ଭଲ ମଣିଷଟା ଭିତରେ ଭଦ୍ର ବେଙ୍ଗଟି ପୃଥିବୀରେ ଯାହା ଯେତେସବୁ ଘଟୁଥିଲେ ମଧ୍ୟ ଯାବତୀୟ ଘଟଣା ଓ ଅଘଟଣାରୁ ସର୍ବାଧିକ ଲାଭବାନ ହେବାରେ ହିଁ ଲାଗିଥାଏ । ପୃଥିବୀରେ ଅଧେ ମଣିଷଙ୍କୁ ଅସ୍ଵୀକାର କରି ବର୍ତ୍ତମାନ ଯେଉଁ ସମ୍ପନ୍ନତା ନିଜର ସାମ୍ରାଜ୍ୟ ବିସ୍ତାର କରି ରହିଛି, ସେଥିରେ ହୁଏତ ଭୀରୁ ଭଲ ଲୋକମାନେ ହିଁ ସବୁଠାରୁ ଅଧିକ ପରିମାଣରେ ଲାଭବାନ ହେଉଛନ୍ତି । ପରାଧୀନ ଭାରତରେ ଭଲ ମଣିଷମାନେ ହିଁ ସଂଗ୍ରାମୀମାନଙ୍କ ପଟେ ନଥିଲେ କିମ୍ବା ବ୍ରିଟିଶ ପଟେ ରହିଛନ୍ତି ବୋଲି ମୁହଁ ଖୋଲି କହୁନଥିଲେ । ସ୍ଵାଧିନତା ପ୍ରାପ୍ତି ପରେ ଏହି ଦେଶରେ ଭଲ ଲୋକମାନେ ହିଁ ସ୍ଵାଧୀନତା ଦ୍ଵାରା ଉପଲବ୍ଧ ଫଳଗୁଡ଼ିକରୁ ପ୍ରାୟ ସବୁକିଛି ଉପରେ ଯାଇ ହାମୁଡ଼େଇ ପଡ଼ିଲେ କି ଏବଂ ଏବେ ମଧ୍ୟ ଏଠି ଭୋଗର ପ୍ରାୟ ସବୁ ଘରେ ମାଲିକ ହୋଇ ବସିଛନ୍ତି କି ?

 

ଅର୍ଥାତ୍ ଭଲ ମଣିଷଟି ଭିତରେ କିଞ୍ଚିତ୍ ସାହସ ମଧ୍ୟ ରହିଥିବା ଉଚିତ୍ । ଭଲ ମଣିଷ ହୋଇଥିବ ଏବଂ ସାହସୀ ମଣିଷଟିଏ ବି ହୋଇଥିବ, —ତେବେ ଯାଇ ହେବ । ତେବେ ତୁମେ ଏହି ପୃଥିବୀର ବହୁତ କାମରେ ଲାଗିପରିବ । ସାମ୍ପ୍ରତିକ ପୃଥିବୀରେ ଅସୁମାରି ସଂଖ୍ୟାରେ ଯେଉଁ ଭଲ ମଣିଷମାନେ ଅଛନ୍ତି, ସେମାନେ କାହିଁକି କିଞ୍ଚିତ୍ ସାହସୀ ହୋଇପାରିଲେ ନାହିଁ କେଜାଣି ? ଏବଂ ହୋଇପାରିଲେ ନାହିଁ ବୋଲି ପୃଥିବୀ ପାଇଁ ଅନେକ ପ୍ରମାଦର କାରଣ ହେଲେ । ସେମାନେ ଖାପ ଖାଇଗଲେ । କଳାକୁ କଳା ଓ ଧଳାକୁ ଧଳା ବୋଲି କହିପାରିଲେ ନାହିଁ । ତେଣୁ, ଯଦି ନିତାନ୍ତ ଉପଦେଶ ଦେବ, ତେବେ ଜଣେ ମନୁଷ୍ୟକୁ ତୁମେ ଆଗ ଭଲ ମଣିଷଟିଏ ହେବାକୁ କହିବା ନା ସାହସୀ ମଣିଷଟିଏ ହେବାକୁ କହିବ ? ଭଲ ମଣିଷଟିଏ ଯଦି ସାହସୀ ନହୋଇ ଭୀରୁ ହୋଇଥାଏ, ତେବେ ତୁମେ ତା’ ଉପରେ ଆଦୌ କୌଣସି କ୍ଷେତ୍ରରେ ନିର୍ଭର କରି ପାରିବ ନାହିଁ । ଜଣେ ଶିକ୍ଷକ ଯଦି ଭଲ ମଣିଷଟିଏ ହୋଇଥିଲେ ମଧ୍ୟ ତା’ ଭିତରେ ସାହସ ନାମକ ସେହି ଅନ୍ୟ ବସ୍ତୁଟି ନଥାଏ, ତେବେ ସିଏ ପିଲାମାନଙ୍କୁ ମଧ୍ୟ ଭାରି ଶୀତଳ କରି ପକାଇବ । ଭାରତବର୍ଷରେ ହୁଏତ ସେହି ସାହସର ହିଁ ସବୁଠାରୁ ଅଧିକ ଅଭାବ ରହିଛି । ଏବଂ ସାହସ ନଥିଲେ ଜଣେ ଭଲ ମଣିଷକୁ କାହିଁକି ବା ଭଲ ଭଲ ମଣିଷ ବୋଲି କୁହାଯିବ ? ପୃଥିବୀର ସାଧୁସନ୍ଥମାନଙ୍କ ଭିତରେ ଭଲ ମଣିଷ ଅଧିକତର ସଂଖ୍ୟାରେ ରହି ଆସିଛନ୍ତି ବୋଲି ସେମାନଙ୍କର କିଛି ସାହସ ରହିଥିବା ଯେ ନିତାନ୍ତ ଉଚିତ ଥିଲା, ସେକଥା ଆମେ ହୁଏତ ଭାରି ସହଜରେ ଭୁଲି ବି ଯାଇଛୁ । ସାହସୀ ନହୋଇଥିଲେ ଜଣେ ଭଲ ମଣିଷ ଦୈତ୍ୟମାନଙ୍କୁ, ଉତ୍ପୀଡ଼କମାନଙ୍କୁ ଓ ଅତ୍ୟାଚାରୀମାନଙ୍କୁ ଆଗ ଡରେ । ସେମାନଙ୍କର ସମ୍ମୁଖୀନ ହୋଇପାରେ ନାହିଁ ଓ ତେଣୁ ସବୁଠାରୁ ଭଲ ଓ ନିରାପଦ ମନେକରି ସେମାନଙ୍କୁ ସହିଯାଏ । ଇତିହାସର ଅତ୍ୟାଚାରୀମାନଙ୍କ ସଭାରେ ଭୀରୁ ଭଲ ମଣିଷମାନେ ସତେ ଅବା ଧର୍ମପାଳନ କରି ପ୍ରଶସ୍ତିମାନ ଗାନ କରି ଆସିଛନ୍ତି । ଏକଦା କୁରୁସଭା ଭିତରେ ବିଚାରୀ ବୋହୂଟାକୁ ଆଣି ଯାହା କରାଯାଉଥିଲା, ଏବେ ମଧ୍ୟ ସେହିଭଳି କେତେ କ’ଣ ହେଉଛି । ଏବଂ ଭଲମାନେ ନିମକହାରାମ ହେବେନାହିଁ ବୋଲି ଆଦୌ କିଛି କରୁନାହାନ୍ତି ।

 

ତେଣୁ ପୃଥିବୀରେ ଏଣିକି ସାହସୀ ମଣିଷଙ୍କର ସଂଖ୍ୟା ହିଁ ବଢ଼ୁ । ଶିକ୍ଷାରେ ସାହସୀ ମଣିଷଙ୍କର କଥା ହିଁ ଅଧିକ କୁହାଯାଉ । ଯାବତୀୟ ନୈତିକତା ସମ୍ଭବତଃ ମସ୍ତିଷ୍କ ସ୍ଥାନରେ ହିଁ ରହିଥାଏ, ଯାହାଫଳରେ କି ମଣିଷମାନେ ସବୁଆଡ଼ୁ ବିଚାର କରି ଅର୍ଥାତ୍ ସବୁଠାରୁ ଅଧିକ ନିରାପଦ ମଣି ବୋଲି ମାନନ୍ତି, ନୀତିକୁ ମାନନ୍ତି, ରାଜାର ବାଧ୍ୟ ହୋଇ ରହନ୍ତି । ସାହସୀ ହୃଦୟଟା ହିଁ ଏପରି ଟାଣ ଏବଂ ଗ୍ରହଣଶୀଳ ହୋଇ ରହିଥିବା ଉଚିତ, ଯେପରିକି ତାହା ମସ୍ତିଷ୍କକୁ ମଧ୍ୟ ନିଜ ଆଡ଼କୁ ମଣାଇ ନେଇ ପାରୁଥିବ । ଭୀରୁମାନେ ମସ୍ତିସ୍କର କଥାକୁ ମାନି ମାନି ପୃଥିବୀରେ ନିରାପଦ ହୋଇ ରହିବେ ବୋଲି ବୋମାର ଗୋଲାମ ହେବା ପର୍ଯ୍ୟନ୍ତ ମଧ୍ୟ ଯାଇ ପହଞ୍ଚିଲେଣି ଓ ପୃଥିବୀକୁ କେତେସରି କରି ରଖିବାର ଚକ୍ରାନ୍ତ କଲେଣି । ହୃଦୟର କବାଟଗୁଡ଼ିକୁ ବୁଦ୍ଧିଆମାନେ ବନ୍ଦକରି ରଖିଛନ୍ତି ବୋଲି ଭୀରୁ ହୋଇ ବସିଛନ୍ତି ଓ ତଥାପି ବୃଦ୍ଧିର ଗଉଁଗୁଡ଼ାକୁ ମୋଟେ ଛାଡ଼ିପାରୁ ନାହାନ୍ତି-। ଭାରତବର୍ଷରେ ଆମେ ପାଠୁଆମାନେ ହିଁ ଅପେକ୍ଷାକୃତ ଅଧିକ ଭୀରୁ । ଅଧିକ ବୁଦ୍ଧିଆ ବୋଲି ଅଧିକ ଭୀରୁ କି ନୁହନ୍ତି, ସେକଥା କେବଳ ବିଧାତାଙ୍କୁ ହିଁ ଗୋଚର ଥିବ । ଗୁରୁଜନମାନେ ଆମକୁ ଯାହା କହନ୍ତୁ ପଛକେ, ଚାଲ ଆମେ ସାବା ଆଗ ସାହସୀ ହେବା । ନିଜର ହୃଦୟଯାଏ ଛୁଇଁ ପାରିବାକୁ ପ୍ରୟାସ କରିବା । ଭୀରୁ ମସ୍ତିଷ୍କଟାକୁ ମଧ୍ୟ ସେହି ଅନୁସାରେ ମଣକରି ଆଣିବା । ଆମର ବୁଦ୍ଧି ଆଦୌ ନୁହେଁ, ଆମର ହୃଦୟ ହିଁ ଆମକୁ ସାହାସୀ ହେବାର ଶିକ୍ଷା ଦେଇପାରିବ । ହୃଦୟ ଡୋର ଲଗାଇପାରେ ବୋଲି ସାହସର ଯୋଗ୍ୟ ହୁଏ । ପୃଥିବୀରେ ସାହସୀ ମଣିଷମାନେ ହିଁ ଅସଲ ପରିବର୍ତ୍ତନଗୁଡ଼ିକୁ ସମ୍ଭବ କରିଛନ୍ତି । ଭଲ ମଣିଷମାନେ ପୃଥିବୀଟାକୁ ଭାରି ଭୀରୁ କରି ରଖାଇଛନ୍ତି, ଭଗବାନଙ୍କ ବାଟକୁ ସତେଅବା ବନ୍ଦକରି ରଖିଛନ୍ତି । ଆମ ଆଗାମୀ କାଳଟି ସାହାସୀମାନଙ୍କ ନିମନ୍ତେ ହିଁ ଅପେକ୍ଷା କରି ରହିଛି ।

 

୨୬ । ୦୪ । ୧୯୯୯

Image

 

ସାହିତ୍ୟର ମନୋହରପୁର

 

ଦିନରେ ଏହି ବାସ୍ତବ ସଂସାରଟା ହିଁ ସବୁକିଛି । ରାତିକୁ ଯାଇ ସାହିତ୍ୟ । ଦିନବେଳେ ଜୀବନ, ରାତିକୁ ସାହିତ୍ୟ । ଦିନରେ ପ୍ରପଞ୍ଚପୁର ଓ ରାତିକୁ ଯାଇ ସାହିତ୍ୟପୁର । ଦିନରେ ମହାପ୍ରପଞ୍ଚପୁର ଏବଂ ରାତିକୁ ମନୋହରପୁର । ଅନେକ ଲେଖକ କେବଳ ରାତିକୁ ଯାଇ ଯାହାକିଛି ଲେଖନ୍ତି ବୋଲି ସ୍ୱୀକାର କରି କହିଥାନ୍ତି । ରାତିରେ ତୁମ ଆମ ପରି ସାଧାରଣ ମଣିଷମାନେ ଶୋଇପଡ଼ିଲେ ଯାଇ ଲେଖକମନେ ଲେଖନ୍ତି । ରାତି କେତେ ମନ କେତେ ହୁଏ, ହୁଏତ ରାତି ପାହି ଆସିବା ପରି ହୁଏ, ଲେଖକ ଚେଇଁଥାଏ ଓ ଲେଖୁଥାଏ । ଲେଖା ସରିଲେ ନିଶା ଛାଡ଼େ, ସକାଳ ହୁଏ । ବାସ୍ତବ ପୃଥିବୀଟା ମଧ୍ୟ ଫେରିବାକୁ ହୁଏ । ପୁଣି ଯାଇ ରାତିଯାଏ ଅପେକ୍ଷା କରିବାକୁ ପଡ଼େ । ବାଲ୍ମୀକି କ’ଣ ତାଙ୍କର ମହାକାବ୍ୟ ରାମାୟଣକୁ ରାତିରେ ଲେଖିଥିଲେ ? ବ୍ୟାସଦେବ ମଧ୍ୟ ମହାଭାରତର ସର୍ଜନା ସେହି ରାତ୍ରି ବେଳେ ହିଁ କରିଥିବେ । ସଂସାର ଭିତରର ଜୀବନଟା ସାହିତ୍ୟ ଲାଗି ମୋଟେ ଅନୁକୂଳ ନୁହେଁ । ତେଣୁ ଏହି ସଂସାର ଭିତରେ ତୁମେ ସାହିତ୍ୟକୁ କେବେହେଲେ ମନେ ପକାଇବ ନାହିଁ । ମନେ ପକାଇଲେ ହଇରାଣ ହେବ, ଭାରି କ୍ଲେଶ ଭୋଗ କରିବ । ସଭ୍ୟତାର କୋଉ ପାଦକୁ ଆସି ମଣିଷ ଏହିଭଳି ଭାବରେ ଜୀବନ ଏବଂ ସାହିତ୍ୟ ନିମନ୍ତେ ଦିନ ଓ ରାତିକୁ ଅଲଗା ଅଲଗା କରି ବାଣ୍ଟିଦେବାକୁ ମନାକଲା କେଜାଣି ? ସିଏ ସାହିତ୍ୟର ନିଶାରେ ପଡ଼ି ଏପରି କରିଥିବ ନା ସଂସାର ପାଖରେ ହାରିଯାଇ ସେକଥା କରିଥିବ ? ମତିମାନ୍‍ମାନେ ହୁଏତ ସେହି ଅଡ଼ୁଆଟିର କୌଣସି ସମାଧାନ ଦେଇପାରିବେ । ବାଲ୍ମୀକି କାବ୍ୟ ଲେଖିବା ସମୟରେ ଅରଣ୍ୟରେ ନିଜ ଆଶ୍ରମରେ ଥିଲେ । ଆମ ସମସ୍ତଙ୍କର ନିତିଦିନର ଅତିଚିହ୍ନା ଏହି ସଂସାର ଭିତରେ ରହିଥିବା ବେଳେ ସିଏ ରତ୍ନାକର ଦସ୍ୟୁ ନାମରେ ପରିଚିତ ଥିଲେ । ଘଟଣାକ୍ରମରେ ସିଏ ବାଲ୍ମୀକି ହେଲେ, ଆଶ୍ରମବାସୀ ହେଲେ । ସେହି ଅତି ପ୍ରାଚୀନ ଯୁଗଟାରୁ ହିଁ ସାହିତ୍ୟକୁ ସତେ ଅବା ଏକ ଅନ୍ୟ ଧନ୍ଦା, ଅନ୍ୟ ପୁର ଏବଂ ଅନ୍ୟ ଆଶ୍ରମ ବୋଲି କୁହା ହୋଇଆସିଛି । ସେହି ଅନ୍ୟ ପୁରଟିର ନାମ ହେଉଛି ମନୋହରପୁର । ଦିନଟାରେ ତୁମକୁ ଏହି ସଂସାରରେ ଯୁଝିବାକୁ ପଡ଼ିବ, ନାନା ଭଳି କୂଟ କରି ସଫଳ ହେବାକୁ ପଡ଼ିବ, ତେଣୁ କେବଳ ଏକ ମନୋହରପୁରରେ ଯାଇ ତୁମେ ସାହିତ୍ୟର କଳ୍ପନା କରିପାରିବ । ଏହି ସଂସାର ଭିତରେ ଯଦି ତଥାପି ସାହିତ୍ୟ ନାମକ ସତ୍ୟକୁ ମନ କରିବ, ତେବେ ତୁମେ ପୂରା ବେକୁଫ୍ ବନିଯିବ । ଏ କୁଳର ହେବ ନାହିଁକି ସେ କୁଳର ମଧ୍ୟ ହେବ ନାହିଁ । ତେଣୁ, ଦିନରେ ଜୀବନପୁରରେ ରହିଥିବ, ମଣିଷଙ୍କ ଭିତରେ କେଡ଼େ ସଫଳ, ସମର୍ଥ ଏବଂ ଶୋଭାବନ ଦେଖା ଯାଉଥିବ, ଏବଂ ରାତିରେ ସାହିତ୍ୟର ମନୋହରପୁରରେ ପ୍ରବେଶ କରିବ । ଉଶ୍ଵାସ ହେବ, ଉପଭୋଗ କରିବ । ସେତେବେଳେ ଆକାଶମଣ୍ଡଳର ତାରାମାନେ ସତେ ଆବ ତୁମର ଅତ୍ୟନ୍ତ ନିକଟ ହୋଇ ଆସିବେ । ଆମ ସାହିତ୍ୟକୁ ଏହିପରି ଏକ ମନୋହରପୁରର ଏକ ବିଶେଷ ସମ୍ପଦ ବା ବିଶେଷ ଭୋଗବସ୍ତୁରେ ପରିଣତ କରିଦେବା ଫଳରେ ସାହିତ୍ୟରେ କ’ଣ ହୋଇଛି ବା ନହୋଇଛି, ସେ କଥାର ମଧ୍ୟ ଏକ ବିଚାର କରାଯାଇପାରିବ ସତ, ମାତ୍ର ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ଏପରି ହେବା ଦ୍ଵାରା ଆମେ ଆମ ବିବେକର ଅନେକ ପୀଡ଼ାରୁ ରକ୍ଷା ପାଇଯାଇଛୁ ।

 

ଅଧିକାଂଶ ମନୁଷ୍ୟ ସଂସାର ଭିତରେ ଭାରି ଛନ୍ଦି ହୋଇ ପଡ଼ି ରହିଥିବା ସମୟରେ ଆଗେ ମୁଷ୍ଟିମେୟ କେତେକ ମଣିଷଙ୍କର ଯୋଗ ପାଇଁ ବାସନା ହେଉଥିଲା । ସେମାନେ ଯୋଗୀହେବା ନିମନ୍ତେ ସଂକଳ୍ପଳଟିଏ କରୁଥିଲେ ଏବଂ ସଂସାର ଛାଡ଼ୁଥିଲେ । ସଂସାରଟା ସ୍ଵାଦହୀନ, ଅନିତ୍ୟ ଏବଂ ପ୍ରବଞ୍ଚନାମୟ ବୋଲି ବୋଧ ହେଉଥିଲା । ଏକ ଅନ୍ୟ ସିଦ୍ଧି କୋଉ ଗଛର ଅଗଡ଼ାଳରେ ରହିଥିବା ଫଳ ପରି ଅତ୍ୟନ୍ତ ମନୋହର ଦେଖା ଯାଉଥିଲା । ଅସଲ ସୁଖ ଏଠାରେ ନୁହେଁ, ଅସଲ ସୁଖ ସେଠାରେ । ତାହା ହିଁ ଅସଲ ପ୍ରାପ୍ତି । ମାତ୍ର, ମଣିଷ ଇଚ୍ଛା କରିବା ମତ୍ରକେ ତ କଦାପି ସେଠାକୁ ଚାଲିଯାଇ ପାରିବ ନାହିଁ । ତେଣୁ, ଜୀବନଟା ଥିବାତକ ଏହି ସଂସାରରେ ରହିବାକୁ ହିଁ ପଡ଼ିବ । ମନୋହରପୁରର ଅନୁକରଣରେ ପୂର୍ବକାଳର ମୁନି ଏବଂ ରୁଷିମାନେ ଲୋକାଳୟ ମାନଙ୍କଠାରୁ ଅନେକ ଦୂରରେ ନିକାଞ୍ଚନ ଅରଣ୍ୟଦେଶରେ ନିଜର ଆଶ୍ରମଗୁଡ଼ିକୁ ନିର୍ମାଣ କରିଥିଲେ । ସେଠାରେ ମଧ୍ୟ ଆଶ୍ରମ ଲାଖି ମନୋହର ସଂସାରଟିଏ ଗଢ଼ି ଉଠୁଥିଲା । ରାଜାମାନେ ଶିକାରର ସନ୍ଧାନରେ ବାଟ ଭୁଲି ଅଚାନକ ବେଳେ ବେଳେ ସେଠାରେ ଯାଇ ପହଞ୍ଚିଗଲେ ସେଠାରେ ଯାବତୀୟ ସମାଦର ଲାଭ କରୁଥିଲେ ମଧ୍ୟ ଆଶ୍ରମ ତଥାପି ଏକ ଅନ୍ୟ ନମୁନା ହୋଇ ରହିଥିଲା । ଯୋଗାର ସାଧନା କରି ନିଜ ନିମନ୍ତେ ସ୍ଵତନ୍ତ୍ର ମନୋହରପୁର ଗୁଡ଼ିକୁ ଲୋଡ଼ି ଯେଉଁମାନେ ଆମର ଏହି ନିତିପ୍ରତି ସଂସାରକୁ ଛାଡ଼ି ଆନମନା ହୋଇ ତେଣେ ବାହାରି ଗଲେ, ସେମାନେ ଏହି ଆମରି ସଂସାରରେ ରହି ଯୋଗର ଚେତନାରେ ଜୀବନଟିଏ ବଞ୍ଚିଥିଲେ ଏହି ପୃଥିବୀଟା ସତକୁ ସତ କିପରି ଯେ ହୋଇପାରିଥାନ୍ତା, ଆମେ ମନ କଲେ ସେହି କଥାଟିର ବି ବିଚାର କରିପାରିବା ।

 

ସଂସାର ପାଇଁ ଅପାରଗ ହୋଇ ଯେଉଁମାନେ ସାହିତ୍ୟର ମନୋହରପୁରରେ ଯାଇ ବାସ କରୁଥାନ୍ତି ଏବଂ ରାତି ଓ ଦିନର ଦୁଇଟା ଅଲଗା ଅଲଗା ରାଜ୍ୟରେ ବାସ କରୁଥାନ୍ତି, ସେମାନେ ଏହି ଜୀବନଟାର ଉପକାର ନା ଅପକାର କ’ଣ କରୁଛନ୍ତି । ଯାବତୀୟ ସର୍ଜନାତ୍ମକତାକୁ ସେମାନେ ମନୋହରପୁରର ଆୟତକ୍ଷେତ୍ରଟି ଭିତରକୁ ଠେଲିଦେଇ ହୁଏତ ନିଜ ପାଇଁ ଆଶୁ ସମାଧାନଟାଏ ସିନା କରି ପକାଇଛନ୍ତି, ମାତ୍ର ସର୍ଜନାତ୍ମକତା ପାଇଁ ହିତ ବା ଅହିତ ପ୍ରକୃତରେ କ’ଣ କରୁଛନ୍ତି ? ଏବେ ଆମର ଚତୁର୍ଦ୍ଦିଗରେ ଯେଉଁମାନେ ଗ୍ରୀଷ୍ମ ଆସରମାନ ଜମାଇ ଆମକୁ ମନୋହରପୁର ଭିତରେ ଘଡ଼ିଏ ଥକା ମାରି କଲ୍ଲୋଳିତ ହେବା ସକାଶେ ଭଳି ଭଳି କଳାତ୍ମକ ଭାବରେ ଟିହାଇ ଡାକିବାରେ ଲାଗିଛନ୍ତି, ସେମାନେ ଆମକୁ ମଧ୍ୟ ଭାରି ପ୍ରଲୋଭନିଆ ଭାବରେ ଦୁଇ ଭାଗ କରି ରାଖି ଦେବା ପାଇଁ ଚକ୍ରାନ୍ତଟିଏ କରିନାହାନ୍ତି ତ ? ସେଠାକୁ ଯାଅ ଦେଖିବା, ଦିନର ଗଣ୍ଡାରମାନେ ମଖମଲିମାର୍କା ଚନ୍ଦନଟୋପା ମୁଣ୍ଡରେ ଲଗାଇଛନ୍ତି, କାହିଁକି କେଜାଣି ଭାରି ମହମହ ହୋଇ ବାସୁଛନ୍ତି, ଅତ୍ୟନ୍ତ କଳାତ୍ମକ ଭାବରେ ଧୋବ ଦିଶୁଛନ୍ତି । ସେଠାରେ କବିତା ପରେ କବିତା ପଢ଼ାଯାଉଛି । ସମସ୍ତେ ଖାଲି ଅଣନିଃଶ୍ୱାସୀ ହୋଇ ପଣା ପିଉଛନ୍ତି ଏବଂ ସେହି ପଣା ପିଇବାଟାକୁ ସଂସ୍କୃତିର ବୋଳ ଦେଇ ସେଠାରେ ରସିକମାନେ ତୁମ ପାଇଁ କେତେ କେତେ ପୁରର କଥା ଏବଂ ବାରତାଗୁଡ଼ାକୁ ଆଣି ତୁମ ଉପରେ ଅଜାଡ଼ି ପକାଉଛନ୍ତି । ସତେ ଅବା ମତିଭ୍ରମ କରାଇ ଦେଉଛନ୍ତି-। ସେମାନେ ଜଗନ୍ନାଥଙ୍କୁ ପାଟ ପିନ୍ଧାଇ ଆଲୁଅ ପକାଇ ମଞ୍ଚ ଉପରେ ଆଣି ବସାଇଛନ୍ତି-। ତୁମକୁ ସତେ ଅବା କୋଉ ଅଧ୍ୟାତ୍ମମାହାଲର ବେତନଭୋଗୀ ଦଲାଲଙ୍କ ପରି ଉତ୍ତୁଙ୍ଗ ବଚନିକାଗୁଡ଼ିକୁ ଶୁଣାଉଛନ୍ତି ଏବଂ ଚଉକି ଉପରେ ମଣ୍ଡଣି ହୋଇଥିବାରୁ କେଡ଼େ ମଣ୍ଡନ ଦେଖାଯାଉଛନ୍ତି । ଏହି ସବୁକିଛି ତୁମକୁ ଗୋଟା ସୁଦ୍ଧା ମନୋହରପୁରର ଏକ ଭ୍ରମ ଆଣି ଦେଇଯାଉଛି ।

 

ସାବଧାନ, ତୁମେ ମନୋହରପୁରରେ ମୋଟେ ସଂସାରର କଥା ପକାଇବ ନାହିଁ । ଜଗନ୍ନାଥଙ୍କ ଆଗରେ ମୋଟେ ଜଗତର କଥା ପକାଇବ ନାହିଁ । ସାହିତ୍ୟର ପଞ୍ଚବାଣରେ ପୂରାପୂରି ବିଦ୍ଧ ହୋଇ ରହିବାକୁ ତୁମେ, ମୋ ରାଣ, ପାଦତଳର ଭୂଇଁଟାକୁ ଏକାବେଳେକେ ପାସୋରିଦେବ । ରାତିଟାକୁ ପରମାର୍ଥ ଜ୍ଞାନରେ ଆପଣାର କରିନେବା ପାଇଁ ତୁମେ ଦିନଟାଏ, ବାସ୍ତବଟାଏ, ଅସନ୍ତୋଷଟାଏ ଏବଂ ଅଭୀପ୍ସାଟାଏ କେବେ କୋଉଠି ଥିଲା ବା ଅଛି ବୋଲି ଗୋଟାସୁଦ୍ଧା ଭୁଲିଯିବ-। ସବୁ ଭୁଲିଯାଇ ପାରିଲେ ଯାଇ ଏହି ମନୋହରପୁରିଆ ଭୋଗଗୁଡ଼ାକୁ ନିଜ ଭିତରକୁ ନାକଯାଏ ତେଣ୍ଡି ନେଇପାରିବ, ସୁଖ ପାଇବ । ଆମ ରାଜ୍ୟଟାରେ ପରମ ଭଗବାନଙ୍କର ଅପରିମିତ କୃପାରୁ ଏମନ୍ତଗୁଡ଼ିକ ଯେ ସମ୍ଭବ ହେଉଛି, ତୁମେ ପଣା ପିଉଥିବ ଏବଂ ତାହାକୁ ହିଁ ସ୍ମରଣ କରୁଥିବ-

 

ସାହିତ୍ୟକୁ ମନୋହରପୁରରେ ଆଣି ଖାପ ଖୁଆଇ ରଖିଥିବା ମହଜ୍ଜନମାନେ ଯେ ଆମର ପ୍ରୀତ୍ୟର୍ଥେ ଏତେ ଏତେ ସମ୍ଭବ କରିପାରିଛନ୍ତି, ଆମ ପାଇଁ ରାତିଗୁଡ଼ାକୁ ଏତେ ଏତେ ମନୋହର କରିବା ନିମନ୍ତେ ସେମାନେ ଯେ ନିଜର ଦିନଗୁଡ଼ାକ ପାଖରୁ ବାଁ ଖାଡ଼ିଆ ଦେଇ ଏଠାରେ ଆସି ମହଜୁଦ ହୋଇ ପହଞ୍ଚି ପାରିଛନ୍ତି, ସେଥିଲାଗି ତୁମେ ନିଜର ଭାଗ୍ୟଟାକୁ ହିଁ ଅଶେଷ ଧନ୍ୟବାଦ ଦେଉଥିବ । ସାହିତ୍ୟରେ ଏକଦା ଏକ ରୀତିଯୁଗ ଥିଲା, ଯେତେବେଳେ କି ରାତିଟାକୁ ହିଁ ରତିର ପ୍ରସାଧାନପୁରରେ ପଶି ସାଲୁରୁ ବାଲୁରୁ ହେବାଲାଗି ପରିପୂର୍ଣ୍ଣ କଳାତ୍ମକ ପ୍ରଶ୍ରୟ ମିଳି ପାରୁଥିଲା । ଏ ରାଜ୍ୟର ନାଥଙ୍କୁ ପ୍ରକୃତରେ ବହୁତ ଧନ୍ୟବାଦ ଯେ ସିଏ ଆମ ପାଇଁ ଏ ଯୁଗରେ ମଧ୍ୟ ସେଗୁଡ଼ିକୁ ସମ୍ଭାରି ମେଲି ଦେଇଛନ୍ତି ।

 

ଆପଣମାନେ ତାଙ୍କୁ ଆମର ଏହି ବାସ୍ତବ ଦିନମାନ ଗୁଡ଼ାକର ଦାଣ୍ଡରେ ଅବଶ୍ୟ ଭେଟିଥିବେ । କାହାକୁ ପୋଲିସ୍ ରୂପରେ ଭେଟିଥିବେ, ଆଉ କାହାକୁ ଓକିଲ ରୂପରେ ଭେଟିଥିବେ-। ଜଣେ ଡାକ୍ତର ହେଲେ ଆଉ ଜଣେ ଇଞ୍ଜିନିୟର । ଜଣେ ଅମଲା ତ ଆଉ ଜଣେ ଏକାବେଳେକେ ଉଚ୍ଚତମ ସ୍ଥାନରେ ଜଣେ ହାକିମ । ଜଣେ ଆପଣଙ୍କର ପ୍ରତିନିଧି ତ ଆଉ ଜଣେ ଆପଣଙ୍କର ମନ୍ତ୍ରୀ-। ସମସ୍ତେ ରାତିରେ ଏହି ମନୋହରପୁରର ଏହି ମହାବାସରଟି ଭିତରକୁ ଆସି ସତେ ଅବା ବିଶ୍ଵାବସୁ ଘରେ ସେ କାଳର ସେଇ ବିଦ୍ୟାପତି ଭଳି ଦେଖାଯାଉଛନ୍ତି । ଦିନର ଭେଷଟିକୁ ସେମାନେ ପାହାନ୍ତା ହେବଯାଏ କୋଉ ବୁଦାଟା ଭିତରେ ଲୁଚାଇ ଦେଇ ଆସିଛନ୍ତି କେଜାଣି-? ମନୋହରପୁରର ଅନନ୍ତ ମହିମା ଯେ ଏଠାରେ ରାତିଟାରେ ସମସ୍ତେ ଗୋଟାଏ ଗୋଟାଏ ରତିଗୋଳା ଫରୁଆ ପରି ଦେଖାଯାଉଛନ୍ତି । ରାତିରେ ସେମାନଙ୍କର ବଦନମଣ୍ଡଳ ଏକ ରହସ୍ୟପୂର୍ଣ୍ଣ ବିଶ୍ଵସନୀୟତାରେ କେଡ଼େ ବାଗରେ ଏବଂ କେତେ କେତେ ବାଟରେ ଖାଲି ଚହଟି ଉଠୁଛି । ଦେଶ ପାଇଁ ଜାତି ପାଇଁ ସେମାନେ ବେତା ବେତା କବିତା, ଗପ, ନାଟକ ଓ ରମ୍ୟରଚନା ଲେଖି ଥୋଇ ଦେଉଛନ୍ତି । ଦିନରେ କୋଉଠି ନିଜ ଆଗରେ ଶିଖଣ୍ଡୀ ହୋଇ ବସିରହିଥିଲେ ମଧ୍ୟ ରାତିରେ ଏହି ମନୋହରପୁରରେ ଭୀଷ୍ମ ପିତାମହଙ୍କ ପରି ଉଜ୍ଜଳ ଦେଖାଯାଉଛନ୍ତି । ଆମ କାଳରେ ଯେକୌଣସି ମହାଭାରତ ଯୁଦ୍ଧରେ ପ୍ରଥମ ଦିନରେ ସେନାପତି ହୋଇ ସେମାନେ ସତେ ଅବା ଏଠାକୁ ବିଜେ କରିଛନ୍ତି ଓ ସେମାନଙ୍କୁ ସ୍ଵୀକାର କର ବୋଲି କେଡ଼େ ଦର୍ପର ସହିତ ସଭାଟା ପାଖରେ ସାକୁଲେଇ ହେବାରେ ଲାଗିଛନ୍ତି । ରାତିର ମନୋହରପୁରରେ ମଙ୍ଗରାଜ ହୋଇ ବସିଥିବା ଏମାନେ ଦିନରେ ଏପରି ପାଉ ମାରିବାକୁ ମନସ୍ଥ କରିଥାନ୍ତି କାହିଁକି କେଜାଣି ?

 

ଏମାନଙ୍କର ଏହି ରାତିପାରିଧି ଗୁଡ଼ିକର ବିବରଣୀ ଆମ ଖବରକାଗଜ ମାନଙ୍କରେ ସମ୍ଭବତଃ ବେଶୀ ବାହାରେ । ସଚିତ୍ର ହୋଇ ବାହାରେ ଏବଂ ଦିନରେ ସେମାନେ ନିଜ ନିଜ ଜାଗାରେ କେଡ଼େ ଯୋଗ୍ୟ ବା ଅଯୋଗ୍ୟ ଭାବରେ ଆପଣାର ପରିଚୟ ଦିଅନ୍ତି, ଚାରିଆଡ଼କୁ ଅନାଇଦେବା ମାତ୍ରକେ ସେଗୁଡ଼ାକ ହୁଏତ ଭାରି ଜଳଜଳ କରି ଦେଖିହୁଏ । ଦେଶଟିଏ ସ୍ଵାଧୀନ ହେବାପରେ ଯେଉଁମାନେ ଏଠାରେ ବାସ କରୁଥିବା କୋଟି କୋଟି ମଣିଷଙ୍କ ପାଇଁ ରହିଥିବା ନିଜର କରଣୀୟଗୁଡ଼ିକ ଆଡ଼େ ବେଶୀ ମନ ନଦେଇ ରାତିର ସୁଆଙ୍ଗଗୁଡ଼ିକୁ ଅଧିକ ମନ ଦେଲେ, ସାହିତ୍ୟ ଏବଂ ସଂସ୍କୃତିକୁ ଅତ୍ୟନ୍ତ ଭେଷରା ଭାବରେ ଏକ ମନୋହରପୁରରେ ପରିଣତ କରି ରଖିବାରେ ସେମାନେ ଆଉ ଅଧିକ ମତି ଏବଂ ଅଧିକ ବୁଦ୍ଧି ଖର୍ଚ୍ଚ କଲେ କି ? କ’ଣ ପାଇଁ ବା କ’ଣ ବିଚାରି ସେମାନେ ଏପରି କଲେ, ସେକଥାର ବିଚାର କିଏ କରିବ ? ମାତ୍ର ଏ କଥାଟି ଏକାନ୍ତ ସତ୍ୟ ଯେ, ନିତାନ୍ତ ବାଧ୍ୟ ନହେବା ପର୍ଯ୍ୟନ୍ତ ସେମାନେ ସେମାନଙ୍କ ପଟୁ ସେହି କଥାଟିକୁ ମୋଟେ ପକାଇବେ ନାହିଁ । ଦରମା ବଢ଼ି ବଢ଼ି ଯାଉଥିବ, ପଟି ମାରିନେବାର କୌଶଳଗୁଡ଼ାକ ପ୍ରାୟ ବିଶ୍ଵରୂପ ହେବାରେ ଲାଗିଥିବେ, ମାତ୍ର ତଥାପି ଦାଣ୍ଡରେ ସେହି ବିଷୟରେ ମୋତେ କିଛି ପଡ଼ିବ ନାହିଁ । ଦିନ ବେଳର ଏହି ପଟି ମାରୁଥିବା ମଣିଷମାନେ ଆପଣା ଆପଣା ଭିତରେ ସଲାସୂତର କରି କ’ଣ ପ୍ରକୃତରେ ଏଠି ରାତିଟାକୁ ହିଁ ଅଧିକ ଜାକଜମକ ଦ୍ଵାରା ଖଚିତ କରି ରଖିଥାନ୍ତି କି ? ଆମର ଏହି ଭୂମିରେ ଯେଉଁଦିନଠାରୁ ସରସ୍ୱତୀଙ୍କୁ ଲକ୍ଷ୍ମୀବେଶ କରି ନେଇ କେତେ ଲୋକ ପେଚା ଉପରେ ବସାଇ ଦେଲେଣି, ସମ୍ଭବତଃ ସେହି କାଳରୁ ହୁଏତ ସାହିତ୍ୟକୁ ମୁଖ୍ୟତଃ ଏକ ମନୋହରପୁରରେ ପରିଣତି କରି ଦିଆଗଲାଣି । ପ୍ରଧାନତଃ ବାସ୍ତବବିମୁଖ ସୁକୁମାରମାନେ ହିଁ ସାହିତ୍ୟ ଭିତରେ ବିହରଣ କରୁଛନ୍ତି । ବାସ୍ତବାରୁ ଖାଉଛନ୍ତି, ବାସ୍ତବର କାନ୍ଧ ଉପରେ ପଡ଼ିଥିବା ଚଉକୀମାନଙ୍କ ଉପରେ ରାଜା ହୋଇ ବସିଛନ୍ତି ଏବଂ ବେଶ୍ ମନୋହର ସ୍ଵପ୍ନମାନ ଦେଖୁଛନ୍ତି ।

 

ବାସ୍ତବକୁ ନେଇ ଯେ ସ୍ଵପ୍ନ ଦେଖା ଯାଇପାରେ, ବାସ୍ତବାରୁ ଚମ୍ପଟ କରିବା ପାଇଁ ମନୋହରପୁରରେ ଆଶ୍ରୟ ଗ୍ରହଣ କରିଥିବା ଆଜ୍ଞାମାନେ ସେକଥା କାହୁଁ ଜାଣିବେ ? ମାତ୍ର କାଳଦ୍ଵାରା ପରୀକ୍ଷିତ ଏକମାତ୍ର ସତ୍ୟକଥାଟି ହେଉଛି ଯେ, କେବଳ ବାସ୍ତବର ଗୋଡ଼ ଉପରେ ଛିଡ଼ା ହୋଇ ଦେଖାଯାଇ ପାରୁଥିବା ସ୍ଵପ୍ନମାନେ ହେଉଛନ୍ତି ସୁସ୍ଥ ସ୍ଵପ୍ନ ଏବଂ ସେହିଭଳି ସ୍ଵପ୍ନମାନ ଦେଖୁଥିବା ବ୍ୟକ୍ତିମାନେ ହିଁ ସୁସ୍ଥ ବ୍ୟକ୍ତି । ଏବେ ଆମର ସାମୂହିକ ଜୀବନକୁ ଉପେକ୍ଷା, ଉଦାସୀନତା ଏବଂ ସେହିପରି ଆଉ ଯେଉଁସବୁ ଅସୁସ୍ଥତା ଏଡ଼େ ପରାକ୍ରମ ସହିତ ମାଡ଼ି ବସିଛି, ଆମେ ନିଜର ଅସଲ ଧାତୁଗୁଡ଼ିକରେ କେଉଁଠି ପ୍ରଧାନତଃ କେବଳ ଆପଣା ପାଇଁ ଯଥାସମ୍ଭବ ସବୁକିଛିକୁ ମାଡ଼ି ବସି ଅନ୍ୟ ଅନେକଙ୍କୁ ବଞ୍ଚିତ କରି ରଖିବାକୁ ମନ କରୁଛୁ ବୋଲି ସେଭଳି ହେଉଛି କି ? ଜୀବନଟାକୁ ଦୁଇଭାଗ କରି ଯେଉଁମାନେ ଗୋଟାଏ ଭାବରେ ପ୍ରବଞ୍ଚକ ବନି ଆର ଭାଗଟାରେ ରସିକ ସାଜୁଛନ୍ତି, ମଣିଷ ଭିତରେ ପ୍ରବଞ୍ଚକ ଏବଂ ରସିକ ଉଭୟଟାର ଖବର ରଖୁଥିବା ଭଗବାନ ସେମାନଙ୍କର ପାରିବାପଣିଆ ଗୁଡ଼ିକୁ ଦେଖି ହୁଏତ ବଡ଼ ତାଟକା ହୋଇ ଯାଉଥିବେ । ଏଭଳି ମନୁଷ୍ୟମାନେ ଯେ ଆମର ପୃଥିବୀଟାକୁ ଭାରି ଅସୁସ୍ଥ ଏବଂ ନିର୍ମମ କରି ରଖିଲେ, ସବୁ ମଣିଷଙ୍କର ନିଦ ଭାଙ୍ଗିବାକୁ ଯାଉଥିବା ଆମ ଏ ଯୁଗରେ ଯାଇ ସେହି ତଥ୍ୟଟା କ୍ରମେ ଅଧିକରୁ ଅଧିକ ମଣିଷଙ୍କର ଅନୁଭବକୁ ଆସିବାକୁ ଆରମ୍ଭ କରୁଛି ।

 

ମଣିଷ ଯେ ଆଉ ସଂସାରଟାକୁ ଅସୁନ୍ଦର ଦେଖି ଆଦୌ କୌଣସି ମନୋହରପୁରକୁ ଘଡ଼ିକ ନିମନ୍ତେ ପଳାଇ ଯିବ ନାହିଁ ଅଥବା ନିଜ ଭିତରର ଅସୁନ୍ଦରଗୁଡ଼ାକୁ ଲୁଚାଇ ରଖିବା ନିମନ୍ତେ ସିଏ ସାହିତ୍ୟରେ ମନୋହର ଦେଖାଯିବାକୁ କୌଣସି ହାସ୍ୟସ୍ପଦ ଉଦ୍ୟମ କରିବ ନାହିଁ, ଏହି ଆଭାସଗୁଡ଼ାକ ଆମ ପୃଥିବୀର ଜୀବନରେ କ୍ରମେ ଅଧିକରୁ ଅଧିକ ସ୍ପଷ୍ଟ ଭାବରେ ପ୍ରକଟ ହୋଇଆସୁଛି । ମଣିଷ ନିଜେ ସୁନ୍ଦର ହେବ । ତା’ ସଂସାରଟିକୁ ସୁନ୍ଦର କରି ଗଢ଼ିବ ଏବଂ ତା’ର ସାହିତ୍ୟ ମଧ୍ୟ ତା’ର ସେହି ଉଦ୍ୟମରେ ତା‘ ର ସହଯୋଗ କରିବ, ତାକୁ ପ୍ରେରଣା ଦେବ ।

 

ପୃଥିବୀଟାଯାକ ବହୁ ଅଶାନ୍ତି ଦ୍ଵାରା ବିକ୍ଷୋଭପୂର୍ଣ୍ଣ ହୋଇ ରହିଛି ବୋଲି ଆମର ପାରମ୍ପରିକ ସାହିତ୍ୟ ଆମକୁ ଏଠୁ ଆଉ କୁଆଡ଼େ ପଳାଇଯିବାକୁ କେତେ ପ୍ରରୋଚନା ଦେଇଆସିଛି-। ଭଗବାନଙ୍କ ପାଇଁ ଲେଖା ହୋଇଥିବା ଆମର ସ୍ତବ, ସ୍ତୁତି, ଜଣାଣ ଓ ଭଜନଗୁଡ଼ିକ ମଧ୍ୟ କେଡ଼େ ବିକଳ ଭାବରେ ଏଠୁ ସତେ ଅବା ଆଉ କେଉଁ ଚିରଶାନ୍ତିପୁରକୁ ପଳାଇ ଯିବା ପାଇଁ ଗୁହାରି କରିଆସିଛି । ତଥାକଥିତ ଆମ ଆଧୁନିକ ସାହିତ୍ୟକୁ ମଧ୍ୟ ପଳାଇଯିବାର ଏହି ବାବାଜିଆ ଗେଲବସରିଆ ନିଶାଟା କମ୍ ଘାରି ରହିନାହିଁ । ବର୍ତ୍ତମାନର ସଂସାରରେ ରହିଥିବା ଅସୁନ୍ଦରତା ଗୁଡ଼ିକର ଅନେକାଂଶରେ ଯେ ଆମ ନିଜ କାରଣ ପରି କାର୍ଯ୍ୟ କରୁଛୁ, ସେହି କଥାଟିକୁ ସ୍ଵୀକାର କରିବାର ସାହସ ଆମ ପାଖରେ ନାହିଁ ବୋଲି କ’ଣ ଆମେ ଏପରି କରୁଛୁ କି ? ଅଥବା, ଏହି ପୃଥିବୀଟା ଯେଉଁଭଳି ଅଛି ସେହିଭଳି ହୋଇ ରହିଥାଉ, ଆମେ ମାତ୍ର ଅଳପ ମଣିଷ ଦିନରେ ରତ୍ନାକର ବନି ରାତିରେ ମନୋହରପୁରର ବିଳାସ ଭିତରେ ଆତ୍ମଗୋପନ କରି ରହିଥାଉ ବୋଲି ଏକ ମତଲବରେ ସେହିପରି କରିବାରେ ଲାଗିଛୁ ? ସମ୍ଭବତଃ, ଅସଲ କଥା ହେଉଛି, ଆମର ବାସ୍ତବ ଅନୁସାରେ ହିଁ ଆମର ସାହିତ୍ୟ । ବାସ୍ତବର ଜୀବନରେ ଆମେ ଲମ୍ପଟ ବନି ପରସ୍ପରକୁ ଗିଳି ପକାଇବା ନିମନ୍ତେ ତରବର ହୋଇ ରହିଥିବା ଯାଏ ଆମର ତଥାକଥିତ ସାହିତ୍ୟଟାକୁ ମଧ୍ୟ ଆମେ ମନୋହରପୁର କରି ସଜାଇ ରଖିବାଲାଗି ହିଁ ମନ କରୁଥିବା ଏବଂ ତାହାକୁ ହିଁ ରୀତି ବୋଲି କରୁଥିବା ଏବଂ ବାସ୍ତବ ବଦଳିଗଲେ ରୀତି ମଧ୍ୟ ବଦଳିଯିବ । ବାସ୍ତବ ସବୁ ମନୁଷ୍ୟଙ୍କୁ ସ୍ଵୀକାର କରିବ, ଏକ ଅନ୍ୟ ପାରସ୍ପରିକତା ନିମନ୍ତେ ଆହ୍ଵାନ ଦେବ, ମଣିଷ ମଣିଷ ପାଖରେ ସହଜ ହେବ, ସିଏ ନିଜର ଦୁଃଖକୁ ଏଡ଼େବଡ଼ ପଥର ମୁଣ୍ଡାଟାଏ ପରି ଦେଖାଇ ସେଥିରୁ ମୁକ୍ତ ହେବା ଲାଗି ଭଗବାନଙ୍କ ପାଖରେ ଯାଇ କଦାପି ବିଳାପ କରିବ ନାହିଁ ।

 

ଆମ ସାମୂହିକତାର ବ୍ୟବସ୍ଥାଗୁଡ଼ିକ ଭିତରେ ଦୂରତା ଯଥାସମ୍ଭବ କମ୍ ରହିବା—ତେବେ ଆମର ସାହିତ୍ୟ ବଦଳିଯିବ, ଆମ ଅନ୍ଵେଷଣ ଗୁଡ଼ିକର ସଂଜ୍ଞା ମଧ୍ୟ ବଦଳିଯିବ । ଯୋଗର ସାଧନା କହିଲେ ସେତେବେଳେ ସତକୁ ସତ ଯୁକ୍ତ ହେବାର ଏକ ନିଷ୍କପଟ ପ୍ରୟାସକୁ ହିଁ ବୁଝାଇବ ଏବଂ ଆମର ସାହିତ୍ୟ ସେହି ପ୍ରୟାସରେ ହିଁ ସହଯୋଗ କରି ଧନ୍ୟ ହେବ ।

 

ଯୋଗୀମାନେ ଆଉ ମୋଟେ ଅରଣ୍ୟ ମଧ୍ୟକୁ ପଳାଇବେ ନାହିଁ । ଆମର ଦିନଗୁଡ଼ିକ ତଥାକଥିତ ସର୍ଜନାତ୍ମକତା ଦ୍ଵାରା ଦଣ୍ଡେ ଭୁଲି ରହିବା ଲାଗି ରାତିରେ ଆଦୌ କୌଣସି ମନୋହରପୁର ଭିତରେ ଯାଇ ପଶିବାର ପ୍ରୟୋଜନ ରହିବ ନାହିଁ । ସେତେବେଳେ ଆମ ସାହିତ୍ୟରେ ଧାତୁଟା ହିଁ ବଦଳିଯିବ । ଅନ୍ୟ ଅନେକଙ୍କୁ ବଞ୍ଚିତ କରି କେବଳ ଆପେ ଅଧିକରୁ ଅଧିକ ଭାଗରେ ଅଧିକାରୀ ହୋଇ ରହିବା, ସେତେବେଳେ ତାହାହିଁ ସମ୍ଭବତଃ ଏକମାତ୍ର ଅପରାଧ ହୋଇ ରହିବ ।

Image

 

ମୁଁ ଓଡ଼ିଆରେ ବି କହିପାରିବି

 

ବକ୍ତା ଭାଷଣ ଦେବାପାଇଁ ଉଠିଲେ । ଆହୁରି ପାଞ୍ଚ ସାତଜଣ ବକ୍ତାଙ୍କ ସହିତ ସେ ଏକାଠି ମଞ୍ଚ ଉପରେ ବସିଥିଲେ । ସଂଧ୍ୟା ରତ ରତ ହୋଇ ଆସୁଥାଏ । ସେପାଖରୁ ପୁସ୍ତକ ମେଳା ପ୍ରାଙ୍ଗଣର ଧୂଳିସ୍ତୂପଟ ପରିବେଶଟାକୁ ଭାରି ଘୁଙ୍ଗାଳି ଅବଶପ୍ରାୟ କରି ରଖିଥାଏ । ପୂର୍ବରୁ ଆଉ ଯେଉଁମାନେ ଭାଷଣ ଦେଇଥିଲେ, ସେମାନେ ସମସ୍ତେ ଓଡ଼ିଆରେ ଭାଷଣ ଦେଉଥିଲେ । ବକ୍ତା ଉଠି ଆଗ ଓଡ଼ିଆରେ ତିନି ଚାରିପଦ କ’ଣ ସବୁ କହିଲେ । ତା’ପରେ ଇଂରାଜୀର ମୁଣି ଭିତରକୁ ଡେଇଁପଡ଼ିଲେ ଓ ଇଂରାଜୀରେ କହିଲେ । ଶ୍ରୋତାମାନଙ୍କର ମଣ୍ଡଳୀଟା ସେଥିରେ ବେଶ୍ ଅଶ୍ଵସ୍ତି ବୋଧ କରୁଥାଏ । ବକ୍ତାଙ୍କୁ ମଧ୍ୟ ଆଶ୍ଵସ୍ତ ଲାଗିଥିବ । ତାଙ୍କର ଇଂରାଜୀରେ ଭାଷଣ ଦେବାଟାକୁ ଯେ ସମ୍ମୁଖସ୍ଥ ଜନତା ପସନ୍ଦ କରୁନାହିଁ, ସେକଥା ସିଏ ଅବଶ୍ୟ ବୁଝିପାରିଲେ । ପରିସ୍ଥିତିଟାକୁ ସମ୍ଭାଳି ନେବାପାଇଁ ସିଏ ‘‘ମୁଁ ଓଡ଼ିଆରେ ବି କହିପାରିବି’’ ବୋଲି ଏଡ଼େ ପାଟିକରି କହିଲେ । ତା’ପରେ ପୁନର୍ବାର ଇଂରାଜୀ ଭାଷାରେ କହିଲେ । ଦୀର୍ଘକାଳ ଧରି ଇଂରାଜୀର ଶବ୍ଦପସରାଟିକୁ ଅଜାଡ଼ି ଦେଉଥିଲେ ।

 

ବକ୍ତା ଓଡ଼ିଆରେ ଭାବୁଥିଲେ ଏବଂ ଇଂରାଜୀରେ ସେହି ଭାବନାଗୁଡ଼ିକୁ ଅନୁବାଦ କରି ଭାଷଣ ଦେଉଥିଲେ । ଯଦି ଓଡ଼ିଆରେ କହିଥାନ୍ତେ, ତେବେ ସମ୍ଭବତଃ ଇଂରାଜୀରେ ଭବିଥାନ୍ତେ ଓ ଓଡ଼ିଆରେ ସେଗୁଡ଼ିକର ଅନୁବାଦ କରି କହିଥାନ୍ତେ । ସେଦିନ ଓଡ଼ିଆରେ ଭାବି ଇଂରାଜୀରେ କହିବାର ଛଳରେ ସିଏ ପ୍ରାୟ ଅଧଘଣ୍ଟାଏ କାଳ ଯେପରି ଢଙ୍ଗରେ ଯାହା କହିଲେ, ତାହାକୁ ଶୁଣି ଇଂଲଣ୍ଡରେ ଗୋପୀମାନେ ହୁଏତ ହସି ହସି ଏପରି ଗଡ଼ି ଯାଇଥାନ୍ତେ ଯେ, ସେମାନଙ୍କ ଆଖିରୁ ନିଶ୍ଚୟ ଲୁହ ବୋହି ଆସିଥାନ୍ତା । ବକ୍ତା ଯଦି ଓଡ଼ିଆରେ ସତକୁ ସତ କହିପାରିଥାନ୍ତେ, ତେବେ ସିଏ ସେହି ଓଡ଼ିଆରେ ନ କହି କ’ଣ ପାଇଁ ବା କ’ଣ ଭାବି ଇଂରାଜୀରେ କହିଲେ ? ଓଡ଼ିଶାରେ ଓଡ଼ିଆଙ୍କର ମେଳରେ ଯେଉଁମାନେ ଓଡ଼ିଆରେ କହିପାରିବେ ବୋଲି ପ୍ରଥମେ କହି ତା’ପରେ ଇଂରାଜୀରେ ମାଟି ଗାଳିବାରେ ଲାଗିଯାଆନ୍ତି, ସେମାନେ ସତକୁ ସତ ମୋଟେ ଓଡ଼ିଆରେ କହିପାରନ୍ତି ନାହିଁ । ଓଡ଼ିଆରେ କହିବାକୁ ତ ମନ କରନ୍ତେ ନାହିଁ, ତେବେ ଓଡ଼ିଆରେ କହିପାରନ୍ତେ ମଧ୍ୟ କେମିତି ? ମୁଁ ବକ୍ତାଙ୍କର ଭାଷଣ ଶ୍ରବଣ କରୁଥିବା ସମୟରେ ଭାବୁଥିଲି, ଜଣେ ଭଦ୍ରଲୋକ ଆମ ଘରକୁ ଆସି ବସିବା ପରେ ତାଙ୍କୁ ଯେତେବେଳେ ଆମେ ଗିଲାସେ ପାଣି ପିଇବାକୁ ଦେଲୁ, ସିଏ ନିଜ ମୁଣିରୁ କୁମ୍ପାଟିଏ ବାହାର କରି ସେଥିରେ ରହିଥିବା କ’ଣ ଅନ୍ୟ ଗୋଟିଏ ପଦାର୍ଥ ପାନ କରିବାକୁ ଲାଗିଲେ । ବୁଝିଲା ବେଳକୁ ଅର୍ଥାତ୍ ବାସ ଆସିବାରୁ ବୁଝାପଡ଼ିଲା ଯେ, ସିଏ ମଦ ପିଉଛନ୍ତି । ମନେକରନ୍ତୁ, ତାଙ୍କର ଏଭଳି ଛଳ ଆଚରଣରେ ଆମେସବୁ ମୁହଁଟାକୁ କେମିତି କେମିତି କରି ତାଙ୍କ ଆଡ଼କୁ ଅନାଇ ରହିଲୁ ଏବଂ ସିଏ ତତ୍‍କ୍ଷଣାତ୍‍ ବୀର ପରି କହି ପକାଇଲେ ଯେ ସିଏ ପାଣି ବି ଅବଶ୍ୟ ପିଇପାରିବେ । କହିଲେ ଏବଂ ଗଳ ଗଳ କରି ମଦ ପିଇବାକୁ ଲାଗିଲେ, ଠିକ୍ ଯେପରି ସେଦିନ ସଭାରେ ଆମ ଆଜ୍ଞା ଜଣକ “ମୁଁ ଓଡ଼ିଶାରେ ବି କହିପାରିବି’’ ବୋଲି କହି ଗଳ ଗଳ ଇଂରାଜୀ କହିବାକୁ ଆରମ୍ଭ କରିଦେଲେ ।

 

ଏ କଥାରେ କୌଣସି ସନ୍ଦେହ ନାହିଁ ଯେ ମଣିଷ ମାତ୍ରକେ ସମସ୍ତେ ପାଣି ପିଇପାରିବେ-। ଅତ୍ୟନ୍ତ ସ୍ଵାଭାବିକ ଭାବରେ ହିଁ ପିଇପାରିବେ । ମଣିଷ ମାତ୍ରକେ ସମସ୍ତେ ସବାଆଗ ପାଣି ହିଁ ପିଇ ଶିଖିଥାଆନ୍ତି । ବହୁତ ପରେ ଯାଇ ସଉକରେ ଅଥବା ଗରଜରେ ପଡ଼ି ମଦ ପିଇ ଶିଖନ୍ତି । କେତେକ ମଣିଷ ସେମାନଙ୍କ ଭିତରେ କ’ଣ ଟାଏ କେଉଁଠାରେ ବିଗିଡ଼ି ଯାଇଥିଲେ ଯାଇ ମଦ ପିଇ ଶିଖନ୍ତି ଏବଂ ମଦ ପିଅନ୍ତି । ପାଣି ଓ ମଦ ଦୁଇଟାଯାକ ଥୁଆ ହୋଇଥିଲେ ମଧ୍ୟ ସେମାନେ ଆଗ ମଦ ପଟଟିକୁ ଢଳିପଡ଼ନ୍ତି ଏବଂ ଆପଣାକୁ ଆପ୍ୟାୟିତ କରନ୍ତି-। କେହି ଶଙ୍କିତ ବା ବିସ୍ମିତ ଭାବରେ ସେମାନଙ୍କ ଉପରେ ଦୃଷ୍ଟିପାତ କଲେ ସତେ ଅବା କୋଉ ବାହାଦୂରଟାଏ ପରି “ମୁଁ ପାଣି ପିଇ ପାରିବି’’ ବୋଲି କହନ୍ତି ଓ ନିଜକୁ ବୋଧ ଦିଅନ୍ତି । ମୁଁ ତୁଳନା କରି ଭାବୁଥିଲି, ଯିଏ ‘‘ମୁଁ ଓଡ଼ିଆରେ ବି କହିପାରିବି’’ ବୋଲି ଢାବା ମାରି ତା’ପରେ ଇଂରାଜୀରେ ଭାଷଣ ଗାଳିବାକୁ ଆରମ୍ଭ କରନ୍ତି, ତାଙ୍କୁ ଭିତରେ ସତକୁ ସତ କିଛି ବିଗିଡ଼ି ଯାଇଥାଏ କି ? ଏହି ପ୍ରଶ୍ନଟିକୁ ସେମାନଙ୍କୁ ପଚାରିଲେ ସେମାନେ ପ୍ରକୃତରେ କି ଉତ୍ତର ଦିଅନ୍ତି କେଜାଣି-?

 

ସେମାନଙ୍କର ଉତ୍ତର ସେହିମାନେ ହିଁ ଅବଶ୍ୟ ଦେବେ, ମାତ୍ର ବହୁତ ବହୁତ ସତ୍ୟ ଅନ୍ଦାଜ ସହିତ ଗୋଟିଏ କଥା ଅବଶ୍ୟ କୁହାଯିବ ଯେ, ଆମ ସାମୂହିକ ଜୀବନର ଏହି ହାୱାଟାରେ ସୁନିଶ୍ଚିତ ଭାବରେ ଗୋଟିଏ କ’ଣ ଭାରି ବିଗିଡ଼ି ଯାଇଛି । ଗୋଟାଏ ନୁହେଁ, ହୁଏତ ବହୁତୁ କିଛି ବିଗିଡ଼ି ଯାଇଛି । ଯେଉଁ ପରିମଳଟା ସବାଆଗ ରହିଲେ ଏଠି ସବୁକିଛି ସ୍ଵାଭାବିକ ଲାଗନ୍ତା, ଏକାବେଳକେ ନିଜର ଘର ପରି ଲାଗନ୍ତା, ସେହି ପରିମଳଟା ହିଁ ବିଗିଡ଼ି ଯାଇଛି । କର୍କଟ ରୋଗରେ ଯେପରି କୌଣସି ନିର୍ଦ୍ଧିଷ୍ଟ ଜୀବାଣୁ ବାହାର କରି ଦେଖାଇ ହେଉନାହିଁ ଅଥଚ ସେହି ରୋଗଟା ଦେହ ଭିତରେ ଆସି ପଶିଲେ ଦେହର ମୂଳ ଔଚିତ୍ୟଟା ହିଁ ପ୍ରାୟ ଅଣଅକ୍ତିଆର ଭାବରେ ବିଗିଡ଼ି ଯାଉଛି, ଓଡ଼ିଆରେ ବି କହିପାରିବି ବୋଲି ପୁଡ଼ିଆ ମାରୁଥିଲେ ମଧ୍ୟ ଆମେ ଯେତେବେଳେ ପୃଥିବୀଯାକ କେଉଁଠି ହେଲେ ନାହିଁ ନଥିବା ଇଂରାଜୀରେ ଭକ୍ ଭକ୍ କରି କ’ଣ ସବୁ ଉକାଳି ପକାଉଛୁ, ସେତେବେଳେ ଆମ ଜୀବନର ଦିକ୍ ପ୍ରସ୍ଥଗୁଡ଼ିକୁ କୋଉଠି କେଉଁ ଭାବଗତ କିମ୍ବା ଭ୍ରମଗତ କର୍କଟ ଆସି ଗୋଟାସୁଦ୍ଧା ବିଗାଡ଼ି ଦେଇଥିବା ପରି ଭାରି ସନ୍ଦେହ ହେଉଛି । ଅକଲ ରହିଥିବା ସବୁଯାକ ବିଜ୍ଞାନ କହିବେ ଯେ, ସବାଆଗ ନିଜର ଘରେ କୁହାଯାଉଥିବା ଭାଷାଟିକୁ ମୂଳଦୁଆ ପରି ବ୍ୟବହାର କରି ହିଁ ଜଣେ ମଣିଷ ପୃଥିବୀରେ ଦ୍ଵିତୀୟ ଭାଷାଗୁଡ଼ିକୁ ସହଜରେ ଶିକ୍ଷା କରିପାରିବ । ପୃଥିବୀଯାକ ସମସ୍ତେ ଆଗ ପାଣି ପିଇ ଶିଖନ୍ତି ଏବଂ ତା’ପରେ ଅନ୍ୟ ଯାବତୀୟ ପାନର ଅମଳକୁ ମନ କରନ୍ତି । ମଦ ବା ସେହିପରି କୌଣସି ପଦାର୍ଥକୁ ମନକରି ଯିଏ ପାଣିକୁ ଅରୁଚି ଦେଖାଉଛି, ତା’ ଭିତରେ ନିଶ୍ଚୟ କୋଉଠାରେ କ’ଣ ବିଗିଡ଼ି ଯାଇଛି ବୋଲି ପ୍ରାୟ ଆଖି ବୁଜି କହି ଦିଆଯାଇ ପାରିବ । ବିଲାତରେ କୋଉ ପିଲା କିମ୍ବା ବଡ଼ କେବେହେଲେ ମୁଁ ଇଂରାଜୀରେ ବି କହିପାରିବି ବୋଲି ପ୍ରଥମେ ଢମ କରି ତା’ପରେ ଗ୍ରୀକ୍ ବା ଲାଟିନ୍ ଭାଷାରେ କଦାପି କହିବାକୁ ବସିବ ନାହିଁ । ଯଦି ସେପରି କେହି କରେ, ତେବେ ତା’ଭିତରେ ବାଧ୍ୟରେ କଉଁଠି କ’ଣ ବିଗିଡ଼ି ଯାଇଛି ବୋଲି ସମ୍ପୃକ୍ତ ସମସ୍ତେ କହିବାକୁ ଲାଗିବେ ଓ ଛି ଛି କରି ତା’ ଉପରକୁ ପଚା ବିଲାତି ବାଇଗଣ ଅଥବା ପଚାଅଣ୍ଡା ଫିଙ୍ଗି ବାହାରିବେ ।

 

ଯେକୌଣସି ସଳଖ ସମାଜରେ ଯେଉଁମାନଙ୍କ ଆଡ଼କୁ ହୁଏତ ପଚାଅଣ୍ଡା କିମ୍ବା ପଚା ଆଳୁ ଫୋପଡ଼ା ଯାଇଥାନ୍ତା, ବଛା ବଛା ସେହିମାନେ ହିଁ ଆମ ଜୀବନ ଶାସନର ଶୀର୍ଷରେ ରହି ଆମକୁ ଇଂରାଜୀ ପ୍ରୀତି ଦେଖାଇବାରେ ଲାଗିଛନ୍ତି । ମୁଣ୍ଡ ସୁମାରିରେ ସେମାନେ ହୁଏତ ଏକଶହରେ ଏକ ଅଥବା ଦୁଇ ମଧ୍ୟ ହେବେନାହିଁ । ସେମାନଙ୍କୁ ଏହି ଭୂଇଁର ଭାଷାରେ କଥା କହିବା ଆସୁନାହିଁ । ବା, ଅଧିକ ସିଧା ଭାବରେ କହିଲେ, ଭୂଇଁର ଭାଷାରେ କଥା କହିବା ସକାଶେ ସେମାନଙ୍କୁ ବେଯାଏ ଲାଜ ମାଡ଼ୁଛି । ସେହିମାନଙ୍କର ପରିଚର୍ଯ୍ୟା କରି କରି ଗତ ଅଧଶହ ବର୍ଷ ମଧ୍ୟରେ ଦେଶଟାଯାକ ଭାରି ବେଙ୍ଗା ଧରିଗଲାଣି । ଶାସନ ବେଙ୍ଗା ଧରିଗଲାଣି, ବିଚାର ବେଙ୍ଗା ଧରିଗଲାଣି ଏବଂ ଲୋକ-ଭାଗ୍ୟଟା ମଧ୍ୟ ସତେ ଅବା ଆଗକୁ ଯିବାଲାଗି ଏତେ ଟିକିଏ ହେଲେ ସୁଯୋଗ ପାଉନାହିଁ । ଏକଶହରେ ଜଣେ ବା ଦେଢ଼ଜଣ ଏମାନେ ଯେ ସତେ ଅବା ମୋଟେ ବାକି ଅଠାନବେ ଅନେଶ୍ଵତଙ୍କ ପଟର ନୁହନ୍ତି, ସେମାନଙ୍କର ହାବ ଭାବ ଆଡ଼ା ଓ ଚଉଡ଼ାଗୁଡ଼ାକ ଦିନରାତି ତାହା ହିଁ ଜାହିର କରିବାରେ ଲାଗିଛି । ଇଂରାଜୀ ଭାଷାର ଗୋଲାମ ବନି ସେମାନେ ଆଉ ସେହି ଆଡ଼ମ୍ବର ଭିତରେ ଆମ ସମସ୍ତଙ୍କୁ ଗୋଲାମ କରି ରଖିବାର ଶରଧା କରିଛନ୍ତି କି ? ସେମାନେ ହୁଏତ ସମସ୍ତେ ଆମ ନିଜ ଭାଷାରେ ଆମ ସହିତ କଥା ହୋଇପାରନ୍ତେ । ଆମ ଦେଶକୁ ଶାସନ କରୁଛନ୍ତି ଯଦି, ଆମ ଭାଷାରେ କଥା ହୋଇ ନପାରିଲେ ସେମାନେ ଆମର ଆଉ କେଉଁ କାମରେ ଆସିବେ ? ଏ ଦେଶରେ, ଏହି ଦରିଦ୍ର ଓ ଅଭାବଭର୍ତ୍ତି ଦେଶରେ ସେହିମାନେ ସବୁଠାରୁ ଅଧିକ ବେତନ ଓ ଭାତିଆ ନେଉଛନ୍ତି ଏବଂ ଦେଶରେ ଯାହାସବୁ ହେବାର ଅର୍ଥାତ୍ ଘଟିବାର ଥିଲା, ତାହା ଘଟିଲା ନାହିଁ ବୋଲି ଆମକୁ ସଫେଇ ଦେଉଛନ୍ତି । ଆମକୁ ଏବଂ ଆମର ଭାଗ୍ୟକୁ ବୋଲୁଅ ମାରିବାରେ ଲାଗିଛନ୍ତି ।

 

ଶିକ୍ଷା-ଯୋଗ୍ୟତାର ସିଡ଼ିରେ ସବା ଉପରେ ଯେଉଁ ପାଠ ପଢ଼ାଯାଉଛି, ସାରା ଭାରତର ସେହି ଏକା ଛାଞ୍ଚରେ ଓଡ଼ିଶାରେ ମଧ୍ୟ ଇଂରାଜୀ ଭାଷାରେ ପଢ଼ାଯାଉଛି । ଯେଉଁମାନେ ଯୋଗ୍ୟର ଅର୍ଥାତ୍ ଏହି ଘରର ହୋଇଥିଲେ ଓଡ଼ିଆରେ ଅବଶ୍ୟ ପଠା ପଢ଼ାଇ ପାରନ୍ତେ, ସେମାନେ ନିଜ ନିଜ ଭିତରେ ନିୟମ କରି ଇଂରାଜୀରେ ପାଠ ପଢ଼ାଉଛନ୍ତି । ବିଗତ ପଚାଶବର୍ଷ ଭିତରେ ଏହି ଦେଶର ଉଚ୍ଚପାଠୁଆ ମାନଙ୍କର ପଢ଼ିଥିବା ପାଠଗୁଡା଼କ କେତେଯାଏ ଏହି ଦେଶରେ ଜୀବନ ଭିତରକୁ ଭେଦିଲା, ଏପରିକି ଖୋଦ୍ ସେହି ପାଠୁଆ ମାନଙ୍କର ଭିତରକୁ ମଧ୍ୟ ଭେଦି ପାଇଲା, ପୂରା ହାଣ୍ଡିଟାରୁ ଯେକୌଣସି ଗୋଟିଏ ଭାତକୁ ଚିପି ଦେଖିଲେ ସେହି କଥାଟାର ପ୍ରମାଣ ମିଳି ଯାଉଛି । ଆମ ସମସ୍ତଙ୍କୁ କେବଳ ଠକିବାକୁ କ’ଣ ଏହି ବାବୁମାନେ ଏତେ ପାଠ ପଢ଼ିଥିଲେ ? ପାଠୁଆମାନେ ସରକାର ନାମକ ଗଛଟା ଦିନକୁ ଦିନ ଅଧିକ ପୋଲା ହୋଇଯାଉଛି । ସରକାରଟା ପୂରା ନିୟମରେ ଚାଲିଛି, ପୂରା ଦରବାରୀ ଢଙ୍ଗରେ ଚାଲିଛି, ତଥାପି କୋଟି କୋଟି ମଣିଷ ଅରକ୍ଷିତ ହୋଇ ରହିଛନ୍ତି । ଦେଶଟାକୁ ଅସମାନ କରି ରଖିବାରେ ଅର୍ଥାତ୍ ପ୍ରାୟ ସକଳ ସୁଯୋଗ ଏବଂ ସମ୍ଭାବନାକୁ ମାତ୍ର ଅଳପଙ୍କ ହାତରେ ଏକଚାଟିଆ କରି ରଖିବାରେ ସତେଅବା ଦାନବର ବିଧାନରେ ଶାସନ ଚାଲିଛି । ଶାସନରେ ପ୍ରକୃତରେ କ’ଣ ଚାଲିଛି ବା ନ ଚାଲିଛି, ସେ କଥା ଜାଣିବା ପାଇଁ ମଧ୍ୟ କୋଟି କୋଟି ବହୁତ ମଣିଷଙ୍କର ବଳ ନାହିଁ । ଶାସନ ମୋଟେ ସେମାନଙ୍କ ଭାଷାରେ ଚାଲୁନାହିଁ, ତେଣୁ ସେମାନେ ସେହି ବ୍ୟବସ୍ଥା ଗୁଡ଼ାକୁ ଚ୍ୟାଲେଞ୍ଜ କରି ପାରୁନାହାନ୍ତି ।

 

ଉପର ସିଡ଼ିର ପାଠମାନ ଯଦି ଓଡ଼ିଆ ଭାଷାରେ ପଢ଼ା ହେଉଥାନ୍ତା, ତେବେ ଛାତ୍ରମାନେ ଅନ୍ତତଃ ଯାହା ପଢ଼ାହେଉଛି ତାହାକୁ ବୁଝିପାରନ୍ତେ । ବୁଝିପାରିଲେ ସେଗୁଡ଼ିକ ବିଷୟରେ ସ୍ଵୟଂ ଚିନ୍ତା କରିପାରନ୍ତେ, ଅଧିକ ଅଙ୍ଗୀକାରବଦ୍ଧତା ସହିତ ଦେଶର ମଣିଷମାନଙ୍କୁ ପରିପ୍ରେକ୍ଷୀରେ ରଖି ସେମାନେ ପାଠଗୁଡ଼ିକର ବିଶ୍ଳେଷଣ ବି କରିପାରନ୍ତେ । ଏବେ ସେସବୁ ମୋଟେ କିଛି କରିବାକୁ ପଡ଼ୁନାହିଁ । ସ୍ଵୟଂ ଅଧ୍ୟାପକମାନେ ଯାହାସବୁ ପଢା଼ଉଛନ୍ତି, ସେଗୁଡ଼ାକୁ ନିଜେ କେତେ ବା ବୁଝିଛନ୍ତି ? ଆଉ ପାଞ୍ଚଟା ବହିରୁ ଦୁହିଁ ଆଣିଥିବା ବାକ୍ୟ ଗୁଡ଼ାକୁ ସେମାନେ ପ୍ରବୀଣ ମେସିନ୍‍ଟାଏ ପରି ପିଲାଙ୍କ ଆଗରେ ଉଦ୍‍ଗାରି ପକାଉଛନ୍ତି । ପିଲାମାନେ ମଧ୍ୟ କେତେଟା ସୁଲଭ ଏଣୁତେଣୁ ଭିତରୁ ସାଉଁଟି ଆଣିଥିବା ବାକ୍ୟ ଗୁଡ଼ାକୁ ପରୀକ୍ଷା ଖାତାରେ ଲେଖି ଆସୁଛନ୍ତି ଓ ସେତିକିକୁ ଯଥେଷ୍ଟ ବୋଲି କୁହାଯାଉଛି । ପାଠ ସରିବା ପରେ ଚାକିରୀ ଜୀବନରେ ପାଠର କୌଣସି ପରୀକ୍ଷା ଦେବାକୁ ପଡ଼ୁନାହିଁ । ବଡ଼ ମୁତୁରୀମାନେ ସାନ ମୁତୁରୀମାନଙ୍କୁ ମଣ କରି ନେଉଛନ୍ତି । ବୟସ ବଢ଼ିବା ସହିତ ବେତନ ବଢ଼ୁଛି । ତେଣୁ ଯାବତୀୟ accountabilityକୁ ଗୁଲି ମାର ବୋଲି ଆରାମରେ କହିଦେଇ ହେଉଛି । ଛତରା ବେତନଭୋଗୀଙ୍କର ଉତ୍ପାତରେ ଦେଶଟା ଛଟପଟ ହେଉଛି । କାଗଜପତ୍ରର ନାନାବିଧ ମିଛ ଗାମ୍ଭୀର୍ଯ୍ୟ ଭିତରେ ଇଂରାଜୀ ଜାଣିନଥିବା ଲୋକମାନଙ୍କର ନିୟତିଗୁଡ଼ାକୁ ଛନ୍ଦି ଦେଇ ରଖାଯାଇଛି ।

 

ଏବେ ତ ଅଲାଜୁକମାନେ କହିଲେଣି ଯେ, ଦେଶରେ ଥିଲାଘରର ପିଲାମାନେ ଆଉ ମୋଟେ ତାଙ୍କ ଗାଆଁର କିମ୍ବା ତାଙ୍କ ବସ୍ତିର ଭାଷା ପଢ଼ିବେ ନାହିଁ । ସେମାନେ ମୂଳରୁ ହିଁ ଇଂରାଜୀ ପଢ଼ିବେ । ସେହି ଜାତିର ବିଦ୍ୟାଳୟମାନେ ବର୍ତ୍ତମାନ ଆମ ଦେଶର ବିଗିଡ଼ି ଯାଇଥିବା ହାୱାଟା ଭିତରେ ସତେଅବା ଯାବତୀୟ ଜାକଜମକ ସହିତ ବଢ଼ିବାରେ ଲାଗିଛନ୍ତି । ଏହି ପିଲାମାନେ ଅଲଗା ପଢ଼ିବେ । ଅଲଗା ଦିଶିବେ ଓ ଅଲଗା ସଭ୍ୟତାରେ ମଣ ହେବେ । ଯେପରିକି ଏହି ଦେଶର ନବେଭାଗ ମଣିଷଙ୍କୁ ସେମାନେ ମୂର୍ଖ ବୋଲି କହି ପାରିବେ ଏବଂ ଏହି ଦେଶ ତଥା ଏହି ମାଟିର ଆତ୍ମାଟି ବିଷୟରେ ଏକାନ୍ତ ଅନପଢ଼ ହୋଇ ରହିଥିଲେ ମଧ୍ୟ ଚାରିଆଡ଼କୁ ଅନାଇ ନାକ ଟେକିବେ ଏବଂ ବଡ଼ ହୋଇ ଏହି ଦେଶକୁ ଲୁଟିବେ । ଉତ୍ତମ ରୀତିରେ ଶାସନ କରି ପାରିବାକୁ ମଧ୍ୟ ରଜାଟିଏ ପ୍ରଜାମାନଙ୍କୁ ନିଜର, ଆପଣାର ବୋଲି ଭାବୁଛି । ଏହି ନାକଟେକା ବାବୁମାନେ ଯେ ସେତିକି ପାଇଁ ମଧ୍ୟ ଯୋଗ୍ୟ ହେବେନାହିଁ, ଆମ ଦେଶରେ ଏବର ହାକିମମାନଙ୍କ ଠାରେ ମଧ୍ୟ ତୁମକୁ ତାହାର ପ୍ରମାଣ ମିଳିଯାଉଛି । ଦେଶରେ ରେଡ଼ିଓ ଓ ଦୂରଦର୍ଶନ ପ୍ରଭୃତି ଯେଉଁସବୁ ସୁଯୋଗକୁ ଗଣମାଧ୍ୟମ ବୋଲି କୁହାଯାଉଛି, ସେଥିରେ ଦେଢ଼ପଣ ଓଡ଼ିଆ ଭିତରେ ଅଢ଼େଇପଣ ଇଂରାଜୀ ଶବ୍ଦ କୁହାଯାଉଛି । ପ୍ରାୟ ଏକ ରାଜସିକ ବେଖାତିର ସହିତ ତାହା କରାଯାଉଛି । ସେମାନେ ଓଡ଼ିଆରେ ବି କହିପାରିବେ କି ନାହିଁ, ସେମାନଙ୍କୁ କିଏ ବା କେଉଁମାନେ ଆସି ଥରେ ପଚାରି ପାରନ୍ତେ କି ! ଓଡ଼ିଶାରେ ଏବେ ତ ଦଳେ ଆହୁରି ଅଭିଲା ହୋଇ ସାହିତ୍ୟରେ ବାହାରି ପଡ଼ି କହିଲେଣି ଯେ, ଏଣିକି ଟାଉ ଟାଉ କରି ଓଡ଼ିଆ କବିତା, ଗପ ଓ ନାଟକମାନ ଇଂରାଜୀ ଭାଷାକୁ ଅନୁବାଦ ହୋଇଯିବା ଉଚିତ । ସେମାନେ ସତେଅବା କାହାର କେଡ଼େ ବଡ଼ ଉପକାର କରିବେ ବୋଲି ସେହି ଦିଗରେ କତିପୟ ସାଧନା ମଧ୍ୟ ଆରମ୍ଭ କରିଦେଲେଣି । ସେମାନେ କହୁଛନ୍ତି ଏହାଦ୍ୱାରା ଓଡ଼ିଶା ବାହାରେ ଓଡ଼ିଶାର ନାଆଁ ରହିବ । ଓଡ଼ିଆରେ ଏକ ସାହିତ୍ୟ ଏବଂ ଏକ ସ୍ଵାତନ୍ତ୍ର୍ୟ ରହିଛି ବୋଲି ବି ସମସ୍ତେ ଜାଣିବେ । ଆଉ ଥୋକେ ଏହା ସହିତ ସ୍ଵାଭିମାନ ନାମକ ରଞ୍ଜକ ଯୋଡ଼ି ଦେଇ ବାଣ ଫୁଟେଇ ଦାଣ୍ଡରେ ନାଚିବାକୁ ଆରମ୍ଭ କଲେଣି । ଅଶୀଭାଗ ବା ନବେଭାଗ ଓଡ଼ିଶାବାସୀ ନିଜର ସାହିତ୍ୟ ଏବଂ ଭୂମିକୁ ଜାଣିବାରୁ ବଞ୍ଚିତ ହୋଇ ରହିଥିଲେ ମଧ୍ୟ ତେଣେ ନଜର ଦେବାକୁ ସେମାନଙ୍କର ବେଳ ନାହିଁ ।

 

ପ୍ରକୃତ ଅକଲର କଥା ହେଉଛି, ହେ ବାବୁ, ତୁମେ ଓଡ଼ିଆରେ ବି କହିପାରିବ ବୋଲି ଯଦି ସତକୁ ସତ ଭାବୁଛ, ତେବେ ତୁମେ ଏଣିକି ଓଡ଼ିଆରେ କହ । ଆପଣାକୁ ଆଉ କ’ଣ ବୋଲି ଦେଖାଇ ହେବାକୁ ମୋଟେ ଚେଷ୍ଟା କର ନାହିଁ । ତୁମକୁ ଗୋଟାଏ ମିଛ ଲାଜ ଅର୍ଥାତ୍ ମିଛ ଦମ୍ଭ ହୁଏତ ଭାରି ଅସୁସ୍ଥ କରି ରଖିଛି, ଯାହାଫଳରେ କି ତୁମକୁ ଏ ଘରେ କେହି ତୁମର ସହଯାତ୍ରୀ ପରି ଲାଗୁନାହାନ୍ତି । ଏଠି ତୁମେ ସତେଅବା କୌଣସି ଅସୁରୁଣୀର ମାୟାରେ ପଡ଼ିଥିବା ପରି ନିଜର ଘରଟାକୁ ଘର ବୋଲି ସ୍ଵୀକାର କରିନେଇ ପାରୁନାହିଁ । ବିଶ୍ଵାସ କର, ଦେଶଟା କେତେ ପ୍ରତ୍ୟାଶାରେ ତୁମକୁ ତା’ର ଆପଣାର ଜଣେ କରି ପାଇବ ବୋଲି ଅପେକ୍ଷା କରି ରହିଛି । ତୁମେ କାହିଁକି ଅଲକ୍ଷଣା ହୋଇ ତା’ ପାଖରୁ ଲୁଚି ବୁଲୁଛ ? ଧରାଦିଅ, ମୁକ୍ତି ପାଇଯିବ । ତୁମର ବୁଦ୍ଧି, ତୁମର ଅର୍ଥ, ତୁମର ଚତୁରପଣ ଓ ଏକସିଙ୍ଗିଆ ହୋଇ ରହିବା ଲାଗି ତୁମର ଯାବତୀୟ ଚେଷ୍ଟା ତୁମକୁ ତଥାପି ଯାହା ଆଣି ଦେଇ ପାରୁନାହିଁ, ଏହି ଦେଶକୁ ନିଜର ବୋଲି ସ୍ଵୀକାର କରିନେଇ ପାରିଲେ, ଏଠି ବାସ କରୁଥିବା ଅଧିକାଂଶ ମଣିଷଙ୍କର ଭାଷାକୁ ଭଲ ପାଇଲେ ତୁମକୁ ସେହିସବୁ ସମ୍ପଦ ମିଳିଯାଇ ପାରିବ । ନିଜକୁ ସମସ୍ତଙ୍କ ଭିତରେ ଜଣେ ବୋଲି ଖୁସି ହୋଇ ଗ୍ରହଣ କରିନେବା, ପୃଥିବୀରେ ସମ୍ପଦବାନ୍ ହୋଇ ରହିବା ପାଇଁ ତା’ଠାରୁ ଅଧିକ ଭଲ ଉପାୟ ତୁମେ ପ୍ରକୃତରେ କୋଉଠି ହେଲେ ପାଇବ ନାହିଁ ଏବଂ ଯଦି ଲୋକମାନଙ୍କର ଭାଷାକୁ ଘୃଣା କରିବ, ତେବେ ଏଠାରେ ଏତେ ମଣିଷଙ୍କର ମେଳରେ ରହି ମଧ୍ୟ ଦ୍ଵୀପବତ୍ ହୋଇ ରହିଥିବ । ଓଡ଼ିଆରେ ବି କହିପାରିବି ବୋଲି କହୁଥିବ ଏବଂ ତଥାପି କେବେହେଲେ ଓଡ଼ିଆରେ କହି ପାରୁନଥିବ ।

 

ପୃଥିବୀରେ ଯେଉଁ ଭାଷାଟିକୁ ତୁମେ ସର୍ବପ୍ରଥମେ ଶିଖିଲ, ବଡ଼ ହୋଇ ଇଂରାଜୀ ଭାଷାଟିକୁ ଶିକ୍ଷାକଲ ବୋଲି ପ୍ରଥମ ଭାଷାଟିକୁ ଯେ ଭୁଲିଯିବାକୁ ପଡ଼ିଲା, ଏକଥା ଆଦୌ ଠିକ୍ ନୁହେଁ । ଇଂରାଜୀ ଭାଷାର ଏଥିରେ ଆଦୌ କୌଣସି ଦୋଷ ନାହିଁ । ଦୋଷ ତୁମରି ଯିଏ କି ନିଜର ଭୂମିକୁ ନିଜର କରିପାରିଲା ନାହିଁ । କୌଣସି ଭାଷାର କୌଣସି ଭାଷାର ପରିପନ୍ଥୀ କାହିଁକି ହେବ କହିଲ ? ତୁମେ ନିଜେ ଖଣ୍ଡିଆ ହୋଇଥିଲେ ଯାଇ ତୁମର ଅଭିଳାଷ ଗୁଡ଼ିକ ମଧ୍ୟ ସେହି ରୀତିରେ ରୁଗ୍‍ଣ ହୋଇ ପଡ଼ିବ ଓ ତୁମେ ନିଜର ଅଳ୍ପତା ମଧ୍ୟରେ ଉତ୍ତପ୍ତ ହୋଇ ରହିଥିବ ।

 

ଓଡ଼ିଶାର ଅଧିବାସୀ ହୋଇ ଯିଏ ଓଡ଼ିଆ ଭାଷାକୁ ଘୃଣା କରୁଛି, ଓଡ଼ିଶାର ମଣିଷମାନଙ୍କୁ ଅବର ଜ୍ଞାନରେ ଦେଖୁଛି, ଓଡ଼ିଶାର ଶୁଭଦିନଟି ଆସିଲେ ଏଠି ହଜାର ହଜାର ମଣିଷ ସଚେତନ ହୋଇ ଉଠିବେ ଏବଂ ସତେଅବା ଏକ ନୂତନ କାଳର ଆହ୍ଵାନ ଶୁଣିଥିବା ପରି ତୁମେ କାହିଁକି ଓଡ଼ିଆରେ କଥା କହୁନାହଁ ବୋଲି ତୁମକୁ ପଚାରି ବାହାରିବେ । ତୁମେ ସେତେବେଳେ କ’ଣ କରିବ କହିଲ ? ତୁମେ କ’ଣ ଏହି ଭୂଇଁ ଛାଡ଼ି ପଳାଇବ ? ମାତ୍ର କେଉଁଠାକୁ ଯିବ ? ତେଣୁ, ହେ ମହାଭାଗ, ବେଳହୁଁ ବଦଳି ଯାଅ । ବିଗତ ପଚାଶବର୍ଷ ତୁମେ କାଳଟାକୁ କେତେ ଠକି ଆସିଲ ସିନା, ମାତ୍ର କାଳର ପାଳି ଯେତେବେଳେ ପଡ଼ିବ, ସେତେବେଳେ ତୁମକୁ ଅବଶ୍ୟ ଓହ୍ଲାଇ ଆସିବାକୁ ପଡ଼ିବ ଓହ୍ଲାଇ ଆସି ହିଁ ତୁମେ ମୁକ୍ତି ପାଇବ ।

 

୧୦ । ୦୫ । ୧୯୯୯

Image

 

ଯେଉଁ ଶତାବ୍ଦୀ ଆସୁଛି

 

ଶତାବ୍ଦୀଟିଏ ଯାଉଛି, ଅର୍ଥାତ୍ ଶତାବ୍ଦୀଟିଏ ଆସୁଛି । ଶତାବ୍ଦୀଟିଏ ଯାଉଛି, କାରଣ ଶତାବ୍ଦୀଟିଏ ଆସୁଛି । ଠିକ୍ ଶହେବର୍ଷ ତଳେ ଠିକ୍ ଏହିପରି ଭାବରେ ଊନବିଂଶ ଶତାବ୍ଦୀ ଯାଇଥିବ ଅର୍ଥାତ୍ ଆମର ଏହି ବିଂଶ ଶତାବ୍ଦୀଟି ଆସିଥିବ । ସେତେବେଳେ ବି କ’ଣ ସେତେବେଳର ମଣିଷମାନେ ସେହି ଉପଲକ୍ଷ୍ୟରେ ଏତେ କୋଳାହଳ କରିଥିଲେ କି ? ବିଂଶ ଶତାବ୍ଦୀକୁ ଆବାହନ କରି ଆଣିଥିବା ସମୟରେ ଊନବିଂଶ ଶତାବ୍ଦୀର ଆଖିଥିବା ଲୋକମାନେ କ’ଣସବୁ ମନାସିଥିଲେ-? ଅନ୍ତତଃ ଆମର ଏହି ଭାରତବର୍ଷରେ ସେତେବେଳେ ଗୋଟାଏ ନୂଆ ପ୍ରକାରର ତାରୁଣ୍ୟ ଜନ୍ମଲାଭ କରୁଥିଲା, ଯାହାକି ନିଜକୁ ସତେଅବା ସବୁ କିଛି ନିମନ୍ତେ ଉତ୍ସର୍ଗ କରିଦେବାକୁ ସମ୍ମତ ହୋଇ ରହିଥିଲା । ସେହି ତାରୁଣ୍ୟ ବେଳେ ବେଳେ ବହୁ ଅର୍ଥରେ ଏକ ଆଧ୍ୟାତ୍ମିକ ପ୍ରସ୍ଥକୁ ମଧ୍ୟ ସ୍ପର୍ଶ କରି ପାରିଥିବା ପରି ମନେ ହୋଇଥାଏ । ସମ୍ଭବତଃ, ସେହି କାରଣରୁ, ଏକ ନୂତନ ଭାରତର ନିର୍ମାଣ ଲାଗି ସେତେବେଳେ ସକଳ ଉଦ୍ୟମରେ ଯେଉଁ ପୁରୋଗାମୀମାନେ ଆମ ବିବେକକୁ ଅନୁରୂପ ଭାବେ ଜୁଆଇ ଆଣିବାକୁ ଚେଷ୍ଟା କରିଥିଲେ, ସେମାନଙ୍କ କରଣିର ବିଶେଷ କ୍ଷେତ୍ରଗୁଡ଼ିକ ଧର୍ମ, ଶିକ୍ଷା ପ୍ରସାର, ରାଜନୀତି ବା ସାହିତ୍ୟ ଯାହା ହୋଇଥାଉ ପଛକେ, ସେମାନଙ୍କୁ ସତେଅବା ଆମେ ଗୋଟିଏ କଥାରେ ଜଣେ ଜଣେ ଅଧ୍ୟାତ୍ମ ପୁରୁଷ ବୋଲି କହିପାରିବା । ଭାରତୀୟ ଅଧ୍ୟାତ୍ମର ପୁନରାବିଷ୍କାର କରୁ କରୁ ସେମାନେ ସେହି ଅଧ୍ୟାତ୍ମର ବ୍ୟାଖ୍ୟାରେ ମଧ୍ୟ ନାନା ନୂତନ ବ୍ୟାପ୍ତି ଓ ବ୍ୟଞ୍ଜନା ଆଣି ଭରି ଦେଇଥିଲେ । ଆମ ଇତିହାସରେ ସମ୍ଭବତଃ ସର୍ବପ୍ରଥମ ଥର ପାଇଁ ଭାରତୀୟ ଅଧ୍ୟାତ୍ମ ଅରଣ୍ୟରୁ ଜନପଦକୁ ଆସିଲା, ବୈରାଗ୍ୟର ଅର୍ଗଳରୁ ମୁକ୍ତ ହୋଇ ଜୀବନ ଭିତରେ ପ୍ରବେଶ କରିଥିଲା ।

 

ଏହି ଗୋଟିଏ ଶତାବ୍ଦୀ ମଧ୍ୟରେ ଭାରତବର୍ଷରେ କ’ଣ ସବୁ ଘଟିଲା ? ଏହାର ଠୋ’ କରି ଏକ ଉତ୍ତର ମିଳିଯିବ ଯେ ଏହି ବଂଶ ଶତାବ୍ଦୀରେ ହିଁ ଭାରତବର୍ଷ ଆଧୁନିକତାର ଗାରଗୁଡ଼ିକ ମଧ୍ୟରେ ପ୍ରବେଶ କଲା । ବିଜ୍ଞାନ, ଶିକ୍ଷା, ଗଣତନ୍ତ୍ର, ଲୋକଶକ୍ତି, ପରାଧୀନତା ବିରୋଧରେ ସଂଗ୍ରାମ, ସ୍ଵାଧୀନତାର ଭଳି ଭଳି ଚିତ୍ରକୁ ସମ୍ମୁଖରେ ଥାପି ନିଜର ଅନ୍ଦାଜଗୁଡ଼ିକୁ ଆଗରେ ରହିଥିବା ବହୁ ବହୁ ଶତାବ୍ଦୀ ଭିତରକୁ ପ୍ରସାରିତ ଏବଂ ପ୍ରଲମ୍ବିତ କରିଦେବାର ଉଦ୍ୟମ । ସେହି ଉଦ୍ୟମର ପ୍ରଥମ କ୍ରିୟାତ୍ମକ ପରିପ୍ରକାଶଟି ହେଉଛି ସ୍ଵାଧୀନତା ଲାଭ କରିବା ନିମନ୍ତେ ଏକ ସମବେତ ଭାବରେ ଲଢ଼ା ଯାଇଥିବା ସଂଗ୍ରାମ । ସେହି ସଂଗ୍ରାମ ହିଁ କହିଦେଲା ଯେ ଭାରତବର୍ଷର ସମ୍ମୁଖସ୍ଥ ଶିଖରଟି ଉପରେ ଜଳୁଥିବା ନକ୍ଷତ୍ରଟିର ଏକ ସ୍ଵାତନ୍ତ୍ର୍ୟ ରହିଛି । ଏବଂ ତେଣୁ ତାହାର ସଂଗ୍ରାମଟି ମଧ୍ୟ ଏପରି ଅଭିନବ ଏବଂ ସ୍ଵତନ୍ତ୍ର ଭାବରେ ଆପଣାକୁ ପ୍ରକଟ ମଧ୍ୟ କରିଦେଇ ପାରୁଥିଲା । ସେହି ସ୍ଵତନ୍ତ୍ରତାଟିର ଆବେଦନଟି ସମ୍ଭବତଃ ସମଗ୍ର ପୃଥିବୀ ଲାଗି ମଧ୍ୟ କାଳକାଳକୁ ହିଁ ଆହୁରି ଆହୁରି ବହୁ ସଂଗ୍ରାମ ଲାଗି ଏକ ବହୁପ୍ରତିଶ୍ରୁତିପୂର୍ଣ୍ଣ ନମୁନା ହୋଇ ରହିଗଲା । ସେହି ସ୍ଵାଧୀନତାର ସଂଗ୍ରାମଟିକୁ ନିମିତ୍ତ କରି ଭାରତବର୍ଷ ଗୋଟିଏ ହୋଇ ଆସିଲା, ନିଜର ଅତୀତକୁ ମଧ୍ୟ ଏହି ଏକତ୍ଵର ଭିତ୍ତିଦର୍ପଣଟି ଉପରେ ପ୍ରାୟ ନୂଆ କରି ଦେଖିବାକୁ ଆରମ୍ଭ କଲା । ଆର କଥାଟି ହେଉଛି ଭାରତବର୍ଷ ସହିତ ଏହି ବିଂଶ ଶତାବ୍ଦୀରେ ପାଶ୍ଚାତ୍ୟ ପୃଥିବୀ ସହିତ ସ୍ଥାପିତ ହୋଇ ପାରିଥିବା ସଂସ୍ପର୍ଶ । ଏହି ପ୍ରକରଣଟି ପ୍ରକୃତରେ ଏକ ଅତ୍ୟନ୍ତ ଆଲୋଡ଼ନକାରୀ ପ୍ରକରଣ । ପାଶ୍ଚାତ୍ୟ ପୃଥିବୀର ଗୋଟାଏ ସାମ୍ରାଜ୍ୟଶକ୍ତି ହିଁ ଭାରତବର୍ଷକୁ ଅଧୀନ ଓ କରତଳଗତ କରି ରଖିଥିଲା, ଯାହା ସହିତ ସଂଗ୍ରାମ କରି ମୁକ୍ତ ହୋଇ ଆସିବାକୁ ଭାରତବର୍ଷ କ୍ରମଶଃ ତିଆରି ହୋଇ ଆସୁଥିଲା । ଏବଂ ଯୁଗପତ୍ ଭାବରେ, ସେହି ପାଶ୍ଚାତ୍ୟ ପୃଥିବୀର ଉତ୍ସଗୁଡ଼ିକରୁ ହିଁ ଭାରତବର୍ଷ ଆଧୁନିକ ଶିକ୍ଷା, ବହୁ ନୂଆ ନୂଆ ଦ୍ୟୋତନାର ସନ୍ତକ ହୋଇ ରହିଥିବା ସେହି ପାଶ୍ଚାତ୍ୟ ଜଗତର ବହୁବିଧ ଜ୍ଞାନ ଓ ବିଜ୍ଞାନ, ଶିକ୍ଷା, କୌଶଳ, ଧର୍ମ, ଦର୍ଶନ, ଭବିଷ୍ୟଦୃଷ୍ଟି, ଇତିହାସ-ବୋଧ, ଜାତୀୟତାର ସେହି ନୂଆ ଅନୁଭୂତିଟି ଏବଂ ତା’ର ଆନୁସଙ୍ଗିକ ଆହୁରି କେତେ କ’ଣ । ଗୋଟିଏ ପାଖରେ ତୁମେ ଯାହା ସହିତ ଯୁଦ୍ଧ କରିବ, ଅନ୍ୟ ପାଖରେ ତାହାରିଠାରୁ ପ୍ରାୟ ଏକ ଦାୟାଦସୂତ୍ରରେ ନିଜ ପାଇଁ ଆବଶ୍ୟକ ଏତେଗୁଡ଼ିଏ ସମ୍ପଦ ତଥା ପ୍ରେରଣାକୁ ଗ୍ରହଣ କରିବାକୁ ମଧ୍ୟ ସମ୍ମତ ହୋଇଥିବ । ଭାରତବର୍ଷ କେତେ ସୁସ୍ଥ ଏବଂ ସଂହତିଯୁକ୍ତ ଭାବରେ ସେହି ଦୁଇଟି କାର୍ଯ୍ୟକୁ ତୁଲାଇ ପାରିଲା ବା ପାରିବ, ଆଗାମୀ ଶତାବ୍ଦୀରେ ହିଁ ଆମକୁ ତାହାର ପୂର୍ଣ୍ଣତର ପରିଚୟ ମିଳିପାରିବ ।

 

ଗୋଟାଏ ପାଖରେ ପଶ୍ଚିମରୁ ଆସିଥିବା ଶାସକମାନେ ଆମକୁ ଶୋଷଣ କରୁଥିଲେ, ଆମ ଦେଶରୁ ସୁନା ବୋହି ନିଜ ଘରକୁ ନେଇ ଯାଉଥିଲେ; ଆମକୁ ଗୋଲାମ ଓ କ୍ଳୀବ କରି ରଖିବା ପାଇଁ ଏକ ଅନୁରୂପ ଶିକ୍ଷାବ୍ୟବସ୍ଥାର ଜାଲ ମଧ୍ୟ ଏଠାରେ ବିଛାଇ ରଖିଥିଲେ ଏବଂ ଅନ୍ୟ ପକ୍ଷରେ ସେହି ପଶ୍ଚିମର ପଣ୍ଡିତମାନେ ଆମର ଡିହଗୁଡ଼ିକୁ ଖୋଳି ଆମକୁ ଆମର ଇତିହାସକୁ ଆଣି ଦେଖାଇଦେଲେ, ଅତୀତ ନାମକ ଏକ ରତ୍ନ ସହିତ ଆମର ପରିଚୟ କରାଇଦେଲେ, ଭବିଷ୍ୟ ଏବଂ ବର୍ତ୍ତମାନକୁ ସେହି ଅତୀତର ସଚେତନତା ଦ୍ଵାରା ସଂବୁଦ୍ଧ କରି ଆମକୁ ସତେଅବା ଏକ ନୂଆ ନିୟତି ତଥା ନୂଆ ମେଦିନୀର ଧାରଣା ଆଣିଦେଲେ । ବିଂଶ ଶତାବ୍ଦୀର ଠିକ୍ ଅଧାଅଧି ବାଟରେ ତାଙ୍କ ଶାସନ ହଟିଗଲା । ମାତ୍ର ପଶ୍ଚିମ ସହିତ ଆମର ଏହି ଯେଉଁ ଦ୍ଵିତୀୟ କିସମର ସଂସ୍ରବଟି ଘଟିଥିଲା, ଭାରତବର୍ଷ ସ୍ଵାଧୀନ ହେବା ପରେ ସତେଅବା ସେଇଟି ହିଁ ପାଶ୍ଚାତ୍ୟ ସହିତ ଆମକୁ ତଥାପି ସଂଯୁକ୍ତ କରି ରଖିଲା । ଆମେ କେତେ କୁଶଳ ଅଥବା କେତେ ଅକୁଶଳ ଭାବରେ ସଂଯୁକ୍ତ ହୋଇ ରହିବାର ସେହି ସ୍ଥିତିଟି ଦ୍ଵାରା ଉପକୃତ ହୋଇପାରିଛୁ, ବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଅର୍ଥାତ୍ ସ୍ଵାଧୀନ ଭାରତର ପ୍ରଥମ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଆମର ଯାବତୀୟ ଆଚରଣରୁ ତାହାକୁ ମପା ଯାଇପାରିବ, ତାହାର ଏକ ସମୀକ୍ଷା କରାଯାଇ ପାରିବ । ଆମ ଭିତରୁ ଯିଏ ଯେପରି ଭାବରେ ସେହି ସମୀକ୍ଷାଟିକୁ କରିବ, ଆଗାମୀ ଶତାବ୍ଦୀଟିକୁ ମଧ୍ୟ ସିଏ ତାହାରି ଆଲୋକରେ ହିଁ ଗ୍ରହଣ କରିପାରିବ ।

 

ଭାରତୀୟ ନେତୃତ୍ଵ ହିଁ ଦେଶ ନିମନ୍ତେ ଏକ ନୂଆ ସମ୍ବିଧାନ ତିଆରି କଲା; ମାତ୍ର ସେଥିରେ ଯେଉଁସବୁ ସାମୂହିକ ମୂଲ୍ୟକୁ ନିର୍ଣ୍ଣାୟକ କରି ରଖାଯାଇଥିଲା, ସେଗୁଡ଼ିକ ପ୍ରାୟ ଯାବତୀୟ ଅର୍ଥ ଓ ତାତ୍ପର୍ଯ୍ୟରେ ସେହି ପଶ୍ଚିମରୁ ହିଁ ଚୟନ କରାହୋଇ ଆସିଥିଲେ । ମାନବିକ ଅଧିକାର, ସାବାଳକ ସମସ୍ତଙ୍କର ମତଦାନରେ ଏକ ଗଣତାନ୍ତ୍ରିକ ଶାସନ, ସାର୍ବଜନୀନ ଶିକ୍ଷା, ସାମାଜିକ ନ୍ୟାୟ, ପ୍ରତ୍ୟେକ ମନୁଷ୍ୟ ପାଇଁ ସର୍ବନିମ୍ନ ଆବଶ୍ୟକତାର ପରିପୂରଣ, —ଏହି ସବୁକିଛିର ଉତ୍ସ ଆବେଦନଟି ସେହି ପଶ୍ଚିମରୁ ହିଁ ଆସିଥିଲା । ଏଥିରେ ବସ୍ତୁତଃ ଭାରତବର୍ଷ ଗର୍ବ ଅନୁଭବ କରିବାର ଯଥେଷ୍ଟ କାରଣ ଥିଲା । ଏସିଆ ଅଥବା ଆଫ୍ରିକାର କୌଣସି ନବସ୍ଵାଧୀନ ଜନସମୂହ ସମ୍ଭବତଃ ଏଡ଼େ ସୁସ୍ଥ ଓ ସ୍ଵାଭାବିକ ଭାବରେ ସେହିସବୁ ମୂଲ୍ୟକୁ ନିଜର ରାଷ୍ଟ୍ରୀୟ ରାଜନୀତିକ ନକସା ଭିତରକୁ ସ୍ଵୀକାର କରି ଆଣି ପାରିନାହାନ୍ତି । ଭାରତବର୍ଷ ନିଜର ଆତ୍ମାଟିକୁ ଯେପରି ସତକୁ ସତ ସାକାର ଭାବରେ ସର୍ବଜନଙ୍କର ଜୀବନ-ମାଧ୍ୟମରେ ବଞ୍ଚି ପାରିବ, ସେଥିଲାଗି ଯେଉଁ ସର୍ବପ୍ରାଥମିକ ଗଠନଗତ ଭିତ୍ତିଭୂମିଟି ଏକାନ୍ତ ଆବଶ୍ୟକ, ତାହାରି ପ୍ରାଣ-ପ୍ରେରଣାଟିକୁ ଆମେ ଏକ ସ୍ଵାଧୀନ ଦେଶ ରୂପେ ପଶ୍ଚିମରୁ ହିଁ ପାଇଥିଲୁ । ସ୍ଵାଧୀନ ଭାରତବର୍ଷ ଯାବତୀୟ ଜାତୀୟ ନିର୍ମାଣର କ୍ଷେତ୍ରରେ ବିଗତ ପଚାଶବର୍ଷ ମଧ୍ୟରେ ଯାହାକିଛି ପ୍ରୟୋଗ କରିଆସିଛି, ତାହାକୁ ଆମେ ଅଧିକ ସ୍ପଷ୍ଟତା ସହିତ ଉକ୍ତ ଭିତ୍ତିଭୂମିଟିକୁ ନିର୍ମାଣ କରିବାର ଗୋଟିଏ ଗୋଟିଏ ପ୍ରୟାସ ବୋଲି ହିଁ କହି ପାରିବା । ଗତ ପଚାଶବର୍ଷ ମଧ୍ୟରେ ସେହି ପ୍ରୟାସଗୁଡ଼ିକୁ ଆମେ ସାଧୁତାର ସହିତ କରିପାରିଛୁ କି ? ଯଦି ନପାରିଛୁ, ସେଥିଲାଗି ଦୋଷଟା ଆମ ପଟେ ରହିଛି ନା ପଶ୍ଚିମର ଯେଉଁ ମୂଲ୍ୟ ଗୁଡ଼ିକରୁ ଆମେ ଏଠାରେ ଉପକୃତ ହେବାକୁ ଇଚ୍ଛା କରିଥିଲୁ, ତାହା ମଧ୍ୟରେ ନିହିତ ହୋଇ ରହିଛି ? ଏହି ଶତାବ୍ଦୀଟି ସରି ଆସୁଥିବା ସମୟରେ ଆମ ଭିତରେ ଆଦୌ କୌଣସି ସ୍ପର୍ଶକାତରତା ନରଖି ତାହାରି ଆଲୋଚନା ହେବା ଉଚିତ ।

 

ଭାରତୀୟ ସାହିତ୍ୟରେ ଆମେ ଯାହା କିଛିକୁ କ୍ରମେ ଆଧୁନିକ ଉପାଦାନ ବୋଲି କହିବାରେ ଅଭ୍ୟସ୍ତ ହୋଇଗଲୁଣି, ସେଗୁଡ଼ିକର ମୂଳ ଉନ୍ମେଷ ତଥା ପ୍ରବୃତ୍ତିଗୁଡ଼ିକ ପାଶ୍ଚାତ୍ୟ ସାହିତ୍ୟରୁ ହିଁ ନିରୂପିତ ହୋଇ ଆସିଛି । ସେହି ପାଶ୍ଚାତ୍ୟ ହିଁ ଶୁଭେଚ୍ଛୁ ବନ୍ଧୁପରି ଆମକୁ ନିଜର ଅତୀତକୁ ଆଧୁନିକ ବ୍ୟଞ୍ଜନା ଓ ବ୍ୟାପ୍ତି ସହିତ ଅବଲୋକନ କରି ଶିଖାଇଛି । ପ୍ରଭାବଗୁଡ଼ିକ ଅନେକ ସମୟରେ ଏତେ ଗ୍ରାସଧର୍ମୀ ହୋଇପଡ଼ିଛି ଯେ, ଆମେ ସତେଅବା ତାହାକୁ ପ୍ରାୟ ଏକ ଚିତ୍ତବୈକଲ୍ୟ ସହିତ ଅନୁକରଣ କରୁଥିବା ପରି ମନେହୋଇଛି । ତଥାପି, ଯାହା ହୋଇଛି, ତାହା ଆମକୁ ସମୃଦ୍ଧ ହିଁ କରିଛି । ବିଶେଷତଃ ଆଧୁନିକ ସାହିତ୍ୟସମୀକ୍ଷାର ଆଙ୍ଗିକ ଏବଂ ଆନ୍ତର ଉଭୟ କ୍ଷେତ୍ରରେ ଆମର ଏଠି ଯେଉଁ ନୂତନ ଦିଗ୍‍ବଳୟ ଅର୍ଥାତ୍ ଆହ୍ୱାନଗୁଡ଼ିକ ଲାଗି ସ୍ଥାନ କରି ଦିଆଗଲା, ସେଇଟିକୁ ଆମେ ପଶ୍ଚିମର ମେଦିନୀଟିରୁ ହିଁ ପ୍ରେରଣାରୂପେ ଲାଭ କଲୁ । ସାମ୍ରାଜ୍ୟଟା ଏଠୁ ହଟିଯିବା ପରେ ଏହି ପ୍ରେରଣାଗୁଡ଼ିକ ଯେ ଆମକୁ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ଉଦବେଳିତ କରିବାରେ ଲାଗିଛି, ସେଥିଲାଗି ଆମେ କେବଳ ପାଶ୍ଚାତ୍ୟ ପାଖରେ ନୁହେଁ, ଭାରତବର୍ଷର ଗ୍ରହଣଶୀଳତା ପାଖରେ ମଧ୍ୟ କୃତଜ୍ଞ ହୋଇ ରହିବା । ଆମେ ବାଟରେ ଭେଟୁଥିବା ଆକାଶଗୁଡ଼ିକୁ ସ୍ଵୀକୃତି ଦେବାରେ ଆମ ହୃଦୟଟି ଯେ ଆମକୁ ଏତେ ପ୍ରେରଣା ଦେଇଛି, ସେହି ଦୃଷ୍ଟିରୁ ଆମଠାରୁ ବଳି ଭାଗ୍ୟବାନ ପୃଥିବୀରେ ଆଉ କିଏ ଅଛି ?

 

ବିଗତ ପଚାଶ ବର୍ଷରେ ଆମ ଦେଶରେ ଯାହାସବୁ ସମ୍ଭବ ହେବାର ଥିଲା ଅଥଚ ସମ୍ଭବ ହୋଇ ପାରିଲା ନାହିଁ, ଆଗାମୀ ପଚାଶ ବର୍ଷ ପାଇଁ ଆମକୁ ତାହାରି ଉପରେ ମନୋନିବେଶ କରିବାକୁ ପଡ଼ିବ । ସର୍ବପ୍ରଥମ କଥାଟି ହେଉଛି ଯେ, ଏବେ ମଧ୍ୟ ଏହି ଦେଶଟି ସଚେତନ ଭାବରେ ସମସ୍ତଙ୍କର ଦେଶ ହୋଇ ପାରିଲା ନାହିଁ । ଏଠି ବହୁ ଲୋକ ବଞ୍ଚିତ ଏବଂ ପରିବର୍ଜିତ ହୋଇ ରହିଲେ । ପ୍ରାଚୀନ କାଳର ଜାତିଭେଦ ପ୍ରଥା ମନୁଷ୍ୟମାନଙ୍କୁ ପରସ୍ପରଠାରୁ ବହୁଦୂର କରି ରଖିଲା-। ସମ୍ବିଧାନ ଅନୁସାରେ ଏଠି ସମସ୍ତେ ନାଗରିକ ବୋଲି ଘୋଷିତ ହେଲେ ସିନା, ମାତ୍ର ପ୍ରାୟ ଅଧେ ମନୁଷ୍ୟଙ୍କର ଏହି ଦେଶର ନିୟତିରେ କୌଣସି ଭାଗ ରହିଲା ନାହିଁ । ସେମାନେ ଭାଗ୍ୟର ଗୋଲାମ ହୋଇ ରହିଲେ ଓ ଦୈନନ୍ଦିନ ଜୀବନରେ ଉତ୍ତମମାନଙ୍କର ଗୋଲାମ ହୋଇ ରହିଲେ । ଧର୍ମଗୁଡ଼ାକ ଅଧିକ ଅନ୍ଧ ହୋଇ ପରସ୍ପର ସହିତ ଅଧିକ ଝଗଡା଼ କଲେ । ତେଣୁ, ମଣିଷମାନଙ୍କୁ ପରସ୍ପରର ନିକଟକୁ ଆଣିବାର ସେହି ଅସଲ କାର୍ଯ୍ୟଟି ଧର୍ମଦ୍ଵାରା ସମ୍ପନ୍ନ ହୋଇ ପାରିଲା ନାହିଁ । ଶିକ୍ଷାରେ ଅଗ୍ରଗତି ବହୁତ ହେଲା, ମାତ୍ର କେବଳ କେତେକଙ୍କ ନିମନ୍ତେ ହେଲା । ସବୁ ପିଲା ବିଦ୍ୟାଳୟକୁ ଆସିବାର ସେମାନଙ୍କର ସର୍ବପ୍ରାଥମିକ ଅଧିକାରରୁ ବଞ୍ଚିତ ହୋଇ ରହିଲେ-। ଶିକ୍ଷା ଏବଂ ଆର୍ଥିକ ବ୍ୟବସ୍ଥାରେ ସାମାଜିକ ନ୍ୟାୟର ଯଥେଷ୍ଟ ବିଚାର ରହିଲା ନାହିଁ-। ଥିଲାବାଲାଏ ଅଧିକ ସ୍ଥଳ ହେଲେ ଏବଂ ନଥିଲାବାଲାଏ ଅଧିକ ଅସହାୟ ହେଲେ । ଏସବୁ କାହିଁକି ଏପରି ହେଲା, ସେଥିପାଇଁ ସୁସ୍ଥ ଭାବରେ ଏକାଠି ବସି ବିଚାର କରିବାର ପରମ୍ପରାଟିକୁ ସତେଅବା ପାଣିକୁ ଫିଙ୍ଗି ଦିଆଗଲା । ଯେଉଁମାନେ ରାଜନୀତି କଲେ, ସେମାନେ ବିତର୍କ ଅପେକ୍ଷା ନାନାବିଧ ସଂନ୍ତ୍ରାସବାଦୀ ପାଜିଗିରି ଉପରେ ସତେଅବା ଅଧିକ ନିର୍ଭର କରିବାକୁ ଅଧିକ ଲାଭଜନକ ମଣିଲେ-। ଅରାଜକତା ହିଁ ସବୁଠାରୁ ଅଧିକ କ୍ଷମତାଶାଳୀ ହୋଇ ରାଜତ୍ଵ କରିବାକୁ ଲାଗିଲା-

 

ଉତ୍ତମମାନେ ଲମ୍ପଟାଚାରୀ ହେଲେ । ଶିକ୍ଷିତମାନେ ଚତୁରତାକୁ ହିଁ ସବାବଡ଼ ସିଦ୍ଧି ବୋଲି ଜାଣିଲେ । ଅମଲାତନ୍ତ୍ର ନିର୍ମମ ହେଲା । ଆଇନ୍‍ମାନେ ରହିଲେ, ତଥାପି ଆଇନ୍ ଉପରେ ନିର୍ଭର କରି ହେଲାନାହିଁ । ପଇସାଗୁଡ଼ାକୁ ଧୂର୍ତ୍ତମାନେ ବାଟମଝିରେ ହିଁ ହରଣଚାଳ କରିନେଲେ । ତେଣୁ, କୋଟି କୋଟି ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ଯେଉଁଠାରେ ପହଞ୍ଚି ଯେଉଁ କାମରେ ଲାଗିବା କଥା, କେହି ଦେଶବାସୀଙ୍କୁ ସେହି ନିର୍ଭର ଦେଇ ପାରିଲେ ନାହିଁ । ଆଗ ତଳଟା ମଜବୁତ ହୋଇ ତିଆରି ହେଲେ ଉପରଟା ମଧ୍ୟ ବାଗ ହୋଇ ରହେ, ଭଦ୍ର ଏବଂ ନିର୍ଭରଯୋଗ୍ୟ ହୋଇ ରହେ । ଭାରତବର୍ଷରେ ସତେଅବା ତଳଟା ପ୍ରତି ବିଶ୍ଵାସଘାତକତା କରି ଉପରୁ କିଞ୍ଚିତ ଦୟା ପ୍ରଦର୍ଶନ କରାଗଲା । ପ୍ରାୟ ଏକ ସାମନ୍ତବାଦୀ ଶୈଳୀରେ ଅନ୍ଧାରଗୁଡ଼ାକୁ ଗାଢ଼ କରି ରଖାଗଲା । ଦେଶର ନେତୃତ୍ଵଟା ତାହାରି ଦ୍ଵାରା ଖୁବ୍ ଲାଭବାନ୍ ହେଲା କି କ’ଣ କେଜାଣି, ପ୍ରାୟ ସେହି ଅନ୍ଧାରର ଖଟୁଲିଗୁଡ଼ାକୁ ଆଦରି ରହିଲା । ସ୍ଵାଧୀନ ଭାରତବର୍ଷ ନୂଆ ହୋଇ ସ୍ଵାଧୀନତା ଲାଭ କରିଥିବା ଦେଶ ଓ ଜନସମୂହ ଗୁଡ଼ିକୁ ଏକ ବିଶେଷ ମାନର ଦୃଷ୍ଟାନ୍ତ ଦେଖାଇବ ବୋଲି ଆମ ଦେଶ ସ୍ଵାଧୀନ ହେବାର ଅବ୍ୟବହିତ ପରେ ପୃଥିବୀ ତମାମ୍ ଯେଉଁ ଅପେକ୍ଷା ରହିଥିଲା, ସେଇଟି କ୍ରମେ ଏକାନ୍ତ ନିରର୍ଥକ ବୋଲି ପ୍ରମାଣିତ ହେଲା । ଭାରତବର୍ଷକୁ ଆଉ ମୋଟେ ଅଲଗା ବୋଲି ବାରି ହେଲାନାହିଁ-

 

ଆଗାମୀ ଶତାବ୍ଦୀର ପ୍ରଥମ ପଚାଶବର୍ଷ ବିଗତ ପଚାଶବର୍ଷର ଗୁହାଳଟାକୁ ସଜାଡ଼ିବାରେ ହିଁ ସବାଆଗ ମନ ଦେବ । ଏଣିକି ଭାରତବର୍ଷ ତଳୁ ତିଆରି ହୋଇ ଆସିବ ! ସ୍ଵାଧୀନତା ପରେ ଯେଉଁ ଭିତ୍ତିଭୂମିଟି ତିଆରି ହୋଇ ଏଠି ମନୁଷ୍ୟମାନଙ୍କୁ ଆଗକୁ ଓ ଆହୁରି ଆଗକୁ ଯିବାର ବାଟଟିକୁ ବାହାର କରି ପାରିଥାନ୍ତା, ପରବର୍ତ୍ତୀ ଶତାବ୍ଦୀର ପ୍ରଥମ ବର୍ଷ ଗୁଡ଼ିକରେ ସେଇଟି ହିଁ ତିଆରି ହେବ । ସେଇଟି ପ୍ରକୃତରେ ତଳୁ ତିଆରି ହୋଇ ଆସିବ । ସବାତଳେ ବର୍ଜିତପ୍ରାୟ ହୋଇ ରହିଥିବା ମାନୁଷ୍ୟମାନେ ଆଉ ଯେ ଆଦୌ ଅପେକ୍ଷା କରିବେ ନାହିଁ, ଆସୁଥିବା ଶତାବ୍ଦୀଟି ସତେଅବା ସେହି ବାର୍ତ୍ତାଟିର ଘୋଷଣା କରି ଭାରତବର୍ଷକୁ ଆସୁଛି । ତଳ ମଣିଷଙ୍କର ନିଦ ଭାଙ୍ଗିଲାଣି । ଉପରବାଲା ଯେତେ ଦୟାଶୀଳ ଏବଂ ଉଦାରହୃଦୟ ହୋଇଥିଲେ ମଧ୍ୟ ତଥାପି ପ୍ରାୟ ଏକ ସ୍ଵଭାବନିର୍ଦ୍ଦିଷ୍ଟ ଜଡ଼ତା ହେତୁ ଯେ ତଳଯାଏ ଓହ୍ଲାଇ ଆସି ପାରନ୍ତିନାହିଁ, ଭାରତବର୍ଷରେ ବିଗତ ଶହେ ବର୍ଷରେ ସେହି କଥାଟିର ଏକାଧିକ ପ୍ରମାଣ ମିଳିଛି । ତେଣୁ, ଏଣିକି ଘରର ଭାର ବହନ କରିବା ନିମନ୍ତେ ତଳ ହିଁ ଅଗ୍ରଗାମୀ ହୋଇ ବାହାରିବ । ତଳର ନିଦ ଭାଙ୍ଗିଲେ ଉପର ଆଉ କଦାପି ତାକୁ ଉପେକ୍ଷା କରି ପାରିବନାହିଁ । ଏହାକୁ ମଧ୍ୟ ଆମେ ମନ କଲେ ରାଜନୀତି ବୋଲି କହିପାରିବା; ମାତ୍ର ସେହି ଶବ୍ଦଟି ଆମ ଦେଶରେ ଏପର୍ଯ୍ୟନ୍ତ ଯାହାକିଛି ବୁଝାଇ ଆସିଛି, ଏଣିକି ତାହା ଏକାବେଳେକେ ତା’ଠାରୁ ଏକ ଅନ୍ୟ କଥାକୁ ବୁଝାଇବ । ସମଗ୍ର ପୃଥିବୀରେ ସମ୍ଭବତଃ ଆଗାମୀ ଶତାବ୍ଦୀରେ ରାଜନୀତି ଏକାବେଳେକେ ଅନ୍ୟ ପ୍ରକାରର ହୋଇଯିବ । ଏବେ ଉପରୁ ସବୁ ହେଉଛି ବୋଲି ଯେଡ଼େ ଭଲ ଭଲ କଥାର ପ୍ରବର୍ତ୍ତନ ହେଉଥିଲା ମଧ୍ୟ ତାହା ପରିବେଶରେ ହୁଏତ ଏକ ଜୁଲମରେ ପରିଣତ ହୋଇଯାଉଛି । ଉପରୁ ଲେଖା ହୋଇଥିବା ଶାସ୍ତ୍ରମାନେ ଅଧିକତର କ୍ଷେତ୍ରରେ ବସ୍ତୁତଃ ଜୁଲମର ପଟରେ ହିଁ ରହିଛନ୍ତି । ଉପରୁ ଅଳପ ମଣିଷଙ୍କୁ ଅଧିକରୁ ଅଧିକ ପ୍ରଶ୍ରୟ ଦେବାଲାଗି ଯେଉଁ ଧର୍ମର ବଖାଣି ହୋଇଛି ଓ ଯେଉଁ ଅର୍ଥବ୍ୟବସ୍ଥାକୁ ଲକ୍ଷ୍ମୀ ବୋଲି କହି ଡାକି ଅଣାଯାଇଛି, ତଦ୍ଦ୍ଵାରା ଯୁଗେ ଯୁଗେ ଜୁଲମଟା ହିଁ ଅଧିକ ହୋଇଛି । ବର୍ତ୍ତମାନ ଉପରୁ ବରାଦ ହୋଇ ଆମକୁ ଦିଆ ଯାଉଥିବା ଶିକ୍ଷା ନାନା ଧୂର୍ତ୍ତତା ସହିତ ଆମ ସାମୂହିକ ଜୀବନରେ ବହୁ ଜୁଲମର କାରଣ ହୋଇ ରହିଛି । ଆମର ଉଚ୍ଚ ପାଠ ପଢ଼ିଥିବା ହାକିମ ଓ ରଖୁଆଳମାନେ ଶାସନ ନାମରେ ଜୁଲମ ହିଁ କରିବାରେ ଲାଗିଛନ୍ତି । ବାହାରକୁ କେଡ଼େ ଧୋବ ଦିଶୁଛନ୍ତି, ମାତ୍ର ଭିତରେ ନାନା ଅବଜ୍ଞା ଏବଂ ଉଦାସୀନତାରେ ଭୟଙ୍କର ହୋଇ ରହିଛନ୍ତି । ଯେଉଁ ଶତାବ୍ଦୀ ଆସୁଛି, ତାହା ଏଗୁଡ଼ାକୁ ଭାଙ୍ଗିବ ଏବଂ ଦେଶଲାଗି ଏକ ଅନ୍ୟ ଭିତ୍ତିଭୂମି ତିଆରି କରିବାରେ ବ୍ରତୀ ହେବ, ସଂକଳ୍ପବଦ୍ଧ ହେବ ।

Image